Unknown

 

 

 

 

 

 

 

 

 

 

ଶ୍ରୀରାମଚରିତ ମାନସ କଥା

ଶ୍ରୀ ରଘୁନାଥ ମହାପାତ୍ର

 

ନିବେଦନ

 

କାହିଁକି କିପରି ଶ୍ରୀରାମଚରିତ ମାନସର ଓଡ଼ିଆ ଗଦ୍ୟାନୁକ୍ରମଣରେ ମାନସ ଅନୁପ୍ରେରିତ ହେଲା ତାହା କେବଳ ପ୍ରେରକ ହିଁ ଜାଣନ୍ତି । ଜାମସେଦପୁରର ଏକ ଅଖ୍ୟାତ ଅଞ୍ଚଳର ମାତ୍ର ଛଅଗୋଟି ଗୃହ ବିଶିଷ୍ଟ ଏକ ଗଳିରେ ବିହାର, ଓଡ଼ିଶା, ବଙ୍ଗଳା ଓ ପଞ୍ଜାବର ଛଅଗୋଟି ପରିବାର ମଧ୍ୟରେ ପ୍ରତି ରବିବାର ସନ୍ଧ୍ୟାବେଳେ ତୁଳସୀଦାସଙ୍କ ରଚିତ ଶ୍ରୀରାମଚରିତମାନସର ପାରାୟଣ ଦଶବର୍ଷ ହେଲା ନିୟମିତ ରୂପେ ଚାଲିଛି । ପାରାୟଣ ବିଭିନ୍ନ ପ୍ରଦେଶର ଏ ପରିବାରଗୁଡ଼ିକୁ ମମତା ସୂତ୍ରରେ ଆବଦ୍ଧ କରି ରଖିବାରେ ସହାୟକ ହୋଇଅଛି ।

 

ଓଡ଼ିଆ ଭାଷାରେ ବହୁ ରାମାୟଣ ଲିଖିତ ଓ ଅନୂଦିତ ହୋଇଥିଲେ ମଧ୍ୟ ତୁଳସୀଙ୍କର ଶ୍ରୀରାମଚରିତ ମାନସର ସ୍ଵତନ୍ତ୍ରତା ରହିଅଛି । ଭକ୍ତିରସ ତୁଳସୀଙ୍କୁ ତୁଳସୀ ଦଳର ମହତ୍ତ୍ଵ ପ୍ରଦାନ କରେ । ବିଶେଷତଃ ଭରତଙ୍କର ଭ୍ରାତୃପ୍ରେମର ବିବରଣ ଓ କେତେକ ଆଖ୍ୟା ତୁଳସୀଙ୍କର ନିଜସ୍ଵ । ଶ୍ରୀରାମ-ଭକ୍ତି-ରସରେ ଭରତ ଓ ହନୁମାନଙ୍କପରି ସେ ଦ୍ରବିତ ହୋଇଥିଲେ ।

 

ତାଙ୍କର ହୃଦ୍‌ଗତ ଶ୍ରୀରାମ ଶ୍ରୀରାମଚରିତର ମାନସରେ ଭାଷାକାରରେ ପ୍ରକଟିତ ହୋଇଛନ୍ତି । ଏ ଭାଷାନୁକ୍ରମଣକାରୀର ସେ ରସକୁ ଗଦ୍ୟାକାରରେ ପ୍ରକାଶ ନିମନ୍ତେ ସାହସ ଧୃଷ୍ଟତାକୁ ଦୟାଳୁ ପାଠକମାନେ ଅନୁଗ୍ରହ ଚକ୍ଷୁରେ ଦର୍ଶନ କରିବେ ବୋଲି ପ୍ରାର୍ଥନା ।

 

ଜାମସେଦପୁର କୋ-ଅପରେଟିଭ୍ କଲେଜର ହିନ୍ଦୀ ପ୍ରାଧ୍ୟାପକ ଡକ୍ଟର ଶ୍ରୀ ସତ୍ୟଦେବ ଓଝା ଏହି ପାଣ୍ଡୁଲିପିର କେତେକାଂଶ ଶୁଣି କେତେକ ପରିବର୍ତ୍ତନ ଓ ପରିବର୍ଦ୍ଧନ ନିମନ୍ତେ ବହୁମୂଲ୍ୟ ଉପଦେଶ ଦେଇଥିବାରୁ ମୁଁ ତାହାଙ୍କୁ ଆନ୍ତରିକ କୃତଜ୍ଞତା ଜଣାଉଅଛି ।

ରଘୁନାଥ ମହାପାତ୍ର

 

ସୂଚୀପତ୍ର

 

ବାଳକାଣ୍ଡ

୧.

ଭରଦ୍ଵାଜଙ୍କ ପ୍ରଶ୍ନ

୨.

ସତୀଙ୍କ ମନରେ ସଂନ୍ଦେହ

୩.

ପାର୍ବତୀଙ୍କ ତପସ୍ୟା

୪.

ଯୋଗଭଗ୍ନ

୫.

ମାୟା-ନାରଦ

୬.

ମନୁ ଓ ଶତରୂପା

୭.

ରାବଣ ଜନ୍ମରହସ୍ୟ

୮.

ରାବଣ ପରାକ୍ରମ

୯.

ଜୟ ଶ୍ରୀରାମଚନ୍ଦ୍ର

୧୦.

ବିଶ୍ଵାମିତ୍ରଙ୍କ ଯଜ୍ଞରକ୍ଷା

୧୧.

ବିବାହପ୍ରସଙ୍ଗ

୧୨.

ଧନୁଯଜ୍ଞ

୧୩.

ଶିବଧନୁଭଙ୍ଗ

୧୪.

ଲକ୍ଷ୍ମଣ ଓ ପର୍ଶୁରାମ ଆଖ୍ୟାନ

୧୫.

ଶ୍ରୀରାମ ବିବାହ

୧୬.

ପୁତ୍ରବଧୁମାନଙ୍କର ଗୃହମଣ୍ଡନ

ଅଯୋଧ୍ୟାକାଣ୍ଡ

୧୭.

ରାଜା ଦଶରଥଙ୍କ ଚିନ୍ତା

୧୮.

ବିଷବୀଜ ରୋପଣ

୧୯.

ବିଷବୃକ୍ଷ ଫଳଧାରଣକଲା

୨୦.

ଅଭିଷେକୋତ୍ସବ ଦିବସରେ ବନଯାତ୍ରା

୨୧.

ଶୃଙ୍ଗବେର ପୁରରେ ବନବାସୀ

୨୨.

ଶ୍ରୀରାମ ସୁମନ୍ତ୍ର ସଂବାଦ

୨୩.

ଶ୍ରୀରାମ ପାଦୁକା

୨୪.

ପ୍ରୟାଗଦର୍ଶନ

୨୫.

ବାଲ୍ମୀକିଙ୍କ ନିର୍ଦ୍ଦେଶ

୨୬.

ଚିତ୍ରକୂଟ ଆଶ୍ରମ

୨୭.

ସୁମନ୍ତ୍ରଙ୍କର ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ

୨୮.

ଅଯୋଧ୍ୟାରେ ଭରତ

୨୯.

ଭରତଙ୍କ ମିନତି

୩୦.

ନିଷାଦପୁରୀରେ ଭରତ

୩୧.

ଭରଦ୍ଵାଜାଶ୍ରମରେ ଭରତ

୩୨.

ଲକ୍ଷ୍ମଣଙ୍କ ମନରେ ଶଙ୍କା

୩୩.

ଶ୍ରୀରାମ ଭରତ ମିଳନ

୩୪.

ରାଜା ଜନକଙ୍କର ପ୍ରବେଶ

୩୫.

ଚିତ୍ରକୂଟରୁ ଭରତଙ୍କର ବିଦାୟ

ଅରଣ୍ୟକାଣ୍ଡ

୩୬.

ବନବାସରେ ଋଷି ସଙ୍ଗତି

୩୭.

ପଞ୍ଚବଟୀ ନିବାସ

୩୮.

ରାବଣ ମାରୀଚ ସମ୍ବାଦ

୩୯.

ମାୟାମୃଗ

୪୦.

ସୀତା ଅନ୍ୱେଷଣ

କିଷ୍କିନ୍ଧ୍ୟାକାଣ୍ଡ

୪୧.

ସୁଗ୍ରୀବଙ୍କ ସହିତ ମିତ୍ରତା

ସୁନ୍ଦରାକାଣ୍ଡ

୪୨.

ହନୁମାନଙ୍କ ଦ୍ଵୈତ

୪୩.

ଜାନକୀ ସନ୍ଧାନ

୪୪.

ଲଙ୍କାପୁରୀ ଦହନ

୪୫.

ବିଭୀଷଣ ସଂବାଦ

୪୬.

ରାବଣ ଦୂତ

ଲଙ୍କାକାଣ୍ଡ

୪୭.

ସେତୁନିର୍ମାଣ ଓ ରାବଣପୁରୀରେ ଚିନ୍ତା

୪୮.

ଦୂତ ଅଙ୍ଗଦ

୪୯.

ଯୁଦ୍ଧାରମ୍ଭ

୫୦.

ଲକ୍ଷ୍ମଣ ଶକ୍ତିଭେଦ

୫୧.

କୁମ୍ଭକର୍ଣ୍ଣ

୫୨.

ମେଘନାଦ

୫୩.

ଯୁକ୍ତକ୍ଷେତ୍ରରେ ରାବଣ ଓ ଲକ୍ଷ୍ମଣ

୫୪.

ମହାବଳୀ ରାବଣ

୫୫.

ଦଶଗ୍ରୀବ ବଧ

୫୬.

ଅଗ୍ନିପରୀକ୍ଷା

ଉତ୍ତରାକାଣ୍ଡ

୫୭.

ଅଯୋଧ୍ୟା ପ୍ରତ୍ୟାଗମନ

୫୮.

ଶ୍ରୀରାମାଭିଷେକ ଓ ରାମରାଜ୍ୟ

୫୯.

ସୁନ୍ଦର ଅଯୋଧ୍ୟା

୬୦.

କାଳଭୁଷଣ୍ଡୀ ଉପାଖ୍ୟାନ

Image

 

ବାଳକାଣ୍ଡ

ଭରଦ୍ଵାଜଙ୍କ ପ୍ରଶ୍ନ

 

ତୀର୍ଥମାନଙ୍କ ମଧ୍ୟରେ ପ୍ରୟାଗ ତୀର୍ଥରାଜ । ଏ ତୀର୍ଥର ମହିମା ମୁନିଋଷି, ସାଧୁ ସନ୍ନ୍ୟାସୀମାନେ ଗାନ କରନ୍ତି । ପବିତ୍ର ମାଘମାସରେ ପ୍ରୟାଗ କ୍ଷେତ୍ରକୁ ବହୁ ଦୂରାନ୍ତରରୁ ସାଧୁ ସନ୍ନ୍ୟାସୀ, ଧର୍ମପ୍ରାଣ ତୀର୍ଥଯାତ୍ରୀମାନେ ବହୁ ପୂର୍ବ କାଳରେ ମଧ୍ୟ ଆସୁଥିଲେ । ସୂର୍ଯ୍ୟ ମକରରାଶିକୁ ଗଲେ ପ୍ରୟାଗ ତୀର୍ଥରେ ସ୍ନାନର ମହତ୍ତ୍ଵ ବଢ଼େ । କଥା ଅଛି–ଦେବତା, ଅସୁର, କିନ୍ନରମାନେ ମଧ୍ୟ ଏହି ଯୋଗରେ ପ୍ରୟାଗ-ସଂଗମରେ ସ୍ନାନ ନିମନ୍ତେ ଆସନ୍ତି । ଗଙ୍ଗା, ଯମୁନା ଓ ଅନ୍ତଃସ୍ରୋତା ସରସ୍ଵତୀ ନଦୀର ତ୍ରିବେଣୀ ସଂଗମ ଭାରତର ସର୍ବୋତ୍ତମ ତୀର୍ଥରୂପେ ପୁରାଣ ଯୁଗରୁ ବିଦିତ ।

 

ପ୍ରୟାଗଠାରେ ମାଧବଙ୍କର ମନ୍ଦିର ବିଦ୍ୟମାନ । ସେଠାରେ ଅକ୍ଷବଟକୁ ସ୍ପର୍ଶ କଲେ ମହାପୁଣ୍ୟ ମିଳେ । ପ୍ରୟାଗ ତୀର୍ଥରେ ମୁନି ଭରଦ୍ଵାଜଙ୍କର ଆଶ୍ରମ । ଶ୍ରୀରାମଙ୍କ ପଦରେ ତାଙ୍କର ସତତ ଅନୁରାଗ । ମୁନି ଭରଦ୍ଵାଜ ଜିତେନ୍ଦ୍ରିୟ, ତପସ୍ଵୀପୁଙ୍ଗବ । ତ୍ରିବେଣୀସଂଗମରେ ସ୍ନାନ ସମାପନ ପରେ ମୁନିଋଷିମାନେ ଭରଦ୍ୱାଜଙ୍କ ଆଶ୍ରମରେ ଏକତ୍ର ହୁଅନ୍ତି । ସେଠାରେ ବ୍ରହ୍ମ ଓ ଭଗବାନ ବିଷୟକ ଚର୍ଚ୍ଚା କରି ସେମାନେ କାଳ ଅତିବାହିତ କରନ୍ତି । ସମଗ୍ର ମାଘମାସ ସେଠାରେ ରହି ମକର-ସ୍ନାନର ଫଳ ପାଇ ନିଜ ନିଜ ଆଶ୍ରମକୁ ଫେରିଯାନ୍ତି ।

 

ଥରେ ଏହି ମକର ମାସରେ ଯାଜ୍ଞବଲ୍‌କ୍ୟ ମୁନି ପ୍ରୟାଗ ଆସିଥିଲେ । ମକରସ୍ନାନାନ୍ତେ ମୁନିମାନେ ପ୍ରତ୍ୟାବର୍ତ୍ତନ କଲାବେଳେ ଭରଦ୍ଵାଜ ଋଷି ଯାଜ୍ଞବଲ୍‌କ୍ୟ ମୁନିଙ୍କୁ ଆଦର ସମ୍ବର୍ଦ୍ଧନା କରି ପାଦପୂଜା କଲେ ଏବଂ ଶେଷରେ ଅନୁରୋଧ କରି କହିଲେ–“ହେ ମୁନୀଶ୍ଵର ! ମୋ ମନରେ ଗୋଟିଏ ବଡ଼ ସଂଶୟ ଉପସ୍ଥିତ ହୋଇଅଛି । ଆପଣ ବେଦତତ୍ତ୍ୱଦର୍ଶୀ, ତେଣୁ ଆପଣ ମୋର ଏ ସନ୍ଦେହ ଦୂର କରିପାରିବେ; କିନ୍ତୁ ସେ ସନ୍ଦେହ ଆପଣଙ୍କ ସମ୍ମୁଖରେ ପ୍ରକାଶ କରିବାପାଇଁ ମୋ ମନରେ ଭୟ ଓ ଲଜ୍ଜା ଆସୁଛି । ଗୁରୁଙ୍କ ନିକଟରେ ଗୁପ୍ତ ରଖିଲେ ହୃଦୟରେ ନିର୍ମଳ ଜ୍ଞାନ ଆସେ ନାହିଁ । ଏକଥା ଜାଣି ମୁଁ ମୋର ଅଜ୍ଞତା ପ୍ରକାଶ କରୁଛି । ମୋର ଏ ସନ୍ଦେହ ଦୂର ନ ହେଲେ ମୁଁ ସେହିପରି ଅଜ୍ଞାନ ହୋଇ ରହିବି ।”

 

ସନ୍ଥ ପୁରାଣ, ଉପନିଷଦ୍ ପ୍ରଭୃତି ରାମନାମର ଅଶେଷ ପ୍ରଭାବ ବର୍ଣ୍ଣନ କରିଅଛନ୍ତି । ନିଜେ ଭଗବାନ୍ ଶଂଭୁ ନିରନ୍ତର ରାମନାମ ଜପ କରନ୍ତି । ସଂସାରରେ ଥିବା ଚାରିଜାତିର ଜୀବ କାଶୀରେ ମୃତ୍ୟୁଲାଭ କରି ପରମପଦ ପ୍ରାପ୍ତ ହୁଅନ୍ତି, ତାହାହିଁ ରାମନାମର ମହିମା ଅଟେ । କାରଣ ଭଗବାନ୍ ଶିବ କାଶୀଧାମରେ ମୃତ୍ୟୁଲାଭ କରିଥିବା ଜୀବମାନଙ୍କୁ ରାମନାମ ଉପଦେଶ ଦିଅନ୍ତି; ତେଣୁ ସେମାନଙ୍କୁ ପରମପଦ ମିଳେ । ସେଥିପାଇଁ ସେ ରାମ କିଏ ? ଏହା ଆପଣଙ୍କଠାରୁ ଜାଣିବାପାଇଁ ମୁଁ ଇଚ୍ଛା କରୁଅଛି । ଅନୁଗ୍ରହ କରି ମୋତେ ସେ କଥା କହନ୍ତୁ ।

 

ଜଣେ ରାମ ଅଯୋଧ୍ୟାର ରାଜା ଦଶରଥଙ୍କର ପୁତ୍ର । ସମଗ୍ର ସଂସାରର ଲୋକେ ତାଙ୍କର ଚରିତ ଜାଣନ୍ତି । ସେ ସ୍ତ୍ରୀ-ବିରହରେ ଅପାର ଦୁଃଖ ଭୋଗିଲେ । ତା’ପରେ ସେ କ୍ରୁଦ୍ଧ ହୋଇ ତାଙ୍କର ସ୍ତ୍ରୀଙ୍କୁ ଅପହରଣ କରି ନେଇଥିବା ରାବଣକୁ ଯୁଦ୍ଧରେ ହତ୍ୟା କଲେ । ଭଗବାନ୍ ଶିବ ସେହି ରାମଙ୍କୁ ଭଜନ କରନ୍ତି, ନାଁ ଅନ୍ୟ ଜଣେ କେହି ରାମ ଅଛନ୍ତି–ମୋର ଏ ବିଷୟରେ ସନ୍ଦେହ ଜାତ ହୋଇଅଛି । ଆପଣ ସର୍ବଜ୍ଞ । ମୋତେ ଏ କଥାର ଉତ୍ତର ଦେଇ ମୋର ସନ୍ଦେହ ମୋଚନ କରନ୍ତୁ ।

 

ଯାଜ୍ଞବଲ୍‌କ୍ୟ ମୁନି ମନଦେଇ ଭରଦ୍ଵାଜଙ୍କର ଏ ସନ୍ଦେହ କଥା ଶୁଣି ଅଳ୍ପ ହସିଲେ ଏବଂ କହିଲେ–ତୁମେ ମନ, ବଚନ ଓ କର୍ମରେ ଶ୍ରୀରାମଙ୍କର ଭକ୍ତ ଅଟ । ତୁମର ଚତୁରତା ମୁଁ ବୁଝି ପାରିଛି । ଶ୍ରୀରାମଙ୍କର ରହସ୍ୟମୟ ଗୁଣର ବର୍ଣ୍ଣନା ତୁମେ ଶୁଣିବାକୁ ଇଚ୍ଛା କରିଅଛ । ସେଥିପାଇଁ ତୁମର ଏ ପ୍ରଶ୍ନ । ତୁମେ ନିଜକୁ ଜଡ଼ ବୋଲି ମନେକରୁଛ ? କିନ୍ତୁ ତୁମେ ମହାନ୍ ପଣ୍ଡିତ । ତୁମର ଉଦ୍ଦେଶ୍ୟ ମୁଁ ବୁଝି ପାରିଛି । ମୁଁ ଶ୍ରୀରାମଙ୍କର ଗୁଣଗୁଡ଼ିକର ବର୍ଣ୍ଣନା କରୁଛି । ତୁମେ ମନଦେଇ ଶୁଣ-

Image

 

ସତୀଙ୍କ ମନରେ ସନ୍ଦେହ

 

ଭରଦ୍ଵାଜଙ୍କ ମନର ସନ୍ଦେହ ଦୂର କରିବା ପାଇଁ ଯାଜ୍ଞବଲ୍‌କ୍ୟ ଏକ ପୁରାତନ ଘଟଣା ଭରଦ୍ଵାଜଙ୍କୁ କହିଲେ । ସ୍ଵୟଂଭୁ ଶଂଭୁଙ୍କର ପତ୍ନୀ ଥିଲେ ସତୀ । ତାଙ୍କ ମନରେ ଥରେ ଏପରି ସଂଶୟ ଉପୁଜିଥିଲା । ସ୍ଵୟଂ ଶଂଭୁ ତାଙ୍କ ମନରୁ ସଂଶୟ ଦୂରକରିବା ଉଦ୍ଦେଶ୍ୟରେ ତାଙ୍କୁ ଶ୍ରୀରାମଚରିତ ଶୁଣାଇଥିଲେ । ଯାଜ୍ଞବଲ୍‌କ୍ୟ ମହାଦେବଙ୍କର ସେହି କଥା ଭରଦ୍ଵାଜଙ୍କ ସମ୍ମୁଖରେ ବର୍ଣ୍ଣନ କଲେ ।

 

ସତ୍ୟଯୁଗ ପରେ ତ୍ରେତାଯୁଗରେ ଥରେ ମହାଦେବ ଅଗସ୍ତ୍ୟଙ୍କ ଆଶ୍ରମରେ ପହଞ୍ଚିଲେ । ଶିବଙ୍କ ସଙ୍ଗରେ ଜଗଜ୍ଜନନୀ ସତୀ ମଧ୍ୟ ଥିଲେ । ଅଗସ୍ତ୍ୟ ଜଗଜ୍ଜନନୀ ଓ ଦେବାଧିଦେବ ମହାଦେବଙ୍କୁ ଆଶ୍ରମରେ ପାଇ କୃତକୃତ୍ୟ ହେଲେ । ସେତିକିବେଳେ ମହାମୁନି ଅଗସ୍ତି ଶିବ ଓ ଭବାନୀଙ୍କ ସମ୍ମୁଖରେ ଶ୍ରୀରାମଙ୍କର ଗୁଣଗାଥା ବିସ୍ତାରପୂର୍ବକ ବର୍ଣ୍ଣନା କଲେ । ଅଗସ୍ତ୍ୟ ମୁନି ତା’ ପରେ ଶିବଙ୍କଠାରୁ ହରିଭକ୍ତି ରହସ୍ୟ ଶୁଣିବାକୁ ଇଚ୍ଛା କଲେ । ମୁନିଙ୍କ ଆଶ୍ରମରେ ଶିବ ଓ ଭବାନୀ କିଛି ଦିନ ରହି ମୁନିଙ୍କଠାରୁ ବିଦାୟ ନେଇ କୈଳାସକୁ ଫେରିଲେ ।

 

ତ୍ରେତାଯୁଗରେ ଶ୍ରୀରାମଚନ୍ଦ୍ର ପୃଥିବୀର ଭାର ଲାଘବ କରିବା ପାଇଁ ଅଯୋଧ୍ୟାରେ ଜନ୍ମଲାଭ କରିଥାନ୍ତି । ପିତୃବଚନ ରକ୍ଷା କରିବା ଉଦ୍ଦେଶ୍ୟରେ ଶ୍ରୀରାମଚନ୍ଦ୍ର ତପସ୍ଵୀବେଶରେ ଦଣ୍ଡକ ବନରେ ଭ୍ରମଣ କରୁଥିବାବେଳେ ଭଗବାନ ଶିବ ଶ୍ରୀରାମ-ଦର୍ଶନ ଇଚ୍ଛାକଲେ । ମହାଦେବ ହୃଦୟରେ ବିଚାରିଲେ–ନାରାୟଣ ଗୁପ୍ତ ରୂପରେ ଅବତାର ଗ୍ରହଣ କରିଛନ୍ତି । ମୁଁ ତାଙ୍କ ପାଖକୁ ଗଲେ ରହସ୍ୟ ପ୍ରକଟିତ ହେବ । କିନ୍ତୁ ଏ ରହସ୍ୟ ସତୀ ଜାଣି ନ ଥିଲେ । ଏଣେ ମହାଦେବଙ୍କ ମନରେ ଶ୍ରୀରାମ-ଦର୍ଶନ ଇଚ୍ଛା ପ୍ରବଳତର ହେଲା ।

 

ରାବଣ ମନୁଷ୍ୟ ହାତରେ ମୃତ୍ୟୁ ଇଚ୍ଛା କରି ବ୍ରହ୍ମାଙ୍କଠାରୁ ବର ମାଗିଥିଲେ । ପୁଣି ନାରାୟଣଙ୍କ ବ୍ୟତୀତ ରାବଣଙ୍କୁ ଆଉ କେହି ମାରି ପାରିବେ ନାହିଁ । ତେଣୁ ନାରାୟଣ ମନୁଷ୍ୟ ରୂପରେ ରାବଣଙ୍କୁ ହତ୍ୟା କରିବେ । ନାରାୟଣଙ୍କୁ ମନୁଷ୍ୟ ରୂପରେ ଦର୍ଶନ କରିବାର ଅଭିଳାଷ ପୂରଣ ହୋଇପାରିବ ଜାଣି ମହାଦେବ ମନେ ମନେ ଏ ସୁଯୋଗ ଗ୍ରହଣ କରିବାକୁ ବିଚାରିଲେ; କିନ୍ତୁ କେଉଁ ଉପାୟରେ ଶ୍ରୀରାମଙ୍କ ଦର୍ଶନ ଲାଭ ହେବ ତାହା ନିଶ୍ଚୟ କରି ପାରିନଥିଲେ ।

 

ଦେବତାମାନଙ୍କ ମନର ଅଭିଳାଷ ପୂରଣ ହୁଏ । ଏତିକିବେଳେ ରାବଣ ମାରୀଚକୁ କପଟ ମୃଗବେଶରେ ସୀତାଙ୍କ ନିକଟକୁ ପଠାଇଥିଲେ । ସୀତାଙ୍କ ଅନୁରୋଧରେ ସେହି ମୃଗଟିକୁ ଧରିଆଣିବା ପାଇଁ ଶ୍ରୀରାମଚନ୍ଦ୍ର, ଏକାକୀ ତାହାର ଅନୁସରଣ କରୁଥିଲେ । ପୁଣି ଲକ୍ଷ୍ମଣ ମଧ୍ୟ ଭ୍ରାତାଙ୍କ ସାହାଯ୍ୟ ନିମନ୍ତେ ବାହାରିଲେ । ଦୁଇଭାଇ ଆଶ୍ରମକୁ ଫେରି ସୀତାଙ୍କୁ ଦେଖିଲେ ନାହିଁ । ଏଣେତେଣେ ଖୋଜିଲେ, ଶେଷରେ ନିରାଶ ହୋଇ ବିଳାପ କରିବାକୁ ଲାଗିଲେ । ସେତିକିବେଳେ ଶ୍ରୀରାମଚନ୍ଦ୍ର, ମନୁଷ୍ୟପରି ବିରହରେ ବ୍ୟାକୁଳ ହୋଇପଡ଼ିଛନ୍ତି, ମହାଦେବ ତାଙ୍କୁ ଏଇ ଅବସ୍ଥାରେ ଦେଖିଲେ ।

 

ଶ୍ରୀରାମଚନ୍ଦ୍ରଙ୍କୁ ମନୁଷ୍ୟ ଭାବରେ ଦେଖିଲେ ମଧ୍ୟ ଶିବଙ୍କ ମନରେ କୌଣସି ବିଚାର ଆସିଲା ନାହିଁ । ତାଙ୍କୁ ଦେଖିବାମାତ୍ରେ ସେ ପରମ ଆନନ୍ଦରସରେ ବୁଡ଼ିଗଲେ; କିନ୍ତୁ ଉପଯୁକ୍ତ ଅବସର ନ ପାଇବାରୁ ସେ ନିଜର ପରିଚୟ ଦେଲେନାହିଁ । ହୃଦୟ ଆନନ୍ଦରେ ନିମଗ୍ନ ହେଲା । ସତୀଙ୍କ ସଙ୍ଗରେ ମହାଦେବ ଯାଉଥିଲାବେଳେ ସତୀ ମହାଦେବଙ୍କର ଆନନ୍ଦପୁଲକିତ ଭାବ ବୁଝି ପାରିଲେ; କିନ୍ତୁ ତାଙ୍କ ମନରେ ଭାବାନ୍ତର ଜାତହେଲା ।

 

ସେ ମନେ ମନେ ଚିନ୍ତାକଲେ–ଶଙ୍କର ମହାଦେବ ସମଗ୍ର ଜଗତର ବନ୍ଦନୀୟ । ଦେବତା, ମନୁଷ୍ୟ, ମୁନି ସମସ୍ତେ ତାଙ୍କୁ ନମସ୍କାର କରନ୍ତି; ଅଥଚ ଜଣେ ରାଜପୁତ୍ରଙ୍କୁ ସଚ୍ଚିଦାନନ୍ଦ ପରମେଶ୍ଵର ମନେକରି ତାଙ୍କରି ଦର୍ଶନରେ ସେ ଏପରି ପ୍ରେମବିହ୍ଵଳ ହୋଇ ପଡ଼ୁଛନ୍ତି କାହିଁକି ? ପୁଣି ଶ୍ରୀରାମଚନ୍ଦ୍ର ବ୍ରହ୍ମ ସର୍ବବ୍ୟାପକ ଅଟନ୍ତି, ସେ ପୁଣି ମନୁଷ୍ୟଶରୀର ଧାରଣ କରି ଅଜ୍ଞାନ ମନୁଷ୍ୟ ସଦୃଶ ସ୍ତ୍ରୀ ବିରହରେ ବନପ୍ରଦେଶରେ ବୁଲୁଛନ୍ତି କାହିଁକି ? ଶିବଙ୍କ ମନୋଭାବ ତ ମିଥ୍ୟା ନୁହଁ । ମନଭିତରେ କେତେ ପ୍ରଶ୍ନ ଆସିଲା, ନାନା ସନ୍ଦେହ ଆସିଲା; କିନ୍ତୁ ସେ ସନ୍ଦେହକୁ ସେ ନିଜେ ନିଜେ ସମାଧାନ କରିପାରିଲେ ନାହିଁ । ମନର ସନ୍ଦେହ ଦୂର କରିବାପାଇଁ ମଧ୍ୟ ସେ ଶିବଙ୍କୁ ପ୍ରକାଶ୍ୟରେ କିଛି କହିଲେନାହିଁ ।

 

ସତୀଙ୍କ ମନୋଭାବ ଅନ୍ତର୍ଯ୍ୟାମୀ ମହାଦେବ ଜାଣିପାରିଲେ । ସେ ସତୀଙ୍କୁ କହିଲେ–ସତୀ, ସ୍ତ୍ରୀ ସ୍ଵଭାବର ବଶବର୍ତ୍ତୀ ହୋଇ ତୁମ ମନରେ ନାନା ସନ୍ଦେହ ସ୍ଥାନ ପାଇଛି । ଏପରି ସନ୍ଦେହ ତୁମ ମନରେ ଆସିବା ଉଚିତ ନୁହଁ । ତୁମେ ଶୁଣିଛ–ଅଗସ୍ତ୍ୟ ଋଷି ଶ୍ରୀରାମଙ୍କର ମହିମା ଗାନକଲେ-। ମୁଁ ହରିଭକ୍ତିରସ ମୁନିଙ୍କ ଆଗରେ ବର୍ଣ୍ଣନା କଲି । ଶ୍ରୀରାମଚନ୍ଦ୍ର ମୋର ଇଷ୍ଟଦେବ । ଜ୍ଞାନୀ, ମୁନି, ବେଦ ଓ ପୁରାଣ ଶ୍ରୀରାମଙ୍କର ଯଶୋଗାନ କରନ୍ତି । ଶ୍ରୀରାମଚନ୍ଦ୍ର ବ୍ରହ୍ମାଣ୍ଡର ସ୍ଵାମୀ । ଭକ୍ତର ହିତସାଧନ ନିମିତ୍ତ ବ୍ରହ୍ମରୂପୀ ନାରାୟଣ ରଘୁ କୁଳରେ ମନୁଷ୍ୟଦେହ ଧାରଣ କରିଛନ୍ତି ।

 

ମହାଦେବଙ୍କର ସମସ୍ତ ବର୍ଣ୍ଣନ ଓ ବ୍ୟାଖ୍ୟାନ ସତୀ ମନଦେଇ ଶୁଣିଲେ । ତଥାପି ତାଙ୍କ ହୃଦୟର ଏକ କୋଣରେ କିଛି ସନ୍ଦେହ ରହିଗଲା । ମହାଦେବ ବୁଝି ପାରିଲେ–ସତୀଙ୍କ ହୃଦୟକୁ ମାୟା ପରିବେଷ୍ଟନ କରିଛି । ସେ ସତୀଙ୍କୁ କହିଲେ–ତୁମର ସନ୍ଦେହ ଦୂର କରିବା ପାଇଁ ତୁମେ ସ୍ଵୟଂ ଶ୍ରୀରାମଚନ୍ଦ୍ରଙ୍କ ନିକଟକୁ ଯାଅ, ତାଙ୍କୁ ପରୀକ୍ଷା କରି ଆସ । ତୁମେ ଆସିବା ପର୍ଯ୍ୟନ୍ତ ମୁଁ ଏ ବଟବୃକ୍ଷର ଛାୟାରେ ବସିଥିବି । ହୃଦୟରୁ ତୁମର ଅଜ୍ଞାନତା ଦୂର କରିବାପାଇଁ ବିବେକଜନିତ କାର୍ଯ୍ୟ ସମ୍ପନ୍ନ କର ।

 

ଦକ୍ଷକନ୍ୟା ସତୀଙ୍କର ଏ ପରୀକ୍ଷା କଲ୍ୟାଣକର ନୁହଁ; କିନ୍ତୁ ଭଗବାନଙ୍କର ଉଦ୍ଦେଶ୍ୟ ନିଶ୍ଚୟ ସଂପୂର୍ଣ୍ଣ ହେବ । ମହାଦେବ ଏପରି ବିଚାର କରି ଶ୍ରୀରାମଚନ୍ଦ୍ରଙ୍କ ଜପରେ ନିବିଷ୍ଟ ରହିଲେ ।

 

ଶ୍ରୀରାମଚନ୍ଦ୍ର ସତୀ ସୀତାଙ୍କ ଅନୁସନ୍ଧାନରେ ବ୍ୟସ୍ତ । ମହାଦେବଙ୍କ ପତ୍ନୀ ସତୀ ସୀତାଙ୍କ ରୂପ ଧାରଣ କରି ବାହାରିଲେ । ଶ୍ରୀରାମଚନ୍ଦ୍ର ସମ୍ମୁଖରେ ସତୀଙ୍କୁ ହଠାତ୍ ଦେଖିବା ମାତ୍ରେ ତାଙ୍କୁ ଚିହ୍ନିପାରିଲେ ? ହସି ହସି ତାଙ୍କୁ ନମସ୍କାର କରି ପଚାରିଲେ–ଭଗବାନ୍‌ ଶିବ କାହାନ୍ତି ? ଆପଣ ଏକାକୀ ଏ ବନରେ ବୁଲୁଛନ୍ତି କାହିଁକି ? ସତୀଙ୍କ ମନରୁ ସମସ୍ତ ସନ୍ଦେହ ଦୂରହେଲା; କିନ୍ତୁ ତାଙ୍କର ହୃଦୟ ସଙ୍କୁଚିତ ହୋଇଗଲା । ସେ ଶିବଙ୍କୁ କି ଉତ୍ତର ଦେବେ ବୋଲି ଯେତିକି ବିଚାରିଲେ; ସେତିକି ତାଙ୍କର ହୃଦୟରେ ଜ୍ଵଳନ ଜାଗ୍ରତ ହେଲା । ସତୀ ସେହିଠାରେ ଶ୍ରୀରାମଚନ୍ଦ୍ର, ସୀତା ଓ ଲକ୍ଷ୍ମଣଙ୍କୁ ଏକସଙ୍ଗରେ ଦେଖିପାରିଲେ । ସେ ଯେଉଁ ଦିଗକୁ ଚାହିଁଲେ ଏ ତ୍ରିମୂର୍ତ୍ତିକୁ ମୁନି, ସିଦ୍ଧ ସନ୍ନ୍ୟାସୀମାନେ ସେବା କରୁଥିବାର ଲକ୍ଷ୍ୟ କଲେ । ସେ ଯେ ସେହି ବ୍ରହ୍ମ, ବିଶ୍ଵସ୍ରଷ୍ଟା, ସେ ବିଷୟରେ ତାଙ୍କର କୌଣସି ସନ୍ଦେହ ରହିଲା ନାହିଁ । ସତୀଙ୍କ ମନରେ ଭୟ ଆସିଲା, ହୃଦୟରେ କମ୍ପନ ସୃଷ୍ଟିହେଲା । ସେ ସମ୍ଭାଳି ନ ପାରି ଚକ୍ଷୁ ବନ୍ଦ କରିପକାଇଲେ । ପୁଣି ଚକ୍ଷୁ ଖୋଲି ଦେଖିଲେ–ସେ ସମସ୍ତ ଦୃଶ୍ୟ ଅନ୍ତର୍ହିତ ହୋଇଯାଇଛି ।

 

ସତୀ ଶିବଙ୍କ ପାଖରେ ପହଞ୍ଚି ତାଙ୍କୁ ସମସ୍ତ ଘଟଣା କହିଲେ; କିନ୍ତୁ କହିଲାବେଳେ କେତେକ କଥା ଗୁପ୍ତ ରଖି ଶ୍ରୀରାମଙ୍କ ବିଷୟରେ ଶିବଙ୍କ ବର୍ଣ୍ଣିତ ସମସ୍ତ ଘଟଣା ସତ୍ୟବୋଲି ସ୍ଵୀକାର କଲେ । ଶିବ ପୁଣି ଧ୍ୟାନସ୍ଥ ହୋଇ ଜାଣିପାରିଲେ–ସତୀ ନିଜେ ସୀତାଙ୍କ ବେଶ ଧାରଣ କରି ଶ୍ରୀରାମଚନ୍ଦ୍ରଙ୍କୁ ପରୀକ୍ଷା କରିଥିଲେ । ଏହି ମୋହମାୟାଗ୍ରସ୍ତ ସତୀଙ୍କ ସହିତ ପ୍ରୀତି ରହିବା ଉଚିତ ନୁହେଁ ବୋଲି ବିଚାର ସତୀଙ୍କର ଏ ଶରୀରର ସମ୍ପର୍କ ଛିନ୍ନକରି ଶିବ କୈଳାସ ଧାମକୁ ଯାତ୍ରାକଲେ ।

Image

 

ପାର୍ବତୀଙ୍କ ତପସ୍ୟା

 

ଏପରି ପ୍ରତିଜ୍ଞା ଆଉ କିଏ କରିପାରିବ ? ‘ଆପଣ ଶ୍ରୀରାମଙ୍କର ଭକ୍ତ ନିଜେ ସ୍ଵୟଂଭୁ । ଆପଣଙ୍କର ଜୟ ହେଉ ।’

 

ସତୀ ଏପରି ଏକ ଆକାଶବାଣୀ ଶୁଣି କୈଳାସରେ ଶିବଙ୍କ ପାଖରେ ପହଞ୍ଚିଲେ । ସତୀ ପଚାରିଲେ–‘‘ହେ ପ୍ରଭୁ, ଆପଣ କି ପ୍ରତିଜ୍ଞା କରିଛନ୍ତି ମୋତେ କହନ୍ତୁ । ମୋ ଉପରେ ଦୟା କରନ୍ତୁ ।” ଶିବଙ୍କଠାରୁ କୌଣସି ଉତ୍ତର ନପାଇବାରୁ ସେ ମନେ ମନେ ନିଶ୍ଚିତ ଜାଣିପାରିଲେ ଯେ, ସେ ଯେଉଁ ସବୁ ଘଟଣା ଶିବଙ୍କୁ ଗୁପ୍ତ ରଖିଥିଲେ, ସେସମସ୍ତ ସେ ଜାଣିପାରିଛନ୍ତି । ସତୀ ଦୁଃଖରେ କାନ୍ଦିବାକୁ ଲାଗିଲେ ।

 

ମହାଦେବ ସତୀଙ୍କର ଅନ୍ତରର ଅନୁତାପ ବୁଝି ପାରିଲେ । ସେ କେତେଗୁଡ଼ିଏ ସୁନ୍ଦର ଉପଦେଶମୂଳକ କଥା ସତୀଙ୍କୁ କହିବା ପରେ କୈଳାସ ପର୍ବତର ଏକ ବଟବୃକ୍ଷ ତଳେ ପଦ୍ମାସନରେ ବସି ସମାଧିସ୍ଥ ହେଲେ । ସତୀଙ୍କର ଗୋଟିଏ ଗୋଟିଏ ଦିନ ଗୋଟିଏ ଗୋଟିଏ ଯୁଗପରି ବିତିଲା । ସେ ଶ୍ରୀରାମଚନ୍ଦ୍ରଙ୍କୁ ଅପମାନ ଦେଇଛନ୍ତି ଏବଂ ପତିଙ୍କୁ ମିଥ୍ୟାବଚନ କହିଛନ୍ତି । ତାହାରି ଫଳ ତାଙ୍କୁ ଭୋଗିବାକୁ ପଡ଼ିବ ବୋଲି ସତୀ ନିଶ୍ଚିତ ହେଲେ ।

 

ସତୀ ଶ୍ରୀରାମଚନ୍ଦ୍ରଙ୍କୁ ସ୍ମରଣ କରି କରିଲେ, “ହେ ଦୀନାର୍ତ୍ତନାଶନ ଭଗବାନ୍ ! ଶୀଘ୍ର ମୋର ଦୁଃଖ ଦୂର କରନ୍ତୁ । ମୋର ଏ ଶରୀର ବିନଷ୍ଟ ହେଉ । ଶିବଙ୍କ ଚରଣରେ ମୋର ଯଦି ପରମ ଭକ୍ତି ଥାଏ, ମୋର ଏ ମର ଶରୀର ଶୀଘ୍ର ଦୂର ହୋଇଯାଉ ।”

 

ଶିବଙ୍କ ସମାଧିସ୍ଥ ଶରୀରରୁ କେତେ ଯୁଗ ଅତୀତ ହେବା ପରେ ରାମନାମ ଉଚ୍ଚାରିତ ହେଲା ।

 

ସେହି ସମୟରେ ଦକ୍ଷପ୍ରଜାପତି ଗୋଟିଏ ଯଜ୍ଞ ସାଧନ କରୁଥିଲେ । ପ୍ରଜାପତିମାନଙ୍କର ନାୟକ ଭାବରେ ସେ ଅଧିଷ୍ଠିତ ହେବା ଉଦ୍ଦେଶ୍ୟରେ ଯଜ୍ଞ ଅନୁଷ୍ଠିତ ହେଉଥିଲା-। ସେଥିପାଇଁ ତାଙ୍କ ମନରେ ଯଥେଷ୍ଟ ଅଭିମାନ ଥିଲା । ଯଜ୍ଞରେ ଯେଉଁ ଦେବତା ଯେଉଁ ଭାଗର ଅଧିକାରୀ, ଦକ୍ଷ ସେହି ସେହି ଦେବତାମାନଙ୍କୁ ଆମନ୍ତ୍ରଣ କଲେ । ନାଗ, ଗନ୍ଧର୍ବ ଓ ଦେବତାମାନେ ନିଜ ନିଜ ପତ୍ନୀଙ୍କସହ ଯଜ୍ଞସ୍ଥଳରେ ପହଞ୍ଚିଲେ; କିନ୍ତୁ ମହାଦେବଙ୍କୁ ସେ ସ୍ଥଳକୁ ନିମନ୍ତ୍ରଣ କରାଯାଇନଥିଲା ।

 

ଦେବତା ଓ କିନ୍ନରମାନେ ସୁନ୍ଦର ବିମାନରେ ବସି ଆକାଶମାର୍ଗରେ ଯାଉଥିଲାବେଳେ ସତୀ ସେମାନଙ୍କୁ ପଚାରି ବୁଝିଲେ । ଦକ୍ଷଯଜ୍ଞରେ ଯୋଗଦେବାକୁ ଯାଉଛନ୍ତି ବୋଲି ସେମାନଙ୍କଠାରୁ ଶୁଣି ସେ ପିତୃଗୃହକୁ ଯିବାପାଇଁ ଶିବଙ୍କଠାରୁ ଅନୁମତି ମାଗିଲେ । ଶିବ ସର୍ବଜ୍ଞ । ସେ କହିଲେ–ତୁମର ଭଗିନୀମାନେ ନିମନ୍ତ୍ରଣ ପାଇ ପତିମାନଙ୍କ ସହ ସେଠାକୁ ଆସୁଛନ୍ତି । ମୋ ପ୍ରତି ଶତ୍ରୁତା ହେତୁ ସେ ମୋତେ ନିମନ୍ତ୍ରଣ ଦେଇନାହାନ୍ତି । ଥରେ ବ୍ରହ୍ମାଙ୍କ ସଭାରେ ଦକ୍ଷ ମୋ ପ୍ରତି ଅସନ୍ତୁଷ୍ଟ ହେଲେ । ସେଥିପାଇଁ ମୋତେ ଅପମାନ ଦେବାକୁ ଇଚ୍ଛା କରିଛନ୍ତି । ବିନା ନିମନ୍ତ୍ରଣରେ ତୁମେ ସେଠାରେ ଉପସ୍ଥିତ ହେଲେ ତୁମର ମର୍ଯ୍ୟାଦା ହାନି ହେବ ।

 

ସତୀଙ୍କର ହୃଦ୍‌ବୋଧ ହେଲାନାହିଁ । ପିତୃଗୃହକୁ ଯିବାପାଇଁ ସେ ବାରମ୍ବାର ଅନୁରୋଧ କଲେ । ଶିବ ଅଗତ୍ୟା ତାଙ୍କର ଅଧୀନସ୍ଥ ଶିବଗଣଙ୍କ ସହିତ ସତୀଙ୍କୁ ଦକ୍ଷଗୃହକୁ ପ୍ରେରଣ କଲେ । ଦକ୍ଷ କନ୍ୟାଙ୍କୁ ଦେଖିଲେ; କିନ୍ତୁ ତାଙ୍କୁ ପୂର୍ବଭଳି ଆଦର କଲେନାହିଁ । ଶିବଙ୍କ ପୂଜାଭାଗ ସ୍ଥଳରେ ଯଜ୍ଞରେ ଶିବପୂଜା ହେଉ ନ ଥିବାର ଦେଖି ସତୀଙ୍କ ହୃଦୟ ବୋଧରେ କମ୍ପି ଉଠିଲା । ସେ ଅତିଶୟ କ୍ରୋଧାନ୍ଵିତ ହୋଇ କହିଲେ–‘‘ଯେଉଁମାନେ ଶିବନିନ୍ଦା କରିଛନ୍ତି ସେମାନେ ଅତିଶୀଘ୍ର ତାହାର ଫଳ ଲାଭକରିବେ । ଶିବଙ୍କୁ ହୃଦୟରେ ସ୍ମରଣ କରି ମୁଁ ଏ ଦେହ ଏହି ସ୍ଥଳରେ ତ୍ୟାଗ କରୁଛି ।”

 

ଯୋଗାଗ୍ନିରେ ସେ ଶରୀରକୁ ଭସ୍ମକଲେ । ଶିବଗଣ ଏହା ଦେଖି ଯଜ୍ଞ ଧ୍ଵଂସ କରିବାକୁ ଲାଗିଲେ । ଶିବ ଯୋଗବଳରେ ସମସ୍ତ ତଥ୍ୟ ଜାଣିପାରି ସେନାପତି ବୀରଭଦ୍ରଙ୍କ ସହିତ ଶିବସେନାମାନଙ୍କୁ ପ୍ରେରଣ କଲେ । ବୀରଭଦ୍ର ଯଜ୍ଞ ବିଧ୍ଵଂସ କରି ଦେବତାମାନଙ୍କୁ ଅସ୍ତବ୍ୟସ୍ତ କରିପକାଇଲେ ।

 

ସତୀ ମୃତ୍ୟୁ ସମୟରେ ଭଗବାନ୍ ନାରାୟଣଙ୍କୁ ବର ମାଗିଥିଲେ–‘‘ହେ ଭଗବାନ୍ ! ଜନ୍ମେ ଜନ୍ମେ ମୋର ଶିବଙ୍କ ପ୍ରତି ଭକ୍ତି ରହୁ ।” ଭଗବାନ୍‌ ନାରାୟଣ ତାଙ୍କର ଇଚ୍ଛା ପୂରଣ କଲେ । ସତୀ ହିମାଳୟଙ୍କ ପୁତ୍ରୀରୂପେ ଜନ୍ମ ଗ୍ରହଣ କଲେ । ପର୍ବତକନ୍ୟା ବୋଲି ତାଙ୍କର ନାମ ପାର୍ବତୀ ହେଲା । ପାର୍ବତୀଙ୍କ ଜନ୍ମ ସମ୍ବାଦ ଶୁଣି ନାରଦ ହିମାଳୟଙ୍କ ଗୃହରେ ପହଞ୍ଚିଲେ । ସେ ତାଙ୍କର ହସ୍ତରେଖା ଦେଖି କହିଲେ–“ଏ କନ୍ୟା ବଡ଼ ଭାଗ୍ୟବତୀ, କିନ୍ତୁ ଏ ଜଣେ ଜଟାଧାରୀ, ନିଷ୍କାମହୃଦୟ, ନଗ୍ନ ଯୋଗୀଙ୍କୁ ବିବାହ କରିବ ।” ପାର୍ବତୀଙ୍କର ପିତାମାତା ହିମାଳୟ ଓ ମୈନା ଏହା ଶୁଣି ଦୁଃଖିତ ହେଲେ । ଏ ବିବାହ ଖଣ୍ଡନ ପାଇଁ ହିମାଳୟ କୌଣସି ଉପାୟ ନାରଦଙ୍କୁ ଜିଜ୍ଞାସା କଲେ ।

 

ନାରଦ କହିଲେ–‘‘ଲଲାଟଲିଖନକୁ ଖଣ୍ଡନ କରିପାରିବାର ଶକ୍ତି କାହାରି ନାହିଁ; କିନ୍ତୁ ଗୋଟିଏ କଥା, ମୁଁ ଆପଣଙ୍କୁ ଯେଉଁ ଦୋଷଗୁଡ଼ିକ କଥା କହିଲି, ସେସବୁ ସ୍ଵୟଂଭୁ ଶିବଙ୍କ ପାଖରେ ଅଛି । ପାର୍ବତୀ ତାହାଙ୍କୁ ବିବାହ କଲେ ସେ ଦୋଷଗୁଡ଼ିକ ଗୁଣରୂପେ ପ୍ରକଟିତ ହେବ । ଭଗବାନ ବିଷ୍ଣୁ ଅନନ୍ତନାଗଙ୍କ ଉପରେ ଶୟନ କରନ୍ତି । ପଣ୍ଡିତମାନେ ତାଙ୍କୁ ଦୋଷ ଦିଅନ୍ତି ନାହିଁ । ସୂର୍ଯ୍ୟ ଏବଂ ଅଗ୍ନି ଭଲମନ୍ଦ ସବୁ ପ୍ରକାର ରସ ଗ୍ରହଣ କରନ୍ତି । ଗଙ୍ଗାନଦୀ ପବିତ୍ର ଓ ଅପବିତ୍ର ସମସ୍ତ ଦ୍ରବ୍ୟକୁ ନିଜ ଶରୀରରେ ସ୍ଥାନ ଦିଅନ୍ତି । ତେଣୁ ବିଷ୍ଣୁ, ସୂର୍ଯ୍ୟ, ଅଗ୍ନି, ଓ ଗଙ୍ଗାଙ୍କ ପରି ସମର୍ଥ ବ୍ୟକ୍ତିଙ୍କୁ କୌଣସି ଦୋଷ ଲାଗେନାହିଁ । ଭଗବାନ ଶିବ ସେହିପରି ସର୍ବସମର୍ଥ ଅଟନ୍ତି । ସେ ଆଶୁତୋଷ, ସେ ଅତି ଶୀଘ୍ର ସନ୍ତୁଷ୍ଟ ହୁଅନ୍ତି । ତୁମ୍ଭର କନ୍ୟା ତ୍ରିପୁରାରି ମହାଦେବଙ୍କୁ ତପସ୍ୟାକଲେ ତାହାଙ୍କୁ ସ୍ଵାମୀରୂପେ ପାଇବ ।”

 

ନାରଦ ପାର୍ବତୀଙ୍କୁ ଆଶୀର୍ବାଦ ଦେଇ ନିଜ ଧାମକୁ ବାହାରିଲେ । ମୈନା ନାରଦଙ୍କ ପ୍ରତ୍ୟାବର୍ତ୍ତନ ପରେ ସ୍ଵାମୀଙ୍କୁ କହିଲେ, “ମୋର ପ୍ରାଣପ୍ରିୟ ପାର୍ବତୀକୁ ମୁଁ ଏପରି ଅଯୋଗ୍ୟ ପାତ୍ରରେ ଦେଇପାରିବି ନାହିଁ ।” ହିମବାନ୍‍ ମୈନାଙ୍କୁ କହିଲେ–‘‘ଯେଉଁ ସୃଷ୍ଟିକର୍ତ୍ତା ପାର୍ବତୀଙ୍କୁ ଜନ୍ମଦାନ କରିଅଛନ୍ତି, ସେ ତାଙ୍କର କଲ୍ୟାଣ କରିବେ । ଶିବ ନିଷ୍କଳଙ୍କ । ତାଙ୍କର ତପସ୍ୟା କରିବାପାଇଁ ତୁମେ ପାର୍ବତୀଙ୍କୁ ଶିକ୍ଷାଦିଅ ।”

 

ପାର୍ବତୀ କ୍ରମେ ବଢ଼ିବାକୁ ଲାଗିଲେ । ତାଙ୍କର ମାତା ବାଲ୍ୟକାଳରୁ ତାହାଙ୍କୁ ଶିବଙ୍କର ଗୁଣଗ୍ରାମ କହି ଶିବଙ୍କ ପ୍ରତି ଭକ୍ତି ଅନୁରାଗ ବଢ଼ାଇବାରେ ଲାଗିଲେ । ପାର୍ବତୀ ଯେତିକି ବଢ଼ିଲେ, ସେତିକି ତାଙ୍କ ହୃଦୟରେ ଶିବଙ୍କ ପ୍ରତି ଅନୁରାଗ ବଢ଼ିଲା । ପିତାମାତାଙ୍କର ଆଶୀର୍ବାଦ ନେଇ ସେ କଠିନ ତପସ୍ୟା କଲେ । ସେ ସୁକୁମାର ଶରୀରକୁ ତପସ୍ୟାଦ୍ଵାରା ଶୁଷ୍କ କରିବାକୁ ଲାଗିଲେ । ବହୁବର୍ଷ ପର୍ଯ୍ୟନ୍ତ ଫଳମୂଳ ଖାଇ ଜୀବନ ଧାରଣ କଲେ । ପୁଣି ଅନେକ ବର୍ଷ ପତ୍ର ଖାଇ ବଞ୍ଚିଲେ-। ତାହାପରେ କେବଳ ଜଳ ଓ ବାୟୁ ଛଡ଼ା ଆଉ କିଛି ସେବନ କଲେ ନାହିଁ । ଆଉ କେତେ ବର୍ଷ ଶୁଷ୍କ ବିଲ୍ଵପତ୍ର ଆହାର କଲେ । ଶେଷରେ ସେ ଶୁଷ୍କ ବିଲ୍ଵପତ୍ର ମଧ୍ୟ ତ୍ୟାଗ କରି ବଞ୍ଚିରହିଥିଲେ ବୋଲି ତାଙ୍କର ନାମ ‘ଅପର୍ଣ୍ଣା’ ହେଲା ।

 

ଆକାଶବାଣୀ ଶୁଭିଲା–ହେ ପାର୍ବତି ! ଏପରି କଠୋର ତପସ୍ୟା ଏପର୍ଯ୍ୟନ୍ତ କେହି ସାଧନ କରି ନ ଥିଲେ । ତୁମର ମନୋରଥ ପୂର୍ଣ୍ଣହେବ । ତୁମର ପିତାଙ୍କର ଆହ୍ଵାନରେ ତୁମେ ପିତାଗୃହକୁ ଯିବ । ସପ୍ତର୍ଷି ତୁମକୁ ଦର୍ଶନ ଦେବେ ।

Image

 

ଯୋଗଭଗ୍ନ

 

ସତୀଙ୍କର ଶରୀରତ୍ୟାଗ ସମ୍ବାଦ ଯୋଗବଳରେ ଜାଣିପାରି ମହାଦେବ ‘ଶ୍ରୀରାମ’ ନାମ ଜପ କରୁ କରୁ ଯୋଗମଗ୍ନ ହେଲେ । ଦିନେ ଶ୍ରୀରାମ ଶିବଙ୍କୁ ଦର୍ଶନ ଦେଲେ । ସେହି ସମୟରେ ସେ ଶିବଙ୍କୁ ପାର୍ବତୀଙ୍କ ସହିତ ବିବାହ କରିବାପାଇଁ ଉପଦେଶ ଦେଇଥିଲେ । ଇଷ୍ଟଦେବ ଶ୍ରୀରାମଙ୍କର ଆଜ୍ଞା ଶିରୋଧାର୍ଯ୍ୟ କରି ତାହାଦ୍ଵାରା ଜଗତର ହିତସାଧନ ହେବ ବୋଲି ସେ ସ୍ଵୀକୃତ ହୋଇଥିଲେ । ଶ୍ରୀରାମଚନ୍ଦ୍ର ଅନ୍ତର୍ହିତ ହେଲେ । ସପ୍ତର୍ଷି ସେତିକିବେଳେ ଶିବଙ୍କ ସମ୍ମୁଖରେ ଉପସ୍ଥିତ ହେଲେ । ଶିବ ସପ୍ତର୍ଷିଙ୍କୁ କହିଲେ–ଆପଣମାନେ ଯାଇ ପାର୍ବତୀଙ୍କର ତପୋବଳ ପରୀକ୍ଷା କରନ୍ତୁ ।

 

ପାର୍ବତୀ ତପସ୍ୟାରେ ନିମଗ୍ନ ଅଛନ୍ତି । ଦିନେ ସପ୍ତଋଷି ତାଙ୍କ ନିକଟରେ ପହଞ୍ଚି ତାଙ୍କୁ ପଚାରିଲେ–“ତୁମେ ଏ କିଶୋର ବୟସରେ କଠିନ ତପସ୍ୟା କାହିଁକି କରୁଛ ?”

 

ପାର୍ବତୀ କହିଲେ–“ମୋର ଆକାଂକ୍ଷା ଆପଣମାନଙ୍କ ସମ୍ମୁଖରେ ପ୍ରକାଶ କରିବାପାଇଁ ମୋତେ ସଂକୋଚ ବୋଧ ହେଉଅଛି । ଆପଣମାନେ ମୋର ସଂକଳ୍ପ ଶୁଣିଲେ ହସିବେ । ମୁଁ ଜଳ ଉପରେ ପ୍ରାଚୀର ଗଠନ କରିବାକୁ ଯାଉଛି ବୋଲି ଆପଣମାନେ ବିଚାରିପାରନ୍ତି । ନାରଦଙ୍କର ଉପଦେଶକୁ ସତ୍ୟ କରିବାପାଇଁ ମୁଁ ତପସ୍ୟା କରୁଅଛି । ମହାଦେବ ଶିବଙ୍କୁ ମୁଁ ପତିରୂପେ ମନେ ମନେ ବରଣ କରିଛି । ତାଙ୍କୁ ପାଇବା ପାଇଁ ମୁଁ ଦୃଢସଂକଳ୍ପବଦ୍ଧ ।”

 

ଋଷିମାନେ ପାର୍ବତୀଙ୍କ କଥା ଶୁଣି ହସିଲେ । ସେମାନେ କହିଲେ–‘‘ତୁମେ ପର୍ବତ କନ୍ୟା । ତୁମେ ନାରଦଙ୍କ କଥାକୁ ସତ୍ୟ ମନେକରି ଏ ଅସମ୍ଭବ କାର୍ଯ୍ୟ ସମ୍ଭବ କରିବାକୁ ବସିଛ । ନାରଦ କେତେ ଗୃହଭଗ୍ନ କରିଛନ୍ତି । ଦକ୍ଷପୁତ୍ରମାନଙ୍କୁ ସେ କି ଉପଦେଶ ଦେଲେ ଯେ ସେମାନେ ଆଉ ଗୃହାଭିମୁଖୀ ହେଲେ ନାହିଁ । ସେ ଚିତ୍ରକେତୁଙ୍କ ଗୃହଭଗ୍ନ କଲେ । ହିରଣ୍ୟକଶିପୁ ତାଙ୍କର କଥା ଶୁଣି ଭ୍ରଷ୍ଟ ହେଲେ । ନାରଦ ସମସ୍ତଙ୍କୁ ତାଙ୍କ ପରି ହେବାକୁ ଇଚ୍ଛା କରନ୍ତି । ଜଣେ ନିର୍ଲଜ୍ଜ, ନରକପାଳଧାରୀ, କୁଳହୀନ, ନଗ୍ନ, ସର୍ପଭୂଷଣ ବ୍ୟକ୍ତିକୁ ପତିରୂପେ ବରଣ କରି ତୁମେ କି ସୁଖ ପାଇବ । ଭିକ୍ଷା ତାଙ୍କର ଅବଲମ୍ବନ । ତାଙ୍କ ଗୃହରେ କୌଣସି ସ୍ତ୍ରୀ କିପରି ଚଳିପାରିବ । ତୁମପାଇଁ ଆମ୍ଭେମାନେ ଜଣେ ଯୋଗ୍ୟ, ସୁନ୍ଦର, ପବିତ୍ର, ସୁଶୀଳ ଓ ସର୍ବଗୁଣାଧାର ବୈକୁଣ୍ଠବାସୀ ଦେବତାଙ୍କୁ ବରରୂପେ ମନୋନୀତ କରିଛୁ ।”

 

ପାର୍ବତୀ କହିଲେ–“ମୋର ଏ ଶରୀର ପର୍ବତଙ୍କଠାରୁ ଉତ୍ପନ୍ନ । ମୁଁ ମୋର ପଣ ଛାଡ଼ିପାରିବି ନାହିଁ । ସୁନା ପଥରଦେହରୁ ଉତ୍ପନ୍ନ । ତାହାକୁ ଅଗ୍ନିରେ ଦଗ୍‌ଧକଲେ ମଧ୍ୟ ସେ ତାର ସ୍ଵଭାବ ଛାଡ଼େନାହିଁ । ମହାଦେବ ନାନା ଅବଗୁଣର ଆଧାର ହେଲେ ମଧ୍ୟ ମୁଁ ତାଙ୍କଠାରୁ ମୋର ମନକୁ ଅନ୍ୟଥା କରିପାରିବି ନାହିଁ । ମୁଁ ଶିବଙ୍କୁ ପତିରୂପେ ବରଣ କରିବି, ନତୁବା କୁମାରୀ ହୋଇ ଚିରକାଳ ରହିବି । ମୁଁ ଆପଣମାନଙ୍କର ଚରଣ ସ୍ପର୍ଶକରୁଛି, ଆପଣମାନେ ମୋତେ ଏ ବିଷୟରେ ଆଉ କୌଣସି ଉପଦେଶ ଦିଅନ୍ତୁ ନାହିଁ ।”

 

ମୁନିମାନେ ପାର୍ବତୀଙ୍କର ପଣର ଦୃଢ଼ତା ଶୁଣି କହିଲେ–‘‘ଆପଣ ଜଗଜ୍ଜନନୀ, ଆପଣଙ୍କର ଜୟ ହେଉ ।’’ ମୁନିମାନଙ୍କ ନିର୍ଦ୍ଦେଶରେ ହିମବାନ ପାର୍ବତୀଙ୍କୁ ନାନା କଥା ବୁଝାଇ ଘରକୁ ଡାକିଆଣିଲେ । ସେମାନେ ଶିବଙ୍କୁ ପାର୍ବତୀଙ୍କର ଦୃଢ଼ତା ବିଷୟ ଜଣାଇବାରୁ ଜଗତର କଲ୍ୟାଣ ନିମନ୍ତେ ଶିବ ବିବାହ ନିମିତ୍ତ ସ୍ଵୀକୃତ ହୋଇ ପୁଣି ଶ୍ରୀରଘୁନାଥଙ୍କ ଧ୍ୟାନରେ ନିମଗ୍ନ ହେଲେ ।

 

ଏହି ସମୟରେ ତାରକାସୁର ବଡ଼ ପ୍ରତାପୀ ହୋଇ ସମଗ୍ର ଜଗତକୁ ନିଜ ବାହୁବଳରେ ଅଧୀନସ୍ଥ କରି ରଖିଥାଏ । ଦେବତାମାନେ ଅମର; କିନ୍ତୁ ଯେତେ ଥର ତାରକାସୁର ସହିତ ଯୁଦ୍ଧ କଲେ, ପ୍ରତ୍ୟେକ ଥର ପରାସ୍ତ ହେଲେ । ତେଣୁ ସେମାନେ ଯାଇ ବ୍ରହ୍ମାଙ୍କ ପାଖରେ ତାରକାସୁରର ଅତ୍ୟାଚାର ସମ୍ବାଦ ଜଣାଇଲେ । ବ୍ରହ୍ମା କହିଲେ–“ଏ ଅସୁର ଅମର ଅଟେ । କେବଳ ମୃତ୍ୟୁଞ୍ଜୟ ଶିବଙ୍କର ପୁତ୍ର ଜାତ ହେଲେ ତାଙ୍କରଦ୍ଵାରା ତାହାର ମୃତ୍ୟୁ ସମ୍ଭବ । ବର୍ତ୍ତମାନ ସେଥିପାଇଁ ଉପଯୁକ୍ତ ସମୟ ଉପସ୍ଥିତ ହୋଇଅଛି । ଦକ୍ଷକନ୍ୟା ସତୀ ଶରୀର ତ୍ୟାଗକରି ପର୍ବତରାଜ ହିମାଳୟଙ୍କର କନ୍ୟା ରୂପେ ଜନ୍ମ ଗ୍ରହଣ କରିଅଛନ୍ତି, ପର୍ବତରାଜଙ୍କ କନ୍ୟା ପାର୍ବତୀ ତପସ୍ୟାକରି ଶିବଙ୍କୁ ସନ୍ତୁଷ୍ଟ କରିଅଛନ୍ତି; କିନ୍ତୁ ଶିବ ପୁଣି ଧ୍ୟାନସ୍ଥ । ଆପଣମାନେ କାମଦେବଙ୍କୁ ତାଙ୍କର ଧ୍ୟାନଭଙ୍ଗ କରିବାକୁ ପ୍ରେରଣ କରନ୍ତୁ । ମୁଁ ମଧ୍ୟ ଆପଣମାନଙ୍କ କାର୍ଯ୍ୟରେ ସାହାଯ୍ୟ କରିବି । ଶିବଙ୍କର ଯୋଗଭଗ୍ନ ହେଲେ ମୁଁ ମଧ୍ୟ ତାହାଙ୍କୁ ବିବାହ ପାଇଁ ପ୍ରେରଣା ଦେବି । ତାହାହେଲେ ଆପଣମାନଙ୍କର କାର୍ଯ୍ୟ ସଫଳ ହେବ ।

 

ଦେବତାମାନଙ୍କ ଅନୁରୋଧ ରକ୍ଷାକରି କାମଦେବ ନିଜର ବିନାଶ ଜାଣି ସୁଦ୍ଧା ଏ କଠିନ କର୍ମ କରିବାପାଇଁ ଆଗଭର ହେଲେ । ତାଙ୍କର ପ୍ରଭାବରେ ସମଗ୍ର ଭୂମଣ୍ଡଳ କମ୍ପିତ ହେଲା । ଜୀବ ନିର୍ଜୀବ ସମସ୍ତେ କାମଦେବଙ୍କର ଅଧୀନ ହେଲେ; କିନ୍ତୁ ଶିବଙ୍କର ଧ୍ୟାନଭଗ୍ନ ହେଲାନାହିଁ । ମହାଦେବଙ୍କର ସମାଧିମଗ୍ନ ମୂର୍ତ୍ତି ଦେଖି କାମଦେବଙ୍କର ହୃଦୟରେ କମ୍ପନ ସୃଷ୍ଟି ହେଲା । ଦେବକାର୍ଯ୍ୟ ନିଷ୍ଫଳ ହେବ ମନେକରି କାମଦେବ ତାଙ୍କର ଅମୋଘ ଅସ୍ତ୍ର ପ୍ରୟୋଗ କଲେ । ପୁଷ୍ପଧନୁରେ ତୀର ସଂଯୋଗମାତ୍ରେ ସମଗ୍ର ଚରାଚର ବସନ୍ତର ଆଗମନରେ ପ୍ରଫୁଲ୍ଲିତ ଏବଂ ସୁରଭିତ ହୋଇଉଠିଲା । ମନ୍ଦ ମନ୍ଦ ମଳୟ ପବନ ସମସ୍ତଙ୍କୁ ଆକୁଳ କଲା । କମଳ ପୁଷ୍କରିଣୀରେ ପ୍ରସ୍ଫୁଟିତ ହେଲା । କୋକିଳ ଓ ରାଜହଂସର କାକଳିରେ ଦିଗ୍‌ବିଦିଗ ଚଞ୍ଚଳ ହୋଇ ଉଠିଲା । ତଥାପି ଶିବଙ୍କର ସମାଧି ଭଙ୍ଗ ହେଲାନାହିଁ । କାମଦେବଙ୍କ ମନରେ ନିଜର ତପୋବଳର ଶକ୍ତି ବିଷୟରେ ସନ୍ଦେହ ସଞ୍ଚାର ହେଲା ।

 

କାମଦେବ ପୁଷ୍ପଧନୁରେ ପାଞ୍ଚଗୋଟି ବିଶିଖ ଏକସଙ୍ଗେ ପ୍ରୟୋଗ କରି ଟଙ୍କାର ଦେବାମାତ୍ରେ ଶିବଙ୍କର ଧାନମୂର୍ତ୍ତି କମ୍ପିତ ହେଲା । କାମଦେବ ନିଜର ବିନାଶ ସନ୍ନିକଟ ବୋଲି ଜାଣିଲେ । ଶିବ ଚକ୍ଷୁ ଉନ୍ମୀଳନ କରି ନିରୀକ୍ଷଣ କରିବାମାତ୍ରେ ତାଙ୍କର କୋପଚକ୍ଷୁରୁ ନିର୍ଗତ ଅଗ୍ନି ଶିଖା କାମଦେବଙ୍କୁ ତତକ୍ଷଣାତ୍ ଭସ୍ମୀଭୂତ କଲା । କାମଦେବଙ୍କ ପତ୍ନୀ ରତିଦେବୀ ବିଳାପ କରି କରି ଶିବଙ୍କୁ ନାନାପ୍ରକାର ସ୍ତୁତି କଲେ । ଶିବ ସନ୍ତୁଷ୍ଟ ହୋଇ କହିଲେ–‘‘ଆଜିଠାରୁ ତୁମ ସ୍ଵାମୀ ଅନଙ୍ଗନାମରେ ପରିଚିତ ହେବେ । ଯଦୁବଂଶରେ ନାରାୟଣ ଶ୍ରୀକୃଷ୍ଣ ଅବତାର ଗ୍ରହଣ କରିବେ । ତୁମ୍ଭର ସ୍ଵାମୀ ତାଙ୍କର ପୁତ୍ରରୂପେ ଜନ୍ମ ଗ୍ରହଣ କରିବେ । ସେତେବେଳେ ତୁମେ ତାଙ୍କର ସଙ୍ଗଲାଭ କରିବ ।

 

ବ୍ରହ୍ମା ଶିବଙ୍କ ନିକଟକୁ ଯାଇ ଦେବଗଣଙ୍କର ଦୁଃଖ କହିଲେ । ପାର୍ବତୀ ତାଙ୍କୁ ସ୍ଵାମୀରୂପେ ପାଇବା ପାଇଁ ଘୋର ତପସ୍ୟା କରୁଅଛନ୍ତି ଏବଂ ପାର୍ବତୀଙ୍କୁ ବିବାହକଲେ ଦେବଗଣଙ୍କର ମନୋରଥ ସିଦ୍ଧିହେବ । ଦେବଗଣଙ୍କର ସ୍ତୁତି ଓ ପାର୍ବତୀଙ୍କର କଠୋର ତପସ୍ୟା କଥା ବ୍ରହ୍ମାଙ୍କଠାରୁ ଶୁଣି ଶିବ ବିବାହ ନିମିତ୍ତ ସ୍ଵୀକୃତ ହେଲେ ।

 

ଏତିକିବେଳେ ପୁଣି ସପ୍ତର୍ଷି ହିମାଚଳଙ୍କ ଗୃହରେ ପ୍ରବେଶ କରି କହିଲେ–“ମହାଦେବ କାମଦେବଙ୍କୁ ଭସ୍ମୀଭୂତ କରିଅଛନ୍ତି; ତେଣୁ ପାର୍ବତୀଙ୍କ ସହିତ ଶିବଙ୍କର ଆଉ ବିବାହର ପ୍ରୟୋଜନ ନାହିଁ ।” ଏହା ଶୁଣି ପାର୍ବତୀ କହିଲେ–“ମହାଦେବ କାମଦେବଙ୍କୁ ଦଗ୍‌ଧ କରିଅଛନ୍ତି ! ଏପର୍ଯ୍ୟନ୍ତ କାମଦେବ ବିକାରଯୁକ୍ତ ଥିଲେ । ମହାଯୋଗୀ, ନିର୍ବିକାର, ନିଷ୍କାମ ମହାଦେବ ମୋର ପ୍ରତିଜ୍ଞା ନିଶ୍ଚୟ ସଫଳ କରିବେ । ଅଗ୍ନିସମୀପକୁ ତୁଷାରର ଆଗମନ ଯେପରି ଅସମ୍ଭବ, ମହାଦେବଙ୍କ ସମୀପକୁ କାମଦେବଙ୍କର ଗମନ ସେହିପରି ଅସମ୍ଭବ !”

 

ପାର୍ବତୀଙ୍କର ଦୃଢ଼ତା ଦେଖି ସପ୍ତର୍ଷି ପାର୍ବତୀଙ୍କୁ ସେମାନଙ୍କର ମନୋଭାବ ଜଣାଇଲେ । କାମଦେବଙ୍କ ଦହନ ଓ ରତିଦେବୀଙ୍କ ବରପ୍ରାପ୍ତି ସମ୍ବାଦ ସେମାନେ ହିମାଚଳଙ୍କୁ କହିଲେ । ଶିବଙ୍କର ବିବାହରେ ଅଙ୍ଗୀକାର ବିଷୟ ଜଣାଇ ବିବାହ ପାଇଁ ଶୁଭଦିନ ନିର୍ଣ୍ଣୟ କଲେ । ଆକାଶରୁ ପୁଷ୍ପବୃଷ୍ଟି ହେଲା ।

 

ଶୁଭଦିବସରେ ଶିବଗଣ ଓ ଦେବତାମାନଙ୍କୁ ନେଇ କୁଣ୍ଡଳ, କଙ୍କଣ, ସର୍ପ ଓ ବାଘାମ୍ବର ବେଶ ପରିଧାନ କରି, ତ୍ରିଶୂଳ ଓ ଡମ୍ବରୁ ହାତରେ ଧରି ଶିବ ବରବେଶରେ ବାହାରିଲେ । ଦେବତାମାନେ ପରମ ସୁନ୍ଦର ବିମାନ ଆରୋହଣ କଲେ । ଶିବଗଣ ନାନା ଅପବିତ୍ର ରୂପ ଧାରଣ କଲେ । ବରଯାତ୍ରୀମାନେ ସମଭିବ୍ୟାହାରରେ ହିମାଳୟଙ୍କ ଗୃହକୁ ଗମନ କଲେ । ଶିବଗଣଙ୍କର ନାନା ଭୟାନକ ବିରୂପ ଦେଖି ହିମାଳୟଙ୍କ ପରିବାରର ଲୋକମାନେ ନାନା ଥଟ୍ଟାତାମସା କଲେ । କେହି କେହି ଭୟରେ ଦୌଡ଼ି ଏଣେତେଣେ ପଳାଇବାକୁ ଲାଗିଲେ ।

 

ମୈନା ଶିବ ଓ ଶିବଗଣଙ୍କୁ ଦେଖି ମନେ ମନେ ବଡ଼ ଦୁଃଖିତା ହେଲେ । ପାର୍ବତୀଙ୍କ ପାଇଁ ଶିବ ଉପଯୁକ୍ତ ବରପାତ୍ର ନୁହନ୍ତି ବୋଲି ଭାବି ମନେ ମନେ ବଡ଼ ଚିନ୍ତିତ ହେବାକୁ ଲାଗିଲେ । ନାରଦଙ୍କୁ ମନେ ମନେ ବହୁତ ଭର୍ତ୍ସନା କଲେ । ପାର୍ବତୀ ନିଜେ ମାତାଙ୍କୁ ନାନା ପ୍ରବୋଧନା ଦେଲେ-

 

ଏତିକିବେଳେ ନାରଦ ମୈନାଙ୍କ ପାଖରେ ପହଞ୍ଚି କହିଲେ–‘‘ହେ ଦେବୀ ! ପାର୍ବତୀ ଜଗଜ୍ଜନନୀ ଅଟନ୍ତି । ସେ ପୂର୍ବଜନ୍ମରେ ଶିବପତ୍ନୀ ସତୀ ଥିଲେ । ଶ୍ରୀରାମଚନ୍ଦ୍ରଙ୍କ ପ୍ରତି ମନରେ ସନ୍ଦେହ ପ୍ରକାଶ କରିବାରୁ ସେ ଶିବଙ୍କର ବିରାଜଭାଜନ ହେଲେ । ଦକ୍ଷଯଜ୍ଞରେ ସ୍ଵାମୀଙ୍କର ଅପମାନ ସହି ନପାରି ସେ ଯୋଗାଗ୍ନିରେ ସ୍ଵୟଂ ଭସ୍ମୀଭୂତା ହୋଇ ପାର୍ବତୀରୂପ ଧାରଣ କରିଅଛନ୍ତି-।’’ ମୈନାଙ୍କର ସମସ୍ତ ଭ୍ରମ ଦୂରୀଭୂତ ହେଲା ।

 

ବହୁ ଆଡ଼ମ୍ବରରେ ବିବାହକାର୍ଯ୍ୟ ସଂପନ୍ନ ହେଲା । ଶିବ ପାର୍ବତୀଙ୍କୁ ନେଇ କୈଳାସକୁ ଗଲେ । କାର୍ତ୍ତିକେୟ ଶିବପାର୍ବତୀଙ୍କର ପୁତ୍ରରୂପେ ଜନ୍ମଲାଭ କଲେ । ସେ ଯେପରି ସୌନ୍ଦର୍ଯ୍ୟରେ ଅତୁଳନୀୟ ଥିଲେ, ବଳ ଓ ପରାକ୍ରମରେ ସେହିପରି କୁଶଳୀ ହୋଇ ଦେବତାମାନଙ୍କର ସେନାପତିରୂପେ କାଳକ୍ରମେ ତାରକାସୁରକୁ ବିନାଶ କଲେ । ଭରଦ୍ୱାଜ ମୁନି ଯାଜ୍ଞବଳକ୍ୟଙ୍କଠାରୁ ଉମା-ମହେଶ୍ଵର ସମ୍ବାଦ ଶୁଣି ଅତିଶୟ ପ୍ରୀତ ହେଲେ ।

Image

 

ମାୟା ନାରଦ

 

ଧର୍ମରେ ଗ୍ଳାନି ଆସିଲେ ଅସୁରମାନଙ୍କର ସଂଖ୍ୟା ବଢ଼ିବାକୁ ଲାଗେ । ସେତିକିବେଳେ ଭଗବାନ ନାରାୟଣ ଦିବ୍ୟରୂପ ଧାରଣ କରି ସଜ୍ଜନମାନଙ୍କର ପୀଡ଼ା ଦୂର କରିବା ନିମନ୍ତେ ପୃଥିବୀରେ ଜନ୍ମଗ୍ରହଣ କରନ୍ତି । ଶ୍ରୀରାମଚନ୍ଦ୍ର ସେଥିପାଇଁ ଅବତାର ଗ୍ରହଣ କରିଥିଲେ ।

 

ଭଗବାନ ବିଷ୍ଣୁଙ୍କ ଦ୍ଵାରଦେଶରେ ଦୁଇଜଣ ଦ୍ଵାରପାଳ ଜଗି ରହିଥାନ୍ତି । ସେମାନେ ଜୟ ଓ ବିଜୟ ନାମରେ କଥିତ । ସେମାନେ ଦୁଇଭାଇ । କୌଣସି ଅନ୍ୟାୟ କାର୍ଯ୍ୟ ଯୋଗୁଁ ସେମାନେ ବ୍ରାହ୍ମଣଙ୍କଦ୍ଵାରା ଅଭିଶପ୍ତ ହେଲେ । ଅଭିଶାପ ଫଳରେ ସେମାନେ ଦୁହେଁ ଅସୁର ବଂଶରେ ହିରଣ୍ୟାକ୍ଷ ଓ ହିରଣ୍ୟକଶିପୁ ନାମରେ ପୃଥିବୀରେ ଜନ୍ମଗ୍ରହଣ କଲେ । ସେମାନେ ଏତେ ବଳଶାଳୀ ହେଲେ ଯେ ଦେବରାଜ ଇନ୍ଦ୍ରଙ୍କ ସହିତ ସେମାନଙ୍କର ଶତ୍ରୁତା ହେଲେ । ତାଙ୍କର ଅନ୍ୟାୟ ଅନୀତିରେ ପୃଥିବୀବାସୀ ବଡ଼ କଷ୍ଟ ପାଇଲେ । ପୃଥିବୀବାସୀଙ୍କୁ ସେ ପୀଡ଼ାରୁ ଉଦ୍ଧାର କରିବାପାଇଁ ଭଗବାନ ବିଷ୍ଣୁ ବରାହ ଅବତାର ଗ୍ରହଣ କରି ପ୍ରଥମେ ହିରଣ୍ୟାକ୍ଷକୁ ଓ ପରେ ନୃସିଂହରୂପରେ ହିରଣ୍ୟକଶିପୁକୁ ବଧ କଲେ । ହିରଣ୍ୟକଶିପୁର ପୁତ୍ର ପ୍ରହ୍ଲାଦ ପୃଥିବୀର ଭାର ବହନ କରି ରାଜା ହେଲେ । ସେହି ଜୟ ବିଜୟ ରାବଣ ଓ କୁମ୍ଭକର୍ଣ୍ଣ ନାମରେ ତ୍ରେତାଯୁଗରେ ଜନ୍ମଲାଭ କଲେ ।

 

ସେହି ତ୍ରେତାଯୁଗରେ କଶ୍ୟପ ଓ ଅଦିତି ଦଶରଥ ଓ କୌଶଲ୍ୟା ନାମରେ ଅଯୋଧ୍ୟାରେ ରାଜା ଓ ରାଣୀ ହୋଇଥିଲେ । ଜଳନ୍ଧର ଦୈତ୍ୟ ସହିତ ଦେବତାମାନଙ୍କର ଯୁଦ୍ଧ ହୋଇଥିଲା । ଦେବତାମାନେ ପରାସ୍ତ ହେବାରୁ ନିଜେ ଶିବ ଜଳନ୍ଧର ଦୈତ୍ୟ ସହିତ ରଣରେ ପ୍ରବୃତ୍ତ ହେଲେ । ଜଳନ୍ଧର ସ୍ଵପତ୍ନୀଙ୍କର ପାତିବ୍ରତ୍ୟ ଯୋଗୁଁ ଶିବଙ୍କୁ ମଧ୍ୟ ପରାସ୍ତ କଲେ । ଦେବତାମାନଙ୍କ ମଧ୍ୟରେ ଭାଲେଣି ପଡ଼ିଲା । ଦେବତାମାନେ ଛଳକରି ଜଳନ୍ଧର ପତ୍ନୀଙ୍କର ବ୍ରତ ଭଙ୍ଗକଲେ । ଜଳନ୍ଧରଙ୍କ ପତ୍ନୀ ଯେତେବେଳେ ଭଗବାନ ବିଷ୍ଣୁ ଓ ଦେବତାମାନଙ୍କର ଛଳ ଜାଣିପାରିଲେ, ସେ କ୍ରୁଦ୍ଧା ହୋଇ ଭଗବାନଙ୍କୁ ଅଭିଶାପ ଦେଲେ । ଭଗବାନ ବିଷ୍ଣୁ, ଜଳନ୍ଧର-ପତ୍ନୀଙ୍କର ସେ ଅଭିଶାପ ଗ୍ରହଣ କଲେ । ସେହି ଅଭିଶାପକୁ ପ୍ରମାଣ କରିବାପାଇଁ ଓ ଜଳନ୍ଧରରୂପୀ ରାବଣକୁ ବିନାଶ କରିବାପାଇଁ ପ୍ରଭୁ ଶ୍ରୀରାମଚନ୍ଦ୍ର ଅବତାର ଗ୍ରହଣ କରିଥିଲେ ।

 

ବିଷ୍ଣୁ, ଭଗବାନ ମନୁଷ୍ୟରୂପ ଧାରଣ କରିଥିବାର ଅନ୍ୟ ଏକ ଇତିହାସ ଯାଜ୍ଞବଳ୍‌କ୍ୟ ମୁନି ଭରଦ୍ଵାଜଙ୍କୁ ବୁଝାଇ କହିଲେ । ମୁନି ନାରଦ ଥରେ ଭଗବାନଙ୍କୁ ଅଭିଶାପ ଦେଇଥିଲେ । ସେହି ଅଭିଶାପ ଫଳରେ ବିଷ୍ଣୁ ଭଗବାନ ମନୁଷ୍ୟରୂପ ଧାରଣ କରିଥିଲେ । ଶିବ ପାର୍ବତୀଙ୍କ ସମ୍ମୁଖରେ ଏ ଘଟଣା ବର୍ଣ୍ଣନ କରିବାକୁ ଉପକ୍ରମ କଲାବେଳେ ପାର୍ବତୀ ଆଶ୍ଚର୍ଯ୍ୟ ହୋଇ ପଚାରିଲେ–ନାଥ ! ପରମ ବିଷ୍ଣୁ ଭକ୍ତ ନାରଦ ଭଗବାନ ନାରାୟଣଙ୍କୁ ଅଭିଶାପ ଦେଲେ କାହିଁକି ?

 

ଶିବ ପାର୍ବତୀଙ୍କର ଏ ପ୍ରଶ୍ନ ଶୁଣି ହସିଲେ । ପୁଣି ପାର୍ବତୀ ପଚାରିବାରୁ କହିଲେ–“କୌଣସି ଲୋକ ଜ୍ଞାନୀ ବା ମୂର୍ଖ ନୁହନ୍ତି । ଭଗବାନ ଯାହାକୁ ଯେପରି କରିବାକୁ ଇଚ୍ଛା କରନ୍ତି ସେ ସେଇ ମୁହୂର୍ତ୍ତରେ ସେପରି ହୋଇଯାନ୍ତି ।” ଏହିପରି କହି ସେ ଗୋଟିଏ ଘଟଣା ଆରମ୍ଭ କଲେ ।

 

ହିମାଳୟ ପର୍ବତରେ ଗୋଟିଏ ବଡ଼ ସୁନ୍ଦର ଗୁମ୍ଫା ଥିଲା । ଗଙ୍ଗାନଦୀ ସେହି ଗୁମ୍ଫା ପାର୍ଶ୍ଵଦେଇ ବହିଯାଉଥିଲା । ନାରଦ ସେ ପଥ ଦେଇ ଗଲାବେଳେ ଗୋଟିଏ ପରମ ସୁନ୍ଦର ଆଶ୍ରମ ଦେଖିଲେ । ସେ ସୌନ୍ଦର୍ଯ୍ୟ ଦର୍ଶନ କରି ତାଙ୍କ ମନରେ ପରମ ଆନନ୍ଦ ଆସିଲା; ସେ ଭଗବାନଙ୍କ ପରମ ସୌନ୍ଦର୍ଯ୍ୟ ଲକ୍ଷ୍ୟ କରୁ କରୁ ସମାଧିସ୍ଥ ହୋଇପଡ଼ିଲେ । କେତେ ଶହ କଳ୍ପ ଅତୀତ ହୋଇଗଲା ।

 

ନାରଦଙ୍କର ତପସ୍ୟା ଦେଖି ଇନ୍ଦ୍ରଙ୍କର ମନରେ ଶଙ୍କା ଜାତ ହେଲା । ସେ କାମଦେବଙ୍କୁ ନାରଦଙ୍କର ତପସ୍ୟା ଭଗ୍ନ କରିବାପାଇଁ ନିର୍ଦ୍ଦେଶ ଦେଲେ । କାମଦେବ ମାୟା ବସନ୍ତ ଋତୁ ସୃଷ୍ଟି କଲେ । ତରୁଗୁଡ଼ିକ ନାନା ରଙ୍ଗର ପୁଷ୍ପରେ ବିଭୂଷିତ ହେଲା । ସୁଗନ୍ଧଯୁକ୍ତ ପବନ ଦିଗବିଦିଗ ଆମୋଦିତ କଲା । ବୃକ୍ଷଶାଖାମାନଙ୍କରେ କୋକିଳ ଗାନ କରିବାକୁ ଲାଗିଲେ । ଦେବାଙ୍ଗନାମାନେ ବିଭିନ୍ନ ପ୍ରକାରର ଗୀତ ଗାନକରି ନୃତ୍ୟରତା ହେଲେ; କିନ୍ତୁ ଏହାର କୌଣସି ପ୍ରଭାବ ନାରଦଙ୍କ ଉପରେ ପଡ଼ିଲାନାହିଁ । କାମଦେବ ନିଜର ଭ୍ରମ ସ୍ଵୀକାର କରି ମୁନିଙ୍କ ଚରଣରେ ପ୍ରଣାମ କଲେ । ନାରଦ ଚକ୍ଷୁ ଉନ୍ମୀଳନ କରି ଦେଖି ସମସ୍ତ ଘଟଣା ଜାଣିପାରିଲେ; କିନ୍ତୁ ନାରଦଙ୍କର ମନରେ ତିଳେ ମାତ୍ର କ୍ରୋଧର ସଂଚାର ହେଲାନାହିଁ । ସେ କାମଦେବଙ୍କୁ ନାନା କୋମଳ ଓ ପ୍ରିୟ ବଚନ କହି ଆଶୀର୍ବାଦ ଦେଲେ । କାମଦେବ ସମସ୍ତ ଘଟଣା ଦେବରାଜ ଇନ୍ଦ୍ରଙ୍କ ସମ୍ମୁଖରେ ବର୍ଣ୍ଣନ କଲେ । ଇନ୍ଦ୍ର ନାରଦ ମୁନିଙ୍କର ମହତ୍ତ୍ଵ ସ୍ଵୀକାର କଲେ ।

 

ସମାଧି ଭଗ୍ନ ପରେ ନାରଦ ଶିବଙ୍କ ସମ୍ମୁଖରେ ଉପସ୍ଥିତ ହୋଇ ତାଙ୍କର ସମାଧିଭଗ୍ନ ନିମନ୍ତେ ଦେବରାଜଙ୍କର କାମଦେବଙ୍କଦ୍ଵାରା ସମସ୍ତ ଚେଷ୍ଟା ବର୍ଣ୍ଣନ କଲାବେଳେ କିଞ୍ଚିତ ଗର୍ବାନ୍ଵିତ ହେଲେ । ଶିବ ନାରଦଙ୍କଠାରୁ ସମସ୍ତ ଘଟଣା ଶୁଣି କହିଲେ–‘‘ତୁମେ ଯେପରି ଭାବରେ ଏସବୁ ଘଟଣା ମୋ ସମ୍ମୁଖରେ ବର୍ଣ୍ଣନା କଲ, ବିଷ୍ଣୁଙ୍କ ସମ୍ମୁଖରେ ସେପରି କରିବନାହିଁ ।” ଶେଷରେ ସେ ତାଙ୍କୁ ଆର୍ଶୀର୍ବାଦ ଦେଇ ବିଦାୟଦେଲେ ।

 

ନାରଦଙ୍କର ହରିନାମ ବଡ଼ ପ୍ରିୟ । ସେ ଥରେ ବୀଣାଯନ୍ତ୍ରରେ ହରିନାମ ଗାନ କରି କରି ଭଗବାନ ବିଷ୍ଣୁଙ୍କ ସମୀପରେ ପହଞ୍ଚିଲେ । ରମାପତି ଭଗବାନ ନାରାୟଣ ନାରଦଙ୍କୁ ଆନନ୍ଦରେ ଓ ଆଦରରେ ଗ୍ରହଣ କରି ଆସନରେ ବସାଇଲେ । ନାରାୟଣ ହସି ହସି କହିଲେ–‘‘ବହୁକାଳପରେ ଆପଣ ସଦୟ ହୋଇ ଏଠାକୁ ଆସିଅଛନ୍ତି । ଆପଣଙ୍କୁ ସ୍ମରଣ କରିବାମାତ୍ରେ ମୋହ, କାମ, ମଦ, ଅଭିମାନ ଦୂର ହୁଏ । ଆପଣଙ୍କର ଆଗମନରେ ମୋର ବଡ଼ ଆନନ୍ଦ ଜାତ ହେଉଅଛି ।”

 

ନାରାୟଣଙ୍କ କଥା ଶୁଣି ନାରଦ ଆନନ୍ଦରେ ଗଦ୍‌ଗଦ୍‌ ହୋଇପଡ଼ିଲେ । ସେ ସାମାନ୍ୟ ଉତ୍‌ଫୁଲ୍ଲ ହୃଦୟରେ କାମଦେବଙ୍କ ରହସ୍ୟ ବର୍ଣ୍ଣନ କଲେ । କାମଦେବଙ୍କୁ ଜୟ କରିପାରଛନ୍ତି ବୋଲି ତାଙ୍କ ହୃଦୟରେ ସାମାନ୍ୟ ଗର୍ବର ସଂଚାର ହେଲା । ଶେଷରେ ନାରଦ କହିଲେ–‘‘ହେ ଭଗବାନ୍‌, ନାରାୟଣ ! ମୁଁ ଯାହା କରିପାରିଛି, ସେସବୁ ଆପଣଙ୍କ କୃପାର ଫଳ ।”

 

ଭଗବାନ ନାରାୟଣ ନାରଦଙ୍କ ହୃଦୟ ଭିତରେ ଗର୍ବର ସନ୍ଧାନ ପାଇଲେ । ନାରଦ ପରମ ଭକ୍ତ । ନାରାୟଣ ସବୁବେଳେ ଭକ୍ତର ହିତ ଇଚ୍ଛାକରନ୍ତି । ସେ ମନେ ମନେ ଭାବିଲେ–ମୋର ଭକ୍ତ ହୃଦୟରେ ଗର୍ବ ସ୍ଥାନ ପାଇଲେ ତାହା ଭକ୍ତ ନିମନ୍ତେ କଲ୍ୟାଣକର ନୁହେଁ । ତେଣୁ ଏପରି ଏକ ଉପାୟ କରିବି, ଯାହାଦ୍ଵାରା ମୋର ପରମଭକ୍ତ ନାରଦଙ୍କର କଲ୍ୟାଣ ହେବ ଏବଂ ମୋର ଲୀଳା ସମ୍ପନ୍ନ ହେବ ।

 

ଭଗବାନ ନାରାୟଣଙ୍କ ପାଦପଦ୍ମରେ ପ୍ରଣାମ କରି ନାରଦ ହରିନାମ ଗାଇଗାଇ ଚାଲିଛନ୍ତି, ମାର୍ଗରେ ଏକ ବିଶାଳ ନଗର ଦେଖିଲେ । ନଗର ନାନା ବିଳାସ ଦ୍ରବ୍ୟାଦିରେ ପରିପୂର୍ଣ୍ଣ ଥିଲା I ଶୀଳାନିଧି ନାମରେ ଜଣେ ରାଜା ସେଠାରେ ରାଜତ୍ଵ କରୁଥିଲେ । ତାଙ୍କର ରାଜଭବନ ବୈଭବପୂର୍ଣ୍ଣ ଥିଲା । ସେ ରାଜା ଭାବରେ ଯେପରି ଗୁଣବାନ୍ ଓ ସୁନ୍ଦର ଥିଲେ, ବଳରେ ଇନ୍ଦ୍ରଙ୍କ ସଦୃଶ ଥିଲେ । ତାଙ୍କର ଗୋଟିଏ କନ୍ୟା ଥିଲା । କନ୍ୟାଟିର ନାମ ବିଶ୍ୱମୋହିନୀ । ସୌନ୍ଦର୍ଯ୍ୟରେ ସେ ବିଶ୍ୱକୁ ମୋହନ କରିପାରୁଥିଲା । ସେତିକିବେଳେ ସେହି କନ୍ୟା ନିମନ୍ତେ ସ୍ଵୟମ୍ବର ସଭାକୁ ଅଗଣିତ ରାଜା ମହାରାଜା ଆସି ଏକତ୍ରିତ ହୋଇଥିଲେ ।

 

ନାରଦ ପଥ ମଧ୍ୟରେ ସ୍ଵୟମ୍ବର ସଭାର ସମସ୍ତ ବୃତ୍ତାନ୍ତ ଶୁଣିଲେ । ରାଜାଙ୍କର ଗୁଣଗ୍ରାମ ଶୁଣି ସେ ରାଜଭବନରେ ପ୍ରବେଶ କଲେ । ନାରଦ ଆସିଛନ୍ତି ଶୁଣି ରାଜା ଶୀଳାନିଧି ନାରଦଙ୍କୁ ବହୁ ଅଭ୍ୟର୍ଥନା କରି ଆଦରରେ ରାଜପୁରକୁ ଆଣିଲେ । ରାଜକୁମାରୀ ବିଶ୍ଵମୋହିନୀକୁ ଡକାଇ କନ୍ୟାର ଭବିଷ୍ୟତ ବୃତ୍ତାନ୍ତ ନାରଦଙ୍କଠାରୁ ଜାଣିବାକୁ ଇଚ୍ଛାକଲେ ।

 

ବିଶ୍ଵମୋହିନୀ ପରମାସୁନ୍ଦରୀ । ତାଙ୍କୁ ଦେଖିବା ମାତ୍ରେ ନାରଦ ବୈରାଗ୍ୟ ଭୁଲିଗଲେ । ତାଙ୍କୁ ଏକଦୃଷ୍ଟିରେ ଚାହିଁ ରହିଲେ । ଅନ୍ତର ବିକୃତ ହୋଇଗଲା । ସେ ରାଜାଙ୍କୁ କହିଲେ–ହେ ମହୀପତି । ତୁମର ଏ କନ୍ୟା ଅସାମାନ୍ୟ ଅଟେ । ଯେଉଁ ପୁରୁଷ ଏହାଙ୍କର ପାଣିଗ୍ରହଣ କରିବେ ସେ ବିଶ୍ଵବିଜୟୀ ହେବେ ଏବଂ ଚରାଚର ଜୀବମାନେ ତାଙ୍କର ସେବାରେ ଲାଗିରହିବେ ।

 

କନ୍ୟାର ସୁଲକ୍ଷଣଗୁଡ଼ିକ ବର୍ଣ୍ଣନ କରିବାବେଳେ ନାରଦ ମନେ ମନେ ଅନ୍ୟ ଚିନ୍ତା କରୁଥିଲେ । ସେ ବିଚାରୁଥିଲେ–ମୁଁ ଏପରି ଗୋଟିଏ ଉପାୟ କରିବି ଯେପରି ଏ ପରମା ରୂପବତୀ କନ୍ୟା ମୋତେ ବରଣମାଳା ଦେବ । ମୋର ତ ସେପରି ଅସାମାନ୍ୟ ସୌନ୍ଦର୍ଯ୍ୟ ନାହିଁ । ସୁନ୍ଦର ରୂପ ନିମନ୍ତେ ମୁଁ ହରିଙ୍କୁ ଭରସା କରିବି । ହରିଙ୍କ ପରି ମୋର ହିତଚିନ୍ତକ ଆଉ କେହି ନାହାନ୍ତି । ବିଶ୍ଵମୋହିନୀଙ୍କ ଅନୁରୂପ ସୁନ୍ଦର ରୂପ ମୋତେ ସେ କେବଳ ଦେଇପାରିବେ ।

 

ନାରଦ ନାରାୟଣଙ୍କୁ ପ୍ରାର୍ଥନା କଲେ । ଲୀଳାମୟ ନାରାୟଣ ତାଙ୍କ ସମ୍ମୁଖରେ ଉପସ୍ଥିତ ହେବାମାତ୍ରେ ନାରଦ ଅତି ବିନୟୀ ହୋଇ ପ୍ରାର୍ଥନା କଲେ–ଆପଣ ମୋ ପ୍ରତି ସବୁବେଳେ ସଦୟ । ଆପଣ ଭକ୍ତର ବାଞ୍ଛା ପୂର୍ଣ୍ଣ କରନ୍ତି l ମୋର ଗୋଟିଏ ନିବେଦନ ପୂରଣ କରନ୍ତୁ । ଆପଣ ଆପଣଙ୍କର ରୂପ ମୋତେ ଦିଅନ୍ତୁ । ସୁନ୍ଦର ରୂପ ବିନା ମୁଁ ବିଶ୍ଵମୋହିନୀଙ୍କୁ ପାଇପାରିବି ନାହିଁ । ଆପଣଙ୍କର ଏ ଦାସ ପ୍ରତି ଏତିକି ଅନୁଗ୍ରହ ହେଉ ।

 

ଭଗବାନ ନାରାୟଣ କହିଲେ–ତୁମର ଯେପରି ପରମ ହିତ ହେବ, ମୁଁ ତାହାହିଁ କରିବି । ମୋର ବଚନ ଅସତ୍ୟ ହେବନାହିଁ ।

 

ଭଗବାନ୍ ନାରାୟଣଙ୍କର ମାୟା ସେତେବେଳେ ନାରଦ ବୁଝି ପାରିଲେ ନାହିଁ । ନାରଦ ସଙ୍ଗେ ସଙ୍ଗେ ଯାଇ ସ୍ଵୟମ୍ବର ସଭାରେ ପହଞ୍ଚିଲେ । ବହୁ ରାଜା ମହାରାଜା ନାନା ସୁନ୍ଦର ରୂପ ଓ ବେଶରେ ସେଠାରେ ବସିଥିଲେ । ନାରଦ ମନରେ ବିଚାରିଲେ–ମୋପରି ସୁନ୍ଦର ରୂପସମ୍ପନ୍ନ ବ୍ୟକ୍ତିଙ୍କୁ ଛାଡ଼ି ବିଶ୍ଵମୋହିନୀ ଆଉ କାହାରିକୁ ବରଣ କରିବ ନାହିଁ ।

 

ନାରଦ ଅତି କୁରୂପ ଥିଲେ । ଶିବଙ୍କର ଦୁଇ ଜଣ ଅନୁଚର ବ୍ରାହ୍ମଣ ବେଶରେ ସେଠାରେ ସମସ୍ତ ଲୀଳା ଦେଖୁଥିଲେ । ସେମାନେ ନାରଦଙ୍କୁ ଶୁଣାଇ କହୁଥିଲେ–‘ଭଗବାନ୍ ଏ ମୁନିକୁ କି ସୁନ୍ଦର ରୂପ ଦେଇଛନ୍ତି । ଏହାଙ୍କର ସୌନ୍ଦର୍ଯ୍ୟ ଦେଖିଲେ ରାଜକୁମାରୀ ଏହାଙ୍କୁ ନିଶ୍ଚୟ ବରଣମାଳା ଦେବ । ଏ ତ ନାରାୟଣଙ୍କର ରୂପ ଧାରଣ କରିଛନ୍ତି ।’ ଶିବାନୁଚରଙ୍କର ଏ ବ୍ୟଙ୍ଗୋକ୍ତି ନାରଦ ସତ୍ୟ ବୋଲି ମନେକରିଥିଲେ ।

 

ବିଶ୍ୱମୋହିନୀ ବରଣମାଳା ଧରି ଆସିଲେ । ରାଜାମାନଙ୍କ ମଧ୍ୟରେ ବାନର ମୁଖଧାରୀ ନାରଦଙ୍କୁ ଦେଖି ଅତି ତାଚ୍ଛଲ୍ୟ ଓ ଘୃଣା ସହକାରେ ସେଠାରୁ ଚାଲିଗଲେ । ଶିବଗଣ ଏସବୁ ଲକ୍ଷ୍ୟ କରୁଥିଲେ । ସେମାନେ ଅଳ୍ପ ଅଳ୍ପ ହସି ନାରଦଙ୍କ ପ୍ରତି ବିଦ୍ରୂପ ବାକ୍ୟ ପ୍ରୟୋଗ କରୁଥିଲେ । ଭଗବାନ୍ ନାରାୟଣ ଏତିକିବେଳେ ନୃପତି ବେଶରେ ସେଠାରେ ପହଞ୍ଚିଲେ । ସୁନ୍ଦର ସୁଢ଼ଳ ରୂପ ଦେଖି ତାଙ୍କର ଗଳାରେ ବିଶ୍ଵମୋହିନୀ ବରଣମାଳା ପିନ୍ଧାଇଦେବାରୁ ନାରଦ ଅତିଶୟ ବିକଳ ହୋଇପଡ଼ିଲେ । ଶିବାନୁଚରଦ୍ୱୟ ସେତିକିବେଳେ ନାରଦଙ୍କୁ ଲକ୍ଷ୍ୟକରି କହିଲେ–ହେ କନ୍ୟାପ୍ରାର୍ଥୀ ବ୍ରାହ୍ମଣ, ତୁମେ ଯାଇ ତୁମର ମୁଖ ଟିକିଏ ଦର୍ପଣରେ ଦର୍ଶନ କରି ଆସ ।

 

ନାରଦ ଜଳ ମଧ୍ୟରେ ନିଜର ମୁଖ ଦେଖିଲେ । ମୁଖର ପ୍ରତିବିମ୍ବ ଦେଖିବାମାତ୍ରେ ତାଙ୍କ ମନରେ ଭୀଷଣ କ୍ରୋଧ ଉତ୍ପନ୍ନ ହେଲେ । ସେ ଶିବଗଣଙ୍କୁ ଅଭିଶାପ ଦେଇ କହିଲେ–“ତୁମ୍ଭେମାନେ କପଟବେଶରେ ମୋତେ ବିଦ୍ରୂପ କଲ । ମୋର ଅଭିଶାପରେ ତୁମେମାନେ ରାକ୍ଷସ ହୋଇ ଜନ୍ମଲାଭ କର ।” ପୁଣି ନାରାୟଣଙ୍କ ଉଦ୍ଦେଶ୍ୟରେ ସେ କହିଲେ–‘‘ମୋ ପ୍ରତି ନାରାୟଣ ଶଠତା ଆଚରଣ କରି ମୋତେ ଏ ରାଜସଭାରେ ଅପମାନିତ କରିଛନ୍ତି; ମୁଁ ତାଙ୍କୁ ଅଭିଶାପ ଦେବି କିମ୍ବା ପ୍ରାଣ ବିସର୍ଜନ କରିବି ।”

 

ନାରଦ ଯାଉଥିବା ପଥରେ ନାରାୟଣ ବିଶ୍ଵମୋହିନୀଙ୍କ ସହିତ ଯାଉଥିଲେ । ନାରଦ ତାଙ୍କୁ ଦେଖି, ଚିହ୍ନି କହିଲେ, ‘‘ହେ ନାରାୟଣ, ଆପଣ ବଡ଼ କପଟୀ । ସମୁଦ୍ରମନ୍ଥନ ସମୟରେ ଆପଣ ଶିବଙ୍କୁ ବିଷ ପିଆଇଥିଲେ ଓ ଅସୁରଙ୍କୁ ମଦିରା ଦେଲେ, ଆପଣ ନିଜେ ସୁନ୍ଦରୀ ଲକ୍ଷ୍ମୀଦେବୀଙ୍କୁ ଓ କୌସ୍ତୁଭମଣିକୁ ଗ୍ରହଣ କଲେ । ଆପଣଙ୍କୁ ଏପର୍ଯ୍ୟନ୍ତ ଠିକ୍ ମାର୍ଗ କେହି ଦେଖାଇ ପାରନାହାନ୍ତି । ଆପଣ ଯେଉଁ ଶରୀର ଧାରଣ କରି ମୋ ପ୍ରତି ଶଠତା ଆଚରଣ କରିଛନ୍ତି, ଆପଣ ସେହି ରୂପ ଧାରଣ କରି ମନୁଷ୍ୟ ରୂପରେ ପୃଥିବୀରେ ଜନ୍ମଲାଭ କରିବେ । ଆପଣ ମୋତେ ବାନର ରୂପ ଦେଇଥିଲେ; ଆପଣ ବାନରମାନଙ୍କର ସାହାଯ୍ୟ ଭିକ୍ଷା କରିବେ । ମୁଁ ଯେଉଁ ସ୍ତ୍ରୀକୁ ଇଚ୍ଛାକରଥିଲି, ଆପଣ ତାହାଙ୍କୁ ମୋଠାରୁ ଛଡ଼ାଇ ନେଲେ; ତେଣୁ ଆପଣଙ୍କୁ ସ୍ତ୍ରୀବିୟୋଗ ସହ୍ୟ କରିବାକୁ ପଡ଼ିବ ।”

 

ଭଗବାନ ନାରାୟଣ ଭକ୍ତର ଅଭିଶାପ ଗ୍ରହଣ କଲେ । ସେ ସମସ୍ତ ମାୟାସୃଷ୍ଟିକୁ ଛିନ୍ନ କଲେ । ବିଶ୍ଵମୋହିନୀ ଅନ୍ତର୍ହିତା ହେଲେ । ନାରଦଙ୍କଠାରୁ ମାୟା ଅନ୍ତର୍ହିତ ହେବା ସଙ୍ଗେ ସଙ୍ଗେ ନାରଦ ନିଜ ରୂପ ପାଇଲେ । ସମ୍ମୁଖରେ ନାରାୟଣଙ୍କୁ ଦର୍ଶନ କରିବାମାତ୍ରେ ସେ ସମସ୍ତ ମାୟା ବୁଝିପାରିଲେ । ତତ୍‌କ୍ଷଣାତ୍‌ ନାରଦ ଭଗବାନ ନାରାୟଣଙ୍କର ଶରଣାଗତ ହେଲେ । ନାରାୟଣ ନାରଦଙ୍କୁ ଶିବଶତନାମ ଜପ କରିବାକୁ ନିର୍ଦ୍ଦେଶ ଦେଲେ ।

 

ଶିବାନୁଚରଦ୍ୱୟ ନାରଦଙ୍କର ମାୟାରହିତ ମୂର୍ତ୍ତି ଦେଖି ତାହାଙ୍କର ଚରଣସ୍ପର୍ଶ କଲେ । ନାରଦ କହିଲେ, ତୁମେ ଦୁଇଜଣ ମୋର ଅଭିଶାପରେ ଅସୁର ହେଲେ ମଧ୍ୟ ଅମିତ ଐଶ୍ଵର୍ଯ୍ୟଶାଳୀ ଓ ଶକ୍ତିସମ୍ପନ୍ନ ହେବ । ଭଗବାନ ନାରାୟଣ ମନୁଷ୍ୟ ରୂପ ଧାରଣ କରି ଯେତେବେଳେ ତୁମ ଦୁହିଁଙ୍କୁ ବିନାଶ କରିବେ, ସେତେବେଳେ ତୁମେ ଦୁହେଁ ପୁନର୍ବାର ଶିବଲୋକରେ ସ୍ଥାନ ପାଇବ ।

Image

 

ମନୁ ଓ ଶତରୂପା

 

ଶ୍ରୀରାମଚନ୍ଦ୍ର ରୂପେ ଅବତାର ଗ୍ରହଣ କରିବା ପାଇଁ ନାନାଦିଗରୁ ଆବଶ୍ୟକତା ପଡ଼ିଲା-। ସ୍ଵୟଂଭୁବ ମନୁ ମନୁଷ୍ୟ-ସୃଷ୍ଟିର ଆଦିପୁରୁଷ । ତାଙ୍କର ସ୍ତ୍ରୀ ଶତରୂପା । ବହୁକାଳ ଏ ଦୁଇ ପତିପତ୍ନୀ ଧର୍ମପାଳନ କଲେ । ମନୁ ଓ ଶତରୂପାଙ୍କର ଖ୍ୟାତି ବେଦ ପୁରାଣରେ ବର୍ଣ୍ଣିତ ହୋଇଅଛି-। ଶତରୂପାଙ୍କର ଗର୍ଭରୁ ଉତ୍ତାନପାଦ ଜନ୍ମଲାଭ କରିଥିଲେ-। ମନୁଙ୍କର କନିଷ୍ଠପୁତ୍ର ଥିଲେ ପ୍ରିୟବ୍ରତ-। ଦେବହୁତି ନାମରେ ମନୁଙ୍କର ଗୋଟିଏ କନ୍ୟା ଥିଲା । ଦେବହୁତି କର୍ଦ୍ଦମ ମୁନିଙ୍କୁ ବିବାହ କରିଥିଲେ । କପିଳ ଥିଲେ କର୍ଦ୍ଦମ ମୁନିଙ୍କର ପୁତ୍ର । ସେହି କପିଳମୁନି ସାଂଖ୍ୟ ଦର୍ଶନ ପ୍ରଣୟନ କରିଥିଲେ । ଧ୍ରୁବ ତପସ୍ୟାରେ ହରିଙ୍କୁ ସନ୍ତୁଷ୍ଟ କରି ଧ୍ରୁବଲୋକ ସ୍ଥାପନ କରିଥିଲେ । ସେ ଉତ୍ତାନପାଦଙ୍କର ପୁତ୍ର ଓ ସ୍ଵୟଂଭୁବ ମନୁଙ୍କର ନାତି ।

 

ସ୍ଵୟଂଭୁବ ମନୁ ପୃଥିବୀରେ ବହୁକାଳ ପର୍ଯ୍ୟନ୍ତ ରାଜପଣ କଲେ । ବୃଦ୍ଧ ହେବାରୁ ପୁତ୍ର ଉତ୍ତାନପାଦଙ୍କ ହସ୍ତରେ ରାଜ୍ୟଭାର ଅର୍ପଣ କରି ବାନପ୍ରସ୍ଥ ଆଚରଣ କଲେ । ସ୍ଵାମୀ ସ୍ତ୍ରୀ ଉଭୟେ ନୈମିଷ୍ୟାରଣ୍ୟ ଯିବା ପଥରେ ଗୋମତୀ ନଦୀତୀରରେ ପହଞ୍ଚିଲେ । ଗୋମତୀର ପବିତ୍ର ଓ ନିର୍ମଳ ଜଳରେ ସ୍ନାନ କରି ସେଠାରୁ ତୀର୍ଥ ଭ୍ରମଣ ବାସନାରେ ଅଗ୍ରସର ହେଲେ । ସେମାନେ ବଳ୍‌କଳ ପରିଧାନ କରି ଫଳମୂଳ ଭକ୍ଷଣ କରି ତୀର୍ଥାଟନ କରିବାକୁ ଲାଗିଲେ । ବିଭିନ୍ନ ତୀର୍ଥରେ ବହୁ ମୁନି ତପସ୍ଵୀଙ୍କ ସହିତ ଭେଟ ହେଲା । ନାନା ତତ୍ତ୍ଵ ଆଲୋଚନାରେ ସମୟ ଅତିବାହିତ ହେଲା । ତୀର୍ଥାଟନରେ ବାନପ୍ରସ୍ଥାଶ୍ରମ ଶୋଷକରି ସନ୍ନ୍ୟାସୀ ଆଶ୍ରମରେ ସେମାନେ ହରିଙ୍କ ଧ୍ୟାନରେ ନିମଗ୍ନ ରହିଲେ । କେତେବେଳେ ଜଳ କିମ୍ବା କେତେବେଳେ ବାୟୁ ସେବନ କରି ଦୁଇ ପତିପତ୍ନୀ ତପସ୍ୟାରେ ନିରତ ହେଲେ । ତତ୍‌ପରେ ଆହୁରି କଠିନ ବ୍ରତ ଆରମ୍ଭ କଲେ । ଗୋଟିଏ ପାଦରେ ଦଣ୍ଡାୟମାନ ରହି ତପସ୍ୟା କଲେ । ଦୁଇଜଣଙ୍କର ଶରୀରରେ ଅସ୍ଥିମାତ୍ର ଅବଶେଷ ରହିଲା । ହୃଦୟରେ ହରିଧ୍ୟାନ ଛଡ଼ା ଆଉ କୌଣସି ଚିନ୍ତା ପଶିପାରିଲା ନାହିଁ । ସେମାନଙ୍କର ଏ କଠୋର ତପ ଦେଖି ବ୍ରହ୍ମା, ବିଷ୍ଣୁ, ଓ ମହେଶ୍ଵର କେତେଥର ତାଙ୍କ ନିକଟକୁ ଆସିଲେ । ଶରୀର ଅସ୍ଥିକଙ୍କାଳସାର ହେଲେ ମଧ୍ୟ ମନ ମଧ୍ୟରେ ତିଳେହେଲେ ପୀଡ଼ା ନ ଥିଲା ।

 

ବହୁକାଳ ପରେ ପ୍ରଭୁଙ୍କର ଆସନ ଟଳମଳ ହେଲା । ସେତିକିବେଳେ ଆକାଶବାଣୀ ଶୁଭିଲା–ହେ କଠୋର ତପଚାରୀ, ବର ପ୍ରାର୍ଥନାକର ।

 

ଏ ଆକାଶବାଣୀ ଶୁଣି ରାଜା ଓ ରାଣୀ ଅତ୍ୟନ୍ତ ଉତ୍‌ଫୁଲ୍ଲ ହେଲେ । ସେମାନଙ୍କର ଶରୀର ହୃଷ୍ଟପୁଷ୍ଟ ହୋଇଗଲା । ମନୁ ଦଣ୍ଡବତ କରି କହିଲେ–ଆପଣ ଭକ୍ତ ନିମନ୍ତେ କଳ୍ପବୃକ୍ଷ ଓ କାମଧେନୁ ଅଟନ୍ତି । ଶରଣାଗତ ଜନର ଆପଣ ରକ୍ଷକ । ଆପଣଙ୍କର ଯେଉଁ ରୂପ ଶିବଙ୍କର ଧ୍ୟେୟ, ଯେଉଁ ସ୍ଵରୂପ ଦର୍ଶନ କରିବା ପାଇଁ ମୁନିମାନେ ସବୁବେଳେ ଯତ୍ନ କରୁଥାନ୍ତି, ଆମ ଦୁଇଜଣଙ୍କୁ ସେହି ରୂପରେ ଦର୍ଶନ ଦିଅନ୍ତୁ ।

 

ଦୁଇ ପତିପତ୍ନୀଙ୍କ ସମ୍ମୁଖରେ ଭଗବାନ ନାରାୟଣ ନୀଳମଣି ରୂପ ଧାରଣ କରି ବିରାଜିତ ହେଲେ । କର୍ଣ୍ଣରେ କୁଣ୍ଡଳ, ଶିରରେ ମୁକୁଟ, ହୃଦୟରେ କୌସ୍ତୁଭମାଳା, କଟିରେ ପୀତବସନ ପରିଧାନ କରି ମନୁ ଓ ଶତରୂପାଙ୍କ ଚକ୍ଷୁ ସମକ୍ଷରେ ସ୍ଵୟଂ ନାରାୟଣ ଦଣ୍ଡାୟମାନ ହେଲେ । ଦୁଇଜଣଙ୍କର କଠୋର ତପସ୍ୟା ଫଳବତୀ ହେଲା । ସେମାନେ ଏ ରୂପ ଦେଖି ସ୍ତବ୍‌ଧ ହେଲେ । ସେମାନେ ନିଜତ୍ଵ ଭୁଲିଗଲେ । ଅତ୍ୟନ୍ତ ଆନନ୍ଦିତ ହୋଇ ସେମାନେ ନାରାୟଣଙ୍କ ଚରଣ ସ୍ପର୍ଶ କଲେ । କ୍ଷଣକାଳ ସେମାନଙ୍କର ମୁଗ୍‌ଧଭାବ ଲକ୍ଷ୍ୟ କରି ଭଗବାନ ନାରାୟଣ କହିଲେ–ତୁମ୍ଭମାନଙ୍କର କୌଣସି ଆକାଂକ୍ଷା ଥିଲେ ପ୍ରକାଶ କର ! ତୁମ୍ଭମାନଙ୍କର ଇଚ୍ଛା-ବର ଯାଚନା କର ।

 

ଦୁହେଁ ହାତଯୋଡ଼ି ଠିଆହେଲେ । ରାଜା ମନୁ ଅତ୍ୟନ୍ତ କୋମଳ ଓ ବିନୀତ ସ୍ଵରରେ କହିଲେ–ହେ ନାଥ ! ଆପଣଙ୍କର ଚରଣକମଳ ଦର୍ଶନ କରି ଆମ୍ଭମାନଙ୍କର ସମସ୍ତ ମନକାମନା ପୂର୍ଣ୍ଣ ହୋଇଅଛି । ତଥାପି ମନରେ ଗୋଟିଏ ବଡ଼ ଲାଳସା ରହିଛି । ତାହା ପୂର୍ଣ୍ଣ ହେବା ସହଜ, ପୁଣି ଅତ୍ୟନ୍ତ କଠିନ ଅଟେ; ତେଣୁ ତାହା ପ୍ରକାଶ କରିବା ପାଇଁ ସଙ୍କୋଚ ବୋଧ ହେଉଅଛି । କିନ୍ତୁ ହେ ସ୍ଵାମୀ ! ଆପଣଙ୍କ ପକ୍ଷରେ ତାହା ଅତ୍ୟନ୍ତ ସହଜ ଅଟେ । ଆପଣ ଅନ୍ତର୍ଯ୍ୟାମୀ । ଆପଣ ସମସ୍ତ କଥା ଜାଣନ୍ତି ।

 

ଚତୁର୍ଭୂଜ ନାରାୟଣ କହିଲେ–“ସଙ୍କୋଚ କରନାହିଁ, ତୁମ୍ଭଙ୍କୁ ଅଦେୟ ବସ୍ତୁ ମୋ ନିକଟରେ କିଛି ନାହିଁ ।

 

ରାଜା ଅତ୍ୟନ୍ତ ବିନମ୍ର ସ୍ଵରରେ କହିଲେ–ହେ ଭଗବାନ ନାରାୟଣ ! ମୁଁ ମୋର ଅନ୍ତରର ପ୍ରକୃତ ଇଚ୍ଛା ପ୍ରକଟ କରୁଅଛି । ମୁଁ ଆପଣଙ୍କ ସଦୃଶ ଏକ ପୁତ୍ର କାମନା କରୁଅଛି । ଆପଣଙ୍କ ନିକଟରେ ଏହା ଗୁପ୍ତ ରଖିବି କିପରି ?

 

ରାଜାଙ୍କର ଭକ୍ତି ଓ ପ୍ରୀତି ଦେଖି ନାରାୟଣ କହିଲେ–ମୁଁ ମୋ ସଦୃଶ ଅନ୍ୟଜଣକୁ ଆଉ କେଉଁ ସ୍ଥାନରେ ଅନୁସନ୍ଧାନ କରିବି । ମୁଁ ସ୍ଵୟଂ ତୁମ୍ଭର ପୁତ୍ର ଭାବରେ ଜନ୍ମଲାଭ କରିବି । ଶତରୂପାଙ୍କୁ ଚାହିଁ ନାରାୟଣ ପୁଣି ସେହି ପ୍ରଶ୍ନ ପଚାରିଲେ । ଶତରୂପା କହିଲେ, ହେ ଅନ୍ତର୍ଯାମୀ ! ରାଜା ଯେଉଁ ବର ପ୍ରାର୍ଥନା କରିଛନ୍ତି, ମୋତେ ସେହି ବର ଦିଅନ୍ତୁ । ଆପଣଙ୍କ ଚରଣରେ ମୋର ଚିରକାଳ ଭକ୍ତି, ପ୍ରୀତି ରହିଥାଉ । ଆପଣଙ୍କର ଭକ୍ତମାନେ ଯେଉଁ ସୁଖ, ଗତି ଓ ଜ୍ଞାନ ଲାଭକରନ୍ତି ମୋତେ ସେତିକି ପ୍ରାପ୍ତହେଉ ।

 

ଭଗବାନ ନାରାୟଣ ସେମାନଙ୍କର ପ୍ରାର୍ଥନା ପୂରଣ କଲେ ଏବଂ ଇନ୍ଦ୍ରଙ୍କ ରାଜଧାନୀରେ ବାସକରିବା ପାଇଁ ସେମାନଙ୍କୁ ନିର୍ଦ୍ଦେଶ ଦେଲେ । ସେମାନଙ୍କୁ କହିଲେ କେତେକ କାଳ ପରେ ତୁମ୍ଭେମାନେ ଅଯୋଧ୍ୟାରେ ରାଜା ଓ ରାଣୀ ରୂପେ ଜନ୍ମଲାଭ କରିବ । ସେତିକିବେଳେ ମୁଁ ମନୁଷ୍ୟ ରୂପ ଧାରଣ କରି ତୁମ୍ଭମାନଙ୍କର ପୁତ୍ରରୂପେ ଜନ୍ମଗ୍ରହଣ କରିବି । ମୋର ଆଦିଶକ୍ତି ମଧ୍ୟ ସେତିକିବେଳେ ଜନ୍ମଗ୍ରହଣ କରିବେ । ମୋର ବଚନ ସତ୍ୟ ହେବ ।

 

ସେହି ଆଶ୍ରମରେ କେତେ କାଳ ଦୁଇ ପତିପତ୍ନୀ ମୁନିମାନଙ୍କ ସହିତ କାଳଯାପନ କରି ଶରୀର ତ୍ୟାଗ କଲେ ।

Image

 

ରାବଣର ଜନ୍ମ-ରହସ୍ୟ

 

କୈକେୟ ନାମକ ଦେଶରେ ସତ୍ୟକେତୁ ନାମରେ ଜଣେ ରାଜା ରାଜତ୍ଵ କରୁଥିଲେ । ସେ ବଡ଼ ଧାର୍ମିକ ଓ ପ୍ରତାପଶାଳୀ ଥିଲେ । ତାଙ୍କର ଦୁଇଗୋଟି ପୁତ୍ର ଥିଲେ । ଦୁଇ ପୁତ୍ର ପିତାଙ୍କପରି ଧାର୍ମିକ ଓ ଗୁଣବାନ୍ ମଧ୍ୟ ଥିଲେ । ଜ୍ୟେଷ୍ଠପୁତ୍ର ପ୍ରତାପଭାନୁ ଓ କନିଷ୍ଠପୁତ୍ର ଅରିମର୍ଦ୍ଦନଙ୍କ ମଧ୍ୟରେ ଭ୍ରାତୃଭାବ ଅତୁଳନୀୟ ଥିଲା । ରାଜା ସତ୍ୟକେତୁ ଜ୍ୟେଷ୍ଠପୁତ୍ରଙ୍କ ହସ୍ତରେ ରାଜ୍ୟଭାର ଅର୍ପଣକରି ସନ୍ନ୍ୟାସ ଗ୍ରହଣକଲେ ।

 

ରାଜ୍ୟପାଳନରେ ପ୍ରତାପଭାନୁ ଇନ୍ଦ୍ରଙ୍କ ପରି ଥିଲେ । ବେଦନୀତି ଅନୁସାରେ ସେ ପ୍ରଜାମାନଙ୍କୁ ପାଳନ କରୁଥିଲେ । ତାଙ୍କର ମନ୍ତ୍ରୀ ଥିଲେ ଧନରୁଚି । ଶୁକ୍ରାଚାର୍ଯ୍ୟଙ୍କ ପରି ସେ ରାଜନୀତି-ଜ୍ଞାନସମ୍ପନ୍ନ ଓ ବୁଦ୍ଧିମାନ ଥିଲେ । ରାଜା ନିଜର ପରାକ୍ରମରେ ସପ୍ତଦ୍ଵୀପ ଜୟକରି ସେଠାରୁ କର ଗ୍ରହଣ କରୁଥିଲେ । ଚକ୍ରବର୍ତ୍ତୀ ରାଜା ଭାବରେ ତାଙ୍କର ସମଗ୍ର ପୃଥିବୀରେ ଖ୍ୟାତି ଥିଲା । ଧର୍ମ, ଅର୍ଥ, କାମ କୌଣସି ଦିଗରେ ତାଙ୍କର ଊଣା ନ ଥିଲା । ପ୍ରଜାମାନଙ୍କର କୌଣସି ପ୍ରକାରର ଦୁଃଖ ନ ଥିଲା । ରାଜ୍ୟର ସ୍ତ୍ରୀ-ପୁରୁଷମାନେ ସୁନ୍ଦର ଓ ଧାର୍ମିକ ଥିଲେ । ଗୁରୁ, ଦେବତା, ସନ୍ଥ, ପିତୃ, ବ୍ରାହ୍ମଣଙ୍କର ସେବା ରାଜାଙ୍କର ବ୍ରତ ଥିଲା । ପ୍ରତିଦିନ ବହୁ ଧନରତ୍ନ ରାଜା ଦାନ କରୁଥିଲେ । ରାଜା ରାଜ୍ୟମଧ୍ୟରେ କୂପ, ପୁଷ୍କରିଣୀ, ଉଦ୍ୟାନ, ମନ୍ଦିର ନିର୍ମାଣ କରି ଯଶଲାଭ କରିଥିଲେ । ରାଜା ସମସ୍ତ ପ୍ରକାର ଯଜ୍ଞ ସମ୍ପନ୍ନ କରିଥିଲେ । ରାଜା ବୁଦ୍ଧିମାନ୍ ଓ ଜ୍ଞାନୀ ଥିବାରୁ କୌଣସି କାମନା ନ ରଖି ଭଗବାନଙ୍କ ପାଦପଦ୍ମରେ ମନ ଓ ବୁଦ୍ଧି ଅର୍ପଣ କରିଥିଲେ । ମନ୍ତ୍ରୀ ଧନରୁଚି ରାଜାଙ୍କୁ ପବିତ୍ରକର୍ମରେ ମନଦେବା ନିମନ୍ତେ ମନ୍ତ୍ରଣା ଓ ପ୍ରେରଣା ଦେଉଥିଲେ ।

 

ଏକ ସମୟରେ ରାଜା ଶିକାର ଉଦ୍ଦେଶ୍ୟରେ ଅଶ୍ଵାରୋହଣ କରି ବିନ୍ଧ୍ୟାଚଳର ଘନ ଜଙ୍ଗଲରେ ଭ୍ରମଣ କରୁଥିବା ସମୟରେ ଗୋଟିଏ ବରାହକୁ ଦେଖିଲେ । ବରାହର ବିଶାଳ ଶରୀର ଓ ଭୟାନକ ଦନ୍ତପନ୍ତି ଥିଲା । ଅଶ୍ଵର ହେଷା ଶବ୍ଦ ଶୁଣି ବରାହ ଜଙ୍ଗଲ ମଧ୍ୟରେ ଦଣ୍ଡାୟମାନ ହେଲା ଏବଂ ଅଶ୍ଵକୁ ଏକଦୃଷ୍ଟିରେ ଦେଖିବାକୁ ଲାଗିଲା । ରାଜା ବରାହକୁ ବଧ କରିବା ନିମିତ୍ତ ଅଶ୍ଵକୁ ବରାହର ଅନୁସରଣ କରିବାପାଇଁ ଚାବୁକ ମାରିଲେ । ବରାହ ତାହା ଜାଣିପାରି ପବନବେଗରେ ଯେପରି ଧାବିତ ହେଲା, ରାଜା ଧନୁରେ ତୀର ସଂଯୋଗ କରି ତାହାର ଅନୁସରଣ କଲେ । ବରାହ ପ୍ରାଣରକ୍ଷା ନିମନ୍ତେ କେତେବେଳେ ବୃକ୍ଷ ଉହାଡ଼ରେ, କେତେବେଳେ ଅବା ଘନ ଜଙ୍ଗଲ ମଧ୍ୟରେ ଛପିଯାଉଥିଲା । ଅଗତ୍ୟା ବରାହ ପର୍ବତର ଏକ ଗୁମ୍ଫା ମଧ୍ୟରେ ପ୍ରବେଶ କଲା । ରାଜା ସେ ଗୁମ୍ଫା ମଧ୍ୟକୁ ଯାଇପାରିଲେ ନାହିଁ ।

 

ଭୀଷଣ ବନ ମଧ୍ୟରେ ରାଜା ତୃଷାର୍ତ୍ତ ହୋଇ ନଦୀ ବା ପୁଷ୍କରିଣୀର ଅନୁସନ୍ଧାନରେ ଭ୍ରମଣ କରିବାକୁ ଲାଗିଲେ । ହଠାତ୍ ଗୋଟିଏ ଆଶ୍ରମ ଦୃଷ୍ଟିଗୋଚର ହେଲା । ସେହି ଆଶ୍ରମରେ ଜଣେ ରାଜା କପଟରେ ମୁନିବେଶ ଧାରଣ କରି ବାସକରୁଥିଲେ । ଛଦ୍ମବେଶୀ ମୁନି ରାଜା ଥିଲାବେଳେ ପ୍ରତାପଭାନୁ ତାଙ୍କ ସହିତ ଯୁଦ୍ଧ କରି ତାଙ୍କରି ରାଜ୍ୟ ଅଧିକାର କରିଥିଲେ । ଯୁଦ୍ଧରେ ପରାଜିତ ହୋଇ ଯୁଦ୍ଧକ୍ଷେତ୍ରରୁ ସେ ରାଜଭବନକୁ ପ୍ରତ୍ୟାବର୍ତ୍ତନ ନ କରି କ୍ରୋଧପରବଶ ହୋଇ ତପସ୍ଵୀବେଶରେ ଆଶ୍ରମରେ ବାସ କରୁଥିଲେ । ସେ ପ୍ରତାପଭାନୁଙ୍କୁ ଦେଖିବାମାତ୍ରେ ଚିହ୍ନିପାରିଲେ-। ରାଜା କ୍ଷୁଧା ଓ ତୃଷାରେ ବ୍ୟାକୁଳ ହେଉଥିଲେ । ଆଶ୍ରମରେ ଛଦ୍ମବେଶୀ ତପସ୍ଵୀଙ୍କୁ ଦେଖି ରାଜା ଅଶ୍ଵରୁ ଅବତରଣ କରି ତାଙ୍କୁ ନମସ୍କାର କଲେ ।

 

ରାଜାଙ୍କୁ ତୃଷାର୍ତ୍ତ ଦେଖି ଛଦ୍ମତପସ୍ଵୀ ତାଙ୍କୁ ଗୋଟିଏ ସରୋବର ନିକଟକୁ ନେଇଗଲେ । ରାଜା ସରୋବରରେ ସ୍ନାନ ଓ ଜଳପାନ କରିବାପରେ ତାଙ୍କୁ ନିଜ ଆଶ୍ରମକୁ ନିମନ୍ତ୍ରଣ କଲେ । ରାଜାଙ୍କୁ ଆସନ ଦେଇ କହିଲେ–ଆପଣ ବନ ମଧ୍ୟରେ କାହିଁକି ଏପରି ଭ୍ରମଣ କରୁଅଛନ୍ତି । ଆପଣଙ୍କଠାରେ ଚକ୍ରବର୍ତ୍ତୀ ରାଜାଙ୍କର ସମସ୍ତ ଲକ୍ଷଣ ମୁଁ ଦେଖିପାରୁଛି ।

 

ରାଜା ତାଙ୍କୁ ନିଜର ପରିଚୟ ଦେବାକୁ ଯାଇ କହିଲେ ମୁଁ ପ୍ରତାପଭାନୁ ରାଜାଙ୍କର ମନ୍ତ୍ରୀ-। ଶିକାର ଉଦ୍ଦେଶ୍ୟରେ ଏ ବନରେ ଭ୍ରମଣ କରୁ କରୁ ତୃଷାର୍ତ୍ତ ହୋଇପଡ଼ିଅଛି । ତପସ୍ଵୀ କହିଲେ–ବର୍ତ୍ତମାନ ଅନ୍ଧକାର ଆଗତପ୍ରାୟ । ଆପଣଙ୍କର ନଗର ଏଠାରୁ ବହୁଦୂରରେ । ଏ ଆଶ୍ରମରେ ଆପଣ ରାତ୍ରୀଯାପନ କରି ପ୍ରାତଃକାଳରେ ନଗରାଭିମୁଖରେ ଗମନ କରିବେ । ରାଜା ସ୍ଵୀକୃତ ହୋଇ ଅଶ୍ଵକୁ ଏକ ବୃକ୍ଷ ଦେହରେ ବାନ୍ଧିଦେଲେ । ମୁନିଙ୍କର ଅତିଥିପରାୟଣତାରେ ମୁଗଧ ହୋଇ ରାଜା ତାଙ୍କୁ ଯଥେଷ୍ଟ ପ୍ରଶଂସା କଲେ; କିନ୍ତୁ ଛଦ୍ମତପସ୍ଵୀ ପୂର୍ବ ସୁଖସଂପଦ ଭୋଗ ଓ ଅପମାନ ସ୍ମରଣ କରି ମନେ ମନେ ଅବସନ୍ନ ଓ ତପ୍ତ ହେଉଥିଲେ ।

 

ରାଜାଙ୍କର ବିନୟଭାବ ଦେଖି ଛଦ୍ମତପସ୍ଵୀ କହିଲେ–ମୁଁ ଗୃହହୀନ, ନିର୍ଦ୍ଧନ ତପସ୍ଵୀ; ବହୁକାଳରୁ ଏ ବନରେ ଶ୍ରୀହରି ଚରଣ ସେବାରେ କାଳ କାଟୁଛି । କେବେ କାହାରି ସହିତ ଏଠି ସାକ୍ଷାତ୍ ହୋଇନାହିଁ । ଜନମାନବ କ୍ଷେତ୍ରରୁ ବିଚ୍ଛିନ୍ନ ହୋଇ ଏକାନ୍ତରେ ଅପ୍ରକାଶ୍ୟ ଭାବରେ ଏଠାରେ ରହିଛି । ଆପଣ ପବିତ୍ର ଓ ସୁନ୍ଦର । ମୋର ଆପଣଙ୍କ ଉପରେ ଏକାନ୍ତ ବିଶ୍ଵାସ ଆସୁଅଛି-। ତେଣୁ ଆପଣଙ୍କୁ ମୋର ଜୀବନରହସ୍ୟ କହିଲେ କୌଣସି କ୍ଷତ ନାହିଁ ।

 

ମୋର ନାମ ଏକତନୁ । ଏ ସୃଷ୍ଟିର ଆରମ୍ଭକାଳରେ ମୋର ଜନ୍ମ । ମୁଁ ସେହିକାଳରୁ ମୁଁ ଦ୍ଵିତୀୟତନୁ ଧାରଣ କରିନଥିବାରୁ ମୋର ଏହିପରି ନାମକରଣ ହୋଇଅଛି । ଆପଣ ଏକଥା ଶୁଣି ଆଶ୍ଚର୍ଯ୍ୟଭାବ ପ୍ରକାଶ କରୁଅଛନ୍ତି । ତପଦ୍ଵାରା ସମସ୍ତ ସମ୍ଭବ । ତପୋବଳରେ ବ୍ରହ୍ମା ସୃଷ୍ଟି ସଂପାଦନ କରିଅଛନ୍ତି, ବିଷ୍ଣୁ ଜଗତକୁ ପାଳନ କରୁଅଛନ୍ତି ଓ ରୁଦ୍ର ସଂହାର କରୁଛନ୍ତି । ମୋର ଅଜ୍ଞାତ କିଛି ନାହିଁ ।

 

ହେ ରାଜା ! ମୁଁ ଆପଣଙ୍କୁ ଚିହ୍ନିଛି, ଆପଣଙ୍କର ସମସ୍ତ କାର୍ଯ୍ୟକଳାପ ମଧ୍ୟ ଜାଣିଛି । ରାଜାମାନେ ନିଜର ନାମ ଧାମ ସବୁସ୍ଥଳରେ ପ୍ରକାଶ କରନ୍ତି ନାହିଁ । ଆପଣ ନିଜର ନାମ ପ୍ରକାଶ ନ କରି ଯେଉଁ ଚତୁରତା ଦେଖାଇଅଛନ୍ତି, ସେଥିପାଇଁ ମୋର ତିଳେମାତ୍ର ଦୁଃଖ ନାହିଁ । ଆପଣ ରାଜା ସତ୍ୟକେତୁଙ୍କ ପୁତ୍ର ପ୍ରତାପଭାନୁ । ଗୁରୁକୃପାରୁ ମୁଁ ସବୁ ଜାଣିପାରିଛି । ଆପଣ ରାଜା ଭାବରେ ଯେପରି ପ୍ରଜାପାଳକ ଓ ନ୍ୟାୟବନ୍ତ, ପ୍ରତାପରେ ମଧ୍ୟ ଭୂମଣ୍ଡଳ ଆପଣଙ୍କର କରଗତ । ମନରେ ତିଳେ ମାତ୍ର ସଂଦେହ କରନ୍ତୁନାହିଁ । ଆପଣଙ୍କର ଯାହା ଇଚ୍ଛା, ଆପଣ ତାହା ମୋଠାରୁ ଗ୍ରହଣ କରନ୍ତୁ ।

 

ରାଜା ଛଦ୍ମବେଶୀ ତପସ୍ଵୀଙ୍କଠାରୁ ଭୂତ ଓ ବର୍ତ୍ତମାନ ତଥ୍ୟ ଶୁଣି ତାଙ୍କର ମହିମା ସଂବନ୍ଧରେ ବିଶ୍ଵାସ କରି ତାଙ୍କର ପଦସ୍ପର୍ଶ କରି ପ୍ରଣାମ କଲେ । ପୁଣି କହିଲେ–ହେ ତ୍ରିକାଳଜ୍ଞ ମୁନି, ଆପଣ ଯଦି ମୋ ଉପରେ ପ୍ରସନ୍ନ ହୋଇଅଛନ୍ତି, ମୋତେ ଏହି ବର ଦିଅନ୍ତୁ, ମୁଁ ନିଷ୍କଣ୍ଟକ ହୋଇ ଶତକଳ୍ପ ପର୍ଯ୍ୟନ୍ତ ରାଜ୍ୟ ପାଳନ କରିବି ।

 

ଛଦ୍ମବେଶୀ ମୁନି କହିଲେ–ତୁମର ବାକ୍ୟ ସଫଳ ହେବ । କେବଳ ବ୍ରାହ୍ମଣମାନଙ୍କ ବ୍ୟତୀତ ସମସ୍ତେ ତୁମ ଚରଣରେ ନତମସ୍ତକ ହେବେ । ବ୍ରାହ୍ମଣ ଅଭିଶାପ ବିନା ତୁମର କୌଣସି ଅନିଷ୍ଟ ହେବନାହିଁ । ଆମ ଦୁଇଜଣଙ୍କର କଥୋପକଥନ ରହସ୍ୟ ତୁମେ କୌଣସିଠାରେ ପ୍ରକାଶ କରିବ ନାହିଁ ।

 

ରାଜା ପଚାରିଲେ–ହେ ମୁନିବର ! ମୋ ଉପରେ କୃପାକରି ବ୍ରାହ୍ମଣମାନଙ୍କୁ ବଶ କରିବାର ଉପାୟ ମୋତେ ବତାଇଦେଲେ । ମୁଁ ଚିରକାଳ ଆପଣଙ୍କର ଆଜ୍ଞାବହ ହୋଇ ରହିବି । ମୁନି କହିଲେ–ସେଥିପାଇଁ ଏକମାତ୍ର ଉପାୟ ଅଛି । ତୁମର ନଗରରେ ମୁଁ ପହଞ୍ଚି ପାରିଲେ ତାହା ସଂଭବ ହେବ । ମୁଁ ଏପର୍ଯ୍ୟନ୍ତ କୌଣସି ନଗର ବା ଜନସମାଜକୁ ଯାଇନାହିଁ ।

 

ରାଜା ପୁଣି ବିନୀତ ଭାବରେ କହିଲେ–“ପର୍ବତ ନିଜ ଶିର ଉପରେ ସାମାନ୍ୟ ତୃଣ ଧାରଣ କରିଥାଏ, ଅଗାଧ ସମୁଦ୍ର ତାର ଉତ୍ତୁଙ୍ଗ ତରଙ୍ଗ ଉପରେ ଲଘୁଫେନ ଧାରଣ କରେ । ମହତ୍ ବ୍ୟକ୍ତିମାନେ ସେହିପରି ଦୀନଲୋକମାନଙ୍କ ଉପରେ କୃପା ବର୍ଷଣ କରନ୍ତି । ଆପଣ ମୋର ନଗରକୁ ଯାଇ ମୋ ପ୍ରତି ସଦୟ ହୁଅନ୍ତୁ ।

 

ମୁନି କହିଲେ–ମୁଁ ତୁମର ବିନୀତ ବାକ୍ୟ ଶୁଣି ଅତ୍ୟନ୍ତ ପ୍ରୀତ ହୋଇଅଛି । ମନ, ବାକ୍ୟ ଓ ଶରୀରରେ ତୁମେ ମୋର ଭକ୍ତ । ମୁଁ ଆଉ ଗୋଟିଏ କଥା ତୁମକୁ କହୁଛି । ତୁମ ନଗରକୁ ଯାଇ ତୁମର ଅନ୍ନ ମୁଁ ପାକ କରିବି । ସେହି ପାକାନ୍ନ ତୁମେ ସ୍ଵହସ୍ତରେ ପରିବେଷଣ କରିବ । ପ୍ରତିଦିନ ତୁମେ ଏକଲକ୍ଷ ବ୍ରାହ୍ମଣଙ୍କୁ କୁଟୁମ୍ବ ସହିତ ନିମନ୍ତ୍ରଣ କରିବ । ସେହି ବ୍ରାହ୍ମଣମାନେ ସେବାପୂଜା କରି ଦେବତାମାନଙ୍କୁ ସନ୍ତୁଷ୍ଟ କରିବେ । ତେଣୁ ମୋର ପାକାନ୍ନ ଏବଂ ତୁମର ପରିବେଷଣଦ୍ଵାରା ବ୍ରାହ୍ମଣ ଓ ଦେବତାମାନେ ସନ୍ତୁଷ୍ଟ ହେଲେ ସେମାନେ ତୁମର ବଶ ହେବେ । ମୁଁ ମୋର ଶକ୍ତିବଳରେ ତୁମର କୁଳପୁରୋହିତଙ୍କୁ ଏଠାରେ ଆଣି ରଖିବି ଏବଂ ମୁଁ ତାଙ୍କରି ରୂପ ଗ୍ରହଣ କରି ତୁମର ସମସ୍ତ କାର୍ଯ୍ୟ ସିଦ୍ଧି କରିବି । ମୁଁ ମୋର ତପୋବଳ ପ୍ରଭାବରେ ଆଜିଠାରୁ ତୃତୀୟ ଦିବସରେ ତୁମର ଅଶ୍ଵ ସହିତ ତୁମକୁ ତୁମ ରାଜଭବନରେ ପହଞ୍ଚାଇଦେବି ।

 

ରାଜା ଦିନର କ୍ଳାନ୍ତିଯୋଗୁଁ ଅବଶ ହୋଇପଡ଼ିଥିଲେ । ସେ ସଙ୍ଗେ ସଙ୍ଗେ ଗଭୀର ନିଦ୍ରାରେ ଅଭିଭୂତ ହୋଇପଡ଼ିଲେ । ଯେଉଁ ବିଶାଳ ବରାହ ରାଜାଙ୍କୁ ମାୟା ତପସ୍ଵୀଙ୍କ ଆଶ୍ରମ ନିକଟରେ ପହଞ୍ଚାଇ ଦେଇଥିଲା, ତାହା କାଳକେତୁ ନାମରେ ଗୋଟିଏ ରାକ୍ଷସ ଥିଲା । ତାହାର ଏକ ଶହ ପୁତ୍ର ଓ ଦଶ ଭ୍ରାତା ଥିଲେ । ସେ ସେମାନଙ୍କୁ ମଧ୍ୟ ନାନା ନିର୍ଯାତନା ଦେଉଥିଲା । ରାଜା ପ୍ରତାପଭାନୁ ସେଇ କାଳକେତୁ ରାକ୍ଷସକୁ ପରାସ୍ତ କରିଥିଲେ । କାଳକେତୁ ଓ ମାୟାତପସ୍ଵୀ ଦୁହେଁ ମିଶି ପ୍ରତାପଭାନୁଙ୍କ ବିରୁଦ୍ଧରେ ଏହିପରି ଷଡ଼ଯନ୍ତ୍ର କରିଥିଲେ । ରାଜା ନିଦ୍ରିତ ଥିବା ସମୟରେ ମାୟାତପସ୍ଵୀ ନିଜର ସମସ୍ତ ଯୋଜନା କାଳକେତୁକୁ ଜଣାଇଲା ।

 

ମାୟାବୀ ରାକ୍ଷସ ପ୍ରତାପଭାନୁ ରାଜାଙ୍କୁ ନିଦ୍ରିତ ଅବସ୍ଥାରେ ନେଇ ରାଜଭବନରେ ରଖିଦେଲା ଏବଂ ପୁରୋହିତଙ୍କୁ ଆଣି ପାହାଡ଼ଗୁମ୍ଫାରେ ଥୋଇଦେଲା । ରାଜା ପ୍ରାତଃକାଳରେ ଉଠି ଦେଖିଲେ ଯେ ସେ ରାଜଭବନରେ ଶୋଇଛନ୍ତି । ରାଜା ମାୟା ପୁରୋହିତଙ୍କୁ ଡକାଇ ତାଙ୍କ ସହିତ ମନ୍ତ୍ରଣା କଲେ । ଏକଲକ୍ଷ ବ୍ରାହ୍ମଣ କୁଟୁମ୍ବ ସହିତ ନିମନ୍ତ୍ରିତ ହୋଇ ଆସିଲେ । ମାୟା ପୁରୋହିତ ଷଡ଼ରସ ବ୍ୟଞ୍ଜନ ପ୍ରସ୍ତୁତ କଲେ । ବ୍ୟଞ୍ଜନ ମଧ୍ୟରେ ପଶୁମାଂସ ଏବଂ ବ୍ରାହ୍ମଣ ମାଂସ ମଧ୍ୟ ରନ୍ଧନ କରାଗଲା । ରାଜା ବ୍ରାହ୍ମଣମାନଙ୍କୁ ନିମନ୍ତ୍ରଣ କରି ସେମାନଙ୍କର ପଦ ଧୌତ କଲେ । ଭୋଜନ ନିମନ୍ତେ ବ୍ରାହ୍ମଣମାନେ ପଂକ୍ତିବଦ୍ଧ ହୋଇ ଆସନମାନଙ୍କରେ ବସିଲେ । ରାଜା ନିଜ ହସ୍ତରେ ବ୍ୟଞ୍ଜନ ପରିବେଷଣ କରିବାକୁ ଲାଗିଲେ ।

 

ଏତିକିବେଳେ କାଳକେତୁ ରାକ୍ଷସ ଏକ ମାୟା ରଚନା କଲା । ଆକାଶବାଣୀ ଶୁଭିଲା–ହେ ବ୍ରାହ୍ମଣବୃନ୍ଦ, ରାଜା ପରିବେଷଣ କରୁଥିବା ବ୍ୟଞ୍ଜନରେ ବ୍ରାହ୍ମଣ-ମାଂସ ମିଶିଛି । ଏହା ଭୋଜନ କଲେ ବହୁ ହାନି ହେବ । ତାହା ଭୋଜନ କରନ୍ତୁନାହିଁ, ଆପଣମାନେ ଶୀଘ୍ର ନିଜ ଆସନରୁ ଉଠି ଘରକୁ ଫେରିଯାନ୍ତୁ ।

 

ବ୍ରାହ୍ମଣମାନେ ଉଠି ଦଣ୍ଡାୟମାନ ହେଲେ । ରାଜା ଏ ପରସ୍ଥିତି ଦେଖି ବ୍ୟାକୁଳ ହୋଇଉଠିଲେ । ତାଙ୍କ ମୁଖରୁ ବାଣୀ ବାହାରିଲାନାହିଁ । ବ୍ରାହ୍ମଣମାନେ କ୍ରୋଧାନ୍ଵିତ ହୋଇ କହିଲେ–ହେ ମୂର୍ଖ ରାଜା, ତୁମେ ତୁମର ପରିବାର ସହିତ ରାକ୍ଷସବଂଶରେ ଜନ୍ମଲାଭ କରି ବ୍ରାହ୍ମଣମାନଙ୍କୁ ନିମନ୍ତ୍ରଣ କରି ସେମାନଙ୍କୁ ଭ୍ରଷ୍ଟ କରିବାପାଇଁ ଇଚ୍ଛା କରିଥିଲେ; ଭଗବାନ୍ ଆମ୍ଭମାନଙ୍କୁ ରକ୍ଷାକରି ଅଛନ୍ତି । ତୁମେ ପରିବାର ସହିତ ଭ୍ରଷ୍ଟ ହୁଅ । ତୁମ କୂଳରେ କୂଳ-ପୁରୁଷମାନଙ୍କୁ ଜଳଦାନ କରିବା ନିମନ୍ତେ ଜଣେ ମଧ୍ୟ କେହି ରହିବ ନାହିଁ ।

 

ଅଭିଶାପ ଶୁଣି ରାଜା ଭୟରେ କାତର ହୋଇ ପଡ଼ିଲେ; କେବଳ ଭଗବାନଙ୍କୁ ଆକୁଳ ହୋଇ ସ୍ମରଣ କରିବାକୁ ଲାଗିଲେ । ପୁଣି ଆକାଶବାଣୀ ହେଲା–‘ହେ ବ୍ରାହ୍ମଣବୃନ୍ଦ, ଆପଣମାନେ ଉପଯୁକ୍ତ ବିଚାରକରି ଅଭିଶାପ ଦେଇ ନାହାନ୍ତି, ରାଜାଙ୍କର କୌଣସି ଅପରାଧ ନାହିଁ ।’ ବ୍ରାହ୍ମଣମାନେ ଏକଥା ଶୁଣି ଚକିତ ହେଲେ ।

 

ରାଜା ନିଜେ ପାକଶାଳାକୁ ଯାଇ ଦେଖିଲେ, ସେଠାରେ ବ୍ୟଞ୍ଜନ ନାହିଁ କିମ୍ବା ପୁରୋହିତ ନାହାନ୍ତି । ସେ ଅତିଶୟ ବ୍ୟଥିତ ହୋଇ ବ୍ରାହ୍ମଣମାନଙ୍କୁ ସମସ୍ତ ଘଟଣା କହିଲେ । ବ୍ରାହ୍ମଣମାନେ କହିଲେ–ଆପଣଙ୍କର କୌଣସି ଦୋଷ ନାହିଁ, କିନ୍ତୁ ବିଧାତାଙ୍କର ଘଟଣାକୁ କେହି ଅନ୍ୟଥା କରିପାରିବ ନାହିଁ ।

 

ଏହି ସମୟରେ କାଳକେତୁ ଓ ତପସ୍ଵୀଦେଶୀ ରାଜା ସୈନ୍ୟସାମନ୍ତ ସହିତ ରାଜାଙ୍କ ନଗର ଆକ୍ରମଣ କଲେ । ଭୀଷଣ ଯୁଦ୍ଧ ହେଲା । ସେହି ଯୁଦ୍ଧରେ ପ୍ରତାପଭାନୁ ରାଜା ପରିବାର ସହିତ ମୃତ୍ୟୁମୁଖରେ ପଡ଼ିଲେ ।

 

ଯାଜ୍ଞବଲ୍‌କ୍ୟ ଭରଦ୍ଵାଜଙ୍କୁ କହିଲେ–ସତ୍ୟକେତୁଙ୍କ କୂଳରେ ଜଣେ ହେଲେ କେହି ରହିଲେ ନାହିଁ । ବ୍ରାହ୍ମଣମାନଙ୍କର ଅଭିଶାପ ମିଥ୍ୟା ହୁଏନାହିଁ । ସେହି ରାଜା ରାବଣରୂପେ ଜନ୍ମଲାଭ କଲେ । ପରିବାରର ସମସ୍ତେ ରାବଣ ପରିବାରରେ ଜାତହେଲେ । ରାଜା ପ୍ରତାପଭାନୁଙ୍କ ଭାଇ ଅରିମର୍ଦ୍ଦନ କୁମ୍ଭକର୍ଣ୍ଣ ଓ ତାଙ୍କ ମନ୍ତ୍ରୀ ଧର୍ମରୁଚି ବିଭୀଷଣ ରୂପେ ରାବଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ।

Image

 

ରାବଣର ପରାକ୍ରମ

 

ତ୍ରେତାଯୁଗରେ ପୁଲସ୍ତ୍ୟ ନାମରେ ଜଣେ ମହାତପସ୍ୱୀ ଥିଲେ । ତାଙ୍କରି କୁଳରେ ରାବଣ ଓ କୁମ୍ଭକର୍ଣ୍ଣଙ୍କର ଜନ୍ମ । ରାବଣ ଓ କୁମ୍ଭକର୍ଣ୍ଣ ସହୋଦର ଦୁଇଭାଇ; କିନ୍ତୁ ବିଭୀଷଣ ସେମାନଙ୍କର ସାବତ ଭାଇ । ବିଭୀଷଣ ବିଷ୍ଣୁଭକ୍ତ ଏବଂ ଜ୍ଞାନ-ବିଜ୍ଞାନରେ ମହାପଣ୍ଡିତ ଥିଲେ ।

 

ଅସୁରମାନେ ବଡ଼ ମାୟାବୀ ଥିଲେ । ନିଜ ଇଚ୍ଛାନୁସାରେ ସେମାନେ ରୂପଧାରଣ କରିପାରୁଥିଲେ । ସଂସାରର ସମସ୍ତ ପ୍ରକାର ଦୁର୍ଗୁଣ ସେମାନଙ୍କ ପାଖରେ ପୂରିରହିଥିଲା । ସେମାନେ ଦେଖିବାକୁ ଯେପରି ଭୟଙ୍କର ଥିଲେ, ସେହିପରି ସେମାନେ କୁଟିଳ, ହିଂସ୍ର, ଦୁଷ୍ଟ ଓ ପାପୀ ଥିଲେ । ସଂସାରର ଜୀବଜଗତରୁ କଷ୍ଟ ଦେବାରେ ସେମାନେ ଆନନ୍ଦ ଲାଭ କରୁଥିଲେ । ପୁଲସ୍ତ୍ୟ ଋଷିଙ୍କର ପବିତ୍ର କୁଳରେ ଜନ୍ମଲାଭ କରିଥିଲେ ସୁଦ୍ଧା ରାବଣ ଓ କୁମ୍ଭକର୍ଣ୍ଣ ପ୍ରଭୃତି ରାକ୍ଷସମାନେ ଅପବିତ୍ର, ନିଷ୍ଠୁର ଓ ପାପୀ ଥିଲେ ।

 

ରାବଣ, କୁମ୍ଭକର୍ଣ୍ଣ ଓ ବିଭୀଷଣ ତିନିଭାଇ କଠୋର ତପସ୍ୟା କରିଥିଲେ । ସେମାନଙ୍କର ଉଗ୍ର ତପସ୍ୟାରେ ସନ୍ତୁଷ୍ଟ ହୋଇ ବ୍ରହ୍ମା ସେମାନଙ୍କୁ ଇଚ୍ଛିତ ବର ଦେବା ନିମନ୍ତେ ସ୍ଵୀକୃତ ହେଲେ । ରାବଣ ଅତି ବିନୀତ ଭାବରେ ବ୍ରହ୍ମାଙ୍କର ଚରଣ ସ୍ପର୍ଶ କରି ପ୍ରାର୍ଥନା କଲେ–ହେ ଜଗଦୀଶ୍ଵର ! ମୋ ଉପରେ ଆପଣ ଯଦି ପ୍ରସନ୍ନ ହୋଇଅଛନ୍ତି, ତେବେ ମୋର ଏହି ପ୍ରାର୍ଥନା ପୂରଣ କରନ୍ତୁ । ମନୁଷ୍ୟ ଓ ବାନର ଜାତି ଭିନ୍ନ ଆଉ କେହିହେଲେ ମୋତେ ବଧ କରିପାରିବେ ନାହିଁ । ବ୍ରହ୍ମା ରାବଣଙ୍କୁ ଏହି ବର ଦାନ କଲେ ।

 

ଏହାପରେ ବ୍ରହ୍ମା କୁମ୍ଭକର୍ଣ୍ଣ ପାଖକୁ ଗଲେ । କୁମ୍ଭକର୍ଣ୍ଣର ରୂପ ଦେଖି ବ୍ରହ୍ମା ବିଚାରିଲେ–ଏ ରାକ୍ଷସ ଯଦି ପ୍ରତିଦିନ ଆହାର କରେ, ତେବେ ମୋର ସୃଷ୍ଟି ଶେଷ ହୋଇଯିବ । କିନ୍ତୁ ତାହାର ଉଗ୍ର ତପସ୍ୟା ଦେଖି ସେ ସନ୍ତୁଷ୍ଟ ହେଲେ । ସେତିକିବେଳେ ସେ ସରସ୍ଵତୀଙ୍କୁ ପ୍ରେରଣା ଦେବାରୁ ସରସ୍ଵତୀ ତାର କଣ୍ଠାଗ୍ରରେ ବସି ତାହାର ବୁଦ୍ଧିକୁ ଭ୍ରମ କରାଇଦେଲେ । କୁମ୍ଭକର୍ଣ୍ଣ କହିଲା–ମୁଁ ଷଡ଼ମାସ ପର୍ଯ୍ୟନ୍ତ ସୁପ୍ତ ରହିପାରିବି, ମୋତେ ଏହି ବର ଦିଅନ୍ତୁ । ବ୍ରହ୍ମା ତାହାକୁ ସେହି ବର ଦେଲେ-

 

ଶେଷରେ ବିଭୀଷଣଙ୍କର ଆକାଂକ୍ଷା ପୂରଣ କରିବାପାଇଁ ବ୍ରହ୍ମା ତାଙ୍କ ପାଖକୁ ଗଲେ । ବିଭୀଷଣ ବ୍ରହ୍ମାଙ୍କୁ ଦେଖି ବନ୍ଦନା କଲେ ଏବଂ କହିଲେ–ଆପଣ ଯଦି ମୋ ଉପରେ ପ୍ରସନ୍ନ ହୋଇଅଛନ୍ତି, ତେବେ ମୋତେ ଏହି ବର ଦିଅନ୍ତୁ, ମୋର ମନ ସର୍ବଦା ଭଗବାନଙ୍କ ଚରଣକମଳରେ ରତ ରହୁ । ବ୍ରହ୍ମା ସନ୍ତୁଷ୍ଟ ହେଲେ । ତିନି ଭାଇ ବର ପାଇ ନିଜ ପୁରକୁ ବାହୁଡ଼ିଲେ-

 

ମୟ ନାମରେ ସେତେବେଳେ ଏକ ପରାକ୍ରମଶାଳୀ ଦାନବ ରାଜା ଥିଲେ । ତାଙ୍କର ଗୋଟିଏ କନ୍ୟା ଥିଲା । ତାହାର ରୂପ ଗୁଣ ଅତୁଳନୀୟ ଥିଲା । କନ୍ୟାଟିର ନାମ ଥିଲା ମନ୍ଦୋଦରୀ-। ରାବଣ ସେତେବେଳେ ଲଙ୍କାର ରାଜା । ପରାକ୍ରମରେ ଇନ୍ଦ୍ରଙ୍କ ସହିତ ସମାନ । ତେଣୁ ମୟ ଦାନବ ମନ୍ଦୋଦରୀଙ୍କୁ ରାବଣ ସଙ୍ଗରେ ବିବାହ କରାଇଦେଲେ ।

 

ମୟ ଶିଳ୍ପବିଦ୍ୟାରେ ଅଦ୍ଭୁତ ପାରଦର୍ଶୀ ଥିଲେ । କନ୍ୟାକୁ ରାବଣ ସହିତ ବିବାହ କରାଇ ରାବଣ ଓ ମନ୍ଦୋଦରୀଙ୍କ ପାଇଁ ଗୋଟିଏ ଅତି ମନୋହର ଭବନ ନିର୍ମାଣ କରିଦେଲେ । ସମୁଦ୍ର ମଧ୍ୟରେ ତ୍ରିକୂଟ ନାମରେ ଗୋଟିଏ ସୁନ୍ଦର ପର୍ବତ ଥିଲା । ସେହି ପର୍ବତ ଉପରେ ଗୋଟିଏ ଦୂର୍ଗ ଥିଲା । ମୟ ଦୈତ୍ୟ ସେହି ଦୁର୍ଗ ଦେହରେ ନାନା ମଣିମାଣିକ୍ୟଖଚିତ କରି ତାହାକୁ ପୁନର୍ବାର ନିର୍ମାଣ କରାଇଲେ । ସେହି ଭବନ ନାଗକୁଳର ଭୋଗବତୀପୁରୀ ଏବଂ ଇନ୍ଦ୍ରଙ୍କର ଅମରାବତୀର ସମକକ୍ଷ ହେଲା । ସେହି ପ୍ରସିଦ୍ଧ ମନୋହର ପୁରୀ ଲଙ୍କାପୁରୀ ନାମରେ ବିଦିତ ହେଲା । ତାହାର ଚତୁର୍ଦ୍ଦିଗରେ ସମୁଦ୍ର ମେଖଳା ରୂପେ ବିରାଜମାନ । ତାହାର ସୌନ୍ଦର୍ଯ୍ୟ ବର୍ଣ୍ଣନାତୀତ । ରାବଣ ସେହି ପୁରୀରେ ତାଙ୍କର ରାଜଧାନୀ ସ୍ଥାପନ କଲେ ।

 

ରାବଣଙ୍କର ପରାକ୍ରମ ଦିନକୁଦିନ ବୃଦ୍ଧି ହେବାକୁ ଲାଗିଲା । କୁବେରପୁରୀ ଧନଧାନ୍ୟରେ ପୂରିଥାଏ । ତାହା ଜାଣି ରାବଣ କୁବେରପୁରୀ ଆକ୍ରମଣ କଲେ । କୁବେରଙ୍କୁ ଜୟ କରି ତାଙ୍କଠାରୁ ପୁଷ୍ପକ ବିମାନକୁ ଛଡ଼ାଇ ଆଣିଲେ । ସୁଖ, ସମ୍ପତ୍ତି, ବଳ, ବୁଦ୍ଧି, ପରାକ୍ରମ, ସୈନ୍ୟ-ସାମନ୍ତ, ପୁତ୍ର ପୌତ୍ର ସବୁଦିଗରେ ରାବଣଙ୍କର ଉତ୍ତରତ୍ତୋର ବୃଦ୍ଧି ହେଲା । ରାବଣଙ୍କର କନିଷ୍ଠ ଭ୍ରାତା କୁମ୍ଭକର୍ଣ୍ଣ ଅତ୍ୟନ୍ତ ବଳଶାଳୀ । ସେ ଯେତେବେଳେ ଛଅମାସରେ ଥରେ ଉଠୁଥିଲେ, ପୃଥିବୀର ଜୀବଜନ୍ତୁ ସମସ୍ତଙ୍କ ମନରେ ଭୟର ସଞ୍ଚାର ହେଉଥିଲା ।

 

ମେଘନାଦ ଜନ୍ମଲାଭ କଲେ । ସେ ରାବଣଙ୍କର ଜେଷ୍ଠପୁତ୍ର । ଯୁଦ୍ଧରେ ତାହାଙ୍କର ସମ୍ମୁଖୀନ ହେବାପାଇଁ ସଂସାରରେ କେହି ନ ଥିଲେ । ସେ ଇନ୍ଦ୍ରଙ୍କୁ ମଧ୍ୟ ଜୟ କରିଥିଲେ ବୋଲି ଇନ୍ଦ୍ରଜିତ ନାମରେ ବିଦିତ ଥିଲେ । ଦୁର୍ମୂଖ, ଅକମ୍ପନ, ବଜ୍ରଦନ୍ତ, ଧୂମକେତୁ, ଅତିକାୟ ଆଦି ରାବଣଙ୍କର ପୁତ୍ରମାନେ ଏକକୁ ଆରେକ ବଳିୟାର ଥିଲେ । ସେମାନଙ୍କର ନାମ ଶୁଣିଲେ ପୃଥିବୀ ଥରହର ହେଉଥିଲା ।

 

ଥରେ ରାବଣ ତାଙ୍କର ପୁତ୍ର, ପାତ୍ର, ମନ୍ତ୍ରୀ, ସେନାପତିମାନଙ୍କୁ ରାଜସଭାକୁ ଡକାଇଲେ-। ଅମିତବଳଶାଳୀ ରାକ୍ଷସମାନେ ରାବଣଙ୍କ ନିମନ୍ତ୍ରଣ ପାଇ ସଭାରେ ଉପସ୍ଥିତ ହେଲେ-। ସେମାନଙ୍କର ରୂପ ଓ ପରାକ୍ରମ ଦେଖି ରାବଣ ମନେ ମନେ ବିଶେଷ ଗର୍ବିତ ହେଲେ । ଅତ୍ୟନ୍ତ ଅଭିମାନୀ ରାବଣ ସେମାନଙ୍କୁ କହିଲେ–ହେ ମୋର ପରମ ସହାୟକ ରାକ୍ଷସଗଣ, ଦେବତାମାନେ ଆମ୍ଭମାନଙ୍କର ଶତ୍ରୁ । ସେମାନଙ୍କୁ ଆମ୍ଭମାନଙ୍କର ଅଧୀନ କରିବାକୁ ପଡ଼ିବ କିମ୍ବା ବିନାଶ କରିବାକୁ ହେବ । ପୃଥିବୀରେ ଯେତିକି ଯାଗଯଜ୍ଞ, ପୂଜାହୋମ, ବ୍ରାହ୍ମଣ-ଭୋଜନ କରାଯିବ, ସେତିକି ସେମାନଙ୍କର ସଂଖ୍ୟା ବଢ଼ିବ । ସେମାନେ ଉତ୍ତରତ୍ତୋର ବୃଦ୍ଧିପାଇବେ । ସେମାନେ ଆମ୍ଭମାନଙ୍କ ସହିତ ଯୁଦ୍ଧ କରିବା ନିମିତ୍ତ ପଶ୍ଚାତ୍‌ପଦ । ସେମାନଙ୍କୁ ଗୋଟିଏ ଉପାୟରେ ନଷ୍ଟ କରାଯାଇପାରେ-। ତୁମ୍ଭେମାନେ ପୃଥିବୀସାରା ଆକ୍ରମଣ କର । ଯେଉଁଠାରେ ଏପରି ଯାଗଯଜ୍ଞ, ହୋମ, ବ୍ରାହ୍ମଣ-ଭୋଜନ ଆଦି ଦେବତାକର୍ମ ହେଉଥିବ, ସେସବୁ ସ୍ଥାନରେ ବାଧା ଦିଅ । ତାହାହେଲେ ଦେବତାମାନେ ଦୁର୍ବଳ ହୋଇପଡ଼ିବେ । ସେମାନେ ବଳେ ବଳେ ମୋର ଶରଣ ପଶିବେ । ମୁଁ ସେମାନଙ୍କୁ ସେତେବେଳେ ବିନାଶ କରିବି କିମ୍ବା ମୋର ଅଧୀନସ୍ଥ କରି ରଖିବି ।

 

ରାବଣ ଜ୍ୟେଷ୍ଠପୁତ୍ର ମେଘନାଦକୁ ନିଜ ସମୀପକୁ ଡାକି କହିଲେ–ହେ ମୋର ରଣପଟୁ ପୁତ୍ର, ତୁମ୍ଭେ ଦେବପୁର ଆକ୍ରମଣ କର । ଦେବତାମାନଙ୍କ ମଧ୍ୟରେ ଯେଉଁମାନେ ରଣରେ ଧୁରନ୍ଧର ବୋଲି ଖ୍ୟାତିଲାଭ କରିଅଛନ୍ତି, ସେମାନଙ୍କୁ ପରାସ୍ତ କର । ଯୁଦ୍ଧାଭିମାନୀ ଦେବତାମାନଙ୍କୁ ବନ୍ଧନ କରି ମୋ ପାଖକୁ ଘେନିଆସ ।

 

ମେଘନାଦ ପିତାଙ୍କର ଆଜ୍ଞା ଶିରୋଧାର୍ଯ୍ୟ କରି ଦେବପୁର ଆକ୍ରମଣ କରିବାକୁ ବାହାରିଲେ । ନିଜେ ରାବଣ ହସ୍ତରେ ଗଦା ଧରି ପୃଥିବୀ ବିକମ୍ପିତ କରି ବାହାରିଲେ । ଦେବତାମାନେ ଭୟରେ ସୁମେରୁ ପର୍ବତର ଗୁମ୍ଫାରେ ଲୁଚିଲେ । ରାବଣ ଦେବପୁରରେ ପହଞ୍ଚି ଦେଖିଲେ ଦେବପୁର ଶୂନ୍ୟ । ଯୁଦ୍ଧ କାହା ସହିତ କରିବେ । ସୂର୍ଯ୍ୟ, ଚନ୍ଦ୍ର, ବାୟୁ, ବରୁଣ, ଅଗ୍ନି, ଯମ–ସମସ୍ତେ ଭୟରେ ସ୍ଵର୍ଗ ତ୍ୟାଗକରି ଚାଲିଯାଇଛନ୍ତି । ଆଉ ଯେଉଁମାନେ ଥିଲେ, ସେମାନେ ରାବଣଙ୍କର ଆଜ୍ଞାପାଳନ କରିବାପାଇଁ ନମ୍ରତାପୂର୍ବକ ତାଙ୍କ ଚରଣରେ ଶିରନତ କରି ରହିଲେ ।

 

ରାକ୍ଷସମାନେ ପାପୀ ଓ ମାୟାବୀ ଥିଲେ । ସେମାନେ ନିଜ ଇଚ୍ଛା ଅନୁସାରେ ରୂପଧାରଣ କରିପାରୁଥିଲେ । ଗୋରୁ, ବ୍ରାହ୍ମଣ, ଋଷିମାନଙ୍କୁ ଦେଖିଲେ ସେମାନଙ୍କୁ ମାରିପକାଉଥିଲେ; ନ ହେଲେ ଜ୍ଵଳନ୍ତ ଅଗ୍ନିରେ ସେମାନଙ୍କୁ ଫୋପାଡ଼ି ଦେଉଥିଲେ । ମନୁଷ୍ୟମାନଙ୍କୁ ମକ୍ଷିକା ପରି ମନେକରୁଥିଲେ । ରାକ୍ଷସମାନଙ୍କ ଭୟରେ ମନୁଷ୍ୟମାନେ ଦେବତାମାନଙ୍କର ପୂଜା କଲେନାହିଁ, ଋଷିମାନେ ଯଜ୍ଞ କଲେନାହିଁ । ଧର୍ମର ଗ୍ଳାନି ଘଟିଲା ।

Image

 

ଜୟ ଶ୍ରୀରାମଚନ୍ଦ୍ର

 

ପୃଥିବୀ ଗାଭୀରୂପରେ ଦେବତାମାନଙ୍କୁ ଆସି ସାକ୍ଷାତ୍ କଲେ । ଦେବତାମାନଙ୍କର କି ଉପାୟ ! ସେମାନେ ପୃଥବୀଙ୍କର ଦୁଃଖ କାହାଣୀ ଶୁଣିଲେ । ସମସ୍ତେ ମିଶି ଯାଇ ବ୍ରହ୍ମାଙ୍କ ଆଗରେ ଗୁହାରି କଲେ । ରାବଣଙ୍କର ସମସ୍ତ ଅତ୍ୟାଚାର କଥା ବ୍ରହ୍ମା ଶୁଣିଲେ । ସେ କହିଲେ–ହେ ଧରିତ୍ରୀ, ହେ ଦେବତାବୃନ୍ଦ, ତୁମ୍ଭମାନଙ୍କୁ ଏ ନିର୍ଯାତନାରୁ ରକ୍ଷାକରିବା ପାଇଁ ମୋର କୌଣସି ଉପାୟ ନାହିଁ । ତୁମ୍ଭେମାନେ ବିଷ୍ଣୁଙ୍କୁ ପ୍ରାର୍ଥନା କର ।

 

ଦେବତାମାନେ ଓ ଧରିତ୍ରୀ ବିଷ୍ଣୁଙ୍କର ନାନା ସ୍ତବସ୍ତୋତ୍ର ଗାନକରି ତାଙ୍କୁ ପ୍ରାର୍ଥନା କଲେ-। ବହୁକାଳ ପର୍ଯ୍ୟନ୍ତ ବିଷ୍ଣୁଙ୍କୁ ସ୍ତବ କରିବାପରେ ଆକାଶବାଣୀ ଶୁଭିଲା–ହେ ଦେବତାମାନେ, ତୁମ୍ଭେମାନେ ଭୟ କରନାହିଁ । ତୁମ୍ଭମାନଙ୍କୁ କଷ୍ଟରୁ ଉଦ୍ଧାର କରିବା ନିମନ୍ତେ ମୁଁ ମନୁଷ୍ୟରୂପ ଧାରଣ କରିବି । ଅଦିତି ଓ କଶ୍ୟପ ମୋତେ ପାଇବାପାଇଁ କଠୋର ତପସ୍ୟା କରିଥିଲେ । ସେମାନେ ବର୍ତ୍ତମାନ ଅଯୋଧ୍ୟାରେ ସୂର୍ଯ୍ୟବଂଶରେ ଦଶରଥ ଓ କୌଶଲ୍ୟା ରୂପରେ ରାଜା ଓ ରାଣୀ ହୋଇ ରାଜପଣ କରୁଛନ୍ତି । ମୁଁ ତାଙ୍କର ପୁତ୍ରରୂପେ ଜନ୍ମଗ୍ରହଣ କରି ପୃଥିବୀର ଭାର ହରଣ କରିବି I କିଛି ଚିନ୍ତା କରନାହିଁ ।

 

ଏ ଆକାଶବାଣୀ ଶୁଣି ଦେବତାମାନଙ୍କର ମନରେ ଧୈର୍ଯ୍ୟ ଆସିଲା । ଧରିତ୍ରୀମାତା ନିର୍ଭୟ ହୋଇ ଫେରିଲେ । ସେତେବେଳେ ବ୍ରହ୍ମା ଦେବତାମାନଙ୍କୁ କହିଲେ–ହେ ଦେବବୃନ୍ଦ, ଭଗବାନ ବିଷ୍ଣୁ, ପୃଥିବୀରେ ଜନ୍ମଲାଭ କରିବାପୂର୍ବରୁ ତୁମ୍ଭେମାନେ ମର୍ତ୍ତ୍ୟକୁ ଯାଅ । ତୁମ୍ଭେମାନେ ବାନରରୂପରେ ମର୍ତ୍ତ୍ୟରେ ଜନ୍ମଗ୍ରହଣ କର । ସେହି ରୂପରେ ତୁମ୍ଭେମାନେ ଭଗବାନ ବିଷ୍ଣୁଙ୍କର ସେବା କରିବାପାଇଁ ସୁଯୋଗ ପାଇବ ।

 

ବ୍ରହ୍ମାଙ୍କ ନିର୍ଦ୍ଦେଶରେ ଦେବତାମାନେ ଧୈର୍ଯ୍ୟ ଧାରଣକଲେ ଏବଂ ବିଷ୍ଣୁଙ୍କ ଜନ୍ମ ପୂର୍ବରୁ ପୃଥିବୀରେ ଜନ୍ମଲାଭ କରି ପର୍ବତ, କନ୍ଦରା, ବୃକ୍ଷ ଆଦି ସ୍ଥଳରେ ବାସ କରୁଥିଲେ ।

 

ଅଯୋଧ୍ୟାନଗର ବହୁ ପୁରାଣ ନଗରୀ । ସୂର୍ଯ୍ୟବଂଶ ରାଜାମାନେ ସେଠାରେ ରାଜତ୍ଵ କରୁଥିଲେ । ସେତେବେଳେ ରଘୁକୁଳଶିରୋମଣି ଅଜଙ୍କ ପୁତ୍ର ଦଶରଥ ଅଯୋଧ୍ୟାରେ ରାଜା ଥିଲେ-। ସେ ବଡ଼ ଧାର୍ମିକ ଥିଲେ । ଧନୁର୍ଦ୍ଧାରୀ ରାଜପୁରୁଷମାନଙ୍କ ମଧ୍ୟରେ ସେ ଅଗ୍ରଣୀ ଥିଲେ । କୌଶଲ୍ୟା ତାଙ୍କର ପାଟରାଣୀ ଥିଲେ । ଦଶରଥଙ୍କର କୌଣସି ପୁତ୍ର ନ ହେବାରୁ ତାଙ୍କ ମନରେ ବଡ଼ ଦୁଃଖ ଥିଲା । ସେ ତାଙ୍କର ଗୁରୁ ବଶିଷ୍ଠଙ୍କ ଆଶ୍ରମକୁ ଯାଇ ତାଙ୍କୁ ମନର ଦୁଃଖ ଜଣାଇଲେ ।

 

ବଶିଷ୍ଟଙ୍କ ନିର୍ଦ୍ଦେଶରେ ରାଜା ଶୃଙ୍ଗୀ ଋଷିଙ୍କୁ ନିମନ୍ତ୍ରଣ କରି ଅଯୋଧ୍ୟାରେ ପୁତ୍ରକାମେଷ୍ଟି ଯଜ୍ଞ କରାଇଥିଲେ । ମୁନି ଶୃଙ୍ଗୀ ଯଜ୍ଞରେ ଆହୁତି ଦେଲାବେଳେ ଅଗ୍ନିଦେବ ହାତରେ ଚରୁ ଧରି ପ୍ରକଟିତ ହେଲେ । ବଶିଷ୍ଠ କହିଲେ–ହେ ରାଜା ! ତୁମେ ଏହି ହବିଷ୍ୟାନ୍ନ ଚରୁକୁ ପତ୍ନୀମାନଙ୍କୁ ଦିଅ-। କୌଶଲ୍ୟା ଆଦି ରାଣୀମାନେ ସେଠାରେ ପହଞ୍ଚିଲେ । ରାଜା ଚରୁର ଅର୍ଦ୍ଧେକ ଅଂଶ ପାଟରାଣୀ କୌଶଲ୍ୟାଙ୍କୁ ଦେଲେ । ଅନ୍ୟ ଅର୍ଦ୍ଧେକ ଅଂଶକୁ ଦୁଇଭାଗ କଲେ । ସେହି ଦୁଇ ଅଂଶରୁ ରାଜା ଗୋଟିଏ ଅଂଶ କୈକେୟୀଙ୍କ ହାତରେ ଦେଲେ, ଅନ୍ୟ ଅଂଶକୁ ଦୁଇଭାଗ କରି କୌଶଲ୍ୟା ଓ କୈକେୟୀଙ୍କର ହସ୍ତରେ ତାହା ସ୍ପର୍ଶ କରି ସେହି ଶେଷ ଦୁଇଅଂଶକୁ ପୁଣି ସୁମିତ୍ରାଙ୍କୁ ଦେଲେ । ସ୍ତ୍ରୀମାନେ ଗର୍ଭବତୀ ହେଲେ । ତିନିରାଣୀଯାକ ଅତି ସୁନ୍ଦର ଦିଶିଲେ ।

 

ଅନୁକୂଳ ଗ୍ରହ-ଯୋଗ-ଲଗ୍ନରେ ଶ୍ରୀରାମଚନ୍ଦ୍ର, ଶୁଭ ତିଥିରେ ଜନ୍ମଗ୍ରହଣ କଲେ । ଚୈତ୍ର ମାସ, ନବମୀ ତିଥିର ଦ୍ଵିପ୍ରହର ସମୟରେ ଶୀତଳ ସୁଗନ୍ଧଯୁକ୍ତ ବାୟୁ ବହୁଥିବାବେଳେ ପୁଣ୍ୟ ମୁହୂର୍ତ୍ତରେ ଶ୍ରୀରାମଚନ୍ଦ୍ରଙ୍କର ଜନ୍ମୋତ୍ସବ ଦେଖିବାପାଇଁ ସ୍ଵର୍ଗପୁରରୁ ଦେବତାମାନେ ବିମାନରେ ମର୍ତ୍ତ୍ୟପୁରକୁ ଆସିଲେ । ନାଗ, ଦେବତା ଓ ମୁନିମାନେ ତାଙ୍କୁ ସ୍ତୁତି କରିବାକୁ ଲାଗିଲେ । କୌଶଲ୍ୟାଙ୍କର ହୃଦୟ ଆନନ୍ଦରେ ବିହ୍ଵଳ ହେଉଥିଲା ।

 

ଜନ୍ମଲାଭ କଲାବେଳେ ଶ୍ରୀରାମଙ୍କର ଶରୀରରୁ ନୀଳ ମେଘବର୍ଣ୍ଣର ଆଭା ଉକୁଟୁଥାଏ । ଚତୁର୍ଭୁଜରେ ଚାରିଗୋଟି ଆୟୁଧ ଶଙ୍ଖ, ଚକ୍ର, ଗଦା, ପଦ୍ମ ଶୋଭା ପାଉଥାଏ । କଣ୍ଠଦେଶରେ ବନମାଳା । ଜନ୍ମ ମୁହୂର୍ତ୍ତରେ କୌଶଲ୍ୟା ଶିଶୁଠାରେ ନାରାୟଣରୂପ ଦର୍ଶନ କରି ସ୍ତୁତି କରିବାକୁ ଲାଗିଲେ । ମାତାଙ୍କର ସ୍ତୁତି ଶୁଣି ଚକ୍ରପାଣି ପ୍ରଭୁ ମୃଦୁ ହାସ୍ୟମୁଖରେ ମାତାଙ୍କୁ ନାନା ପ୍ରବୋଧ ଦେଲେ । ତାହାପରେ ସେ ବାଳଲୀଳା ଆରମ୍ଭ କଲେ । ବାଳକ ରୋଦନ ଶୁଣି ଅନ୍ତଃପୁରର ରମଣୀମାନେ ଦୌଡ଼ିଆସି ପହଞ୍ଚିଲେ ।

 

ରାଜା ଦଶରଥ ପୁତ୍ରଜନ୍ମ ସମ୍ବାଦ ଶୁଣିବାମାତ୍ରେ ତାହାଙ୍କର ଶରୀର ପୁଲକିତ ହୋଇଉଠିଲା । ସେ ବଶିଷ୍ଠଙ୍କୁ ଡକାଇପଠାଇଲେ । ବ୍ରାହ୍ମଣମାନଙ୍କୁ ସଙ୍ଗରେ ଧରି ସେ ବାଳକମାନଙ୍କୁ ଦେଖିବା ପାଇଁ ବାହାରିଲେ । ସେ ବ୍ରାହ୍ମଣମାନଙ୍କୁ ସ୍ଵର୍ଣ୍ଣ, ଗାଭୀ, ବସ୍ତ୍ର ଓ ମଣିମାଣିକ୍ୟ ଦାନ କଲେ । ସମଗ୍ର ନଗର ପତାକା ଓ ତୋରଣଦ୍ଵାରା ସୁଶୋଭିତ ହେଲା । ଆକାଶରୁ ପୁଷ୍ପବୃଷ୍ଟି ହେବାକୁ ଲାଗିଲା । ନାନା ବେଶ-ପରିହିତା ରମଣୀମାନେ ହସ୍ତରେ ସ୍ଵର୍ଣ୍ଣକଳସ ଧାରଣ କରି ନାନା ମଙ୍ଗଳ ଗୀତ ଗାଇ ଗାଇ ରାଜଦ୍ଵାରରେ ଦଳଦଳ ହୋଇ ପହଞ୍ଚିଲେ । ମାଗଧ ଓ ବନ୍ଦୀମାନେ ରଘୁକୁଳର ପବିତ୍ର ଗୁଣମାନ ଗାନକଲେ ।

 

ସେହି ସମୟରେ କୈକେୟୀ ଓ ସୁମିତ୍ରା ବାଳକମାନଙ୍କୁ ଲାଭକରି ଆନନ୍ଦରସରେ ନିମଗ୍ନ ହେଲେ । ଅଯୋଧ୍ୟା ନଗରୀରେ ରାତ୍ରୀ ଦିବସପରି ବୋଧହେଲା । ରାଜା ଯାଚକମାନଙ୍କୁ ସ୍ଵର୍ଣ୍ଣ, ଗାଭୀ, ହୀରା, ହାତୀ ପ୍ରଭୃତି ଦାନ କଲେ ।

 

ରଘୁକୁଳର ଗୁରୁ ବଶିଷ୍ଠ । ବଶିଷ୍ଠ ମହର୍ଷି । ରାଜା ଦଶରଥ ପୁତ୍ରମାନଙ୍କର ନାମକରଣ କରିବାପାଇଁ କୁଳଗୁରୁ ବଶିଷ୍ଠଙ୍କୁ ନିମନ୍ତ୍ରଣ କଲେ । ମହର୍ଷି କହିଲେ–ଏମାନଙ୍କର ନାମ ଅନୁପମ ଅଟେ । ତଥାପି ବିଧି ଅନୁସାରେ ମୁଁ ସେମାନଙ୍କର ନାମକରଣ କରିବି । ପ୍ରଥମ ପୁତ୍ର ଆନନ୍ଦ-ସମୁଦ୍ର ଏବଂ ସୁଖଦାତା ଅଟନ୍ତି; ତେଣୁ ତାଙ୍କର ନାମ ଶ୍ରୀରାମଚନ୍ଦ୍ର ହେବ । ଆପଣଙ୍କର ଦ୍ଵିତୀୟ ପୁତ୍ର ସଂସାରର ଭରଣପୋଷଣ କରିବା ପାଇଁ ସମର୍ଥ; ତେଣୁ ତାଙ୍କର ନାମ ହେବ ଭରତ । ତୃତୀୟ ପୁତ୍ରଙ୍କଠାରେ ଶୁଭ ଲକ୍ଷଣଗୁଡ଼ିକ ସଂପୂର୍ଣ୍ଣ ରୂପେ ରହିଅଛି । ସେ ଶ୍ରୀରାମଚନ୍ଦ୍ରଙ୍କର ଅତି ପ୍ରିୟ ହେବେ । ତାଙ୍କୁ ଜଗତ ଲକ୍ଷ୍ମଣ ବୋଲି ଚିହ୍ନିବ । ଚତୁର୍ଥ ପୁତ୍ରଙ୍କର ଶରଣ ପଶିଲେ ଶତ୍ରୁ ନାଶ ହେବେ; ତେଣୁ ସେ ଶତ୍ରୁଘ୍ନ ନାମରେ ପରିଚିତ ହେବେ ।

 

ବଶିଷ୍ଠ ପୁତ୍ରମାନଙ୍କର ନାମକରଣ କରି ନିଜ ଆଶ୍ରମକୁ ପ୍ରତ୍ୟାବର୍ତ୍ତନ କଲେ । ଶିଶୁମାନେ କ୍ରମେ କ୍ରମେ ଯେତିକି ବଢ଼ିବାକୁ ଲାଗିଲେ, ସେତିକି ସୁନ୍ଦର ଦିଶିଲେ । ଶ୍ରୀରାମ ଓ ଲକ୍ଷ୍ମଣଙ୍କ ମଧ୍ୟରେ ଏବଂ ଭରତ ଓ ଶତ୍ରୁଘ୍ନଙ୍କ ମଧ୍ୟରେ ସ୍ନେହଭାବ ବଢ଼ିବାକୁ ଲାଗିଲା । ମାତାମାନଙ୍କ କ୍ରୋଡ଼ରେ ବାଳକମାନେ ନାନାପ୍ରକାର କ୍ରୀଡ଼ା କରି ମାତାମାନଙ୍କୁ ଆନନ୍ଦ ଦେବାକୁ ଲାଗିଲେ । ବାଳକମାନଙ୍କର ଚରଣର ନୂପୁରଧ୍ୱନି ଶୁଣି ପିତାମାତା ଓ ରାଜପୁରର ସମସ୍ତେ ଆନନ୍ଦରେ ନିମଗ୍ନ ହେଲେ ।

 

ଦିନେ ମାତା କୌଶଲ୍ୟା ଶ୍ରୀରାମଙ୍କୁ ସ୍ନାନ କରାଇବାପାଇଁ ନେଲେ । ପୁତ୍ରଙ୍କୁ ସ୍ନାନ କରାଇବା ପରେ କୁଳର ଇଷ୍ଟଦେବଙ୍କୁ ପୂଜା କରିବାପାଇଁ ନିଜେ ସ୍ନାନ କଲେ । ପୂଜା କରିସାରି ରନ୍ଧନଶାଳାକୁ ଗଲେ । ରନ୍ଧନଶାଳାରୁ ପୂଜାଗୃହକୁ ଫେରିବାବେଳେ ଦେଖିଲେ–ଶ୍ରୀରାମ ନୈବେଦ୍ୟ ବସ୍ତୁକୁ ଭୋଜନ କରିବାରେ ଲାଗିଛନ୍ତି । କ’ଣ ବିଚାରି ମାତା ଶ୍ରୀରାମଙ୍କର ଶୟନ ଗୃହ ମଧ୍ୟରେ ପ୍ରବେଶ କଲେ । ସେଠାରେ ସେ ଦେଖିଲେ–ପଲଙ୍କ ଉପରେ ବି ବାଳ ଶ୍ରୀରାମ ଶୟନ କରିଅଛନ୍ତି । ପୁଣି ନୈବେଦ୍ୟ ସ୍ଥାନକୁ ଗଲେ । ସେଠାରେ ସେହିପରି ଶ୍ରୀରାମ ନୈବେଦ୍ୟ ଭୋଜନ କରୁଥିବାର ଦେଖିଲେ । ସେ ନିଜର ଚକ୍ଷୁକୁ ବିଶ୍ଵାସ କରିପାରିଲେ ନାହିଁ । ଆଶ୍ଚର୍ଯ୍ୟ ହୋଇ ଏଣେତେଣେ ତାଙ୍କର ସୌମ୍ୟରୂପ ଦର୍ଶନ କରୁ କରୁ ଭାବବିହ୍ଵଳ ହୋଇପଡ଼ିଲେ । ଶ୍ରୀରାମ ମାତାଙ୍କର ଏ ଚକିତ ଭାବକୁ ଲକ୍ଷ୍ୟ କରି ତାଙ୍କୁ ଚାହିଁ ହସିଲେ । ଶ୍ରୀରାମଙ୍କର ମୁଖ ଖୋଲିଗଲା । ମୁଖ ଭିତରକୁ ଚାହିଁ କୌଶଲ୍ୟା ବିଭୋର ହୋଇ ପଡ଼ିଲେ । ମୁଖ ମଧ୍ୟରେ ଅସଂଖ୍ୟ ସୂର୍ଯ୍ୟ, ଚନ୍ଦ୍ର, ଗ୍ରହ, ପର୍ବତ, ସମୁଦ୍ର, ପୃଥିବୀ ଦେଖିଲେ ।

 

ତାଙ୍କର ଶରୀର ରୋମାଞ୍ଚିତ ହେଲା । ମୁଖରୁ ବାଣୀ ସ୍ଫୁରିଲା ନାହିଁ । ଅତ୍ୟନ୍ତ ବିହ୍ଵଳ ହୋଇ ସେ ଚକ୍ଷୁ ମୁଦ୍ରିତ କଲେ ଏବଂ ଶ୍ରୀରାମଙ୍କ ଚରଣରେ ମସ୍ତକ ନତକଲେ । ମାତାଙ୍କର ଏପରି ଅବସ୍ଥା ଦେଖି ଶ୍ରୀରାମଚନ୍ଦ୍ର ପୁଣି ବାଳରୂପ ପ୍ରକାଶ କଲେ ।

 

କ୍ରମେ କ୍ରମେ ଚାରିଭାଇ ବଡ଼ ହେଲେ । ସେମାନଙ୍କର ଅଧ୍ୟୟନ ସମୟ ଉପସ୍ଥିତ ହେଲା । ରାଜା ସେମାନଙ୍କର ଉପନୟନ କରାଇଲେ । ଅଧ୍ୟୟନ ନିମନ୍ତେ ରାଜା ଦଶରଥ ସେମାନଙ୍କୁ ଗୁରୁ ବଶିଷ୍ଠଙ୍କ ଆଶ୍ରମକୁ ପ୍ରେରଣ କଲେ । ଅଳ୍ପଦିନ ମଧ୍ୟରେ ଚାରିଭାଇ ସମସ୍ତ ବିଦ୍ୟାରେ ଧୁରନ୍ଧର ହୋଇ ଗୃହକୁ ପ୍ରତ୍ୟାବର୍ତ୍ତନ କଲେ ।

 

ଶ୍ରୀରାମ ତାଙ୍କର ଭାଇମାନଙ୍କୁ ଓ ସଖାମାନଙ୍କୁ ଡାକନ୍ତି ଏବଂ ପ୍ରତିଦିନ ଶିକାର ଖେଳିବାପାଇଁ ବନପ୍ରଦେଶରେ ପ୍ରବେଶ କରନ୍ତି । ପବିତ୍ର ମନରେ ମୃଗ ଶିକାର କରି ଆଣି ଦଶରଥଙ୍କୁ ଦେଖାନ୍ତି ।

 

ଶ୍ରୀରାମ ପ୍ରତିଦିନ ତାଙ୍କର ଅନୁଜ ଓ ସଖାମାନଙ୍କ ସଙ୍ଗରେ ଭୋଜନ କରନ୍ତି । ଶ୍ରୀରାମ ପିତାମାତାଙ୍କର ଆଜ୍ଞା ପାଳନ କରନ୍ତି । ବେଦ ପୁରାଣ ଶୁଣି ଅନୁଜମାନଙ୍କୁ ସେ ସବୁ ତଥ୍ୟ ବୁଝାଇଦିଅନ୍ତି । ପ୍ରାତଃକାଳରେ ଶଯ୍ୟା ତ୍ୟାଗ କରି ପିତାମାତା ଓ ଗୁରୁଙ୍କୁ ପ୍ରଣାମ କରନ୍ତି; ତାପରେ ଗୁରୁଜନମାନଙ୍କର ଆଦେଶ ପାଳନ କରି ରାଜକାର୍ଯ୍ୟ କରିବାକୁ ବାହାରନ୍ତି ।

Image

 

ବିଶ୍ଵାମିତ୍ରଙ୍କର ଯଜ୍ଞରକ୍ଷା

 

ମହାନ୍ ତପସ୍ଵୀ ବିଶ୍ଵାମିତ୍ର ବନରେ ଯାଗଯଜ୍ଞ ଓ ଯୋଗ ଆଦି କର୍ମରେ ସର୍ବଦା ରତଥିଲେ । କିନ୍ତୁ ତାଙ୍କର ଯାଗଯଜ୍ଞରେ ବାଧା ଉପସ୍ଥିତ ହେଲା । ମାରୀଚ ଓ ସୁବାହୁ ନାମରେ ଦୁଇଜଣ ରାକ୍ଷସ ଆସି ସେହି ବନପ୍ରଦେଶରେ ବାସ କରିବାକୁ ଲାଗିଲେ । ଆଶ୍ରମମାନଙ୍କରେ ତପସ୍ଵୀମାନେ ସୁଖ-ଶାନ୍ତିରେ ବନରେ ଭ୍ରମଣ କରି ଯଜ୍ଞକାଷ୍ଠ ଓ ଫଳମୂଳ ସଂଗ୍ରହ କରୁଥିଲେ । ଦେବପୂଜା, ଯଜ୍ଞ, ତପସ୍ୟା, ଧ୍ୟାନ ଓ ଅଧ୍ୟୟନରେ ସେମାନଙ୍କର ସମୟ ଆନନ୍ଦରେ ଅତିବାହିତ ହେଉଥିଲା । ଯଜ୍ଞଧୂମ ଆକାଶକୁ ଉତ୍‌ଥିତ ହୋଇ ସମଗ୍ର ବାୟୁମଣ୍ଡଳକୁ ପବିତ୍ର କରିଦେଉଥିଲା ।

 

ଏ ରାକ୍ଷସମାନେ ସେହି ବନପ୍ରଦେଶରେ ପ୍ରବେଶ କରି ଆଶ୍ରମ ମଧ୍ୟରେ ନାନା ଉପଦ୍ରବ ଆରମ୍ଭ କରିବାକୁ ଲାଗିଲେ । ଯଜ୍ଞ ଦେଖିବାମାତ୍ରେ ସେମାନେ ସେଠାକୁ ଦଉଡ଼ି ଆସୁଥିଲେ, ଯଜ୍ଞ ନଷ୍ଟ କରି ତପସ୍ଵୀମାନଙ୍କୁ ନାନା କଷ୍ଟ ଦେବାରେ ଲାଗିଲେ ।

 

ମୁନି ବିଶ୍ଵାମିତ୍ରଙ୍କର ତପସ୍ୟାରେ ବାଧା ଉପସ୍ଥିତ ହେବାରୁ ଏଥିରୁ କିପରି ରକ୍ଷାପାଇବେ ସେଥିପାଇଁ ସେ ନାନା ବିଚାର କଲେ । କେବଳ ଭଗବାନଙ୍କ ସାହାଯ୍ୟ ବିନା ଏ ପାପୀ ରାକ୍ଷସମାନଙ୍କଠାରୁ ତ୍ରାଣ ସମ୍ଭବ ନୁହେଁ ବୋଲି ସେ ନିଶ୍ଚୟ କଲେ ।

 

ଶ୍ରୀରାମଚନ୍ଦ୍ରଙ୍କର ଜନ୍ମ ମୁନି-ଋଷିମାନଙ୍କୁ ଜଣାଥିଲା । ସାକ୍ଷାତ୍ ବିଷ୍ଣୁ ଅବତାର ଗ୍ରହଣ କରିଛନ୍ତି; ରାକ୍ଷସମାନଙ୍କୁ ବିନାଶ କରିବେ ଏବଂ ମହୀର ଭାର ହରଣ କରିବେ ବୋଲି ବିଶ୍ଵାମିତ୍ର ଜାଣିଥିଲେ । ଏଣେ ରାକ୍ଷସମାନଙ୍କର ଉତ୍ପାତ ବେଳୁବେଳ ବଢ଼ିଲା । ବିଶ୍ଵାମିତ୍ର ଅଯୋଧ୍ୟାପୁରକୁ ଯିବେ ବୋଲି ବିଚାର କଲେ । ଏକେ ତ ଶ୍ରୀରାମଚନ୍ଦ୍ରଙ୍କର ମୁଖ ଦର୍ଶନ କରି ଦିବ୍ୟାନନ୍ଦ ପାଇବେ, ପୁଣି ଶ୍ରୀରାମଚନ୍ଦ୍ର ଓ ଲକ୍ଷ୍ମଣଙ୍କୁ ଆଶ୍ରମ ରକ୍ଷାକରିବାକୁ ଆହ୍ଵାନ କରି ଆଣିବେ । ଏହିପରି ଦୁଇଟି କାର୍ଯ୍ୟ ସାଧିତ ହେବ । ଏଥିପାଇଁ ଋଷି ବିଶ୍ୱାମିତ୍ର ଅଯୋଧ୍ୟାପୁର ଉଦ୍ଦେଶ୍ୟରେ ଗଲାବେଳେ ବାଟରେ ଯମୁନା ନଦୀ ପଡ଼ିଲା । ଋଷି ଯମୁନା ନଦୀରେ ସ୍ନାନ କରି ନିତ୍ୟକର୍ମ ଶେଷ କଲେ । ପ୍ରଫୁଲ୍ଲ ମନରେ ଅଯୋଧ୍ୟା ରାଜପ୍ରାସାଦରେ ପହଞ୍ଚିଲେ ।

 

ରାଜା ଦଶରଥ ଶୁଣିପାରିଲେ–ମହର୍ଷି ବିଶ୍ଵାମିତ୍ର ତାଙ୍କରି ପାଖକୁ ଆସୁଛନ୍ତି । ରାଜା ବ୍ରାହ୍ମଣମାନଙ୍କୁ ସଙ୍ଗରେ ଧରି ବିଶ୍ଵାମିତ୍ରଙ୍କୁ ଭେଟିବା ପାଇଁ ରାଜପୁରରୁ ବାହାରିଲେ । ମାର୍ଗରୁ ପାଛୋଟି ଆଣିବାପାଇଁ ଯାଇ ମହର୍ଷିଙ୍କୁ ଦର୍ଶନ କରି ତାଙ୍କର ଚରଣରେ ମସ୍ତକ ନତ କରି ପ୍ରଣାମ କଲେ । ତାଙ୍କର ପାଦ ଧୌତ କରିସାରି ବସିବା ପାଇଁ ଆସନ ଦେଇ କହିଲେ–ହେ ମୁନିବର ! ଆଜି ମୋ ପରି ଭାଗ୍ୟବାନ୍ ଆଉ କେହି ନାହାନ୍ତି । ଆପଣ ଆଜି ମୋ ପୁରରେ ପହଞ୍ଚିଛନ୍ତି, ଏହାଠାରୁ ବଳି ମୋର ଆଉ କି ଭାଗ୍ୟ ହୋଇପାରେ ?

 

ରାଜା ବିଶ୍ଵାମିତ୍ରଙ୍କୁ ବସାଇ ଚାରିପୁତ୍ରଙ୍କୁ ଡକାଇ ଆଣିଲେ । ସେମାନେ ମୁନିଙ୍କ ଚରଣ ସ୍ପର୍ଶ କରି ପ୍ରଣାମ କଲେ । ବିଶ୍ଵାମିତ୍ର ଶ୍ରୀରାମଚନ୍ଦ୍ରଙ୍କର ମୁଖଦର୍ଶନ କରି ଆନନ୍ଦରସରେ ନିମଗ୍ନ ହେଲେ ।

 

ରାଜା ପୁଣି ମୁନିଙ୍କୁ କହିଲେ–ହେ ମୁନିପୁଙ୍ଗବ ! ଆପଣ ମୋଠାରେ କେବେ ଏପରି କୃପା ଦେଖାଇ ନ ଥିଲେ ! ଆପଣଙ୍କର ଶୁଭାଗମନର କାରଣ କହନ୍ତୁ । ମୁଁ ତାହା ପୂରଣ କରିବି ।

 

ମୁନି କହିଲେ–ହେ ରାଜନ୍ ! ରାକ୍ଷସମାନେ ମୁନିମାନଙ୍କୁ ଆଶ୍ରମରେ ନାନାକଷ୍ଟ ଦେଉଛନ୍ତି, ସେଥିପାଇଁ ମୁଁ ଆପଣଙ୍କ ପାଖକୁ କିଛି ମାଗିବା ଉଦ୍ଦେଶ୍ୟରେ ଆସିଅଛି । ଶ୍ରୀରାମଚନ୍ଦ୍ର ଓ ଲକ୍ଷ୍ମଣଙ୍କୁ ସେହି ରାକ୍ଷସମାନଙ୍କୁ ମାରିବାପାଇଁ ମୋ ସହିତ ପ୍ରେରଣ କରନ୍ତୁ । ମନ ମଧ୍ୟରେ କୌଣସି ମୋହ ବା ଅଜ୍ଞାନତା ରଖନ୍ତୁ ନାହିଁ । ପ୍ରସନ୍ନ ମନରେ ସେମାନଙ୍କୁ ମୋ ସହିତ ପ୍ରେରଣ କରନ୍ତୁ । ଏହାଫଳରେ ଆପଣଙ୍କର ଧର୍ମବୃଦ୍ଧି ହେବ ଏବଂ ଜଗତର ପରମ କଲ୍ୟାଣ ସାଧିତ ହେବ-

 

ଶ୍ରୀରାମ ଓ ଲକ୍ଷ୍ମଣଙ୍କର ବନଗମନ ବାର୍ତ୍ତା ଶୁଣିବାମାତ୍ରେ ଅଯୋଧ୍ୟା ରାଜାଙ୍କର ହୃଦୟ କମ୍ପିଉଠିଲା, ମୁଖର କାନ୍ତି ବିବର୍ଣ୍ଣ ଦିଶିଲା । ରାଜା ମହର୍ଷିଙ୍କୁ କହିଲେ–ହେ ବ୍ରାହ୍ମଣ, ମୋର ବର୍ତ୍ତମାନ ବୃଦ୍ଧାବସ୍ଥା । ଏ ବୟସରେ ପୁତ୍ରମାନଙ୍କୁ ପାଖରୁ ତ୍ୟାଗ କରିବି କିପରି, ଆପଣ ବିଚାରକରି ମୋତେ ଆଦେଶ ଦିଅନ୍ତୁ । ପୃଥିବୀ, ଗାଭୀ ଓ ଧନ ପ୍ରଭୃତି ଆପଣ ଯେତେ ଯାହା ଚାହିଁବେ, ମୁଁ ଦେବି । ମୋର ପୁତ୍ରମାନେ ମୋର ପ୍ରାଣପ୍ରିୟ ଅଟନ୍ତି । ଶ୍ରୀରାମଙ୍କୁ ସମୀପରୁ ଅନ୍ତର କଲେ ମୁଁ ବଞ୍ଚିରହିପାରିବି ନାହିଁ । କ୍ରୂର ରାକ୍ଷସମାନେ ଭୟଙ୍କର ଅଟନ୍ତି । ମୋର କିଶୋର ପୁତ୍ରମାନେ କଣ ସେମାନଙ୍କୁ ବିନାଶ କରିବାକୁ ସମର୍ଥ ହେବେ ?

 

ରାଜାଙ୍କର ଅସମର୍ଥତା ଓ ବିନୟବାଣୀ ଶୁଣି ମୁନି ବିଶ୍ଵାମିତ୍ର ମନେ ମନେ ହସିଲେ । ବଶିଷ୍ଠ ରାଜସଭାରେ ବସି ସବୁ ଶୁଣୁଥିଲେ । ସେ ତୁନୀ ହୋଇ ବସିରହିବା ଉପଯୁକ୍ତ ମନେକଲେ ନାହିଁ । ସେ ରାଜାଙ୍କୁ ନାନାପ୍ରକାର କଥା କହି ବୋଧଦେଲେ । ରାଜାଙ୍କର ସନ୍ଦେହ ଦୂରହେଲା । ସେ ରାମ ଓ ଲକ୍ଷ୍ମଣଙ୍କୁ ପାଖକୁ ଡାକି ସେମାନଙ୍କୁ ନାନାପ୍ରକାର ଶିକ୍ଷା ଦେଲେ ।

 

ତା’ପରେ ରାଜା ବିଶ୍ଵାମିତ୍ରଙ୍କୁ କହିଲେ–ଏହି ଦୁଇପୁତ୍ର ମୋର ପ୍ରାଣସଦୃଶ ଅଟନ୍ତି । ଆପଣ ମଧ୍ୟ ଏମାନଙ୍କର ପିତା । ପୁଣି ଦୁଇ ପୁତ୍ରଙ୍କୁ ଆଶୀର୍ବାଦ ଦେଇ ସେମାନଙ୍କୁ ବିଶ୍ଵାମିତ୍ର ହସ୍ତରେ ସମର୍ପଣ କଲେ ।

 

ଶ୍ରୀରାମ ଓ ଲକ୍ଷ୍ମଣ ମାତାମାନଙ୍କ ପାଖକୁ ଗଲେ । ସେମାନଙ୍କୁ ଓ ଗୁରୁଜନମାନଙ୍କୁ ପ୍ରଣାମ କରି ମୁନିଙ୍କ ସହିତ ଆଶ୍ରମ ଅଭିମୁଖରେ ଯାତ୍ରା କଲେ । ଦୁଇଭାଇଙ୍କର ଦୁଇହାତରେ ଧନୁଶର ଶୋଭା ପାଉଥାଏ । ବିଶ୍ଵାମିତ୍ରଙ୍କ ସହିତ ସେମାନେ ବାହାରିବାରୁ ବିଶ୍ଵାମିତ୍ରଙ୍କୁ ଅମୂଲ୍ୟନିଧି ମିଳିଲା ପରି ବୋଧହେଲା ।

 

ପଥରେ ଯାଉଥିଲାବେଳେ ମୁନି ତାଡ଼କୀ ରାକ୍ଷସୀକୁ ଦେଖାଇଲେ । ସେମାନଙ୍କର ଧନୁର ଟଙ୍କାର ଶୁଣି ତାଡ଼କା କ୍ରୋଧରେ ଦୌଡ଼ିଆସିଲା । ଶ୍ରୀରାମ ଗୋଟିଏ ତୀରରେ ତାର ପ୍ରାଣ ସଂହାର କଲେ । ମୃତ୍ୟୁ ସମୟରେ ତାଡ଼କା ରାକ୍ଷସୀ ଶ୍ରୀରାମଙ୍କର କୃପାପ୍ରାର୍ଥୀ ହେଲା । ଶ୍ରୀରାମ ତାହାକୁ ମୋକ୍ଷପଦ ଦେଲେ ।

 

ତାଡ଼କାକୁ ବିନାଶ କରି ତିନିହେଁ ଆଶ୍ରମ ଅଭିମୁଖରେ ଯାତ୍ରା କଲେ । ଆଶ୍ରମରେ ପହଞ୍ଚି ବିଶ୍ୱାମିତ୍ର ସେମାନଙ୍କୁ କନ୍ଦମୂଳ ଓ ଫଳ ଭୋଜନ କରିବାକୁ ଦେଲେ । ତା’ପରେ ରାଜଶିଷ୍ୟଙ୍କୁ ନାନାପ୍ରକାର ବିଦ୍ୟା ଦାନ କଲେ । କ୍ଷୂଧାତୃଷାରେ ଆତୁରତା ନ ଆସିବା ପାଇଁ ଏବଂ ଶରୀରରେ ଅତୁଳ ବଳ ସଂରକ୍ଷଣ ନିମନ୍ତେ ସେମାନଙ୍କୁ ନାନା କୌଶଳ ଓ ବିଦ୍ୟାଶିକ୍ଷା ଦେଲେ । ଅସ୍ତ୍ରଶସ୍ତ୍ରବିଦ୍ୟାରେ ସେମାନଙ୍କୁ ଧୂରନ୍ଧର କରିବା ନିମନ୍ତେ ନାନା ତଥ୍ୟ ଶିଖାଇଲେ ।

 

କେତେଦିନ ପରେ ଦିନେ ପ୍ରଭାତ ହେବାରୁ ଶ୍ରୀରାମଚନ୍ଦ୍ର ଋଷିମାନଙ୍କୁ କହିଲେ–ଆପଣମାନେ ନିର୍ଭୟରେ ଯଜ୍ଞ କରନ୍ତୁ, ମୁଁ ଯଜ୍ଞ ରକ୍ଷା କରିବା କରିବା ପାଇଁ ଭାର ନେଉଛି । ଋଷିମାନେ ଶ୍ରୀରାମଙ୍କର ଅଭୟବାଣୀ ଶୁଣି ପୂର୍ବ ପରି ଯଜ୍ଞ ଆରମ୍ଭ କଲେ । ଆଶ୍ରମରେ ଯଜ୍ଞାଗ୍ନି ପ୍ରଜ୍ଵଳିତ ହେଲା, ଋଷିମାନେ ବେଦବାଣୀ ଉଚ୍ଚାରଣ କରି ଘୃତାହୁତି ଦେଲେ । ହୋମଧୂମ ଆଶ୍ରମର ବନପ୍ରଦେଶ ବ୍ୟାପିଗଲା । ଧୂମର ପବିତ୍ର ସୁଗନ୍ଧ ଚତୁର୍ଦ୍ଦିଗକୁ ଆମୋଦିତ କଲା ।

 

ଏତିକିବେଳେ ମାରୀଚ ରାକ୍ଷସ ନିଜ ସହଚରମାନଙ୍କ ସହ ଆସି ସେଠାରେ ଉପସ୍ଥିତ ହେଲେ । ଶ୍ରୀରାମଚନ୍ଦ୍ର, ତାହାର ଆଗମନ ଲକ୍ଷ୍ୟ କରି ଧନୁରେ ଶର ଯୋଚି ଏପରି ଏକ ଶର ମାରିଲେ ଯେ ସେହି ତୀର ମାରୀଚ ରାକ୍ଷସକୁ ଶହେ ଯୋଜନ ଦୂରରେ ନିକ୍ଷେପ କଲା । ସୁବାହୁ ନାମରେ ତାର ଏକ ସହଚର ରାକ୍ଷସ ଶ୍ରୀରାମଙ୍କୁ ଆକ୍ରମଣ କଲା । ଶ୍ରୀରାମଚନ୍ଦ୍ର ସୁବାହୁକୁ ଦେଖିବାମାତ୍ରେ ତାକୁ ଲକ୍ଷ୍ୟ କରି ଗୋଟିଏ ଅଗ୍ନିଶର ନିକ୍ଷେପ କଲେ । ଏତିକିବେଳେ ଲକ୍ଷ୍ମଣ ମାରୀତ ଓ ସୁବାହୁର ସହଚର ରାକ୍ଷସମାନଙ୍କୁ ଅସ୍ତବ୍ୟସ୍ତ କରି ସଂହାର କରିବାକୁ ଲାଗିଲେ । ରାକ୍ଷସମାନେ ଭୟରେ ସେ ସ୍ଥାନ ଛାଡ଼ି ପଳାଇବାକୁ ଲାଗିଲେ । ଋଷିମାନେ ପୁନର୍ବାର ଶାନ୍ତିରେ ଯଜ୍ଞକର୍ମରେ ପ୍ରବୃତ୍ତ ହେଲେ ।

 

ଆଶ୍ରମ ନିରାପଦ ହେଲା । ଋଷିମାନେ ଶ୍ରୀରାମ ଲକ୍ଷ୍ମଣଙ୍କୁ ଆଶୀର୍ବାଦ ଦେଲେ । ମୁନିମାନଙ୍କ ସଙ୍ଗରେ ଦୁଇଭାଇ ଆଉ କେତେ ଦିନ ଅତିବାହିତ କଲେ । ଋଷିମାନେ ଶ୍ରୀରାମଚନ୍ଦ୍ରଙ୍କୁ ପୁରାଣ କାହାଣୀଗୁଡ଼ିକ ଶୁଣାଇ ନିଜ ଆଶ୍ରମରେ ନାନା ବିଦ୍ୟା ଶିକ୍ଷା ଦେବା ସଙ୍ଗେ ସଙ୍ଗେ ବହୁ ଆଶୀର୍ବାଦ ଦେଲେ ।

 

ମିଥିଳାପୁରରେ ଏତେବେଳେ ଗୋଟିଏ ସ୍ଵୟଂବର ସଭା ବସିଥିଲା । ସ୍ଵୟଂବରରେ ଧନୁର୍ଯଜ୍ଞ ହେଉଥିବା ଶୁଣି ଦୁଇଭାଇ ବିଶ୍ଵାମିତ୍ରଙ୍କ ସଙ୍ଗରେ ସେଠାକୁ ଯିବାପାଇଁ ମନ ବଳାଇଲେ । ଦୁହେଁ ଆଶ୍ରମରୁ ମିଥିଳା ଉଦ୍ଦେଶ୍ୟରେ ବାହାରିବାବେଳେ ମାର୍ଗରେ ଗୋଟିଏ ପୁରାତନ ଆଶ୍ରମ ସେମାନଙ୍କର ଦୃଷ୍ଟିଗୋଚର ହେଲା । ସେ ସ୍ଥଳରେ ପଶୁପକ୍ଷୀ କିମ୍ବା ଜୀବଜନ୍ତୁ ଗୋଟିଏ ହେଲେ ନ ଥିଲେ । ଗୋଟିଏ ଶିଳା ଦେଖି ଶ୍ରୀରାମଚନ୍ଦ୍ର ତାହାର ଇତିହାସ ମୁନିଙ୍କୁ ପଚାରିଲେ । ମୁନି କହିଲେ–ଏହି ଆଶ୍ରମ ଗୌତମ ଋଷିଙ୍କର । ଗୌତମଙ୍କର ପତ୍ନୀ ଅହଲ୍ୟା ଶାପଗ୍ରସ୍ତ ହୋଇ ଶିଳାରୂପ ଧାରଣ କରିଅଛନ୍ତି । ସେ ଧୈର୍ଯ୍ୟ ଅବଲମ୍ବନପୂର୍ବକ ଆପଣଙ୍କର ଚରଣରଜ ଇଚ୍ଛା କରି ଏହିଠାରେ ଏହିପରି ରହିଅଛନ୍ତି । ଆପଣ ତାଙ୍କ ଉପରେ କୃପା କରନ୍ତୁ ।

 

ଶ୍ରୀରାମଙ୍କର ଚରଣ ସ୍ପର୍ଶ ମାତ୍ରେ ତପୋମୂ ଗୌତମ-ପତ୍ନୀ ଅହଲ୍ୟା ପ୍ରକଟିତ ହେଲେ-। ଶ୍ରୀରାମଙ୍କ ସମ୍ମୁଖରେ ହାତଯୋଡ଼ି ଦଣ୍ଡାୟମାନ ହେଲେ । ତାଙ୍କର ଶରୀର ରୋମାଞ୍ଚିତ ହୋଇଥାଏ । ମୁଖରୁ ବଚନ ପ୍ରକାଶ ପାଉ ନଥାଏ । ପୁନର୍ବାର ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର ଚରଣରେ ପ୍ରଣାମ କରି ସେ ନିର୍ମଳ ହୃଦୟରେ ସ୍ତୁତି କରିବାକୁ ଲାଗିଲେ । ତାଙ୍କର ଦୁଇ ନେତ୍ରରୁ ଅବିରତ ଅଶ୍ରୁ ନିର୍ଗତ ହେଉଥାଏ ।

 

ଅହଲ୍ୟା ଅତି ବିନୀତ କଣ୍ଠରେ କହିଲେ–ମୁଁ ଜଣେ ଅପବିତ୍ରା ସ୍ତ୍ରୀ । ଆପଣ ଜଗତର ତ୍ରାଣକର୍ତ୍ତା ଓ ପାଳନକର୍ତ୍ତା । ଆପଣ ଭକ୍ତମାନଙ୍କର ହିତକାରୀ ଅଟନ୍ତି । ମୁଁ ଆପଣଙ୍କର ଚରଣରେ ଶରଣ ପଶୁଛି । ମୋତେ ରକ୍ଷା କରନ୍ତୁ । ମୁନି ମୋତେ ଯେଉଁ ଅଭିଶାପ ଦେଇଛନ୍ତି, ତାହା ମୋର ଅତ୍ୟନ୍ତ ମଙ୍ଗଳକର ହେଲା । ତାଙ୍କର ଏ ଶାପ ନୁହେଁ; ଏହା ମୋ ପ୍ରତି ଅନୁଗ୍ରହ ଅଟେ । ତାଙ୍କରି ଯୋଗୁଁ ମୁଁ ସୃଷ୍ଟିକର୍ତ୍ତା ଶ୍ରୀହରିଙ୍କର ଦର୍ଶନ ପାଇଲି । ମୁଁ ଆପଣଙ୍କଠାରୁ କୌଣସି ବର ଇଚ୍ଛା କରୁନାହିଁ । ମୋର ଏତିକି ପ୍ରାର୍ଥନା । ମୋରି ମନ ଆପଣଙ୍କର ସେହି ଚରଣତଳେ ଚିରକାଳ ରହିଥାଉ । ଅହଲ୍ୟା ପ୍ରାର୍ଥନା କରିସାରି ଶ୍ରୀରାମଚନ୍ଦ୍ରଙ୍କ ନିର୍ଦ୍ଦେଶରେ ପତିଙ୍କ ଆଶ୍ରମକୁ ହିମାଳୟ ପ୍ରତ୍ୟାବର୍ତ୍ତନ କଲେ ।

Image

 

ବିବାହ ପ୍ରସଙ୍ଗ

 

ଶ୍ରୀରାମଚନ୍ଦ୍ର ଓ ଲକ୍ଷ୍ମଣଙ୍କୁ ନେଇ ଋଷି ବଶ୍ୱାମିତ୍ର ଗଙ୍ଗାନଦୀ ତଟରେ ପହଞ୍ଚିଲେ । ବିଶ୍ଵାମିତ୍ର ଶ୍ରୀରାମ ଓ ଲକ୍ଷ୍ମଣଙ୍କୁ ଗଙ୍ଗା ନଦୀ କିପରି ପୃଥିବୀ ଉପରେ ଅବତୀର୍ଣ୍ଣା ହେଲେ ସେ ସମସ୍ତ ଇତିହାସ କହି ଶୁଣାଇଲେ । ଋଷିମାନଙ୍କ ସହିତ ଦୁଇଭାଇ ଗଙ୍ଗା ନଦୀର ନିର୍ମଳ ଜଳରେ ସ୍ନାନକଲେ । ତା’ପରେ ଗଙ୍ଗାନଦୀ ପାର ହୋଇ ଜନକପୁରରେ ପହଞ୍ଚିଲେ ।

 

ଜନକପୁରର ଶୋଭା ଅତି ରମଣୀୟ । ନଦୀ ଓ ପୁଷ୍କରିଣୀଗୁଡ଼ିକ ପାବଚ୍ଛଶ୍ରେଣୀଦ୍ଵାରା ବନ୍ଧା ହୋଇଅଛି । ବିଭିନ୍ନ ରଙ୍ଗର ପକ୍ଷିସମୂହ କୂଜନରତ । ପୁଷ୍କରିଣୀମାନ ପଦ୍ମପୁଷ୍ପଦ୍ଵାରା ସୁଶୋଭିତ । ସୁଗନ୍ଧିତ ବାୟୁ ମନ୍ଦ ମନ୍ଦ ବହୁଛି । ଉଦ୍ୟାନ ଓ ବନସମୂହ ସୁନ୍ଦର ପକ୍ଷୀଗୁଡ଼ିକଦ୍ଵାରା ଅତି ମନୋହର ଦେଖାଯାଉଅଛି । ନଗରର ଚତୁଃପାର୍ଶ୍ଵ ଉଦ୍ୟାନମାନଙ୍କ ଦ୍ଵାରା ପୂର୍ଣ୍ଣ । ଯେଉଁ ଦିଗକୁ ଚାହିଁଲେ ସେ ଦିଗର ସୌନ୍ଦର୍ଯ୍ୟ ମନକୁ ଆକର୍ଷଣ କରୁଛି । କୁବେରଙ୍କ ପରି ଶ୍ରେଷ୍ଠ ଧନୀ ବଣିକମାନଙ୍କଦ୍ଵାରା ନଗରର ବିପଣୀସମୂହ ସଜ୍ଜିତ ହୋଇଅଛି । ନଗରର ଗୃହଗୁଡ଼ିକ ନାନାଦି ସୁନ୍ଦର ଚିତ୍ରଦ୍ଵାରା ଭୂଷିତ । ଜନକପୁରର ନରନାରୀମାନେ ଗୁଣବନ୍ତ, ଜ୍ଞାନୀ ଓ ଧର୍ମତ୍ମା ।

 

ରାଜଭବନ ନାନା ଐଶ୍ଵର୍ଯ୍ୟରେ ପରିପୂର୍ଣ୍ଣ । ପ୍ରାସାଦର ସ୍ଵର୍ଣ୍ଣ ପ୍ରଚ୍ଛଦପଟ ମଣିମୁକ୍ତାଖଚିତ-। ନଟୀ ଓ ମାଗଧମାନେ ନଗରରେ ରାଜାଙ୍କର ଯଶ ଗାଇ ଗାଇ ଭ୍ରମଣ କରୁଅଛନ୍ତି । ହସ୍ତୀ ଓ ଅଶ୍ଵମାନଙ୍କ ପାଇଁ ଅଶ୍ଵଶାଳା ଓ ଗଜଶାଳା ସ୍ଥାନେ ସ୍ଥାନେ ନିର୍ମିତ । ମନ୍ତ୍ରୀ, ସେନାପତି ଓ ବିଶିଷ୍ଟ ରାଜ ପୁରୁଷମାନଙ୍କ ନିମନ୍ତେ ରାଜଭବନ ସଦୃଶ ଗୃହ ରହିଅଛି । ରାଜନବରର ସନ୍ନିକଟ ଏକ ସ୍ଥାନରେ ଆମ୍ର ଉଦ୍ୟାନ ଦେଖି ବିଶ୍ଵାମିତ୍ର ସେଠାରେ ରାତ୍ରିଯାପନ କରିବା ପାଇଁ ରାଜପୁତ୍ରଦ୍ଵୟଙ୍କୁ ନିର୍ଦ୍ଦେଶ ଦେଲେ ।

 

ମିଥିଳାପତି ଜନକ ବିଶ୍ଵାମିତ୍ରଙ୍କର ଆଗମନ ସମ୍ବାଦ ଶୁଣିପାରିଲେ । ସ୍ଵୟଂ ରାଜା ନିଜର ମନ୍ତ୍ରୀ, ବ୍ରାହ୍ମଣ ଓ ଗୁରୁଙ୍କ ଗହଣରେ ମୁନିଙ୍କ ସହିତ ସାକ୍ଷାତ କରିବାପାଇଁ ଆସିଲେ । ମୁନିଙ୍କୁ ଦେଖି ରାଜା କୃତକୃତ୍ୟ ହୋଇ ଚରଣରେ ପ୍ରଣାମ କଲେ । ବିଶାଳଯଶା ମୁନି ବିଶ୍ଵାମିତ୍ର ରାଜାଙ୍କୁ ଅତ୍ୟନ୍ତ ପ୍ରସନ୍ନହୃଦୟରେ ଆଶୀର୍ବାଦ ଦେଲେ । ରାଜା କହିଲେ–ଆଜି ମୋର ବଡ଼ ଭାଗ୍ୟ ।

 

ଶ୍ରୀରାମ ଓ ଲକ୍ଷ୍ମଣ ଉପବନର ଶୋଭା ଦର୍ଶନରେ ମୁଗ୍‌ଧ ହୋଇ ଭ୍ରମଣ କରୁଥିଲେ । ସେମାନେ ପ୍ରତ୍ୟାବର୍ତ୍ତନ କରିବାରୁ ବିଶ୍ଵାମିତ୍ର ସେମାନଙ୍କୁ ନିଜ ପାଖରେ ବସାଇଲେ । ରାଜା ଜନକ ଶ୍ରୀରାମଙ୍କର ସୌମ୍ୟମୂର୍ତ୍ତି ଦର୍ଶନ କରି ପରମ ଆନନ୍ଦିତ ହେଲେ ଏବଂ କ୍ଷଣକାଳ ଆତ୍ମବିସ୍ମୃତ ହୋଇପଡ଼ିଲେ । ମୁନିଙ୍କୁ ପଚାରିଲେ–ହେ ତ୍ରିକାଳଜ୍ଞ ମୁନି ! ଆପଣଙ୍କ ସାଙ୍ଗରେ ଏ ଦୁଇ ସୁନ୍ଦର ବାଳକ କିଏ ? ଏମାନେ ରାଜକୁଳ ବା ମୁନିକୁଳ କେଉଁ କୁଳ ମଣ୍ଡନ କରିଅଛନ୍ତି ? ଏମାନଙ୍କ ଦର୍ଶନରେ ମୁଁ ଆତ୍ମବିସ୍ମୃତ ହୋଇପଡୁଛି ।

 

ରାଜାଙ୍କର ଏ ପ୍ରଶ୍ନ ଶୁଣି ମୁନି ଅଳ୍ପ ହସିଲେ । ପରମ ଆନନ୍ଦିତ ହୋଇ ରାଜାଙ୍କୁ ମୃଦୁସ୍ଵରରେ କହିଲେ–ହେ ରାଜର୍ଷି, ଜଗତର ପ୍ରାଣୀସମୂହ ଏମାନଙ୍କର ଅତି ପ୍ରିୟ । ରଘୁକୁଳମଣି ମହାରାଜା ଦଶରଥଙ୍କର ଏ ଦୁଇପୁତ୍ର ଋଷିକୁଳର ହିତ ନିମନ୍ତେ ମୋ ସଙ୍ଗରେ ଆସିଛନ୍ତି । ଯୁଦ୍ଧରେ ଅସୁରମାନଙ୍କୁ ଜିଣି ଏମାନେ ମୋର ଯଜ୍ଞ ରକ୍ଷାକଲେ । ଏ ଦୁଇ ରାଜପୁତ୍ର ଶୀଳ ଓ ବଳରେ ଅତୁଳନୀୟ ।

 

ମିଥିଳାପତି ଜନକ ରାଜର୍ଷି । ସେ ବାରମ୍ବାର ଶ୍ରୀରାମଙ୍କର ସୁନ୍ଦର ନୀଳ କଳେବର ଦର୍ଶନ କରି ହୃଦୟ ମଧ୍ୟରେ ଅପାର ଆନନ୍ଦ ଅନୁଭବ କଲେ । ତାଙ୍କର ହୃଦୟ ପୁଲକିତ ହୋଇଉଠିଲା । ସେ ବିଶ୍ଵାମିତ୍ରଙ୍କ ପ୍ରତି ହୃଦୟର କୃତଜ୍ଞତା ଜଣାଇଲେ । ଦୁଇ ରାଜପୁତ୍ରଙ୍କୁ ନଗର ପ୍ରଦର୍ଶନ କରାଇବା ନିମନ୍ତେ ସେମାନଙ୍କୁ ସଙ୍ଗରେ ନେଲେ ଏବଂ ରାଜଭବନର ଏକ ସୁନ୍ଦର ପ୍ରକୋଷ୍ଠରେ ସେମାନଙ୍କୁ ରଖାଇ ସେମାନଙ୍କର ସମସ୍ତ ସେବା ନିମନ୍ତେ ବନ୍ଦୋବସ୍ତ କରାଇଲେ ।

 

ଲକ୍ଷ୍ମଣଙ୍କ ମନରେ ଜନକପୁର ଦର୍ଶନର ଲାଳସା ଥିଲା; କିନ୍ତୁ ଜ୍ୟେଷ୍ଠଭ୍ରାତାଙ୍କ ସମ୍ମୁଖରେ ସେ ତାହାଙ୍କର ମନର ଆକାଂକ୍ଷା ପ୍ରକାଶ କରିପାରୁ ନ ଥିଲେ । ଶ୍ରୀରାମଚନ୍ଦ୍ର ଲକ୍ଷ୍ମଣଙ୍କର ମନର ଇଚ୍ଛା ବୁଝିପାରିଲେ । ସେ ପିତୃପ୍ରତିମ ମୁନି ବିଶ୍ଵାମିତ୍ରଙ୍କୁ କହିଲେ–ହେ ପିତଃ ! ଲକ୍ଷ୍ମଣର ନଗରଦର୍ଶନ ଇଚ୍ଛା ପ୍ରବଳ ହୋଇଅଛି; କିନ୍ତୁ ସଂକୋଚବଶତଃ ସେ ତାହା ପ୍ରକାଶ କରିପାରୁନାହିଁ । ଆପଣଙ୍କର ଅନୁମତି ମିଳିଲେ, ମୁଁ ତାଙ୍କୁ ନଗର ଦେଖାଇ ଘେନିଆସିବି । ମୁନିଙ୍କ ଆଦେଶ ପାଇ ଦୁଇଭାଇ ନଗର ପରିଭ୍ରମଣରେ ବାହାରିଲେ ।

 

ସମବୟସ୍କ କିଶୋରମାନେ ତାଙ୍କ ସହିତ ଆସି ମିଶିଲେ I କୁମାରବୃନ୍ଦଙ୍କ ମଧ୍ୟରେ ଦୁଇଭାଇ ଶ୍ରୀରାମ ଲକ୍ଷ୍ମଣ ବାରିହୋଇଯାଉଥିଲେ । ଦୁଇ ଭାଇଙ୍କର ପୀତବସ୍ତ୍ର, କଟିରେ ଉତ୍ତରୀୟ, ହସ୍ତରେ ଧନୁଶର, ହୃଦୟରେ ଗଜମୁକ୍ତାମାଳା, କର୍ଣ୍ଣରେ କର୍ଣ୍ଣପୁଷ୍ପ, ଭାଲଦେଶରେ ତିଳକ ସେମାନଙ୍କୁ ଅନ୍ୟକୁମାରମାନଙ୍କ ମଧ୍ୟରେ ଚିହ୍ନିତ କରି ଦେଉଅଛି । ସେମାନଙ୍କର ନଖଠାରୁ ଶିଖା ପର୍ଯ୍ୟନ୍ତ ପ୍ରତ୍ୟେକ ଅଙ୍ଗ ସ୍ଵାଭାବିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ।

 

ଦୁଇ ଭ୍ରାତା ନଗର ପରିଭ୍ରମଣରେ ବାହାରିଥିବା ସମ୍ବାଦ ମୁହୂର୍ତ୍ତକ ମଧ୍ୟରେ ନଗର ମଧ୍ୟରେ ପ୍ରଚାରିତ ହୋଇଗଲା । ଦରିଦ୍ର ବ୍ୟକ୍ତି ଧନବଣ୍ଟନ ହେଉଥିବାର ସମ୍ବାଦ ପାଇଲେ ଯେପରି ଅନ୍ୟ ସମସ୍ତ କାର୍ଯ୍ୟ ଛାଡ଼ି ଦଉଡ଼ନ୍ତି, ନଗରବାସୀମାନେ ଯେ ଯାହାର କାମ ଛାଡ଼ିଦେଇ ସେହିପରି ନଗର ଦାଣ୍ଡକୁ ବାହାରିପଡ଼ିଲେ I ଯୁବତୀ ସ୍ତ୍ରୀମାନେ ଗୃହ ଛାଡ଼ି ଚାଲିଯିବା ଅସୁନ୍ଦର । ସେଥିପାଇଁ ଦ୍ଵାର ଓ ବାତାୟନଗୁଡ଼ିକ ଯୁବତୀମାନଙ୍କର ମୁଖସୌନ୍ଦର୍ଯ୍ୟଦ୍ଵାରା ଶୋଭିତ ହେଲେ । ସମସ୍ତଙ୍କ ମୁଖରେ ଶ୍ରୀରାମ-ଲକ୍ଷ୍ମଣଙ୍କର ସୌନ୍ଦର୍ଯ୍ୟ ବର୍ଣ୍ଣନା । ଦେବତା, ମନୁଷ୍ୟ, ଅସୁର, ନାଗ, ମୁନି କୌଣସି କୁଳରେ ଏପରି ସୁନ୍ଦର ପୁରୁଷ କେବେ ଜନ୍ମ କରିନଥିଲେ । କିଏ କହୁଛି–କେଉଁ ଦେବତା ଏମାନଙ୍କର ସରି ହେବେ ? ବିଷ୍ଣୁଙ୍କର ଚାରିବାହୁ, ବ୍ରହ୍ମାଙ୍କର ଚାରିମୁଖ, ଶିବ ତ୍ରିନେତ୍ର–କାହା ସହିତ ଏମାନଙ୍କୁ ତୁଳନା କରିବ ? କିଶୋର ଅବସ୍ଥାରେ ଏମାନଙ୍କର ଏ ସୌନ୍ଦର୍ଯ୍ୟ ! ଯୌବନରେ ଏମାନଙ୍କୁ ସରି ହେବ କିଏ ?

 

ଜଣେ ସଖୀ ଅନ୍ୟକୁ କହୁଛି–ମୁଁ ଶୁଣିଛି, ଦଶରଥଙ୍କର ଏ ଦୁଇପୁତ୍ର ବିଶ୍ଵାମିତ୍ରଙ୍କର ଯଜ୍ଞରକ୍ଷା କରିବାକୁ ଆସି ରାକ୍ଷସମାନଙ୍କୁ ବଧକଲେ । ଶ୍ୟାମଳ ସୁନ୍ଦର ଜ୍ୟେଷ୍ଠଭ୍ରାତା ଶ୍ରୀରାମ ମାରୀଚ ଓ ସୁବାହୁର ଗର୍ବ ଭଙ୍ଗକଲେ । ଗୌରବର୍ଣ୍ଣ ଦ୍ଵିତୀୟ କିଶୋରଟି ଶ୍ରୀରାମଙ୍କର କନିଷ୍ଠ । ସେ ସୁମିତ୍ରାଙ୍କର ପୁତ୍ର । ଅସୁରମାନଙ୍କ କବଳରୁ ଯଜ୍ଞରକ୍ଷା କରିସାରି ମାର୍ଗରେ ଗୌତମ ମୁନିଙ୍କ ପତ୍ନୀ ଅହଲ୍ୟାଙ୍କୁ ଉଦ୍ଧାର କରି ଧନୁର୍ଯଜ୍ଞ ଦେଖିବାପାଇଁ ବିଶ୍ଵାମିତ୍ରଙ୍କ ସଙ୍ଗରେ ଏବେ ଏଠାକୁ ଆସିଛନ୍ତି ।

 

ଆଉ ଜଣେ ସ୍ତ୍ରୀ କହିଲେ–ଏ ଜ୍ୟେଷ୍ଠ ଶ୍ରୀରାମ ପ୍ରକୃତରେ ଜାନକୀଙ୍କର ଯୋଗ୍ୟ ବର । ଯଦି ରାଜା ଜନକ ଏହାଙ୍କୁ ଦେଖିବେ, ସେ ପଣ ଭଙ୍ଗକରି କନ୍ୟାକୁ ଏହାଙ୍କ ସହିତ ବିବାହ ଦେବେ-। ଅନ୍ୟ ଜଣେ ସ୍ତ୍ରୀ କହିଲେ–ରାଜା ଜନକ ଏହାଙ୍କୁ ଚିହ୍ନିସାରିଛନ୍ତି; କିନ୍ତୁ ମୁଁ ଶୁଣୁଛି, ସେ ପଣ ଛାଡ଼ିବାପାଇଁ ରାଜି ନୁହନ୍ତି । ଏକଥା ଶୁଣି ଆଉ ଜଣେ କହିଲେ–ଶିବଙ୍କ ଧନୁ କି କଠୋର ! ଏ କୋମଳ କିଶୋର ରାଜକୁମାର ସେ ଧନୁକୁ କଣ ଭଙ୍ଗ କରିପାରିବେ ?

 

ଏତିକିବେଳେ ଆଉ ଜଣେ ସ୍ତ୍ରୀ ସମସ୍ତଙ୍କର କଥାକୁ ଭାଙ୍ଗି କହିଲେ–ତୁମେମାନେ କଣ ଜାଣିଛ ? ଏ ରାଜପୁତ୍ର ଦେଖିବାକୁ ସିନା ଛୋଟ ଦିଶୁଛନ୍ତି, ଏହାଙ୍କର ପ୍ରଭାବ ତୁମ୍ଭେ ଜାଣିନାହିଁ । ତୁମ୍ଭେମାନେ କଣ ଶୁଣିନାହିଁ, ଏହାଙ୍କର ଚରଣଧୂଳି ସ୍ପର୍ଶମାତ୍ରେ ଅହଲ୍ୟା ପରା ତରିଗଲେ ! ଶିବଧନୁ ଏହାଙ୍କ ପାଇଁ କି ଅବା କଠୋର ! ଯେଉଁ ସୃଷ୍ଟିକର୍ତ୍ତା ବ୍ରହ୍ମା ଜାନକୀଙ୍କୁ ସୃଷ୍ଟି କରିଅଛନ୍ତି, ସେ ତାଙ୍କରି ପାଇଁ ଏ ଶ୍ୟାମଳ ସୁନ୍ଦର ବର ମଧ୍ୟ ଗଢ଼ିଛନ୍ତି । ଦୁଇଭାଇ ଜନକପୁର ମଧ୍ୟରେ ପ୍ରବେଶ କରି ପୁରର ସୌନ୍ଦର୍ଯ୍ୟ ଦର୍ଶନ କରି ଚାଲୁଥିବାବେଳେ ସ୍ତ୍ରୀ, ପୁରୁଷ, ବାଳକ, ବାଳିକା, ବୃଦ୍ଧ, ବୃଦ୍ଧା ସେମାନଙ୍କୁ ଦେଖି କେତେ କଣ ପରସ୍ପରଙ୍କ ମଧ୍ୟରେ ଅଲୋଚନା କରୁଛନ୍ତି । ଆଉ କେହି ଅବା ସେମାନଙ୍କର ରୂପ ନିରେଖି ଆତ୍ମବିସ୍ମୃତ ହୋଇପଡ଼ୁଛନ୍ତି ।

Image

 

ଧନୁର୍ଯଜ୍ଞ

 

ମିଥିଳା ନଗରର ପୂର୍ବଭାଗରେ ଧନୁର୍ଯଜ୍ଞ ପାଇଁ ରାଜା ଜନକ ଭୂମି ନିରୂପଣ କରିଛନ୍ତି । ସେହି ଭୂମି ଉପରେ ଯଥେଷ୍ଟ ଦୈର୍ଘ୍ୟ ଓ ପ୍ରସ୍ଥ ପରିମିତ ଏକ ଚତ୍ଵର ନିର୍ମିତ ହୋଇଅଛି । ସେହି ଚତ୍ଵର ଉପରେ ଗୋଟିଏ ସୁନ୍ଦର ବେଦି । ସମଗ୍ର ଭୂମି ଉପରେ ସ୍ଵର୍ଣ୍ଣନିର୍ମିତ ଏକ ମଞ୍ଚ ସ୍ଥାପିତ ହୋଇଅଛି ।

 

ରାଜା ଜନକ ଦୂତମାନଙ୍କଦ୍ଵାରା ଦେଶ-ବିଦେଶର ରାଜା ମହାରାଜାମାନଙ୍କୁ ନିମନ୍ତ୍ରଣ କରିଛନ୍ତି । ସେମାନଙ୍କର ଆସ୍ଥାନ ନିମନ୍ତେ ମଞ୍ଚତଳେ ଆସନ ପ୍ରସ୍ତୁତ । ପୁଣି ନଗରର ଦର୍ଶକ ନାଗରିକମାନଙ୍କ ଆସନ ନିମନ୍ତେ ମଣ୍ଡଳାକାର ଉଚ୍ଚ ମଞ୍ଚ ନିର୍ମିତ ହୋଇଅଛି । ନଗରର ନାରୀମାନଙ୍କ ପାଇଁ ମଧ୍ୟ ଆସନର ବ୍ୟବସ୍ଥା କରାଯାଇଅଛି । ସେ ଆସନ ସବୁ ମଞ୍ଚାକାରରେ ନିର୍ମିତ ହୋଇଥିଲେ ମଧ୍ୟ ବିଭିନ୍ନ ରଙ୍ଗର ବସ୍ତ୍ରାବଳିରେ ସଜ୍ଜିତ ।

 

ଶ୍ରୀରାମ ଓ ଲକ୍ଷ୍ମଣଙ୍କ ସହିତ ଯାଉଥିବା ବାଳକମାନେ ଦୁଇଭାଇକୁ ଯଜ୍ଞଶାଳାଆଡ଼କୁ ଡାକିନେଲେ । ବାଳକମାନେ ଶ୍ରୀରାମଙ୍କ ଦେହକୁ ଦେହ ଲଗାଇ ଚାଲିଥାନ୍ତି, ଅତି ଆପଣାର ସାଙ୍ଗସାଥୀପରି କେତେ ପ୍ରଶ୍ନ ପଚାରୁଥାନ୍ତି; ଶ୍ରୀରାମ ପ୍ରଶ୍ନଗୁଡ଼ିକର ଉତ୍ତର ଦେଇ ଦେଇ ଚାଲିଥାନ୍ତି-। ଏହିପରି ଭାବରେ ଯଜ୍ଞଶାଳା ଗୋଟିକଯାକ ଦେଖିସାରିଲାପରେ ଶ୍ରୀରାମ ଲକ୍ଷ୍ମଣ ଗୁରୁଙ୍କ ପାଖରେ ପହଞ୍ଚିଲେ ।

 

ସେତେବେଳକୁ ଟିକିଏ ବିଳମ୍ବ ହୋଇଯାଇଥିଲା । ଗୁରୁ କାଳେହେଁ ବିଳମ୍ବର କାରଣ ପଚାରିବେ ବୋଲି ଶ୍ରୀରାମଙ୍କ ମନରେ ସଂଭ୍ରମ ଆସୁଥିଲା । ବାଳକମାନେ ସେମାନଙ୍କର ସଙ୍ଗ ଛାଡ଼ିବାପାଇଁ ରାଜି ନ ଥାନ୍ତି । ନାନା ମଧୁର କଥା କହି ଶ୍ରୀରାମ ସେମାନଙ୍କୁ ବିଦାୟ ଦେଲେ । ଗୁରୁଙ୍କ ସାକ୍ଷାତମାତ୍ରେ ତାଙ୍କର ପଦତଳେ ମସ୍ତକ ନୁଆଇଁଲେ । ସେତେବେଳକୁ ସନ୍ଧ୍ୟା ପ୍ରାୟ ହୋଇଯାଇଥାଏ । ଗୁରୁଙ୍କ ଆଦେଶରେ ସନ୍ଧ୍ୟାବନ୍ଦନା କରିସାରି ଗୁରୁଙ୍କ ପାଖରେ ଦୁଇଭାଇ ବସିଲେ । ମୁନି ସେମାନଙ୍କୁ ନାନା ପ୍ରାଚୀନ ଇତିହାସ କାହାଣୀ କହିବାକୁ ଆରମ୍ଭ କଲେ । ଦୁଇଭାଇ ମନଦେଇ ସେସବୁ ଶୁଣିଲେ ଏବଂ ଶୟନ ସମୟ ହେବାରୁ ଗୁରୁଙ୍କ ଚରଣସେବା କରିସାରି ଗୁରୁ ଆଦେଶ ଦେବାରୁ ଶୟନ କରିବାକୁ ଗଲେ । ଲକ୍ଷ୍ମଣ ଶ୍ରୀରାମଚନ୍ଦ୍ରଙ୍କର ପାଦସେବା କରିବାକୁ ଗଲାବେଳେ ଶ୍ରୀରାମଚନ୍ଦ୍ର ତାହାଙ୍କୁ ବାରମ୍ବାର ମନାକଲେ । ତେଣୁ ଲକ୍ଷ୍ମଣ ଜ୍ୟେଷ୍ଠ ଭ୍ରାତାଙ୍କର ଚରଣ ତଳେ ମସ୍ତକ ସ୍ପର୍ଶ କରି ଶୟନକକ୍ଷକୁ ଗଲେ ।

 

ସକାଳ ହେବା ପୂର୍ବରୁ ମୁନି ବିଶ୍ଵାମିତ୍ରଙ୍କର ଶୟନ ତ୍ୟାଗ ଆଗରୁ ଦୁଇଭାଇ ଶଯ୍ୟାତ୍ୟାଗ କଲେ । ପ୍ରାତଃ ଶୌଚକ୍ରିୟା ସମାପନାନ୍ତେ ପୂଜାବିଧାନ ଶେଷହେଲା । ମୁନିଙ୍କର ଶଯ୍ୟାତ୍ୟାଗ କରିବା ଦେଖି ଦୁଇଭାଇ ପାଖକୁ ଯାଇ ତାଙ୍କୁ ପ୍ରଣାମ କଲେ । ଦୁହେଁ ପୁଷ୍ପ ଆହରଣରେ ବାହାରିଲେ । ରାଜାଙ୍କର ଉପବନ ନାନାଦି ପୁଷ୍ପରେ ପୂର୍ଣ୍ଣଥିଲା । ସୁନ୍ଦର ଲତାଗୁଡ଼ିକଦ୍ଵାରା ଉଦ୍ୟାନ ଶୋଭା ପାଉଥିଲା । ନୂତନ ପତ୍ର, ଫଳ ଓ ପୁଷ୍ପପୂର୍ଣ୍ଣ ହୋଇ ବୃକ୍ଷଗୁଡ଼ିକ କଳ୍ପବୃକ୍ଷଗୁଡ଼ିକୁ ନିନ୍ଦା କରୁଥିଲା । ଶୂକ, ଶାରୀ, କୋକିଳ ଆଦି ପକ୍ଷୀମାନଙ୍କର ସୁନ୍ଦର କାକଳି ଜନମନ ଆକର୍ଷଣ କରୁଥିଲା । ମୟୁରମାନେ ନୃତ୍ୟରତ ଥିଲେ । ଉଦ୍ୟାନ ମଧ୍ୟରେ ଥିବା ସୁନ୍ଦର ସରୋବରର ମଣିମୟ ପାବଚ୍ଛସମୂହ ବିଚିତ୍ର ଭାବରେ ସୁଶୋଭିତ ଥିଲା । ନିର୍ମଳ ଜଳ ଉପରେ ବିଭିନ୍ନ ରଙ୍ଗର ପଦ୍ମପୁଷ୍ପଗୁଡ଼ିକର ତରୁର୍ଦ୍ଦିଗରେ ଭ୍ରମରମାନେ ଗୁଞ୍ଜନ କରୁଥିଲେ ।

 

ଶ୍ରୀରାମ ଓ ଲକ୍ଷ୍ମଣ ଏ ମନୋହର ଉଦ୍ୟାନ ଓ ସରୋବର ଦର୍ଶନ କରି ଅତ୍ୟନ୍ତ ଆନନ୍ଦିତ ହେଲେ । ଏତିକିବେଳେ ଜନକନନ୍ଦିନୀ ସୀତା ପାର୍ବତୀଙ୍କର ପୂଜା ନିମିତ୍ତ ସୁନ୍ଦରୀ ସଖୀମାନଙ୍କ ସହିତ ଆସି ପ୍ରଥମେ ସରୋବରରେ ସ୍ନାନକଲେ । ସରୋବରରେ ସ୍ନାନ ସମାପନାନ୍ତେ ପାର୍ବତୀ ମନ୍ଦିର ମଧ୍ୟରେ ପ୍ରବେଶ କଲେ । ପ୍ରସନ୍ନ ମନରେ ପୂଜା କଲାବେଳେ ମନେ ମନେ ଯୋଗ୍ୟ ଓ ସୁନ୍ଦର ବର ପାର୍ବତୀଙ୍କ ନିକଟରେ ଯାଚନା କଲେ ।

 

ଜଣେ ସଖୀ ସୀତାଙ୍କର ସଙ୍ଗ ଛାଡ଼ି ଉଦ୍ୟାନ ମଧ୍ୟକୁ ଯାଇଥିଲେ । ସେଠାରେ ଶ୍ରୀରାମ ଓ ଲକ୍ଷ୍ମଣଙ୍କୁ ଦେଖିସାରି ଅତ୍ୟନ୍ତ ପ୍ରଫୁଲ୍ଲ ମନରେ ସୀତାଙ୍କ ନିକଟକୁ ଫେରି ଆସିଲେ । ସୀତାଙ୍କ ପାଖରେ ଥିବା ସଖୀ ପଚାରିଲା–ତୁ ତ ଉଦ୍ୟାନ ମଧ୍ୟକୁ ଯାଇଥିଲୁ, ଏତେ ଆନନ୍ଦରେ ଦୌଡ଼ିଛୁ କାହିଁକି ? ସଖୀ କହିଲା–ଉଦ୍ୟାନ ମଧ୍ୟରେ ମୁଁ ଦୁଇଜଣ ରାଜକୁମାରଙ୍କୁ ଦେଖିଲି । ସେମାନଙ୍କ ମଧ୍ୟରୁ ଜଣେ ଶ୍ୟାମଳ; ଆଉ ଜଣେ ଗୌରବର୍ଣ୍ଣ । ସେମାନଙ୍କର ସୌନ୍ଦର୍ଯ୍ୟ ମୁଁ କଣ ବର୍ଣ୍ଣନା କରିପାରିବି । ସେ ଦୁଇଜଣ କିଏ, ଏ ବିଷୟ ଜାଣିବାକୁ ସୀତାଙ୍କର ଉତ୍କଣ୍ଠା ହେବାରୁ ସଖୀଟିଏ କହିଲା–କାଲି ମୁନି ବିଶ୍ଵାମିତ୍ରଙ୍କ ସହିତ ଯେଉଁ ଦୁଇ ରାଜକୁମାର ଆସିଛନ୍ତି, ସେ ଦୁଇଜଣ ସେହି ରାଜକୁମାର । ନଗରର ଲୋକମାନେ ସେମାନଙ୍କ ବିଷୟରେ ସବୁସ୍ଥାନରେ କଥାବାର୍ତ୍ତା ହେଉଛନ୍ତି ।

 

ଏତିକିବେଳେ ଶ୍ରୀରାମ ଓ ଲକ୍ଷ୍ମଣ ପୁଷ୍ପ ଚୟନ କରୁ କରୁ ନୂପୁରଧ୍ୱନି ଶୁଣିଲେ । ସେ ଧ୍ୱନି ଶୁଣି ଶ୍ରୀରାମ ଲକ୍ଷ୍ମଣଙ୍କୁ ପଚାରିଲେ–ଏ ଉଦ୍ୟାନ ମଧ୍ୟରେ ନୂପୁର ଧ୍ଵନି କେଉଁଠୁ ଶୁଭୁଚି ? ଲକ୍ଷ୍ମଣଙ୍କୁ ଏତକ କହି ସମ୍ମୁଖକୁ ଚାହିଁଦେଖିଲା ବେଳକୁ ସଖୀମାନଙ୍କ ସହିତ ରାଜନନ୍ଦିନୀ ସେ ଦିଗକୁ ଅଗ୍ରସର ହେଉଛନ୍ତି । ଶ୍ରୀରାମଙ୍କର ଚକ୍ଷୁ କ୍ଷଣେ କାଳ ଅପଲକହୋଇ ରହିଗଲା । ଚାରିଚକ୍ଷୁ ମିଳିତ ହେଲା । ବ୍ରହ୍ମା ତାଙ୍କର ସମସ୍ତ ନିପୁଣତାକୁ ଏକତ୍ର କରି ଗୋଟିଏ ମୂର୍ତ୍ତି ଗଠନ କରିଛନ୍ତି ବୋଲି ମନେ ମନେ ଶ୍ରୀରାମ ଭାବିଲେ । ସୀତା ମଧ୍ୟ ମୁଗ୍‌ଧନେତ୍ରରେ ଶ୍ରୀରାମକୁ ଚାହିଁ ସୃଷ୍ଟିକର୍ତ୍ତାଙ୍କର ସୌନ୍ଦର୍ଯ୍ୟ ସୃଷ୍ଟି କଳନା କରୁଥିଲେ ।

 

ଲତାକୁଞ୍ଜ ମଧ୍ୟରୁ ଦୁଇଭାଇ ଯେତେବେଳେ ବାହାରିଲେ, ଶ୍ରୀରାମଙ୍କର ସଂମ୍ପୂର୍ଣ୍ଣରୂପ ସଖୀଙ୍କ ଗହଣ ମଧ୍ୟରେ ସୀତା ନିରୀକ୍ଷଣ କଲେ । ତାଙ୍କର ଲଲାଟର ତିଳକ, କଣ୍ଠରେ କର୍ଣ୍ଣଭୂଷଣ, କୁଟିଳ କେଶପନ୍ତି, ନୀଳକମଳ ସଦୃଶ ଦୁଇ ଚକ୍ଷୁ, ବକ୍ଷର ମଣିମୟ ହାର ଏବଂ ମୃଦୁହାସ୍ୟର ଶୋଭା ଦେଖି ଏବଂ ନଖଠାରୁ ଶିଖା ପର୍ଯ୍ୟନ୍ତ ସମସ୍ତ କଳେବରର ଶୋଭାରାଜି ସନ୍ଦର୍ଶନ କରି ସୀତା ପିତାଙ୍କର ପଣ ସ୍ମରଣ କରି ମନେ ମନେ କ୍ଷୁବ୍‍ଧ ହେଲେ । ଏ ସୁକୁମାର ରାଜପୁରୁଷ କଠୋର ଶିବଧନୁକୁ ଭଙ୍ଗ କରିପାରିବେ କି ନାହିଁ ବୋଲି ତାଙ୍କ ମନରେ ସନ୍ଦେହ ଆସିଲା । ତେଣୁ ମନେ ମନେ ପାର୍ବତୀଙ୍କୁ ନାନାରୂପେ ବନ୍ଦନା କରିବାକୁ ଲାଗିଲେ ।

 

ଶ୍ରୀରାମ ଓ ଲକ୍ଷ୍ମଣ ପୁଷ୍ପଚୟନ କରିସାରି ଗୁରୁଙ୍କ ପାଖକୁ ଫେରିଲେ । ଶ୍ରୀରାମ ଯାହା ଯାହା ଦେଖି ଆସିଥିଲେ ଅତି ସରଳ ଭାବରେ ଗୁରୁଙ୍କ ସମ୍ମୁଖରେ ବର୍ଣ୍ଣନା କଲେ । ପୂଜା ଅର୍ଚ୍ଚନା କରିସାରିବା ପରେ ମୁନି ଦୁଇଭାଇଙ୍କୁ ଆଶୀର୍ବାଦ ଦେଲେ, ପୁଣି ଭୋଜନ ପରେ କେତେଗୁଡ଼ିଏ ପ୍ରାଚୀନ କଥା ବର୍ଣ୍ଣନା କଲେ । କହୁ କହୁ ସନ୍ଧ୍ୟା ହେଲା; ଚନ୍ଦ୍ର ଉଦିତ ହେଲେ । ମୁନିଙ୍କ ଚରଣରେ ପ୍ରଣାମ କରି ଶ୍ରୀରାମ ଲକ୍ଷ୍ମଣ ଶୟନ କକ୍ଷକୁ ଗଲେ ।

 

ପରଦିନ ଜନକ ଶତାନନ୍ଦ ଋଷିଙ୍କୁ ବିଶ୍ଵାମିତ୍ରଙ୍କ ସମୀପକୁ ପଠାଇଲେ । ସେ ଜନକଙ୍କର ଇଚ୍ଛା ବିଶ୍ଵାମିତ୍ରଙ୍କ ନିକଟରେ ପ୍ରକାଶ କଲେ । ବିଶ୍ଵାମିତ୍ର ଜନକଙ୍କର ଆମନ୍ତ୍ରଣ ରକ୍ଷାକରି ଶ୍ରୀରାମ ଓ ଲକ୍ଷ୍ମଣଙ୍କୁ ନେଇ ଜନକଙ୍କର ଯଜ୍ଞଶାଳା ଦେଖିବାକୁ ବାହାରିଲେ । ବାଳକ, ବୃଦ୍ଧ ଓ ଯୁବକ ଯଜ୍ଞ ଦେଖିବାପାଇଁ ସେଠାରେ ଏକତ୍ର । ଶ୍ରୀରାମ ଓ ଲକ୍ଷ୍ମଣ ଏ ଜନତା ମଧ୍ୟରେ ବୀରରସ ମୂର୍ତ୍ତି ଧାରଣକରି ଦଣ୍ଡାୟମାନ ହୋଇଥିଲା ଭଳି ଦେଖାଯାଉଥିଲେ । ଜନତା ମଧ୍ୟରେ ରାକ୍ଷସ ମନୋଭାବଧାରୀ ବ୍ୟକ୍ତିମାନଙ୍କ ନିମନ୍ତେ ଶ୍ରୀରାମଚନ୍ଦ୍ର କାଳ ସଦୃଶ ଥିଲେ । ବିଦ୍ଵାନ୍‌ମାନେ ଶ୍ରୀରାମଚନ୍ଦ୍ରଙ୍କର ବିରାଟ ରୂପ ଅନୁଭବ କରୁଥିଲେ । ଜନକଙ୍କ ହୃଦୟ ସ୍ନେହରସରେ ମୁଗ୍‌ଧ ହୋଇପଡ଼ୁଥିଲା । ଶାନ୍ତଚେତା ଯୋଗୀମାନେ ଶ୍ରୀରାମଚନ୍ଦ୍ରଙ୍କ ଦର୍ଶନରେ ଭକ୍ତିରସରେ ମୁଗ୍‌ଧ ହୋଇପଡ଼ୁଥିଲେ । ସୀତାଙ୍କ ହୃଦୟରେ ଶ୍ରୀରାମଚନ୍ଦ୍ର ସ୍ନେହ ଓ ସୁଖଧାମ ରୂପରେ ଅଧୀନ ହୋଇଥିଲେ ।

 

ଯଜ୍ଞଶାଳାର ଏକ ପାର୍ଶ୍ଵରେ ଗୋଟିଏ ମଞ୍ଚ ଉପରେ ମୁନି ବିଶ୍ଵାମିତ୍ର ସହିତ ଦୁଇଭାଇ ବସିଲେ । ସଭାର ସମସ୍ତଙ୍କର ଦୃଷ୍ଟି ଶ୍ରୀରାମଚନ୍ଦ୍ରଙ୍କ ଆଡ଼କୁ ଆକର୍ଷିତ ହେଲା । ଧନୁଭଗ୍ନ ନିମିତ୍ତ ସେ ହିଁ ଏକା ସମର୍ଥ ବୋଲି ସମସ୍ତଙ୍କ ମନମଧ୍ୟରେ ଦୃଢ଼ ଧାରଣା ହେଲା । କେତେକ ଅଭିମାନୀ ରାଜା ଭାବିଲେ–ରାମଚନ୍ଦ୍ର ଧନୁଭଗ୍ନ କରି ସୀତାଙ୍କୁ ବିବାହ ହେବେ ବୋଲି ମନେ ମନେ ଇଚ୍ଛା କରିଛନ୍ତି, କିନ୍ତୁ ସେ କଥା ହେବନାହିଁ । ସୀତାଙ୍କୁ ନେବା ପୂର୍ବରୁ ଆମ୍ଭମାନଙ୍କ ସହିତ ଯୁଦ୍ଧ କରିବାକୁ ହେବ । କେହି କେହି ଧର୍ମାତ୍ମା ପୁରୁଷମାନେ କହିଲେ–ଯୁଦ୍ଧ ନିମିତ୍ତ ଅଯୋଧ୍ୟାର ରାଜା ଦଶରଥଙ୍କର ପୁତ୍ରମାନେ ଅକ୍ଷମ ନୁହନ୍ତି । ପୁଣି ସୀତା ଜଗଜ୍ଜନନୀ ଏବଂ ଶ୍ରୀରାମଚନ୍ଦ୍ର ପରମପିତା ପରମେଶ୍ଵର । ସୀତା ଓ ଶ୍ରୀରାମଙ୍କର ଦର୍ଶନରେ ଆମ୍ଭମାନଙ୍କର ଜନ୍ମ ସାର୍ଥକ ହୋଇଅଛି ।

Image

 

ଶିବଧନୁ ଭଙ୍ଗ

 

‘ହେ ପୃଥ୍ଵୀପାଳନକାରୀ ରାଜନ୍ୟବୃନ୍ଦ, ଆମ୍ଭେମାନେ ଆମ୍ଭମାନଙ୍କର ବିଶାଳ ବାହୁ ଉତ୍ତୋଳନ କରି ମହାରାଜା ଜନକଙ୍କର ପଣ ଘୋଷଣା କରୁଅଛୁ । ଆପଣମାନଙ୍କର ଚନ୍ଦ୍ରମା ପରି ଭୁଜବଳ ସମ୍ମୁଖରେ ଶିବଧନୁ ରାହୁ ସଦୃଶ । ଏ ଧନୁ ଯେପରି ଗୁରୁ, ସେପରି କର୍କଶ ଅଟେ । ରାବଣ ଓ ବାଣାସୁର ପରି ଯୋଦ୍ଧାମାନେ ଏ ଧନୁକୁ ସ୍ପର୍ଶ କରିବା ପାଇଁ ମଧ୍ୟ ସମର୍ଥ ହୋଇପାରିଲେ ନାହିଁ । ଏ ରାଜସଭା ମଧ୍ୟରେ ଯେଉଁ ରାଜପୁରୁଷ ଏ ଧନୁକୁ ଭଗ୍ନ କରିବାପାଇଁ କ୍ଷମ ହେବେ, ସେ ସୀତାଙ୍କୁ ବିବାହ କରିବେ । ବହୁରାଜା ବହୁ ଚେଷ୍ଟାକରି ଏହାକୁ ଉଠାଇ ପାରିନାହାନ୍ତି । ସେମାନଙ୍କର ସମସ୍ତ ଗର୍ବ ଖର୍ବ ହୋଇଅଛି । ଲଜ୍ଜାବଶତଃ ସେମାନେ ପ୍ରତ୍ୟାବର୍ତ୍ତନ କରିଅଛନ୍ତି ?’ ଏହିପରି କହି କହି ବନ୍ଦୀମାନେ ରାଜାମାନଙ୍କ ସମ୍ମୁଖରେ ଶିବଧନୁର ଗୁଣ ଗାନକଲେ ।

 

ବନ୍ଦୀମାନଙ୍କର ଘୋଷଣା ଶୁଣି ବହୁରାଜା ସ୍ୱସ୍ଥାନ ତ୍ୟାଗକରି ଧନୁ ସମୀପକୁ ଆସିଲେ-। ମନ ମଧ୍ୟରେ ଅଭିମାନ ପୂର୍ଣ୍ଣକରି ବହୁରାଜା ଇଷ୍ଟଦେବଙ୍କୁ ସ୍ମରଣ କରି ଶିବଧନୁ ଉଠାଇବାକୁ ଗଲେ । ତୀକ୍ଷ୍‍ଣ ଦୃଷ୍ଟିରେ ଧନୁକୁ ଦେଖିଲେ । ଶରୀରର ସମସ୍ତ ପ୍ରକାରର ଶକ୍ତି ପ୍ରୟୋଗ କଲେ; କିନ୍ତୁ ଧନୁ ଉଠିଲା ନାହିଁ । ଅନେକ ବିବେକୀ ସମୀପକୁ ଗଲେନାହିଁ । କେତେକ ଧନୁକୁ ଧରିଲେ; କିନ୍ତୁ ସମସ୍ତ ବଳ ଲଗାଇଲେ ମଧ୍ୟ ତାହା ନ ଉଠିବାରୁ ଲଜ୍ଜାବଶତଃ ସେମାନେ ସେଠାରୁ ଫେରିଆସିଲେ । ଦଶହଜାର ରାଜା ଏକାଥରକେ ଧନୁ ଉଠାଇବାକୁ ଲାଗିଲେ । ବଳବାନ୍ ରାଜାମାନଙ୍କର ସ୍ପର୍ଶ ପାଇ ଧନୁ ଅଧିକ ଭାରୀ ହେବାକୁ ଲାଗିଲେ । ସେମାନଙ୍କର ହୃଦୟରେ କ୍ଷୋଭ ଆସିଲା ।

 

ରାଜା ମହାରାଜା ସେମାନଙ୍କର ଅକ୍ଷମତା ଲକ୍ଷ୍ୟକରି ରାଜା ଜନକଙ୍କ ମନରେ ବଡ଼ ଦୁଃଖ ଆସିଲା । ସେ କହିଲେ, ମୋର ବର୍ତ୍ତମାନ ଦୃଢ଼ ଧାରଣା ହୋଇଅଛି ଯେ ପୃଥିବୀ ବୀରଶୂନ୍ୟ ହୋଇଗଲା । ସୀତାଙ୍କୁ ବିବାହ ଦେବାପାଇଁ ସୃଷ୍ଟିକର୍ତ୍ତା ବର୍ତ୍ତମାନ ଇଚ୍ଛା କରୁନାହାନ୍ତି । ମୋର କନ୍ୟା କୁମାରୀ ହୋଇ ରହିବ ।

 

ରାଜାଙ୍କର ଏ ତାଚ୍ଛଲ୍ୟବାଣୀ ଶୁଣି ଲକ୍ଷ୍ମଣ ଆଉ ସହିପାରିଲେ ନାହିଁ । ସେ ବିଚଳିତ ହୋଇ ପଡ଼ିଲେ; କିନ୍ତୁ ଶ୍ରୀରଘୁନାଥଙ୍କ ଡରରେ କିଛି କହିପାରିଲେ ନାହିଁ । ଜନକଙ୍କର କଥାଗୁଡ଼ିକ ତାଙ୍କ ହୃଦୟରେ ଶରପରି ଭେଦକଲା । ହୃଦୟରେ କ୍ରୋଧ ପ୍ରଜ୍ଵଳିତ ହେଲା । ଶ୍ରୀରାମଙ୍କ ଚରଣରେ ପ୍ରଣାମ କରି ସେ ଦଣ୍ଡାୟମାନ ହୋଇ କହିଲେ–ହେ ରାଜା, ଅଯୋଧ୍ୟାର ରଘୁବଂଶର କୌଣସି ପୁରୁଷ କୌଣସି ସମାଜରେ ଥିଲାବେଳେ ଏପରି ଅନୁଚିତ କଥା ପ୍ରଚାର କରାଯିବା ଉଚିତ ନୁହଁ । ରଘୁକୁଳଶିରୋମଣି ଶ୍ରୀରାମଚନ୍ଦ୍ର ସଭାରେ ଉପସ୍ଥିତ ଥାଉଁ ଥାଉଁ ରାଜା ଜନକଙ୍କ ମୁଖରେ ଏପରି କଥା ଶୋଭା ପାଏନାହିଁ । ହେ ସୂର୍ଯ୍ୟବଂଶର ଶିରୋମଣି, ରଘୁକୁଳତିଳକ ! ମୁଁ କୌଣସି ଅଭିମାନ କରି କହୁନାହିଁ; ଆପଣ ମୋତେ ଯଦି ଅନୁମତି ଦିଅନ୍ତି, ମୁଁ ଏ ସମଗ୍ର ବ୍ରହ୍ମାଣ୍ଡକୁ କନ୍ଦୁକ ସଦୃଶ ଉତ୍‌ଥାପନ କରି ଏହାକୁ କ୍ଷିତି ନିର୍ମିତ ଏକ କଳସ ସଦୃଶ ଭଗ୍ନ କରିବି । ମୁଁ ସୁମେରୁ ପର୍ବତକୁ ଖଣ୍ଡ ଖଣ୍ଡ କରିଦେଇପାରେ । ଆପଣଙ୍କର ପ୍ରତାପ ସମ୍ମୁଖରେ ଏ ପୁରାତନ ଧନୁ ସାମାନ୍ୟ ମାତ୍ର । ଆପଣଙ୍କର ଆଜ୍ଞା ପାଇଲେ ଏ ଧନୁକୁ ମୁଁ ସାମାନ୍ୟ ଛତୁ ପରି ଟିକିଟିକି କରିଦେବି । ଯଦି ଏହା କରି ନ ପାରେ, ମୁଁ ଆପଣଙ୍କ ଚରଣର ଶପଥ ନେଇ କହୁଛି ମୁଁ ଆଉ ଧନୁଶର ହାତରେ ଧରିବି ନାହିଁ ।

 

ଲକ୍ଷ୍ମଣଙ୍କର ଏ ସେ କ୍ରୁଦ୍ଧବାଣୀ ଶୁଣି ପୃଥିବୀ କମ୍ପି ଉଠିଲା । ରାଜାମାନେ ଭୟରେ ଥରହର ହେଲେ । ସୀତାଙ୍କ ହୃଦୟ ଆନନ୍ଦପୂର୍ଣ୍ଣ ହୋଇଗଲା । ଶ୍ରୀରାମ ଲକ୍ଷ୍ମଣଙ୍କୁ ସଂକେତଦ୍ଵାରା ବାରଣକରି ନିଜ ସମୀପକୁ ଡାକିଆଣି ବସାଇଲେ ।

 

ଏତିକିକେବେଳେ ଗୁରୁ ବିଶ୍ୱାମିତ୍ର ଉପଯୁକ୍ତ ସମୟ ବିଚାରି ଶ୍ରୀରାମଚନ୍ଦ୍ରଙ୍କୁ କହିଲେ–ହେ ଶ୍ରୀରାମ, ଉଠ, ଶିବଧନୁ ଭଗ୍ନକରି ଜନକଙ୍କ ମନରୁ ଦୁଃଖ ଦୂରକର । ଶ୍ରୀରାମ ଦଣ୍ଡାୟମାନ ହୋଇ ଗୁରୁଙ୍କୁ ପ୍ରଣାମ କଲେ । ଗୁରୁଙ୍କର ଆଜ୍ଞା ଲାଭକରି ଶିବଧନୁ ସମୀପକୁ ଗଲେ; ପିତା ଓ ଦେବତାମାନଙ୍କୁ ବନ୍ଦନା କରିସାରି ଶିବଧନୁ ଧରିଲେ ।

 

ରାମଚନ୍ଦ୍ରଙ୍କ ହସ୍ତରେ ଶିବଧନୁକୁ ଦେଖି ସୀତା ଦେବତାମାନଙ୍କୁ ପ୍ରାର୍ଥନା କଲେ । ତାଙ୍କର ଶରୀର ରୋମାଞ୍ଚିତ ହେଲା । ସେ ମନେ ମନେ କହିଲେ–ମୋର ପିତା ଏ କଠୋର ପଣ ରଖିଲାବେଳେ ଲାଭ-ହାନିର ବିଷୟ ବିଚାର କରିନାହାନ୍ତି । ମୋର ଶରୀର, ମନ ଓ ବଚନ ଯଦି ଶ୍ରୀରାମଙ୍କ ଚରଣକମଳରେ ଥାଏ, ତେବେ ମୁଁ ନିଶ୍ଚୟ ତାଙ୍କୁ ପାଇବି ।

 

ସେତିକିବେଳେ ଲକ୍ଷ୍ମଣ ଶ୍ରୀରାମଚନ୍ଦ୍ରଙ୍କୁ ଚାହିଁ ସମଗ୍ର ବ୍ରହ୍ମାଣ୍ଡକୁ ନିଜ ଚରଣଦ୍ଵାରା ଦବାଇରଖି କହିଲେ–ହେ ଦିଗ୍‍ଗଜବୃନ୍ଦ, ହେ କଚ୍ଛପ, ହେ ବରାହ, ତୁମ୍ଭେମାନେ ସମସ୍ତେ ଧୈର୍ଯ୍ୟଧାରଣପୂର୍ବକ ପୃଥିବୀକୁ ସ୍ଥିର ରଖ । ପୃଥିବୀ ଅସ୍ଥିର ନ ହେଉ । ଶ୍ରୀରାମ ଶିବଧନୁ ଭଗ୍ନ କରିବାକୁ ଇଚ୍ଛା କରୁଛନ୍ତି ।

 

ଶ୍ରୀରାମଚନ୍ଦ୍ରଙ୍କ ହସ୍ତରେ ଧନୁ ବିଜୁଳିପରି ଚମକି ଉଠିଲା ଏବଂ ଆକାଶରେ ତାହା ଏକ ମଣ୍ଡଳାକାର ରୂପ ଧାରଣ କଲା । ଶ୍ରୀରାମଚନ୍ଦ୍ର ଏପରିଭାବରେ ତାହାର କୋଟିକୁ ଆକର୍ଷଣ କଲେ ସେ ଧନୁ ମଧ୍ୟଭାଗରୁ ଭଗ୍ନହେଲା । ଭୀଷଣ ଓ ତୀବ୍ର ଧ୍ୱନି ପୃଥିବୀକୁ ପ୍ରକମ୍ପିତ କଲା । ପୃଥିବୀ ଅଗ୍ରପଶ୍ଚାତ୍‌ ଦୋଳାୟମାନ ହେବାକୁ ଲାଗିଲା । ଅନନ୍ତ, କଚ୍ଛପ ଓ ବରାହ କମ୍ପିତ ହେଲେ । ଦେବତା ଓ ରାକ୍ଷସ ଚକିତ ହୋଇ ଦେଖିବାକୁ ଲାଗିଲେ । ସବୁ ଦିଗରୁ ‘ଜୟ’ ‘ଜୟ’ ଧ୍ୱନି ଉଠିଲା ।

 

ଧନୁ ଦୁଇଖଣ୍ଡ ହୋଇ ପୃଥିବୀ ଉପରେ ପଡ଼ିଲା । ସଭାସ୍ଥ ଲୋକମାନେ ଶ୍ରୀରାମଚନ୍ଦ୍ରଙ୍କୁ ଧନ୍ୟ ଧନ୍ୟ କଲେ । ଭାଟ ଓ ମାଗଧମାନେ ଶ୍ରୀରାମଚନ୍ଦ୍ରଙ୍କର କୀର୍ତ୍ତି ଗାନ କଲେ । ଜନକ ଓ ତାଙ୍କର ରାଣୀମାନଙ୍କ ମନରୁ ସମସ୍ତ ଦୁଃଖ ଦୂର ହେଲା । ଚାତକକୁ ସ୍ଵାତୀଜଳ ମିଳିଲାପରି ସୀତା ଅତ୍ୟନ୍ତ ଆନନ୍ଦିତା ହେଲେ ।

 

ଜନକଙ୍କର କୁଳପୁରୋହିତ ଶତାନନ୍ଦଙ୍କ ନିର୍ଦ୍ଦେଶରେ ସୀତା ସଖୀମାନଙ୍କ ସହିତ ଶ୍ରୀରାମଙ୍କ ନିକଟକୁ ବାହାରିଲେ । ସୁନ୍ଦର ଛବିଗୁଡ଼ିକ ମଧ୍ୟରେ ଅତ୍ୟନ୍ତ ସୁନ୍ଦର ଛବିଟିଏ ଥିଲାପରି ସଖୀମାନଙ୍କ ଗହଣରେ ସୀତା ସୁଶୋଭିତ ହେଉଥିଲେ । ତାଙ୍କର କରକମଳରେ ମନୋହର ଜୟମାଳା ଥିଲା । ସଖୀମାନଙ୍କର ଆଦରସୂଚକ ନାନା ହାସ-ପରିହାସ ମଧ୍ୟରେ ସୀତା ଦୁଇହସ୍ତରେ ଶ୍ରୀରାମଚନ୍ଦ୍ରଙ୍କ ଗ୍ରୀବାଦେଶରେ ପୁଷ୍ପମାଲ୍ୟ ଲମ୍ବାଇଦେଲାବେଳେ ସତେ ଯେପରି ସେ ଚନ୍ଦ୍ରଙ୍କ ଗଳାରେ ପୁଷ୍ପମାଲ୍ୟ ଲମ୍ବାଇ ଦେଉଥିଲାପରି ପ୍ରତୀୟମାନ ହେଉଥିଲେ । ଆକାଶରୁ ଦୁନ୍ଦୁଭି ଧ୍ୱନି ଶୁଭିଲା । ଦେବାଙ୍ଗନାମାନେ ପୁଷ୍ପବୃଷ୍ଟି କଲେ ।

 

କେତେକ ରାଜାଙ୍କୁ ଏସବୁ କଥା ଭଲ ଦିଶିଲା ନାହିଁ । ସେମାନେ ଶ୍ରୀରାମଚନ୍ଦ୍ରଙ୍କ ସହିତ ଯୁଦ୍ଧ କରିବେ ବୋଲି ମନେ ମନେ ସ୍ଥିର କଲେ । ସେମାନଙ୍କ ମନର ଏ ପ୍ରକାର ଦୁର୍ଭାବନା କେତେକ ସାଧୁ ରାଜାଙ୍କୁ ଭଲଲାଗିଲା ନାହିଁ । ସେମାନେ ବିରୋଧ କରିବାକୁ ବସିଲେ । ସ୍ଵୟଂବର ସଭାରେ କୋଳାହଳ ଧ୍ଵନି ଶୁଭିଲା । ଶ୍ରୀରାମଚନ୍ଦ୍ର ଏସବୁ ଶୁଣିଲେ ସୁଦ୍ଧା ବିଚଳିତ ହେଲେ ନାହିଁ । କ୍ରମେ କ୍ରମେ ସେମାନଙ୍କର ବିରୋଧଭାବ ଦୂର ହୋଇଗଲା ।

Image

 

Unknown

ଲକ୍ଷ୍ମଣ ଓ ପର୍ଶୁରାମ ଆଖ୍ୟାନ

 

ଶିବଧନୁର ଭଗ୍ନଟଙ୍କାର ଆକାଶ ପାତାଳ କମ୍ପିତ କଲା । ଏ ଟଙ୍କାର ପର୍ଶୁରାମଙ୍କର କର୍ଣ୍ଣରେ ପଡ଼ିବା ମାତ୍ରେ ସେ ମୁହୂର୍ତ୍ତକ ମଧ୍ୟରେ ଆସି ଜନକଙ୍କ ସଭାରେ ପହଞ୍ଚିଲେ । ରାଜାମାନେ ତାହାକୁ ଦେଖି ସଙ୍କୁଚିତ ହେଲେ । ଶିରୋଦେଶ ଜଟାଭାର ଓ ବିଶାଳ ଲଲାଟପଟ ତ୍ରିପୁଣ୍ଡୁ ଦ୍ଵାରା ଶୋଭିତ ହେଉଥିଲା । କନ୍ଧ ଉପରେ ଯଜ୍ଞୋପବୀତ, କଟୀରେ ମୃଗଚର୍ମ, ହସ୍ତରେ ଧନୁର୍ବାଣ ଓ କାନ୍ଧ ଉପରେ ବିଶାଳ କୁଠାର ଦେଖି ରାଜାମାନଙ୍କ ହୃଦୟରେ ଭୟର ଉଦ୍ରେକ ହେଲା । ବୀରରସ ମୁନିବେଶ ପରିଗ୍ରହ କଲାପରି ଦେଖାଯାଉଥିଲା । ରାଜାମାନେ ତାହାଙ୍କର ଦର୍ଶନମାତ୍ରେ ତାଙ୍କୁ ପ୍ରଣାମ କରିବାପାଇଁ ସ୍ଵତଃପ୍ରବୃତ୍ତ ହୋଇ ତାଙ୍କର ସମୀପରେ ପହଞ୍ଚିଲେ । ଜନକ ତାହାଙ୍କୁ ପ୍ରଣାମ କଲେ । ସୀତା ନମସ୍କାର କରିବାରୁ ପର୍ଶୁରାମ ତାହାଙ୍କୁ ଆର୍ଶୀର୍ବାଦ ଦେଲେ ।

 

ବିଶ୍ଵାମିତ୍ରଙ୍କ ଆଦେଶରେ ରାମ ଏବଂ ଲକ୍ଷ୍ମଣ ପର୍ଶୁରାମଙ୍କୁ ନମସ୍କାର କଲେ । ପର୍ଶୁରାମଙ୍କ ମନରେ ଭିନ୍ନଭାବ ଉଦିତ ହେଲା । ସେ ପଚାରିଲେ–ଏଠାରେ ଏପରି ଜନସମାବେଶ କାହିଁକି ହୋଇଅଛି ? ଜନକ ତାଙ୍କୁ ଆମୂଳଚୂଳ ସମସ୍ତ ଘଟଣା କହିଲେ । ଧନୁଟି ଦୁଇ ଗଡ଼ ହୋଇ ପଡ଼ିଥିବାର ଦେଖି ସେ ଜନକଙ୍କୁ ପୁଣି ପଚାରିଲେ–ଏ ଧନୁ କିଏ ଭାଙ୍ଗିଛି ? ମୋତେ ଏହାର ଉତ୍ତର ଶୀଘ୍ର ପ୍ରଦାନ କର, ନ ହେଲେ ତୁମର ଏ ରାଜ୍ୟକୁ ମୁଁ ଓଲଟାଇଦେବି ।

 

ପର୍ଶୁରାମଙ୍କର ଏ କ୍ରୂଦ୍ଧବଚନ ଶୁଣି ଜନକଙ୍କ ମନରେ ଭୟହେଲା । ସଭାରେ ବସିଥିବା ବ୍ୟକ୍ତିମାନେ ଭୟରେ କମ୍ପିବାକୁ ଲାଗିଲେ । ହଠାତ୍ ପର୍ଶୁରାମଙ୍କର ଆବିର୍ଭାବ ଏବଂ ତାଙ୍କର କ୍ରୋଧପୂର୍ଣ୍ଣ ବଚନ ଶୁଣିଲେ ମଧ୍ୟ ଶ୍ରୀରାମଚନ୍ଦ୍ର ଚିନ୍ତିତ ହେଲେ ନାହିଁ । ସେ ପର୍ଶୁରାମଙ୍କ ସମ୍ମୁଖକୁ ଆସି ବିନମ୍ର ସ୍ଵରରେ କହିଲେ–“ଆପଣଙ୍କର ଜଣେ ଦାସ ଏ ଶିବଧନୁ ଭାଙ୍ଗିଛି ।” ପର୍ଶୁରାମ କହିଲେ–“ଯେ ସେବା କରେ ସେ ସେବକ । ଶତ୍ରୁଭାବରେ କାର୍ଯ୍ୟ କରି ଯୁଦ୍ଧ କରିବା ଆବଶ୍ୟକ । ହେ ରାମ ! ଶୁଣ, ଏ ଶିବଧନୁ ଯେ ଭଗ୍ନ କରିଛି, ସହସ୍ରବାହୁ ରାକ୍ଷସ ସଦୃଶ ସେ ମୋର ମଧ୍ୟ ଶତ୍ରୁ ଅଟେ । ଏ ସଭାସ୍ଥ ସମାଜଠାରୁ ତୁମେ ବିଚ୍ଛିନ୍ନ ହୋଇ ଦଣ୍ଡାୟମାନ ହୁଅ । ତା’ ନ ହେଲେ ଏ ସମଗ୍ର ରାଜସଭାର ରାଜାମାନେ ମୃତ୍ୟୁ ବରଣ କରିବେ ।”

 

ଏପର୍ଯ୍ୟନ୍ତ ଲକ୍ଷ୍ମଣ ମୁନିଙ୍କ ବଚନ ଶୁଣୁଥିବାବେଳେ ମନ୍ଦ ମନ୍ଦ ହସୁଥିଲେ । ସେ ଶ୍ରୀରାମଙ୍କ ପାର୍ଶ୍ଵରେ ଦଣ୍ଡାୟମାନ ହୋଇ ମୁନିଙ୍କୁ କହିଲେ–“ହେ ଗୋସାଇଁ, ମୁଁ ମୋର ବାଲ୍ୟକାଳରେ ଅନେକ ଧନୁ ଭଗ୍ନ କରିଛି; କିନ୍ତୁ ଆପଣ ତ କେବେ କ୍ରୋଧ କରିନାହାନ୍ତି । ଏ ଧନୁପ୍ରତି ଆପଣଙ୍କର ଏତେ ମମତା କାହିଁକି ?”

 

ପର୍ଶୁରାମଙ୍କର ମୁଖର ବର୍ଣ୍ଣ ବଦଳିଗଲା । ସେ କୋପପୂର୍ଣ୍ଣ କଣ୍ଠରେ କହିଲେ–“ହେ ରାଜପୁତ୍ର ! ତୁମେ ବର୍ତ୍ତମାନ କାଳର ବଶବର୍ତ୍ତୀ ହୋଇଥିବା ଯୋଗୁଁ ଚେତନାଶକ୍ତି ତୁମର ଲୋପ ହୋଇଯାଇଛି । ଜଗତବିଖ୍ୟାତ ଶିବଧନୁ ସହିତ ତୁମେ ତୁମର ସେ ବାଲ୍ୟ ବୟସର ଧନୁକୁ ସମାନ କରୁଛ ?”

 

ଲକ୍ଷ୍ମଣ କହିଲେ–“ସବୁ ଧନୁ ସମାନ ବୋଲି ମୋର ଧାରଣା । ପୁରାତନ ଧନୁ ଭଗ୍ନ କରିବାରେ ବା କି ଲାଭ-ଦାନ ରହିଛି ? ମୋର ଜ୍ୟେଷ୍ଠଭ୍ରାତା ଶ୍ରୀରାମଚନ୍ଦ୍ର ଏ ଧନୁକୁ ନୂତନ ବୋଲି ମନେ କରିଥିଲେ; କିନ୍ତୁ ସେ ତାହା ସ୍ପର୍ଶ କରୁ କରୁ ଭାଙ୍ଗିଗଲା । ସେଥିରେ ବା ତାଙ୍କର ଦୋଷଗୁଣ କଣ ବାଛୁଛନ୍ତି । ଆପଣ ବିନାକାରଣରେ କାହିଁକି ଏପରି ରୁଷ୍ଟ ହେଉଛନ୍ତି ।

 

ପର୍ଶୁରାମ ନିଜ କୁଠାରକୁ ଉଠାଇ ତାଙ୍କୁ ଚାହିଁ କହିଲେ–ଆରେ ଦୁଷ୍ଟ, ତୁ ମୋର ସ୍ଵଭାବ ବିଷୟରେ କିଛି ଜାଣିନାହୁଁ । ବାଳକ ବୋଲି ମନେକରି ମୁଁ ତୋତେ ବଧ କରିବାକୁ ଇଚ୍ଛା କରୁନାହିଁ-। ମୁଁ ବାଲ୍ୟକାଳରୁ ବ୍ରହ୍ମଚାରୀ, ପୁଣି ଅତ୍ୟନ୍ତ କ୍ରୋଧୀ । କ୍ଷତ୍ରିୟ କୁଳର ଶତ୍ରୁ ବୋଲି ସମଗ୍ର ଜଗତରେ ମୋତେ କିଏ ନ ଜାଣେ ? ମୁଁ ମୋର ବାହୁବଳରେ ଏହି ରସାତଳକୁ ରାଜାହୀନ କରି ତାହାକୁ କେତେ ଥର ବ୍ରାହ୍ମଣମାନଙ୍କ ହାତରେ ଦେଇଛି । ସହସ୍ରବାହୁକୁ ହତ୍ୟା କରିଥିବା ଏ କୁଠାରକୁ ଦେଖ । ମୋର ଏ କୁଠାର ବଡ଼ ଭୟାନକ । ଗର୍ଭସ୍ଥ ବାଳକମାନଙ୍କୁ ମଧ୍ୟ ଏହା ନାଶ କରିଦିଏ ।

 

ଲକ୍ଷ୍ମଣ ପୁଣି କୋମଳ କଣ୍ଠରେ କହିଲେ–ହେ ମୁନୀଶ୍ଵର ! ଆପଣ ସ୍ଵୟଂ ଏକ ମହାଯୋଦ୍ଧା ବୋଲି ମନେକରୁଛନ୍ତି, ବାରମ୍ବାର ମୋତେ କୁଠାର ଦେଖାଉଛନ୍ତି, ଫୁକାର ଦ୍ଵାରା ପାହାଡ଼ ଉଡ଼ାଇ ଦେବାକୁ ଇଚ୍ଛା କରୁଛନ୍ତି । ଆପଣ ମନେକରନ୍ତୁ ନାହିଁ, ଏଠାରେ କେହି ଶିଶୁ କୁଷ୍ମାଣ୍ଡ ନୁହନ୍ତି ଯେ ଆପଣଙ୍କର ଅଙ୍ଗୁଳି ନିର୍ଦ୍ଦେଶ ଦ୍ଵାରା ମୃତ୍ୟୁ ଲାଭ କରିବେ । ଆପଣଙ୍କ ହାତରେ କୁଠାର ଓ ସ୍କନ୍ଧଦେଶରେ ଧନୁର୍ବାଣ ଦେଖି ମୁଁ ସେପରି କହିଥିଲି । ଆପଣ ଭୃଗୁବଂଶୀ ଏବଂ ଯଜ୍ଞୋପବୀତ ଧାରଣ କରିଅଛନ୍ତି । ସେହି ହେତୁରୁ ମୁଁ ଆପଣଙ୍କର ସମସ୍ତ ଅସହ୍ୟ କଥା ସହିଯାଉଛି । ମୋତେ କ୍ରୋଧ ଦମନ କରିବାକୁ ପଡ଼ୁଛି । ଆମ କୁଳର କେତେକ ନିୟମ ଅଛି–ଆମ କୁଳର କେହି ଦେବତା, ବ୍ରାହ୍ମଣ, ଭକ୍ତ ଓ ଗାଭୀମାନଙ୍କ ଉପରେ ନିଜର ବୀରତା ପ୍ରକାଶ କରନ୍ତି ନାହିଁ । ଏମାନଙ୍କୁ ନାଶ କଲେ ପାପ ଲାଗେ ଏବଂ ସେମାନଙ୍କଠାରେ ପରାଜୟ ଲାଭକଲେ ଅପକୀର୍ତ୍ତି ମିଳେ । ତେଣୁ ଆପଣ ଆମ୍ଭମାନଙ୍କୁ ବଧ କରିବାକୁ ବସିଲେ ମଧ୍ୟ ଆମ୍ଭେମାନେ ଆପଣଙ୍କର ପାଦତଳେ ପଡ଼ିବୁ ।

 

ଆପଣଙ୍କର ଗୋଟିଏ ଗୋଟିଏ କଥା ଗୋଟିଏ ଗୋଟିଏ ବଜ୍ର ସଦୃଶ ଅଟେ । ଧନୁର୍ବାଣ ଏବଂ କୁଠାର ଆପଣଙ୍କ ପାଖରେ ବ୍ୟର୍ଥ ଅଟେ । ଆପଣଙ୍କର ଏ ଧନୁର୍ବାଣ ଓ କୁଠାର ଦେଖି ଯଦି ମୁଁ କିଛି ଅନୁଚିତ କଥା କହିଥାଏ, ତାହାହେଲେ ହେ ମହାମୁନି ! ହେ ଧୀର ! ମୋତେ କ୍ଷମା ଦିଅନ୍ତୁ ।

 

ପର୍ଶୁରାମ ଏସବୁ ବଚନ ଶୁଣି କ୍ରୋଧରେ ଗର୍ଜନ କରି କହିଲେ–ହେ ବିଶ୍ଵାମିତ୍ର । ଏ ବାଳକ ବଡ଼ ମନ୍ଦବୁଦ୍ଧି ଓ କୁଟିଳ ଅଟେ । କାଳର ଅଧୀନ ହୋଇଥିବାରୁ ଏ କୂଳନାଶ କରିବାକୁ ବସିଛି ? ସୂର୍ଯ୍ୟବଂଶରୂପୀ ପୂର୍ଣ୍ଣଚନ୍ଦ୍ର ଦେହରେ ଏ ଗୋଟିଏ କଳଙ୍କ । ଏ ଯେପରି ମୂର୍ଖ, ସେହିପରି ଉଦ୍ଦଣ୍ଡ ଅଟେ । ଅଳ୍ପସମୟ ମଧ୍ୟରେ ଏହାକୁ କାଳଗ୍ରାସ କରିବି । ମୁଁ ଆଗରୁ କହିରଖୁଛି, ଏଥିରେ ମୋର କୌଣସି ଦୋଷ ନାହିଁ । ତୁମେ ଯଦି ଏହାକୁ ରକ୍ଷାକରିବା ପାଇଁ ପ୍ରସ୍ତୁତ ଅଛ, ତେବେ ମୋର ପ୍ରତାପ ବଳ ଆଦି କଥା ବୁଝାଇଦେଇ ଏହାକୁ ଆକଟ କର ।

 

ଲକ୍ଷ୍ମଣ ପୁଣି କହିଲେ, ହେ ମୁନିଶ୍ରେଷ୍ଠ ! ଆପଣ ବିଦ୍ୟମାନ ଥାଉ ଥାଉ ଆପଣଙ୍କର ଯଶ ଆଉ କିଏ ବର୍ଣ୍ଣନା କରିପାରିବ ? ଆପଣ ଏତେ ବଡ଼ିମା ପ୍ରକାଶ କରିବାପରେ ସନ୍ତୁଷ୍ଟ ହୋଇପାରି ନାହାନ୍ତି । ତେବେ ଆଉ ଯାହା କହିବାର ଅଛି, କହିଯାନ୍ତୁ । କ୍ରୋଧକୁ ଦମନ କରି ଅସହ୍ୟ ଦୁଃଖ ସହିବା ଉଚିତ ନୁହଁ । ବୀରତାର ବ୍ରତ ଧାରଣ କରି ଆପଣ ଧୈର୍ଯ୍ୟବାନ୍ ଅଟନ୍ତି, ପୁଣି କ୍ରୋଧରହିତ ହୋଇ ଆପଣଙ୍କ ମୁଖରେ ଭର୍ତ୍ସନା ଶୋଭାପାଉନାହିଁ । ଶୂର ବୀରମାନେ ଯୁଦ୍ଧରେ ନିଜର ବୀରତା ପ୍ରଦର୍ଶନ କରନ୍ତି; କିନ୍ତୁ କେବଳ କଥାରେ ନିଜର ବଳବୀର୍ଯ୍ୟ ପ୍ରକାଶ କରିବାପାଇଁ ବସନ୍ତି ନାହିଁ । ଶତ୍ରୁକୁ ଯୁଦ୍ଧକ୍ଷେତ୍ରରେ ଅବତୀର୍ଣ୍ଣ ଦେଖି କେବଳ ଦୁର୍ବଳ ଲୋକମାନେ ନିଜର ପ୍ରତାପର ମହତ୍ତ୍ଵ ଶୁଣାଇଥାନ୍ତି । ଆପଣ ମୋ ନିମନ୍ତେ କେତେ ଥର କାଳକୁ ଆହ୍ୱାନ ଦେଲେଣି ?

 

ଲକ୍ଷ୍ମଣଙ୍କର ଏ କର୍କଶ ବଚନ ଶୁଣି ପର୍ଶୁରାମ ନିଜର କୁଠାର ଉଠାଇ ପୁଣି ନିଜକୁ ସମ୍ଭାଳି ନେଲେ । ସେ କହିଲେ–ଲୋକେ ମୋତେ ଦୋଷ ଦେବେ ସତ; କିନ୍ତୁ ଏପରି କର୍କଶବାଣୀ କହୁଥିବା ଏ ବାଳକ ମୃତ୍ୟୁର ଯୋଗ୍ୟ ଅଟେ । ବାଳକ ବୋଲି ମୁଁ ଏହାକୁ ରକ୍ଷା କରୁଛି, କିନ୍ତୁ ପ୍ରକୃତରେ ଏ ମୃତ୍ୟୁକୁ ଆହ୍ୱାନ କରୁଛି ।

 

ବିଶ୍ଵାମିତ୍ର କହିଲେ–ଅପରାଧ କ୍ଷମା କରନ୍ତୁ; ବାଳକମାନଙ୍କର ଦୋଷ ଓ ଗୁଣ ସାଧୁଲୋକମାନେ ଗଣନା କରନ୍ତି ନାହିଁ ।

 

ପର୍ଶୁରାମ କହିଲେ–ଏ ତୀକ୍ଷ୍‌ଣ ଶାଣିତ କୁଠାର ମୋ ହାତରେ ରହିଛି । ମୁଁ ନିର୍ଦ୍ଦୟ ଏବଂ କ୍ରୋଧୀ । ଏ ଗୁରୁଦ୍ରୋହୀ ଅପରାଧୀ ମୋ କଥାରେ କଥା କହୁଛି । ତଥାପି ମୁଁ ଏହାକୁ ବଧ ନ କରି ତ୍ୟାଗକରୁଛି । ହେ ବିଶ୍ଵାମିତ୍ର, ଆପଣଙ୍କ ପ୍ରତି ମୋର ଯେ ଗଭୀର ସ୍ନେହ ରହିଛି ସେଥିପାଇଁ ମୋ କୁଠାର ଉଠୁନାହିଁ; ନ ହେଲେ ଏ କଠୋର କୁଠାରଦ୍ଵାରା ଏହାକୁ ଛିନ୍ନ କରି ଗୁରୁଋଣରୁ ମୁକ୍ତ ହୁଅନ୍ତି-

 

ଲକ୍ଷ୍ମଣ ପୁଣି କହିବାକୁ ଲାଗିଲେ–ଆପଣଙ୍କର ସ୍ଵଭାବ ସଂସାରରେ ନ ଜାଣିଛି କିଏ ? ଆପଣ ପିତାମାତାଙ୍କ ଋଣ ତ ପରିଶୋଧ କରିସାରିଛନ୍ତି, ଗୁରୁଋଣ ବାକୀ ରଖିଛନ୍ତି; ସେଥିପାଇଁ ଆପଣଙ୍କ ମନରେ ଦୁଃଖ ରହିଛି । ତାହା ମୋରି ମୁଣ୍ଡରେ ପରିଶୋଧ କରନ୍ତୁ । ବହୁତ ଦିନ ଅତୀତ ହୋଇଗଲାଣି, ସୁଧ ବହୁତ ବୃଦ୍ଧି ଲାଭ କଲାଣି । ତେଣୁ ଆପଣ କୌଣସି ଗାଣିତିକ ହିସାବ ଜାଣିଥିବା ଲୋକକୁ ଡାକନ୍ତୁ, ତାହେଲେ ମୁଁ ଥଳି ଖୋଲି ଦେଇଦେବି । ହେ ଭୃଗୁଶ୍ରେଷ୍ଠ ନୃପତିଶତ୍ରୁ, ଆପଣ ବ୍ରାହ୍ମଣ ବୋଲି ମୁଁ ଆଜି ଆପଣଙ୍କୁ ମୁକ୍ତି ଦେଉଛି । ଏ ପର୍ଯ୍ୟନ୍ତ ରଣରଙ୍କ ବଳବାନ୍ ବୀର ଆପଣଙ୍କୁ କେହି ମିଳିନାହାନ୍ତି ।

 

ଏତିକିବେଳେ ଶ୍ରୀରାମଚନ୍ଦ୍ର ଲକ୍ଷ୍ମଣଙ୍କୁ ଇଙ୍ଗିତ ଦ୍ଵାରା ନିବୃତ୍ତ କଲେ । ଶ୍ରୀରାମ ପର୍ଶୁରାମଙ୍କୁ କହିଲେ–ହେ ନାଥ ! ଏ ବାଳକ ଉପରେ ଦୟା କରନ୍ତୁ । ଆପଣଙ୍କର ପ୍ରଭାବ ଯଦି ସେ ସାମାନ୍ୟ ମଧ୍ୟ ଜାଣିଥାନ୍ତା ତେବେ ସେ ନ ବୁଝି ନ ଶୁଝି ଏପରି କଥାସବୁ କହି ନଥାନ୍ତା । ବାଳକମାନେ ଚପଳତା ଦେଖାଇଲେ ଗୁରୁ, ପିତାମାତାଙ୍କ ମନରେ ଆନନ୍ଦ ଆସେ । ଆପଣ ସମଦର୍ଶୀ, ଧୀର ଓ ଜ୍ଞାନୀ ପୁରୁଷ । ଏହାକୁ କ୍ଷୁଦ୍ର ବାଳକ ଓ ସେବକ ବୋଲି ମନେ କରି ଏହା ଉପରେ କୃପା କରନ୍ତୁ ।

 

ଶ୍ରୀରାମଙ୍କର ଏ ସାନ୍ତ୍ୱନା ବାକ୍ୟ ଶୁଣି ପର୍ଶୁରାମ କ୍ରୋଧନିବୃତ୍ତ ହେଲାବେଳକୁ ଲକ୍ଷ୍ମଣ ସାମାନ୍ୟ କିଛି କହି ମୃଦୁହାସ୍ୟ ପ୍ରଦର୍ଶନ କଲେ । ତାଙ୍କର ହାସ୍ୟ ଦେଖି ପର୍ଶୁରାମଙ୍କର ନଖଠାରୁ ଶିଖା ପର୍ଯ୍ୟନ୍ତ କ୍ରୋଧରେ କମ୍ପିତ ହେଲା । ସେ ଶ୍ରୀରାମଙ୍କୁ ଡାକି କହିଲେ–ହେ ରାମ, ତୁମର ଏ ଭାଇ ଗୌରବର୍ଣ୍ଣ ଦିଶୁଛି; କିନ୍ତୁ ଏହାର ହୃଦୟରେ କାଳିମାଗୁଡ଼ିଏ ପୂରିରହିଛି । ମୁଖରେ ବିଷ ଭରିରହିଛି । ଏହାର ସ୍ଵଭାବ ବଡ଼ ବକ୍ର ଅଟେ ।

 

ଲକ୍ଷ୍ମଣ ପୁଣି ହସି ହସି କହିଲେ–ହେ ମୁନି, କ୍ରୋଧ ପାପର ମୂଳ । କ୍ରୋଧର ବଶ ହୋଇ ମନୁଷ୍ୟ ଅନେକ ଅନୁଚିତ କାର୍ଯ୍ୟ କରେ । ମୁଁ ଆପଣଙ୍କର ଦାସ । କ୍ରୋଧ ତ୍ୟାଗକରି ମୋ ଉପରେ ଦୟା କରନ୍ତୁ । ଭଗ୍ନଧନୁ କ୍ରୋଧ ଦ୍ଵାରା ସଂଯୋଜିତ ହୋଇଯିବ ନାହିଁ । ଏତେ ସମୟ ଦଣ୍ଡାୟମାନ ରହି ପାଦ କ୍ଳାନ୍ତ ହୋଇଯିବଣି, ଆସନ ଗ୍ରହଣ କରନ୍ତୁ । ଯଦି ଏ ଧନୁଟି ଆପଣଙ୍କର ଅତି ପ୍ରିୟ ତାହାହେଲେ କୌଣସି କାରିଗରକୁ ଡାକି ସଂଯୁକ୍ତ କରିଦିଅନ୍ତୁ ।

 

ଜନକ ଓ ଜନକପୁରୀର ସ୍ତ୍ରୀପୁରୁଷମାନେ ଲକ୍ଷ୍ମଣ ଓ ପର୍ଶୁରାମଙ୍କର ଏ କଥାବାର୍ତ୍ତା ଶୁଣି ଭୟରେ କମ୍ପିତ ହେଲେ । ପର୍ଶୁରାମ ଶ୍ରୀରାମକୁ କହିଲେ–ତୁମର ଏ ଭାଇଟି ଦେଖିବାକୁ ବେଶ୍ ସୁନ୍ଦର; କିନ୍ତୁ ଏ ଗୋଟିଏ ବିଷପୂର୍ଣ୍ଣ ସ୍ଵର୍ଣ୍ଣକଳସ । ତୁମର କନିଷ୍ଠ ବୋଲି ମୁଁ ଏହାକୁ ରକ୍ଷା କରୁଛି ।

 

ଲକ୍ଷଣ ଏସବୁ କଥା ଶୁଣି ମୃଦୁଭାବରେ ହସିବାରୁ ଶ୍ରୀରାମଚନ୍ଦ୍ର ତାଙ୍କ ଉପରେ ଇଙ୍ଗିତ ଦ୍ଵାରା କ୍ରୋଧ ପ୍ରକାଶ କଲେ । ଶ୍ରୀରାମ ଦୁଇହାତ ଯୋଡ଼ି ମୁନିଙ୍କୁ ବିନୟପୂର୍ବକ କହିଲେ–ଆପଣ ସୁଜ୍ଞାନୀ, ବାଳକର କଥା ପ୍ରତି ଭ୍ରୂକ୍ଷେପ କରନ୍ତୁ ନାହିଁ । ମୁଁ ଆପଣଙ୍କ ନିକଟରେ ଅପରାଧୀ । ହେ ସ୍ଵାମୀ ! କୃପା, କ୍ରୋଧ, ବଧ, ବନ୍ଧନ, ଯାହାକିଛି ଯଥାର୍ଥ, ମୋତେ ଦାସ ବୋଲି ମନେକରି ମୋ ପ୍ରତି ଆଦେଶ କରନ୍ତୁ । ଆପଣଙ୍କର କ୍ରୋଧ ଉପଶମିତ ହେବାପାଇଁ ଯାହା ଆଦେଶ ଦେବେ, ମୁଁ ତାହା କରିବି ।

 

ପର୍ଶୁରାମ କହିଲେ–ହେ ରାମ, ଏବେ ମଧ୍ୟ ଦେଖ, ତୁମର କନିଷ୍ଠଭ୍ରାତା ମୋତେ କିପରି ବକ୍ରଦୃଷ୍ଟିରେ ଦେଖୁଛି । ମୋର ଏ କୁଠାରର କ୍ରିୟାକଳାପ ଶୁଣିଲେ ରାଜପତ୍ନୀମାନଙ୍କର ଗର୍ଭପାତ ହୁଏ । ସେହି କୁଠାର ମୋ ହସ୍ତରେ ଥାଉ ଥାଉ ଏ ରାଜପୁତ୍ରକୁ ମୁଁ ମୋ ସମକ୍ଷରେ ଜୀବିତ ଦେଖୁଛି-। ମୋର ହୃଦୟ କ୍ରୋଧାଗ୍ନିରେ ପ୍ରଜ୍ଵଳିତ ହେଉଛି । ବିଧାତା ବିପରୀତ ହୋଇଯାଇଛନ୍ତି, ମୋର ସ୍ଵଭାବ ପରିବର୍ତ୍ତିତ ହୋଇଯାଇଛି । ତା ନ ହେଲେ ମୋ ହୃଦୟରେ କୃପା ଆସିଲା କିପରି-?

 

ଏକଥା ଶୁଣି ଲକ୍ଷ୍ମଣ ମୃଦୁମନ୍ଦ ହସ ହସି ତାଙ୍କୁ ପ୍ରଣାମ କଲେ ଏବଂ କହିଲେ–ଆପଣଙ୍କର କୃପାରୂପୀ ବାୟୁ ମଧ୍ୟ ଆପଣଙ୍କ ମୂର୍ତ୍ତିର ଅନୁକୂଳ ଅଟେ । ଆପଣଙ୍କର ବଚନସମୂହ ପୁଷ୍ପ ପତିତ ହେଲାପରି ବୋଧହେଉଛି । ହେ ମୁନି, ଆପଣ କୃପା କଲେ ଯଦି ଆପଣଙ୍କର ଶରୀର ପ୍ରଜ୍ଵଳିତ ହୁଏ ତା ହେଲେ କ୍ରୁଦ୍ଧ ହେଲେ କେବଳ ବିଧାତା ଆପଣଙ୍କ ଶରୀରକୁ ରକ୍ଷା କରିବେ ସିନା-!

 

ପର୍ଶୁରାମ ଅତ୍ୟନ୍ତ କ୍ରୁଦ୍ଧ ହୋଇଉଠିଲେ । ଶ୍ରୀରାମଙ୍କୁ କହିଲେ–ତୁ ଶିବଧନୁ ଭାଙ୍ଗିସାରି ମୋତେ ଜ୍ଞାନଶିକ୍ଷା ଦେଉଛୁ ? ତୋ ଭାଇ ତୋର ସମ୍ମତି ପାଇ ମୋତେ କଟୁକଥା କହୁଛି, ଆଉ ତୁ ଛଳ ଦେଖାଇ ହାତଯୋଡ଼ି ବିନମ୍ର ଭାବ ପ୍ରକାଶ କରୁଛୁ । ମୋ ସଙ୍ଗରେ ଯୁଦ୍ଧ କର, ସେଥିରେ କେବଳ ମୋର ସନ୍ତୋଷ ଆସିବ; ନ ହେଲେ ତୋର ରାମ ନାମ ତ୍ୟାଗ କର । ଏହା ଯଦି ନ କରିବୁ, ତେବେ ତୁମ ଦୁହିଁଙ୍କୁ ଏହିଠାରେ ହିଁ ବଧ କରିବି ।

 

ଶ୍ରୀରାମ କହିଲେ–ହେ ମୁନୀଶ୍ଵର ! କ୍ରୋଧ ସମ୍ବରଣ କରନ୍ତୁ । ଆପଣଙ୍କ ହସ୍ତରେ କୁଠାର ରହିଛି ଏବଂ ଆପଣଙ୍କ ସମକ୍ଷରେ ମୋର ଏ ମସ୍ତକ ଅଛି । ଆପଣଙ୍କର ଅନୁଚର ବୋଲି ମନେକରି ଆପଣଙ୍କର କ୍ରୋଧ ଉପଶମ କରିବା ପାଇଁ ଆପଣଙ୍କର ଯାହା ଇଚ୍ଛା ତାହା କରନ୍ତୁ । ସ୍ଵାମୀ ଓ ସେବକ ମଧ୍ୟରେ ଯୁଦ୍ଧ କିପରି ସମ୍ଭବ ହୋଇପାରେ ? ଆପଣଙ୍କର ବୀରବେଶ ଦେଖି ଏ ବାଳକ ଆପଣଙ୍କୁ କଣ କହିପକାଇଛି, ସେଥିପାଇଁ ତାର ଦୋଷ ଧରନ୍ତୁ ନାହିଁ । ଆପଣଙ୍କ ହାତରେ କୁଠାର ଓ ଧନୁର୍ବାଣ ଦେଖି ଆପଣଙ୍କୁ ବୀର ବୋଲି ମନେକରି ବାଳକର ମନରେ କ୍ରୋଧ ଆସିଥିଲା । ସେ ଆପଣଙ୍କ ନାମ ଜାଣିଥିଲା; କିନ୍ତୁ ଆପଣଙ୍କୁ ଚିହ୍ନ ପାରିଲା ନାହିଁ । ନିଜ ବଂଶର ସ୍ଵଭାବ ଅନୁସାରେ ସେ ଉତ୍ତର ଦେଇଅଛି । ଆପଣ ଯଦି ମୁନିବେଶରେ ଆସିଥାନ୍ତେ ତେବେ ଆପଣଙ୍କ ଚରଣଧୂଳି ସେ ମସ୍ତକରେ ଲଗାଇଥାନ୍ତା । ନ ଜାଣି ସେ ଯେଉଁ ଭୁଲ କରିପକାଇଛି, ସେଥିପାଇଁ ତାକୁ କ୍ଷମା କରନ୍ତୁ । ବ୍ରାହ୍ମଣଙ୍କ ହୃଦୟରେ ଦୟା ଅଧିକ ଉଚିତ । ମୁଁ ଆପଣଙ୍କ ସହିତ କିପରି ସମାନ ହେବି ? ମସ୍ତକ ଓ ଚରଣ କଣ ସମାନ ହୋଇପାରେ ? ‘ରାମ’ ନାମରେ ମୋର ଗୋଟିଏ ଛୋଟ ନାଁ; ଆଉ ‘ପରଶୁ’ ସହିତ ଆପଣଙ୍କର ନାମ କେତେ ବଡ଼ । ମୋ ପାଖରେ ଏକମାତ୍ର ଗୁଣ ଅଛି; କିନ୍ତୁ ଆପଣଙ୍କଠାରେ ମୁନିଯୋଗ୍ୟ ପରମ ପବିତ୍ର ନଅଟି ଗୁଣ ଅଛି । ସବୁଦିଗରୁ ମୁଁ ଆପଣଙ୍କ ପାଖରେ ପରାଜିତ । ମୋର ଅପରାଧ କ୍ଷମା କରନ୍ତୁ ।

 

ଶ୍ରୀରାମଚନ୍ଦ୍ର ପର୍ଶୁରାମଙ୍କୁ ବାରମ୍ବାର ମୁନି ଓ ବ୍ରାହ୍ମଣ କହିବାରୁ ସେ ପୁଣି କ୍ରୁଦ୍ଧ ହୋଇ କହିଲେ–ତୁ ମଧ୍ୟ ତୋ ଭାଇ ପରି ବକ୍ର ଅଟୁ । ମୋତେ ତୁ ଜଣେ ସାମାନ୍ୟ ବ୍ରାହ୍ମଣ ବୋଲି ମନେକରିଛୁ । ମୁଁ କିପର ବ୍ରାହ୍ମଣ, ତୁ ଜାଣିନାହୁଁ । ମୋ ପାଖରେ ଯେଉଁ ଧନୁ ଅଛି, ସେ ଧନୁ ଯଜ୍ଞ ନିମନ୍ତେ ଶ୍ରୁବ, ତୀର, ଆହୁତି ଏବଂ ମୋର କ୍ରୋଧ ପ୍ରଚଣ୍ଡ ଅଗ୍ନି ଅଟେ, ଚତୁରଙ୍ଗିଣୀ ସେନା ସୁନ୍ଦର ସମିଧ । ବଡ଼ ବଡ଼ ରାଜାମାନେ ସେଥିରେ ବଳିପଶୁ ହୋଇଛନ୍ତି । ମୁଁ ସେମାନଙ୍କୁ ଏହି କୁଠାର ଦ୍ଵାରା କାଟି ବଳି ଦେଇଅଛି । ମୋର ପ୍ରଭାବ ତୋତେ ଜଣାନାହିଁ; ତେଣୁ ତୁ ମୋତେ ଅନାଦର କରି କହୁଅଛୁ । ଧନୁ ଭାଙ୍ଗିଦେଇଛୁ; ତେଣୁ ତୋର ଗର୍ବ ବଢ଼ିଯାଇଛି । ଜଗତବିଜୟୀ ସଦୃଶ ଅହଂକାରୀ ହୋଇ ଦଣ୍ଡାୟମାନ ହୋଇଅଛୁ ।

 

ଶ୍ରୀରାମଚନ୍ଦ୍ର କହିଲେ–ହେ ମୁନି ! ଆପଣ ବିଚାର କରି କହନ୍ତୁ, ଆପଣଙ୍କର କ୍ରୋଧ ମହାନ୍ ଏବଂ ମୋର ଭ୍ରମ ସାମାନ୍ୟ ଅଟେ । ପୁରାତନ ଧନୁଟି ସ୍ପର୍ଶ କରୁ କରୁ ଭାଙ୍ଗିଗଲା । ମୁଁ କାହିଁକି ସେଥିପାଇଁ ଅଭିମାନ କରିବି । ହେ ଭୃଗୁନାଥ ! ଯଦି ଆପଣଙ୍କୁ ବ୍ରାହ୍ମଣ କହିବା ଫଳରେ ଆପଣଙ୍କର ଅନାଦର କରିଛି, ତେବେ ସଂସାରରେ ଆଉ କିଏ ଏପରି ଯୋଦ୍ଧା ଅଛି ତାଙ୍କୁ ମୁଁ ଭୟକରି ତାଙ୍କ ସମ୍ମୁଖରେ ମସ୍ତକ ନତ କରିବି ? କ୍ଷତ୍ରିୟ ଶରୀର ଧରି ଯଦି କେହି ଯୁଦ୍ଧାକୁ ଭୟକରେ ତାହେଲେ ସେ କ୍ଷତ୍ରିୟକୁଳର କଳଙ୍କ । ମୁଁ ମୋ କୁଳର ପ୍ରଶଂସା କରି ନାହିଁ; ରଘୁବଂଶୀମାନେ ଯୁଦ୍ଧରେ କାଳକୁ ମଧ୍ୟ ଡରନ୍ତି ନାହିଁ । ବ୍ରାହ୍ମଣବଂଶର ପ୍ରଭୁତ୍ଵ ଏପରି ସେ ଯେଉଁ ଲୋକ ଆପଣଙ୍କୁ ଭୟକରେ ସେ ସମସ୍ତଙ୍କଠାରେ ନିର୍ଭୟ ହୋଇଯାଏ ।

 

ଶ୍ରୀରାମଙ୍କର କୋମଳ ଓ ଗୂଢ଼ ବଚନ ଶୁଣି ପର୍ଶୁରାମଙ୍କର ସନ୍ଦେହ ତୁଟିଗଲା । ସେ ଶ୍ରୀରାମଙ୍କୁ କହିଲେ–ହେ ରାମ, ଏ ଧନୁଟିକୁ ନିଅ ଏବଂ ଏହାକୁ ଆକର୍ଷଣ କର ।

 

ପର୍ଶୁରାମ ଧନୁଟିକୁ ବଢ଼ାଇବାବେଳେ ତାହା ବଳେ ବଳେ ଶ୍ରୀରାମଙ୍କ ହାତକୁ ଚାଲିଗଲା-। ପର୍ଶୁରାମ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହେଲେ । ସେ ଶ୍ରୀରାମଙ୍କର ପ୍ରଭାବ ବୁଝି ପାରିଲେ । ତାଙ୍କର ଶରୀର ପୁଲକିତ ହେଲା । ସେ ହାତଯୋଡ଼ି ଦଣ୍ଡାୟମାନ ହେଲେ ଏବଂ କହିଲେ, ହେ ରଘୁକୁଳର ସୂର୍ଯ୍ୟ, ଆପଣଙ୍କର ଜୟ ହେଉ । ମୁଁ ଅଜ୍ଞାନବଶତଃ ଆପଣଙ୍କୁ ବହୁତ ଅନୁଚିତ କଥା କହିଛି । ହେ କ୍ଷମାଶୀଳ ଦୁଇଭାଇ, ମୋତେ କ୍ଷମା କରନ୍ତୁ । ଆପଣଙ୍କର ଜୟ ହେଉ ।

 

ପର୍ଶୁରାମ ଶ୍ରୀରାମଙ୍କୁ ବନ୍ଦନା କରି ତପସାଧନ ନିମନ୍ତେ ବନଗମନ କଲେ । ଯେଉଁ ଦୁଷ୍ଟ ରାଜାମାନେ ପର୍ଶୁରାମ ଓ ରାମଚନ୍ଦ୍ରଙ୍କ ମଧ୍ୟରେ ଯୁଦ୍ଧ ଆଶା କରି ମନେ ମନେ ଆନନ୍ଦିତ ହେଉଥିଲେ, ସେମାନେ ସେଠାରୁ ଭୟରେ ଲୁଚି ଚାଲିଗଲେ । ଜନକପୁରର ସ୍ତ୍ରୀ-ପୁରୁଷମାନେ ଆନନ୍ଦରେ ମଗ୍ନହେଲେ ।

Image

 

ଶ୍ରୀରାମ ବିବାହ

 

ବିଶ୍ଵାମିତ୍ର ଆଦେଶ ଦେବାରୁ ଦଶରଥଙ୍କୁ ନିମନ୍ତ୍ରଣ କରି ଆଣିବାପାଇଁ ଜନକ ଅଯୋଧ୍ୟାକୁ ଦୂତ ପଠାଇଲେ । ଏଣେ ବିଚିତ୍ର ମଣ୍ଡପ ନିର୍ମାଣ ନିମନ୍ତେ ଜନକ ସେବକମାନଙ୍କୁ ଆଦେଶ ଦେଲେ । କାରିଗରମାନେ ବ୍ରହ୍ମାଙ୍କୁ ପ୍ରାର୍ଥନା କରି ମଣ୍ଡପ ଆରମ୍ଭ କଲେ । ମଣ୍ଡପରେ ପଦ୍ମରାଗ ମଣି ଖଚିତ ହେଲା । ସ୍ଵର୍ଣ୍ଣଲତାମାନ ଚତୁର୍ଦ୍ଦିଗରେ ସଂଯୁକ୍ତ କରାଗଲା । ହୀରା, ମାଣିକ୍ୟ ଓ ମୋତି ଆଦି ନାନାରତ୍ନ ଖଞ୍ଜି ଦେବତାମାନଙ୍କର ମୂର୍ତ୍ତି ନିର୍ମିତ ହେଲା । ମଙ୍ଗଳ କଳସ ଓ ସୁନ୍ଦର ଧ୍ଵଜା ସ୍ଥାନେ ସ୍ଥାନେ ସ୍ଥାପିତ ହେଲା ।

 

ଜନକଙ୍କର ଦୂତ ଅଯୋଧ୍ୟାରେ ପହଞ୍ଚିବା ଖବର ରାଜା ଦଶରଥ ପାଇବାମାତ୍ରେ ଦୂତକୁ ନିଜ ସମୀପକୁ ଡକାଇଲେ । ଜନକଦତ୍ତ ପତ୍ରରୁ ଶ୍ରୀରାମ ଲକ୍ଷ୍ମଣଙ୍କର ସମସ୍ତ ସମ୍ବାଦ ଶୁଣି ତାଙ୍କର ଚକ୍ଷୁଦ୍ଵୟ ଲୋତକାପ୍ଳୁତ ହୋଇଗଲା ? ଶରୀର ରୋମାଞ୍ଚିତ ହେଲା । ହୃଦୟ ମଧ୍ୟରେ ଶ୍ରୀରାମ ଲକ୍ଷ୍ମଣଙ୍କର ଚିତ୍ର ଅଙ୍କିତ ହେଲା । ରାଜସଭାର ସଭ୍ୟବୃନ୍ଦ ଏ ସମ୍ବାଦ ପାଇ ମହା ଆନନ୍ଦିତ ହେଲେ-

 

ଭରତ ଓ ଶତ୍ରୁଘ୍ନ ସେତେବେଳେ ଖେଳୁଥିଲେ । ଏ ସମ୍ବାଦ ଶୁଣି ପିତାଙ୍କ ନିକଟକୁ ଦୌଡ଼ିଆସିଲେ । ଭରତ ପଚାରିଲେ–ପିତଃ ? ପତ୍ର କେଉଁଠାରୁ ଆସିଛି ? ଆମର ପ୍ରାଣପ୍ରିୟ ଭାଇମାନେ କୁଶଳରେ କେଉଁଠାରେ ଅଛନ୍ତି ?

 

ରାଜା ପୁନର୍ବାର ପତ୍ରଟି ପଢ଼ିଲେ । ଦୂତକୁ ପଚାରିଲେ, ମୋର ଦୁଇପୁଅ କୁଶଳରେ ଅଛନ୍ତି ତ ? ତୁମେ ସେମାନଙ୍କୁ ସ୍ଵଚକ୍ଷୁରେ ଦର୍ଶନ କରି ଆସିଛ ତ ? ବିଶ୍ଵାମିତ୍ର ମୁନି ସେମାନଙ୍କ ସହିତ ଅଛନ୍ତି କି ? ରାଜା ଦୂତଙ୍କୁ ‘ଭାଇ’ ବୋଲି ସମ୍ବୋଧନ କରି ବାରମ୍ବାର ଗୋଟିକ ପରେ ଗୋଟିଏ ପ୍ରଶ୍ନ ପଚାରିବାକୁ ଲାଗିଲେ ।

 

ଦୂତ କହିଲେ–ହେ ବିଶ୍ଵ-ବିଭୂଷଣ ମହୀପତି, ଆପଣଙ୍କର ଦୁଇପୁତ୍ର ଶ୍ରୀରାମ ଓ ଲକ୍ଷ୍ମଣ ଦୁଇ ପୁରୁଷସିଂହ ଅଟନ୍ତି । ଜନକ ସେମାନଙ୍କୁ କିପରି ଚିହ୍ନିପାରିଲେ ବୋଲି ଆପଣ ଆମ୍ଭମାନଙ୍କୁ ପଚାରୁଛନ୍ତି । ସୀତାଙ୍କର ସ୍ଵୟଂବର ସଭାରେ ବହୁରାଜା ଏକତ୍ର ହୋଇଥିଲେ । ଶିବଧନୁ କେହିହେଲେ ଉଠାଇପାରିଲେ ନାହିଁ । ତାହା ସମସ୍ତଙ୍କର ଶକ୍ତି ଆକର୍ଷିତ କରିନେଲା । ବାଣାସୁରପରି ସୁମେରୁ ପର୍ବତକୁ ଉତ୍ତୋଳନ କରିଥିବା ବଳବାନ୍‌ରାଜା ଶିବଧନୁକୁ ପରିକ୍ରମା କରି ପ୍ରତ୍ୟାବର୍ତ୍ତନ କଲେ । ଲଙ୍କାର ରାଜା ରାବଣ କୈଳାସ ପର୍ବତକୁ ଉଠାଇ ଧରିଥିଲେ; କିନ୍ତୁ ତାଙ୍କ ପକ୍ଷରେ ସେ ଧନୁ ଉଠାଇବା ସମ୍ଭବ ହେଲାନାହିଁ । ସେହି ଧନୁକୁ ଆପଣଙ୍କର ଜ୍ୟେଷ୍ଠପୁତ୍ର ହସ୍ତୀ ପଦ୍ମଦଣ୍ଡ ଭଗ୍ନ କଲାପରି ଅନାୟାସରେ ଭଗ୍ନକଲେ । ଧନୁଭଗ୍ନ ଶବ୍ଦ ଶୁଣି ପର୍ଶୁରାମ କ୍ରୁଦ୍ଧ ହୋଇ ସେଠାରେ ଅବତୀର୍ଣ୍ଣ ହେଲେ । ଶ୍ରୀରାମଙ୍କର ଅତୁଳ ବିକ୍ରମ ସମ୍ମୁଖରେ ମସ୍ତକ ଅବନତ କରି ତାଙ୍କ ଧନୁ ଶ୍ରୀରାମଙ୍କୁ ପ୍ରଦାନ କରି ସେ ବନକୁ ପ୍ରସ୍ଥାନ କଲେ । ଲକ୍ଷ୍ମଣଙ୍କର ତେଜୋବଳ ଦେଖି ରାଜନ୍ୟବୃନ୍ଦ କମ୍ପି ଉଠିଲେ । ଆପଣଙ୍କର ଦୁଇପୁତ୍ରଙ୍କର ପ୍ରତାପ ବାଣୀ ସମସ୍ତଙ୍କୁ ମୁଗ୍‌ଧ କରିଅଛି ।

 

ରାଜା ଦୂତମାନଙ୍କଠାରୁ ପୁତ୍ରମାନଙ୍କର ବୀରତ୍ଵ ଓ ପରାକାଷ୍ଠା ଶୁଣି ଅତିଶୟ ଆନନ୍ଦିତ ହେଲେ । ଦୂତମାନଙ୍କୁ ନାନା ଦ୍ରବ୍ୟ ଦେବାପାଇଁ ବ୍ୟବସ୍ଥା କଲେ; କିନ୍ତୁ ନୀତିଗର୍ହିତ ହେବ ବୋଲି ଦୂତମାନେ ସେସବୁ ଗ୍ରହଣ କରିବା ପାଇଁ ରାଜି ହେଲେ ନାହିଁ ।

 

ରାଜା କୁଳଗୁରୁ ବଶିଷ୍ଠଙ୍କୁ ଡକାଇ ଜନକଙ୍କର ପତ୍ର ପଢ଼ିବାପାଇଁ ଅନୁରୋଧ କଲେ । ବଶିଷ୍ଠ ପତ୍ର ପଠନ ପରେ କହିଲେ–ଆପଣ ଯେପରି ଧର୍ମାତ୍ମା, ଆପଣଙ୍କର ପତ୍ନୀ କୌଶଲ୍ୟା ସେହିପରି ଅଟନ୍ତି । ଆପଣଙ୍କର ଅଧିକ ପୁଣ୍ୟଫଳରୁ ଆପଣ ଶ୍ରୀରାମଙ୍କ ପରି ପୁତ୍ରରତ୍ନ ପାଇଛନ୍ତି-। ଅନ୍ୟପୁତ୍ରମାନେ ମଧ୍ୟ ବୀର, ବିନମ୍ର ଓ ଧାର୍ମିକ ଅଟନ୍ତି । ଆପଣଙ୍କ ନିମନ୍ତେ ସମସ୍ତ ସମୟ କଲ୍ୟାଣକର ଅଟେ । ଆପଣ ଶୀଘ୍ର ବରଯାତ୍ରୀ ନେଇ ଚାଲନ୍ତୁ ।

 

ରାଜା ରାଣୀମାନଙ୍କୁ ବିବାହର ସମସ୍ତ ସମ୍ବାଦ ଦେଲେ । ମାତାମାନେ ଅତ୍ୟନ୍ତ ଆନନ୍ଦିତା ହେଲେ । ଜନକଙ୍କର ପତ୍ରରୁ ସମସ୍ତ ଘଟଣା ଶୁଣିଲେ । ରାଜା ବ୍ରାହ୍ମଣମାନଙ୍କୁ ନିମନ୍ତ୍ରଣ କରି ଅନେକ ଧନରତ୍ନ ଦାନ କଲେ । ଭିକ୍ଷୁକମାନଙ୍କୁ ଅନ୍ନବସ୍ତ୍ରାଦି ନାନା ଦ୍ରବ୍ୟ ଦେଲେ ।

 

ଅଯୋଧ୍ୟା ନଗର ନାନା ରଙ୍ଗର ଧ୍ଵଜା, ସୃଷ୍ଟି କଳସ ଓ ତୋରଣ ଦ୍ଵାରା ଶୋଭା ପାଇଲା-। ନାଗରିକମାନେ ସ୍ଵ ସ୍ଵ ଗୃହକୁ ନାନାଦି ପୁଷ୍ପପତ୍ର ତୋରଣ ଦ୍ଵାରା ସଜ୍ଜିତ କଲେ । ଚନ୍ଦନ, କସ୍ତୁରୀ, କର୍ପୂର ଆଦି ବହୁ ସୁଗନ୍ଧ ଦ୍ରବ୍ୟ ଦ୍ଵାରା ସମଗ୍ର ନଗର ସୁବାସିତ ହେଲା । ସୁନ୍ଦରୀ ସ୍ତ୍ରୀମାନେ ନାନା ମନୋମୁଗ୍‌ଧକର ଗୀତ ଗାଇ ମନୋରଞ୍ଜନ କଲେ । ବିଭିନ୍ନ ପ୍ରକାର ବାଦ୍ୟ ଓ ମାଗଧମାନଙ୍କର କୀର୍ତ୍ତି ପ୍ରଚାରରେ ନଗର ଧ୍ଵନିତ ହେଲା । ବେଦମନ୍ତ୍ରର ଉଚ୍ଚାରଣରେ ଗଗନ-ପବନ ପବିତ୍ର ହେଲା-

 

ରାଜା ଭରତଙ୍କୁ ଡକାଇ ଅଶ୍ଵ, ହସ୍ତୀ ଓ ରଥମାନ ନାନାଦି ବେଶଭୂଷାରେ ସଜ୍ଜିତ କରିବାକୁ ଆଦେଶ ଦେଲେ । ଅଶ୍ଵାଧ୍ୟକ୍ଷ, ଗଜାଧ୍ୟକ୍ଷ ଓ ସାରଥିମାନେ ନାନା ଆଭୂଷଣ, ପତାକା ଦ୍ଵାରା ଅଶ୍ଵ, ଗଜ ଓ ରଥଗୁଡ଼ିକୁ ସଜ୍ଜିତ କଲେ । ହସ୍ତୀମାନଙ୍କ ଗଣ୍ଡଦେଶରେ ଘଣ୍ଟା ବନ୍ଧାଗଲା । ପଦାତିକମାନେ ତରବାରି ଧରି ସେମାନଙ୍କ ସଙ୍ଗେ ସଙ୍ଗେ ପଦ ମିଳାଇ ଗତ କଲେ । ବ୍ରାହ୍ମଣମାନେ ପାଲିଙ୍କି ଭିତରେ ବସି ବେଦମନ୍ତ୍ରଗୁଡ଼ିକ ଛନ୍ଦଧ୍ୱନିରେ ଗାନ କଲେ । ବଳିବର୍ଦ୍ଦ ଓ ଉଷ୍ଟ୍ରମାନେ ପୃଷ୍ଠଦେଶରେ ବହୁ ଦ୍ରବ୍ୟ ବହନ କରି ଚାଲିଲେ । ଅଯୋଧ୍ୟାର ସିଂହଦ୍ଵାର ଏପରି ଗହଳ ହୋଇଥିଲା ଯେ ପଥର ମଧ୍ୟ ଧୂଳିରେ ପରିଣତ ହେଉଥିଲା । ପ୍ରାସାଦପୃଷ୍ଠରେ ନାରୀମାନେ ମଙ୍ଗଳଗୀତ ଗାନ କରି କରି ଆରତି କରୁଥିଲେ ।

 

ସୁମନ୍ତ୍ର ଦୁଇଟି ରଥ ସଜ୍ଜିତ କରି ସୂର୍ଯ୍ୟଙ୍କ ଅଶ୍ଵ ସଦୃଶ ଅଶ୍ଵମାନଙ୍କୁ ସେଥିରେ ସଂଯୁକ୍ତ କଲେ । ମହାରାଜା ଦଶରଥ ପ୍ରଥମେ ବଶିଷ୍ଠଙ୍କୁ ରଥରେ ବସାଇ ତା’ପରେ ସେ ଦେବତାମାନଙ୍କୁ ହୃଦୟରେ ସ୍ମରଣ କରି ରଥରେ ବସିଲେ । ସେତିକିବେଳେ ନାନା ମଙ୍ଗଳ ଶକୁନ ଦେଖାଗଲା । ନୀଳକଷ୍ଠ ପକ୍ଷୀ ବାମ ପାଖରେ ଚାରା ଭକ୍ଷଣରେ ରତଥିଲା । ଅଗ୍ରଦେଶରେ ନକୁଳ ଦେଖାଗଲା । ଗାଭୀ ତାର ବତ୍ସାକୁ ଦୁଧ ପିଆଉଥିଲା । ହରିଣିଗଣ ବାମ ଭାଗରୁ ବାମେତର ଭାଗକୁ ଆସୁଥିଲେ-। ସୁନ୍ଦର ଶ୍ୟାମା ବିହଙ୍ଗ ବୃକ୍ଷର ଶୋଭା ବର୍ଦ୍ଧନ କରୁଥିଲା । ନାରୀମାନେ ପୂର୍ଣ୍ଣକଳସ ହସ୍ତରେ ଧରି ଯାଉଥିଲେ । କେତେକ ସ୍ତ୍ରୀ କ୍ଷୁଦ୍ର ଶିଶୁକୁ କୋଳରେ ଧରି ଖେଳାଉଥିଲେ । ଏସବୁ କଲ୍ୟାଣମୟ ଲକ୍ଷଣ ଦେଖି ଦେଖି ବରଯାତ୍ରୀମାନେ ଅଗ୍ରସର ହେଲେ ।

 

ରାଜା ଜନକ ଦଶରଥଙ୍କର ଆଗମନର ସମ୍ବାଦ ପାଇ ନଦୀଗୁଡ଼ିକ ଉପରେ ସେତୁ ନିର୍ମାଣ କରାଇଥିଲେ । ମାର୍ଗରେ ସେମାନଙ୍କର ଅବସ୍ଥାନ ନିମନ୍ତେ ସୁନ୍ଦର ଗୃହ ନିର୍ମାଣ କରିବା ପାଇଁ କର୍ମଚାରୀମାନଙ୍କୁ ଆଦେଶ ଦେଇଥିଲେ । ସେ ସବୁ ସ୍ଥାନରେ ଖାଦ୍ୟପେୟର ସୁନ୍ଦର ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ବରଯାତ୍ରୀମାନଙ୍କୁ ସମ୍ମାନପୂର୍ବକ ଆନୟନ କରିବା ଉଦ୍ଦେଶ୍ୟରେ ସ୍ଵର୍ଣ୍ଣପାତ୍ରରେ ମିଷ୍ଟାନ୍ନ ପୂର୍ଣ୍ଣକରି ନାନା ପ୍ରକାରର ବସ୍ତ୍ର, ରତ୍ନାଳଙ୍କାର ସଜ୍ଜିତ କରି ରାଜା ଜନକ ଆଗରୁ ପ୍ରେରଣ କରିଥିଲେ ।

 

ବରଯାତ୍ରୀମାନେ ଜନକପୁରର ସମୀପରେ ପଦାର୍ପଣ କରିବା ସମ୍ବାଦ ପାଇ ଜନକଙ୍କର ଜନସମାଜ ନାନା ଗୀତ, ନୃତ୍ୟ ଓ ବାଦ୍ୟ ସଙ୍ଗରେ ଧରି ସେମାନଙ୍କୁ ଭେଟିବାକୁ ଗଲେ । ରାଜା ଦଶରଥ ସେମାନଙ୍କଠାରୁ ରତ୍ନାଳଙ୍କାର ଗ୍ରହଣ କରି ରାଜପ୍ରାସାଦର ଅଦୂରରେ ଗୃହମାନଙ୍କରେ ଅବସ୍ଥାନ କଲେ ।

 

ଦଶରଥଙ୍କର ଆଗମନ ସମ୍ବାଦ ପାଇ ଶ୍ରୀରାମ ଓ ଲକ୍ଷ୍ମଣଙ୍କ ମନରେ ଅପାର ଆନନ୍ଦ ଖେଳିଗଲା । ପିତାଙ୍କର ଦର୍ଶନଲାଳସା ସେମାନେ ଇଙ୍ଗିତ ଦ୍ଵାରା ମୁନି ବିଶ୍ଵାମିତ୍ରଙ୍କୁ ନମ୍ରତାପୂର୍ବକ ଜଣାଇଲେ । ବିଶ୍ଵାମିତ୍ର ଆଦେଶ ଦେବାରୁ ଦୁହେଁ ପିତାଙ୍କ ସମୀପକୁ ଗଲେ । ରାଜା ଦଶରଥ ପୁତ୍ରମାନଙ୍କ ସହିତ ବିଶ୍ଵାମିତ୍ରଙ୍କୁ ଦେଖି ତାହାଙ୍କ ଚରଣରେ ପ୍ରଣାମ କଲେ । ଦୁଇ ପୁତ୍ର ପିତାଙ୍କୁ ପ୍ରଣାମ କରି ସମୀପରେ ବସିଲେ । ବିଶ୍ଵାମିତ୍ର ରାଜାଙ୍କୁ କୁଶଳପ୍ରଶ୍ନ ପଚାରିଲେ । ବଶିଷ୍ଠଙ୍କୁ ପିତାଙ୍କ ସଙ୍ଗରେ ଦେଖି ଶ୍ରୀରାମ ଲକ୍ଷ୍ମଣ ତାଙ୍କୁ ପ୍ରଣାମ କଲେ । ଭରତ ଓ ଶତ୍ରୁଘ୍ନ ଜ୍ୟେଷ୍ଠଭ୍ରାତାଙ୍କର ଚରଣଧୂଳି ମସ୍ତକରେ ଲଗାଇଲେ । ଲକ୍ଷ୍ମଣ ପରିବାରର ସମସ୍ତଙ୍କୁ ଦେଖି ଆନନ୍ଦରେ ବିହ୍ଵଳ ହୋଇପଡ଼ିଲେ । ଶ୍ରୀରାମଚନ୍ଦ୍ର ଅଯୋଧ୍ୟାବାସୀ କୁଟୁମ୍ବ, ମନ୍ତ୍ରୀ ସମସ୍ତଙ୍କୁ ସାଦରରେ ଗ୍ରହଣ କଲେ I ନଗରର ସ୍ତ୍ରୀ ପୁରୁଷମାନେ ଅଯୋଧ୍ୟାବାସୀ ନାଗରିକମାନଙ୍କୁ ଦେଖି ଅତ୍ୟନ୍ତ ଆନନ୍ଦିତ ହେଲେ । ଶତାନନ୍ଦଙ୍କ ସହିତ ଯେଉଁ ମନ୍ତ୍ରୀ ଓ ବ୍ରାହ୍ମଣମାନେ ଅଯୋଧ୍ୟାପୁରରୁ ଆସିଥିଲେ, ସେମାନଙ୍କୁ ଜନକ ଅତି ଆଦରରେ ଗ୍ରହଣ କଲେ ।

 

ହେମନ୍ତ ଋତୁର ମାର୍ଗଶିର ମାସ ଆସିଲା । ଜ୍ୟୋତିଷମାନେ ଗ୍ରହ, ତିଥି, ନକ୍ଷତ୍ର ବାର ଓ ଯୋଗ ଦେଖି ବିବାହ ପାଇଁ ଉପଯୁକ୍ତ ସମୟ ନିର୍ଣ୍ଣୟ କଲେ । ଗୋଧୂଳିର ପବିତ୍ର ବେଳାରେ ସମସ୍ତ ସୁଲକ୍ଷଣ ଯେତେବେଳେ ସୁସମ୍ପନ୍ନ ଥିଲା, ଶତାନନ୍ଦ ସେହି ମୁହୂର୍ତ୍ତଟିକୁ ବିବାହର ଲଗ୍ନ ବୋଲି ସ୍ଥିର କଲେ । ବ୍ରାହ୍ମଣମାନଙ୍କର ବେଦଧ୍ୱନି ମଧ୍ୟରେ ବରଯାତ୍ରୀମାନଙ୍କୁ ନିମନ୍ତ୍ରଣ କରି ଆଣିବା ପାଇଁ ଜନକଙ୍କର ଲୋକମାନେ ବାହାରିଲେ । ଦଶରଥ ନିଜ କୁଳର ରୀତି ବଶିଷ୍ଠଙ୍କୁ ପଚାରି ବୁଝିଲେ । ତାଙ୍କର ନିର୍ଦ୍ଦେଶ ଅନୁସାରେ ଶୁଭ ମୁହୂର୍ତ୍ତରେ ବରଯାତ୍ରୀମାନେ ବାହାରିଲେ ।

 

ଶ୍ରୀରାମ, ଭରତ, ଲକ୍ଷ୍ମଣ ଓ ଶତ୍ରୁଘ୍ନ ସଙ୍ଗରେ ଧରି ରାଜା ଦଶରଥ ବିଜେକଲେ । ଶ୍ରୀରାମ ଗୋଟିଏ ସୁନ୍ଦର ସୁସଜ୍ଜିତ ଅଶ୍ଵ ଉପରେ ଆରୂଢ଼ ହେଲେ । ତାଙ୍କ ସହିତ ଭାଇମାନେ ମଧ୍ୟ ସେହିପରି ଅଶ୍ଵମାନଙ୍କରେ ବସିଲେ । ଦୁଇପକ୍ଷରେ ନାନାଦି ବାଦ୍ୟବାଜଣା ମେଦିନୀ ଓ ଆକାଶ କଂପିତ କଲା । ‘ରଘୁକୁଳମଣି ଶ୍ରୀରାମଙ୍କର ଜୟ ହେଉ’ ନାଦ ଚତୁର୍ଦ୍ଦିଗ କମ୍ପିତ କରୁଥାଏ । ସୁନ୍ଦରୀ ସ୍ତ୍ରୀମାନେ ଆଳତି ଧରି ମଙ୍ଗଳ-ଗୀତ ଗାଉଥାନ୍ତି ।

 

ବରଯାତ୍ରୀ ବେଦି ସନ୍ନିକଟ ହେବା ସଙ୍ଗେ ସଙ୍ଗେ ବାଦ୍ୟ-ବାଜଣାର ଧ୍ୱନି ବର୍ଦ୍ଧିତ ହେବାକୁ ଲାଗିଲା । ସୀତାଙ୍କର ମାତା ଦୂରରୁ ଶ୍ରୀରାମଚନ୍ଦ୍ରଙ୍କର ବରବେଶ ଦେଖି ହୃଦୟରେ ଅପାର ଆନନ୍ଦ ଅନୁଭବ କଲେ । ଦଶରଥ ନିଜର ବରଯାତ୍ରୀମଣ୍ଡଳୀ ସହିତ ବିବାହ ବେଦି ନିକଟରେ ପହଞ୍ଚିବା ସଙ୍ଗେ ସଙ୍ଗେ ବ୍ରାହ୍ମଣମାନେ ବେଦପାଠ କରିବାକୁ ଲାଗିଲେ । ଦଶରଥ ଓ ଜନକ ଦୁଇ ସମୁଦୀ ପରସ୍ପରକୁ ଅତି ଆନନ୍ଦରେ ଭେଟିଲେ । ସେତିକିବେଳେ ଆକାଶରୁ ପୁଷ୍ପବୃଷ୍ଟି ହେଲା । ଜନକ ଜଣ ଜଣ କରି ସମସ୍ତଙ୍କୁ ସଙ୍ଖୋଳି ଆଣି ସିଂହାସନ ଉପରେ ବସାଇଲେ । ବଶିଷ୍ଠ, ବିଶ୍ୱାମିତ୍ର ଓ ବାମଦେବଙ୍କୁ କୁଳର ଇଷ୍ଟଦେବତା ବୋଲି ମନେ କରି ଜନକ ଅତି ସନ୍ତର୍ପଣରେ ସେମାନଙ୍କୁ ଯଥାଯୋଗ୍ୟ ଆସନ ଦେଲେ ।

 

ବଶିଷ୍ଠ ଶତାନନ୍ଦଙ୍କୁ ଆଦରପୂର୍ବକ ଡାକି ରାଜକୁମାରୀଙ୍କୁ ବେଦିକୁ ଆନୟନ କରିବା ପାଇଁ କହିଲେ । କୁଳର ରୀତି ଅନୁସାରେ ସଖୀମାନେ ସୀତାଙ୍କୁ ସଙ୍ଗରେ ଧରି ମଣ୍ଡପ ଉପରକୁ ଆଣିଲେ । ସୁନ୍ଦରୀ ସଖୀମାନଙ୍କ ଗହଣରେ ସୀତା ଏକ ସୁନ୍ଦର ଛବି ପରି ଶୋଭା ପାଉଥିଲେ । ମୁନିମାନେ ବେଦପାଠ କରିବାକୁ ଲାଗିଲେ । ସୀତା ଗୋଟିଏ ସିଂହାସନ ଉପରେ ବସିଲେ । ବେଦ ପଢ଼ାହେଉଥିବା ସମୟରେ ଅଗ୍ନିରେ ଘୃତାହୁତି ଦିଆଗଲା । ଜନକଙ୍କର ପାଟରାଣୀ ସୁନୟନା ଜନକଙ୍କର ବାମପାର୍ଶ୍ଵରେ ବସିଥାଆନ୍ତି । ଶ୍ରୀରାମଚନ୍ଦ୍ରଙ୍କର ପାଦ ଧୌତ କରି ରାଜା ଓ ରାଣୀ ବେଦିରେ ବସାଇଲେ । ଦୁଇକୁଳର ପୁରୋହିତମାନେ ବରକନ୍ୟାଙ୍କୁ ହସ୍ତଗ୍ରନ୍ଥି ଦେଲେ । ସତେ ଯେପରି ଶିବପାର୍ବତୀ କିମ୍ବା ବିଷ୍ଣୁ ଓ ଲକ୍ଷ୍ମୀଙ୍କର ବିବାହ ହେଉଅଛି ବୋଲି ଜଣାଗଲା । ଶ୍ରୀରାମଚନ୍ଦ୍ର, ସୀତାଙ୍କ ମସ୍ତକରେ ସିନ୍ଦୂର ଦେଲେ । ଦଶରଥ ଓ ଜନକଙ୍କର କଳ୍ପବୃକ୍ଷ ଫଳବାନ୍ ହେଉଥିବାରୁ ସେମାନଙ୍କର ଶରୀର ରୋମାଞ୍ଚିତ ହୋଇଉଠୁଥିଲା ।

 

ବଶିଷ୍ଠଙ୍କର ଆଦେଶ ପାଇ ମାଣ୍ଡବୀ, ଶ୍ରୁତକୀର୍ତ୍ତି ଓ ଊର୍ମିଳା ମଣ୍ଡପ ଉପରକୁ ଆସିଲେ । ମାଣ୍ଡବୀ କୁଶଧ୍ଵଜଙ୍କର ଜ୍ୟେଷ୍ଠାକନ୍ୟା ଥିଲେ । ଜନକ ମାଣ୍ଡବୀଙ୍କୁ ଭରତ ସହିତ ବିବାହ ଦେଲେ । ସୀତାଙ୍କର କନିଷ୍ଠା ଭଗ୍ନୀ ଊର୍ମିଳା ଲକ୍ଷ୍ମଣଙ୍କ ସହିତ ଓ ଶ୍ରୂତକୀର୍ତ୍ତି ଶତ୍ରୁଘ୍ନଙ୍କ ସହିତ ବିବାହ କଲେ । ଦଶରଥଙ୍କର ଚାରିପୁତ୍ର ମିଥିଳାର ଚାରି ରାଜକନ୍ୟାଙ୍କୁ ବିବାହ କଲେ ।

 

ରାଜା ଜନକ ଯୌତୁକ ରୂପେ ନାନାପ୍ରକାରର ବସ୍ତ୍ର, ହସ୍ତୀ, ରଥ, ଅଶ୍ଵ, ଦାସଦାସୀ, ଅଳଙ୍କାର ଓ ଗାଭୀ ପ୍ରଦାନ କଲେ । ଦଶରଥ ଯାଚକମାନଙ୍କର ମନ ପ୍ରସନ୍ନ କରି ଦାନ ଦେଲେ । ରାଜା ଜନକ ଓ ତାଙ୍କର ସାନଭାଇ କୁଶଧ୍ଵଜ ଦଶରଥଙ୍କୁ କହିଲେ–ହେ ମହାରାଜ, ଆପଣଙ୍କ ସହିତ ସମ୍ବନ୍ଧ ଫଳରେ ଆମ୍ଭମାନଙ୍କର ସ୍ଥାନ ବହୁତ ଉନ୍ନତ ହୋଇଯାଇଛି । ଆମ୍ଭମାନଙ୍କୁ ଆପଣ ସେବକ ବୋଲି ମନେକରନ୍ତୁ । ଆମ୍ଭମାନଙ୍କର ଅପରାଧ କ୍ଷମାକରିବେ ।

 

ଚାରି କୁମାର ଓ ଚାରି ପୁତ୍ରବଧୂ ପିତାଙ୍କ ସମ୍ମୁଖରେ ପହଞ୍ଚିଲେ । ନଗରର ସ୍ତ୍ରୀମାନେ ଦଶରଥଙ୍କୁ ଲକ୍ଷ୍ୟ କରି ମଧୁର ଧ୍ୱନିରେ ଅନେକ ମଧୁର ଭର୍ତ୍ସନା ଶୁଣାଇଲେ । ଦଶରଥ ତାହା ଶୁଣି ହସୁଥିଲେ । ରାଜା ଜନକ ବରଯାତ୍ରୀମାନଙ୍କୁ ତାମ୍ବୁଳ ଦାନ କଲେ । ରାଜା ଦଶରଥ ବାମଦେବ, ଦେବର୍ଷି ନାରଦ, ବାଲ୍ମୀକି, ଜାବାଳି ଓ ବିଶ୍ଵାମିତ୍ର ପ୍ରଭୃତି ତପସ୍ଵୀମାନଙ୍କ ଚରଣରେ ପ୍ରଣାମ ଜଣାଇଲେ । ରାଜା ଜନକ ବିଶ୍ଵାମିତ୍ରଙ୍କୁ କହିଲେ–ହେ ମହାମୁନି ! ଏ ସବୁ ଆପଣଙ୍କ କୃପାର ଫଳ-। ରାଜା ଦଶରଥ ଜନକଙ୍କୁ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରିବାପାଇଁ ଯେତେ ପ୍ରକାର ଅନୁରୋଧ କରନ୍ତି, ରାଜା ଜନକ ନାନା ମଧୁର ବାଣୀଦ୍ଵାରା ସନ୍ତୁଷ୍ଟ କରି ତାଙ୍କୁ ଅଧିକ ଦିନ ରହିବାପାଇଁ ପ୍ରାର୍ଥନା କରନ୍ତି । ବିଶ୍ଵାମିତ୍ର ଓ ଶତାନନ୍ଦଙ୍କର ନାନାପ୍ରକାର ଅନୁରୋଧ ଫଳରେ ରାଜା ଜନକ ଦଶରଥଙ୍କୁ ବିଦାୟ ଦେବାପାଇଁ ରାଜି ହେଲେ । ଦଶରଥ ପ୍ରତ୍ୟାବର୍ତ୍ତନ ମାର୍ଗରେ ଯେଉଁ ଯେଉଁ ସ୍ଥାନରେ ବିଶ୍ରାମ ନେବେ, ସେ ସ୍ଥାନମାନଙ୍କରେ ରାଜା ଜନକ ସେମାନଙ୍କର ଅବସ୍ଥାନ ନିମନ୍ତେ ସମସ୍ତ ବ୍ୟବସ୍ଥା ଆଗରୁ ଆୟୋଜନ କରିଦେଇଥିଲେ ।

 

ଶ୍ରୀରାମଚନ୍ଦ୍ର ଓ ତାଙ୍କର କନିଷ୍ଠ ଭ୍ରାତାମାନେ ଜନକଙ୍କ ପ୍ରାସାଦରେ ମଣୋହି ସାରି ରାଣୀମାନଙ୍କଠାରୁ ବିଦାୟ ନେବାକୁ ଆସିଲେ । ଶ୍ରୀରାମଚନ୍ଦ୍ର ବିଦାୟ ମୁହୂର୍ତ୍ତରେ ରାଣୀମାନଙ୍କୁ କହିଲେ–ହେ ମୋର ମାତାମାନେ, ଆମ୍ଭମାନଙ୍କୁ ଆନନ୍ଦ ମନରେ ବିଦାୟ ଦିଅନ୍ତୁ । ଆମ୍ଭମାନଙ୍କୁ ବାଳକ ମନେକରି ଆମ୍ଭମାନଙ୍କ ଉପରେ ସ୍ନେହ ରଖିବେ । ସୁନୟନା ଶ୍ରୀରାମଚନ୍ଦ୍ରଙ୍କୁ କହିଲେ–ହେ ଶ୍ରୀରାମ, ଜାନକୀ ଏ ପରିବାର, ପୁରବାସୀ ଓ ରାଜାଙ୍କର ପ୍ରାଣପ୍ରତିମ ଅଟନ୍ତି । ଶ୍ରୀରାମଚନ୍ଦ୍ର ରାଣୀମାନଙ୍କୁ ପ୍ରଣାମ କରି ବିଦାୟ ନେଲେ ।

 

ଜାନକୀ ଯେତେବେଳେ ରାଜପୁରରୁ ବାହାରିଲେ, ସେ ଯେଉଁ ଶୁଆ ସାରୀମାନଙ୍କୁ ପିଲାଦିନରୁ ପାଳିଥିଲେ ଏବଂ ପଞ୍ଜୁରୀ ମଧ୍ୟରେ ରଖି ପଢ଼ାଇଥିଲେ, ସେଗୁଡ଼ିକ ବ୍ୟାକୁଳ ହୋଇ ସୀତାଙ୍କର ଗୁଣ ବାହୁନି ରାବିବାକୁ ଲାଗିଲେ । ପରମବୈରାଗୀ ଜନକ ସୀତାଙ୍କୁ ବିଦାୟ ଦେଲାବେଳେ ଧୈର୍ଯ୍ୟ ଧାରଣ କରିପାରିଲେ ନାହିଁ । ସେତେବେଳେ ବୁଦ୍ଧିମାନ୍ ମନ୍ତ୍ରୀ ତାହାଙ୍କୁ ଧୈର୍ଯ୍ୟ ଦେଲେ । ସୁନ୍ଦର ଶୁଭ ମୁହୂର୍ତ୍ତରେ ରାଜା ଗଣେଶଙ୍କୁ ସ୍ମରଣ କରି କନ୍ୟାମାନଙ୍କୁ ପାଲିଙ୍କିରେ ବସାଇଲେ । ବରକନ୍ୟା ଓ ରାଜପରିବାର ସହିତ ଦଶରଥ ଜନଜପୁରରୁ ବିଦାୟ ନେଲାବେଳେ ରାଜା ଜନକ ଦଶରଥ ସଙ୍ଗରେ ବହୁଦୂର ପର୍ଯ୍ୟନ୍ତ ଯାଇ ମୁନିମଣ୍ଡଳୀଙ୍କୁ ପ୍ରଣାମ ଜଣାଇ ନିଜ ପୁରକୁ ଫେରିଆସିଲେ ।

Image

 

ପୂତ୍ରବଧୂ ମାନଙ୍କର ଗୃହମଣ୍ଡନ

 

ଅଯୋଧ୍ୟା ନଗରନିବାସୀ ମହାରାଜା ଦଶରଥଙ୍କର ପ୍ରତ୍ୟାବର୍ତ୍ତନ ମାର୍ଗରୁ ଚାହିଁ ରହିଥିଲେ । ଶ୍ରୀରାମ ଲକ୍ଷ୍ମଣ ବରଯାତ୍ରୀଙ୍କ ସହିତ ଫେରିଆସୁଥିବା ସଂବାଦ ନଗରରେ ପହଞ୍ଚିବାମାତ୍ରେ ନଗରର ନରନାରୀ ଆନନ୍ଦରେ ଅଭିଭୂତ ହୋଇପଡ଼ିଲେ । ସମସ୍ତଙ୍କ ଗୃହ, ମାର୍ଗ, ପ୍ରାସାଦ ନାନାଦି ଆଭରଣରେ ସଜ୍ଜିତ ହେଲା ।

 

କୌଶଲ୍ୟା, କୈକେୟୀ ଓ ସୁମିତ୍ରା ପ୍ରଭୃତି ରାଣୀମାନେ ପୁତ୍ରମାନଙ୍କର ଆଗମନ ସଂବାଦ ପାଇଲେ । ସେମାନେ ଦେବତା ଓ ବ୍ରାହ୍ମଣମାନଙ୍କୁ ନାନାପ୍ରକାରେ ପୂଜା କରିବାକୁ ଲାଗିଲେ । ସୁମିତ୍ରା ହଳଦୀ, ଦୁଧ, ଦହି, ପତ୍ର, ଫୁଲ, ପାନ, ଗୁବାକ ଆଦି ମଙ୍ଗଳ ବସ୍ତୁ ଏବଂ ଅକ୍ଷତ, ଗୋରଚନା, ତୁଳସୀ ମଞ୍ଜରୀ ପ୍ରଭୃତି ଆୟୋଜନ କଲେ । ସୁବର୍ଣ୍ଣକଳସ ଦ୍ଵାରଦେଶରେ ସ୍ଥାପିତ ହେଲା । ସ୍ଵର୍ଣ୍ଣଥାଳୀରେ ସମସ୍ତ ମଙ୍ଗଳ ବସ୍ତୁ ସ୍ଥାପନ କରି ମାତାମାନେ ବରବଧୂମାନଙ୍କର ପ୍ରତ୍ୟାଗମନକୁ ଅପେକ୍ଷା କରି ରହିଲେ । ଚତୁର୍ଦ୍ଦିଗ ଧୂପଗନ୍ଧରେ ମହକି ଉଠିଲା ।

 

ଅଯୋଧ୍ୟାପତି ପୁତ୍ର ଓ ପୁତ୍ରବଧୂମାନଙ୍କ ସହିତ ଉତ୍ତମ ମୁହୂର୍ତ୍ତ ବଶିଷ୍ଠଙ୍କଠାରୁ ଜାଣି ଅଯୋଧ୍ୟାରେ ପ୍ରବେଶ କଲେ । ମାଗଧ ଓ ଭାଟମାନେ ସେତେବେଳେ ଶ୍ରୀରାମଚନ୍ଦ୍ରଙ୍କର ଯଶଗାନରେ ରତ ଥିଲେ । ଜୟଧ୍ୱନିରେ ଆକାଶ ଫାଟି ପଡ଼ୁଥିଲା । ମଙ୍ଗଳ ବେଦଧ୍ୱନି ବ୍ରାହ୍ମଣମାନେ ଉଚ୍ଚାରଣ କରୁଥିଲେ । ଆକାଶରୁ ଦେବତାମାନେ ଓ ନଗରର ନାଗରିକମାନେ ନାନାଦି ବାଦ୍ୟ ବଜାଉଥିଲେ । ଅଯୋଧ୍ୟାବାସୀମାନେ ରାଜାଙ୍କର ବନ୍ଦନା କରୁଥାନ୍ତି । ଶ୍ରୀରାମଙ୍କୁ ଦେଖି ଚାରିଆଡ଼େ ଆନନ୍ଦର ଢେଉ ଖେଳିଗଲା । ହୃଦୟର ଆନନ୍ଦରେ ଚକ୍ଷୁ ଲୋତକପୂର୍ଣ୍ଣ ଓ ଶରୀର ପୁଲକିତ ହୋଇଗଲା । ଚାରିକୁମାରଙ୍କୁ ଦେଖି ଅଯୋଧ୍ୟାର ନାରୀମାନେ ଆନନ୍ଦରେ ଆରତି କରିବାକୁ ଲାଗିଲେ । ପାଲିଙ୍କିରେ ପୁତ୍ରବଧୂମାନେ ବସିଥିଲେ । ପାଲିଙ୍କିରୁ ପରଦା କାଢ଼ି କାଢ଼ି ନାରୀମାନେ ସେମାନଙ୍କୁ ଦେଖିବାରେ ଲାଗିଥାନ୍ତି ।

 

ପାଲିଙ୍କି ସବୁ ରାଜଦ୍ଵାରରେ ପହଞ୍ଚିବାରୁ ମାତାମାନେ ପୁତ୍ରବଧୂ ଓ ପୁତ୍ରମାନଙ୍କୁ ବେଦବିଧି ଓ କୁଳର ରୀତି ଅନୁସାରେ ପାହାଡ଼ା ଦେଇ ରାଜଭବନକୁ ନେଲେ । ଚାରିଗୋଟି ସିଂହାସନ ଆଗରୁ ନିର୍ମିତ ହୋଇଥିଲା । ମାତାମାନେ ରାଜକୁମାରୀ ଓ ରାଜକୁମାରମାନଙ୍କୁ ସିଂହାସନରେ ବସାଇଲେ । ସେମାନଙ୍କର ଚରଣ ଧୌତ କଲେ । ବେଦବିଧି ଅନୁସାରେ ସେମାନଙ୍କୁ ଧୂପ, ଦୀପ ଓ ନୈବେଦ୍ୟଦ୍ଵାରା ପୂଜା କଲେ । ସେମାନଙ୍କ ମସ୍ତକ ଉପରେ ସୁନ୍ଦର ପଙ୍ଖା ଓ ଚାମର ଖେଳୁଥାଏ । ମାତାମାନେ ଅନେକ ବସ୍ତୁ ଦେବତା ବ୍ରାହ୍ମଣମାନଙ୍କୁ ଉତ୍ସର୍ଗ କରି ପୁତ୍ର ଓ ପୁତ୍ରବଧୂମାନଙ୍କର କଲ୍ୟାଣ କାମନା କରିବାରେ ଲାଗିଛନ୍ତି । ମାତାମାନେ କୁଳର ରୀତି ଅନୁସାରେ ଯେତେବେଳେ ନାନାଦି ବନ୍ଦାପନା କରୁଥାନ୍ତି, ପୁତ୍ର ଓ ପୁତ୍ରବଧୂମାନଙ୍କୁ ସଙ୍କୋଚ ଲାଗୁଥାଏ । ଶ୍ରୀରାମଚନ୍ଦ୍ର ମନେ ମନେ ହସୁଥାନ୍ତି ।

 

ରାଜା ବରଯାତ୍ରୀମାନଙ୍କୁ ଡକାଇଲେ ଓ ସେମାନଙ୍କୁ ନାନା ବାହନ, ବସ୍ତ୍ର ଓ ମଣି ଆଭରଣାଦି ଦେଲେ । ସେମାନେ ଆନନ୍ଦରେ ଗୃହକୁ ଫେରିଲେ । ପୁଣି ରାଜା ନଗରର ସମସ୍ତ ସ୍ତ୍ରୀ ପୁରୁଷଙ୍କୁ ବସ୍ତ୍ର ଓ ଅଳଙ୍କାର ଦେଲେ । ଯାଚକମାନଙ୍କର ମନ ଜାଣି ସେ ଯାହା ମାଗିଲେ, ରାଜା ସେମାନଙ୍କୁ ତାହା ଦେଲେ । ସେବକମାନେ ନାନା ବସ୍ତୁ ପାଇ ସନ୍ତୁଷ୍ଟ ହେଲେ । ସମସ୍ତେ ଆଶୀର୍ବାଦ ଦେଇ ଘରକୁ ଫେରିଲେ ।

 

ରାଜା ଦଶରଥ ସମସ୍ତଙ୍କୁ ପ୍ରସନ୍ନ କରି ଗୁରୁ ଓ ବ୍ରାହ୍ମଣମାନଙ୍କୁ ନେଇ ନିଜ ଭବନରେ ପ୍ରବେଶ କଲେ । ରାଣୀମାନେ ବ୍ରାହ୍ମଣମାନଙ୍କର ଚରଣ ଧୌତ କରି ସେମାନଙ୍କୁ ନାନାଦି ଦ୍ରବ୍ୟ ଦାନ କଲେ । ସେମାନେ ସମସ୍ତଙ୍କୁ ଆଶୀର୍ବାଦ କରି ପ୍ରତ୍ୟାଗମନ କଲେ । ରାଜା ବିଶ୍ଵାମିତ୍ରଙ୍କୁ କହିଲେ–ହେ ନାଥ, ମୋ ପରି ଭାଗ୍ୟବାନ୍ ଆଉ କେହି ନାହାନ୍ତି । ବିଶ୍ଵାମିତ୍ର ତାଙ୍କୁ ଆଶୀର୍ବାଦ ଦେଲେ । ରାଣୀମାନେ ମୁନିଙ୍କର ଚରଣ ଧୌତ କଲେ । ବିଶ୍ଵାମିତ୍ରଙ୍କର ଅବସ୍ଥାନ ନିମନ୍ତେ ସମସ୍ତ ବନ୍ଦୋବସ୍ତ କରିବା ପରେ ଗୁରୁ ବଶିଷ୍ଠଙ୍କର ଚରଣ ଧୌତ କରି ପୂଜା କଲେ । ପୁତ୍ର ଓ ପୁତ୍ରବଧୂମାନେ ବାରମ୍ବାର ପ୍ରଣାମ କରି ଗୁରୁଙ୍କୁ ବନ୍ଦନା କଲେ । ରାଜା ଗୁରୁଙ୍କ ଚରଣରେ ସମସ୍ତ ସମ୍ପତ୍ତି ଉତ୍ସର୍ଗ କରି ବିନୟପୂର୍ବକ ପ୍ରାର୍ଥନା କଲେ । ଗୁରୁ ବଶିଷ୍ଠ ହୃଦୟରେ ସୀତାରାମଙ୍କୁ ସ୍ଥାପନ କରି ସେଦିନ ଆଶ୍ରମକୁ ପ୍ରତ୍ୟାଗମନ କଲେ ।

 

ରାଜା ରାଣୀମାନଙ୍କ ଭବନକୁ ଯାଇ ସେଠାରେ ସେମାନଙ୍କ ସହିତ ପୁତ୍ର ଓ ପୁତ୍ରବଧୂମାନଙ୍କୁ ଅତିଶୟ ସ୍ନେହରେ ଆଲିଙ୍ଗନ କଲେ । ରାଣୀମାନଙ୍କୁ ବସାଇ ବିବାହ ଉତ୍ସବର ସମସ୍ତ ଘଟଣା ସେମାନଙ୍କ ସମ୍ମୁଖରେ ବର୍ଣ୍ଣନା କଲେ I ଭାଟମାନେ ପ୍ରଶଂସା କରି ବର୍ଣ୍ଣନା କଲାପରି ରାଜା ଦଶରଥ ଜନକଙ୍କର ଶୀଳ, ମହତ୍ତ୍ଵ ଓ ସମ୍ପତ୍ତି ବିଷୟ ବର୍ଣ୍ଣନା କରିବାକୁ ଲାଗିଲେ । ରାଣୀମାନେ ଏ ସବୁ ଶୁଣି ଅତ୍ୟନ୍ତ ପ୍ରସନ୍ନ ହେଲେ ।

 

ରାଜା ସମସ୍ତଙ୍କୁ ସବୁପ୍ରକାରରେ ସମ୍ମାନ ଦେଇ ରାଣୀମାନଙ୍କୁ ନିଜ ଭବନକୁ ଡକାଇଲେ-। ସେମାନଙ୍କୁ କୋମଳ ଭାବରେ କହିଲେ–ବୋହୂମାନେ ଏବେ ବାଳିକା, ପର ଘରକୁ ଆସିଛନ୍ତି-। ନେତ୍ରକୁ ପଲକ ରକ୍ଷା କଲା ଭଳି ସେମାନଙ୍କୁ ରକ୍ଷା କରିବ । କୁମାରମାନେ ବର୍ତ୍ତମାନ ଶ୍ରାନ୍ତ ହୋଇ ପଡ଼ିଛନ୍ତି । ସେମାନଙ୍କର ବିଶ୍ରାମର ସମସ୍ତ ବନ୍ଦୋବସ୍ତ କରିଦିଅ । ଶ୍ରୀରାମଙ୍କ ସହିତ ଭାଇମାନେ ନିଜ ନିଜ ଭବନକୁ ଗଲେ । ମାତା ଶ୍ରୀରାମଙ୍କୁ ପଚାରିଲେ–ପୁତ୍ର, ତୁ କିପରି ଭୟଙ୍କରୀ ରାକ୍ଷସୀ ତାଡ଼କାକୁ ବଧ କଲୁ ? ମାରୀଚ ଓ ସୁବାହୁ ରାକ୍ଷସମାନଙ୍କୁ କିପରି ମାରିଲୁ ? ବିଶ୍ଵାମିତ୍ର ମୁନିଙ୍କ କୃପାରୁ ଈଶ୍ଵର ତୁମ୍ଭମାନଙ୍କର ସମସ୍ତ କାର୍ଯ୍ୟ ସମ୍ପନ୍ନ କଲେ । ତୁମ୍ଭେ ଦୁଇଜଣ ମୁନିଙ୍କର ଯଜ୍ଞରକ୍ଷା କରି ତାଙ୍କର ଦୟାରୁ ସମସ୍ତ ବିଦ୍ୟା ହାସଲ କଲ । ତୁମର ଚରଣଧୂଳି ପାଇ ମୁନିପତ୍ନୀ ଅହଲ୍ୟା ଉଦ୍ଧାର ପାଇଲେ । ଶିବଙ୍କର ଧନୁ କଚ୍ଛପର ପୃଷ୍ଠଠାରୁ କଠୋର, ବଜ୍ର ଓ ପର୍ବତଠାରୁ ବଳି କଠିନ ଅଟେ । ତୁ ତାକୁ ଭଗ୍ନ କରି ଜାନକୀକୁ ଧରି ଅଯୋଧ୍ୟାକୁ ଆସିଲୁ । ଏସବୁ ସ୍ନେହ ମୁନି ବିଶ୍ଵାମିତ୍ରଙ୍କ କୃପାର ଫଳ । ତୋର ଚନ୍ଦ୍ରମୁଖ ଦେଖି ମୋର ଜନ୍ମ ସଫଳ ହେଲା ।

 

ଶ୍ରୀରାମଚନ୍ଦ୍ର ନାନା ବିନୀତ ବଚନରେ ମାତାମାନଙ୍କୁ ସନ୍ତୁଷ୍ଟ କଲେ । ଶିବ, ଗୁରୁ ଓ ବ୍ରାହ୍ମଣମାନଙ୍କର ଚରଣ ସ୍ମରଣ କରି ସେମାନେ ଶୟନ କଲେ । ବ୍ରାହ୍ମ ମୁହୂର୍ତ୍ତରେ ଶ୍ରୀରାମ ଶଯ୍ୟାତ୍ୟାଗ କରି ଉଠିଲା ବେଳକୁ ନଗରର ବହୁଲୋକ ତାଙ୍କର ଦର୍ଶନ ନିମନ୍ତେ ରାଜଦ୍ଵାରରେ ରୁଣ୍ଡ ହୋଇଛନ୍ତି । ଶ୍ରୀରାମ ଶୌଚାଦି କ୍ରିୟା ସମାପନାନ୍ତେ ସରଯୂ ନଦୀକୁ ସ୍ନାନ କରିବାକୁ ଗଲେ । ନାଗରିକମାନେ ତାଙ୍କର ଦର୍ଶନ କଲେ । ସ୍ନାନ ସାରି ଆସିବା ପରେ ଗୁରୁ ତାହାଙ୍କୁ ଧର୍ମର ଇତିହାସ କହି ଶୁଣାଇଲେ । ଆନନ୍ଦ ଉତ୍ସବରେ ଅଯୋଧ୍ୟାର ନରନାରୀ ସମୟ କଟାଇବାକୁ ଲାଗିଲେ । ପ୍ରତିଦିନ ନୂଆ ନୂଆ ବିନୋଦ ହେବାକୁ ଲାଗିଲା ।

 

ବିଶ୍ଵାମିତ୍ର ପ୍ରତିଦିନ ନିଜ ଆଶ୍ରମକୁ ଫେରିଯିବାକୁ ରାଜା ଦଶରଥଙ୍କୁ ଅନୁରୋଧ କରନ୍ତି; କିନ୍ତୁ ରାଜାଙ୍କର ଶତଗୁଣ ସ୍ନେହ ଓ ଭକ୍ତି ଦେଖି ଯାଇପାରନ୍ତି ନାହିଁ । ଦିନେ ବିଶ୍ଵାମିତ୍ର ବିଦାୟ ନେବାପାଇଁ ଇଚ୍ଛା କରିବାରୁ ରାଜା ଅତିଶୟ ପ୍ରେମମଗ୍ନ ହୋଇ ପୁତ୍ରମାନଙ୍କ ସହିତ ତାଙ୍କର ସମ୍ମୁଖରେ ଦଣ୍ଡାୟମାନ ହୋଇ କହିଲେ–ହେ ନାଥ । ଏ ସମସ୍ତ ସଂପତ୍ତି ଆପଣଙ୍କର; ମୁଁ ମୋର ସ୍ତ୍ରୀ ପୁତ୍ର ସହିତ ଆପଣଙ୍କ ସେବକ ଅଟେ । ଏହିପରି କହି ସମସ୍ତେ ମୁନିଙ୍କ ଚରଣ ତଳେ ପ୍ରଣାମ କଲେ । ବିଶ୍ଵାମିତ୍ର ସେମାନଙ୍କୁ ଅଶୀର୍ବାଦ ଦେଇ ଆଶ୍ରମ ଉଦ୍ଦେଶ୍ୟରେ ବାହାରିଲେ । ଶ୍ରୀରାମ ଭାଇମାନଙ୍କୁ ସଙ୍ଗରେ ଘେନି ତାଙ୍କୁ ବିଦାୟ ଦେଇ, ମୁନିଙ୍କ ଆଜ୍ଞା ପାଇ ଫେରିଆସିଲେ । ବଶିଷ୍ଠ ପ୍ରତିଦିନ ବିଶ୍ଵାମିତ୍ରଙ୍କର କାହାଣୀ ଶ୍ରୀରାମଙ୍କୁ ଶୁଣାଇବାକୁ ଲାଗିଲେ ।

Image

 

ଅଯୋଧ୍ୟାକାଣ୍ଡ

ରାଜା ଦଶରଥଙ୍କ ଚିନ୍ତା

 

ଦିନକର କଥା । ରାଜା ଦଶରଥ ହାତରେ ଗୋଟିଏ ଦର୍ପଣ ଧରି ସେଥିରେ ନିଜର ମୁଖର ପ୍ରତିବିମ୍ବ ଦେଖୁଥିଲେ । ସେତିକିବେଳେ ତାଙ୍କର କର୍ଣ୍ଣ ସନ୍ନିହିତ କେଶଗୁଡ଼ିକର ବର୍ଣ୍ଣ ଶ୍ଵେତ ହୋଇଯାଇଥିବାର ଲକ୍ଷ୍ୟ କଲେ । ତାଙ୍କର ମନେହେଲା–ବୃଦ୍ଧତ୍ଵ ତାଙ୍କୁ ଉପଦେଶ ଦେଇ କହୁଛି–ହେ ରାଜା, ତୁମେ ଶ୍ରୀରାମଚନ୍ଦ୍ରଙ୍କୁ ଯୁବରାଜ ପଦରେ ଅଧିଷ୍ଠିତ କରି ଜୀବନ ଓ ମୃତ୍ୟୁର ସଫଳତା ଲାଭ କରୁନାହିଁ କାହିଁକି ? ତାଙ୍କର ମନକଥା ସେ ଗୁରୁ ବଶିଷ୍ଠଙ୍କ ସମ୍ମୁଖରେ ପ୍ରକାଶ କଲେ । ଦିନେ ସେ ବଶିଷ୍ଠଙ୍କୁ ଡାକି କହିଲେ–ହେ ମୁ ମୁନିରାଜ, ମୋର ଜ୍ୟେଷ୍ଠପୁତ୍ର ଶ୍ରୀରାମଚନ୍ଦ୍ର ବର୍ତ୍ତମାନ ରାଜପଦ ନିମନ୍ତେ ଯୋଗ୍ୟ । ସେବକ, ମନ୍ତ୍ରୀ ଓ ନଗରନିବାସୀ ସମସ୍ତଙ୍କର ଶ୍ରୀରାମଚନ୍ଦ୍ର ଅତ୍ୟନ୍ତ ପ୍ରିୟ ଅଟନ୍ତି । ଆପଣଙ୍କର ଆଶୀର୍ବାଦ ଶରୀର ଧାରଣ କରି ଶ୍ରୀରାମ ରୂପରେ ଶୋଭିତ ହୋଇଅଛନ୍ତି । ଆପଣଙ୍କର ଚରଣରଜକୁ ପୂଜାକରି ମୁଁ ସବୁକିଛି ପାଇଛି । ମୋ ମନରେ ଗୋଟିଏ ଅଭିଳାଷ ଅଛି; ଆପଣଙ୍କର ଅନୁଗ୍ରହ ହେଲେ ତାହା ପୂର୍ଣ୍ଣ ହେବ ।

 

ମୁନି ପଚାରିଲେ–ଆପଣଙ୍କର ଅଭିଳାଷ ପ୍ରକାଶ କରନ୍ତୁ । ଆପଣଙ୍କର ମନର ଆକାଙ୍‌କ୍ଷା ଫଳର ଅନୁଗମନ କରେ । ରାଜା କହିଲେ–ହେ କୁଳଗୁରୁ, ଶ୍ରୀରାମଚନ୍ଦ୍ରଙ୍କୁ ଯୁବରାଜ କରିବା ଇଚ୍ଛା ମୋର ବଳବତୀ ହୋଇଅଛି । ଆପଣଙ୍କର ଆଜ୍ଞା ହେଲେ ମୁଁ ସେଥିପାଇଁ ସମସ୍ତ ଯତ୍ନ କରିବି । ମୁଁ ବଞ୍ଚି ଥାଉ ଥାଉ ମୋର ନେତ୍ର ପବିତ୍ର ହେଉ । ଏହି ବାସନା ପୂର୍ଣ୍ଣ ହେବା ପରେ ଏ ଶରୀର ରହୁ ବା ଯାଉ, ସେଥିପାଇଁ ମୋର ଶୋଚନା ନାହିଁ ।

 

ବଶିଷ୍ଠ ପ୍ରସନ୍ନ ହୋଇ କହିଲେ–ହେ ରାଜା, ଏ ସମସ୍ତ ଚରାଚରର ମହେଶ୍ଵର ଶ୍ରୀରାମ ଆପଣଙ୍କର ପୁତ୍ର ଅଟନ୍ତି । ସେ ରାଜା ହେଲେ ଆପଣଙ୍କର ସମସ୍ତ ପ୍ରକାରର ଶୁଭ ହେବ । ଶୁଭ ଦିନ ଓ ମଙ୍ଗଳ ମୁହୂର୍ତ୍ତ ଦେଖି ଶ୍ରୀରାମଙ୍କୁ ଯୁବରାଜ ପଦରେ ଅଧିଷ୍ଠିତ କରିବା ପାଇଁ ଆୟୋଜନ କରନ୍ତୁ ।

 

ରାଜା ମହାମନ୍ତ୍ରୀ ସୁମନ୍ତ୍ରଙ୍କୁ ଡାକିଲେ । ତାଙ୍କର ମନର କଥା ତାଙ୍କୁ ଜଣାଇ କହିଲେ, ଶ୍ରୀରାମଙ୍କୁ ଯୁବରାଜ କରାଇବା ମୋର ଇଚ୍ଛା । ଯଦି ଆପଣମାନଙ୍କୁ ମୋର ଏହି ମତ ପସନ୍ଦ ହୁଏ, ତାହାହେଲେ ଶ୍ରୀରାମଙ୍କୁ ରାଜତିଳକ ଦେବାର ଆୟୋଜନ କରନ୍ତୁ । ସୁମନ୍ତ୍ର ସ୍ଵୀକୃତି ଜଣାଇଲେ । ରାଜା କହିଲେ–ଶ୍ରୀରାମଚନ୍ଦ୍ରଙ୍କର ଅଭିଷେକ ନିମନ୍ତେ ମୁନିରାଜ ବଶିଷ୍ଠଙ୍କର ଆଜ୍ଞା ଅନୁସାରେ ସମସ୍ତ ଆୟୋଜନ କରନ୍ତୁ ।

 

ବଶିଷ୍ଠ କହିଲେ–ଶ୍ରେଷ୍ଠ ତୀର୍ଥମାନଙ୍କରୁ ଜଳ ଆଣିବାର ବ୍ୟବସ୍ଥା କରନ୍ତୁ । ଔଷଧି, ଫଳ, ମୂଳ, ପୁଷ୍ପ, ମୃଗଚର୍ମ, ନାନାଦି ବସନ ପ୍ରଭୃତି ଅଭିଷେକ ପାଇଁ ବେଦରେ ଅନେକ ବ୍ୟବସ୍ଥା ଅଛି । ବଶିଷ୍ଠଙ୍କ ଆଦେଶ ଅନୁସାରେ ସବୁ ଜିନିଷର ଆୟୋଜନ ହେଲା । ନଗରର ମାର୍ଗସବୁ ପତାକା ତୋରଣ ଆଦି ଦ୍ଵାରା ସଜ୍ଜିତ ହେଲା । ସମଗ୍ର ରାଜ୍ୟରେ ଶ୍ରୀରାମଙ୍କର ଅଭିଷେକ ସମ୍ବାଦ ପ୍ରଚାର ହେବାରୁ ଚତୁର୍ଦ୍ଦିଗରେ ଆନନ୍ଦର ଢେଉ ଖେଳିଗଲା । ସମଗ୍ର ନଗରରେ ସାଜ୍ଜସଜା ଦେଖିବା ପାଇଁ ମନ୍ତ୍ରୀମାନେ ବାହାରିଲେ ।

 

ଶ୍ରୀରାମଚନ୍ଦ୍ର ଓ ସୀତା ଏ ସବୁ ମାଙ୍ଗଳିକ ଦେଖି ପରସ୍ପର କଥାବାର୍ତ୍ତା ହେଉଥିଲେ–ଭରତଙ୍କ ଆଗମନର ଏ ସବୁ ଶୁଭ ସୂଚନା । ବହୁ ଦିନରୁ ଭରତଙ୍କ ସହିତ ଭେଟ ହୋଇନାହିଁ । ଭରତଙ୍କ ପରି ଆଉ ଏତେ କଏ ପ୍ରିୟ ହୋଇ ପାରିବ ? ଦୁହିଁଙ୍କ ମନରେ ଆନନ୍ଦର ସୀମା ନାହିଁ ।

 

ରାଣୀମାନେ ଶ୍ରୀରାମଙ୍କର ଯୁବରାଜ ହେବାର ସମ୍ବାଦ ଶୁଣି ଅତ୍ୟନ୍ତ ଆନନ୍ଦିତା ହେଲେ-। ପୋଇଲୀ ଆସି ଏ ଖବର ଦେବାରୁ ତାକୁ ସେମାନେ ନାନା ଆଭୂଷଣ ଦାନକଲେ । ସୁମିତ୍ରା ଆନନ୍ଦରେ ଉତ୍‌ଫୁଲ୍ଲା ହେଲେ । କୌଶଲ୍ୟା ଏ ସମ୍ବାଦ ଶୁଣି ବ୍ରାହ୍ମଣମାନଙ୍କୁ ନାନା ଧନରତ୍ନ ଦାନକଲେ ।

 

ରାଜା ବଶିଷ୍ଠଙ୍କୁ ଡକାଇ ଶ୍ରୀରାମଙ୍କୁ ନାନା ନୀତିଶିକ୍ଷା ଦେବାପାଇଁ ଶ୍ରୀରାମଙ୍କ ଭବନକୁ ପଠାଇଲେ । ଶ୍ରୀରାମ ଓ ସୀତା ଗୁରୁଙ୍କ ଚରଣପୂଜା କରି ପଦଧୂଳି ମୁଣ୍ଡରେ ଲଗାଇଲେ । ଶ୍ରୀରାମଚନ୍ଦ୍ର ଗୁରୁଙ୍କ କହିଲେ–ଆପଣ ଏ ସେବକଙ୍କୁ ଆପଣଙ୍କ ନିକଟକୁ ନ ଡକାଇ ନିଜେ କାହିଁକି କଷ୍ଟ ସହି ଏଠାକୁ ଆସିଲେ । ଆପଣଙ୍କର ପରମ ପବିତ୍ର ଚରଣ ଏଠାରେ ପକାଇ ଏ ସ୍ଥାନରୁ ଧନ୍ୟ କଲେ ।

 

ବଶିଷ୍ଠ କହିଲେ–ତୁମର ବଚନ ସୂର୍ଯ୍ୟବଂଶଯୋଗ୍ୟ ଅଟେ । ତୁମର ପିତା ମୋତେ ତୁମ ନିକଟକୁ ପ୍ରେରଣ କରିଅଛନ୍ତି । ସେ ତୁମର ରାଜ୍ୟାଭିଷେକ ନିମନ୍ତେ ସମସ୍ତ ବ୍ୟବସ୍ଥା କରିସାରିଛନ୍ତି-। ତୁମକୁ ଯୁବରାଜ କରିବା ପାଇଁ ତାଙ୍କର ଇଚ୍ଛା । ତୁମେ ଆଜି ଉପବାସ ଓ ଯଜ୍ଞାଦି କରି ସଂଯମ ସାଧନା କର । ବିଧାତା କୁଶଳପୂର୍ବକ ତୁମର ସମସ୍ତ କାର୍ଯ୍ୟ ସଫଳ କରନ୍ତୁ ।

 

ଶ୍ରୀରାମଙ୍କ ହୃଦୟରେ ଗୋଟିଏ ଦୁଃଖ ଥିଲା । ଦୁଃଖର କାରଣ ଥିଲା–ସବୁ ଭାଇ ଏକାଠି ମିଶି ଭୋଜନ କରନ୍ତି, କ୍ରୀଡ଼ା-କୌତୁକ କରନ୍ତି । ସମସ୍ତଙ୍କର କର୍ଣ୍ଣବେଧ, ଯଜ୍ଞୋପଦୀତଧାରଣ, ବିବାହ ଏକ ସଙ୍ଗେ ହୋଇଛି; କିନ୍ତୁ ଏ ନିର୍ମଳ ବଂଶରେ ଅନ୍ୟ ସବୁ ଭାଇମାନଙ୍କର ରାଜ୍ୟାଭିଷେକ ହେବନାହିଁ; କେବଳ ଜ୍ୟେଷ୍ଠପୁତ୍ରଙ୍କର ହେବ । ଏହି କାରଣରୁ ତାଙ୍କ ମନରେ ଦୁଃଖ ।

 

ଲକ୍ଷ୍ମଣ ଅତି ଆନନ୍ଦ ମନରେ ଶ୍ରୀରାମଚନ୍ଦ୍ରଙ୍କ ପାଖରେ ପହଞ୍ଚିଲେ । ଶ୍ରୀରାମ ତାହାଙ୍କୁ ନାନା କୋମଳ ବଚନ କହି ଆଦରରେ ଗ୍ରହଣ କଲେ । ଚାରିଆଡ଼େ ବାଜା ବାଜୁଛି, ଲୋକମାନେ ମନେ କରୁଛନ୍ତି ମାତୁଳଗୃହରୁ ଏହିକ୍ଷଣି ଭରତ ଫେରିଆସିବେ ଏବଂ ରାଜ୍ୟାଭିଷେକ ଦେଖି ଆନନ୍ଦିତ ହେବେ । ବଜାର, ମାର୍ଗ, ପ୍ରାଙ୍ଗଣ, ଗୃହ, ସବୁ ସ୍ଥାନରେ କଥାବାର୍ତ୍ତା ହେଉଛନ୍ତି–କେତେବେଳେ ସେ ମଙ୍ଗଳ ମୁହୂର୍ତ୍ତ ଆସିବ, ଶ୍ରୀରାମଚନ୍ଦ୍ର ସୀତାଙ୍କ ସହିତ ସୁବର୍ଣ୍ଣ ସିଂହାସନରେ ଆରୂଢ଼ ହେବେ, ଆମ୍ଭମାନଙ୍କର ମନସ୍କାମନା ପୂର୍ଣ୍ଣ ହେବ ।

 

ସମସ୍ତ ରାଜ୍ୟରେ ଆନନ୍ଦ ଉଲ୍ଲାସର ରୋଳ ଶୁଭୁଛି । ଆଗାମୀ କାଲିର ସେହି ମଙ୍ଗଳ ମୁହୂର୍ତ୍ତକୁ ସମସ୍ତେ ଚାହିଁ ରହିଛନ୍ତି । ସେତିକିବେଳେ କୁଚକ୍ରୀ ଦେବତାମାନେ ଏ ମଙ୍ଗଳକର ଘଟଣାକୁ ସହିପାରିଲେ ନାହିଁ । ବିଘ୍ନ ସୃଷ୍ଟି କରିବା ପାଇଁ ସେମାନେ ଚକ୍ରାନ୍ତ କଲେ । ଚୌରମାନଙ୍କୁ ଚାନ୍ଦିନୀ ରୀତି ସୁଖକର ନ ହେଲା ପରି କୁଚକ୍ରୀ ଦେବତାମାନଙ୍କୁ ଶ୍ରୀରାମାଭିଷେକ ଭଲଲାଗିଲା ନାହିଁ ।

 

ଦେବତାମାନେ ସରସ୍ଵତୀଙ୍କ ପାଖକୁ ଗଲେ । ସରସ୍ଵତୀଙ୍କ ଚରଣତଳେ ପ୍ରଣାମ କରି ତାଙ୍କୁ ବନ୍ଦନା କଲେ । ପୁଣି ସରସ୍ଵତୀ ସନ୍ତୁଷ୍ଟ ହେବାରୁ ଦେବତାମାନେ ତାଙ୍କୁ କହିଲେ–ହେ ମାତା, ଆମ୍ଭମାନଙ୍କ ଉପରେ ଏକ ବଡ଼ ବିପତ୍ତି ପଡ଼ିଛି । ଶ୍ରୀରାମଚନ୍ଦ୍ର ଆସନ୍ତା କାଲି ଅଯୋଧ୍ୟାରେ ଯୁବରାଜ ହେବେ । ରାଜା ସେଥିପାଇଁ ସମସ୍ତ ବ୍ୟବସ୍ଥା କରିସାରିଲେଣି । ଶ୍ରୀରାମଚନ୍ଦ୍ର ରାଜା ହେଲେ ଆମ୍ଭମାନଙ୍କର ସମସ୍ତ କାର୍ଯ୍ୟ ନିଷ୍ଫଳ ହେବ । ରାକ୍ଷସବଂଶ ନିପାତ ହୋଇପାରିବେ ନାହିଁ । ଆପଣ ଏପରି ଏକ କାର୍ଯ୍ୟ କରନ୍ତୁ, ଯାହା ଫଳରେ ଶ୍ରୀରାମଚନ୍ଦ୍ର ଯୁବରାଜ ନ ହୋଇ ବନଗମନ କରିବେ । ଦେବତାମାନଙ୍କର କାର୍ଯ୍ୟ ସିଦ୍ଧି ହେବ । ଏଥିପାଇଁ ଆପଣଙ୍କୁ କିଛି ଦୋଷ ଲାଗିବନାହିଁ । ଶ୍ରୀରାମଚନ୍ଦ୍ରଙ୍କ ହୃଦୟରେ କେବେ ହେଲେ ହର୍ଷ କିମ୍ବା ବିଷାଦ ନ ଥାଏ । ଆପଣ ତାଙ୍କର ପ୍ରଭାବ ଜାଣନ୍ତି । ଜୀବ ନିଜ କାର୍ଯ୍ୟଦ୍ଵାରା ସୁଖ ଦୁଃଖ ଭୋଗକରେ । ଦେବତାମାନଙ୍କର ହିତ ପାଇଁ ଆପଣ ଅଯୋଧ୍ୟାକୁ ଯାଆନ୍ତୁ ।

 

ସରସ୍ଵତୀଙ୍କ ମନରେ କ୍ଷୋଭ ଆସିଲା; କିନ୍ତୁ ସମସ୍ତ ଜଗତର ହିତ ଓ ରାକ୍ଷସବଂଶ ନିପାତ କଥା ମନରେ ବିଚାରି ସରସ୍ଵତୀ ଦେବତାମାନଙ୍କର କଥା ସ୍ଵୀକାର କଲେ ।

Image

 

ବିଷବୀଜ ରୋପଣ

 

ଦେବତାମାନଙ୍କ କଥାରେ ସରସ୍ଵତୀ ଅଯୋଧ୍ୟାପୁରକୁ ଗଲେ । ସେଠାରେ କୈକେୟୀଙ୍କର ମନ୍ଥରା ନାମରେ ଗୋଟିଏ ଦାସୀ ଥିଲା । ତା’ରି ହୃଦୟରେ ପ୍ରବେଶ କରି ସରସ୍ଵତୀ ତାର ବୁଦ୍ଧିକୁ ବଦଳାଇ ଦେଲେ । ମନ୍ଥରା ଦେଖିଲା–ଅଯୋଧ୍ୟାନଗରୀ ସୁନ୍ଦର ଭାବରେ ସଜ୍ଜିତ ହୋଇଛି । ମଙ୍ଗଳ ବାଜଣା ଚତୁର୍ଦ୍ଦିଗରେ ବାଜୁଛି, ଆନନ୍ଦର ଢେଉ ଖେଳୁଛି । ତା’ର ମନଟା କିପରି କ’ଣ ହୋଇଗଲା । ସେ ଲୋକମାନଙ୍କୁ ଯାଇ ଏ ଉତ୍ସବର କାରଣ ପଚାରିଲା । ଲୋକମାନଙ୍କଠାରୁ ଶୁଣିଲା–ଶ୍ରୀରାମଚନ୍ଦ୍ର ଆସନ୍ତାକାଲି ରାଜତିଳକ ଗ୍ରହଣ କରିବେ । ସେଥିପାଇଁ ଏ ସବୁ ଆୟୋଜନ ଲାଗିଛି ।

 

ମନ୍ଥରାର ହୃଦୟ ଜଳିଗଲା । ସେ ବିଚାର କଲା, କିପରି ରାତିକ ଭିତରେ ଏ ସମସ୍ତ କାର୍ଯ୍ୟକଳାପ ବିଗିଡ଼ିବ । ମନ ମଧ୍ୟରେ ଅନେକ ମନ୍ଦବୁଦ୍ଧି ପାଞ୍ଚିଲା । ଭରତଙ୍କ ମାତା କୈକେୟୀଙ୍କ ପାଖକୁ ସେ ସେହିକ୍ଷଣି ଦୌଡ଼ିଲା । କୈକେୟୀ ମନ୍ଥରାକୁ ଦେଖି ହସି ହସି ପଚାରିଲେ–ମନ୍ଥରା, ତୋ ମନଟା ଶୁଖିଯାଇଛି କାହିଁକି ? ତୋ ମନରେ କାହିଁକି ଦୁଃଖ ? ମନ୍ଥରା କିଛି କହିଲା ନାହିଁ; କେବଳ ବାରମ୍ବାର ଦୀର୍ଘଶ୍ଵାସ ଛାଡ଼ିବାକୁ ଲାଗିଲା । ଆଖିରୁ ତାର ଧାର ଧାର ହୋଇ ଲୋତକଧାର ବୋହିଯାଉଥାଏ ।

 

ରାଣୀ ପୁଣି ହସି ହସି ପଚାରିଲେ–ଆରେ, ତୁ ତ କଥାକୁ କେତେ ବଢ଼େଇ କରି କହୁ–ଲକ୍ଷ୍ମଣ ତୋତେ କ’ଣ ଦଣ୍ଡ ଦେଲା କି ? ରାଣୀଙ୍କ ପ୍ରଶ୍ନର କିଛି ଉତ୍ତର ନ ଦେଇ କୁଟିଳା ମନ୍ଥରା କାଳନାଗ ପରି ଖାଲି ଦୀର୍ଘଶ୍ଵାସ ଛାଡ଼ିବାକୁ ଲାଗିଲା । ରାଣୀଙ୍କ ମନରେ ଭୟ ଆସିଲା । ସେ ପଚାରିଲେ–ମନ୍ଥରା, କାରଣ କଣ କିଛି କହୁନାହୁଁ କାହିଁକି ? ଶ୍ରୀରାମଚନ୍ଦ୍ର, ରାଜା ଦଶରଥ, ଭରତ, ଲକ୍ଷ୍ମଣ, ଶତ୍ରୁଘ୍ନ ସମସ୍ତେ କୁଶଳରେ ଅଛନ୍ତି ତ ?

 

ରାଣୀଙ୍କର ଏ ପ୍ରଶ୍ନ ଶୁଣି ତାର ହୃଦୟକୁ ଆହୁରି କଷ୍ଟ ହେଲା । ସେ କହିଲା–ମୋତେ କାହିଁକି କିଏ ଦଣ୍ଡ ଦେବ ? ମୁଁ କାହିଁକି ତା’ର ବଳ ପାଇ ବଢ଼ି ବଢ଼ି କଥା କହିବି ? ରାମଚନ୍ଦ୍ର ବ୍ୟତୀତ ଆଉ ଆଜି କାହାର କୁଶଳ ଅଧିକ ଅଛି ? ତାଙ୍କୁ ପରା ରାଜା ଯୁବରାଜ ପଦ ଦେଉଛନ୍ତି । ଆଜି ବିଧାତା କୌଶଲ୍ୟାଙ୍କ ପାଇଁ ଅନୁକୂଳ ହୋଇଛନ୍ତି; ତାଙ୍କ ହୃଦୟରେ ଗର୍ବର ସୀମା ନାହିଁ । ତୁମେ ନିଜେ ଯାଇ କିପରି ସଜାସଜି ଲାଗିଛି ସ୍ଵଚକ୍ଷୁରେ ଦେଖି ଆସୁନ ! ତୁମ ପୁଅ ତ ପରଦେଶରେ । ତୁମର ଟିକିଏ ବୋଲି ଚିନ୍ତା ନାହିଁ । ତୁମେ ଭାବୁଛ ସ୍ଵାମୀ ତୁମର ଅଧୀନ । ତୂଳାଶେଯରେ ଶୋଇ ତୁମକୁ ଭାରି ଆନନ୍ଦ ଲାଗୁଛି । ରାଜାଙ୍କର କପଟ ତୁମକୁ ଜଣାପଡ଼ିବ କାହିଁକି-?

 

ମନ୍ଥରାର କଥାଗୁଡ଼ିକ ମଧ୍ୟରେ କପଟ ଓ ଦୂଷିତ ଭାବ ରହିଅଛି ଜାଣି ରାଣୀ ତା ଉପରେ କ୍ରୋଧ ପ୍ରକାଶ କରି କହିଲେ–ଘରଭଙ୍ଗେଇ, ସେତିକି କହିଥା । ଚୁପ୍ ହୋଇ ରହ ! ଯଦି ଏପରି କିଛି ଅଧିକ କହୁ, ତେବେ ତୋର ଜିଭ ଧରି ଟାଣିଆଣିବି, ଜିଭ ଉପାଡ଼ି ଦେବି । କାଣୀ, କୁଜୀ, ଛୋଟୀମାନେ ଏହିପରି କୁଟିଳ ହୋଇଥାନ୍ତି । ରାଣୀ ଏପରି କହିଦେଇ ପୁଣି ଟିକିଏ ହସିଦେଲେ । କଥାକୁ ବଦଳେଇ ପୁଣି କହିଲେ–ମୁଁ ତୋତେ ଶିଖାଇବା ପାଇଁ ଏତେ କଥା କହିଲି । ତୋ ଉପରେ ମୋର ସ୍ଵପ୍ନରେ ମଧ୍ୟ ଟିକିଏ ରାଗ ନ ଥାଏ । ତୋ ତୁଣ୍ଡ ସୁତୁଣ୍ଡ ହେଉ । ସେହି ଶୁଭଦିନ ଶୀଘ୍ର ଆସୁ । ବଡ଼ ଭାଇ ରାଜା ହେବ ଏବଂ ଛୋଟଭାଇମାନେ ତାଙ୍କର ସେବକ ହେବେ, ଏହା ସୂର୍ଯ୍ୟବଂଶର ନୀତି । କାଲି ଶ୍ରୀରାମ ରାଜତିଳକ ପାଇଲେ, ତୋତେ ଯାହା ଭଲ ଲାଗିବ, ଯାହା ତୁ ମାଗିବୁ ମୁଁ ତୋତେ ସବୁ ଦେବି । ଶ୍ରୀରାମଙ୍କର ସ୍ଵଭାବ ଏପରି ଯେ ସେ ତାଙ୍କର ସବୁ ମା’ମାନଙ୍କୁ କୌଶଲ୍ୟାଙ୍କ ପରି ଦେଖନ୍ତି । ମୋ ପ୍ରତି ତାଙ୍କର କେତେ ସ୍ନେହ, ମୁଁ ତାହା ପରୀକ୍ଷା କରି ଦେଖିଛି । ବିଧାତା ଯଦି କାହାରି ଉପରେ ଦୟାକରି ଏ ସଂସାରରେ ଜନ୍ମ ଦିଅନ୍ତି, ତାହାହେଲେ ତାଙ୍କୁ ଶ୍ରୀରାମଙ୍କ ପରି ପୁତ୍ର, ଜାନକୀଙ୍କ ପରି ବୋହୂ ଦିଅନ୍ତୁ । ଶ୍ରୀରାମ ମୋର ପ୍ରାଣଠାରୁ ଅଧିକ ପ୍ରିୟ । ତାଙ୍କର ରାଜତିଳକ ଉତ୍ସବବେଳେ ତୋ ମନରେ ଦୁଃଖ ଆସୁଛି କାହିଁକି ? ଭରତର ରାଣ ଦେଇ ତୋତେ ପଚାରୁଛି, ତୁ ଛଳ କପଟ ଛାଡ଼ି କାହିଁକି ଏ ଆନନ୍ଦ ସମୟରେ ଏପରି ମନ ଦୁଃଖ କରୁଛୁ, ମୋତେ ଫିଟାଇ କହ ।

 

ମନ୍ଥରା କହିଲା–ମୋର ସବୁ ଆଶା ତୁମର ଗୋଟିଏ କଥାରେ ପୂର୍ଣ୍ଣ ହୋଇଗଲା । ଏବେ ମୁଁ ଆଉ ଗୋଟିଏ ଜିଭ ଲଗାଇ କହୁଛି । ମୋର ଅଭାଗା କପାଳ କେବଳ ଫାଟିବା ପାଇଁ ଯୋଗ୍ୟ । ମୁଁ ତୁମକୁ ଭଲ କଥା କହିଲାବେଳେ ତୁମକୁ ଦୁଃଖ ଲାଗୁଛି । ଯେଉଁମାନେ ମିଛ-ସତ ଲଗେଇ ଯୋଡ଼ି କହନ୍ତି, ସେହିମାନେ ତୁମର ପ୍ରିୟ । ଆଉ ମୋର କଥାଗୁଡ଼ାକ ତୁମକୁ ଅଡ଼ୁଆ ଲାଗୁଛି । ଏଣିକି ସେଥିପାଇଁ ତୁମକୁ ମୁହଁଦେଖା କଥା କହିବି, ନ ହେଲେ ଦିନରାତି ଚୁପ୍ ହୋଇ ରହିବି । ଭଗବାନ ମୋତେ ଅସୁନ୍ଦର କରି ଗଢ଼ିଛନ୍ତି–ଅନ୍ୟମାନଙ୍କୁ କଣ ଦୋଷ ଦେବି । ଯେପରି ମଞ୍ଜି ବୁଣିଛି, ସେହିପରି ଫଳ ପାଉଛି । କିଏ ରାଜା ହେଲେ ମୋର କଣ କ୍ଷତି ଅଛି । ମୁଁ କଣ ଦାସୀ ନ ହୋଇ ରାଣୀ ପାଲଟିଯିବି ? ମୋର ସ୍ଵଭାବ ତ ପୋଡ଼ିବା ପାଇଁ ଯୋଗ୍ୟ; କାହିଁକି ନା, ତୁମର ଅପକାର ମୁଁ ଦେଖିଲେ ସହିପାରେ ନାହିଁ । ସେଥିପାଇଁ ମୋ ମନକୁ ଯାହା ଆସିଲା କହିପକାଇଲି । ହେ ରାଣୀ ! ମୁଁ ବଡ଼ ଭୁଲ କରିପକାଇଛି, ମୋତେ କ୍ଷମା ଦିଅନ୍ତୁ !

 

କୈକେୟୀଙ୍କ ମନରେ ମନ୍ଥରା ପ୍ରତି ବିଶ୍ଵାସ ବଢ଼ିବାକୁ ଲାଗିଲା । ଶବରୀର ଗୀତ ଶୁଣିଲେ ହରିଣ ମୋହିତ ହେଲାପରି କୈକେୟୀଙ୍କ ବୁଦ୍ଧି ବିଚଳିତ ହେବାକୁ ଲାଗିଲା ।

 

ମନ୍ଥରା ପୁଣି କହିଲା–ତୁମେ ପଚାରୁଛି ବୋଲି ମୁଁ କହୁଛି; କିନ୍ତୁ ମୋତେ କହିବାକୁ ଡର ମାଡ଼ୁଛି । ମୋତେ ତ ପ୍ରଥମରୁ ଘରଭଙ୍ଗେଇ ବୋଲି ନାଁ ଦେଇଛ । ହେ ରାଣୀ ! ତୁମେ ଯାହା କହୁଛ ସୀତା ରାମ ତୁମର ଅତି ପ୍ରିୟ ଏବଂ ରାମ ତୁମକୁ ଅତି ସ୍ନେହ କରନ୍ତି, ସେଥିରେ ଟିକିଏ ହେଲେ ମିଛ ନାହିଁ । ଆଗରୁ ସେ ସ୍ନେହ ଥିଲା; ଏବେ ସେ ଦିନ ଚାଲିଯାଇଛି । ସମୟ ଚାଲିଗଲା ପରେ ମିତ୍ର ମଧ୍ୟ ଶତ୍ରୁ ହୋଇଯାଏ । ସୂର୍ଯ୍ୟ ପଦ୍ମଫୁଲକୁ ପାଳନ କରେ ନାହିଁ କି ? କିନ୍ତୁ ପାଣି ନ ଥିଲାବେଳେ ସେହି ସୂର୍ଯ୍ୟ ସେହି ପଦ୍ମକୁ ପୋଡ଼ି ଭସ୍ମ କରିଦିଏ । ତୁମର ସଉତୁଣୀ କୌଶଲ୍ୟା ତୁମର ଏଠାରୁ ଚେର ମୂଳ ଉପାଡ଼ି ଦେବା ଯୋଗାଡ଼ରେ ଲାଗିଛି । ସେଥିପାଇଁ ମଜଭୂତ ବାଡ଼ ତିଆରିକଲେ ସିନା ତାଙ୍କଠାରୁ ରକ୍ଷା ପାଇବ । ତୁମକୁ ସ୍ଵାମୀ ବେଶୀ ଭଲପାଉଛନ୍ତି ବୋଲି ତୁମେ ସେହି ସୋହାଗକୁ ବଳ କରି ଧରିଛ । ସେଥିପାଇଁ ତୁମ ମନରେ ଟିକିଏ ହେଲେ ଦୁଃଖ ନାହିଁ । ରାଜା ତୁମର ବଶ ବୋଲି ମନେକରିଛ, କିନ୍ତୁ ରାଜାଙ୍କର ମନ ଭିତରେ ମଳିନତା ରହିଛି; ଏଣେ ମୁହଁରେ ମଧୁର କଥା କହୁଛନ୍ତି । ତୁମର ତ ସ୍ଵଭାବ ସରଳ । ତେଣୁ କପଟ କଥା ବୁଝି ପାରୁନା । ରାମଙ୍କ ମାତା ଅତି ଚତୁରୀ । ବର୍ତ୍ତମାନ ସମୟ ଦେଖି ସେ ନିଜର କାମ ହାସଲ କରିବାକୁ ବସିଛନ୍ତି-। ରାଜା ଭରତଙ୍କୁ ମାମୁଘରକୁ ପଠାଇ ଦେଇଛନ୍ତି–ଏ କଥା ତୁମେ ବୁଝି ପାରୁନ । ଏ ସବୁ କଥା ରାମଙ୍କ ମାତା କୌଶଲ୍ୟାଙ୍କର ପରାମର୍ଶରେ ହୋଇଛି । କୌଶଲ୍ୟା ଦେଖୁଛନ୍ତି–ମୋର ସଉତୁଣୀମାନେ ମୋତେ ସେବା କରୁଛନ୍ତି । କେବଳ ଭରତର ମା’ ପତିଙ୍କର ସୋହାଗ ବଳ ନେଇ ଗର୍ବ କରୁଛି । କୌଶଲ୍ୟା ତୁମକୁ ଭାରି ଭଲପାଆନ୍ତି ବୋଲି ମନେକରୁଛ; କିନ୍ତୁ ଜାଣିଥାଅ, କପଟ କରିବାରେ ସେ ଭାରୀ ଚତୁରୀ । ତାଙ୍କ ହୃଦୟର କଥା ତୁମେ ଜାଣନା । ରାଜାଙ୍କର ତୁମ ଉପରେ ଭାରି ପ୍ରେମ । ସେଇ କଥା ତୁମର ସଉତୁଣୀ କୌଶଲ୍ୟା ଦେଖି ସହିପାରନ୍ତି ନାହିଁ । ସେଥିପାଇଁ ଏ ଜାଲ ତିଆରି ହୋଇଛି । ରାଜାଙ୍କୁ ନିଜେ ବଶ କରି ଭରତ ନ ଥିଲାବେଳେ ରାମଙ୍କୁ ରାଜତିଳକ ଦେବାପାଇଁ ଲଗ୍ନ ସ୍ଥିର କରାହୋଇଛି । ହଁ, ରାମ ରାଜତିଳକ ପାଆନ୍ତୁ, ଏହା ସୂର୍ଯ୍ୟବଂଶଯୋଗ୍ୟ କାର୍ଯ୍ୟ । ଏହା ସମସ୍ତଙ୍କୁ ଯେମିତି ଭଲଲାଗୁଛି ମତେ ମଧ୍ୟ ସେମିତି ଭଲଲାଗୁଛି; କିନ୍ତୁ ଭବିଷ୍ୟତ କଥା ବିଚାର କଲାବେଳକୁ ମୋ ମନରେ ଭୟ ଆସୁଛି । ବିଧାତା ଏହାର ଫଳ କୌଶଲ୍ୟାଙ୍କୁ ଦେବେ ସିନା !

 

ମନ୍ଥରା ବାରମ୍ବାର ଏହିପରି ସଉତୁଣୀ କଥା କହିବା ଫଳରେ କୈକେୟୀଙ୍କ ମନରେ ବିଶ୍ୱାସ ଜନ୍ମିଗଲା । କୈକେୟୀ ପୁଣି ରାଣ ଦେଇ ପଚାରିବାରୁ ମନ୍ଥରା କହିଲା–ଆହୁରି କ’ଣ ପଚାରୁଛି–ଏତେ କଥାରେ ମଧ୍ୟ ବୁଝି ପାରିଲ ନାହିଁ ? ନିଜପାଇଁ ଭଲମନ୍ଦ କଣ ପଶୁମାନେ ମଧ୍ୟ ବୁଝିଯାଇ ପାରନ୍ତି । ପନ୍ଦର ଦିନ ବିତିଗଲାଣି । ସବୁ ଦ୍ରବ୍ୟ ସଜାସଜି ହୋଇ ସବୁକଥା ଯୋଗାଡ଼ ହୋଇସାରିଲାଣି । ଆଉ ଏ ସମ୍ବାଦ ତୁମେ ମୋ’ଠୁ ପାଇଛ ? ତୁମରିଠୁ ଖାଉଛି, ତୁମରି ପିନ୍ଧୁଛି, ସେଥିପାଇଁ ସବୁକଥା କହିଦେଲେ ମୋ ମୁଣ୍ଡରୁ ଦୋଷ ଚାଲିଯିବ । ମୁଁ ଯଦି କିଛି ଲଗେଇ-ଯୋଡ଼େଇ ମିଛ କହୁଥିବି, ବିଧାତା ମୋତେ ଦଣ୍ଡ ଦେବ । ଯଦି ରାମଙ୍କର ରାଜତିଳକ ହୋଇଯାଏ, ତେବେ ତୁମପାଇଁ ବିଧାତା ବିପତ୍ତିର ମଞ୍ଜି ବୁଣିଦେଲା ବୋଲି ଜାଣିରଖ । ମୁଁ ଗାର ଟାଣି କହିଦେଉଛି, ଦୁଧରେ ପଡ଼ିଥିବା ମାଛି ପରି ଏମାନେ ତୁମକୁ ଘରୁ ବାହାର କରିଦେବେ । ଯଦି ପୁଅ ସହିତ କୌଶଲ୍ୟାଙ୍କର ଚାକିରି କରିପାରିବ, ତେବେ ଘରେ ରହିପାରିବ । ତୁମପାଇଁ ଆଉ କିଛି ଉପାୟ ନାହିଁ । କୌଶଲ୍ୟା ତୁମକୁ ଯାତନା ଦେବେ, ଭରତ କାରାବାସରେ ରହିବ, ଆଉ ଲକ୍ଷ୍ମଣ ରାମଙ୍କର ସହଚର ହୋଇ ରହିବ ।

 

କୈକେୟୀ ମନ୍ଥରାର କଥାଗୁଡ଼ିକ ଶୁଣି କିଛି ଉତ୍ତର ଦେଇ ପାରିଲେ ନାହିଁ । ତାଙ୍କ ଦେହରୁ ଝାଳ ଗମଗମ୍ ହୋଇ ବାହାରିବାକୁ ଲାଗିଲା । ମନ୍ଥରା ଆହୁରି କେତେ କଣ କହିଲାଗିଲା-। ଅନେକ ସମୟ ପରେ କୈକେୟୀ କହିଲେ–ମନ୍ଥରା, ତୋ କଥା ମୋତେ ସତ ଲାଗୁଛି । ମୋର ଡାହାଣ ଆଖି ପ୍ରତିଦିନ ଏବେ ଡେଉଁଛି । ରାତିରେ ମୁଁ ଅନେକ ଗୁଡ଼ାଏ ଖରାପ ସ୍ଵପ୍ନ ଦେଖୁଛି । ମୁଁ ତ ଆଜି ପର୍ଯ୍ୟନ୍ତ କାହାରି କିଛି ଅମଙ୍ଗଳ କରିନାହିଁ, ତଥାପି କେଉଁ ପାପଦେବତା ମୋ ମୁଣ୍ଡରେ ଆଣି ଏପରି ଦୁଃଖ-ବୋଝ ଲଦିଦେଉଛନ୍ତି । ମୁଁ ବରଂ ପିତାଙ୍କ ଘରକୁ ଯାଇ ସେଠାରେ ଜୀବନ କଟାଇବି; କିନ୍ତୁ ଜୀଇ ରହି ସଉତୁଣୀର ଚାକିରୀ ଖଟି ପାରିବି ନାହିଁ । ଦଇବ ଯାହାକୁ ଶତ୍ରୁ ଅଧୀନରେ ରଖି ଜଳେଇ ମାରୁଥାଏ, ତାର ଜୀଇବା ଅପେକ୍ଷା ମରିବା ଭଲ ।

 

ରାଣୀ ଏହିପରି ଅନେକ ହୀନ କଥା କହିବାକୁ ଲାଗିଲେ । ଏସବୁ ଶୁଣି ମନ୍ଥରା କହିଲା–ତୁମେ ନିଜେ ନିଜକୁ ନିନ୍ଦା କରନାହିଁ । ତୁମର ସୁଖ-ସୋହାଗର ଦିନ ଦି’ଗୁଣ ହୋଇଆସୁଛି-। ଯିଏ ତୁମର ମନ୍ଦ ଇଚ୍ଛା କରୁଛି, ସେ ତାର ଫଳ ପାଇବ । ଯେଉଁ ଦିନଠାରୁ ମୁଁ ଏସବୁ କଥା ଶୁଣିଛି, ସେହି ଦିନଠୁ ମୋତେ ଦିନରେ ଭୋକ କରୁନାହିଁ କି ରାତିରେ ନିଦ ଆସୁନାହିଁ-। ଏକଥା ମୁଁ ଜ୍ୟୋତିଷୀମାନଙ୍କୁ ପଚାରିଥିଲି । ସେମାନେ ମୋତେ ନିଶ୍ଚୟ କରି କହିଥିଲେ, ଭରତ ରାଜା ହେବା କଥା ସତ । ମୁଁ ତୁମକୁ ଯେଉଁ ଉପାୟ କହୁଛି, ତୁମେ ତାହା କର; ରାଜା ତୁମର ଅଧୀନ ଅଟନ୍ତି ।

 

କୈକେୟୀ କହିଲେ–ତୋ କଥାରେ ମୁଁ କୂଅ ମଧ୍ୟରେ ପଡ଼ିଯାଇପାରେ, ପୁତ୍ର ଓ ପତିଙ୍କୁ ମଧ୍ୟ ତ୍ୟାଗ କରିପାରେ । ମୋର ଏ ଅସହ୍ୟ ଦୁଃଖ ଦେଖି ତୁ ଏସବୁ କହୁଛୁ । ତେଣୁ ମୁଁ ମୋର ମଙ୍ଗଳ ପାଇଁ ତାହା ନ କରିବି କାହିଁକି ?

 

ବଳିପଶୁ ତାର ଭବିଷ୍ୟତ ଦୁଃଖ ନ ଜାଣି ଶାଗୁଆ ଘାସ ଲୋଭରେ ଖାଇଲା ଭଳି କୈକେୟୀ ମନ୍ଥରାର କପଟ-ପାଶରେ ପଡ଼ି ସବୁ ଭୁଲିଗଲେ । ମନ୍ଥରାର କଥାଗୁଡ଼ାକରେ ମହୁ ସହିତ ବିଷ ମିଶିରହିଛି ଏବଂ କୈକେୟୀ ତାକୁ ପିଇଲାଗିଛନ୍ତି ।

 

ଦାସୀ କହିଲା–ରାଣୀ, ତୁମେ ଥରେ ମୋତେ ଗୋଟିଏ କଥା କହିଥିଲ, ତୁମର ବୋଧହୁଏ ମନେନାହିଁ । ରାଜା ତୁମକୁ ଦୁଇଟି ବର ଦେଇଥିଲେ । ତୁମେ ଏବେ ସେଇ ଦୁଇଟି ବର ରାଜାଙ୍କୁ ମାଗ । ସେ ପ୍ରଥମେ ତୁମ ପୁତ୍ରଙ୍କୁ ରାଜ୍ୟ ଦେବେ ଏବଂ ଦ୍ଵିତୀୟରେ ରାମଙ୍କୁ ଚଉଦବର୍ଷ ନିମନ୍ତେ ବନବାସକୁ ପଠାଇବେ । ଏତିକିରେ ସଉତୁଣୀ ପଣିଆର ଆନନ୍ଦ ତୁମେ ପାଇଯିବ । ଯେତେବେଳେ ରାଜା ରାମଙ୍କ ଶପଥ ନେବେ, ସେତିକିବେଳେ ଯାଇ ବର ମାଗିବ । ତା’ ହେଲେ ସେ ତାଙ୍କ କଥାରୁ ଆଉ ପଛକୁ ଘୁଞ୍ଚି ପାରିବେ ନାହିଁ । ଆଜି ଯଦି ରାତି ଗଡ଼ିଯିବ, ତାହାହେଲେ କାମ ସବୁ ବିଗିଡ଼ିଯିବ । ମୁଁ ଯାହା କହୁଛି, ତାକୁ ହୃଦୟର ଅତି ପ୍ରିୟ ବୋଲି ମନେରଖିବ । ଏବେ କୋପଗୃହକୁ ଯାଅ ! ଖୁବ୍ ସାବଧାନ ହୋଇ କାମ କରିବ । ରାଜାଙ୍କ ଉପରେ ହଠାତ୍ ବିଶ୍ଵାସ କରିବ ନାହିଁ ।

 

ମନ୍ଥରାକୁ ରାଣୀ କୈକେୟୀ ନିଜର ଅତି ପ୍ରିୟ ବୋଲି ମନେକରି ତାର ବୁଦ୍ଧିକୁ ପ୍ରଶଂସା କରିବାକୁ ଲାଗିଲେ । କୈକେୟୀ କହିଲେ–ସଂସାରରେ ତୋ ପରି ମୋର କେହି ଉପକାରୀ ନାହାନ୍ତି । ଯଦି ବିଧାତା କାଲି ମୋର ମନୋରଥ ପୂର୍ଣ୍ଣ କରିଦେବେ ତେବେ ମୁଁ ତୋତେ ଆଖିର ପିତୁଳା ପରି ମନେକରିବି ।

Image

 

ବିଷ-ବୃକ୍ଷ ଫଳ ଧାରଣ କଲା

 

ଶ୍ରୀରାମଚନ୍ଦ୍ର ରାତି ପାହିଲେ ଯୁବରାଜ ପଦରେ ଅଭିଷିକ୍ତ ହେବେ । ସେଥିପାଇଁ ଅଯୋଧ୍ୟାନଗରୀର ଲୋକମାନେ ବିପୁଳ ଉତ୍ସାହରେ ନାନାଦି କାମରେ ଲାଗିଛନ୍ତି । ଦିନରାତି କେତେବେଳେ ଯାଉଛି ଜଣାପଡ଼ୁନାହିଁ । ଏଣେ ଭିତରେ ଯେ ଏପରି ଘଟଣା ଘଟୁଛି, ତାହା ଆଉ କେହି ଜାଣିନାହାନ୍ତି । କୁସଙ୍ଗ ପାଇଲେ କିଏ ନଷ୍ଟ ନ ହୁଏ ? ନୀଚଲୋକର ମତ ଅନୁସାରେ ଚଳିଲେ ଚତୁରତା ପ୍ରକାଶିତ ହୁଏନାହିଁ ।

 

କୋପଗୃହ ମଧ୍ୟରେ କୈକେୟୀ ଶୋଇଛନ୍ତି । ତାଙ୍କର ହୃଦୟ ଭିତର ହିଂସାରେ ଜଳୁଛି-। ସମସ୍ତେ ଚତୁର୍ଦ୍ଦିଗରେ ଆନନ୍ଦରେ ନାଚୁଥିଲାବେଳେ ତାଙ୍କ ହୃଦୟ ହିଂସା ଅଗ୍ନିରେ ପୋଡ଼ିଯାଉଥିଲା । ସନ୍ଧ୍ୟାବେଳକୁ ମହାରାଜା ଦଶରଥ ସେ ଦିନ କୈକେୟୀଙ୍କ ଭବନଙ୍କୁ ଗଲାବେଳକୁ ଶୁଣିଲେ, ରାଣୀ କୈକେୟୀ କୋପଭବନରେ ଅଛନ୍ତି । ଶୁଣିଲାମାତ୍ରେ ତାଙ୍କ ହୃଦୟ ଭୟରେ ଥରିଗଲା । ପାଦ ଆଗକୁ ବଢ଼ିଲାନାହିଁ । ସେ କମ୍ପିତ ହୃଦୟରେ କୈକେୟୀଙ୍କ ଭବନରେ ପ୍ରବେଶ କଲେ । ରାଜା କୈକେୟୀଙ୍କୁ ଦେଖିବାମାତ୍ରେ ଚମକି ପଡ଼ିଲେ ।

 

କୈକେୟୀ ଭୂମି ଉପରେ ଶୋଇଛନ୍ତି । ପୁରୁଣା ମୋଟା ଶାଢ଼ୀ ଖଣ୍ଡିଏ ଦେହରେ ବେଢ଼ାହୋଇଛି । ସମସ୍ତ ଅଳଙ୍କାର ବାହାରକରି ଫିଙ୍ଗି ଦେଇଛନ୍ତି । ରାଜା ଥରି ଥରି ତାଙ୍କ ପାଖରେ ପହଞ୍ଚିଲେ । ରାଣୀଙ୍କୁ କହିଲେ–ହେ ପ୍ରାଣପ୍ରିୟେ ! କୋପର କାରଣ କହ । ଏତିକି କହି ତାଙ୍କ ଶରୀରକୁ ସ୍ପର୍ଶ କରିଦେବାମାତ୍ରେ ସେ ତାଙ୍କ ହାତକୁ ଫୋପାଡ଼ିଦେଲେ l ନାଗୁଣୀ କ୍ରୂର ଚକ୍ଷୁରେ ଚାହିଁଲାଭଳି ତାକୁ ଚାହିଁଲେ; ସତେ ଯେପରି ନାଗୁଣୀ ଦଂଶନ କରିବା ନିମନ୍ତେ ମର୍ମସ୍ଥଳ ଖୋଜୁଛି । ରାଜା କିଛି ବୁଝିପାରିଲେ ନାହିଁ । କୋମଳ ବାଣୀରେ ପଚାରିଲେ–ତୁମର କିଏ କି ଅନିଷ୍ଟ କରିଛି ? କାହାକୁ କିଛି ଦେବାପାଇଁ ଇଚ୍ଛାକରୁଛ, ଦିଆହୋଇନାହିଁ ଯଦି କହ । କାହାକୁ ଦେଶରୁ ବହିଷ୍କାର କରିଦେବା ପାଇଁ ଆବଶ୍ୟକ ହେଲେ କହ । ତୁମର ଶତ୍ରୁ ସ୍ଵର୍ଗପୁରରୁ ଦେବତା ହେଲେ ମଧ୍ୟ ମୁଁ ତାକୁ ହତ୍ୟାକରିବି । ତୁମ ମୁଖର ଏ ଅବସ୍ଥା ଦେଖି ମୁଁ ସହିପାରୁନାହିଁ । ପ୍ରଜା, କୁଟୁମ୍ବ, ପୁତ୍ର, ଏପରିକି ଏ ପ୍ରାଣ ମଧ୍ୟ ତୁମର ଅଧୀନ ଅଟେ । ତୁମେ ଯଦି ବିଚାରୁଥାଅ, ମୁଁ କପଟ କରି କହୁଛି, ତାହାହେଲେ ମୁଁ ଶତବାର ଶ୍ରୀରାମ ଶପଥ ଦେଇ କହୁଛି, ତୁମେ ଆନନ୍ଦରେ ତୁମର ଯାହା ଇଚ୍ଛା ମାଗ; କିନ୍ତୁ ଏ କୁବେଶ ତ୍ୟାଗକର ।

 

ମନ୍ଦବୁଦ୍ଧି କୈକେୟୀକୁ ଆବୋରି ରହିଥିଲା । ଶ୍ରୀରାମ-ଶପଥ ଶୁଣି ରାଣୀ ଉଠିଲେ । ମନ ପ୍ରସନ୍ନ ହୋଇଗଲା । ଅଳଙ୍କାରଗୁଡ଼ିକ ପିନ୍ଧିବାକୁ ବସିଲେ । ଏ ପରିବର୍ତ୍ତନ ଦେଖି ଦଶରଥ ଆନନ୍ଦରେ ପୁଲକିତ ହୋଇ କହିଲେ–ତୁମ ମନରେ ଯାହା ଥିଲା; ଆଜି ତାହା କାର୍ଯ୍ୟରେ ପରିଣତ ହୋଇଛି । ନଗରର ଚତୁର୍ଦ୍ଦିଗରେ ଆନନ୍ଦ ବାଜଣା ବାଜୁଛି । ଆସନ୍ତା କାଲି ଶ୍ରୀରାମ ଯୁବରାଜ ପଦରେ ଅଭିଷିକ୍ତ ହେବେ ।

 

ରାଜାଙ୍କଠାରୁ ଏକଥା ଶୁଣିବାମାତ୍ରେ କୈକେୟୀଙ୍କର କଠୋର ହୃଦୟ କମ୍ପି ଉଠିଲା । ସତେ ଯେପରି ଗୋଟାଏ ଭୀଷଣ ବିଷାକ୍ତ ବ୍ରଣକୁ କିଏ ସ୍ପର୍ଶ କରିଦେଲା । ତଥାପି ହୃଦୟର ସମସ୍ତ ଯନ୍ତ୍ରଣାକୁ ଗୁପ୍ତ ରଖି କୈକେୟୀ ହସି ହସି କହିଲେ–ହେ ସ୍ଵାମୀ ! ତୁମେ ମୋତେ ବାରମ୍ବାର କ’ଣ ମାଗିବା ପାଇଁ ଅନୁରୋଧ କରୁଛ; କିନ୍ତୁ କେତେବେଳେ ହେଲେ କିଛି ତ ଦେଇନାହିଁ । ତୁମେ ମୋତେ ଦୁଇଟି ବର ଦାନ କରିବ ବୋଲି କହିଥିଲ–ତାହା କ’ଣ ଦେବାରେ ସନ୍ଦେହ ଅଛି କି ?

 

ରାଜା କହିଲେ–ତୁମର ଅନ୍ତରର କଥା ମୁଁ ବୁଝି ପାରିଛି । କାହିଁ କେତେବେଳେ ହେଲେ ସେ ଦୁଇଟି ବର ତ ମାଗିନାହଁ ? ମୋର ଭୁଲିବା ସ୍ଵଭାବଯୋଗୁଁ ମୁଁ ତାହା ଭୁଲିଯାଇଛି । ମୋତେ ମିଛରେ ଦୋଷ ଦେଉଛ କାହିଁକି ? ଦୁଇଟି ବର ବଦଳରେ ଚାରିଗୋଟି ବର ମାଗ । ରଘୁକୁଳର ରୀତି ସମସ୍ତଙ୍କୁ ସବୁକାଳରେ ଜଣା । ପ୍ରାଣ ଚାଲିଯିବ ପଛେ ବଚନ ଲେଉଟିବ ନାହିଁ । ଅସତ୍ୟ ପରି ପାପ ଆଉ ନାହିଁ । ସତ୍ୟ ହିଁ ସମସ୍ତ ସୁକୃତର ମୂଳ । ଏକଥାକୁ ମୋତେ ଶ୍ରୀରାମ ଶପଥ ନେବାକୁ ପଡ଼ୁଛି ।

 

କୈକେୟୀ କହିଲେ–ହେ ପ୍ରାଣପ୍ରିୟ । ମୋତେ ଦୁଇଟି ବର ଦିଅନ୍ତୁ ! ପ୍ରଥମ ବର–ମୋର ପୁତ୍ର ଭରତ ରାଜତିଳକ ଗ୍ରହଣକରିବ । ଆଉ ଦ୍ଵିତୀୟ ବର–ମୁଁ ହାତଯୋଡ଼ି ତୁମକୁ ଜଣାଉଛି, ଶ୍ରୀରାମ ରାଜ୍ୟ, କୁଟୁମ୍ବ ତ୍ୟାଗକରି ମୁନିବେଶ ଧାରଣପୂର୍ବକ ଚଉଦ ବର୍ଷ ବନବାସ କରନ୍ତୁ ।

 

ରାଜା କୈକେୟୀଙ୍କର କଥା ଶୁଣି ଅଧୀର ହୋଇ ପଡ଼ିଲେ । ତାଙ୍କର ବାକ୍‌ରୁଦ୍ଧ ହୋଇଗଲା । ଦେହର ରଙ୍ଗ ମଳିନ ହୋଇଗଲା; ସତେ ଯେପରି ଏକ ଉଭା ତାଳଗଛକୁ ଗୋଟାଏ ବିଜୁଳି ଚଡ଼କ ମାରିଦେଲା । ମୁଣ୍ଡରେ ହାତ ଦେଇ ଦୁଇ ଆଖି ବନ୍ଦକରି ବସିପଡ଼ିଲେ; ମନେହେଲା ଦୁଃଖ ଶରୀର ଧାରଣ କରି ବସିଛି । ମନେ ମନେ ଭାବିଲେ, ମୋର ଆଶା କଳ୍ପବୃକ୍ଷରେ ଫୁଲ ଧରିଥିଲା, ତାହା ଫଳିବା ସମୟରେ କୈକେୟୀ ତାକୁ ମୂଳରୁ କାଟିପକାଇଲା । କୈକେୟୀ ଅଯୋଧ୍ୟାକୁ ଉଚ୍ଚାଡ଼ିଦେଲା । ସ୍ତ୍ରୀକୁ ବିଶ୍ଵାସ କରି ମୁଁ କଣ କଲି !

 

ଏତିକିବେଳେ କୈକେୟୀ ମନେ ମନେ ଭାରି କ୍ରୂଦ୍ଧା ହେଲେ । ସେ ରାଜାଙ୍କୁ କହିଲେ–ଭରତ କଣ ତୁମର ପୁଅ ନୁହଁ ? ତୁମେ କଣ ମୋତେ ଧନ ବଦଳରେ କ୍ରୟ କରିଥିଲ ? ମୋ କଥା ତୁମକୁ ବାଣବିଦ୍ଧ ହେଲାଭଳି ଲାଗୁଛି । ଯଦି ମନରେ ଏପରି କଥା ଥିଲା, ତେବେ ବୁଝି ବିଚାରି କଥା କହିଲ ନାହିଁ କାହିଁକି ? ତୁମେ ମୋତେ ବର ଦେବ କି ନାହିଁ ? ‘ହି’ କିମ୍ବା ‘ନାହିଁ’ କହ । ତୁମେ ପରା ରଘୁକୁଳର ସତ୍ୟପ୍ରତିଜ୍ଞଶୀଳ ରାଜା ! ନିଜେ ବର ଦେବ ବୋଲି କହିଲ । ନ ଦିଅ, ସତ୍ୟଭଙ୍ଗ କର, ଜଗତରେ ଅପଯଶ ବ୍ୟାପିଯାଉ । ସତ୍ୟକୁ ଭାରି ପ୍ରଶଂସା କରି ବରଦେବା ପାଇଁ କହିଲ । କଣ ଭାବିଥିଲ, ମୁଁ ତୁମକୁ ଚଣା ମାଗିବି ? ରାଜା ଶିବ, ଋଷି ଦଧିଚି ଓ ବଳିରାଜା ସତ୍ୟ କରିଥିଲେ; ସେମାନେ ଶରୀର ଓ ଧନ ତ୍ୟାଗ କରି ନିଜ ନିଜର ବଚନରକ୍ଷା କରିଥିଲେ ।

 

ରାଜା ଦଶରଥ ଧୈର୍ଯ୍ୟ ଅବଲମ୍ବନପୂର୍ବକ ଚକ୍ଷୁ ଖୋଲିଲେ । ଦୀର୍ଘ ନିଶ୍ଵାସ ପକାଇ କହିଲେ–ରାଣୀ, ତୁମେ କି ନିଷ୍ଠୁର, ମୋତେ କି କଠୋର କୁଠାରଦ୍ଵାରା ଆଘାତ କଲ !

 

କୈକେୟୀ ପ୍ରଚଣ୍ଡ କ୍ରୋଧରେ ପ୍ରଜ୍ଵଳିତ ହେଲେ । କ୍ରୋଧ କୋଷମୁକ୍ତ ତୀକ୍ଷ୍‌ଣଧାର ତରବାରି ବେଶରେ ରାଜାଙ୍କ ସମ୍ମୁଖରେ ନୃତ୍ୟ କରି କରି ତାଙ୍କର ଜୀବନ ନେବାପାଇଁ ଦୌଡ଼ିଆସୁଥିଲା । ରାଜା ହୃଦୟକୁ କଠୋର କରି ବିନମ୍ର ସ୍ଵରରେ କୈକେୟୀଙ୍କୁ କହିଲେ–ତୁମେ ତୁମର ବିଶ୍ଵାସ ଓ ସ୍ନେହ ସବୁ ଭୁଲିଯାଇ ଏପରି କଠୋର ବଚନ କହୁଛ କିପରି ? ଭରତ ଓ ଶ୍ରୀରାମ ମୋର ଦୁଇଟି ଚକ୍ଷୁ । ମୁଁ ଶଙ୍କରଙ୍କୁ ସାକ୍ଷୀ ରଖି ଏକଥା କହୁଛି । ମୁଁ କାଲି ସକାଳେ ଦୂତ ନିଶ୍ଚୟ ପଠାଇବି । ଭରତ ଓ ଶତ୍ରୁଘ୍ନ ସମ୍ବାଦ ପାଇବାମାତ୍ରେ ନିଶ୍ଚୟ ଆସିବେ । ଶୁଭ ମୁହୂର୍ତ୍ତ ଦେଖି ବାଦ୍ୟବାଜଣା ବଜାଇ ମୁଁ ଭରତକୁ ଯୁବରାଜ ପଦରେ ଅଭିଷେକ କରାଇଦେବି । ଶ୍ରୀରାମର ରାଜ୍ୟ ପ୍ରତି ଲୋଭ ନାହିଁ । ଭରତ ଉପରେ ତାର ବଡ଼ ସ୍ନେହ । ମନରେ ଜ୍ୟେଷ୍ଠ କନିଷ୍ଠ ବିଚାର କରି ରାଜତିଳକ ଶ୍ରୀରାମଙ୍କୁ ଦେବା ପାଇଁ ନୀତି ପାଳନ କରୁଥିଲି । ଶ୍ରୀରାମଙ୍କ ଶପଥ ଏ ସମ୍ବନ୍ଧରେ କେତେବେଳେ କିଛି କହିନାହିଁ । ହଁ, ଅବଶ୍ୟ ତୁମକୁ ନ ପଚାରି ମୁଁ ଏସବୁ ବ୍ୟବସ୍ଥା କରିଦେଇଛି । ମୋର ଇଚ୍ଛା ପୂର୍ଣ୍ଣ ନ ହେଉ । ତୁମେ କ୍ରୋଧ ଦୂରକର । କିଛିଦିନ ପରେ ଭରତ ଯୁବରାଜ ହେବ; କିନ୍ତୁ ତୁମର ଦ୍ୱିତୀୟ ବର କଥା ଶୁଣି ମୋ ହୃଦୟରେ ବଡ଼ କଷ୍ଟ ହେଉଛି । ସେଥିନିମନ୍ତେ ମୋର ହୃଦୟ ଜଳିଯାଉଛି । କ୍ରୋଧ ତ୍ୟାଗକରି ଶ୍ରୀରାମ କି ଅପରାଧ କରିଛି, କହ । ସମସ୍ତେ ତ କହନ୍ତି, ଶ୍ରୀରାମ ବଡ଼ ସାଧୁ । ତୁମେ ନିଜେ ମୋ ଆଗରେ କେତେଥର ଶ୍ରୀରାମର ପ୍ରଶଂସା କରିଛ । ଶ୍ରୀରାମ ପ୍ରତି ତୁମର ଭାରି ସ୍ନେହ; କିନ୍ତୁ ତୁମଠୁ ଏସବୁ କଥା ଶୁଣି ମୋ ମନରେ ସନ୍ଦେହ ଆସୁଛି । ଶ୍ରୀରାମର ସ୍ଵଭାବରେ ଶତ୍ରୁମାନେ ମଧ୍ୟ ମିତ୍ର ହୋଇପଡ଼ନ୍ତି । ସେ ମା’ ପ୍ରତି କିପରି ପ୍ରତିକୂଳ ଆଚରଣ କରିବ ? କ୍ରୋଧ ତ୍ୟାଗ କରି ବିବେକଦ୍ଵାରା ବିଚାର କରି ବର ମାଗ । ମୁଁ ମୋର ନେତ୍ର ପୂର୍ଣ୍ଣକରି ଭରତର ରାଜ୍ୟାଭିଷେକ ଦେଖିପାରିବି । ଗୋଟିଏ କଥା, ଜଳ ବିନା ମତ୍ସ୍ୟ ବଞ୍ଚିରହିପାରେ, ମଣି ବିନା ସର୍ପ ମଧ୍ୟ ବଞ୍ଚିପାରେ; କିନ୍ତୁ ନିଷ୍କପଟ ହୃଦୟରେ କହୁଛି, ଶ୍ରୀରାମ ବିନା ମୋର ଜୀବନ ବଞ୍ଚି ରହି ପାରିବନାହିଁ । ଏ ଜୀବନ ଶ୍ରୀରାମଦର୍ଶନର ଅଧୀନ ଅଟେ ।

 

ଶ୍ରୀରାମଙ୍କର ଏ ପ୍ରଶଂସା ଶୁଣି କୈକେୟୀ ଆହୁରି କ୍ରୋଧରେ ଜଳିଉଠିଲେ । ପୁଣି କହିଲେ–ତୁମେ ଯେତେ ଉପାୟ କଲେ ମଧ୍ୟ ତୁମର ମାୟା ମୋ ପାଖରେ ଚଳିବ ନାହିଁ । ମୁଁ ଯାହା ଯାହା ମାଗୁଛି ମୋତେ ଦିଅ; ନ ହେଲେ ‘ଦେବନାହିଁ’ ବୋଲି କହି ଅପଯଶ ମୁଣ୍ଡାଅ । ରାମ ସାଧୁ, ତୁମେ ମଧ୍ୟ ଭାରି ସରଳ ଓ ସାଧୁ, ରାମଙ୍କର ମା’ ଭାରି ସରଳା । ମୁଁ ସମସ୍ତଙ୍କୁ ଚିହ୍ନିସାରିଛି । କୌଶଲ୍ୟା ମୋର ଯେପରି ମଙ୍ଗଳ ଚାହିଁଛି, ମୁଁ ମଧ୍ୟ ତାକୁ ସେପରି ଫଳ ଦେବି ଯେ ତାର ସବୁ କାଳକୁ ମନେରହିଥିବ । କାଲି ସକାଳ ହେଉ ହେଉ ରାମ ଯଦି ମୁନିବେଶ ଧାରଣ କରି ବଣକୁ ନଯିବ, ତାହାହେଲେ ନିଶ୍ଚୟ ଜାଣିରଖିଥାଅ ମୋର ମରଣ ନିଶ୍ଚିତ ଏବଂ ସେଥିଯୋଗୁଁ ତୁମର ଅପଯଶ ବ୍ୟାପିବ ।

 

ଏକଥା କହି କୁଟିଳା କୈକେୟୀ ନଦୀ ଉଜାଣି ବହିଲା ପରି କ୍ରୋଧରେ ତମତମ ହେଉଥିଲେ । ରାଜା ତାଙ୍କୁ ଦେଖି ବିଚାରିଲେ, ମୋର ଏ ସ୍ତ୍ରୀ ଯୋଗୁଁ ମୃତ୍ୟୁ ଆସନ୍ନ । ଏପରି ବିଚାରି ଶେଷ ଅସ୍ତ୍ର ସ୍ଵରୂପ ରାଣୀ କୈକେୟୀଙ୍କର ପାଦ ଧରି ବିକଳ ହୋଇ କହିଲେ–ହେ ରାଣୀ ! ତୁମେ ଏ ସୂର୍ଯ୍ୟବଂଶର ବୃକ୍ଷକୁ କୁଠାରଦ୍ଵାରା କାଟିପକାଅ ନାହିଁ । ମୋର ମସ୍ତକକୁ ଯଦି ତୁମେ ମାଗିବ ମୁଁ ଦେଇଦେଉଛି ନିଅ; କିନ୍ତୁ ଶ୍ରୀରାମଙ୍କୁ ବନବାସକୁ ପଠାଇ ମୋତେ ମାରନାହିଁ । କୌଣସି ପ୍ରକାରେ ହେଲେ ଶ୍ରୀରାମଙ୍କୁ ରଖିବାପାଇଁ ତୁମେ ଉପାୟ କର । ତା ନ ହେଲେ ଜୀବନ ଶେଷ ପର୍ଯ୍ୟନ୍ତ ତୁମର ହୃଦୟ ହୁତାଶନ ହୋଇ ଜଳୁଥିବ ।

 

ଏତିକି କହିସାରି ତାଙ୍କର କଥାର କୌଣସି ମୂଲ୍ୟ ରହିବ ନାହିଁ ବୋଲି ଜାଣି ‘ହା ରାମ’-! ‘ହା ରାମ’ ! କହି କହି ଆର୍ତ୍ତନାଦ କରି ଭୂମି ଉପରେ କଚାଡ଼ି ହୋଇ ପଡ଼ିଗଲେ । ତାଙ୍କର କଣ୍ଠ ଶୁଖିଗଲା; ମୁହଁରୁ ଆଉ କଥା ବାହାରିଲା ନାହିଁ । ରାଣୀ ଏତିକିବେଳେ ଆହୁରି କଠୋର ବଚନ କହିଲେ–ଯଦି ତୁମର ଶେଷରେ ଏମିତି କରିବାକୁ ଇଚ୍ଛାଥିଲା, ତେବେ ମୋତେ ବର ମାଗ ମାଗ ବୋଲି କହୁଥିଲ କାହିଁକି ? ନିଜକୁ ଦାନୀ ବୋଲି ଗର୍ବ କରିବ, ଏଣେ କୃପଣତା କରିବ । ଯୁଦ୍ଧରେ ବାହାଦୁରୀ ଦେଖାଇବା ପାଇଁ ଇଚ୍ଛା, ଅଥଚ ଶରୀରରେ ଆଘାତ ଲାଗିବନାହିଁ, ଦୁଇଟିଯାକ କଥା କିପରି ସମ୍ଭବ ହେବ ? ହୁଏତ ପ୍ରତିଜ୍ଞାଭଙ୍ଗ କର, ନଚେତ୍‌ ଧୈର୍ଯ୍ୟ ଅବଲମ୍ବନ କର ! ଦୁର୍ବଳା ସ୍ତ୍ରୀ ପରି କାନ୍ଦି କାନ୍ଦି ତଳେ ମୁଣ୍ଡକୋଡ଼ୁଛ କାହିଁକି ? ସତ୍ୟବ୍ରତ ବ୍ୟକ୍ତି ନିମନ୍ତେ ଶରୀର, ସ୍ଵୀ, ପୁରୁଷ, ଗୃହ, ଧନ ଏବଂ ପୃଥିବୀ ନିତାନ୍ତ ତୁଚ୍ଛ ଅଟେ ।

 

କୈକେୟୀଙ୍କର ମର୍ମଭେଦୀ ବାଣୀ ଶୁଣି ରାଜା କହିଲେ–ନାହିଁ, ନାହିଁ, ଏସବୁ ଦୋଷ ତୁମର ନୁହଁ, ମୋର କାଳ କୈକେୟୀ ରୂପରେ ପିଶାଚୀ ହୋଇ ଆସିଛି । ସେଥିପାଇଁ ତୁମ ମୁହଁରୁ ଏସବୁ କଥା ବାହାରୁଛି । ଭରତର କେବେ ହେଲେ ରାଜପଦର ଲାଳସା ନାହିଁ । ଏସବୁ କୁବୁଦ୍ଧି ତୁମ ମୁଣ୍ଡକୁ ଆସିଲା କିପରି ? ମୋର ପାପର ପରିଣାମ ସ୍ଵରୂପ ବିଧାତା ମନ୍ଦ ସମୟ ଜାଣି ମୋ ପ୍ରତି ବିପରୀତ ଆଚରଣ କରିଛି । ତୁମେ ଯେଉଁ ସୁନ୍ଦର ଅଯୋଧ୍ୟାକୁ ଛିନ୍ନଭିନ୍ନ କରିଦେବାକୁ ବସିଛ, ତାହା ପୁନର୍ବାର ସୁନ୍ଦର ରୂପେ ତିଆରି ହେବ । ସର୍ବଗୁଣାକର ଶ୍ରୀରାମଚନ୍ଦ୍ର ଏଠାରେ ଆସି ରାଜା ହେବ । ଭାଇମାନେ ସମସ୍ତେ ତାଙ୍କରି ସେବାରେ ଲାଗିବେ । ତ୍ରିଲୋକରେ ଶ୍ରୀରାମର ଯଶ ପ୍ରଚାରିତ ହେବ, କିନ୍ତୁ ତୁମର କଳଙ୍କ ଏବଂ ମୋର ଅନୁତାପ ଆମ ଦୁହିଁଙ୍କର ମୃତ୍ୟୁପରେ ମଧ୍ୟ ଲିଭିବ ନାହିଁ । ଶେଷ ମୁହୂର୍ତ୍ତ ଆସି ପହଞ୍ଚିଗଲାଣି । ଏତେବେଳେ ହେଲେ ମୁଁ ଯାହା କହୁଛି ତାହାହିଁ କର । ମୁଁ ତୁମକୁ ହାତ ଯୋଡ଼ି କହୁଛି, ମୁଁ ଯେତେଦିନ ପର୍ଯ୍ୟନ୍ତ ବଞ୍ଚିରହିବି, ତୁମେ ସେତେଦିନ ପର୍ଯ୍ୟନ୍ତ ମୋ ସହିତ କଥା କହିବନାହିଁ । ପଛରେ ତୁମକୁ ହିଁ ଅନୁତାପ କରିବାକୁ ପଡ଼ିବ । ତୁମେ ତନ୍ତ ତିଆରି କରିବା ନିମନ୍ତେ ଗୋବଧ କରିବାକୁ ବସିଲ ।

 

ରାଜାଙ୍କର ମନ ସନ୍ତୁଷ୍ଟ ହେଲାନାହିଁ । ରାଣୀଙ୍କୁ ଆଉ ଥରେ କହିଲେ–ତୁମେ ଏ କୁଳର ସର୍ବନାଶ କରିବାକୁ ବସିଛ । ଏତିକି କହି ରାଜା ପୃଥିବୀ ଉପରେ ପଡ଼ିଗଲେ । କୈକେୟୀ କିଛି କହିଲେ ନାହିଁ । ରାଜା ଅତି ବ୍ୟାକୁଳ ହୋଇ ‘ଶ୍ରୀରାମ’ ‘ଶ୍ରୀରାମ’ ବୋଲି କହିବାକୁ ଲାଗିଲେ । ଏଣେ ହୃଦୟରେ ଭାବୁଥାନ୍ତି, ରାତି ନ ପାଆନ୍ତା, ସକାଳ ନ ହୁଅନ୍ତା କି, ଶ୍ରୀରାମ ପାଖରେ ଏ ସଂବାଦ ନ ପହଞ୍ଚନ୍ତା କି ! ହେ ଭଗବାନ ସୂର୍ଯ୍ୟ; ତୁମେ ଉଦିତ ହୁଅନାହିଁ ।

 

ସକାଳ ହେବାରୁ ରାଜଦ୍ଵାରରେ ବୀଣା ଓ ବଂଶୀ ସ୍ଵନ ଶୁଭିଲା । ଭାଟମାନେ ସ୍ତୁତିବାଣୀ ଗାଇଲେ । ରାଜଦ୍ଵାରରେ ମନ୍ତ୍ରୀ ଓ ସେବକମାନେ ଜମାହେଲେ ।

Image

 

ଅଭିଷେକୋତ୍ସବ ଦିବସରେ ବନଯାତ୍ରା

 

ରାଜଭବନର ଦ୍ଵାର ବନ୍ଦ । ରାଜା ଏପର୍ଯ୍ୟନ୍ତ ଶଯ୍ୟା ତ୍ୟାଗ କରିନାହାନ୍ତି । ସେବକମାନଙ୍କ ମଧ୍ୟରେ ଭାଳେଣି ପଡ଼ିଲା । ସମସ୍ତେ ମହାମନ୍ତ୍ରୀ ସୁମନ୍ତ୍ରଙ୍କୁ ଏହାର କାରଣ ବୁଝିବାପାଇଁ ବାଧ୍ୟକଲେ । ସୁମନ୍ତ୍ର ରାଜଭବନରେ ଭୟାକୁଳ ହୃଦୟରେ ପ୍ରବେଶ କଲେ । ଚତୁର୍ଦ୍ଦିଗ ଶୂନଶାନ୍ । ସେ ଦ୍ଵାରରେ ଡାକିଲେ; କିନ୍ତୁ କିଛି ଉତ୍ତର ପାଇଲେ ନାହିଁ । ରାଜାଙ୍କର ବନ୍ଦନା କରି ସେ ରାଜଭବନ ମଧ୍ୟରେ ପ୍ରବେଶ କରି ଦେଖିଲେ, ରାଜା ଅତ୍ୟନ୍ତ ବ୍ୟାକୁଳ ଅବସ୍ଥାରେ ଭୂମିରେ ପଡ଼ିଛନ୍ତି । ରାଜା ରାତ୍ରିସାରା ଶୋଇଥିଲେ କି ନା–କାହାରି ଜାଣିବାର କିଛି ଉପାୟ ନାହିଁ ।

 

ସୁମନ୍ତ୍ର କିଛି ପଚାରି ପାଇଲେ ନାହିଁ । ସୁମନ୍ତ୍ରଙ୍କୁ ଦେଖି କୈକେୟୀ କହିଲେ, ଗତ ରାତ୍ରିରେ ରାଜା ଆଦୌ ଶୋଇନାହାନ୍ତି । ତାହାର କାରଣ କେବଳ ଭଗବାନ ଜାଣନ୍ତି । ସେ ‘ରାମ ରାମ’ ଘୋଷି ଘୋଷି ରାତିସାରା ଅନିଦ୍ରାରେ କାଟିଛନ୍ତି; କିନ୍ତୁ ଏହାର ରହସ୍ୟ ରାଜା କିଛି କହୁନାହାନ୍ତି । ତୁମେ ଯାଇ ରାମଙ୍କୁ ଶୀଘ୍ର ଡାକିଆଣ !

 

ରାଜାଙ୍କ ଆଦେଶ ବୋଲି ମନେକରି ସୁମନ୍ତ୍ର ଶ୍ରୀରାମଙ୍କୁ ଡାକିବାକୁ ଗଲେ । ରାଣୀ କୌଣସି କୁଟିଳତା ଖେଳୁଛନ୍ତି ବୋଲି ସେ ବୁଝିପାରିଲେ । ଶ୍ରୀରାମଙ୍କୁ ଡାକିବାକୁ ଗଲାବେଳେ ତାଙ୍କର ଶୁଖିଲା ବିରସ ମୁଖ ଦେଖି ଲୋକମାନେ ପଚାରିବାକୁ ଲାଗିଲେ । କାହାକୁ କଣ କହି ବୁଝାଇ ଶୁଝାଇ ସେ ଶ୍ରରାମଙ୍କ ଭବନରେ ପ୍ରବେଶ କଲେ ।

 

ଶ୍ରୀରାମ ସୁମନ୍ତ୍ରଙ୍କୁ ଅତି ଆଦରରେ ଗ୍ରହଣ କଲେ; କିନ୍ତୁ ସୁମନ୍ତ୍ର ଶ୍ରୀରାମଙ୍କୁ ରାଜାଙ୍କର ଆଦେଶ ବୋଲି କହି ସଙ୍ଗେ ସଙ୍ଗେ ରାଜଭବନକୁ ଡାକିନେଲେ । ଶ୍ରୀରାମ ପିତାଙ୍କୁ ଅତି ବ୍ୟାକୁଳ ଅବସ୍ଥାରେ ଦେଖିଲେ । ତାଙ୍କର ଓଷ୍ଠ ଶୁଖିଯାଇଛି, ସମଗ୍ର ଶରୀର ଜଳୁଛି, ପାଖରେ କୋପମୂର୍ତ୍ତି କୈକେୟୀ ବସିଛନ୍ତି । ଶ୍ରୀରାମ ପ୍ରଥମ କରି ଏ ଦୁଃଖର ଚିତ୍ର ଦେଖିଲେ । ଏହା ପୂର୍ବରୁ ସେ କେବେହେଲେ ଦୁଃଖକଥା ମଧ୍ୟ ଶୁଣି ନଥିଲେ । ହୃଦୟରେ ଧୈର୍ଯ୍ୟ ଅବଲମ୍ବନ କରି ଅତି କୋମଳ ସ୍ଵରରେ ସେ ମା’ଙ୍କୁ ପଚାରିଲେ–ମୋତେ ପିତାଙ୍କର ଦୁଃଖର କାରଣ କୁହ, ମେ ଦୁଃଖ ଦୂର କରିବାକୁ ମୁଁ ଚେଷ୍ଟା କରିବି ।

 

କୈକେୟୀ କହିଲେ–ହେ ରାମ ! ତୁମ ଉପରେ ରାଜାଙ୍କର ଅତ୍ୟଧିକ ସ୍ନେହ ହିଁ କେବଳ ତାଙ୍କର ଦୁଃଖର ପ୍ରଧାନ କାରଣ ! ରାଜା ମୋତେ ଦୁଇଟି ବର ଦେବେ ବୋଲି କହିଥିଲେ । ମୋତେ ଯାହା ଭଲ ଲାଗିଲା, ମୁଁ ସେହିପରି ବର ମାଗିଲି । ତାହା ଶୁଣିବାମାତ୍ରେ ରାଜାଙ୍କର ଅତିଶୟ ଦୁଃଖ ଆସିଛି । ଏକ ଦିଗରେ ପୁତ୍ର-ସ୍ନେହ, ପୁଣି ଦ୍ଵିତୀୟରେ ବଚନରକ୍ଷା । ରାଜା ଏହିପରି ଏକ ଧର୍ମସଂକଟରେ ପଡ଼ିଯାଇଛନ୍ତି । ତୁମେ ଯଦି ପାରିବ ତାହାହେଲେ ରାଜାଙ୍କର ଆଜ୍ଞା ଶିରୋଧାର୍ଯ୍ୟ କର । ତାଙ୍କର କଠିନ କ୍ଳେଶକୁ ଦୂରକର । ଏହା କହି ସେ ନିଷ୍ଠୁରଭାବରେ ସମସ୍ତ ଘଟଣା ବ୍ୟକ୍ତକଲେ । .

 

ଶ୍ରୀରାମଚନ୍ଦ୍ର ମାତାଙ୍କର ନିର୍ଦ୍ଦେଶ ସ୍ଥିରଭାବରେ ଶୁଣିଲେ ଏବଂ ଧୀର କୋମଳ କଣ୍ଠରେ କହିଲେ–ମାତଃ ! ଯେଉଁ ପୁତ୍ର ମାତାଙ୍କର ବଚନ ଅତି ଶ୍ରଦ୍ଧାର ସହିତ ପାଳନକରେ ସେ ବଡ଼ ଭାଗ୍ୟବାନ୍ ଅଟେ । ପିତାମାତାଙ୍କୁ ସନ୍ତୁଷ୍ଟ କରିପାରିବା ପୁତ୍ର ସଂସାରରେ ଦୁର୍ଲଭ । ଆପଣଙ୍କ ନିର୍ଦ୍ଦେଶ ପାଳିଲେ ବନରେ ମୁନିମାନଙ୍କ ସହିତ ବସବାସ କରିବାର ସୁଯୋଗ ଘଟିବ ଏବଂ ପିତାଙ୍କର ଆଦେଶ ପାଳିତ ହେବ । ଏଥିରେ ଆପଣଙ୍କର ଯଦି ସମ୍ମତି ଅଛି, ମୋର ସେଥିରେ ସମସ୍ତ ପ୍ରକାର ମଙ୍ଗଳ ହେବ । ମୋର ପ୍ରାଣପ୍ରିୟ ଭାଇ ଭରତ ରାଜା ହେବ । ମୋର ମନେହେଉଛି, ବିଧାତା ଆଜି ମୋର ସବୁ ଦିଗରୁ ଅନୁକୂଳ ଅଛନ୍ତି । ମୁଁ ଏପରି କର୍ମ ନିମନ୍ତେ ଯଦି ବନଗମନ ନ କରେ, ତାହାହେଲେ ମୂର୍ଖ ସମାଜ ମଧ୍ୟରେ ମୋର ନାମ ପ୍ରଥମରେ ରଖାଯିବ । ମୋର ଗୋଟିଏ ଦୁଃଖ, ପିତା ଅତ୍ୟନ୍ତ ବ୍ୟାକୁଳ ହୋଇପଡ଼ିଛନ୍ତି । ଏହି ସାମାନ୍ୟ କଥା ପାଇଁ ପିତାଙ୍କର ଏତେ ଦୁଃଖ ହୋଇଛି, ମୋର ତ ଏହା ବିଶ୍ଵାସ ହେଉ ନାହିଁ । ପିତା ଅତ୍ୟନ୍ତ ଧୀର ଓ ଗୁଣାକର ଅଟନ୍ତି । ମୁଁ ମନେକରୁଛି, ମୁଁ କୌଣସି ବିଶେଷ ଅପରାଧ କରିପକାଇଛି; ବୋଧହୁଏ ସେଥିପାଇଁ ପିତା ମୋତେ କଥା କହୁନାହାନ୍ତି ।

 

ରାଣୀ ଶ୍ରୀରାମଚନ୍ଦ୍ରଙ୍କର ଏ ମିଷ୍ଟବାକ୍ୟ ଶୁଣି ଅତ୍ୟନ୍ତ ଆନନ୍ଦିତା ହୋଇଗଲେ । କପଟ ସ୍ନେହ ଦେଖାଇ କହିଲେ–ମୁଁ ତୁମର ଶପଥ ଓ ଭରତଙ୍କର ରାଣ ଦେଇ କହୁଛି, ରାଜାଙ୍କର ଦୁଃଖର ଅନ୍ୟ କୌଣସି କାରଣ ମୋତେ ଜଣାନାହିଁ । ତୁମଠାରୁ କୌଣସି ଅପରାଧ ଆଶଙ୍କା କରାଯାଇପାରେ ନାହିଁ । ପିତା, ମାତା ଓ ଭାଇମାନେ ତୁମକୁ ଦେଖି ଆନନ୍ଦିତ ହୁଅନ୍ତି । ତୁମର ସମସ୍ତ କଥା ସତ୍ୟ । ପିତାମାତାଙ୍କର ବାକ୍ୟପାଳନରେ ତୁମେ ସବୁବେଳେ ତତ୍ପର । ତୁମେ ବର୍ତ୍ତମାନ ପିତାଙ୍କୁ ବୁଝେଇ ଦିଅ । ଏ ବୃଦ୍ଧ ବୟସରେ ତାଙ୍କର ଅପଯଶ ନ ହେଉ ।

 

ଶ୍ରୀରାମଚନ୍ଦ୍ର ମାତାଙ୍କର କଥାସବୁ ମନୋଯୋଗପୂର୍ବକ ଶୁଣୁଥିଲେ । ଏତିକିବେଳେ ରାଜାଙ୍କର ଚେତନା ଆସିଲା । ସେ ‘ରାମ ରାମ’ କହି କଡ଼ ଲେଉଟାଇଲେ । ସୁମନ୍ତ୍ର ରାଜାଙ୍କୁ ଶ୍ରୀରାମଚନ୍ଦ୍ରଙ୍କ ଆସିବା କଥା ଜଣାଇଦେଲେ । ତାଙ୍କ ହୃଦୟରେ ଧୈର୍ଯ୍ୟ ଆସିଲା ! ମନ୍ତ୍ରୀ ତାଙ୍କୁ ଧରି ଉଠାଇ ବସାଇଦେଲେ । ଶ୍ରୀରାମଚନ୍ଦ୍ର ପିତାଙ୍କ ଚରଣତଳେ ପ୍ରଣାମ କରୁଥିବାବେଳେ ରାଜା ସେହିପୂର୍ଣ୍ଣ ଓ ବିକଳ ହୃଦୟରେ ଶ୍ରୀରାମଙ୍କ ହୃଦୟରେ ଲଗାଇଲେ । ତାଙ୍କ ଚକ୍ଷୁରୁ ଅଶ୍ରୁଧାର ବହି ହୃଦୟ ପ୍ଳାବିତ କଲା । ଚକ୍ଷୁ ଅପଲକ ରହିଗଲା ।

 

ସେତିକିବେଳେ ମନେ ମନେ ରାଜା ମହାଦେବଙ୍କୁ ସ୍ମରଣ କରି ଭାବୁଥାନ୍ତି, ଦେ ଆଶୁତୋଷ ! ତୁମେ ଶ୍ରୀରାମଙ୍କୁ ଏପରି ବୁଦ୍ଧି ଦିଅ, ସେ ମୋର ବଚନ ରକ୍ଷା ନ କରୁ, ବନକୁ ନ ଯାଉ । ଜଗତରେ ମୋର ଅପଯଶ ବ୍ୟାପିଯାଉ ପଛେ, ସୁଯଶ ସବୁ ନଷ୍ଟ ହୋଇଯାଉ, ମୋର ନରକଗତ ହେଉ ପଛେ; କିନ୍ତୁ ଶ୍ରୀରାମଚନ୍ଦ୍ର ମୋ ଆଖି ଆଗରୁ ନଯାଉ ।

 

ଶ୍ରୀରାମ ମନେକଲେ, ପିତାଙ୍କ ହୃଦୟରେ ଅଶେଷ ଦୁଃଖ ଘୋଟିଛି । ମାତା କୈକେୟୀ ଯଦି ଆଉ କିଛି କହନ୍ତି, ତାହାହେଲେ ତାଙ୍କର ଆହୁରି ଦୁଃଖ ବଢ଼ିବ । ଏକଥା ଅନୁମାନ କରି ଶ୍ରୀରାମ କହିଲେ–“ହେ ପିତଃ ! ଆପଣଙ୍କ ସମ୍ମୁଖରେ ମୁଁ କଥା କହିବାକୁ ଭାଜନ ନୁହଁ । ମୁଁ ନିତାନ୍ତ ବାଳକ, ମୋତେ କ୍ଷମା କରନ୍ତୁ । ଏ ନିତାନ୍ତ ସାମାନ୍ୟ କଥାପାଇଁ ଆପଣ କେତେ ଦୁଃଖ ପାଇଲେ, ମୋତେ ଏକଥା କେହିହେଲେ ପୂର୍ବରୁ ଜଣାଇଲେ ନାହିଁ । ମାତା କୈକେୟୀଙ୍କଠାରୁ ମୁଁ ଏସବୁ କଥା ଶୁଣିଲି । ଏ ମଙ୍ଗଳ ସମୟରେ ଆପଣ ହୃଦୟରୁ ସବୁ ଦୁଃଖ ଦୂର କରନ୍ତୁ । ଆନନ୍ଦରେ ମୋତେ ଆଜ୍ଞା ଦିଅନ୍ତୁ । ଏ ପୃଥିବୀରେ ଯେଉଁ ଲୋକ ତାର ଚରିତ୍ରଦ୍ଵାରା ପିତାଙ୍କୁ ପରମ ଆନନ୍ଦ ଦେଇପାରେ, ତାର ଜନ୍ମ ସାର୍ଥକ ଅଟେ । ଯେଉଁ ଲୋକ ପିତାମାତାଙ୍କ ନିଜର ପ୍ରାଣପରି ପ୍ରିୟ ମନେକରେ, ତା ପକ୍ଷରେ ଧର୍ମ, ଅର୍ଥ, କାମ ଓ ମୋକ୍ଷ ସହଜଲଭ୍ୟ ଅଟେ । ମୁଁ ଆପଣଙ୍କ ଆଜ୍ଞା ପାଳନ କରି ବନକୁ ଯାଇ ଶୀଘ୍ର ଫେରିଆସିବି । ମୋତେ ଆଦେଶ ଦିଅନ୍ତୁ । ମୁଁ ମାତାଙ୍କଠାରୁ ବିଦାୟ ନେବାପାଇଁ ଯାଉଛି । ପୁଣି ଆପଣଙ୍କ ଚରଣରେ ମସ୍ତକ ଲଗାଇ ବନକୁ ବାହାରିବି ।

 

ଶ୍ରୀରାମଙ୍କର ବନଗମନ ସମ୍ବାଦ ସମଗ୍ର ନଗରରେ ବ୍ୟାପିଗଲା । ବନର ବିଲ୍ଵବୃକ୍ଷ ଦାବାନଳର ଆଘାତରେ ଶୁଷ୍କ ହୋଇଯାଇଥିଲା ଭଳି ନଗରର ସ୍ତ୍ରୀ ପୁରୁଷମାନେ ଯିଏ ଯେଉଁଠି ଏ ସମ୍ବାଦ ଶୁଣିଲେ, ସମସ୍ତେ ଝାଉଁଳି ପଡ଼ିଲେ । ମୁଖ ସବୁ ଶୁଖିଯାଇଛି, କାହାର ଚକ୍ଷୁରୁ ଲୋତକ ବହିଯାଉଛି । ସତେ ଯେପରି ଶୋକନଦୀ ଅଯୋଧ୍ୟାପୁର ମଧ୍ୟରେ ବହିଚାଲିଛି ।

 

ଲୋକମାନେ କେତେ କେତେ ଜାଗାରେ ଯିଏ ଯେଉଁଠି କଥାବାର୍ତ୍ତା ହେଉଛନ୍ତି, ସମସ୍ତେ କୈକେୟୀଙ୍କୁ ଭର୍ତ୍ସନା କରୁଛନ୍ତି । କିଏ କହୁଛି, ପାପିନୀ ନିଜ ଆଖିକୁ ଖୋଳିଆଣି ନିଜ ହାତରେ ଧରି ଦେଖିବାକୁ ଇଚ୍ଛା କରିଛି । ସ୍ତ୍ରୀ-ସ୍ଵଭାବ ଭିତରେ କି କୁଟିଳତା ରହିଛି, ତାହା ବୁଝିବା କାହାରି ପକ୍ଷରେ ସମ୍ଭବ ନୁହେଁ । ନିଆଁ କାହାକୁ ବା ଜଳାଇ ନ ପାରେ ? ସମୁଦ୍ର କାହାକୁ ବା ବୁଡ଼ାଇ ନ ପାରେ ? ଅବଳା ଯାହାକୁ କହନ୍ତି, ସେ ଅବଳା ନୁହଁ, ପ୍ରବଳା । ସେ କଣ କରି ନ ପାରେ ? କେହି କେହି ମଧ୍ୟ ଏ କାର୍ଯ୍ୟରେ ଭରତଙ୍କର ସମ୍ମତି ଅଛି ବୋଲି ଭରତଙ୍କୁ ଦୋଷ ଦେଉଥାନ୍ତି । ଏ କଥା ଶୁଣି ଆଉ କିଏ କହୁଥାନ୍ତି–ତୁମେ ଯଦି ଏପରି କହିବ, ତୁମର ସବୁ ପୁଣ୍ୟ ନଷ୍ଟ ହୋଇଯିବ । ଭରତ ପରା ଶ୍ରୀରାମଙ୍କର ପ୍ରାଣପ୍ରିୟ ଭାଇ । ଚନ୍ଦ୍ରମା ହୁଏତ ଅଗ୍ନି ବର୍ଷଣ କରିପାରେ, ଅମୃତ ହୁଏତ ବିଷ ହୋଇଯାଇପାରେ, କିନ୍ତୁ ଭରତଙ୍କ ହୃଦୟ ପବିତ୍ର, ତାଙ୍କ ହୃଦୟରେ ଶ୍ରୀରାମ-ବିରୋଧ ଭାବନା ଆସିବ କୁଆଡ଼ୁ ?

 

କୈକେୟୀଙ୍କୁ ବୁଝାଶୁଝା କରିବା ପାଇଁ କେତେକ ବ୍ରାହ୍ମଣୀ, ବୟସ୍କା ନାରୀ ତାଙ୍କ ପାଖକୁ ଆସିଲେ । ସେମାନେ ତାଙ୍କୁ କହିଲେ–ହେ ରାଣୀ ! ତୁମେ ତ ତୁମରି ତୁଣ୍ଡରେ କହୁଥିଲେ, ଶ୍ରୀରାମ ମୋର ଭରତଠାରୁ ମଧ୍ୟ ପ୍ରିୟ ! ଆଜି ଏପରି ବଦଳିଗଲ କିପରି ? କୌଶଲ୍ୟା ତୁମର କି ଅନ୍ୟାୟ କରିଛନ୍ତି ? ଏ ନଗରର ଲୋକମାନଙ୍କ ଉପରେ ତୁମେ ଗୋଟାଏ ବଜ୍ର ପକାଇଦେଲ । ଶ୍ରୀରାମଙ୍କ ବିନା କଣ ଭରତ ଅଯୋଧ୍ୟା ରାଜ୍ୟ ଭୋଗ କରିବେ ? ତୁମେ ଭରତଙ୍କୁ ଯୁବରାଜ କରେଇଦିଅ; କିନ୍ତୁ ଶ୍ରୀରାମଙ୍କୁ ବନକୁ ପଠାଇବାର କି କାରଣ ଅଛି । ତାଙ୍କର ତ ରାଜ୍ୟଭୋଗ ଲାଳସା ନାହିଁ । ତୁମେ ରାଜାଙ୍କଠାରୁ ଆଉ ଗୋଟିଏ ବର ମାଗ । ଶ୍ରୀରାମ ଗୃହତ୍ୟାଗ କରି ଗୁରୁଗୃହରେ ରହନ୍ତୁ । ଶ୍ରୀରାମଙ୍କ ପରି ପୁତ୍ର କଣ ବନଗମନ ଯୋଗ୍ୟ । ନଗରର ଲୋକମାନେ ତୁମକୁ କଣ କହୁଛନ୍ତି ? ନଗରରୁ ଏ ଶୋକର ଛାୟା ତୁମରିଦ୍ଵାରା ଦୂର ହୋଇପାରିବ । ତୁମଠାରେ ଯେଉଁ କଳଙ୍କ ଲାଗିଛି ତାହାକୁ ଲିଭାଇବା ପାଇଁ ତୁମେ ଯିମିତି ଉପାୟ କରୁଛ, କର । ଶ୍ରୀରାମଙ୍କୁ ବନଗମନରୁ ନିବୃତ୍ତ କର ।

 

କୁଟିଳା ମନ୍ଥରାର ଶିକ୍ଷାରେ କୈକେୟୀ ଏପରି ଭୁଲିଯାଇଥିଲେ ଯେ ତାଙ୍କୁ ଏସବୁ କଥା କିଛି ଶୁଭିଲା ନାହିଁ । ସେ କୌଣସି ଉତ୍ତର ଦେଲେନାହିଁ । ତାଙ୍କ ହୃଦୟରେ ଆହୁରି କ୍ରୋଧ ଆସିଲା-। ନଗରର ଓ ରାଜଭବନର ସ୍ତ୍ରୀଲୋକମାନେ ତାଙ୍କୁ ଗାଳି ଦେଇ ଦେଇ ଫେରିଗଲେ । ପୋଖରୀରୁ ପାଣି ଶୁଖିଗଲେ ଜଳଚର ଜୀବମାନେ ବ୍ୟାକୁଳ ହେଲାପରି ନଗରର ସ୍ତ୍ରୀ-ପୁରୁଷମାନେ ଅତିଶୟ ବ୍ୟାକୁଳ ହେଉଥାନ୍ତି ।

 

ଶ୍ରୀରାମ କୌଶଲ୍ୟାଙ୍କ ପାଖରେ ପହଞ୍ଚିଲେ । କୌଶଲ୍ୟା ରାଜତିଳକ ଗ୍ରହଣ ଦିବସ ଜାଣି ଅତ୍ୟନ୍ତ ଆନନ୍ଦରେ ଶ୍ରୀରାମଙ୍କୁ ଦେଖିବାମାତ୍ରେ କୁଣ୍ଢାଇ ପକାଇଲେ । ଶ୍ରୀରାମ ମାତାଙ୍କ ଚରଣରେ ପ୍ରଣାମ କଲାବେଳେ ମାତାଙ୍କର ଶରୀର ପୁଲକିତ ହୋଇ ଉଠିଲା, ଚକ୍ଷୁରୁ ସ୍ନେହାଶ୍ରୂ ବିଗଳିତ ହେଲା । କୌଶଲ୍ୟା ଶ୍ରୀରାମଚନ୍ଦ୍ରଙ୍କୁ ତୋଳିଧରି କହିଲେ–ବାବୁ, ଲଗ୍ନ କେତେବେଳେ ! ଶୀଘ୍ର ସ୍ନାନ କରିପକାଅ, ତୋର ଯେତିକି ମନ ହେଉଛି ମିଷ୍ଟାନ୍ନ ଟିକିଏ ଖାଇ ଦେ । ତା ପରେ ପିତାଙ୍କ ପାଖକୁ ଯିବୁ ।

 

ଶ୍ରୀରାମ କୋମଳ କଣ୍ଠରେ କହିଲେ–ମା’ ! ମୋତେ ପିତା ବନରାଜ୍ୟ ଦେଇଛନ୍ତି । ସବୁ କାମ ମୁଁ ସେଠାରେ କରିବି । ତୁମେ ମୋତେ ଆନନ୍ଦରେ ଅନୁମତି ଦିଅ, ମୋର ବନଯାତ୍ରା ମଙ୍ଗଳକର ହେଉ । ଚଉଦବର୍ଷ ବନରେ ବାସକରି ମୁଁ ପିତାଙ୍କ ବଚନ ପାଳନ କରି ଫେରିଆସିବ, ତୁମର ଚରଣ ଦର୍ଶନ କରିବି । ମନରେ ତିଳେ ସୁଦ୍ଧା ଦୁଃଖ କରନାହିଁ ।

 

ଶ୍ରୀରାମଙ୍କର ଏ କଥାଗୁଡ଼ିକ ରାଣୀ କୌଶଲ୍ୟାଙ୍କ ହୃଦୟରେ ବାଣବିଦ୍ଧ ହେଲାପରି ଲାଗିଲା । ଚକ୍ଷୁ ଲୋତକପୂର୍ଣ୍ଣ ହୋଇଗଲା । ଶରୀର କମ୍ପିବାକୁ ଲାଗିଲେ । ମାତା ପଚାରିଲେ ତୁ ପିତାଙ୍କର ପ୍ରାଣ ସମାନ ପ୍ରିୟ ଅଟୁ । ତୋତେ ରାଜ୍ୟ ଦେବାନିମନ୍ତେ ସେ ଶୁଭଦିନ ସ୍ଥିର କଲେ । ତୋର କେଉଁ ଦୋଷରୁ ତୋତେ ବନକୁ ଯିବାକୁ କହୁଛନ୍ତି ? ସେତେବେଳେ ଶ୍ରୀରାମଙ୍କ ସଙ୍ଗରେ ମନ୍ତ୍ରୀପୁତ୍ର ଥିଲେ । ସେ ସବୁ କଥା କୌଶଲ୍ୟାଙ୍କୁ ବୁଝାଇଦେଲେ । କୌଶଲ୍ୟା ଜଡ଼ ହୋଇ ବସିଗଲେ ! କଣ କରିବେ କିଛି ବୁଦ୍ଧି ଦିଶିଲା ନାହିଁ । କିଛିକ୍ଷଣ ପରେ କହିଲେ–ବାବୁ, ପିତାଙ୍କ ଆଜ୍ଞାପାଳନ ସଂସାରର ଶ୍ରେଷ୍ଠ ଧର୍ମ । ପିତାଙ୍କ ଆଦେଶ ପାଳନକରି ବନକୁ ଗଲେ, ତୋର ସେହି ବନବାସ ଶତ ଅଯୋଧ୍ୟା ତୁଲ୍ୟ ହେବ । ତୋରି ଯୋଗୁଁ ସେ ବନ ଭାଗ୍ୟବାନ୍ ହେବ । ମୋତେ ସାଥିରେ ନେଇଯିବା ପାଇଁ ମୁଁ କହନ୍ତି; କିନ୍ତୁ ତୁ ବିଚାରିବୁ ମୁଁ ଏପରି କହି ତୋତେ ବାଧା ଦେଉଛି । ସବୁ ଦେବତା ଓ ପିତୃପୁରୁଷ ତୋତେ ରକ୍ଷାକରନ୍ତୁ । ଏ ନଗରର ପ୍ରଜାମାନଙ୍କୁ ଅନାଥ କରି ତୁ ବନରେ ରହ । ଏହିପରି କହି କହି କାନ୍ଦି ତଳେ ପଡ଼ିଗଲେ । ଶ୍ରୀରାମଚନ୍ଦ୍ର ତାଙ୍କୁ ଉଠାଇ ଧରିଲେ ।

 

ଏତିକିବେଳେ ସୀତା ଏ ସବୁ ଘଟଣା ଶୁଣି ବ୍ୟାକୁଳ ହୃଦୟରେ ଶାଶୁଙ୍କ ପାଖକୁ ଯାଇ ମୁଣ୍ଡ ତଳକୁ କରି ବସିପଡ଼ିଲେ । ତାଙ୍କ ଚକ୍ଷୁରେ ଅଶ୍ରୁ ଦେଖି କୌଶଲ୍ୟା କହିଲେ–ବାବୁ, ସୀତା ମୋର ଅତି ସୁକୁମାରୀ, ଶାଶୁ-ଶ୍ଵଶୁରଙ୍କର ଅତି ପ୍ରିୟ, ରାଜଶିରୋମଣି ଜନକଙ୍କର କନ୍ୟା । ସୂର୍ଯ୍ୟବଂଶରେ ସୂର୍ଯ୍ୟ ଏହାର ଶ୍ଵଶୁର । ସୂର୍ଯ୍ୟବଂଶର କୁମୁଦବନର ଆନନ୍ଦଦାୟକ ଚନ୍ଦ୍ରମା ତୁ । ତୋର ଏ ଧର୍ମପତ୍ନୀ । ଇଏ ମୋ ଆଖିର ପିତୁଳା । ଏହାର ଅବସ୍ଥା କ’ଣ ହେବ ? ସଂଜୀବନୀ ଔଷଧ ପରି ମୁଁ ଏହାକୁ ଅତି ଯତ୍ନରେ ରଖିଛି । ସେ ତୋ ସାଥିରେ ବନକୁ ଯିବ ବୋଲି କହୁଛି । ବନରେ ହସ୍ତୀ, ସିଂହ, ରାକ୍ଷସ ଓ ଅନେକ ଦୁଷ୍ଟ ଜନ୍ତୁ ଅଛନ୍ତି । ବିଷ ଉଦ୍ୟାନ ମଧ୍ୟରେ ସଂଜୀବନୀ ଲତା ଶୋଭା ପାଏ କି ? ସେ ବଣରେ ଚଳିବ କିପରି ? ଘରେ ରହିଲେ ମୋର ସହାୟ ହୁଅନ୍ତା ।

 

ଶ୍ରୀରାମ ନାନାପ୍ରକାର ମଧୁର ବଚନ କହି ମାତାଙ୍କୁ ପ୍ରବୋଧ ଦେଲେ । ପୁଣି ସୀତାଙ୍କୁ ବନର ଭୟଙ୍କରତା ଓ କଷ୍ଟ କଥା କହି ଶାଶୁ-ଶ୍ଵଶୁରଙ୍କର ସେବାଧର୍ମ ପାଳନ କରିବା ପାଇଁ ବୁଝାଇଲେ । ସୀତା ସଂକୋଚବଶତଃ କିଛି କହିପାରିଲେ ନାହିଁ । କିନ୍ତୁ ସ୍ଵାମୀଙ୍କ ବିନା ଏକାକୀ କିପରି ରହିବେ ସେ ବିଚାରି ପାରିଲେ ନାହିଁ । ସୀତା ଅତି ନମ୍ର ଓ କୋମଳ ଭାବରେ କହିଲେ–ହେ ସ୍ଵାମୀ, ଆପଣଙ୍କ ବିନା ସ୍ଵର୍ଗ ମଧ୍ୟ ମୋ ପାଇଁ ନରକ । ବନମଧ୍ୟରେ ଆପଣଙ୍କ ସହିତ ଚାଲୁଥିଲାବେଳେ ଆପଣଙ୍କର ଚରଣକମଳକୁ ଚାହିଁ ଚାହିଁ ମୋର ପଥର ଦୁଃଖ କଟିଯିବ । ମୁଁ ପ୍ରଭୁଙ୍କ ସଙ୍ଗରେ ଥିଲାବେଳେ ମୋ ଆଡ଼କୁ ଚାହିଁବାକୁ ସାହସ ବା କିଏ କରିପାରିବ ? ଶଶକ କିମ୍ବା ଶୃଗାଳ ସିଂହୀକୁ ଚାହିଁପାରେ କି ? ମୁଁ ଅତି ସୁକୁମାରୀ, ଆଉ ଆପଣ ବନର ଯୋଗ୍ୟ ! ଆପଣଙ୍କ ପାଇଁ ତପସ୍ୟା ଉଚିତ ହେବ; ମୋ ପାଇଁ ବିଷୟଭୋଗ ! ଏପ୍ରକାର କଠୋର ବାଣୀ ଶୁଣି ମୋ ହୃଦୟ ଫାଟିଯାଉନାହିଁ କାହିଁକି ?

 

ସୀତାଙ୍କର ଏପରି କାକୁସ୍ଥ ମିନତି ଶୁଣି ଶ୍ରୀରାମ ତାଙ୍କୁ ସଙ୍ଗରେ ନେବାପାଇଁ ସ୍ଵୀକୃତ ହେଲେ । ମାତାଙ୍କଠାରୁ ବିଦାୟ ନେଇ ଆସିଲାବେଳେ ଶ୍ରୀରାମଙ୍କୁ କୌଶଲ୍ୟା କେତେବେଳେ ରଘୁପତି, କେତେବେଳେ ରଘୁବର, ବତ୍ସ, ପୁତ୍ର କହି ଅଧୀର ହେଉଥିଲେ । ସୀତାଙ୍କୁ ବାରମ୍ବାର ହୃଦୟରେ ଲଗାଇ ଆଶୀର୍ବାଦ ଦେଇ କହିଲେ, ‘‘ଯେ ପର୍ଯ୍ୟନ୍ତ ଗଙ୍ଗା ଓ ଯମୁନାର ଧାର ବହି ଚାଲିଥିବ ସେ ପର୍ଯ୍ୟନ୍ତ ତୁମର ସୋହାଗ ଅଟଳ ରହୁ ।”

 

ଏହି ସମୟରେ ଲକ୍ଷ୍ମଣ ଏ ସମ୍ବାଦ ପାଇଲେ । ତାଙ୍କ ଆଖି ଦୁଇଟିରୁ ଲୁହ ଧାର ଧାର ବହୁଥାଏ, ଶରୀର ରୋମାଞ୍ଚିତ ହୋଇଥାଏ । ସେ ଆସି ଜ୍ୟେଷ୍ଠ ଭ୍ରାତାଙ୍କର ପାଦ ଧରି ବସିରହିଲେ-। ଶ୍ରୀରାମ ତାଙ୍କୁ ଯେତେ ବୁଝାଇଲେ ସେ କିଛି ବୁଝିଲେ ନାହିଁ । ଶ୍ରୀରାମ କହିଲେ, ‘‘ମହାରାଜା ବୃଦ୍ଧ, ଭରତ ଓ ଶତ୍ରୁଘ୍ନ ଗୃହରେ ନାହାନ୍ତି । ଏପରି ଅବସ୍ଥାରେ ଏ ସମଗ୍ର ପ୍ରଜାକୁଳକୁ ରକ୍ଷା କରିବ କିଏ ? ରାଜ୍ୟର ପ୍ରଜା କଷ୍ଟ ପାଇଲେ ରାଜା ନରକ ଗାମୀ ହୁଅନ୍ତି । ତୁ ମୋ ସହିତ ଯିବୁ କିପରି-?”

 

ଲକ୍ଷ୍ମଣ କହିଲେ, “ମୁଁ ଆପଣଙ୍କର ଦାସ । ଆପଣ ମୋତେ ଅନେକ ଶିକ୍ଷା ଦେଲେ, କିନ୍ତୁ ଆପଣ ବିଶ୍ୱାସ କରନ୍ତୁ ମୁଁ ଆପଣଙ୍କୁ ଛାଡ଼ି ଗୁରୁ, ପିତା, ମାତା କାହାକୁ ହେଲେ ଜାଣି ନାହିଁ । ଯାହା ପକ୍ଷରେ କୀର୍ତ୍ତି, ବିଭୂତି, ସଦ୍‌ଗତି ମହାନ୍ ଅଟେ, ଆପଣ ସିନା ତାକୁ ନୀତି ଉପଦେଶ ଦେବେ; କିନ୍ତୁ ମୋର ମନ, ବଚନ ଏବଂ କର୍ମ ଆପଣଙ୍କ ଚରଣରେ ସମର୍ପିତ ।’’ ଶ୍ରୀରାମ ଲକ୍ଷ୍ମଣଙ୍କର କଥା ଭାଙ୍ଗି ପାରିଲେ ନାହିଁ ।

 

କୌଶଲ୍ୟାଙ୍କ ନିକଟରୁ ବିଦାୟ ନେଇ ଶ୍ରୀରାମ ଲକ୍ଷ୍ମଣ ସୁମିତ୍ରାଙ୍କ ନିକଟକୁ ଗଲେ । ସୁମିତ୍ରା କହିଲେ, “ଲକ୍ଷ୍ମଣ, ଜାନକୀ ତୋର ମାତା ଓ ଜ୍ୟେଷ୍ଠଭ୍ରାତା ଶ୍ରୀରାମଚନ୍ଦ୍ର ତୋର ପିତା ସଦୃଶ ଅଟନ୍ତି । ସେମାନେ ଯେଉଁଠାରେ ବାସ କରିବେ ସେ ସ୍ଥାନ ଅଯୋଧ୍ୟା ପୁର ଅଟେ । ସୂର୍ଯ୍ୟ ଯେଉଁଠାରେ ପ୍ରକାଶିତ ହୁଅନ୍ତି, ସେଠାରେ ଯେପରି ଦିବସ ହୁଏ, ଯେଉଁଠାରେ ସୀତା ରାମ ଅଛନ୍ତି ସେ ସ୍ଥାନ ତୋର ଅଯୋଧ୍ୟା । ସୀତା ରାମ ଯଦି ବନକୁ ଯାଉଛନ୍ତି ଅଯୋଧ୍ୟାରେ ତୋ ପାଇଁ କିଛି କାମ ନାହିଁ । ଜଗତରେ ଯେତେ ପୂଜନୀୟ ବ୍ୟକ୍ତି ଅଛନ୍ତି ସେମାନେ ଶ୍ରୀରାମଙ୍କ ଯୋଗୁଁ ପୂଜନୀୟ । ତୁ ସେମାନଙ୍କ ସହିତ ବନ ଗମନ କର ଏବଂ ଜଗତରେ ଜୀବନର ସମସ୍ତ ସାର୍ଥକତା ଲାଭ କର । ଶ୍ରୀରାମଙ୍କ ଚରଣରେ ତୁ ସ୍ଥାନ ପାଇଛୁ, ସେଥିପାଇଁ ମୁଁ ଅପଣାକୁ ସୌଭାଗ୍ୟବତୀ ବୋଲି ମନେ କରୁଛି । ଯେଉଁ ନାରୀମାନଙ୍କର ପୁତ୍ରମାନେ ଶ୍ରୀରାମଚନ୍ଦ୍ରଙ୍କର ଭକ୍ତ, ସେହିମାନେ କେବଳ ପୁତ୍ରବତୀ । ରାଗ, କ୍ରୋଧ, ଈର୍ଷା, ମଦ ତ୍ୟାଗ କରି ମନ, ବଚନ ଓ କର୍ମରେ ସୀତା ରାମଙ୍କ ସେବା ତୋର ଧ୍ୟାନ ହେଉ । ଶ୍ରୀରାମ ଓ ସୀତାଙ୍କ ପରି ପିତାମାତା ଯେଉଁଠି ଅଛନ୍ତି ସେ ବନ ମଧ୍ୟ ତୋର ଅରାମଦାୟକ ସ୍ଥାନ ।” ମୃଗ ସୌଭାଗ୍ୟବଶତଃ ବନ୍ଧନମୁକ୍ତ ହେଲା ଭଳି ଲକ୍ଷ୍ମଣ ମାତାଙ୍କଠାରୁ ବିଦାୟ ନେଇ ଶ୍ରୀରାମଙ୍କ ଅନୁଗମନ କଲେ ।

 

ନଗରର ସ୍ତ୍ରୀ ପୁରୁଷମାନେ ଦୁଃଖରେ ଅଧୀର । ମହୁ ଫେଣାରୁ କେହି ମହୁ ଚୋରି କରି ନେଇଗଲେ ମହୁମାଛିମାନେ ବ୍ୟସ୍ତ ହେଲାଭଳି ନଗରବାସୀମାନେ ଅସ୍ତବ୍ୟସ୍ତ ହୋଇପଡ଼ିଲେ । ସୁମନ୍ତ୍ର ରାଜାକୁ ଉଠାଇ ବସାଇଲେ । ସେ କହିଲେ, ‘‘ଶ୍ରୀରାମ ବନ ଗମନ ନିମନ୍ତେ ଆପଣଙ୍କର ଦର୍ଶନ ପାଇଁ ଆସିଛନ୍ତି ।’’ ଦୁଇପୁତ୍ର ଓ ପୁତ୍ରବଧୂଙ୍କୁ ଚକ୍ଷୁ ସମ୍ମୁଖରେ ଦେଖି ରାଜା ବ୍ୟାକୁଳ ହୋଇ ଉଠିଲେ । ଶ୍ରୀରାମ ପିତାଙ୍କ ଚରଣ ସ୍ପର୍ଶ କରି ପ୍ରଣାମ କଲେ ଏବଂ କହିଲେ, ‘‘ହେ ପିତଃ ! ମୋତେ ଆଶୀର୍ବାଦ ଓ ଆଦେଶ ଦିଅନ୍ତୁ । ଏ ଆନନ୍ଦ ସମୟରେ ଆପଣ ଏପରି ଶୋକମଗ୍ନ କାହିଁକି ? ଆପଣ ମୋ ପ୍ରତି ଅତି ସ୍ନେହବଶ ହୋଇ ଯଦି କର୍ତ୍ତବ୍ୟରେ ତ୍ରୁଟି କରନ୍ତି ଜଗତରେ ଆମ୍ଭମାନଙ୍କର ନିନ୍ଦା ରଟିଯିବ ।’’

 

ରାଜା ଶ୍ରୀରାମଚନ୍ଦ୍ରଙ୍କର ଏ ସାନ୍ତ୍ୱନା ବାଣୀ ଶୁଣି ଉଠି ଠିଆ ହେଲେ ଏବଂ ଶ୍ରୀରାମଙ୍କର ହାତ ଧରି ଆଣି ନିକଟରେ ବସାଇଲେ ଏବଂ କହିଲେ, “ହେ ମୋର ପ୍ରିୟ ପୁତ୍ର, ମୁନିମାନେ କହନ୍ତି ଶ୍ରୀରାମ ଚରାଚରାର ସ୍ଵାମୀ । ଶୁଭ ଓ ଅଶୁଭ କର୍ମ ଅନୁସାରେ ଈଶ୍ଵର ମନୁଷ୍ୟକୁ ଫଳ ଦିଅନ୍ତି । ଯିଏ କର୍ମ କରେ ସେ ଫଳ ପାଏ । କିନ୍ତୁ ଅପରାଧ କଲା କିଏ ଏବଂ ଫଳ ଭୋଗ କରିବାକୁ ଯାଉଛି କିଏ ? ଈଶ୍ଵରଙ୍କ ଲୀଳା ବଡ଼ ବିଚିତ୍ର ଅଟେ ।”

 

ରାଜା ଶ୍ରୀରାମଚନ୍ଦ୍ରଙ୍କୁ ନିବୃତ୍ତ କରିବା ପାଇଁ ନିଜର ଦୁଃସହ ଦୁଃଖ ସବୁ ତାଙ୍କୁ ବୁଝାଇଲେ । ସେ ସୀତାଙ୍କୁ ନାନା ପ୍ରକାର ଶିକ୍ଷା ଦେଲେ । କିନ୍ତୁ ସୀତାଙ୍କର ମନ ଶ୍ରୀରାମ ଚରଣରେ ଅନୁରକ୍ତ ଥିଲା । ସେ ବନବାସ ଦୁଃଖକୁ ଦୁଃଖ ବୋଲି ଗ୍ରହଣ କଲେ ନାହିଁ । ମନ୍ତ୍ରୀ ସୁମନ୍ତ୍ରଙ୍କର ପତ୍ନୀ ଏବଂ ଗୁରୁ ବଶିଷ୍ଠଙ୍କର ପତ୍ନୀ ଅରୁନ୍ଧତୀ ସୀତାଙ୍କୁ କହିଲେ, “ରାଜା ତ ତୁମକୁ ବନବାସ ଦଣ୍ଡ ଦେଇ ନାହାନ୍ତି । ତୁମେ ଶାଶୁ ଶ୍ଵଶୁର ଓ ଗୁରୁଙ୍କର ଉପଦେଶ ମାନ ।’’ ସୀତା କିଛି ଉତ୍ତର ଦେଇ ପାରିଲେ ନାହିଁ ।

 

କୈକେୟୀ ଏ ସବୁ ପ୍ରଶ୍ନୋତ୍ତର ଓ ପ୍ରବୋଧନା ଶୁଣି କ୍ରୋଧରେ ଗର୍ଜି ଉଠିଲେ । ମୁନିଯୋଗ୍ୟ ବସନ ଓ କମଣ୍ଡଳୁ ଶ୍ରୀରାମଙ୍କ ପାଖରେ ରଖିଦେଇ କହିଲେ, “ତୁମେ ରାଜାଙ୍କର ପ୍ରାଣପ୍ରିୟ ଅଟ । ରାଜା ତୁମ ପ୍ରତି ସ୍ନେହକୁ ଶିଥୁଳ କରି ପାରିବେ ନାହିଁ । ପୁଣ୍ୟ, ଯଶ ଏବଂ ପରଲୋକ ନଷ୍ଟ ହେଲେ ମଧ୍ୟ ସେ ଦିନକୁ ଯିବାପାଇଁ ତୁମକୁ କହିପାରିବେ ନାହିଁ । ତେଣୁ ତୁମକୁ ଯାହା ଭଲ ଲାଗୁଛି ତାହା ହିଁ କର ।’’

 

ଶ୍ରୀରାମ କୈକେୟୀଙ୍କର ନିଷ୍ଠୁର କଥା ଶୁଣିଲେ ମଧ୍ୟ ତାଙ୍କ ମନରେ କୌଣସି ସଂକୋଚ ଭାବ ଆସିଲା ନାହିଁ । କିନ୍ତୁ ସେ କଥାଗୁଡ଼ିକ ରାଜାଙ୍କ ହୃଦୟରେ ତୀରଭଳି ଭେଦ କଲା । ସେ ବିଚାରିଲେ, ଏତେବେଳେ ମଧ୍ୟ ଏ ଶରୀରରେ ପ୍ରାଣ କିପରି ରହିଛି ? ରାଜା ହଠାତ୍‍ ଅଚେତ ହୋଇଗଲେ । କାହାରିକୁ କିଛି ବୁଦ୍ଧି ଦିଶିଲା ନାହିଁ । ଶ୍ରୀରାମ ପିତାମାତାଙ୍କ ଚରଣରେ ମସ୍ତକ ଅବନତ କରି ସ୍ତ୍ରୀ ଓ ଭାଇଙ୍କ ସହିତ ବନକୁ ବାହାରିଲେ ।

 

ରାଜପ୍ରାସାଦରୁ ବାହାରି ବଶିଷ୍ଠଙ୍କର ଆଶ୍ରମରେ ପହଞ୍ଚିଲେ । ଗୁରୁଙ୍କ ଚରଣରେ ପ୍ରଣାମ ଜଣାଇ ଦାସଦାସୀ ଓ ନଗରର ବ୍ୟାକୁଳହୃଦୟ ନରନାରୀମାନଙ୍କୁ ଗୁରୁଙ୍କ ନିକଟରେ ସମର୍ପଣ କରି ହାତ ଯୋଡ଼ି କହିଲେ, ‘‘ଆପଣ ଏମାନଙ୍କର ପିତାମାତା ।’’ ପୁଣି ନଗରର ନାଗରିକମାନଙ୍କୁ ହାତ ଯୋଡ଼ି ଅତି କୋମଳ କଣ୍ଠରେ କହିଲେ, “ଆପଣମାନଙ୍କର ଚେଷ୍ଟାରେ ମହାରାଜା ସୁଖୀ ହୋଇ ପାରିବେ । ଆପଣମାନେ ମୋର ପରମ ହିତକାରୀ । ମୋର ପିତାମାତାଙ୍କର ଏ ବିରହ ଦୁଃଖ ଦୂରକରିବା ପାଇଁ ଆପଣମାନେ ସର୍ବ ପ୍ରକାରର ଉପାୟ କରିବେ ।’’

 

ଶ୍ରୀରାମଚନ୍ଦ୍ର ଗୁରୁଙ୍କ ପଦରେ ପୁଣି ନମସ୍କାର କରି, ଦେବତାମାନଙ୍କର ଆଶୀର୍ବାଦ ଭିକ୍ଷାକରି ବନକୁ ବାହାରିଲେ । ନଗରରୁ ଏକ ସ୍ଵରରେ ଆର୍ତ୍ତନାଦ ଶୁଭିଲା । ଶୋକଚ୍ଛାୟା ସମଗ୍ର ଅଯୋଧ୍ୟା ନଗରକୁ ଆଚ୍ଛାଦନ କଲା । ସେହି ସମୟରେ ଲଙ୍କା ରାଜ୍ୟରେ ନାନା ଅଶୁଭ ଚିହ୍ନ ଦେଖାଗଲା ।

Image

 

ଶୃଙ୍ଗବେର ପୁରରେ ବନବାସୀ

 

ରାଜାଙ୍କର ମୂର୍ଚ୍ଛା ଭାଙ୍ଗିଲା । ସେ ସୁମନ୍ତ୍ରଙ୍କୁ ଡକାଇଲେ । ରାଜା ସୁମନ୍ତ୍ରଙ୍କୁ କହିଲେ, ‘‘ଶ୍ରୀରାମ ବନକୁ ଚାଲିଗଲେ; କିନ୍ତୁ ମୋର ପ୍ରାଣ ଯାଉନାହିଁ । କି ସୁଖ ଭୋଗ ଲାଳସାରେ ଏ ଶରୀରରେ ପ୍ରାଣ ରହିଛି କେଜାଣି ? ଆଉ କି ଅଧିକ ଦୁଃଖ ପାଇଲେ ଏ ପ୍ରାଣ ଶରୀରକୁ ତ୍ୟାଗ କରିବ ? ସୁମନ୍ତ୍ର, ସଖା, ତୁମେ ରଥ ନେଇ ଶ୍ରୀରାମଙ୍କ ସଙ୍ଗରେ ଯାଅ । ମୋର ସୁକୁମାର ଶ୍ରୀରାମ, ଲକ୍ଷ୍ମଣ ଏବଂ ଅତି ସୁକୁମାରୀ ଜାନକୀଙ୍କୁ ରଥରେ ଚଢ଼ାଇ ବନ ଦେଖାଇ ଦେଇ ଚାରିଦିନ ପରେ ଫେରି ଆସିବ । ମୋର ଜ୍ୟେଷ୍ଠପୁତ୍ର ସତ୍ୟବତୀ, ନିୟମ ପାଳନ କରିବା ବିଷୟରେ ଅତ୍ୟନ୍ତ ଦୃଢ଼ । ଦୁଇଭାଇଯାକ ଭାରି ଧୈର୍ଯ୍ୟଶୀଳ । ତୁମେ ସେ ଦୁଇଜଣଙ୍କୁ ହାତ ଯୋଡ଼ି କହିବ, ହେ ପ୍ରଭୋ ! ଜନକକୁମାରୀଙ୍କୁ ଘରକୁ ଲେଉଟାଇ ଛାଡ଼ି ଦିଅନ୍ତୁ । ସୀତା ଯଦି ବନଭୂମି ଦେଖି ଡରିବେ, ସେତିକିବେଳେ ସୁଯୋଗ ଦେଖି କହିବ–ତୁମର ଶାଶୁ ଓ ଶ୍ୱଶୁର ମୋ ହାତରେ ସନ୍ଦେଶ ପଠାଇ କହିଛନ୍ତି, ତୁମେ ଘରକୁ ଫେରିଚାଲ । ବନରେ ନାନା ପ୍ରକାର କଷ୍ଟ ପୂର୍ଣ୍ଣ ହୋଇଛି । କେତେବେଳେ ପିତୃ ଗୃହରେ; କେବେ କେବେ ଶ୍ଵଶୁରଙ୍କ ଗୃହରେ ତୁମ ଇଚ୍ଛା ଅନୁସାରେ ରହିବ । ଯଦି ସୀତା ଫେରି ଆସନ୍ତି ସେ ମୋ ଜୀବନର ସହାୟ ହେବେ । ନହେଲେ ଶେଷରେ ମୋର ମୃତ୍ୟୁ ହେବ । ବିଧାତା ବାମହେଲେ କୌଣସି ଉପାୟ ଚଳେ ନାହିଁ ।’’ ଏତିକି କହୁ କହୁ ରାଜା ମୂର୍ଚ୍ଛିତ ହୋଇପଡ଼ିଲେ ।

 

ସେତେବେଳକୁ ଶ୍ରୀରାମ ଲକ୍ଷ୍ମଣ ସୀତା ନଗରରୁ ବାହାରି ଚାଲିଲେଣି । ସୁମର ରାଜାଦେଶ ପାଇ ରାଜାଙ୍କୁ ପ୍ରଣାମ କରି ଗୋଟିଏ ରଥରେ ଅଶ୍ଵ ସଂଯୁକ୍ତ କଲେ । ସେ ଅତି ଶୀଘ୍ର ରଥ ନେଇ ନଗର ବାହାରେ ପହଞ୍ଚିଲେ । ଶ୍ରୀରାମଙ୍କୁ ଦେଖି ରାଜାଙ୍କର ଆଦେଶ ତାଙ୍କୁ ଜଣାଇଲେ ଏବଂ ଅତି ବିନୟ ସହକାରେ ସେମାନଙ୍କୁ ରଥ ଉପରେ ବସାଇଲେ । ତିନିହେଁ ରଥ ଉପରେ ବସି ଅଯୋଧ୍ୟାପୁରୀକୁ ନମସ୍କାର କରି ରଥ ଚଳାଇଲେ । ଅଯୋଧ୍ୟାର ଲୋକମାନେ ରଥ ସଙ୍ଗେ ସଙ୍ଗେ ଯାତ୍ରା କଲେ । ଶ୍ରୀରାମଚନ୍ଦ୍ର ନାନା ପ୍ରକାରେ ବୁଝାଇ ସେମାନଙ୍କୁ ଫେରାଇ ଦେଉଥାନ୍ତି; କିନ୍ତୁ ସେମାନେ ଫେରି ଆସି ପୁଣି ରଥ ପଛରେ ଅନୁଧାବନ କରୁଥାନ୍ତି ।

 

ଅଯୋଧ୍ୟାପୁରୀ ବଡ଼ ଭୟଙ୍କର ଦିଶୁଛି । ନଗରର ନରନାରୀମାନେ ଭୟଙ୍କର ଜନ୍ତୁମାନଙ୍କୁ ଲୋକେ ଦେଖି ଡରିଲାପରି ପରସ୍ପରକୁ ଦେଖି ଡରୁଛନ୍ତି । ନଗରର ଅଶ୍ଵ, ହସ୍ତୀ, ଗାଭୀ, ବଳଦ, ପୋଷା ହରିଣ, ମୟୂର ପ୍ରଭୃତି ଇତର ଜନ୍ତୁମାନେ ଚିତ୍ରପନ୍ତି ପରି ମୂକ ହୋଇ ଚାହିଁରହିଛନ୍ତି । ନଗରର ସ୍ତ୍ରୀ ପୁରୁଷମାନେ ଶ୍ରୀରାମଙ୍କ ବିନା ଅଯୋଧ୍ୟାରେ ସୁଖ ନାହିଁ ବୋଲି ବିଚାରକରି ନଗରର ଜନ ସମାଜ ଶ୍ରୀରାମ, ଲକ୍ଷ୍ମଣ ଓ ସୀତାଙ୍କ ସହିତ ଅଗ୍ରସର ହେଲେ । ଅଯୋଧ୍ୟାର ଗୃହମାନଙ୍କରେ କେବଳ ବାଳକ ଓ ବୃଦ୍ଧମାନେ ରହିଲେ । ପ୍ରଥମଦିନ ସେମାନେ ତମସା ନଦୀ କୂଳରେ ରହିଲେ । ପ୍ରଜାମାନେ ଘର ଦ୍ଵାର ଛାଡ଼ି ତାଙ୍କ ସାଥିରେ ଆସିବାର ଦେଖି ଶ୍ରୀରାମଙ୍କ ମନରେ ବଡ଼ ଦୁଃଖ ହେଲା । ଶ୍ରୀରାମ ସେମାନଙ୍କୁ ଅନେକ ଧର୍ମ ଉପଦେଶ ଦେଇ ବୁଝାଶୁଝା କଲେ; କିନ୍ତୁ ସେମାନେ ଫେରିଲେ ନାହିଁ । ଶୋକ ଓ ପରିଶ୍ରମ ଯୋଗୁଁ ରାତ୍ରି ହେବାରୁ ପ୍ରଜାମାନେ ଶୋଇପଡ଼ିଲେ ।

 

ଅଧରାତି ହୋଇଯିବାରୁ ଶ୍ରୀରାମ ସୁମନ୍ତ୍ରଙ୍କୁ କହିଲେ, ରଥଚକ୍ରର ଚିହ୍ନ ନ ପଡ଼ିଲା ଭଳି ଆପଣ ରଥକୁ ଚଳାନ୍ତୁ । ତିନିହେଁ ରଥରେ ଚଢ଼ିବା ପରେ ରଥକୁ ଏପଟ ସେପଟ କରି ସୁମନ୍ତ୍ର ଏପରି ଚଳାଇଲେ ଯେ ଚକ୍ରର ଚିହ୍ନ ସ୍ପଷ୍ଟ ହେଉ ନ ଥିଲା ।

 

ସକାଳ ହେଲା । ଲୋକମାନେ ଜାଗ୍ରତ ହେଲେ । ଶ୍ରୀରାମ, ଲକ୍ଷ୍ମଣ ଓ ସୀତା ଚାଲିଯାଇଛନ୍ତି ବୋଲି ଜାଣି ଲୋକମାନେ ‘ହା ରାମ, ହା ରାମ” କହି କାନ୍ଦିବାକୁ ଲାଗିଲେ । ମାତ୍ର ରଥର ଚିହ୍ନରୁ ଗତିପଥ ଜାଣିପାରିଲେ ନାହିଁ । ଆମ୍ଭମାନଙ୍କୁ କଷ୍ଟ ହେବ ବୋଲି ମନେକରି ଶ୍ରୀରାମ ଆମ୍ଭମାନଙ୍କ ଅଜାଣତରେ ଚାଲିଗଲେ ବୋଲି କୁହାକୁହି ହେଲେ । ଶେଷରେ ନିରାଶ ହୋଇ ଅତ୍ୟନ୍ତ ଦୁଃଖରେ ଅଯୋଧ୍ୟାକୁ ଫେରିଲେ । ଅନେକ ଲୋକ ଶ୍ରୀରାମ ଦର୍ଶନ ନିମନ୍ତେ ନାନା ନିୟମ, ବ୍ରତ, ଉପବାସ କରିବାକୁ ଲାଗିଲେ ।

 

ରଥ ଯାଇ ଶୃଙ୍ଗବେରପୁରରେ ପହଞ୍ଚିଲା । ସେଠାରେ ଗଙ୍ଗାନଦୀ ଦେଖି ରଥରୁ ସମସ୍ତେ ଓହ୍ଲାଇଲେ ଓ ଗଙ୍ଗାଙ୍କୁ ନମସ୍କାର କଲେ । ସେଠାରେ ଓହ୍ଲାଇ ଶ୍ରୀରାମ ସୀତା, ଲକ୍ଷ୍ମଣ ଓ ସୁମନ୍ତ୍ରଙ୍କୁ ଗଙ୍ଗାଙ୍କର ମହିମା କଥା ଶୁଣାଇଲେ । ତା’ପରେ ସେମାନେ ଗଙ୍ଗାରେ ସ୍ନାନ କରି ସେମାନଙ୍କର ସମସ୍ତ ପରିଶ୍ରମ ଦୂରକଲେ । ଗଙ୍ଗାଜଳ ପାନ କରି ସେମାନଙ୍କର ମନ ପ୍ରସନ୍ନ ହୋଇଗଲା ।

 

ଶୃଙ୍ଗବେରପୁରର ରାଜା ନିଷାଦ ରାଜା ଗୂହକ ଶ୍ରୀରାମଙ୍କର ଆଗମନ ସମ୍ବାଦ ପାଇ ତାଙ୍କର ପରିବାର ଓ ବନ୍ଧୁମାନଙ୍କୁ ଡକାଇଲେ । ଶ୍ରୀରାମଙ୍କୁ ଭେଟି ଦେବାପାଇଁ ଭାରମାନଙ୍କରେ ଫଳମୂଳ ଲଦି ଆସି ତାଙ୍କ ପାଇଁ ଅପେକ୍ଷା କଲେ । ତାଙ୍କର ହୃଦୟରେ ଅପାର ଆନନ୍ଦ ଖେଳୁଥିଲା-। ଦଣ୍ଡବତ କରି, ଭେଟି ଦ୍ରବ୍ୟଗୁଡ଼ିକୁ ଆଗରେ ରଖି, ଶ୍ରୀରାମଙ୍କୁ ସେ ଦେଖିବାକୁ ଲାଗିଲେ-। ଶ୍ରୀରାମ ନିଷାଦଙ୍କୁ ଡାକି ପାଖରେ ବସାଇଲେ । ତାଙ୍କୁ କୁଶଳପ୍ରଶ୍ନ ପଚାରିବାକୁ ଲାଗିଲେ ।

 

ଗୂହକ କହିଲେ, “ଆପଣଙ୍କର ଚରଣ କମଳ ଦର୍ଶନ ସୌଭାଗ୍ୟ ଭାଗ୍ୟରେ ଥିଲେ ହିଁ ମିଳେ । ଏ ପୃଥିବୀ, ଧନ ଓ ଘର ସବୁ ଆପଣଙ୍କର । ମୋର ପରିବାର ଓ ମୁଁ ଆପଣଙ୍କର ଦାସ ଅଟୁ । ଆପଣ କୃପା କରି ଶୃଙ୍ଗବେରପୁରକୁ ଆସନ୍ତୁ ।’’

 

ଶ୍ରୀରାମ କହିଲେ, “ତୁମେ ଯାହା ସବୁ କହିଲ ସେ ସବୁ ସତ୍ୟ; କିନ୍ତୁ ଗୋଟିଏ କଥା–ମୋ ପିତାଙ୍କ ଆଦେଶ ଅନୁସାରେ ମୋତେ ଚଉଦ ବର୍ଷ ପର୍ଯ୍ୟନ୍ତ ମୁନି ବେଶ ଓ ମୁନିବ୍ରତ ଧାରଣ କରିବାକୁ ହେବ ଏବଂ ମୁନିଯୋଗ୍ୟ ଆହାର କରି ବଣରେ ରହିବାକୁ ହେବ । ଗ୍ରାମ ମଧ୍ୟରେ ବାସ କରିବା ଉଚିତ ହେବ ନାହିଁ ।” ଏକଥା ଶୁଣି ଗୂହକଙ୍କ ମନରେ ଦୁଃଖ ଆସିଲା ।

 

ଶ୍ରୀରାମ, ଲକ୍ଷ୍ମଣ ଓ ସୀତାଙ୍କୁ ଦେଖି ଗ୍ରାମର ସ୍ତ୍ରୀ ପୁରୁଷମାନେ ପରସ୍ପର କଥାବାର୍ତ୍ତା ହେଉଥାନ୍ତି । କିଏ କହୁଛି, ଦେଖତ, ଏହାଙ୍କର ପିତାମାତା କିପରି ? ଏପରି ଏଡ଼େ ସୁକୁମାର ପିଲାମାନଙ୍କୁ କିପରି ବଣକୁ ପଠାଇ ଦେଉଛନ୍ତି; ଆଉ କିଏ କହୁଛି–ରାଜା ଭଲ କରିଛନ୍ତି, ନ ହେଲେ ଆମେମାନେ ଏ ସୁନ୍ଦର ରୂପ ଦେଖି ଆମମାନଙ୍କର ନେତ୍ର ପବିତ୍ର କରିଥାନ୍ତେ କିପରି ?

 

ନିଷାଦ ରାଜା ଗୋଟିଏ ଅଶୋକ ବୃକ୍ଷ ତଳେ କୁଶ ଓ କୋମଳ ପତ୍ର ବିଛାଇ ଦେଲେ । ସେମାନଙ୍କୁ ପବିତ୍ର ଓ କୋମଳ ଫଳମୂଳ ବାଛି ବାଛି ଦେଲେ । ସୀତା, ଶ୍ରୀରାମ, ଲକ୍ଷ୍ମଣ ଓ ସୁମନ୍ତ୍ର ସେ କନ୍ଦ ଓ ମୂଳ ଖାଇଲେ । ଶ୍ରୀରାମ ବୃକ୍ଷତଳେ ଶୋଇପଡ଼ିଲେ । ଲକ୍ଷ୍ମଣ ଶ୍ରୀରାମଙ୍କର ପାଦସେବା କରିବାକୁ ଲାଗିଲେ । ଶ୍ରୀରାମ ନିଦ୍ରାଭିଭୂତ ହେବା ପରେ ଲକ୍ଷ୍ମଣ ଆସି ସୁମନ୍ତ୍ରଙ୍କୁ ଶୋଇବାକୁ କହିଲେ । ଲକ୍ଷ୍ମଣ ସେଠାରୁ ଅଳ୍ପ ଦୂରରେ ଧନୁ ଓ ତୀର ଧରି ବୀରସନରେ ବସି ଜାଗ୍ରତ ରହିଲେ । ଗୂହକ ମଧ୍ୟ କେତେଜଣ ପ୍ରହରୀଙ୍କୁ କିଛି କିଛି ଦୂରରେ ଜଗାଇଦେଇ ଧନୁର୍ବାଣ ଧରି ଲକ୍ଷ୍ମଣଙ୍କ ପାଖରେ ପାଖରେ ବସିଲେ । ସୀତା ଓ ଶ୍ରୀରାମକୁ ଭୂମି ଶଯ୍ୟାରେ ଶୋଇବାର ଦେଖି ଗୂହକଙ୍କ ମନରେ ବିଷାଦଭାବ ଆସିଲା ।

 

ଗୂହକ ସୀତାରାମଙ୍କର ଭୋଗ, ଐଶ୍ଵର୍ଯ୍ୟ ବିଷୟ ଚିନ୍ତାକରି କହିଲେ, “କୈକେୟୀ ରାଜାଙ୍କ କନ୍ୟା ନୀଚବୁଦ୍ଧି କୈକେୟୀ ବଡ଼ କୁଟିଳତା କରି ସେମାନଙ୍କର ସୁଖ ସମୟରେ ଦୁଃଖ ଦେଲେ ।’’ ଲକ୍ଷ୍ମଣ ନିଷାଦରାଜାଙ୍କର ଏସବୁ କଥାଶୁଣି କହିଲେ, ‘‘ଭାଇ, କେହି କାହାକୁ ସୁଖଦୁଃଖ ଦିଅନ୍ତି ନାହିଁ । ସବୁ ନିଜର କର୍ମଫଳ ଅଟେ । ସ୍ଵପ୍ନରେ ରାଜା ଭିକାରି ହୋଇଯାଏ ଏବଂ କାଙ୍ଗାଳ ସ୍ଵର୍ଗପୁରର ରାଜା ଇନ୍ଦ୍ର ହୋଇଯାନ୍ତି । କିନ୍ତୁ ଜାଗ୍ରତ ହେବା ପରେ ଲାଭହାନି କିଛି ନ ଥାଏ । ଏ ସମଗ୍ର ସଂସାରିକ ଦୃଶ୍ୟ ଏହିପରି ଅଟେ । ଏକଥା ବିଚାରି କ୍ରୋଧ କରିବା ଉଚିତ ନୁହେଁ । ମୋହ ରୂପକ ରାତ୍ରିରେ ସମସ୍ତେ ନିଦ୍ରାଗ୍ରସ୍ତ । କେବଳ ଯୋଗୀମାନେ ଏ ଜଗତରୂପକ ରାତ୍ରିରେ ଜାଗ୍ରତ ଥାନ୍ତି । ହେ ବଂଧୁ, ମନ, ବଚନ ଓ କର୍ମରେ କେବଳ ଶ୍ରୀରାମଙ୍କ ଚରଣରେ ପ୍ରେମ ହିଁ ସର୍ବଶ୍ରେଷ୍ଠ ପୁରୁଷାର୍ଥ ଅଟେ ।’’ ଏହିପରି ନାନା କଥା ହେଉ ହେଉ ରାତି ପାହିଲା ।

Image

 

Unknown

ଶ୍ରୀରାମ ସୁମନ୍ତ୍ର ସଂବାଦ

 

ବନବାସର ଦ୍ଵିତୀୟ ଦିନ ସକାଳେ ଶ୍ରୀରାମଚନ୍ଦ୍ର ଉଠି ନିତ୍ୟକର୍ମ କଲେ । ବରଗଛ କ୍ଷୀର ମଗାଇଲେ । ସେହି କ୍ଷୀରକୁ ଦୁଇଭାଇ ମୁଣ୍ଡରେ ଲଗାଇ ଜଟା ତିଆରି କଲେ । ସୁମନ୍ତ୍ର ଏସବୁ ଦେଖୁ ଦେଖୁ ତାଙ୍କର ଚକ୍ଷୁ ଲୋତକପୂର୍ଣ୍ଣ ହୋଇଗଲା । ହୃଦୟ ଦୁଃଖରେ ଭାରି ହୋଇଗଲା-। ସେ ହାତଯୋଡ଼ି ଶ୍ରୀରାମଙ୍କୁ କହିଲେ, ‘‘ମୋତେ ରାଜା ଆଦେଶ ଦେଇ କହିଛନ୍ତି–‘ତୁମେ ରଥରେ ବସାଇ ଶ୍ରୀରାମ, ସୀତା ଓ ଲକ୍ଷ୍ମଣଙ୍କୁ ନେବ । ତାଙ୍କୁ ବନ ଦେଖାଇ ଗଙ୍ଗାସ୍ନାନ କରାଇବା ପରେ, ସେଇଠୁ ସେମାନଙ୍କୁ ଫେରାଇ ଆଣିବ । ମନରେ କୌଣସି ସନ୍ଦେହ ବା ସଂକୋଚ ନ ରଖି ଏମାନଙ୍କୁ ଲେଉଟାଇ ଅଯୋଧ୍ୟାକୁ ନେଇ ଆସିବ ।’ ମହାରାଜା ତ ଏପରି ଆଦେଶ ଦେଇଥିଲେ, ବର୍ତ୍ତମାନ ପ୍ରଭୁ ଯେପରି ଆଦେଶ ଦେବେ ମୁଁ ସେହିପରି କରିବି ।’’ ଏହା କହି ସୁମନ୍ତ୍ର ଶ୍ରୀରାମଙ୍କ ପାଦତଳେ ପଡ଼ି କାନ୍ଦିବାକୁ ଲାଗିଲେ । ପୁଣି କହିଲେ, “ଅପଣ ଦୟାକରି ଅଯୋଧ୍ୟାକୁ ଅନାଥ କରନ୍ତୁ ନାହିଁ ।’’

 

ଶ୍ରୀରାମ ସୁମନ୍ତ୍ରକୁ ଉଠାଇଲେ । ନାନାପ୍ରକାର ଭାବରେ ପ୍ରବୋଧନା ଦେଇ କହିଥିଲେ, ‘‘ଆପଣ ସବୁ ଧର୍ମନୀତି ଜାଣନ୍ତି । ରାଜା ଶିବ, ମୁନି ଦଧିଚି ଏବଂ ରାଜା ହରିଶ୍ଚନ୍ଦ୍ର ଧର୍ମପାଇଁ କେତେ କଷ୍ଟ ନ ସହିଛନ୍ତି ? ରାଜା ରନ୍ତିଦେବ ଏବଂ ବଳୀରାଜା ନାନା ସଂକଟ ମଧ୍ୟରେ ଧର୍ମର ନୀତି ଧାରଣ କରିଥିଲେ । ସତ୍ୟ ପରି ଧର୍ମ ଆଉ ନାହିଁ । ବେଦ, ଶାସ୍ତ୍ର ଓ ପୁରାଣରେ ଏସବୁ କଥା ଲେଖାଅଛି । ଏସବୁ ଧର୍ମ ମୋ ପାଇଁ ଅତି ସହଜ ଲଭ୍ୟ ହୋଇ ଯାଇଛି । ମୁଁ ଯଦି ସେହି ସତ୍ୟରୂପୀ ଧର୍ମକୁ ତ୍ୟାଗ କରିବି ତେବେ ଦିନ ଲୋକରେ ନିନ୍ଦା ପାଇବି । ଲକ୍ଷେଥର ମୃତ୍ୟୁଠାରୁ ମଧ୍ୟ ନିନ୍ଦା ଆହୁରି କଷ୍ଟଦାୟକ । ମୁଁ ଆଉ ଅଧିକ କ’ଣ କହିବି ? ମୁଁ ଯଦି ଫେରିଯାଏ ତେବେ ମୁଁ ପାପ ଭୋଗ କରିବି । ଆପଣ ଫେରିଯାନ୍ତୁ । ପିତାଙ୍କର ଚରଣ ସ୍ପର୍ଶ କରି ମୋର କୋଟିବାର ନମସ୍କାର ଜଣାଇ ପିତାଙ୍କୁ କହିବେ–‘ସେ ମୋର କୌଣସି କଥାପାଇଁ ଚିନ୍ତା କରିବେ ନାହିଁ । ଆପଣ ମଧ୍ୟ ମୋର ପିତାଙ୍କପରି ମହାନ୍ ଅଟନ୍ତି । ଆପଣ ମୋର ସର୍ବଦା ହିତୈଷୀ । ମୁଁ ଆପଣଙ୍କୁ ହାତ ଯୋଡ଼ି ବିନୀତ ଭାବରେ କହୁଛି, ଆପଣ ମୋ ପିତାଙ୍କୁ ସବୁକଥା କହି ବୁଝାଇଦେବେ, ପିତାଙ୍କର ତିଳେ ହେଲେ ଯେପରି ଦୁଃଖ ନ ହେବ ।’’

 

ସୁମନ୍ତ୍ର ଓ ଶ୍ରୀରାମଙ୍କର ଏ କଥାବାର୍ତ୍ତା ଗୂହକ ଏବଂ ତାଙ୍କର ପରିବାରର ଲୋକମାନେ ଶୁଣୁଥିଲେ । ସେତିକିବେଳେ ଲକ୍ଷ୍ମଣ କେତେକ କଠୋର କଥା କହିଲେ । ଶ୍ରୀରାମଚନ୍ଦ୍ର ତାଙ୍କର ଏସବୁ ଅନୁଚିତ କଥା କହିବା ଉଚିତ ନୁହେଁ ବୋଲି ସତର୍କ କରିଦେଲେ । ସେ ସୁମନ୍ତ୍ରଙ୍କୁ ଲକ୍ଷ୍ମଣଙ୍କର ଏସବୁ କଠୋର ବଚନ ପିତାଙ୍କ ସମ୍ମୁଖରେ ନ କହିବା ପାଇଁ ନିର୍ଦ୍ଦେଶ ଦେଲେ । ସୁମନ୍ତ୍ର କହିଲେ, “ରାଜା କହିଥିଲେ, ସୀତା ରାଜା ଜନକଙ୍କର ନନ୍ଦିନୀ ଅଟନ୍ତି, ସେ ବଣର କଷ୍ଟ ସହି ପାରିବେନାହିଁ । ତେଣୁ ସେ ଯେପରି ଅଯୋଧ୍ୟା ନଗରକୁ ଫେରି ଆସିପାରନ୍ତି, ତୁମେ ଓ ଶ୍ରୀରାମଚନ୍ଦ୍ର ସେପରି କିଛି ବ୍ୟବସ୍ଥା କରିବ । ତା’ ନ ହେଲେ ଜଳ ଅଭାବରେ ମତ୍ସ୍ୟ ବିକଳ ହେଲା ଭଳି ମୋର ଅବସ୍ଥା ହେବ । ସୀତାଙ୍କର ଯେଉଁଠି ଇଚ୍ଛା, ଜନକପୂର ହେଉ ବା ଅଯୋଧ୍ୟା ହେଉ, ସେ ସେଠାରେ ରହିବେ, ମୋର ସେଥିରେ କିଛି ଆପତ୍ତି ନାହିଁ ।”

 

ସୀତାଙ୍କ ବିଷୟରେ ପିତାଙ୍କର ସମସ୍ତ ସନ୍ଦେଶ ଶ୍ରୀରାମଚନ୍ଦ୍ର ଶୁଣିଲେ । ସେ ସୀତାଙ୍କୁ ନାନା ସ୍ନେହପୂର୍ଣ୍ଣ ବଚନ କହି ବୁଝାଇଲେ । ସୀତା କହିଲେ, “ହେ ସ୍ଵାମୀ, ହେ ପ୍ରଭୁ, ଆପଣ ପରମଜ୍ଞାନୀ, ଆପଣ ବିଚାର କରନ୍ତୁ । ଶରୀରକୁ ତ୍ୟାଗକରି ଛାୟା ଅଲଗା ହୋଇ ରହିପାରେ କି-? ସୂର୍ଯ୍ୟଙ୍କର କିରଣ ସୂର୍ଯ୍ୟଙ୍କୁ ଛାଡ଼ି କଣ ସମ୍ଭବ ?” ତା’ ପରେ ସେ ବିନୟୀ ହୋଇ ମନ୍ତ୍ରୀଙ୍କୁ କହିଲେ, ‘‘ମୁଁ ବଡ଼ ଆର୍ତ୍ତ ହୋଇ ଆପଣଙ୍କ ସମ୍ମୁଖକୁ ଆସିଛି । ମୋର ଏ ଧୃଷ୍ଟତାକୁ ଆପଣ ଦୋଷ ବୋଲି ମନେ କରିବ ନାହିଁ । ସ୍ଵାମୀଙ୍କ ଚରଣ କମଳ ବିନା ଜଗତରେ ଆଉ ଯେତେ କିଛି ସମ୍ବନ୍ଧ ଅଛି ସେ ସବୁ ମୋପାଇଁ ବ୍ୟର୍ଥ ଅଟେ । ମୋର ପିତା ଐଶ୍ଵର୍ଯ୍ୟର ଅଧିକାରୀ ଏବଂ ରାଜଶିରୋମଣି ଅଟନ୍ତି । ପାଖରେ ସମସ୍ତ ପ୍ରକାର ସୁଖର ଭଣ୍ଡାର ଥିଲେ ମଧ୍ୟ ପତି ବିନା ମୋତେ ତାହା ସବୁ ତିଳେ ସୁଦ୍ଧା ସୁଖ ଦେଇ ପାରିବ ନାହିଁ । ମୋର ଶ୍ଵଶୁର କୋଶଳରାଜା ଚକ୍ରବର୍ତ୍ତୀ ସମ୍ରାଟ ଅଟନ୍ତି । ନିଜେ ଦେବରାଜ ଇନ୍ଦ୍ର ତାହାଙ୍କୁ ତାଙ୍କର ଅର୍ଦ୍ଧେକ ସିଂହାସନ ଉପରେ ଉପବେଶନ କରିବାପାଇଁ ସ୍ଥାନ ଦିଅନ୍ତି । ଏପରି ଶ୍ଵଶୁର, ଅଯୋଧ୍ୟା ପରି ନିବାସସ୍ଥଳ, ମାତାଙ୍କପରି ଶାଶୁମାନଙ୍କ ସହିତ ବାସ, ଏ ସମସ୍ତ ଶ୍ରୀରାମଙ୍କର ଚରଣ କମଳ ବିନା ମୋ ନିମନ୍ତେ ସୁଖଦାୟକ ନୁହନ୍ତି । ଦୁର୍ଗମ ରାତ୍ରି, ଜଙ୍ଗଲ ଓ ପର୍ବତ, ହାତୀ, ସିଂହ, ନଦୀ, କୋହ୍ଲ, ଭୀଲ ପ୍ରଭୃତି ବନ୍ୟଜାତ, ପୁଣି ହରିଣ ଓ ପକ୍ଷୀ ଆଦି ସମସ୍ତ ଜୀବ ମୁଁ ପ୍ରାଣପତିଙ୍କ ସହିତ ବାସ କରୁଥିଲାବେଳେ ସୁଖର ପାତ୍ର ଅଟନ୍ତି । ତେଣୁ ଶାଶୁ ଓ ଶ୍ୱଶୁରଙ୍କ ପାଦରେ ମୋର ବିନତି ଜଣାଇଦେବ । ସେମାନେ ମୋ ନିମନ୍ତେ ତିଳେ ହେଲେ ଦୁଃଖ କରିବେ ନାହିଁ । ମୁଁ ବନପ୍ରଦେଶରେ ସୁଖରେ ରହିଛି । ଧନୁର୍ଦ୍ଧର ମୋର ପ୍ରାଣନାଥ ଏବଂ ଦେବର ମୋର ସଙ୍ଗରେ ଅଛନ୍ତି । ମାର୍ଗର କ୍ଳାନ୍ତି ମୋତେ କଷ୍ଟ ଦେଇ ପାରିବ ନାହିଁ ।”

 

ସୁମନ୍ତ୍ର ସୀତାଙ୍କର କଥା ଶୁଣି ଅତିଶୟ ବ୍ୟାକୁଳ ହୋଇପଡ଼ିଲେ । ତାଙ୍କ ମୁଖରୁ କଥା ବାହାରିଲା ନାହିଁ । କୌଣସି କଥା ତାଙ୍କ ମନକୁ ଶାନ୍ତି ଦେଇ ପାରିଲା ନାହିଁ । ଆଖିକୁ କିଛି ଦିଶିଲା ନାହିଁ କି କାନକୁ କିଛି ଶୁଭିଲା ନାହିଁ । ସେ ବଡ଼ ବ୍ୟାକୁଳ ହୋଇପଡ଼ିଲେ ।

 

ଶ୍ରୀରାମ ତାଙ୍କର ବ୍ୟାକୁଳତା ଦେଖି ତାଙ୍କୁ ନାନା ପ୍ରକାର ସାନ୍ତ୍ୱନା ଦେଲେ । ସୁମନ୍ତ୍ର ସେମାନଙ୍କୁ ସାଥିରେ ଫେରାଇ ନେବାପାଇଁ ନାନା ପ୍ରକାର ଉପାୟ କଲେ । କିନ୍ତୁ ଶ୍ରୀରାମଚନ୍ଦ୍ର ମନ୍ତ୍ରୀଙ୍କୁ ଯଥୋଚିତ ଉତ୍ତର ଦେଇ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ ପାଇଁ ଅନୁରୋଧ କଲେ । ବଣିକ ତାର ମୂଳଧନ ମଧ୍ୟ ବାଣିଜ୍ୟରେ ହରେଇ ଗୃହକୁ ପ୍ରତ୍ୟାବର୍ତ୍ତନ କରୁଥିଲା ପରି ସୁମନ୍ତ୍ର ଦୁଃଖରେ ଅଯୋଧ୍ୟାକୁ ଫେରିଲେ ।

 

ସେ ଯେତେବେଳେ ରଥକୁ ଲେଉଟାଇ ଚଳାଇଲେ, ଅଶ୍ଵଗୁଡ଼ିକ ପଛକୁ ଶ୍ରୀରାମଚନ୍ଦ୍ରଙ୍କୁ ବ୍ୟାକୁଳ ହୃଦୟରେ ଚାହିଁ ଚାହିଁ ଚାଲୁଥାନ୍ତି । ସେମାନଙ୍କର ବ୍ୟାକୁଳତା ଦେଖି ନିଷାଦମାନେ ମଧ୍ୟ ବଡ଼ ବିକଳ ହୋଇପଡ଼ିଲେ ।

Image

 

ଶ୍ରୀରାମ ପାଦୁକା

 

ସୁମନ୍ତ୍ରଙ୍କୁ ବିଦାୟ ଦେବା ପରେ ଶ୍ରୀରାମ ଗଙ୍ଗାନଦୀର ଅପରପାର୍ଶ୍ଵକୁ ଯିବାପାଇଁ ଇଚ୍ଛା କଲେ । ଗଙ୍ଗାନଦୀ କୂଳରେ ନାଉରୀ କେଉଟକୁ ଦେଖି ଶ୍ରୀରାମ ତାକୁ ନାବ ଆଣିବାକୁ କହିଲେ; କିନ୍ତୁ ନାଉରୀ ନାବ ଆଣିଲା ନାହିଁ । ସେ କହିଲା, “ତୁମ କଥାର ଭେଦ ମୋତେ ଭଲରୂପେ ଜଣାଅଛି । ଲୋକେ କହନ୍ତି, ତୁମ ଚରଣର ଧୂଳି ଏକ ଔଷଧ । ସେହି ଔଷଧରେ ମନୁଷ୍ୟ ତିଆରି ହୁଅନ୍ତି । ସେହି ଚରଣ ସ୍ପର୍ଶମାନେ ଗୋଟିଏ ଶିଳା ସୁନ୍ଦରୀ ସ୍ତ୍ରୀ ହୋଇଗଲା । ମୋର ଏ କାଠ ତିଆରି ନାଆ ତ ପଥରଠାରୁ ଟାଣ ନୁହେଁ ! ମୋ ନାଆ ମଧ୍ୟ ମୁନିଙ୍କ ସ୍ତ୍ରୀ ହୋଇଯିବ । ମୋର ନାଆ ଆଉ ନାଆ ହୋଇ ରହିବ ନାହିଁ । ମୋର ଦୈନିକ ରୋଜଗାର ଉପାୟ ନଷ୍ଟ ହୋଇଯିବ । ଏଇ ନାଆ ଚଳାଇ ମୁଁ ମୋର ପରିବାର ପୋଷୁଛି । ଆଉ ଅନ୍ୟ ବ୍ୟବସାୟ ମୋର ନାହିଁ । ହେ ପ୍ରଭୁ ! ଯଦି ତୁମେ ଏ ନଦୀ ପାର ହେବାପାଇଁ ଇଚ୍ଛା କରୁଛ ତେବେ ମୋତେ ତୁମର ଚରଣକମଳ ଧୋଇବା ପାଇଁ ଅନୁମତି ଦିଅ । ମୁଁ ତୁମର ଚରଣକମଳ ଧୋଇଦେବି, ତା’ ପରେ ଆପଣମାନଙ୍କୁ ମୋ ନାଆରେ ଚଢ଼ାଇବି । ମୁଁ କିଛି ମୂଲ ମାଗୁନାହିଁ । ବୀର ଲକ୍ଷ୍ମଣ ମୋତେ ତୀର ମାରିଲେ ମାରନ୍ତୁ; କିନ୍ତୁ ମୁଁ ଯେତେବେଳ ଯାଏ ଚରଣ ନ ଧୋଇଛି, ସେ ପର୍ଯ୍ୟନ୍ତ ପାରି କରି ପାରିବି ନାହିଁ ।”

 

ଶ୍ରୀରାମଚନ୍ଦ୍ର ଅଳ୍ପ ହସି କେଉଟକୁ କହିଲେ, “ନାଆର ଯେପରି କିଛି କ୍ଷତି ନ ହେବ ତୁମେ ସେହିପରି କର । ପାଣି ଆଣି ଗୋଡ଼ ଧୋଇଦିଅ, ମୋର ବିଳମ୍ବ ହେଉଛି, ମୋତେ ପାରି କରିଦିଅ ।”

 

ଶ୍ରୀରାମଙ୍କର କେଉଟ ପ୍ରତି ଏ ବିନତିଭାବ ଦେଖି ଗଙ୍ଗାଙ୍କ ମନରେ ଶ୍ରୀରାମଙ୍କର ଈଶ୍ଵରତ୍ଵରେ ସନ୍ଦେହ ଆସିଲା । କିନ୍ତୁ ଗଙ୍ଗା ତାଙ୍କର ଉତ୍ପତ୍ତିସ୍ଥଳ ଶ୍ରୀରାମଙ୍କର ପଦନଖ ଦେଖିବାମାତ୍ରେ ତାଙ୍କ ମନର ସନ୍ଦେହ ଦୂର ହୋଇଗଲା । ତାଙ୍କର ଚରଣସ୍ପର୍ଶ ପାଇ ଗଙ୍ଗା ପୁଲକିତ ହେଲେ ।

 

କେଉଟ ଶ୍ରୀରାମଙ୍କର ଅନୁମତି ପାଇ ପତ୍ର ଦନାରେ ଜଳ ଆଣିଲା । ଅତ୍ୟନ୍ତ ଆନନ୍ଦିତ ହୋଇ ଶ୍ରୀରାମଙ୍କର ଚରଣ ଧୌତ କଲା । ସେତିକିବେଳେ ସ୍ଵର୍ଗରୁ ପୁଷ୍ପବୃଷ୍ଟି ହେଲା । ଚରଣ ଧୌତ କରି ପାଦୁକ ଜଳ ସେ ସେବାକଲା ଓ ତାର ପରିବାରର ଅନ୍ୟ ସମସ୍ତେ ସେବା କଲେ । ସେହି ପାଦୁକପାନର ପୁଣ୍ୟ ପ୍ରଭାବ ଦ୍ଵାରା ତାର ପିତୃପୁରୁଷ ଉଦ୍ଧାର ପାଇଲେ । କେଉଟ ପରମ ଆନନ୍ଦରେ ଶ୍ରୀରାମ, ଲକ୍ଷ୍ମଣ ଓ ସୀତାଙ୍କୁ ନାବରେ ବସାଇ ନଦୀର ଅନ୍ୟ ତୀରରେ ପହଞ୍ଚାଇଦେଲା-। ଗୂହକ ମଧ୍ୟ ସେମାନଙ୍କ ସହିତ ପାରିହେଲେ । ସମସ୍ତେ ନାଆରୁ ଓହ୍ଲାଇବା ପରେ କେଉଟ ଶ୍ରୀରାମଙ୍କୁ ଦଣ୍ଡବତ କଲା । ଶ୍ରୀରାମ କେଉଟକୁ କିଛି ପାରିଶ୍ରମିକ ଦେଇ ପାରିଲେ ନାହିଁ ବୋଲି ମନରେ ସଂକୋଚ ବୋଧ କରିବାରୁ ସୀତା ଶ୍ରୀରାମଙ୍କ ମନକଥା ଜାଣି ପାରିଲେ । ସେ ସଙ୍ଗେ ସଙ୍ଗେ ତାଙ୍କ ଅଙ୍ଗୁଳିରୁ ରତ୍ନ ମୁଦ୍ରିକା ବାହାର କଲେ । ଶ୍ରୀରାମ ନାଉରୀକୁ କହିଲେ, “ପାରି କରି ଦେବାର ତୁମର ମୂଲ ନିଅ ।”

 

ନାଉରୀ ଶ୍ରୀରାମଙ୍କ ଚରଣ ତଳେ ପଡ଼ି କହିଲା, ‘‘ମୁଁ ଆଜି କ’ଣ ନ ପାଇଛି ? ମୋର ପାପ, ଦୁଃଖ ଓ ଦରିଦ୍ରତା ସବୁ ଆଜି ମେଣ୍ଟି ଯାଇଛି । ମୁଁ ବହୁଦିନ ଧରି ଶ୍ରମ କରିଛି । ମୋତେ ଆଜି ବିଧାତା ମୋର ମନସ୍କାମନା ପୂର୍ଣ୍ଣ କରି ପାରିଶ୍ରମିକ ଦେଇଛନ୍ତି । ମୋର ଆଉ କିଛି ଦରକାର ନାହିଁ । ଆପଣ ଫେରିଲାବେଳେ ମୋତେ ଯାହା ଦେବେ ସେହି ପ୍ରସାଦକୁ ମୁଣ୍ଡରେ ମୁଣ୍ଡାଇନେବି-।” ଶ୍ରୀରାମ, ଲକ୍ଷ୍ମଣ ଓ ସୀତା ତିନିହେଁଯାକ ତାର ପାରିଶ୍ରମିକ ନେବାପାଇଁ ବୁଝାଇଲେ; କିନ୍ତୁ ସେ କିଛି ନେଲା ନାହିଁ । ‘‘ତୁମକୁ ନିର୍ମଳ ଭକ୍ତି ମିଳୁ’’ ବୋଲି କହି ଶ୍ରୀରାମ କେଉଟକୁ ବିଦାୟ ଦେଲେ ।

Image

 

ପ୍ରୟାଗ ଦର୍ଶନ

 

ବର୍ତ୍ତମାନ ଗୂହକଙ୍କ ସହିତ ତିନି ବନବାସୀ ଗଙ୍ଗାନଦୀର ଅନ୍ୟ କୂଳରେ ପହଞ୍ଚିବା ପରେ ଶ୍ରୀରାମ ସ୍ନାନ ଓ ପୂଜା ଆଦି ନିତ୍ୟକର୍ମ କଲେ । ସୀତା ଗଙ୍ଗା ନଦୀଙ୍କୁ ଚାହିଁ କହିଲେ, “ମା ଗଙ୍ଗେ ! ମୋର ମନୋରଥ ପୂର୍ଣ୍ଣ କରନ୍ତୁ । ମୁଁ ମୋର ପତି ଓ ଦେବରଙ୍କ ସହିତ କୁଶଳରେ ଲେଉଟିଲେ ମୁଁ ପୁଣି ତୁମର ପୂଜା କରିବି ।”

 

ନିଷାଦରାଜ ଗୂହକ ସେମାନଙ୍କ ସହିତ ଥିଲେ । ଶ୍ରୀରାମଚନ୍ଦ୍ର ତାଙ୍କୁ ନିଜ ରାଜ୍ୟକୁ ଫେରିଯିବାପାଇଁ ଅନୁରୋଧ ଜଣାଇବାରୁ ଗୂହକଙ୍କ ହୃଦୟ ଦୁଃଖାଭିଭୂତ ହୋଇପଡ଼ିଲା ! ସେ ଶ୍ରୀରାମଙ୍କୁ କହିଲେ, “ହେ ସ୍ଵାମୀ ! ମୁଁ ଆଉ ଚାରିଦିନ ମାତ୍ର ଆପଣଙ୍କ ସହିତ ରହିବାପାଇଁ ଅନୁମତି ଦିଅନ୍ତୁ । ଆପଣ ଯେଉଁ ବନପ୍ରଦେଶରେ ରହିବେ, ମୁଁ ସେଠାରେ ଗୋଟିଏ ପର୍ଣ୍ଣକୁଟୀର ନିର୍ମାଣ କରିଦେବି । ତା’ପରେ ଆପଣ ଯେପରି ଆଜ୍ଞା ଦେବେ ମୁଁ ସେହିପରି କରିବି ।” ନିଷାଦରାଜା ତାଙ୍କର ପ୍ରଜା ଓ ପରିବାରର ଲୋକମାନଙ୍କୁ ସ୍ଵରାଜ୍ୟକୁ ପଠାଇ ଦେଲେ ଏବଂ ଶ୍ରୀରାମଙ୍କ ସହିତ ବାହାରିଲେ ।

 

ସେଦିନ ଚାରିଜଣଯାକ ସମସ୍ତେ ବୃକ୍ଷତଳେ ରାତ୍ରିଯାପନ କଲେ ଏବଂ ସକାଳ ହେବାରୁ ପ୍ରାତଃକ୍ରିୟା ସମାପନାନ୍ତେ ତୀର୍ଥରାଜ ପ୍ରୟାଗ ଦର୍ଶନ ନିମନ୍ତେ ଯାତ୍ରା କଲେ । ଗଙ୍ଗା, ଯମୁନା ଓ ସରସ୍ଵତୀ ତିନି ନଦୀର ସଙ୍ଗମସ୍ଥଳୀ ପ୍ରୟାଗ । ଏ ସ୍ଥଳ ଯେପରି ସୁନ୍ଦର, ସେହିପରି ମଧ୍ୟ ପବିତ୍ର ଅଟେ । ସେଠାରେ ଅକ୍ଷୟ ବଟ ବିରାଜିତ । ଏହା ଏକ ଛତ୍ର ରୂପେ ଶୋଭିତ, ମୁନିମାନଙ୍କର ଆଶ୍ରମରେ ପରିପୂର୍ଣ୍ଣ । ଏ ପାବନ କ୍ଷେତ୍ର ଦର୍ଶନ କଲେ ଦୁଃଖ ଓ ଦରିଦ୍ରତା ଦୂର ହୁଏ । ବେଦ ଓ ପୁରାଣରେ ‘ପ୍ରୟାଗରାଜ’ଙ୍କର ମହିମା କୀର୍ତ୍ତନ କରାଯାଇଅଛି । ନିଜେ ଶ୍ରୀରାମଚନ୍ଦ୍ର ସୀତା, ଲକ୍ଷ୍ମଣ ଓ ଗୂହକଙ୍କୁ ପ୍ରୟାଗରାଜଙ୍କ ମହିମା ଶୁଣାଇଲେ । ମହିମା ବର୍ଣ୍ଣନ କରୁ କରୁ ସେମାନେ ତ୍ରିବେଣୀଠାରେ ପହଞ୍ଚିଲେ । ସେଠାରେ ଶିବପୂଜା ସାରି ଭରଦ୍ଵାଜ ଆଶ୍ରମରେ ପହଞ୍ଚିଲେ ।

 

ଶ୍ରୀରାମ ଭରଦ୍ଵାଜକୁ ଦେଖିବା ମାତ୍ରେ ତାଙ୍କୁ ଦଣ୍ଡବତ କଲେ । ମୁନି ସେମାନଙ୍କୁ ଦେଖୁ ଦେଖୁ ଉଠିଆସିଲେ ଏବଂ ଶ୍ରୀରାମଙ୍କୁ ଉଠାଇ ହୃଦୟରେ ଲଗାଇଲେ । ତାଙ୍କୁ ବ୍ରହ୍ମାନନ୍ଦ ଲାଭ କଲାଭଳି ଲାଗିଲା । ବିଧାତା ତାଙ୍କୁ ତାଙ୍କର ସମସ୍ତ ପୁଣ୍ୟର ଫଳ ଆଜି ଦେଇଦେଲେ ବୋଲି ସେ ଅନୁଭବ କଲେ ।

 

ମୁନି ସେମାନଙ୍କୁ ଆଗ୍ରହ ଓ ଆଦରରେ ଗ୍ରହଣ କରି ବସିବା ପାଇଁ ଆସନ ଦେଲେ । କନ୍ଦ, ମୂଳ, ଫଳ ଆଣି ସେମାନଙ୍କ ସମ୍ମୁଖରେ ଥୋଇଦେଲେ । ଭରଦ୍ଵାଜ କହିଲେ–“ହେ ଶ୍ରୀରାମ, ଆଜି ମୋର ଜପ, ଯୋଗ ଓ ବୈରାଗ୍ୟ ସବୁ ସଫଳ ହୋଇଅଛି । ମୋର ମନ ସବୁବେଳେ ଆପଣଙ୍କ ଶ୍ରୀଚରଣରେ ରହୁ । ଏତିକି ମୋତେ ବର ଦିଅନ୍ତୁ । ଯେପର୍ଯ୍ୟନ୍ତ କର୍ମ, ବଚନ ଓ ମନରୁ ଛନ୍ଦ ତ୍ୟାଗ କରି ମନୁଷ୍ୟ ଆପଣଙ୍କର ଦାସ ନ ହୋଇପାରିବ ସେ ପର୍ଯ୍ୟନ୍ତ ସେ ଯେତେ ଉପାୟ କଲେ ମଧ୍ୟ ଆନନ୍ଦ ପାଇ ପାରିବ ନାହିଁ ।”

 

ଶ୍ରୀରାମଚନ୍ଦ୍ର ଲକ୍ଷ୍ମଣ, ସୀତା ଓ ଗୂହକଙ୍କୁ ଭରଦ୍ଵାଜଙ୍କର ସୁଯଶ ଶୁଣାଇ କହିଲେ, “ହେ ମୁନିବର, ଆପଣ ଯାହାକୁ ଆଦର କରିବେ ସେ ମହାନ୍ ହେବ ।”

 

ପ୍ରୟାଗବାସୀମାନେ ଶ୍ରୀରାମଙ୍କର ଆଗମନ ବାର୍ତ୍ତା ଶୁଣିପାରିଲେ । ସେମାନେ ଶ୍ରୀରାମଙ୍କର ଦର୍ଶନ ପାଇଁ ଦୌଡ଼ିଲେ । ଶ୍ରୀରାମ ସେମାନଙ୍କର ଦର୍ଶନ ମାତ୍ରେ ସେମାନଙ୍କୁ ନମସ୍କାର କଲେ । ସେଦିନ ସେମାନେ ସେହିଠାରେ ରହିଲେ । ସକାଳ ହେବାରୁ ଶୌଚକ୍ରିୟା କରିସାରି ଶ୍ରୀରାମ, ସୀତା, ଲକ୍ଷ୍ମଣ, ନିଷାଦ ମିତ୍ରଙ୍କ ସଙ୍ଗେ ବାହାରିଲେ । ଶ୍ରୀରାମ ମୁନିଙ୍କୁ କେଉଁ ପଥରେ ଯିବା ସୁଗମ ହେବ ବୋଲି ପଚାରିଲେ ।

 

ମୁନି ଶ୍ରୀରାମଙ୍କର ଏ ପ୍ରଶ୍ନ ଶୁଣି ମନେ ମନେ ହସିଲେ ଏବଂ ତାଙ୍କୁ କହିଲେ, ‘‘ଆପଣଙ୍କ ପାଇଁ ସମସ୍ତ ମାର୍ଗ ସୁଗମ ଅଟେ ।’’ ଶ୍ରୀରାମଙ୍କୁ ପଥ ଦେଖାଇଦେବା ପାଇଁ ସେ ଶିଷ୍ୟମାନଙ୍କୁ ଡାକିବାରୁ ପ୍ରାୟ ପଚାଶ ଜଣ ଶିଷ୍ୟ ଶ୍ରୀରାମଙ୍କ ସହିତ ଯିବେ ବୋଲି ପ୍ରସ୍ତୁତ ହୋଇ ଠିଆହେଲେ । ଶିଷ୍ୟମାନଙ୍କ ମଧ୍ୟରୁ କେବଳ ଚାରିଜଣଙ୍କୁ ମୁନି ସେମାନଙ୍କ ସାଥିରେ ପଠାଇଲେ । ଶିଷ୍ୟମାନେ ଶ୍ରୀରାମଙ୍କ ଗହଣରେ କେତେକ ବାଟ ପର୍ଯ୍ୟନ୍ତ ଯିବା ପରେ ଶ୍ରୀରାମ ସେମାନଙ୍କୁ ବୁଝାଇ ଶୁଝାଇ ବିଦାୟଦେଲେ ।

 

ଶ୍ରୀରାମ ଯମୁନା ନଦୀ ତଟବର୍ତ୍ତୀ ହେଲେ । ଯମୁନା ନଦୀରେ ସ୍ନାନ କରିବା ସମୟରେ ଯମୁନା ନଦୀ ତୀରବାସୀ ବହୁଲୋକ ତାଙ୍କର ଦର୍ଶନ ନିମିତ୍ତ ଆସିଲେ । ସେମାନେ ଏମାନଙ୍କର ନାମଧାମ ଜାଣି ନ ଥିଲେ । କିନ୍ତୁ ସେମାନଙ୍କୁ ସେମାନଙ୍କର ନାମ ପଚାରିବା ସଂକୋଚବୋଧ ହେଲା । ବୃଦ୍ଧ ବ୍ୟକ୍ତିମାନେ ପରସ୍ପର ମଧ୍ୟରେ ପଚରା-ଉଚରା କରି ଏବଂ ସେମାନଙ୍କର ରାଜରୂପ ଦେଖି ସେମାନଙ୍କୁ ଚିହ୍ନି ପାରିଲେ । ସେହି ବୃଦ୍ଧ ବ୍ୟକ୍ତିମାନେ ଅନ୍ୟମାନଙ୍କୁ ଶ୍ରୀରାମଙ୍କର ସମସ୍ତ ବିଷୟ ଜଣାଇଦେଲେ ।

 

ଏହି ସମୟରେ ଜଣେ ତପସ୍ୱୀ ଆସି ସେମାନଙ୍କ ପାଖରେ ପହଞ୍ଚିଲେ । ସେ ତପସ୍ଵୀ ନିଜର ଇଷ୍ଟଦେବ ଶ୍ରୀରାମଚନ୍ଦ୍ରଙ୍କୁ ଚିହ୍ନି ପାରିଲେ । ତାଙ୍କର ଦୁଇ ଚକ୍ଷୁରେ ଲୋତକ ପୂର୍ଣ୍ଣ ହୋଇଗଲା । ଶରୀର ପୁଲକିତ ହେଲା । ଶ୍ରୀରାମଚନ୍ଦ୍ରଙ୍କୁ ଚାହୁଁ ଚାହୁଁ ସେ ଭୂମି ଉପରେ ପଡ଼ିଗଲେ-। ଶ୍ରୀରାମଚନ୍ଦ୍ର ତାଙ୍କୁ ଭୂମିଉପରୁ ଉଠାଇ କୋଳାଗ୍ରତ କଲେ । ତପସ୍ଵୀ ଉଠିଲେ । ସେ ସେମାନଙ୍କୁ ପ୍ରଣାମ କଲେ । ସୀତା ତାଙ୍କୁ ଆଶୀର୍ବାଦ ଦେଲେ । ଗୂହକ ତପସ୍ଵୀଙ୍କୁ ପ୍ରଣାମ କରିବା ପରେ ସେ ତପସ୍ଵୀଙ୍କର ପରିଚୟ ପାଇଲେ । ଶ୍ରୀରାମଙ୍କର ଭକ୍ତ ବୋଲି ଜାଣିପାରି ଦୁହେଁ ପରସ୍ପରକୁ ଆଲିଙ୍ଗନ କଲେ । ଗୂହକ ନିଜ ରାଜ୍ୟକୁ ଫେରିବାକୁ ନାରାଜ । ଏଣେ ଶ୍ରୀରାମ ତାଙ୍କୁ ବାରମ୍ବାର ଫେରିଯିବା ପାଇଁ ଅନୁରୋଧ କରୁଛନ୍ତି । ନାନା ବୁଝାସୁଝା ପରେ ମିତ୍ର ଗୂହକ ଶେଷରେ ନିଜ ରାଜ୍ୟକୁ ଫେରିଗଲେ ।

Image

 

ବାଲ୍ମିକିଙ୍କ ନିର୍ଦ୍ଦେଶ

 

ଯମୁନା ନଦୀକୁ ପ୍ରଣାମ ଜଣାଇ ତିନି ବନଯାତ୍ରୀ ଘୋର ବନ ମଧ୍ୟରେ ପ୍ରବେଶ କଲେ । ମାର୍ଗରେ ବହୁ ଯାତ୍ରୀଙ୍କ ସହିତ ଭେଟ ହେଲା । ସେହି ଯାତ୍ରୀମାନେ ବନ ମଧ୍ୟରେ ଶ୍ରୀରାମ ଏକ ସୁନ୍ଦରୀ ସ୍ତ୍ରୀଙ୍କ ସହିତ ଯାଉଥିବାର ଦେଖି ସେମାନଙ୍କୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଇ ଦେବା ପାଇଁ ବିନୀତ ଭାବରେ ଶ୍ରୀରାମଙ୍କୁ କହିଲେ । ଘୋର ଅରଣ୍ୟ ମଧ୍ୟରେ ନାନା ହିଂସ୍ର ଜନ୍ତୁଙ୍କର ଭୟ ଅଛି ବୋଲି ଯାତ୍ରୀମାନେ ଶ୍ରୀରାମକୁ ସତର୍କ କରାଇଦେଲେ । ଶ୍ରୀରାମ ସେମାନଙ୍କୁ ବୁଝାଇ ସୁଝାଇ ବିନୀତ ଭାବରେ ବିଦାୟଦେଲେ ।

 

ବନପ୍ରଦେଶର ସୌନ୍ଦର୍ଯ୍ୟ, ପଶୁପକ୍ଷୀମାନଙ୍କର ନାନା ପ୍ରକାରର ରବ, ପର୍ବତମାନଙ୍କର ଦୃଶ୍ୟ ଦେଖି ଦେଖି ବନଯାତ୍ରୀମାନେ ଅଗ୍ରସର ହେଲେ । ବନ ମଧ୍ୟରେ ସ୍ଥାନେ ସ୍ଥାନେ ରାସ୍ତାରେ ଗ୍ରାମ ପଡ଼ିଲା । ବନପ୍ରଦେଶର ସ୍ତ୍ରୀ ପୁରୁଷମାନେ ଶ୍ରୀରାମ, ଲକ୍ଷ୍ମଣ ଓ ସୀତାଙ୍କ ଦର୍ଶନରେ ଅପାର ଆନନ୍ଦ ଅନୁଭବ କଲେ ଏବଂ ପରମାନନ୍ଦ ପାଇଲେ । ତେଣୁ ସେମାନଙ୍କୁ ଈଶ୍ଵରଙ୍କ ଅବତାର ବୋଲି ମନେକରି ଜନ୍ମଜନ୍ମାନ୍ତରର ସୌଭାଗ୍ୟ ଅର୍ଜନ କଲେ ।

 

ବଣ୍ୟ ଅଧିବାସୀମାନେ ବସିବାପାଇଁ ବରପତ୍ର ବିଛାଇ ସେମାନଙ୍କ ପାଇଁ ଆସନ ତିଆରି କରିଦେଲେ । କେହି କେହି ଘଟରେ ସେମାନଙ୍କ ପାଇଁ ଜଳ ଆଣି ଦେଉଥିଲେ । ସେମାନଙ୍କ ନିକଟରେ ଅତି ସନ୍ତର୍ପଣରେ ବସୁଥାନ୍ତି । ରାଜପୁତ୍ର ପରି ରୂପ; ଅଥଚ ଶରୀରରେ ବଳ୍‌କଳ ବସ୍ତ୍ର, ହାତରେ ଧନୁଶର, ମୁଣ୍ଡରେ ଜଟାଭାର, ପୁଣି ସେମାନଙ୍କ ସହିତ ରାଜକୁମାରୀ ପରି ଦିଶୁଛନ୍ତି ଜଣେ କିଶୋରୀ–ବଣର ସ୍ତ୍ରୀ ପୁରୁଷମାନେ ସେମାନଙ୍କୁ ଏପରି ଭାବରେ ଦେଖି କିଛି ବୁଝି ପାରନ୍ତି ନାହିଁ । ଗ୍ରାମ୍ୟ ସ୍ତ୍ରୀମାନେ ସୀତାଙ୍କ ପାଖକୁ ଯାଇ ତାଙ୍କର ପରିଚୟ ପଚାରିବା ପାଇଁ ଉତ୍ସୁକ ହୁଅନ୍ତି; କିନ୍ତୁ ପଚାରିବା ପାଇଁ ସାହସ ଅଣ୍ଟେନାହିଁ ।

 

ଜଣେ ସ୍ତ୍ରୀ ଅତିଶୟ ସାହସ ସହକାରେ ଯାଇ ସୀତାଙ୍କ ପାଖରେ ବସିଲା । ସେ ସୀତାଙ୍କୁ ପଚାରିଲା, “ମୋତେ ବଡ଼ ସଂକୋଚ ଲାଗୁଛି, ଆମ୍ଭେମାନେ ନିତାନ୍ତ ମୂର୍ଖ, ଏ ଦୁଇ ପୁରୁଷଙ୍କ ସହିତ ତୁମର କି ସଂପର୍କ ଜାଣିବାକୁ ମନର ବ୍ୟାକୁଳତା ବଢ଼ିବାରୁ ପଚାରୁଛି ।”

 

ସୀତା କହିଲେ, “ଏ ଯେଉଁ ଗୌରବର୍ଣ୍ଣ ସୁନ୍ଦର ପୁରୁଷ, ଏହାଙ୍କର ନାମ ଲକ୍ଷ୍ମଣ । ଏ ମୋର ଛୋଟ ଦେବର ।” ପୁଣି ସେମାନଙ୍କର ଉତ୍ସୁକତା ବଢ଼ିଲା । ତେଣୁ ସୀତା ମୁଖକୁ ଅଞ୍ଚଳରେ ଆବୃତ କରି ଶ୍ରୀରାମଙ୍କୁ ସଙ୍କେତ ଦ୍ଵାରା ଦେଖାଇ ସେ ତାଙ୍କର ପତି ବୋଲି ପରିଚୟ ଦେଲେ । ଗାଁର ସ୍ତ୍ରୀମାନେ ତାଙ୍କୁ ଘେରି ତାଙ୍କର ପ୍ରଭାବ ଓ ସୌନ୍ଦର୍ଯ୍ୟରେ ମୁଗ୍‌ଧ ହୋଇ ତାଙ୍କୁ ଆଶୀର୍ବାଦ ଦେଲେ; ପୁଣି କହିଲେ, ଆମେମାନେ ତୁମକୁ ପ୍ରାର୍ଥନା କରି କହୁଛୁ, ତୁମ୍ଭେମାନେ ଯେତେବେଳେ ଫେରିବ, ଏଇ ବାଟ ଦେଇ ଫେରିବ । ଶ୍ରୀରାମ ସେମାନଙ୍କୁ ନାନା ପ୍ରବୋଧ ଦେଇ ଅଗ୍ରସର ହେଲେ ।

 

ଗାଁଲୋକମାନେ ଘରକୁ ଫେରିଲାବେଳେ ସେମାନଙ୍କ ବିଷୟରେ ନାନାପ୍ରକାର କଥାବାର୍ତ୍ତା ହେଉଥାନ୍ତି । କିଏ କହୁଥାଏ–ଏପରି ସୁକୁମାର ଯୁବକ ଯୁବତୀଙ୍କୁ ଯଦି ରାଜା ବନବାସକୁ ପଠାଇଦେଲେ, ତା’ହେଲେ ବିଧାତା ଭୋଗବିଳାସ ସାମଗ୍ରୀଗୁଡ଼ିକୁ ତିଆରିକଲା କାହିଁକି ? ଆଉ ଜଣେ କହୁଛି–ପାଦୁକା ନ ଲଗାଇ ଯଦି ସେମାନେ ଏ ବଣ୍ୟ ରାସ୍ତାରେ ଚାଲିବେ ତାହାହେଲେ ଏତେସବୁ ବାହନ ମଣିଷପାଇଁ ରହିବା ବ୍ୟର୍ଥ ଅଟେ । ଏ ସୁକୁମାର କୁମାର କୁମାରୀ ଯଦି ପତ୍ର ଓ କୁଶ ବିଛାଇ ଶେଯକରି ଶୁଅନ୍ତି, ତାହାହେଲେ ତୁଳିତଳ୍ପ ଶଯ୍ୟା ନିର୍ମିତ ହୁଏ କାହିଁକି ?

 

ଏସବୁ କଥା ଶୁଣି ଜଣେ ବିଧାତାକୁ ଦୋଷ ଦେଇ କହୁଛି–ବିଧାତା ଏପରି ସୁନ୍ଦର ସ୍ତ୍ରୀପୁରୁଷଙ୍କୁ ବୃକ୍ଷତଳେ ଆଶ୍ରୟ ଦେବାପାଇଁ ଯଦି କପାଳରେ ଲେଖିଥିଲା, ତେବେ ସୁନ୍ଦର ଭବନ ସବୁ ନିର୍ମିତି ହୁଏ କାହିଁକି କୁହ ତ ? ଏତେ ପ୍ରକାର ଅଳଙ୍କାର, ବସ୍ତ୍ର କାହାପାଇଁ ତିଆରି କରାଯାଏ-? ତାକୁ ଉତ୍ତର ଦେଇ ଆଉ ଜଣେ କହିଲା–ଏପରି ସ୍ତ୍ରୀ ପୁରୁଷ ଚଉଦଭୁବନଯାକ ଖୋଜି ଆସିଲେ ମିଳିବେ ନାହିଁ । ବିଧାତା ଏମାନଙ୍କୁ ଗଢ଼ିଦେଲା, ଗଢ଼ିଦେବା ପରେ ସେମାନଙ୍କୁ ଦେଖି ମୁଗ୍‌ଧ ହୋଇପଡ଼ିଲା; ବିଚାରିଲା, ଏଇମାନଙ୍କୁ ଅନୁକରଣ କରି ଆଉ ସବୁ ସ୍ତ୍ରୀପୁରୁଷ ଗଢ଼ିବି-। କିନ୍ତୁ ଯେତେ ବୁଦ୍ଧି ଲଗାଇ ପରିଶ୍ରମ କରି ଗଢ଼ିଲା ଏପରି ନାରୀ କିମ୍ବା ଏପରି ପୁରୁଷ ଆଉ ଗଢ଼ି ପାରିଲାନାହିଁ । ଯେତେ ନିର୍ମାଣ କଲା କେହି ହେଲେ ଏମାନଙ୍କ ସହିତ ସମାନ ହୋଇ ପାରିଲେ ନାହିଁ । ତେଣୁ ସେହି ଈର୍ଷାରେ ବିଧାତା ଏମାନଙ୍କୁ ଆଣି ବଣରେ ଲୁଚାଇ ରଖିଛି । ଏମାନଙ୍କୁ ଯଦି ବନବାସ ଦଣ୍ଡ ବିଧାତା ଦେଲା, ତେବେ ଏ ବଣରାସ୍ତାକୁ ପୁଷ୍ପମୟ କିମ୍ବା କୋମଳ ନ କଲା କାହିଁକି-?

 

ଶ୍ରୀରାମଙ୍କ ପୁଣ୍ୟଯଶ ବନର ଗିରି କନ୍ଦର, ଗ୍ରାମ ପଲ୍ଲୀ ଚତୁର୍ଦ୍ଦିଗରେ ବ୍ୟାପିଗଲା । ସମସ୍ତଙ୍କ ମୁହଁରେ ରାମକଥା । ବଣ୍ୟ ରାସ୍ତାରେ ଅନେକ ଆଶ୍ରମ ଓ ବଣର ଶୋଭା ସୌନ୍ଦର୍ଯ୍ୟ ଦେଖି ଦେଖି ତିନିହେଁ ବାଲ୍ମୀକିଙ୍କ ଆଶ୍ରମରେ ପହଞ୍ଚିଲେ । ସେଠାରେ ପଶୁପକ୍ଷୀମାନେ ହିଂସା ଭୁଲି ନିର୍ଭିୟ ମନରେ ଆଶ୍ରମରେ ବୁଲୁଛନ୍ତି । ବନ ମଧ୍ୟରେ ଏକ ସୁନ୍ଦର ସରୋବର, ସେଥିରେ କମଳ ପ୍ରସ୍ଫୁଟିତ ହୋଇଛି । ଶ୍ରୀରାମ ଆଶ୍ରମର ଶୋଭା ନିରୀକ୍ଷଣ କରି କରି ଆହ୍ଳାଦିତ ହେଉଥିଲେ ।

 

ଶ୍ରୀରାମଙ୍କର ଆଗମନ ସଂବାଦ ବାଲ୍ମୀକିଙ୍କ ଆଶ୍ରମରେ ପହଞ୍ଚିଲା । ମୁନି ଆଶ୍ରମର ଶିଷ୍ୟମାନଙ୍କ ସହ ଶ୍ରୀରାମ, ଲକ୍ଷ୍ମଣ ଓ ସୀତାଙ୍କୁ ପାଛୋଟି ନେବାକୁ ଆସିଲେ । ବନବାସୀ ରାଜପରିବାର ମୁନିଙ୍କୁ ପ୍ରଣାମ କଲେ । ମୁନି ସେମାନଙ୍କୁ ଆଶୀର୍ବାଦ ଦେଇ ଅଶ୍ରମକୁ ଡାକିନେଲେ-। ଶିଷ୍ୟମାନେ ସେମାନଙ୍କ ପାଇଁ କନ୍ଦମୂଳ ଆଦି ଖାଦ୍ୟଦ୍ରବ୍ୟ ଆଣିଦେଲେ । ତିନିହେଁ ତାହାକୁ ମୁନିଙ୍କ ପ୍ରାସାଦ ବୋଲି ମନେକରି ସେବନ କଲେ । ଶ୍ରୀରାମ ତାଙ୍କର ବନବାସ ରହସ୍ୟ, ପିତାଙ୍କର ଆଜ୍ଞାପାଳନ, ମାତାଙ୍କର ହିତ ସାଧନ ସଙ୍ଗେ ସଙ୍ଗେ ଭରତପରି ଭାଇଙ୍କ ରାଜପଣ ବିଷୟ ବର୍ଣ୍ଣନା କଲେ । ତା’ ପରେ କହିଲେ, “ମୋର ପୁଣ୍ୟ ପ୍ରଭାବରୁ ଆଜି ମୁଁ ଆପଣଙ୍କର ଦର୍ଶନ ପାଇଛି, ଆପଣଙ୍କ ଚରଣଦର୍ଶନ ମୋର ସୌଭାଗ୍ୟ ବଳରେ ମିଳିଛି । ଆପଣଙ୍କ ସନ୍ତୋଷ ସମସ୍ତ ମଙ୍ଗଳର ମୂଳ ଅଟେ । ମୁନି ଓ ତପସ୍ଵୀମାନେ ଦୁଃଖ ଭୋଗ କଲେ ରାଜ୍ୟର ଲୋକେ ସୁଖରେ ରହିପାରନ୍ତି ନାହିଁ । ଆପଣ ତ୍ରିକାଳଦର୍ଶୀ । ଲକ୍ଷ୍ମଣ ଓ ସୀତାଙ୍କ ସହିତ କେଉଁ ସ୍ଥାନକୁ ଯାଇ ମୁଁ ପତ୍ରକୁଟୀର ନିର୍ମାଣ କରି କିଛିଦିନ ରହିପାରିବି ଆପଣ ମୋତେ ନିର୍ଦ୍ଦେଶ ଦିଅନ୍ତୁ ।”

 

ଶ୍ରୀରାମଙ୍କର ଏ ସହଜ ସରଳ ପ୍ରଶ୍ନ ଶୁଣି ମୁନି ବାଲ୍ମିକି କହିଲେ, “ହେ ରଘୁକୂଳର ମଣି, ଦୁଷ୍ଟ ରାକ୍ଷସମାନଙ୍କୁ ବିନାଶ କରି ଧରାଭାର ଲାଘବ କରିବା ପାଇଁ ଆପଣ ଅବତାର ଗ୍ରହଣ କରିଅଛନ୍ତି । ବ୍ରହ୍ମା, ବିଷ୍ଣୁ ଓ ମହେଶ୍ଵର ଆପଣଙ୍କର ମର୍ମ ବୁଝିପାରନ୍ତି ନାହିଁ । ଆପଣ ଯାହାକୁ ଆପଣଙ୍କର ସ୍ଵରୂପ ଜଣାଇବାକୁ ଇଚ୍ଛା କରନ୍ତି ସେହି କେବଳ ଜାଣିପାରେ । ହେ ଭକ୍ତହୃଦୟଚନ୍ଦନ, ଆପଣ କେଉଁଠି ରହିବା ଉପଯୁକ୍ତ ହେବ, ସେ କଥା ମୋତେ ପଚାରୁଛନ୍ତି ? ଆପଣଙ୍କୁ ପଚାରିବା ପାଇଁ ମୋତେ ସଂକୋଚ ଲାଗୁଛି, ଆପଣ ମୋତେ କହନ୍ତୁ, ଆପଣ କେଉଁଠି ନାହାନ୍ତି ? ତାହାହେଲେ ମୁଁ ଆପଣଙ୍କ ରହିବାପାଇଁ ସ୍ଥାନ ଦେଖେଇ ଦେବି ।”

 

ଶ୍ରୀରାମଙ୍କର ହସ ହସ ମୁଖ ଦେଖି ବାଲ୍ମିକି ପୁଣି କହିଲେ, ‘‘ହେ ଶ୍ରୀରାମ, ଆପଣ ସୀତା ଓ ଲକ୍ଷ୍ମଣଙ୍କ ସହିତ ଯେଉଁ ସ୍ଥାନରେ ରହିବା ଉପଯୁକ୍ତ ସେ ସ୍ଥାନଟି ମୁଁ କହିଦେଉଛି, ଶୁଣନ୍ତୁ । ସମୁଦ୍ର ମଧ୍ୟରେ ସୁନ୍ଦର ନଦୀଗୁଡ଼ିକ ଯେପରି ନିଜର ଜଳଧାରା ଅଜାଡ଼ି ଦେଉଥାନ୍ତି, ସେହିପରି ଯେଉଁ ଲୋକମାନେ ଆପଣଙ୍କର କଥାରୂପୀ ନଦୀ ଦ୍ଵାରା ନିଜର ହୃଦୟ-ସମୁଦ୍ର ପୂର୍ଣ୍ଣ କରୁଥାନ୍ତି; କିନ୍ତୁ କେବେ ହେଲେ ତୃପ୍ତ ହୁଅନ୍ତି ନାହିଁ, ସେହିମାନଙ୍କ ହୃଦୟ ଆପଣଙ୍କର ବାସସ୍ଥାନ ହେଉ । ଚାତକ ମେଘ ପାଇଁ ଲାଳାୟିତ ହୋଇ ରହିଥାଏ । ଯେଉଁମାନଙ୍କର ଚାତକରୂପୀ ନେତ୍ର ଆପଣଙ୍କର ଦର୍ଶନ ନିମନ୍ତେ ସର୍ବଦା ଆଶାୟୀ ହୋଇ ରହିଥାଏ, ସେମାନଙ୍କର ହୃଦୟରେ ଆପଣ ନିବାସ କରନ୍ତୁ । ମହାନଦୀ, ହ୍ରଦ ଓ ସମୁଦ୍ରର ଜଳକୁ ଅନାଦର କରି ଯିଏ ଆପଣଙ୍କର ସୌନ୍ଦର୍ଯ୍ୟରୂପୀ ମେଘର ଏକ ବିନ୍ଦୁମାତ୍ର ଜଳ ଦ୍ଵାରା ସୁଖୀ ହୋଇପାରନ୍ତି, ଆପଣ ସେହି ଭକ୍ତର ହୃଦୟ ନିଳୟ ମଧ୍ୟରେ ଲକ୍ଷ୍ମଣ ଓ ସୀତାଙ୍କ ସହିତ ବାସକରନ୍ତୁ । ଦେବତା, ଗୁରୁ ଓ ବ୍ରାହ୍ମଣଙ୍କର ଦର୍ଶନମାତ୍ରେ ଯାହାଙ୍କର ମସ୍ତକ ବିନମ୍ର ହୋଇପଡ଼େ, ଯାହାଙ୍କର ହସ୍ତ ଆପଣଙ୍କ ପୂଜାରେ ରତ ରହେ, ଯେଉଁମାନେ ଶ୍ରୀରାମନାମରୂପୀ ମନ୍ତ୍ରରାଜ ଜପ କରି ଆପଣଙ୍କ ଚରଣରେ ପ୍ରଣତିକୁ ସକଳ ପୂଜାର ଫଳ ବୋଲି ମନେ କରନ୍ତି, ସେମାନଙ୍କର ମନମନ୍ଦିରରେ ଆପଣ ବାସ କରନ୍ତୁ । ଅନ୍ୟର ସମ୍ପତ୍ତି ଦେଖି ଆନନ୍ଦିତ ଓ ବିପତ୍ତି ଦେଖି ଦୁଃଖିତ ହେଉଥିବା ବ୍ୟକ୍ତି, ଅନ୍ୟର ଦୁର୍ଗୁଣକୁ ଛାଡ଼ି ସୁଗୁଣକୁ ଗ୍ରହଣ କରୁଥିବା ଏବଂ ଜାତି, ଧର୍ମ, ଧନ, ବଡ଼ପଣ ଛାଡ଼ି ହୃଦୟରେ ଆପଣଙ୍କୁ ଧାରଣ କରୁଥିବା ବ୍ୟକ୍ତି ମନରେ ଆପଣ ସବୁବେଳେ ରହନ୍ତୁ । କର୍ମ, ବଚନ ଓ ମନରେ ଯେ ଆପଣଙ୍କର ଦାସ ଅଟେ, ତାହାରି ହୃଦୟରେ ଆପଣ ବିରାଜମାନ ରହନ୍ତୁ ।

 

“ବର୍ତ୍ତମାନ ଆପଣ ଚିତ୍ରକୂଟ ପର୍ବତ ଉପରେ ଆଶ୍ରମ ରଚନା କରନ୍ତୁ । ଅତ୍ରିପତ୍ନୀ ଅନସୂୟା ମନ୍ଦାକିନୀ ନାମକ ଗଙ୍ଗାର ଧାରାକୁ ନିଜ ତପସ୍ୟା ବଳରେ ସେଠାକୁ ଆଣିଥିଲେ । ତାହାରି କୂଳରେ ଅତ୍ରି ଆଦି ମୁନିମାନେ ତପସ୍ୟା କରି ତାହାର ପବିତ୍ରତା ବଢ଼ାଇ ଅଛନ୍ତି । ଏହି ଚିତ୍ରକୂଟର ମହିମା ଅସୀମ ଅଟେ ।

Image

 

ଚିତ୍ରକୂଟ ଆଶ୍ରମ

 

ବାଲ୍ମିକିଙ୍କ ଉପଦେଶ ଅନୁସାରେ ତାଙ୍କ ଆଶ୍ରମରୁ ସେମାନେ ଚିତ୍ରକୂଟ ପର୍ବତକୁ ଗଲେ-। ସେଠାରେ ପହଞ୍ଚିବା ପରେ ଶ୍ରୀରାମ ଲକ୍ଷ୍ମଣଙ୍କୁ କହିଲେ, “ଲକ୍ଷ୍ମଣ, ଏଠାରେ ନଦୀତଟରେ ସୁନ୍ଦର ଘାଟ ଅଛି । ଏହାରି ନିକଟସ୍ଥ କୌଣସି ସ୍ଥାନରେ ରହିବା ପାଇଁ ବ୍ୟବସ୍ଥା କର ।” ଲକ୍ଷ୍ମଣ ଖୋଜି ଖୋଜି ଗୋଟିଏ ଜାଗା ବାଛିଲେ । ତାହା ଗୋଟିଏ ଉଚ୍ଚ ଜାଗା, ପୁଣି ନଦୀର ଉତ୍ତର ପଟରେ ଅବସ୍ଥିତ । ସେହି ସ୍ଥାନର ତିନି ଦିଗରେ ଗୋଟିଏ ନାଳ ଧନୁପରି ଯେପରି ରହିଥିଲା । ଚତୁର୍ଦ୍ଦିଗରେ ବନଭୂମି । ଲକ୍ଷ୍ମଣଙ୍କ ଦ୍ଵାରା ନିର୍ବାଚିତ ସ୍ଥାନଟି ସବୁଦିଗରୁ ସୁନ୍ଦର ହୋଇଥିବାରୁ ଶ୍ରୀରାମଚନ୍ଦ୍ର ତାହାକୁ ପସନ୍ଦ କଲେ ।

 

ସେଠାରେ କୁଟୀର ନିର୍ମାଣ କରିବା ସମୟରେ ବନବାସୀ କୋଲ୍‍ହ ଓ ଭୀଲ ପ୍ରଭୃତି ପାହାଡ଼ିଆ ଜାତିର ଅଧିବାସୀମାନେ ସେଠାରେ ପହଞ୍ଚିଲେ । ଦେବତାମାନେ ଶ୍ରୀରାମଙ୍କ ପାଇଁ କୁଟୀର ନିର୍ମାଣ କରିଦେବାପାଇଁ ଏହି ବେଶରେ ଆସିଥିଲେ । ସେମାନେ ଦୁଇଟି କୁଟୀର ଚିତ୍ରକୂଟ ପର୍ବତ ଦେହରେ ନିର୍ମାଣ କରିଦେଲେ । ଗୋଟିଏ ଛୋଟ ଏବଂ ଗୋଟିଏ ବଡ଼ କୁଟୀର ଥିଲା । ତିନିହେଁ ଅତି ଆନନ୍ଦରେ ସେହି ଆଶ୍ରମ କୁଟୀର ମଧ୍ୟରେ ବାସକଲେ ।

 

ଚିତ୍ରକୂଟରେ ଶ୍ରୀରାମଙ୍କର କୁଟୀର ନିର୍ମାଣ ସମ୍ବାଦ ଅଳ୍ପ ସମୟ ମଧ୍ୟରେ ପାଖଆଖ ଚାରିଆଡ଼େ ବ୍ୟାପିଗଲା । ବହୁ ତପସ୍ଵୀ ଶ୍ରୀରାମଙ୍କର ଦର୍ଶନ ଆଶାରେ ସେଠାକୁ ଆସିଲେ । ବଣ୍ୟ ଅଧିବାସୀମାନେ ଶ୍ରୀରାମଙ୍କର ଦର୍ଶନ ପାଇଁ ଆସିଲାବେଳେ ପତ୍ର ଦନାରେ ଫଳମୂଳ ପୂର୍ଣ୍ଣ କରି ଶ୍ରୀରାମଙ୍କୁ ଭେଟି ଦେବାପାଇଁ ଆଣନ୍ତି । ସେହି ଦନାକୁ ତାଙ୍କ ସମ୍ମୁଖରେ ଥୋଇ ଦେଇ ଦୁଇ ଭାଇଙ୍କୁ ପ୍ରଣାମ କରନ୍ତି । ସେମାନଙ୍କର ରୂପ ଓ କେଶକୁ ଦେଖି ମୁଗ୍‌ଧ ହୋଇପଡ଼ନ୍ତି । ସେମାନଙ୍କ ସମ୍ମୁଖରେ ମୁଗ୍‌ଧ ଓ ଅପଲକ ନେତ୍ରରେ ପ୍ରତିମାପରି ସେମାନଙ୍କୁ ଚାହିଁ ରହୁଥାନ୍ତି । ନେତ୍ରରୁ ପ୍ରେମାଶ୍ରୁଧାରା ବହିଯାଉଥାଏ । ଶ୍ରୀରାମ ତାଙ୍କର ସ୍ଵଭାବସୁଲଭ ମଧୁରବାଣୀ ଦ୍ଵାରା ସେମାନଙ୍କୁ ନିଜର କରି ପକାଉଥିଲେ । ତେଣୁ ସେମାନଙ୍କୁ ଆପଣାର ଲୋକଭଳି ଲାଗୁଥିଲା ।

 

ବଣର ଅଧିବାସୀମାନେ ସେମାନଙ୍କୁ କହୁଥିଲେ, “ଆମ୍ଭେମାନେ ଆପଣଙ୍କର ଦର୍ଶନ ପାଇ ଧନ୍ୟ ହେଲୁ । ଆପଣମାନଙ୍କୁ ବଣର ହାତୀ, ସିଂହ, ଭାଲୁ ଓ ସର୍ପମାନଙ୍କଠାରୁ ରକ୍ଷାକରି ଆମ୍ଭେମାନେ ଆପଣମାନଙ୍କର ସେବାରେ ଲାଗି ରହିଥିବୁ । ଏ ବନର ଗୁମ୍ଫା, ପର୍ବତ, ବୃକ୍ଷ, ନଦୀ, ପଶୁ ପକ୍ଷୀ ଆମ୍ଭମାନଙ୍କର ପରିଚିତ । ଆପଣ ଯେଉଁଠି ଇଚ୍ଛା କରିବେ ଆପଣମାନଙ୍କୁ ନେଇ ଶିକାର ଖେଳେଇବୁ; ନଦୀ, ଝରଣା ଓ ପୁଷ୍କରିଣୀ ଦେଖାଇବୁ । ଆମ୍ଭମାନଙ୍କୁ ଆପଣ ଯେଉଁ ଆଦେଶ ଦେବେ ତାହାକୁ ପ୍ରତିପାଳନ କରିବୁ ।” ପିତା ବାଳକର କଥା ଶୁଣି ଆନନ୍ଦିତ ହେଲାପରି ଶ୍ରୀରାମ, ଲକ୍ଷ୍ମଣ ଓ ସୀତା ସେମାନଙ୍କର ସରଳ ମଧୁର କଥାରେ ଅତିଶୟ ଆନନ୍ଦିତ ହୋଇଗଲେ-। ସେମାନଙ୍କୁ ନାନା ମଧୁର କଥା କହି ବିଦାୟ ଦେଲେ ।

 

ଚିତ୍ରକୂଟ ଅତି ସୁନ୍ଦର ସ୍ଥଳୀ । ସେଠାରେ ଗଛଗୁଡ଼ିକ ଫଳଭାରରେ ସର୍ବଦା ଅବନତ । ଭ୍ରମରର ଗୁଞ୍ଜନ, କୋଇଲି, ନୀଳକଣ୍ଠ, ଶୂକ ସାରୀମାନଙ୍କର କାକଳି ବନଭୂମିକୁ ନିନାଦିତ କରୁଥାଏ । ଶୀତଳ ମନ୍ଦ ସମୀର ଦ୍ଵାରା ବନପ୍ରଦେଶ ଆମୋଦିତ ହେଉଥାଏ; ନାନା ପଶୁଯୂଥ ଭ୍ରମଣ କରୁଥାନ୍ତି । ହସ୍ତୀ, ସିଂହ, ମୃଗ, ବ୍ୟାଘ୍ର ପ୍ରଭୃତି ଜନ୍ତୁମାନେ ସ୍ଵାଭାବିକ ଶତ୍ରୁତା ଭୁଲି ଆନନ୍ଦରେ ବିଚରଣରତ ଥାନ୍ତି । ଚିତ୍ରକୂଟ ମନ୍ଦାକିନୀ ନଦୀ-ସେବିତ ଅଟେ । ତେଣୁ ଗଙ୍ଗା, ଗୋଦାବରୀ, ଯମୁନା ଓ ସରସ୍ଵତୀ ନଦୀ ମନ୍ଦାକିନୀର ଏ ସୌଭାଗ୍ୟ ନିମନ୍ତେ ତାହାକୁ ପ୍ରଶଂସା କରନ୍ତି । ହିମାଳୟ, ବିନ୍ଧ୍ୟାଚଳ, କୈଳାସ ଓ ମନ୍ଦରାଚଳ ପ୍ରଭୃତି ପର୍ବତମାନେ ଚିତ୍ରକୂଟ ପର୍ବତର ଗୁଣଗାନ କରନ୍ତି । ସେହି ଚିତ୍ରକୂଟ ଶ୍ରୀରାମଙ୍କ ନିବାସ ଫଳରେ ଦେବଭୂମିରେ ପରିଣତ ହୋଇଅଛି ।

 

ଲକ୍ଷ୍ମଣ ସଦାସର୍ବଦା ମନ ବଚନ ଓ କର୍ମରେ ଶ୍ରୀରାମ ଓ ସୀତାଙ୍କ ସେବାରେ ଲାଗିଥାନ୍ତି-। ତାଙ୍କ ଉପରେ ଶ୍ରୀରାମଙ୍କର ସ୍ନେହ ଅସୀମ । ତେଣୁ ଲକ୍ଷ୍ମଣ ସ୍ଵପ୍ନରେ ମଧ୍ୟ ପିତା ମାତା ଭ୍ରାତା ଓ ଅଯୋଧ୍ୟାପୁରୀକୁ ସ୍ମରଣ କରନ୍ତି ନାହିଁ । ସୀତା ଶ୍ରୀରାମଙ୍କର ସେବାରେ ଲାଗି ସବୁ ଭୁଲିଯାଉଥାନ୍ତି-। ଚିତ୍ରକୂଟ ପତ୍ରକୁଟୀର ଅଯୋଧ୍ୟା ରାଜଭବନଠାରୁ ତାଙ୍କ ପାଇଁ ବେଶି ସୁଖଦାୟକ । ଶ୍ରୀରାମଙ୍କର ମୁଖଚନ୍ଦ୍ର କ୍ଷଣକ୍ଷଣକେ ଦେଖି ଦେଖି ସେ ପରମ ଆନନ୍ଦିତ । ସ୍ଵାମୀଙ୍କ ସହିତ ପର୍ଣ୍ଣକୁଟୀର ତାଙ୍କୁ ଅତ୍ୟନ୍ତ ପ୍ରିୟ ଲାଗୁଛି । ମୃଗ ଓ ପକ୍ଷୀମାନେ ତାଙ୍କର କୁଟୁମ୍ବ ପରି ଚଳୁଛନ୍ତି । ମୁନିପତ୍ନୀମାନଙ୍କୁ ଶାଶୁ ପରି ମନେ କରି ସେ ସେମାନଙ୍କର ସେବାରେ ମନ ଦେଇଥାନ୍ତି । ଶ୍ରେଷ୍ଠ ମୁନିମାନଙ୍କୁ ସେ ଶ୍ଵଶୁର ସଦୃଶ ଭକ୍ତି ଶ୍ରଦ୍ଧା କରୁଥାନ୍ତି । ବଣର କନ୍ଦମୂଳ ତାହାଙ୍କୁ ଅମୃତ ପରି ଲାଗୁଥାଏ ।

 

ଶ୍ରୀରାମଚନ୍ଦ୍ର ଯେତେବେଳେ ଅଯୋଧ୍ୟା କଥା ସ୍ମରଣ କରନ୍ତି ତାଙ୍କ ନେତ୍ର ଦୁଇଟି ସଜଳ ହୋଇଯାଏ । ପିତା, ମାତା, ପରିବାର ଓ ଭରତଙ୍କର ସ୍ନେହ ମନେପଡ଼ିଗଲେ ତାଙ୍କ ମନରେ ସମୟେ ସମୟେ ଦୁଃଖ ଆସେ; କିନ୍ତୁ ସେତେବେଳେ ମନରେ ଧୈର୍ଯ୍ୟ ଆଣି ସେ ସବୁ କଥା ଭୁଲିବାକୁ ଚେଷ୍ଟା କରନ୍ତି । ତାଙ୍କ ମନରେ ଦୁଃଖ ଦେଖିଲେ ସୀତା ଓ ଲକ୍ଷ୍ମଣ ବ୍ୟାକୁଳ ହୋଇପଡ଼ନ୍ତି-

 

ଲକ୍ଷ୍ମଣ ଓ ସୀତାଙ୍କୁ ପାଖରେ ବସାଇ ଶ୍ରୀରାମଚନ୍ଦ୍ର ଅନେକ ପୁରାଣ, ପବିତ୍ରକଥା କହନ୍ତି-। ଦୁହେଁଯାକ ଶ୍ରୀରାମଙ୍କର କଥାମୃତକୁ ଅତି ଆନନ୍ଦରେ ଶୁଣି ସମୟ ଯାପନ କରନ୍ତି । କଥା କହିଲାବେଳେ ଓ ଶୁଣିଲାବେଳେ ସମସ୍ତେ ଦୁଃଖ ଶୋକ ଭୁଲିଯାନ୍ତି ।

Image

 

ସୁମନ୍ତ୍ରଙ୍କର ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ

 

ନିଷାଦରାଜ ଗୂହକ ଶ୍ରୀରାମଚନ୍ଦ୍ରଙ୍କଠାରୁ ମେଲାଣି ନେଇ ନିଜ ରାଜ୍ୟକୁ ଫେରୁଥିବା ବେଳେ ସୁମନ୍ତ୍ରଙ୍କୁ ବାଟରେ ଭେଟିଲେ । ସୁମନ୍ତ୍ରଙ୍କର ବ୍ୟାକୁଳତା ଦେଖି ସେ ବଡ଼ ଦୁଃଖିତ ହୋଇ ପଡ଼ିଲେ । ନିଷାଦକୁ ଏକୁଟିଆ ଦେଖି ସୁମନ୍ତ୍ର ‘ହେ ରାମ’, ‘ହେ ଲକ୍ଷ୍ମଣ’, ‘ହେ ସୀତା’ ବୋଲି କହି କାନ୍ଦି କାନ୍ଦି ଭୂମିରେ ପଡ଼ିଗଲେ । ଅଶ୍ଵଗୁଡ଼ିକ ଚିତ୍କାର କରି କରି ଦକ୍ଷିଣ ଦିଗକୁ ଚାହୁଁଥାନ୍ତି । ସେମାନେ ଘାସ ଖାଉ ନ ଥାନ୍ତି କ ପାଣି ପିଉ ନ ଥାନ୍ତି । ସେମାନଙ୍କର ଆଖିରୁ ଲୋତକ ବହିଚାଲିଥାଏ ।

 

ସୁମନ୍ତ୍ର ଓ ଅଶ୍ଵ ମାନଙ୍କର ଏ ଅବସ୍ଥା ଦେଖି ଗୂହକ ସୁମନ୍ତ୍ରଙ୍କୁ ଧୈର୍ଯ୍ୟ ଦେଇ କହିଲେ–ମନ୍ତ୍ରୀବର, ଆପଣ ପଣ୍ଡିତ; ପଣ୍ଡିତମାନେ ବିଧାତାକୁ ପ୍ରତିକୂଳ ବୋଲି ଜାଣି ଧୈର୍ଯ୍ୟ ଧାରଣ କରନ୍ତି-। ଆପଣ ଦୁଃଖ କରନ୍ତୁ ନାହିଁ । ନିଷାଦରାଜ ସୁମନ୍ତ୍ରଙ୍କୁ ନାନା ପ୍ରକାର ବୋଧ ଦେଇ ହାତ ଧରି ନେଇ ରଥରେ ବସାଇଲେ । ଦୁର୍ବଳତା ଯୋଗୁ ସେ ରଥ ଚଳାଇବାରେ ଅସମର୍ଥ ହୋଇ ପଡ଼ୁଥିଲେ-। ଅଶ୍ଵଗୁଡ଼ିକ କେତେବେଳେ ପଛକୁ ଚାହୁଁଥାନ୍ତି, କେବେ କେବେ ରାସ୍ତାରେ ଝୁଣ୍ଟି ପଡ଼ୁଥାନ୍ତି I ଶ୍ରୀରାମଙ୍କ ନାମ ଶୁଣିବାମାତ୍ରେ ଚିତ୍କାର କରି ପଛକୁ ଚାହୁଁଥାନ୍ତି । ସୁମନ୍ତ୍ର ଓ ଅଶ୍ଵମାନଙ୍କର ଏ ଅବସ୍ଥା ଦେଖି ନିଷାଦରାଜ ତାଙ୍କର ଚାରିଜଣ ଉତ୍ତମ ସେବକ ଡାକି ସେମାନଙ୍କୁ ଆଦେଶ ଦେଲେ, ତୁମ୍ଭେମାନେ ମହାମନ୍ତ୍ରୀଙ୍କ ସହିତ ଅଯୋଧ୍ୟାକୁ ଯାଅ, ତାଙ୍କୁ ନିରାପଦରେ ଛାଡ଼ି ଦେଇ ରାଜ୍ୟକୁ ଫେରିଆସିବ !

 

ରଥ ଯେତେବେଳେ ଅଯୋଧ୍ୟା ଆଡ଼କୁ ଗତିକଲା, ସୁମନ୍ତ୍ର ବ୍ୟାକୁଳ ହୃଦୟରେ କହୁଥାନ୍ତି–ଶ୍ରୀରାମଚନ୍ଦ୍ରଙ୍କ ବିନା ଏ ଶରୀର ରଖି କି ଲାଭ ? ଯଦି ଶ୍ରୀରାମଙ୍କ ବିଚ୍ଛେଦରେ ଏ ଶରୀର ନଷ୍ଟ ହୋଇଯାଇଥାନ୍ତା, ତେବେ ଯଶ ରଖି ଯାଇଥାନ୍ତା । ଏବେ ଏ ପ୍ରାଣ ଅପଯଶ ଓ ପାପର ଭାଣ୍ଡ ହୋଇ ବଞ୍ଚିଛି । କେଡ଼େ ବଡ଼ ସୁଯୋଗ ଚାଲିଗଲା, ତଥାପି ଏ ହୃଦୟ ଫାଟିଗଲା ନାହିଁ କିମିତି ?

 

ଏହିପରି ନାନା କଥା ସୁମନ୍ତ୍ର ଚିନ୍ତା କରୁଥାନ୍ତି, ମୁଣ୍ଡ ବାଡ଼େଇ କାନ୍ଦୁଥାନ୍ତି । କୃପଣ ବ୍ୟକ୍ତି ତାର ଧନଭଣ୍ଡାର ହଜାଇ ଦେଇଥିଲା ପରି, ଯୋଦ୍ଧା ନିଜର ବାହାଦୁରୀ ପ୍ରଚାର କରିସାରି ଯୁଦ୍ଧକ୍ଷେତ୍ରରୁ ହଟି ଖସି ପଳାଇ ଆସୁଥିଲା ପରି କିମ୍ବା କୌଣସି ବିବେକଶୀଳ, ବେଦଜ୍ଞତା ସାଧୁ ବ୍ରାହ୍ମଣ ଅଜ୍ଞାତରେ ମଦ ପାନକରିସାରି ଅନୁତାପଦଗ୍‌ଧ ହେଉଥିଲା ଭଳି ମନ୍ତ୍ରିବର ସୁମନ୍ତ୍ର ଶ୍ରୀରାମ, ଲକ୍ଷ୍ମଣ, ସୀତାଙ୍କୁ ଛାଡ଼ି ଫେରିଆସିଲାବେଳେ ଅନୁଭବ କରୁଥାନ୍ତି । ନେତ୍ର ଦୁଇଟି ଲୋତକାପ୍ଳୁତ ଏବଂ ମନ୍ଦଦୃଷ୍ଟିସଂପନ୍ନ, କର୍ଣ୍ଣ ବଧିର, ଓଷ୍ଠ ଶୁଷ୍କ ପ୍ରାୟ ଏବଂ ମୁଖ ବିବର୍ଣ୍ଣ ହୋଇଯାଇଛି । ପିତାମାତାଙ୍କୁ ବଧକରି କେହି ଅନୁତାପାନଳରେ ଦଗ୍‌ଧ ହେବାପରି କିମ୍ବା ପାପୀ ବ୍ୟକ୍ତି ନରକରାସ୍ତାରେ ବ୍ୟାକୁଳ କ୍ରନ୍ଦନ କରୁଥିଲା ପରି ସୁମନ୍ତ୍ର ଦିଶୁଛନ୍ତି । ହୃଦୟଭିତରେ ଅପାର ଚିନ୍ତା, ମୁହଁରୁ କଥା ବାହାରୁନାହିଁ । ଭାବୁଛନ୍ତି, ମୁଁ ଅଯୋଧ୍ୟା ଯାଇ କି ଦୃଶ୍ୟ ଦେଖିବି ? ଶ୍ରୀରାମବିହୀନ ରଥକୁ ଦେଖିବାମାତ୍ରେ ମୋତେ ଚାହିଁବା ପାଇଁ ଅଯୋଧ୍ୟା ନରନାରୀ ସଂକୋଚ ବୋଧ କରିବେ । ନଗରର ବ୍ୟାକୁଳ ସ୍ତ୍ରୀପୁରୁଷମାନେ ଯେତେବେଳେ ଦୌଡ଼ିଆସି ମୋତେ ପଚାରିବେ, ମୁଁ ହୃଦକୁ ବଜ୍ରପରି ସେମାନଙ୍କୁ କି ଉତ୍ତର ଦେବି ? ଦୁଃଖିନୀ ମାତାମାନେ ମୋତେ ପଚାରିଲେ, ହେ ବିଧାତା-! ମୁଁ ସେମାନଙ୍କୁ କଣ କହିବି ? ଲକ୍ଷ୍ମଣଙ୍କର ମାତା ମୋତେ ଯେତେବେଳେ ପଚାରିବେ ମୁଁ ତାଙ୍କୁ କି ସୁଖ ସଂଦେଶ ଦେବି ! ନବଜାତ ବତ୍ସକୁ ସ୍ମରଣ କରି ଗାଭୀ ଧାବିତ ହେଲା ପରି କୌଶଲ୍ୟା ଯେତେବେଳେ ଆବେଗ କଣ୍ଠରେ ଦୌଡ଼ିଆସି ମୋତେ ପଚାରିବେ, ମୁଁ କ'ଣ କହିବି ? ଶ୍ରୀରାମ ଲକ୍ଷ୍ମଣ ସୀତା ବଣକୁ ଚାଲିଗଲେ ! ଦୁଃଖାତୁର ମହାରାଜାଙ୍କ ଜୀବନ ଶ୍ରୀରାମଙ୍କର ଅଧୀନ । ସେ ମୋତେ ଯେତେବେଳେ ପଚାରିବେ, ମୁଁ କେଉଁ ମୁହଁ ଦେଖାଇ ଉତ୍ତର ଦେବି–ମୁଁ ଶ୍ରୀରାମଙ୍କୁ କୁଶଳରେ ଛାଡ଼ିଆସିଛି । ଲକ୍ଷ୍ମଣ, ସୀତା ଓ ଶ୍ରୀରାମଙ୍କର ଏ ସମାଚାର ଶୁଣିବାମାତ୍ରେ ସେ ଶରୀର ଧରି ରହିପାରିବେ ? ବିଧାତା, ମୋତେ ପାପୀର ନରକଯାତନା ପାଇଁ ଏ ଶରୀର ଦେଇଛି ସିନା !

 

ସୁମନ୍ତ୍ର ଏହିପରି ଚିନ୍ତାରେ ବୁଡ଼ିରହିଛନ୍ତି, ରଥ ଆସି ତମସା ନଦୀକୂଳରେ ପହଞ୍ଚିଲା । ମନ୍ତ୍ରୀ ସେହିଠାରେ ଚାରି ନିଷାଦଙ୍କୁ ନାନା ବିନୟ କରି କହି ବିଦାୟ ଦେଲେ । ଅତି ସଂକୋଚପୂର୍ଣ୍ଣ ହୃଦୟରେ ସେ ନଗର ମଧ୍ୟରେ ପ୍ରବେଶ କଲେ । ନଗର ଉପକଣ୍ଠରେ ଥିବା ଏକ ବୃକ୍ଷମୂଳେ ବସି ବସି ଚିନ୍ତାପୂର୍ଣ୍ଣ ହୃଦୟରେ ସାରାଦିନ କଟାଇଲେ । ସନ୍ଧ୍ୟା ହେବାରୁ ସୁମନ୍ତ୍ର ସିଂହଦ୍ଵାର ପର୍ଯ୍ୟନ୍ତ ରଥ ଆଣି ସେହିଠାରେ ଠିଆକରାଇ ଦେଇ ରାଜଭବନ ଭିତରେ ବଡ଼ ସନ୍ତର୍ପଣରେ ପ୍ରବେଶ କଲେ । ରଥ ଫେରି ଆସିବା ଖବର ପାଇବାମାତ୍ରେ କେତେକ ଲୋକ ରଥ ପାଖରେ ଆସି ଜମାହେଲେ । ରାଣୀମାନେ ସୁମନ୍ତ୍ରଙ୍କ ପ୍ରତ୍ୟାବର୍ତ୍ତନ ଖବର ପାଇବାମାତ୍ରେ ବ୍ୟାକୁଳ ହୋଇ ତାଙ୍କୁ ଖୋଜିବାରେ ଲାଗିଲେ । ସୁମନ୍ତ୍ରଙ୍କୁ ଦେଖିବା ସଙ୍ଗେ ସଙ୍ଗେ ରାଣୀମାନେ ଅଧୀର ହୋଇ କେତେକଥା ପଚାରିଦେଇଗଲେ; କିନ୍ତୁ ସୁମନ୍ତ୍ରଙ୍କୁ କିଛି ଉତ୍ତର ଆସୁନାହିଁ । ତାଙ୍କ କାନକୁ କିଛି ଶୁଭୁନାହିଁ କି ଆଖିକୁ କିଛି ଦିଶୁନାହିଁ । ଯାହାକୁ ଆଗରେ ଦେଖୁଛନ୍ତି ତାଙ୍କୁ ସେଇ ଏକାକଥା ପଚାରିବାରେ ଲାଗିଛନ୍ତି–ମହାରାଜ କାହାନ୍ତି, ମୋତେ କୁହନ୍ତୁ ।

 

ଦାସୀମାନେ ମନ୍ତ୍ରୀଙ୍କର ବ୍ୟାକୁଳତା ଦେଖି ତାଙ୍କୁ କୌଶଲ୍ୟାଙ୍କ ଭବନକୁ ନେଇଗଲେ । ସୁମନ୍ତ୍ର ସେହିଠାରେ ରାଜାଙ୍କୁ ଦେଖିଲେ । ରାଜା ଭୂମି ଉପରେ ଶୋଇଛନ୍ତି, ଘନ ଘନ ଦୀର୍ଘଶ୍ଵାସ ତ୍ୟାଗ କରୁଛନ୍ତି, କେତେବେଳେ କିମିତି ମୁହଁରୁ ‘ହା ରାମ’, ‘ହା ଲକ୍ଷ୍ମଣ’, ‘ହା ଜାନକୀ’ ବୋଲି ଅତି କ୍ଷୀଣସ୍ଵରରେ କହିପକାଉଛନ୍ତି । ସୁମନ୍ତ୍ର ଦଣ୍ଡବତ ପ୍ରଣାମ କରିବାରୁ ବ୍ୟାକୁଳ ଅବସ୍ଥାରେ ଚକ୍ଷୁ ଖୋଲିଗଲା, ମୁହଁ ଫିଟିଗଲା, ପଚାରିଲେ–ସୁମନ୍ତ୍ର, କହ, ଶ୍ରୀରାମ କେଉଁଠି ଅଛି ? ହେ ସଖା, ଶ୍ରୀରାମର କୁଶଳ ସମ୍ବାଦ ମୋତେ ଶୀଘ୍ର କହ । ତୁମେ ସେମାନଙ୍କୁ ଫେରେଇ ଆଣିଛ, ନାଁ ସେମାନେ ବଣକୁ ଚାଲିଗଲେ ?

 

ମନ୍ତ୍ରୀଙ୍କ ନେତ୍ରରେ ଲୋତକ ଢଳଢଳ ହୋଇଗଲା । ସେ କଣ କହିବେ ବିଚାରିପାରିଲେ ନାହିଁ । ପୁଣି ରାଜା କହିବାକୁ ଆରମ୍ଭ କଲେ–ମୁଁ ତାକୁ ରାଜା କରାଇବାକୁ ସବୁ ବ୍ୟବସ୍ଥା କଲି; କିନ୍ତୁ ସଙ୍ଗେ ସଙ୍ଗେ ବନକୁ ପ୍ରେରଣ କଲି । ମୋର ଏ କଥା ଶୁଣିସାରି ମଧ୍ୟ ଯେଉଁ ପୁତ୍ରର ମନରେ ତିଳେହେଲେ ଆନନ୍ଦ ବା ବିଷାଦ ଜନ୍ମିଲା ନାହିଁ, ଏପରି ପୁତ୍ରକୁ ତ୍ୟାଗ କରି ମୋର ଏ ପ୍ରାଣ ଆହୁରି ବଞ୍ଚି ରହିଛି । ଏ ସଂସାରରେ ମୋ’ଠାରୁ ବଡ଼ ପାପୀ କଣ ଆଉ କେହି ଅଛି ? ଶ୍ରୀରାମ, ଲକ୍ଷ୍ମଣ, ଜାନକୀଙ୍କୁ ଯେଉଁଠି ଛାଡ଼ିଆସିଛ ମୋତେ ସେଠାରେ ନେଇ ପହଞ୍ଚାଇଦିଅ; ନ ହେଲେ ମୋର ପ୍ରାଣ ଚାଲିଯିବ । ମୁଁ କିମିତି ମୋର ପ୍ରାଣପ୍ରିୟ ଶ୍ରୀରାମଙ୍କୁ ଦେଖିବି ?

 

ମନ୍ତ୍ରୀ ଧୈର୍ଯ୍ୟ ଦେଇ ଅନେକ ବୁଝାଇ କହିଲେ–ଆପଣ ପଣ୍ଡିତ, ଜ୍ଞାନୀ । ଜଗତର ଧୈର୍ଯ୍ୟବାନ୍ ପୁରୁଷମାନଙ୍କ ମଧ୍ୟରେ ଆପଣ ଶ୍ରେଷ୍ଠ । ଆପଣ ସବୁବେଳେ ସାଧୁସେବାରେ ବ୍ୟସ୍ତ । ଜନ୍ମ-ମରଣ, ହାନିଲାଭ, ସୁଖ-ଦୁଃଖ ଭୋଗ, ପ୍ରିୟତମମାନଙ୍କର ମିଳନ ଏବଂ ବିଚ୍ଛେଦ ଏସବୁ କାଳ ଓ କର୍ମ ଅଧୀନରେ ଦିନରାତି ପରି ଯିବାଆସିବା କରେ । ମୂର୍ଖଲୋକମାନେ ଦୁଃଖରେ ବିଳାପ କରନ୍ତି ଓ ସୁଖରେ ବିହ୍ଵଳ ହୋଇପଡ଼ନ୍ତି; କିନ୍ତୁ ଧୀର ପୁରୁଷମାନେ ଉଭୟକୁ ସମାନ ବୋଲି ମନେକରନ୍ତି । ଆପଣ ବିବେକଦ୍ଵାରା ବିଚାର କରି ଧୈର୍ଯ୍ୟଧାରଣ କରନ୍ତୁ ।

 

ତା’ପରେ ସୁମନ୍ତ୍ର ଶ୍ରୀରାମଙ୍କର ବନବାସ କଥା ବର୍ଣ୍ଣନା କରି କହିଲେ–ଶ୍ରୀରାମ ତମସା ନଦୀ କୂଳରେ ପ୍ରଥମ ରାତ୍ରି ଯାପନ କଲେ । ସେଠାରୁ ଗଙ୍ଗା ନଦୀ କୂଳକୁ ଗଲେ । ଦୁଇ ଭାଇ ଓ ସୀତା ସେଦିନ ସ୍ନାନ କରିସାରି ଜଳପାନ କରି ଦିନ ଅତିବାହିତ କଲେ । ନିଷାଦ ରାଜା ତାହାଙ୍କର ସେବାରେ ଲାଗିଥାନ୍ତି । ଦ୍ୱିତୀୟ ଦିନ ରାତ୍ରି ଶୃଙ୍ଗବେରପୁରରେ ରହି ପରଦିନ ସକାଳ ହେଉ ହେଉ ବଟବୃକ୍ଷର କ୍ଷୀର ମଗାଇଲେ । ସେହି କ୍ଷୀରରେ ଶ୍ରୀରାମ ଓ ଲକ୍ଷ୍ମଣ ଜଟାମୁକୁଟ ରଚନା କଲେ । ନିଷାଦ ରାଜା ଗୋଟିଏ ନାବ ଅଣାଇଲେ । ସୀତାଙ୍କୁ ପ୍ରଥମେ ନାବ ଉପରେ ଚଢ଼ାଇ ତା’ପରେ ଶ୍ରୀରାମଚନ୍ଦ୍ର ନାବ ଉପରେ ଚଢ଼ିଲେ । ଲକ୍ଷ୍ମଣ ତୀରଧନୁ ସଜ୍ଜିତ ବେଶରେ ଶ୍ରୀରାମଙ୍କର ଆଜ୍ଞା ପାଇ ନାଆରେ ଚଢ଼ିଲେ । ମୁଁ ଏ ଦୃଶ୍ୟ ଦେଖି ବ୍ୟାକୁଳ ହୋଇପଡ଼ିଲି । ତେଣୁ ଶ୍ରୀରାମ ମୋତେ ଧୈର୍ଯ୍ୟ ଦେଇ କହିଲେ–ହେ ତାତ, ପିତାଙ୍କୁ ମୋର ପ୍ରଣାମ ଜଣାଇଦେବ । ତମେ ମୋ ନିମନ୍ତେ ପିତାଙ୍କ ଚରଣକମଳ ଧରି କହିବ, ମୋ ପାଇଁ ଚିନ୍ତା କରିବେ ନାହିଁ । ତାଙ୍କରି କୃପା, ଅନୁଗ୍ରହ ଓ ପୁଣ୍ୟବଳରୁ ବନବାସ ସମୟରେ ଏବଂ ମାର୍ଗରେ ଆମ୍ଭମାନଙ୍କର କଲ୍ୟାଣ ଓ କୁଶଳ ହେବ । ତାଙ୍କରି ଅନୁଗ୍ରହ ମୂଳରେ ଆମ୍ଭେମାନେ ବନରେ ସବୁ ପ୍ରକାରର ସୁଖରେ ରହିବୁ । ତାଙ୍କରି ଆଦେଶ ପ୍ରତିପାଳନ କରିସାରି ତାଙ୍କରି ଚରଣ ଦର୍ଶନ କରିବାପାଇଁ କୁଶଳରେ ଫେରିଆସିବୁ । ମୋର ମାତାମାନଙ୍କୁ ମଧ୍ୟ ସେହିପରି ବୁଝାଇଦେବ । ଗୁରୁ ବଶିଷ୍ଠଙ୍କର ଚରଣକମଳ ଧରି କହିବ, ସେ ପିତାଙ୍କୁ ଉପଦେଶ ଦେଇ ମୋ ପାଇଁ ଚିନ୍ତା ନ କରିବାକୁ ବୁଝାଇଦେବେ । ମହାରାଜାଙ୍କୁ ସୁଖୀ କରିବା ପାଇଁ ପୁରବାସୀ ଓ କୁଟୁମ୍ବର ସମସ୍ତଙ୍କୁ ମୋର ଅନୁରୋଧ ଜଣାଇଦେବ । ଭରତ ଫେରିବା ପରେ ତାଙ୍କୁ କହିବ, ସେ ରାଜପଦରେ ଅଧିଷ୍ଠିତ ହୋଇ ନୀତି ଅନୁସାରେ ମନ, କର୍ମ ଓ ବଚନ ଦ୍ଵାରା ପ୍ରଜାପାଳନ କରିବେ ଏବଂ ସବୁ ମାତାଙ୍କୁ ସମାନ ଜ୍ଞାନରେ ସେବା କରିବେ ।

 

ଲକ୍ଷ୍ମଣ ସେତେବେଳେ କେତେକ କଠୋର କଥା କହିଲେ । କିନ୍ତୁ ଶ୍ରୀରାମ ଲକ୍ଷ୍ମଣଙ୍କୁ ବୋଧ ଦେଲେ ଏବଂ ଲକ୍ଷ୍ମଣଙ୍କର ବାଳସୁଲଭ କଥା ମନରେ ନ ଧରିବା ପାଇଁ ମୋତେ ଅନୁରୋଧ କଲେ । ସୀତା ମଧ୍ୟ ପ୍ରଣାମ ଜଣାଇ କଣ କିଛି କହିବା ପାଇଁ ଯାଉଥିଲେ; କିନ୍ତୁ ତାଙ୍କ ନେତ୍ର ସଜଳ ହୋଇଗଲା, କିଛି କହିପାରିଲେ ନାହିଁ । ସେତିକିବେଳେ ନାଉରୀ ଶ୍ରୀରାମଙ୍କର ଆଦେଶ ପାଇ ନାଆ ଚଳାଇବାକୁ ଲାଗିଲା । ତିନିହେଁ ନୌକାରେ ବସି ଗଲାବେଳେ ମୁଁ କୂଳରେ ଠିଆ ହୋଇ ଛାତିକି ବଜ୍ର କରି ସେ ଦୃଶ୍ୟ ଦେଖୁଥିଲି । ଶ୍ରୀରାମଙ୍କର ଏ ସନ୍ଦେଶ ନେଇ ମୁଁ ବଂଚିରହି ଫେରିଆସିଲି । ମନ୍ତ୍ରୀଙ୍କର ମୁଖରୁ ଆଉ କଥା ବାହାରିଲା ନାହିଁ ।

 

ସାରଥିଙ୍କର ବର୍ଣ୍ଣନା ଶୁଣୁ ଶୁଣୁ ଦଶରଥ ସେହିଠାରେ ପୃଥିବୀ ଉପରେ ଟଳିପଡ଼ିଲେ । ସେ ଛାତିପିଟି କାନ୍ଦିବାକୁ ଲାଗିଲେ । ରାଣୀମାନେ ବିଳାପ କରିବାକୁ ଲାଗିଲେ । ଏ ବିଳାପଧ୍ୱନି ଶୁଣି ଅଯୋଧ୍ୟାପୁରୀର ନରନାରୀ, ବାଳକବାଳିକା ସମସ୍ତେ କାନ୍ଦିବାକୁ ଲାଗିଲେ । ଦଶରଥଙ୍କର ପ୍ରାଣ କଣ୍ଠାଗ୍ରତ ହେଲା । କୌଶଲ୍ୟା ସେତିକିବେଳେ ଦଶରଥଙ୍କ ପାଖରେ ବସି କହିଲେ–ହେ ସ୍ଵାମୀ, ଶ୍ରୀରାମ-ବିଚ୍ଛେଦରୂପକ ସମୁଦ୍ରରେ ଏ ଅଯୋଧ୍ୟାରୂପୀ ପୋତର ଆପଣ ହିଁ କର୍ଣ୍ଣଧାର । ଏ ପୋତ ମଧ୍ୟରେ ଯେଉଁ କୁଟୁମ୍ବ, ପରିଜନ, ସମାଜ ବସିଛନ୍ତି, ଆପଣ ଧୈର୍ଯ୍ୟ ଧରି ଏହାକୁ ନ ଚଳାଇଲେ ସମସ୍ତେ ବୁଡ଼ିଯିବେ । ଶ୍ରୀରାମ, ଲକ୍ଷ୍ମଣ ଓ ସୀତା ପୁନର୍ବାର ଫେରିଆସିବେ; ଆପଣ ଧୈର୍ଯ୍ୟ ଧାରଣ କରନ୍ତୁ ।

 

କୌଶଲ୍ୟାଙ୍କର ଏ କଥା ଶୁଣି ରାଜା ଆଖି ଖୋଲି ଚାହିଁଲେ । ପୁଣି ଉଠି ବସିଲେ । କିନ୍ତୁ ତାଙ୍କର ହୃଦୟ ବ୍ୟାକୁଳ ହୋଇ ଉଠିଲା, ପଚାରିଲେ–ସୁମନ୍ତ୍ର, ଶ୍ରୀରାମ ମୋର କାହିଁ ? ମୋର ଲକ୍ଷ୍ମଣ କାହିଁ ? ମୋର ଅତିପ୍ରିୟ ପୁତ୍ରବଧୂ ଜାନକୀ କାହାନ୍ତି ?

 

ସେ ରାତିଟି ତାଙ୍କୁ ଗୋଟିଏ ଯୁଗ ପରି ବୋଧ ହେଲା । ଅନ୍ଧ ତପସ୍ଵୀଙ୍କର ଅଭିଶାପ ତାଙ୍କର ମନେପଡ଼ିଲା । ସେ ଶ୍ରବଣକୁମାରଙ୍କର ସମସ୍ତ କଥା କୌଶଲ୍ୟାଙ୍କୁ କହି ଶୁଣାଇଲେ । ସେସବୁ ଇତିହାସ ବର୍ଣ୍ଣନା କରୁ କରୁ ରାଜା ବ୍ୟାକୁଳ ହୋଇଉଠିଲେ । ପୁଣି କହିଲେ–ଶ୍ରୀରାମ ବିନା ଜିଇରହିବାର ଆଶାକୁ ଧିକ୍‌କାର; ମୁଁ ଏ ଶରୀର ରଖି କଣ କରିବି ? ‘ହା ରାମ’, ‘ହା ଜାନକୀ’, ‘ହା ଲକ୍ଷ୍ମଣ’ ବାରମ୍ବାର କହୁ କହୁ ତାଙ୍କର ପ୍ରାଣ ଶରୀରରୁ ଉଡ଼ିଗଲା ।

 

ରାଣୀମାନେ ବିଳାପ କରିବାକୁ ଲାଗିଲେ । ନଗରବାସୀ, ଦାସଦାସୀ, କୁଟୁମ୍ବ ସମସ୍ତେ ରାଜାଙ୍କର ଗୁଣ ଗୁଣିଗୁଣି କାନ୍ଦିଲେ । ଦୁଃଖର ରୋଳ ଚତୁର୍ଦ୍ଦିଗରେ ଶୁଭିଲା । ସମସ୍ତେ କୈକେୟୀଙ୍କୁ ନାନା ଦୁର୍ବଚନ କହି ଗାଳିଦେଲେ । ସକାଳ ହେବାରୁ ଅନେକ ମୁନି ଆସି ପହଞ୍ଚିଲେ-। ବଶିଷ୍ଠ ସମସ୍ତଙ୍କୁ ପ୍ରବୋଧ ଦେଲେ ।

 

ଗୋଟିଏ ନୌକାରେ ତୈଳ ପୂର୍ଣ୍ଣ କରାଗଲା । ରାଜାଙ୍କର ମୃତଶରୀରକୁ ସେହି ନୌକାଭାଣ୍ଡରେ ରଖାଗଲା । ବଶିଷ୍ଠ ଦୂତମାନଙ୍କୁ ନିର୍ଦ୍ଦେଶ ଦେଇ କହିଲେ–ତୁମ୍ଭେମାନେ ଶୀଘ୍ର ଭରତଙ୍କ ନିକଟକୁ ଯାଅ । ରାଜାଙ୍କର ମୃତ୍ୟୁ ସଂବାଦ କାହାରିକୁ ଜଣାଇବ ନାହିଁ । ତୁମ୍ଭେମାନେ ଭରତଙ୍କୁ କହିବ–‘ଗୁରୁ ବଶିଷ୍ଠ ତୁମ ଦୁଇଜଣଙ୍କୁ ଡାକିନେବାପାଇଁ ପ୍ରେରଣ କରିଅଛନ୍ତି ।’ ଦୂତମାନେ ବଶିଷ୍ଠଙ୍କର ସନ୍ଦେଶ ବହନ କରି କୈକେୟୀପୁରକୁ ଯାତ୍ରାକଲେ ।

Image

 

ଅଯୋଧ୍ୟାରେ ଭରତ

 

ଭରତ ଓ ଶତ୍ରୁଘ୍ନ ମାତୁଳଗୃହରେ । ଅଯୋଧ୍ୟାରେ ଏସବୁ ଘଟଣା ଘଟୁଥିଲାବେଳେ ଦିନେ ସେ ରାତିରେ ଶୋଇଛନ୍ତି, ହଠାତ୍ ଏକ ଭୟଙ୍କର ସ୍ଵପ୍ନ ଦେଖିଲେ । ସକାଳେ ଉଠିବାପରେ ନାନା ମନ୍ଦଭାବନା ତାଙ୍କୁ ବିବ୍ରତ କରୁଥିଲା । ସେଥିପାଇଁ ସେ ସେଠାରେ ବ୍ରାହ୍ମଣଭୋଜନ ଓ ରୁଦ୍ରାଭିଷେକ ଆଦି ନାନା ପୁଣ୍ୟକର୍ମ କରାଉଥିଲେ ଏବଂ ମହାଦେବଙ୍କୁ ହୃଦୟରେ ଜପ କରି ପିତାମାତା, କୁଟୁମ୍ବ ଓ ଭ୍ରାତାମାନଙ୍କର କଲ୍ୟାଣ ନିମନ୍ତେ ପ୍ରାର୍ଥନା କରୁଥିଲେ । ସେହି ସମୟରେ ଅଯୋଧ୍ୟାରୁ ଦୂତ ଯାଇ ପହଞ୍ଚିଲା । ଗୁରୁଙ୍କର ଆଦେଶ ଶୁଣିବାମାତ୍ରେ ସେ କାଳବିଳମ୍ବ ନ କରି ଅଯୋଧ୍ୟା ଉଦ୍ଦେଶ୍ୟରେ ଯାତ୍ରାକଲେ । ବେଗଗାମୀ ଅଶ୍ୱାରୋହଣ କରି ଦୁଇଭ୍ରାତା ଭରତ ଓ ଶତ୍ରୁଘ୍ନ ବିକଟ ବିଶାଳ ପର୍ବତ ନଦୀ ଅତିକ୍ରମ କରି ଅଯୋଧ୍ୟାରେ ପ୍ରବିଷ୍ଟ ହେଲେ ।

 

ନଗର ମଧ୍ୟରେ ପ୍ରବେଶମାତ୍ରେ ବହୁ ମନ୍ଦ ଶକୁନ ଦୃଷ୍ଟିଗୋଚର ହେଲା । ଅଯୋଧ୍ୟାର ନଦୀ, ବନ, ଉଦ୍ୟାନ ଶୋଭହୀନ ଦିଶୁଛି । ନଗରର ନିବାସୀମାନଙ୍କୁ ଦେଖିଲେ–ସମସ୍ତଙ୍କ ମୁଖମଣ୍ଡଳରେ ବିଷାଦର ଛାୟା ଖେଳିଯାଇଛି । କେହି କିଛି କଥା କହୁନାହାନ୍ତି । ନଗରନିବାସୀମାନଙ୍କୁ ଦେଖିବାମାତ୍ରେ ତାଙ୍କ ମନରେ ବିଷାଦ ଓ ଭୟ ଆସିଲା । ବିପଣି ମାର୍ଗ, ଚତୁର୍ଦ୍ଦିଗ ଶୂନ୍ୟ !

 

କୈକେୟୀ ଭରତଙ୍କ ଆଗମନ ସଂବାଦ ଶୁଣିଲେ । ତାଙ୍କୁ ପାଛୋଟି ଆଣିବାପାଇଁ ସିଂହଦ୍ଵାର ପାଖକୁ ଦୌଡ଼ିଗଲେ । ତାଙ୍କୁ ବନ୍ଦାପନା କରି ଭବନ ଭିତରକୁ ଆଣିଲେ । ଭରତଙ୍କର ମନର ବିଷର୍ଣ୍ଣଭାବ ଲକ୍ଷ୍ୟ କରି ପଚାରିଲେ–ମାତୁଳ ଭବନରେ ସବୁ କୁଶଳ ତ ? ଭରତ ମାତୁଳଗୃହର କୁଶଳ ସଂବାଦ ଜଣାଇବା ପରେ ମା’ଙ୍କୁ ପଚାରିଲେ–ଘରେ ସମସ୍ତ କୁଶଳ ତ ? ପିଲା କାହାନ୍ତି ? ମାତାମାନେ କେଉଁଠାରେ ଅଛନ୍ତି ? ମୋର ପ୍ରାଣର ଭ୍ରାତା ଶ୍ରୀରାମ ଓ ଲକ୍ଷ୍ମଣ ଏବଂ ଦେବୀ ସୀତା କାହାନ୍ତି ?

 

କୈକେୟୀ ମନରେ କପଟଭାବ ରଖି ଲୋତକପୂର୍ଣ୍ଣ ନେତ୍ରରେ କହିଲେ–ପୁତ୍ର, ମୁଁ ସମସ୍ତ ବିଷୟ ସୁନ୍ଦରଭାବରେ ବ୍ୟବସ୍ଥା କରି ରଖିଥିଲି; ମନ୍ଥରା ମୋତେ ଭାରି ସାହାଯ୍ୟ କରିଛି । କିନ୍ତୁ ବିଧାତା ମୋ କାର୍ଯ୍ୟରେ ପ୍ରତିକୂଳ ହେଲେ । ମହାରାଜା ମର୍ତ୍ତ୍ୟଲୋକ ତ୍ୟାଗ କରି ଦେବଲୋକକୁ ଚାଲିଗଲେ ।

 

ଏ କଥା ଶୁଣିବାମାତ୍ରେ ଭରତ ବିକଳ ହୋଇ ଶିଶୁପରି କାନ୍ଦିବାକୁ ଲାଗିଲେ । ‘ହେ ପିତା, ହେ ପିତା !’ କହି କହି ଭୂମି ଉପରେ କଚାଡ଼ି ହୋଇ ପଡ଼ିଗଲେ । ଅନେକ ସମୟ ପରେ ପଚାରିଲେ–ମାଆ, ପିତାଙ୍କର କିପରି ଦେହାନ୍ତ ହେଲା ?

 

କୈକେୟୀ ନିଜର ସମସ୍ତ କୌଶଳ ଓ ସାହସପୂର୍ଣ୍ଣ କାର୍ଯ୍ୟସବୁ ଭରତଙ୍କ ସମ୍ମୁଖରେ ବର୍ଣ୍ଣନା କଲେ । ଶ୍ରୀରାମଚନ୍ଦ୍ରଙ୍କର ବନଗମନ ସଂବାଦ ଶୁଣି ଭରତ ପିତାଙ୍କ ମୃତ୍ୟୁକଥା ଭୁଲିଗଲେ ଏବଂ ସମସ୍ତ ଅନର୍ଥର କାରଣ ସେ ନିଜେ ବୋଲି ଭାବି ସ୍ତମ୍ଭିତ ହୋଇଗଲେ । ତାଙ୍କ ମୁଖ ବନ୍ଦ ହୋଇଗଲା । ଏ ପ୍ରକାର ଅବସ୍ଥା ଦେଖି କୈକେୟୀ କହିଲେ–ତୁ ମହାରାଜାଙ୍କ ନିମନ୍ତେ ଏତେ କାନ୍ଦୁଛୁ ? ସେ ଜୀବନକାଳ ମଧ୍ୟରେ ଯଶ ଓ ପୁଣ୍ୟ ଅର୍ଜନ କରି ମନୁଷ୍ୟଜନ୍ମର ସମସ୍ତ ସଫଳତା ଲାଭ କରି ଯାଇଛନ୍ତି । ସେ ମୃତ୍ୟୁ ପରେ ସ୍ଵର୍ଗଲୋକରେ ବାସ କରୁଛନ୍ତି । ତୁ କୌଣସି ଚିନ୍ତା କର ନାହିଁ, ରାଜ୍ୟଭୋଗ କର ।

 

ମାତାଙ୍କଠାରୁ ଏପରି କଥା ଶୁଣିବା ମାତ୍ରେ ଭରତଙ୍କ ମନ ବିକଳ ହେବାକୁ ଲାଗିଲା; ସତେ ଯେପରି ପାଚିଲା ବ୍ରଣକୁ କେହି ଖଣ୍ଡିଏ ଜ୍ଵଳନ୍ତ କାଷ୍ଠଖଣ୍ଡ ଦ୍ଵାରା ସ୍ପର୍ଶ କରିଦେଲା । ସେ ଧୈର୍ଯ୍ୟ ଧାରଣ କରି ଦୀର୍ଘ-ନିଶ୍ଵାସ ତ୍ୟାଗ କଲେ । ମାତାଙ୍କୁ କହିଲେ–ପାପିନୀ ! ତୋରି ଯୋଗୁଁ କୁଳର ସର୍ବସ୍ଵ ନଷ୍ଟ ହୋଇଅଛି । ଯଦି ତୋର ଏପରି ଦୁଷ୍ଟଭାବନା ମନରେ ଥିଲା, ତେବେ ମୋତେ ଜନ୍ମ କରୁ କରୁ ହତ୍ୟା ନ କଲୁ କାହିଁକି ? ତୁ ବୃକ୍ଷଚ୍ଛେଦନ କରି ପତ୍ରକୁ ବଞ୍ଚାଇବାକୁ ଚେଷ୍ଟା କରୁଛୁ ! ସୂର୍ଯ୍ୟବଂଶ ସଦୃଶ ପବିତ୍ର ବଂଶ, ଦଶରଥଙ୍କ ପରି ପିତା, ଶ୍ରୀରାମ ଲକ୍ଷ୍ମଣ ପରି ମୋତେ ଭାଇ ମିଳିଲେ । ତୋ ପରି ଜନ୍ମଦାତ୍ରୀ ମୋତେ ମିଳିବାକୁ ଥିଲା ? ଏ ପ୍ରକାର ମନ୍ଦଚିନ୍ତା ଯେତେବେଳେ ତୋ ମନରେ ଆସିଲା, ସେତେବେଳେ ତୋର ହୃଦୟ ଖଣ୍ଡ-ବିଖଣ୍ଡିତ ହୋଇଗଲାନି କିପରି ? ବର ଯାଚନା କରିବା ସମୟରେ ତୋ ମନରେ ତିଳେ ହେଲେ କଷ୍ଟ ଆସିଲା ନାହିଁ ? ତୋର ଜିହ୍ଵା ଖଣ୍ଡ ଖଣ୍ଡ ହୋଇଗଲାନି କିପରି । ତୋ ମୁହଁରେ ଜୀବାଣୁ ଜାତ ହେଲେ ନାହିଁ । ରାଜା ତୋତେ ଏତେ ବିଶ୍ଵାସ କଲେ କିପରି ? ବୋଧହୁଏ ପିତାଙ୍କର ମୃତ୍ୟୁ ସମୟ ଆସନ୍ନ ଜାଣି ବିଧାତା ତାଙ୍କର ବୁଦ୍ଧି ଭ୍ରଷ୍ଟ କରିଦେଲେ । ସ୍ତ୍ରୀମାନଙ୍କର ହୃଦୟର ଗତି ବିଷୟରେ ବିଧାତା ମଧ୍ୟ ଅଜ୍ଞ ! ସେ ହୃଦୟ ମଧ୍ୟରେ ସବୁ କପଟତା, ପାପ, ମନ୍ଦଗୁଣ ପୂରିରହିଛି । ରାଜା ସରଳ, ସୁଶୀଳ ଓ ଧର୍ମପରାୟଣ; ସେ ସ୍ତ୍ରୀ-ସ୍ଵଭାବକୁ ବୁଝିବେ କିପରି ? ଜଗତରେ ଏପରି କେହି ଅଛନ୍ତି, ଯେ କି ଶ୍ରୀରାମଚନ୍ଦ୍ରଙ୍କୁ ଅତିପ୍ରିୟ ବୋଲି ମନେ ନ କରନ୍ତି ? ସେ ଶ୍ରୀରାମ ତୋର ଶତ୍ରୁ ହେଲେ ! ତୁ ଯେ କେହି ହୁଅପଛେ, ମୁଖରେ କାଳିମା ଲେପନ କରି ମୋର ସମ୍ମୁଖରୁ ଦୂର ହୁଅ । ବିଧାତା ମୋତେ ରାମ-ବିରୋଧୀ ବୋଲି ପ୍ରମାଣ କରିଦେଇଛି । ଏ ସଂସାରରେ ମୋ’ଠାରୁ ବଳି ଆଉ କେହି ପାପୀ କିଏ ଅଛି ?

 

ଶତ୍ରୁଘ୍ନ ଏସବୁ ଶୁଣୁଥିଲେ । ତାଙ୍କର ସର୍ବାଙ୍ଗ କ୍ରୋଧରେ ପ୍ରଜ୍ଵଳିତ ହେଲା । କିନ୍ତୁ ସେ କରିବେ କଣ ?

 

ଏହି ସମୟରେ ନାନା ସୁନ୍ଦର ବସ୍ତ୍ର ଓ ଅଳଙ୍କାରରେ ମଣ୍ଡିତ ହୋଇ ମନ୍ଥରା ଆସି ପହଞ୍ଚିଲା । ତାକୁ ଦେଖିବାମାତ୍ରେ ଶତ୍ରୁଘ୍ନ କ୍ରୋଧରେ ତା ଉପରେ ପାଦପ୍ରହାର କଲେ l ସେ ଭୂମି ଉପରେ ପଡ଼ିଲା । ତାର କୁବଜ ଫାଟିଗଲା, କପାଳରୁ ରକ୍ତ ବୋହିଲା, ଦାନ୍ତ ଭାଙ୍ଗିଗଲା, ମୁହଁରୁ ଧାରଧାର ହୋଇ ରକ୍ତ ବହିଲା । ସେ କାନ୍ଦି କାନ୍ଦି କହିଲା–ହାୟରେ କପାଳ ! ମୁଁ କି ଦୋଷ କଲି, ଭଲକାମ କରିବାକୁ ଯାଇ ମନ୍ଦଫଳ ପାଇଲି । ଶତ୍ରୁଘ୍ନ ତା’ର ଏ କଥା ଶୁଣି ନଖରୁ ଶିଖା ପର୍ଯ୍ୟନ୍ତ ତାକୁ ଚାହିଁ ଅତି ମନ୍ଦ ବୋଲି ଜାଣିପାରିଲେ ଏବଂ କେଶ ଧରି ଘୋଷାରି ପକାଇଲେ । ଦୟାନିଧି ଭରତ ତାହାକୁ ଶତ୍ରୁଘ୍ନଙ୍କ ହାତରୁ ରକ୍ଷାକଲେ !

 

ଦୁଇଭାଇ କୌଶଲ୍ୟାଙ୍କ ପାଖକୁ ଗଲେ । କୌଶଲ୍ୟା ମଳିନ ବସ୍ତ୍ର ପରିଧାନ କରିଥିଲେ-। ଚକ୍ଷୁରୁ ଲୋତକଧାର ବହିଯାଉଥିଲା । ଶରୀର ଦୁର୍ବଳ ହୋଇପଡ଼ିଥିଲା । ଭରତଙ୍କୁ ଦେଖୁ ଦେଖୁ ସେ ଉଠିପଡ଼ିଲେ । ତାଙ୍କ ପାଖକୁ ଦୌଡ଼ିଯିବାକୁ ବସିଲେ; କିନ୍ତୁ ଉଠୁ ଉଠୁ ମୂର୍ଚ୍ଛିତ ହୋଇ ତଳେ ପଡ଼ିଗଲେ । ଭରତ ବ୍ୟାକୁଳ ହୃଦୟରେ ତାଙ୍କୁ ଉଠାଇ ତାଙ୍କ ଚରଣରେ ମସ୍ତକ ଲଗାଇଲେ । ପଚାରିଲେ–ପିତା କାହାନ୍ତି, ମୋତେ ଦେଖାଇ ଦିଅନ୍ତୁ । ସୀତା, ଶ୍ରୀରାମ ଓ ଲକ୍ଷ୍ମଣ ନାହାନ୍ତି ? କୈକେୟୀଙ୍କୁ ଏ ଜଗତରେ କିଏ ଜନ୍ମ ଦେଇଥିଲା ? ଯଦି ବିଧାତା ତାଙ୍କୁ ଜନ୍ମଦେଲା, ତେବେ ତାଙ୍କୁ ବନ୍ଧ୍ୟା ନ କଲା କାହିଁକି ? ସେ ଏ କୁଳର କଳଙ୍କ, ନିନ୍ଦା ଅପଯଶର ପାତ୍ରୀ । ସମସ୍ତଙ୍କର ଦ୍ରୋହୀକରି ମୋ ପରି ପୁତ୍ରକୁ ଜନ୍ମଦେଲା କାହିଁକି ? ତ୍ରିଲୋକରେ ମୋପରି ଦୁର୍ଭଗା ଆଉ କେହି ନ ଥିବେ । ମୋରି ଯୋଗୁଁ ତୁମର ଏପରି ଦଶା ହୋଇଅଛି । ପିତା ସ୍ଵର୍ଗରେ; ଶ୍ରୀରାମ ବନରେ । କେତୁ ପରି ଏ ସବୁ ଅନର୍ଥର କାରଣ ମୁଁ ! ମୁଁ ଯାହା ଜନ୍ମ ପାଇଛି, ମୋତେ ଧିକ୍‌ । ବଂଶବନରେ ଅଗ୍ନି ପରି ଏ ସମସ୍ତ ଧ୍ଵଂସର କାରଣ ମୁଁ ।

 

ଭରତଙ୍କର କଥା ଶୁଣି କୌଶଲ୍ୟା ଉଠି ଭରତଙ୍କୁ କୋଳକୁ ନେଲେ । ଚକ୍ଷୁରୁ ଅନବରତ ଲୋତକଧାର ବହିବାକୁ ଲାଗିଲା । ପୁଣି ଶତ୍ରୁଘ୍ନଙ୍କୁ କୋଳରୁ ଟାଣିନେଲେ । ଶୋକ ଓ ସ୍ନେହ ଉଦ୍‌ବେଳ ହୋଇ ଉଠିଲା । କୌଶଲ୍ୟା ଭରତଙ୍କୁ କୋଳରେ ବସାଇ ତାଙ୍କ ଚକ୍ଷୁରୁ ଲୋତକ ପୋଛିଦେଲେ ଏବଂ କହିଲେ–ପୁତ୍ର, ତୁ ଅଧୈର୍ଯ୍ୟ ହୁଅ ନାହିଁ । ଆମ୍ଭମାନଙ୍କର ମନ୍ଦ ସମୟ ପଡ଼ିଛି । ଏତେବେଳେ ଦୁଃଖ ତ୍ୟାଗ କର । କାଳର ଗତି ଓ କର୍ମର ଗତିକୁ କେହି ହେଲେ ବନ୍ଦ କରିପାରିବେ ନାହିଁ । କାହାରିକୁ ଦୋଷ ଦେଇ କି ଲାଭ ? ବିଧାତା ମୋ ପାଇଁ ଏପରି ବାମ ହୋଇଛନ୍ତି ଯେ ଏତେ ଦୁଃଖ ପରେ ମଧ୍ୟ ମୁଁ ଆହୁରି ବଂଚି ରହିଛି !

 

ପୁତ୍ର ! ପିତାଙ୍କ ଆଦେଶ ପାଇ ରଘୁନାଥ ବସ୍ତ୍ର ଓ ଭୂଷଣ ତ୍ୟାଗକଲେ, ବଳ୍‌କଳ ବସ୍ତ୍ର ପିନ୍ଧିଲେ । ତାଙ୍କର ମନରେ ବିଷାଦ ବା ହର୍ଷ କିଛି ନ ଥିଲା । ମୁଖ ପ୍ରସନ୍ନ ଦିଶୁଥିଲା । ତିଳେମାତ୍ର ରୋଷର ଚିହ୍ନ ନ ଥିଲା । ସେ ସମସ୍ତଙ୍କୁ ସନ୍ତୁଷ୍ଟ କରାଇ ବନକୁ ବାହାରିଲେ । ଏ କଥା ଶୁଣି ସୀତା ମଧ୍ୟ ତାଙ୍କ ସଙ୍ଗରେ ଗଲେ । ସେ ଶ୍ରୀରାମଚରଣ ଅନୁରାଗୀ; ତାଙ୍କୁ ଯେତେ ବୁଝାଇଲେ ମଧ୍ୟ ସେ ବୁଝିଲେ ନାହିଁ । ଏହା ଶୁଣି ଲକ୍ଷ୍ମଣ ସେ ଦୁହିଁଙ୍କ ସଙ୍ଗରେ ବାହାରିଲା । ଶ୍ରୀରଘୁନାଥ ତାକୁ ବନକୁ ନ ଯିବାପାଇଁ ନାନାପ୍ରକାର ମନାକଲେ; କିନ୍ତୁ ସେ କିଛି ଶୁଣିଲା ନାହିଁ । ସମସ୍ତଙ୍କୁ ପ୍ରଣାମ କରି ତନିହେଁ ବନଗମନ କଲେ । ମୁଁ ସେମାନଙ୍କ ସଙ୍ଗରେ ଗଲିନାହିଁ, କିମ୍ବା ମୁଁ ଏ ପ୍ରାଣକୁ ସେମାନଙ୍କ ସଙ୍ଗରେ ପ୍ରେରଣ କରିପାରିଲି ନାହିଁ । ଏସବୁ ଘଟଣା ମୋର ଚକ୍ଷୁ ସମକ୍ଷରେ ଘଟିଲା; ତଥାପି ଏ ଅଭାଗା ଜୀବନ ଏ ପିଣ୍ଡ ଛାଡ଼ି ଗଲାନାହିଁ । ଶ୍ରୀରାମ ପରି ପୁତ୍ରର ମୁଁ ମାତା, ମୁଁ ଏସବୁ ଦେଖି ନିର୍ଲଜ୍ଜ ପରି ରହିଛି । ମହାରାଜା ଜୀବନ ଭୋଗକଲା ପରି ଭୋଗକଲେ, ପୁଣି ମୃତ୍ୟୁ ପରି ମୃତ୍ୟୁ ଲାଭକଲେ; କିନ୍ତୁ ମୋର ହୃଦୟ ସହସ୍ର ବଜ୍ରଠାରୁ ମଧ୍ୟ ଆହୁରି କଠିନ ।

 

କୌଶଲ୍ୟାଙ୍କର ଏସବୁ କଥା ଶୁଣି ଭରତଙ୍କ ସହିତ ରାଣୀମାନେ ମଧ୍ୟ କାନ୍ଦିବାକୁ ଲାଗିଲେ । ରାଜଭବନରେ ଶୋକର ଛାୟା ଖେଳିଗଲା । ଭରତ ଓ ଶତ୍ରୁଘ୍ନଙ୍କର ବିଳାପ ଦେଖି କୌଶଲ୍ୟା ଅତିଶୟ ବ୍ୟାକୁଳ ହୋଇପଡ଼ିଲେ ଏବଂ ସେ ସେମାନଙ୍କୁ ଧୈର୍ଯ୍ୟ ଦେଲେ । ଭରତ ତୂନୀ ହେଲେ । ନାନା ଶାସ୍ତ୍ର ଓ ପୁରାଣର ଉଦାହରଣ ଦେଇ ଭରତ ମାତା କୌଶଲ୍ୟାଙ୍କୁ ଅତି କାକୁସ୍ଥ ହୋଇ କହିଲେ–ହେ ମାତା, ମନୁଷ୍ୟ ମାତା ପିତା କିମ୍ବା ପୁତ୍ରକୁ ହତ୍ୟାକଲେ; ଗୋଶାଳା ଓ ବ୍ରାହ୍ମଣବସତି ଦଗ୍‌ଧ କଲେ; ସ୍ତ୍ରୀ, ବାଳକ ପ୍ରଭୃତି ହତ୍ୟାକଲେ କିମ୍ବା ମିତ୍ର ଓ ରାଜାଙ୍କୁ ବିଷ ଦେଲେ ଯେଉଁ ପାପ ଅର୍ଜନ କରେ, କର୍ମ, ବଚନ ଓ ମନରେ ମୋର ଯଦି ଏ କାର୍ଯ୍ୟରେ ମତ ଥାଏ ସେସବୁ ପାପ ମୋ’ରି ମସ୍ତକରେ ପଡ଼ୁ । ଯେଉଁ ଲୋକମାନେ ବିଷ୍ଣୁ ଓ ଶଙ୍କରଙ୍କୁ ଭଜନ ନ କରି ଭୟଙ୍କର ଭୂତପ୍ରେତମାନଙ୍କୁ ଭଜନ କରନ୍ତି, ମୋର ଯଦି ଏ କାର୍ଯ୍ୟରେ ମତ ଥାଏ ମୋତେ ସେହି ଭୂତପ୍ରେତ-ଗତି ମିଳୁ । ବେଦବିକ୍ରେତା, ପରନିନ୍ଦାକାରୀ, କପଟୀ, କୁଟିଳ, କଳହପ୍ରିୟ, କ୍ରୋଧୀ, ଲୋଭୀ, ଲମ୍ପଟ, ପରଧନ-ପରଦାରା-ଲୋଲୁପୀ ଲୋକମାନଙ୍କର ଯେଉଁ ଗତି ହୁଏ, ମୋର ଏ କାର୍ଯ୍ୟରେ ତିଳେମାତ୍ର ମତ ଥିଲେ ମୋତେ ସେହିମାନଙ୍କ ଗତି ହେଉ ।

 

କୌଶଲ୍ୟା ଭରତଙ୍କ ଏ ସରଳ ଓ ସତକଥାଗୁଡ଼ିକ ଶୁଣି କହିଲେ–ପୁତ୍ର, ତୁମେ ମନ, ବଚନ, କର୍ମରେ ଶ୍ରୀରାମପ୍ରିୟ ଅଟ । ଶ୍ରୀରାମ ତୁମର ପ୍ରାଣଠାରୁ ମଧ୍ୟ ପ୍ରିୟ । ଚନ୍ଦ୍ର ଦେହରୁ ବିଷ ବର୍ଷା ହୋଇପାରେ, ଜଳରେ ଜୀବମାନେ ଜଳ ବିନା ବଞ୍ଚିପାରନ୍ତି; ଜ୍ଞାନ ଆସିଲେ ସୁଦ୍ଧା ମୋହ ତୁଟି ନ ପାରେ; କିନ୍ତୁ ତୁମେ ଶ୍ରୀରାମ-ପ୍ରତିକୂଳ ହୋଇପାରିବ ନାହିଁ । ଏ କାର୍ଯ୍ୟରେ ତୁମର ସମ୍ମତି ଅଛି ବୋଲି ଯିଏ କହିବ, ସେପରି ଲୋକମାନେ ସ୍ଵପ୍ନରେ ମଧ୍ୟ ସୁଖଭୋଗ କରିପାରିବେ ନାହିଁ । ଏପରି କହୁ କହୁ କୌଶଲ୍ୟାଙ୍କ ଚକ୍ଷୁ ଲୋତକରେ ପରିପୂର୍ଣ୍ଣ ହୋଇଗଲା । ସେ ଆଉ କଥା କହିପାରିଲେ ନାହିଁ । ସେଦିନ ରାତି ସାରା ଏହିପରି ବିଳାପରେ ଅତିବାହିତ ହୋଇଗଲା ।

Image

 

Unknown

ଭରତଙ୍କ ମିନତି

 

ମୁନି ବଶିଷ୍ଠ ଓ ବାମଦେବ ଅଯୋଧ୍ୟାପୁରରେ ପହଞ୍ଚିଲେ । ସେମାନେ ମନ୍ତ୍ରୀ ଓ ନଗରର ବିଶିଷ୍ଟ ଲୋକମାନଙ୍କୁ ଡକାଇଲେ । ଭରତଙ୍କର ବ୍ୟାକୁଳ ଭାବ ଦେଖି ବଶିଷ୍ଠ କହିଲେ–ବର୍ତ୍ତମାନ ଧୈର୍ଯ୍ୟ ଧାରଣ କର । ତୁମ ମସ୍ତକ ଉପରେ ଯେଉଁ ଭାର ପଡ଼ିଛି, ତାହା ତୁମେ ବହନ କର ।

 

ଗୁରୁଙ୍କ ଉପଦେଶ ଅନୁସାରେ ଭରତ ଆସନ୍ନ ରାଜକାର୍ଯ୍ୟ ସଂପାଦନ କରିବା ପାଇଁ ତତ୍ପର ହେଲେ । ବେଦବିଧି ଅନୁସାରେ ରାଜାଙ୍କର ଶରୀରକୁ ସ୍ନାନ କରାଇ ଦିଆଗଲା । ଗୋଟିଏ ସୁନ୍ଦର ବିମାନ ନିର୍ମିତ ହେଲା । ଭରତ ମାତାମାନଙ୍କର ଚରଣ ଧରି ପ୍ରାର୍ଥନା କଲେ l ରାଣୀମାନେ ରାଜାଙ୍କର ଶେଷ-ଦର୍ଶନ ଆଶା କରି ଦଣ୍ଡାୟମାନ ହେଲେ l ଚନ୍ଦନ, ଅଗୁରୁ ଆଦି ନାନା ସୁଗନ୍ଧ ଦ୍ରବ୍ୟ ଅଣାଗଲା । ସରଯୂ ନଦୀତୀରରେ ଚିତା ନିର୍ମିତ ହେଲା । ଦାହକ୍ରିୟା ପରେ ସମସ୍ତେ ବିଧିପୂର୍ବକ ସ୍ନାନ କରି ତିଳାଞ୍ଜଳି ପ୍ରଦାନ କଲେ । ଭରତ ଦଶ ଦିନ ପର୍ଯ୍ୟନ୍ତ ବେଦବିଧି ଅନୁସାରେ ବିଧାନମାନ ପ୍ରତିପାଳନ କଲେ । ଶୁଦ୍ଧିକ୍ରିୟା ପରେ ବଶିଷ୍ଠଙ୍କ ଆଦେଶ ଅନୁସାରେ ଭରତ ଦାନ ରୂପେ ଗାଭୀ, ଅଶ୍ଵ, ହସ୍ତୀ, ସିଂହାସନ, ଅଳଙ୍କାର, ବସ୍ତ୍ର, ଅନ୍ନ, ଗୃହ ବ୍ରାହ୍ମଣମାନଙ୍କୁ ଦାନକଲେ ।

 

ପୁଣି କିଛିଦିନ ପରେ ଶୁଭଦିନ ଦେଖି ବଶିଷ୍ଠ ଅଯୋଧ୍ୟାରେ ପହଞ୍ଚିଲେ । ମନ୍ତ୍ରୀ ଓ ମହାଜନମାନଙ୍କୁ ନିମନ୍ତ୍ରଣ କରାଗଲା । ସମସ୍ତେ ରାଜସଭାରେ ବସିଲେ । ବଶିଷ୍ଠ ଭରତ ଓ ଶତ୍ରୁଘ୍ନଙ୍କୁ ଡକାଇପଠାଇଲେ । ଭରତଙ୍କୁ ନିକଟରେ ବସାଇ ବଶିଷ୍ଠ କୈକେୟୀଙ୍କର କୁଟିଳ କାର୍ଯ୍ୟ ଓ ମହାରାଜାଙ୍କର ଧର୍ମବ୍ରତପଣ ସବୁ ବୁଝାଇଲେ । ଶ୍ରୀରାମଚନ୍ଦ୍ରଙ୍କର ଗୁଣ ଓ ସ୍ଵଭାବ ବିଷୟ ବର୍ଣ୍ଣନା କଲାବେଳେ ତାଙ୍କ ଚକ୍ଷୁରେ ଲୋତକ ଦେଖାଗଲା । ଲକ୍ଷ୍ମଣ ଓ ସୀତାଙ୍କର ସ୍ନେହଶୀଳତା ବର୍ଣ୍ଣନ କରି କହିଲେ–ଭରତ, ଯାହା ଘଟିବାର କଥା ଘଟିବ । ହାନିଲାଭ, ଜୀବନ ମରଣ, ଯଶ ଅପଯଶ ସବୁ ବିଧାତା ହସ୍ତରେ । ଏ ସବୁ ବିଚାର କଲେ ଦୋଷୀ ବୋଲି କାହାକୁ କହିବ ? ଦେବ-ଅଜ୍ଞାନୀ, ସ୍ଵଧର୍ମତ୍ୟାଗୀ ବିଷୟଭୋଗୀ ବ୍ରାହ୍ମଣ, ନୀତିଜ୍ଞାନହୀନ ଓ ପ୍ରଜାମାନଙ୍କୁ ଅବହେଳା କରୁଥିବା ରାଜାମାନଙ୍କ ମନରେ ଅନୁଶୋଚନା ଆସେ । ଧନିକ ବୈଶ୍ୟ ସଂପ୍ରଦାୟ ଯଦି ଅତିଥି-ସତ୍କାର କରିବାରେ କୃପଣତା ପ୍ରଦର୍ଶନ କରନ୍ତି, ତେବେ ସେମାନଙ୍କ ମନରେ ଅନୁଶୋଚନା ଆସିବା ଉଚିତ । ବ୍ରାହ୍ମଣ-ଅପମାନକାରୀ ବହୁଭାଷୀ ଶୂଦ୍ର; ସ୍ଵେଚ୍ଛାଚାରୀ, କୁଟିଳା, କଳହପ୍ରିୟା ନାରୀ; ବ୍ରତତ୍ୟାଗୀ, ଗୁରୁ-ଆଜ୍ଞା-ଲଙ୍ଘନକାରୀ ବ୍ରହ୍ମଚାରୀ, ମୋହଗ୍ରସ୍ତ ଗୃହସ୍ଥ; ସାଂସାରିକ ପ୍ରପଞ୍ଚସେବୀ ସନ୍ନ୍ୟାସୀ; କ୍ରୋଧୀ, ନିର୍ଦ୍ଦୟ ବ୍ୟକ୍ତିମାନଙ୍କ ମନରେ ଅନୁଶୋଚନା ଆସେ । କିନ୍ତୁ କୋଶଳରାଜ ଦଶରଥଙ୍କର ଚତୁର୍ଦ୍ଦଶ ଭୁବନରେ ଯଶ ବ୍ୟାପିରହିଛି; ତାଙ୍କ ଅନୁଶୋଚନା କରିବ କାହିଁକି ? ତୁମ ପିତାଙ୍କ ପରି ରାଜା ଅତୀତ ଓ ବର୍ତ୍ତମାନ ସମୟରେ ନଥିଲେ ଏବଂ ନାହାନ୍ତି; ଭବିଷ୍ୟତରେ ମିଳିବେ ନାହିଁ । ଦେବତାମାନେ ତାଙ୍କର ଗୁଣଗାନ କରନ୍ତି । ଶ୍ରୀରାମଚନ୍ଦ୍ର ଭରତ, ଲକ୍ଷ୍ମଣ ଓ ଶତ୍ରୁଘ୍ନଙ୍କ ପରି ଯାହାଙ୍କର ପୁତ୍ର ଅଛନ୍ତି, ତାଙ୍କ ନିମନ୍ତେ ବିଷାଦ ବ୍ୟର୍ଥ ଅଟେ । ବିଚାରବନ୍ତ ଭାବରେ ରାଜାଙ୍କର ଆଜ୍ଞା ମାନି ତଦନୁସାରେ କାର୍ଯ୍ୟ କରିଯାଅ । ରାଜା ତୁମକୁ ରାଜପଦ ଦେଇଛନ୍ତି । ତୁମର ପିତା ବଚନର ସତ୍ୟତା ରକ୍ଷା କରିବା ପାଇଁ ଶ୍ରୀରାମଚନ୍ଦ୍ରଙ୍କୁ ତ୍ୟାଗକଲେ ଏବଂ ଶ୍ରୀରାମ-ବିୟୋଗ-ଅଗ୍ନିରେ ନିଜକୁ ଆହୁତି ଦେଲେ । ସେପରି ପିତାଙ୍କର ବଚନର ସତ୍ୟତା ତୁମେ ରକ୍ଷାକରିବା ଉଚିତ-। ରାଜା ବଚନକୁ ଶରୀରଠାରୁ ବେଶୀ ପ୍ରିୟ ମନେ କରୁଥିଲେ । ତେଣୁ ତୁମେ ପିତାଙ୍କ ବଚନର ସତ୍ୟତା ରକ୍ଷାକର । ତୁମର ସମସ୍ତ ପ୍ରକାରର ମଙ୍ଗଳ ହେବ ।

 

ପରଶୁରାମ ପିତାଙ୍କ ଆଦେଶ ପାଳନ କରି ମାତାଙ୍କୁ ହତ୍ୟାକଲେ । ଉଚିତ ଅନୁଚର ବିଚାର ନ କରି ଯେଉଁମାନେ ପିତାଙ୍କର ବଚନ ରକ୍ଷାକରନ୍ତି, ସେମାନେ ସୁଖ ଓ ସୁଯଶ ପାଆନ୍ତି ଏବଂ ଶେଷରେ ସ୍ଵର୍ଗଲାଭ କରନ୍ତି । ପିତା ଯାହାକୁ ରାଜତିଳକ ଦିଅନ୍ତି, ସେ ରାଜା ହୁଅନ୍ତି; ଏହା ବେଦଶାସ୍ତ୍ରର ମତ । ତେଣୁ ଦୁଃଖ, ଶୋକ ଓ ଗ୍ଳାନି ତ୍ୟାଗକରି ରାଜପଦ ଗ୍ରହଣ କର । ମୋର ବଚନ ହିତକର ବୋଲି ମନେକରି ପ୍ରଜାମାନଙ୍କୁ ପାଳନ କର । ଶ୍ରୀରାମ ଓ ଜାନକୀ ଏ କଥା ଜାଣିଲେ ଆନନ୍ଦିତ ହେବେ, ପଣ୍ଡିତମାନେ ଏହାକୁ ଗ୍ରହଣ କରିବେ, ମାତା କୌଶଲ୍ୟା ଓ ଅନ୍ୟ ମାତାମାନେ ପ୍ରଜାମାନଙ୍କର ସୁଖ ଦେଖିଲେ ସୁଖୀ ହେବେ । ଶ୍ରୀରାମଙ୍କ ପ୍ରତ୍ୟାଗମନ ପରେ ତୁମେ ତାହାଙ୍କୁ ରାଜ୍ୟ ସମର୍ପଣ କରିବ ଏବଂ ସ୍ନେହପୂର୍ବକ ତାଙ୍କର ସେବା କରିବ ।

 

ବଶିଷ୍ଠ ଭରତଙ୍କୁ ଏପରି ପରାମର୍ଶ ଦେବା ପରେ ମହାମନ୍ତ୍ରୀ ଭରତଙ୍କ ସମ୍ମୁଖରେ ହାତ ଯୋଡ଼ି ଠିଆହେଲେ ଏବଂ କହିଲେ–ଆପଣ ଗୁରୁଙ୍କର ଆଦେଶ ପାଳନ କରନ୍ତୁ । ଶ୍ରୀରାମଙ୍କର ପ୍ରତ୍ୟାବର୍ତ୍ତନ ପରେ ଯାହା ଉଚିତ ବୋଲି ଆପଣ ମନେକରିବେ, ତାହା କରିବେ ।

 

କୌଶଲ୍ୟା କହିଲେ–ଗୁରୁଙ୍କର ଆଦେଶ ତୁମପାଇଁ ପଥ୍ୟ ଅଟେ । ତାହା ପାଳନ କର ଏବଂ କାଳର ଗତିକୁ ଅନୁସରଣ କରି ବିଷାଦ ତ୍ୟାଗ କର । ଶ୍ରୀରଘୁନାଥ ବନବାସୀ, ମହାରାଜା ସ୍ଵର୍ଗବାସୀ; ଏତେବେଳେ ତୁମେ ଏପରି କାତର ହେଉଛ ? କୁଟୁମ୍ବ, ପ୍ରଜା, ମନ୍ତ୍ରୀ ଏବଂ ମାତାମାନଙ୍କର ତୁମେ ଏକମାତ୍ର ସହାୟ । ବିଧାତା ବର୍ତ୍ତମାନ ପ୍ରତିକୂଳ ଏବଂ କାଳ କଠୋର । ତୁମେ ମାତାଙ୍କର ବଚନ ରକ୍ଷାକର, ପ୍ରଜାମାନଙ୍କୁ ପ୍ରତିପାଳନ କର ।

 

ଗୁରୁ, ମନ୍ତ୍ରୀ ଓ ମାତାଙ୍କର ଏ ସ୍ନେହପୂର୍ଣ୍ଣ ବାଣୀ ଶୁଣି ଭରତଙ୍କର ନେତ୍ରଯୁଗଳ ଲୋତକପୂର୍ଣ୍ଣ ହେଲା । ସେ ଧୈର୍ଯ୍ୟ ଅବଲମ୍ବନ କରି ହାତଯୋଡ଼ି ଅମୃତ ମଧୁର ବାକ୍ୟରେ କହିଲେ–ଗୁରୁ ମୋତେ ସୁନ୍ଦର ଉପଦେଶ ଦେଇଅଛନ୍ତି । ପ୍ରଜା ଓ ମନ୍ତ୍ରୀ ଏଥିରେ ସମ୍ମତ । ମାତା ମଧ୍ୟ ମୋତେ ସେହି ଉପଦେଶ ଦେଲେ । ତେଣୁ ତାହା ମୋର ଅବଶ୍ୟ କରଣୀୟ । ଗୁରୁ, ପିତା, ମାତା, ସ୍ଵାମୀ ଓ ବନ୍ଧୁମାନଙ୍କର ଉପଦେଶ ପ୍ରସନ୍ନଚିତ୍ତରେ ଗ୍ରହଣ କରିବା ଉଚିତ । ଉଚିତ, ଅନୁଚିତ ବିଚାର କରିବସିଲେ ମୁଣ୍ଡରେ ପାପର ଭାର ବଢ଼େ । ମୋର ମଙ୍ଗଳ ନିମନ୍ତେ ଆପଣମାନେ ମୋତେ ଉପଦେଶ ଦେଇଥିଲେ ମଧ୍ୟ ମୋ ମନରେ ସନ୍ତୋଷ ଆସୁନାହିଁ । ବର୍ତ୍ତମାନ ମୋର ବିନୀତ ବାଣୀ ଶୁଣି ମୋର ଯୋଗ୍ୟତା ଅନୁସାରେ ମୋତେ ଆଦେଶ ଦିଅନ୍ତୁ । ମୁଁ ଆପଣମାନଙ୍କୁ ଉତ୍ତର ଦେବାକୁ ଯାଉଛି, ମୋର ଏହି ଧୃଷ୍ଟତା ପାଇଁ ମୋତେ କ୍ଷମା ଦିଅନ୍ତୁ । ସାଧୁଲୋକମାନେ ଦୁଃଖୀ ଲୋକଙ୍କର ଦୋଷଗୁଡ଼ିକୁ ଗଣନା କରନ୍ତି ନାହିଁ ।

 

ବର୍ତ୍ତମାନ ପିତା ସ୍ଵର୍ଗରେ, ଶ୍ରୀରାମ ଜାନକୀ ବନବାସୀ; ଆପଣମାନେ ମୋତେ ରାଜତ୍ଵ କରିବା ପାଇଁ କହୁଛନ୍ତି, ଏଥିରେ ଆପଣମାନେ ମୋର କଲ୍ୟାଣ ହେବ ବୋଲି ମନେକରୁଛନ୍ତି । ସୀତାପତିଙ୍କର ସେବାରେ ହିଁ ମୋର କଲ୍ୟାଣ; କିନ୍ତୁ ମୋର ମାତାଙ୍କର କୁଟିଳତା ଯୋଗୁଁ ମୁଁ ତାହା ହରାଇବସିଛି । ମୁଁ ମୋ ମନରେ ଅନୁମାନ କରି ଦେଖିଛି, ମୋର କୌଣସି ଉପାୟରେ ହେଲେ କଲ୍ୟାଣ ହେବନାହିଁ । ସୀତା ରାମ ଲକ୍ଷ୍ମଣଙ୍କୁ ନ ଦେଖି ମୁଁ ଏ ଶୋକପୂର୍ଣ୍ଣ ରାଜ୍ୟରେ କଣ ପାଇବି-? କେହି ସିନ୍ଦୂକେ ଅଳଙ୍କାର ଦ୍ଵାରା ଭୂଷିତ ହୋଇ ବସ୍ତ୍ରାଭରଣ ନ ଥିଲେ ତାର ସମସ୍ତ ଅଳଙ୍କାର ମୂଲ୍ୟହୀନ ହୁଏ ନାହିଁ କି ? ରୋଗୀ ଶରୀର ପାଇଁ ଭୋଗ୍ୟବସ୍ତୁ ସବୁ ବ୍ୟର୍ଥ ନୁହେଁ କି ? ଶ୍ରୀହରିଙ୍କଠାରେ ଭକ୍ତି ବିନା ଜପ ଓ ଯୋଗର କୌଣସି ମୂଲ୍ୟ ନ ଥାଏ । ସୁନ୍ଦର ଶରୀରଟିଏ ଥାଇ ସେଥିରେ ଜୀବନ ନ ଥିଲେ ତାହା ଯେପରି ବ୍ୟର୍ଥ, ଶ୍ରୀରଘୁନାଥଙ୍କ ବିନା ମୋର ଏ ସବୁ ଧନ, ରାଜ୍ୟ, ଭୋଗ ସେହିପରି ବ୍ୟର୍ଥ ଅଟେ ।

 

ମୋତେ ଆଜ୍ଞା ଦିଅନ୍ତୁ, ମୁଁ ଶ୍ରୀରାମଙ୍କ ନିକଟକୁ ଯିବି । ସେଥିରେହିଁ ମୋର ହିତ । କିନ୍ତୁ ମୋତେ ରାଜା କରାଇଲେ ଆପଣମାନଙ୍କର ମଙ୍ଗଳ ହେବ, ଏକଥା ଆପଣମାନେ ମୋହବଶ ହୋଇ କହୁଛନ୍ତି । କୈକେୟୀଙ୍କର ପୁତ୍ର, କୁଟିଳ-ବୁଦ୍ଧି, ଶ୍ରୀରାମବିମୁଖ, ମୋପରି ନିର୍ଲଜ୍ଜ ଅଧମ ମନୁଷ୍ୟକୁ ରାଜ୍ୟ ଦେଇ ମୋହବଶ ହୋଇ ଆପଣମାନେ ସୁଖ ଇଚ୍ଛା କରୁଛନ୍ତି ! ମୁଁ ସତ୍ୟ କରି କହୁଛି, ବିଶ୍ୱାସ କରନ୍ତୁ, ଧର୍ମଶୀଳ ପୁରୁଷ କେବଳ ରାଜା ହେବାର ଯୋଗ୍ୟ । ଆପଣମାନେ ବାଧ୍ୟକରି ଯଦି ମୋତେ ରାଜ୍ୟ ଦେବେ, ତେବେ ପୃଥିବୀ ରସାତଳକୁ ଖସିପଡ଼ିବ । ମୋ’ପରି ପାପୀ ଆଉ କେହି ଅଛନ୍ତି କି ? ମୋ’ରି ଯୋଗୁଁ ସୀତାରାମ ବନବାସୀ ହେଲେ I ରାଜା ଶ୍ରୀରାମଚନ୍ଦ୍ରଙ୍କୁ ବନବାସ ଦଣ୍ଡ ଦେଲେ । ତାଙ୍କରି ବିଚ୍ଛେଦରେ ପିତା ସ୍ଵର୍ଗବାସୀ ହେଲେ । ମୁଁ ଦୁଷ୍ଟ ସମଗ୍ର ଅନର୍ଥର କାରଣ । ମୁଁ ନିଶ୍ଚିନ୍ତରେ ବସି ଏସବୁ କଥା ଶୁଣିପାରୁଛି ! ଶ୍ରୀରଘୁନାଥବିହୀନ ଗୃହ ଦେଖି ଏବଂ ଜଗତର ଉପହାସ ସହ୍ୟକରି ଏ ପ୍ରାଣ ରହିପାରିଛି ? ଏହାର କାରଣ–ଏ ପ୍ରାଣ ଶ୍ରୀରାମରୂପ ପବିତ୍ରରସରେ ଆସକ୍ତ ନୁହଁ । ଏ ଲୋଭୀ ପ୍ରାଣ ଭୂମି ଓ ଭୋଗ ନିମନ୍ତେ ଇଚ୍ଛୁକ । ମୋର ଏ ହୃଦୟ କେତେ କଠୋର ତାହା କେବେ କହିବି ? ଏହା ବଜ୍ରଠାରୁ କଠିନ । କାରଣଠାରୁ କାର୍ଯ୍ୟ କଠିନ ଅଟେ । ଏଥିରେ ମୋର କି ଦୋଷ ଅଛି ? ଅସ୍ଥିଠାରୁ ବଜ୍ର ଏବଂ ପ୍ରସ୍ତରଠାରୁ ଲୌହ ଭୟଙ୍କର ଓ କଠୋର ଅଟେ ।

 

କୈକେୟୀଙ୍କଠାରୁ ଉତ୍ପନ୍ନ ହୋଇଥିବା ଏ ଦେହପ୍ରତି ଆସକ୍ତ ଥିବା ଏ ପାମର ପ୍ରାଣ ନିତାନ୍ତ ଅଭାଗା ଅଟେ । ଯଦି ଅତି ପ୍ରିୟତମଙ୍କ ବିୟୋଗରେ ମଧ୍ୟ ମୋତେ ଏ ପ୍ରାଣ ଆହୁରି ପ୍ରିୟ ଲାଗୁଛି, ତାହା ହେଲେ ମୋ ପାଇଁ ଆହୁରି ଅନେକ ଦୁଃଖ ଭୋଗିବାକୁ ଅଛି । ସୀତା, ଲକ୍ଷ୍ମଣ ଓ ଶ୍ରୀରାମଙ୍କୁ କୈକେୟୀ ବନକୁ ପ୍ରେରଣ କରିଦେଲେ; ପତିଙ୍କୁ ସ୍ଵର୍ଗ ପ୍ରେରଣ କରି ନିଜର କଲ୍ୟାଣ କଲେ; ନିଜେ ବିଧବା ହୋଇ ସମସ୍ତ ନିନ୍ଦା ସହିଲେ; ପ୍ରଜାମାନେ ସନ୍ତପ୍ତ ହେଲେ; ପୁଣି ମୋତେ ଏ ସୁନ୍ଦର ଯଶ, ସୁଖ ଓ ଉତ୍ତମ ରାଜ୍ୟ ଦେଲେ; କୈକେୟୀ ସମସ୍ତଙ୍କର ନାମ ସଠିକରୂପେ ସମାହିତ କଲେ । ତେବେ ବର୍ତ୍ତମାନ ମୋ ନିମନ୍ତେ ଆଉ କଣ ହେବାକୁ ବାକୀ ଅଛି । ଆପଣମାନେ ଆହୁରି କହୁଛନ୍ତି ମୋତେ ରାଜତିଳକ ଦେବେ ! କୈକେୟୀଙ୍କ ଉଦରରୁ ଜନ୍ମଲାଭ କରି ଏସବୁ ମୋ ପାଇଁ କିଛି ଅନୁଚିତ ହେଉନାହିଁ ! ବିଧାତା ମୋ ନିମନ୍ତେ ଏସବୁ ବିଧାନ କରି ରଖିଛି । ତେବେ ପ୍ରଜା, ପଞ୍ଚ ବା ପଞ୍ଚାୟତ ସହାୟତା କରିବେ ନାହିଁ କାହିଁକି ?

 

ମନ୍ଦଗ୍ରହଦ୍ଵାରା ବିପନ୍ନ କୌଣସି ବ୍ୟକ୍ତିକୁ ବାୟୁରୋଗ ଆକ୍ରମଣ କରିବା ପରେ ଯଦି କର୍କଟ ଦଂଶନ କରିଥାଏ, ସେତିକିବେଳେ ତାକୁ ମଦିରା ପିଆଇଦେଲେ ତା ପାଇଁ କଣ ତାହା ଔଷଧ ହେବ ? କୈକେୟୀଙ୍କ ପୁତ୍ର ନିମନ୍ତେ ସଂସାରରେ ଯାହା ଯାହା ଯୋଗ୍ୟ, ଚତୁର ବିଧାତା ସବୁ ଖଞ୍ଜିଦେଇଛି । କିନ୍ତୁ ଦଶରଥଙ୍କ ପୁତ୍ର ଏବଂ ଶ୍ରୀରାମଙ୍କର କନିଷ୍ଠଭ୍ରାତା ହେବାର ଗୌରବ ମୋତେ ବିଧାତା ମିଛଟାରେ ଦେଇଛି ।

 

ଆପଣମାନେ ସମସ୍ତେ ମୋତେ କହୁଛନ୍ତି, ମୁଁ ରାଜତିଳକ ଗ୍ରହଣ କରି ରାଜଗାଦିରେ ବସିବି I ରାଜାଙ୍କର ଏହି ଆଦେଶ ସମସ୍ତଙ୍କ ନିମନ୍ତେ କଲ୍ୟାଣକର । ମୁଁ କାହାକୁ କି ପ୍ରକାର ଉତ୍ତର ଦେବି ? ଆପଣମାନଙ୍କୁ ଯେପରି ପସନ୍ଦ ଦିଶିଲା, ଆପଣମାନେ ସେହିପରି ଉପଦେଶ ଦେଲେ l କହନ୍ତୁ ତ, ମୋର କୁମାତା କୈକେୟୀଙ୍କ ବ୍ୟତୀତ ଆଉ କିଏ କହିବେ–ଏସବୁ ଯାହା ହୋଇଗଲା ତାହା ସବୁ ଭଲ ହୋଇଛି ? ଜଡ଼ ଓ ଚେତନ ମଧ୍ୟରେ ମୋ ବ୍ୟତୀତ କେହି ଏପରି କଣ ଅଛନ୍ତି, ଯେ ସୀତାରାମଙ୍କର ପ୍ରିୟ ନୁହନ୍ତି । ଯାହାଦ୍ଵାରା ପରମ ହାନି ଘଟିବ, ସେଥିରେ ସମସ୍ତଙ୍କୁ ଲାଭ ଦେଖାଯାଉଛି । ମୋର ମନ୍ଦ ସମୟ ପଡ଼ିଛି । ସେଥିରେ କାହାରି ଦୋଷ ନାହିଁ । ଆପଣମାନେ ଯାହାସବୁ କହୁଛନ୍ତି ସବୁ ନିଶ୍ଚୟ ଉଚିତ କଥା । କାରଣ ଆପଣମାନେ ସଂଶୟ, ଶୀଳ ଓ ପ୍ରେମର ଅଧୀନ ଅଟନ୍ତି ।

 

ଶ୍ରୀରାମଙ୍କର ମାତା ବଡ଼ ସରଳ ଏବଂ ମୋ ଉପରେ ତାଙ୍କର ସ୍ନେହ ଅତ୍ୟଧିକ । ସେଥିପାଇଁ ମୋର ଦୁର୍ବଳତା ଦେଖି ମୋ ପ୍ରତି ସ୍ଵାଭାବିକ ସ୍ନେହବଶରୁ ସେ ଏପରି କହୁଛନ୍ତି । ଗୁରୁ ଜ୍ଞାନର ସମୁଦ୍ର ବୋଲି ଜଗତ ଜାଣେ । ଏ ସମଗ୍ର ବିଶ୍ଵ ତାଙ୍କର ହାତପାପୁଲି ଉପରେ ଥିବା ଗୋଟିଏ ଫଳ ସଦୃଶ ଅଟେ । ସେ ମୋ ପାଇଁ ରାଜତିଳକର ବ୍ୟବସ୍ଥା କରୁଛନ୍ତି । ଏ କଥା ସତ୍ୟ ଯେ ବିଧାତା ବାମ ହେଲେ ସବୁ ଘଟଣା ବିପରୀତ ଘଟେ । ଶ୍ରୀରାମ ଓ ଜାନକୀଙ୍କ ବ୍ୟତୀତ ଜଗତରେ ସମସ୍ତେ ଏ ଅନର୍ଥ ମଧ୍ୟରେ ମୋର ହାତ ନିହିତ ଅଛି ବୋଲି କହିବେ । ମୁଁ ସେସବୁ ଆନନ୍ଦରେ ଶୁଣିବି ଏବଂ ସହିବି । ଯେଉଁଠାରେ ଜଳ ଥାଏ, ସେଠାରେ ଦିନେ ନାଁ ଦିନେ ପଙ୍କ ଦେଖାଯାଏ । ଜଗତର ସମସ୍ତେ ମୋତେ ମନ୍ଦ ବୋଲି କହିବେ, ଏଥିପାଇଁ ମୋର ଭୟ ନାହିଁ । ମୋର ପରଲୋକ ନିମନ୍ତେ ମଧ୍ୟ ଚିନ୍ତା ନାହିଁ । ମୋ ହୃଦୟରେ ଦୁଃସହ ଦାବାନଳ ପ୍ରଜ୍ଵଳିତ ହେଉଅଛି; ତାର କାରଣ–ମୋ’ରି ନିମନ୍ତେ ଶ୍ରୀରାମ ଓ ଜାନକୀ ଦୁଃଖ ସହିଲେ ।

 

ଜୀବନର ସର୍ବୋତ୍ତମ ଲାଭ ଲକ୍ଷ୍ମଣ ପାଇଛି । ସେ ସବୁ କିଛି ତ୍ୟାଗକରି ଶ୍ରୀରାମଚରଣରେ ମନ ଲଗାଇପାରିଲା । ଶ୍ରୀରାମଙ୍କର ବନବାସ ନିମନ୍ତେ ମୁଁ ଜନ୍ମିଥିଲି । ମୁଁ ମିଥ୍ୟାରେ ଅନୁତାପ କଲେ କ’ଣ ହେବ ?

 

ସମସ୍ତଙ୍କ ନିକଟରେ ମସ୍ତକ ଅବନତ କରି ମୁଁ ମୋ ଦାରୁଣ ଦୀନତା କହୁଛି । ଶ୍ରୀରାମଚନ୍ଦ୍ରଙ୍କ ଚରଣଦର୍ଶନ ବିନା ମୋ ହୃଦୟରେ ଜ୍ଵଳନ ଶାନ୍ତ ହେବନାହିଁ । ମୋତେ ଅନ୍ୟ କିଛି ଉପାୟ ଦିଶୁନାହିଁ । ଶ୍ରୀରାମଙ୍କ ବିନା ମୋ ହୃଦୟ-ଅଭ୍ୟନ୍ତରର କଥା ଆଉ କିଏ ଜାଣିବ ? ମନଭିତରେ ମୁଁ ଗୋଟିଏ କଥା ନିଶ୍ଚିତ କରି ରଖିଛି । ମୁଁ କାଲି ସକାଳେ ପ୍ରଭୁ ଶ୍ରୀରାମଙ୍କ ନିକଟକୁ ବାହାରିବି । ମୁଁ ନିତାନ୍ତ ମନ୍ଦ ଓ ଅପରାଧୀ ହୋଇଥିଲେ ମଧ୍ୟ ଏବଂ ମୋ’ରି ଯୋଗୁଁ ଏସବୁ ଉପଦ୍ରବ ଘଟିଥିଲେ ମଧ୍ୟ ଶ୍ରୀରାମ ମୋ’ପରି ଶରଣାପନ୍ନ ବ୍ୟକ୍ତିକୁ ସମ୍ମୁଖରେ ଦେଖି ମୋ ଉପରେ କୃପାକରି ମୋର ସମସ୍ତ ଅପରାଧ କ୍ଷମା କରିବେ । ଶ୍ରୀରଘୁନାଥ ସୁଶୀଳ, ଅତ୍ୟନ୍ତ ସରଳ ଏବଂ ସ୍ନେହୀ ଅଟନ୍ତି । ସେ କେତେବେଳେ ହେଲେ ଶତ୍ରୁର ମଧ୍ୟ ଅନିଷ୍ଟ ବିଚାରନ୍ତି ନାହିଁ । ମୁଁ ତାଙ୍କ ପ୍ରତି ଶତ୍ରୁତା ଆଚରଣ କରିଥିଲେ ମଧ୍ୟ ମୁଁ ତାଙ୍କର ଅଧୀନ ।

 

ଆପଣମାନେ ମୋର ଏହି କଥାରେ କେବଳ କଲ୍ୟାଣ ହେବ ବୋଲି ମନେକରି ଏବଂ ମୋତେ ଅପଣମାନଙ୍କର ସେବକ ବୋଲି ଗ୍ରହଣ କରି ମୋତେ ସୁନ୍ଦରକଥାରେ ଉପଦେଶ ଦିଅନ୍ତୁ-। ଆପଣଙ୍କର ସେହି ଅଶୀର୍ବାଦ ଫଳରେ ଶ୍ରୀରାମଚନ୍ଦ୍ର ମୋର ବିନତି ଶୁଣିବେ ଏବଂ ମୋତେ ସେବକ ବୋଲି ମନେକରି ରାଜଧାନୀ ଅଯୋଧ୍ୟାକୁ ଫେରିଆସିବେ । କୁମାତାଠାରୁ ମୋର ଜନ୍ମ, ମୁଁ ଦୁଷ୍ଟ ଓ ନାନାଦି ଦୋଷଯୁକ୍ତ; ତଥାପି ଶ୍ରୀରାମଙ୍କ ପାଖରେ ମୋର ଭରସା ଅଛି । ସେ ମୋତେ ନିଜର ବୋଲି ଭାବି ପରିତ୍ୟାଗ କରିବେ ନାହିଁ ।

 

ଭରତଙ୍କର ପ୍ରସ୍ତାବ ସମସ୍ତଙ୍କ ମନକୁ ପାଇଲା । ଶ୍ରୀରାମ-ବିୟୋଗରୂପକ ବିଷଯୋଗୁଁ ସମସ୍ତଙ୍କ ହୃଦୟାଭ୍ୟନ୍ତର ପ୍ରଜ୍ଵଳିତ ହେଉଥିଲା । ମାତା, ମନ୍ତ୍ରୀ, ଗୁରୁ, ନଗରର ସ୍ତ୍ରୀପୁରୁଷ ସମସ୍ତେ ଭରତଙ୍କୁ ପ୍ରଶଂସା କରିବାକୁ ଲାଗିଲେ, ଭରତଙ୍କୁ ଶ୍ରୀରାମଚନ୍ଦ୍ରଙ୍କର ପ୍ରତିରୂପ ବୋଲି ମନେକଲେ । ଲୋକେ ଭରତଙ୍କୁ କହିବାକୁ ଲାଗିଲେ–ହେ ଭରତ, ଆପଣ ଶ୍ରୀରାମଙ୍କର ଅତି ପ୍ରିୟ । କୌଣସି ନୀଚ ଲୋକ ନିଜର ମୂର୍ଖତା ଯୋଗୁଁ ଆପଣଙ୍କ ମାତା କୈକେୟୀଙ୍କର କୁଟିଳତା ଦେଖି ଆପଣଙ୍କୁ ସନ୍ଦେହ କଲେ ତାର ନରକଗତି ହେବ । ସର୍ପର ମସ୍ତକରେ ଥିବା ମଣି ସାପର ପାପ ଓ ମନ୍ଦଗୁଣକୁ ଗ୍ରହଣ କରେ ନାହିଁ; ବରଂ ମଣି ବିଷକୁ ଦୂର କରେ ଏବଂ ଦରିଦ୍ରତାକୁ ଭସ୍ମ କରିଦିଏ ।

 

ହେ ଭରତ ! ଶ୍ରୀରାମ ଯେଉଁଠାରେ ଅଛନ୍ତି ଆମ୍ଭମାନଙ୍କୁ ନେଇ ସେହି ସ୍ଥାନକୁ ଚାଲନ୍ତୁ । ଆପଣ ଉପଯୁକ୍ତ ବିଚାର କରିଛନ୍ତି । ଶୋକସମୁଦ୍ରରେ ବୁଡ଼ିଥିବାବେଳେ ଆପଣ ସମସ୍ତଙ୍କର ସହାୟ ହେଲେ ।

 

ତା’ପର ଦିନ ସକାଳେ ବନକୁ ଯିବାକଥା ଶୁଣି ନାଗରିକମାନେ ଭରତଙ୍କୁ ଅତି ଆଦର କରିବାକୁ ଲାଗିଲେ I ସେଦିନ ବଶିଷ୍ଠଙ୍କୁ ବନ୍ଦନା କରି ଓ ଭରତଙ୍କୁ ନମସ୍କାର କରି ସମସ୍ତେ ଘରକୁ ଫେରିଲେ । ଭରତଙ୍କ ସହିତ ଅଯୋଧ୍ୟାବାସୀମାନେ ପରଦିନ ସକାଳେ ବନ ଉଦ୍ଦେଶ୍ୟରେ ନିର୍ଗତ ହେଲେ । ଯେଉଁମାନେ ଗୃହରକ୍ଷାଭାର ନେଇ ରହିଲେ, ସେମାନେ ଆପଣାକୁ ଭାଗ୍ୟହୀନ ବୋଲି ମନେକରି ଅଯୋଧ୍ୟାରେ ରହିଲେ ।

 

ରାମଚନ୍ଦ୍ରଙ୍କ ନିକଟକୁ ଯିବାପୂର୍ବରୁ ଭରତ ମନେକଲେ–ଏ ନଗର, ଉଆସ, ଅଶ୍ୱ, ହସ୍ତୀ ସୁରକ୍ଷାର ବ୍ୟବସ୍ଥା ନକରିଗଲେ ମୋର ମଙ୍ଗଳ ହେବନାହିଁ । ସେ କେତେଜଣ ବିଶ୍ୱାସୀ ସେବକଙ୍କୁ ଡାକିଲେ । ରାଜ୍ୟପରିଚାଳନା ବିଷୟରେ ସେମାନଙ୍କୁ ନାନା ପରାମର୍ଶ ଦେଲେ ।

Image

 

ନିଷାଦପୁରୀରେ ଭରତ

 

ପ୍ରାତଃକାଳରେ ଭରତ ମନ୍ତ୍ରୀମାନଙ୍କୁ ଡକାଇପଠାଇଲେ । ସେ ସେମାନଙ୍କୁ କହିଲେ–ଆପଣମାନେ ଯେଉଁ ସବୁ ଦ୍ରବ୍ୟ ରାଜତିଳକ ନିମନ୍ତେ ଆବଶ୍ୟକ ତାହାର ସୁବନ୍ଦୋବସ୍ତ କରି ସାଙ୍ଗରେ ନେବେ । ଗୁରୁ ବଶିଷ୍ଠ ଶ୍ରୀରାମଚନ୍ଦ୍ରଙ୍କୁ ସେହି ବନପ୍ରଦେଶରେ ରାଜତିଳକ ଦେବେ ।

 

ପ୍ରଥମ ରଥରେ ମୁନି ବଶିଷ୍ଠ ଓ ଅରୁନ୍ଧତୀ ବସିଲେ । ମୁନି ଓ ମୁନିପତ୍ନୀଙ୍କ ସହିତ ବ୍ରାହ୍ମଣମାନେ ସେଥିରେ ବସିଲେ । ରାଣୀମାନେ ଅନ୍ୟ ଏକ ରଥରେ ବସିଲେ । ନାଗରିକମାନେ ଅନେକ ରଥ ସଜବାଜ କରି ସେଥିରେ ଚଢ଼ିଲେ । ‘ସୀତା ରାମ ସମସ୍ତ ରାଜସୁଖ ପରିତ୍ୟାଗ କରି ବନରେ ନିବାସ କରୁଅଛନ୍ତି’ ଏପରି ବିଚାରି ଭରତ ଓ ଶତ୍ରୁଘ୍ନ ପାଦରେ ଚାଲିବାକୁ ଆରମ୍ଭ କଲେ । ପ୍ରଜାମାନେ ଭରତ ଶତ୍ରୁଘ୍ନକୁ ପଦବ୍ରଜରେ ଯାଉଥିବାର ଦେଖି ଯାନବାହନରୁ ଅବତରଣ କରି ଚାଲିବାକୁ ଲାଗିଲେ । କୌଶଲ୍ୟା ଯେତେବେଳେ ଏହା ଦେଖିଲେ ସେ ତାଙ୍କର ବାହକମାନଙ୍କୁ ଭରତଙ୍କ ନିକଟକୁ ନେବାକୁ ଆଦେଶ ଦେଲେ । ସେ ଭରତଙ୍କୁ କହିଲେ–ପୁତ୍ର, ତୁମେ ରଥରେ ବସ-। ତୁମେ ପାଦରେ ଚାଲିଲେ ନଗରବାସୀ ସମସ୍ତେ ପଦବ୍ରଜରେ ଯିବେ । ଏ ମାର୍ଗ ପଦବ୍ରଜ ନିମନ୍ତେ ଉପଯୁକ୍ତ ନୁହଁ । ମାତାଙ୍କ ଆଦେଶ ଶିରୋଧାର୍ଯ୍ୟ କରି ଭରତ ଓ ଶତ୍ରୁଘ୍ନ ରଥରେ ବସିଲେ-

 

ପ୍ରଥମ ଦିନ ତମସା ନଦୀକୂଳରେ ଏବଂ ଦ୍ୱିତୀୟ ଦିନ ଗୋମତୀ ନଦୀକୂଳରେ ବିଶ୍ରାମ ନେଲେ । କେହି କେହି କେବଳ ଦୁଧ ଓ ଫଳାହାର କରୁଥିଲେ, କେତେକ ଲୋକ ଦିନରେ ଏକବେଳା ଭୋଜନ କରୁଥିଲେ । ଭୋଗବିଳାସ ତ୍ୟାଗ କରି ପ୍ରଜାମାନେ ଶ୍ରୀରାମଚନ୍ଦ୍ରଙ୍କ ନିମିତ୍ତ ନିୟମ ଓ ବ୍ରତ ପାଳି ଚିତ୍ରକୂଟ ଉଦ୍ଦେଶ୍ୟରେ ବାହାରିଲେ । ରାତ୍ରି ହେଲେ ନଦୀକୂଳରେ ବାସ କରି ସକାଳ ହେବା ସଙ୍ଗେ ସଙ୍ଗେ ସେଠାରୁ ବାହାରନ୍ତି ।

 

ମାର୍ଗରେ ଶୃଙ୍ଗବେରପୁର ପଡ଼ିଲା । ନିଷାଦରାଜା ଗୂହକ ଭରତଙ୍କର ଆଗମନର ସମ୍ବାଦ ପାଇଲେ । ସେ ବିଚାରିଲେ, ଭରତଙ୍କର ବନଗମନର କାରଣ କ’ଣ ? ମନରେ ତାଙ୍କର କୌଣସି କପଟତା ଅଛି । ତା ନ ହେଲେ ସଙ୍ଗରେ ସୈନ୍ୟସାମନ୍ତ ଧରି ବାହାରିଛନ୍ତି କାହିଁକି ? ବୋଧହୁଏ ଶ୍ରୀରାମ-ଲକ୍ଷ୍ମଣଙ୍କୁ ହତ୍ୟା କରି ନିଷ୍କଣ୍ଟକ ରାଜ୍ୟଭୋଗ ଅଭିଳାଷ ଅଛି । ଭରତ ଉଚିତ ରାଜନୀତି ବିଷୟ ହୃଦୟରେ ବିଚାରି ନାହାନ୍ତି । ପ୍ରଥମେ ତ କଳଙ୍କ ଲାଗିଛି; ବର୍ତ୍ତମାନ ତାଙ୍କୁ ଜୀବନ ହରାଇବାକୁ ପଡ଼ିବ । ଦେବତା ଓ ଦୈତ୍ୟ ବୀରମାନେ ଏକ ହେଲେ ମଧ୍ୟ ଶ୍ରୀରାମଙ୍କୁ ଯୁଦ୍ଧରେ ଜୟ କରିବା ସମ୍ଭବ ନୁହଁ । ଭରତଙ୍କର ଏପରି କାର୍ଯ୍ୟ କରିବାରେ ଆଶ୍ଚର୍ଯ୍ୟ କଥା ବା କ’ଣ ଅଛି ? ବିଷବୃକ୍ଷରେ କଣ କେବେ ଅମୃତଫଳ ଫଳିବା ସମ୍ଭବ ?

 

ମନରେ ଏପରି ବିଚାରି ନିଷାଦରାଜ ସ୍ଵଜାତିର ଲୋକମାନଙ୍କୁ ସତର୍କ ରହିବା ପାଇଁ ଆଦେଶ ଦେଲେ । ସେ ସେମାନଙ୍କୁ କହିଲେ–ଦେଖ, ଭରତ ଆସୁଛନ୍ତି । ତୁମ୍ଭେମାନେ ନାବଗୁଡ଼ିକୁ ନିଜ ନିଜ ପାଖରେ ରଖି ନଦୀରେ ବୁଡ଼ାଇ ଦିଅ । ପ୍ରତ୍ୟେକ ଘାଟରେ ସତର୍କ ଭାବରେ ଜଗି ରହ । ଯୁଦ୍ଧବେଶରେ ସଜ୍ଜିତ ହୋଇ ମୃତ୍ୟୁ ନିମନ୍ତେ ମଧ୍ୟ ପ୍ରସ୍ତୁତ ହୋଇ ରହ । ମୁଁ ଭରତଙ୍କ ସହିତ ଯୁଦ୍ଧ କରିବି । ଆମ୍ଭେମାନେ ଜୀବନରେ ଥାଉ ଥାଉ ସେମାନଙ୍କୁ ଗଙ୍ଗା ନଦୀ ଅତିକ୍ରମ କରିବାକୁ ଛାଡ଼ିଦେବା ନାହିଁ । ଶ୍ରୀରାମଚନ୍ଦ୍ରଙ୍କ କାର୍ଯ୍ୟ ପାଇଁ ଗଙ୍ଗାତଟରେ ଯୁଦ୍ଧରେ ମୃତ୍ୟୁ ଲାଭ କରିବାଠାରୁ ବଳି ଏ କ୍ଷଣଭଙ୍ଗୁର ଶରୀରରେ ଆଉ ଅଧିକ କଣ ଆବଶ୍ୟକ । ଭରତ ଶ୍ରୀରାମଚନ୍ଦ୍ରଙ୍କର ଭ୍ରାତା ଏବଂ ଅଯୋଧ୍ୟାର ରାଜା । ତାଙ୍କ ହସ୍ତରେ ମୃତ୍ୟୁଲାଭ ଭାଗ୍ୟରେ ଥିଲେ ମିଳେ । ମୁଁ ସ୍ଵାମୀଙ୍କ କାର୍ଯ୍ୟ କରି ଯୁଦ୍ଧ କରି ମରିବି, ଚଉଦଭୁବନରେ ମୋର ଯଶ ରହିବ । ଶ୍ରୀରାମଙ୍କ ପାଇଁ ପ୍ରାଣତ୍ୟାଗ କଲେ ଦୁଇ ହାତରେ ପୁଣ୍ୟଲାଭ କରିବି I ସାଧୁସମାଜରେ ଯାହାର ଗଣନା କରାଯାଏ ନାହିଁ ଏବଂ ଶ୍ରୀରାମଙ୍କର ଭକ୍ତମାନଙ୍କ ମଧ୍ୟରେ ଯାହାର କୌଣସି ସ୍ଥାନ ନାହିଁ, ସେପରି ଲୋକ ପୃଥିବୀର ଭାର ରୂପେ ବ୍ୟର୍ଥଜୀବନ ଯାପନ କରେ ।

 

ନିଷାଦରାଜା ଏପରି ଚିନ୍ତା କରି ମନରୁ ସବୁ ଦୁଃଖ ଦୂର କରି ସୈନ୍ୟସାମନ୍ତମାନଙ୍କୁ ଉତ୍ସାହ ଦେବାକୁ ଲାଗିଲେ । ମନରେ ଶ୍ରୀରାମ ସ୍ମରଣ ଓ ହାତରେ ଧନୁଶର ଥିଲା । ଜାତିଭାଇ ସମସ୍ତଙ୍କ ସହିତ ଯୁଦ୍ଧବେଶରେ ସଜ୍ଜିତ ହୋଇ ବାହାରିଲେ । ନିଷାଦମାନେ ବଡ଼ ବୀର । ମସ୍ତକରେ ଶିରସ୍ତ୍ରାଣ, ଶରୀରରେ କବଚ ଶୋଭିତ । ବର୍ଚ୍ଛା, ଫାର୍ଶା ଓ ଧନୁଶର ଧରି ଉତ୍ସାହପୂର୍ବକ ନିଷାଦ ବୀରମାନେ ମାତିଉଠିଲେ । ସେମାନେ ନିଷାଦରାଜାଙ୍କୁ କହିଲେ–ଶ୍ରୀରାମଚନ୍ଦ୍ରଙ୍କର ପ୍ରତାପ ଓ ଆପଣଙ୍କର ବଳ ଯୋଗୁଁ ଆମ୍ଭେମାନେ ଭରତଙ୍କର ସୈନ୍ୟ, ହସ୍ତୀ, ଅଶ୍ଵ ସମସ୍ତଙ୍କୁ ହତ୍ୟାକରିବୁ ।

 

ଯୁଦ୍ଧ-ସାଜସଜ୍ଜା ଚାଲିଥିବାବେଳେ ସୈନ୍ୟବାହିନୀର ବାମପାର୍ଶ୍ଵରେ କେହି ଜଣେ ନାସିକା କୁଂଚନ କରି ଛିଙ୍କିଦେଲେ । ଏ ଲକ୍ଷଣ ଦେଖି ଜଣେ ବୃଦ୍ଧ ବ୍ୟକ୍ତି କହିଲେ–ଆପଣମାନେ ନିଶ୍ଚିନ୍ତ ରହନ୍ତୁ, ଯୁଦ୍ଧ ହେବ ନାହିଁ । ଭରତ ଶ୍ରୀରାମଚନ୍ଦ୍ରଙ୍କର ପ୍ରତ୍ୟାବର୍ତ୍ତନ ନିମନ୍ତେ ଯାଉଅଛନ୍ତି । ଭରତ ତୁମ୍ଭମାନଙ୍କର ବିରୋଧି ନୁହନ୍ତି । ନିଷାଦରାଜା କହିଲେ–ବୃଦ୍ଧବ୍ୟକ୍ତି ଠିକ୍ କଥା କହୁଛନ୍ତି । ମୂର୍ଖ ବ୍ୟକ୍ତିମାନେ ଚପଳଭାବରେ କାର୍ଯ୍ୟ କରି ଶେଷରେ ଅନୁତାପ କରନ୍ତି । ଭରତଙ୍କର ସ୍ଵଭାବ ବିଷୟରେ ନ ଜାଣି ଯୁଦ୍ଧ କରିବାକୁ ଅଗ୍ରସର ହେବା ଅହିତକର ହେବ । ବୀରମାନେ ଏକତ୍ର ଗଙ୍ଗାଘାଟଗୁଡ଼ିକୁ ରୋଧ କରନ୍ତୁ । ମୁଁ ଯାଇ ଭରତଙ୍କ ସହିତ ସାକ୍ଷାତ କରିବି । ତାଙ୍କର ଶତ୍ରୁତା କିମ୍ବା ମିତ୍ରତା ଭାବ ବୁଝିସାରି ମୁଁ ଯେପରି ଆଦେଶ ଦେବି ତୁମ୍ଭେମାନେ ସେହିପରି କାର୍ଯ୍ୟ କରିବ । ଶତ୍ରୁତା ଓ ସ୍ନେହ ଗୁପ୍ତ ରଖିଲେ ଗୁପ୍ତ ହୋଇ ରହେ ନାହିଁ ।

 

ସୈନ୍ୟସାମନ୍ତମାନଙ୍କୁ ନାନା ପ୍ରବୋଧ ଦେଇ ନିଷାଦରାଜା ଭରତଙ୍କ ସହିତ ସାକ୍ଷାତ କରିବାପାଇଁ ନାନା ଦ୍ରବ୍ୟ ବ୍ୟବସ୍ଥା କରିବାକୁ ଲାଗିଲେ । କନ୍ଦମୂଳ, ଫଳ, ଅନେକ ପ୍ରକାରର ପକ୍ଷୀ ଓ ହରିଣ ମଗାଇଲେ । କେତେକ ପାତ୍ରରେ ଜଳ ମଧ୍ୟରେ ମତ୍ସ୍ୟ ରଖି କେଉଟମାନେ ନିଷାଦରାଜାଙ୍କର ସଙ୍ଗରେ ଗଲେ । ଯାତ୍ରା ସମୟରେ ଅନେକ ମଙ୍ଗଳ ଚିହ୍ନ ଦେଖିଲେ ।

 

ମୁନି ବଶିଷ୍ଠଙ୍କ ରଥ ଆଗରେ ଥିଲା । ଗୂହକ ତାଙ୍କୁ ଦେଖି ପ୍ରଣାମ କଲେ ଏବଂ ନିଜର ପରିଚୟ ଦେଲେ । ବଶିଷ୍ଠ ଭରତକୁ ନିଷାଦରାଜାଙ୍କ ପରିଚୟ ଦେବାରୁ ସେ ରଥରୁ ଓହ୍ଲାଇ ଆସି ଅତିଶୟ ଆଗ୍ରହରେ ତାଙ୍କ ସହିତ ସାକ୍ଷାତ କରିବାକୁ ଆସିଲେ । ଗୂହକ ତାହାଙ୍କୁ ଦେଖି ନିଷାଦ-ରୀତି ଅନୁସାରେ ନିଜର ନାମ, ଜାତି ଜଣାଇ ଭୂମିରେ ମସ୍ତକ ଲଗାଇ ଭରତଙ୍କୁ ପ୍ରଣାମ କଲେ ।

 

ଭରତ ତାଙ୍କୁ ଭୂମିରୁ ତୋଳିଆଣି କୋଳାଗ୍ରତ କଲେ । ଭରତଙ୍କୁ ଜଣାଗଲା ସତେ ଯେପରି ସେ ଲକ୍ଷ୍ମଣଙ୍କୁ ବହୁ ଦିନ ପରେ ଭେଟିଲେ । ନୀଚ ଜାତି ବୋଲି ଲୋକେ ଯାହାର ଛାଇ ପଡ଼ିଲେ ସ୍ନାନ କରନ୍ତି, ଭରତ ତାଙ୍କୁ ଛାତିରେ ଲଗାଇଲେ । ଦୁହିଁଙ୍କର ଲୋମସମୂହ ଆନନ୍ଦରେ ପୁଲକିତ ହୋଇ ଉଠିଲା । କର୍ମନାଶା ନଦୀର ଜଳ ଗଙ୍ଗା ନଦୀରେ ମିଶିଗଲେ ତାହାକୁ କିଏ ଶିରରେ ନ ଲଗାଏ ? ସେହିପରି ମୂର୍ଖ ଶବର ମଧ୍ୟ ରାମନାମ ଜପକରି ପରମ ପବିତ୍ର ହୋଇଯାନ୍ତି-

 

ନିଷାଦରାଜା ଭରତଙ୍କ ସହିତ ସାକ୍ଷାତ୍ କରି ତାଙ୍କର କୁଶଳ ପଚାରିଲେ ଏବଂ ଭରତଙ୍କର ଅକୃତ୍ରିମ ସରଳ ବ୍ୟବହାର ଦେଖି ଅପଲକ ନେତ୍ରରେ ଚାହିଁ ରହିଲେ । ସେ କେତେକ ମୁହୂର୍ତ୍ତ ନିର୍ବାକ୍ ହୋଇ ରହି ତା’ପରେ ଭରତଙ୍କୁ କହିଲେ–ଆପଣଙ୍କର ଚରଣକମଳ ଦର୍ଶନ କରି ମୁଁ ଆଜି ଭାଗ୍ୟବାନ୍ ହେଲି । ଆପଣଙ୍କର ଅନୁଗ୍ରହ ଫଳରେ ମୋର ଜାତି ଓ କୁଳର ସମସ୍ତେ କୁଶଳରେ ଅଛନ୍ତି । ଶ୍ରୀରାମ ମୋ ପରି ନୀଚ ଉପରେ କୃପା କରିଅଛନ୍ତି । ମୁଁ କପଟୀ ଓ କୁବୁଦ୍ଧିଗ୍ରସ୍ତ; ନୀଚକୁଳରେ ମୁଁ ଜାତ ହୋଇଅଛି । କିନ୍ତୁ ଶ୍ରୀରାମଚନ୍ଦ୍ର ଯେଉଁଦିନଠାରୁ ମୋତେ ଆପଣାର ବୋଲି ମନେ କରିଛନ୍ତି, ମୁଁ ସେହି ଦିନଠାରୁ ବିଶ୍ଵର ଭୂଷଣ ହୋଇଯାଇଅଛି । ଶତ୍ରୁଘ୍ନ ମଧ୍ୟ ଗୂହକଙ୍କ ସହିତ ସାକ୍ଷାତ୍ କଲେ ।

 

ନିଷାଦରାଜ ଭରତଙ୍କ ପାଖରୁ ଯାଇ ରାଣୀମାନଙ୍କୁ ଭେଟିଲେ । ରାଜାଙ୍କର ସଂକେତ ମାତ୍ରେ ସେବକମାନେ ବିଭିନ୍ନ ସ୍ଥାନରେ ସେମାନଙ୍କର ରହିବା ପାଇଁ ସ୍ଥାନ ତିଆରି କରିଦେଲେ । ପୁଣି ନିଷାଦରାଜାଙ୍କର କାନ୍ଧ ଉପରେ ହାତ ରଖି ଦୁହେଁ ସାଙ୍ଗସାଥୀ ହୋଇ ଯାଇ ଗଙ୍ଗା ନଦୀ କୂଳରେ ପହଞ୍ଚିଲେ । ଶ୍ରୀରାମଚନ୍ଦ୍ର ଯେଉଁ ଘାଟରେ ସ୍ନାନ କରିଥିଲେ, ନିଷାଦରାଜା ସେହି ଘାଟଟିକୁ ଭରତଙ୍କୁ ଚିହ୍ନାଇଦେଲେ । ଭରତ ଶ୍ରୀରାମଘାଟରେ ମସ୍ତକ ଲଗାଇ ପ୍ରଣାମ କଲେ । ନଗରର ନରନାରୀ ଗଙ୍ଗା ନଦୀରେ ସ୍ନାନ କଲେ ।

 

ଦୁହେଁ ହାତ ଧରାଧରି ହୋଇ ଗଙ୍ଗା ନଦୀ କୂଳେ କୂଳେ ଚାଲୁଥିବାବେଳେ ଭରତ ଗୂହକଙ୍କୁ ପଚାରିଲେ–ଭାଇ, ଯେଉଁ ସ୍ଥାନରେ ଲକ୍ଷ୍ମଣ ଓ ସୀତାଙ୍କ ସହିତ ମୋର ଭ୍ରାତା ଶୟନ କରିଥିଲେ, ମୋତେ ସେହି ସ୍ଥାନ ଦେଖାଇଦିଅ । କହୁ କହୁ ତାଙ୍କ ଚକ୍ଷୁ ଲୋତକପୂର୍ଣ୍ଣ ହୋଇଗଲା ।

 

ଅଶୋକ ବୃକ୍ଷତଳେ ଶ୍ରୀରାମ ଯେଉଁଠି ବିଶ୍ରାମ କରୁଥିଲେ, ନିଷାଦରାଜା ସେହି ସ୍ଥାନ ତାଙ୍କୁ ଦେଖାଇଦେବାରୁ ଭରତ ସେହିଠାରେ ପ୍ରଣାମ କଲେ । ସେଠାରେ ଥିବା କୁଶଶଯ୍ୟାର ତତୁର୍ଦ୍ଦିଗରେ ସେ ପ୍ରଦକ୍ଷିଣ କଲେ । ଶ୍ରୀରାମଙ୍କର ଚରଣଚିହ୍ନ ଲକ୍ଷ୍ୟ କରି ସେଠାରୁ ଧୂଳି ନେଇ ମସ୍ତକରେ ଲଗାଇଲେ । ମହର୍ଷି ଜନକଙ୍କର କନ୍ୟା, ସୂର୍ଯ୍ୟବଂଶର ମହାରାଜା ଦଶରଥଙ୍କର ପୁତ୍ରବଧୂ, ଶ୍ରୀରାମଚନ୍ଦ୍ରଙ୍କର ପତ୍ନୀ, ପତିବ୍ରତା-ଶିରୋମଣି ସୀତାଙ୍କର କୁଶଶଯ୍ୟାକୁ ଦେଖି ଓ ତାଙ୍କର ଶାଢ଼ୀରୁ ଝଡ଼ିପଡ଼ିଥିବା ଦୁଇଟି ମୋତି ନେଇ ମୁଣ୍ଡରେ ଲଗାଇ ଭରତ କହିଲେ–ଏ କୁଶଶଯ୍ୟାକୁ ଦେଖି ମୋର ହୃଦୟ ଫାଟି ନ ଯାଉଛି କିପରି ? ଏ ହୃଦୟ ବଜ୍ରଠାରୁ ମଧ୍ୟ କଠିନ । ମୋର କନିଷ୍ଠ ଲକ୍ଷ୍ମଣ କି ସୁନ୍ଦର, ଅତିଶୟ ସ୍ନେହର ପାତ୍ର । ଏପରି ଅନୁଜ କାହାରି କେବେ ଅତୀତରେ ନ ଥିଲେ; ନାହାନ୍ତି, କିମ୍ବା ଭବିଷ୍ୟତରେ ହେବେ ନାହିଁ । ଅଯୋଧ୍ୟାବାସୀ ଓ ସୀତାରାମଙ୍କର ସେ ପ୍ରାଣପ୍ରିୟ, କୋମଳ ଓ ସୁକୁମାର ଅଟେ । ତାହାର ଶରୀର କେବେହେଁ ଉଷ୍ଣ ବାୟୁ ସ୍ପର୍ଶ କରି ନ ଥିଲା । ସେ ଆଜି ବନରେ ନାନା କଷ୍ଟ ସହୁଛି । ମୋ ହୃଦୟ ଏସବୁ ସହୁଛି କିପରି ?

 

ଶ୍ରୀରାମ ଜନ୍ମଗ୍ରହଣ କରି ଏ ଜଗତକୁ ପରମ ସୁଶୋଭିତ କରିଅଛନ୍ତି । ଶ୍ରୀରାମ ରୂପ, ଶୀଳ ଓ ସମସ୍ତ ଗୁଣର ଆକର । ପୁରବାସୀ, କୁଟୁମ୍ବ, ଗୁରୁ, ପିତାମାତା ସମସ୍ତଙ୍କର ସେ ସୁଖର କାରଣ । ଶତ୍ରୁମାନେ ମଧ୍ୟ ଶ୍ରୀରାମଙ୍କର ମହତ୍ତ୍ଵ ବର୍ଣ୍ଣନା କରନ୍ତି । ସେ ଭୂମିରେ କୁଶାସ୍ତରଣ ଉପରେ ଶୋଉଛନ୍ତି । ସେ କେବେହେଲେ ଦୁଃଖର ନାମ ଶୁଣି ନ ଥିଲେ । ମହାରାଜା ତାଙ୍କୁ ନିଜର ଜୀବନ ପରି ମନେକରୁଥିଲେ । ଚକ୍ଷୁକୁ ପଲକ ରକ୍ଷାକରୁଥିଲା ପରି ରାଣୀମାନେ ତାଙ୍କର ସେବାରେ ଦିନରାତି ଜଗି ରହିଥିଲେ । ସେ ଆଜି ଭୀଷଣ ବନ ମଧ୍ୟରେ ପାଦରେ ଚାଲି ବୁଲୁଛନ୍ତି ଏବଂ ଫଳମୂଳ ଖାଇ ବଂଚିଛନ୍ତି । ଏସବୁ ଅମଙ୍ଗଳର ମୂଳ କୈକେୟୀ । ତାଙ୍କୁ ଧିକ୍‌କାର; ପୁଣି ମୋ ପରି ପାପର ସମୁଦ୍ର ଏ ଭାଗ୍ୟହୀନକୁ ଧିକ୍‌କାର । ମୋରି ପାଇଁ ଏସବୁ ଘଟିଛି ସିନା ! ବିଧାତା ମୋତେ କୁଳର କଳଙ୍କ କରି ଜନ୍ମଦେଇଛି ।

 

ନିଷାଦରାଜା ଭରତଙ୍କୁ କହିଲେ–ଆପଣ ଏପରି କାହିଁକି ଦୁଃଖିତ ହେଉଅଛନ୍ତି । ଆପଣ ଶ୍ରୀରାମଙ୍କର ପ୍ରିୟ ଓ ଶ୍ରୀରାମ ଆପଣଙ୍କର ପ୍ରିୟ ଅଟନ୍ତି । ବିଧାତାର ସବୁ ଦୋଷ । ସେଇ ବିଧାତା ବାମ ହୋଇ କୈକେୟୀଙ୍କର ମତିକୁ ବିଗାଡ଼ିଦେଲା । ସେଦିନ ରାତ୍ରିରେ ପ୍ରଭୁ ଶ୍ରୀରାମଚନ୍ଦ୍ର ଆପଣଙ୍କର ଗୁଣ ଗୁଣିହେଉଥିଲେ । ଆପଣଙ୍କ ପରି ପ୍ରିୟ ଶ୍ରୀରାମଙ୍କର ଆଉ କେହି ନାହିଁ । ପରିଣାମ ମଙ୍ଗଳମୟ ହେବ । ଆପଣ ହୃଦୟରେ ଧୈର୍ଯ୍ୟାବଲମ୍ବନ କରନ୍ତୁ । ଶ୍ରୀରାମଚନ୍ଦ୍ର ଅନ୍ତର୍ଯ୍ୟାମୀ ଓ କୃପାଧାମ ଅଟନ୍ତି । ଏକଥା ସବୁ ବିଚାର କରି ବିଶ୍ରାମ କରନ୍ତୁ ।

 

ଭରତ ନିଷାଦରାଜାଙ୍କର କଥା ଶୁଣି ବିଶ୍ରାମସ୍ଥଳକୁ ଗଲେ । ଯେଉଁଠାରେ ସୀତା, ରାମ ଓ ଲକ୍ଷ୍ମଣ ରାତ୍ରିଯାପନ କରିଥିଲେ, ସେହି ସ୍ଥାନ ଦେଖିବାପାଇଁ ଅଯୋଧ୍ୟାର ନାଗରିକମାନେ ଆତୁର ହୋଇ ବାହାରିଲେ । ସେମାନେ ସେଠାରେ ପହଞ୍ଚି ସ୍ଥାନ ପରିକ୍ରମା କରି ପ୍ରଣାମ କଲେ । ଭରତ, ନିଷାଦ ଓ ନାଗରିକମାନେ ରାତ୍ରିସାରା ଶ୍ରୀରାମଙ୍କ ଚରିତ ଶୁଣି ଶୁଣି ରାତି କଟାଇଦେଲେ ।

Image

 

ଭରଦ୍ୱାଜାଶ୍ରମରେ ଭରତ

 

ସକାଳ ହେଲା । ଗଙ୍ଗା ନଦୀ ଅତିକ୍ରମ କରି ଅନ୍ୟ କୂଳକୁ ଯିବାକୁ ହେବ । ନିଷାଦରାଜାଙ୍କ ଆଦେଶରେ ନାବଗୁଡ଼ିକ ଆଗରୁ ପ୍ରସ୍ତୁତ ହୋଇ ରହିଥିଲା । ପ୍ରଥମେ ଗୁରୁ ବଶିଷ୍ଠ ନାଆରେ ଚଢ଼ିଲେ । ମାତାମାନଙ୍କୁ ଚଢ଼ାଇ ତା’ପରେ ଅନ୍ୟମାନେ ନାବ ଉପରକୁ ଗଲେ । ଗଙ୍ଗା ନଦୀର ଏପାଖରୁ ସେ ପାଖକୁ ଯିବା ପାଇଁ ଚାରିଘଡ଼ି ସମୟ ଲାଗିଲା । ଭରତ ମାର୍ଗ ଜାଣି ନ ଥିବାରୁ ନିଷାଦମାନଙ୍କୁ ଆଗରେ ଚାଲି ବାଟ ଦେଖାଇବା ପାଇଁ ନିର୍ଦ୍ଦେଶ ଦେଲେ । ସେ ନିଷାଦରାଜାଙ୍କ ସହିତ ସାଥୀ ହୋଇ ଚାଲୁଥିଲେ । ସେମାନଙ୍କ ସହିତ ଅଶ୍ଵମାନେ ମଧ୍ୟ ଚାଲୁଥିଲେ-। ସେମାନଙ୍କ ଉପରେ କେହି ବସିଲେ ନାହିଁ । ସେବକମାନେ ଭରତଙ୍କୁ ଅଶ୍ଵ ଉପରେ ବସିବାକୁ କହିବାରୁ ସେ କହିଲେ–ଶ୍ରୀରାମଚନ୍ଦ୍ର ତ ପାଦରେ ଚାଲି ଚାଲି ଗଲେ; ତେବେ ଏ ରଥ, ଅଶ୍ଵ ଓ ହସ୍ତୀ କଣ ମୋ ପାଇଁ ସୃଷ୍ଟି ହୋଇଛନ୍ତି । ମୁଁ ତ ମୋର ମସ୍ତକର ବଳରେ ଯିବା ଉଚିତ । ସେବକର ଧର୍ମ ବଡ଼ କଠିନ ।

 

ଭରତ ଚାଲୁଥିଲାବେଳେ ‘ସୀତାରାମ’, ‘ସୀତାରାମ’ ଜପ କରି କରି ଚାଲିଥାନ୍ତି । ସେଦିନ ତୃତୀୟ ପ୍ରହରରେ ସେମାନେ ପ୍ରୟାଗରେ ପହଞ୍ଚିଲେ । ତ୍ରିବେଣୀରେ ସ୍ନାନ ସାରି ପୁଣି ଗଙ୍ଗା ଓ ଯମୁନା ନଦୀର ଶ୍ଵେତ ଓ ଶ୍ୟାମ ଜଳରେ ସ୍ନାନକଲେ । ସେଠାରେ ବ୍ରାହ୍ମଣମାନଙ୍କୁ ନାନାଦି ଦାନ ଦକ୍ଷିଣା ଦେଲେ । ଗଙ୍ଗା-ଯମୁନାର ଶ୍ଵେତ ଓ ଶ୍ୟାମ ତରଙ୍ଗ ଦେଖି ତାଙ୍କର ହୃଦୟ ପୁଲକିତ ହୋଇଉଠିଲା । ସେ ସେଠାରେ ଦଣ୍ଡାୟମାନ ହୋଇ କରଯୁଗଳ ଯୋଡ଼ି କହିଲେ–ହେ ତୀର୍ଥରାଜ, ଆପଣ ସମସ୍ତଙ୍କର କାମନା ପୂରଣ କରନ୍ତି । ବେଦରେ ଆପଣଙ୍କର ପ୍ରଭାବ ବର୍ଣ୍ଣିତ ହୋଇଅଛି । ମୁଁ ମୋର କ୍ଷାତ୍ରଧର୍ମର ଅନୁଚିତ ଭିକ୍ଷା ଯାଚନା କରୁଛି । ଆର୍ତ୍ତ ମନୁଷ୍ୟ ସବୁ ପ୍ରକାରର କୁକର୍ମ କରିପାରେ । ଏ କଥା ଜାଣି ଉତ୍ତମ ଦାନୀ ବ୍ୟକ୍ତିମାନେ ଜଗତରେ ଭିକ୍ଷାର୍ଥୀମାନଙ୍କର ଆଶା ପୂରଣ କରନ୍ତି । ମୁଁ ଧର୍ମ, ଅର୍ଥ, କାମ ବା ମୋକ୍ଷ କିଛି ଚାହେଁ ନାହିଁ । ଜନ୍ମଜନ୍ମାନ୍ତରେ ଶ୍ରୀରାମଙ୍କ ଚରଣରେ ମୋର ପ୍ରେମ ରହୁ; ଏତିକି ମୋର ଭିକ୍ଷା । ସ୍ଵୟଂ ଶ୍ରୀରାମଚନ୍ଦ୍ର ମୋତେ କୁଟିଳ ବୋଲି ମନେକରନ୍ତୁ, ଲୋକେ ମୋତେ ଗୁରୁଦ୍ରୋହୀ ବା ସ୍ଵାମୀଦ୍ରୋହୀ କୁହନ୍ତୁ ପଛକେ ଆପଣଙ୍କ କୃପାବଳରେ ସୀତାରାମଙ୍କ ଚରଣରେ ମୋର ଦିନକୁଦିନ ପ୍ରୀତି ବଢ଼ୁଥାଉ । ମେଘ ଚାତକର ଇଚ୍ଛା ପୂରଣ ନ କରୁ, ସେ ଜଳଭିକ୍ଷା କଲାବେଳେ ମେଘ ବଜ୍ର ଓ କରକା ବରଷୁ; କିନ୍ତୁ ଚାତକର ସ୍ଵର ହ୍ରାସ ହେଲେ ମେଘର ପ୍ରତିଷ୍ଠା ହ୍ରାସ ପାଇବ ନାହିଁ କି ? ସ୍ଵର୍ଣ୍ଣ ତପ୍ତହେଲେ ତାର ଉଜ୍ଜ୍ୱଳତା ବୃଦ୍ଧିପ୍ରାପ୍ତ ହୁଏ । ସେହିପରି ପ୍ରିୟତମଙ୍କ ଚରଣରେ ପ୍ରେମର ନିୟମ ସଫଳ ହେଲେ ପ୍ରେମୀ ସେବକର ଗୌରବ ବଢ଼େ ।

 

ଯେତେବେଳେ ଭରତ ଏକଥା କହିଲେ, ସେତେବେଳେ ତ୍ରିବେଣୀ-ସଙ୍ଗମରୁ ଏକ ଶୂନ୍ୟବାଣୀ ଶୁଭିଲା–ହେ ଭରତ, ତୁମେ ସାଧୁ ! ଶ୍ରୀରାମଙ୍କ ଚରଣରେ ତୁମର ଅସୀମ ପ୍ରେମ I ମନ ଭିତରେ ତୁମେ ବୃଥା ଗ୍ଲାନି ଆଣ ନାହିଁ । ତୁମ ପରି ପ୍ରିୟ ଶ୍ରୀରାମଙ୍କର ଅନ୍ୟ କେହି ନାହିଁ । ଭରତଙ୍କ ଶରୀରରେ ପୁଲକ ଖେଳିଗଲା ।

 

ତୀର୍ଥରାଜ ପ୍ରୟାଗନିବାସୀ ବାନପ୍ରସ୍ଥୀ, ବ୍ରହ୍ମଚାରୀ, ଗୃହସ୍ଥ, ସନ୍ନ୍ୟାସୀ ସମସ୍ତଙ୍କ ମୁଖରେ ଭରତଙ୍କର ଅଶେଷ ପ୍ରଶଂସା । ଭରତ ଭରଦ୍ଵାଜଙ୍କ ଆଶ୍ରମରେ ପହଞ୍ଚିଲେ । ଭରଦ୍ଵାଜଙ୍କର ଦର୍ଶନମାତ୍ରେ ତାହାଙ୍କୁ ଦଣ୍ଡବତ ପ୍ରଣାମ କରିବାର ଦେଖି ଭରଦ୍ଵାଜ ଋଷି ତାହାଙ୍କୁ ସଙ୍ଗେ ସଙ୍ଗେ ଭୂମିରୁ ଉଠାଇନେଲେ । ତାଙ୍କୁ ଆଶୀର୍ବାଦ ଦେଇ ପାଖରେ ବସାଇଲେ । ଭରତ ମୁଖ ତଳକୁ କରି ବସିଲେ । ମୁନିଙ୍କ ପ୍ରଶ୍ନର କି ଉତ୍ତର ଦେବେ ବୋଲି ବିଚାରି ତାଙ୍କ ମନରେ ସଙ୍କୋଚ ଆସିଲା ।

 

ମୁନି ତାହା ଜାଣିପାରି କହିଲେ–ଭରତ, ମୁଁ ସବୁ କଥା ଜାଣିଛି । ବିଧାତାର କାର୍ଯ୍ୟ ଉପରେ କାହାରି କିଛି କରିବାର ଉପାୟ ନାହିଁ । ମାତାଙ୍କର କାର୍ଯ୍ୟକୁ ସ୍ମରଣ କରି ତୁମେ ମନରେ ଗ୍ଳାନି ରଖ ନାହିଁ । ହେ ପୁତ୍ର ! କୈକେୟୀଙ୍କର କୌଣସି ଦୋଷ ନାହିଁ । ସରସ୍ଵତୀ ତାଙ୍କର ବୁଦ୍ଧିଭ୍ରମ କରିଦେଇଥିଲେ । ବିଦ୍ଵାନମାନେ ସମାଜ ଓ ବେଦନୀତି ଉଭୟକୁ ସମ୍ମାନ ଦେଇଥାନ୍ତି । ସମାଜ ଏବଂ ବେଦ ଉଭୟେ ତୁମର ଗୁଣର ପ୍ରଶଂସା କରି ନିଜ ନିଜର ସମ୍ମାନ ବଢ଼ାଇବେ । ପିତା ଯାହାକୁ ରାଜ୍ୟ ଦିଅନ୍ତି, ସେ ରାଜା ହୁଅନ୍ତି । ଏ କଥା ସମାଜ ଗ୍ରହଣ କରେ ଏବଂ ଏ କଥା ବେଦରେ ଲିଖିତ ଅଛି । ରାଜା ସତ୍ୟବ୍ରତୀ ଥିଲେ । ସେ ତୁମକୁ ଡାକି ରାଜ୍ୟ ଦାନ କରିଥିଲେ ସୁଖ ଓ ଗୌରବ ମିଳିଥାନ୍ତା ଏବଂ ଧର୍ମ ରହିଥନ୍ତା । ଶ୍ରୀରାମଚନ୍ଦ୍ରଙ୍କ ବନଗମନ ହିଁ ସମସ୍ତ ଅନର୍ଥର ମୂଳ । ସମଗ୍ର ସଂସାର ତାହା ଶୁଣି ଦୁଃଖିତ । ରାଣୀ ନ ବୁଝି କପଟ ଆଚରଣ କଲେ ଏବଂ ପଛରେ ସେଥିପାଇଁ ଅନୁତାପ କଲେ । ସେଥିରେ ତୁମର ତିଳେମାତ୍ର ଅପରାଧ ଅଛି ବୋଲି କେହି ଯଦି କହେ, ସେ ନିତାନ୍ତ ଅଧମ, ଅଜ୍ଞାନୀ ଓ ଅସାଧୁ ।

 

ତୁମେ ଯଦି ରାଜତ୍ଵ କରିଥାନ୍ତ ତୁମକୁ କେହି ଦୋଷ ଦେଇ ନ ଥାନ୍ତେ; ଶ୍ରୀରାମଚନ୍ଦ୍ର ସେ କଥା ଶୁଣି ସନ୍ତୁଷ୍ଟ ହୋଇଥାନ୍ତେ । ହେ ଭରତ ! ବର୍ତ୍ତମାନ ତୁମେ ଯାହା କରିଅଛ, ତାହା ଅତ୍ୟନ୍ତ ଉତ୍ତମ ହୋଇଅଛି । ତୁମର ଏହା ହିଁ ଶ୍ରେଷ୍ଠ କର୍ତ୍ତବ୍ୟ । ଶ୍ରୀରାମଙ୍କ ଚରଣରେ ପ୍ରେମ ସଂସାରରେ ସମସ୍ତ କଲ୍ୟାଣର ଆଧାର । ଶ୍ରୀରାମଙ୍କ ଚରଣରେ ପ୍ରେମ ତୁମର ଧନ, ଜୀବନ ଓ ପ୍ରାଣ ଅଟେ । ତୁମ ପରି ଭାଗ୍ୟବାନ୍ ଆଉ କିଏ ଅଛି ? ହେ ପୁତ୍ର ! ତୁମ ପକ୍ଷରେ ଏହା କିଛି ବଡ଼ ଆଶ୍ଚର୍ଯ୍ୟର କଥା ନୁହଁ; କାରଣ ତୁମେ ଦଶରଥଙ୍କ ପୁତ୍ର ଏବଂ ଶ୍ରୀରାମଙ୍କର ପ୍ରିୟତମ ଭ୍ରାତା । ଶ୍ରୀରାମଙ୍କ ମନରେ ତୁମ ପ୍ରତି ଯେଉଁ ସ୍ନେହ ଓ ପ୍ରେମ ଅଛି, ସେପରି ଆଉ କାହାରି ପ୍ରତି ନାହିଁ । ଲକ୍ଷ୍ମଣ, ସୀତା ଓ ଶ୍ରୀରାମ ସେଦିନ ରାତି ସାରା ତୁମର ଗୁଣ ଗାଇ ଗାଇ ରାତ୍ରି ଅତିବାହିତ କଲେ ।

 

ପ୍ରୟାଗରେ ସୀତା, ରାମ ଓ ଲକ୍ଷ୍ମଣ ସ୍ନାନକଲାବେଳେ ମୁଁ ଏକଥା ଜାଣିପାରିଲି । ସେମାନେ ତୁମରି ସ୍ନେହରେ ମଗ୍ନ ଥିଲେ । ତୁମେ ଶ୍ରୀରାମଙ୍କର ପ୍ରେମର ଶରୀରଧାରୀ ପ୍ରତିରୂପ ଅଟ । ତୁମ ପାଇଁ ସିନା ଏହା କଳଙ୍କ ହେଲା; କିନ୍ତୁ ଅନ୍ୟ ସମସ୍ତଙ୍କ ନିମନ୍ତେ ଏହା ଏକ ଉପଦେଶ । ଶ୍ରୀରାମଭକ୍ତିରସର ସିଦ୍ଧି ନିମନ୍ତେ ଏହା ବଡ଼ ଶୁଭ ସମୟ । ତୁମର ନିର୍ମଳ ଯଶ ଦିନକୁ ଦିନ ବୃଦ୍ଧିପ୍ରାପ୍ତ ହେବ । କୈକେୟୀଙ୍କର କୁକର୍ମ ତୁମର ଯଶକୁ ଗ୍ରାସ କରିପାରିବ ନାହିଁ । ଶ୍ରୀରାମଙ୍କର ଭକ୍ତମାନେ ତୁମର ଯଶୋରୂପୀ ଅମୃତଦ୍ଵାରା ତୃପ୍ତ ହେବେ । ଦଶରଥଙ୍କର ଗୁଣର ବର୍ଣ୍ଣନା ଗଙ୍ଗାଙ୍କର ଅବର୍ଣ୍ଣନୀୟ ଗୁଣ ପରି ବର୍ଣ୍ଣନାତୀତ । ତୁମର କୀର୍ତ୍ତି ଅନୁପମ ଅଟେ । ବୃଥାରେ ତୁମେ ହୃଦୟରେ ଗ୍ଲାନି ଆଣିଅଛ । ପରଶମଣି ପାଇ ତୁମେ ଦରିଦ୍ରତାକୁ ଡରୁଛ କାହିଁକି ? ମୁଁ ନିରପେକ୍ଷ ଓ ବନବାସୀ ତପସ୍ଵୀ । ସୀତା, ରାମ, ଲକ୍ଷ୍ମଣଙ୍କର ଦର୍ଶନ ଫଳରେ ମୁଁ ମୋର ସମସ୍ତ ତପସ୍ୟାର ଫଳ ଲାଭକରିଛି । ପୁଣି ସେହି ମହାନ୍ ଫଳର ପରମ ଫଳ ତୁମର ଦର୍ଶନରେ ଲାଭକରିଛି । ହେ ଭରତ ! ତୁମେ ଧନ୍ୟ, ତୁମେ ତୁମର ଯଶଦ୍ଵାରା ଜଗତକୁ ଜିଣିଅଛ ।

 

ଭରଦଦ୍ଵାଜଙ୍କର ଏ କଥାମୃତ ଶୁଣି ଅଯୋଧ୍ୟାବାସୀ ଓ ପ୍ରୟୋଗବାସୀ ଭରତଙ୍କୁ ଧନ୍ୟ ଧନ୍ୟ କଲେ । ଭରତଙ୍କର ହୃଦୟାଭ୍ୟନ୍ତର ଶ୍ରୀରାମଚନ୍ଦ୍ରଙ୍କ ରୂପ ଏବଂ ଚକ୍ଷୁ ପ୍ରେମାଶ୍ରୁରେ ପୂର୍ଣ୍ଣ ଥିଲା-। ସେ ଭରଦ୍ଵାଜ ଓ ଅନ୍ୟ ମୁନିମାନଙ୍କୁ କୃତାଞ୍ଜଳିପୁଟରେ କହିଲେ–

 

ଏ ସ୍ଥଳ ମୂନିମାନଙ୍କଦ୍ଵାରା ପରିପୂର୍ଣ୍ଣ ଏବଂ ପ୍ରୟାଗଭୂମି ନାମରେ ବିଦିତ । ଏଠାରେ କେହି ହେଲେ ପ୍ରତିଜ୍ଞା ବା ନିୟମ ଦେଇ କହିବା ଅନୁଚିତ । କୌଣସି କୃତ୍ରିମତା ମନରେ ରଖି କୌଣସି କଥା ପ୍ରକାଶ କଲେ ପାପ ଏବଂ ନୀଚତା ହେବ । ଆପଣମାନେ ସର୍ବଜ୍ଞ ଏବଂ ଶ୍ରୀରଘୁନାଥ ହୃଦୟାଭ୍ୟନ୍ତରର ସମସ୍ତ କଥା ଜାଣନ୍ତି । ମୋର ମାତା କୈକେୟୀଙ୍କ ନିମନ୍ତେ ମୋର କୌଣସି ଅନୁଶୋଚନା ନାହିଁ । ପୁଣି ଜଗତ ମୋତେ ନୀଚ ବୋଲି ଗଣ୍ୟ କରିବ, ଏଥିପାଇଁ ମୋ ମନରେ ଦୁଃଖ ନାହିଁ । ପରଲୋକର ଦୁର୍ଗତି ପାଇଁ ମୋର ଭୟ ନାହିଁ । ପିତାଙ୍କର ମୃତ୍ୟୁରେ ମୋର ଶୋକ ନାହିଁ, କାରଣ ତାଙ୍କର ପୁଣ୍ୟ ଓ ସୁଯଶ ସମଗ୍ର ବିଶ୍ଵବିଦିତ । ଶ୍ରୀରାମଲକ୍ଷ୍ମଣଙ୍କ ପରି ସେ ଦୁଇପୁତ୍ର ପାଇଥିଲେ । ପୁଣି ଶ୍ରୀରାମଙ୍କର ବନବାସ ବିୟୋଗରେ ସେ ତାଙ୍କର କ୍ଷଣଭଙ୍ଗୁର ଶରୀର ତ୍ୟାଗ କରିଅଛନ୍ତି । ଏପରି ମହାରାଜାଙ୍କ ନିମନ୍ତେ ଶୋକ କରିବାରେ କି ମହତ୍ତ୍ଵ ଅଛି ? କିନ୍ତୁ ଦୁଃଖ ଏବଂ ଅନୁଶୋଚନାର କାରଣ–ଶ୍ରୀରାମ, ଲକ୍ଷ୍ମଣ ଓ ସୀତା ପାଦରେ ଜୋତା ନ ଲଗାଇ, ମୁନିବେଶ ପରିଧାନ କରି ବନଜଙ୍ଗଲରେ ବୁଲୁଛନ୍ତି, ବଳ୍‌କଳ ବସ୍ତ୍ର ପିନ୍ଧିଛନ୍ତି, ଫଳ ଭୋଜନ କରୁଛନ୍ତି ଏବଂ ଭୂମି ଉପରେ କୁଶ ଏବଂ ପତ୍ର ଶଯ୍ୟାରେ ଶୋଉଛନ୍ତି, ପୁଣି ବୃକ୍ଷତଳେ ନିବାସ କରି ଶୀତ, ଉତ୍ତାପ, ବର୍ଷା ଓ ବତାସ ସହୁଛନ୍ତି । ଏହି ଦୁଃଖରେ ମୋର ହୃଦୟ ସବୁବେଳେ ଜଳୁଛି, ଦିନରେ କ୍ଷୁଧା ନାହିଁ କି ରାତ୍ରିରେ ନିଦ ଆସୁନାହିଁ । ମନେ ମନେ ମୁଁ ସମଗ୍ର ସଂସାର ଖୋଜିସାରିଲାଣି; କିନ୍ତୁ ଏ ଦୁଷ୍ଟ ରୋଗର ଔଷଧ କୌଣସିଠାରେ ପାଉନାହିଁ ।

 

ମାତାଙ୍କର ମନ୍ଦ ବିଚାର ଏସବୁ ପାପର ମୂଳ । ସେ କର୍ମକାର ରୂପରେ ମୋର ହିତକୁ ଲିହଣରୂପେ ପ୍ରୟୋଗ କଲେ । କଳହକୁ ମନ୍ଦ କାଷ୍ଠଯନ୍ତ୍ରରୂପେ ବ୍ୟବହାର କରି କଠିନ କୁମନ୍ତ୍ର ପଢ଼ି ପଢ଼ି ସେ ଯନ୍ତ୍ରକୁ ପୋତି ଦେଇଛନ୍ତି । ଏ ସମସ୍ତ ଚକ୍ରାନ୍ତ ସେ ମୋ ପାଇଁ ତିଆରି କଲେ; ତାହାରି ଫଳରେ ସମଗ୍ର ଜଗତକୁ ନଷ୍ଟଭ୍ରଷ୍ଟ କରି ପକାଇଛନ୍ତି । ଏ ଦୁର୍ଯୋଗ କେବଳ ଶ୍ରୀରାମଚନ୍ଦ୍ର ପ୍ରତ୍ୟାବର୍ତ୍ତନ କଲେ ଦୂର ହୋଇପାରିବ । ତା’ହେଲେ ଅଯୋଧ୍ୟା ପୁନର୍ବାର ସୁନ୍ଦରରୂପେ ଗଠିତ ହୋଇପାରିବ । ଏଥିପାଇଁ ଅନ୍ୟ କୌଣସି ଉପାୟ ନାହିଁ ।

 

ମୁନି ଭରଦ୍ୱାଜ କହିଲେ–ଦୁଃଖ କରନାହିଁ । ଶ୍ରୀରାମଚନ୍ଦ୍ରଙ୍କ ଚରଣଦର୍ଶନମାତ୍ରେ ଏ ସମଗ୍ର ଦୁଃଖ ଦୂର ହୋଇପାରିବ । ଆପଣମାନେ ସମସ୍ତେ ମୋର ବର୍ତ୍ତମାନ ଆତିଥ୍ୟ ଗ୍ରହଣକରନ୍ତୁ-। ମୁଁ ଯାହା କିଛି ଦେଇପାରିବି, ତାହାକୁ ସ୍ଵୀକାର କରନ୍ତୁ ।

 

ଭରତ ମୁନିଙ୍କର ଆଦେଶ ଶିରୋଧାର୍ଯ୍ୟ କରି ତାଙ୍କର ଆତିଥ୍ୟ ସ୍ଵୀକାର କଲେ । ମୁନିଙ୍କ ଆଦେଶରେ ଶିଷ୍ୟମାନେ ଫଳମୂଳ ନିମନ୍ତେ ଆଶ୍ରମକୁ ଗଲେ । ମୁନିଙ୍କ ମନରେ ଚିନ୍ତାହେଲା, ମୁଁ ଏ ରାଜଅତିଥିମାନଙ୍କୁ ନିମନ୍ତ୍ରଣ କରିଦେଲି; କିନ୍ତୁ ସେମାନଙ୍କର ଯଥାଯୋଗ୍ୟ ପୂଜା ହେବା ଉଚିତ । ଏହା ଶୁଣିବାମାତ୍ରେ ରୁଦ୍ଧି ଓ ଅଣିମାଦି ସିଦ୍ଧି ଆସି ମୁନିଙ୍କୁ କହିଲେ–ହେ ଗୋସାଇଁ-! ଆପଣଙ୍କର ଯାହା ଆଦେଶ ହେବ, ଆମ୍ଭେମାନେ ସେସବୁ ପୂର୍ଣ୍ଣକରିବା ନିମନ୍ତେ ପ୍ରସ୍ତୁତ । ମୁନି କହିଲେ–ଭରତ ଓ ତାଙ୍କର କନିଷ୍ଠ ଭ୍ରାତା ଶତ୍ରୁଘ୍ନ ଶ୍ରୀରାମଙ୍କ ବିରହରେ ବ୍ୟାକୁଳ । ସେମାନଙ୍କର ଅତିଥିସତ୍କାରପୂର୍ବକ ସେମାନଙ୍କର ଶ୍ରମ ଅପନୋଦନ କର ।

 

ରୁଦ୍ଧି ଏବଂ ସିଦ୍ଧି ମୁନିଙ୍କର ଆଦେଶ ଓ ଭରତଙ୍କ ପରି ଅତିଥି ପାଇ ସେମାନଙ୍କ ନିମନ୍ତେ ଅତିଶୟ ସୁନ୍ଦର ଗୃହ ନିର୍ମାଣ କଲେ । ଗୃହମାନଙ୍କରେ ନାନା ଭୋଗ୍ୟ ପଦାର୍ଥ ଓ ଦାସଦାସୀ ଖଞ୍ଚିଦେଲେ । ଅପ୍‌ସରା ଭୁବନର ସମସ୍ତ ସୌନ୍ଦର୍ଯ୍ୟର ବ୍ୟବସ୍ଥା କରିଦେଲେ । ରୁଚି ଅନୁସାରେ ଅତିଥିମାନଙ୍କର ବ୍ୟବସ୍ଥା କରିଦେଲେ । ମୁନିଙ୍କର ପ୍ରଭାବ ଦେଖି ଭରତ ଆଶ୍ଚର୍ଯ୍ୟ ହେଲେ । ଆସନ, ଶଯ୍ୟା, ବସ୍ତ୍ର, ଅମୃତୋପମ ସ୍ଵାଦୁକର ଖାଦ୍ୟପଦାର୍ଥ ଓ ସୁଗନ୍ଧ ପବନର ବ୍ୟବସ୍ଥା ଭୋଗକରି ଅଯୋଧ୍ୟାବାସୀ ତୃପ୍ତ ହେଲେ; କିନ୍ତୁ ଭରତଙ୍କ ମନ ସେ ସବୁ ଭୋଗ୍ୟ ପଦାର୍ଥ ମଧ୍ୟରେ ନ ଥିଲା । ଆଶ୍ରମବାସୀମାନଙ୍କ ସଙ୍ଗେ ଅଯୋଧ୍ୟାବାସୀ ଅତି ଆନନ୍ଦରେ ଭରଦ୍ଵାଜଙ୍କ କୃପାରୁ ସମସ୍ତ ଅତିବାହିତ କରି ତହିଁ ଆରଦିନ ଚିତ୍ରକୂଟ ଯିବା ଉଦ୍ଦେଶ୍ୟରେ ପ୍ରସ୍ତୁତ ହେଲେ ।

Image

 

ଲକ୍ଷ୍ମଣଙ୍କ ମନରେ ଶଙ୍କା

 

ତୀର୍ଥରାଜ ପ୍ରୟୋଗରେ ସ୍ନାନ ସମାପନ ପରେ ମୁନିଙ୍କୁ ପ୍ରଣାମକରି ଭରତ ଚିତ୍ରକୂଟ ଅଭିମୁଖରେ ଯାତ୍ରାକଲେ । ନିଷାଦରାଜ ଓ ଭରତ ହାତ ଧରାଧରି ହୋଇ ଚାଲୁଥାନ୍ତି । କେତେଜଣ ପଥପ୍ରଦର୍ଶକ ମଧ୍ୟ ସଙ୍ଗରେ ଥାନ୍ତି । ଶ୍ରୀରାମଙ୍କ ବିଷୟରେ, ଲକ୍ଷ୍ମଣ ଓ ସୀତାଙ୍କ କଥା ଭରତ ପଚାରୁଥାନ୍ତି । ନିଷାଦରାଜ ଉତ୍ତର ଦେଇ ସେମାନେ କେଉଁ ବୃକ୍ଷମୂଳରେ ବିଶ୍ରାମ ନେଇଥିଲେ, କେଉଁ କେଉଁ ସ୍ଥାନରେ ରାତ୍ରିଯାପନ କରିଥିଲେ, ତାହା ସବୁ କହୁଥାନ୍ତି ।

 

ଇନ୍ଦ୍ରଙ୍କ ମନରେ ଭରତଙ୍କର ପ୍ରଭାବ ଦେଖି ଭୟ ହେଲା । ଶ୍ରୀରାମଚନ୍ଦ୍ର ଭରତଙ୍କର ଭକ୍ତିରେ ପ୍ରଭାବିତ ହୋଇ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କଲେ ସମସ୍ତ କାର୍ଯ୍ୟ ବିଫଳ ହେବ; ରାବଣ ନିଧନ ନିମନ୍ତେ ଯେ ସମସ୍ତ ଯୋଜନା କରାଯାଇଛି, ତାହା ସଫଳ ହୋଇପାରିବ ନାହିଁ । ଏକଥା ବିଚାରି ସେ ଦେବଗୁରୁ ବୃହସ୍ପତିଙ୍କୁ ଡକାଇଲେ ଏବଂ ଭରତ ଓ ଶ୍ରୀରାମଚନ୍ଦ୍ରଙ୍କର ସାକ୍ଷାତ୍ ଯେପରି ହୋଇ ନପାରିବି ସେଥିପାଇଁ ବ୍ୟବସ୍ଥା କରିବାକୁ କହିଲେ ।

 

ବୃହସ୍ପତି ମହାପଣ୍ଡିତ । ସେ ଇନ୍ଦ୍ରଙ୍କୁ କହିଲେ, ମାୟାଧର ଶ୍ରୀରାମଚନ୍ଦ୍ରଙ୍କଠାରେ କେହି ମାୟା ଆଚରଣ କଲେ ତାହାର ପ୍ରଭାବ ତାହାରି ଉପରେ ପଡ଼େ । ଶ୍ରୀରଘୁନାଥଙ୍କ ସ୍ଵଭାବ ଭିନ୍ନ ପ୍ରକାର । କେହି ଯଦି ତାଙ୍କ ପାଖରେ ଅପରାଧ କରେ, ସେ ଅପରାଧୀ ପ୍ରତି ଦୟା ଆଚରଣ କରନ୍ତି; କିନ୍ତୁ ତାଙ୍କ ଭକ୍ତ ପ୍ରତି ଅପରାଧ ଆଚରଣ କଲେ ସେ କ୍ରୂଦ୍ଧ ହୁଅନ୍ତି । ସାରା ଜଗତବାସୀ ଶ୍ରୀରାମଙ୍କୁ ଜପ କରନ୍ତି; କିନ୍ତୁ ସେ ନିଜେ ଭରତଙ୍କୁ ଜପ କରନ୍ତି । ତେଣୁ ତାଙ୍କ ପରି ଶ୍ରୀରାମସ୍ନେହୀ ଆଉ କିଏ ଅଛନ୍ତି ? ଆପଣ ଶ୍ରୀରାମଭକ୍ତଙ୍କର କାର୍ଯ୍ୟରେ ବିଘ୍ନ ଘଟାନ୍ତୁ ନାହିଁ । ଏପରି କଲେ ଆପଣଙ୍କର ଅପଯଶ ପ୍ରଚାରିତ ହେବ । ଶ୍ରୀରାମଙ୍କଠାରେ ରାଗ, ରୋଷ ନାହିଁ; ସେ ମଧ୍ୟ କାହାରି ଦୋଷ ଗୁଣ ବା ପାପପୂଣ୍ୟ ଗ୍ରହଣ କରନ୍ତି ନାହିଁ । ସେ ସବୁବେଳେ କର୍ମକୁ ପ୍ରାଧାନ୍ୟ ଦିଅନ୍ତି । ସେବକମାନଙ୍କଠାରେ ତାଙ୍କର ବିଶେଷ ଶ୍ରଦ୍ଧା । ସେ ଯେପରି କାର୍ଯ୍ୟ କରିବ, ସେପରି ଫଳ ପାଇବ-। ହୃଦୟରୁ କୁଟିଳତା ତ୍ୟାଗକରି ଭରତଙ୍କୁ ଶ୍ରଦ୍ଧା କର । ଶ୍ରୀରାମଙ୍କର ଭକ୍ତମାନେ ସର୍ବଦା ଅନ୍ୟର ହିତରେ ଲାଗିଥାନ୍ତି । ଭରତ ଭକ୍ତମାନଙ୍କର ଶିରୋମଣି । ସେଥିପାଇଁ ତାଙ୍କୁ ଭୟ କରିବାର କାରଣ ନାହିଁ ।

 

ଦେବଗୁରୁଙ୍କର ପରାମର୍ଶ ଇନ୍ଦ୍ରଙ୍କ ମନରେ ପରିବର୍ତ୍ତନ ଆଣିଲା । ତାଙ୍କର ସମସ୍ତ ସନ୍ଦେହ ଦୂର ହେଲା । ସେ ଭରତଙ୍କ ଉପରେ ପୁଷ୍ପ ବର୍ଷଣ କଲେ ।

 

ଭରତ ପ୍ରୟାଗ ତ୍ୟାଗକରିବା ପରେ ମାର୍ଗରେ ଯମୁନା ନଦୀ ପଡ଼ିଲା । ଯମୁନା ନଦୀ କୂଳରେ ଅଯୋଧ୍ୟାବାସୀମାନେ ରହିଲେ । ନିଷାଦରାଜ ନାବର ବନ୍ଦୋବସ୍ତ କରିଦେବାରୁ ସମସ୍ତେ ନାବଦ୍ଵାରା ଯମୁନା ନଦୀ ପାରହେଲେ । ନଦୀର ଅନ୍ୟ କୂଳରେ ସ୍ନାନାଦି ନିତ୍ୟକର୍ମ ଶେଷ କରି ପୁଣି ଚିତ୍ରକୂଟ ଉଦ୍ଦେଶ୍ୟରେ ଯାତ୍ରାକଲେ । ଯେଉଁ ଯେଉଁ ସ୍ଥାନରେ ସୀତା, ରାମ, ଲକ୍ଷ୍ମଣ ବିଶ୍ରାମ କରିଥିଲେ, ନିଷାଦ ରାଜା ସେ ସବୁ ସ୍ଥାନ ଚିହ୍ନାଇଦେବା ସଙ୍ଗେ ସଙ୍ଗେ ଭରତ ଓ ଶତ୍ରୁଘ୍ନ ସେଠାରେ ଅତି ସନ୍ତର୍ପଣରେ ମସ୍ତକ ଲଗାଉଥାନ୍ତି । ବନ ମଧ୍ୟରେ ବହୁ ସ୍ତ୍ରୀ ପୁରୁଷ ଭରତ ଓ ଶତ୍ରୁଘ୍ନଙ୍କୁ ରାମ ଲକ୍ଷ୍ମଣ ବୋଲି ମନେକରି ସେମାନଙ୍କ ପାଖରେ ଜମାହୁଅନ୍ତି; କିନ୍ତୁ ସେମାନଙ୍କ ସହିତ ସୀତା ନାହାନ୍ତି, ସେମାନଙ୍କର ବଳ୍‌କଳ ବସ୍ତ୍ର ନାହିଁ କି ମସ୍ତକରେ ଜଟା ନାହିଁ, ସୈନ୍ୟସାମନ୍ତ ସେମାନଙ୍କ ସହିତ ଚାଲିଛନ୍ତି, ପୁଣି ମନରେ ସେମାନଙ୍କର ସୁଖ ନାହିଁ–ଏ ସବୁ ଦେଖି ଲୋକମାନେ ବଡ଼ ସନ୍ଦେହରେ ପଡ଼ନ୍ତି । ପରସ୍ପର ମଧ୍ୟରେ ଆଲୋଚନା ଯେତେବେଳେ ସନ୍ଦେହ ମୋଚନ ହୁଏ, ସେତେବେଳେ ସମସ୍ତେ ଭରତଙ୍କୁ ପ୍ରଶଂସା କରିବାରେ ଲାଗନ୍ତି ।

 

ଜଣେ କିଏ କହୁଛି–ଦେଖ, ଏ ଭରତ ପିତୃଦତ୍ତ ରାଜ୍ୟ ତ୍ୟାଗକରି ପାଦରେ ଚାଲି ଚାଲି, ଫଳାହାରରେ ବଞ୍ଚି ଶ୍ରୀରାମଙ୍କୁ ଫେରାଇ ଆଣିବାପାଇଁ ଯାଉଛନ୍ତି । ଏ ସିନା ଭାଇପଣିଆ ! ଶ୍ରୀରାମଚନ୍ଦ୍ର ଯେପରି ଲୋକ, ତାଙ୍କୁ ସେପରି ଭାଇ ମଧ୍ୟ ମିଳିଛନ୍ତି; କିନ୍ତୁ କୈକେୟୀ ଏହାଙ୍କର ମାତା ହେବାର ଯୋଗ୍ୟ ନୁହନ୍ତି ।

 

ଆଉ ଜଣେ କହୁଛି–ସେଥିରେ ରାଣୀଙ୍କର ଦୋଷ ନାହିଁ, ସବୁ ବିଧାତା ବିଧାନ । ମାତ୍ର ଆମ୍ଭମାନଙ୍କର ସୌଭାଗ୍ୟବଳରୁ ହୀନକୁଳରେ ଜନ୍ମଲାଭକରି, ବଣ ଜଙ୍ଗଲରେ ବାସ କରି ମଧ୍ୟ ଆମ୍ଭେମାନେ ଏମାନଙ୍କର ଦର୍ଶନ ପାଇଲେ ।

 

ଅଯୋଧ୍ୟାବାସୀ ଭରତଙ୍କ ସହିତ କେତେକ ଦୂର ଅତିକ୍ରମ କରି ଯିବା ପରେ ନିଷାଦରାଜ ଭରତଙ୍କୁ କାମଦ ଗିରି ଦେଖାଇଲେ । ସେହି ଗିରିର ପାଦଦେଶରେ ପୟସ୍ଵିନୀ ନାମକ ନଦୀ ପ୍ରବାହିତ ହେଉଛି । ସେହି ନଦୀ କୂଳରେ ଶ୍ରୀରାମଚନ୍ଦ୍ର, ଲକ୍ଷ୍ମଣ ଓ ସୀତାଙ୍କ ସହିତ ବର୍ତ୍ତମାନ ବାସ କରୁଅଛନ୍ତି ବୋଲି ନିଷାଦ ରାଜା ଭରତଙ୍କୁ କହିଲେ । ଅଯୋଧ୍ୟାବାସୀମାନେ ଏହା ଶୁଣିବା ମାତ୍ରେ ସେହି ଗିରି ଉଦ୍ଦେଶ୍ୟରେ ପ୍ରଣାମ ଜଣାଇ ଶ୍ରୀରାମଚନ୍ଦ୍ରଙ୍କର ଜୟ ହେଉ ବୋଲି ଘୋଷଣା କରିବାକୁ ଲାଗିଲେ । ସେଦିନ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଚାଲି ଚାଲି ଜଳସ୍ଥାନ ଦେଖି ବିଶ୍ରାମ ନେଲେ ।

 

ସେଦିନ ରାତି ଥାଉ ଥାଉ ଶ୍ରୀରାମଚନ୍ଦ୍ର ଉଠିଛନ୍ତି । ସୀତା ଏକ ସ୍ଵପ୍ନ ଦେଖି ଉଠିଲେ । ସେ ଶ୍ରୀରାମଙ୍କୁ କହିଲେ, “ମୁଁ ଗତ ରାତ୍ରିରେ ଏକ ସ୍ଵପ୍ନ ଦେଖିଲି ସେ ଭରତ ଅଯୋଧ୍ୟାବାସୀମାନଙ୍କ ସହିତ ଚିତ୍ରକୂଟକୁ ଆସୁଛନ୍ତି । ଭରତଙ୍କର ଶରୀର ନିସ୍ତେଜ ହୋଇପଡ଼ିଛି । ଶାଶୁମାନଙ୍କର ମୁଖ ବିରସ । ସୀତା ସ୍ଵପ୍ନ ବୃତ୍ତାନ୍ତ ବର୍ଣ୍ଣନା କରିବା ମାତ୍ରେ ଶ୍ରୀରାମଙ୍କ ଚକ୍ଷୁ ଲୋତକପୂର୍ଣ୍ଣ ହୋଇଗଲା । ସେ ଲକ୍ଷ୍ମଣଙ୍କୁ କହିଲେ–ଏ ସ୍ଵପ୍ନ ଶୁଭକର ନୁହଁ । କେହି ଅଶୁଭ ସମ୍ବାଦ ନେଇ ଏ ଦିଗକୁ ଆସୁଛନ୍ତି-

 

ଶ୍ରୀରାମ ଲକ୍ଷ୍ମଣଙ୍କୁ ନେଇ ସ୍ନାନ କରିବାକୁ ଗଲେ । ମହାଦେବଙ୍କର ପୂଜା ଆରାଧନା କଲେ । ସେତିକିବେଳେ ସେ ଉତ୍ତର ଦିଗ ଆକାଶରେ ଧୂଳିପଟଳ ଲକ୍ଷ୍ୟକଲେ । ବଣ୍ୟପଶୁମାନେ ଶ୍ରୀରାମଙ୍କ ଆଶ୍ରମ ଦିଗକୁ ବ୍ୟାକୁଳ ହୋଇ ଦଉଡ଼ି ଆସୁଥିଲେ । ଶ୍ରୀରାମ ଏହା ଦେଖି ଏହାର କାରଣ ଚିନ୍ତାକରିବାରେ ଲାଗିଛନ୍ତି, ଏତିକିବେଳେ ବଣ୍ୟ କୋହ୍ଲ ଓ ଭୀଲ ଜାତିର ବହୁ ଲୋକ ଆସି ଭରତଙ୍କର ଆଗମନର ସମ୍ବାଦ ତାଙ୍କୁ ଜଣାଇଲେ ଓ ତାଙ୍କ ସହିତ ସୈନ୍ୟବାହିନୀ ଆସୁଥିବା ସମ୍ବାଦ ମଧ୍ୟ ଅନ୍ୟ କେତେକ ଲୋକ ଆସି ଖବରଦେଲେ ।

 

ଶ୍ରୀରାମ ଭରତଙ୍କର ଆଗମନର କାରଣ ବିଷୟରେ ଚିନ୍ତା କରୁଥିବାବେଳେ ଲକ୍ଷ୍ମଣ କହିଲେ–ହେ ପ୍ରଭୋ, ଆପଣଙ୍କର ଜିଜ୍ଞାସା ପୂର୍ବରୁ ମୁଁ ଆପଣଙ୍କୁ କହିବାକୁ ଯାଉଛି ବୋଲି ମୋର ଦୋଷ କ୍ଷମା କରିବେ । ଆପଣ ସର୍ବଜ୍ଞତା, ମୁଁ ସେବକ, ବୋଧଶକ୍ତିହୀନ ଅବୋଧ ଶିଶୁ । ଆପଣଙ୍କ ହୃଦୟରେ ସମସ୍ତଙ୍କ ପ୍ରତି ସ୍ନେହ ଓ ବିଶ୍ଵାସ ରହିଛି, ଆପଣ ନିଜ ପରି ସମସ୍ତଙ୍କୁ ବିଚାର କରନ୍ତି; କିନ୍ତୁ ବିଷୟାସକ୍ତ ପୁରୁଷମାନେ ମୋହାନ୍ଧ ହୋଇ ନିଜର ସ୍ଵରୂପ ପ୍ରକାଶ କରିଦିଅନ୍ତି । ଭରତ ନୀତିପରାୟଣ, ସାଧୁ ଏବଂ ଚତୁର । ଆପଣଙ୍କ ଚରଣରେ ତାଙ୍କର ବିଶେଷ ଭକ୍ତି ଥାଏ । ସେଇ ଭରତ ଆଜି ଆପଣଙ୍କର ସିଂହାସନ ପାଇ ଧର୍ମର ମର୍ଯ୍ୟାଦା ତ୍ୟାଗକରି କୁସମୟ ଜାଣି ଆପଣ ବନବାସରେ ଅସହାୟ ଅବସ୍ଥାରେ ଥିବାବେଳେ ନିଷ୍କଣ୍ଟନ ରାଜଭୋଗ ନିମନ୍ତେ ମନରେ ମନ୍ଦଭାବ ପୋଷଣ କରି ଏଠାକୁ ଆସୁଛନ୍ତି । ମନଭିତରେ ନାନା କୁଟିଳତା ରଖି ସୈନ୍ୟସାମନ୍ତ ସହିତ ଅଗ୍ରସର ହୋଇଛନ୍ତି । ମନରେ ଯଦି କୁଟିଳତା କିମ୍ବା କପଟତା ନ ଥାନ୍ତା, ହସ୍ତୀ, ଅଶ୍ଵ ଓ ସୈନ୍ୟ ନେଇ ଆସୁଥାନ୍ତେ କାହିଁକି ? ଭରତଙ୍କର ମଧ୍ୟ ଦୋଷ କଣ ? ରାଜପଦ ପାଇଲେ ଜଗତରେ ଲୋକେ ପାଗଳ ହୋଇଯାନ୍ତି । ଚନ୍ଦ୍ର ଗୁରୁପତ୍ନୀ ପ୍ରତି ଆସକ୍ତ ହେଲେ । ରାଜା ନହୁଷ ବ୍ରାହ୍ମଣମାନଙ୍କ ଯାନରେ ଚଢ଼ିଲେ । ଦେବରାଜ ଇନ୍ଦ୍ର ଏବଂ ରାଜା ତ୍ରିଶଙ୍କୁ ପରି ମହାନ୍ ବ୍ୟକ୍ତିଙ୍କୁ ରାଜପଦ କଳଙ୍କିତ କଲା । ହଁ, ଭରତ ଉଚିତ ଆଚରଣ କରୁଛନ୍ତି । ବାକ୍ୟ ଅଛି–ଶତ୍ରୁ ଏବଂ ଋଣ ଏ ଦୁଇଟି ଜିନିଷକୁ ତିଳେ ସୁଦ୍ଧା ବାକି ରଖିବା ଉଚିତ ନୁହେଁ ।

 

ଗୋଟାଏ କଥା ଭରତ ଭଲ କରିନାହାନ୍ତି । ବର୍ତ୍ତମାନ ଏ ସମୟରେ ଆପଣଙ୍କୁ ଅସହାୟ ଦେଖି ଅସମ୍ମାନିତ କଲେ । ଆଜି ଯେତେବେଳେ ଯୁଦ୍ଧ ହେବ ସେ ସମୟରେ ଆପଣଙ୍କର କ୍ରୋଧିତ ମୁଖ ଦେଖିଲେ ଅସମ୍ମାନର ଫଳ ତାଙ୍କୁ ଯଥାର୍ଥଭାବରେ ମିଳିଯିବ ।

 

ହୃଦୟର ଭାବ ସବୁ ଏପରି ଭାବରେ ବ୍ୟକ୍ତକଲାବେଳେ ତାଙ୍କର ରୋମରାଜି ଶିହରି ଉଠିଲା । ବୀରତ୍ଵର ସଂଚାର ହୃଦୟ ମଧ୍ୟରେ ଆନ୍ଦୋଳନ ସୃଷ୍ଟିକଲା । ସେ ଶ୍ରୀରାମଙ୍କ ଚରଣ ସ୍ପର୍ଶକରି ଚରଣରଜ ମସ୍ତକରେ ଲଗାଇଲେ । ସେ ପୁଣି କହିଲେ–

 

ମୁଁ ଯେଉଁ ସବୁ କଥା କହୁଛି, ସେ ସବୁ ଅନୁଚିତ ବୋଲି ମନେକରିବେ ନାହିଁ । ଭରତ ମୋତେ କିଛି କମ୍ ଦୁର୍ବ୍ୟବହାର ଦେଖାଇନାହାନ୍ତି । ସେ ସବୁ ମୁଁ ଆଉ କେତେ ସହିବି ? ମୁଁ ମନମାରି ରହିଯାଏ । ଏବେ ଆପଣ ମୋ ସଙ୍ଗରେ ଅଛନ୍ତି । ଏ ଧନୁ ମୋ ହସ୍ତରେ ଅଛି । କ୍ଷତ୍ରିୟବଂଶ ଓ ରଘୁକୁଳରେ ମୁଁ ଜାତ ହୋଇଅଛି । ଆପଣଙ୍କର ସେବକ ଓ ଅନୁଗାମୀ ବୋଲି ମୋତେ କିଏ ନ ଜାଣେ ? ଧୂଳି ନିତାନ୍ତ ହେୟ, ଏ କଥା ସମସ୍ତେ ଜାଣନ୍ତି; କିନ୍ତୁ ଧୂଳି ଦେହରେ ପାଦପ୍ରହାର କଲେ ତାହା ମଧ୍ୟ ମସ୍ତକ ଉପରକୁ ଉଠେ ।

 

ଲକ୍ଷ୍ମଣ ହାତ ଯୋଡ଼ି ଠିଆହେଲେ ଏବଂ ଶ୍ରୀରାମଙ୍କ ଆଦେଶକୁ ଅପେକ୍ଷା କରି ରହିଲେ-। ପୁଣି ମୁଣ୍ଡର ଜଟାଗୁଡ଼ିକ ସଜାଡ଼ିଦେଲେ । କଟିବସ୍ତ୍ରକୁ ଜୋରରେ ବାନ୍ଧି ପକାଇଲେ । ଧନୁର୍ବାଣ ହାତରେ ଧରି ବୀର ବେଶରେ ଠିଆହୋଇ ପୁଣି ଜ୍ୟେଷ୍ଠଭ୍ରାତାଙ୍କୁ କହିଲେ–ଆଜି ଶ୍ରୀରାମଙ୍କର ସେବକ ହେବାର ଗୌରବ ଗ୍ରହଣ କରିବାପାଇଁ ମୁଁ ପ୍ରସ୍ତୁତ । ସଂଗ୍ରାମଭୂମିରେ ଭରତଙ୍କୁ ଉଚିତ ଶିକ୍ଷା ଦେବି । ଭରତ ଓ ଶତ୍ରୁଘ୍ନ ଆଜି ଶ୍ରୀରାମଙ୍କୁ ଅନାଦର କରିବାର ଫଳ ଯଥାର୍ଥ ଭାବରେ ଲାଭ କରିବେ । ଏ ରଣଶଯ୍ୟା ଉପରେ ଦୁହିଁଙ୍କୁ ଶୁଆଇ ଦେବି । ସମଗ୍ର ଅଯୋଧ୍ୟା ସମାଜ ଏକତ୍ର ହୋଇଅଛି, ଏହା ବେଶ୍ ଭଲ ହୋଇଛି । ମୋ ମନର ସମସ୍ତ ପୁରାତନ କ୍ରୋଧ ଆଜି ପ୍ରକାଶିତ ହେବ । ସିଂହ ହସ୍ତୀଯୂଥକୁ ନଷ୍ଟଭ୍ରଷ୍ଟ କରିଦେବା ପରି ମୁଁ ଆଜି ଭରତଙ୍କୁ ସହୋଦର ସହିତ ପରାସ୍ତ କରିବି । ଶଙ୍କର ସ୍ଵଶରୀରରେ ଆସି ତାଙ୍କର ସହାୟତା କଲେ ମଧ୍ୟ ମୁଁ ଶ୍ରୀରାମଙ୍କର ନିୟମ ଦେଇ କହୁଛି, ଆଜିର ଯୁଦ୍ଧରେ ମୁଁ ସେମାନଙ୍କୁ ଠିକ୍ ପରାଭବ ଦେବି-।”

 

ଲକ୍ଷ୍ମଣଙ୍କର ଏ କ୍ରୋଧପୂର୍ଣ୍ଣ ବାକ୍ୟ ଶୁଣିବାମାତ୍ରେ ସମଗ୍ର ଭୂମଣ୍ଡଳ ଥରହର ହେଲା । ଦୈବବାଣୀ ଶୁଭିଲା–ହେ ଲକ୍ଷ୍ମଣ, ତୁମର ପ୍ରତାପ କାହାକୁ ଅଜଣା ଅଛି ? କିଏ ତୁମର ଶକ୍ତି କଳନା କରିପାରିବ ? କିନ୍ତୁ କୌଣସି କାର୍ଯ୍ୟ କରିବା ସମୟରେ ବୁଝି ସୁଝି ଉଚିତ ଅନୁଚିତ ବିଚାର ଯେ କରେ ତାହାକୁ ଜଗତ ଉତ୍ତମ ବୋଲି କହେ । ବିନା ବିଚାରରେ ଚଞ୍ଚଳ ହୋଇ କୌଣସି କାର୍ଯ୍ୟ କଲେ ଶେଷରେ ପଶ୍ଚାତ୍ତାପ ଭୋଗ କରିବାକୁ ପଡ଼େ ।

 

ସୀତା ଓ ଶ୍ରୀରାମ ଲକ୍ଷ୍ମଣଙ୍କର କଥା ଶୁଣି କହିଲେ–ତୁମେ ଅନେକଗୁଡ଼ିଏ ନୀତିକଥା କହିଲ । ରାଜ୍ୟମଦ ଦୁର୍ମଦ ଅଟେ । ସତସଙ୍ଗହୀନ ବ୍ୟକ୍ତି ରାଜମଦ ଯୋଗୁଁ ପ୍ରମତ୍ତ ହୁଅନ୍ତି । ଲକ୍ଷ୍ମଣ, କିନ୍ତୁ ଭରତଙ୍କ ପରି ମନୁଷ୍ୟ ବ୍ରହ୍ମାଙ୍କ ସୃଷ୍ଟିରେ କୌଣସିଠାରେ ଦେଖିବାକୁ ମିଳିବେ ନାହିଁ କିମ୍ବା ଥିବାର ଶୁଣାଯାଏ ନାହିଁ । ଅଯୋଧ୍ୟା ରାଜ୍ୟ କି ଛାର ! ବ୍ରହ୍ମା, ବିଷ୍ଣୁ, କିମ୍ବା ମହେଶ୍ଵରଙ୍କ ପଦ ପ୍ରାପ୍ତ ହେଲେ ମଧ୍ୟ ଭରତଙ୍କର ରାଜମଦ ଆସିବ ନାହିଁ । ସାମାନ୍ୟ ମାତ୍ର ଦଧିଦ୍ଵାରା କ୍ଷୀରସମୁଦ୍ର ଦଧିରେ ପରିଣତ ହୋଇପାରିବ କି ? ଅନ୍ଧକାର ତରୁଣ ସୂର୍ଯ୍ୟକୁ ଗ୍ରାସ କରିବାରେ ସମ୍ଭବ ହେଉ, ଆକାଶ ମେଘଦେହରେ ଲୀନ ହୋଇଯାଉ, ଗୋକ୍ଷୁର ପରିମିତ ଜଳରେ ଅଗସ୍ତି ବୁଡ଼ିଯାନ୍ତୁ, ପୃଥିବୀ ତାର ନୈସର୍ଗିକ କ୍ଷମାଗୁଣ ତ୍ୟାଗ କରିଦେଉ, ମଶକର ନିଃଶ୍ଵାସରେ ସୁମେରୁ ଉଡ଼ିଯାଉ; କିନ୍ତୁ ଭରତଙ୍କଠାରେ ରାଜମଦ କଳ୍ପନା ଅସମ୍ଭବ । ମୁଁ ତୁମର ଶପଥ ନେଇ ଏବଂ ପିତାଙ୍କ ନିୟମ ଦେଇ କହୁଛି, ଭରତଙ୍କ ପରି ପବିତ୍ର ଏବଂ ଉତ୍ତମ ଭ୍ରାତା ସଂସାରରେ ନାହାନ୍ତି । ବିଧାତା ଏ ସଂସାରକୁ ଗୁଣରୂପୀ ଦୁଗ୍‌ଧରେ ଦୁର୍ଗୁଣରୂପୀ ଜଳ ମିଶ୍ରିତ କରି ନିର୍ମାଣ କରିଛି; କିନ୍ତୁ ସୂର୍ଯ୍ୟବଂଶ ରୂପକ ଏ ପୁଷ୍କରିଣୀରେ ଭରତ ହଂସରୂପେ ଜନ୍ମଗ୍ରହଣ କରି ଗୁଣରୂପୀ ଦୁଗ୍‌ଧସ୍ଥାନ ଗ୍ରହଣ କରିଛି ଏବଂ ଦୁର୍ଗୁଣରୂପୀ ଜଳ ତ୍ୟାଗକରି ଏ ଜଗତରେ ତାର ଯଶ-ପତାକା ବାନ୍ଧିଛି ।

 

ଶ୍ରୀରାମଙ୍କର ବାଣୀ ଶେଷହେବା ସଙ୍ଗେ ସଙ୍ଗେ ଦୈବବାଣୀ ଶୁଭିଲା–ଜଗତରେ ଭରତ ଯଦି ଜନ୍ମଲାଭ କରି ନଥାନ୍ତେ, ତେବେ ପୃଥିବୀରେ ସଂପୂର୍ଣ୍ଣ ଧର୍ମତନ୍ତ୍ରକୁ କିଏ ଧାରଣ କରନ୍ତା ? ହେ ଶ୍ରୀରାମଚନ୍ଦ୍ର ! ଭରତଙ୍କ ସୁଗୁଣଗୁଡ଼ିକ ଆପଣଙ୍କ ବ୍ୟତୀତ ଆଉ କିଏ ଜାଣିବ ।

Image

 

ଶ୍ରୀରାମ ଭରତ ମିଳନ

 

ଭରତ, ତାଙ୍କର ଗୁରୁ ଓ ମାତାମାନେ ଏବଂ ଅଯୋଦ୍ଧାବାସୀ ସକଳ ମନ୍ଦାକିନୀ ନଦୀରେ ସ୍ନାନ କରିସାରିବା ପରେ ଶ୍ରୀରାମଙ୍କୁ ସାକ୍ଷାତ୍ କରିବାପାଇଁ ବାହାରିଲେ । ଭରତ ସମସ୍ତଙ୍କୁ ଏକାଠି ନେଇ ଯିବାକୁ ଠିକ୍ ମନେକଲେ ନାହିଁ । ତେଣୁ ଗୁରୁ, ମାତା ଓ ନିଷାଦ ରାଜାଙ୍କ ସହିତ ଭରତ ଶ୍ରୀରାମାଶ୍ରମ ଅଭିମୁଖରେ ଯାତ୍ରାକଲେ । ମାତାଙ୍କର କାର୍ଯ୍ୟଗୁଡ଼ିକ ମନେପଡ଼ିବାମାତ୍ରେ ମନ ଭିତରେ ସଂକୋଚ ଆସୁଛି ଏବଂ ନାନା ମନ୍ଦଚିନ୍ତା ଗୋଟିକ ପରେ ଗୋଟିଏ ମନକୁ ଭାରାକ୍ରାନ୍ତ କରୁଛି । ଭରତ ଭାବୁଛନ୍ତି–ମୋର ଆଗମନ ବାର୍ତ୍ତା ଶୁଣି ସୀତା, ରାମ ଓ ଲକ୍ଷ୍ମଣ ସେ ସ୍ଥାନ ଛାଡ଼ି ଚାଲିଯିବେ କି ? ମୋଠାରେ ମୋ ମାଆଙ୍କର କୁଟିଳତା ରହିଛି; ତେଣୁ ସେ ମୋପ୍ରତି କୌଣସି ଭାବ ଦେଖାଇଲେ ମଧ୍ୟ ତାହା ନିତାନ୍ତ ଅଳ୍ପ । କେବଳ ତାଙ୍କର ମହତ୍ତ୍ଵ ଯୋଗୁଁ ମୋର ପାପ ଓ ଦୁର୍ଗୁଣଗୁଡ଼ିକୁ ସେ ମୋତେ କ୍ଷମା କରିବେ । ମୋର ମନ ମଳିନତାର ଆକାର ବୋଲି ଶ୍ରୀରାମ ମୋତେ ତ୍ୟାଗକରନ୍ତୁ କିମ୍ବା ମୋତେ ସେବକ ବୋଲି ମନେକରି ଆଦରକରନ୍ତୁ, ଯାହା କରନ୍ତୁ ପଛକେ ତାଙ୍କର ପାଦୁକା ମୋର ଶରଣ ଅଟେ । ଶ୍ରୀରାମ ମହତ୍ ସ୍ଵାମୀ; କିନ୍ତୁ ଦୋଷସବୁ ଏ ସେବକର ।

 

ନିଷାଦରାଜ ସଙ୍ଗରେ ଚାଲିଲାବେଳେ ଭରତଙ୍କର ମନର ସଂକୋଚ ଓ ଶିଥିଳତାକୁ ଲକ୍ଷ୍ୟ କରୁଛନ୍ତି । କେତେବେଳେ ତାଙ୍କର ଗତି ଚଞ୍ଚଳ ପୁଣି କେତେବେଳେ ଶିଥିଳ ହୋଇପଡୁଛି । ମାର୍ଗରେ କେତେକ ଶୁଭଶକୁନ ଲକ୍ଷ୍ୟ କରି ଗୂହକ କହିଲେ–ହେ ସଖା ! ଆପଣଙ୍କର ଦୁଃଖ ଦୂର ହେବ, ଆନନ୍ଦ ଆସିବ; କିନ୍ତୁ ଶେଷରେ ପୁଣି ଦୁଃଖହିଁ ଆସିବ ।

 

ଶ୍ରୀରାମଙ୍କ ନିବାସସ୍ଥଳ ବିଚିତ୍ର ପକ୍ଷୀ ଓ ପଶୁ, ନାନାଦି ପୁଷ୍ପପୂର୍ଣ୍ଣ ବୃକ୍ଷଦ୍ଵାରା ଶୋଭିତ । ନିର୍ଝରିଣୀ ଝରଝର ବହିଚାଲିଛି । ହସ୍ତୀ, ସିଂହ, ବ୍ୟାଘ୍ର, ବଳିବର୍ଦ୍ଦ ଶତ୍ରୁତା ଭୁଲି ଏକତ୍ର ବିଚରଣ କରୁଛନ୍ତି । ମୁନିମାନଙ୍କ ଆଶ୍ରମ ସ୍ଥାନେ ସ୍ଥାନେ ଶୋଭାପାଉଛି । ଉତ୍ତମ ରାଜାଙ୍କ ଅଧୀନରେ ପ୍ରଜାମାନେ ସୁଖରେ ରହିଲାପରି ବନପ୍ରଦେଶ ସୁଶୋଭିତ ହୋଇଛି । ଭରତ ଏ ବନର ଶୋଭା ଦେଖି ବିଭୋର ହୋଇପଡ଼ିଲେ ।

 

କୈବର୍ତ୍ତ ନିଷାଦରାଜ ଗୋଟିଏ ଉଚ୍ଚ କୁଦ ଉପରକୁ ଭରତଙ୍କୁ ନେଇ ବାହୁ ଉପରକୁ ଟେକି ଭରତଙ୍କୁ କହିଲେ, ହେ ସଖା ଭରତ ! ଏଠାରୁ ଲକ୍ଷ୍ୟକର ଆମ୍ର ଓ ଜମ୍ବୁ ବୃକ୍ଷ ପରିବେଷ୍ଟିତ ବିଶାଳ ବଟବୃକ୍ଷ ଏଠାରୁ ଦିଶୁଛି । ବଟବୃକ୍ଷ ଶ୍ୟାମପତ୍ର ଓ ଲୋହିତ ଫଳଗୁଡ଼ିକ ଦ୍ଵାରା ଅବନତ ହୋଇଅଛି । ନଦୀକୂଳର ସେହି ବଟବୃକ୍ଷ ତଳେ ଶ୍ରୀରାମାଶ୍ରମ । ସେହିଠାରେ ଲକ୍ଷ୍ମଣ ବଣ ମଧ୍ୟରୁ ଖୋଜିଆଣି ଗୋଟିଏ ତୁଳସୀ ରୋପଣ କରିଅଛନ୍ତି । ସୀତା ସେଠାରେ ଗୋଟିଏ ବେଦିକା ସ୍ଵହସ୍ତରେ ନିର୍ମାଣ କରିଅଛନ୍ତି । ଶ୍ରୀରାମ ଓ ସୀତା ସେହି ବେଦୀ ଉପରେ ମୁନିମାନଙ୍କ ସହିତ ବସି ବେଦ ପୁରାଣ ଓ ଇତିହାସ ଶୁଣନ୍ତି ।

 

ଭରତଙ୍କ ଚକ୍ଷୁ ଯୁଗଳ ଲୋତକପୂର୍ଣ୍ଣ ହୋଇଗଲା । ଅଳ୍ପ ଦୂରରେ ଶ୍ରୀରାମଙ୍କ ଚରଣଚିହ୍ନ ଦେଖି ଦୁଇଭାଇ ଦରିଦ୍ର ରତ୍ନ ପାଇଲାପରି ସେଠାରୁ ଧୂଳି ନେଇ ମସ୍ତକ ଓ ନେତ୍ରରେ ଲଗାଇଲେ ।

 

କିଛି ଦୂର ଅଗ୍ରସର ହେବା ପରେ ଭରତ ଶ୍ରୀରାମଙ୍କୁ ଦେଖିପାରିଲେ । ଲକ୍ଷ୍ମଣ ଶ୍ରୀରାମଙ୍କ ନିକଟରେ ଠିଆହୋଇ ଶ୍ରୀରାମଙ୍କୁ କିଛି କହୁଛନ୍ତି; ମସ୍ତକରେ ଜଟାଭାର; କଟିରେ ବଳ୍‌କଳ ମେଖଳା, ହାତରେ ତୀର ଓ କାନ୍ଧରେ ଧନୁ ଆଲମ୍ବିତ ହୋଇଅଛି । ବେଦୀ ଉପରେ ମୁନିମାନେ ବସିଛନ୍ତି ।

 

ଭରତ ଶ୍ରୀରାମଙ୍କ ଦର୍ଶନମାତ୍ରେ ତାଙ୍କ ପାଖକୁ ସନ୍ତର୍ପଣରେ ଦଉଡ଼ିଯାଇ, ‘‘ହେ ନାଥ, ରକ୍ଷାକର ରକ୍ଷାକର’’ କହି ତାଙ୍କର ପାଦତଳେ ସାଷ୍ଟାଙ୍ଗ ହୋଇ ପଡ଼ିଗଲେ । ଲକ୍ଷ୍ମଣ ତାଙ୍କୁ ଦେଖୁ ଦେଖୁ ଏପରି ଅଧୀର ହୋଇ ଉଠିଲେ ଯେ ତାଙ୍କର ଧନୁର୍ବାଣ କେଉଁଠି କିପରି ପଡ଼ିଲା, ତାଙ୍କର ଜ୍ଞାନ ରହିଲା ନାହିଁ । ଶ୍ରୀରାମ ଭରତଙ୍କୁ ଭୂମି ଉପରୁ ଉଠାଇ ନିଜ ହୃଦୟରେ ଲଗାଇଲେ । ଶ୍ରୀରାମ ପୁଣି ଶତ୍ରୁଘ୍ନଙ୍କୁ ଆନନ୍ଦରେ କୋଳାଗ୍ରତ କଲେ । ଲକ୍ଷ୍ମଣ ଭରତଙ୍କୁ ଏବଂ କନିଷ୍ଠ ଭ୍ରାତା ଶତ୍ରୁଘ୍ନକୁ ହୃଦୟରେ ଲଗାଇଲେ । ଶ୍ରୀରାମ ଲକ୍ଷ୍ମଣ ନିଷାଦରାଜାଙ୍କୁ ଅତି ଆଦରରେ କୋଳାଗ୍ରତ କଲେ । ଭରତ ଓ ଶତ୍ରୁଘ୍ନ ସୀତା ଓ ମୁନିମାନଙ୍କ ଚରଣରେ ପ୍ରଣାମ କରିବା ପରେ ସୀତା ସ୍ଵହସ୍ତରେ ଦୁଇଭାଇଙ୍କୁ ଉଠାଇ ନିଜ ପାଖରେ ବସାଇଲେ । କିଛି ସମୟ ପର୍ଯ୍ୟନ୍ତ ସମସ୍ତେ ନିରୁତ୍ତର ରହିଲେ, ଚକ୍ଷୁରୁ ଅଶ୍ରୁ ପାବିତ ହେଲା ।

 

ଏତିକିବେଳେ ନିଷାଦରାଜ କହିଲେ, “ହେ ସଖା ! ମୁନିଶ୍ରେଷ୍ଠ ବଶିଷ୍ଠଙ୍କ ସହିତ ଆପଣଙ୍କର ମାତାମାନେ, ମନ୍ତ୍ରୀ, ସେନାପତି, ସେବକ ଓ ନଗରନିବାସୀମାନେ ଆପଣଙ୍କ ଦର୍ଶନ ପାଇଁ ବ୍ୟାକୁଳ ହୋଇ ଆସୁଅଛନ୍ତି ।’’ ଗୁରୁଙ୍କ ଆଗମନ ବାର୍ତ୍ତା ଶୁଣିବା ମାତ୍ରେ ଶ୍ରୀରାମ ମୁନିଙ୍କୁ ସାକ୍ଷାତ କରିବା ପାଇଁ ଅଗ୍ରସର ହେଲେ । ଶ୍ରୀରାମ ଓ ଲକ୍ଷ୍ମଣ ଦଉଡ଼ିଯାଇ ମୁନିଙ୍କ ଚରଣରେ ପ୍ରଣାମକଲେ । ମୁନି ସେମାନଙ୍କୁ ଉଠାଇ କୋଳାଗ୍ରତ କଲେ l ନିଷାଦ ରାଜା ସେତେବେଳେ ଦୂରରୁ ମୁନିଙ୍କୁ ଦଣ୍ଡବତ ପ୍ରଣାମ ପୁଣି କରିବାରୁ ମୁନି ଶବର ରାଜ ଗୂହକଙ୍କୁ ଶ୍ରୀରାମ ସଖା ବୋଲି ଅତି ସ୍ନେହରେ ଗ୍ରହଣକଲେ ।

 

ମୁହୂର୍ତ୍ତକ ମଧ୍ୟରେ ଶ୍ରୀରାମ ସମସ୍ତଙ୍କ ସହତ ମିଶିଗଲେ । କୋଟି ସଂଖ୍ୟକ ପାତ୍ର ମଧ୍ୟରେ ସୂର୍ଯ୍ୟଙ୍କର କିରଣ ଭିନ୍ନ ଭିନ୍ନ ହୋଇ ଏକସଙ୍ଗେ ପଡ଼ିଲା ପରି ଶ୍ରୀରାମ ସମସ୍ତଙ୍କର ହୋଇଗଲେ ।

 

ଶ୍ରୀରାମ ପ୍ରଥମେ କୈକେୟୀଙ୍କୁ ପ୍ରଣାମ କଲେ । ତାଙ୍କର ସରଳତା ଓ ଭକ୍ତି ଦେଖି କୈକେୟୀଙ୍କ ହୃଦୟ ସ୍ନେହରେ ଦ୍ରବୀଭୂତ ହୋଇଗଲା । ଶ୍ରୀରାମ କାଳ, କର୍ମ ଓ ବିଧାତା ଉପରେ ଦୋଷ ଲଦି ତାଙ୍କୁ ସାନ୍ତୁନା ଦେଲେ । ପୁଣି ସେ କୌଶଲ୍ୟା ଓ ସୁମିତ୍ରାଙ୍କ ଚରଣରେ ପ୍ରଣାମ କଲେ-I ମାତାମାନଙ୍କ ଚକ୍ଷୁରୁ ଅନବରତ ଅଶ୍ରୁ ନିର୍ଗତ ହେଲା । ସେତେବେଳର ଦୁଃଖ ଓ ଆନନ୍ଦ କିଏ ବର୍ଣ୍ଣିପାରିବ ? ଜଡ଼ ମନୁଷ୍ୟ ଦ୍ରବ୍ୟର ସ୍ଵାଦ କିପରି ପ୍ରକାଶ କରିବ ?

 

ଶ୍ରୀରାମଚନ୍ଦ୍ର ମାତା ଓ ଗୁରୁଙ୍କୁ ଆଶ୍ରମକୁ ଡାକିନେଲେ । ସମସ୍ତ ନଗରବାସୀ ବଶିଷ୍ଠଙ୍କ ଆଦେଶରେ ଯିଏ ଯେଉଁଠାରେ ସୁବିଧା ପାଇଲେ ରହିଲେ । ଶ୍ରୀରାମ ସମସ୍ତଙ୍କ ସହିତ ଯାଇ ସାକ୍ଷାତ୍ କଲେ । ସୀତା ଗୁରୁଜନମାନଙ୍କୁ ଜଣ ଜଣ କରି ନିକଟକୁ ଯାଇ ପ୍ରଣାମ କଲେ ଏବଂ ଶାଶୁମାନଙ୍କ ମୁଖକୁ ଚାହିଁବା ମାତ୍ରେ ସେ ଚକ୍ଷୁ ମୁଦ୍ରିତ କରିପକାଇଲେ, ତା ପରେ ଧୈର୍ଯ୍ୟ ଅବଲମ୍ବନ କରି ଉଠି ବସିଲେ । ଶାଶୁମାନେ ତାଙ୍କୁ ଆର୍ଶୀର୍ବାଦ ଦେଲେ ।

 

ସମସ୍ତେ ଏକତ୍ର ବସିବା ପରେ ଗୁରୁ ବଶିଷ୍ଠ ମହାରାଜା ଦଶରଥଙ୍କର ସ୍ଵର୍ଗଗମନ ବାର୍ତ୍ତା ଓ ବୃତ୍ତାନ୍ତ ଜଣାଇବାରୁ ଶ୍ରୀରାମ ଅଧୈର୍ଯ୍ୟ ହୋଇପଡ଼ିଲେ । ତାଙ୍କ ପ୍ରତି ଅତିଶୟ ସ୍ନେହଯୋଗୁଁ ରାଜାଙ୍କର ମୃତ୍ୟୁ ହେଲା ବୋଲି ବିଚାରକରି ସେ ବ୍ୟାକୁଳ ହେଲେ । ଆଶ୍ରମରେ କ୍ରନ୍ଦନର ରୋଳ ଉଠିଲା । ବଶିଷ୍ଠ ଶ୍ରୀରାମଙ୍କୁ ନାନା କଥା କହି ବୁଝାଇଲେ ।

 

ସମସ୍ତଙ୍କ ସହିତ ଶ୍ରୀରାମ ମନ୍ଦାକିନୀ ନଦୀରେ ସ୍ନାନ କରି ସେଦିନ ନିର୍ଜଳ ରହିଲେ । ମୁନି ବଶିଷ୍ଠଙ୍କ ନାନା ପରାମର୍ଶ ସତ୍ତ୍ୱେ କେହିହେଲେ ସେଦିନ ଜଳ ଗ୍ରହଣ କଲେନାହିଁ । ଶ୍ରୀରାମ ବଶିଷ୍ଠଙ୍କ ପରାମର୍ଶ ଅନୁସାରେ ପିତାଙ୍କର ଅନ୍ତ୍ୟେଷ୍ଟିକ୍ରିୟା ସମାପନ କଲେ । ତୀର୍ଥମାନଙ୍କର ଆବାହନବେଳେ ଗଙ୍ଗାଜଳକୁ ଶୁଦ୍ଧକଲାଭଳି ଶୁଦ୍ଧଚୈତନ୍ୟ ଶ୍ରୀରାମଚନ୍ଦ୍ର ଶୁଦ୍ଧ ହେଲେ ।

 

ଦୁଇଦିନ ପରେ ଶ୍ରୀରାମ ଗୁରୁଙ୍କୁ କହିଲେ–ଏ ସ୍ଥଲରେ କନ୍ଦ, ଫଳମୂଳ ଖାଇ ସମସ୍ତେ ବାସ କରୁଅଛନ୍ତି । ଭରତ, ଶତ୍ରୁଘ୍ନ ଓ ମାତାମାନଙ୍କୁ ଦେଖି ଗୋଟିଏ ଗୋଟିଏ ମୁହୂର୍ତ୍ତ ମୋତେ ଗୋଟିଏ ଗୋଟିଏ ଯୁଗ ପରି ବୋଧ ହେଉଛି । ଆପଣ ସମସ୍ତଙ୍କୁ ନେଇ ଅଯୋଧ୍ୟାକୁ ପ୍ରତ୍ୟାବର୍ତ୍ତନ କରନ୍ତୁ । ଆପଣମାନେ ବନ ମଧ୍ୟରେ, ରାଜା ସ୍ଵର୍ଗବାସୀ, ଅଯୋଧ୍ୟାପୁରୀ ବର୍ତ୍ତମାନ ଶୂନ୍ୟ, ମୁଁ ଆପଣଙ୍କୁ କଣ କହିବି ? ଆପଣ ଯାହା ଉଚିତ ମନେ କରିବେ କରନ୍ତୁ ।

 

ବଶିଷ୍ଠ କହିଲେ–‘‘ଶ୍ରୀରାମ, ତୁମେ ଧର୍ମର ସେତୁ, ଦୟାସାଗର । ପ୍ରଜାମାନେ ତୁମକୁ ନ ଦେଖି ଅତ୍ୟନ୍ତ ଦୁଃଖ ଭୋଗକରୁଥିଲେ; ଏଠାରେ ରହି ସେମାନଙ୍କ ମନରେ ଶାନ୍ତି ଆସୁ ।” ବଶିଷ୍ଠଙ୍କ କଥା ଶୁଣି ଲୋକମାନେ ଆଶ୍ଵସ୍ତ ହେଲେ । ପ୍ରତିଦିନ ଶ୍ରୀରାମଦର୍ଶନ ଆଶ୍ରମ ବନରେ ଭ୍ରମଣ ଓ କାମଦ ଗିରିର ଦୃଶ୍ୟ ଦର୍ଶନ କରି କରି ସେମାନେ ଆନନ୍ଦରେ ସମୟ ଅତିବାହିତ କରୁଥିଲେ । କୋଲ୍‍ହ କିରାତ ପ୍ରଭୃତି ବନବାସୀ ଜାତିମାନେ ଦନାମାନଙ୍କରେ ମହୁ ଆଣି ଅଯୋଧ୍ୟାବାସୀଙ୍କୁ ପରଷୁଥିଲେ । ଅଯୋଧ୍ୟାବାସୀମାନେ ସେମାନଙ୍କୁ ଦ୍ରବ୍ୟ ବଦଳରେ ମୂଲ୍ୟ ଦେଲାବେଳେ ସେମାନେ ମୂଲ୍ୟ ନେଉ ନ ଥିଲେ । ପ୍ରଭୁ ଶ୍ରୀରାମଙ୍କର ଗୁଣର ପ୍ରଶଂସା କରି ସେମାନେ ଆପଣାକୁ ଭାଗ୍ୟବାନ୍ ବୋଲି ମନେକରୁଥିଲେ । ସେମାନେ କହୁଥିଲେ–“ମରୁଭୂମିରେ ଗଙ୍ଗାଧାର ପରି କୋଲ୍‌ହ, କିରାତମାନଙ୍କ ପକ୍ଷରେ ଆପଣମାନଙ୍କର ଦର୍ଶନ ଦୁର୍ଲ୍ଲଭ । ଶ୍ରୀରାମଙ୍କ ଦୟାରୁ ଆମ୍ଭେମାନେ ଆପଣଙ୍କର ଦର୍ଶନ ପାଇଛୁ । ଏ ଫଳ ମୂଳ, ଅଙ୍କୁର ଗ୍ରହଣକରି ଆମ୍ଭମାନଙ୍କୁ କୃତାର୍ଥ କରନ୍ତୁ । ଆପଣମାନଙ୍କର ସେବା ନିମନ୍ତେ ଆମ୍ଭେମାନେ ଯୋଗ୍ୟ ନୋହୁ । ଆମ୍ଭେମାନେ ଆପଣମାନଙ୍କୁ କି ଦ୍ରବ୍ୟ ଦେଇପାରିବୁ ? ଭୀଲ ଓ ନିଷାଦମାନେ କେବଳ କାଷ୍ଠ ଏବଂ ପତ୍ର ଦେଇ ମିତ୍ରତା ରକ୍ଷାକରିବା ବ୍ୟତୀତ ଆଉ ସେମାନଙ୍କ ନିକଟରେ କି ଦ୍ରବ୍ୟ ଅଛି । ଆପଣମାନଙ୍କର ବସ୍ତ୍ର ଓ ପାତ୍ରଗୁଡ଼ିକ ଚୋରୀ ନ ହୋଇଛି, ତାହା ହିଁ ଆମ ପକ୍ଷରେ ମହତ୍ କଥା । ଆମ୍ଭେମାନେ ମୂର୍ଖ, ଜୀବହିଂସା ଆମ୍ଭମାନଙ୍କର ବ୍ୟବସାୟ । ଆମ୍ଭେମାନେ କୁଟିଳ, କୁବୁଦ୍ଧି ଓ କୁଜାତି ଅଟୁ । ଦିନରାତି ପାପ ବ୍ୟତୀତ ଆମ୍ଭେମାନେ ଆଉ କଣ ଜାଣୁ ? ତଥାପି ଆମ୍ଭମାନଙ୍କର କଟିରେ ବସ୍ତ୍ର ନାହିଁ କିମ୍ବା ପେଟ ପୂରୁନାହିଁ । ଆମ୍ଭମାନଙ୍କଠାରେ ଧର୍ମବୁଦ୍ଧି କେଉଁଠୁ ଆସିବ ? କେବଳ ଶ୍ରୀରାମଙ୍କ ପ୍ରଭାବରୁ ଯାହା କିଛି ଶିଖିଅଛୁ । ଶ୍ରୀରାମଚନ୍ଦ୍ରଙ୍କ ଚରଣକମଳ ଦର୍ଶନ ଦିନଠାରୁ ଆମ୍ଭମାନଙ୍କର ଦୁଃସହ ଦୁଃଖ ଦୂର ହୋଇଯାଇଛି ।’’

 

ଅଯୋଧ୍ୟାବାସୀମାନେ ବନବାସୀ ଜାତିମାନଙ୍କର ସରଳ ଓ ନିଷ୍କପଟ ବାକ୍ୟ ଶୁଣି ଭାରି ଆନନ୍ଦିତ ହେଲେ ଏବଂ ସେମାନଙ୍କର ସୌଭାଗ୍ୟର ପ୍ରଶଂସା କରିବାକୁ ଲାଗିଲେ ।

 

ଭରତଙ୍କୁ ଦିନରେ କ୍ଷୁଧା ହୁଏ ନାହିଁ କିମ୍ବା ରାତ୍ରିରେ ନିଦ୍ରା ଆସେ ନାହିଁ । ମନ ଭିତର ଚିନ୍ତାରେ ଭାରି ହୋଇ ରହିଛି । ଶ୍ରୀରାମଙ୍କର ରାଜ୍ୟାଭିଷେକ କିପରି ହେବ ? ଗୁରୁଙ୍କ ଆଦେଶ ମାନି ଶ୍ରୀରାମ ନିଶ୍ଚୟ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରିବେ; କିନ୍ତୁ ଶ୍ରୀରାମଚନ୍ଦ୍ରଙ୍କର ଇଚ୍ଛା ଜାଣିଲେ ତ ସେ ତାଙ୍କୁ କହିବେ । ମାତା କୌଶଲ୍ୟାଙ୍କ ଆଜ୍ଞା ସେ ମାନିବେ; କିନ୍ତୁ ଶ୍ରୀରାମଙ୍କର ମାତା କୌଶଲ୍ୟା ତାଙ୍କୁ ବାଧ୍ୟ କରିପାରିବେ କି ? ମୁଁ ତ ସେବକ, ଭାଗ୍ୟ ମୋର ପ୍ରତିକୂଳ । ମୁଁ ଯଦି ବାଧ୍ୟ କରି ତାଙ୍କୁ କହିବି, ମୋର ଆହୁରି କୁକର୍ମ ରଟିବ । ସେ ନିଜେ ନିଜେ ମନରେ ଅନେକ ଏହିପରି ଯୁକ୍ତି ବାଢ଼ିଲେ; କିନ୍ତୁ ନିଜେ ସେଗୁଡ଼ିକ ଖଣ୍ଡନ କଲେ । ଚିନ୍ତା କରି କରି ରାତି ପାହିଲା ।

 

ପରଦିନ ଗୁରୁଙ୍କ ଆଦେଶରେ ମନ୍ତ୍ରୀ, ସଭାସଦ୍‌, ବ୍ରାହ୍ମଣ ମହାଜନମାନେ ଏକତ୍ର ହେଲେ । ମୁନି ସମସ୍ତଙ୍କର ସଭାରେ କହିଲେ, “ହେ ସଭାସ୍ଥ ବ୍ୟକ୍ତିଗଣ ! ହେ ଭରତ, ଶୁଣନ୍ତୁ ! ସୂର୍ଯ୍ୟକୁଳର ସୂର୍ଯ୍ୟ ମହାରାଜ ଶ୍ରୀରାମଚନ୍ଦ୍ର ଧର୍ମବେତ୍ତା ଅଟନ୍ତି । ସେ ସତ୍ୟବ୍ରତ, ବେଦରକ୍ଷକ । ଜଗତର କଲ୍ୟାଣ ନିମନ୍ତେ ତାଙ୍କର ଜନ୍ମ । ସେ ଗୁରୁ, ପିତା ଓ ମାତାଙ୍କର ଆଜ୍ଞାକାରୀ । ଦୁଷ୍ଟ ଦମନକରି ସେ ଦେବତାମାତଙ୍କୁ ରକ୍ଷା କରିବେ । ପ୍ରେମ ବା ପରମାର୍ଥ ଅନ୍ୟ କେହି ଜାଣନ୍ତି ନାହିଁ । ବ୍ରହ୍ମା, ବିଷ୍ଣୁ, ମହେଶ୍ଵର, ଚନ୍ଦ୍ର, ସୂର୍ଯ୍ୟ ଓ ଦିଗପାଳ ସମସ୍ତେ ଶ୍ରୀରାମଙ୍କ ଆଜ୍ଞା ପାଳନ କରନ୍ତି । ତେଣୁ ତାଙ୍କର ଆଜ୍ଞା ପାଳନ କଲେ ସମସ୍ତଙ୍କର ଉପକାର ହେବ । ଆପଣମାନେ ନୀତିକୁଶଳ ବ୍ୟକ୍ତିମାନଙ୍କର ସମ୍ମତି ନେଇ ଯାହା ଉପଯୁକ୍ତ ତାହାହିଁ କରନ୍ତୁ । ଶ୍ରୀରାମ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରି ରାଜଦାୟିତ୍ଵ ଗ୍ରହଣ କଲେ ସମସ୍ତଙ୍କ ନିମନ୍ତେ କଲ୍ୟାଣ ଓ ଆନନ୍ଦଦାୟକ ହେବ ।

 

ବଶିଷ୍ଠଙ୍କର କଥା ସମସ୍ତେ ଶୁଣିଲେ ମଧ୍ୟ କେହି କିଛି କହିଲେନାହିଁ । ସେତେବେଳେ ଭରତ ହାତଯୋଡ଼ି ଠିଆହୋଇ ମୁଣ୍ଡନୁଆଁଇ କହିଲେ–

 

“ସୂର୍ଯ୍ୟବଂଶରେ ବହୁ ଉତ୍ତମ ଓ ମହାନ୍ ରାଜା ଜନ୍ମଗ୍ରହଣ କରିଅଛନ୍ତି । ପିତାମାତାଙ୍କ ଯୋଗୁଁ ସନ୍ତାନର ଉତ୍ପତ୍ତି ହୁଏ; କିନ୍ତୁ କର୍ମର ଫଳ ବିଧାତାଙ୍କ ଉପରେ ନିର୍ଭର କରେ । ଆପଣଙ୍କ ଆଶୀର୍ବାଦର ଶକ୍ତି ଫଳରେ ସମସ୍ତ ଦୁଃଖ ଦୂର ହୁଏ ଏବଂ ସବୁ ପ୍ରକାରର କଲ୍ୟାଣ ସାଧିତ ହୁଏ–ଏକଥା ଜଗତରେ ସମସ୍ତେ ଜାଣନ୍ତି । ଆପଣ ବିଧାତାର ବିଧାନକୁ ବନ୍ଦ କରିଦେଇ ପାରିଥିଲେ । ତେଣୁ ଆପଣ ଯାହା ନିଶ୍ଚୟ କରିଅଛନ୍ତି, ତାହାକୁ ବନ୍ଦ କରିବାର କାହାରି ସାଧ୍ୟ ନାହିଁ । ଆପଣ ମୋତେ ଉପାୟ ଜିଜ୍ଞାସା କରୁଅଛନ୍ତି, ଏହା ମୋର ଦୁର୍ଭାଗ୍ୟ ।”

 

ଭରତଙ୍କର କଥା ଶୁଣି ଗୁରୁଙ୍କର ହୃଦୟ ଆନନ୍ଦରେ ଦ୍ରବିତ ହେଲା । ସେ କହିଲେ, “ତୁମେ ଯାହା କହୁଛ ତାହା ସତ୍ୟ; କିନ୍ତୁ ଏ ସମସ୍ତ ଶ୍ରୀରାମଙ୍କ କୃପାର ଫଳ । ଶ୍ରୀରାମ ବିରୋଧୀ ବ୍ୟକ୍ତି ସ୍ଵପ୍ନରେ ସୁଦ୍ଧା ସୁଖ ପାଏନାହିଁ । ଗୋଟିଏ କଥା କହିବା ପାଇଁ ମୋ ମନରେ ସଂକୋଚ ଆସୁଛି । ବୁଦ୍ଧିମାନ୍ ଲୋକମାନେ ସର୍ବସ୍ୱ ନଷ୍ଟ ହେଉଥିଲାବେଳେ ଅର୍ଦ୍ଧଭାଗ ତ୍ୟାଗ କରିଥାନ୍ତି । ତେଣୁ ତୁମେ ଦୁଇ ଭାଇ ଭରତ ଓ ଶତ୍ରୁଘ୍ନ ବନଗମନ କର ଏବଂ ଶ୍ରୀରାମ, ଲକ୍ଷ୍ମଣ ଓ ସୀତାଙ୍କୁ ବର୍ତ୍ତମାନ ଅଯୋଧ୍ୟାକୁ ପ୍ରତ୍ୟାବର୍ତ୍ତନ କରିନିଆଯାଉ ।”

 

ଏ କଥା ଶୁଣି ଭରତ ଓ ଶତ୍ରୁଘ୍ନ ବଡ଼ ଆନନ୍ଦିତ ହେଲେ । ସେମାନଙ୍କର ଅଙ୍ଗମାନ ଆନନ୍ଦରେ ପୁଲକିତ ହୋଇଉଠିଲା । ଅନ୍ୟ ଲୋକ ଏ ନିଷ୍ପତ୍ତି ଶୁଣି ଏଥିରେ ବିଶେଷ ଲାଭହେବ ବୋଲି ମନେକଲେ; କିନ୍ତୁ ରାଣୀମାନଙ୍କର ଏଥିରେ ଦୁଃଖ କି ସୁଖ କିଛି ବୃଦ୍ଧି ପାଇବା କିମ୍ବା ହ୍ରାସ ପାଇବା ଜଣାଗଲା ନାହିଁ । ଯେ କୌଣସି ପ୍ରକାରେ ଦୁଇ ପୁଅଙ୍କର ଦୁଃଖ ସେମାନଙ୍କୁ ବାଧିଲା ।

 

ଭରତ କହିଲେ, “ମୁନି ଯାହା କହୁଛନ୍ତି, ତାହାହେଲେ ଜଗତର ଜୀବମାନଙ୍କୁ ସେମାନଙ୍କର ଆକାଂକ୍ଷିତ ବସ୍ତୁ ପାଇବାର ଫଳ ମିଳିବ । ମୁଁ ଜୀବନସାରା ବନବାସ କରିବି । ଏହାଠାରୁ ବଳି ମୋର ଆଉ ଅଧିକ ସୁଖ ନାହିଁ । ଶ୍ରୀରାମ ଓ ସୀତା ହୃଦୟାଭ୍ୟନ୍ତରର ସମସ୍ତ କଥା ଜାଣନ୍ତି । ଆପଣ ସର୍ବଜ୍ଞ ଅଟନ୍ତି । ଆପଣଙ୍କର କଥା ଅନୁସାରେ ବ୍ୟବସ୍ଥା କରନ୍ତୁ ।”

 

ଭରତ ଏବଂ ଅନ୍ୟାନ୍ୟ ପାତ୍ରମନ୍ତ୍ରୀ ସମସ୍ତଙ୍କୁ ସଙ୍ଗରେ ଧରି ବଶିଷ୍ଠ ଶ୍ରୀରାମଙ୍କ ପାଖକୁ ଆସିଲେ । ଶ୍ରୀରାମ ବଶିଷ୍ଠଙ୍କୁ ପ୍ରଣାମ କରି ଅତି ଉତ୍ତମ ଆସନ ଦେଲେ । ମୁନିଙ୍କ ଆଦେଶ ପାଇ ସମସ୍ତେ ବସିଲେ । ମୁନି ଶ୍ରୀରାମଙ୍କୁ କହିଲେ–ତୁମ୍ଭେ ସମସ୍ତଙ୍କର ଭଲ ଓ ମନ୍ଦ ଜାଣିଅଛି । ତେଣୁ ପୁରବାସୀ, ମାତା ଏବଂ ଭରତଙ୍କର ହିତ ହେଲାଭଳି ତୁମେ କୌଣସି ଉପାୟ କୁହ ।

 

ଶ୍ରୀରାମ ଅତି ବିନୀତ ଭାବରେ କହିଲେ–ସବୁ ଉପାୟ ଆପଣଙ୍କ ହାତରେ । ଆପଣଙ୍କର ଆଦେଶ ପାଳନରେ ସମସ୍ତଙ୍କର ହିତ ନିହିତ । ଆପଣ ମୋତେ ଯେଉଁ ଆଜ୍ଞା ଦେବେ ତାହା ମୋର ଶିରୋଧାର୍ଯ୍ୟ ହେବ ।

 

ମୁନି କହିଲେ–ତୁମ୍ଭର ବାକ୍ୟରେ କିଛି ଅସତ୍ୟତା ନାହିଁ, କିନ୍ତୁ ଭରତଙ୍କର ସ୍ନେହ ଓ ଭକ୍ତି ଯୋଗୁଁ ବିଚାର ସ୍ଥିର ରହିପାରୁନାହିଁ । ମୁଁ ସତ୍ୟ କଥା କହୁଛି–ମୋର ବୁଦ୍ଧି ବର୍ତ୍ତମାନ ଭରତଙ୍କର ଅଧୀନ ହୋଇଯାଇଅଛି । ତେଣୁ ମୋ ବିଚାରରେ ଭରତଙ୍କର ରୁଚି ଦୃଷ୍ଟିରୁ ଯାହା କିଛି କରାଯିବ, ତାହା ଫଳରେ ସବୁ ଶୁଭ ଘଟିବ । ତେଣୁ ଭରତଙ୍କର ବିନତି ଶୁଣିବା ପରେ ସାଧୁମାନଙ୍କର ମତ, ଲୋକମତ ରାଜନୀତି ଓ ବେଦବାଣୀ ଅନୁସାରେ ଯାହା କରଣୀୟ ତାହା କରିବ ।

 

ଭରତଙ୍କ ପ୍ରତି ଗୁରୁଙ୍କର ଅପାର ସ୍ନେହ ଦେଖି ଶ୍ରୀରାମ ଆନନ୍ଦରେ ଗଦ୍‌ଦଗ୍‍ ହେଲେ । ଭରତଙ୍କୁ ନିଜର ଅତି ଉତ୍ତମ ସେବକ ବୋଲି ଜାଣି ଶ୍ରୀରାମ ଗୁରୁଙ୍କୁ କହିଲେ, ‘‘ହେ ମୁନିଶ୍ରେଷ୍ଠ ! ମୁଁ ଆପଣଙ୍କୁ ଚାହିଁ ଏବଂ ପିତାଙ୍କର ପାଦପଦ୍ମକୁ ଧ୍ୟାନକରି କହୁଛି, ଭରତପରି ଏ ସମଗ୍ର ସଂସାରରେ ଭ୍ରାତା ଜନ୍ମଲାଭ କରିନାହାନ୍ତି । ଯେଉଁମାନେ ଗୁରୁଙ୍କର ଚରଣକମଳ ଅନୁରାଗୀ ସେମାନେ ବଡ଼ ଭାଗ୍ୟବାନ୍ । ପୁଣି ଯେଉଁ ଭରତ ଉପରେ ଆପଣ ଏପରି ସ୍ନେହଭାବ ପ୍ରକାଶ କରିଅଛନ୍ତି, ତାର କି ଉଚ୍ଚଭାଗ୍ୟ ! ମୁଁ ଜ୍ୟେଷ୍ଠଭ୍ରାତା । କନିଷ୍ଠ ସମ୍ମୁଖରେ ଜ୍ୟେଷ୍ଠଭ୍ରାତା ହୋଇ ଏସବୁ କହିଲାବେଳେ ମୋତେ ବଡ଼ ସଂକୋଚ ଲାଗୁଛି । ତେଣୁ ଭରତର କଥା ହିଁ ମଙ୍ଗଳକର ହେବ ।”

 

ଶ୍ରୀରାମ ଏତିକି କହି ତୂନୀ ହେଲେ । ସେତେବେଳେ ବାଶିଷ୍ଠ ଭରତଙ୍କୁ କହିଲେ–ତୁମେ ସମସ୍ତ ସଙ୍କୋଚ ତ୍ୟାଗକରି କୃପାସମୁଦ୍ର ତୁମର ଜ୍ୟେଷ୍ଠଭ୍ରାତାଙ୍କୁ ତୁମର ମନର କଥା କହ ।

 

ଭରତ ମୁନିଙ୍କଠାରୁ ଏକଥା ଶୁଣି ଏବଂ ଶ୍ରୀରାମଙ୍କଠାରୁ ଅଭୟ ପାଇ କହିଲେ–ମୁନିବର ମୋର ସମସ୍ତ ଇଚ୍ଛା ବଖାଣିସାରିଛନ୍ତି, ମୁଁ ଆଉ ଅଧିକ କଣ କହିବି ? ଅପରାଧୀ ଉପରେ ମଧ୍ୟ ଶ୍ରୀରାମ କ୍ରୋଧ ପ୍ରକାଶ କରନ୍ତିନାହିଁ । ମୋ ଉପରେ ତାଙ୍କର ସ୍ନେହ ଓ ଦୟା ଅସୀମ । ତାଙ୍କଠାରେ ମୁଁ କେବେହେଲେ କ୍ରୋଧ ଲକ୍ଷ୍ୟ କରିନାହିଁ । ବାଲ୍ୟକାଳରେ ମଧ୍ୟ ସେ ମୋ ମନର ପ୍ରତିକୂଳ କୌଣସି କଥା କିଛି କହିନାହାନ୍ତି । ମୁଁ ବାଲ୍ୟକାଳରେ କୌଣସି ସମୟରେ ଖେଳରେ ପରାସ୍ତ ହେବାକୁ ଥିଲେ, ସେ ମୋତେ ଜିତାଇ ଦେଇଛନ୍ତି । ସ୍ନେହ ଓ ସଙ୍କୋଚ ଯୋଗୁ ମୁଁ ତାଙ୍କ ସମ୍ମୁଖରେ ପଦେ ହେଲେ କଥା କହିପାରିନାହିଁ, କିନ୍ତୁ ବିଧାତା ମୋ ମାତାଙ୍କ ଆଳରେ ଆମ ଦୁଇଜଣଙ୍କ ମଧ୍ୟରେ ଅନ୍ତର ସୃଷ୍ଟି କରିଛି । ଏକଥା ମୋ ମୁହଁରେ ଅବଶ୍ୟ ଶୋଭା ପାଉନାହିଁ; କାରଣ ନିଜ ବିଚାରରେ କେହି କେବେ ହେଲେ ସାଧୁ ବା ପବିତ୍ର ହୋଇପାରନ୍ତି ନାହିଁ । ମା’ ନୀଚ ଅଟନ୍ତି ଏବଂ ମୁଁ ସାଧୁ ଅଟେ, ହୃଦୟରେ ଏପରି ବିଚାର ଆଣିବା ଦୂରାଚାର ଅଟେ । ସ୍ଵପ୍ନରେ ମଧ୍ୟ କାହାକୁ ଦୋଷଦେବା ଉଚିତ ନୁହେଁ । ମୋତେ ତ ଦୁର୍ଭାଗ୍ୟ ଘୋଟିଛି । ମୁଁ ମୋର ପରିଣାମ ନ ବୁଝି ମାତାଙ୍କୁ କଟୁକଥା କହି କଷ୍ଟଦେଇଛି । ମୁଁ ମୋର ହୃଦୟାଭ୍ୟନ୍ତର ଖୋଜି ସାରିଛି; କିନ୍ତୁ କୌଣସି କଥାରେ ମୁଁ ମୋର ମଙ୍ଗଳ ଦେଖିପାରୁ ନାହିଁ ।

 

-କେବଳ ଗୋଟିଏ ଉପାୟରେ ମୋର ମଙ୍ଗଳ ଦେଖିପାରୁଛି । ଗୁରୁ ମହାରାଜ ସମର୍ଥ ଅଟନ୍ତି ଏବଂ ସୀତାରାମ ମୋର ପ୍ରଭୁ ଅଟନ୍ତି । ମୋ ନିମନ୍ତେ ଏତିକି କଲ୍ୟାଣ ଘଟିଛି–ଏ ସାଧୁସମାଜ ମଧ୍ୟରେ ଗୁରୁ ଓ ପ୍ରଭୁଙ୍କ ସମକ୍ଷରେ, ପୁଣି ଏ ପବିତ୍ର ତୀର୍ଥସ୍ଥଳରେ ସତ୍ୟ କରି ଏକଥା କହୁଛି । ମୋ ଅନ୍ତରରେ ପ୍ରେମ ଅଛି କି କପଟ ଅଛି, ସତ୍ୟ ଅଛି କି ମିଥ୍ୟା ଅଛି, ଗୁରୁ ସେ କଥା ଜାଣନ୍ତି ଏବଂ ଶ୍ରୀରଘୁନାଥ ମଧ୍ୟ ତାହା ଜାଣନ୍ତି । ପ୍ରେମର ପଣ ରକ୍ଷାକରି ମହାରାଜ ସ୍ଵର୍ଗବାସୀ ହେବା କଥା ଏବଂ ମାତାଙ୍କର କୁବୁଦ୍ଧି ପଣ କଥା ସଂସାର ଜାଣେ । ମୋର ମାତାମାନେ ଅତିଶୟ ବ୍ୟାକୁଳ ହୋଇ ପଡ଼ିଛନ୍ତି ଏବଂ ଅଯୋଧ୍ୟାବାସୀ ଦୁଃସହ ତାପରେ ଦଗ୍‌ଧ ହେଉଛନ୍ତି । ଏ ସମଗ୍ର ଅନର୍ଥର ମୂଳ ମୁଁ । ଏ ସବୁ କଥା ଶୁଣି ଏବଂ ବୁଝି ସବୁ ଦୁଃଖ ସହିଛି । ଶ୍ରୀରଘୁନାଥ ସୀତା ଓ ଲକ୍ଷ୍ମଣଙ୍କ ସାହିତ ମୁନିବେଶ ଧାରଣ କର, ପାଦରେ କଠଉ ମଧ୍ୟ ଧାରଣ ନ କରି ବନରେ ବୁଲୁଛନ୍ତି-। ଏସବୁ ଶୁଣି ମଧ୍ୟ ମୋର ଏ ପ୍ରାଣ ବଞ୍ଚି ରହି ପାରିଛି । ନିଷାଦ ରାଜାଙ୍କର ସ୍ନେହପ୍ରୀତି ଦେଖି ମଧ୍ୟ ମୋର ଏ କଠୋର ହୃଦୟ ଫାଟିଯାଉନାହିଁ ।

 

-ଏବେ ଏଠାକୁ ଆସି ଏସବୁ ସ୍ଵଚକ୍ଷୁରେ ଦେଖିଲି । ଏ ଜଡ଼ପ୍ରାଣ ଜୀବନରେ ରହି ସବୁ ସହିପାରିଛି । ଯେଉଁ ଶ୍ରୀରଘୁନନ୍ଦନ, ଲକ୍ଷ୍ମଣ ଓ ସୀତାଙ୍କୁ ଦେଖି ବନମାର୍ଗର ବିଷଧର ସର୍ପ ଓ ବିଛା ସେମାନଙ୍କର ଭୟାନକ ବିଷ ଓ କ୍ରୋଧ ତ୍ୟାଗକରି ଦେଉଛନ୍ତି, ସେମାନଙ୍କୁ ଯେ ଶତ୍ରୁ ଜ୍ଞାନ କରିପାରେ, ସେହି କୈକେୟୀପୁତ୍ର ବ୍ୟତୀତ ଦୈବ ଆଉ କାହାକୁ ଦୁଃସହ ଦୁଃଖ ଦେବ ?

 

ଭରତଙ୍କର ଏ ମର୍ମସ୍ପର୍ଶୀ ମନୋବେଦନା ଶୁଣି ସଭାସ୍ଥ ସମସ୍ତଙ୍କ ମନ ବିଷାଦରେ ପୂର୍ଣ୍ଣ ହେଲା । ମୁନି ବଶିଷ୍ଠ ବହୁ ଐତିହାସିକ କାହାଣୀ କହି ଭରତଙ୍କୁ ସାନ୍ତ୍ୱନା ଦେଲେ । ତା’ ପରେ ଶ୍ରୀରାମଚନ୍ଦ୍ର କହିଲେ–“ପ୍ରାଣପ୍ରିୟ ଭରତ, ବୃଥାରେ ତୁ ମନ ଭିତରେ ଏତେ ଗ୍ଲାନି ଆଣୁଛୁ । ଜୀବର ଗତି ଈଶ୍ଵରଙ୍କର ଅଧୀନ । ତୋ’ଠାରୁ ବଳି ପୁଣ୍ୟାତ୍ମା ତ୍ରିଲୋକରେ ତ୍ରିକାଳରେ ଜନ୍ମଗ୍ରହଣ କରିନାହାନ୍ତି । ତୋ ହୃଦୟରେ କୁଟିଳତା ଅଛି ବୋଲି କେହି ଯଦି ହୃଦୟ ମଧ୍ୟରେ ବିଚାର କରେ, ତାହାହେଲେ ତାହାର ଇହ ଓ ପରଲୋକ ମଧ୍ୟ ନଷ୍ଟ ହୋଇଯିବ । ଗୁରୁ ଓ ସାଧୁପୁରୁଷମାନଙ୍କର ସେବା ନ କରିଥିବା ମୂର୍ଖ ଲୋକମାନେ କେବଳ ମାତା କୈକେୟୀଙ୍କୁ ଦୋଷ ଦିଅନ୍ତି । ଭରତ, ଏ ନାମ ସ୍ମରଣମାତ୍ରେ ସମସ୍ତ ପାପ ଓ ଅଜ୍ଞାନ ଦୂର ହୋଇଯିବ, ଇନ୍ଦ୍ରଲୋକରେ ଯଶ ମିଳିବ ଓ ପରଲୋକରେ ସୁଖ ମିଳିବ । ମୁଁ ସତ୍ୟକରି କହୁଛି, ଏ ବସୁନ୍ଧରା ତୋରି ଯୋଗୁଁ ରହିପାରିଛି । ମନରେ ଆଦୌ ବ୍ୟର୍ଥତା ରଖନାହିଁ । ଶତ୍ରୁତା ଓ ପ୍ରେମ ଗୁପ୍ତ ରଖିଲେ ଗୁପ୍ତ ରହିପାରେ ନାହିଁ । ପକ୍ଷୀ ଓ ପଶୁମାନେ ନିର୍ଭୟରେ ମୁନିମାନଙ୍କ ପାଖକୁ ଚାଲିଯାନ୍ତି; କିନ୍ତୁ ହିଂସ୍ର ବ୍ୟାଧମାନଙ୍କର ଦର୍ଶନ ମାତ୍ରେ ଦଉଡ଼ି ପଳାନ୍ତି । ମିତ୍ର ଓ ଶତ୍ରୁମାନଙ୍କୁ ପଶୁପକ୍ଷୀ ମଧ୍ୟ ଚିହ୍ନିପାରନ୍ତି । ଆଉ ମଣିଷଠାରେ ତ ଗୁଣ ଓ ଜ୍ଞାନ ପୂରି ରହିଛି । ମୁଁ ତୋତେ ଭଲରୂପେ ଚିହ୍ନିଛି; କିନ୍ତୁ କ’ଣ କରିବି ? ମୁଁ ଏକ ମହାଦ୍ଵନ୍ଦ ମଧ୍ୟରେ ପଡ଼ିଛି । ମୋତେ ତ୍ୟାଗକରି ମହାରାଜା ସତ୍ୟରକ୍ଷା କଲେ; ସେହି ପ୍ରେମର ପଣ ରକ୍ଷା କରିବା ନିମିତ୍ତ ଶରୀର ତ୍ୟାଗକଲେ । ତାଙ୍କର ବଚନ ଭଗ୍ନ କରିବି କିପରି ? ତୋ ମନରେ ସଂକୋଚ ତାହାଠାରୁ ବଳିପଡ଼ିଛି । ଗୁରୁ ମଧ୍ୟ ଆଜ୍ଞା ଦେଇଛନ୍ତି । ତେଣୁ ବର୍ତ୍ତମାନ ତୁ ଯାହା କହିବୁ ମୁଁ ତାହାହିଁ କରିବି ବୋଲି ବିଚାର କରୁଛି । ତୁ ମନରୁ ସଂକୋଚ ତ୍ୟାଗକରି ପ୍ରସନ୍ନ ମନରେ ଯାହା କହିବୁ, ଆଜି ମୁଁ ତାହାହିଁ କରିବି ।”

 

ସତ୍ୟବ୍ରତ, ରଘୁକୁଳଶ୍ରେଷ୍ଠ ଶ୍ରୀରଘୁନାଥଙ୍କର ଏ ବାଣୀ ଶୁଣି ସମଗ୍ର ସମାଜ ପ୍ରସନ୍ନ ହୋଇଗଲା । ଦେବତାମାନେ ମନେକଲେ ବର୍ତ୍ତମାନ ଦେବତାମାନଙ୍କ କାର୍ଯ୍ୟ ଭରତଙ୍କ ହାତରେ ।

 

ଭରତ ମନରେ ବିଚାର କଲେ, ଶ୍ରୀରାମଙ୍କର ଆଦେଶ ହିଁ ମୋ ପକ୍ଷରେ କଲ୍ୟାଣକର-। ସେ ନିଜର ସତ୍ୟ ଛାଡ଼ି ମୋର ପଣ ରକ୍ଷାକଲେ । ମୋ ଉପରେ ଶ୍ରୀରାମଙ୍କର କୃପା ଅସୀମ, ଏ ସବୁକଥା ବିଚାରି ଭରତ କହିଲେ–

 

ହେ ଅନ୍ତର୍ଯ୍ୟାମୀ, ମୁଁ ଆଉ କଣ କହିବି ? ଗୁରୁ ମୋ ଉପରେ ପ୍ରସନ୍ନ ଏବଂ ମୋର ପ୍ରଭୁ ମୋର ଅନୁକୂଳ । ମୋର ମଳିନ ମନର ସମସ୍ତ ପୀଡ଼ା ଦୂର ହୋଇଯାଇଛି । ମୋ ମନରେ ଏକ ମିଥ୍ୟା ଭୟ ପ୍ରବେଶ କରିଥିଲା । ମୋର ଅନୁଶୋଚନା ମିଥ୍ୟା ଅଟେ । ଯଦି ଦିଗ ଭ୍ରମ ହୁଏ, ସେଥିପାଇଁ କଣ ସୂର୍ଯ୍ୟଙ୍କର ଦୋଷ ? ମୋର ଦୁର୍ଭାଗ୍ୟ, ମାତାଙ୍କର କୁଟିଳତା ମୋ ମନରେ ମିଥ୍ୟାଭୟ ଆଣିଥିଲା; କିନ୍ତୁ ହେ ଶରଣାଗତରକ୍ଷକ, ମୋତେ ଆପଣ ରକ୍ଷାକଲେ । ସମଗ୍ର ଜଗତ ମନ୍ଦ ହୋଇପାରେ; କିନ୍ତୁ ଆପଣ ମଙ୍ଗଳର କାରଣ ଅଟନ୍ତି । ଆପଣଙ୍କୁ କଳ୍ପବୃକ୍ଷ ମନେକରି ଯେ ଆପଣଙ୍କର ଆଶ୍ରୟ ନିଏ ଆପଣ ତାହାର ସମସ୍ତ ଚିନ୍ତା ଦୂର କରନ୍ତି । ମୋ ମନରେ ଆଉ ତିଳେ ହେଲେ ସନ୍ଦେହ ନାହିଁ । ଆପଣଙ୍କ ମନରେ ଯେଉଁ ଉପାୟରେ ମୋ ଯୋଗୁଁ କ୍ଷୋଭ ନ ଆସିବ ଆପଣ ତାହାହିଁ କରନ୍ତୁ । ମୋର ଏକମାତ୍ର ବିନତି ଶୁଣନ୍ତୁ–ରାଜତିଳକ ନିମନ୍ତେ ସମସ୍ତ ସାମଗ୍ରୀର ବ୍ୟବସ୍ଥା ଏଠାକୁ ଅଣାଯାଇଛି । କନିଷ୍ଠ ଭ୍ରାତା ଶତ୍ରୁଘ୍ନ ସହିତ ମୋତେ ବନକୁ ପ୍ରେରଣ କରିଦିଅନ୍ତୁ, ଆପଣ ଅଯୋଧ୍ୟାବାସୀଙ୍କର ଇଚ୍ଛା ପୂରଣ କରନ୍ତୁ । ଏ ବ୍ୟବସ୍ଥାରେ ଆପଣଙ୍କର ମନଃପୂତ ନ ହେଲେ ଲକ୍ଷ୍ମଣ ଓ ଶତ୍ରୁଘ୍ନଙ୍କୁ ଅଯୋଧ୍ୟାକୁ ପ୍ରେରଣ କରନ୍ତୁ, ମୁଁ ଆପଣଙ୍କ ସହିତ ବନବାସ କରିବି କିମ୍ବା ସୀତାଙ୍କ ସହିତ ଆପଣ ଅଯୋଧ୍ୟାକୁ ପ୍ରତ୍ୟାବର୍ତ୍ତନ କରନ୍ତୁ, ଆମ ତିନି ଭାଇଙ୍କୁ ବନବାସ କରିବାପାଇଁ ଅନୁମତି ଦିଅନ୍ତୁ । ଯେଉଁ ପ୍ରକାର କାର୍ଯ୍ୟ କଲେ ଆପଣଙ୍କର ମନ ପ୍ରସନ୍ନ ହେବ, ଆପଣ ତାହା ହିଁ କରନ୍ତୁ ।

 

ଆପଣ ମୋ ଉପରେ ସବୁ ଭାର ଦେଇସାରିଛନ୍ତି; କିନ୍ତୁ ମୁଁ ଧର୍ମ କିମ୍ବା ନୀତି କଥା କିଛି ଜାଣେନାହିଁ । ମୁଁ ତ ସ୍ଵାର୍ଥପାଇଁ ଏ ସବୁ କଥା କହୁଛି । ଦୁଃଖିଲୋକର ବିବେକ କେଉଁଠୁ ଆସିବ ? ଆପଣ ଯେଉଁ ଆଜ୍ଞା ଦେବେ, ତାହା ହିଁ ପାଳନ କରିବାପାଇଁ ଦାସ ସବୁବେଳେ ଅନାଇ ବସିଛି ।

 

ଏତିକିବେଳେ ସ୍ଵର୍ଗରୁ ପୁଷ୍ପବୃଷ୍ଟି ହେଲା ।

Image

 

ରାଜା ଜନକଙ୍କର ପ୍ରବେଶ

 

ଜନନଙ୍କ ଦୂରର ଆଗମନ ସମ୍ବାଦ ପାଇ ବଶିଷ୍ଠ ତାହାଙ୍କୁ ନିକଟକୁ ଡକାଇଲେ । ଦୂତ ସଭାରେ ପହଞ୍ଚି କହିଲା–

 

“କୌଶଳରାଜ ଦଶରଥଙ୍କ ବିୟୋଗରେ ରାଜା ଜନକ ଓ ବିଦେହପୁରବାସୀ ଅତ୍ୟନ୍ତ ଶୋକାଭିଭୂତ ହୋଇପଡ଼ିଲେ । ରାଣୀଙ୍କର କପଟ, ଭରତଙ୍କର ରାଜ୍ୟପ୍ରାପ୍ତି ଓ ଶ୍ରୀରାମଙ୍କର ବନଗମନ ବୃତ୍ତାନ୍ତ ଶୁଣି ରାଜା ଜନକ ଅତ୍ୟନ୍ତ ଦୁଃଖିତ । ରାଜର୍ଷି ଜନକ ନିଜ କର୍ତ୍ତବ୍ୟ ବିଷୟରେ ମନ୍ତ୍ରୀମାନଙ୍କର ପରାମର୍ଶ ଜିଜ୍ଞାସା କଲେ; କିନ୍ତୁ ସେମାନଙ୍କଠାରୁ କୌଣସି ଉତ୍ତର ନ ପାଇ ଚାରିଜଣ ଚତୁର ଗୁପ୍ତଚରଙ୍କୁ ଅଯୋଧ୍ୟାକୁ ପ୍ରେରଣ କଲେ । ଅଯୋଧ୍ୟାରୁ ସେମାନେ ପ୍ରତ୍ୟାବର୍ତ୍ତନ କରି ଭରତଙ୍କର ଶ୍ରୀରାମଙ୍କ ପ୍ରତି ଭକ୍ତିଭାବ ଓ ଭରତଙ୍କର ଚିତ୍ରକୂଟ ଗମନ ସମ୍ବାଦ ରାଜାଙ୍କୁ ଜଣାଇଲେ । ରାଜା, ଗୁରୁ, ମନ୍ତ୍ରୀ ଓ ପରିଜନମାନେ ଏ ଘଟଣାମାନ ଶୁଣି ବ୍ୟାକୁଳ ହୋଇପଡ଼ିଲେ-। ରାଜା ଜନକ ସମସ୍ତଙ୍କୁ ଧୈର୍ଯ୍ୟ ଦେଇ ଭରତଙ୍କର ମହତପଣ ସମସ୍ତଙ୍କ ସମ୍ମୁଖରେ ଜଣାଇଲେ । ରାଜା ଜନକ ଉତ୍ତମ ମୁହୂର୍ତ୍ତ ଦେଖି ରଥ, ଅଶ୍ଵ, ହସ୍ତୀ ଓ ଯୋଦ୍ଧାମାନଙ୍କ ସହିତ ଚିତ୍ରକୂଟ ଉଦ୍ଦେଶ୍ୟରେ ଆସୁଛନ୍ତି; କୌଣସି ସ୍ଥାନରେ ବିଶ୍ରାମ ମଧ୍ୟ ନେଇନାହାନ୍ତି । ଅଦ୍ୟ ପ୍ରାତଃକାଳରେ ପ୍ରୟାଗରାଜଠାରେ ସ୍ନାନାଦି ସମାପନ କରି ଯମୁନାନଦୀ କୂଳରେ ପହଞ୍ଚିଲେ । ଆପଣଙ୍କ ନିକଟକୁ ସମ୍ବାଦ ଦେବା ପାଇଁ ମୋତେ ପଠାଇଛନ୍ତି ।”

 

ବଶିଷ୍ଠ ଜନକଙ୍କ ଦୂତଠାରୁ ଏ ସମ୍ବାଦ ପାଇ ଛଅସାତଜଣ ଭୀଲଙ୍କ ସହିତ ଦୂତଙ୍କୁ ପ୍ରେରଣ କଲେ । ଅଯୋଧ୍ୟାର ନାଗରିକମାନେ ଜନକଙ୍କର ଆଗମନ ବାର୍ତ୍ତା ପାଇ ଅତ୍ୟନ୍ତ ଆନନ୍ଦିତ ହେଲେ । କୈକେୟୀ ଅନୁତାପାନଳରେ ଦଗ୍‌ଧ ହେବାକୁ ଲାଗିଲେ । ଶ୍ରୀରାମଚନ୍ଦ୍ର ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରିବେ ବୋଲି ମନେକରି ଅଯୋଧ୍ୟାବାସୀମାନେ ନାନା ପୂଜା ଆରାଧନା କରିବାରେ ଲାଗିଲେ । କେତେକ ଲୋକ ଶ୍ରୀରାମଙ୍କ ସହିତ ସେଠାରେ ଆଉ ଦୁଇ ଚାରିଦିନ ରହିବା ଆଶାକରି ଆହୁରି ଆନନ୍ଦିତ ହେଲେ ।

 

ମିଥିଳାପତିଙ୍କର ଆଗମନ ସମ୍ବାଦ ପାଇ ଶ୍ରୀରାମ ତାଙ୍କର ଗୁରୁ, ଭ୍ରାତା ଓ ମନ୍ତ୍ରୀମାନଙ୍କୁ ନେଇ ତାଙ୍କୁ ପାଛୋଟି ଆଣିବା ପାଇଁ ଗଲେ । ରାଜା ଜନକ ବଶିଷ୍ଠଙ୍କୁ ଦେଖିବା ମାତ୍ରେ ମୁନିଙ୍କର ଚରଣବନ୍ଦନା କଲେ । ଶ୍ରୀରାମଚନ୍ଦ୍ର ଜନକ ଓ ତାହାଙ୍କର ସମାଜକୁ ଆଶ୍ରମକୁ ପାଛୋଟି ନେଲେ । ଦୁଇ ରାଜସମାଜ ରାଜା ଦଶରଥଙ୍କର ରୂପ, ଗୁଣ, ଶୀଳ ପ୍ରଶଂସା କରି ଶୋକସମୁଦ୍ରରେ ବୁଡ଼ିଗଲେ-। ସେଦିନ ସମସ୍ତେ ରାମଘାଟରେ ସ୍ନାନକରି ଉପବାସରେ କଟାଇଲେ । ତା ପରଦିନ ଜନକ କହିଲେ, ଆଜି ଅନ୍ନଭୋଜନ କରିବା ଠିକ୍ ହେବନାହିଁ । ଏହା ଶୁଣିବାମାତ୍ରେ ବନବାସୀ କୋଲ୍‌ହ, କିରାତ ପ୍ରଭୃତି ଜାତିର ଲୋକମାନେ ନାନାପ୍ରକାର ଫଳ, ମୂଳ, ଫୁଲ ପ୍ରଭୃତି ବଣ୍ୟ ଦ୍ରବ୍ୟ ଭାରରେ ଆଣି ସେଠାରେ ଥୋଇଲେ । ମୁନି ବଶିଷ୍ଠ ସେ ସବୁ ଦ୍ରବ୍ୟ ଜନକଙ୍କର ସମାଜ ପାଇଁ ପଠାଇଲେ ।

 

ସୀତାଙ୍କ ମାତା ସୁନୟନା ରାଣୀମାନଙ୍କ ସହିତ ସାକ୍ଷାତ କରିବା ପାଇଁ ଦାସୀମାନଙ୍କ ସହ ଆସିଲେ । ରାଣୀମାନେ ପରସ୍ପର ମିଶିବା ପରେ ସୁନୟନା କହିଲେ–ବିଧାତାର ବୁଦ୍ଧି ବଡ଼ କୁଟିଳ । ବିଧାତା ଦୁଗଧଫେନ ସଦୃଶ କୋମଳ ଦ୍ରବ୍ୟକୁ ବଜ୍ର ସଦୃଶ କଣ୍ଟକ ସାହାଯ୍ୟରେ ଛେଦ କରୁଛି । ବିଧାତାର ସମସ୍ତ କାର୍ଯ୍ୟ ଅତ୍ୟନ୍ତ ଭୟଙ୍କର । ଏକଥା ଶୁଣି ସୁମିତ୍ରା କହିଲେ–ବିଧାତାର କାର୍ଯ୍ୟ ବଡ଼ ବିଚିତ୍ର ଓ ବିପରୀତ । ବିଧାତା ସୃଷ୍ଟି କରି ପାଳନ କରୁଛି, ପୁଣି ତାହାକୁ ଧ୍ଵଂସ କରୁଛି । ବାଳକମାନଙ୍କର ଖେଳପରି ବିଧାତାର ବୁଦ୍ଧି ଅଟେ ।

 

କୌଶଲ୍ୟା କହିଲେ–କାହାରିକୁ ଦୋଷ ଦେଇ କିଛି ଲାଭନାହିଁ । ସୁଖଦୁଃଖ, ହାନିଲାଭ ସବୁ କର୍ମର ଅଧୀନ । କର୍ମର ଗତି ଅତ୍ୟନ୍ତ କଠୋର । ବିଧାତାକୁ ସେ ସବୁ କେବଳ ଜଣା । ପୁଣି ସେଇ ବିଧାତା ସମସ୍ତ ଶୁଭ ଓ ଅଶୁଭ କାର୍ଯ୍ୟର ଫଳ ଦିଏ । ଈଶ୍ଵରଙ୍କର ଆଦେଶ ସମସ୍ତଙ୍କ ମୁଣ୍ଡ ଉପରେ । ହେ ଦେବୀ ! ଦୁଃଖ କରିବା ବ୍ୟର୍ଥ ଅଟେ । ମହାରାଜାଙ୍କ ଜୀବନ ଓ ମୃତ୍ୟୁ ବି ସ୍ମରଣ କରି ମୁଁ ମୋର ହିତ ଏବଂ ହାନି ଦେଖି ସ୍ଵାର୍ଥବଶ ହୋଇ ଦୁଃଖ କରୁଛି । ଶ୍ରୀରାମ, ସୀତା ଓ ଲକ୍ଷ୍ମଣ ବନକୁ ଗଲେ । ଏହାର ପରିଣାମ ହିତକର ହେବ, ଏହାର କୌଣସି ମନ୍ଦ ଫଳ ଫଳିବ ନାହିଁ; କିନ୍ତୁ ମୋର ଚିନ୍ତା ଭରତ ସକାଶେ । ଈଶ୍ୱରଙ୍କ ଆଶୀର୍ବାଦ ଫଳରେ ମୋର ଚାରି ପୁତ୍ର ଓ ଚାରି ବୋହୂ ଗଙ୍ଗାଜଳ ପରି ପବିତ୍ର ଅଟନ୍ତି । ମୁଁ ଶ୍ରୀରାମର ଶପଥ ନିଏ ନାହିଁ; କିନ୍ତୁ ଆଜି ଶ୍ରୀରାମ ନାମ ଧରି କହୁଛି–ଭରତର ଶୀଳ, ଗୁଣ, ନମ୍ରତା, ଭକ୍ତି ଓ ଭ୍ରାତୃଭାବ ସରସ୍ଵତୀ ନିଜ ତୁଣ୍ଡରେ କହି ମଧ୍ୟ ଶେଷକରି ପାରିବେନାହିଁ । ଭରତ ମୋ କୁଳର ଦୀପ ଅଟେ । ରାଜା ମଧ୍ୟ ମୋତେ କରିଥିଲେ–ସୁନା ଯେପରି କଷଟି ପଥରରେ କଷାଯାଏ, ପୁରୁଷପରୀକ୍ଷା ସମୟ ଆସିଲେ ତାର ସ୍ଵଭାବରୁ ଜଣାପଡ଼େ । ମା’ର ମୁହଁରେ ଏ ସବୁ କହିବା ଅନୁଚିତ ହେବ । ଲୋକେ କହିବେ ମୁଁ ଭରତର ବଡ଼ିମା କହୁଛି ।

 

ହେ ମିଥିଳେଶ୍ଵର ! ଆପଣ ରାଜା ଜନକଙ୍କର ପତ୍ନୀ, ମୁଁ ଆପଣଙ୍କୁ କି କଥା କହିବି ? ଆପଣ ସୁଯୋଗ ଦେଖି ରାଜା ଜନଜଙ୍କୁ ବୁଝାଇ-ସୁଝାଇ କହିବେ, ସେ ଲକ୍ଷ୍ମଣଙ୍କୁ ବୁଝାଇ ଘରକୁ ଫେରାଇ ନେବେ ଏବଂ ଭରତ ଶ୍ରୀରାମ ସହିତ ଯିବାପାଇଁ ଲକ୍ଷ୍ମଣଙ୍କୁ ରାଜି କରାଇଦେବେ । ମୋର ଏ ଉପଦେଶ ରାଜାଙ୍କ ମନକୁ ପାଇଲେ ସେ ବିଚାର କରିବେ । ଭରତ ପାଇଁ ମୋର ବେଶି ଚିନ୍ତା । ଭରତର ଶ୍ରୀରାମ ଉପରେ ଯେଉଁ ସ୍ନେହ, ସେ ଘରେ ରହିଲେ ମୋତେ ତାର ଜୀବନ ପ୍ରତି ଡର ଲାଗୁଛି ।

 

କୌଶଲ୍ୟାଙ୍କର କଥା ଶୁଣି ରାଣୀମାନେ କୌଶଲ୍ୟାଙ୍କ ହୃଦୟରେ ଭରତଙ୍କ ପ୍ରତି କି ସ୍ନେହ ଲୁଚିରହିଛି ଜାଣି ଆଶ୍ଚର୍ଯ୍ୟ ହୋଇଗଲେ । ସୁମିତ୍ରା କହିଲେ, ‘‘ହେ ଦେବୀ ! ଏବେ ଦୁଇଘଡ଼ି ରାତି ହେଲାଣି ।” କୌଶଲ୍ୟା ସୁନୟନାଙ୍କୁ ନିଜ ଶିବିରକୁ ଯିବା ପାଇଁ ଅନୁରୋଧ କଲେ । ସୁନୟନା କହିଲେ–“ଆପଣ ମହାରାଜା ଦଶରଥଙ୍କର ପତ୍ନୀ ଏବଂ ଶ୍ରୀରାମଙ୍କର ମାତା । ତେଣୁ ଏପରି ନମ୍ରତାର ଆପଣ ଯୋଗ୍ୟପାତ୍ରୀ । ଜନକ ଆପଣଙ୍କର ସେବକ । ଆପଣଙ୍କର ସମକକ୍ଷ ହେବାପାଇଁ ସଂସାରରେ ଏପରି କୌଣସି ବ୍ୟକ୍ତି ଅଛନ୍ତି କି ? ଶ୍ରୀରାମଚନ୍ଦ୍ର ଦେବତାମାନଙ୍କର କାର୍ଯ୍ୟ ସାଧନ କରି ଅଯୋଧ୍ୟାରେ ରାଜପଣ କରିବେ । ଯାଜ୍ଞବଳ୍‌କ୍ୟ ମୁନି କହିଥିଲେ–ଶ୍ରୀରାମଙ୍କ ରାଜ୍ୟରେ ଦେବତା, ନାଗ, ମୁନି ସମସ୍ତେ ନିଜ ନିଜ ସ୍ଥାନରେ ଶ୍ରୀରାମଙ୍କ ବଳ ଉପରେ ନିର୍ଭର କରି ସୁଖରେ ବାସ କରିବେ । ମୁନିଙ୍କର ବାଣୀ ବ୍ୟର୍ଥ ହେବନାହିଁ ।

 

ଶେଷରେ ସୁନୟନା ସୀତାଙ୍କୁ ନିଜ ଶିବିରକୁ ନେବା ପାଇଁ କୌଶଲ୍ୟାଙ୍କୁ ଅନୁରୋଧ କଲେ । କୌଶଲ୍ୟା ସ୍ଵୀକାର କରିବାରୁ ସୀତା ମାତାଙ୍କ ସହିତ ଜନକଙ୍କ ଶିବିରକୁ ଗଲେ । ତାଙ୍କର ତପସ୍ଵିନୀ ବେଶ ଦେଖି ସମସ୍ତେ ଆକୁଳ ହେଲେ । ଜନକ କନ୍ୟାକୁ ଦେଖୁ ଦେଖୁ ସ୍ନେହରେ ବିଗଳିତ ହୋଇପଡ଼ିଲେ । ଜ୍ଞାନୀଶିରୋମଣି ଜନକଙ୍କର ବୁଦ୍ଧି ମୋହରେ ମଗ୍ନ ହୋଇଗଲା । ଜନକ କହିଲେ, ସୀତା ! ତୁ ଦୁଇକୁଳକୁ ପବିତ୍ର କରିଦେଲୁ । ତୋର ନିର୍ମଳ ଯଶ ସଂସାରକୁ ଉଜ୍ଜ୍ଵଳ କରିଦେଇଅଛି । ତୋର କୀର୍ତ୍ତି ଗଙ୍ଗାଙ୍କର ପବିତ୍ର କୀର୍ତ୍ତିକୁ ବଳିଗଲା । ତୋର କୀର୍ତ୍ତିନଦୀ ସାଧୁ-ସନ୍ଥ ସମାଜର ଚିରକାଳ ତୀର୍ଥ ହୋଇ ରହିବ ।

 

ସୀତା ରାତିରେ ଶାଶୁମାନଙ୍କର ସେବା ସୁଯୋଗ ତ୍ୟାଗ କରି ଜନକଙ୍କ ଶିବିରରେ କିପରି ରହିବେ ? ତାଙ୍କ ମନର ଭାବନା ଜାଣିପାରି ସୁନୟନା ସେକଥା ଜନକଙ୍କୁ କହିଲେ । ରାଜା ଓ ରାଣୀ ଦୁହେଁ କନ୍ୟାକୁ ଆଶୀର୍ବାଦ ଦେଇ ବିଦାୟଦେଲେ ।

 

ରାଣୀ ସୁନୟନା ସମୟ ସୁଯୋଗ ପାଇ ରାଜାଙ୍କ ସମ୍ମୁଖରେ କୌଶଲ୍ୟାଙ୍କ ବର୍ଣ୍ଣିତ ସମସ୍ତ କଥା ବର୍ଣ୍ଣନକଲେ । ଭରତଙ୍କ ଗୁଣଗରିମା ଶୁଣି ଜନକଙ୍କ ଚକ୍ଷୁରୁ ଆନନ୍ଦାଶ୍ରୂ ବହିବାକୁ ଲାଗିଲା । ତାଙ୍କର ଶରୀର ପୁଲକିତ ହୋଇଉଠିଲା । ରାଜର୍ଷି କ୍ଷଣକାଳ ଧ୍ୟାନସ୍ଥ ହୋଇପଡ଼ିଲେ । ସେ ରାଣୀଙ୍କୁ କହିଲେ, “ହେ ସୁନୟନା ! ଧର୍ମ, ରାଜନୀତି ଓ ବ୍ରହ୍ମ ସମ୍ବନ୍ଧରେ ମୋର ଯାହା କିଛି ସାମାନ୍ୟ ଜ୍ଞାନ ଅଛି, ମୋର ସେହି ଜ୍ଞାନ ବୁଦ୍ଧି ଓ ବିବେକଦ୍ଵାରା ଭରତଙ୍କର ମହିମାର ସାମାନ୍ୟ ଅଂଶ ମୁଁ ବର୍ଣ୍ଣନ କରିବା ପାଇଁ ଅସମର୍ଥ । ବ୍ରହ୍ମା, ଗଣେଶ, ସରସ୍ଵତୀ ଓ ମହେଶ ଭରତଙ୍କର ମହିମା ଶୁଣି ଆନନ୍ଦିତ ହୁଅନ୍ତି । ଭରତ ଅସୀମ ଗୁଣସମ୍ପନ୍ନ । ଅନ୍ୟ କାହାରି ସହିତ ତାଙ୍କ ଗୁଣର ତୁଳନା କରାଯାଇ ପାରିବ ନାହିଁ । ସେ ନିଜେ ତାଙ୍କର ଉପମାର ଯୋଗ୍ୟ । ଭରତଙ୍କର ଅପରିମିତ ମହିମା କେବଳ ଶ୍ରୀରାମଚନ୍ଦ୍ରଙ୍କୁ ଗୋଚର । ହେ ସୁନୟନା ! ଲକ୍ଷ୍ମଣ ପ୍ରତ୍ୟାବର୍ତ୍ତନ କରନ୍ତୁ ଏବଂ ଭରତ ଶ୍ରୀରାମଙ୍କ ସହିତ ବନରେ ରହନ୍ତୁ, ଏ କଥା ସମସ୍ତେ ଇଚ୍ଛା କରନ୍ତି । ଏଥିରେ ସମସ୍ତଙ୍କର ମଙ୍ଗଳ ହେବ; କିନ୍ତୁ ଭରତ ଓ ଶ୍ରୀରାମଙ୍କ ମଧ୍ୟରେ ପ୍ରେମ ଓ ବିଶ୍ୱାସ ସାଧାରଣ ମନୁଷ୍ୟର ବିଚାର-ସୀମାର ବହିର୍ଭୂତ । ଶ୍ରୀରାମ ଯେପରି ସମତାର ସୀମା ଅଟନ୍ତି, ଭରତ ସେହିପରି ମମତାର ସୀମା ଅଟନ୍ତି । ଶ୍ରୀରାମଙ୍କ ଚରଣରେ ଅନନ୍ୟପ୍ରେମ ଭରତଙ୍କର ସମସ୍ତ ସାଧନା ଓ ସିଦ୍ଧି ଅଟେ । ଭରତ ଶ୍ରୀରାମଙ୍କର ଆଜ୍ଞା କେବେହେଲେ ଭଗ୍ନ କରିବେ ନାହିଁ । ଅତିଶୟ ସ୍ନେହବଶରୁ ଚିନ୍ତିତ ହେବା ଉଚିତ ନୁହେଁ । ପତିପତ୍ନୀ ଦୁହେଁ ଶ୍ରୀରାମ ଓ ଭରତଙ୍କର ଗୁଣ କୀର୍ତ୍ତନ କରିବାରେ ଲାଗିଲେ ।

Image

 

ଚିତ୍ରକୂଟରୁ ଭରତଙ୍କର ବିଦାୟ

 

ପରଦିନ ପ୍ରାତଃକାଳରେ ଶ୍ରୀରାମ ବଶିଷ୍ଠଙ୍କ ପାଖକୁ ଆସି ପ୍ରଣାମାନ୍ତର ଆସନ ଗ୍ରହଣ କରି କହିଲେ–ଅଯୋଧ୍ୟାପୁରବାସୀ ଓ ଜନକପୁରବାସୀ ବନରେ ରହି ରହି ବଡ଼ କଷ୍ଟ ପାଇଲେଣି । ଆପଣ ବର୍ତ୍ତମାନ ସେମାନଙ୍କୁ ନିଜ ନିଜ ପୁରକୁ ପ୍ରତ୍ୟାବର୍ତ୍ତନ କରିବା ନିମନ୍ତେ ନିର୍ଦ୍ଦେଶ ଦିଅନ୍ତୁ ।

 

ବଶିଷ୍ଠ କହିଲେ–ଶ୍ରୀରାମ, ତୁମେ ସମସ୍ତଙ୍କର ପ୍ରାଣର ପାଣ । ତୁମ ନିକଟରେ ଥିବାରୁ କାହାରିକୁ କିଛି କଷ୍ଟ ହେଉ ନାହିଁ । ତୁମ ବିନା ସମସ୍ତେ ଦୁଃଖୀ ହୋଇଥିଲେ । ତୁମକୁ ପାଇ ସମସ୍ତେ ଏଠାରେ ଅତି ଆନନ୍ଦରେ କାଳଯାପନ କରୁଅଛନ୍ତି ।

 

ଏହାପରେ ବଶିଷ୍ଠ ଜନକଙ୍କର ପରାମର୍ଶ ନିମନ୍ତେ ତାଙ୍କୁ ସାକ୍ଷାତ୍ କଲେ । ଜନକ ମନେ ମନେ ବିଚାରିଲ, ‘ମୋର ଏଠାକୁ ଆସିବା ଉଚିତ ହୋଇନାହିଁ । ରାଜା ଦଶରଥ ଶ୍ରୀରାମଙ୍କୁ ବନକୁ ପ୍ରେରଣ କରି ତାଙ୍କ ପ୍ରତି ସ୍ନେହର ପ୍ରମାଣ ସ୍ଵରୂପ ସ୍ଵର୍ଗବାସୀ ହେଲେ; କିନ୍ତୁ ମୁଁ ଶ୍ରୀରାମଙ୍କୁ ବନରେ ତ୍ୟାଗକରି ଦଶରଥଙ୍କ ପରି ମୃତ୍ୟୁବରଣ କରିପାରିଲି ନାହିଁ ।’ ଦୁଇ ଋଷିଙ୍କର ପରାମର୍ଶ ପରେ ରାଜା ଜନକ ଭରତଙ୍କ ପାଖକୁ ଯାଇ କହିଲେ–ଭରତ, ତୁମର ଜ୍ୟେଷ୍ଠଭ୍ରାତା ଶ୍ରୀରାମଚନ୍ଦ୍ର ସତ୍ୟ ଓ ଧର୍ମପରାୟଣ; କିନ୍ତୁ ତୁମ ପ୍ରତି ଅତ୍ୟଧିକ ସ୍ନେହ ଯୋଗୁଁ ତାଙ୍କ ମନରେ ସଂକୋଚ ଆସୁଛି, ସେ ତୁମକୁ କିଛି ବ୍ୟକ୍ତ କରି ପାରୁନାହାନ୍ତି । ବର୍ତ୍ତମାନ ତୁମେ ଯାହା କହିବ, ମୁଁ ସେକଥା ଶ୍ରୀରାମଙ୍କୁ କହିବି ।

 

ଭରତ କହିଲେ–ଆପଣ ମୋର ପୂଜ୍ୟ । ଗୁରୁ ବଶିଷ୍ଠ ମୋର ପିତାମାତାଙ୍କ ପରି ହିତକାରୀ । ଏଠାରେ ଆହୁରି ଅନେକ ମୁନି ଓ ମନ୍ତ୍ରୀ ଅଛନ୍ତି । ମୋତେ ଆପଣମାନେ ବାଳକ, ସେବକ ଓ ଆଜ୍ଞାଧୀନ ବୋଲି ମନେକରି ମୋର କର୍ତ୍ତବ୍ୟ ବିଷୟରେ ପରାମର୍ଶ ଦିଅନ୍ତୁ । ଏ ସ୍ଥଳରେ ଆପଣଙ୍କ ପରି ପୂଜ୍ୟ ବ୍ୟକ୍ତି ମୋତେ ଜିଜ୍ଞାସା କରୁଥିବାବେଳେ ମୁଁ ମୌନ ହୋଇ ରହିଲେ ମୋତେ ସମାଜ ମଳିନ ବୋଲି ବିଚାର କରିବ । ତେଣୁ ମୋର କ୍ଷୁଦ୍ର ମୁଖରେ ମହତ୍ କଥା କହିବାକୁ ଯାଉଛି ।

 

ବେଦଶାସ୍ତ୍ରରେ ସେବାଧର୍ମକୁ ବଡ଼ କଠିନ ବୋଲି କୁହାଯାଉଛି । ସ୍ଵାମୀଙ୍କ ପ୍ରତି କର୍ତ୍ତବ୍ୟ ଏବଂ ସ୍ଵାର୍ଥ ଦୁଇଟି ବିରୋଧାତ୍ମକ ଭାବ । ମୁଁ ସ୍ଵାର୍ଥବଶ ହୋଇ କହେ କିମ୍ବା ଅତିଶୟ ସ୍ନେହବଶରୁ କହେ, ଦୁଇ ଦିଗରେ ଭୁଲ ହେବାର ଭୟ ଅଛି । ତେଣୁ ମୋତେ ପରାଧୀନ ବୋଲି ମନେ କରି ଏବଂ ଜ୍ୟେଷ୍ଠ ଭ୍ରାତାଙ୍କର ସତ୍ୟବ୍ରତକୁ ରକ୍ଷାକରି ଯାହାଦ୍ଵାରା ସମସ୍ତଙ୍କର ହିତ ହେବ ଆପଣମାନେ ତାହା ହିଁ କରନ୍ତୁ ।

 

ବଶିଷ୍ଠ ଓ ଭରତଙ୍କୁ ଧରି ଶ୍ରୀରାମଙ୍କ ପାଖକୁ ଗଲେ । ବଶିଷ୍ଠ ଭରତଙ୍କର ସମସ୍ତ କଥା ଶ୍ରୀରାମଙ୍କୁ କହିଲେ । ଶ୍ରୀରାମ କହିଲେ–ଆପଣ ଏବଂ ରାଜା ଜନକ ବିଦ୍ୟମାନ ଥିବାବେଳେ ମୁଁ କୌଣସି କଥା କହିବି, ଏହା ସର୍ବଥା ଅନୁଚିତ । ଆପଣ ଏବଂ ମହାରାଜା ଯାହା ଆଦେଶ ଦେବେ ତାହା ମୋର ଶିରୋଧାର୍ଯ୍ୟ ହେବ ।

 

ସମସ୍ତେ ଭରତଙ୍କ ଆଡ଼କୁ ଚାହିଁଲେ । ଭରତ ସମସ୍ତଙ୍କୁ ପ୍ରଣାମ ଜଣାଇ ଅତିଶୟ ବିନୀତ କଣ୍ଠରେ କହିଲେ, ‘‘ଆପଣ ମୋର ଅନୁଚିତ ବ୍ୟବହାର ନିମନ୍ତେ କ୍ଷମାକରିବେ । ମୁଁ ମୋର କୋମଳ ମୁଖରେ କଠୋର ବଚନ କହିବାକୁ ଯାଉଛି । ମୁଁ ସୀତାରାମଙ୍କୁ ପ୍ରଣାମ କରି କହୁଛି–ହେ ପ୍ରଭୁ ! ଆପଣ ପିତା, ମାତା, ଗୁରୁ, ମିତ୍ର, ସ୍ଵାମୀ, ପୂଜ୍ୟ ଓ ଅନ୍ତର୍ଯ୍ୟାମୀ ଅଟନ୍ତି । ଆପଣ ଶରଣାଗତରକ୍ଷକ । ଆପଣ ଗୁଣକୁ ଆଦର କରନ୍ତି ଏବଂ ମନ୍ଦ ଲୋକର ପାପକୁ ହରଣ କରନ୍ତି । ଆପଣଙ୍କ ପରି ସ୍ଵାମୀ ଆପଣ ହିଁ ଅଟନ୍ତି । ସ୍ଵାମୀଙ୍କ ସହିତ ଦ୍ରୋହ ଆଚରଣ କରିବାରେ ମୁଁ ମୋ ସମାନ ଅଟେ । ମୁଁ ମୋହବଶ ହୋଇ ପିତାଙ୍କ ବଚନ ଉଲ୍ଲଙ୍ଘନ କରି ସମାଜ ସହିତ ଏଠାକୁ ଆସିଲି । ଜଗତରେ ଏପରି କେହି ନାହିଁ ଯେ କି ଶ୍ରୀରାମଙ୍କ ଆଜ୍ଞାକୁ ବିରୋଧ କରିପାରିବ । ମୋର ପ୍ରଭୁ ମୋର ଅଜ୍ଞାନତାକୁ ସେବା ଓ ସ୍ନେହ ବୋଲି ଗ୍ରହଣକଲେ । ଆପଣଙ୍କର କୃପାଯୋଗୁଁ ମୋର ଦୂଷଣଗୁଡ଼ିକ ଭୂଷଣରେ ପରିଣତ ହେଲା । ଆପଣଙ୍କର ସ୍ଵଭାବର ବଡ଼ିମା ଜଗତରେ ପ୍ରସିଦ୍ଧ ଅଟେ । ଯେତେ କ୍ରୂର, କୁଟିଳ, ଦୁଷ୍ଟ, କୁବୁଦ୍ଧି, କଳଙ୍କି, ନୀଚ, ନାସ୍ତିକ ବ୍ୟକ୍ତି ଅଛନ୍ତି, ସେମାନେ ଆପଣଙ୍କର ଶରଣାଗତ ହେବାମାତ୍ରେ ସେମାନଙ୍କୁ ଆପଣ ଶରଣ ଦେଲେ । ସେମାନଙ୍କର ଦୋଷଗୁଡ଼ିକ ହୃଦୟରେ ସ୍ଥାନ ନ ଦେଇ ସେମାନଙ୍କର ଗୁଣଗୁଡ଼ିକୁ ଆପଣ ସାଧୁସମାଜରେ ପ୍ରଚାରକଲେ । ମୁଁ ବାହୁ ଉତ୍ତୋଳନ କରି ପଣକରି କହୁଛି, ଏପରି ସ୍ଵାମୀ ଆଉ ଦ୍ଵିତୀୟ ନାହାନ୍ତି, କେବଳ ଆପଣ ଅଟନ୍ତି ।

 

‘‘ପଶୁମାନେ ନାଚ ଶିଖି ନାଚନ୍ତି, ଶୁଆ କଥା ଶିଖିଲେ କଥା କହିପାରେ; କିନ୍ତୁ ପଶୁକୁ ନଚାଇବା ଏବଂ ଶୁଆକୁ ପାଠ ପଢ଼ାଇବା ଶିକ୍ଷା ଦେବା ବ୍ୟକ୍ତିର ଅଧୀନ ଅଟେ । ଭୁଲ ରାସ୍ତାରେ ଯାଉଥିବା ସେବକକୁ ଆପଣ ସୁଧାରି ସାଧୁଶ୍ରେଷ୍ଠ କରାଇ ଦିଅନ୍ତି । ମୁଁ ଶୋକ ଓ ସ୍ନେହରେ ଅଧୀର ହୋଇ କିମ୍ବା ବାଳକୋଚିତ ଗୁଣଯୋଗୁଁ ଆପଣଙ୍କ ଆଜ୍ଞା ନ ମାନି ଆପଣଙ୍କ ପାଖକୁ ଆସିଛି । ଆପଣ ମୋର ଅନୁଚିତ କାର୍ଯ୍ୟକୁ ଉତ୍ତମ ବୋଲି ଗ୍ରହଣ କଲେ । ମୁଁ ଆପଣଙ୍କ ଚରଣଦର୍ଶନ ପାଇଛି । ମୋର ପ୍ରଭୁ ମୋ ଉପରେ ସ୍ଵଭାବତଃ ଅନୁକୂଳ ବୋଲି ମୁଁ ଜାଣିଲି । ମୋର ଏକ ବଡ଼ ଭୁଲ ହୋଇଯାଇଥିଲେ ସୁଦ୍ଧା ସ୍ଵାମୀଙ୍କର ମୋ ପ୍ରତି ଅନୁରାଗ ମୁଁ ବୁଝିପାରିଛି । ସ୍ଵାମୀ ଓ ସମାଜର ସଂକୋଚ ତ୍ୟାଗ କରି ମୁଁ ବହୁତ ଅବନୀତ କଥା କହିଛି । ମୋର ଆତୁରତା ବୁଝି ମୋତେ କ୍ଷମାକରିବେ । ସୁହୃଦ୍, ବୁଦ୍ଧିମାନ୍‌ ଓ ଶ୍ରେଷ୍ଠ ପ୍ରଭୁଙ୍କୁ ଅଧିକ କହିବା ଅପରାଧ ଅଟେ । ଆପଣଙ୍କର ଚରଣକମଳର ରଜ ସତ୍ୟ ଓ ସୁକୃତର ଆଧାର । ଜାଗ୍ରତ, ସ୍ଵପ୍ନ ଓ ନିଦ୍ରିତ ପ୍ରତ୍ୟେକ ଅବସ୍ଥାରେ ସେହି ଚରଣକମଳ ମୋର ଧ୍ୟେୟ । ଆପଣଙ୍କର ସେହି ଆଜ୍ଞାରୂପ ପ୍ରସାଦ ଏ ସେବକକୁ ପ୍ରାପ୍ତ ହେଉ ।”

 

ବ୍ୟାକୁଳ ହୃଦୟରେ ଭରତ ଶ୍ରୀରାମଚନ୍ଦ୍ରଙ୍କର ଚରଣକମଳ ସାଉଁଟି ତଳେ ପଡ଼ିଗଲେ । ଶ୍ରୀରାମ ତାଙ୍କୁ ଉଠାଇ ପାଖରେ ବସାଇଲେ । ମୁନି ବଶିଷ୍ଠ, ରାଜା ଜନକ ଓ ସଭାସ୍ଥ ସାଧୁମାନେ ସ୍ନେହରେ ଶିଥିଳ ହୋଇପଡ଼ିଲେ । ଶ୍ରୀରାମ ତାଙ୍କୁ ବୁଝାଇ କହିଲେ, ‘‘ତୁମେ ଯେପରି ଧର୍ମ-ଧୁରନ୍ଧର, ସେହିପରି ଜ୍ଞାନୀ ଅଟ । ଗୁରୁଜନମାନଙ୍କ ସମ୍ମୁଖରେ ମୁଁ କନିଷ୍ଠଭ୍ରାତାର କି ପ୍ରଶଂସା କରିବି ? ସୂର୍ଯ୍ୟବଂଶର ରୀତି ଏବଂ ପିଲାଙ୍କର କୀର୍ତ୍ତି ରକ୍ଷା କରିବାରେ ତୁମେ ପ୍ରବୀଣ ଅଟ । ଭରତ ! ପିଲାଙ୍କ ମୃତ୍ୟୁ ପରେ କେବଳ ଗୁରୁବଂଶର ଦୟାଯୋଗୁ ଆମ୍ଭମାନଙ୍କ ବଂଶର ସମ୍ମାନ ରହିଛି । ତାହା ନ ହୋଇଥିଲେ ପ୍ରଜା, କୁଟୁମ୍ବ, ପରିବାର ସମସ୍ତେ ଅସ୍ତବ୍ୟସ୍ତ ହୋଇଯାଇଥାନ୍ତେ । ଯଦି ସଂଧ୍ୟା ପୂର୍ବରୁ ସୂର୍ଯ୍ୟ ଅସ୍ତ ହୋଇଯାନ୍ତି, ତେବେ ସଂସାରକୁ କି କଷ୍ଟ ନ ହୁଅନ୍ତା ? ସେହିପରି ବିଧାତାଦ୍ଵାରା ପିତାଙ୍କର ଅସାମୟିକ ମୃତ୍ୟୁ ଯୋଗୁଁ ନାନା ଉତ୍‌ପାତ ଘଟିଥାନ୍ତା । କେବଳ ମୁନି ବଶିଷ୍ଠ ଓ ରାଜା ଜନକ ଆମ୍ଭମାନଙ୍କୁ ରକ୍ଷା କରିଛନ୍ତି । ଗୁରୁଙ୍କର ପ୍ରଭାବ ବନରେ ରାଜ୍ୟର ସମସ୍ତ କାର୍ଯ୍ୟ ସୁଚାରୁରୂପେ ସଂଚାଳିତ ହୋଇପାରିଛି ଏବଂ ରାଜାଙ୍କର ପ୍ରତିଷ୍ଠା ରକ୍ଷା ହୋଇଛି । ଗୁରୁଙ୍କର ପ୍ରସାଦ କେବଳ ଗୃହ ଓ ବନରେ ଆମ୍ଭମାନଙ୍କର ରକ୍ଷକ ଅଟେ । ମାତା, ପିତା ଓ ଗୁରୁଙ୍କ ଆଜ୍ଞାପାଳନ ସମସ୍ତ ଧର୍ମରୂପୀ ପୃଥିବୀକୁ ଧାରଣାକରିବା ଦିଗରେ ଶେଷ ନାଗ ସଦୃଶ ଅଟେ । ତୁମେ ତାହା କର ଏବଂ ମୋ ଦ୍ଵାରା ତାହା ମଧ୍ୟ କରାଇ ସୂର୍ଯ୍ୟକୁଳର ରକ୍ଷକ ହୁଅ । ଆଜ୍ଞାପାଳନ ହିଁ ସାଧକ ନିମିତ୍ତ ସିଦ୍ଧିଦାୟକ ଅଟେ । ମୋର ବିପତ୍ତିକୁ ସମସ୍ତେ ବାଣ୍ଟି ନେଇଛନ୍ତି । ଏ ଚଉଦ ବର୍ଷ ତୁମକୁ ନାନା କଷ୍ଟ ସହିବାକୁ ହେବ । କୁସମୟରେ ଭାଇ କେବଳ ସହାୟ ହୁଏ ।

 

ଭରତ ଶ୍ରୀରାମଙ୍କ କଥା ଶୁଣି ପରମ ସନ୍ତୋଷ ଲାଭ କଲେ । ତାଙ୍କ ମନରୁ ସମସ୍ତ ଦୁଃଖ ଦୂର ହେଲା । ତାଙ୍କର ମୁଖ ପ୍ରସନ୍ନ ଦିଶିଲା । ସତେ ଯେପରି ଜଡ଼ ଦେହରେ ସରସ୍ଵତୀ ପ୍ରବେଶ କଲେ । ଭରତ ଶ୍ରୀରାମଙ୍କୁ ପ୍ରଣାମ କଲେ ଓ ପୁଣି କହିଲେ–“ହେ ପ୍ରଭୋ, ଆପଣଙ୍କ ସହିତ ସାକ୍ଷାତର ସମସ୍ତ ସୁଖ ମୋତେ ମିଳିଯାଇଛି । ଜଗତରେ ଜନ୍ମଲାଭ କରିବାର ମୁଁ ସୁଯୋଗ ପାଇଲି । ଆପଣ ଯେପରି ଆଦେଶ ଦେବେ, ମୁଁ ତାହା ଶିରୋଧାର୍ଯ୍ୟ କରିବି । ମୋତେ ଏପରି ଗୋଟିଏ ଅବଲମ୍ବନ ଦିଅନ୍ତୁ ଯାହାକୁ ସେବାକରି ମୁଁ ଏ ଚଉଦବର୍ଷ ଅତିବାହିତ କରିବି । ଆପଣଙ୍କର ଅଭିଷେକ ନିମିତ୍ତ ଗୁରୁଙ୍କ ଆଜ୍ଞାରେ ସବୁ ତୀର୍ଥର ଜଳ ଆଣିଅଛି । ମୁଁ ତାହାକୁ କ’ଣ କରିବି ? ଭୟ ଓ ସଙ୍କୋଚ ଯୋଗୁଁ ମୁଁ ମୋ ମନର ଏକ ମନୋରଥ ପ୍ରକାଶ କରିପାରୁନାହିଁ ।

 

ଶ୍ରୀରାମ ଆଜ୍ଞା ଦେବାରୁ ଭରତ କହିଲେ–ଆପଣଙ୍କ ଆଜ୍ଞା ହେଲେ ମୁଁ ଏ ଚିତ୍ରକୂଟର ପର୍ବତ, ତୀର୍ଥ, ବନ, ନଦୀ, ଝରଣା ଏବଂ ଆପଣଙ୍କର ଚରଣଚିହ୍ନିତ ଭୂମି ଦେଖି ଆସିବି ।

 

ଶ୍ରୀରାମ କହିଲେ–ଏହା ଅତ୍ରି ଋଷିଙ୍କର ଆଶ୍ରମ । ତାଙ୍କର ଆଦେଶ ନେଇ ଏ ଆଶ୍ରମ ବନରେ ନିର୍ଭୟରେ ଭ୍ରମଣ କର । ଅତ୍ରି ଋଷିଙ୍କ ପ୍ରସାଦରୁ ଏ ବନ ପରମ ମଙ୍ଗଳମୟ ଓ ପବିତ୍ର ହୋଇଅଛି । ଅତ୍ରି ମୁନିଙ୍କ ନିର୍ଦ୍ଦେଶ ଗ୍ରହଣ କରି ଉପଯୁକ୍ତ ସ୍ଥାନରେ ତୀର୍ଥଜଳ ସ୍ଥାପନ କର ।

 

ଅତ୍ରି ଋଷି ଭରତଙ୍କୁ କହିଲେ–ଏହି ପର୍ବତ ନିକଟରେ ଗୋଟିଏ ସୁନ୍ଦର କୂପ ଅଛି । ଏହି ଅମୃତ ଓ ପବିତ୍ର ତୀର୍ଥ ଜଳକୁ ସେହି କୂପ ନିକଟରେ ସ୍ଥାପନ କର ।

 

ଋଷିଙ୍କ ନିର୍ଦ୍ଦେଶରେ ଭରତ, ଶତ୍ରୁଘ୍ନ ଓ ଅନ୍ୟ ସାଧୁ ସନ୍ଥମାନେ ସେହି କୂପ ନିକଟରେ ପହଞ୍ଚିବାରୁ ଅତ୍ରି କହିଲେ–ଏ ସ୍ଥଳ ଅନାଦିକାଳରୁ ସିଦ୍ଧିସ୍ଥଳ ଅଟେ । କାଳକ୍ରମେ ଏହାର ପ୍ରସିଦ୍ଧି ଲୋପ ହୋଇଯାଇଥିଲା । ଏହା ଅଜ୍ଞାତ ଥିଲା ।

 

ଭରତଙ୍କର ସେବକମାନେ ସେଠାରେ ଗୋଟିଏ କୂପ ଖନନ କଲେ । ଭରତ ତୀର୍ଥଜଳକୁ ସେହି କୂପରେ ପ୍ରକ୍ଷେପ କଲେ । ସେହି ଦିନଠାରୁ ସେହି କୂପକୁ ଲୋକମାନେ ‘ଭରତକୂପ’ ବୋଲି କହିଲେ ।

 

ପରଦିନ ପ୍ରଭାତରେ ଭରତ ଓ ଶତ୍ରୁଘ୍ନ ଖାଲିପାଦରେ ସେ ଆଶ୍ରମ ବନରେ ଭ୍ରମଣ କରିବାକୁ ବାହାରିଲେ । ଅତ୍ରି ମୁନିଙ୍କ ସଙ୍ଗରେ ଯାଉଥିଲାବେଳେ ମୁନି ଭରତ ଓ ଶତ୍ରୁଘ୍ନଙ୍କର ନାନା ପ୍ରଶ୍ନର ଉତ୍ତର ଦେଇ ଦେଇ ବିଭିନ୍ନ ସ୍ଥାନ ଦେଖାଇବାରେ ଲାଗିଲେ । ଚିତ୍ରକୂଟର ବନଭୂମି, ପର୍ବତ, ମନ୍ଦିର, ପୁଣ୍ୟସ୍ଥଳ ବୁଲି ଦେଖିବାରେ ପାଞ୍ଚଦିନ ଅତିବାହିତ ହେଲା । ଭରତ ଅଯୋଧ୍ୟାରୁ ପ୍ରତ୍ୟାବର୍ତ୍ତନ କରି କିପରି ଚଉଦବର୍ଷ ଅଯୋଧ୍ୟାବାସୀଙ୍କ ସେବାରେ କଟାଇବେ, ସେ ବିଷୟରେ ସେ ଶ୍ରୀରାମଙ୍କୁ ପଚାରିଲେ ।

 

ଶ୍ରୀରାମ କହିଲେ–ଭରତ, ସେ ପ୍ରକାର ଚିନ୍ତାକରିବା ଆବଶ୍ୟକ ନାହିଁ । ଆମ୍ଭମାନଙ୍କର ଗୁରୁଜନ ମୁନି ବଶିଷ୍ଠ, ଋଷି ବିଶ୍ଵାମିତ୍ର ଓ ରାଜର୍ଷି ଜନକ ଅଛନ୍ତି । ସେଥିପାଇଁ ଆମ୍ଭମାନଙ୍କର କୌଣସି ଦୁଃଖ ରହିବନାହିଁ । ଆମ୍ଭମାନଙ୍କର ପୁରୁଷାର୍ଥ, ଯଶ ଓ ଧର୍ମ ସମସ୍ତ ପିତୃ ଆଜ୍ଞା ପାଳନରେ ନିହିତ ଅଛି । ତାଙ୍କର ବ୍ରତ ରକ୍ଷା କରିବା ଦ୍ଵାରା ଧର୍ମ ଏବଂ ସମାଜର ଉପକାର ହେବ । ଗୁରୁ, ପିତା, ମାତା ଏବଂ ପ୍ରଭୁଙ୍କର ଆଜ୍ଞା ପାଳନ କରି ମଧ୍ୟ କୁମାର୍ଗରେ ଗତିକଲେ ପଦ ଗର୍ତ୍ତ ମଧ୍ୟରେ ପଡ଼େନାହିଁ । ତେଣୁ ସମସ୍ତ ଚିନ୍ତା ତ୍ୟାଗକରି ଚଉଦବର୍ଷ ପର୍ଯ୍ୟନ୍ତ ରାଜ୍ୟ ପାଳନ କର ! ଦେଶ, କୁଟୁମ୍ବ ଏବଂ ସମ୍ପତ୍ତି ଏ ସବୁର ଭାର ତ ଗୁରୁଙ୍କ ଚରଣରଜରେ ନିର୍ଭର । ମୁନି ବଶିଷ୍ଠ, ମାତା ଓ ମନ୍ତ୍ରୀମାନଙ୍କର ଉପଦେଶ ପାଳନ କରି ପ୍ରଜାଙ୍କୁ ରକ୍ଷାକରି ରାଜ୍ୟ ପାଳନ କର ।

 

ଭରତ ଶ୍ରୀରାମଙ୍କଠାରୁ ନାନା ଉପଦେଶ ପାଇବାପରେ ତାଙ୍କଠାରୁ ଗୋଟିଏ ଅବଲମ୍ବନ ଭିକ୍ଷାକଲେ । ଶ୍ରୀରାମ ତାଙ୍କର ପାଦୁକା ଦୁଇଟି ତାଙ୍କୁ ଦେବାରୁ ସେ ତାହାକୁ ମସ୍ତକରେ ସ୍ପର୍ଶକଲେ । ସେହି ଦୁଇଟି ପାଦୁକାକୁ ପ୍ରଜାମାନଙ୍କର ପ୍ରାଣରକ୍ଷା ନିମନ୍ତେ ଦୁଇଟି ପ୍ରହରୀ ସଦୃଶ ଭରତ ଗ୍ରହଣକଲେ । ତାହା ଭରତଙ୍କର ଶ୍ରୀରାମ-ପ୍ରେମରତ୍ନ ନିମନ୍ତେ ଦୁଇଟି ପେଟିକା ହେଲେ । ଜୀବଜଗତ ନିମନ୍ତେ ରାମନାମ ରୂପକ ଦୁଇଟି ମଧୁରାକ୍ଷର, ରଘୁକୁଳର ରକ୍ଷା ନିମନ୍ତେ ଦୁଇଟି ଦ୍ଵାର, କୁଶଳକର୍ମ ପାଇଁ ଦୁଇ ଗୋଟି ହସ୍ତ ଏବଂ ସେବାଧର୍ମ ନିମନ୍ତେ ଦୁଇଟି ନିର୍ମଳ ନେତ୍ର ବୋଲି ତୁଳସୀଦାସ ଗ୍ରହଣକଲେ ।

 

ଭରତ ପ୍ରଣାମ କରି ଶ୍ରୀରାମଚନ୍ଦ୍ରଙ୍କୁ ବିଦାୟ ମାଗିଲେ । ଦୁଇନେତ୍ରରୁ ପ୍ରେମାଶ୍ରୁ ବହିଯାଉଥାଏ । ଋଷି ବଶିଷ୍ଠ, ବିଶ୍ଵାମିତ୍ର ଓ ଜନକ ଏ ଦୃଶ୍ୟ ଦେଖି ପ୍ରେମମଗ୍ନ ହୋଇଗଲେ । ଶ୍ରୀରାମ ଶତ୍ରୁଘ୍ନଙ୍କୁ କୋଳାଗ୍ରତ କଲେ । ଭରତ ଓ ଶତ୍ରୁଘ୍ନ ସୀତାଙ୍କର ଚରଣଧୂଳି ମସ୍ତକରେ ଘେନିଲେ I ଶ୍ରୀରାମ, ଲକ୍ଷ୍ମଣ ଓ ସୀତା ମୁନିମାନଙ୍କ ଚରଣରେ ପ୍ରଣାମ କଲେ । ସୀତା ପିତାମାତା ଓ ଶାଶୁଙ୍କୁ ପ୍ରଣାମ କରି ଚରଣଧୂଳି ଗ୍ରହଣକଲେ । ମାତାମାନଙ୍କୁ ପାଲିଙ୍କିରେ ଚଢ଼ାଇ ଶ୍ରୀରାମ ବିଦାୟ ମାଗିଲେ । ନିଷାଦ ରାଜା ଶ୍ରୀରାମଙ୍କୁ ବିଦାୟଦେଇ ଭରତଙ୍କ ସହିତ ବାହାରିଲେ ।

 

ସେଦିନ ଅଯୋଧ୍ୟାବାସୀ ଓ ଜନକପୁରବାସୀ ଯମୁନା ନଦୀ ପାର ହେଲେ । ଦ୍ଵିତୀୟ ଦିନ ଗଙ୍ଗାନଦୀ ପାର ହୋଇ ଶୃଙ୍ଗବେରପୁରଠାରେ ବିଶ୍ରାମ ନେଲେ । ଚତୁର୍ଥ ଦିନ ଦୁଇ ଥାଟ ଅଯୋଧ୍ୟାରେ ପହଞ୍ଚିଲେ । ଅଯୋଧ୍ୟାରେ ରାଜା ଜନକ ଚାରିଦିନ ରହି ଭରତ, ଗୁରୁ ଓ ମନ୍ତ୍ରୀମାନଙ୍କ ଉପରେ ରାଜ୍ୟଭାର ଅର୍ପଣକରି ଜନକପୁର ତ୍ରିହୂତକୁ ଫେରିଲେ ।

 

ଗୁରୁଙ୍କ ଆଦେଶରେ ଶୁଭଦିନ ଦେଖି ଭରତ ଶ୍ରୀରାମଙ୍କର ଚରଣ ପାଦୁକା ଦୁଇଟିକୁ ସିଂହାସନ ଉପରେ ସ୍ଥାପନକଲେ । ନନ୍ଦୀଗ୍ରାମଠାରେ ଗୋଟିଏ ପର୍ଣ୍ଣକୁଟୀର ନିର୍ମାଣ ହେଲା । ଶରୀରରେ ବଳ୍‌କଳ ପରିଧାନ କରି ସେ ମସ୍ତକରେ ଜଟାଧାରଣ କଲେ । କୁଶାସନ ଆସ୍ତରଣରେ ବସି ଭୋଜନ ଆଦିରେ ଋଷିବ୍ରତ ଧାରଣକରି ଚଳିଲେ । ପ୍ରତିଦିନ ପାଦୁକା ପୂଜା କରନ୍ତି । ସେ ତପଦ୍ଵାରା ଶରୀରକୁ ତପ୍ତକର ହୃଦୟରେ ଶ୍ରୀରାମ ଚିତ୍ର ଓ ଜିହ୍ଵାରେ ଶ୍ରୀରାମ ନାମ ଜପକରି ରାଜ୍ୟ ପାଳନରେ ବ୍ରତୀ ହେଲେ ।

Image

 

ଅରଣ୍ୟକାଣ୍ଡ

ବନବାସରେ ଋଷି ସଙ୍ଗତି

 

ଥରେ ଶ୍ରୀରାମ ବନରୁ ନାନା ବର୍ଣ୍ଣର ସୁନ୍ଦର ପୁଷ୍ପ ସଂଗ୍ରହକରି ସେଥିରେ ନାନା ଅଳଙ୍କାର ତିଆରି କରି ସୀତାଙ୍କୁ ପିନ୍ଧାଇ ଦେଲେ । ଦେବରାଜ ଇନ୍ଦ୍ରଙ୍କର ପୁତ୍ର ଜୟନ୍ତ । ସେ କାକରୂପ ଧାରଣକରି ଶ୍ରୀରାମଙ୍କର ଶକ୍ତି ଜାଣିବାକୁ ଇଚ୍ଛାକଲା । କାକରୂପରେ ମୂର୍ଖ ଜୟନ୍ତ ସୀତାଙ୍କର ପାଦକୁ ଚଞ୍ଚୁ ଦ୍ଵାରା ଖୁମ୍ପିଦେଇ ଉଡ଼ି ଚାଲିଗଲା । ସୀତାଙ୍କର ପାଦରୁ ରକ୍ତ ବୋହିଲା । ଶ୍ରୀରାମ ସୀତାଙ୍କର କ୍ଷତ ଦେଖି ସେ କାକ ପ୍ରତି ଶର ସନ୍ଧାନ କଲେ । ମନ୍ତ୍ରପ୍ରେରିତ ଶର କାକର ଅନୁଧାବନ ମଲା । ଜୟନ୍ତ ନିରୁପାୟ ହୋଇ ପିତାଙ୍କ ପାଖକୁ ନିଜର ରୂପ ଗ୍ରହଣ କରି ଯାଇ ପହଞ୍ଚିବା ସଙ୍ଗେ ସଙ୍ଗେ ଇନ୍ଦ୍ର ସମସ୍ତ ବୃତ୍ତାନ୍ତ ଜାଣିପାରିଲେ । ସେ ତାହାକୁ ରକ୍ଷା କଲେନାହିଁ । ଶ୍ରୀରାମଙ୍କ ଶତ୍ରୁ ବୋଲି ଜାଣିଲେ ତାକୁ କିଏ ବା ରକ୍ଷା କରିପାରିବ ?

 

ଜୟନ୍ତ ଅତ୍ୟନ୍ତ ବ୍ୟାକୁଳ ହେଲେ । ନାରଦ ଜୟନ୍ତଙ୍କର ଏ ଅବସ୍ଥା ଦେଖି ଦୟା ପରବଶ ହେଲେ । ସେ ଜୟନ୍ତଙ୍କୁ ସାନ୍ତ୍ୱନା ଦେଇ ପୁଣି ଶ୍ରୀରାମଙ୍କ ପାଖକୁ ପଠାଇଦେଲେ । ଜୟନ୍ତ ଶ୍ରୀରାମଙ୍କର ଶରଣ ପଶି ତାହାଙ୍କୁ ପ୍ରାର୍ଥନା କରି କହିଲେ–ହେ ଶରଣାଗତରକ୍ଷକ, ମୋତେ ରକ୍ଷାକରନ୍ତୁ । ମୁଁ ଆପଣଙ୍କର ଅତୁଳନୀୟ ସାମର୍ଥ୍ୟ ମୋର ମନ୍ଦବୁଦ୍ଧି ଯୋଗୁଁ ଜାଣି ନଥିଲି । ମୁଁ ମୋର କୃତକର୍ମର ଫଳ ପାଇସାରିଛି । ମୋତେ ରକ୍ଷା କରନ୍ତୁ । ତାହାର ଆର୍ତ୍ତବାଣୀ ଶୁଣି ଶ୍ରୀରାମ ତାହାକୁ ଶରଣ ଦେଲେ; କିନ୍ତୁ ତାର ମନ୍ଦ ଗୁଣର ଫଳ ନିମନ୍ତେ ତାହାର ଗୋଟିଏ ଚକ୍ଷୁ କଣା କରି ଛାଡ଼ିଦେଲେ ।

 

ଚିତ୍ରକୂଟରେ ଥିବାବେଳେ ଶ୍ରୀରାମାଶ୍ରମ କ୍ରମେ କ୍ରମେ ଗହଳ ହେଲା । ସେଠାରେ ରହିବା ଉଚିତ ମନେ ନ କରି ଶ୍ରୀରାମ ସେଠାରୁ ଅନ୍ୟ ସ୍ଥାନକୁ ଯିବାକୁ ବିଚାରିଲେ । ସେ ଅତ୍ରିଙ୍କ ଆଶ୍ରମକୁ ଗଲେ । ଅତ୍ରି ମୁନି ଶ୍ରୀରାମଙ୍କର ଆଗମନ ସମ୍ବାଦ ପାଇ ବିଶେଷ ଆନନ୍ଦିତ ହେଲେ । ଅତ୍ରି ପତ୍ନୀ ଅନସୂୟା ସୀତାଙ୍କୁ ଆଶ୍ରମାଭ୍ୟନ୍ତରକୁ ଆଗ୍ରହ ସହକାରେ ପାଛୋଟି ନେଲେ । ସୀତାଙ୍କୁ ସେ ଦିବ୍ୟ ବସ୍ତ୍ର ଓ ଦିବ୍ୟ ଅଳଙ୍କାର ପିନ୍ଧାଇଦେଲେ । ନିଜ ପାଖରେ ବସାଇ ସେ ତାଙ୍କୁ ସ୍ତ୍ରୀଧର୍ମ ବିଷୟରେ ନାନା ଉପଦେଶ ଦେଇ କହିଲେ–

 

“ହେ ସୀତେ ! ସଂସାରରେ ମାତା, ପିତା, ଭ୍ରାତା ସମସ୍ତେ ହିତୈଷୀ ଅଟନ୍ତି । କିନ୍ତୁ ସେମାନେ କେତେକ ନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ମନୁଷ୍ୟକୁ ସୁଖ ଦିଅନ୍ତି । ସ୍ଵାମୀ କିନ୍ତୁ ଅସୀମ ସୁଖଦାୟକ ଅଟନ୍ତି । ଯେଉଁ ସ୍ତ୍ରୀ ପତିସେବା ନ କରନ୍ତି, ସେ ଅଧମା ଅଟନ୍ତି । ଧୈର୍ଯ୍ୟ, ଧର୍ମ, ମିତ୍ର ଓ ପତ୍ନୀ ଏମାନେ ବିପଦ ସମୟରେ ପରୀକ୍ଷିତ ହୁଅନ୍ତି । ଶରୀର ବାଣୀ ଓ ମନରେ ପତିସେବା ସ୍ତ୍ରୀମାନଙ୍କର ଏକମାତ୍ର ଧର୍ମ ଅଟେ । ହେ ସୀତେ ! ସଂସାରରେ ସ୍ତ୍ରୀମାନେ ତୁମର ନାମ ଜପକରି ପତିଧର୍ମ ପାଳନ କରିବେ । ଶ୍ରୀରାମ ତୁମର ପ୍ରାଣ ସମାନ ଅଟନ୍ତି ।”

 

 

ଶ୍ରୀରାମ ଅତ୍ରି ମୁନିଙ୍କୁ ପଚାରିଲେ–ହେ ମୁନି, ଆପଣ ଅନୁମତି ଦେଲେ, ମୁଁ ବନାନ୍ତରକୁ ଯିବି । ମୋତେ ଆପଣଙ୍କର ସେବକ ବୋଲି ମନେକରି ମୋ ଉପରେ କୃପାଦୃଷ୍ଟି ରଖିବେ ।

 

ମୁନି କହିଲେ–ଶ୍ରୀରାମ ! ବ୍ରହ୍ମା, ଶିବ ଓ ସନକ ପ୍ରଭୃତି ଋଷିମାନେ ଆପଣଙ୍କର କୃପାପାତ୍ର । ଆପଣ ଏପରି କୋମଳ ବଚନ କହୁଛନ୍ତି । ମୁଁ କିପରି କହିବି, ଆପଣ ବର୍ତ୍ତମାନ ଏଠାରୁ ଯାନ୍ତୁ । ଆପଣ ଅନ୍ତର୍ଯ୍ୟାମୀ, ସର୍ବଜ୍ଞ ।

 

ମୁନିଙ୍କର ଚକ୍ଷୁ ଲୋତକାପ୍ଳୁତ ହେଲା; ଶରୀର ପୁଲକିତ ହୋଇ ଉଠିଲା । ସେ ଶ୍ରୀରାମଙ୍କର ମୁଖାରବିନ୍ଦକୁ ଚାହିଁ ରହିଲେ । ଶ୍ରୀରାମ, ଲକ୍ଷ୍ମଣ ଓ ସୀତା ମୁନି ଓ ମୁନିପତ୍ନୀଙ୍କ ଚରଣରେ ପ୍ରଣାମ କରି ସେଠାରୁ ବାହାରିଲେ ।

 

ବନ ମଧ୍ୟରେ ଯାଉ ଯାଉ ଗୋଟାଏ ରାକ୍ଷସ ସମ୍ମୁଖରେ ଦେଖାଗଲା । ତାହାର ନାମ ବିରାଧ । ବିରାଧ ରାକ୍ଷସର ଶତ୍ରୁଭାବ ଦେଖି ଶ୍ରୀରାମ ତାହା ଉପରକୁ ଶର ଲକ୍ଷ୍ୟକଲେ । ବିରାଧର ମୃତ୍ୟୁ ହେଲା ।

 

ତିନିହେଁ ବନ ମଧ୍ୟରେ ଯାଉ ଯାଉ ଗୋଟିଏ ଆଶ୍ରମ ଦେଖିଲେ । ତାହା ଋଷି ଶରଭଙ୍ଗଙ୍କର ଆଶ୍ରମ । ଶ୍ରୀରାମ ଓ ଶରଭଙ୍ଗଙ୍କ ମଧ୍ୟରେ ନାନା ଆଲୋଚନା ହେଲା । ଋଷି କହିଲେ–ମୁଁ ବ୍ରହ୍ମଲୋକକୁ ଯାଥିଲି, ଶୁଣିଲି ଶ୍ରୀରାମ ବନକୁ ଆସୁଛନ୍ତି । ସେହି ଦିନଠାରୁ ମୁଁ ଆପଣଙ୍କର ପଥକୁ ଚାହିଁ ବସିଅଛି । ସେବକ ବୋଲି ମନେକରି ମୋ ଉପରେ କୃପା କରନ୍ତୁ । ଆପଣଙ୍କୁ ଦେଖି ମୋର ହୃଦୟ ଶୀତଳ ହୋଇଯାଇଅଛି । ଆପଣ ଏ ଦୀନବ୍ୟକ୍ତିର କଲ୍ୟାଣ ନିମନ୍ତେ ଏହି ସ୍ଥାନରେ ଟିକିଏ ସମୟ ଅପେକ୍ଷା କରନ୍ତୁ । ମୁଁ ଏ ଶରୀର ତ୍ୟାଗ କରି ଆପଣଙ୍କ ଶରୀରରେ ଲୀନ ହେବି ।

 

ଶରଭଙ୍ଗ ମୁନି ଇନ୍ଧନ ସଂଗ୍ରହ କରି ଚିତା ନିର୍ମାଣ କଲେ । ଶ୍ରୀରାମଙ୍କୁ ଚାହିଁ ଚିତା ସମନ୍ଧରେ ଶ୍ରୀରାମଙ୍କୁ କହିଲେ–‘ହେ ସଗୁଣରୂପୀ ଦେବ ! ଆପଣ ସୀତା ଓ ଲକ୍ଷ୍ମଣଙ୍କ ସହିତ ଚିରକାଳ ମୋ ହୃଦୟରେ ବାସକରନ୍ତୁ ।’ ଏହା କହି ସେ ଯୋଗାଗ୍ନିରେ ଶରୀରକୁ ଉତ୍ତପ୍ତ କଲେ ଏବଂ ସଗୁଣରୂପୀ ଶ୍ରୀରାମଙ୍କ ଶରୀରରେ ଲୀନ ହେଲେ । ଅନ୍ୟ ଋଷିମାନେ ଶରଭଙ୍ଗଙ୍କର ଏ ଗତି ଦେଖି ପ୍ରୀତ ହେଲେ ।

 

ସେ ସ୍ଥଳରୁ ଶ୍ରୀରାମ ଭ୍ରାତା ଓ ପତ୍ନୀଙ୍କ ସହିତ ଅଗ୍ରସର ହେଲାବେଳେ ବହୁ ମୁନି ମଧ୍ୟ ତାଙ୍କ ସହିତ ଚାଲିଲେ । ପଥ ମଧ୍ୟରେ ବନରେ ଏକ ସ୍ଥାନରେ ଅନେକଗୁଡ଼ିଏ ଅସ୍ଥି ସ୍ତୁପ ଦେଖି ଶ୍ରୀରାମ ମୁନିମାନଙ୍କୁ ତାହାର କାରଣ ପଚାରିଲେ । ମୁନିମାନେ କହିଲେ, ହେ ଅନ୍ତର୍ଯ୍ୟାମୀ, ରାକ୍ଷସମାନେ ମୁନିମାନଙ୍କୁ ଭକ୍ଷଣ କରି ସେମାନଙ୍କର ଅସ୍ଥି ଏଠାରେ ଜମା କରିଅଛନ୍ତି । ଏହା ଶୁଣି ଶ୍ରୀରାମ ବିଶେଷ ଦୁଃଖିତ ହେଲେ । ସେହିଠାରେ ସେ ପ୍ରତିଜ୍ଞା କଲେ, ମୁଁ ରାକ୍ଷସମାନଙ୍କୁ ନିଃଶେଷ କରିବି ଏବଂ ମୁନିମାନଙ୍କୁ ରକ୍ଷା କରିବି ।

 

ମୁନି ଅଗସ୍ତିଙ୍କର ସୁତୀକ୍ଷଣ ନାମରେ ଜଣେ ଶିଷ୍ୟ ଥିଲେ । ତାଙ୍କର ଈଶ୍ଵରଙ୍କ ପ୍ରତି ଅସୀମ ଭକ୍ତି ଥିଲା । ଶ୍ରୀରାମ ବନ ମଧ୍ୟରେ ଭ୍ରମଣ କରୁଛନ୍ତି ବୋଲି ସେ ଶୁଣିପାରିଲେ । ସେ ଶ୍ରୀରାମଙ୍କୁ ଦର୍ଶନ କରିବା ପାଇଁ ବହୁ ବନ ଭ୍ରମଣ କରି ଶ୍ରୀରାମଙ୍କ ନିକଟକୁ ଆସିଲାବେଳେ ତାଙ୍କ ମନରେ ନାନା ପ୍ରଶ୍ନ ଉଦିତ ହେଲା । ସେ ଭାବିଲେ, ମୁଁ ଶ୍ରୀରାମଙ୍କୁ କଣ ଦର୍ଶନ କରିପାରିବି ? ମୋତେ ସେବକ ବୋଲି ମନେ କରି ଶ୍ରୀରାମ କଣ ମୋତେ ଦର୍ଶନ ଦେବେ ? ମୋ ହୃଦୟରେ ତ ଦୃଢ଼ ବିଶ୍ୱାସ ନାହିଁ । ଭକ୍ତି, ବୈରାଗ୍ୟ, ଜ୍ଞାନ କଣ, ମୁଁ ତ ଜାଣିନାହିଁ । ଜୀବନରେ ମୁଁ ଜପ ତପ ବା ସତ୍‌ସଙ୍ଗ କରିନାହିଁ; କିନ୍ତୁ ଯାହାର କେହି ସହାୟ ନାହିଁ, ଭଗବାନ ତାର ଅତି ପ୍ରିୟ ।

 

ଏହିପରି ନାନା କଥା ଚିନ୍ତାକରି କେତେବେଳେ ଈଶ୍ଵରଙ୍କ ନାମ ଜପକରି ନାଚୁଥାନ୍ତି, କେତେବେଳେ ଆଗକୁ ତ କେତେବେଳେ ପଛକୁ ଫେରୁଥାନ୍ତି । ତାଙ୍କୁ ବାଟ ଅବାଟ କିଛି ଜଣାପଡ଼ୁ ନ ଥାଏ । ତାଙ୍କର ଶରୀର ରୋମାଞ୍ଚିତ ହୋଇଯାଉଥାଏ । ହଠାତ୍ ସେ ଗୋଟିଏ ଜାଗାରେ ବସିପଡ଼ିଲେ । ସେ ସଚେତ କି ଅଚେତ ଅବସ୍ଥାରେ ଅଛନ୍ତି ବୁଝିପାରିଲେ ନାହିଁ । ଶ୍ରୀରାମ ତାଙ୍କୁ ଦେଖିଲେ । ତାଙ୍କ ପାଖକୁ ଆସି ତାଙ୍କୁ ଉଠାଇଲେ; କିନ୍ତୁ ତାଙ୍କରି ଜ୍ଞାନ ଆସିଲାନାହିଁ । ଶ୍ରୀରାମ ନିଜ ସ୍ଵରୂପରେ ତାଙ୍କୁ ଦର୍ଶନ ଦେବାରୁ ତାଙ୍କଠାରେ ଜ୍ଞାନ ପ୍ରକାଶ ହେଲା । ସେ ଶ୍ରୀରାମଙ୍କ ଚରଣସ୍ପର୍ଶପୂର୍ବକ ତାଙ୍କର ମୁଖ ଦର୍ଶନ କଲେ । ଶ୍ରୀରାମ ତାହାଙ୍କୁ ତାହାଙ୍କର ବିଶାଳ ବାହୁ ମଧ୍ୟରେ କୋଳାଗ୍ରତ କଲେ । ସୁତୀକ୍ଷ୍‌ଣ ନାନା ବନ୍ଦନା କରି ଶ୍ରୀରାମଙ୍କର ଦର୍ଶନରେ କୃତକୃତ୍ୟ ହେଲେ । ସୁତୀକ୍ଷ୍‌ଣଙ୍କୁ ବିଦାୟ ଦେଇ ସେଠାରୁ ସେ ଅଗସ୍ତିଙ୍କ ଆଶ୍ରମ ଅଭିମୁଖରେ ଯାତ୍ରାକରିବେ ବୋଲି ଜଣାଇବାରୁ ସୁତୀକ୍ଷ୍‌ଣ କହିଲେ–ମୁଁ ବହୁଦିନ ହେଲା ଗୁରୁଙ୍କୁ ସାକ୍ଷାତ କରିନାହିଁ । ମୁଁ ମଧ୍ୟ ଆପଣଙ୍କ ସହିତ ଗୁରୁଙ୍କୁ ଦର୍ଶନ କରିବାକୁ ଯିବି । ଶ୍ରୀରାମ, ଲକ୍ଷ୍ମଣ ଓ ସୀତାଙ୍କୁ ନେଇ ସୁତୀକ୍ଷ୍‌ଣ ଅଗସ୍ତିଙ୍କ ଆଶ୍ରମ ଉଦ୍ଦେଶ୍ୟରେ ଯାତ୍ରା କଲାବେଳେ ଶ୍ରୀରାମ ଋଷିଙ୍କୁ ନାନା ଭକ୍ତିରସାତ୍ମକ ରହସ୍ୟ କହିଲେ ।

 

ସୁତୀକ୍ଷ୍‌ଣ ଅଗସ୍ତିଙ୍କ ଆଶ୍ରମ ସନ୍ନିକଟ ହେବାରୁ ଗୁରୁଙ୍କ ପାଖକୁ ଯାଇ ଶ୍ରୀରାମଙ୍କର ଆଗମନ ସମ୍ବାଦ ଜଣାଇଲେ । ଅଗସ୍ତି ଏହା ଶୁଣିବା ମାତ୍ରେ ଅତ୍ୟନ୍ତ ଆନନ୍ଦରେ ଆସି ତିନି ବନବାସୀଙ୍କୁ ସାଦରରେ ଗ୍ରହଣକଲେ । ଶ୍ରୀରାମ, ଲକ୍ଷ୍ମଣ ଓ ସୀତା ଅଗସ୍ତିଙ୍କ ଚରଣ ତଳେ ପ୍ରଣାମ କଲେ । ସେମାନଙ୍କୁ ଉଠାଇ ଆସନ ଦେଇ ବସାଇଲେ ଏବଂ କହିଲେ–ମୋ ପରି ଭାଗ୍ୟବାନ ଆଜି ଜଗତରେ ଅନ୍ୟ କେହି ନାହିଁ । ଶ୍ରୀରାମ କହିଲେ–ହେ ମୁନିନାଥ, ଆପଣ ମୋର ବନାଗମନର କାରଣ ଜାଣନ୍ତି । ମୋତେ ଏପରି ପରାମର୍ଶ ଓ ମନ୍ତ୍ର ଦିଅନ୍ତୁ, ଯାହା ଫଳରେ ମୁଁ ମୁନିମାନଙ୍କର ଶତ୍ରୁ ରାକ୍ଷସମାନଙ୍କୁ ବିନାଶ କରିବି ।

 

ଅଗସ୍ତି କହିଲେ–ହେ ଶ୍ରୀରାମ, ଆପଣ ମୋତେ ପରାମର୍ଶ ଜିଜ୍ଞାସା କରୁଛନ୍ତି । ଆପଣଙ୍କୁ ଭଜନକରି ସେହି ଭଜନ ପ୍ରଭାବରେ ମୁଁ ଆପଣଙ୍କର ମହିମାର ସାମାନ୍ୟ ଅଂଶ ଜାଣିଛି । ଆପଣଙ୍କର ମହିମା ବିଶାଳ ଉଦୁମ୍ବରବୃକ୍ଷ ସଦୃଶ ଅଟେ । ଉଦୁମ୍ବର ଫଳ ମଧ୍ୟରେ ଥିବା ଅଣୁରୂପୀ ଚରାଚର ଜୀବଜନ୍ତୁ ସେହି ଉଦୁମ୍ବର ଫଳରୂପ ଜଗତକୁ ଆପଣଙ୍କର ସୃଷ୍ଟିର ସୀମା ବୋଲି ମନେ କରନ୍ତି । କରାଳ କାଳ ସେହି ଫଳରୂପ ଜଗତର ଭକ୍ଷଣକାରୀ ଅଟେ । ସେହି କାଳ ଆପଣଙ୍କୁ ଭୟକରି ରହିଥାଏ । ସମଗ୍ର ଲୋକପାଳମାନଙ୍କର ସ୍ଵାମୀ ହୋଇ ଆପଣ ମୋତେ ଜିଜ୍ଞାସା କରୁଛନ୍ତି । ମୁଁ ଆପଣଙ୍କ ନିକଟରେ ଏହି ବର ପ୍ରାର୍ଥନା କରୁଅଛି, ହେ ପ୍ରଭୋ ! ଆପଣ ସୀତା ଲକ୍ଷ୍ମଣଙ୍କ ସହ ମୋର ହୃଦୟରେ ବାସକରନ୍ତୁ ଆପଣ ସେହି ଦଣ୍ଡକ ବନରେ ରହି ମୁନି ଗୌତମଙ୍କର କଠୋର ଅଭିଶାପକୁ ହରଣ କରନ୍ତୁ ।

 

ମୁନି ଅଗସ୍ତିଙ୍କ ପରାମର୍ଶ ଗ୍ରହଣ କରି ଶ୍ରୀରାମ, ଲକ୍ଷ୍ମଣ ଓ ସୀତା ଅଗସ୍ତିଙ୍କ ଆଶ୍ରମରୁ ପଞ୍ଚବଟୀ ଉଦ୍ଦେଶ୍ୟରେ ବାହାରିଲେ ।

Image

 

Unknown

ପଞ୍ଚବଟୀ ନିବାସ

 

ଗୋଦାବରୀ ନଦୀ କୂଳରେ ପଞ୍ଚବଟୀ । ଅଗସ୍ତି ମୁନି ପଞ୍ଚବଟୀର ବହୁ ପ୍ରଶଂସା କଲେ-। ଦଣ୍ଡକବନ ମଧ୍ୟରେ ପଞ୍ଚବଟୀ ଅତି ସୁନ୍ଦର ସ୍ଥଳୀ । ଗୃଧ୍ରରାଜ ଜଟାୟୁ ସେଠାରେ ନିବାସ କରନ୍ତି । ଜଟାୟୁଙ୍କ ସହିତ ଶ୍ରୀରାମଚନ୍ଦ୍ରଙ୍କର ସାକ୍ଷାତ ହେଲା । ଦୁହିଁଙ୍କ ମଧ୍ୟରେ ବନ୍ଧୁତା କ୍ରମେ କ୍ରମେ ବଢ଼ିବାକୁ ଲାଗିଲା I ଶ୍ରୀରାମ ପଞ୍ଚବଟୀଠାରେ ଗୋଟିଏ ପର୍ଣ୍ଣ କୁଟୀର ନିର୍ମାଣ କଲେ । ସେଠାରେ ପର୍ବତ, ନଦୀ ଓ ପୁଷ୍କରଣୀ ନାନା ଶୋଭାସମ୍ପଦରେ ପୂର୍ଣ୍ଣ । ପକ୍ଷୀପଶୁ ଆନନ୍ଦରେ ନିର୍ଭୟରେ କାଳ କାଟୁଥିଲେ । ଭ୍ରମରମାନେ ଗୁଞ୍ଜନ କରୁଥିଲେ । ଶ୍ରୀରାମ ସେଠାରେ ରହିବା ଦିନୁ ମୁନିମାନେ ନିର୍ଭୟରେ କାଳଯାପନ କରିବାକୁ ଲାଗିଲେ ।

 

ଦିନେ ପଞ୍ଚବଟୀର ପର୍ଣ୍ଣକୁଟୀର ମଧ୍ୟରେ ତିନିହେଁ ବସିଥିଲାବେଳେ ଲକ୍ଷ୍ମଣ ଶ୍ରୀରାମଙ୍କୁ କହିଲେ–ହେ ସମଗ୍ର ଚରାଚରର ସ୍ଵାମୀ, ଆପଣଙ୍କୁ କି ଭାବରେ ଭକ୍ତି କଲେ ଆପଣ ଭକ୍ତ ଉପରେ ଦୟା କରନ୍ତି, ମୋତେ ବୁଝାଇ କହନ୍ତୁ । ଈଶ୍ଵର ଓ ଜୀବ ମଧ୍ୟରେ ଭେଦ କଣ ?

 

ଶ୍ରୀରାମ କହିଲେ–ଲକ୍ଷ୍ମଣ, ମୁଁ ସଂକ୍ଷେପରେ ତାହା ତୋତେ ବୁଝାଇଦେଉଛି । ତୁ ମନଦେଇ ଶୁଣ । ମନୁଷ୍ୟ ମୋର ଏବଂ ତୋର ବୋଲି ମନରେ ଯେଉଁ ମନୋଭାବ ରଖେ, ତାହା ହିଁ ମାୟା । ସେହି ମାୟା ସମଗ୍ର ସଂସାରକୁ ଅଧୀନ କରି ରଖିଛି । ମନ ଯେତିକି ବିଷୟ ଆଡ଼କୁ ପ୍ରଭାବିତ ହୁଏ, ସେତିକି ସେ ମାୟାର ଅଧୀନ ହୁଏ । ସେହି ମାୟା ଦ୍ଵିବିଧ–ବିଦ୍ୟା ଓ ଅବିଦ୍ୟା । ଅବିଦ୍ୟା ନାନା ଦୋଷରେ ପୂର୍ଣ୍ଣ ଏବଂ ଦୁଃଖଦାୟକ । ତାହାର ଅଧୀନ ହୋଇ ମନୁଷ୍ୟ ସଂସାରରୂପ କୂପ ମଧ୍ୟରେ ପଡ଼ିଥାଏ । ବିଦ୍ୟା ଅଧୀନରେ ଗୁଣଗୁଡ଼ିକ ଥାନ୍ତି ଏବଂ ଜଗତକୁ ସୃଷ୍ଟି କରନ୍ତି । ତାହା ଈଶ୍ଵରପ୍ରେରିତ । ସର୍ବତ୍ର ସମାନଭାବରେ ବ୍ରହ୍ମଦର୍ଶନ ହିଁ ଜ୍ଞାନ ଅଟେ । ସମଗ୍ର ସିଦ୍ଧି ଓ ତ୍ରିଗୁଣକୁ ତ୍ୟାଗ କରିଥିବା ବ୍ୟକ୍ତିଙ୍କୁ ବୈରାଗ୍ୟବାନ୍ କୁହାଯାଏ । ଯେଉଁ ବ୍ୟକ୍ତି ମାୟା, ଈଶ୍ଵର ଓ ନିଜ ସ୍ଵରୂପ ସମ୍ବନ୍ଧରେ ଅଜ୍ଞ, ତାହାକୁ ଜୀବ କୁହାଯାଏ । ଈଶ୍ଵର ବନ୍ଧନ ଓ ମୋକ୍ଷଦାତା, ମାୟାର ପ୍ରେରକ ଓ ସର୍ବଶ୍ରେଷ୍ଠ ଅଟନ୍ତି । ଯେଉଁ ଉପାୟରେ ମୁଁ ଶୀଘ୍ର ପ୍ରସନ୍ନ ହୁଏ, ତାହାକୁ ଭକ୍ତି କୁହାଯାଏ । ବେଦରେ ଲେଖାଯାଇଛି ଧର୍ମରୁ ବୈରାଗ୍ୟ ଏବଂ ଯୋଗରୁ ଜ୍ଞାନ ଉପନ୍ନ ହୁଏ । ଜ୍ଞାନ ହିଁ ମୋକ୍ଷଦାୟକ ଅଟେ-

 

ମୋର ଗୁଣ ବର୍ଣ୍ଣନା କରିବା ସମୟରେ ଯାହାର ଶରୀର ପୁଲକିତ ହୁଏ, ବାଣୀ ଗଦ୍‌ଗଦ ହୋଇଯାଏ ଏବଂ ନେତ୍ରରୁ ଜଳ ବହିବାକୁ ଲାଗେ ଏବଂ କାମ, ଦମ୍ଭ ଓ ମଦ ଯାହାକୁ ଅଧୀନସ୍ଥ କରି ନ ପାରେ ମୁଁ ସଦା ତାହାର ଅଧୀନ ହୋଇ ରହେ । ଯେଉଁ ବ୍ୟକ୍ତି ନିଷ୍କାମ ଭାବରେ ମୋର ଭଜନ କରେ ଏବଂ କର୍ମ, ବଚନ ଓ ମନରେ ମୋତେ ସେବା କରେ ମୁଁ ତାହାରି ହୃଦୟକମଳ ମଧ୍ୟରେ ନିବାସ କରେ ।

 

ଲକ୍ଷ୍ମଣ ଶ୍ରୀରାମଙ୍କଠାରୁ ଏହିପରି ଭକ୍ତିଯୋଗର ଉପଦେଶ ପାଇ ଭାରି ସନ୍ତୁଷ୍ଟ ହେଲେ-

 

ପଞ୍ଚବଟୀର ବନପ୍ରଦେଶରେ ଆନନ୍ଦରେ କାଳ କାଟୁଥିବାବେଳେ ଦିନେ ଏକ ଅଦ୍ଭୁତ ଘଟଣା ଘଟିଲା । ସୂର୍ପଣଖା ନାମରେ ଗୋଟିଏ ରାକ୍ଷସୀ ପଞ୍ଚବଟୀରେ ଭ୍ରମଣ କରୁ କରୁ ଶ୍ରୀରାମ ଓ ଲକ୍ଷ୍ମଣଙ୍କୁ ଦେଖିଲା । ସେ ବଡ଼ ଦୁଷ୍ଟା ଓ ଭୟଙ୍କର ଥିଲା । ଏ ଦୁଇଭାଇଙ୍କର ସୁନ୍ଦର ରୂପ ଦେଖି ତା’ ମନ ଚଞ୍ଚଳ ହୋଇପଡ଼ିଲା । ସୂର୍ପଣଖା ହସି ହସି ଶ୍ରୀରାମଙ୍କ ପାଖରେ ଯାଇ ପହଞ୍ଚିଲା । ସେ ଶ୍ରୀରାମଙ୍କୁ କହିଲା, ତୁମପରି ସୁନ୍ଦର ପୁରୁଷ ଜଗତରେ ନାହାନ୍ତି କିମ୍ବା ମୋପରି ସୁନ୍ଦରୀ ସ୍ତ୍ରୀ ଏ ମର୍ତ୍ତ୍ୟଲୋକରେ ନାହାନ୍ତି । ବିଧାତା ବଡ଼ ସୁନ୍ଦର ରୂପେ ଏପରି ଯୋଡ଼ି ନିର୍ମାଣ କରିଛି । ତ୍ରିଲୋକଯାକ ମୁଁ ଖୋଜିସାରିଲିଣି; କିନ୍ତୁ ମୋ ପାଇଁ ଯୋଗ୍ୟ ପୁରୁଷ କେଉଁଠି ହେଲେ ପାଇଲି ନାହିଁ-। ସେଥିପାଇଁ ଏପର୍ଯ୍ୟନ୍ତ କୁମାରୀ ହୋଇ ରହିଛି । ଏବେ ତୁମକୁ ଦେଖି ମୋର ମନ ମାନିଛି; ତୁମେ ଏକା ମୋ ପାଇଁ ଯୋଗ୍ୟ ପୁରୁଷ ।

 

ଲକ୍ଷ୍ମଣ କିଛି ଦୂରରେ ଥିଲେ । ଶ୍ରୀରାମ ତାଙ୍କୁ ଦେଖାଇ ସୂର୍ପଣଖାକୁ କହିଲେ–ମୋର ଏ ସାନଭାଇ କୁମାର ଅଟେ । ତୁମେ ତାଙ୍କ ପାଖକୁ ଯାଅ । ସୂର୍ପଣଖା ଲକ୍ଷ୍ମଣଙ୍କ ପାଖକୁ ଗଲା ଏବଂ ସେ ତାହାର ମନର କଥା ତାଙ୍କୁ ଜଣାଇଲା । ଲକ୍ଷ୍ମଣ ତାହାକୁ ତାଙ୍କର ଶତ୍ରୁ ରାବଣର ଭଗିନୀ ବୋଲି ଜାଣିପାରି ଶ୍ରୀରାମଙ୍କ ଆଡ଼କୁ ଚାହିଁ କହିଲେ–ଦେଖ, ମୁଁ ତାଙ୍କର ଦାସ ଅଟେ; ତେଣୁ ମୁଁ ପରାଧୀନ । ମୁଁ ତୁମର ଇଚ୍ଛା ପୂରଣ କରିବା ନିମନ୍ତେ ଅସମର୍ଥ; ମୁଁ ତୁମକୁ କୌଣସି ସୁଖ ଦେଇ ପାରିବି ନାହିଁ । ମୋର ପ୍ରଭୁ କୌଶଳଦେଶର ରାଜା, ସେ ଯାହା ଇଚ୍ଛା ତାହା କରିପାରନ୍ତି ।

 

ଲକ୍ଷ୍ମଣଙ୍କର ଅସମର୍ଥତା ଜାଣିପାରି ସେ ପୁଣି ଶ୍ରୀରାମଙ୍କ ପାଖରେ ଯାଇ ପହଞ୍ଚିଲା । ଶ୍ରୀରାମ ତାକୁ ପୁଣି ଲକ୍ଷ୍ମଣଙ୍କ ନିକଟକୁ ପଠାଇଦେଲେ । ସେ ଅତିଶୟ ଆର୍ତ୍ତ ହୋଇ ଲକ୍ଷ୍ମଣଙ୍କୁ କହିବାରୁ ଲକ୍ଷ୍ମଣ ତାକୁ କହିଲେ–‘ଯେ ଅତିଶୟ ନର୍ଲଜ୍ଜ ହୋଇଥିବ ସେ ତୋତେ ଗ୍ରହଣ କରିବ ।’ ସୂର୍ପଣଖା ଲକ୍ଷ୍ମଣଙ୍କର ଏପରି କଥା ଶୁଣି ଖୁବ୍ କ୍ରୂଦ୍ଧା ହୋଇପଡ଼ିଲା । ସେ ଶ୍ରୀରାମଙ୍କୁ ନିଜର ଭୟଙ୍କର ଆସୁରୀ ରୂପ ଦେଖାଇଲା । ସୀତା ଏପରି ରୂପ କେବେ ଦେଖି ନ ଥିଲେ । ସେ ଭୟରେ ବ୍ୟାକୁଳ ହୋଇ ପଡ଼ିଲେ । ଶ୍ରୀରାମଚନ୍ଦ୍ର ଲକ୍ଷ୍ମଣଙ୍କୁ ଇଙ୍ଗିତ ଦେବାରୁ ସେ ତାହା ପାଖକୁ ଗଲେ । ସୂର୍ପଣଖା ନିଜର ରାକ୍ଷସୀ ରୂପରେ ଶ୍ରୀରାମ ଓ ଲକ୍ଷ୍ମଣଙ୍କୁ ଆକ୍ରମଣ କରିବାକୁ ବସିଲା ।

 

ସୂର୍ପଣଖାର ଭୟଙ୍କର ଓ ବିଶାଳ ରୂପ ଦେଖି ଲକ୍ଷ୍ମଣ ତାହାର ନାକକାନ କାଟିପକାଇଲେ । ତାହାର ଭୟଙ୍କର ରୂପ ଆହୁରି ବିକଟାଳ ହେଲା । ପର୍ବତ ଦେହରୁ ଗେରୁଧାରା ବହିଲାପରି ତା’ ଦେହରୁ ରକ୍ତଧାରା ବହିବାକୁ ଲାଗିଲା । ସେ ସେଠାରୁ ଦୌଡ଼ି ପଳାଇ ସେହି ବେଶରେ ଭାଇ ଖର ଦୂଷଣଙ୍କ ପାଖରେ ପହଞ୍ଚିଲା । ସେ ଖରଦୂଷଣଙ୍କୁ କହିଲା–ତୁମ ବଳକୁ ଧିକ୍-। ତୁମେ ସବୁ ଥାଉ ଥାଉ ମୋର ଏପରି ଅବସ୍ଥା ହେଲା । ରାମ ଲକ୍ଷ୍ମଣ ବୋଲି ଦୁଇ ଭାଇ ଏ ବଣରେ ଅଛନ୍ତି । ସେମାନଙ୍କ ସହିତ ଜଣେ ସ୍ତ୍ରୀ ମଧ୍ୟ ଅଛି । ସେଇମାନେ ମୋର ନାକକାନ କାଟି ଏପରି କୁରୂପ କରିଦେଲେ ।

 

ଖର ଦୂଷଣ ସୂର୍ପଣଖାଠାରୁ ଏ ସଂବାଦ ପାଇ ରାକ୍ଷସ ସୈନ୍ୟମାନଙ୍କୁ ଧରି ବାହାରିଲେ-। ସୂର୍ପଣଖା ସେମାନଙ୍କ ସହିତ ଗଲା । ନାନା ଭୟଙ୍କର ଅସ୍ତ୍ରଶସ୍ତ୍ର ଧରି ନାନା ପ୍ରକାରର ଚିତ୍କାର କରି ସେମାନେ ପଞ୍ଚବଟୀକୁ ଦୌଡ଼ିଲେ । କିଏ କହିଲା, ସେ ଦୁଇଭାଇଙ୍କୁ ଜୀଅନ୍ତା ଟାଣିଆଣ; କିଏ କହିଲା, ନାଁ ନାଁ, ସେମାନଙ୍କୁ ମାରିପକାଅ, ସେ ସ୍ତ୍ରୀଟାକୁ ଧରି ନେଇଆସ । ଆକାଶମଣ୍ଡଳକୁ ଧୂଳିପଟଳଦ୍ଵାରା ଆବୃତ କରି ରାକ୍ଷସ ସୈନ୍ୟ ମାଡ଼ିଚାଲିଲେ ।

 

ଶ୍ରୀରାମ ଲକ୍ଷ୍ମଣଙ୍କୁ କହିଲେ–ଭୟାନକ ରାକ୍ଷସ ସୈନ୍ୟଦଳ ମାଡ଼ି ଆସୁଛନ୍ତି । ତୁମେ ସୀତାଙ୍କୁ ନେଇ ପର୍ବତଗୁମ୍ଫାକୁ ଚାଲିଯାଅ । ସତର୍କ ହୋଇ ରହିଥିବ । ମୁଁ ଏଠି ଏ ରାକ୍ଷସମାନଙ୍କ ସହିତ ଯୁଦ୍ଧ କରିବି । ଲକ୍ଷ୍ମଣ ସୀତାଙ୍କୁ ଗୁମ୍ଫା ମଧ୍ୟକୁ ନେଇଗଲେ । ଶ୍ରୀରାମ ରାକ୍ଷସମାନଙ୍କ ଉପରେ ଭୀଷଣ ବାଣ ପ୍ରୟୋଗ କଲେ । ରାକ୍ଷସମାନେ ଶ୍ରୀରାମଙ୍କୁ ଚତୁର୍ଦ୍ଦିଗରୁ ଆକ୍ରମଣ କଲେ । ଖର ଭୂଷଣ ରାକ୍ଷସମାନଙ୍କୁ କହିଲେ–ଏ ରାଜକୁମାର ବଧର ଯୋଗ୍ୟ ନୁହଁ । ଏ ମନୁଷ୍ୟମାନଙ୍କ ମଧ୍ୟରେ ଅତ୍ୟନ୍ତ ସୁନ୍ଦର । ମୁଁ ଅନେକ ମନୁଷ୍ୟ, ଦେବତା, ଅସୁର, ନାଗ ଦେଖିଛି; କିନ୍ତୁ କୌଣସିଠାରେ ଏପରି ସୁନ୍ଦର ପୁରୁଷ ଦେଖିନାହିଁ । ମୋ ଭଉଣୀକୁ ୟେ କୁରୂପ କରି ଦେଇଛି, ହେଲେ ମଧ୍ୟ ଏହାକୁ ମାରିବାକୁ ମୋ ହାତ ଯାଉନାହିଁ ।

 

ଏହିପରି ନାନାକଥା ଅସୁରମାନଙ୍କୁ କହି ସେ ଜଣେ ଅସୁରକୁ ଡାକିଲା ଏବଂ ତାକୁ କହିଲା–ତୁ ରାମଚନ୍ଦ୍ର ପାଖକୁ ଯା । ତାକୁ କହିବୁ, ତୁ ତୋର ଯେଉଁ ସ୍ତ୍ରୀକୁ ଲୁଚାଇ ରଖିଛୁ ତାକୁ ଦେଇ ଦେ । ତୁମେ ଦୁଇଭାଇ ଜୀବନ ନେଇ ଘରକୁ ଫେରିଯାଅ । ଏହା କହି ଦୂତଭାବରେ ସେ ଅସୁରକୁ ଶ୍ରୀରାମଙ୍କ ନିକଟକୁ ପଠାଇଲା I ଦୂତ ଯାଇ ଖର ଦୂଷଣଙ୍କର ସମସ୍ତ ଘଟଣା ତାଙ୍କୁ କହିଲା ।

 

ଶ୍ରୀରାମ ଦୂତର କଥା ଶୁଣି ହସି ହସି ତାକୁ କହିଲେ–‘ମୁଁ କ୍ଷତ୍ରିୟ । ବଣରେ ବୁଲି ବୁଲି ଶିକାର କରୁଛି ଏବଂ ତୁମପରି ଦୁଷ୍ଟ ପଶୁମାନଙ୍କୁ ଖୋଜୁଛି । କୌଣସି ବଳବାନ୍ ଶତ୍ରୁକୁ ମୋର ଭୟ ନାହିଁ । ମୁଁ ଯମ ସହିତ ମଧ୍ୟ ଯୁଦ୍ଧ କରିପାରେ । ମୁଁ ମନୁଷ୍ୟ; କିନ୍ତୁ ରାକ୍ଷସକୁଳକୁ ନାଶକରି ମୁନିମାନଙ୍କୁ ରକ୍ଷା କରିବାପାଇଁ ମୁଁ ଆସିଛି । ଦୁଷ୍ଟମାନଙ୍କୁ ଦଣ୍ଡଦେବା ନିମନ୍ତେ ମୋର ଜନ୍ମ । ଯଦି ତୁମର ବଳ ନାହିଁ, ତେବେ ତୁମ୍ଭେମାନେ ଘରକୁ ଫେରିଯାଅ । ଯୁଦ୍ଧରେ ପଶ୍ଚାଦ୍‌ପଦ ହେବା ଲୋକମାନଙ୍କୁ ମୁଁ ହତ୍ୟା କରେ ନାହିଁ । ଯୁଦ୍ଧକ୍ଷେତ୍ରକୁ ଆସି କପଟ ଆଚରଣକରିବା ଏବଂ ଶତ୍ରୁକୁ ଦୟା ଦେଖାଇବା ବଡ଼ ଦୁର୍ବଳତା ଅଟେ । ଶ୍ରୀରାମଙ୍କଠୁ ଏସବୁ ସଂବାଦ ନେଇ ଦୂତ ଖର ଦୂଷଣଙ୍କୁ କହିଲା ।

 

ଶ୍ରୀରାମଙ୍କର ଏସବୁ କଥା ଶୁଣି ଖର ଦୂଷଣ କ୍ରୋଧରେ ପ୍ରଜ୍ଵଳିତ ହୋଇ ଉଠିଲେ । ସେମାନଙ୍କ ଆଦେଶରେ ଅସୁରମାନେ ବାଣ, ଧନୁ, ଶକ୍ତି, ଶୂଳ ଓ କୁଠାର ଧରି ଶ୍ରୀରାମଙ୍କ ଆଡ଼କୁ ଦୌଡ଼ିଲେ । ଶ୍ରୀରାମ ସେମାନଙ୍କର ଆକ୍ରମଣ ଦେଖି ଧନୁରେ ଏପରି ଏକ ଟଙ୍କାର ଦେଲେ ସେ ସେ ଟଙ୍କାର ଶୁଣି ଅନେକ ଅସୁର ବଧିର ହୋଇଗଲେ । ରାକ୍ଷସମାନେ ଶ୍ରୀରାମଙ୍କ ଉପରେ ନାନା ଅସ୍ତ୍ର ପ୍ରୟୋଗ କରିବାରୁ ଶ୍ରୀରାମ ସେଗୁଡ଼ିକୁ ଶରଦ୍ଵାରା ଖଣ୍ଡ, ଖଣ୍ଡ କରି କାଟିପକାଇଲେ । ପୁଣି ଧନୁର ଗୁଣକୁ କର୍ଣ୍ଣ ପର୍ଯ୍ୟନ୍ତ ଆକର୍ଷଣ କରି ଏକାଥରକେ ଅସଂଖ୍ୟ ବାଣ ଛାଡ଼ିଲେ । ସେ ବାଣଗୁଡ଼ିକ ଆକାଶରେ ଗତି କଲାବେଳେ ଅନେକଗୁଡ଼ିଏ ସର୍ପ ଗତିକଲାଭଳି ଦେଖାଗଲା । ରାକ୍ଷସମାନେ ଏ ତୀରଗୁଡ଼ିକୁ ଦେଖି ଭୟରେ ରଣଭୂମି ତ୍ୟାଗ କରି ପଳାଇବାକୁ ବସିଲେ । ଖର, ଦୂଷଣ, ତ୍ରିଶିରା ତିନିଭାଇ ରାକ୍ଷସମାନଙ୍କୁ ଭୀତ ଦେଖି କହିଲେ–‘ଯେଉଁମାନେ ରଣଭୂମି ଛାଡ଼ି ଚାଲିଯିବେ ଆମ୍ଭେମାନେ ସେମାନଙ୍କୁ ବଧକରିବୁ ।’ ରାକ୍ଷସମାନେ ଏକଥା ଶୁଣି ଫେରିଆସିଲେ ଏବଂ ଯୁଦ୍ଧରେ ପ୍ରବୃତ୍ତ ହେଲେ ।

 

ଶ୍ରୀରାମଙ୍କ ବାଣରେ ରାକ୍ଷସମାନଙ୍କର ମୁଣ୍ଡ, ଗଣ୍ଡି, ହାତ, ପାଦ ଖଣ୍ଡ ଖଣ୍ଡ ହୋଇ ପୃଥିବୀ ଉପରେ ପାହାଡ଼ ପରି ଗଦାହେଲା । ମାୟାବୀ ରାକ୍ଷସମାନଙ୍କର ଶରୀର ଖଣ୍ଡ ଖଣ୍ଡ ହୋଇ ତଳେ ପଡ଼ିଲାବେଳକୁ ପୁଣି ସେଗୁଡ଼ିକ ଯୋଡ଼ି ହୋଇ ଯାଉଥାଏ । ସେମାନେ ପୁଣି ଯୁଦ୍ଧ କରନ୍ତି । ଆକାଶରେ ଅନେକ ହାତ, ମୁଣ୍ଡ, ଗଣ୍ଡି ଉଡ଼ୁଥାଏ । ପକ୍ଷୀମାନେ ଆକାଶରେ ଉଡ଼ୁଥିବା ଅଙ୍ଗପ୍ରତ୍ୟଙ୍ଗକୁ ଚିତ୍କାର କରି ଖାଇବାରେ ଲାଗିଥାନ୍ତି । ଗୃଧ୍ରମାନେ ଶରୀରରୁ ଅନ୍ତପୁଟୁଳାଗୁଡ଼ିକ ଟାଣିଧରି ଆକାଶରେ ଉଡ଼ୁଥାନ୍ତି । ଶ୍ରୀରାମ ବାରମ୍ବାର ବାଣ ପ୍ରୟୋଗ କରି ଶତ୍ରୁମାନଙ୍କୁ ଅସ୍ତବ୍ୟସ୍ତ କରିପକାଇଲେ । ରାକ୍ଷସମାନେ ଜଣେ ଅନ୍ୟକୁ ଶତ୍ରୁ ବୋଲି ମନେକରି ପରସ୍ପର ଯୁଦ୍ଧ କରିବାକୁ ଲାଗିଲେ । ଶ୍ରୀରାମ ଶେଷରେ ଖର, ଦୂଷଣ ଓ ତ୍ରିଶିରା ତିନି ରାକ୍ଷସଙ୍କୁ ବଧକଲେ । ସେମାନେ ଶ୍ରୀରାମଙ୍କୁ ଶତ୍ରୁ ଭାବରେ ‘ରାମ’ ‘ରାମ’ ବୋଲି କହି ପ୍ରାଣ ଛାଡ଼ିଲେ ଏବଂ ସେମାନଙ୍କର ମୁକ୍ତି ହେଲା । ଲକ୍ଷ୍ମଣ ସୀତାଙ୍କୁ ନେଇ ଶ୍ରୀରାମଙ୍କ ନିକଟରେ ପହଞ୍ଚିଲେ ।

Image

 

ରାବଣ ମାରୀଚ ସମ୍ବାଦ

 

ସୂର୍ପଣଖା ଦେଖିଲା, ଶ୍ରୀରାମଙ୍କ ବାଣରେ ଖର, ଦୂଷଣ ଓ ତ୍ରିଶିରା ତିନିହେଁ ମୃତ୍ୟୁମୁଖରେ ପଡ଼ିଲେ । ରାକ୍ଷସ ସୈନ୍ୟ ସମୂଳେ ବିନଷ୍ଟ ହେଲେ । ସେ ଆଉ ଧୈର୍ଯ୍ୟଧରି ରହିପାରିଲା ନାହିଁ । ନିଜର ବିରୂପ ଶରୀର ନେଇ ଦୌଡ଼ି ଦୌଡ଼ି ରାବଣଙ୍କ ପାଖରେ ପହଞ୍ଚିଲା । ସେ ରାବଣଙ୍କୁ କହିଲା–‘ଭାଇ ରାବଣ, ତୁ ସୁରା ପାନକରି ମତ୍ତ ହୋଇ ରହ । ତୋତେ ଜଣାନାହିଁ, ତୋର ଶତ୍ରୁ ଆସି ତୋ ମସ୍ତକ ଉପରେ ଚଢ଼ିଲାଣି । ତୁ କଣ ଜାଣିନାହୁଁ, ରୋଗ, ଅଗ୍ନି, ପାପ, ସର୍ପ ଏବଂ ଶତ୍ରୁ ଏମାନଙ୍କୁ ଛୋଟ ବୋଲି ମନେ କରିବା ଉଚିତ ନୁହେଁ । ଭାଇ, ତୁ ଜୀବନରେ ଥାଉ ଥାଉ ମୋତେ ଏପରି ଦଶା ଭୋଗ କରିବାକୁ ହେଲା !’ ଏହିପରି କହି ବିକଳ ହୋଇ ରାବଣ ସମ୍ମୁଖରେ ସୂର୍ପଣଖା କାନ୍ଦିବାକୁ ଲାଗିଲା ।

 

ରାବଣ ସେତେବେଳେ ରାଜସଭାରେ ବସିଥିଲେ । ମନ୍ତ୍ରୀ, ସେନାପତି, ପୁତ୍ର ପ୍ରଭୃତି ଅସୁରମାନଙ୍କ ମଧ୍ୟଭାଗରେ ରାବଣ ସଭା ମଣ୍ଡନ କରିଥିଲେ । ସଦସ୍ୟମାନେ ସୂର୍ପଣଖାର ଏ କ୍ରନ୍ଦନ ଶୁଣି ବ୍ୟାକୁଳ ହୋଇ ପଡ଼ିଲେ । କେହି କେହି ସୂର୍ପଣଖା ନିକଟକୁ ଆସି ତାକୁ ବୁଝାଇବାକୁ ଲାଗିଲେ l ରାବଣ ଏହା ଶୁଣି ସୂର୍ପଣଖାକୁ ପଚାରିଲେ–ସୂର୍ପଣଖା, କିଏ ତୋର ନାକ କାନ ଏପରି କାଟି ତୋତେ ଏପରି ବିରୂପ କଲା, ମତେ କହ ।

 

ସୂର୍ପଣଖା କହିଲା–ଅଯୋଧ୍ୟାର ରାଜା ଦଶରଥଙ୍କର ପୁତ୍ର ପୁରୁଷମାନଙ୍କ ମଧ୍ୟରେ ସିଂହ ସଦୃଶ ଅଟନ୍ତି । ସେ ବଣକୁ ଶିକାର ଖେଳିବାକୁ ଆସିଛନ୍ତି । ମତେ ଜଣାଯାଉଛି, ସେ ସଂସାରରୁ ରାକ୍ଷସବଂଶକୁ ନିପାତ କରି ପକାଇବେ । ତାଙ୍କରି ବଳ ପାଇ ଏବେ ମୁନିମାନେ ବଣରେ ସ୍ଵଚ୍ଛନ୍ଦରେ ବିଚରଣ କରୁଛନ୍ତି । ଦେଖିବାକୁ ସେ ବାଳକ ପରି କ୍ଷୁଦ୍ର; କିନ୍ତୁ ପ୍ରକୃତରେ ସେ କାଳ ସଦୃଶ୍ୟ ଅଟନ୍ତି । ସେମାନେ ଦୁଇଭାଇ ବନକୁ ଆସିଛନ୍ତି । ଦୁହେଁଯାକ ଧନୁର୍ଦ୍ଧର ବୀରପୁରୁଷ । ବଡ଼ଭାଇ ଭାରି ସୁନ୍ଦର ପୁରୁଷ, ତାଙ୍କର ନାମ ‘ରାମ’ । ତାଙ୍କ ସହିତ ତାଙ୍କର ତରୁଣୀ ପତ୍ନୀ ମଧ୍ୟ ଆସିଛନ୍ତି । ବିଧାତା ସେ ସ୍ତ୍ରୀଟିକୁ ଏପରି ସୁନ୍ଦର କରି ଗଢ଼ିଅଛନ୍ତି ଯେ ଶତ କୋଟି ରତି ଦେବୀ ତାଙ୍କ ସହିତ ସୁନ୍ଦରପଣରେ ସରି ହେବେ ନାହିଁ । ସେହି ରାମଙ୍କର କନିଷ୍ଠ ଭ୍ରାତା ଲକ୍ଷ୍ମଣ । ସେହି ଲକ୍ଷ୍ମଣ ମୋର ନାକ କାଟି ମୋତେ ଏପରି ବିରୂପ କରିପକାଇଲା । ମୁଁ ତୋର ଭଉଣୀ ବୋଲି ପରିଚୟ ଦେବାରୁ ମୋତେ ଥଟ୍ଟା କରିବାକୁ ଲାଗିଲା । ମୋର ବିକଳ କ୍ରନ୍ଦନ ଶୁଣି ଖର ଦୂଷଣ ମୋତେ ସାହାଯ୍ୟ କରିବାକୁ ଆସିଲେ । ସେହି ରାମ ଆଗ ରାକ୍ଷସ ସୈନ୍ୟମାନଙ୍କୁ ବାଣରେ କାଟିପକାଇଲା । ଶେଷରେ ଖର, ଦୂଷଣ ଓ ତ୍ରିଶିରାକୁ ମଧ୍ୟ ହତ୍ୟାକଲା ।

 

ରାବଣ ଖର, ଦୂଷଣ ଓ ତ୍ରିଶିରାର ବଧ ସମ୍ବାଦ ଶୁଣି କ୍ରୋଧରେ କଳି ଉଠିଲେ । ପୁଣି ସୂର୍ପଣଖାକୁ ନାନା କଥା ବୁଝାଇ ନିଜର ବଳ ପରାକ୍ରମ କଥା କହି ସାନ୍ତ୍ୱନା ଦେଲେ । ସଭା ଭାଙ୍ଗିଲା । ରାବଣ ନିଜ ଭବନକୁ ପ୍ରତ୍ୟାବର୍ତ୍ତନ କଲେ । ତାଙ୍କ ମୁଣ୍ଡରେ ସେହି ଚିନ୍ତା ଘାରିଲା । ସେଦିନ ରାତ୍ରିସାରା ଆଉ ତାଙ୍କୁ ନିଦ ହେଲା ନାହିଁ ।

 

ରାବଣ ମନରେ ବିଚାର କଲେ–ଏ ଜଗତରେ ଦେବତା, ମନୁଷ୍ୟ, ଅସୁର, ନାଗ ଏପରି କେହି ନାହିଁ ଯେ କି ମୋର ସେବକମାନଙ୍କୁ ମଧ୍ୟ କଷ୍ଟ ଦେବାକୁ ସାହସ କରିବ ! ଖର, ଦୂଷଣ ତ ମୋରି ପରି ବଳବାନ୍ । ସେମାନଙ୍କୁ ଈଶ୍ଵରଙ୍କ ବ୍ୟତୀତ ଆଉ କିଏ ମାରିପାରିବ ? ଏ ପୃଥିବୀର ଭାର ହରଣ କରିବାପାଇଁ ଯଦି ଭଗବାନ୍ ଅବତାର ଗ୍ରହଣ କରିଥିବେ, ତେବେ ମୁଁ ତାଙ୍କ ସହିତ ପ୍ରଥମେ ଶତ୍ରୁତା ଆଚରଣ କରିବି । ପ୍ରଭୁଙ୍କ ବାଣ ଆଘାତରେ ମୃତ୍ୟୁଲାଭ କରି ଏ ସଂସାରରୁ ତ୍ରାହି ପାଇବି । ଏ ତମୋପୂର୍ଣ୍ଣ ଶରୀରରେ ଭଜନ ତ କେବେ କରିନାହିଁ । ଭଗବାନ୍ ଯଦି ମନୁଷ୍ୟ ରୂପରେ ଜନ୍ମଗ୍ରହଣ କରିଅଛନ୍ତି, ତେବେ ତାଙ୍କରି ସ୍ତ୍ରୀକୁ ହରଣ କରି ଆଣିବି ।

 

ରାବଣ ମନରେ ଏପରି ବିଚାର କରି ସୀତାଙ୍କୁ ହରଣ କରିନେବା ପାଇଁ ମନରେ କୌଶଳ ପାଞ୍ଚିଲେ । ମାରୀଚ ନାମରେ ଏକ ମାୟାବୀ ରାକ୍ଷସ ସମୁଦ୍ରକୂଳରେ ବାସ କରୁଥିଲା । ମାରୀଚ ରାବଣକୁ ଦେଖି ପଚାରିଲା–‘ହେ ଲଙ୍କାର ରାଜା ରାବଣ, ଆପଣ ଏପରି କାହିଁକି ବ୍ୟସ୍ତ ହୋଇ ଏଠାକୁ ଆସିଲେ ?’ ରାବଣ ସୂର୍ପଣଖାର ସମସ୍ତ ବୃତ୍ତାନ୍ତ କହି ନିଜର ସମସ୍ତ କପଟ କୌଶଳ କଥା ପ୍ରକାଶ କରି କହିଲେ–‘ତୋ ଦ୍ଵାରା ଗୋଟିଏ ବଡ଼ କାମ ହେବ । ତୁ ଗୋଟିଏ କପଟ ମୃଗବେଶରେ ରାମ ଆଶ୍ରମ ପାଖରେ ବୁଲିବୁ । ତୋର ସୁନ୍ଦର ରୂପ ଦେଖି ସୀତା ତୋତେ ଧରିଆଣିବା ପାଇଁ ରାମଙ୍କୁ ଅନୁରୋଧ କରିବେ । ରାମ ଆଶ୍ରମ ଛାଡ଼ି ଚାଲିଗଲେ ମୁଁ କପଟବେଶରେ ସୀତାଙ୍କୁ ହରଣ କରିନେବି ।’

 

ମାରୀଚ ରାବଣଙ୍କର ଏ କପଟ କୌଶଳର କଥା ଶୁଣି କହିଲା–ହେ ଦଶଗ୍ରୀବ, ହେ ଚରାଚର ସ୍ଵାମୀ, ତୁମେ ସେହି ଶ୍ରୀରାମଙ୍କ ସହିତ ଶତ୍ରୁତା କର ନାହିଁ । ଜୀବନ ମରଣ ତାଙ୍କରି ଅଧୀନ ଅଟେ । ସେ ମୁନି ବିଶ୍ଵାସଙ୍କର ଯଜ୍ଞରକ୍ଷା କରିବାକୁ ଆସିଥିଲାବେଳେ ମୁଁ ତାଙ୍କର ବଳ ଜାଣିପାରିଛି । ସେତେବେଳେ ସେ ମୋତେ ଯେଉଁ ବାଣ ମାରିଥିଲେ ତାହାରି ପ୍ରଭାବରେ ମୁଁ ଶତ ଯୋଜନ ଦୂରରେ କ୍ଷଣକ ମଧ୍ୟରେ ଯାଇ ପଡ଼ିଲି । ତାଙ୍କ ସହିତ ଶତ୍ରୁତା କଲେ ମଙ୍ଗଳ ହୁଏ ନାହିଁ । ମୁଁ ଶ୍ରୀରାମ ଓ ଲକ୍ଷ୍ମଣ ଦୁଇ ଭାଇଙ୍କୁ ସବୁ ସ୍ଥାନରେ ଦେଖିପାରୁଛି । ସେମାନଙ୍କୁ ସାଧାରଣ ମନୁଷ୍ୟ ବୋଲି ବିଚାର କର ନାହିଁ । ତାଙ୍କ ସହିତ ବିରୋଧ କଲେ କେହି ହେଲେ ସଫଳ ହୋଇ ପାରିବେ ନାହିଁ । ସେ ତାଡ଼କା ଓ ସୁବାହୁକୁ ବଧ କଲେ । ଖର, ଦୂଷଣ, ତ୍ରିଶିରା ସମସ୍ତେ ତାଙ୍କରି ଦ୍ଵାରା ନିହତ ହେଲେ । ମନୁଷ୍ୟ ଏପରି ପ୍ରଚଣ୍ଡ ବଳବାନ କେବେ କେଉଁଠି ହୋଇପାରେ ନାହିଁ । ଆପଣ କୁଳର ମଙ୍ଗଳ ମନାସି ଏ କାର୍ଯ୍ୟରେ ହାତ ଦିଅନ୍ତୁ ନାହିଁ ।

 

ମାରୀଚ ଏ ଉପଦେଶ ବାଣୀ ଶୁଣିବାମାତ୍ରେ ରାବଣ କ୍ରୋଧରେ କମ୍ପି ଉଠିଲେ । ମାରୀଚକୁ କହିଲେ–ଆରେ ମୂର୍ଖ, ଗୁରୁପରି ମୋତେ ତୁ ଜ୍ଞାନଶିକ୍ଷା ଦେଉଛୁ ? ପୃଥିବୀରେ ମୋପରି ଯୋଦ୍ଧା କୌଣସି ସ୍ଥାନରେ ଅଛନ୍ତି ବୋଲି ତୁ ଭାବିଛୁ ?

 

ମାରୀଚ ବିଚାରିଲା, ପୃଥିବୀରେ ଲୋକେ କୁହନ୍ତି, ଏହି ନଅ ଜଣ ବ୍ୟକ୍ତିଙ୍କର ବିରୋଧ କରିବା ଉଚିତ ନୁହେଁ । ଶସ୍ତ୍ରଧାରୀ, ଭେଦୀ, ସମର୍ଥ ପ୍ରଭୁ, ଧନବାନ ବ୍ୟକ୍ତି, ମୂର୍ଖ, ବୈଦ୍ୟ, ଭାଟ, କବି ଏବଂ ସୁପକାର । ଏମାନଙ୍କର ବିରୋଧ କଲେ କଲ୍ୟାଣ ହୁଏ ନାହିଁ । ମୋର ବର୍ତ୍ତମାନ ଜୀବନ ଦୁଇ ଦିଗରୁ ସଂକଟାପନ୍ନ । ପ୍ରଭୁ ଶ୍ରୀରଘୁନାଥଙ୍କର ଶରଣାପନ୍ନ ହେଲେ ମୁକ୍ତି ପାଇବି । ମୁଁ ଏ ରାବଣର କଥାରେ ଅସ୍ଵୀକୃତ ହେଲେ ଏ ମୋତେ ହତ୍ୟା କରିବ । ତେବେ ଶ୍ରୀରଘୁନାଥଙ୍କ ବାଣରେ ନ ମରିବି କାହିଁକି ? ଶ୍ରୀରାମଚନ୍ଦ୍ରଙ୍କର କ୍ରୋଧ ମଧ୍ୟ ମୋକ୍ଷଦାନ କରେ । ତେଣୁ ତାଙ୍କର ବାଣଦ୍ଵାରା ମୃତ୍ୟୁଲାଭ କରିବା ପରମ ସୌଭାଗ୍ୟ ଅଟେ । ଧନୁର୍ବାଣ ଧାରଣ କରି ଶ୍ରୀରାମ ମୋତେ ଅନୁସରଣ କରୁଥିବେ । ସେ ମୋତେ ଅନୁସରଣ କଲାବେଳେ ମୁଁ ପଛକୁ ଚାହିଁ ଚାହିଁ ତାଙ୍କୁ ଦର୍ଶନ କରୁଥିବି । ଶେଷରେ ତାଙ୍କରି ବାଣରେ ମରିବି । ମୋପରି ଭାଗ୍ୟବାନ୍ ଆଉ କିଏ ଅଛି ?

 

ଏହିପରି ମନରେ ବିଚାର କରି ରାବଣଙ୍କର କଥାରେ ସମ୍ମତି ଦେଲା ଏବଂ ତାଙ୍କ ସହିତ ଗଲା ।

 

ଯେତେବେଳେ ମାରୀଚ ଓ ରାବଣ ମଧ୍ୟରେ ଏପରି କଥାବାର୍ତ୍ତା ଚାଲିଥିଲା ସେତିକିବେଳେ ପଞ୍ଚବଟୀରେ ଏକ ଅଦ୍ଭୁତ ଲୀଳା ଘଟିଲା । ଶ୍ରୀରାମାଶ୍ରମରେ ସେତେବେଳେ ଲକ୍ଷ୍ମଣ ନ ଥିଲେ । ସେ ଫୁଳମୂଳ ସଂଗ୍ରହ କରିବାପାଇଁ ବନ ମଧ୍ୟକୁ ଯାଇଥିଲେ । ଶ୍ରୀରାମଚନ୍ଦ୍ର ଓ ଜାନକୀ ଦୁହେଁ ଆଶ୍ରମରେ ଥିଲେ । ଶ୍ରୀରାମ ଜାନକୀଙ୍କୁ କହିଲେ–ମୁଁ ବର୍ତ୍ତମାନ ସୁନ୍ଦର ମନୁଷ୍ୟଲୀଳା କରିବାକୁ ଯାଉଛି । ମୁଁ ରାକ୍ଷସମାନଙ୍କୁ ବିନାଶ କରିବି । ରାକ୍ଷସମାନଙ୍କର ବିନାଶ ପର୍ଯ୍ୟନ୍ତ ତୁମେ ଅଗ୍ନି ମଧ୍ୟରେ ନିବାସ କରିବ ।

 

ଶ୍ରୀରାମଙ୍କର ଲୀଳା ସାଧନ ନିମନ୍ତେ ସୀତା ଅଗ୍ନି ମଧ୍ୟରେ ପ୍ରବେଶ କଲେ । ସୀତାଙ୍କର ଛାୟାମୂର୍ତ୍ତି ତାଙ୍କର ସ୍ଵଭାବ ଓ ରୂପ ଗ୍ରହଣ କଲା ।

Image

 

ମାୟାମୃଗ

 

ରାବଣଙ୍କର ଆଦେଶରେ ମାରୀଚ ସୁନାମୃଗବେଶ ଧାରଣ କଲା । ତାହାର ସ୍ଵର୍ଣ୍ଣମୟ ଶରୀରରେ ମଣି ଜଡ଼ିତ ଥିଲା ଭଳି ଦିଶୁଥିଲା । ମୃଗ ଅତି ବିଚିତ୍ର ଦିଶିଲା ।

 

ପଞ୍ଚବଟୀର ରାମାଶ୍ରମ ସମ୍ମୁଖରେ କପଟବେଶୀ ମୃଗ ବନ ମଧ୍ୟରେ ବୁଲିଲା । ତାର ପ୍ରତ୍ୟେକ ଅଙ୍ଗର ଛଟା ମନୋହର ଦିଶୁଥିଲା I ସୀତା ତାହାକୁ ଦେଖିପାରିଲେ । ତାହାର ରୂପରେ ମୁଗ୍‌ଧ ହୋଇ ସୀତା ଶ୍ରୀରାମଙ୍କୁ କହିଲେ–‘ହେ ଦେବ ! ଏ ମୃଗଟି କି ସୁନ୍ଦର ! ଏହାର ଛାଲଟି କି ସୁନ୍ଦର ବିଚିତ୍ର ଦେଖାଯାଉଛି ! ଏହାକୁ ହତ୍ୟା କରି ତାହାର ଛାଲଟିକୁ ମୋ ପାଇଁ ଆଣିଦିଅ ।’ ସୀତାଙ୍କର ଅନୁରୋଧ ଶ୍ରୀରାମ ଏଡ଼ିଦେଇ ପାରିଲେ ନାହିଁ । ସେ କଟିବସ୍ତ୍ରକୁ ଜୋରରେ ଭିଡ଼ିଦେଲେ । ହାତରେ ଧନୁ ଧରି ଯିବା ପୂର୍ବରୁ ଲକ୍ଷ୍ମଣକୁ ଡାକି କହିଲେ–ଭାଇ, ଦେଖ ବନ ମଧ୍ୟରେ ବହୁ ରାକ୍ଷସ ବୁଲୁଛନ୍ତି । ସେମାନେ ବଡ଼ କପଟୀ । ତୁମେ ତୁମର ବିବେକ ଓ ବଳଦ୍ଵାରା ସୀତାଙ୍କୁ ରକ୍ଷା କରିବ, ମୁଁ ମୃଗ ଆଣିବା ପାଇଁ ବାହାରିଲି ।

 

ଶ୍ରୀରାମଙ୍କୁ ଦେଖିବାମାତ୍ରେ ମୃଗ ଦୌଡ଼ିବାକୁ ଆରମ୍ଭ କଲା । ଶ୍ରୀରାମ ତାହାର ଅନୁଧାବନ କଲେ । ମୃଗ କେତେବେଳେ ନିକଟରେ ଦେଖାଦେଇ ଦୂରକୁ ଦୌଡ଼ି ପଳାଉଥିଲା । କେତେବେଳେ ଅବା ବୃକ୍ଷ ଅଚ୍ଛାଦନ ମଧ୍ୟରେ ପ୍ରକଟିତ ହେଉଥିଲା । ଏହିପରି ଭାବରେ ଛଳକରି ଶ୍ରୀରାମଙ୍କୁ ବହୁଦୂର ପର୍ଯ୍ୟନ୍ତ ନେଇଗଲା । ସେତିକିବେଳେ ଶ୍ରୀରାମ ମୃଗକୁ ଲକ୍ଷ୍ୟ କରି ଏକ ଶର ମାରିଲେ । ସେହି ଶର ତାହା ଦେହରେ ବାଜିବାମାତ୍ରେ ସେ ଭୀଷଣ ଶବ୍ଦ କରି ତଳେ ପଡ଼ିଗଲା । ସେତିକିବେଳେ ମୃଗ ‘ହା’ ଲକ୍ଷ୍ମଣ’ ବୋଲି ଉଚ୍ଚ ସ୍ଵରରେ ଶବ୍ଦ କଲା । ହୃଦୟରେ ସେ ଶ୍ରୀରାମଙ୍କୁ ସ୍ମରଣ କରି ପ୍ରାଣ ତ୍ୟାଗ କଲା ଏବଂ ଅସୁରଜନ୍ମରୁ ମୁକ୍ତି ପାଇଲା ।

 

ଶ୍ରୀରାମ ମାରୀଚକୁ ମାରିବା ସମୟରେ ଏଣେ ସୀତା ମାରୀଚର କପଟଧ୍ଵନି ଶୁଣିପାରିଲେ । ସୀତା ଲକ୍ଷ୍ମଣଙ୍କୁ କହିଲେ–‘ତୁମର ଭାଇ ମହାଶଙ୍କଟରେ ପଡ଼ିଛନ୍ତି, ତୁମେ ଶୀଘ୍ର ଯାଅ ।’ ଏହା ଶୁଣି ଲକ୍ଷ୍ମଣ ହସି ହସି କହିଲେ–ହେ ମାତା ! ଯାହାଙ୍କର ଭ୍ରୂକୁଟିଭଙ୍ଗୀଦ୍ଵାରାର ସମସ୍ତ ସୃଷ୍ଟିରେ ପ୍ରଳୟ ହୋଇପାରେ ସେ ଶ୍ରୀରାମଚନ୍ଦ୍ର କିପରି ସଙ୍କଟରେ ପଡ଼ିବେ ?

 

ସୀତା ଲକ୍ଷ୍ମଣଙ୍କର ସାନ୍ତ୍ୱନା-ବାକ୍ୟରେ ଧୈର୍ଯ୍ୟ ଧାରଣ କରି ପାରିଲେ ନାହିଁ । ସେ ଲକ୍ଷ୍ମଣଙ୍କୁ ନାନା ମର୍ମଭେଦୀ ବାଣୀ କହିଲେ । ଲକ୍ଷ୍ମଣ ସେଥିରେ ଚଞ୍ଚଳ ହୋଇପଡ଼ିଲେ । ତାଙ୍କର ମନ ବ୍ୟସ୍ତ ହୋଇଗଲା । ବନଦେବୀ ଓ ଦିଗଦେବତାମାନଙ୍କ ହାତରେ ସୀତାଙ୍କୁ ସମର୍ପଣ କରି ଲକ୍ଷ୍ମଣ ବନ ମଧକୁ ଚାଲିଗଲେ ।

 

ଏ ସୁବିଧା ଦେଖି ରାବଣ ସନ୍ନ୍ୟାସୀବେଶରେ ସୀତାଙ୍କ ପାଖକୁ ଆସିଲେ । ସୀତା ଆଶ୍ରମରେ ଏକାକିନୀ । ଯେଉଁ ରାବଣଙ୍କୁ ଦେବତା ଓ ଦୈତ୍ୟମାନେ ଭୟ କରନ୍ତି ସେ ନିତାନ୍ତ ହେୟ ଶ୍ଵାନ ସଦୃଶ । ଏ ଦିଗ ସେ ଦିଗକୁ ଦୃଷ୍ଟି ପକାଇ କପଟବେଶରେ ଆଶ୍ରମଦ୍ଵାରରେ ପହଞ୍ଚିଲେ । କୁମାର୍ଗରେ ପଦ ନିକ୍ଷେପ କଲେ ଶରୀରର ତେଜ ଓ ବଳ ସବୁ ନଷ୍ଟ ହୋଇଯାଏ । ରାବଣ ସୀତାଙ୍କୁ ଚୋରିକରିବା ଉଦ୍ଦେଶ୍ୟରେ ଆସିଥିବାରୁ ମନରେ ଭୟ ଥାଏ । ସୀତାଙ୍କ ପାଖରେ ପହଞ୍ଚି ସୀତାଙ୍କୁ ନାନା ମଧୁର କଥା କହି ରାଜନୀତି, ଭୟ ଓ ପ୍ରେମ ପ୍ରଦର୍ଶନ କଲେ । ସୀତା କହିଲେ–‘ହେ ଯତି, ତୁମର କଥାରୁ ତୁମର ଦୁଷ୍ଟ ମନୋଭାବ ଜଣାପଡୁଛି ।’ ସୀତାଙ୍କର ଏପରି କଥା ଶୁଣି ରାବଣ ସ୍ଵରୂପ ପ୍ରକାଶ କରି ନିଜର ନାମ କହିଲେ । ସୀତା ରାବଣ ନାମ ଶୁଣି ଭୟଭୀତ ହେଲେ । ପୁଣି ଧୈର୍ଯ୍ୟ ଅବଲମ୍ବନ କରି କହିଲେ–ଆରେ ଦୁଷ୍ଟ, ମୋର ପ୍ରଭୁ ଆସିବା ପର୍ଯ୍ୟନ୍ତ ତୁ ସେଠାରେ ଅପେକ୍ଷା କର । ସିଂହର ପତ୍ନୀକୁ ତୁଚ୍ଛ ଶଶକ ଇଚ୍ଛା କରିପାରେ କି ? ତୁ ବର୍ତ୍ତମାନ କାଳର ବଶ ହୋଇଅଛୁ ।

 

ରାବଣ ଏହା ଶୁଣି କ୍ରୋଧପରବଶ ହେଲେ; କିନ୍ତୁ ମନେମନେ ସେ ସୀତାଙ୍କର ଚରଣ ବନ୍ଦନା କରୁଥାନ୍ତି । ରାବଣ ବଳପୂର୍ବକ ସୀତାଙ୍କୁ ରଥରେ ବସାଇ ଆକାଶମାର୍ଗରେ ରଥ ଚାଳନା କଲେ; କିନ୍ତୁ ମନ ମଧ୍ୟରେ ଭୟ ଥାଏ ।

 

ସୀତା କାନ୍ଦି କାନ୍ଦି କହୁଥାନ୍ତି, ହେ ଶ୍ରୀରଘୁନାଥ, ମୋର କି ଅପରାଧରୁ ମୋଠାରୁ ଦୂରରେ ଆପଣ ରହିଲେ ? ହେ ଶରଣାଗତବତ୍ସଳ ! ମୋତେ କିଏ ରକ୍ଷା କରିବ ? ହେ ଲକ୍ଷ୍ମଣ ! ତୁମର ତିଳେ ହେଲେ ଦୋଷ ନାହିଁ । ମୁଁ ମୋର କ୍ରୋଧର ଫଳ ପାଉଛି । ମୋର ଏ ବିପତ୍ତିକୁ କିଏ ମୋ ପ୍ରଭୁଙ୍କୁ ଜଣାଇବ ? ଯଜ୍ଞ-ଅନ୍ନକୁ ଗର୍ଦ୍ଦଭ ଭକ୍ଷଣ କରିବାକୁ ଇଚ୍ଛା କରୁଅଛି ।

 

ଏତିକିବେଳେ ଗୃଧ୍ରରାଜ ଜଟାୟୁ ସୀତାଙ୍କର ଦୁଃଖମୟ ବାଣୀ ଶ୍ରବଣ କରି ରାବଣ ସୀତାଙ୍କୁ ହରଣ କରି ନେଉଥିବାର ଜାଣିପାରିଲେ । ସେ ମନେକଲେ–କପିଳା ଗାଈ ପରି ପୁଣ୍ୟବତୀ ଜାନକୀ ମ୍ଲେଚ୍ଛ ରାବଣ ହାତରେ ପଡ଼ିଯାଇଛନ୍ତି । ସୀତାଙ୍କର ବିଳାପ ଶୁଣି ସେ କହିଲେ–ହେ ସୀତେ ! ଭୟ କର ନାହିଁ ! ମୁଁ ଏ ରାକ୍ଷସକୁ ନାଶ କରିବି । ପର୍ବତ ଆଡ଼କୁ ବଜ୍ର ଦ୍ରୁତଗତିରେ ଦୌଡ଼ୁଥିଲା ପରି ଜଟାୟୁ କ୍ରୋଧରେ ରାବଣ ପାଖକୁ ଆସୁଥିଲାବେଳେ ରାବଣଙ୍କୁ କହିଲେ–ଆରେ ଦୁଷ୍ଟ ! ତୁ ମୋ ସହିତ ଯୁଦ୍ଧକରିବା ପାଇଁ ଅପେକ୍ଷା ନ କରି ଦୌଡ଼ି ଚାଲିଯାଉଛୁ କାହିଁକି ? ମୁଁ କଣ ତୋତେ ଚିହ୍ନି ନାହିଁ ?

 

ବୃଦ୍ଧ ଜଟାୟୁର କ୍ରୋଧ ଦେଖି ରାବଣ ମନେକଲେ ଯେ ଜଟାୟୁ ତାଙ୍କ ହାତରେ ବିନଷ୍ଟ ହେବ । ଜଟାୟୁ କହିଲେ–‘ଆରେ ରାବଣ, ମୋର ନୀତିବାକ୍ୟ ଶୁଣ । ଜାନକୀଙ୍କୁ ତ୍ୟାଗକରି କୁଶଳପୂର୍ବକ ଲଙ୍କାପୁରୀକୁ ପ୍ରତ୍ୟାବର୍ତ୍ତନ କର । ତା ନ ହେଲେ, ଶ୍ରୀରାମଙ୍କର କ୍ରୋଧରୂପକ ଅଗ୍ନିରେ ତୁମର ସମସ୍ତ ବଂଶଧର ପତଙ୍ଗ ପରି ଝାସଦେବେ ।’ ରାବଣ ଜଟାୟୁର କଥା ନ ଶୁଣି ରଥ ଚଲାଇବାକୁ ଲାଗିଲେ । ଜଟାୟୁ ଆକାଶରେ ଉଡ଼ି ଉଡ଼ି ରାବଣଙ୍କ କେଶ ଆକର୍ଷଣ କରି ରଥକୁ ତଳକୁ ଟାଣିଆଣିଲେ; ରାବଣକୁ ନିଜ ଚଞ୍ଚୁରେ ମାରି ମାରି ତା ଶରୀରକୁ ବିବର୍ଣ୍ଣ କରିବାକୁ ଲାଗିଲେ । ରାବଣ କ୍ଷଣକାଳ ମୂର୍ଚ୍ଛିତ ହୋଇପଡ଼ିଲେ; କିନ୍ତୁ ପରକ୍ଷଣରେ ଉଠି ତରବାରିକୁ କୋଷମୁକ୍ତ କରି ସେଥିରେ ଜଟାୟୁର ପକ୍ଷଗୁଡ଼ିକ କାଟିପକାଇଲେ । ଜଟାୟୁ ଶ୍ରୀରାମଙ୍କୁ ସ୍ମରଣ କରି କରି ପୃଥିବୀ ଉପରେ ପଡ଼ିରହିଲେ ।

 

ରାବଣ ସୀତାଙ୍କୁ ରଥରେ ବସାଇ ଲଙ୍କା ଦିଗକୁ ରଥ ଚାଳନ କଲେ । ସୀତା ଆକାଶରେ ବିଳାପ କରି ଯାଉଥିଲାବେଳେ ଗୋଟିଏ ପର୍ବତ ଉପରେ ଅନେକଗୁଡ଼ିଏ ବାନର ବସିଥିବାର ଲକ୍ଷ୍ୟ କଲେ । ସେତିକିବେଳେ ସୀତା ତାଙ୍କର ଖଣ୍ଡିଏ ବସ୍ତ୍ର ଓ ଅଳଙ୍କାର ତଳକୁ ପକାଇଦେଲେ । ସେ ବସ୍ତ୍ରଖଣ୍ଡି ସେହି ବାନରମାନଙ୍କ ପାଖରେ ପଡ଼ିଲା । ରାବଣ ଲଙ୍କାଗଡ଼ରେ ପହଞ୍ଚି ସୀତାଙ୍କୁ ନେଇ ଅଶୋକବନରେ ଅଶୋକବୃକ୍ଷ ତଳେ ରଖିଦେଲେ ।

Image

 

ସୀତା ଅନ୍ୱେଷଣ

 

ଶ୍ରୀରାମଚନ୍ଦ୍ର ମାୟାମୃଗକୁ ମାରି ପ୍ରତ୍ୟାବର୍ତ୍ତନ କଲାବେଳକୁ ଲକ୍ଷ୍ମଣଙ୍କୁ ବାଟରେ ଦେଖିଲେ । ତାଙ୍କ ମନରେ ନାନା ଚିନ୍ତା ଆସିଲା । ସେ ଲକ୍ଷ୍ମଣଙ୍କୁ କହିଲେ–ତୁମେ ଜାନକୀକୁ ଏକାକୀ ଛାଡ଼ି ଆସିଲ କିପରି ? ରାକ୍ଷସମାନେ ବନରେ ବୁଲୁଛନ୍ତି । ମୋର ଧାରଣା ହେଉଛି ସୀତା ଆଉ ଆଶ୍ରମରେ ନାହାନ୍ତି ।

 

କନିଷ୍ଠ ଲକ୍ଷ୍ମଣ ଶ୍ରୀରାମଙ୍କର ପାଦତଳେ ପଡ଼ି ପୁଣି ହାତଯୋଡ଼ି କହିଲେ, ‘ହେ ନାଥ ! ମୋର କିଛି ଦୋଷ ନାହିଁ ।’ ଶ୍ରୀରାମ ଲକ୍ଷ୍ମଣ ଗୋଦାବରୀ ନଦୀତଟରେ ଥିବା ଆଶ୍ରମକୁ ଯାଇ ସୀତାଙ୍କୁ ଦେଖିଲେ ନାହିଁ । ଜାନକୀଙ୍କୁ ନ ଦେଖି ଶ୍ରୀରାମ ସାଧାରଣ ମନୁଷ୍ୟ ପରି ବିକଳ ଭାବରେ ବିଳାପ କରିବାକୁ ଲାଗିଲେ । ଲକ୍ଷ୍ମଣ ତାଙ୍କୁ ନାନାପ୍ରକାର କଥା କହି ବୁଝାଇଲେ । ଶ୍ରୀରାମ ଲତାବୃକ୍ଷ, ପଶୁପକ୍ଷୀମାନଙ୍କୁ ସଂବୋଧନ କରି ପଚାରିଲେ, ‘ତୁମ୍ଭେମାନେ ମୃଗନୟନୀ ସୀତାଙ୍କୁ ଦେଖିଅଛ କି ? ସମସ୍ତଙ୍କୁ ପଚାରି ପଚାରି ବଣରେ ଅଗ୍ରସର ହେଲେ । ବନମଧ୍ୟରେ ଗୋଟିଏ ସ୍ଥାନରେ ଜଟାୟୁ ଆହତ ହୋଇ ପଡ଼ିଥିବାର ଦେଖିଲେ । ଜଟାୟୁଙ୍କର ଅର୍ଦ୍ଧମୃତ ଶରୀରକୁ ଦେଖି ଶ୍ରୀରାମଚନ୍ଦ୍ର ତାହାଙ୍କର ଶିରକୁ ସ୍ପର୍ଶ କଲେ । ସଙ୍ଗେ ସଙ୍ଗେ ଜଟାୟୁଙ୍କର ପୀଡ଼ା ଦୂର ହେଲା । ଜଟାୟୁ କହିଲେ–ହେ ଶ୍ରୀରାମ ! ରାବଣ ମୋତେ ଏହିପରି କରିଅଛି । ସେହି ଦୁଷ୍ଟ ରାବଣ ସୀତାଙ୍କୁ ଚୋରିକରି ନେଉଥିଲା । ସୀତା ହରିଣୀ ପରି କାନ୍ଦୁଥିଲେ । ସେ ଦୁଷ୍ଟ ରାବଣ ସୀତାଙ୍କୁ ଦକ୍ଷିଣଦିଗକୁ ରଥରେ ବସାଇ ନେଇଗଲା । ମୁଁ ଆପଣଙ୍କର ଦର୍ଶନ ନିମନ୍ତେ ଏଠାରେ ପଡ଼ିରହିଅଛି-। ବର୍ତ୍ତମାନ ଏ ଶରୀରରୁ ପ୍ରାଣ ଚାଲିଯିବାକୁ ଇଚ୍ଛା କରୁଅଛି । ମୃତ୍ୟୁ ସମୟରେ ଯାହାଙ୍କର ନାମ ସ୍ମରଣ କଲେ ଅଧମ ମଧ୍ୟ ମୁକ୍ତ ହୋଇଯାଏ, ସେହି ପ୍ରଭୁ ମୋର ସମ୍ମୁଖରେ ଦଣ୍ଡାୟମାନ । ତେବେ ଜୀବନରେ କି ଅଭାବ ନିମନ୍ତେ ଏ ଜୀବନ ରଖିବି ?

 

ଶ୍ରୀରାମ କହିଲେ–ତୁମେ ତୁମର ଶ୍ରେଷ୍ଠ କାର୍ଯ୍ୟ ନିମନ୍ତେ ମୁକ୍ତି ପାଇବ । ଯେ ସବୁବେଳେ ଅନ୍ୟର ହିତଚିନ୍ତା କରେ ତାହାପାଇଁ ଜଗତର କୌଣସି ଦ୍ରବ୍ୟ ଦୂର୍ଲଭ ନୁହେଁ । ତୁମର ସମସ୍ତ ଇଚ୍ଛା ଫଳବତୀ ହେବ । ତୁମେ ପରମଧାମକୁ ଯାତ୍ରା କରିବ । ସେଠାରେ ମୋର ପିତାଙ୍କୁ ସୀତାହରଣ ସଂବାଦ କହିବ ନାହିଁ । ମୁଁ ଯଦି ରାମ ହୋଇଥାଏ, ନିଜେ ଦଶମୁଖ ରାବଣ କୁଟୁମ୍ବ ସହିତ ଯାଇ ନିଜେ ସେ ସଂବାଦ କହିବି ?

 

ଜଟାୟୁ ଗୃଧ୍ରଶରୀର ତ୍ୟାଗକଲେ ଏବଂ ପରମ ସୁନ୍ଦର ରୂପ ହୋଇ ଶ୍ରୀରାମଙ୍କୁ ସ୍ତୁତି କଲେ ଏବଂ ପରମଧାମକୁ ଯାତ୍ରାକଲେ । ଶ୍ରୀରାମ ସ୍ଵୟଂ ସ୍ଵହସ୍ତରେ ଜଟାୟୁଙ୍କର ଶୁଦ୍ଧିକ୍ରିୟା ସମାପନ କଲେ ।

 

ଦୁଇଭାଇ ସୀତାଙ୍କୁ ଖୋଜି ଖୋଜି ଭୀଷଣ ବନ ମଧ୍ୟରେ ଯାତ୍ରାକଲେ । ମାର୍ଗରେ କବନ୍ଧ ରାକ୍ଷସକୁ ଦେଖିଲେ । ଶ୍ରୀରାମ କବନ୍ଧ ରାକ୍ଷସକୁ ହତ୍ୟା କଲେ । କବନ୍ଧ ଶାପମୁକ୍ତ ହୋଇ ନିଜର ଅଭିଶାପ ବୃତ୍ତାନ୍ତ ଶ୍ରୀରାମଙ୍କ ସମ୍ମୁଖରେ ବଖାଣି କହିଲା, ‘ଦୁର୍ବାସାଙ୍କ ଅଭିଶାପ ଫଳରେ ମୁଁ ଏ ଶରୀର ପାଇଥିଲି । ଆପଣଙ୍କର ଚରଣକମଳ ଦର୍ଶନ କରି ମୁଁ ପାପମୁକ୍ତ ହେଲି । ଅଭିଶାପମୁକ୍ତ ହୋଇ ସେ ଗନ୍ଧର୍ବରୂପ ଧାରଣ କରିବାରୁ ଶ୍ରୀରାମ ତାହାଙ୍କୁ ଭଗବତଧର୍ମ ବିଷୟରେ ନାନା ଉପଦେଶ ଦେଲେ । ସେ ଶ୍ରୀରାମଙ୍କ ଚରଣରେ ନମସ୍କାର କରି ସ୍ଵର୍ଗଧାମକୁ ଚାଲିଗଲେ ।

 

ଶ୍ରୀରାମ ସେଠାରୁ ମାର୍ଗରେ ଯିବାବେଳେ ଜଣେ ଶବରୀର ଆଶ୍ରମ ଦେଖିଲେ । ଶବରୀ ପୂର୍ବରୁ ଶ୍ରୀରାମଙ୍କର ଆଗମନ ସମ୍ବାଦ ପାଇଥିଲେ । ସେ ଶ୍ରୀରାମଙ୍କୁ ଦେଖୁ ଦେଖୁ ତାଙ୍କ ଚରଣ ତଳେ ସାଷ୍ଟାଙ୍ଗ ହୋଇ ପଡ଼ିଗଲେ । ଆଶ୍ରମରୁ ଜଳ ନେଇ ଅତି ଶ୍ରଦ୍ଧାରେ ଆଦରପୂର୍ବକ ଦୁଇଭାଇଙ୍କର ଚରଣ ଧୌତ କଲେ ଏବଂ ସେ ସେମାନଙ୍କୁ ସୁନ୍ଦର ଆସନରେ ବସାଇଲେ । ନାନା ପ୍ରକାର ଫଳମୂଳ ବାଛି ବାଛି ଶବରୀ ରାମ ଲକ୍ଷ୍ମଣଙ୍କୁ ଦେଇ ସେମାନଙ୍କ ସମ୍ମୁଖରେ ହାତ ଯୋଡ଼ି ଠିଆହୋଇ କହିଲେ–ହେ ଶ୍ରୀରଘୁନାଥ, ମୁଁ ଜଣେ ଅତି ନୀଚ ଜାତିର ସ୍ତ୍ରୀ, ମୋତେ ସ୍ତୁତି ଆସେ ନାହିଁ । ମୁଁ ଅତ୍ୟନ୍ତ ମୂର୍ଖ ଓ ଅଧମ ।

 

ଶ୍ରୀରାମଚନ୍ଦ୍ର କହିଲେ–ଜାତି, ଧର୍ମ, ବଳ, ଧନ, କୁଳ, କୁଟୁମ୍ବ ଓ ଚତୁରତା, ଏ ସବୁଠାରୁ ଭକ୍ତି ବଡ଼ ଅଟେ । କପଟ ତ୍ୟାଗ କରି ଈଶ୍ଵରଙ୍କର ଗୁଣ ଜପ କର, ସମସ୍ତଙ୍କୁ ସମାନଭାବରେ ଦର୍ଶନ କର । ମନରେ ସନ୍ତୋଷ ରଖ । ପରର ଦୋଷ ଦେଖ ନାହିଁ । ଏହା ହିଁ ପରମଭକ୍ତି ଅଟେ । ତୁମେ ଯଦି ଜାନକୀଙ୍କର କୌଣସି ସମ୍ବାଦ ଜାଣିଛ ମୋତେ କହ ?

 

ଶବରୀ କହିଲେ, ‘ହେ ରଘୁନାଥ’, ଆପଣ ପମ୍ପା ନାମକ ସରୋବର ନିକଟକୁ ଯାନ୍ତୁ । ସେଠାରେ ସୁଗ୍ରୀବାଦି ବାନରମାନେ ଅଛନ୍ତି । ଆପଣ ସୁଗ୍ରୀବଙ୍କ ସହିତ ମିତ୍ରତା ସ୍ଥାପନ କଲେ ସେ ଆପଣଙ୍କୁ ସମସ୍ତ ଘଟଣା କହିବେ । ଆପଣ ସର୍ବଜ୍ଞ, ତଥାପି ମୋତେ ଆପଣ ପଚାରୁଛନ୍ତି ।’ ଏତିକି କହି ଶବରୀ ଗଦ୍‌ଗଦ ହୋଇ ଶ୍ରୀରାମଙ୍କ ମୁଖକୁ ଚାହିଁ ଚାହିଁ ସ୍ତୁତି କରିବାକୁ ଲାଗିଲେ ।

 

ଶବରୀଠାରୁ ବିଦାୟ ନେଇ ଶ୍ରୀରାମ ଓ ଲକ୍ଷ୍ମଣ ବନ ମଧ୍ୟରେ ଅଗ୍ରସର ହେଲେ । ମାର୍ଗରେ ବନର ସୁନ୍ଦର ଶୋଭା ଦେଖି ଦେଖି ବନର ହସ୍ତୀଯୂଥ, ମୃଗ ଓ ନାନା ପ୍ରକାର ପଶୁପକ୍ଷୀମାନଙ୍କୁ ପଚାରି ପଚାରି ଦୁହେଁ ଚାଲୁଥାନ୍ତି । କିଛି ଦୂର ଯିବା ପରେ ସେମାନେ ଗୋଟିଏ ସରୋବର ଦେଖିଲେ । ସରୋବରରେ ସ୍ନାନ କରି କୂଳରେ ଥିବା ଏକ ବୃକ୍ଷମୂଳେ ଦୁହେଁ ବସିଲେ । ବହୁ ଦେବତା ଓ ମୁନି ସେହି ସରୋବରରେ ସ୍ନାନ କରି ପ୍ରତ୍ୟାବର୍ତ୍ତନ କଲେ । ନାରଦ ସ୍ନାନାନ୍ତେ ଶ୍ରୀରାମ ଓ ଲକ୍ଷ୍ମଣଙ୍କୁ ଦେଖିଲେ । ସେ ମନେ ମନେ ଭାବିଲେ, ପ୍ରଭୁ ମୋର ଅଭିଶାପ ପାଇ ଏ ଦୁଃଖ ଭୋଗୁଛନ୍ତି; ପ୍ରେମର ଏ ଦୁଃଖଭାର ସହୁଛନ୍ତି !

 

ରାମ-ନାମ ବୀଣାଯନ୍ତ୍ରରେ ଗାଇ ଗାଇ ନାରଦ ମହର୍ଷି ଶ୍ରୀରାମଙ୍କ ନିକଟରେ ପହଞ୍ଚିଲେ-। ଲକ୍ଷ୍ମଣ ନାରଦଙ୍କର ଚରଣ ଧୌତ କଲେ । ନାରଦ ଶ୍ରୀରାମଚନ୍ଦ୍ରଙ୍କୁ କହିଲେ–ହେ ସ୍ଵାମୀ, ଆପଣ ସର୍ବଜ୍ଞ । ମୁଁ ଆପଣଙ୍କୁ କି ବର ପ୍ରାର୍ଥନା କରିବି; ମୋତେ ଅନୁଗ୍ରହ କରି ଏ ବରଟି ଦିଅନ୍ତୁ ।

 

ଶ୍ରୀରାମ କହିଲେ–ହେ ନାରଦ, ମୋର ସ୍ଵଭାବ ତୁମକୁ ଅଜଣା ନୁହେଁ । ମୋର କଣ ଏପରି କୌଣସି ପ୍ରିୟବସ୍ତୁ ଅଛି, ଯାହାକି ମୁଁ ତୁମକୁ ନ ଦେଇ ପାରିବି ?

 

ନାରଦ କହିଲେ, “ଆପଣଙ୍କର ଅଶେଷ ନାମ ଅଛି । କିନ୍ତୁ ଶ୍ରୀରାମନାମଠାରୁ ବଳି ଆଉ ନାମ ନାହିଁ । ମୁଁ ସେହି ରାମନାମ ମନ୍ତ୍ର ଜପରେ ସର୍ବଦା ତନ୍ମୟ ହୋଇ ରହିବି, ମୋତେ ଏତିକି ବର ଦିଅନ୍ତୁ ।’ କୃପାସାଗର ଶ୍ରୀ ନାରଦଙ୍କର ପ୍ରାର୍ଥନା ପୂରଣ କଲେ । ନାରଦ ପୁଣି କହିଲେ–ଆପଣ ମୋତେ ମାୟା ଦ୍ଵାରା ମୋହିତ କଲେ । ମୁଁ ବିବାହ କରିବାକୁ ମନ ବଳାଇଲି; କିନ୍ତୁ ଆପଣ ମୋତେ ବିବାହ କରାଇଲେ ନାହିଁ । ଏହାର କାରଣ କଣ ?

 

ଶ୍ରୀରାମ କହିଲେ–ଯେଉଁମାନେ ସମସ୍ତ ଆଶା ଭରସା ତ୍ୟାଗକରି କେବଳ ମୋତେ ଭଜନ କରନ୍ତି, ମୁଁ ସେମାନଙ୍କୁ ସର୍ବଦା ରକ୍ଷାକରେ । ମା’ ବାଳକକୁ ରକ୍ଷା କରନ୍ତି; କିନ୍ତୁ ବାଳକ ବୟସ୍କ ହେବା ପରେ ମଧ୍ୟ ମା’ଙ୍କର ସେହିପରି ସ୍ନେହ ତାହା ପ୍ରତି ରହିଥାଏ । ପୁତ୍ର ପ୍ରତି ସେହିପରି ସ୍ନେହ ଥିଲେ ସୁଦ୍ଧା ମାତା ବୟସ୍କ ପୁତ୍ରକୁ ରକ୍ଷା କରିବା ପାଇଁ ଚିନ୍ତା କରନ୍ତି ନାହିଁ । ଜ୍ଞାନୀ ବ୍ୟକ୍ତିମାନେ ମୋର ପୁତ୍ର ସଦୃଶ ଅଛନ୍ତି । ସେମାନେ ଜ୍ଞାନୀ ହୋଇ ସୁଦ୍ଧା ନିଜର ବଳ ପ୍ରତି ଅଭିମାନ ନ ରଖିଥିଲେ ସେମାନେ ମୋର ଶିଶୁପୁତ୍ର ପ୍ରତିମ ଅଟନ୍ତି । ମୁଁ ସେମାନଙ୍କୁ ରକ୍ଷା କରିଥାଏ ।

 

ଶ୍ରୀରାମଙ୍କର ଉପଦେଶ ବାଣୀ ଶୁଣି ମୁନି ଅତ୍ୟନ୍ତ ହୃଷ୍ଟ ହେଲେ । ତାଙ୍କର ଶରୀର ପୁଲକିତ ହେଲା । ନାରଦ ପୁଣି ଶ୍ରୀରାମଙ୍କୁ ସାଧୁ-ସନ୍ଥମାନଙ୍କର ଗୁଣ ବିଷୟରେ ନାନା କଥା କହିଲେ । ମୁନିଙ୍କଠାରୁ ବିଦାୟ ନେଇ ଶ୍ରୀରାମ ଓ ଲକ୍ଷ୍ମଣ ଋଷ୍ୟମୂକ ପର୍ବତ ଆଡ଼କୁ ବାହାରିଲେ ।

Image

 

କିଷ୍କିନ୍ଧ୍ୟାକାଣ୍ଡ

ସୁଗ୍ରୀବଙ୍କ ସହିତ ମିତ୍ରତା

 

ଋଷ୍ୟମୂକ ପର୍ବତ ଉପରେ ବାନରମାନେ ବସିଥିଲେ । ସେମାନେ ସୁଗ୍ରୀବଙ୍କର ସହଚର ଥିଲେ । ସୁଗ୍ରୀବ ବାଳୀଙ୍କର କନିଷ୍ଠ ଭ୍ରାତା । ବାଳୀଙ୍କ ତାଡ଼ନା ସହି ନ ପାରି ସେ ରାଜ୍ୟ ଛାଡ଼ି ସହଚରମାନଙ୍କ ସହିତ ସେଠାରେ ବାସ କରୁଥିଲେ । ସୁଗ୍ରୀବଙ୍କର ମନ୍ତ୍ରୀମାନେ ଶ୍ରୀରାମ ଓ ଲକ୍ଷ୍ମଣଙ୍କୁ ଦେଖି ଭୟଭୀତ ହୋଇଗଲେ । ସୁଗ୍ରୀବ ହନୁମାନଙ୍କୁ କହିଲେ–ହନୁମାନ, ଏମାନଙ୍କର ବକବୀର୍ଯ୍ୟ ଦେଖି ମୋ ମନରେ ଭୟ ଆସୁଛି । ତୁମେ ବ୍ରହ୍ମଚାରୀବେଶ ଧାରଣ କର; ସେମାନଙ୍କ ପାଖକୁ ଯାଇ ସେମାନଙ୍କଠାରୁ ସମସ୍ତ ଘଟଣା ଜାଣିବାକୁ ଚେଷ୍ଟା କର । ସଂକେତ ଦ୍ଵାରା ମୋତେ ସମସ୍ତ ବିଷୟ ଜଣାଅ । ମୋର ମନେ ହେଉଛି ବାଳୀ ଏମାନଙ୍କୁ ଆମ ଏଠାକୁ ପଠାଇଛନ୍ତି । ତାହା ଯଦି ହୋଇଥାଏ ତେବେ ଆମ୍ଭମାନଙ୍କୁ ଏ ପର୍ବତ ଛାଡ଼ିବାକୁ ହେବ ।

 

ହନୁମାନ ବ୍ରହ୍ମଚାରୀ ବ୍ରାହ୍ମଣବେଶ ଧାରଣ କଲେ । ସେ ଶ୍ରୀରାମ ଓ ଲକ୍ଷ୍ମଣଙ୍କ ପାଖରେ ଯାଇ ପହଞ୍ଚିଲେ । ସେମାନଙ୍କୁ ନମସ୍କାର କରି ପଚାରିଲେ–ଆପଣମାନେ କ୍ଷତ୍ରିୟବେଶରେ ଏ ବନ ମଧ୍ୟରେ ଭ୍ରମଣ କରୁଛନ୍ତି, ଏ କଠୋର ଭୂମି ଉପରେ ଆପଣଙ୍କର ଏ କୋମଳ ଚରଣରେ ପାଦଚରଣ କରୁଛନ୍ତି । ଏ ଦୁଃସହ କଷ୍ଟ ସହୁଛନ୍ତି କାହିଁକି ? ଆପଣ କ’ଣ ବ୍ରହ୍ମା ଓ ବିଷ୍ଣୁ ? ଏ ପୃଥିବୀର ଭାର ଲାଘବ କରିବା ପାଇଁ ଆପଣ ମନୁଷ୍ୟରୂପରେ ଅବତାର ଗ୍ରହଣ କରିଅଛନ୍ତି କି ?

 

ଶ୍ରୀରାମ କହିଲେ–ଆମେ ଦୁଇ ଜଣ କୋଶଳରାଜ ଦଶରଥଙ୍କର ପୁତ୍ର । ପିତାଙ୍କର ସତ୍ୟରକ୍ଷା କରିବା ନିମିତ୍ତ ବନ ମଧ୍ୟରେ ଭ୍ରମଣ କରୁଛୁ । ମୋର ନାମ ରାମ । ଏ ମୋର ଜାନକୀ ଭ୍ରାତା; ଏହାର ନାମ ଲକ୍ଷ୍ମଣ । ଆମ୍ଭ ଦୁଇଜଣଙ୍କ ସହିତ ମୋର ପତ୍ନୀ ସୁକୁମାରୀ ଜାନକୀ ବନବାସ କରିବାକୁ ଆସିଥିଲେ । କିନ୍ତୁ ରାକ୍ଷସମାନେ ଜାନକୀଙ୍କୁ ହରଣ କରି ନେଇଛନ୍ତି । ତାଙ୍କର ଅନୁସନ୍ଧାନ କରି କରି ଆମେ ଦୁଇଜଣ ବନମଧ୍ୟରେ ବୁଲୁଛୁ । ମୁଁ ଆମ୍ଭମାନଙ୍କର ଚରିତ କହିଲି । ହେ ବ୍ରାହ୍ମଣ, ଆପଣ ଆପଣଙ୍କର ପରିଚୟ ଦିଅନ୍ତୁ ।

 

ହନୁମାନ ଶ୍ରୀରାମଙ୍କୁ ଚିହ୍ନିପାରିଲେ । ତାଙ୍କର ପାଦତଳେ ସାଷ୍ଟାଙ୍ଗ ପ୍ରଣାମ କଲେ । ତାଙ୍କର ଶରୀର ପୁଲକିତ ହୋଇଉଠିଲା । ସେ ପ୍ରାର୍ଥନା କରି କହିଲେ–‘ହେ ସ୍ଵାମୀ, ମୁଁ ମୋର ବାନରବୃଦ୍ଧି ଯୋଗୁଁ ଆପଣଙ୍କୁ ଚିହ୍ନି ପାରିଲି ନାହିଁ । ମୋ ମନର କୁଟିଳତା, ଅଜ୍ଞାନତା ଓ ମୋହ ମୋତେ ଏ ବୁଦ୍ଧି ଦେଇଛି । ମୋଠାରେ ନାନା ଦୁର୍ଗୁଣ ରହିଛି । ଆପଣଙ୍କର କୃପା ଯୋଗୁଁ ମୁଁ ନିସ୍ତାର ପାଇବି । ଆପଣ ସ୍ଵାମୀ, ମୁଁ ସେବକ । ପ୍ରଭୁ ସେବକକୁ ପାଳନ-ପୋଷଣ କରନ୍ତି । ମୋର ଦୋଷ କ୍ଷମା କରନ୍ତୁ ।’ ହନୁମାନ ପୁଣି ପ୍ରଣାମ କଲେ ।

 

ଶ୍ରୀରାମ କହିଲେ–ହନୁମାନ, ତୁମେ ମନ ମଧ୍ୟରେ ଗ୍ଳାନି ରଖ ନାହିଁ । ସେବକ ମୋର ସବୁଠାରୁ ପ୍ରିୟ ।

 

ହନୁମାନ କହିଲେ–ହେ ସ୍ଵାମୀ, ଏହି ପର୍ବତ ଉପରେ ବାନରରାଜ ସୁଗ୍ରୀବ ବାସ କରୁଛନ୍ତି । ତାଙ୍କ ସହିତ ଆପଣ ମିତ୍ରତା କରନ୍ତୁ । ସେ ସୀତାଙ୍କର ଅନୁସନ୍ଧାନ ନିମନ୍ତେ ବାନରମାନଙ୍କୁ ପ୍ରେରଣ କରିବେ । ବର୍ତ୍ତମାନ ଆପଣ ଦୁଇ ଭାଇ ମୋ ପୃଷ୍ଠରେ ବସନ୍ତୁ । ମୁଁ ଆପଣମାନଙ୍କୁ ସୁଗ୍ରୀବଙ୍କ ନିକଟକୁ ନେଇଯିବି ।

 

ଶ୍ରୀରାମ ଓ ଲକ୍ଷ୍ମଣ ହନୁମାନଙ୍କ ପୃଷ୍ଠରେ ବସିଲେ । ହନୁମାନ ତତ୍‌କ୍ଷଣାତ୍‌ ସେମାନଙ୍କୁ ସୁଗ୍ରୀବଙ୍କ ପାଖକୁ ନେଇଗଲେ । ହନୁମାନଙ୍କଠାରୁ ସୁଗ୍ରୀବ ଶ୍ରୀରାମ ଓ ଲକ୍ଷ୍ମଣର ପରିଚୟ ପାଇ ସେମାନଙ୍କ ଚରଣରେ ପ୍ରଣାମ କଲେ । ସୁଗ୍ରୀବ ଓ ଶ୍ରୀରାମ ଦୁହେଁ ଅଗ୍ନି ପ୍ରଜ୍ଵଳିତ କରି ଅଗ୍ନିଙ୍କୁ ସାକ୍ଷୀ ରଖି ମିତ୍ରତା କଲେ । ଲକ୍ଷ୍ମଣ ଶ୍ରୀରାମଙ୍କର ସମସ୍ତ ଘଟଣା ସୁଗ୍ରୀବଙ୍କ ସମ୍ମୁଖରେ ବର୍ଣ୍ଣନା କଲେ ।

 

ସୁଗ୍ରୀବ କହିଲେ–ହେ ମିତ୍ର, ମୁଁ ଥରେ ମନ୍ତ୍ରୀମାନଙ୍କ ସହିତ ବସି ଏଠାରେ ମନ୍ତ୍ରଣା କରୁଥିଲି । ସେତିକିବେଳେ ଆକାଶମାର୍ଗରେ ଶତ୍ରୁ ଅଧୀନ ହୋଇ ସୀତା କାନ୍ଦିକାନ୍ଦି ଯାଉଥିଲେ । ସେ କେବଳ ‘ହେ ଶ୍ରୀରାମ, ହେ ଶ୍ରୀରାମ’ ବୋଲି କହୁଥିଲେ । ସେତିକିବେଳେ ଆକାଶମାର୍ଗରୁ ଏ ବସ୍ତ୍ର ଖଣ୍ଡିକ ତଳକୁ ପକାଇଦେଲେ ।” ଏହା କହି ସେ ନିଜପାଖରେ ରଖିଥିବା ବସ୍ତ୍ରଖଣ୍ଡିକ ଶ୍ରୀରାମଙ୍କୁ ଦେଖାଇଲେ । ଶ୍ରୀରାମ ବସ୍ତ୍ରଖଣ୍ଡିକ ଦେଖି ସମସ୍ତ ଘଟଣା ଜାଣିପାରିଲେ । ସୁଗ୍ରୀବ ପୁଣି କହିଲେ–ହେ ମିତ୍ର, ଆପଣ ଶୋକ କରନ୍ତୁ ନାହିଁ । ମୁଁ ଆପଣଙ୍କର ସମସ୍ତ ସେବା କରିବି । ଜାନକୀଙ୍କର ଅନୁସନ୍ଧାନ ନିମିତ୍ତ ମୁଁ ସମସ୍ତ ଉପାୟ କରିବି ।

 

ଶ୍ରୀରାମ ସୁଗ୍ରୀବଙ୍କଠାରୁ ଏସବୁ ଘଟଣା ଶୁଣି ପଚାରିଲେ, ‘ମିତ୍ର । ଆପଣମାନେ ଏ ବନରେ କାହିଁକି ରହୁଅଛନ୍ତି ?’ ସୁଗ୍ରୀବ ଶ୍ରୀରାମଙ୍କୁ କହିଲେ, ‘ହେ ମିତ୍ର ! ମୋର ଦୁର୍ଦ୍ଦଶାର କାହାଣୀ ଶୁଣନ୍ତୁ । ଆମ୍ଭେମାନେ ଦୁଇଭାଇ । ବାଳୀ ମୋର ଜ୍ୟେଷ୍ଠଭ୍ରାତା ଅଟନ୍ତି । ଆମ୍ଭ ଦୁଇଜଣଙ୍କ ମଧ୍ୟରେ ଅତିଶୟ ସ୍ନେହ ଥିଲା । ଥରେ ଏହିପରି ଏକ ଘଟଣା ଘଟିଲା । ମୟ ନାମରେ ଗୋଟିଏ ଦାନବ ଥିଲା । ତାହାର ପୁତ୍ର ମାୟାବୀ ଥିଲା । ସେହି ମାୟାବୀ ଥରେ ଆମ୍ଭମାନଙ୍କ ରାଜ୍ୟ କିଷ୍କିନ୍ଧ୍ୟା ଆକ୍ରମଣ କଲା । ସେତେବେଳେ ଅର୍ଦ୍ଧରାତ୍ରି । ମାୟାବୀ କିଷ୍କିନ୍ଧ୍ୟା ନଗରର ଦ୍ଵାରଦେଶରେ ପ୍ରବେଶ କରି ଆମ୍ଭମାନଙ୍କୁ ଯୁଦ୍ଧ ନିମନ୍ତେ ହକାରିଲା । ବାଳୀ ସେ ରାକ୍ଷସର ଆହ୍ଵାନକୁ ସହ୍ୟ କରିନପାରି ତାହାକୁ ଅନୁଧାବନ କଲେ । ବାଳୀଙ୍କର ପ୍ରତି ଆକ୍ରମଣ ଅସୁର ସହ୍ୟ କରିପାରିଲା ନାହିଁ । ସେ ରାଜ୍ୟ ତ୍ୟାଗ କରି ଦଉଡ଼ି ପଳାୟନ କରିବାକୁ ବସିଲା । ବାଳୀ ମଧ୍ୟ ତାହାର ଅନୁଧାବନ କଲେ । ମୁଁ ମଧ୍ୟ ଜ୍ୟେଷ୍ଠଭ୍ରାତାଙ୍କ ସହିତ ମାୟାବୀର ଅନୁଧାବନ କଲି । ମାୟାବୀ ରାକ୍ଷସ ଗୋଟିଏ ପର୍ବତଗୁମ୍ଫା ମଧ୍ୟରେ ପ୍ରବେଶ କଲା । ବାଳୀ ସେହି ପର୍ବତଗୁମ୍ଫା ମଧ୍ୟରେ ପ୍ରବେଶ କରିବା ପୂର୍ବରୁ ମୋତେ କହିଲେ–ତୁ ଏହି ଗୁମ୍ଫାଦ୍ଵାରରେ ପନ୍ଦରଦିନ ପର୍ଯ୍ୟନ୍ତ ମୋତେ ଅପେକ୍ଷା କରି ରହିବୁ । ଏହି ଅବଧି ମଧ୍ୟରେ ମୁଁ ନ ଫେରିଲେ ତୁ ବୁଝିବୁ ସେ ମୋର ମୃତ୍ୟୁ ହୋଇଯାଇଛି । ବାଳୀଙ୍କ କଥାମାନି ମୁଁ ସେହି ଗୁମ୍ଫାଦ୍ଵାରରେ ବସିରହିଲି । ଏକମାସ କାଳ ଅତିବାହିତ ହେଲା, ବାଳୀ ଫେରିଲେ ନାହିଁ । ସେହି ଗୁମ୍ଫା ମୁହଁରୁ ରକ୍ତର ଧାରା ବହିଚାଲିଲା । ବାଳୀ ନ ଆସିବାରୁ ମୁଁ ବୁଝିଲି ମାୟାବୀ ରାକ୍ଷସ ବାଳୀଙ୍କୁ ବଧ କରିପକାଇଲା । ମୁଁ ମନେକଲି ବାଳୀଙ୍କୁ ମାରିବା ପରେ ସେ ମୋତେ ଆକ୍ରମଣ କରିବ । ତେଣୁ ସେହି ଗୁମ୍ଫାଦ୍ଵାରରେ ଏକ ବିରାଟ ଶିଳା ସ୍ଥାପନ କରି ଦ୍ଵାରମୁଖ ବନ୍ଦ କଲି ଏବଂ ରାଜ୍ୟକୁ ପ୍ରତ୍ୟାବର୍ତ୍ତନ କଲି । ମନ୍ତ୍ରୀମାନେ ରାଜ୍ୟରେ ରାଜା ନ ଥିବାରୁ ମୋତେ ରାଜା ହେବା ନିମନ୍ତେ ବାଧ୍ୟକଲେ ।

 

‘କିଛିଦିନ ପରେ ସେହି ରାକ୍ଷସକୁ ହତ୍ୟାକରି ବାଳୀ ପ୍ରତ୍ୟାବର୍ତ୍ତନ କଲେ । ମୁଁ ରାଜସିଂହାସନରେ ବସିଥିବାର ଦେଖି ତାଙ୍କ ମନରେ ନାନା ଭେଦଭାବ ଆସିଲା । ଗୁମ୍ଫାଦ୍ଵାରରେ ଶିଳା ସ୍ଥାପନ କରିଥିବାରୁ ମୁଁ ରାଜ୍ୟଲୋଭରେ ଏପରି କରିଛି ବୋଲି ବିଚାରି ସେ ମୋ ସହିତ ଶତ୍ରୁତା ଆଚରଣ କଲେ । ମୋର ସର୍ବସ୍ଵ ନେଲେ, ପୁଣି ମୋର ପତ୍ନୀଙ୍କୁ ମଧ୍ୟ ଅପହରଣ କଲେ । ମୁଁ ରାଜ୍ୟଛାଡ଼ି ପଳାଇଆସିଲି । ତାଙ୍କର ଭୟରେ ଇତସ୍ତତଃ ବୁଲିଲି । ଏ ସ୍ଥଳୀକୁ ବାଳୀ ଆସନ୍ତି ନାହିଁ । ଅଭିଶାପ ପାଇଥିବାରୁ ସେ ଏଠାକୁ ଆସିବାକୁ ଡରନ୍ତି । ତଥାପି ସେ ଅତ୍ୟନ୍ତ ବଳବାନ୍ ବୋଲି ମୋ ମନରେ ସବୁବେଳେ ତାଙ୍କ ପ୍ରତି ଭୟ ଅଛି ।’

 

ସୁଗ୍ରୀବଙ୍କର ସମସ୍ତ ଘଟଣା ଶୁଣିସାରି ଶ୍ରୀରାମଚନ୍ଦ୍ର କହିଲେ–ହେ ମିତ୍ର ! ମୁଁ ଏକମାତ୍ର ଶରଦ୍ଵାରା ବାଳୀଙ୍କୁ ହତ୍ୟା କରିବି । ବାଳୀ ବ୍ରହ୍ମା ଓ ରୁଦ୍ରଙ୍କର ଶରଣ ପଶିଲେ ମଧ୍ୟ ସେମାନେ ତାହାଙ୍କୁ ରକ୍ଷା କରିପାରିବେ ନାହିଁ । ତୁମେ ଚିନ୍ତିତ ହୁଅନାହିଁ । ଯେଉଁମାନେ ମିତ୍ରଙ୍କର ଦୁଃଖରେ ଦୁଃଖିତ ହୁଅନ୍ତି ନାହିଁ, ସେମାନଙ୍କୁ ଦର୍ଶନ କଲେ ମନୁଷ୍ୟ ପାପଭାଗୀ ହୁଏ । ମୁଁ ତୁମକୁ ସମସ୍ତ ପ୍ରକାର ସାହାଯ୍ୟ କରିବି ।

 

ସୁଗ୍ରୀବ କହିଲେ, ‘ହେ ଶ୍ରୀରାମ ! ବାଳୀ ମହାନ୍ ବଳବାନ ଏବଂ ରଣପଟୁ ।’ ସୁଗ୍ରୀବଙ୍କ ମନରେ ସନ୍ଦେହ ଆସିଲା । ସେ ଦୁନ୍ଦୁଭି ରାକ୍ଷସର ଅସ୍ଥି ଶ୍ରୀରାମଙ୍କୁ ଦେଖାଇଲେ । ତା’ପରେ ଆଉ ଗୋଟିଏ ତାଳବୃକ୍ଷ ଦେଖାଇଲେ । ଶ୍ରୀରାମ ସୁଗ୍ରୀବଙ୍କର ମନରେ ସନ୍ତୋଷ ଆଣିବାପାଇଁ ସେ ଅସ୍ଥି ଏବଂ ତାଳ ବୃକ୍ଷକୁ ଖଣ୍ଡବିଖଣ୍ଡିତ କଲେ । ସୁଗ୍ରୀବଙ୍କ ବିଶ୍ଵାସ ଦୃଢ଼ୀଭୂତ ହେଲା l ଶ୍ରୀରାମଚନ୍ଦ୍ର ଅନାୟାସରେ ବାଳୀଙ୍କୁ ବଧ କରିପାରିବେ ବୋଲି ସେ ବିଶ୍ୱାସ କଲେ ।

 

ସୁଗ୍ରୀବ ପୁଣି କହିଲେ–ହେ ଶ୍ରୀରଘୁନାଥ, ଆପଣଙ୍କ କୃପାରୁ ମୋ ମନର ଚଞ୍ଚଳତା ଦୂର ହୋଇଅଛି । ମୋର ସମସ୍ତ ବଡ଼ ପଣ, ସୁଖ, ସମ୍ପତ୍ତି ତ୍ୟାଗ କରି ଆପଣଙ୍କ ସେବାରେ ନିରତ ରହିବି । ବାଳୀ ମୋର ପରମହିତକାରୀ । ତାଙ୍କରି କୃପାରୁ ମୁଁ ଆପଣଙ୍କୁ ପାଇଛି । ହେ ପ୍ରଭୁ ! ମୁଁ ଦିନରାତି ଆପଙ୍କର ନାମ ଭଜନ କରୁଥିବି ।

 

ଶ୍ରୀରାମ ଲକ୍ଷ୍ମଣ ସୁଗ୍ରୀବଙ୍କୁ ସଙ୍ଗରେ ଧରି ବାଳୀଙ୍କ ରାଜ୍ୟରେ ପହଞ୍ଚିଲେ । ଶ୍ରୀରାମ ସୁଗ୍ରୀବଙ୍କୁ ବାଳୀଙ୍କ ସମୀପକୁ ପ୍ରେରଣ କଲେ । ଶ୍ରୀରାମଙ୍କ ବଳ ପାଇ ସୁଗ୍ରୀବ ବାଳୀଙ୍କ ନଗର ନିକଟରେ ମହାଗର୍ଜନ କରିବାକୁ ଲାଗିଲେ । ସୁଗ୍ରୀବଙ୍କ ଗର୍ଜନ ଶୁଣି ବାଳୀ ଦୌଡ଼ି ଆସୁଥିଲେ । ବାଳୀଙ୍କର ପତ୍ନୀ ତାରା ସେତିକିବେଳେ ବାଳୀଙ୍କ ଚରଣ ଧରି କହିଲେ–ହେ ସ୍ଵାମୀ, ଆପଣ ସେ ସ୍ଥଳକୁ ଯାଆନ୍ତୁ ନାହିଁ, ସୁଗ୍ରୀବଙ୍କ ସହିତ ଯୁଦ୍ଧ କରନ୍ତୁ ନାହିଁ, ମୋ କଥା ମାନନ୍ତୁ । ସୁଗ୍ରୀବ ବର୍ତ୍ତମାନ ଅସୀମ ବଳଶାଳୀ ଦୁଇ ପୁରୁଷଙ୍କ ସହିତ ମିତ୍ରତା କରିଛନ୍ତି । ସେ ଦୁଇ ପୁରୁଷ ଦୁଇଭାଇ ଏବଂ ସେମାନେ କୋଶଳ ରାଜାଙ୍କର ପୁତ୍ର । ବର୍ତ୍ତମାନ ସୁଗ୍ରୀବ ତାଙ୍କରି ବଳରେ ବଳଶାଳୀ । ତେଣୁ ଆପଣ ତାହାଙ୍କ ସହିତ ଯୁଦ୍ଧ କରନ୍ତୁ ନାହିଁ ।

 

ବାଳୀ ତାରାଙ୍କୁ କହିଲେ–ତାରା, ତୁମେ ଆଦୌ ଭୟ କରନାହିଁ । ଶ୍ରୀରାମଚନ୍ଦ୍ର ସମଦର୍ଶୀ ଅଟନ୍ତି । ମୋତେ ଯଦି ସେ ବଧକରନ୍ତି ତାହାହେଲେ ମୋର ଜନ୍ମ ସାର୍ଥକ ହୋଇଯିବ; ମୁଁ ମୁକ୍ତ ହୋଇଯିବି । ତୁମେ ଆଦୌ ଚିନ୍ତା କର ନାହିଁ ।

 

ବାଳୀ ସୁଗ୍ରୀବଙ୍କୁ ଅଭିମାନରେ ନିତାନ୍ତ ସାମାନ୍ୟ ବୋଲି ମନେ କରୁଥିଲେ । ନାନାପ୍ରକାର କଟୁବାକ୍ୟ ପ୍ରୟୋଗ କରି, ଧମକ ଦେଇ ବାଳୀ ସୁଗ୍ରୀବଙ୍କ ସହିତ ଯୁଦ୍ଧ କଲେ ଏବଂ ସୁଗ୍ରୀବଙ୍କୁ ନାନାପ୍ରକାର ଆଘାତ କରିବାକୁ ଲାଗିଲେ I ଭୟଙ୍କର ଦ୍ଵନ୍ଦଯୁଦ୍ଧରେ ସୁଗ୍ରୀବ ବାଳୀଙ୍କର ଆଘାତ ସହିପାରିଲେ ନାହିଁ । ସେ ଯୁଦ୍ଧକ୍ଷେତ୍ରରୁ ପ୍ରାଣଭୟରେ ପଳାୟନ କଲେ ।

 

ସୁଗ୍ରୀବ ଫେରିଆସି ଶ୍ରୀରାମଙ୍କୁ କହିଲେ–ହେ ପ୍ରଭୁ, ବାଳୀ ମୋର ଭ୍ରାତା ନୁହନ୍ତି, ସେ ସାକ୍ଷାତ୍ କାଳସଦୃଶ ଅଟନ୍ତି । ତାଙ୍କୁ ଯୁଦ୍ଧରେ ପରାସ୍ତ କରିବା ସହଜ କଥା ନୁହେଁ ।

 

ଶ୍ରୀରାମ କହିଲେ, ‘ହେ ମିତ୍ର ! ତୁମେ ଦୁଇଭାଇ ରୂପରେ ସମାନ ଅଟ । ମୁଁ ତୁମ ଦୁଇଜଣଙ୍କ ମଧ୍ୟରେ ତୁମକୁ ଚିହ୍ନିପାରିଲି ନାହିଁ । ସେଥିପାଇଁ ମୁଁ ବାଳୀଙ୍କୁ ମାରିପାରିଲି ନାହିଁ । ଏହା କହି ଶ୍ରୀରାମ ସୁଗ୍ରୀବଙ୍କୁ ସ୍ପର୍ଶ କରିବାରୁ ତାଙ୍କ ଶରୀରରୁ ସମସ୍ତ ପୀଡ଼ା ଚାଲିଗଲା ଏବଂ ତାଙ୍କର ଶରୀର ବଜ୍ରସଦୃଶ ସୁଦୃଢ଼ ହୋଇଗଲା । ଶ୍ରୀରାମ ସୁଗ୍ରୀବଙ୍କ ଗଳାରେ ଗୋଟିଏ ପୁଷ୍ପମାଲ୍ୟ ଏବଂ ଲମ୍ବାଇଦେଲେ ଏବଂ ନାନାପ୍ରକାର ଉତ୍ସାହବାକ୍ୟ ଦ୍ଵାରା ତାଙ୍କୁ ପ୍ରେରଣା ଦେଲେ ।

 

ସୁଗ୍ରୀବ ଦ୍ଵିତୀୟବାର ବାଳୀଙ୍କ ସହିତ ପୁଣି ଯୁଦ୍ଧକ୍ଷେତ୍ରରେ ଅବତୀର୍ଣ୍ଣ ହେଲେ । ସୁଗ୍ରୀବଙ୍କ ଗର୍ଜନ ଶୁଣି ବାଳୀ ପୁଣି ଯୁଦ୍ଧଭୂମିକୁ ଆସିଲେ । ଦୁହିଁଙ୍କ ମଧ୍ୟରେ ତୁମୂଳ ଦ୍ଵନ୍ଦଯୁଦ୍ଧ ଆରମ୍ଭ ହେଲା । ଶ୍ରୀରାମଚନ୍ଦ୍ର ବୃକ୍ଷ ଆଚ୍ଛାଦନ ମଧ୍ୟରେ ରହି ଯୁଦ୍ଧ ଦର୍ଶନ କରୁଥିଲେ । ଯୁଦ୍ଧବେଳେ ସୁଗ୍ରୀବଙ୍କର ଦୁର୍ବଳତା ଲକ୍ଷ୍ୟକରି ଶ୍ରୀରାମ ବାଳୀଙ୍କ ଉପରେ ଏକ ଶର ନିକ୍ଷେପ କଲେ । ବାଳୀ ତତ୍‌କ୍ଷଣାତ୍ ପୃଥିବୀ ଉପରେ ପତିତ ହେଲେ ।

 

ବାଳୀଙ୍କ ଶରୀରରୁ ପ୍ରାଣବାୟୁ ନିଃଶେଷ ହେବା ପୂର୍ବରୁ ସେ ଯେତେବେଳେ ଚକ୍ଷୁ ଉନ୍ମୀଳନ କଲେ, ସେ ତାଙ୍କ ସମ୍ମୁଖରେ ଶ୍ରୀରାମଙ୍କୁ ଦେଖି ତାଙ୍କ ଚରଣରେ ମସ୍ତକ ରଖି କଠୋର ବଚନ ପ୍ରକାଶ କରି କହିଲେ–ହେ ପ୍ରଭୁ ! ଆପଣ ଧର୍ମରକ୍ଷା ନିମନ୍ତେ ଅବତାର ଗ୍ରହଣ କରିଅଛନ୍ତି; ଆପଣ ବ୍ୟାଧପରି ମୋତେ ବଧକଲେ କାହିଁକି ? ସୁଗ୍ରୀବ ଆପଣଙ୍କର ପ୍ରିୟ, ମୁଁ ଆପଣଙ୍କର ଶତ୍ରୁ-! ଆପଣ ମୋର କି ଦୋଷ ଦେଖି ମୋତେ ହତ୍ୟାକଲେ ?

 

ଶ୍ରୀରାମ କହିଲେ–ବାଳୀ, ତୁମେ ମୂର୍ଖ । କନିଷ୍ଠଭ୍ରାତାର ପତ୍ନୀ, ଭଗିନୀ, ପୁତ୍ରବଧୂ ଓ କନ୍ୟା ଏ ଚାରିଜଣ କନ୍ୟା ସମାନ ଅଟନ୍ତି । ଏମାନଙ୍କୁ ଯେଉଁମାନେ ମନ୍ଦଦୃଷ୍ଟିରେ ଦେଖନ୍ତି, ସେମାନଙ୍କୁ ହତ୍ୟାକଲେ ପାପ ଲାଗେନାହିଁ । ତୁମେ ପତ୍ନୀଙ୍କ ବାକ୍ୟ ଶୁଣିଲ ନାହିଁ । ସୁଗ୍ରୀବ ମୋର ଆଶ୍ରିତ ଜାଣି ସୁଦ୍ଧା ତୁମେ ତାହାକୁ ବଧ କରିବାକୁ ଇଚ୍ଛାକଲ ।

 

ବାଳୀ କହିଲେ–ହେ ପ୍ରଭୁ ! ଆପଣଙ୍କ ସମକ୍ଷରେ ମୋର ଚତୁରତାର ପ୍ରୟୋଜନ ନାହିଁ-। ଶେଷ ମୁହୂର୍ତ୍ତରେ ଆପଣ ମୋର ଶରଣ । ମୁଁ କଣ ଏପରି ପାପୀହୋଇ ରହିବି ?

 

ଶ୍ରୀରାମ ବାଳୀଙ୍କୁ ସ୍ପର୍ଶକରି କହିଲେ–ମୁଁ ତୁମର ଶରୀରକୁ ଅଚଳ କରି ଦେଉଛି । ତୁମେ ପ୍ରାଣ ଧାରଣ କର ।

 

ବାଳୀ କହିଲେ, ‘ମୁନିମାନେ କେତେ ଜନ୍ମଧରି ଆପଣଙ୍କୁ ଧ୍ୟାନ କରନ୍ତି, ତଥାପି ଅନ୍ତଃ ସମୟରେ ସେମାନଙ୍କୁ ଶ୍ରୀରାମ ନାମ କହି ଆସେନାହିଁ । ସେହି ଶ୍ରୀରାମ ସ୍ଵୟଂ ମୋର ନେତ୍ର ସମକ୍ଷରେ ବିରାଜମାନ । ଏ ସୁଯୋଗ ମୁଁ କାହୁଁ ପାଇବି ? ମୋ ଉପରେ ଦୟାଦୃଷ୍ଟି ଢାଳିଦିଅନ୍ତୁ । ମୋର ପୁତ୍ର ଅଙ୍ଗଦ ବିନୟୀ ଏବଂ ବଳୀୟାନ ଅଟେ । ଆପଣ ତାହାକୁ ଦାସ ରୂପେ ଗ୍ରହଣ କରନ୍ତୁ-।’ ଶ୍ରୀରାମଙ୍କ ଚରଣରେ ଦୃଢ଼ ପ୍ରୀତି ରଖି ବାଳୀ ଶରୀର ତ୍ୟାଗ କଲେ ।

 

ନଗରର ଲୋକମାନେ ବାଳୀଙ୍କ ମୃତ୍ୟୁ ସମ୍ବାଦ ଶୁଣି ଦୌଡ଼ିଆସିଲେ । ବାଳୀପତ୍ନୀ ତାରା ବିଳାପ କରି କରି ସେଠାରେ ପହଞ୍ଚିଲେ । ଶ୍ରୀରାମ ତାହାଙ୍କୁ ନାନା ପ୍ରକାର ସାନ୍ତ୍ୱନା ଦେଇ ତାଙ୍କର ଅଜ୍ଞାନ ଦୂରକଲେ । ଶ୍ରୀରାମଙ୍କ ଆଦେଶରେ ସୁଗ୍ରୀବ ବିଧିପୂର୍ବକ ବାଳୀଙ୍କର ଅନ୍ତ୍ୟେଷ୍ଟି କ୍ରିୟା ସମ୍ପାଦନ କଲେ । ଶ୍ରୀରାମ ଲକ୍ଷ୍ମଣଙ୍କୁ କିଷ୍କିନ୍ଧ୍ୟା ନଗରକୁ ପ୍ରେରଣ କଲେ । ଶ୍ରୀରାମଙ୍କ ଆଦେଶ ଅନୁସାରେ ଲକ୍ଷ୍ମଣ ନଗରବାସୀମାନଙ୍କୁ ଡକାଇ ସେମାନଙ୍କ ସମ୍ମୁଖରେ ସୁଗ୍ରୀବଙ୍କୁ ରାଜପଦରେ ଏବଂ ଅଙ୍ଗଦଙ୍କୁ ଯୁବରାଜପଦରେ ଅଭିଷିକ୍ତ କରାଇଥିଲେ ।

 

ସୁଗ୍ରୀବଙ୍କ ରାଜପଦ ପ୍ରାପ୍ତିପରେ ଶ୍ରୀରାମ ସୁଗ୍ରୀବଙ୍କୁ ଋଷ୍ୟମୂକ ପର୍ବତ ଉପରକୁ ଡକାଇଲେ । ସେଠାରେ ସେ ତାହାଙ୍କୁ ନାନା ରାଜନୀତି ଶିକ୍ଷାଦେବା ପରେ କହିଲେ–ମୁଁ ଚଉଦ ବର୍ଷ ପର୍ଯ୍ୟନ୍ତ କୌଣସି ଲୋକବସତି ମଧ୍ୟରେ ବାସ କରିବି ନାହିଁ । ଗ୍ରୀଷ୍ମଋତୁ ଯାଇ ବର୍ତ୍ତମାନ ବର୍ଷାଋତୁ ଆଗତ ପ୍ରାୟ । ଏହି ପର୍ବତ ଉପରେ ମୁଁ ବର୍ଷାଋତୁ ଯାପନ କରିବି । ତୁମେ ଆନନ୍ଦରେ ରାଜ୍ୟ ପାଳନ କର ।

 

ସୁଗ୍ରୀବ ରାଜଧାନୀକୁ ପ୍ରତ୍ୟାବର୍ତ୍ତନ କଲେ । ସମଗ୍ର ବର୍ଷାକାଳ ଶ୍ରୀରାମ ଲକ୍ଷ୍ମଣ ସେହି ପର୍ବତ ଉପରେ ଅତିବାହିତ କଲେ । ଶ୍ରୀରାମ ସେହି ସମୟରେ କନିଷ୍ଠ ଭ୍ରାତା ଲକ୍ଷ୍ମଣଙ୍କୁ ରାଜନୀତି, ଧର୍ମନୀତି, ଜ୍ଞାନ ଓ ଭକ୍ତି ସମ୍ବନ୍ଧରେ ନିତ୍ୟ ନାନା ଉପଦେଶ ଦେବାକୁ ଲାଗିଲେ ।

Image

 

ସୁନ୍ଦରାକାଣ୍ଡ

ହନୁମାନଙ୍କ ଦୈତ୍ୟ

 

ସମଗ୍ର ବର୍ଷା ଋତୁ ଅତିବାହିତ ହେଲା । ନିର୍ମଳ ଶରତ୍ ଋତୁ ଧରାଧାମରେ ପ୍ରବେଶ କଲା । ସୁଗ୍ରୀବ ଯେଉଁ ପ୍ରତିଶ୍ରୁତି ଦେଇଥିଲେ, ତାହା ପାଳନ କଲେ ନାହିଁ । ସୀତାଙ୍କର କୌଣସି ସମ୍ବାଦ ସୁଗ୍ରୀବ ଅଣାଇ ପାରିଲେ ନାହିଁ । ଦିନେ ଶ୍ରୀରାମ ଲକ୍ଷ୍ମଣଙ୍କୁ କହିଲେ–‘ବୋଧହୁଏ ସୁଗ୍ରୀବ ରାଜ୍ୟପ୍ରାପ୍ତିପରେ ଆମ୍ଭମାନଙ୍କୁ ଦେଇଥିବା ପ୍ରତିଶ୍ରୁତି ଭୁଲିଗଲେ । ମୁଁ ଯେଉଁ ଶର ପ୍ରୟୋଗ କରି ବାଳୀଙ୍କୁ ନିହତ କରିଥିଲି, ପୁଣି ସେ ବାଣଦ୍ଵାରା ସେହି ମୂର୍ଖ ସୁଗ୍ରୀବଙ୍କୁ ବିନାଶ କରିବି ।’ ଶ୍ରୀରାମଙ୍କର ଏପରି କ୍ରୋଧଯୁକ୍ତ ବାଣୀ ଶୁଣି ଲକ୍ଷ୍ମଣ ତତ୍‌କ୍ଷଣାତ୍‌ ଧନୁଶର ଧରି ସୁଗ୍ରୀବଙ୍କୁ ସାକ୍ଷାତ୍ କରିବାପାଇଁ କିଷ୍କିନ୍ଧ୍ୟା ନଗରକୁ ବାହାରିଲାବେଳେ ଶ୍ରୀରାମଚନ୍ଦ୍ର ଲକ୍ଷ୍ମଣଙ୍କର କ୍ରୋଧମୂର୍ତ୍ତି ଓ ବୀରବେଶ ଦେଖି ତାଙ୍କୁ ସାନ୍ତ୍ୱନା ଦେଇ କହିଲେ–ଲକ୍ଷ୍ମଣ, ତୁମେ କିଷ୍କିନ୍ଧ୍ୟା ନଗରକୁ ଯାଅ; କିନ୍ତୁ ସୁଗ୍ରୀବଙ୍କୁ କେବଳ ଭୟ ଦେଖାଇ ଏ ସ୍ଥଳକୁ ଆହ୍ଵାନ କରିବ ।

 

ପବନକୁମର ହନୁମାନ ପରମ ଆଜ୍ଞାକାରୀ ଅଟନ୍ତି । ସୁଗ୍ରୀବଙ୍କର ଏ ଅନବଧାନତା ଲକ୍ଷ୍ୟକରି ବିଚାରକଲେ–‘ସୁଗ୍ରୀବ ରାଜସିଂହାସନରେ ବସି ଶ୍ରୀରାମଙ୍କର କାର୍ଯ୍ୟକୁ ଭୁଲି ଯାଇଛନ୍ତି । ତାଙ୍କୁ ସ୍ମରଣ କରାଇଦେବା ମୋର କର୍ତ୍ତବ୍ୟ ।’ ସେ ସୁଗ୍ରୀବଙ୍କ ନିକଟରେ ପହଞ୍ଚି ସୁଗ୍ରୀବଙ୍କ ସମ୍ମୁଖରେ ମସ୍ତକ ନତ କରି ତାଙ୍କୁ ସମସ୍ତ କଥା ସ୍ମରଣ କରାଇଦେଲେ । ତାଙ୍କୁ ନାନା ପ୍ରକାରର ରାଜନୀତି ଶିକ୍ଷା ଦେଲେ । ସୁଗ୍ରୀବ ହନୁମାନଙ୍କୁ କହିଲେ–ଏ ସଂସାରର ବିଷୟ-ଜଞ୍ଜାଳ ମୋର ସମସ୍ତ ବୁଦ୍ଧି ଓ ଜ୍ଞାନକୁ ନଷ୍ଟ କରିଦେଇଛି । ମୁଁ ସମସ୍ତ ଘଟଣା ଭୁଲିଯାଇଅଛି । ହେ ପବନସୁତ ! ବାନରମାନେ ଯେଉଁ ଯେଉଁ ସ୍ଥାନରେ ରହୁଛନ୍ତି, ସେମାନଙ୍କୁ ସମ୍ବାଦ ଦେଇ ଆହ୍ଵାନ କର । ସେମାନେ ପନ୍ଦରଦିନ ମଧ୍ୟରେ ମୋ ନିକଟରେ ଆସି ପହଞ୍ଚନ୍ତୁ । କେହି ଯଦି ନ ଆସନ୍ତି, ମୁଁ ସେମାନଙ୍କୁ ସ୍ଵହସ୍ତରେ ବଧ କରିବି ।

 

ହନୁମାନ ରାଜା ସୁଗ୍ରୀବଙ୍କଠାରୁ ଏପରି ଆଦେଶ ପାଇ ଦୂତମାନଙ୍କୁ ଡାକିଲେ । ଦୂତମାନଙ୍କୁ ନାନା ପ୍ରକାର ବୁଝାଇ, ପୁଣି କାହାକାହାକୁ ଭୟ ଦେଖାଇ ନାନା ରାଜନୀତି ଶିକ୍ଷାଦେଲେ ।

 

ଏହି ସମୟରେ ଶ୍ରୀରାମଙ୍କର ଆଦେଶ ପାଇ ଲକ୍ଷ୍ମଣ କିଷ୍କିନ୍ଧ୍ୟା ନଗରରେ ପହଞ୍ଚିଲେ । ସେ ଧନୁରେ ଶବ୍ଦ ସଂଯୋଜନ କରି କହିଲେ–‘ମୁଁ ଏହିକ୍ଷଣି ନଗରକୁ ଭସ୍ମସ୍ତୂପରେ ପରିଣତ କରିଦେବି ।’ ଲକ୍ଷ୍ମଣଙ୍କର ଏ କ୍ରୋଧଯୁକ୍ତ ବାଣୀ ଶୁଣି ନଗରର ସ୍ତ୍ରୀ-ପୁରୁଷମାନେ ଭୟଭୀତ ହେଲେ-। ବାଳୀଙ୍କ ପୁତ୍ର ଅଙ୍ଗଦ ନାଗରିକମାନଙ୍କର ବ୍ୟାକୁଳତା ଦେଖି ସ୍ଵୟଂ ଲକ୍ଷ୍ମଣଙ୍କ ପାଖକୁ ଆସି ତାଙ୍କ ପାଦତଳେ ପ୍ରଣାମକରି ଲକ୍ଷ୍ମଣଙ୍କୁ ନାନା ସାନ୍ତ୍ୱନା ବାଣୀଦ୍ଵାରା ଶାନ୍ତ କରାଇଲେ । ଲକ୍ଷ୍ମଣ ଅଙ୍ଗଦଙ୍କର ସ୍ତୁତିବାଣୀ ଶୁଣି ତାହାଙ୍କୁ ଅଭୟ ଦେଲେ ।

 

ଲକ୍ଷ୍ମଣଙ୍କର କ୍ରୋଧପୂର୍ଣ୍ଣ ବାଣୀ ଶୁଣି ସୁଗ୍ରୀବ ଭୟରେ କାତର ହୋଇପଡ଼ିଲେ । ସେ ହନୁମାନଙ୍କୁ କହିଲେ–‘ହନୁମାନ, ବର୍ତ୍ତମାନ ଲକ୍ଷ୍ମଣ ଅତ୍ୟନ୍ତ ରୁଷ୍ଟି ହୋଇଛନ୍ତି । ତୁମେ ତାରାଙ୍କୁ ସଙ୍ଗରେ ନେଇ ରାଜକୁମାରଙ୍କ ନିକଟକୁ ଯାଅ । ତାହାଙ୍କୁ ବିନତିକରି ତାଙ୍କର ରୋଷ ଶାନ୍ତ କର ।’ ହନୁମାନ ସୁଗ୍ରୀବଙ୍କ କଥା ଅନୁସାରେ ତାରାଙ୍କୁ ନେଇ ଲକ୍ଷ୍ମଣ ପାଖକୁ ଗଲେ । ତାରା ଲକ୍ଷ୍ମଣଙ୍କ ଚରଣତଳେ ପ୍ରଣାମ କରି ଭଗବାନ୍ ଶ୍ରୀରାମଙ୍କର ଯଶ ବର୍ଣ୍ଣନା କଲେ । ତେଣୁ ଲକ୍ଷ୍ମଣଙ୍କର କ୍ରୋଧ ଶମିତ ହେଲା । ସେ ଲକ୍ଷ୍ମଣଙ୍କୁ ସଙ୍ଗରେ ନେଇ ରାଜପ୍ରାସାଦକୁ ଆସିଲେ । ସୁଗ୍ରୀବ ଲକ୍ଷ୍ମଣଙ୍କ ନିକଟକୁ ଆସି ତାଙ୍କର ଚରଣରେ ପ୍ରଣାମ କଲେ । ଲକ୍ଷ୍ମଣ ସୁଗ୍ରୀବଙ୍କୁ ଉଠାଇ ଅତି ଆଗ୍ରହରେ ତାହାଙ୍କୁ କୋଳାଗ୍ରତ କଲେ ।

 

ସୁଗ୍ରୀବ କହିଲେ, ‘ହେ ପ୍ରଭୁ ! ମୁଁ ସଂସାରର ବିଷୟ-ମଦରେ ମୋହିତ ହୋଇ ପଡ଼ିଛି; ତେଣୁ ଶ୍ରୀରାମଙ୍କର କାର୍ଯ୍ୟ ଭୁଲିଯାଇଛି । ମୋତେ ରକ୍ଷାକରନ୍ତୁ ।’ ସୁଗ୍ରୀବଙ୍କର ବିନୟଯୁକ୍ତ ବାଣୀ ଶୁଣି ଲକ୍ଷ୍ମଣ ସୁଗ୍ରୀବଙ୍କୁ ନାନା ପ୍ରକାର ଭାବରେ ତାହାଙ୍କୁ ବୋଧଦେଲେ । ହନୁମାନ ଲକ୍ଷ୍ମଣଙ୍କୁ ଦୂତମାନଙ୍କର ପ୍ରେରଣ ସମ୍ବାଦ ଦେଲେ । ଅଙ୍ଗଦଙ୍କୁ ସଙ୍ଗରେ ଧରି ସୁଗ୍ରୀବ ଓ ହନୁମାନ ଲକ୍ଷ୍ମଣଙ୍କ ସହିତ ଶ୍ରୀରାମଙ୍କ ନିକଟକୁ ଗଲେ ।

 

ସୁଗ୍ରୀବ ଶ୍ରୀରାମଙ୍କୁ ପ୍ରଣାମ କରି ହାତଯୋଡ଼ି କହିଲେ–ହେ ପ୍ରଭୁ ! ଆପଣଙ୍କର ମାୟା ଅତ୍ୟନ୍ତ ପ୍ରବଳ । ଆପଣ ଦୟାର୍ଦ୍ର ହେଲେ ମନୁଷ୍ୟ ମାୟାବନ୍ଧନରୁ ମୁକ୍ତ ହୁଏ । ମୁଁ ଏକ ପାମର ପଶୁ-। ନାମ, କ୍ରୋଧ, ଲୋଭ ଓ ମୋହଦ୍ଵାରା ମୁଁ ଆବଦ୍ଧ । ଆପଣଙ୍କର କୃପା ହେଲେ ମୁ ବନ୍ଧନରୁ ମୁକ୍ତ ହେବି ।

 

ସୁଗ୍ରୀବଙ୍କର ବିନତି ଶୁଣି ଶ୍ରୀରାମଚନ୍ଦ୍ର ମୃଦୁହାସ୍ୟ କରି କହିଲେ–ହେ ଭାଇ ! ତୁମେ ମୋର ଭ୍ରାତା ଭରତ ପରି ପ୍ରିୟ ଅଟ । ତୁମେ ବର୍ତ୍ତମାନ ସୀତାଙ୍କର ଅନ୍ୱେଷଣ ପାଇଁ ବ୍ୟବସ୍ଥା କର-

 

ଏତିକିବେଳେ ହନୁମାନ ଯେଉଁ ଦୂତମାନଙ୍କୁ ବାନରଯୂଥ ଆହ୍ଵାନ ନିମନ୍ତେ ପ୍ରେରଣ କରିଥିଲେ, ସେମାନେ ବାନରଦଳ ସହିତ ସେହି ସ୍ଥାନରେ ପହଞ୍ଚିଲେ । ନାନା ଦିଗରୁ ବାନରମାନେ ଆସିବାକୁ ଲାଗିଲେ । ଅସଂଖ୍ୟ ବାନର ଆସି ଶ୍ରୀରାମଙ୍କ ପାଦପଦ୍ମରେ ପ୍ରଣାମ କଲେ । ଶ୍ରୀରାମ ସେମାନଙ୍କୁ କୁଶଳ ଜିଜ୍ଞାସା କରି ଆଶୀର୍ବାଦ ଦେଲେ । ସେମାନେ ସମସ୍ତେ ଶ୍ରୀରାମଙ୍କ ସମ୍ମୁଖରେ ହାତଯୋଡ଼ି ଠିଆହେଲେ ।

 

ସୁଗ୍ରୀବ ବାନରମାନଙ୍କୁ କହିଲେ, ‘ହେ ବାନରଯୂଥ ! ମୋର କଥା ଶୁଣ । ଶ୍ରୀରାମଙ୍କ କାର୍ଯ୍ୟରେ ତୁମ୍ଭେମାନେ ଚତୁର୍ଦ୍ଦିଗ ଭ୍ରମଣ କର । ଜାନକୀଙ୍କୁ ଅନୁସନ୍ଧାନ କରି ଏକ ମାସ ମଧ୍ୟରେ ଏଠାକୁ ପ୍ରତ୍ୟାବର୍ତ୍ତନ କରିବ । ତାଙ୍କୁ ଅନ୍ଵେଷଣ ନ କରି ଲେଉଟି ଆସିଲେ, ମୁଁ ତୁମ୍ଭମାନଙ୍କୁ ବଧ କରିବି ।’ ସୁଗ୍ରୀବଙ୍କ ଆଦେଶ ପାଇ ବାନରୟୂଥ ଦିଗ୍‌ବିଦିଗକୁ ଗତିକଲେ । ଅଙ୍ଗଦ, ନଳ, ଜାମ୍ବବାନ ଓ ହନୁମାନ ପ୍ରଭୃତି ମହାନ୍ ଯୋଦ୍ଧାମାନଙ୍କୁ ଡାକି ସୁଗ୍ରୀବ କହିଲେ, ‘ହେ ଶ୍ରେଷ୍ଠ ଯୋଦ୍ଧାଗଣ ! ତୁମ୍ଭେମାନେ ସମସ୍ତେ ଏକତ୍ର ଦକ୍ଷିଣ ଦିଗକୁ ଗମନ କର । ଯେଉଁଠାରେ ଯାହାକୁ ଦେଖିବ ସେମାନଙ୍କୁ ସୀତାଙ୍କର ସମ୍ବାଦ ପଚାରିବ । ଶ୍ରୀରାମଙ୍କ କାର୍ଯ୍ୟ ସମ୍ପନ୍ନ କରି ପ୍ରତ୍ୟାବର୍ତ୍ତନ କରିବ ।’ ଯୋଦ୍ଧାମାନେ ଶ୍ରୀରାମଙ୍କ ଚରଣରେ ପ୍ରଣାମ କରି ହୃଦୟରେ ଶ୍ରୀରାମ-ସ୍ମରଣ ପୂର୍ବକ ଆନନ୍ଦ ମନରେ ଯାତ୍ରାକଲେ ।

 

ସର୍ବଶେଷରେ ପବନସୁତ ହନୁମାନ ଶ୍ରୀରାମଙ୍କ ଚରଣରେ ମସ୍ତକ ସ୍ପର୍ଶକଲେ । ଶ୍ରୀରାମ ତାଙ୍କ ମସ୍ତକ ସ୍ପର୍ଶପୂର୍ବକ ହସ୍ତରୁ ମୁଦ୍ରିକା ବାହାର କରି ତାହାଙ୍କୁ ଦେଇ କହିଲେ–‘ହେ ହନୁମାନ ! ସୀତାଙ୍କୁ ପ୍ରବୋଧନା ଦେଇ ମୋର ବଳ ବିଷୟରେ ସମସ୍ତ କଥା କହି ତୁମେ ଶୀଘ୍ର ଫେରିଆସିବ ।’ ହନୁମାନ ହୃଦୟରେ ଶ୍ରୀରାମଚନ୍ଦ୍ରଙ୍କର ରୂପକୁ ଧାରଣକରି ବାହାରିଲେ ।

 

ବାନରମାନେ ବନ, ନଦୀ, ପୁଷ୍କରିଣୀ, ପର୍ବତ, ଗୁମ୍ଫାମାନଙ୍କରେ ସୀତାଙ୍କୁ ଅନୁସନ୍ଧାନ କରି କରି ଅଗ୍ରସର ହେଲେ । କେତେକ ସ୍ଥାନରେ ରାକ୍ଷସମାନଙ୍କୁ ମଧ୍ୟ ଭେଟିଲେ । ରାକ୍ଷସମାନଙ୍କୁ ଚପେଟାଘାତ କରି ସେମାନଙ୍କର ପ୍ରାଣନାଶ କଲେ । ସମୟେ ସମୟେ ବନ ମଧ୍ୟରେ ମୁନିମାନଙ୍କୁ ସାକ୍ଷାତ କରି ସେମାନଙ୍କଠାରୁ ସମ୍ବାଦ ପାଇବା ନିମନ୍ତେ ସେମାନଙ୍କର ଚତୁର୍ଦ୍ଦିଗରେ ଘେରିଯାଉଥିଲେ । ବହୁତ ଦୂର ଯିବାପରେ ସେମାନେ ତୃଷାର୍ତ୍ତ ହୋଇ ପଡ଼ିଲେ । ଜଳ ଖୋଜି ଖୋଜି କୌଣସିଠାରେ ପାଇଲେ ନାହିଁ । ଘନ ଜଙ୍ଗଲ ମଧ୍ୟରେ ମାର୍ଗ ମଧ୍ୟ ପାଇଲେ ନାହିଁ । ହନୁମାନ ସେମାନଙ୍କର ବ୍ୟାକୁଳତା ବୁଝିପାରି ପର୍ବତ ଶିଖରକୁ ଚଢ଼ି ସେଠାରୁ ଗୋଟିଏ ଅଦ୍ଭୁତ ଘଟଣା ଦେଖିବାକୁ ପାଇଲେ ।

 

ପୃଥିବୀ ମଧ୍ୟରେ ଗୋଟିଏ ଗୁମ୍ଫା ଥିଲା । ସେହି ଗୁମ୍ଫାର ଉର୍ଦ୍ଧ୍ଵଦେଶରେ ବହୁ ପକ୍ଷୀ ଉଡ଼ୁଥାନ୍ତି । ଅନେକ ପକ୍ଷୀ ସେହି ଗୁମ୍ଫା ମଧ୍ୟରେ ପ୍ରବେଶ କରୁଥିବାର ମଧ୍ୟ ସେ ଦେଖି ପାରିଲେ । ହନୁମାନ ସେହି ଗୁମ୍ଫାଟିକୁ ଅନ୍ୟ ବାନରମାନଙ୍କୁ ଦେଖାଇବା ନିମନ୍ତେ ଶିଖର ଉପରୁ ତଳକୁ ଆସିଲେ ଏବଂ ଅନ୍ୟ ବାନରମାନଙ୍କୁ ସେଠାକୁ ଡାକିନେଇ ସେ ଗୁମ୍ଫା ଦେଖାଇଲେ । ନିଜେ ହନୁମାନ ଆଗରେ ରହି ସେହି ଗୁମ୍ଫା ମଧ୍ୟରେ ପ୍ରବେଶ କରିବା ପରେ ଅନ୍ୟମାନେ ତାଙ୍କୁ ଅନୁସରଣ କଲେ । ଗୁମ୍ଫା ମଧ୍ୟରେ ଗୋଟିଏ ଉଦ୍ୟାନ ଥିଲା । ଉଦ୍ୟାନର ପୁଷ୍କରିଣୀରେ କମଳ ପୁଷ୍ପମାନ ପ୍ରସ୍ଫୁଟିତ ହୋଇଥିଲା । ସେଠାରେ ଗୋଟିଏ ମନ୍ଦିର ମଧ୍ୟରେ ସେମାନେ ଏକ ତପୋମୂର୍ତ୍ତି ସ୍ତ୍ରୀଙ୍କୁ ବସିଥିବାର ଦେଖିଲେ । ବାନରମାନେ ସେହି ତପୋମୂର୍ତ୍ତିଙ୍କୁ ନମସ୍କାର କଲେ । ନାରୀମୂର୍ତ୍ତି ବାନରମାନଙ୍କୁ ଉଦ୍ୟାନରୁ ଫଳ ଭକ୍ଷଣ ଓ ପୁଷ୍କରିଣୀରୁ ଜଳପାନ କରିବାପାଇଁ ଅନୁମତି ଦେବାରୁ ସେମାନେ ସ୍ନାନ କରି ନାନା ପ୍ରକାରର ଫଳ ଖାଇଲେ ଏବଂ ପୁଣି ସେହି ନାରୀମୂର୍ତ୍ତିଙ୍କ ନିକଟକୁ ଆସିଲେ । ବାନରମାନେ ତାଙ୍କୁ ସେମାନଙ୍କର କାର୍ଯ୍ୟ ବିଷୟ ଜଣାଇବାରୁ ତପୋମୂର୍ତ୍ତି ନାରୀ କହିଲେ–‘ତୁମ୍ଭେମାନେ ଚକ୍ଷୁ ବନ୍ଦକର ଏବଂ ଗୁମ୍ଫା ବାହାରକୁ ଚାଲିଯାଅ । ତୁମ୍ଭେମାନେ ସୀତାଙ୍କର ସମ୍ବାଦ ପାଇବ ।’ ତାଙ୍କ କଥା ଅନୁସାରେ ସେମାନେ ଚକ୍ଷୁ ବନ୍ଦ କରି ବାହାରିବା ମାତ୍ରେ ସମୁଦ୍ରକୂଳରେ ପହଞ୍ଚିଲେ । ତପୋମୂର୍ତ୍ତି ନାରୀ ବାନରମାନଙ୍କୁ ନିର୍ଦ୍ଦେଶ ଦେଇ ନିଜେ ଶ୍ରୀରାମଚନ୍ଦ୍ରଙ୍କ ନିକଟକୁ ଗଲେ ଏବଂ ଶ୍ରୀରାମଙ୍କୁ ପ୍ରଣାମ କରି ନାନା ପ୍ରକାରର ବିନତି କଲେ । ଶ୍ରୀରାମଙ୍କର ଆଜ୍ଞା ପାଇ ସେ ବଦରିକାଶ୍ରମକୁ ଚାଲିଗଲେ ।

 

ବାନରମାନେ ବହୁସ୍ଥାନ ଭ୍ରମଣ କରି କରି ସୀତାଙ୍କୁ ପାଇଲେ ନାହିଁ । ସେତେବେଳକୁ ଏକମାସ ଅବଧି ଶେଷ ହୋଇଗଲା । ସମସ୍ତେ ନିରାଶ ହୃଦୟରେ ଏକତ୍ର ବସି ବିଚାର କଲେ । ଅଙ୍ଗଦ କହିଲେ–‘ଆମ୍ଭେମାନେ ସୀତାଙ୍କର କୌଣସି ସମ୍ବାଦ ପାଇଲେ ନାହିଁ । ଆମ୍ଭେମାନେ କାର୍ଯ୍ୟ ନ କରି ପ୍ରତ୍ୟାବର୍ତ୍ତନ କଲେ ଆମ୍ଭମାନଙ୍କୁ ସୁଗ୍ରୀବ ବଧ କରିବେ । ଆମ୍ଭମାନଙ୍କର ମୃତ୍ୟୁ ସୁନିଶ୍ଚିତ, ଏଥିରେ ସନ୍ଦେହ ନାହିଁ ।’ ସମସ୍ତଙ୍କର ନେତ୍ର ଅଶ୍ରୁପୂର୍ଣ୍ଣ ହୋଇଗଲା । କାହାରି ମୁଖରୁ କୌଣସି କଥା ବାହାରିଲା ନାହିଁ । କିଛିକ୍ଷଣ ପରେ ବାନରମାନେ ଅଙ୍ଗଦଙ୍କୁ କହିଲେ–‘ହେ ଯୁବରାଜ ! ସୀତାଙ୍କର ଅନୁସନ୍ଧାନ ବିନା ଆମ୍ଭେମାନେ ପ୍ରତ୍ୟାବର୍ତ୍ତନ କିପରି କରିବା ?’ ବାନରମାନେ ଯୁବରାଜଙ୍କୁ ନାନା ଭରସା ଦେଇ ଲବଣ ସାଗର କୂଳରେ କୁଶ ଅଚ୍ଛାଦନ କରି ସେଠାରେ ବସିଲେ-

 

ଜାମ୍ବବାନ ଅଙ୍ଗଦଙ୍କ ମନରେ ଗଭୀର ଦୁଃଖ ଦେଖି କହିଲେ, ‘ହେ ଯୁବରାଜ ! ଶ୍ରୀରାମ ସାଧାରଣ ମନୁଷ୍ୟ ନୁହନ୍ତି । ଆମ୍ଭେମାନେ ତାଙ୍କର ସେବକ ହୋଇଥିବାରୁ ଆମ୍ଭେମାନେ ବଡ଼ ଭାଗ୍ୟବାନ୍ । ଦେବତା, ପୃଥିବୀ, ଗାଭୀ ଓ ବ୍ରାହ୍ମଣମାନଙ୍କ ନିମନ୍ତେ ଭଗବାନ ଅବତାର ଗ୍ରହଣ କରିଛନ୍ତି । ଭକ୍ତମାନେ ମୋକ୍ଷମାର୍ଗ ତ୍ୟାଗକରି ତାଙ୍କରି ସେବା ନିମନ୍ତେ ତାଙ୍କର ସଙ୍ଗରେ ରହନ୍ତି ।’ ଜାମ୍ବବାନଙ୍କର ଏପରି ଭକ୍ତିବିଷୟକ କଥା ପର୍ବତ କନ୍ଦରାରେ ବାସ କରୁଥିବା ସଂପାତି ନାମକ ଗୃଧ୍ର ଶୁଣିପାରିଲା । ସଂପାତି କନ୍ଦରା ମଧ୍ୟରୁ ବାହାରିଲା । ବାହାରେ ବାନରମାନେ ଏଣେତେଣେ ବସିଥିବାର ଦେଖିପାରି କହିଲା–ଭଗବାନ ମୋ ପାଖକୁ ବହୁତ ଖାଦ୍ୟ ପ୍ରେରଣ କରିଅଛନ୍ତି । ବିନା ପରିଶ୍ରମରେ ମୋତେ ଆଜି ବହୁତ ଖାଦ୍ୟ ମିଳିଛି । ଆଜି ଏମାନଙ୍କୁ ସମସ୍ତଙ୍କୁ ଖାଇଯିବି ଅନେକଦିନ ହେଲା କିଛି ଖାଦ୍ୟ ମିଳି ନ ଥିଲା । ଉଦରପୂର୍ଣ୍ଣ ଭୋଜନ ତ କେବେ ହେଲେ ମିଳେନାହିଁ ! ବିଧାତା ଆଜି ମୋ ନିମନ୍ତେ ବହୁତ ଖାଦ୍ୟ ପ୍ରେରଣ କରିଅଛନ୍ତି ।

 

ସଂପାତିର ଏକଥା ବାନରମାନେ ଶୁଣିପାରି ଭୟଭୀତ ହୋଇପଡ଼ିଲେ । ତାହାକୁ ଦେଖି ସେମାନେ ଠିଆ ହୋଇଗଲେ । ଜାମ୍ବବାନ ବଡ଼ ଦୁଃଖିତ ହୋଇପଡ଼ିଲେ । ଅଙ୍ଗଦ ସଂପାତିକୁ ଦେଖି କହିଲେ–ଜଟାୟୁ ଧନ୍ୟ ଅଟନ୍ତି । ସେ ଶ୍ରୀରାମଙ୍କ କାର୍ଯ୍ୟ ସମ୍ପନ୍ନ କରି ଶରୀର ତ୍ୟାଗକଲେ । ଆମ୍ଭମାନଙ୍କର ମଧ୍ୟ ସେହି ଗତି ହେବ ।

 

ସଂପାତି ଏ କଥା ଶୁଣି ଯେତେବେଳେ ବାନରମାନଙ୍କ ପାଖକୁ ଆସିଲା, ବାନରମାନେ ଭୟରେ ଥରହର ହେଲେ । ସମ୍ପାତି ସେମାନଙ୍କଠାରୁ ଜଟାୟୁଙ୍କ ବୃତ୍ତାନ୍ତ ଜାଣିବାକୁ ଇଚ୍ଛା କରିବାରୁ ସେମାନେ ସମସ୍ତ ଘଟଣା କହିଲେ । ସମ୍ପାତି କହିଲା–‘ମୋତେ ତୁମ୍ଭେମାନେ ସମୁଦ୍ରକୂଳକୁ ନେଇଯାଅ । ମୁଁ ଜଟାୟୁ ନିମନ୍ତେ ତିଳାଞ୍ଜଳି ଦେବି । ମୁଁ ତୁମ୍ଭମାନଙ୍କୁ ଶ୍ରୀରାମଙ୍କ କାର୍ଯ୍ୟରେ ସହାୟତା କରିବି ।’ ବାନରମାନେ ବୃଦ୍ଧ ସମ୍ପାତିକୁ ସମୁଦ୍ରକୂଳକୁ ନେଇଗଲେ । ସେଠାରେ ନିଜର କନିଷ୍ଠ ଭ୍ରାତା ଜଟାୟୁ ଉଦ୍ଦେଶ୍ୟରେ ତିଳାଞ୍ଜଳି ଦେଇସାରି ସମ୍ପାତି ବାନରମାନଙ୍କୁ ନିଜର ସମସ୍ତ ଘଟଣା ବର୍ଣ୍ଣନା କରି କରି କହିଲା–

 

‘‘ହେ ବୀର ବାନରମାନେ ! ଆମେ ଦୁଇଭାଇ ଯୌବନ ସମୟରେ ଆକାଶରେ ଉଡ଼ି ଉଡ଼ି ସୂର୍ଯ୍ୟଙ୍କ ନିକଟକୁ ଚାଲିଗଲୁ । ମୋର କନିଷ୍ଠ ଜଟାୟୁ ସୂର୍ଯ୍ୟଙ୍କର ତେଜ ସହିପାରିଲା ନାହିଁ । ତେଣୁ ସେ ପୃଥିବୀକୁ ଫେରିଆସିଲା । ମୁଁ ଅତ୍ୟନ୍ତ ଗର୍ବିତ ହୋଇ ସୂର୍ଯ୍ୟଙ୍କ ନିକଟକୁ ଚାଲିଗଲି । ସୂର୍ଯ୍ୟଙ୍କର ଅପାର ତେଜ ଯୋଗୁଁ ମୋର ପକ୍ଷ ଜଳିଗଲା । ଭୀଷଣ ବେଗରେ ମୁଁ ପୃଥିବୀ ଉପରେ ପଡ଼ିଗଲି । ସେହି ସ୍ଥାନରେ ଚନ୍ଦ୍ରମା ନାମରେ ଜଣେ ମୁନି ଥିଲେ । ସେ ମୋ ଉପରେ ଦୟାର୍ଦ୍ର ହୋଇ ନାନା ଜ୍ଞାନମୟ ବାଣୀ କହିଲେ । ସେ କହିଲେ–‘ତ୍ରେତା ଯୁଗରେ ଭଗବାନ୍ ମନୁଷ୍ୟ ଅବତାର ଗ୍ରହଣ କରିବେ ! ତାଙ୍କ ପତ୍ନୀଙ୍କୁ ରାକ୍ଷସ ରାଜା ହରଣ କରିନେବେ । ତାଙ୍କୁ ଅନ୍ଵେଷଣ କରିବାପାଇଁ ପ୍ରଭୁ ଅନେକ ଦୂତ ପ୍ରେରଣ କରିବେ । ସେହି ଦୂତମାନଙ୍କ ସହିତ ଭେଟିଲେ ତୁ ପବିତ୍ର ହୋଇଯିବୁ ଏବଂ ତୋର ପକ୍ଷଗୁଡ଼ିକ ନୂତନ ହୋଇ ନିର୍ଗତ ହେବ । ତୁ ସେମାନଙ୍କୁ ସୀତାଙ୍କୁ ଦେଖାଇ ଦେବୁ । ମୁନିବାଣୀ ଆଜି ସତ୍ୟ ଘଟିଅଛି । ମୋ ବଚନ ଅନୁସାରେ ତୁମ୍ଭେମାନେ ଶ୍ରୀରାମଙ୍କ କାର୍ଯ୍ୟରେ ପ୍ରବୃତ୍ତ ହୁଅ ।

 

“ତ୍ରିକୂଟ ପର୍ବତ ଉପରେ ଲଙ୍କା ନାମକ ନଗରୀ ଅଛି । ରାବଣ ନାମକ ରାକ୍ଷସ ନିର୍ଭୟରେ ସେଠାରେ ବାସ କରୁଅଛି । ସେହି ନଗରୀରେ ଅଶୋକ ବାଟିକା ମଧ୍ୟରେ ସୀତା ଅଛନ୍ତି-। ସେ ଅତ୍ୟନ୍ତ ଦୁଃଖରେ ସେଠାରେ ବସିଛନ୍ତି । ତୁମ୍ଭେମାନେ ତାଙ୍କୁ ଦେଖିପାରୁନାହଁ; କିନ୍ତୁ ମୁଁ ଦେଖିପାରୁଛି । କି ଉପାୟ କରିବି । ମୁଁ ଅତ୍ୟନ୍ତ ବୃଦ୍ଧ; ତା ନ ହୋଇଥିଲେ ମୁଁ ତୁମ୍ଭମାନଙ୍କର ସହାୟତା କରନ୍ତି । ତୁମ୍ଭମାନଙ୍କ ମଧ୍ୟରୁ ଯେ ଶହେ ଯୋଜନ ଲମ୍ଫଦେଇ ପାରିବ ଏବଂ ବୁଦ୍ଧିମାନ୍ ହୋଇଥିବ, ସେହି କେବଳ ଶ୍ରୀରାମଙ୍କର କାର୍ଯ୍ୟ ସାଧନ କରିପାରିବ । ମୋର ଏ ବୃଦ୍ଧ ଶରୀରକୁ ଦେଖି ତୁମ୍ଭେମାନେ ହୃଦୟରେ ସାହସ ଆନୟନ କର । ଦେଖ, ବର୍ତ୍ତମାନ ଶ୍ରୀରାମଙ୍କର କୃପାବଳରେ ମୋର ପକ୍ଷ କିପରି ନିର୍ଗତ ହେଉଅଛି । ପାପୀମାନେ ଯେଉଁ ଶ୍ରୀରାମ ନାମ ସ୍ମରଣ କରି ଭବସାଗରରୁ ମୁକ୍ତି ପାଆନ୍ତି, ତୁମ୍ଭେମାନେ ତାଙ୍କରି ଦୂତ । ମନରେ ଦୁର୍ବଳତାକୁ ସ୍ଥାନ ଦିଅନାହିଁ-। ସେହି ଶ୍ରୀରାମଙ୍କୁ ହୃଦୟରେ ଧାରଣକରି ତାଙ୍କରି କାର୍ଯ୍ୟରେ ବ୍ରତୀ ହୁଅ ।” ଏହା କହି ଗୃଧ୍ର ସମ୍ପାତି ବିଦାୟ ନେଲା ।

 

ବାନରମାନେ ସମ୍ପାତି ରହସ୍ୟ ଶୁଣି ଅତ୍ୟନ୍ତ ବିସ୍ମିତ ହେଲେ । ବର୍ତ୍ତମାନ ସମୁଦ୍ର ଲଙ୍ଘନ କରି ଲଙ୍କାପୁରକୁ ଯିବାପାଇଁ ବାନରମାନେ ବିଚାରକଲେ । ପ୍ରତ୍ୟେକେ ନିଜ ନିଜର ବଳ ବିଷୟ ବର୍ଣ୍ଣନା କଲେ; କିନ୍ତୁ ସମୁଦ୍ର ପାରହୋଇ ଯିବାପାଇଁ ସମସ୍ତଙ୍କ ମନରେ ସନ୍ଦେହ ଆସିଲା ।

 

ଋକ୍ଷରାଜ ଜାମ୍ବବାନ କହିଲେ–ମୁଁ ବର୍ତ୍ତମାନ ବୃଦ୍ଧ । ମୋଠାରେ ପୂର୍ବ ବଳ ଆଉ ନାହିଁ । ଯେତେବେଳେ ଭଗବାନ୍ ବିଷ୍ଣୁ ବାମନ ଅବତାର ଗ୍ରହଣ କରିଥିଲେ, ସେ ସମୟରେ ମୁଁ ଯୁବକ ଥିଲି । ମୋଠାରେ ଅସୀମ ବଳ ଥିଲା । ବଳିଙ୍କୁ ବନ୍ଧନ କରିବା ସମୟରେ ବାମନ ଯେପରି ଭାବରେ ବର୍ଦ୍ଧିତ ହେଲେ, ମୋ ପକ୍ଷରେ ତାଙ୍କର ସେ ଶରୀରର ବର୍ଣ୍ଣନା କରିବା ସମ୍ଭବ ନୁହେଁ; କିନ୍ତୁ ମୁଁ କେବଳ ଦୁଇଘଡ଼ି ମଧ୍ୟରେ ସେହି ବିରାଟ ଶରୀରକୁ ସପ୍ତବାର ପ୍ରଦକ୍ଷିଣ କରିଥିଲି ।

 

ଅଙ୍ଗଦ କହିଲେ–‘ମୁଁ ସମୁଦ୍ର ପାର ହୋଇ ଚାଲିଯାଇ ପାରିବି; କିନ୍ତୁ ପ୍ରତ୍ୟାବର୍ତ୍ତନ ବିଷୟରେ ମୋ ମନରେ ସହେହ ଆସୁଛି ।’ ଜାମ୍ବବାନ କହିଲେ–ତୁମେ ସବୁ ଦିଗରେ ଯୋଗ୍ୟ ଅଟ-। ତୁମେ ସମସ୍ତଙ୍କର ନେତା, ତୁମକୁ କିପରି ପ୍ରେରଣ କରାଯାଇ ପାରିବ ? ହନୁମାନ୍ ! ତୁମେ ଅସୀମ ବଳବାନ୍ ଅଟ । ତୁମେ କାହିଁକି ଏପରି ତୂନୀ ହୋଇ ବସିଛ ? ତୁମେ ପବନପୁତ୍ର; ତେଣୁ ପବନ ସଦୃଶ ବଳବାନ୍‌ ଅଟ । ତୁମେ ବୁଦ୍ଧିମାନ୍‌, ବିବେକୀ ଓ ଜ୍ଞାନବାନ୍‌ । ଜଗତରେ ଏପରି କୌଣସି କାର୍ଯ୍ୟ ଅଛି ଯାହା ତୁମଦ୍ଵାରା ନ ହୋଇପାରିବ ? ଶ୍ରୀରାମଙ୍କ କାର୍ଯ୍ୟ ନିମନ୍ତେ ତୁମେ ଅବତାର ଗ୍ରହଣ କରିଛ ।

 

ଜାମ୍ବବାନଙ୍କର ଏ ଉତ୍ସାହ-ଉଦ୍ଦୀପନାପୂର୍ଣ୍ଣ ବାଣୀ ଶୁଣିବାମାତ୍ରେ ହନୁମାନ ବିଶାଳ ରୂପ ଧାରଣକଲେ । ତାଙ୍କର ଶରୀର ପର୍ବତ ସଦୃଶ ବିରାଟ ଆକାର ଧାରଣ କଲା । ସ୍ଵର୍ଣ୍ଣବର୍ଣ୍ଣରେ ସେ ସୁଶୋଭିତ ହେଲେ । ସେ ବାରମ୍ବାର ସିଂହନାଦ କରିବାକୁ ଲାଗିଲେ ଏବଂ କହିଲେ–ମୁଁ ଏ ଲବଣ ସମୁଦ୍ରକୁ ଅବଲୀଳାକ୍ରମେ ଲଙ୍ଘନ କରିବି । ରାକ୍ଷସରାଜ ରାବଣକୁ ତାର ସହଚର ସହିତ ବିନାଶ କରି ତ୍ରିକୂଟ ପର୍ବତ ଉତ୍ପାଟନ କରିବି । ହେ ଜାମ୍ବବାନ ! ମୋତେ ମୋର କର୍ତ୍ତବ୍ୟ ଶିକ୍ଷାଦିଅ ।

 

ଜାମ୍ବବାନ କହିଲେ–ତୁମେ ଲଙ୍କାପୁରୀକୁ ଯାଇ ସୀତାଙ୍କର ସନ୍ଧାନ ନେଇ ପ୍ରତ୍ୟାବର୍ତ୍ତନ କର । ସୀତାଙ୍କର ସମ୍ବାଦ ଶ୍ରୀରାମଙ୍କୁ ଦିଅ । ଶ୍ରୀରାମ ରାବଣକୁ ନିହତ କରି ସୀତାଙ୍କୁ ଉଦ୍ଧାର କରିବେ ।

 

ହନୁମାନ୍ କହିଲେ–ଭାଇମାନେ, ତୁମ୍ଭେମାନେ ସମସ୍ତେ ଏହିଠାରେ ଦୁଃଖ ସହି ରହିଥାଅ । ଫଳମୂଳ ଖାଇ ଜୀବନଧାରଣ କରି ମୁଁ ଆସିବା ପର୍ଯ୍ୟନ୍ତ ଅପେକ୍ଷାକର । ମୋ ମନରେ ଗଭୀର ଆନନ୍ଦ ଆସୁଅଛି । ମୁଁ ଜାଣିପାରୁଛି ମୋଦ୍ଵାରା ଶ୍ରୀରାମଙ୍କର କାର୍ଯ୍ୟ ସାଧିତ ହେବ ।

Image

 

ଜାନକୀ-ସନ୍ଧାନ

 

ଅତୁଳ ବଳଶାଳୀ, ସ୍ଵର୍ଣ୍ଣପର୍ବତ ସଦୃଶ କାନ୍ତିଯୁକ୍ତ ଶରୀରସଂପନ୍ନ, ଜ୍ଞାନୀମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ଏବଂ ଶ୍ରୀରାମଙ୍କର ପ୍ରିୟ ଭକ୍ତ ହନୁମାନ୍ ଜାମ୍ବବାନଙ୍କର ବଚନ ଶୁଣି ନିଜର ପୌରୁଷ ଉପରେ ବିଶ୍ଵାସକଲେ । ତାଙ୍କର ହୃଦୟ ଆନନ୍ଦରେ ଉତଫୁଲ୍ଲ ହୋଇ ଉଠିଲା । ସେ ହର୍ଷୋତ୍‌ଫୁଲ୍ଲ ହୃଦୟରେ ସମସ୍ତଙ୍କୁ ପ୍ରଣାମକରି ଏକ ଲମ୍ଫରେ ସମୁଦ୍ରକୂଳସ୍ଥିତ ପର୍ବତର ଶିଖରଦେଶରେ ଉପନୀତ ହେଲେ । ସେହି ପର୍ବତ ଉପରେ ପାଦଭାର ସ୍ଥାପନକରି ଯେତେବେଳେ ସେ ଲମ୍ଫ ପ୍ରଦାନକଲେ, ତାଙ୍କର ଉଲ୍ଲଙ୍ଘନ ବେଗ ସହ୍ୟ କରି ନ ପାରି ସେ ପର୍ବତ ପାତାଳ ମଧ୍ୟକୁ ପ୍ରବେଶ କଲା । ଶ୍ରୀରାମଙ୍କର ଅମୋଘ ବାଣର ଗତି ପରି ହନୁମାନ ସମୁଦ୍ର ଉପରେ ଗତି କରିବାକୁ ଲାଗିଲେ ।

 

ସମୁଦ୍ର ତାଙ୍କୁ ଶ୍ରୀରଘୁନାଥଙ୍କର ଦୂତ ବୋଲି ଜାଣି ତାଙ୍କର ବିଶ୍ରାମ ସକାଶେ ମୈନାକ ପର୍ବତକୁ କହିଲେ, ‘ବର୍ତ୍ତମାନ ଶ୍ରୀରାମଦୂତ ହନୁମାନ୍ ସୀତାନ୍ୱେଷଣରେ ଯାଉଛନ୍ତି । ତୁମେ ଶୀଘ୍ର ଉର୍ଦ୍ଧ୍ଵଗତି କରି ତାଙ୍କପାଇଁ ବିଶ୍ରାମ ନିମନ୍ତେ ସ୍ଥାନ ସଂରକ୍ଷଣ କର ।’ ସମୁଦ୍ରଙ୍କ ଆଦେଶରେ ମୈନାକ ପର୍ବତ ହନୁମାନଙ୍କର ବିଶ୍ରାମ ପାଇଁ ଊର୍ଦ୍ଧ୍ଵକୁ ଗତି କଲେ; କିନ୍ତୁ ହନୁମାନ୍ ମୈନାକଙ୍କୁ ସ୍ପର୍ଶକରି କହିଲେ–ହେ ମୈନାକ, ମୁଁ ବର୍ତ୍ତମାନ ଶ୍ରୀରଘୁନାଥଙ୍କର କାର୍ଯ୍ୟ ସମ୍ପନ୍ନ ଉଦ୍ଦେଶ୍ୟରେ ଗତିକରୁଛି; ମୋତେ ବର୍ତ୍ତମାନ ବିଶ୍ରାମ କାହୁଁ ମିଳିବ ?’

 

ଦେବତାମାନେ ହନୁମାନ୍‌ଙ୍କୁ ଦେଖି ତାଙ୍କର ବଳ ଓ ବୁଦ୍ଧି ପରୀକ୍ଷା କରିବା ନିମନ୍ତେ ସର୍ପମାତା ସୁରସାକୁ ପଠାଇଲେ । ସୁରସା ହନୁମାନ୍‌ଙ୍କୁ କହିଲେ, ‘ଆଜି ମୋ ପାଇଁ ଦେବତାମାନେ ଖାଦ୍ୟ ପ୍ରେରଣ କରିଅଛନ୍ତି । ମୁଁ ତୋତେ ଆଜି ଭୋଜନ କରିବି ।” ହନୁମାନ୍‌ କହିଲେ–ମାତା ! ମୁଁ ବର୍ତ୍ତମାନ ଶ୍ରୀରାମଙ୍କ କାର୍ଯ୍ୟରେ ବାହାରିଛି । ସୀତାଙ୍କର ଅନୁସନ୍ଧାନ କରି ଶ୍ରୀରାମଙ୍କୁ ସେ ସମ୍ବାଦ ପ୍ରଦାନ କରିସାରି ମୁଁ ଆସି ତୁମର ମୁଖରେ ପ୍ରବେଶ କରିବି । ମୁଁ ସତ୍ୟ କହୁଛି, ବର୍ତ୍ତମାନ ମୋତେ ସେ କାର୍ଯ୍ୟ ସମ୍ପନ୍ନ କରିବା ପାଇଁ ତ୍ୟାଗକର ।

 

ସୁରସା ବିଶ୍ୱାସ କଲାନାହିଁ । ହନୁମାନ୍ ଯେତେ ପ୍ରକାର ବୁଝାଇଲେ ସୁଦ୍ଧା ସୁରସା ନ ମାନି ନିଜ ମୁଖକୁ ଏକ ଯୋଜନ ପର୍ଯ୍ୟନ୍ତ ବିସ୍ତାର କଲା । ହନୁମାନ୍ ନିଜ ଶରୀରକୁ ଦୁଇ ଯୋଜନ ବିସ୍ତୃତ କଲେ । ସୁରସା ଷୋହଳ ଯୋଜନ ପର୍ଯ୍ୟନ୍ତ ପ୍ରସାରିତ କରି ମୁଖ ବ୍ୟାଦାନ କଲା । ହନୁମାନ୍ ଶରୀରକୁ ବତିଶ ଯୋଜନ ଆକ୍ରାନ୍ତରେ ବର୍ଦ୍ଧିତ କଲେ । ସୁରସା ଯେତିକି ଅଧିକ ମୁଖ ବ୍ୟାଦାନ କରିବାକୁ ବସିଲା, ହନୁମାନ୍ ତାହାର ଦୁଇଗୁଣ ଅନୁପାତରେ ଶରୀରକୁ ପ୍ରସାରିତ କଲେ । ସୁରସା ଯେତେବେଳେ ଏକଶତ ଯୋଜନ ପର୍ଯ୍ୟନ୍ତ ମୁଖକୁ ବିସ୍ତୃତ କଲା, ସେତେବେଳେ ହନୁମାନ୍ ମୁହୂର୍ତ୍ତକ ମଧ୍ୟରେ ଅତ୍ୟନ୍ତ କ୍ଷୁଦ୍ରରୂପ ଧାରଣ କରି ମୁଖ ମଧ୍ୟରେ ପ୍ରବେଶ କରି ନିର୍ଗତ ହେଲେ ଏବଂ ସୁରସାକୁ ନମସ୍କାର କରି ବିଦାୟ ନେଇ ଗଲାବେଳେ ସୁରସା କହିଲା–‘ମୁଁ ତୁମର ବୁଦ୍ଧି ଓ ବଳର ରହସ୍ୟ ବୁଝି ପାରିଲି । ଦେବତାମାନେ ତୁମର ବୁଦ୍ଧି ଓ ବଳ ପରୀକ୍ଷା କରିବା ପାଇଁ ମୋତେ ପ୍ରେରଣ କରିଥିଲେ । ତୁମଦ୍ଵାରା ଶ୍ରୀରାମଚନ୍ଦ୍ରଙ୍କର କାର୍ଯ୍ୟ ସମ୍ପନ୍ନ ହେବ ।’

 

ସୁରସାଠାରୁ ବିଦାୟ ଓ ଆଶୀର୍ବାଦ ଗ୍ରହଣ କରି ହନୁମାନ୍ ସମୁଦ୍ରର ଊର୍ଦ୍ଧ୍ଵ ଭାଗରେ ଗତିକଲାବେଳେ ସମୁଦ୍ରରେ ବାସକରୁଥିବା ଗୋଟିଏ ରାକ୍ଷସୀ ସହିତ ତାଙ୍କର ଭେଟ ହେଲା । ରାକ୍ଷସୀ ବଡ଼ ମାୟାବିନୀ ଥିଲା । ସେ ମାୟାକରି ଆକାଶରେ ଉଡ଼ୁଥିବା ପକ୍ଷୀମାନଙ୍କୁ ଆକର୍ଷଣ କରିନେଉଥିଲା । ଯେଉଁ ଜୀବଜନ୍ତୁମାନେ ଆକାଶରେ ଉଡ଼ିଯାଉଥିଲେ, ସେମାନଙ୍କର ଛାୟା ସମୁଦ୍ରରେ ପଡ଼ିବାମାତ୍ରେ ସେହି ଛାୟାକୁ ରାକ୍ଷସୀ ଧରିଦେବାମାତ୍ରେ ସେମାନେ ଆଉ ଆକାଶମାର୍ଗରେ ଯାଇ ପାରୁନଥିଲେ । ରାକ୍ଷସୀ ସେମାନଙ୍କୁ ଧରି ଖାଉଥିଲା । ସେ ରାକ୍ଷସୀ ହନୁମାନଙ୍କ ସହିତ ମଧ୍ୟ ସେହିପରି କପଟ କଲା । ହନୁମାନ୍ ତାହାର କପଟ ଜାଣିପାରିଲେ । ସେ ତାହାକୁ ମାରି ସମୁଦ୍ର ପାରହେଲେ ।

 

ସମୁଦ୍ରର ଅନ୍ୟ କୂଳରେ ଗୋଟିଏ ସୁନ୍ଦର ବନ ଥିଲା । ସେହି ବନ ନାନା ସୁନ୍ଦର ବୃକ୍ଷଲତା ଓ ଫଳପୁଷ୍ପ ଶୋଭିତ ଥିଲା । ସେହି ବଣ ନିକଟରେ ଥିବା ଗୋଟିଏ ପର୍ବତ ଉପରେ ହନୁମାନ୍ ଆରୋହଣ କରି ସେଠାରୁ ଲଙ୍କାପୁରୀର ସୁନ୍ଦର ଦୃଶ୍ୟ ଦେଖିବାକୁ ଲାଗିଲେ ।

 

ଲଙ୍କାପୁରୀର ଚତୁର୍ଦ୍ଦିଗରେ ସମୁଦ୍ର ବେଷ୍ଟିତ ହୋଇଅଛି । ବିବିତ୍ର ମଣିଖଚିତ ପୁରୀ ମଧ୍ୟରେ ବହୁ ସୁନ୍ଦର ଗୃହଗୁଡ଼ିକ ଶୋଭାପାଉଅଛି । ବିପଣି ମଧ୍ୟରେ ସୁନ୍ଦର ପଥ ଓ ପ୍ରାଙ୍ଗଣଗୁଡ଼ିକ ସଜ୍ଜିତ ହୋଇଅଛି । ହସ୍ତୀ, ଅଶ୍ଵ, ରଥଗୁଡ଼ିକର ଶୋଭା ଅବର୍ଣ୍ଣନୀୟ । ଅନେକ ରୂପର ରାକ୍ଷସଦଳ ଭ୍ରମଣ କରୁଅଛନ୍ତି । ବନ, ଉପବନ, ପୁଷ୍କରିଣୀ ସୁଶୋଭିତ ହୋଇଅଛି । ପର୍ବତ ସଦୃଶ ବଳବାନ୍ ରାକ୍ଷସମାନେ ଗର୍ଜନ କରୁଅଛନ୍ତି । ବିଭିନ୍ନ ସ୍ଥାନରେ ମଲ୍ଲଯୋଦ୍ଧାମାନେ ବିଭିନ୍ନ ଆଖଡ଼ାର ମଲ୍ଲଯୋଦ୍ଧାମାନଙ୍କୁ ଯୁଦ୍ଧ ନିମିତ୍ତ ଆହ୍ୱାନ କରୁଅଛନ୍ତି । ଭୟଙ୍କର ଶରୀରଧାରୀ ରାକ୍ଷସମାନେ ନଗରର ଚତୁର୍ଦ୍ଦିଗକୁ ରକ୍ଷା କରିବାପାଇଁ ନିଯୁକ୍ତ । ସ୍ଥାନେ ସ୍ଥାନେ ଦୁଷ୍ଟ ରାକ୍ଷସମାନେ ମହିଷ, ମନୁଷ୍ୟ ଓ ବଳିବର୍ଦ୍ଦମାନଙ୍କୁ ଭକ୍ଷଣ କରିବାରେ ଲାଗିଛନ୍ତି ।

 

ନଗରର ବହୁସଂଖ୍ୟକ ପ୍ରହରୀଙ୍କୁ ଦେଖି ହନୁମାନ୍ ବିଚାର କଲେ–ମୁଁ ଅତ୍ୟନ୍ତ କ୍ଷୁଦ୍ର ରୂପ ଧାରଣକରି ରାତ୍ରିରେ ନଗର ମଧ୍ୟରେ ପ୍ରବେଶ କରିବି । ମନରେ ଏପରି ବିଚାରି ସେ ଗୋଟିଏ ମଶକ ପରି କ୍ଷୁଦ୍ରରୂପ ଧାରଣ କଲେ ଏବଂ ଶ୍ରୀରାମଚନ୍ଦ୍ରଙ୍କ ରୂପକୁ ହୃଦୟ ମଧ୍ୟରେ ସ୍ଥାପନକରି ଲଙ୍କାପୁରୀ ମଧ୍ୟରେ ପ୍ରବେଶ କଲେ ।

 

ଲଙ୍କାପୁରୀର ଦ୍ଵାରଦେଶରେ ଲଙ୍କିନୀ ନାମକ ଏକ ରାକ୍ଷସୀ ଥିଲା । ସେ ହନୁମାନଙ୍କୁ ଦେଖିପାରି ପଚାରିଲା, ‘ତୁ ମୋତେ ଅନାଦର କରି ଲଙ୍କାପୁରୀ ମଧ୍ୟରେ ପ୍ରବେଶ କଲୁ କାହିଁକି ? ତୁ ମୋର ବଳ ବିକ୍ରମ ଜାଣିନାହୁଁ ? ଆଜି ମୁଁ ତୋତେ ଆହାର କରିବି ।’ ହନୁମାନ ଲଙ୍କିନୀର କଥା ଶୁଣି କ୍ରୋଧରେ ତାହାକୁ ଏପରି ଏକ ବିଧାଘାତ କଲେ ଯେ ଲଙ୍କିନୀ ସେଠାରେ ରକ୍ତ ବମନ କରି ପୃଥିବୀ ଉପରେ ପତିତ ହେଲା । ଲଙ୍କିନୀ ପୃଥିବୀ ଉପରୁ ଶରୀରକୁ ସମ୍ଭାଳି ଠିଆହେଲା ଏବଂ ଭୟପୂର୍ଣ୍ଣ ହୃଦୟରେ ହାତଯୋଡ଼ି କହିଲା–ହେ ବୀର ବାନର, ବ୍ରହ୍ମା ରାବଣକୁ ବର ଦେଇଯିବାବେଳେ ମୋତେ କହିଥିଲେ, ଯେତେବେଳେ ଗୋଟିଏ ବାନରର ବିଧାଘାତରେ ତୁ ବ୍ୟାକୁଳ ହୋଇପଡ଼ିବୁ ସେତେବେଳେ ରାକ୍ଷସମାନଙ୍କର ବିନାଶ ହେବ ବୋଲି ଜାଣିବୁ । ମୋର ବଡ଼ ଭାଗ୍ୟ, ମୁଁ ଆଜି ଶ୍ରୀରାମଙ୍କ ଦୂତଙ୍କୁ ମୋର ଏ ନେତ୍ରରେ ଦେଖିପାରିଛି । ସତ୍‌ସଙ୍ଗ-ସୁଖଠାରୁ ବଳି ସୁଖ ନାହିଁ । ତୁମେ ଅଯୋଧ୍ୟାତିଳକ ଶ୍ରୀରାମଚନ୍ଦ୍ରଙ୍କୁ ହୃଦୟରେ ରଖି ଲଙ୍କାପୁରୀରେ ପ୍ରବେଶ କରି ସମସ୍ତ କାର୍ଯ୍ୟ ସମ୍ପନ୍ନ କର ।

 

ହନୁମାନ୍ କ୍ଷୁଦ୍ର ରୂପ ଧାରଣ କରି ଲଙ୍କାପୁରୀ ମଧ୍ୟରେ ଥିବା ପ୍ରତ୍ୟେକ ଗୃହ ଅନୁସନ୍ଧାନ କଲେ । ବହୁତ ସ୍ଥାନରେ ବହୁ ଯୋଦ୍ଧା ଦେଖିଲେ । ରାବଣଙ୍କର ପ୍ରାସାଦ ମଧ୍ୟରେ ପ୍ରବେଶ କଲେ । ରାବଣର କକ୍ଷ ଦେଖିଲେ; କିନ୍ତୁ ପ୍ରସାଦର କୌଣସି ସ୍ଥାନରେ ଜାନକୀଙ୍କୁ ପାଇଲେ ନାହିଁ । କିୟତ୍‌ଦୂରରେ ଅନ୍ୟ ଗୋଟିଏ ପ୍ରାସାଦ ଦେଖିଲେ । ସେଠାରେ ଶ୍ରୀରାମଙ୍କର ଆୟୁଧର ଚିହ୍ନ ଓ ତୁଳସୀବୃକ୍ଷ ଦେଖି ହନୁମାନ ଅତ୍ୟନ୍ତ ଆନନ୍ଦିତ ହେଲେ । ରାକ୍ଷସପୁରରେ ସାଧୁପୁରୁଷଙ୍କର ନିବାସ ସ୍ଥାନ କିପରି ସମ୍ଭବ ହେଲା ବୋଲି ମନରେ ତର୍କ କରିବାକୁ ଲାଗିଲେ । ସେତିକିବେଳେ ବିଭୀଷଣ ଶଯ୍ୟାତ୍ୟାଗ କରି ‘ଶ୍ରୀରାମ’ ନାମ ଉଚ୍ଚାରଣ କଲେ । ଶ୍ରୀରାମ ନାମ ଶୁଣି ହନୁମାନ୍ ତାଙ୍କୁ ସଜ୍ଜନ ବୋଲି ବିଚାର କଲେ । ସାଧୁମାନଙ୍କ ନିକଟରେ କାର୍ଯ୍ୟହାନିର ସମ୍ଭାବନା ନ ଥାଏ ଜାଣି ହନୁମାନ୍ ବ୍ରାହ୍ମଣବେଶ ଧାରଣ କଲେ । ବ୍ରାହ୍ମଣବେଶଧାରୀ ହନୁମାନ୍‌ଙ୍କୁ ଦେଖି ବିଭୀଷଣ ତାହାଙ୍କୁ ପ୍ରଣାମ କଲେ ଏବଂ କହିଲେ–ଆପଣଙ୍କର ଦର୍ଶନରେ ମୋ ହୃଦୟରେ ଭକ୍ତିଭାବ ଜାଗ୍ରତ ହେଉଅଛି । ଆପଣ ହରିଭକ୍ତମାନଙ୍କ ମଧ୍ୟରୁ କିଏ କହନ୍ତୁ । ଆପଣ ସ୍ଵୟଂ ଶ୍ରୀରାମ ଅଟନ୍ତି କି ? ଭକ୍ତର ବାଞ୍ଛା ପୂରଣ କରିବା ନିମନ୍ତେ ଆପଣ ସ୍ଵୟଂ ମୋତେ ଦର୍ଶନ ଦେଇଅଛନ୍ତି କି ?’

 

ହନୁମାନ୍ ବିଭୀଷଣଙ୍କୁ ଶ୍ରୀରାମଙ୍କର ସମସ୍ତ ବୃତ୍ତାନ୍ତ କହିଲେ । ନିଜର ସମସ୍ତ ଚରିତ ତାଙ୍କ ସମ୍ମୁଖରେ ବର୍ଣ୍ଣନ କଲେ । ଦୁଇ ଭକ୍ତ ପୁଲକିତ ହୃଦୟରେ ଶ୍ରୀରାମ-ଗୁଣସମୂହ ସ୍ମରଣ କଲେ-। ବିଭୀଷଣ କହିଲେ, ହେ ପବନପୁତ୍ର ! ଦନ୍ତପନ୍ତି ମଧ୍ୟରେ ଜିହ୍ଵାର ଅବସ୍ଥାନ ସଦୃଶ ଏ ରାକ୍ଷସପନ୍ତି ମଧ୍ୟରେ ମୁଁ ଅବସ୍ଥାନ କରୁଅଛି । ସୂର୍ଯ୍ୟକୁଳତିଳକ ଶ୍ରୀରାମଚନ୍ଦ୍ର ମୋ ପରି ଏ ଅନାଥ ପ୍ରତି କେତେବେଳେ କୃପା କରିବେ ? ରାକ୍ଷସକୁଳରେ ମୋର ଜନ୍ମ । ମୋର ମନରେ ଶ୍ରୀରାମଭକ୍ତି କାହୁଁ ଆସିବ ? କିନ୍ତୁ ଶ୍ରୀରାମଙ୍କ କୃପା ବିନା ସତ୍‌ସଙ୍ଗ ମିଳେନାହିଁ । ତେଣୁ ଆପଣଙ୍କର ଦର୍ଶନ ଯୋଗୁଁ ମୋ ମନରେ ଗଭୀର ବିଶ୍ଵାସ ଆସିଛି, ନିଶ୍ଚୟ ଶ୍ରୀରାମଙ୍କର ମୋ ପ୍ରତି ଦୟା ଅଛି ।

 

ହନୁମାନ୍ କହିଲେ–‘ହେ ବିଭୀଷଣ, ପ୍ରଭୁ ସେବକପ୍ରିୟ ଅଟନ୍ତି । ମୁଁ ମଧ୍ୟ ବାନରଜାତିରେ ଜନ୍ମଲାଭ କରିଅଛି; ମୁଁ ମଧ୍ୟ ନୀଚ ଅଟେ । ପ୍ରାତଃକାଳରେ ବାନର ନାମ ଉଚ୍ଚାରଣ କଲେ ସେ ଦିନ ଭୋଜନ ମିଳେନାହିଁ । ମୋ ପରି ଅଧମ ପ୍ରତି ଶ୍ରୀରାମ କୃପା କରିଛନ୍ତି ।’ ଏ କଥା କହୁ କହୁ ହନୁମାନଙ୍କର ନେତ୍ର ଶ୍ରୀରାମ ସ୍ମରଣ କରି ସକଳ ହୋଇଉଠିଲା ।

 

ବିଭୀଷଣ ହନୁମାନ୍ ଜାନକୀଙ୍କର ଲଙ୍କାରେ ଅବସ୍ଥାନ ବିଷୟରେ ସମସ୍ତ ଘଟଣା କହିଲେ । ହନୁମାନ୍ ଜାନକୀଙ୍କ ଦର୍ଶନ ଇଚ୍ଛା କରିବାରୁ ବିଭୀଷଣ ତାଙ୍କୁ ଉପାୟ ବତାଇଦେଲେ । ବିଭୀଷଣଙ୍କଠାରୁ ବିଦାୟ ନେଇ ହନୁମାନ୍ ପୁଣି କ୍ଷୁଦ୍ରରୂପ ଧାରଣକଲେ । ସେଠାରୁ ସେ ଅଶୋକ ବନକୁ ଯାତ୍ରାକଲେ ।

 

ହନୁମାନ୍‌ ଅଶୋକ ବନରେ ସୀତାଙ୍କୁ ଦେଖିଲେ । ସୀତା ବସି ବସି ରାତ୍ରିର ଚାରିପ୍ରହର ଅତିବାହିତ କରୁଥିଲେ । ତାଙ୍କର ଶରୀର ଦୁର୍ବଳ ହୋଇଯାଇଅଛି । ମସ୍ତକ ଉପରେ କଟାଭାର ସ୍ଥାପିତ ହୋଇଅଛି । ମନ ମଧ୍ୟରେ ସବୁବେଳେ ଶ୍ରୀରାମ ନାମ ଜପ କରି ସମୟ ଅତିବାହିତ କରୁଅଛନ୍ତି । ତାଙ୍କର ଦୁଇ ନେତ୍ର ସ୍ଵୀୟ ଚରଣଦର୍ଶନରେ ଆବଦ୍ଧ ଏବଂ ମନ ଶ୍ରୀରାମଚରଣ କମଳରେ ନିବଦ୍ଧ । ସୀତାଙ୍କର ଏପରି ରୂପ ଦେଖି ପବନପୁତ୍ର ବଡ଼ ଦୁଃଖିତ ହେଲେ ।

 

ହନୁମାନ୍‌ ବୃକ୍ଷର ପତ୍ରଗହଳ ଶାଖା ମଧ୍ୟରେ ଲୁଚିରହିଲେ । କିପରି ଭାବରେ ସୀତାଙ୍କ ସହିତ କଥାବାର୍ତ୍ତା କରିବେ, ମନ ମଧ୍ୟରେ ନାନା ତର୍କ କରୁଥିବାବେଳେ ଅନେକ ରାକ୍ଷସୀଙ୍କ ସହିତ ରାବଣ ସେଠାକୁ ଆସିଲେ । ରାବଣ ସୀତାଙ୍କୁ କହିଲେ–‘ହେ ସୁନ୍ଦରି ! ଶୁଣ ! ମୋର ପାଟରାଣୀ ମନ୍ଦୋଦରୀ ତୁମର ଦାସୀରୂପେ ସେବା କରିବ । ତୁମେ ମୋ ଦିଗକୁ ଟିକିଏ ଦୃଷ୍ଟିପାତ କର ।’

 

ରାବଣଙ୍କର କଥା ଶୁଣି ସୀତା ମୁଖକୁ ତଳକୁ କରି ଶ୍ରୀରାମଙ୍କୁ ହୃଦୟ ମଧ୍ୟରେ ସ୍ମରଣ କଲେ ଏବଂ କହିଲେ– ‘ଦଶମୁଖ ! ଖଦ୍ୟୋତର ଆଲୋକରେ କେବେ କଣ ପଦ୍ମ ପ୍ରସ୍ଫୁଟିତ ହୋଇପାରେ କି ? ରେ ଦୁଷ୍ଟ ରାକ୍ଷସ ! ଶ୍ରୀରାମଙ୍କର ବାଣ ସମ୍ବନ୍ଧରେ ତୋର ଜ୍ଞାନ ନାହିଁ-। ତୁ ମୋତେ ଗୁପ୍ତ ଭାବରେ ଚୋରିକରି ଆଣିଅଛୁ । ନିର୍ଲଜ୍ଜ, ଅଧମ, ତୋତେ ଲଜ୍ଜା ଆସୁନାହିଁ କିପରି-?’

 

ସୀତାଙ୍କର କଠୋର ବଚନ ଶୁଣି ରାବଣ କ୍ରୋଧରେ ତରବାରି ନିର୍ଗତ କରି କହିଲେ, ‘ସୀତା ! ତୁ ମୋତେ ଅପମାନସୂଚକ ବଚନ କହୁଅଛୁ । ମୋର ବଚନ ରକ୍ଷାକର ନତୁବା ଏ କଠୋର କୃପାଣଦ୍ଵାରା ତୋର ମସ୍ତକ ଛେଦନ କରିବି । ଏହିପରି କହି ଯେତେବେଳେ ରାବଣ ସୀତାଙ୍କୁ ନିହତ କରିବାପାଇଁ ଦୌଡ଼ିଆସିଲେ, ରାବଣଙ୍କର ପାଟରାଣୀ ମନ୍ଦୋଦରୀ ନାନା ପ୍ରକାର ନୀତିବାକ୍ୟ କହି ତାଙ୍କୁ ବୁଝାଇଲେ । ରାବଣ ରାକ୍ଷସୀମାନଙ୍କୁ କହିଲେ, ‘ତୁମେମାନେ ଯାଇ ସୀତାଙ୍କୁ ନାନା ପ୍ରକାରର ଭୟ ପ୍ରଦର୍ଶନ କର । ମୁଁ ଏକ ମାସ ପରେ ଆସିବି ।’ ରାକ୍ଷସୀମାନଙ୍କୁ ଏପରି ଆଦେଶ ଦେଇ ରାବଣ ଚାଲିଯିବା ପରେ ରାକ୍ଷସୀମାନେ ସୀତାଙ୍କୁ ନାନା ପ୍ରକାରର ଭୟ ଦେଖାଇଲେ ।

 

ରାକ୍ଷସୀମାନଙ୍କ ମଧ୍ୟରେ ତ୍ରିଜଟା ନାମକ ଏକ ରାକ୍ଷସୀ ଥିଲା । ତ୍ରିଜଟା ଶ୍ରୀରାମଙ୍କ ଭକ୍ତ-। ସେ ରାକ୍ଷସୀମାନଙ୍କୁ ଡାକି କହିଲା–ମୁଁ ଗୋଟିଏ ସ୍ଵପ୍ନ ଦେଖିଲି । ଗୋଟିଏ ବାନର ଆସି ଲଙ୍କା ଦହନ କଲା । ସେ ସମସ୍ତ ରାକ୍ଷସସୈନ୍ୟଙ୍କୁ ନିହତ କଲା । ରାବଣ ନଗ୍ନ ହୋଇ ଗର୍ଦ୍ଦଭ ଉପରେ ବସିଛନ୍ତି । ତାହାଙ୍କର ମସ୍ତକଗୁଡ଼ିକ କର୍ତ୍ତିତ ହୋଇଅଛି ଏବଂ ବଂଶବାହୁ ଛେଦିତ ହୋଇଯାଇଅଛି । ସେ ଦକ୍ଷିଣ ଦିଗକୁ ଯାଉଅଛନ୍ତି । ବିଭୀଷଣ ଲଙ୍କାର ରାଜା ହୋଇ ବସିଛନ୍ତି । ଲଙ୍କାପୁରୀ ମଧ୍ୟରେ ‘ଶ୍ରୀରାମ ଜୟ’ ଶବ୍ଦ ଘୋଷିତ ହେଉଅଛି । ସେତିକିବେଳେ ଶ୍ରୀରାମ ସୀତାଙ୍କୁ ଆଣିବାପାଇଁ ଲୋକ ପଠାଉଛନ୍ତି । ମୋର ଏ ସ୍ଵପ୍ନ ସତ୍ୟ ଘଟିବ ।

 

ତ୍ରିଜଟାର ସ୍ଵପ୍ନ-ସମ୍ବାଦ ଶୁଣି ରାକ୍ଷସୀମାନେ ଭୟବିହ୍ଵଳିତ ହୋଇ ସୀତାଙ୍କର ଚରଣତଳେ ପତିତ ହେଲେ । ସେମାନେ ଉଠି ସୀତାଙ୍କୁ ତ୍ୟାଗ କରି ଏଣେତେଣେ ଚାଲିଗଲେ ।

 

ସୀତା ମନେ ମନେ ଭାବିଲେ, ଦୁଷ୍ଟ ରାବଣ ଏକମାସ ପରେ ଆସି ମୋତେ ହତ୍ୟା କରିବ । ସୀତା ତ୍ରିଜଟାଙ୍କୁ ହାତଯୋଡ଼ି କହିଲେ–ତ୍ରିଜଟା ! ମୋର ଏ ବିପତ୍ତି ବେଳେ ତୁମେ ଏକମାତ୍ର ସଙ୍ଗିନୀ । ମୁଁ ଏ ଶରୀର କିପରି ତ୍ୟାଗ କରିପାରିବି ସେଥିପାଇଁ ମୋତେ ଉପାୟ କହ । ତୁମେ କାଠ ଆଣି ଏଠାରେ ଚିତା ତିଆରି କରିଦିଅ ଏବଂ ସେଥିରେ ଅଗ୍ନି ସଂଯୋଗ କର; ମୁଁ ଏହିଠାରେ ଏ ଶରୀରକୁ ସେହି ଚିତାରେ ବଳି ଦେବି । ମୁଁ ରାବଣର ଏ କଠୋର ବାକ୍ୟ ସହ୍ୟକରି ପାରୁନାହିଁ । ମୁଁ ସେହିପରି କଠୋର ବଚନ କର୍ଣ୍ଣରେ ଶୁଣି ସହିପାରିବି କିପରି ?

 

ସୀତାଙ୍କର ଏ ବଚନ ଶୁଣି ତ୍ରିଜଟା ସୀତାଙ୍କର ଚରଣ ସ୍ପର୍ଶକରି ଶ୍ରୀରାମଙ୍କର ବଳ ଓ ସୁଯଶ ତାଙ୍କ ସମ୍ମୁଖରେ ବର୍ଣ୍ଣନା କଲା ଏବଂ କହିଲା–‘ଏ ରାତ୍ରିରେ ମୁଁ କେଉଁଠାରୁ ଅଗ୍ନି ପାଇବି ?’ ତାଙ୍କୁ ନାନା ପ୍ରକାର ବୁଝାଇ ଘରକୁ ଫେରିଗଲା । ତ୍ରିଜଟା ଚାଲିଯିବା ପରେ ସୀତା ମନେ ମନେ ବିଳାପକରି ହେଲେ–‘ହେ ଅଶୋକ ବୃକ୍ଷ ! ତୁମର ନାମ ଅଶୋକ, କାହିଁ ତୁମେ ମୋର ଶୋକ ତ ଦୂରକରି ପାରିଲ ନାହିଁ ? ମୋର ବିନତି ଶୁଣ ! ତୁମେ ତୁମ ନାମର ସତ୍ୟତା ରକ୍ଷାକର । ବିଧାତା କଣ ମୋ ପାଇଁ ବିପରୀତ ହେଲେ ? ମୋ ପାଇଁ ଅଗ୍ନି ମଧ୍ୟ ମିଳିଲା ନାହିଁ ! ଚନ୍ଦ୍ରମା ଅଗ୍ନିମୟ ଅଟନ୍ତି । ମୁଁ ହତଭାଗିନୀ ବୋଲି ଜାଣି ସେ ମଧ୍ୟ ଅଗ୍ନିବର୍ଷା କରୁନାହାନ୍ତି ।’

 

ସେତେବେଳେ ହନୁମାନ୍ ଅଶୋକ ବୃକ୍ଷ ଉପରେ ବସି ସୀତାଙ୍କର ଏ ବ୍ୟାକୁଳତା ଲକ୍ଷ୍ୟ କରୁଥିଲେ । ସେ ନାନା ବିଚାରକରି ଶ୍ରୀରାମଚନ୍ଦ୍ରଙ୍କର ହସ୍ତମୁଦ୍ରିକାଟିକୁ ସୀତାଙ୍କ ସମ୍ମୁଖରେ ନିକ୍ଷେପ କଲେ । ମୁଦ୍ରିକାଟି ଦେହରେ ଶ୍ରୀରାମ ନାମ ଅଙ୍କିତ ହୋଇଥିବା ଦେଖି ସୀତା ତାହା ଶ୍ରୀରାମଚନ୍ଦ୍ରଙ୍କର ହସ୍ତର ମୁଦ୍ରିକା ବୋଲି ଚିହ୍ନିପାରିଲେ । ସେ ବିସ୍ମିତ ହେଲେ । ଆନନ୍ଦ ଓ ଦୁଃଖ ଯୁଗପତ୍ ତାଙ୍କ ହୃଦୟକୁ ଅଧିକାର କଲା । ମାୟାରେ ଏପରି ଦିବ୍ୟ ମୁଦ୍ରିକା ନିର୍ମିତ ହେବ ବା କିପରି ? ଏହା ଅସମ୍ଭବ । ସୀତାଙ୍କ ମନରେ ଏପରି ନାନା ଚିନ୍ତା ଆସୁଥିଲାବେଳେ ଅଶୋକ ବୃକ୍ଷ ଉପରେ ବସି ହନୁମାନ୍ ଶ୍ରୀରାମଙ୍କର ସୁଯଶ ଗାନ କରିବାକୁ ଲାଗିଲେ । ଶ୍ରୀରାମଙ୍କର ସମସ୍ତ ଘଟଣା ଗୋଟି ଗୋଟି କରି ବର୍ଣ୍ଣନ କଲେ । ସୀତା କହିଲେ–ତୁମେ କିଏ ? ମୋ କର୍ଣ୍ଣରେ ଏ ଅମୃତବାଣୀ କିଏ ଶୁଣାଉଅଛ ? ତୁମେ ମୋ ନିକଟକୁ ଆସୁନାହଁ କାହିଁକି ?

 

ହନୁମାନ୍‌ ବୃକ୍ଷ ଉପରୁ ତଳକୁ ଆସି ସୀତାଙ୍କ ସମ୍ମୁଖରେ ଦଣ୍ଡାୟମାନ ହେବାରୁ ସୀତା ମୁଖକୁ ଅନ୍ୟ ଦିଗକୁ ବୁଲାଇଦେଲେ । ହନୁମାନ୍‌ କହିଲେ–‘ହେ ମାତା ଜାନକୀ, ମୁଁ ଶ୍ରୀରାମଙ୍କର ଦୂତ । ଏ ମୁଦ୍ରିକାଟିକୁ ମୁଁ ଶ୍ରୀରାମଙ୍କ ନିକଟକୁ ଆଣି ଆସିଅଛି । ମୋର ପରିଚୟ ନିମିତ୍ତ ଶ୍ରୀରାମ ଏ ମୁଦ୍ରିକାଟିକୁ ଆପଣଙ୍କ ନିମନ୍ତେ ପ୍ରେରଣ କରିଅଛନ୍ତି ।’

 

ସୀତା କହିଲେ, ‘ତୁମେ ତ ବାନର । ନର ଓ ବାନରଙ୍କ ମଧ୍ୟରେ କିପରି ସମ୍ପର୍କ ଘଟିଲା-?’ ହନୁମାନ୍ ସୀତାଙ୍କ ସମ୍ମୁଖରେ ଆମୂଳଚୂଳ ସମସ୍ତ ଘଟଣା ହେଲେ । ସୀତାଙ୍କର ବିଶ୍ଵାସ ଦୃଢ଼ୀଭୂତ ହେଲା । ତାଙ୍କର ଶରୀର ପୁଲକିତ ହେଲା । ସେ ପୁଣି ପଚାରିଲେ, ‘କନିଷ୍ଠଭ୍ରାତା ଲକ୍ଷ୍ମଣଙ୍କ ସହିତ ଶ୍ରୀରାମ କୁଶଳରେ ଅଛନ୍ତି ତ ? ତେବେ ସେ ମୋ ପ୍ରତି କାହିଁକି ଏପରି ନିଷ୍ଠୁର ହୋଇଅଛନ୍ତି ? ତାଙ୍କର ତ ସେବକମାନଙ୍କ ପ୍ରତି ସ୍ଵାଭାବିକ ଦୟା ଥାଏ । ମୋତେ କେତେବେଳେ ସ୍ମରଣ କରନ୍ତି କି ?’ ଏପରି ପ୍ରଶ୍ନ କରୁ କରୁ ତାଙ୍କର ଚକ୍ଷୁ ଲୋତକପୂର୍ଣ୍ଣ ହୋଇଗଲା । ସେ ଆଉ କଥା କହିପାରିଲେ ନାହିଁ ।

 

ହନୁମାନ ସୀତାଙ୍କର ମନର ଏପରି ଅବସ୍ଥା ଦେଖି ବଡ଼ ବିନୀତଭାବରେ କହିଲେ, ‘ମାତା ! ପ୍ରଭୁ ଶ୍ରୀରାମଚନ୍ଦ୍ର ଆପଣଙ୍କ ଦୁଃଖରେ ସବୁବେଳେ ଦୁଃଖୀ । ଲକ୍ଷ୍ମଣଙ୍କ ସହିତ ସେ କୁଶଳରେ ଅଛନ୍ତି । ପ୍ରଭୁ ମୋ ଦ୍ଵାରା ଯେଉଁ ସନ୍ଦେଶ ପଠାଇଅଛନ୍ତି, ଆପଣ ଧୈର୍ଯ୍ୟ ଧରି ଶୁଣନ୍ତୁ ! ଆପଣଙ୍କ ବିଚ୍ଛେଦ ଦିନଠାରୁ ତାଙ୍କୁ ସମସ୍ତ ପଦାର୍ଥ ପ୍ରତିକୂଳ ହୋଇଯାଇଅଛି । ମନର ଦୁଃଖ ପ୍ରକାଶ କରିଦେଲେ ଶରୀର ଉଶ୍ଵାସ ହୋଇଯାଏ ସତ; କିନ୍ତୁ କିପରି ସେସବୁ କହିବେ ? ସେ ଦୁଃଖ ଆଉ କେହି ବୁଝିବେ ନାହିଁ; କେବଳ ମନ ହିଁ ଜାଣେ । ତାଙ୍କ ମନ ସବୁବେଳେ ଆପଣଙ୍କ ନିକଟରେ-। ଏ ରାକ୍ଷସମାନେ ତାଙ୍କ ବାଣରୂପକ ଅଗ୍ନିରେ ଝାସ ଦେବେ । ଶ୍ରୀରାମଚନ୍ଦ୍ର ଯଦି ଆପଣଙ୍କର ସମ୍ବାଦ ପାଇଥାନ୍ତେ ସେ ବିଳମ୍ବ ନ କରି ଆସିଥାନ୍ତେ । ରାମବାଣ ସୂର୍ଯ୍ୟରୂପରେ ଏ ଅନ୍ଧକାରରୂପୀ ଅସୁରମାନଙ୍କୁ ନଷ୍ଟଭ୍ରଷ୍ଟ କରିପକାଇବ । ମୁଁ ଆପଣଙ୍କୁ ଏଠାରୁ ଉଠାଇ ନେଇଯାଇ ପାରନ୍ତି; କିନ୍ତୁ ଶ୍ରୀରାମଙ୍କ ସେପରି ଆଜ୍ଞା ହୋଇନାହିଁ । ପ୍ରଭୁ ଅଳ୍ପଦିନ ମଧ୍ୟରେ ବାନରମାନଙ୍କ ସହିତ ଏଠାକୁ ଆସିବେ । ରାକ୍ଷସମାନଙ୍କୁ ନିହତ କରି ଆପଣଙ୍କୁ ଉଦ୍ଧାର କରିବେ । ତାଙ୍କର ଯଶ ଚତୁର୍ଦ୍ଦିଗରେ ବ୍ୟାପ୍ତ ହେବ ।

 

ସୀତାଙ୍କର ବାନରମାନଙ୍କ ବଳ ସମ୍ବନ୍ଧରେ ସନ୍ଦେହ ହେବାରୁ ସେ ପଚାରିଲେ–ଅନ୍ୟ ବାନରମାନେ କଣ ତୁମରି ପରି ବଳବାନ୍ ଅଟନ୍ତି ? ଏ ରାକ୍ଷସମାନେ ତ ମହାବଳବାନ୍ ଅଟନ୍ତି । ବାନରବଳଦ୍ଵାରା କିପରି ପ୍ରଭୁ ଏ ରାକ୍ଷସମାନଙ୍କୁ ଜିଣିବେ ?

 

ଏକଥା ଶୁଣିବାମାତ୍ରେ ହନୁମାନ୍ ସୀତାଙ୍କୁ ନିଜ ରୂପ ଦେଖାଇବାପାଇଁ ସ୍ଵର୍ଣ୍ଣ ପର୍ବତ ଆକାର ସଦୃଶ ବିଶାଳକାୟ ମୂର୍ତ୍ତି ରୂପେ ପ୍ରକଟିତ ହେଲେ । ସୀତା ତାଙ୍କୁ ଦେଖି ତାଙ୍କ ମନରୁ ସନ୍ଦେହ ଦୂରକଲେ । ତାଙ୍କ ମନରେ ବିଶ୍ଵାସ ଆସିଲା । ହନୁମାନ୍ ପୁଣି ନିଜ ରୂପ ଧାରଣକରି କହିଲେ–ହେ ମାତା, ବାନରମାନଙ୍କଠାରେ ବଳ ଓ ବୁଦ୍ଧି ନାହିଁ; କିନ୍ତୁ ପ୍ରଭୁଙ୍କର ପ୍ରତାପ ପ୍ରଭାବରେ କ୍ଷୁଦ୍ର ସର୍ପ ମଧ୍ୟ ଗରୁଡ଼କୁ ଭକ୍ଷଣ କରିପାରିଲା ଭଳି ବାନରମାନଙ୍କ ଦ୍ଵାରା ଏ ରାକ୍ଷସବଳ ବିନଷ୍ଟ ହେବ ।

 

ସୀତା ହନୁମାନ୍‌ଙ୍କୁ ଆର୍ଶୀବାଦ ଦେଇ କହିଲେ–ହନୁମାନ୍, ତୁମେ ଅଜର ଅମର ହୁଅ । ସର୍ବଦା ତୁମେ ଶ୍ରୀରାମଚନ୍ଦ୍ରଙ୍କର କୃପାଭାଜନ ହୁଅ ।

 

ହନୁମାନ୍‌ ହାତଯୋଡ଼ି ସୀତାଙ୍କୁ କହିଲେ–ହେ ମାତା, ଆପଣଙ୍କର ଆଶୀର୍ବାଦ ମୋ ନିମନ୍ତେ ଅମୋଘ ଅସ୍ତ୍ର । ମୁଁ ବର୍ତ୍ତମାନ କୃତାର୍ଥ ହୋଇଅଛି । ମୋର ଗୋଟିଏ ଭିକ୍ଷା । ଏହି ସୁନ୍ଦର ଫଳପୂର୍ଣ୍ଣ ଉଦ୍ୟାନକୁ ଦେଖି ମୋର ବଡ଼ ଲାଳସା ଉତ୍ପନ୍ନ ହେଉଅଛି । ଆପଣ ଆଜ୍ଞାଦେଲେ ମୁଁ ଏ ଉଦ୍ୟାନ ମଧ୍ୟକୁ ଯାଇ କ୍ଷୁଧା ଦୂରକରିବି ।

 

ସୀତା କହିଲେ–ହେ ପୁତ୍ର ହନୁମାନ୍‌ ! ବଡ଼ ବଡ଼ ଯୋଦ୍ଧା ରାକ୍ଷସମାନେ ଏ ବନକୁ ରକ୍ଷା କରୁଅଛନ୍ତି । ଶ୍ରୀରାମଙ୍କର ଚରଣକୁ ହୃଦୟରେ ଧାରଣ କରି ତୁମେ ବନ ମଧ୍ୟରେ ପ୍ରବେଶ କର ।

 

ସୀତାଙ୍କଠାରୁ ଅନୁମତି ଗ୍ରହଣ କରି ହନୁମାନ୍‌ ଅଶୋକ ବନ ମଧ୍ୟରେ ପ୍ରବେଶ କଲେ । ମନପୂର୍ଣ୍ଣ କରି ଫଳ ଭକ୍ଷଣ କଲେ, ପୁଣି ଅନେକ ବୃକ୍ଷ ଭଗ୍ନକଲେ । ଉପବନରକ୍ଷାକାରୀ ରାକ୍ଷସମାନେ ତାହାଙ୍କୁ ବାଧା ଦେବାରୁ ସେ ସେମାନଙ୍କୁ ନିହତ କଲେ । ପ୍ରହରୀମାନେ ଯାଇ ରାକ୍ଷସପତି ରାବଣଙ୍କୁ କହିଲେ–ହେ ପ୍ରଭୁ ! ଗୋଟିଏ ବଡ଼ ମର୍କଟ ଅଶୋକ ବନ ମଧ୍ୟରେ ପଶି ବୃକ୍ଷମାନ ଉତ୍ପାଟନ କରୁଅଛି । ଫଳଗୁଡ଼ିକ ଭକ୍ଷଣ କରି ବୃକ୍ଷ ଓ ଡାଳମାନ ଭଗ୍ନ କରୁଅଛି । ଆମ୍ଭମାନଙ୍କ ମଧ୍ୟରୁ ବହୁ ଯୋଦ୍ଧାଙ୍କୁ ବିନାଶ କରୁଅଛି ।

 

ରାବଣ ସେମାନଙ୍କଠାରୁ ଏ ସମ୍ବାଦ ଶୁଣି ବୀର ଯୋଦ୍ଧାମାନଙ୍କୁ ଆଶୋକ ବନକୁ ପ୍ରେରଣ କଲେ; କିନ୍ତୁ ହନୁମାନ୍ ସେମାନଙ୍କୁ ମାରିପକାଇଛନ୍ତି ବୋଲି ସମ୍ବାଦ ପାଇ ରାବଣ ତାଙ୍କ ପୁତ୍ର ଅକ୍ଷୟକୁମାରଙ୍କ ସଙ୍ଗରେ କେତେ ମହାଯୋଦ୍ଧାଙ୍କୁ ପଠାଇଲେ । ହନୁମାନ୍ ଏମାନଙ୍କୁ ଦେଖିବାମାତ୍ରେ ବିରାଟ ବୃକ୍ଷମାନ ଉତ୍ପାଟନ କରି ମହାଗର୍ଜନପୂର୍ବକ ସେମାନଙ୍କୁ ଆକ୍ରମଣ କଲେ । କେତେକ ଯୋଦ୍ଧାଙ୍କ ସଙ୍ଗରେ ଯୁଦ୍ଧ କରି ସେମାନଙ୍କୁ ତତ୍‌କ୍ଷଣାତ୍‌ ଭୂମିଶାୟୀ କଲେ । ରାବଣ ପୁତ୍ର ଅକ୍ଷୟୁକୁମାରର ମୃତ୍ୟୁ ସମ୍ବାଦ ଶୁଣି କ୍ରୋଧାନ୍ଵିତ ହୋଇ ଜ୍ୟେଷ୍ଠପୁତ୍ର ମେଘନାଦକୁ କହିଲେ–ପୁତ୍ର ! ତୁ ଯାଇ ସେ ମର୍କଟକୁ ବିନାଶ ନ କରି ଆବଦ୍ଧକରି ପ୍ରାସାଦ ମଧ୍ୟକୁ ଘେନିଆସ । ସେ କିଏ ଓ କେଉଁଠାରୁ ଆସିଛି, ତାହା ଜାଣିବା ଆବଶ୍ୟକ ।

 

ମେଘନାଦ ରାବଣଙ୍କର ଜ୍ୟେଷ୍ଠ ପୁତ୍ର ମହାବଳଶାଳୀ ଥିଲା । ସେ ଇନ୍ଦ୍ରଙ୍କୁ ଜିଣିଥିଲା । ଭ୍ରାତା ଅକ୍ଷୟକୁମାରର ମୃତ୍ୟୁ ସମ୍ବାଦ ଶୁଣି ସେ କ୍ରୋଧାନ୍ଧ ହୋଇ ଦୌଡ଼ିଲା । ମେଘନାଦ ରଥରେ ବସି ଆସିଥିଲେ । ହନୁମାନ୍ ମେଘନାଦକୁ ଦେଖି ଏକ ବିଶାଳ ବୃକ୍ଷ ଉତ୍ପାଟନ କଲେ । ସେ ଉତ୍ପାଟିତ ବୃକ୍ଷକୁ ଭୀଷଣ ବେଗରେ ମେଘନାଦର ରଥ ଉପରେ ପ୍ରହାର କଲେ । ରଥ ଚୂର୍ଣ୍ଣ ହେଲା-। ମେଘନାଦ ସହିତ ଯାଇଥିବା ଯୋଦ୍ଧାମାନଙ୍କୁ ହନୁମାନ୍ ନିଜର ପର୍ବତସମ ଶରୀର ଦେହରେ ଦଳି ବିନାଶକଲେ । ଏହା ଦେଖି ମେଘନାଦ ହନୁମାନ୍‌ଙ୍କୁ ଆକ୍ରମଣ କଲେ । ପରସ୍ପର ମଧ୍ୟରେ ମଲ୍ଲଯୁଦ୍ଧ ହେଲା । ଦୁଇଟି ବିଶାଳ ହସ୍ତୀ ପରସ୍ପର ସଂଘର୍ଷରେ ପ୍ରବୃତ୍ତ ହେଲାପରି ଦୁହେଁ ଦିଶିଲେ । ହନୁମାନ୍ ମେଘନାଦ ଉପରେ ଗୋଟାଏ ଭୀଷଣ ବିଧା ପ୍ରହାର କରି ଲମ୍ଫ ପ୍ରଦାନକରି ଯାଇ ବୃକ୍ଷ ଉପରେ ବସିଲେ । ମେଘନାଦ କ୍ଷଣକ ନିମିତ୍ତ ଚେତନାହୀନ ହୋଇପଡ଼ିଲା । ପରକ୍ଷଣରେ ଚେତନା ଲାଭ କରି ମାୟା ପ୍ରୟୋଗ କଲା; କିନ୍ତୁ ସମସ୍ତ ମାୟା ପବନପୁତ୍ରଙ୍କ ନିକଟରେ ଫଳହୀନ ହେଲା । ମେଘନାଦ ଶେଷରେ ବ୍ରହ୍ମାସ୍ତ୍ର ପ୍ରୟୋଗ କଲା । ହନୁମାନ୍ ବିଚାରିଲେ, ବ୍ରହ୍ମାସ୍ତ୍ରକୁ ମୁଁ ସମ୍ମାନ ପ୍ରଦର୍ଶନ ନ କଲେ ବ୍ରହ୍ମାସ୍ତ୍ରର ମହିମା ନଷ୍ଟ ହେବ । ବ୍ରହ୍ମାସ୍ତ୍ର ପ୍ରୟୋଗ ମାତ୍ରେ ହନୁମାନ ବୃକ୍ଷତଳକୁ ପଡ଼ିଗଲେ । ମେଘନାଦ ତାହାଙ୍କୁ ନାଗପାଶରେ ଆବଦ୍ଧ କଲା ।

 

ରାକ୍ଷସମାନଙ୍କ ମଧ୍ୟରେ କୋଳାହଳ ଶୁଭିଲା । ସେମାନେ ନାଗପାଶରେ ଆବଦ୍ଧ ହୋଇଥିବା ହନୁମାନଙ୍କୁ ଦେଖିବାପାଇଁ ଦୌଡ଼ିଆସିଲେ । ମେଘନାଦ ଆବଦ୍ଧ ହନୁମାନଙ୍କୁ ପିତାଙ୍କର ରାଜସଭାକୁ ଘେନିଗଲା ।

Image

 

ଲଙ୍କାପୁରୀଦହନ

 

ରାବଣଙ୍କ ରାଜସଭା ବସିଛି । ମନ୍ତ୍ରୀମାନେ ଚତୁଃପାର୍ଶ୍ଵରେ ବସିଛନ୍ତି । ଦେବତା ଓ ଦିକପାଳମାନେ ସଂପୁଟ କରଯୁଗଳରେ ଦଣ୍ଡାୟମାନ ହୋଇଅଛନ୍ତି । ଏତିକିବେଳେ ରାବଣଙ୍କର ଜ୍ୟେଷ୍ଠପୁତ୍ର ଇନ୍ଦ୍ରଜିତ ହନୁମାନଙ୍କୁ ନାଗପାଶରେ ଆବଦ୍ଧକରି ଆଣିଲେ । ହନୁମାନ୍‌ରାବଣଙ୍କ ସମ୍ମୁଖରେ ଦଣ୍ଡାୟମାନ ହେଲେ । ତାଙ୍କ ମନରେ ତିଳେହେଲେ ଭୟ ନାହିଁ । ନିଃଶଙ୍କ ହୃଦୟରେ ସର୍ପ ସମୂହ ମଧ୍ୟରେ ଗରୁଡ଼ଙ୍କ ପରି ସେ ରାକ୍ଷସମାନଙ୍କ ମଧ୍ୟରେ ପ୍ରତୀୟମାନ ହେଲେ । ରାବଣ ନାନା ଦୁର୍ବଚନ କହି ଅଟ୍ଟହାସ କଲେ । ଯେତେବେଲେ ପୁତ୍ରବଧ କଥା ସ୍ମରଣକଲେ ତାଙ୍କ ହୃଦୟ ବିଷର୍ଣ୍ଣ ହେଲା ।

 

ହନୁମାନ୍‌ଙ୍କୁ ଲକ୍ଷ୍ୟକରି ରାବଣ କହିଲେ–ଆରେ ବାନର ! ତୁ କିଏ ? କାହାର ବଳରେ ତୁ ଏପରି ବଳୀୟାନ୍ ହୋଇ ମୋର ଅଶୋକବନ ଧ୍ଵଂସ କଲୁ ? ତୁ କଣ କେବେହେଲେ ମୋର ବଳବିଭବ କଥା ଶୁଣିନାହୁଁ ? ଏ ରାକ୍ଷସସଭା ମଧ୍ୟରେ ତୁ ନିଃଶଙ୍କ ହୃଦୟରେ ଠିଆହୋଇଅଛୁ ! ରାକ୍ଷସମାନଙ୍କର କି ଅପରାଧରେ ତୁ ସେମାନଙ୍କୁ ବିନାଶକଲୁ ? ତୋର ନିଜ ପ୍ରାଣ ନିମନ୍ତେ କଣ ତିଳେହେଲେ ଭୟ ନାହିଁ ?

 

ହନୁମାନ୍‌ କହିଲେ–ରେ ରାବଣ ! ଶୁଣ, ଯାହାଙ୍କର ବଳ ପ୍ରଭାବଯୋଗୁଁ ମାୟା ଏ ସଂପୂର୍ଣ୍ଣ ବ୍ରହ୍ମାଣ୍ଡ ରଚନା କରିଅଛି; ଯାହାଙ୍କର ବଳଯୋଗୁ ବ୍ରହ୍ମା, ବିଷ୍ଣୁ, ମହେଶ୍ଵର ଏ ସୃଷ୍ଟିର ସୃଜନ ପାଳନ ଓ ସଂହାର କରନ୍ତି; ଯାହାର ବଳପ୍ରଭାବରେ ସହସ୍ରମୁଖ ଏ ପର୍ବତ ଓ ବନ ସହିତ ସମଗ୍ର ବ୍ରହ୍ମାଣ୍ଡକୁ ଶିରରେ ଧାରଣ କରିଅଛନ୍ତି; ଯେଉଁ ମହାପୁରୁଷ ଦେବତାମାନଙ୍କୁ ରକ୍ଷାକରିବା ପାଇଁ ନାନାପ୍ରକାର ଅବତାର ଧାରଣ କରି ଏ ପୃଥିବୀରେ ଜନ୍ମଗ୍ରହଣ କରନ୍ତି; କଠୋର ଶିବଧନୁ ଭଙ୍ଗକରି ଯେ ରାଜାମାନଙ୍କର ଗର୍ବ ଚୂର୍ଣ୍ଣ କରିଥିଲେ ଏବଂ ଖର, ଦୂଷଣ, ତ୍ରିଶିରା ଓ ବାଳୀଙ୍କୁ ନିହତ କଲେ; ଯାହାଙ୍କର ସାମାନ୍ୟ ବଳ ପାଇ ତୁ ଏ ସମଗ୍ର ଚରାଚରକୁ ଜୟ କରିପାରିଅଛୁ ଏବଂ ଯାହାଙ୍କର ପତ୍ନୀଙ୍କୁ ତୁ ଚୋରିକରି ଆଣିଅଛୁ; ମୁଁ ସେହି ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର ଦୂତ । ତୋର ଭୂଜବଳର ପ୍ରଭାବ ମୋତେ ଯଥେଷ୍ଟ ଜଣାଅଛି । ସହସ୍ରବାହୁ ଓ ବାଳୀଙ୍କ ସହିତ ଯୁଦ୍ଧରେ ତୁ ଯେଉଁ ଯଶ ପ୍ରାପ୍ତ କରିଅଛୁ, ତାହା ଭଲରୂପେ ମୁଁ ଜାଣିଅଛି । କ୍ଷୁଧାତୁର ହୋଇ ମୁଁ ଫଳ ଭକ୍ଷଣ କଲି ଏବଂ ବାନର-ସ୍ଵଭାବ ଯୋଗୁଁ ମୁଁ ବୃକ୍ଷଗୁଡ଼ିକ ଭାଙ୍ଗିଲି । ହେ ରାକ୍ଷସପତି ! ଦେହ ସମସ୍ତଙ୍କର ପରମପ୍ରିୟ ଅଟେ । ମୋତେ ଏ ରାକ୍ଷସମାନେ ପ୍ରହାର କରିବାକୁ ଲାଗିଲେ; ତେଣୁ ଯେଉଁମାନେ ମୋତେ ପ୍ରହାର କଲେ ମୁଁ ମଧ୍ୟ ସେମାନଙ୍କୁ ହତ୍ୟାକଲି । ଏହି କାର୍ଯ୍ୟ ଯୋଗୁଁ ତୋର ପୁତ୍ର ମୋତେ ବନ୍ଧନ କରି ଆଣିଅଛି । ମୋର ଏ ବନ୍ଧନ ନିମନ୍ତେ ମୋ ମନରେ ଲେଶ ମାତ୍ର କ୍ଷୋଭ ବା ଲଜ୍ଜା ନାହିଁ । ମୁଁ ମୋର ପ୍ରଭୁଙ୍କର କାର୍ଯ୍ୟସାଧନ କରିବା ପାଇଁ ଲାଗିଅଛି ।

 

ହେ ରାବଣ ! ମୁଁ ହାତଯୋଡ଼ି ତୋତେ ବିନତି କରି କହୁଛି । ଅଭିମାନ ତ୍ୟାଗକରି ମୋର କଥା ରକ୍ଷାକର । ତୁ ପବିତ୍ର ବଂଶରେ ଜନ୍ମ ଗ୍ରହଣ କରିଅଛୁ । ଦେବତା, ରାକ୍ଷସ ଓ ସମସ୍ତ ଚରାଚରକୁ କାଳ ଗ୍ରାସ କରିପକାଏ । ସେହି କାଳ ମଧ୍ୟ ଶ୍ରୀରାମଙ୍କୁ ଭୟ କରେ; ତେଣୁ ତୁ ତାଙ୍କ ସହିତ ଶତ୍ରୁତା ଆଚରଣ କରନାହିଁ, ମୋ କଥା ରକ୍ଷାକରି ଜାନକୀଙ୍କୁ ନେଇ ଶ୍ରୀରାମଚନ୍ଦ୍ରଙ୍କୁ ସମର୍ପଣ କର । ଶ୍ରୀରାମ ଶରଣାଗତରକ୍ଷକ ଓ ଦୟାସାଗର ଅଟନ୍ତି । ତୁ ତାଙ୍କର ଶରଣ ଇଚ୍ଛାକଲେ ସେ ତୋର ସମସ୍ତ ଅପରାଧ କ୍ଷମାକରି ତୋତେ ଶରଣ ଦେବେ । ସେହି ଶ୍ରୀରାମଙ୍କର ଚରଣକମଳକୁ ଆଶ୍ରୟ କରି ଏ ଲଙ୍କାପୁରୀରେ ଅଚଳ ରାଜ୍ୟ ଭୋଗକର । ଋଷି ପୁଲସ୍ତ୍ୟଙ୍କର ନିର୍ମଳ ଚନ୍ଦ୍ରମାପରି ଯଶକୁ କଳଙ୍କିତ କରନାହିଁ । ଦେବଶତ୍ରୁ ! ନାନା ଅଳଙ୍କାରଭୂଷିତା ସୁନ୍ଦରୀ ରମଣୀ ବସ୍ତ୍ର ବିନା ସୁଶୋଭିତା ହୁଏନାହିଁ । ରାମବିମୁଖ ମାନବର ସଂପତ୍ତି ଏବଂ ପ୍ରଭୃତ୍ଵ ସେହିପରି ଅଟେ । ରାମବିମୁଖ ପ୍ରାଣୀକୁ କେହି ରକ୍ଷାକରି ପାରନ୍ତି ନାହିଁ । ମୂଳାଧାର ସ୍ରୋତବିହୀନ ସ୍ରୋତସ୍ଵତୀ ବର୍ଷାଭାବରେ ଶୁଷ୍କ ହେଲା ପରି ରାମବିମୁଖ ପ୍ରାଣୀକୁ ସହସ୍ର ବ୍ରହ୍ମା, ବିଷ୍ଣୁ, ବା ଶଙ୍କର ରକ୍ଷା କରିବା ଅସମ୍ଭବ । ମୋହ ଓ ଅଭିମାନ ତ୍ୟାଗକରି ସେହି ଶ୍ରୀରାମଙ୍କର ଭଜନ କର ।

 

ରାବଣ ହନୁମାନ୍‌ଙ୍କର ଉପଦେଶ ଶୁଣୁ ଶୁଣୁ ବିଦ୍ରୂପପୂର୍ବକ ଅଟ୍ଟହାସ୍ୟ କଲେ । ପୁଣି ହନୁମାନ୍‌ଙ୍କୁ କହିଲେ–ମୋତେ ଗୋଟାଏ ଜ୍ଞାନଗୁରୁ ମର୍କଟ ମିଳିଯାଇଛି ! ଆରେ ଦୁଷ୍ଟ, ତୋର ମୃତ୍ୟୁ ସନ୍ନିକଟ । ମୋତେ ତୁ କି ଶିକ୍ଷା ଦେବୁ ? ହେ ରାକ୍ଷସପୁଙ୍ଗବଗଣ ! ତୁମ୍ଭେମାନେ ଏ ମୂର୍ଖକୁ ଉଚିତ ଶିକ୍ଷା ଦେଇପାରୁନାହଁ ? ଶୀଘ୍ର ଏହାକୁ ପ୍ରାଣଦଣ୍ଡ ଦିଅ ।

 

ରାବଣଙ୍କର ଆଦେଶ ଶୁଣିବାମାତ୍ରେ ରାକ୍ଷସମାନେ ହନୁମାନ୍‌ଙ୍କୁ ମାରିବା ପାଇଁ ଦୌଡ଼ିଲେ । ସେତିକିବେଳେ ବିଭୀଷଣ ସେଠାରେ ପହଞ୍ଚି ଜ୍ୟେଷ୍ଠଭ୍ରାତାଙ୍କୁ ପ୍ରଣାମକରି ବିନୀତ ଭାବରେ କହିଲେ–‘ହେ ରାକ୍ଷସପତି, ମୋର ବିନୀତ ବଚନ ଶୁଣନ୍ତୁ । ହନୁମାନ୍‌ ଜଣେ ଦୂତ । ଦୂତଙ୍କୁ ପ୍ରାଣଦଣ୍ଡ ଦେବା ଶାସ୍ତ୍ରବିହିତ ନୁହଁ । ଏହା ନୀତିବିରୁଦ୍ଧ ଅଟେ । ଏହାଙ୍କୁ ଆପଣ ଦଣ୍ଡ ଦେଇ ପାରନ୍ତି; କିନ୍ତୁ ମୃତ୍ୟୁଦଣ୍ଡ ନ ଦେଇ ଅନ୍ୟ କୌଣସି ଦଣ୍ଡରେ ଦଣ୍ଡିତ କରନ୍ତୁ ।” ସଭାସ୍ଥ ରାକ୍ଷସ-ମନ୍ତ୍ରୀମାନେ ବିଭୀଷଣଙ୍କ ମନ୍ତ୍ରଣା ସ୍ଵୀକାର କଲେ ।

 

ରାବଣ ଏହା ଶୁଣି କହିଲେ–ଏହାର ଅଙ୍ଗଗୁଡ଼ିକୁ ବିକଳାଙ୍ଗ କରି ଏହାର ପ୍ରେରକ ବ୍ୟକ୍ତି ନିକଟକୁ ଏ ବାନରକୁ ପ୍ରେରଣ କର । ମର୍କଟମାନଙ୍କର ଲାଙ୍ଗୁଳ ଅତ୍ୟନ୍ତ ପ୍ରିୟ ଅଟେ । ଏହାର ଲାଙ୍ଗୁଳ ବସ୍ତ୍ରାବୃତ କର । ସେହି ବସ୍ତ୍ରାବୃତ ଲାଙ୍ଗୁଳ ଦେହରେ ଅଗ୍ନି ସଂଯୋଗ କରି ଏହାକୁ ପ୍ରେରଣ କର l ଯେତେବେଳେ ଏ ମର୍କଟ ଲାଙ୍ଗୁଳ ସଂଚାଳନ କରି କରି ତାର ପ୍ରଭୁ ନିକଟରେ ପହଞ୍ଚିବ, ତାର ପ୍ରଭୁ ଏଠାକୁ ଆସିବ । ୟେ ତାର ପ୍ରଭୁର ବଡ଼ିମା ଗାନ କରିବାରେ ଧୁରନ୍ଧର । ସେ ପ୍ରଭୁ ଏଠାକୁ ଆସିଲେ ତାର ବଳ, ପ୍ରଭୃତ୍ଵ କେତେ ମୁଁ ଦେଖିବି ।

 

ରାବଣଙ୍କର ଏକଥା ଶୁଣି ହନୁମାନ୍ ମନେ ମନେ ହସିଲେ । ରାକ୍ଷସପତିଙ୍କର ଆଦେଶ ପାଇ ରାକ୍ଷସମାନେ ସଙ୍ଗେ ସଙ୍ଗେ ରାଜପୁରରୁ ବହୁ ବସ୍ତ୍ର ଆଣିଲେ । ସେହି ବସ୍ତ୍ରଗୁଡ଼ିକ ହନୁମାନ୍‌ଙ୍କ ଲାଙ୍ଗୁଳରେ ଆବୃତ କରାଗଲା । ଯେତିକି ବସ୍ତ୍ର ଆବୃତ ହେବାକୁ ଲାଗିଲା, ହନୁମାନ୍ ନିଜର ଲାଙ୍ଗୁଳକୁ ସେତିକି ଆହୁରି ଦୀର୍ଘତର କରିବାକୁ ଲାଗିଲେ । ରାକ୍ଷସମାନେ ହନୁମାନ୍‌ଙ୍କୁ ନାନା ତିରସ୍କାର କରୁଥାନ୍ତି ଓ ତାଙ୍କ ଦେହରେ ପାଦ ପ୍ରହାର କରି ହସୁଥାନ୍ତି । ବସ୍ତ୍ରାବୃତ ହେବାପରେ ତୈଳ ଏବଂ ଘୃତ ସେହି ବସ୍ତ୍ର ଦେହରେ ଢାଳିଦିଆଗଲା । ନାନା ବାଦ୍ୟବାଜଣା ବାଜୁଥାଏ । ହନୁମାନ୍‌ଙ୍କୁ ଧରି ସମଗ୍ର ନଗର ପରିକ୍ରମା କରାଗଲା । ନଗରର ରାକ୍ଷସ ଓ ରାକ୍ଷସ-ଗୃହିଣୀମାନେ ତାଳିମାରି ହସୁଥାନ୍ତି । ନଗର-ପରିକ୍ରମା ପରେ ବସ୍ତ୍ରାବୃତ ଲାଙ୍ଗୁଳ ଦେହରେ ଅଗ୍ନି ସଂଯୁକ୍ତ ହେଲା ।

 

ଅଗ୍ନିର ବର୍ଦ୍ଧିତ ଶିଖା ଦେଖି ହନୁମାନ୍‌ ନିଜ ଶରୀରକୁ ସଂକୁଚିତ କଲେ । ରାକ୍ଷସମାନେ କୌତୁକ ଦେଖି ହସୁଥାନ୍ତି । ଅଗ୍ନି ବର୍ଦ୍ଧିତ ହେବାରୁ ରାକ୍ଷସମାନେ ହନୁମାନ୍‌ଙ୍କୁ ବନ୍ଧନମୁକ୍ତ କଲେ । ହନୁମାନ୍‌ ସଙ୍ଗେ ସଙ୍ଗେ ଲମ୍ଫ ଦେଇ ଅଟ୍ଟାଳିକା ଉପରେ ବସିଲେ । ସେ ଅଟ୍ଟହାସ୍ୟ କରି ଗର୍ଜନ କରିବାବେଳେ ଲଙ୍କା ଥରହର ହେଲା । ଶରୀର ଏପରି ବର୍ଦ୍ଧିତ ହେଲା ଯେ ତାଙ୍କର ମସ୍ତକ ଆକାଶ ସ୍ପର୍ଶ କଲା । ପ୍ରକାଣ୍ଡ ଶରୀର ଓ ବିଶାଳ ଲାଙ୍ଗୁଳ ସଂଚାଳିତ କରି ସେ ଲଙ୍କାପୁରୀର ଏକ ପ୍ରାସାଦରୁ ଅନ୍ୟ ପ୍ରାସାଦକୁ ଲମ୍ଫ ଦେଇ ଗତିକଲେ । ଯେଉଁ ସ୍ଥାନକୁ ଲାଙ୍ଗୁଳ ସ୍ପର୍ଶକଲା, ତାହା ପ୍ରଜ୍ଵଳିତ ହେବାକୁ ଲାଗିଲା । ସେତିକିବେଳେ ଅଣଚାଶ ପବନ ବହିଲା । ତେଣୁ ଅଗ୍ନିଶିଖା ତୀବ୍ରବେଗରେ ଲେଲିହାନ ଜିହ୍ଵା ବିସ୍ତାରକଲା । ସମଗ୍ର ନଗର ଅଗ୍ନି ପର୍ବତପରି ଦିଶିଲା ।

 

‘ରକ୍ଷାକର’ ‘ରକ୍ଷାକର’ ଧ୍ୱନି ସମଗ୍ର ନଗରରୁ ଉତ୍‌ଥିତ ହେବାକୁ ଲାଗିଲା । କିଏ କହୁଛି–‘ଇଏ ବାନର ନୁହେଁ, ଦେବତା ବାନରରୂପ ଧରି ଆସିଛନ୍ତି ।’ ଘର ବାହାର ସବୁ ଜଳୁଛି । ରାକ୍ଷସମାନେ ପ୍ରାଣଭୟରେ ଥରହର ହେଲେ, ଅଳ୍ପକ୍ଷଣ ମଧ୍ୟରେ ସମଗ୍ର ନଗର ପ୍ରଜ୍ଵଳିତ ହେଲା । କେବଳ ବିଭୀଷଣପୁର ପ୍ରଜ୍ଵଳିତ ହେଉନଥିଲା । ହନୁମାନ କାର୍ଯ୍ୟଶେଷରେ ମହାଗର୍ଜନ କରି ସମୁଦ୍ରମଧ୍ୟକୁ ଲମ୍ଫ ପ୍ରଦାନ କଲେ । ଲାଙ୍ଗୁଳର ଅବଶେଷ ଅଗ୍ନି ନିର୍ବାପିତ ହେଲା । ଅଳ୍ପ ସମୟ ନିମିତ୍ତ ଶ୍ରାନ୍ତି ଦୂରକରି ହନୁମାନ୍ ପୁଣି ନିଜ ରୂପ ଧାରଣକଲେ । ସେଠାରୁ ପୁଣି ଯାଇ ସୀତାଙ୍କ ନିକଟରେ ଉପସ୍ଥିତ ହେଲେ । ହନୁମାନ୍‌ ସୀତାଙ୍କୁ କହିଲେ, ‘‘ହେ ମାତା ! ଆପଣ ମୋତେ ବିଦାୟ ଦିଅନ୍ତୁ । ମୋତେ ଗୋଟିଏ ସନ୍ତକ ଦିଅନ୍ତୁ, ମୁଁ ନେଇ ତାହାକୁ ଶ୍ରୀରଘୁନାଥଙ୍କୁ ଦେବି ।”

 

ସୀତା କହିଲେ–ତୁମେ ଫେରିଯାଅ ! ତୁମେ ମୋର ପ୍ରଭୁଙ୍କୁ କହିବ, ମୋ ଉପରେ ଦୟା ରଖିଥିବେ; ମୋତେ ଏ ସଂକଟରୁ ଶୀଘ୍ର ତ୍ରାଣ କରିବେ । ଇନ୍ଦ୍ରପୂତ୍ର ଜୟନ୍ତଙ୍କର କଥା ତାଙ୍କୁ ସ୍ମରଣ କରାଇଦେବ । ଯଦି ସେ ଏକମାସ ମଧ୍ୟରେ ଏଠାକୁ ନ ଆସିବେ ତାହାହେଲେ ସେ ମୋତେ ଆଉ ଜୀବନରେ ପାଇବେନାହିଁ । ତୁମକୁ ଦେଖି ମୋର ହୃଦୟ ଶୀତଳ ହୋଇଥିଲା । ତୁମେ ଚାଲିଯିବାପରେ ମୁଁ କିପରି ଏ ପ୍ରାଣ ରଖିବି ? ମୁଁ ପୁଣି ସେହି ଦୁଃଖଭୋଗ କରିବି ।

 

ହନୁମାନ୍ ଜାନକୀଙ୍କର କଥା ଶୁଣି ତାଙ୍କୁ ନାନାପ୍ରକାର କଥା କହି ଧୈର୍ଯ୍ୟ ଦେଲେ । ତାଙ୍କର ଚରଣକମଳରେ ମସ୍ତକ ନତକରି ଲଙ୍କାପୁରୀରୁ ବିଦାୟ ନେଲେ । ପ୍ରତ୍ୟାବର୍ତ୍ତନ ସମୟରେ ସେ ମହାଧ୍ୱନି କଲେ । ତାଙ୍କର ସେ ଧ୍ୱନି ଶୁଣି ସମଗ୍ର ରାକ୍ଷସପୁର କମ୍ପିଗଲା । ରାକ୍ଷସମାନଙ୍କ ହୃଦୟରେ ମହାଭୟ ଉତ୍ପନ୍ନ ହେଲା । ହନୁମାନ୍ ସୀତାଙ୍କର ସନ୍ତକରୂପ ମଥାମଣି ଧରି ରାକ୍ଷସପୁର ତ୍ୟାଗ କଲେ । ସମୁଦ୍ର ଲଙ୍ଘନ କରି ସମୁଦ୍ରର ଉତ୍ତର ତୀରରେ ପହଞ୍ଚିଲେ । ମନ ମଧ୍ୟରେ ଅସୀମ ଆନନ୍ଦ ଖେଳୁଥିଲା ।

 

ହନୁମାନ୍‌ଙ୍କୁ ଅପେକ୍ଷା କରି ଅନ୍ୟ ବାନରମାନେ ସମୁଦ୍ରତୀରରେ ବସିଥିଲେ । ଅଙ୍ଗଦ, ଜାମ୍ବବାନ୍ ଆଦି ବାନରମାନେ ତାଙ୍କର ପ୍ରସନ୍ନମୁଖ ଦେଖି ଆନନ୍ଦିତ ହୋଇ ତାଙ୍କୁ ସମସ୍ତ ଘଟଣା ପଚାରିଲେ । ହନୁମାନ୍‌ଙ୍କଠାରୁ ସବୁ ଘଟଣା ଶୁଣିଲେ । ବାନରମାନେ ଅତ୍ୟନ୍ତ ଆନନ୍ଦିତ ହୋଇ ପ୍ରତ୍ୟାବର୍ତ୍ତନ ପଥରେ ମଧୁବନ ଉପବନ ମଧ୍ୟରେ ପ୍ରବେଶ କଲେ । ସେଠାରେ ନାନା ମଧୁର ଫଳ ଖାଇବାକୁ ଲାଗିଲେ । ମଧୁବନ ସୁଗ୍ରୀବଙ୍କର ଥିଲା । ସେଠାରେ ବହୁ ପ୍ରହରୀ ଜଗିଥିଲେ । ବାନରମାନେ ପ୍ରହରୀମାନଙ୍କୁ ଖାତିରି ନକରି ଡାଳ ଭାଙ୍ଗିଲେ ଓ ଫଳ ଖାଇଲେ । ପ୍ରହରୀମାନେ ବାଧାଦେବାରୁ ବାନରମାନେ ସେମାନଙ୍କୁ ନାନା ଦଣ୍ଡ ଦେଲେ । ପ୍ରହରୀମାନେ ଯାଇ ସୁଗ୍ରୀବଙ୍କୁ ଜଣାଇଲେ ଯେ ଅଙ୍ଗଦ ଓ ଅନ୍ୟ ବାନରମାନେ ମଧୁବନ ନଷ୍ଟ କରିପକାଉଛନ୍ତି । ଯୁବରାଜ ଅଙ୍ଗଦ ପ୍ରତ୍ୟାବର୍ତ୍ତନ କରିଛନ୍ତି ବୋଲି ଜାଣିବାରୁ ସୁଗ୍ରୀବ ଆହୁରି ବିଶେଷ ଆନନ୍ଦିତ ହେଲେ । ସେମାନେ ନିଶ୍ଚୟ ସୀତାଙ୍କର ସମ୍ବାଦ ଘେନି ଫେରିଛନ୍ତି ବୋଲି ମନେ ମନେ ଭାରି ସନ୍ତୋଷ ଲାଭ କଲେ ।

 

ଉଦର ପୂର୍ଣ୍ଣକରି ମଧୁର ଫଳ ଭକ୍ଷଣ କଲା ପରେ ସେମାନେ ସୁଗ୍ରୀବଙ୍କ ନିକଟକୁ ଆସି ତାଙ୍କୁ ନମସ୍କାର କଲେ । ବାନରମାନେ ହନୁମାନ୍‌ଙ୍କର ସମସ୍ତ କାର୍ଯ୍ୟ ବିଷୟରେ ସୁଗ୍ରୀବଙ୍କୁ ଜଣାଇଲେ । ଶ୍ରୀରାମ ଓ ଲକ୍ଷ୍ମଣ ଏକ ସ୍ଫଟିକ ଶିଳା ଉପରେ ବସିଥିଲେ । ବାନରମାନେ ସେମାନଙ୍କ ନିକଟକୁ ଯାଇ ପ୍ରଣାମ କଲେ । ଜାମ୍ବବାନ୍ କହିଲେ, ହେ ପ୍ରଭୁ ! ପବନପୁତ୍ର ହନୁମାନ ଯେଉଁସବୁ କାର୍ଯ୍ୟ ସାଧନ କରି ପ୍ରତ୍ୟାବର୍ତ୍ତନ କରିଅଛନ୍ତି ତାହାସବୁ ସହସ୍ରମୁଖରେ ସର୍ପରାଜ ବର୍ଣ୍ଣନା କରିପାରିବା ନିମନ୍ତେ ସମର୍ଥ ହେବେନାହିଁ ।

 

ହନୁମାନ୍‌ ଶ୍ରୀରାମଙ୍କୁ ପ୍ରଣାମ କରି ସୀତାଙ୍କର ସମସ୍ତ ସଂବାଦ ଜଣାଇ ତାହାଙ୍କୁ ମଥାମଣିଟି ଦେଲେ । ହନୁମାନ୍‌ ମଥାମଣିଟି ଦେଲାବେଳେ ତାଙ୍କର ଚକ୍ଷୁ ଲୋତକପୂର୍ଣ୍ଣ ହେଲା । ସେ ସୀତାଙ୍କର ସମସ୍ତ ମନକଥା କହି ଶେଷରେ କହିଲେ–ହେ ପ୍ରଭୁ, ମାତା ଜାନକୀଙ୍କର ଏକ ଏକ କ୍ଷଣ ଏକ ଏକ କଳ୍ପପରି ଅପବାହିତ ହେଉଛି; ତେଣୁ ଆପଣ ଶୀଘ୍ର ଲଙ୍କାକୁ ଗମନକରି ଦୁଷ୍ଟ ରାକ୍ଷସଦଳଙ୍କୁ ନିହତ କରି ମାତା ଜାନକୀଙ୍କୁ ଉଦ୍ଧାର କରନ୍ତୁ ।

 

ଶ୍ରୀରାମ କହିଲେ, ‘ହେ ହନୁମାନ୍, ତୁମପରି ଉପକାରୀ ମୋର ଆଉ କେହି ନୁହନ୍ତି । ତୁମର ଋଣ ମୁଁ ଶୁଝିପାରିବି ନାହିଁ ।’ ହନୁମାନ୍ ପ୍ରେମବିଗଳିତ ହୃଦୟରେ ଶ୍ରୀରାମଙ୍କ ଚରଣ ଧରି ପ୍ରଣାମ କଲେ ।

 

ଶ୍ରୀରାମଚନ୍ଦ୍ର କପିରାଜ ସୁଗ୍ରୀବଙ୍କୁ ଡକାଇ କହିଲେ, ‘ହେ ମିତ୍ର ! ବର୍ତ୍ତମାନ ଲଙ୍କାପୁରୀକୁ ଗମନ କରିବାପାଇଁ ତୁମେ ଆୟୋଜନ ଆରମ୍ଭକର ।’ ସୁଗ୍ରୀବ ଶ୍ରୀରାମଚନ୍ଦ୍ରଙ୍କ ଆଦେଶ ପାଇ ବାନରମାନଙ୍କୁ ଆହ୍ଵାନ କଲେ । ବାନର ଭଲ୍ଲୁକ ସେନାପତିମାନେ ଶ୍ରୀରାମଙ୍କ ଚରଣରେ ନମସ୍କାର କଲେ । ସିଂହପରି ଗର୍ଜନ କରି ନିଜନିଜର ବଳ ବିଷୟରେ ସେମାନେ ବର୍ଣ୍ଣନା କରିବାକୁ ଲାଗିଲେ-। ‘ଶ୍ରୀରାମଙ୍କର ଜୟ’ ଧ୍ୱନିରେ ଆକାଶ ପ୍ରକମ୍ପିତ କରି ବାନରମାନେ ସମୁଦ୍ରକୂଳଦେଶରେ ପହଞ୍ଚିଲେ ।

Image

 

Unknown

ବିଭୀଷଣ ସଂବାଦ

 

ଲଙ୍କାପୁରକୁ ଭସ୍ମସାତ୍ କରି ହନୁମାନ୍ ପ୍ରତ୍ୟାବର୍ତ୍ତନ କଲା ପରେ ଦିନେ ରାବଣପତ୍ନୀ ମନ୍ଦୋଦରୀ ରାବଣଙ୍କ ନିକଟରେ ପହଞ୍ଚିଲେ । ସ୍ଵାମୀଙ୍କ ଚରଣରେ ସ୍ଵମସ୍ତକ ସ୍ପର୍ଶ କରି କହିଲେ–“ହେ ପ୍ରଭୁ, ହେ ପ୍ରିୟତମ, ଶ୍ରୀହରିଙ୍କର ବିରୋଧ କରନାହିଁ । ତାଙ୍କର ଦୂତ ଲଙ୍କାପୁରୀକୁ ଆସି କ’ଣ ନ କଲେ ? ରାକ୍ଷସମାନେ ତାଙ୍କର ନାମ ଶୁଣିବାମାତ୍ରେ ଭୟରେ ଥରହର ହେଉଛନ୍ତି । ଆପଣ ମନ୍ତ୍ରୀଙ୍କୁ ଡକାଇ ତାଙ୍କରି ସାଙ୍ଗରେ ଶ୍ରୀରାମଙ୍କ ପତ୍ନୀଙ୍କୁ ଶ୍ରୀରାମଙ୍କ ନିକଟକୁ ପ୍ରେରଣ କରିଦିଅନ୍ତୁ । ଏ ପୌଲସ୍ତ୍ୟବଂଶର କମଳବନ ନିମନ୍ତେ ସୀତା ଶୀତକାଳର ରାତ୍ରି ଅଟନ୍ତି । ମୋ କଥା ଶୁଣନ୍ତୁ, ସୀତାଙ୍କୁ ପ୍ରତ୍ୟାବର୍ତ୍ତନ ନ କଲେ ଶମ୍ଭୁ, ବ୍ରହ୍ମା କେହି ହେଲେ ଆପଣଙ୍କୁ ରକ୍ଷା କରି ପାରିବେ ନାହିଁ । ଶ୍ରୀରାମଙ୍କର ସର୍ପରୂପକ ବାଣ ଅକ୍ଳେଶରେ ଏ ରାକ୍ଷସବଂଶକୁ ନିପାତ କରିବ ।

 

ରାବଣ ଅଭିମାନରେ ମନ୍ଦୋଦରୀଙ୍କ କଥା ଶୁଣି ଅଟ୍ଟହାସ୍ୟ କଲେ ଏବଂ କହିଲେ, ‘ମନ୍ଦୋଦରୀ, ନାରୀମାନେ ସ୍ଵଭାବତଃ ବଡ଼ ଦୁର୍ବଳ । ସେମାନେ ମନୁଷ୍ୟର କଲ୍ୟାଣ ସମୟରେ ମଧ୍ୟ ମନ ମଧ୍ୟରେ ଭୟ ସ୍ଥାପନ କରିଥାନ୍ତି । ବାନରସେନା ଲଙ୍କାପୁରୀରେ ପହଞ୍ଚିଲେ ଏ ରାକ୍ଷସମାନେ ସେମାନଙ୍କୁ ଭୋଜନ କରି ସେମାନଙ୍କର କ୍ଷୁଧା ଦୂର କରିବେ । ସ୍ଵୟଂ ଲୋକପାଳ ଯାହାଙ୍କର ନାମ ଶୁଣିଲେ ଭୟ କରନ୍ତି, ତୁମେ ସେହି ରାକ୍ଷସରାଜ ରାବଣଙ୍କର ପତ୍ନୀ ହୋଇ ମନରେ ଭୟ ସଂଚାର କରୁଛ ?’ ରାବଣ ଏହିପରି ଭାବରେ ନିଜର ଗର୍ବ ପ୍ରଦର୍ଶନ କରି ମନ୍ଦୋଦରୀଙ୍କୁ ନାନା କଥା ବୁଝାଇ ସଭାସ୍ଥଳକୁ ଚାଲିଗଲେ; କିନ୍ତୁ ମନ୍ଦୋଦରୀଙ୍କ ହୃଦୟରେ ଚିନ୍ତା ବଢ଼ିବାକୁ ଲାଗିଲା ।

 

ସଭାସ୍ଥଳରେ ମନ୍ତ୍ରୀ, ଗୁପ୍ତଚର ଓ ମନ୍ତ୍ରଣାଦାତାଙ୍କ ମେଳରେ ରାବଣ ବସି ନାନା ମନ୍ତ୍ରଣା କରୁଛନ୍ତି, ଏହି ସମୟରେ ଦୂତ ଆସି ରାକ୍ଷସରାଜଙ୍କ ଛାମୁରେ ଦଣ୍ଡାୟମାନ ହୋଇ କହିଲା, ‘ହେ ପ୍ରଭୁ ! ବାନରସେନା ସମୁଦ୍ରର ଅନ୍ୟ ତୀରରେ ଠିଆ ହୋଇଛନ୍ତି । ସେମାନେ ଲଙ୍କାପୁରୀକୁ ଆକ୍ରମଣ କରିବାପାଇଁ ପ୍ରସ୍ତୁତ ହେଉଛନ୍ତି ।’ ରାବଣ ଦୂତଠାରୁ ଏ ସଂବାଦ ଶୁଣି ମନ୍ତ୍ରୀମାନଙ୍କୁ କହିଲେ, ‘ଆପଣମାନେ ମୋତେ ଉପଯୁକ୍ତ ପରାମର୍ଶ ଦିଅନ୍ତୁ । ମୁଁ ଦେବତା ଓ ରାକ୍ଷସମାନଙ୍କୁ ଜୟ କରିଅଛି; ଏ ବାନର ଓ ମନୁଷ୍ୟମାନେ ମୋ ସମ୍ମୁଖରେ ନିତାନ୍ତ ତୁଚ୍ଛ ଅଟନ୍ତି । ମୁଁ ଅକ୍ଳେଶରେ ଏମାନଙ୍କୁ ବିନଷ୍ଟ କରିବି ।’ ରାବଣଙ୍କର ଗର୍ବୋନ୍ନତ ବାକ୍ୟ ଶ୍ରବଣମାତ୍ରେ ମନ୍ତ୍ରୀମାନେ ତାହାଙ୍କର ଅନେକ ସ୍ତୁତିଗାନ କଲେ ।

 

ଏହି ସମୟରେ ବିଭୀଷଣ ଆସି ସଭାସ୍ଥଳରେ ପହଞ୍ଚିଲେ । ଜ୍ୟେଷ୍ଠଭ୍ରାତାଙ୍କୁ ପ୍ରଣାମ ଜଣାଇ ଆସନ ଗ୍ରହଣ କରିବା ପରେ ରାବଣ ଆଜ୍ଞା ଦେବାରୁ ସେ ଠିଆହୋଇ କହିଲେ–ହେ ରାକ୍ଷସପତି, ଆପଣ ମୋତେ ଜିଜ୍ଞାସା କରୁଅଛନ୍ତି; ତେଣୁ ମୁଁ ମୋର ବୁଦ୍ଧି ଅନୁକ୍ରମେ ଆପଣଙ୍କର ହିତାର୍ଥେ କହୁଛି । ଯେଉଁ ମନୁଷ୍ୟ ନିଜର ନଲ୍ୟାଣ, ଯଶ ଓ ସୁଖ ଇଚ୍ଛାକରେ ସେ ପରସ୍ତ୍ରୀ ମୁଖାବଲୋକନ କରେ ନାହିଁ । ଚଉଦଭୁବନର ସ୍ଵାମୀ ମଧ୍ୟ ଜଗତର ଜୀବମାନଙ୍କଠାରେ ଶତ୍ରୁତା କଲେ ନଷ୍ଟ ହୋଇଯାଆନ୍ତି । ଗୁଣର ସମୁଦ୍ର ହୋଇଥିଲେ ମଧ୍ୟ ମନରେ ଲୋଭ ସ୍ଥାନ ପାଇଲେ ମନୁଷ୍ୟର ମଙ୍ଗଳ ହୁଏନାହିଁ । କାମ, କ୍ରୋଧ ଓ ଲୋଭ ଏଗୁଡ଼ିକ ନରକର ଦ୍ଵାର ଅଟେ । ଏସବୁ ତ୍ୟାଗ କରି ଆପଣ ଶ୍ରୀରାମଙ୍କୁ ଭଜନ କରନ୍ତୁ । ଶ୍ରୀରାମଚନ୍ଦ୍ର ଜଗତର ସ୍ଵାମୀ ଏବଂ କାଳର କାଳ ଅଟନ୍ତି । ପୃଥିବୀ, ବ୍ରାହ୍ମଣ ଓ ଗୋଜାତିର ହିତ ନିମନ୍ତେ ସେ ମନୁଷ୍ୟ-ଶରୀର ଧାରଣ କରିଅଛନ୍ତି । ତାଙ୍କ ସହିତ ଶତ୍ରୁତା ତ୍ୟାଗ କରନ୍ତୁ ଏବଂ ତାଙ୍କର ଚରଣରେ ମସ୍ତକ ଅବନତ କରନ୍ତୁ । ଜାନକୀଙ୍କୁ ତାଙ୍କ ନିକଟରେ ସମର୍ପଣ କରିଦିଅନ୍ତୁ । ମୁଁ ଆପଣଙ୍କର ଚରଣ ସ୍ପର୍ଶକରି ବିନତି କରୁଛି, ଆପଣ ମନରୁ ମୋହ ତ୍ୟାଗକରି କୋଶଳପତିଙ୍କୁ ଭଜନ କରନ୍ତୁ । ମୁନି ପୁଲସ୍ତ୍ୟ ତାଙ୍କର ଶିଷ୍ୟଦ୍ଵାରା ଏ ସଂବାଦ ଆପଣଙ୍କ ନିକଟକୁ ପ୍ରେରଣ କରିଅଛନ୍ତି, ସେହି ସଂବାଦ ମୁଁ ଆପଣଙ୍କୁ ଜଣାଇଦେଉଛି ।

 

ଏତିକିବେଳେ ସଭାସ୍ଥଳରେ ଆସୀନ ମାଲ୍ୟବାନ୍ ନାମରେ ରାବଣଙ୍କର ଜଣେ ମନ୍ତ୍ରୀ ରାବଣଙ୍କ ସମ୍ମୁଖରେ ଦଣ୍ଡାୟମାନ ହେଲେ । ରାବଣଙ୍କୁ ପ୍ରଣାମ ଜଣାଇ କହିଲେ–ହେ ରାକ୍ଷସପତି, ମୋର ବିନତି ଶୁଣନ୍ତୁ । ଆପଣଙ୍କର କନିଷ୍ଠ ବିଭୀଷଣ ଆପଣଙ୍କୁ ଯେଉଁ ପରାମର୍ଶ ଦେଇଅଛନ୍ତି ଆପଣ ସେସବୁ କଥାକୁ ହୃଦୟରେ ବିଚାର କରନ୍ତୁ ।

 

ରାବଣ ସଙ୍ଗେ ସଙ୍ଗେ କ୍ରୋଧପୂର୍ଣ୍ଣ ବାଣୀ ପ୍ରକାଶକରି କହିଲେ, ରାକ୍ଷସପତି ରାବଣଙ୍କର ଏ ସଭାସ୍ଥଳରେ ଏ ଦୁଇଜଣ ମୂର୍ଖ ତାଙ୍କର ସମ୍ମୁଖରେ ଶତ୍ରୁର ମହିମା ବର୍ଣ୍ଣନା କରୁଅଛନ୍ତି । ଏମାନଙ୍କୁ ମୋର ସମ୍ମୁଖରୁ ଦୂରକର ।’ ରାବଣଙ୍କର ଏ ଆଦେଶ ଶୁଣି ମାଲ୍ୟବାନ୍‌ ସଭାସ୍ଥଳ ତ୍ୟାଗକରି ଚାଲିଗଲେ; କିନ୍ତୁ ବିଭୀଷଣ ପୁଣି ଦଣ୍ଡାୟମାନ ହୋଇ ରାବଣଙ୍କୁ ନାନାକଥା ବୁଝାଇବାକୁ ବସିଲେ । ସେ କହିଲେ–ହେ ରାକ୍ଷସପତି, ଆପଣ ହିତବାକ୍ୟକୁ ଅହିତ ବୋଲି ଏବଂ ମିତ୍ରଙ୍କୁ ଶତ୍ରୁ ବୋଲି ବିଚାରୁଅଛନ୍ତି । ମୁଁ ଆପଣଙ୍କର ଚରଣସ୍ପର୍ଶ କରି ଭିକ୍ଷା ମାଗୁଛି, ଆପଣ ଶ୍ରୀରାମଙ୍କ ନିକଟକୁ ସୀତାଙ୍କୁ ପ୍ରେରଣ କରନ୍ତୁ, ରାକ୍ଷସକୁଳର ମର୍ଯ୍ୟାଦା ରକ୍ଷାକରନ୍ତୁ ।

 

ରାବଣ କ୍ରୁଦ୍ଧ ହୋଇ କହିଲେ, ‘ଆରେ ଦୁଷ୍ଟ, ତୋର ମୃତ୍ୟୁ ସନ୍ନିକଟ । ମୁଁ ତୋତେ ଅନ୍ନଜଳ ଦେଇ ପୋଷଣ କଲି–ମୋର ଶତ୍ରୁ ତୋର ପ୍ରିୟ ହେଉଛି । ଜଗତରେ ଏପରି କେହି ଅଛି ଯେ କି ବାହୁବଳରେ ମୋତେ ଜିଣିପାରିବ ? ଏଠାରୁ ଚାଲିଯାଆ, ସେହି ମୂର୍ଖ ତପସ୍ଵୀମାନଙ୍କୁ ନୀତିବାକ୍ୟ ଶିକ୍ଷାଦେବୁ ।’ ଏପରି କହି ବିଭୀଷଣଙ୍କୁ ପଦାଘାତ କଲେ; କିନ୍ତୁ ବିଭୀଷଣ ବାରମ୍ବାର ଜ୍ୟେଷ୍ଠଭ୍ରାତାଙ୍କର ଚରଣ ଧରି କହିଲେ, ‘ଆପଣ ମୋର ପିତାସଦୃଶ, ଆପଣ ମୋତେ ଶତବାର ପଦାଘାତ କଲେ ମଧ୍ୟ ତାହା ମୋ ନିମନ୍ତେ କଲ୍ୟାଣକର । ମୋର ବିନତି ପ୍ରତି କର୍ଣ୍ଣପାତ କରନ୍ତୁ । ଶ୍ରୀରାମଙ୍କୁ ଭଜନ କଲେ ଆପଣଙ୍କର ମଙ୍ଗଳ ହେବ ।’ ରାବଣ ବିଭୀଷଣଙ୍କ କଥା ପ୍ରତି କର୍ଣ୍ଣପାତ ନ କରିବାରୁ ବିଭୀଷଣ ତାଙ୍କର ହିତକାରୀ ପରାମର୍ଶଦାତାମାନଙ୍କୁ ଧରି ଲଙ୍କାପୁରୀ ତ୍ୟାଗକଲେ । ଆକାଶମାର୍ଗରେ ଗଲାବେଳେ କହିଲେ, ‘ହେ ରାକ୍ଷସପତି, ବର୍ତ୍ତମାନ ଆପଣ କାଳର ଅଧୀନ ଅଟନ୍ତି । ଆପଣ ହିତ ଅହିତ ବିଚାରକରିବା ନିମନ୍ତେ ସମର୍ଥ ନୁହନ୍ତି । ମୁଁ ଶ୍ରୀରଘୁନାଥଙ୍କର ଶରଣନିମନ୍ତେ ତାଙ୍କର ନିକଟକୁ ଯାଉଅଛି । ଆପଣ ମୋତେ ଆଉ ଭବିଷ୍ୟତରେ ଦୋଷ ଦେବେ ନାହିଁ ।’ ଏତିକି କହି ବିଭୀଷଣ ଶ୍ରୀରାମ ନାମ ଗୁଣି ଗୁଣି ଆକାଶମାର୍ଗରେ ସମୁଦ୍ରର ଅନ୍ୟପାରକୁ ଗତିକଲେ ।

 

ବାନରମାନେ ବିଭୀଷଣଙ୍କୁ ଦେଖି କହିଲେ, ‘ଏ ନିଶ୍ଚୟ ଶତ୍ରୁ ପକ୍ଷର କୌଣସି ଦୂତ ଅଟନ୍ତି ।’ ବିଭୀଷଣ ନିର୍ଭୟରେ ସୁଗ୍ରୀବଙ୍କ ପାଖରେ ଆସି ପହଞ୍ଚି ତାହାଙ୍କୁ ସମସ୍ତ ଘଟଣା ଜଣାଇଲେ । ସୁଗ୍ରୀବ ଶ୍ରୀରାମଙ୍କୁ କହିଲେ, ‘ହେ ଶ୍ରୀରଘୁନାଥ, ରାବଣଙ୍କ ଭ୍ରାତା ବିଭୀଷଣ ଆପଣଙ୍କ ସହିତ ସାକ୍ଷାତ୍ କରିବାପାଇଁ ଇଚ୍ଛା କରୁଅଛନ୍ତି ।’ ଶ୍ରୀରାମ ସୁଗ୍ରୀବଙ୍କୁ କହିଲେ, ‘ହେ ମିତ୍ର, ବିଭୀଷଣ ଯେଉଁ ଉଦ୍ଦେଶ୍ୟରେ ଆମ୍ଭମାନଙ୍କ ପାଖକୁ ଆସିଅଛନ୍ତି, ସେଥିରେ ତୁମର ମତ କଣ ?’ ସୁଗ୍ରୀବ କହିଲେ, ‘ରାକ୍ଷସମାନଙ୍କ ମାୟା ସହଜରେ ବୁଝାଯାଏ ନାହିଁ । ମୋତେ ବୋଧ ହେଉଛି, ସେ ମୂର୍ଖ ଆମ୍ଭମାନଙ୍କର ଭେଦ ଜାଣିବା ଉଦ୍ଦେଶ୍ୟ ନେଇ ଆମ୍ଭମାନଙ୍କ ନିକଟକୁ ଆସିଅଛି; ତେଣୁ ତାହାକୁ ବାନ୍ଧିରଖିବା ଉଚିତ ।”

 

ଶ୍ରୀରାମ ମିତ୍ରଙ୍କର ପରାମର୍ଶ ଶୁଣିବା ପରେ କହିଲେ–ମିତ୍ର ସୁଗ୍ରୀବ, ତୁମେ ଯେଉଁ ରାଜନୀତି କହୁଅଛି ତାହା ଯଥାର୍ଥ ଅଟେ; କିନ୍ତୁ ଶରଣାପନ୍ନକୁ ଅଭୟ ପ୍ରଦାନ କରିବା ମୋର ଧର୍ମ । ଶରଣାପନ୍ନ ବ୍ୟକ୍ତିକୁ କେବଳ ହୀନ ଲୋକମାନେ ଶରଣ ଦିଅନ୍ତି ନାହିଁ । ବ୍ରାହ୍ମଣ ହତ୍ୟାକାରୀ ବ୍ୟକ୍ତି ମଧ୍ୟ ମୋର ଶରଣାଗତ ହେଲେ ମୁଁ ତାହାକୁ ଶରଣ ଦିଏ । ମନରେ ନିର୍ମଳଭାବ ରଖି ମୋ ପାଖକୁ ଆସିଲେ ମୁଁ ଯେକୌଣସି ବ୍ୟକ୍ତିକୁ ଶରଣପ୍ରଦାନ କରେ । ମୋତେ କପଟ, ଛଳ, ଛିଦ୍ର ଭଲଲାଗେ ନାହିଁ । ଯଦି ରାବଣ ଆମ୍ଭମାନଙ୍କର ଭେଦ ଜାଣିବା ନିମନ୍ତେ ବିଭୀଷଣଙ୍କୁ ଏଠାକୁ ପଠାଇଥାନ୍ତି ତେବେ ସେଥିପାଇଁ ଭୟର କୌଣସି କାରଣ ନାହିଁ; କାରଣ ଜଗତରେ ଯେତେ ରାକ୍ଷସ ଅଛନ୍ତି କ୍ଷଣମାତ୍ର ସମୟ ମଧ୍ୟରେ ଲକ୍ଷ୍ମଣ ସେମାନଙ୍କୁ ସଂହାର କରିପାରନ୍ତି । ସେ ଯଦି ଭୟଭୀତ ହୋଇ ଶରଣ ନିମନ୍ତେ ଆମ୍ଭମାନଙ୍କ ନିକଟକୁ ଆସିଥିବେ, ତେବେ ତାଙ୍କୁ ମୁଁ ମୋର ପ୍ରାଣପରି ନିକଟରେ ରଖିବି ।

 

ଶ୍ରୀରାମଙ୍କର ଅଭୟବାଣୀ ଶୁଣି ସୁଗ୍ରୀବ ନିର୍ଭୟ ହେଲେ ଏବଂ ଶ୍ରୀରାମଙ୍କ ଆଦେଶରେ ଅଙ୍ଗଦ ଓ ହନୁମାନ୍‌ଙ୍କୁ ସଙ୍ଗରେ ଧରି ସୁଗ୍ରୀବ ବିଭୀଷଣଙ୍କୁ ଶ୍ରୀରାମଙ୍କ ନିକଟକୁ ଡାକିଆଣିଲେ । ଶ୍ରୀରାମଙ୍କୁ ଦେଖିବାମାତ୍ରେ ବିଭୀଷଣଙ୍କ ଚକ୍ଷୁରୁ ଅଶ୍ରୁ ନିର୍ଗତ ହେବାକୁ ଲାଗିଲା, ଶରୀର ପୁଲକିତ ହେଲା । ବିଭୀଷଣ ଶ୍ରୀରାମଙ୍କର ଚରଣ ସ୍ପର୍ଶ କରି କହିଲେ, ‘ହେ ପ୍ରଭୁ, ମୁଁ ରାବଣଙ୍କର କନିଷ୍ଠଭ୍ରାତା । ମୋର ଜନ୍ମ ରାକ୍ଷସବଂଶରେ, ସ୍ଵଭାବ-ଗୁଣରୁ ପାପ ମୋର ପ୍ରିୟ ଅଟେ । ଆପଣଙ୍କର ସୁଯଶ ଶୁଣି ମୁଁ ଆପଣଙ୍କର ଶରଣ ନିମନ୍ତେ ଆସିଅଛି । ମୋତେ ରକ୍ଷା କରନ୍ତୁ ।’ ଏତିକି କହି ସେ ଶ୍ରୀରାମଙ୍କର ଚରଣତଳେ ପତିତ ହେଲେ ।

 

ଶ୍ରୀରାମ ତାଙ୍କୁ ତଳୁ ଉଠାଇଲେ l ବିଭୀଷଣ ଲକ୍ଷ୍ମଣଙ୍କୁ ଅଭିବାଦନ ଜଣାଇଲେ । ଶ୍ରୀରାମ ବିଭୀଷଣଙ୍କୁ ପାଖରେ ବସାଇ କହିଲେ–ହେ ଲଙ୍କେଶ, ତୁମର ସପରିବାର କୁଶଳ ବର୍ଣ୍ଣନା କର । ତୁମ୍ଭେ ଦିନରାତି ଦୁଷ୍ଟ ରାକ୍ଷସମାନଙ୍କ ମଧ୍ୟରେ କାଳ ଅତିବାହିତ କରୁଛ । ମୁଁ ତୁମର ଆଚାର-ବ୍ୟବହାର ବିଷୟରେ ସବୁ ବିଷୟ ଜାଣିଛି I ନର୍କ ମଧ୍ୟରେ ବାସକରିବା ଶ୍ରେୟସ୍କର; କିନ୍ତୁ ଦୁଷ୍ଟ ରାକ୍ଷସମାନଙ୍କ ସହିତ କାଳ ଅତିବାହିତ କରିବା ଉଚିତ ନୁହେଁ ।

 

ବିଭୀଷଣ କହିଲେ, ‘ମୁଁ ଅତ୍ୟନ୍ତ ନୀଚ । ରାକ୍ଷସ ବଂଶରେ ମୋର ଜନ୍ମ । ଆପଣ ମୋତେ ଶରଣଦାନ କରି ମୋର ଅଶେଷ ମଙ୍ଗଳ କରିଅଛନ୍ତି ।’ ଶ୍ରୀରାମ କହିଲେ, ‘ହେ ବିଭୀଷଣ, ତୁମ ନିକଟରେ ଅସଂଖ୍ୟ ସଦ୍‌ଗୁଣ ରହିଅଛି । ତୁମେ ମୋର ଅତ୍ୟନ୍ତ ପ୍ରିୟ ଅଟ ।’ ଶ୍ରୀରାମ ଏକଥା କହି ବିଭୀଷଣଙ୍କୁ ରାଜତିଳକ ଦେଇ ଲଙ୍କାର ରାଜା କରାଇଲେ ।

Image

 

ରାବଣ-ଦୂତ

 

ହନୁମାନ୍‌ ଲଙ୍କାରୁ ଫେରି ରାବଣଙ୍କର ପ୍ରତାପ ଓ ତାଙ୍କର ସମସ୍ତ କାର୍ଯ୍ୟ ବିଷୟରେ ଶ୍ରୀରାମଙ୍କ ଆଗରେ ବର୍ଣ୍ଣନା କଲେ । ସୀତାଙ୍କର ଦୁଃଖ ବର୍ଣ୍ଣନା କରି କହିବା ପରେ ଲଙ୍କାପୁରୀ ଆକ୍ରମଣ କରିବାକୁ ଶ୍ରୀରାମ ଯେତେବେଲେ ଯୋଜନା କରୁଥିଲେ, ସେହି ସମୟରେ ବିଭୀଷଣ ଆସି ପହଞ୍ଚିଲେ । ବିଭୀଷଣଙ୍କର ମିନତି ଶୁଣି ତାଙ୍କୁ ଅଭୟ ଦେବା ପରେ ସମୁଦ୍ର କିପରି ଅତିକ୍ରମ କରି ଏ ବିଶାଳ ବାନର ଓ ଭଲ୍ଲୁକ ସୈନ୍ୟବାହିନୀକୁ ଲଙ୍କାରେ ପହୁଞ୍ଚାଇବାକୁ ହେବ, ସେହି ବିଷୟରେ ସେ ସୁଗ୍ରୀବ ଓ ବିଭୀଷଣଙ୍କ ସହିତ ମନ୍ତ୍ରଣା କଲେ । ବିଭୀଷଣ କହିଲେ–ଆପଣଙ୍କର ଗୋଟିଏ ବାଣରେ ସମୁଦ୍ର ଶୁଖିଯିବ; କିନ୍ତୁ ନୀତି ଅନୁସାରେ ପ୍ରଥମେ ସମୁଦ୍ରଙ୍କୁ ପ୍ରାର୍ଥନା କରିବା ଉଚିତ ହେବ ।

 

ବିଭୀଷଣଙ୍କର ଏ ପ୍ରସ୍ତାବ ଲକ୍ଷ୍ମଣଙ୍କ ମନକୁ ପାଇଲା ନାହିଁ । ସେ ଜ୍ୟେଷ୍ଠଭ୍ରାତାଙ୍କୁ କହିଲେ–ଆପଣ ଦେବତାଙ୍କ ଉପରେ କାହିଁକି ଏପରି ଏତେ ଭରସା କରିବାକୁ ଯାଉଛନ୍ତି ? ଆପଣ ବାଣଦ୍ଵାରା ସମୁଦ୍ରକୁ ଶୁଖାଇଦିଅନ୍ତୁ । ଦୈବ ଦୁର୍ବଳ ଲୋକର ଆଧାର ଅଟେ । ଆଳସୀ ବ୍ୟକ୍ତିମାନେ କେବଳ ଦୈବ ଉପରେ ନିର୍ଭର କରନ୍ତି ।

 

ଶ୍ରୀରାମ ଲକ୍ଷ୍ମଣଙ୍କର ଏ ସବୁ କଥା ଶୁଣି ଲକ୍ଷ୍ମଣଙ୍କୁ ନାନାପ୍ରକାରର ନୀତିକଥା କହି ବୋଧଦେଲେ । ସମସ୍ତେ ମିଶି ସମୁଦ୍ରକୂଳକୁ ଗଲେ । ସମୁଦ୍ରକୂଳରେ ପହଞ୍ଚିବାମାତ୍ରେ ଶ୍ରୀରାମ ସମୁଦ୍ରଙ୍କୁ ପ୍ରଣାମ କରି କୂଳରେ ଗୋଟିଏ କୁଶ ଆସ୍ତରଣ ଉପରେ ବସି ସମୁଦ୍ରଙ୍କୁ ପ୍ରାର୍ଥନା କଲେ ।

 

ବିଭୀଷଣ ଲଙ୍କା ତ୍ୟାଗ କରି ଆସିବା ପରେ ପରେ ରାବଣ ତାଙ୍କ ପଛେ ପଛେ ଦୂତ ପଠାଇଥିଲେ । ଦୂତମାନେ କପଟରେ ବାନରରୂପ ଧାରଣ କରି ଶ୍ରୀରାମଙ୍କ ସୈନ୍ୟମାନଙ୍କ ସହିତ ମିଶି ସବୁ ଘଟଣା ଦେଖିଲେ । ଶ୍ରୀରାମଙ୍କର ଶରଣାଗତମାନଙ୍କ ଉପରେ ସ୍ନେହ ଦେଖି ସେମାନେ ମନେ ମନେ ପ୍ରଭୁଙ୍କର ପ୍ରଶଂସା କରୁଥିଲେ । ସେହି ଦୂତମାନେ ପୁଣି କପଟବେଶ ତ୍ୟାଗକରି ନିଜ ବେଶ ଧାରଣକଲେ । ବାନରମାନେ ସେମାନଙ୍କୁ ଚିହ୍ନିପାରିଲେ ଏବଂ ଶତ୍ରୁ ପକ୍ଷର ଦୂତ ବୋଲି ଜାଣିପାରି ସେମାନଙ୍କୁ ବାନ୍ଧିପକାଇଲେ । ବାନରମାନେ ସେହି ଦୂତମାନଙ୍କୁ ଧରି ସୁଗ୍ରୀବଙ୍କ ସମ୍ମୁଖକୁ ଆଣିଲେ ।

 

ସୁଗ୍ରୀବ କହିଲେ, ‘ହେ ବାନର ସୈନ୍ୟଗଣ, ଏମାନଙ୍କୁ ବାନ୍ଧିରଖି ଏମାନଙ୍କର ଅଙ୍ଗଭଙ୍ଗ କରିଦିଅ ।’ ସୁଗ୍ରୀବଙ୍କଠାରୁ ଏପରି ଆଦେଶ ପାଇ ବାନରମାନେ ସେ ରାକ୍ଷସଦୂତମାନଙ୍କୁ ସେହି ଆବଦ୍ଧ ଅବସ୍ଥାରେ ବାନରସେନା ମାନଙ୍କର ଚତୁର୍ଦ୍ଦିଗରେ ବୁଲାଇଲେ । ପୁଣି ସୁଗ୍ରୀବଙ୍କର ଆଦେଶ ମାନି ସେମାନଙ୍କର ଅଙ୍ଗଭଙ୍ଗ କରିବାକୁ ବସିବାରୁ ସେମାନେ ନାନା ପ୍ରକାରର ଚିତ୍କାର କଲେ ଏବଂ କହିଲେ, ‘ଯେଉଁମାନେ ଆମ୍ଭମାନଙ୍କର ନାକକାନ କାଟି ଅଙ୍ଗଭଙ୍ଗ କରିବେ, ସେମାନଙ୍କୁ କୋଶଳାଧୀଶ ଶ୍ରୀରାମଚନ୍ଦ୍ରଙ୍କ ରାଣ ପଡ଼ିବ ।’ ଏକଥା ଶୁଣିବାମାତ୍ରେ ଲକ୍ଷ୍ମଣ ସେମାନଙ୍କୁ ନିଜ ସମୀପକୁ ଡାକିଲେ ଏବଂ ନାନାକଥା ପଚାରି ସେମାନଙ୍କୁ ମୁକ୍ତ କଲେ । ଲକ୍ଷ୍ମଣ ସେମାନଙ୍କ ହାତରେ ରାବଣଙ୍କ ପାଖକୁ ଖଣ୍ଡିଏ ପତ୍ର ଲେଖି ପଠାଇଲେ । ଲକ୍ଷ୍ମଣ ପତ୍ରଖଣ୍ଡିକ ଦେଇ କହିଲେ, ‘ଏହି ପତ୍ରଖଣ୍ଡିକ ରାବଣଙ୍କ ହାତରେ ଦେବ ଏବଂ ତାଙ୍କୁ କହିବ, ସୀତାଙ୍କୁ ଶୀଘ୍ର ଫେରାଇଦେବେ; ନ ହେଲେ ତାଙ୍କର ବିନାଶ ସନ୍ନିକଟ ହେଲା ବୋଲି ଜାଣିବେ ?’ ଦୂତମାନେ ଲକ୍ଷ୍ମଣଙ୍କୁ ନମସ୍କାର କରି ଲଙ୍କାପୁରୀକୁ ପ୍ରତ୍ୟାବର୍ତ୍ତନ କଲେ ।

 

ଦୂତମାନେ ଫେରିଲାବେଳେ ଶ୍ରୀରାମଚନ୍ଦ୍ରଙ୍କର ଗୁଣ ଗାଇ ଗାଇ ଫେରିଲେ । ସେମାନେ ଆସି ରାଜା ରାବଣଙ୍କ ସମ୍ମୁଖରେ ପହଞ୍ଚି ରାବଣଙ୍କୁ ପ୍ରଣାମ କଲେ । ଦୂତମାନଙ୍କ ମଧ୍ୟରେ ଶୁକ ପ୍ରଧାନ ଥିଲେ । ରାବଣ ଶୁକଙ୍କୁ ପଚାରିଲେ–ଶୁକ, ବିଭୀଷଣଙ୍କର ସଂବାଦ କଣ ? ସେ କି ମୂର୍ଖ ! ଏଠାରେ ଲଙ୍କା ସଦୃଶ ରାଜା ଚଳାଉଥିଲା । ଏ ସୁନ୍ଦର ପୁରୀ ଛାଡ଼ି ଚାଲିଗଲା । ଯବଧାନ ପେଷିଲାବେଳେ ସେହି ଧାନମଧ୍ୟରେ ଥିବା ପୋକ ଧାନ ସହିତ ଯେପରି ପେଷି ହୋଇଯାଏ, ନରବାନରମାନଙ୍କ ସହିତ ସେ ମଧ୍ୟ ଯୁଦ୍ଧରେ ମୃତ୍ୟୁବରଣ କରିବ । ଆଚ୍ଛା, ବାନରସେନା ମାନଙ୍କର ସଂବାଦ କଣ ? ବାନର ସୈନ୍ୟବାହିନୀ ଓ ଲଙ୍କାପୁରୀ ମଧ୍ୟରେ ସମୁଦ୍ର ବ୍ୟବଧାନ ସୃଷ୍ଟି କରିଛି ବୋଲି ସେମାନେ ଏ ପର୍ଯ୍ୟନ୍ତ ବଞ୍ଚିରହିପାରିଛନ୍ତି ! ସେ ଦୁଇ ତପସ୍ଵୀଙ୍କର ମୋ ପ୍ରତି ବଡ଼ ଭୟ । ସେମାନଙ୍କ ସହିତ ତୁମର ଭେଟ ହେଲା କି ନାହିଁ ? ମୋର ପ୍ରଶଂସା ଶୁଣି, ମୋର ବଳର ଗରିମା ଜାଣିସାରି ସେମାନେ ସେହି ସ୍ଥାନରୁ ଫେରିଗଲେ କି ? ଶତ୍ରୁ ସୈନ୍ୟମାନଙ୍କର ବଳ କେତେ, ତାହା ମୋ ସମ୍ମୁଖରେ ବର୍ଣ୍ଣନ କରି କହ ।

 

ଶୁକ କହିଲେ–ହେ ପ୍ରଭୁ ! ଆପଣ ମୋ ଉପରେ କୃପାକରି ଯେପରି ସେମାନଙ୍କର ସଂବାଦ ମୋ’ଠାରୁ ଜାଣିବାପାଇଁ ଇଚ୍ଛା କରୁଛନ୍ତି, ସେହିପରି କ୍ରୋଧ ତ୍ୟାଗକରି ମୋ କଥା ମାନନ୍ତୁ-। ଆପଣଙ୍କ କନିଷ୍ଠଭ୍ରାତା ବିଭୀଷଣ ଶ୍ରୀରାମଙ୍କ ସହିତ ସାକ୍ଷାତ କରିବା ସଙ୍ଗେ ସଙ୍ଗେ ଶ୍ରୀରାମ ତାହାଙ୍କୁ ରାଜତିଳକ ଦେଲେ । ଆମ୍ଭେମାନେ ଆପଣଙ୍କର ଦୂତ ବୋଲି ବାନରମାନେ ଜାଣିବାମାତ୍ରେ ସେମାନେ ଆମ୍ଭମାନଙ୍କୁ ନାନା କଷ୍ଟ ଦେଲେ ଏବଂ ବନ୍ଧନରେ ଆବଦ୍ଧକଲେ । ଆମ୍ଭମାନଙ୍କର ନାସାକର୍ଣ୍ଣ ଛେଦନ କରିଦେବାକୁ ବସିଲେ । ଆମ୍ଭେମାନେ ଶ୍ରୀରାମଙ୍କ ଶପଥ ନେବାରୁ ଆମ୍ଭମାନଙ୍କୁ ଆଉ ଦଣ୍ଡିତ କଲେନାହିଁ । ଆପଣ ସେମାନଙ୍କର ସୈନ୍ୟବଳ ବିଷୟରେ ପଚାରୁଛନ୍ତି ? ମୁଁ ସେ ସୈନ୍ୟବଳର କି କଳନା କରିବି । ଶତଶତ କୋଟି ମୁଖରେ ଶ୍ରୀରାମଙ୍କର ସୈନ୍ୟବଳର ବିଷୟରେ ମଧ୍ୟ ବର୍ଣ୍ଣନା କରିବା ଅସମ୍ଭବ । ବିଭିନ୍ନ ବର୍ଣ୍ଣର ଭଲ୍ଲୁକ ଓ ବାନର ସୈନ୍ୟଙ୍କର କଳନା କିଏ କରିବ ? ସେମାନଙ୍କର ଶରୀର ଯେପରି ବିଶାଳ, ସେହିପରି ଭୟଙ୍କର ଅଟେ । ଯେଉଁ ବାନର ଏ ଲଙ୍କାପୁରୀକୁ ଆସି ଏ ପୁରକୁ ଦଗ୍‌ଧ କଲା ଏବଂ ଆପଣଙ୍କ ପୁତ୍ର ମହାବଳୀ ଅକ୍ଷୟକୁମାରକୁ ନିହତ କଲା, ତାହାଠାରୁ ବଳି ବଳଶାଳୀ ବାନରମାନଙ୍କୁ ଆମ୍ଭେମାନେ ଦେଖିଲୁ । ସେମାନଙ୍କ ମଧ୍ୟରେ ଅସଂଖ୍ୟ ଯୋଦ୍ଧା ଅଛନ୍ତି । ସେମାନେ ଶତଶତ ହସ୍ତୀମାନଙ୍କର ବଳ ଧାରଣ କରିଅଛନ୍ତି । ଦ୍ଵିବିନ୍ଦ, ମୟନ୍ଦ, ନୀଳ, ନଳ, ଅଙ୍ଗଦ, ଗଦ, ବିକଟାସ୍ୟ, ଦଧିମୁଖ, କେଶରୀ, ନିଶଠ, ଶଠ, ଜାମ୍ବବାନ ଏମାନେ ସୁଗ୍ରୀବଙ୍କ ସଦୃଶ ଅମିତ ବଳଶାଳୀ । ସେମାନଙ୍କର ଗଣନା କରି କିଏ ସେମାନଙ୍କର ନାମ କହିପାରିବ ? ସେମାନେ ଏ ତ୍ରିଲୋକକୁ ସାମାନ୍ୟ ତୃଣପରି ମନେକରନ୍ତି । ହେ ରାକ୍ଷସପତି, ମୁଁ ତ ଆହୁରି ଶୁଣିଛି, ସେମାନଙ୍କର ଅଠରପଦ୍ମ ବାନର ସେନାପତି ଅଛନ୍ତି । ସେମାନଙ୍କ ମଧ୍ୟରେ ଏପରି ବାନର ଅଛନ୍ତି, ଯେ କି ଆପଣଙ୍କୁ ମଧ୍ୟ ଯୁଦ୍ଧରେ ଜିଣିପାରିବ । ସେମାନେ ଶ୍ରୀରଘୁନାଥଙ୍କର ଆଜ୍ଞା ପାଇବାମାତ୍ରେ ସମୁଦ୍ରରେ ଥିବା ମତ୍ସ୍ୟ ଓ ସର୍ପମାନଙ୍କ ସହିତ ସମଗ୍ର ସମୁଦ୍ରକୁ ଶୁଷ୍କ କରିଦେବେ ଏବଂ ବଡ଼ ବଡ଼ ପର୍ବତଦ୍ଵାରା ସମୁଦ୍ରକୁ ପୂର୍ଣ୍ଣ କରିଦେବେ । ବାନରମାନେ କହୁଛନ୍ତି, ଆମ୍ଭେମାନେ ରାବଣଙ୍କୁ ଧୂଳିରେ ପରିଣତ କରିଦେବୁ । ସେମାନେ ଏପରି ଗର୍ଜନ କରୁଛନ୍ତି ଯେ ସତେ ଯେପରି ଲଙ୍କାପୁରୀକୁ ଗ୍ରାସ କରିଦେବେ । ହେ ଲଙ୍କାପତି, ସେ ମର୍କଟ ଓ ଭଲ୍ଲୁକ ସୈନ୍ୟମାନେ ଯୁଦ୍ଧରେ କୋଟି କାଳକୁ ମଧ୍ୟ ଜିଣିପାରନ୍ତି ।

 

ଶ୍ରୀରାମଙ୍କର ବଳ, ବୁଦ୍ଧି ଓ ସାମର୍ଥ୍ୟ କଥା କଣ କହିବି ? ଲକ୍ଷେ ଅନନ୍ତ ମଧ୍ୟ ତାହାଙ୍କର ସାମର୍ଥ୍ୟ ଗାନ କରିପାରିବେ ନାହିଁ । ସେ ଏକମାତ୍ର ବାଣଦ୍ଵାରା ଶତ ସମୁଦ୍ରକୁ ଶୁଖାଇ ଦେଇପାରନ୍ତି-। ନୀତିନିପୁଣତାରେ ତାଙ୍କୁ କିଏ ବଳିପାରିବ ? ସେ ଆପଣଙ୍କ ଭ୍ରାତାଙ୍କୁ ଯୁଦ୍ଧର ଉପାୟ ପଚାରିଲେ-? ଆପଣଙ୍କ ଭ୍ରାତାଙ୍କର କଥା ଶୁଣି ସେ ସମୁଦ୍ରକୁ ମାର୍ଗ ନିମନ୍ତେ ପ୍ରାର୍ଥନା କଲେ । ତାହାଙ୍କର ହୃଦୟରେ କୃପା ପୂରିରହିଛି । ସେ ସମୁଦ୍ରକୁ ଶୁଖାଇଲେ ନାହିଁ ।

 

ଦୂତଠାରୁ ଏସବୁ ବଳବିକ୍ରମର ବର୍ଣ୍ଣନା ଶୁଣି ରାବଣ ଅଟ୍ଟହାସ୍ୟ କଲେ । ପୁଣି ଦୂତକୁ କହିଲେ–ତାହାଠାରେ ଏତେ ବୁଦ୍ଧି ଅଛି ବୋଲି ସିନା ଛାର ବାନରମାନଙ୍କ ସାହାଯ୍ୟରେ ଲଙ୍କାପରି ରାଜ୍ୟ ଜୟ କରିବାପାଇଁ ବସିଛି ! ତୁ ଏଡ଼େ ମୂର୍ଖ ଯେ, ତୁ ସେ ରାମର ଏବଂ ବାନରମାନଙ୍କର ବଡ଼ିମା ମୋ ସମ୍ମୁଖରେ ବର୍ଣ୍ଣନା କରୁଛୁ ? ହଁ, ମୁଁ ଶତ୍ରୁର ବଳବୃଦ୍ଧି କେତେ ସବୁ ଜାଣିପାରିଛି । ବିଭୀଷଣ ପରି ଦୁର୍ବଳ ମନ୍ତ୍ରୀ ଯାହାର ସହାୟକ, ସେ ପୁଣି ଜଗତବିଜୟୀ ଲଙ୍କପତି ରାବଣଠାରୁ ବିଜୟ ହାସଲ କରିବ ବୋଲି ଇଚ୍ଛା କରୁଛି !

 

ରାବଣଙ୍କର କଥା ଶୁଣି ଶୁକ ସୁବିଧା ପାଇ ପତ୍ରିକାଟି ବାହାରକଲା । ରାବଣଙ୍କୁ ବଡ଼ ବିନୀତ ଭାବରେ କହିଲା, ‘ପ୍ରଭୁ, ଆପଣଙ୍କ ନିକଟକୁ ଏ ପତ୍ରିକାଖଣ୍ଡିକ ଶ୍ରୀରାମଙ୍କର କନିଷ୍ଠଭ୍ରାତା ଲେଖିଛନ୍ତି; ଆପଣ ଏହାକୁ ପଢ଼ନ୍ତୁ ।’ ଏହା କହି ସେ ରାବଣଙ୍କ ହାତକୁ ପତ୍ରଟି ବଢ଼ାଇଦେଲା ।

 

ରାବଣ ପତ୍ରିକାଟି ପଢ଼ିଲେ; ସେଥିରେ ଲେଖାଥିଲା–ହେ ରାବଣ, ତୁମେ ବୃଥାରେ ମନକୁ ନାନା ପ୍ରକାରେ ବୋଧଦେଇ କୁଳକୁ ନଷ୍ଟଭ୍ରଷ୍ଟ କରନାହିଁ । ଶ୍ରୀରାମଙ୍କର ବିରୋଧ କରି ତୁମେ ବ୍ରହ୍ମା, ବିଷ୍ଣୁ କିମ୍ବା ମହେଶ୍ଵରଙ୍କ ଶରଣ ପଶିଲେ ମଧ୍ୟ କେହି ହେଲେ ତୁମକୁ ରକ୍ଷା କରିପାରିବେ ନାହିଁ । ତୁମର କନିଷ୍ଠ ଭ୍ରାତା ବିଭୀଷଣଙ୍କ ପରି ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର ଚରଣକମଳକୁ ସ୍ପର୍ଶ କର । ସୀତାଙ୍କୁ ଆଣି ତାଙ୍କ ନିକଟରେ ସମର୍ପଣ କର । ନଚେତ୍ ଶ୍ରୀରାମଙ୍କ ବାଣରେ ଅଗ୍ନି ମଧ୍ୟରେ ପତଙ୍ଗମାନେ ଝାସଦେଲା ଭଳି ତୁମେ ପରିବାରସହ ନିହତ ହେବ ।

 

ରାବଣ ପତ୍ରିକାଟି ପଢ଼ିସାରି ସଭାରେ ବସିଥିବା ଅନୁଚରମାନଙ୍କୁ ଶୁଣାଇ କହିଲେ–ତୁମ୍ଭେମାନେ ପତ୍ରିକାଟିରେ ଲେଖାଥିବା ବିଷୟ ଶୁଣିଲ ତ । କୌଣସି ବ୍ୟକ୍ତି ଉପରେ ଶୋଇରହି ଦୁଇହସ୍ତରେ ଆକାଶକୁ ଟେକିଧରିବା ପାଇଁ ଚେଷ୍ଟାକଲା ଭଳି ଏ କ୍ଷୁଦ୍ର ତପସ୍ଵୀ ବାଣୀ-ବିଳାସ କେବଳ ଜାଣେ ।

 

ଶୁକ ପୁଣି ବିନୀତ ସ୍ଵରରେ କହିଲେ–ହେ ଲଙ୍କାପୁରୀର ସ୍ଵାମୀ, ଆପଣ ଏ ପତ୍ରିକାରେ ଲେଖାଥିବା ବିଷୟଗୁଡ଼ିକୁ ସତ୍ୟ ବୋଲି ମନେକରନ୍ତୁ; କ୍ରୋଧ ତ୍ୟାଗକରି ମୋ କଥାପ୍ରତି କର୍ଣ୍ଣପାତ କରନ୍ତୁ । ଶ୍ରୀରାମଙ୍କ ସହିତ ଶତ୍ରୁତା ତ୍ୟାଗ କରନ୍ତୁ । ଶ୍ରୀରଘୁନାଥ ଏ ସମଗ୍ର ଚରାଚରର ସ୍ଵାମୀ; କିନ୍ତୁ ତାଙ୍କର ସ୍ଵଭାବ ବଡ଼ କୋମଳ । ଆପଣ ତାହାଙ୍କ ସହିତ ସାକ୍ଷାତ କଲେ ସେ ଆପଣଙ୍କ ଉପରେ କୃପା କରିବେ; ଆପଣଙ୍କର ଗୋଟିଏ ହେଲେ ଅପରାଧ ଧରିବେ ନାହିଁ । ମୋର ବିନତି, ଆପଣ ଜାନକୀଙ୍କୁ ଫେରାଇ ଦିଅନ୍ତୁ ।

 

ରାବଣ ଶୁକ ମୁଖରୁ ଏ କଥା ଶୁଣିବା ମାତ୍ରେ କ୍ରୋଧରେ ପ୍ରଜ୍ଵଳିତ ହୋଇ ତତକ୍ଷଣାତ୍ ତାହାକୁ ଏକ ଭୀଷଣ ପଦାଘାତ କଲେ । ଶୂକ ବିଷାଦରେ ରାବଣଙ୍କୁ ପ୍ରଣାମ ଜଣାଇ ରାକ୍ଷସପୁରରୁ ଶ୍ରୀରାମଙ୍କ ନିକଟକୁ ଚାଲିଗଲା । ସେ ଶ୍ରୀରାମଙ୍କୁ ରାକ୍ଷସ-ସଭାରେ ଘଟିଥିବା ସମସ୍ତ ଘଟଣା ଜଣାଇ ଶ୍ରୀରାମଙ୍କର ଅନୁଚର ଭାବରେ ତାଙ୍କର ଆଶୀର୍ବାଦ ଲାଭ କରି ରହିଲା । ସେ ରାକ୍ଷସ-ସ୍ଵଭାବ ତ୍ୟାଗକରି ଜ୍ଞାନୀ ମୁନି ଭାବରେ ସମୟ ଅତିବାହିତ କଲା ।

Image

 

ଲଙ୍କାକାଣ୍ଡ

ସେତୁନିର୍ମାଣ ଓ ରାବଣପୁରୀରେ ଚିନ୍ତା

 

ଶ୍ରୀରାମ ସମୁଦ୍ର ଅତିକ୍ରମ କରି ଲଙ୍କାଯାତ୍ରା କରିବାପାଇଁ ସ୍ଥିର କଲେ । ସେ ସମୁଦ୍ରକୁ ତାଙ୍କର ଉଦ୍ଦେଶ୍ୟ ବିନୀତ ଭାବରେ ଜଣାଇଲେ । ସମୁଦ୍ର ବିଶାଳ ବପୁଧାରୀ । ସେ ଶ୍ରୀରାମଙ୍କର କଥା ଶୁଣିଲେ ନାହିଁ । ତେଣୁ ଶ୍ରୀରାମ କ୍ରୋଧ ପ୍ରକାଶ କରି ଲକ୍ଷ୍ମଣଙ୍କୁ ଡାକି କହିଲେ, ‘ଲକ୍ଷ୍ମଣ, ଧନୁ ଓ ବାଣ ଆନୟନ କର । ମୁଁ ଅଗ୍ନିବାଣ ପ୍ରୟୋଗ କରି ଏ ସମୁଦ୍ରକୁ ଏହି ମୁହୂର୍ତ୍ତରେ ଶୁଷ୍କ କରିଦେବି-।’ ଲକ୍ଷ୍ମଣ ତାଙ୍କ ହାତକୁ ଧନୁ ଓ ବାଣ ବଢ଼ାଇଦେବାରୁ ତତ୍‌କ୍ଷଣାତ୍ ଧନୁରେ ତୀର ସଂଯୋଗ କରି ଶ୍ରୀରାମ ସମୁଦ୍ର-ମଧ୍ୟସ୍ଥଳକୁ ତୀର ଲକ୍ଷ୍ୟକଲେ । ଭୟାନକ ଅଗ୍ନିବର୍ଷୀ ବାଣ ସଫଳ ଗତିରେ ସମୁଦ୍ରର ମଧ୍ୟସ୍ଥଳ ଭେଦ କଲା । ସମୁଦ୍ରର ହୃଦୟଦେଶରୁ ଅଗ୍ନି ଉତ୍‌ଥିତ ହେଲା । ସର୍ପ, ମତ୍ସ୍ୟ, ମଗର ଆଦି ଜୀବମାନେ ବ୍ୟାକୁଳ ହେଲେ । ସମୁଦ୍ର ପ୍ରାଣୀମାନଙ୍କର ବ୍ୟାକୁଳତା ସହ୍ୟ କରିପାରିଲେ ନାହିଁ । ସମୁଦ୍ର ସ୍ଵୟଂ ବ୍ରାହ୍ମଣବେଶ ଧାରଣ କରି ସ୍ଵର୍ଣ୍ଣଥାଳୀମଧ୍ୟରେ ନାନା ମଣିମାଣିକ୍ୟ ଉପହାର ଧରି ଭୟଭୀତ ହୃଦୟରେ ଶ୍ରୀରାମଙ୍କ ଚରଣତଳେ ପ୍ରଣାମ କରି କହିଲେ–ହେ ପ୍ରଭୋ ! ମୋର ଦୋଷ କ୍ଷମା କରନ୍ତୁ । ଆକାଶ, ବାୟୁ, ଅଗ୍ନି, ଜଳ ଏବଂ ପୃଥିବୀ ଏମାନେ ସ୍ଵଭାବତଃ ଜଡ଼ । ଆପଣ ମୋତେ ସମୁଚିତ ଶିକ୍ଷା ଦେଇଛନ୍ତି । ଆପଣଙ୍କ ପ୍ରତାପରେ ମୁଁ ଶୁଷ୍କ ହୋଇଯିବି । ଆପଣଙ୍କ ସେନା ସମୁଦ୍ର ପାରିହୁଅନ୍ତୁ । ଆପଣଙ୍କ ଇଚ୍ଛା ଅନୁସାରେ ଆପଣ ମୋତେ ଅତିକ୍ରମ କରନ୍ତୁ ।

 

ଶ୍ରୀରାମ କହିଲେ–ମୋର ବାନରସେନା ସମୁଦ୍ର ଅତିକ୍ରମ କରି ଲଙ୍କାପୁରୀକୁ ଯାତ୍ରା କରିବେ । ସେଥିପାଇଁ ସମସ୍ତ ଉପାୟ କରନ୍ତୁ ।

 

ସମୁଦ୍ର କହିଲେ–ଆପଣଙ୍କ ସୈନ୍ୟମାନଙ୍କ ମଧ୍ୟରେ ନୀଳ ଓ ନଳ ନାମରେ ଦୁଇ ବାନର ଅଛନ୍ତି । ସେମାନେ ଦୁଇ ଭ୍ରାତା । ବାଲ୍ୟକାଳରେ ସେମାନେ ଋଷିଙ୍କଠାରୁ ଆଶୀର୍ବାଦ ପାଇଛନ୍ତି । ସେମାନେ ସ୍ପର୍ଶକଲେ ମହାନ୍ ପର୍ବତମାନ ଆପଣଙ୍କ ପ୍ରତାପର ପ୍ରଭାବ ଯୋଗୁଁ ମୋ ଜଳରେ ଭାସିବେ । ମୋର ବଳ ଅନୁସାରେ ମୁଁ ଆପଣଙ୍କର ସହାୟତା କରିବି । ତ୍ରିଲୋକ ମଧ୍ୟରେ ଆପଣଙ୍କର ସୁଯଶ ଚିରକାଳ ବ୍ୟାପିଯିବ । ଆପଣ ମୋର ଏ ଜଳକୁ ଆବଦ୍ଧ କରି ବନ୍ଧ ନିର୍ମାଣ କରନ୍ତୁ । ସେ ବନ୍ଧ ଉପରେ ସୈନ୍ୟବାହିନୀ ସହ ଯାତ୍ରାକରି ମୋର ଉତ୍ତର ଦିଗରେ ଥିବା ପାପୀ ଓ ଦୁଷ୍ଟମାନଙ୍କୁ ବଧ କରନ୍ତୁ ।

 

ସମୁଦ୍ରଙ୍କ କଥାରେ ଶ୍ରୀରାମଚନ୍ଦ୍ର ସେହି ଦୁଷ୍ଟମାନଙ୍କୁ ବଧ କଲେ । ଶ୍ରୀରାମଙ୍କର ବଳ ଓ ପୌରୁଷ ଦେଖି ସମୁଦ୍ର ଅତ୍ୟନ୍ତ ସୁଖୀ ହେଲେ । ସେହି ଦୁଷ୍ଟ ମନୁଷ୍ୟମାନଙ୍କର ଚରିତ୍ର ବିଷୟରେ ସମୁଦ୍ର ଶ୍ରୀରାମଙ୍କ ସମ୍ମୁଖରେ ବର୍ଣ୍ଣନାକଲେ । ସମୁଦ୍ର ଶ୍ରୀରାମଙ୍କୁ ବନ୍ଦନା କରି ବିଦାୟ ନେଲେ ।

 

ଶ୍ରୀରାମ ସମୁଦ୍ରକୁ ବିଦାୟ ଦେବା ପରେ ମନ୍ତ୍ରୀମାନଙ୍କୁ କହିଲେ, ‘ଆମ୍ଭମାନଙ୍କର ଲଙ୍କାଯାତ୍ରାରେ ବିଳମ୍ବ ଘଟୁଛି । ସମୁଦ୍ର ଉପରେ ସେତୁ ନିର୍ମାଣ କରିବାପାଇଁ ବ୍ୟବସ୍ଥା କର । ମୋର ସୈନ୍ୟମାନେ ସେହି ସେତୁ ଉପରେ ଚାଲି ଚାଲି ସମୁଦ୍ର ଅତିକ୍ରମ କରିବେ ।’ ଜାମ୍ବବାନ ବୃଦ୍ଧ ମନ୍ତ୍ରୀ । ସେ ନଳ ଓ ନୀଳ ଦୁଇଭ୍ରାତାଙ୍କୁ ଡାକି କହିଲେ, ‘ତୁମ୍ଭେମାନେ ଶୀଘ୍ର ସେତୁ ନିର୍ମାଣ କର ।’ ଅନ୍ୟ ବାନରମାନଙ୍କୁ ପୁଣି ଡାକି କହିଲେ, ‘ଆପଣମାନେ ମୋର ବିନତି ଶୁଣନ୍ତୁ । ହେ ବିକଟ ବାନରବୃନ୍ଦ ! ଆପଣମାନେ ବୃକ୍ଷ ଓ ପର୍ବତମାନ ଉତ୍ପାଟନ କରି ଆଣନ୍ତୁ ।’

 

ଜାମ୍ବବାନଙ୍କର ନିର୍ଦ୍ଦେଶ ଶୁଣି ବାନର ଓ ଭଲ୍ଲୁକମାନେ ହୁଙ୍କାର କରି ଉଠିଲେ । ଚତୁର୍ଦ୍ଦିଗରେ ଶ୍ରୀରାମଚନ୍ଦ୍ରଙ୍କର ଜୟ ଜୟ ଧ୍ଵନି ଶୁଭିଲା । ସୈନିକମାନେ ପ୍ରକାଣ୍ଡ ବୃକ୍ଷ ଓ ପର୍ବତମାନ ଉତ୍ପାଟନ କରି ଆଣିଲେ, ନଳ ଓ ନୀଳ ସେ ପର୍ବତ ଓ ବୃକ୍ଷଗୁଡ଼ିକୁ ଯଥାସ୍ଥାନରେ ସ୍ଥାପନ କରିବାକୁ ଲାଗିଲେ । ବାନରମାନେ ପର୍ବତମାନ ଆଣି ସ୍ଥାପନ କରିବାପରେ ନଳ ଓ ନୀଳ ସେଗୁଡ଼ିକୁ କନ୍ଦୁକ ପରି ଅବଲୀଳାକ୍ରମେ ହାତରେ ନେଇ ସମୁଦ୍ର ମଧ୍ୟରେ ସ୍ଥାପନ କଲେ । ସୁନ୍ଦର ସେତୁ ନିର୍ମିତ ହେଲା । ଶ୍ରୀରାମ ସେତୁ ଦେଖି କହିଲେ–ଏହି ସ୍ଥାନ ଅତ୍ୟନ୍ତ ରମଣୀୟ । ଏହି ସ୍ଥାନର ମହିମା ଅସୀମ; ଏହା ବର୍ଣ୍ଣନାତୀତ ଅଟେ । ମୁଁ ଏହି ସ୍ଥାନରେ ଶିବଙ୍କୁ ସ୍ଥାପନ କରିବି ।

 

ଶ୍ରୀରାମଙ୍କର ଏହି କଥା ଶୁଣି ସୁଗ୍ରୀବ ଦୂତମାନଙ୍କୁ କହିଲେ, ‘ଶ୍ରୀରାମ ଶିବଲିଙ୍ଗ ପ୍ରତିଷ୍ଠା କରିବେ । ତୁମ୍ଭେମାନେ ଯାଅ, ମୁନିମାନଙ୍କୁ ନିମନ୍ତ୍ରଣ କରି ଏଠାକୁ ଆନୟନ କର । ସୁଗ୍ରୀବଙ୍କ ଆଦେଶରେ ଦୂତମାନେ ମୁନିମାନଙ୍କୁ ନିମନ୍ତ୍ରଣ କରି ଆଣିଲେ । ସେମାନେ ସେଠାରେ ଶିବପୂଜାକରି ଶିବଲିଙ୍ଗ ପ୍ରତିଷ୍ଠା କଲେ । ଶ୍ରୀରାମ କହିଲେ–ଯେଉଁମାନେ ଏହି ସ୍ଥାନରେ ରାମେଶ୍ଵରଙ୍କୁ ଦର୍ଶନ କରିବେ ଏବଂ ଗଙ୍ଗାଜଳ ଆଣି ତାଙ୍କୁ ଅଭିଷେକ କରିବେ, ଭଗବାନ୍ ଶଙ୍କର ସେମାନଙ୍କୁ ଭକ୍ତି ପ୍ରଦାନ କରିବେ ।

 

ସେତୁ ନିର୍ମିତ ହେଲା । ଏହା ଅତ୍ୟନ୍ତ ସୁଦୃଢ଼ ଓ ସୁନ୍ଦର ହେଲା । ବାନର ଓ ଭଲ୍ଲୁକ ସୈନ୍ୟମାନେ ଗର୍ଜନ କରି କରି ସେତୁବନ୍ଧ ଉପରେ ଚାଲିଲେ । ଅସଂଖ୍ୟ ସେନା ସେତୁ ଉପରେ ଗତିକଲାବେଳେ ବିଶେଷ ଗହଳ ହେବା ଦେଖି କେତେକ ବାନର ଅକାଶମାର୍ଗରେ ଗତି କଲେ । ଲଙ୍କାପୁରୀର ସୀମାଦେଶରେ ସୈନ୍ୟବାହିନୀ ଉପନୀତ ହୋଇ ସେଠାରେ ଶିବିର ସ୍ଥାପନ କଲେ । ଖାଦ୍ୟ ଅନ୍ୱେଷଣରେ ବାନରମାନେ ଏଣେତେଣେ ଭ୍ରମଣ କଲାବେଳେ ଅନେକ ସ୍ଥାନରେ ରାକ୍ଷସମାନଙ୍କୁ ପାଇଲେ । ସେମାନେ ରାକ୍ଷସମାନଙ୍କୁ ପ୍ରାଣରେ ନ ମାରି ସେମାନଙ୍କର ଅଙ୍ଗଚ୍ଛେଦନ କରି ଛାଡ଼ିଦେଲେ ।

 

ରାବଣଙ୍କ ନିକଟରେ ଶ୍ରୀରାମଙ୍କର ଲଙ୍କା ଆଗମନ ସଂବାଦ ପହଞ୍ଚିଲା । କିନ୍ତୁ ରାବଣଙ୍କ ମନରେ ସନ୍ଦେହ ହେଲା । ଲଙ୍କାପୁରୀରେ ପହଞ୍ଚିବା ପାଇଁ ବହୁ ସମୁଦ୍ର ଅତିକ୍ରମ କରିବାକୁ ହେବ । ବନନିଧି, ନୀରନିଧି, ଜଳଧି, ସିନ୍ଧୁ, ବାରୀଶ, ତୋୟନିଧି, ଉଦଧି, ପୟୋଧି, ନଦୀଶ ଆଦି ସମୁଦ୍ରମାନଙ୍କ ଉପରେ ସେତୁବନ୍ଧନ ସମ୍ଭବ ନୁହେଁ । ଏସବୁ ଉପରେ କିପରି ସେତୁବନ୍ଧନ ସମ୍ଭବ ହେଲା ବୋଲି ଶୁଣି ତାଙ୍କ ମନରେ ସନ୍ଦେହ ହେଲା; କିନ୍ତୁ ବାନରସେନାମାନଙ୍କର ଲଙ୍କାପୁରୀରେ ପହଞ୍ଚିସାରିବା ସଂବାଦରେ ତାଙ୍କ ମନରେ ବ୍ୟାକୁଳତା ଆସିଲା । ସେ ମନର ବ୍ୟାକୁଳତା ଦମନ କରି ମନ୍ଦୋଦରୀଙ୍କ ନିକଟରେ ହସହସ ମୁଖରେ ପହଞ୍ଚିଲେ ।

 

ମନ୍ଦୋଦରୀ ସ୍ଵାମୀଙ୍କ ଦର୍ଶନମାତ୍ରେ ତାହାଙ୍କର ଚରଣଯୁଗଳ ସ୍ପର୍ଶ କରି କହିଲେ, ‘ହେ ପ୍ରଭୋ ! ମୁଁ ଶୁଣିପାରିଛି ଶ୍ରୀରାମଚନ୍ଦ୍ର ସମୁଦ୍ର ଉପରେ ସେତୁବନ୍ଧ ନିର୍ମାଣ କରି ସୈନ୍ୟସହ ଲଙ୍କାପୁରୀରେ ପହଞ୍ଚିଯାଇଛନ୍ତି । ମନୁଷ୍ୟ ନିଜର ବୁଦ୍ଧି ଓ ବଳ ଦ୍ଵାରା ଯାହାକୁ ଜୟ କରିପାରିବ, ତାହାରି ସହିତ ଶତ୍ରୁତା ଆଚରଣ କରିବା ଉଚିତ; କିନ୍ତୁ ଆପଣ ଓ ଶ୍ରୀରଘୁନାଥଙ୍କ ମଧ୍ୟରେ ଖଦ୍ୟୋତ ଓ ସୂର୍ଯ୍ୟଙ୍କର ଅନ୍ତର ବିଦ୍ୟମାନ । ଶ୍ରୀରାମଚନ୍ଦ୍ର ବିଷ୍ଣୁସ୍ଵରୂପ । ସେ ମଧୁ, କୈଟଭ, ହିରଣ୍ୟାକ୍ଷ, ହିରଣ୍ୟକଶିପୁ ପ୍ରଭୃତି ସମସ୍ତ ରାକ୍ଷସମାନଙ୍କୁ ସଂହାର କରିଅଛନ୍ତି । ସେ ବର୍ତ୍ତମାନ ପୃଥିବୀର ଭାର ଗ୍ରହଣ କରିବା ପାଇଁ ପ୍ରକଟ ହୋଇ ଅଛନ୍ତି । କାଳ, କର୍ମ ଓ ଜୀବ ସମସ୍ତେ ତାହାଙ୍କର ଅଧୀନ । ତାଙ୍କ ସହିତ ବିରୋଧ କରନ୍ତୁ ନାହିଁ । ଜାନକୀଙ୍କୁ ତାଙ୍କ ହସ୍ତରେ ସମର୍ପି ଦିଅନ୍ତୁ, ଆପଣ ପୁତ୍ରହସ୍ତରେ ରାଜ୍ୟଭାର ସମର୍ପଣ କରି ବନପ୍ରଦେଶରେ ରହି ଶ୍ରୀରଘୁନାଥଙ୍କୁ ଭଜନ କରନ୍ତୁ । ତାଙ୍କ ସମ୍ମୁଖରେ ଶରଣାଗତ ହେଲେ ବ୍ୟାଘ୍ର ମଧ୍ୟ ଭକ୍ଷଣ କରେ ନାହିଁ । ଆପଣ ଦେବତା ଅସୁର, ଚର ଅଚର ସମସ୍ତଙ୍କୁ ପରାଜିତ କରିଅଛନ୍ତି । ବୃଦ୍ଧାବସ୍ଥାରେ ନୃପତିମାନେ ବନରେ ବାନପ୍ରସ୍ଥାଶ୍ରମ ଆଚରଣ କରନ୍ତି । ଏ ବିଷୟ-ମମତା ମନରୁ ତ୍ୟାଗ କରନ୍ତୁ, ଭଗବାନଙ୍କୁ ସ୍ମରଣ କରନ୍ତୁ । ମୋର ଏ କଥା ମାନି ଆପଣଙ୍କର ସୁନ୍ଦର ଯଶୋରାଶିକୁ ତ୍ରିଲୋକରେ ବ୍ୟାପ୍ତ କରନ୍ତୁ ।’ ମନ୍ଦୋଦରୀ ଏପରି ନୀତିକଥା ରାବଣଙ୍କୁ କହି ତାଙ୍କର ଚରଣ ଧରି ବିଳାପ କରିବାକୁ ଲାଗିଲେ; ବାରମ୍ବାର ତାଙ୍କର କଥା ମାନିବାପାଇଁ ଅନୁରୋଧ କଲେ ।

 

ରାବଣ ମନ୍ଦୋଦରୀଙ୍କୁ ତଳୁ ଉଠାଇ ଧରି କହିଲେ, ‘ପ୍ରିୟେ ! ମୋ କଥା ଶୁଣ । ତୁମେ ବୃଥାରେ ମନ ମଧ୍ୟରେ ନାନା ପ୍ରକାରର ଭୟ ସୃଷ୍ଟି କରୁଛ । ଜଗତରେ ମୋପରି କେହି କ’ଣ ଯୋଦ୍ଧା ଅଛନ୍ତି ? ମୁଁ ବରୁଣ, କୁବେର, ପବନ, ଯମରାଜ, ଦେବତା, ଦାନବ ସମସ୍ତଙ୍କୁ ଅଧୀନ କରିଛି । ତୁମର ଭୟ ଓ ବ୍ୟାକୁଳତାର କୌଣସି କାରଣ ନାହିଁ ।’ ମନ୍ଦୋଦରୀଙ୍କୁ ଏହିପରି ସାନ୍ତ୍ୱନା ବାଣୀ ଶୁଣାଇ ରାବଣ ସଭାଭବନକୁ ଚାଲିଗଲେ । ମନ୍ତ୍ରୀମାନଙ୍କୁ ଡାକି ଶତ୍ରୁ ସହିତ କି ଭାବରେ ଯୁଦ୍ଧ କରିବାକୁ ହେବ, ସେ ସବୁ ବିଷୟରେ ମନ୍ତ୍ରଣା କଲେ ।

 

ମନ୍ତ୍ରୀମାନେ କହିଲେ–ମହାରାଜ, ଆପଣ ବାରମ୍ବାର କି କଥା ପଚାରୁଛନ୍ତି ? ଏ ଯୁଦ୍ଧପାଇଁ ଭୟର କି କାରଣ ଅଛି ? ମନୁଷ୍ୟ, ବାନର ଓ ଭଲ୍ଲୁକ ଏମାନେ ଆମ୍ଭମାନଙ୍କର ପ୍ରିୟଖାଦ୍ୟ ଅଟନ୍ତି ।

 

ଏତିକିବେଳେ ସଭାମଧ୍ୟରୁ ରାବଣଙ୍କର ଏକ ପୁତ୍ର ପ୍ରହସ୍ତ ସଭାସ୍ଥଳରେ ହାତଯୋଡ଼ି ଠିଆହେଲେ । ରାବଣଙ୍କର ଆଦେଶ ପାଇ ସେ ନିଜର ବକ୍ତବ୍ୟ ଆରମ୍ଭ କଲେ । ସେ କହିଲେ–ନୀତିବିରୁଦ୍ଧ କାର୍ଯ୍ୟ କୌଣସି ସମୟରେ କରିବା ଉଚିତ ହେବନାହିଁ । ଆପଣଙ୍କୁ ମନ୍ତ୍ରୀମାନେ ନ୍ୟାୟମାର୍ଗରେ ପରିଚାଳିତ କରୁନାହାନ୍ତି । ଗୋଟିଏ ବାନର ସମୁଦ୍ର ଲଙ୍ଘନ କରି ଆସି ଏ ଲଙ୍କାପୁରୀରେ ଯେଉଁସବୁ ଘଟନା ଘଟାଇଲା ତାହାର ଚରିତ କାହାରି ମନ ମଧ୍ୟରୁ ଅନ୍ତର୍ହିତ ହୋଇନାହିଁ । ସେ ସମୟରେ ମଧ୍ୟ ଏ ରାକ୍ଷସ ଅନୁଚରମାନଙ୍କ ଉଦରରେ କ୍ଷୁଧା ଥିଲା । ସେ ନଗର ପ୍ରଜ୍ଵଳିତ କଲାବେଳେ କେହି ତାକୁ ଧରି ତା କ୍ଷୁଧା ମେଣ୍ଟାଇ ପାରିଲେ ନାହିଁ ? ହେ ମହାରାଜ, ଆପଣଙ୍କର ଏ ମନ୍ତ୍ରୀମାନେ ଆପଣଙ୍କୁ ଯେଉଁ ମଧୁରବାଣୀ ଶୁଣାଉଛନ୍ତି ତାହା କର୍ଣ୍ଣ-ତୃପ୍ତିକର ହେଉଛି । କିନ୍ତୁ ଏଥିନିମନ୍ତେ ଭବିଷ୍ୟତରେ ଦୁଃଖ ଭୋଗିବାକୁ ପଡ଼ିବ । ସାଧାରଣ କ୍ରୀଡ଼ା ସଦୃଶ ଯେ ଏ ମହାସମୁଦ୍ର ଉପରେ ସେତୁ ନିର୍ମାଣ କରିପାରିଲେ, ଆପଣମାନେ ତାହାଙ୍କୁ ମନୁଷ୍ୟ ଆଖ୍ୟା ଦେଉଛନ୍ତି ? ଆଉ ତାଙ୍କୁ ଭକ୍ଷଣ କରି କ୍ଷୁଧାମେଣ୍ଟାଇବାପାଇଁ କଳ୍ପନା କରୁଛନ୍ତି ? ଏ କେବଳ ପାଗଳ ବ୍ୟକ୍ତିର ପ୍ରଳାପ । ମୋତେ ଦୁର୍ବଳ ବୋଲି ମନେକରନ୍ତୁ ନାହିଁ । ଜଗତରେ ବହୁ ଲୋକ ଅଛନ୍ତି, ଯେଉଁମାନେ ପ୍ରିୟବାଣୀ ଶୁଣନ୍ତି ଓ କହନ୍ତି । କିନ୍ତୁ ଶ୍ରୁତିକଟୁ ହେଲେ ମଧ୍ୟ ପରିଣାମ-ହିତକାରୀ ବାକ୍ୟ ଯେଉଁମାନେ ଶୁଣନ୍ତି ଓ କହନ୍ତି, ସେପରି ବ୍ୟକ୍ତି ବିରଳ । ଆପଣ ପ୍ରଥମେ ଦୂତ ପ୍ରେରଣ କରନ୍ତୁ ଏବଂ ସୀତାଙ୍କୁ ସମର୍ଥନ କରି ଶ୍ରୀରାମଙ୍କ ସହିତ ମିତ୍ରତା ଆଚରଣ କରନ୍ତୁ । ଯଦି ସେ ପତ୍ନୀଙ୍କୁ ପାଇବାପରେ ପ୍ରତ୍ୟାବର୍ତ୍ତନ କରନ୍ତି, ତେବେ କଳହ ବୃଦ୍ଧି କରିବାର କୌଣସି କାରଣ ନାହିଁ । ସେ ପତ୍ନୀଙ୍କୁ ପାଇବା ପରେ ପ୍ରତ୍ୟାବର୍ତ୍ତନ ନ କଲେ ଆପଣ ସମ୍ମୁଖ-ଯୁଦ୍ଧଭୂମିରେ ତାଙ୍କ ସହିତ ଯୁଦ୍ଧ କରନ୍ତୁ । ଏପରି କାର୍ଯ୍ୟ କଲେ ଜଗତରେ ଆପଣଙ୍କର ସୁଯଶ ଉଭୟ ପ୍ରକାରର କାର୍ଯ୍ୟଦ୍ଵାରା ବ୍ୟାପ୍ତହେବ ।

 

ରାବଣ ପୁତ୍ରର ଏସବୁ ନୀତିବାଣୀ ଶୁଣି କ୍ରୁଦ୍ଧ ହୋଇ କହିଲେ, ‘ଆରେ ମୂର୍ଖ ! ତୋତେ ଏ ସବୁ ବୁଦ୍ଧି କିଏ ଶିଖାଇଅଛି ? ତୋ ମନରେ ସନ୍ଦେହ ଆସୁଛି କାହିଁକି ? ପ୍ରହସ୍ତ ପିତାଙ୍କର କ୍ରୋଧ ଦେଖି ଭୟକଲେ ନାହିଁ । ସେ ପୁଣି ସେହିପରି କଟୁକଥା ରାବଣଙ୍କ ଆଗରେ କହିବାରୁ ରାବଣ ସେ ସବୁ ଶୁଣିଲେ ନାହିଁ । ତେଣୁ ପ୍ରହସ୍ତ ସଭାସ୍ଥଳୀ ତ୍ୟାଗ କରି ଗୃହାଭିମୁଖରେ ଯାତ୍ରା କଲେ ।

 

ଲଙ୍କାପୁରୀର ଏକ ପର୍ବତର ଶିଖର ଉପରେ ଏକ ବିଚିତ୍ର ଭବନ ଥିଲା । ସେଠାରେ ନୃତ୍ୟଗାନ ଚାଲିଗଲା । ରାବଣ ସଭାସ୍ଥଳରୁ ସେହି ଭବନକୁ ଗଲେ I କିନ୍ନରମାନେ ସେଠାରେ ରାବଣଙ୍କର ଗୁଣଗାନରେ ବ୍ୟସ୍ତ ଥିଲେ । ବୀଣା, ମୃଦଙ୍ଗ, କରତାଳି ଆଦି ବାଦ୍ୟବାଜଣା ବାଜୁଥିଲା-। ଅପ୍‌ସରାମାନେ ନୃତ୍ୟରତ ଥିଲେ । ରାବଣ ସେ ସ୍ଥଳରେ ନାନାଦି ଭୋଗବିଳାସରେ ରତ ରହିଲେ ।

 

ଏଣେ ସୁବେଳ ପର୍ବତଶିଖରରେ ଗୋଟିଏ ରମଣୀୟ ଓ ସମତଳ ସ୍ଥାନରେ କୋମଳ ପତ୍ର ଓ ସୁନ୍ଦର ପୁଷ୍ପ ଆସ୍ତରଣ ନିର୍ମିତ ହେଲା । ସେହି ଆସ୍ତରଣ ଉପରେ ଗୋଟିଏ ମୃଗଛାଲ ପଡ଼ିଲା । ସୁଗ୍ରୀବ ବସିଥିଲେ । ତାଙ୍କରି ବିଶାଳ କ୍ରୋଡ଼ଦେଶରେ ଶ୍ରୀରଘୁନାଥ ମସ୍ତକ ସ୍ଥାପନ କରି ଅଛନ୍ତି । ତାଙ୍କର ବାମପଟରେ ଧନୁ ଏବଂ ଦକ୍ଷିଣ ପାର୍ଶ୍ଵରେ ତୂଣୀର ରହିଅଛି । ବିଭୀଷଣ ଶ୍ରୀରାମଙ୍କ କର୍ଣ୍ଣରେ କି ପରାମର୍ଶ ଦେବାରେ ଲାଗିଛନ୍ତି । ଅଙ୍ଗଦ ଓ ହନୁମାନ ତାଙ୍କର ଚରଣକମଳ ସେବାରେ ବ୍ୟସ୍ତ ଅଛନ୍ତି । ଲକ୍ଷ୍ମଣ ଶ୍ରୀରାମଚନ୍ଦ୍ରଙ୍କର ପଶ୍ଚାତ୍‌ଦେଶରେ ଧନୁର୍ବାଣ ଧରି ବସିଅଛନ୍ତି ।

 

ଏହି ସମୟରେ ପୂର୍ବ ଦିଗରେ ଚନ୍ଦ୍ର ଉଦୟ ହେଲେ । ଶ୍ରୀରାମ ଜିଜ୍ଞାସା କଲେ, ‘ସୁଗ୍ରୀବ-! ଚନ୍ଦ୍ରମାଙ୍କର ଦେହରେ ଏ ଯେଉଁ କୃଷ୍ଣ-ଚିହ୍ନମାନ ଦେଖାଯାଉଛି, ତାହା କ’ଣ ?’ ସୁଗ୍ରୀବ କହିଲେ, ‘ଚନ୍ଦ୍ରମାଙ୍କର ଦେହରେ ପୃଥିବୀର ଛାୟା ପ୍ରତୀୟମାନ ହେଉଅଛି ।’ କେହି କହିଲେ, ‘ଚନ୍ଦ୍ରମାଙ୍କୁ ରାହୁ ଆଘାତ କରିଥିବାରୁ ସେହି କୃଷ୍ଣଚିହ୍ନ ତାଙ୍କର ହୃଦୟଦେଶରେ ରହିଅଛି ।’ ଆଉ ଜଣେ କିଏ କହିଲେ, ‘ବ୍ରହ୍ମା ସୁନ୍ଦରୀ ରତିଙ୍କର ମୁଖ ରଚନା କଲାବେଳେ ସେ ଚନ୍ଦ୍ରମାଙ୍କ ଶରୀରରୁ ସମସ୍ତ ସାରଅଂଶ ନିର୍ଗତ କରି ନେଇଥିଲେ । ତେଣୁ ରତିଙ୍କ ମୁଖ ତ ସୁନ୍ଦର ହେଲା; କିନ୍ତୁ ଚନ୍ଦ୍ରମାଙ୍କ ଶରୀରରେ ସେହି ଚ୍ଛେଦ ରହିଗଲା । ସେଇ ଚ୍ଛେଦ ମଧ୍ୟରେ ଆକାଶର କୃଷ୍ଣଛାୟା ଦେଖାଯାଉଅଛି-।’ ଶ୍ରୀରାମ କହିଲେ, ‘ବିଷ ଚନ୍ଦ୍ରମାଙ୍କର ଅତି ପ୍ରିୟଭ୍ରାତା । ତେଣୁ ସେ ବିଷଙ୍କୁ ନିଜ ହୃଦୟରେ ସ୍ଥାନ ଦେଇଛନ୍ତି ବୋଲି ନିଜର ବିଷଯୁକ୍ତ କିରଣଜ୍ଵାଳା ଦ୍ଵାରା ବିଚ୍ଛେଦଗ୍ରସ୍ତ ନରନାରୀମାନଙ୍କୁ ପୀଡ଼ା ଦେଉଅଛନ୍ତି ।’

 

ହନୁମାନ୍‌ କହିଲେ–ହେ ପ୍ରଭୁ, ଚନ୍ଦ୍ରମା ଆପଣଙ୍କର ପ୍ରିୟ କିଙ୍କର । ଆପଣଙ୍କର ସୁନ୍ଦର ଶ୍ୟାମଳ ମୂର୍ତ୍ତି ଚନ୍ଦ୍ରମାଙ୍କର ହୃଦୟଦେଶରେ ବିରଜମାନ । ତାହାହିଁ ଆମ୍ଭେମାନେ ଦେଖିପାରୁଛୁ ।’

 

ଏତିକିବେଳେ ଦକ୍ଷିଣଦିଗ ଆକାଶରେ ମେଘଖଣ୍ଡ ଦେଖି ଶ୍ରୀରାମଚନ୍ଦ୍ର ବିଭୀଷଣଙ୍କୁ ଡାକି କହିଲେ–ବିଭୀଷଣ, ଦକ୍ଷିଣ ଦିଗକୁ ଲକ୍ଷ୍ୟକର । କିପରି ମେଘଖଣ୍ଡ ଉଦିତ ହୋଇଅଛି ? ବିଜୁଳି କିପରି ଚମକୁଛି ? ସରଳ ଧ୍ଵନିରେ ଭୟାନକ ମେଘଖଣ୍ଡ କିପରି ଗର୍ଜନ କରୁଅଛି ଶୁଣ ।

 

ବିଭୀଷଣ କହିଲେ, ‘ହେ ପ୍ରଭୋ ! ମୋର କଥା ଶୁଣନ୍ତୁ । ଏହା ବିଜୁଳି କିମ୍ବା ମେଘର ଘନଘଟା ନୁହେଁ । ଲଙ୍କାପୁରୀର ପର୍ବତଶିଖର ଉପରେ ଯେଉଁ ପ୍ରାସାଦ ଅଛି ଦଶଗ୍ରୀବ ରାବଣ ସେହି ସ୍ଥାନରେ ଆଖଡ଼ା ଦେଖୁଅଛନ୍ତି । ରାବଣଙ୍କର ମସ୍ତକ ଉପରେ ଯେଉଁ ଛତ୍ର ଉତ୍ତୋଳିତ ହୋଇଅଛି, ତାହାହିଁ ମେଘର ଘନଘଟା ସଦୃଶ ଦେଖାଯାଉଅଛି । ତାଙ୍କ ସଙ୍ଗରେ ରାଣୀ ମନ୍ଦୋଦରୀ ଅଛନ୍ତି । ମନ୍ଦୋଦରୀଙ୍କର କର୍ଣ୍ଣପୁଷ୍ପ ଯେତେବେଳେ ଦୋଦୁଲ୍ୟମାନ ହେଉଅଛି, ତାହା ବିଦ୍ୟୁତ୍ ପରି ଚମକୁଅଛି । ସେହି ଶିଖର ଉପରେ ମୃଦଙ୍ଗ ଓ କରତାଳିର ଧ୍ୱନି ହିଁ ମେଘର ମନ୍ଦ୍ର ମଧୁର ଧ୍ୱନି ପରି ଶ୍ରୁତ ହେଉଅଛି ।

 

ଶ୍ରୀରାମଚନ୍ଦ୍ର ବିଭୀଷଣଙ୍କଠାରୁ ରାବଣଙ୍କର ଏ ଅଭିମାନସୂଚକ ଆଡ଼ମ୍ବର କଥା ଶୁଣି ହସିଲେ ଏବଂ ଧନୁରେ ଶର ସଂଯୋଜନ କରି ଦକ୍ଷିଣ ଦିଗକୁ ଲକ୍ଷ୍ୟ କରି ଶରସଂଧାନ କଲେ । ସେହି ଶର ରାବଣଙ୍କର ଛତ୍ର-ମୁକୁଟ ଏବଂ ମନ୍ଦୋଦରୀଙ୍କର କର୍ଣ୍ଣପୁଷ୍ପ ଛେଦନ କଲା । ସେଗୁଡ଼ିକ ଖଣ୍ଡ ଖଣ୍ଡ ହୋଇ ଭୂମି ଉପରେ ପଡ଼ିଲା । ଶ୍ରୀରାମଙ୍କର ବାଣ ନିଜର କାର୍ଯ୍ୟ ସାଧନ କରି ଆସି ପୁଣି ତାଙ୍କ ତୂଣୀର ମଧ୍ୟରେ ପ୍ରବେଶ କଲା ।

 

ରାବଣର ସଭାସ୍ଥ ରାକ୍ଷସାନୁଚରମାନେ ଭୀତତ୍ରସ୍ତ ହୋଇ ପଡ଼ିଲେ । କେହି କେହି ଏହାକୁ ମନ୍ଦ ଶକୁନ ବୋଲି ବିଚାର କଲେ । ରାବଣ ଏହା ଜାଣିପାରି କହିଲେ, ବିଚ୍ଛିନ୍ନ ଶିର ସକଳ ଭୂଲୁଣ୍ଠିତ ଦେଲେ ଯେଉଁ ରାକ୍ଷସରାଜ ଶୁଭ ଶକୁନ ବୋଲି ମନେ କରନ୍ତି, ତାହାଙ୍କ ନିମନ୍ତେ ଭୂଲୁଣ୍ଠିତ ମୁକୁଟମାନ ମନ୍ଦ ଶକୁନ ହେବ କିପରି ? ଏହା କୌଣସି ବିଶେଷ ଚିନ୍ତାର ବିଷୟ ନୁହଁ ।

 

ମନ୍ଦୋଦରୀ ସମ୍ପୂଟ କରଯୁଗଳରେ ଦଣ୍ଡାୟମାନ ହୋଇ ଲୋତକପୂର୍ଣ୍ଣ ନେତ୍ରରେ କହିଲେ–ହେ ପ୍ରାଣନାଥ, ହେ ପ୍ରିୟତମ, ଶ୍ରୀରାମଙ୍କ ସହିତ ବିରୋଧ କରନ୍ତୁ ନାହିଁ । ତାଙ୍କୁ ମନୁଷ୍ୟ ବୋଲି ବିଚାର କରନ୍ତୁ ନାହିଁ । ରଘୁକୁଳଶିରୋମଣି ଶ୍ରୀରାମଚନ୍ଦ୍ର ବିଶ୍ଵାଧାର ଅଟନ୍ତି । ପାତାଳ ତାହାଙ୍କର ଚରଣ, ବ୍ରହ୍ମଲୋକ ତାହାଙ୍କର ଶିର । ତାଙ୍କର ଭ୍ରୂକୁଟିସଂଚାଳନ ଦ୍ଵାରା ଭୟଙ୍କର ମହାକାଳ ପରିଚାଳିତ ହୁଅନ୍ତି । ସୂର୍ଯ୍ୟ ତାହାଙ୍କର ନେତ୍ର, ମେଘସମୂହ ତାହାଙ୍କର କେଶ ଓ ଅଶ୍ଵିନୀକୁମାର ନାସିକା ଅଟନ୍ତି । ବାୟୁ ତାଙ୍କର ଶ୍ୱାସ ଓ ବେଦ ତାହାଙ୍କର ବାଣୀ ଅଟନ୍ତି । ଅଗ୍ନି ସେହି ମହାପୁରୁଷଙ୍କର ମୁଖ, ବରୁଣ ଜିହ୍ଵା, ପର୍ବତ ଅସ୍ଥି ଏବଂ ସମୁଦ୍ର ତାହାଙ୍କର ଉଦର । ତେଣୁ ସେ ବିଶ୍ଵରୂପ ଅଟନ୍ତି । ତାଙ୍କ ସହିତ ଶତ୍ରୁତା ତ୍ୟାଗକରି ତାହାଙ୍କର ଚରଣକୁ ଆଶ୍ରୟ କରନ୍ତୁ ।

 

ମନ୍ଦୋଦରୀଙ୍କର ଏକଥାସବୁ ଶୁଣି ରାବଣ ବହୁତ ହସିଲେ । ପୁଣି ମନ୍ଦୋଦରୀଙ୍କୁ କହିଲେ, ‘ପ୍ରିୟେ, ତୁମେ ମୋ ଶତ୍ରୁର ବିରାଟ ରୂପ ମୋ ସମ୍ମୁଖରେ ବ୍ୟାଖ୍ୟାନ କଲ । ତୁମେ ମୋ କଥା ଶୁଣ । ଏ ଚରାଚର ବିଶ୍ଵ ମୋର ଅଧୀନ । ମୁଁ ବର୍ତ୍ତମାନ ତୁମର ଚତୁରତା ବୁଝିପାରୁଛି । ତୁମେ ଏସବୁର ବର୍ଣ୍ଣନାଛଳରେ ମୋର ପ୍ରଭୁତ୍ଵର ହିଁ ବର୍ଣ୍ଣନା କରୁଅଛ । ତୁମ କଥାର ଗୂଢ଼ ରହସ୍ୟ ମୁଁ ବୁଝିପାରିଛି ।’ ମନ୍ଦୋଦରୀ ରାବଣଙ୍କର ଏପରି ବାକ୍ୟ ଶୁଣି ମନେ ମନେ ବଡ଼ ବ୍ୟାକୁଳ ହେଲେ ଏବଂ ବୁଝିପାରିଲେ ଯେ ସ୍ଵାମୀ ବର୍ତ୍ତମାନ କାଳର ଅଧୀନ ହୋଇଛନ୍ତି; ସେ କୌଣସି କଥା ବୁଝିବେ ନାହିଁ । ରାବଣ ନାନା ବିନୋଦରେ ମାତି ସକାଳେ ଅଭିମାନରେ ଅନ୍ଧ ହୋଇ ସଭାସ୍ଥଳରେ ପହଞ୍ଚିଲେ ।

Image

 

ଦୂତ ଅଙ୍ଗଦ

 

ସୁବେଳ ପର୍ବତ ଉପରେ ଶ୍ରୀରାମଙ୍କର ଶିବିର । ଶ୍ରୀରାମ ପ୍ରାତଃକାଳରେ ଉଠି ସୁଗ୍ରୀବ, ବିଭୀଷଣ ଆଦି ବନ୍ଧୁ, ଓ ମନ୍ତ୍ରୀମାନଙ୍କୁ ଆହ୍ଵାନ କରି ସେମାନଙ୍କୁ କର୍ତ୍ତବ୍ୟ ଜିଜ୍ଞାସା କଲେ । ଜାମ୍ବବାନ କହିଲେ, ‘ହେ ପ୍ରଭୋ, ମୁଁ ମୋର ନିଜ ବୁଦ୍ଧି ଅନୁସାରେ ମୋର ମତ କହିବି, ଶୁଣନ୍ତୁ । ଆପଣ ଅଙ୍ଗଦଙ୍କୁ ଦୂତଭାବରେ ରାବଣ ସମୀପକୁ ପ୍ରେରଣ କରନ୍ତୁ ।’ ଅନ୍ୟ ମନ୍ତ୍ରୀମାନେ ଜାମ୍ବବାନଙ୍କ କଥାରେ ସମ୍ମତ ହେବାରୁ ଅଙ୍ଗଦ ଶ୍ରୀରାମଙ୍କ ଆଦେଶ ଓ ସଂଦେଶ ଧରି ରାବଣପୁରକୁ ଗଲେ । ଶ୍ରୀରାମଙ୍କ ଚରଣ ବନ୍ଦନା କରି ଅଙ୍ଗଦ ଯାତ୍ରାକଲେ ।

 

ଲଙ୍କାଗଡ଼ରେ ପ୍ରବେଶ କରୁ କରୁ ଅଙ୍ଗଦ ରାବଣପୁତ୍ରକୁ ଭେଟିଲେ । ସେ ସେଠାରେ କ୍ରୀଡ଼ାରତ ଥିଲା । ରାବଣପୁତ୍ର ଅଙ୍ଗଦକୁ ଦେଖିବା ମାତ୍ରେ ନାନା ପ୍ରଶ୍ନ ପଚାରିଲା । ଦୁହିଁଙ୍କ ମଧ୍ୟରେ କଥାବାର୍ତ୍ତା କଳହରେ ପରିଣତ ହେଲା । ଦୁହେଁ ଯୁବକ ଓ ବଳବାନ୍ । ରାବଣପୁତ୍ର ଅଙ୍ଗଦକୁ ପଦାଘାତ କରିବାରୁ ଅଙ୍ଗଦ କ୍ରୋଧରେ ତାର ଦୁଇଗୋଡ଼କୁ ଧରି ତାକୁ ଶୂନ୍ୟରେ ବୁଲାଇ ବୁଲାଇ ଭୂମି ଉପରେ କଚାଡ଼ିଦେଲେ । ଅନ୍ୟ ଯୁବରାକ୍ଷସମାନେ ସେଠାରୁ କ୍ରୀଡ଼ା ତ୍ୟାଗକରି ଗୋଳମାଳ ନକରି ନିଜ ସୁବିଧା ଉଣ୍ଡି ଚାଲିଗଲେ ।

 

ନଗର ମଧ୍ୟରେ କୋଳାହଳ ପଡ଼ିଲା । ଯେଉଁ ବାନର ଲଙ୍କାନଗରକୁ ଦଗ୍‌ଧ କରିଥିଲା, ସେ ପୁନର୍ବାର ନଗରକୁ ଆସିଛି । ଅଙ୍ଗଦ ରାବଣଙ୍କ ଦରବାର ଆଡ଼କୁ ଯାତ୍ରା କଲାବେଳେ ବହୁ ରାକ୍ଷସଙ୍କୁ ଭେଟିଲେ । ସେ ଦରବାରର ସ୍ଥାନ ବିଷୟରେ ଯାହାକୁ ପଚାରିଲେ, ସେମାନେ ଭୟରେ ତାହାଙ୍କୁ ଉପଯୁକ୍ତ ସ୍ଥାନର ନିର୍ଦ୍ଦେଶ ଦେଲେ । ଅଙ୍ଗଦ ରାବଣଙ୍କର ସଭାଦ୍ଵାର ନିକଟରେ ପହଞ୍ଚିଲେ-। ସେ ଜଣେ ରାକ୍ଷସକୁ ତାଙ୍କର ଆଗମନ ସମ୍ବାଦ ରାବଣଙ୍କୁ ଜଣାଇଦେବାପାଇଁ କହିଲେ । ସେ ରାବଣଙ୍କ ନିକଟକୁ ଯାଇ ସମ୍ବାଦ ଦେବାରୁ ରାବଣ କହିଲେ–ସେ ବାନରକୁ ଏଠାକୁ ଘେନିଆସ ।

 

ଅଙ୍ଗଦ ଆସି ଦେଖିଲେ ଗୋଟିଏ ପ୍ରାଣଯୁକ୍ତ କଜ୍ଜ୍ଵଳ ପର୍ବତ ସଦୃଶ ରାବଣ ବସିଅଛନ୍ତି । ପର୍ବତର ଗୁମ୍ଫାଗୁଡ଼ିକ ପରି ତାଙ୍କର ନାକ, କାନ ଓ ମୁଖଗୁଡ଼ିକ ଦିଶୁଛି । ଅଙ୍ଗଦଙ୍କୁ ଦେଖିବାମାତ୍ରେ ରାବଣଙ୍କ ସଭାରେ ବସିଥିବା ସଭାସଦ୍‌ମାନେ ଉଚ୍ଚାଟରେ ଉଠି ଠିଆ ହୋଇଗଲେ । ଅଙ୍ଗଦ ଶ୍ରୀରାମଙ୍କ ପ୍ରତାପ ସ୍ମରଣ କରି ସଭାରେ ବସିଲେ । ରାବଣ ପଚାରିଲେ–ଆରେ ମର୍କଟ, ତୁ କିଏ-? କାହିଁକି ଆସିଛୁ ?

 

ଅଙ୍ଗଦ କହିଲେ–ହେ ଦଶଗ୍ରୀବ, ମୁଁ ଶ୍ରୀରଘୁନାଥଙ୍କର ଦୂତ । ମୋର ପିତା ଓ ତୁମ ମଧ୍ୟରେ ମିତ୍ରତା ଥିଲା; ତେଣୁ ତୁମରି କଲ୍ୟାଣ ନିମନ୍ତେ ମୁଁ ତୁମ ପାଖକୁ ଆସିଅଛି । ତୁମେ ପୁଲସ୍ତ୍ୟ ଋଷିଙ୍କର ବଂଶଧର । ଉତ୍ତମ କୁଳରେ ତୁମେ ଜନ୍ମଲାଭ କରିଅଛି । ଶିବ ଓ ବ୍ରହ୍ମାଙ୍କୁ ତୁମେ ବହୁ ପ୍ରକାରରେ ସନ୍ତୁଷ୍ଟ କରି ବରଲାଭ କରିଛ । ତୁମର ସମସ୍ତ କର୍ମ ସିଦ୍ଧ ହୋଇଅଛି । ତୁମେ ଲୋକପାଳ ଓ ବହୁରାଜାଙ୍କୁ ପରାସ୍ତ କରି ଯଶଲାଭ କରିଅଛ । ରାଜଅଭିମାନ କିମ୍ବା ମୋହବଶରୁ ଜଗତଜନନୀ ସୀତାଙ୍କୁ ତୁମେ ହରଣ କରି ଆଣିଛ । ମୁଁ ତୁମକୁ ତୁମର କଲ୍ୟାଣକର କଥା କହୁଛି । ପ୍ରଭୁ ଶ୍ରୀରାମଚନ୍ଦ୍ର ତୁମର ସମସ୍ତ ଅପରାଧ କ୍ଷମା କରିବେ । ଦାନ୍ତରେ ତୃଣ ଧରି, ଗଳଦେଶରେ କୁଠାର ସ୍ଥାପନ କରି ପରିବାର ସହିତ ତୁମେ ପତ୍ନୀଙ୍କୁ ସଙ୍ଗରେ ଧରି ଚାଲ । ମାତା ଜାନକୀଙ୍କୁ ସମ୍ମୁଖରେ ରଖି ନିର୍ଭୟ ହୃଦୟରେ ଶ୍ରୀରାମଙ୍କ ସମ୍ମୁଖକୁ ଯାଅ । ଶ୍ରୀରଘୁନାଥଙ୍କୁ ଶରଣ ମାଗିଲେ ସେ ତୁମର ଆର୍ତ୍ତ ପ୍ରାର୍ଥନା ଶୁଣିବେ ଏବଂ ତୁମକୁ ଅଭୟ ଦେବେ ।

 

ଅଙ୍ଗଦଙ୍କ ମୁଖରୁ ଏପରି କଥା ଶୁଣି ରାବଣ କହିଲେ–ଆରେ ମର୍କଟ ସନ୍ତାନ, ଅସମ୍ଭାଳ ହୋଇ କଥା କହନାହିଁ । ଜାଣିଥାଅ, ମୁଁ ଦେବତାମାନଙ୍କର ଶତ୍ରୁ । ମୋତେ ତୁ ଚିହ୍ନିନାହୁଁ । ତୋର ଏବଂ ତୋ ପିତାର ନାମ ମୋତେ କହ । ତୋର ପିତା ସହିତ ମୋର କିପରି ବନ୍ଧୁତା ହୋଇଥିଲା, ମୁଁ ଜାଣିବାକୁ ଇଚ୍ଛାକରେ ।

 

ଅଙ୍ଗଦ କହିଲେ–ମୋ ନାଁ ଅଙ୍ଗଦ । ମୁଁ ବାଳୀଙ୍କର ପୁତ୍ର । ମୋର ପିତାଙ୍କ ସହିତ ତୁମର କୌଣସି ସମୟରେ ସାକ୍ଷାତ୍‌ ହୋଇଥିବାର ତୁମର ସ୍ମରଣ ଅଛି କି ?

 

ରାବଣ ଅଙ୍ଗଦଙ୍କ ମୁଖରୁ ବାଳୀଙ୍କ ନାମ ଶୁଣି କିଞ୍ଚିତ୍‌ ସଂକୁଚିତ ହୋଇପଡ଼ିଲେ; ପୁଣି କ୍ଷଣକପରେ କହିଲେ–ହଁ, ମୋର ମନେ ଅଛି । ବାଳୀ ନାମରେ ଗୋଟାଏ ମର୍କଟ ଥିଲା । ତୁ ସେହି ବାଳୀର ପୁତ୍ର ! ତୁ ତ ଗୋଟାଏ କୁଳନାଶକ । ତୁ ଜନ୍ମଲାଭ କଲୁ କାହିଁକି ? ତୁ ତୋର ନିଜ ମୁଖରେ ତପସ୍ଵୀଦୂତ ବୋଲି ପରିଚୟ ଦେଉଛୁ ? ବାଳୀଙ୍କର ସବୁ କୁଶଳ ତ ?

 

ଅଙ୍ଗଦ ହସି ହସି ଉତ୍ତର ଦେଲେ–ଆଉ ଦଶଦିନ ପରେ ତୁ ନିଜେ ବାଳୀଙ୍କ ନିକଟକୁ ଯାଇ ତୋର ମିତ୍ରଙ୍କୁ ସଂଭାଷଣ କରି ତାଙ୍କର କୁଶଳ ସମ୍ବାଦ ପଚାରି ବୁଝିପାରିବୁ । ଶ୍ରୀରାମଙ୍କ ସହିତ ବିରୋଧ କଲେ କିପରି କୁଶଳ ହୁଏ ସେ ତୋତେ ସବୁ ବୁଝାଇଦେବେ । ଆରେ ମୂର୍ଖ ! ଯାହାର ହୃଦୟ ମଧ୍ୟରେ ଶ୍ରୀରଘୁନାଥ ନାହାନ୍ତି, ତାହାର ହୃଦୟରେ କେବଳ ଭେଦନୀତି ପୂର୍ଣ୍ଣହୋଇ ରହିଥାଏ । ମୁଁ କୁଳନାଶକାରୀ ଏବଂ ତୁ କୁଳର ରକ୍ଷକ ! ଅନ୍ଧ, ବଧିର ମଧ୍ୟ ଏପରି କଥା କହିବେ ନାହିଁ । ତୁ ତ ବିଂଶନେତ୍ର ଏବଂ ବିଂଶକର୍ଣ୍ଣ ଧରିଅଛୁ । ଶିବ, ବ୍ରହ୍ମା ପ୍ରଭୃତି ଦେବତାମାନେ ଯେଉଁ ପ୍ରଭୁଙ୍କର ଚରଣସେବା ପାଇଁ ବ୍ୟଗ୍ର, ମୁଁ ତାଙ୍କରି ଦୂତ ହୋଇ ଆସି କୂଳନଷ୍ଟ କରିଦେଲି ! ଏପରି ବୃଦ୍ଧିପ୍ରାପ୍ତ ହୋଇ ତୋର ହୃଦୟ ଫାଟିଯାଉନି କିପରି ?

 

ରାବଣ କହିଲେ, ତୁ ଯେପରି କଠୋର ବଚନ କହୁଛୁ, ମୁଁ କେବଳ ନୀତି ଓ ଧର୍ମରକ୍ଷା କରିବାରେ ସମର୍ଥ ବୋଲି ମୁଁ ତୋର ଏ କଟୁବାଣୀ ସହୁଛି ସିନା !

 

ଅଙ୍ଗଦ କହିଲେ, ତୋର ଧାର୍ମିକପଣ ମୁଁ ବହୁତ ଶୁଣିଛି । ତୁ ପରର ସ୍ତ୍ରୀଙ୍କୁ ଚୋରିକରି ଆଣିଛୁ, ପୁଣି ଦୂତମାନଙ୍କୁ କିପରି ରକ୍ଷା କରିବାକୁ ହୁଏ, ଏବେ ତାହା ମୁଁ ସ୍ଵଚକ୍ଷୁରେ ଦେଖୁଛି । ଏହିପରି ଧର୍ମ ଧୁରନ୍ଧର ବ୍ୟକ୍ତି ଜଳମଗ୍ନ ହୋଇ ମୃତ୍ୟୁ ଲାଭ ନ କରନ୍ତି କାହିଁକି ? ନାସାକର୍ଣ୍ଣ-ଛିନ୍ନ ଭଗିନୀକୁ ଦେଖି ତୁ ଧର୍ମ ବିଚାର କରି କ୍ଷମା ଆଚରଣ କରିଥିଲୁ ପରା ! ତୋର ଧର୍ମଶୀଳତା ଜଗତବିଦିତ ! ଆଜି ମୋର ବଡ଼ ଭାଗ୍ୟ ତୋର ଦର୍ଶନ ପାଇଛି ।

 

ରାବଣ କହିଲେ, ଆରେ ଜଡ଼ ବାନର, ମୂର୍ଖ, ମୋର ଏ ଭୁଜଗୁଡ଼ିକୁ ଲକ୍ଷ୍ୟକର ! ଆରେ ଅଙ୍ଗଦ, ତୁମର ସୈନ୍ୟବାହିନୀ ମଧ୍ୟରେ ଏପରି କେହି ମୋ ସହିତ ଯୁଦ୍ଧକରିବାକୁ ସମର୍ଥ ବ୍ୟକ୍ତି ଅଛି ? ତୋର ପ୍ରଭୁ ସ୍ତ୍ରୀ-ବିୟୋଗରେ ଦୁର୍ବଳ, ଏବଂ ତାର ଭାଇ ଜ୍ୟେଷ୍ଠଭ୍ରାତାର ଦୁଃଖରେ ଦୁଃଖୀ । ତୁ, ସୁଗ୍ରୀବ, ମୋର କନିଷ୍ଠଭ୍ରାତା ବିଭୀଷଣ, ବୃଦ୍ଧମନ୍ତ୍ରୀ ଜାମ୍ବବାନ ଏମାନେ ମିଶି କି ଯୁଦ୍ଧ କରିବ ? ନଳ ଓ ନୀଳ ତ ଶିଳ୍ପକର୍ମରେ ନିପୁଣ, ସେମାନେ ଯୁଦ୍ଧ ବିଷୟ ଜଣ ଜାଣନ୍ତି ? ସେମାନେ କି ଯୁଦ୍ଧ କରିବେ ? କେବଳ ଗୋଟାଏ ବଳବାନ୍ ମର୍କଟ ଅଛି, ସେ ଆସି ଲଙ୍କାକୁ ଦଗ୍‌ଧକରି ଦେଇଥିଲା, ତା ମୁଁ ମାନୁଛି ।

 

ଅଙ୍ଗଦ ହସି ହସି କହିଲେ–ରାକ୍ଷସ ରାବଣ ! ତେବେ ସେ ବାନର ଆସି ତୋର ନଗର ଦଗ୍‌ଧ କରିଥିବା ଘଟଣା ସତ୍ୟ । ରାବଣ ପରି ରାକ୍ଷସ ବୀରଙ୍କର ନଗର ଗୋଟାଏ କ୍ଷୁଦ୍ର ବାନର ଆସି ଦଗ୍‌ଧ କଲା ! ଏକଥା ଶୁଣିଲେ କିଏ ବା ସତ୍ୟ ବୋଲି ମନେକରିବ ? ସୁଗ୍ରୀବ ତାକୁ ଏଠାକୁ ସମ୍ବାଦ ସଂଗ୍ରହ ନିମିତ୍ତ ପ୍ରେରଣ କରିଥିଲେ । ପ୍ରଭୁଙ୍କର ଅନୁମତି ନପାଇ ସେ ତୁମର ଏ ନଗର ଦଗ୍‌ଧ କରିବା ଘଟଣା ସତ ତେବେ ? ସେହି ଭୟରେ ସେ ଏ ଲଙ୍କାଗଡ଼ରୁ ପ୍ରତ୍ୟାବର୍ତ୍ତନ କରି ସୁଗ୍ରୀବଙ୍କ ପାଖକୁ ନ ଯାଇ ଲୁଚି ରହିଲା । ରାବଣ, ତୋ କଥା ସତ୍ୟ । ଆମ୍ଭମାନଙ୍କ ସୈନ୍ୟବାହିନୀରେ ଏପରି କେହି ନାହିଁ ଯେ କି ତୁମ ସହିତ ଯୁଦ୍ଧ କଲେ ଶୋଭା ପାଇବ । ନୀତିଶାସ୍ତ୍ରରେ ଅଛି ପ୍ରୀତି ଓ ଶତ୍ରୁତା ସମାନ ସମାନ ବ୍ୟକ୍ତିଙ୍କ ସହିତ କରିବା ଉଚିତ । ସିଂହ ଯଦି ଭେକକୁ ଆକ୍ରମଣ କରି ନିହତ କରେ, ତେବେ ତାକୁ କିଏ ଉତ୍ତମ ବୋଲି କହିବ କହ ତ ? ତୋତେ ହତ୍ୟାକଲେ ଶ୍ରୀରାମଙ୍କର ଲଘୁତା ପ୍ରକାଶ ପାଇବ ଏବଂ ଦୋଷ ମଧ୍ୟ ଲାଗିବ । ତଥାପି କ୍ଷତ୍ରିୟମାନଙ୍କର କ୍ରୋଧ ବଡ଼ ଭୀଷଣ ।

 

ଏକଥା ଶୁଣି ରାବଣ କହିଲେ, ବାନରମାନଙ୍କ ମଧ୍ୟରେ ଗୋଟିଏ ଭଲ ଗୁଣ ଅଛି । ସେମାନଙ୍କୁ ଯେ ପାଳନ କରେ ସେମାନେ ନାନା ଉପାୟରେ ସେମାନଙ୍କର ମଙ୍ଗଳ ନିମନ୍ତେ ଚେଷ୍ଟା କରନ୍ତି । ବାନରମାନେ ନିଜର ପ୍ରଭୁ ପାଇଁ ଲଜ୍ଜାତ୍ୟାଗ କରି ଯେକୌଣସି ସ୍ଥାନରେ ନୃତ୍ୟ କରନ୍ତି । ନୃତ୍ୟ ଦ୍ଵାରା ଲୋକମାନଙ୍କୁ ଆନନ୍ଦ ଦିଅନ୍ତି ଏବଂ ପ୍ରଭୁଙ୍କର ହିତସାଧନ କରନ୍ତି । ଅଙ୍ଗଦ, ତୁ ବଡ଼ ସ୍ଵାମୀଭକ୍ତ । ତୁ ତୋ ପ୍ରଭୁର ଗୁଣ ନ ବଖାଣିବୁ କାହିଁକି ? ମୁଁ ଗୁଣଗ୍ରାହକ ବୋଲି ତୋର ଏ କଟୁକଥାକୁ କର୍ଣ୍ଣପାତ କରୁନାହଁ ।

 

ଅଙ୍ଗଦ କହିଲେ, ତୋର ସମସ୍ତ ଗୁଣଗ୍ରାହକପଣ ହନୁମାନଙ୍କଠାରୁ ଶୁଣିଛି । ହନୁମାନ ତୋର ଏ ପୁରକୁ ଆସି ତୋ ପୁତ୍ରକୁ ନିହତ କଲେ ଏବଂ ତୋ ନଗରକୁ ଧ୍ଵଂସ କଲେ । ମୁଁ ବଡ଼ ଗୁଣଗ୍ରାହକ ହୋଇଥିବାରୁ ସେ ତୋର କୌଣସି ଅପକାର କରିନାହାନ୍ତି ବୋଲି ମନେ କରିନେଲୁ ସିନା । ତୋର ସେହି ସୁନ୍ଦର ସ୍ଵଭାବ ଜାଣି ମୁଁ ତୋ ପାଖକୁ ଏଠିକି ଆସିଛି । ହନୁମାନ୍ ଯାହା କହୁଥିଲେ ମୁଁ ସ୍ଵୟଂ ପ୍ରତ୍ୟକ୍ଷ ସେସବୁ ଦେଖୁଛି । ସେଥିପାଇଁ ତୋ ମନରେ ଲଜ୍ଜା, କ୍ରୋଧ କିମ୍ବା ବିରକ୍ତି କିଛି ନାହିଁ ।

 

ରାବଣ କହିଲେ, ‘ଅଙ୍ଗଦ, ତୋର ଏପରି ବିଶେଷ ବୁଦ୍ଧି ଅଛି ବୋଲି ତୁ ତୋ ପିତାକୁ ଖାଇଲୁ ।’ ରାବଣ ଏତିକି କହି କେବଳ ହସିବାକୁ ଲାଗିଲେ ।

 

ଅଙ୍ଗବ ସଙ୍ଗେ ସଙ୍ଗେ କହିଲେ–ପିତାଙ୍କୁ ଖାଇଛି । ତୋତେ ବି ଖାଇବି । କିନ୍ତୁ ଗୋଟାଏ କଥା ମୁଁ ବୁଝିପାରୁଛି । ବାଳୀଙ୍କର ନିର୍ମଳ ଯଶ ଯୋଗୁଁ ମୁଁ ତୋତେ ନିହତ ନକରି ନିଜକୁ ସମ୍ଭାଳି ନେଉଛି । ଆଚ୍ଛା କହିଲୁ । ଜଗତରେ କେତେଟା ରାବଣ ଅଛନ୍ତି ? ମୁଁ ଯେତେଜଣ ରାବଣଙ୍କ ବିଷୟରେ ଜାଣିଛି ଶୁଣ । ଜଣେ ରାବଣ ବଳୀଙ୍କୁ ଜିଣିବା ନିମନ୍ତେ ପାତାଳକୁ ଯାଇଥିଲା । ସେହି ସମୟରେ ସେଠାରେ ବାଳକମାନେ ତାହାକୁ ଅଶ୍ଵଶାଳାରେ ବାନ୍ଧି ରଖିଥିଲେ । ବାଳକମାନେ ଖେଳିଲାବେଳେ ତାହାକୁ ଖେଳେଇ ଖେଳେଇ ମାରୁଥିଲେ । ବଳୀଙ୍କ ମନରେ ଦୟା ଆସିଲା । ସେ ତାହାକୁ ସେମାନଙ୍କ କବଳରୁ ରକ୍ଷାକଲେ । ଆଉ ଜଣେ ରାବଣକୁ ସହସ୍ରବାହୁ ଭେଟିଥିଲେ । ସହସ୍ରବାହୁ ଦୌଡ଼ି ଦୌଡ଼ି ଯାଇ ତାହାକୁ ଗୋଟିଏ ବିଚିତ୍ର ଜନ୍ତୁବୋଲି ମନେକରି ଧରି ପକାଇ କୌତୁକ ଦେଖିବା ପାଇଁ ତାହାକୁ ଗୃହକୁ ନେଇଗଲେ । ସେହି ସମୟରେ ପୁଲସ୍ତ୍ୟ ମୁନି ସେଠାକୁ ଯାଇ ସେ ରାବଣକୁ ବନ୍ଦୀ ଅବସ୍ଥାରୁ ରକ୍ଷାକଲେ । ଆଉ ଜଣେ ରାବଣର କଥା ଶୁଣିଲେ ତୋ ମନରେ ସଙ୍କୋଚ ଆସିବ । ବାଳୀ ସେହି ରାବଣକୁ ବହୁଦିନ ଧରି କାଖରେ ଜାକି ରଖିଥିଲେ । ମୁଁ ଯେଉଁସବୁ ରାବଣମାନଙ୍କ କଥା କହିଲି, ତୁ କେଉଁ ରାବଣ କହ ତ ? ମୋର ଅନୁରୋଧ, ସତ୍ୟକଥା କହିବୁ ?

ରାବଣ କହିଲେ, ମୁଁ ସେହି ବଳବାନ ରାବଣ, ଯାହାଙ୍କର ବାହୁର ଶକ୍ତି କୈଳାସ ପର୍ବତ ଜାଣେ, ଯାହାର ବୀରତ୍ଵ ଉମାପତି ମହାଦେବ ଜାଣନ୍ତି । ମୁଁ ମୋର ମସ୍ତକଗୁଡ଼ିକୁ ପୁଷ୍ପରୂପେ ଉପହାର ଦେଇ ତାହାଙ୍କୁ ପୂଜା ଓ ଆରାଧନା କରିଥିଲି । ସ୍ଵୟଂ ମୋ ହାତରେ ଗୋଟିଏ ଗୋଟିଏ ଶିରକମଳ ଛେଦନ କରି କରି ଅଗଣିତ ବାର ଶିବଙ୍କୁ ଉପହାର ଦେଇଥିଲି । ମୋର ଭୁଜର ପରାକ୍ରମ ଦିଗପାଳମାନେ ଜାଣନ୍ତି । ଦିଗ୍‌ଗଜମାନେ ମୋର ବିଶାଳ ବକ୍ଷର ପ୍ରଭାବ ଅନୁଭବ କରିଛନ୍ତି । ଦିଗ୍‌ଗଜମାନଙ୍କର ଭୟଙ୍କର ଦନ୍ତ ମୁଁ ବହୁବାର ଆକର୍ଷଣ କରିଛି, କିନ୍ତୁ ମୋ ବକ୍ଷରେ ସେ ଦନ୍ତର ସାମାନ୍ୟ ଚିହ୍ନ ମଧ୍ୟ ନାହିଁ; ଅଥଚ ପୃଥିବୀ ଥରହର ହୋଇ କମ୍ପିଛି । ମୁଁ ସେହି ଜଗତ୍‌ ପ୍ରସିଦ୍ଧ ରାବଣ । ମୋ କଥା ତୁ କ’ଣ କେବେହେଲେ କର୍ଣ୍ଣପୁଟରେ ଶୁଣିନାହୁଁ ? ତୁ ସେହି ରାବଣକୁ କ୍ଷୁଦ୍ର ବୋଲି ମନେ କରିଛୁ ? ଜଣେ ମନୁଷ୍ୟର ବଡ଼ିମା ମୋ ସମ୍ମୁଖରେ ବଖାଣୁଛୁ ? ଦୁଷ୍ଟ, ଅସଭ୍ୟ, ତୋର ଜ୍ଞାନଗରିମା ସବୁ ମୁଁ ଜାଣିଛି ।

ରାବଣର ଏ କଥା ଶୁଣି ଅଙ୍ଗଦ କ୍ରୋଧ ସମ୍ଭାଳି ନ ପାରି କହିଲେ–ଅସମ୍ଭାଳ ହୋଇ କଥା କୁହନାହିଁ । ତୁ କାହାକୁ ମନୁଷ୍ୟ ବୋଲି କହୁଛୁ ? ଯେଉଁ ପର୍ଶୁରାମ ସହସ୍ରବାହୁର ଗର୍ବ ଚୂର୍ଣ୍ଣ କରିଛି ଏବଂ ଅଗଣିତ ରାଜା ମହାରାଜା ଯେଉଁ ପରଶୁଧାରରେ ପ୍ରାଣ ଦେଇଛନ୍ତି, ସେହି ପର୍ଶୁରାମଙ୍କର ଗର୍ବ ଯାହାଙ୍କର ଦର୍ଶନମାତ୍ରେ ଅନ୍ତର୍ହିତ ହେଲା ତୁ ତାହାଙ୍କୁ ସାଧାରଣ ମନୁଷ୍ୟ କହୁଛୁ-। ଶ୍ରୀରାମଚନ୍ଦ୍ରଙ୍କୁ ମନୁଷ୍ୟ କାମଦେବଙ୍କୁ ଧନୁର୍ଦ୍ଧାରୀ, ଗଙ୍ଗାଙ୍କୁ ନଦୀ ଏବଂ କାମଧେନୁଙ୍କୁ କ’ଣ ପଶୁ ଆଖ୍ୟା ଦିଆଯାଏ ? କଳ୍ପତରୁକୁ ବୃକ୍ଷ, ଗରୁଡ଼କୁ ପକ୍ଷୀ, ଅନନ୍ତଙ୍କୁ ସର୍ପ ଓ ଚିନ୍ତାମଣିଙ୍କୁ କଣ ପଥର ବୋଲି କୁହାଯାଏ ? ସୈନ୍ୟସାମନ୍ତ ସହ ତୋର ଅଭିମାନକୁ ମନ୍ଥନ କରି, ଅଶୋକବନକୁ ଧ୍ଵସ୍ତବିଧ୍ଵସ୍ତପୂର୍ବକ ଲଙ୍କାନଗରୀକୁ ଦଗ୍‌ଧିଭୂତ କରି ଏବଂ ତୋର ପୁତ୍ରମାନଙ୍କୁ ନିହତ କରି ଯେଉଁ ବାନର ପ୍ରତ୍ୟାବର୍ତ୍ତନ କଲା ଏବଂ ତୁ ତାର କିଛି କ୍ଷତି କରିପାରିଲୁ ନାହିଁ, ତୁ ତାହାକୁ ବାନର ନାମରେ ଅଭିହିତ କରୁଛୁ ? କୃପାଳୁ ରଘୁନାଥଙ୍କୁ ତୁ ଭଜନ କରୁନାହୁଁ । ଜାଣିଥାଅ, ତୁ ତାଙ୍କର ଶତ୍ରୁ ହେଲେ ତୋତେ ରୁଦ୍ର, ବ୍ରହ୍ମା କେହି ରକ୍ଷାକରି ପାରିବେ ନାହିଁ । ଶ୍ରୀରାମଙ୍କ ସହିତ ଶତ୍ରୁତା କଲେ ସେହି ଶ୍ରୀରାମଙ୍କ ବାଣରେ ତୋର ମସ୍ତକଗୁଡ଼ିକ ବାନରମାନଙ୍କ ସମ୍ମୁଖରେ ଭୁଲୁଣ୍ଠିତ ହେବ । ଭଲ୍ଲୁକ ବାନର ସୈନିକମାନେ ତୋର ସେ ମସ୍ତକଗୁଡ଼ିକୁ ନେଇ କନ୍ଦୁକ କରି ଖେଳିବେ । ସେତେବେଳେ ତୋର ଏ ଚଞ୍ଚକତା ଚଳିବ ତ ?

ରାବଣ କ୍ରୋଧରେ ପ୍ରଜ୍ଵଳିତ ହେଲେ । ସେ ପୁଣି ଅଙ୍ଗଦଙ୍କୁ କହିଲେ, ଆରେ ଅଙ୍ଗଦ, ମୋର କନିଷ୍ଠ କୁମ୍ଭକର୍ଣ୍ଣ, ଇନ୍ଦ୍ର-ଶତ୍ରୁ, ମେଘନାଦ ମୋର ପୁତ୍ର । ତୁ ମୋର ପରାକ୍ରମ ଶୁଣିନାହୁଁ । ଏ ଜଗତରେ ଯେତେ ଜଡ଼ ଓ ଚେତନ ଅଛନ୍ତି ସମସ୍ତେ ମୋର ଅଧୀନ । ବାନରମାନଙ୍କ ସହାୟତାରେ ତୋର ପ୍ରଭୁ ରାମଚନ୍ଦ୍ର ସମୁଦ୍ରରେ ଗୋଟାଏ ବନ୍ଧ ବାନ୍ଧିଦେଇଛି, ଏଇ ତାର ପ୍ରଭୁପଣ ! ଅନେକ ପକ୍ଷୀ ସମୁଦ୍ରକୁ ଲଂଘନ କରିପାରନ୍ତି, ସେଥିପାଇଁ ସେମାନଙ୍କୁ କଣ ସୁରବୀର କୁହାଯିବ ? ମୋର ଗୋଟିଏ ଗୋଟିଏ ବାହୁରୂପୀ ସମୁଦ୍ରରେ ବଳରୂପୀ ଜଳ ପୂର୍ଣ୍ଣ ହୋଇଅଛି । ସେ ଜଳରେ କେତେ ଶୂର, କେତେ ଦେବତା ମଗ୍ନ ହୋଇଛନ୍ତି । ଏପରି କିଏ ଶୂର ଅଛି, ଯେ ମୋର ଏ ଅପାର, ଅଗାଧ ବଂଶସମୁଦ୍ର ଅତିକ୍ରମ କରି ପାରିବ ? ଦିଗପାଳମାନଙ୍କ ଦ୍ଵାରା ମୁଁ ଏ ଜଳ ପୂର୍ଣ୍ଣ କରାଇଛି । ତୁ ଜଣେ ରାଜାଙ୍କର ଯଶ ମୋ ସମ୍ମୁଖରେ ଗାନ କରୁଛୁ ? ତୋର ପ୍ରଭୁ ଯଦି ଉପଯୁକ୍ତ ଯୋଦ୍ଧା ହୋଇଥାଏ ତେବେ ସେ ଦୂତ ପଠାଉଛି କାହିଁକି ? ଶତ୍ରୁ ସହିତ ବନ୍ଧୁପଣ କରିବାକୁ ଚେଷ୍ଟା କରୁଛି, ତାକୁ ଲଜ୍ଜା ଆସୁନାହିଁ ? ସ୍ଵହସ୍ତରେ ସମସ୍ତକ ଛେଦନ କରି କରି ଆନନ୍ଦରେ ହୋମକୁଣ୍ଡରେ ରାବଣ ପରି କେହି ସୁର ବା ବୀର ଆହୁତି ଦେଇଥିବାର ଜାଣିଛୁ ? ନିଜେ ଗୌରୀପତି ଶିବ ଏ ଘଟନାର ସାକ୍ଷୀ । ହୋମକୁଣ୍ଡରେ ଆହୁତ ମସ୍ତକ ଗୁଡ଼ିକ ଦଗ୍‌ଧ ହେଉଥିଲା ବେଳେ ମୁଁ ମୋର ଲଲାଟ ଉପରେ ବିଧିଲିଖିତ ଅକ୍ଷରସମୂହ ଦେଖିଛ, ସେଥିରେ ଲେଖାଥିଲା ମନୁଷ୍ୟ ହାତରେ ମୋର ମୃତ୍ୟୁ ହେବ । ବିଧାତାର ଏ ଲିଖନ ନିତାନ୍ତ ମିଥ୍ୟା, ଏକଥା ଦେଖି ମୋତେ ହସ ମାଡ଼ିଲା । ମୋର ମନେହୁଏ ବୃଦ୍ଧ ବ୍ରହ୍ମାଙ୍କର ବୁଦ୍ଧି ଭ୍ରମ ଘଟିଛି; ତେଣୁ ସେ ଏପରି ଲେଖିଦେଇଛନ୍ତି । ତୁ ମୋ ସମ୍ମୁଖରେ ବାରମ୍ବାର ଅନ୍ୟ ବୀରମାନଙ୍କର ପରାକ୍ରମ କଥା କଣ ବଖାଣୁଛୁ ?

ଅଙ୍ଗଦ କହିଲେ, ତୋ ପରି ନିର୍ଲଜ୍ଜ ଜଗତରେ କେହି ନାହାନ୍ତି । ନିର୍ଲଜ୍ଜତା ତୋର ସ୍ଵଭାବ ଗୁଣ । ନିଜ ମୁଖରେ ତୁ ନିଜର ଗୁଣସବୁ ବର୍ଣ୍ଣନା କରୁଛୁ କିପରି ? ତୁ ସେହି ମସ୍ତକ କର୍ତ୍ତନ ଏବଂ କୈଳାସ ଉତ୍ତୋଳନ ଘଟଣା ବାରମ୍ବାର ବିଂଶବାର କହିଲୁଣି । ମସ୍ତକ କର୍ତ୍ତନ କରି କେହି ଶୂରବୀର ହୋଇପାରେ ? ଐନ୍ଦ୍ରଜାଲିକାକୁ କଣ ବୀର କୁହାଯାଏ ? ସେମାନେ ସ୍ଵହସ୍ତରେ ନିଜ ଶରୀର କର୍ତ୍ତନ କରନ୍ତି । ବାକ୍ୟ ବ୍ୟକ୍ତବେଳେ ବିଚାରବନ୍ତ ଭାବରେ ବ୍ୟକ୍ତ କରିବା ଉଚିତ । ପତଙ୍ଗମାନେ ଅଗ୍ନିର ଆଲୋକରେ ମୋହିତ ହୋଇ ଅଗ୍ନିରେ ଝାସ ଦିଅନ୍ତି । ଗର୍ଦ୍ଦଭମାନେ ଭାରବହନ କରି ଚାଲିଥାନ୍ତି । ସେଥିପାଇଁ ସେମାନଙ୍କୁ କଣ ଶୂରବୀର କୁହାଯିବ ?

ମୋ କଥା ମନଦେଇ ଶୁଣ, ଅଭିମାନ ତ୍ୟାଗକର । ମୁଁ ଦୂତଭାବରେ ଆସିନାହିଁ । ଶ୍ରୀରଘୁନାଥ ଅନେକ ବିଚାର କରି ମୋତେ ପ୍ରେରଣପୂର୍ବକ ସମ୍ବାଦ ଦେଇଛନ୍ତି । ଶୃଗାଳକୁ ହତ୍ୟାକଲେ ସିଂହର ଯଶ ବଢ଼େନାହିଁ । ଆରେ ମୂର୍ଖ ! ପ୍ରଭୁଙ୍କ ବଚନ ସ୍ମରଣ କରି ତୋର ସମସ୍ତ କଠୋର କଥା ମୁଁ ସହ୍ୟ କରି ଯାଉଛି । ମୁଁ ତ ତୋର ମସ୍ତକ ଭଗ୍ନକରି ସୀତାଙ୍କୁ ଅକ୍ଳେଶରେ ବଳପୂର୍ବକ ଶ୍ରୀରାମଙ୍କ ନିକଟକୁ ଘେନିଯାନ୍ତି । ତୁ ଯେତେବେଳେ ପରର ସ୍ତ୍ରୀକୁ ହରଣ କରି ଆଣିଛୁ, ସେହି କାର୍ଯ୍ୟରୁ ତୋର ବଳ ସବୁ ଜଣାପଡ଼ିଯାଇଛି, ତୁ ରାକ୍ଷସମାନଙ୍କର ରାଜା; କିନ୍ତୁ ମୁଁ ଶ୍ରୀରଘୁନାଥଙ୍କର ସେବକ ଏବଂ ସୁଗ୍ରୀବଙ୍କର ଦୂତ । ଶ୍ରୀରାମଙ୍କର ଅପମାନକୁ ମୋର ଯଦି ଡର ନ ଥାନ୍ତା ତାହାହେଲେ ମୁଁ କ’ଣ କରନ୍ତି ଜାଣିଛୁ । ଏଇଠାରେ ତୋର ସମ୍ମୁଖରେ ଏପରି କୌତୁକ ଖେଳନ୍ତି ଯେ ତୋତେ ଭୁଲୁଣ୍ଠିତ କରି ତୋର ସୈନ୍ୟସାମନ୍ତ ସମସ୍ତଙ୍କୁ ସଂହାର କରିପକାନ୍ତି । ଲଙ୍କାକୁ ନଷ୍ଟଭ୍ରଷ୍ଟ କରି ତୋର ଯୁବତୀ ସ୍ତ୍ରୀମାନଙ୍କ ସହିତ ଜାନକୀଙ୍କୁ ନେଇଯାନ୍ତି । ମୁଁ ଏକଥା କଲେ ସେଥିରେ ମୋର କୈଣସି ମହତ ପ୍ରକାଶିତ ହେବନାହିଁ । ମୃତ ବ୍ୟକ୍ତିକୁ ନିହତ କଲେ ସେଥିରେ କିଛି ସାହସିକତା ପ୍ରକାଶ ପାଏ କି ? ଜାଣିଥାଅ–ବାମମାର୍ଗୀ, ଲୋଭୀ, କାମୀ, ଦରିଦ୍ର, ମୂର୍ଖ, ବୃଦ୍ଧ, ରୋଗୀ, ବୃଦ୍ଧ, ବିଷ୍ଣୁବିମୁଖ ଓ ପରନିନ୍ଦୁକ ବ୍ୟକ୍ତିମାନେ ମହାନ୍ ପାପୀ ଅଟନ୍ତି । ଏମାନଙ୍କୁ ଜୀବିତ ଅବସ୍ଥାରେ ମଧ୍ୟ ମୁର୍ଦ୍ଦାର ବୋଲି କୁହାଯାଏ । ମୁଁ ତୋତେ ହତ୍ୟାକରିବି ନାହିଁ; କିନ୍ତୁ ତୁ କ୍ରୁଦ୍ଧହେବାର କୌଣସି ଆବଶ୍ୟକତା ନାହିଁ ।

 

ରାବଣ ଅଙ୍ଗଦଙ୍କର ଏ କଟୁ ବାକ୍ୟ ଶୁଣିଲାବେଳେ ଦାନ୍ତଗୁଡ଼ିକୁ କଟମଟ କରି କହିଲେ, ଆରେ ମର୍କଟ, ତୋର ମୃତ୍ୟୁ ଇଚ୍ଛା ହେଉଅଛି । ତୁ ଯାହାର ବଳ ପ୍ରଭାବ ଯୋଗୁଁ ଏସବୁ କଥା କହୁଛୁ, ତାହାର ବଳ, ପ୍ରତାପ, ବୁଦ୍ଧି କିଛି ନାହିଁ । ସେହି ରାମଙ୍କୁ ଗୁଣହୀନ ବୋଲି ଜାଣି ତା’ର ପିତା ତାହାକୁ ବନବାସ ଦଣ୍ଡ ଦେଇଛନ୍ତି । ପ୍ରଥମତଃ ବନବାସଦୁଃଖ, ଦ୍ୱିତୀୟରେ ସ୍ଵୀ-ବିରହ, ପୁଣି ତୃତୀୟରେ ତାହାକୁ ନିଶିଦିନ ରାବଣଭୟ । ତୁ ଯାହାର ବଳରେ ଏତେ ଗର୍ବ କରୁଛୁ, ରାକ୍ଷସମାନେ ସେହି ମନୁଷ୍ୟମାନଙ୍କୁ ଭୋଜନ କରନ୍ତି ।

 

ଅଙ୍ଗଦ ଶ୍ରୀରାମଙ୍କର ନିନ୍ଦା ଶୁଣି ଅତ୍ୟନ୍ତ କ୍ରୁଦ୍ଧ ହୋଇ କଟକଟ ଶବ୍ଦ କରି ନିଜର ଦୁଇ ବାହୁଦଣ୍ଡକୁ ପୃଥିବୀ ଉପରେ ପ୍ରହାର କଲେ । ପୃଥିବୀ ଥରହର ହୋଇ କମ୍ପିବାକୁ ଲାଗିଲା । ରାବଣଙ୍କ ସଭାରେ ବସିଥିବା ତାଙ୍କର ଅନୁଚରମାନେ ଭୂମି ଉପରେ କଚାଡ଼ି ହୋଇ ପଡ଼ିଲେ । ରାବଣ ପତନ ଅବସ୍ଥାରେ ନିଜକୁ ସମ୍ଭାଳି ନେଲେ; କିନ୍ତୁ ତାଙ୍କର ମୁକୁଟଗୁଡ଼ିକ ତଳେ ପଡ଼ିଗଲା । ମୁକୁଟଗୁଡ଼ିକ ପଡ଼ିଯାଉଥିବାବେଳେ ରାବଣ ସେଗୁଡ଼ିକ ଉଠାଇ ମସ୍ତକ ଉପରେ ପୁନର୍ବାର ସ୍ଥାପନ କଲେ; କିନ୍ତୁ ଆଉ କେତେଟା ମୁକୁଟକୁ ଅଙ୍ଗଦ ପଦାଘାତରେ ତାଙ୍କ ନିଜ ଶିବିର ଦିଗକୁ ଫିଙ୍ଗିଦେଲେ ।

 

ମୁକୁଟଗୁଡ଼ିକ ଆସୁଥିବାର ଦେଖି ବାନରମାନେ ଦିନରେ ଉଲ୍‌କାପାତ କିମ୍ବା କ୍ରୋଧରେ ରାବଣଙ୍କର ବଜ୍ର ନିକ୍ଷେପ ବୋଲି ଭୟ କରିବାରୁ ଶ୍ରୀରାମଚନ୍ଦ୍ର ବାନରମାନଙ୍କର ଭୟ ଦେଖି ହସି ହସି କହିଲେ–ତୁମ୍ଭେମାନେ ଭୟ କରୁଛ କାହିଁକି ? ଏହା ଉଲ୍‌କା ନୁହଁ କିମ୍ବା ଏହା ରାବଣ-ନିକ୍ଷିପ୍ତ ବଜ୍ର ନୁହଁ । ଏଗୁଡ଼ିକ ରାବଣର ମୁକୁଟ । ଅଙ୍ଗଦ ସେଗୁଡ଼ିକ ସେଠାରୁ ନିକ୍ଷେପ କରିବାରୁ ଏଠିକି ଆସୁଛି । ହନୁମାନ ଲମ୍ଫ ଦେଇ ସେଗୁଡ଼ିକ ଧରିଲେ ଏବଂ ଶ୍ରୀରାମଙ୍କ ପଦତଳେ ରଖିଦେଲେ ।

 

ତେଣେ ରାବଣ କ୍ରୋଧରେ ଅନୁଚରମାନଙ୍କୁ କହିଲେ–‘ଏ ମର୍କଟକୁ ଧର ଏବଂ ଏହାକୁ ନିହତ କର ।’ ରାବଣଙ୍କର ଏକଥା ଶୁଣି ଅଙ୍ଗଦ ହସିବାକୁ ଲାଗିଲେ । ରାବଣଙ୍କ କଥାରେ ଅସୁର ଯୋଦ୍ଧାମାନେ ଅଙ୍ଗଦଙ୍କୁ ଧରିବାକୁ ଦୌଡ଼ିବାରୁ ରାବଣ ସେମାନଙ୍କୁ କହିଲେ–ବାନରମାନଙ୍କୁ ଯେଉଁଠାରେ ପାଇବ ସେମାନଙ୍କୁ ଭୋଜନ କରିବ, ତା’ପରେ ସେ ଦୁଇଜଣ ତପସ୍ଵୀଙ୍କୁ ଜୀବନ୍ତ ମୋ ପାଖକୁ ଘେନିଆସିବ ।

 

ଅଙ୍ଗଦ ରାବଣର କଥା ଶୁଣି କହିଲେ–ଆରେ ରାବଣ, ତୁ ଆତ୍ମହତ୍ୟା କରୁନାହୁଁ ? ମୋର ବଳ ଦେଖି ତୋର ବକ୍ଷ ବିଦୀର୍ଣ୍ଣ ହେଉନାହିଁ ? ନାରୀଚୋର, ମନ୍ଦବୁଦ୍ଧି; ତୋର ସନ୍ନିପାତ ଅବସ୍ଥା ଆସିଲାଣି । ଏହାର ଫଳ ତୋ ପାଇଁ ସାଇତା ହୋଇଛି । ତୁ ଶ୍ରୀରାମଙ୍କୁ ମନୁଷ୍ୟ ବୋଲି ଗଣନା କରୁଛୁ; ତୋର ଜିହ୍ଵା ଖସିଯାଉନି ? ତୁ ଜାଣିନାହୁଁ, ଯେ ଗୋଟାଏ ବାଣରେ ବାଳୀଙ୍କର ପ୍ରାଣ ହରଣ କରିପାରିଲେ, ତୁ ତାଙ୍କୁ ମନୁଷ୍ୟ ବୋଲି କହୁଛୁ ? ବିଂଶନେତ୍ର ଥିଲେ ମଧ୍ୟ ତୁ କଣା ଅଟୁ । ତୋ ଜନ୍ମକୁ ଧିକ୍ । ଶ୍ରୀରାମଚନ୍ଦ୍ରଙ୍କ ବାଣଗୁଡ଼ିକ ତୋର ରକ୍ତ ପାନ କରିବାପାଇଁ ବ୍ୟାକୁଳ ହେଲେଣି । ମୁଁ ତୋର ଦାନ୍ତଗୁଡ଼ିକ ଭାଙ୍ଗିଦିଅନ୍ତି; କିନ୍ତୁ କ’ଣ କରିବି ? ଶ୍ରୀରାମ ମୋତେ ସେ ଆଦେଶ ଦେଇନାହାନ୍ତି । ମୋର ଏପରି କ୍ରୋଧ ଆସୁଛି ଯେ ତୋର ଦଶଟାଯାକ ମସ୍ତକ ଶରୀରରୁ ବିଚ୍ଛିନ୍ନ କରି ତୋର ଏ ଲଙ୍କାପୁରୀକୁ ସମୁଦ୍ର ମଧ୍ୟରେ ନିକ୍ଷେପ କରନ୍ତି । ଏ ଲଙ୍କାପୁରୀ ସଦୃଶ ଉଦୁମ୍ବର ଫଳ ମଧ୍ୟରେ ତୁମେ ସବୁ ଜୀବାଣୁମାନେ ନିର୍ଭୟରେ ରହିଛ । ମୁଁ ବାନର, ମୋତେ ଏ ଫଳ ଭକ୍ଷଣ କରିବାପାଇଁ କଣ ବେଶି ସମୟ ଲାଗନ୍ତା କି ? କିନ୍ତୁ ଶ୍ରୀରାମଙ୍କର ସେପରି ଆଜ୍ଞା ନାହିଁ ।

 

ରାବଣ ହସି ହସି କହିଲେ–ଆରେ ମର୍କଟ, ତୁ ଏ ମିଥ୍ୟା କେଉଁଠୁଁ ଶିଖିଲୁ ? ବାଳୀ ତ ଏପରି ମିଥ୍ୟାବାଦୀ ନଥିଲା ! ଜଣାପଡ଼ୁଛି ସେ ତପସ୍ଵୀମାନଙ୍କ ସହିତ ମିଶି ତୁ ଏପରି ମିଥ୍ୟା ଶିଖିଛୁ-

 

ଅଙ୍ଗଦ କହିଲେ, ‘ରାବଣ, ଯଦି ତୋର ଦଶ ଜିହ୍ଵା ମୁଁ ଉତ୍ପାଟନ ନ କରିପାରିବି ତେବେ ମୁଁ ମିଥ୍ୟାବାଦୀ ହେବି ।’ ଅଙ୍ଗଦ କ୍ରୋଧରେ ଏହିପରି ପଣ କରି ଦୁଇଟି ପାଦ ଉପରେ ଭରା ଦେଇ ଯୁଦ୍ଧଭଙ୍ଗୀରେ ଦଣ୍ଡାୟମାନ ହେଲେ ଏବଂ କହିଲେ, ‘ଦେଖ ରାବଣ, ମୁଁ ଯେଉଁଠାରେ ଏ ମୋର ଦୁଇପାଦ ସ୍ଥାପନ କରିଅଛି ସେଠାରୁ ତୁ ଯଦି ଏହାକୁ ସ୍ଥାନାନ୍ତରିତ କରିଦେଇପାରିବୁ ତାହାହେଲେ ଶ୍ରୀରାମ ପ୍ରତ୍ୟାବର୍ତ୍ତନ କରିବେ ଏବଂ ମୁଁ ସୀତାଙ୍କୁ ହାରିଯିବି ।’

 

ରାବଣ ବୀରମାନଙ୍କୁ ଆଦେଶ ଦେଇ କହିଲେ, ‘ହେ ମୋର ବୀର ରାକ୍ଷସମାନେ, ସମସ୍ତେ ଶୁଣ । ଏ ମର୍କଟର ପାଦକୁ ଧରି ପୃଥିବୀ ଉପରେ କଚାଡ଼ିଦିଅ ।’ ରାବଣଙ୍କ ଆଦେଶରେ ଇନ୍ଦ୍ରଜିତ ଆଦି ବଳବାନ୍ ଯୋଦ୍ଧାମାନେ ଆନନ୍ଦରେ ଦୌଡ଼ିଆସିଲେ । ସମସ୍ତେ ପାଦକୁ ଧରି ଉଠାଇବାକୁ ବସିଲେ; କିନ୍ତୁ ପାଦ ଟଳିଲା ନାହିଁ । ବୀର ଯୋଦ୍ଧାମାନେ ମସ୍ତକ ଅବନତ କରି ଫେରିଯାଇ ନିଜ ସ୍ଥାନରେ ବସିଲେ । ମେଘନାଦ ପରି ଅସଂଖ୍ୟ ଯୋଦ୍ଧା ବାରମ୍ବାର ଦୌଡ଼ିଲେ; କିନ୍ତୁ ଅଙ୍ଗଦଙ୍କର ଚରଣକୁ ସାମାନ୍ୟ ଇତସ୍ତତଃ କରିପାରିଲେ ନାହିଁ । ଅଙ୍ଗଦ ବାରମ୍ବାର ହୁଙ୍କାର କରି ଗର୍ଜନ କରିବାକୁ ଲାଗିଲେ । ଶେଷରେ ରାବଣ ସ୍ଵୟଂ ଉଠିଲେ । ରାବଣ ଯେତେବେଳେ ଅଙ୍ଗଦଙ୍କର ଚରଣ ଧରି ଟଳାଇପାରିଲେ ନାହିଁ, ଅଙ୍ଗଦ ହସି ହସି କହିଲେ, ‘ରାବଣ, ମୋର ପାଦ ଧରିଲେ ମଧ୍ୟ ତୋର ନିସ୍ତାର ନାହିଁ । ତୁ ଯାଇ ଶ୍ରୀରାମଙ୍କର ଚରଣ କାହିଁକି ନ ଧରୁଛୁ ?’ ରାବଣ ଅଙ୍ଗଦାଠାରୁ ଏପରି କଥା ଶୁଣି ଅତିଶୟ ଲଜ୍ଜିତ ହୋଇ ଫେରିଗଲେ ।

 

ଅଙ୍ଗଦ ରାବଣଙ୍କୁ ନାନା ନୀତିବାକ୍ୟ କହି ବୁଝାଇବାକୁ ବସିଲେ; କିନ୍ତୁ ରାବଣ କିଛି ଶୁଣିଲେ ନାହିଁ । ଶେଷରେ ପ୍ରତ୍ୟାବର୍ତ୍ତନ କାଳରେ କହିଲେ–ରାବଣ, ରଣଭୂମିରେ ତୋତେ ଖେଳେଇ ଖେଳେଇ ନ ମାରିବା ପର୍ଯ୍ୟନ୍ତ ମୁଁ ମୋର ବଡ଼ିମା ପ୍ରଦର୍ଶନ କରିବି କାହିଁକି ?

 

ଅଙ୍ଗଦ ଲଙ୍କାପୁରୀରେ ପହଞ୍ଚିବାବେଳେ ରାବଣଙ୍କର ଏକ ପୁତ୍ରକୁ ନିହତ କରିଥିଲେ । ରାବଣ ଏକଥା ଶୁଣି ବଡ଼ ଦୁଃଖିତ ହେଲେ । ବାଳୀପୁତ୍ର ଅଙ୍ଗଦ ରାକ୍ଷସମାନଙ୍କ ମଧ୍ୟରେ ଭୟ ସୃଷ୍ଟିକରାଇ ଫେରିଗଲେ ।

 

ସଂଧ୍ୟାହେବାରୁ ରାବଣ ମନ୍ଦୋଦରୀଙ୍କ ପାଖକୁ ଯିବାରୁ ରାଣୀ ଲଙ୍କେଶଙ୍କୁ କହିଲେ–ହେ ପ୍ରିୟତମ ! କୁବୁଦ୍ଧି ତ୍ୟାଗ କର । ତୁମେ ଜାଣିଛ ଶ୍ରୀରାମଙ୍କର କନିଷ୍ଠଭ୍ରାତା ତିନିଗୋଟି କ୍ଷୁଦ୍ରରେଖା ପଞ୍ଚବଟୀ କୁଟୀର ସମ୍ମୁଖରେ ଆଙ୍କି ଦେଇଥିଲେ; ତୁମେ ତାହାକୁ ଲଙ୍ଘନ କରି ପାରିନଥିଲ । ତୁମର ପୁରୁଷତ୍ଵ ମୋତେ ଜଣାଅଛି । ତୁମେ ସେମାନଙ୍କୁ ଏବେ ଯୁଦ୍ଧରେ ଜୟ କରିବ ବୋଲି ଭାବୁଛ ? ଗୋଟାଏ ବାନର ଲଙ୍କା ଦଗ୍‌ଧ କରିଦେଲା, ଅଶୋକବନକୁ ବିଧ୍ଵସ୍ତ କଲା, ପୁତ୍ର ଅକ୍ଷୟକୁମାରକୁ ନିହତ କଲା । ତୁମର ଏ ବଳ-ଗରିମା ସେତେବେଳେ କେଉଁଠି ଥିଲା ? ମୋ କଥାଗୁଡ଼ିକୁ ଟିକିଏ ବିଚାର କର । ଶ୍ରୀରାମଙ୍କୁ ରାଜା ବୋଲି ବିଚାର ନାହିଁ । ଶ୍ରୀରାମଙ୍କ ବାଣର ପ୍ରତାପ ମାରୀଚ ମଧ୍ୟ ଜାଣି ତୁମକୁ ସତର୍କ କରିଦେଲା; ତୁମେ ଶୁଣିଲ ନାହିଁ । ଜନକଙ୍କ ସଭାରୁ ଅଗଣିତ ରାଜ୍ୟନ୍ୟଗଣଙ୍କ ସମ୍ମୁଖରେ ତୁମେ ତୁମର ପ୍ରତାପ ପ୍ରଦର୍ଶନ କରିବାକୁ ଯାଇଥିଲ । ସେଠାରେ ଶ୍ରୀରାମ ଶିବଧନୁ ଭଗ୍ନ କଲାବେଳେ ତ ତୁମେ ତାଙ୍କ ସହିତ ଯୁଦ୍ଧ କଲନାହିଁ । ଇନ୍ଦ୍ରଙ୍କ ପୁତ୍ର ଜୟନ୍ତଙ୍କୁ ଧରି ଶ୍ରୀରାମ ତାହାଙ୍କର ଚକ୍ଷୁ ଫୁଟାଇ ଛାଡ଼ିଦେଲେ । ସୂର୍ପଣଖାର ଦଶା ତୁମେ ସ୍ଵଚକ୍ଷୁରେ ଦେଖିଛ । ବିରାଧ ଖର ଦୂଷଣ ଓ କବନ୍ଧ ସମସ୍ତଙ୍କୁ ସେ ନିହତ କରିଛନ୍ତି । ବାଳୀଙ୍କୁ ଗୋଟିଏ ବାଣରେ ସେ ବଧକଲେ । ବର୍ତ୍ତମାନ ଅନାୟାସରେ ସମୁଦ୍ରରେ ସେତୁ ବାନ୍ଧି ସେ ସୁବେଳ ପର୍ବତ ଉପରେ ପହଞ୍ଚିଲେଣି । ତୁମର ହିତାର୍ଥେ ସେ ଦୂତ ପ୍ରେରଣ କରିଥିଲେ । ସେ ରାକ୍ଷସକୁଳକୁ ସଭାମଧ୍ୟରେ ଲଜ୍ଜିତ କଲା, ତାହା ଦେଖିଲ । ତୁମେ ସେହି ରାମଚନ୍ଦ୍ରଙ୍କୁ ମନୁଷ୍ୟ ବୋଲି ବାରମ୍ବାର କହୁଛ । ତୁମେ କେବଳ ଗର୍ବ ଓ ମମତାର ଭାର ବହନ କରିଛ; କିନ୍ତୁ ସାମାନ୍ୟ ଜ୍ଞାନ ଉତ୍ପନ୍ନ ହେଉନାହିଁ । କାଳ କାହାରିକୁ ଯଷ୍ଟିଦ୍ଵାରା ପ୍ରହାର କରେ ନାହିଁ । ସେ କେବଳ ମନୁଷ୍ୟର ଧର୍ମ, ବଳ, ବୁଦ୍ଧି ଓ ବିଚାରକୁ ନଷ୍ଟ କରିଦିଏ । ମୃତ୍ୟୁ ସନ୍ନିକଟ ହେଲେ ମନରେ ତୁମରି ପରି ନାନା ପ୍ରକାର ଭ୍ରମ ଉତ୍ପନ୍ନ ହୁଏ । ଦୁଇପୁତ୍ର ମୃତ୍ୟୁବରଣ କଲେ, ନଗର ଭସ୍ମସାତ୍ ହେଲା; ତଥାପି ତୁମର ବୁଦ୍ଧି ଜାତ ହେଉନାହିଁ । ହେ ନାଥ, ଶ୍ରୀରାମଙ୍କର ନିର୍ମଳ ଯଶ ଭଜନ କର ।

 

ପତ୍ନୀଙ୍କର ବାଣ ସଦୃଶ ଏ କଠୋର ବଚନ ଶୁଣି ରାବଣ କିଛି ନ କହି ସକାଳ ହେଉ ହେଉ ସଭାସ୍ଥଳୀକୁ ଚାଲିଗଲେ । ଅଭିମାନପୂର୍ଣ୍ଣ ହୃଦୟରେ ସିଂହାସନରେ ବସିଲେ ।

Image

 

ଯୁଦ୍ଧାରମ୍ଭ

 

ରାବଣପୁରରୁ ପ୍ରତ୍ୟାବର୍ତ୍ତନ କରି ଅଙ୍ଗଦ ସୁବେଳ ପର୍ବତ ଉପରକୁ ଗଲେ । ଶ୍ରୀରାମଙ୍କ ଚରଣପଦ୍ମରେ ମସ୍ତକ ଅବନତ କଲେ । ଶ୍ରୀରାମ ପଚାରିଲେ, ‘ତୁମେ ରାବଣକୁ କିପରି ଭାବରେ ଦେଖିଲ; ତୁମେ ରାବଣର ମୁକୁଟଗୁଡ଼ିକ କାହିଁକି ଏପରି ନିକ୍ଷେପ କରିଥିଲ ?’

 

ଅଙ୍ଗଦ କହିଲେ, ‘ରାବଣ ବର୍ତ୍ତମାନ କାଳର ବଶ । ରାବଣଙ୍କର ଯେଉଁ ମୁକୁଟଗୁଡ଼ିକ ଆସି ଆପଣଙ୍କ ସମ୍ମୁଖରେ ପତିତ ହେଲେ ସେ ଚାରିଗୋଟି ମୁକୁଟ ନୁହଁ, ସେଗୁଡ଼ିକ ଚାରି ଗୋଟି ମହତ୍‌ଗୁଣ–ସାମ, ଦାନ, ଦଣ୍ଡ ଓ ଭେଦ । କିନ୍ତୁ ରାବଣ ଧର୍ମହୀନ ଏବଂ ଶ୍ରୀରାମବିମୁଖ ହୋଇଥିବାରୁ ସେସବୁ ଗୁଣଗୁଡ଼ିକ ରାବଣକୁ ତ୍ୟାଗକରି ବର୍ତ୍ତମାନ ଆପଣଙ୍କ ପାଖକୁ ଆସିଅଛି ।’ ତା’ପରେ ଅଙ୍ଗଦ ଲଙ୍କାରେ ଘଟିଥିବା ସମସ୍ତ ଘଟଣା ଏବଂ ତାଙ୍କର ରାବଣଙ୍କ ସହିତ ସମସ୍ତ କଥାବାର୍ତ୍ତା ବର୍ଣ୍ଣନା କଲେ ।

 

ଅଙ୍ଗଦଙ୍କଠାରୁ ସମସ୍ତ ଘଟଣା ଶୁଣି ଶ୍ରୀରାମଚନ୍ଦ୍ର ମନ୍ତ୍ରୀମାନଙ୍କୁ ଡାକିଲେ ଏବଂ ସେମାନଙ୍କୁ କହିଲେ, ‘ଲଙ୍କାରେ ଥିବା ଚାରିଗୋଟି ବିକଟ ପ୍ରବେଶଦ୍ଵାରକୁ କିପରି ଆକ୍ରମଣ କରାଯିବ ତାହା ବର୍ତ୍ତମାନ ବିଚାରକର ।’ ସୁଗ୍ରୀବ, ଜାମ୍ବବାନ ଓ ବିଭୀଷଣଙ୍କୁ ଆଦେଶ ଦେଇ କହିଲେ, ‘ବାନରମାନଙ୍କୁ ଚାରିଗୋଟି ଦଳରେ ବିଭକ୍ତ କର । ପ୍ରତ୍ୟେକ ବିଭାଗରେ ଜଣେ ଜଣେ ଉପଯୁକ୍ତ ସେନାପତିଙ୍କୁ ନିଯୁକ୍ତ କର ।’ ଶ୍ରୀରାମଙ୍କର ଆଦେଶ ଶୁଣି ବାନରମାନେ ଶ୍ରୀରାମଙ୍କ ଚରଣରେ ମସ୍ତକ ଅବନତ କରି ହୁଁ କାର ଦେବାକୁ ଲାଗିଲେ । ‘କୌଶଳରାଜ ଶ୍ରୀରଘୁନାଥଙ୍କର ଜୟ ହେଉ’ ଧ୍ୱନି ଆକାଶ ଝଂକୃତ କଲା । ଲଙ୍କାରେ ମହା କୋଳାହଳ ଜାତ ହେଲା ।

 

ରାବଣ ଏ କୋଳାହଳ ଶୁଣିପାରିଲେ । ସେ ଅଟ୍ଟହାସ୍ୟ କରି ରାକ୍ଷସ ସେନାପତିମାନଙ୍କୁ କହିଲେ, ‘ଏ ମର୍କଟଗୁଡ଼ିକ କାଳର ପ୍ରେରଣାରେ ବର୍ତ୍ତମାନ ପେରିତ । ମୋର ରାକ୍ଷସସୈନ୍ୟମାନେ ବର୍ତ୍ତମାନ କ୍ଷୁଧାର୍ତ୍ତ । ବିଧାତା ସେମାନଙ୍କ ନିମନ୍ତେ ଗୃହ ମଧ୍ୟକୁ ଭୋଜନ ପ୍ରେରଣ କରିଅଛନ୍ତି । ହେ ରାକ୍ଷସ ସୈନିକବୃନ୍ଦ ! ତୁମ୍ଭେମାନେ ବର୍ତ୍ତମାନ ଚତୁର୍ଦ୍ଦିଗରେ ଥିବା ଭଲ୍ଲୁକ ଓ ବାନରମାନଙ୍କୁ ନିହତକରି କ୍ଷୁଧା ଦୂରକର ।’ ରାବଣଙ୍କର ଆଜ୍ଞା ପାଇବାମାତ୍ରେ ସୈନିକମାନେ ବର୍ଚ୍ଛା, ତୋମର, ମୁଦ୍‌ଗର, କୁଠାର, ଶୂଳ, ପରିଘ ପ୍ରଭୃତି ଅସ୍ତ୍ରଶସ୍ତ୍ର ଧରି ବାହାରିଲେ । କେତେକ ବିଶାଳ ପାହାଡ଼ଖଣ୍ଡ ଧରିଲେ । ଢୋଲ, ଢକ୍‌କା ଆଦି ବୀରବାଦ୍ୟ ବାଜିଉଠିଲା । ଯୁଦ୍ଧବାଦ୍ୟର ଧ୍ୱନି ବୀରମାନଙ୍କୁ ଯୁଦ୍ଧପ୍ରେରଣା ଦେଲା ।

 

ତେଣେ ଭଲ୍ଲୁକ ଓ ବାନରମାନେ ସୁବେଳ ପର୍ବତ ଉପରୁ ଲଙ୍କାପୁରୀ ଉପରକୁ ଆକ୍ରମଣ କଲେ । ପର୍ବତର ବନ୍ଧୁର, ବିକଟ ସ୍ଥଳଗୁଡିକୁ ନ ମାନି ସେମାନେ ପର୍ବତକୁ କାଟି ମାର୍ଗ ନିର୍ମାଣରେ ଲାଗିଛନ୍ତି । ଯୋଦ୍ଧାମାନଙ୍କର ବିକଟ ଧ୍ୱନି ଆକାଶକୁ ପ୍ରକମ୍ପିତ କରୁଛି । ଏକ ପକ୍ଷରେ ‘ଶ୍ରୀରାମ ଜୟ ଜୟ’ ଏବଂ ଅନ୍ୟ ପକ୍ଷରୁ ରାବଣଙ୍କର ଜୟ ଧ୍ୱନି ଉଠୁଛି । ପ୍ରଚଣ୍ଡ ବାନର ଓ ଭଲ୍ଲୁକମାନେ ପର୍ବତଖଣ୍ଡ ସବୁ ହାତରେ ଧରି ଲଙ୍କାଗଡ଼ ଉପରକୁ ନିକ୍ଷେପ କରିବାକୁ ଲାଗିଲେ । ସେମାନେ ରାକ୍ଷସମାନଙ୍କ ଉପରକୁ ପର୍ବତଖଣ୍ଡମାନ କେତେବେଳେ ନିକ୍ଷେପ କରୁଥାନ୍ତି ଏବଂ ରାକ୍ଷସମାନଙ୍କୁ ନିକଟରେ ପାଇଲେ ସେମାନଙ୍କର ଗୋଡ଼ ଧରି ପୃଥିବୀ ଉପରେ କଚାଡ଼ି ଦେଉଥାନ୍ତି । ରାବଣଙ୍କ ଗଡ଼ ଉପରେ କେତେକ ବାନର ଚଢ଼ି କିଏ କେଉଁ ମହଲ ମଧ୍ୟରେ ପଶିଯାଉଥାନ୍ତି ଏବଂ ରାକ୍ଷସ ପାଇଲେ ସେମାନଙ୍କୁ ଧରି ଉଠାଇ ଦୌଡ଼ୁଥାନ୍ତି । କେତେବେଳେ ଓ ବାନର ଯୋଦ୍ଧାମାନଙ୍କ ମଧ୍ୟରେ ପରସ୍ପର ଦ୍ଵନ୍ଦଯୁଦ୍ଧ ଲାଗିଛି । ଲଙ୍କା ନଗରୀ ମଧ୍ୟରେ ହାହାକାର ଧ୍ୱନି ଉଠୁଛି ! ସ୍ତ୍ରୀ ଓ ବାଳକମାନେ କ୍ରନ୍ଦନ କରୁଛନ୍ତି । ଲଙ୍କାବାସୀମାନେ ରାବଣ ଉପରେ ଗାଳି ବର୍ଷଣ କରିବାରେ ଲାଗିଥାନ୍ତି ।

 

ରାକ୍ଷସସୈନ୍ୟମାନେ ବିଚଳିତ ହୋଇପଡ଼ିଥିବାର ଶୁଣି ରାବଣ କ୍ରୁଦ୍ଧ ସ୍ଵରରେ କହିଲେ, ‘ମୁଁ ଯଦି ଶୁଣେ କୌଣସି ରାକ୍ଷସ ରଣଭୂମିରୁ ଭୟରେ ପ୍ରତ୍ୟାବର୍ତ୍ତନ କରିଛି, ତାକୁ ତତକ୍ଷଣାତ୍ ମୋର ଦ୍ଵିଧାରଯୁକ୍ତ ତରବାରିରେ ହତ୍ୟା କରିବି । ମୁଁ ସମସ୍ତଙ୍କୁ ଖାଦ୍ୟପେୟ ଦେଲି, ବିଭିନ୍ନ ପ୍ରକାରର ଭୋଗ ନିମନ୍ତେ ସବୁ ଦ୍ରବ୍ୟର ଆୟୋଜନ କଲି; ବର୍ତ୍ତମାନ ରଣଭୂମିରେ ପ୍ରାଣ ତୁମର ପ୍ରିୟ ହେଲା !’ ରାବଣଙ୍କର ଏ ଉଗ୍ର ବଚନ ଶୁଣି ଯୋଦ୍ଧାମାନେ ଭୟରେ ଫେରିଲେ । ପୁନର୍ବାର ବୀରଧ୍ୱନି କରି ପରିଘ ଓ ତ୍ରିଶୂଳଦ୍ଵାରା ବାନରମାନଙ୍କୁ ଏପରି ଆକ୍ରମଣ କଲେ ଯେ ବାନରମାନେ ବ୍ୟାକୁଳ ହୋଇପଡ଼ିଲେ । ବାନରମାନଙ୍କ ମଧ୍ୟରେ ହାହାକାର ପଡ଼ିଲା । କିଏ କହିଲା–ଅଙ୍ଗଦ କାହାନ୍ତି ? ବାନରମାନେ ହନୁମାନ୍‌ଙ୍କୁ ନ ପାଇ ବ୍ୟାକୁଳ ହେଲେ । ନଳ, ନୀଳ, ଦ୍ଵିବିନ୍ଦ କିଏ କେଉଁଠାରେ ରହିଲେ କାହାରି ସହିତ କାହାରି ଭେଟ ହେଲାନାହିଁ ।

 

ହନୁମାନ୍ ଶୁଣିପାରିଲେ ଯେ ବାନରସୈନ୍ୟମାନଙ୍କ ମଧ୍ୟରେ ମହାଚିନ୍ତା ପଡ଼ିଛି । ସେ ସେତେବେଳେ ପଶ୍ଚିମ ଦ୍ଵାରରେ ଥିଲେ । ହନୁମାନ୍ ଓ ମେଘନାଦଙ୍କ ମଧ୍ୟରେ ଭୀଷଣ ଯୁଦ୍ଧ ଲାଗିଥିଲା । ପଶ୍ଚିମ ଦ୍ଵାର ଭାଙ୍ଗିବା ସହଜ ହେଉ ନ ଥିଲା । ହନୁମାନ୍ କ୍ରୋଧରେ ଗର୍ଜନ କରି ଉଛୁଳି ଉଠିଲେ ଏବଂ ଲଙ୍କାଗଡ଼ ମଧ୍ୟରେ ଆସି ଦଣ୍ଡାୟମାନ ହେଲେ । ସେ ଗୋଟାଏ ପର୍ବତଖଣ୍ଡ ଧରି ମେଘନାଦ ନିକଟକୁ ଦୌଡ଼ିଲେ । ମେଘନାଦ ଯେଉଁ ରଥ ଉପରେ ବସିଥିଲେ, ତାହାରି ଉପରେ ପର୍ବତଖଣ୍ଡ କଚାଡ଼ି ଦେବାରୁ ରଥ ଖଣ୍ଡ-ବିଖଣ୍ଡିତ ହେଲା । ସାରଥି ବିଚ୍ଛିନ୍ନ ହେବାରୁ ତାକୁ ଧରି ନିହତ କଲେ ଏବଂ ମେଘନାଦକୁ ପଦାଘାତ କଲେ । ମେଘନାଦକୁ ଅନ୍ୟ ଜଣେ ସାରଥି ନିଜ ରଥକୁ ଆଣି ନିଜ ପୁରକୁ ନେଇଗଲେ ।

 

ଏଣେ ଅଙ୍ଗଦ ଶୁଣିଲେ ଯେ ହନୁମାନ୍ ଲଙ୍କାଗଡ଼ିକୁ ଏକାକୀ ଆକ୍ରମଣ କରିଛନ୍ତି । ତେଣୁ ସେ ଏକ ଲମ୍ଫରେ ଗଡ଼ ମଧ୍ୟରେ ଉପସ୍ଥିତ ହେଲେ । ହନୁମାନ୍ ଓ ଅଙ୍ଗଦ ରାବଣଙ୍କର ପ୍ରାସାଦ ଶିଖରରେ ଚଢ଼ି ପ୍ରାସାଦ ଶିଖର ଉପରୁ କଳସ ବିଚ୍ଛିନ୍ନ କଲେ । କଳସ ବିଚ୍ଛିନ୍ନ ହେବାରୁ ପ୍ରାସାଦ ଭଗ୍ନ ହେଲା । ରାକ୍ଷସରାଜ ଏହା ଦେଖି ଭୀତ ହେଲେ । ନାରୀମାନେ ବିକଳ ହୋଇପଡ଼ିଲେ ।

 

ଅଙ୍ଗଦ ଏବଂ ହନୁମାନ୍ ଶ୍ରୀରାମଚନ୍ଦ୍ରଙ୍କର ଯଶୋଗାନ କରିବାରେ ଲାଗିଲେ । ଦୁର୍ଗ ମଧ୍ୟରେ ଥିବା ସ୍ଵର୍ଣ୍ଣସ୍ତମ୍ଭଗୁଡ଼ିକ ଦୋହଲାଇ ଦେଲେ । ପୁଣି ଶତ୍ରୁ ସୈନ୍ୟମାନଙ୍କ ମଧ୍ୟଭାଗକୁ ଲମ୍ଫଦେଇ ସେମାନଙ୍କୁ ଭୁଜଦ୍ଵାରା ମର୍ଦ୍ଦନ କରିବାକୁ ଲାଗିଲେ । କାହାରିକୁ ପଦାଘାତ କାହାରିକୁ ଚପେଟାଘାତ, କାହାରିକୁ ଅପର ରାକ୍ଷସ ଉପରେ ମର୍ଦ୍ଦନକରି ମୁଣ୍ଡଗୁଡ଼ିକୁ ଦଧିଭାଣ୍ଡପରି ଭଗ୍ନକରି ଏପରି ଭାବରେ ଫୋପାଡ଼ି ଦେଉଥିଲେ ଯେ ସେଗୁଡ଼ିକ ରାବଣଙ୍କ ସମ୍ମୁଖରେ ଯାଇ ପଡ଼ୁଥିଲା । ଯେଉଁମାନେ ଶ୍ରୀରାମଙ୍କ ସମ୍ମୁଖରେ ପଡ଼ୁଥିଲେ, ସେମାନେ ପରମଗତି ପାଉଥିଲେ । ଦୁଇଟି ମନ୍ଦରାତଳ ମହାସମୁଦ୍ରକୁ ମନ୍ଥନ କଲାପରି ଦୁଇ ବାନର ରାକ୍ଷସମାନଙ୍କୁ ବିଧ୍ଵଂସ କରିବାକୁ ଲାଗିଲେ । ସନ୍ଧ୍ୟା ହେବାରୁ ଶ୍ରାନ୍ତି ଦୂର କରିବାପାଇଁ ଦୁହେଁ ଶ୍ରୀରାମଙ୍କ ନିକଟରେ ଉପନୀତ ହେଲେ । ଶ୍ରୀରଘୁନାଥ ସେମାନଙ୍କୁ ଦେଖି ପ୍ରସନ୍ନ ହେଲେ । ଭଲ୍ଲୁକ ଓ ବାନର ସୈନିକମାନେ ହନୁମାନ୍ ଓ ଅଙ୍ଗଦଙ୍କୁ ଦେଖି ଅତ୍ୟନ୍ତ ଆନନ୍ଦିତ ହେଲେ ।

 

ସନ୍ଧ୍ୟାକାଳ ଆସିବାରୁ ରାକ୍ଷସମାନଙ୍କର ତେଜ ବର୍ଦ୍ଧିତ ହେବାକୁ ଲାଗିଲା । ସେମାନେ ବାନରମାନଙ୍କ ଉପରେ ଭୀଷଣ ଆକ୍ରମଣ ଆରମ୍ଭକଲେ । ସମାନ ସମାନ ବଳଶାଳୀ ଯୋଦ୍ଧାମାନଙ୍କ ମଧ୍ୟରେ ମଲ୍ଲଯୁଦ୍ଧ ଆରମ୍ଭ ହେଲା । ମେଘଖଣ୍ଡମାନଙ୍କ ମଧ୍ୟରେ ସଂଘର୍ଷ ଘଟିଲା ପରି ବାନର ଓ ରାକ୍ଷସ ଯୋଦ୍ଧାମାନଙ୍କ ମଧ୍ୟରେ ଦ୍ଵନ୍ଦଯୁକ୍ତ ଲାଗିଥାଏ ।

 

ରାକ୍ଷସ ସେନାପତି ଅକମ୍ପନ ଓ ଅତିକାୟ ରାକ୍ଷସ ସେନାମାନଙ୍କ ମଧ୍ୟରେ ବିଚଳିତ ଭାବ ଲକ୍ଷ୍ୟକରି ରାକ୍ଷସମାୟା ରଚନା କଲେ । ସଙ୍ଗେ ସଙ୍ଗେ ଅନ୍ଧକାର ଘୋଟିଗଲା । ହଠାତ୍ ଆକାଶମଣ୍ଡଳରୁ ରକ୍ତ, ପ୍ରସ୍ତର ଓ ଭସ୍ମ ବର୍ଷିତ ହେବାକୁ ଲାଗିଲା । ବାନରସୈନ୍ୟମାନଙ୍କ ମଧ୍ୟରେ ହାହାକାର ଧ୍ୱନି ଉଠିଲା । ଜଣେ ଅନ୍ୟ ଜଣକୁ ଦେଖି ପାରିଲେ ନାହିଁ । ଅନ୍ଧକାର ମଧ୍ୟରେ ବାନରମାନେ କେବଳ ହୁଁ କାର ଗର୍ଜନ କରିବାକୁ ଲାଗିଲେ ।

 

ଶ୍ରୀରଘୁନାଥ ଏ ଘଟଣା ଜାଣିପାରିଲେ । ସେ ଅଙ୍ଗଦ ଓ ହନୁମାନଙ୍କୁ ମାୟାରଚନା ଘଟଣା ଜଣାଇଦେବା ସଙ୍ଗେ ସଙ୍ଗେ ଦୁଇ କପି କ୍ରୋଧାନ୍ଵିତ ହୋଇ ରାକ୍ଷସମାନଙ୍କୁ ଆକ୍ରମଣ କଲାବେଳେ ଶ୍ରୀରାମ ଧନୁ ଉପରେ ଅଗ୍ନିବାଣ ବସାଇ ବାଣ ନିକ୍ଷେପ କଲେ । ଅନ୍ଧକାର ତତ୍‌କ୍ଷଣାତ୍‌ ଦୂରୀଭୂତ ହେଲା । ବାନର ଓ ଭଲ୍ଲୁକ ସୈନ୍ୟମାନେ ଗର୍ଜନ କରି ଦୌଡ଼ିଲେ । ପଳାୟମାନ ରାକ୍ଷସସୈନ୍ୟମାନଙ୍କୁ ଧରି ବାନର ଓ ଭଲ୍ଲୁକ ସୈନ୍ୟମାନେ ପୃଥିବୀ ଉପରେ କଚାଡ଼ିବାକୁ ଲାଗିଲେ । ରାତ୍ରିର ଆଗମନରେ ଶ୍ରୀରାମ ବାହିନୀ ଶିବିରକୁ ପ୍ରତ୍ୟାବର୍ତ୍ତନ କଲେ ।

 

ଲଙ୍କାର ରାଜପ୍ରାସାଦରେ ମନ୍ତ୍ରୀମାନଙ୍କୁ ଡାକି ରାବଣ ମୃତ ସେନାପତିମାନଙ୍କ ନାମ ପଚାରିଲେ । ଅର୍ଦ୍ଧେକ ସୈନ୍ୟବଳ ବିନାଶ ହୋଇଅଛି ବୋଲି ଜାଣିବାରୁ ରାବଣ ମନ୍ତ୍ରୀମାନଙ୍କୁ ବର୍ତ୍ତମାନ ପରିସ୍ଥିତିରେ ଉପାୟ ଜିଜ୍ଞାସା କଲେ । ମାଲ୍ୟବନ୍ତ ନାମରେ ଜଣେ ରାକ୍ଷସମନ୍ତ୍ରୀ କହିଲେ–ହେ ମହାରାଜା, ଯେଉଁ ଦିନଠାରୁ ଆପଣ ସୀତାଙ୍କୁ ହରଣ କରି ଆଣିଛନ୍ତି, ସେହି ଦିନଠାରୁ ଲଙ୍କାପୁରୀରେ ନାନା ବିପଦ ଶକୁନ ଦେଖାଯାଉଛି । ଭଗବାନ୍ ଶ୍ରୀରାମଚନ୍ଦ୍ରଙ୍କର ବିରୋଧକରି କେହିହେଲେ ସୁଖପୂର୍ବକ ନିଃଶ୍ଵାସ ନେଇ ପାରିବେନାହିଁ । ଆପଣ ତାଙ୍କ ସହିତ ଶତ୍ରୁତା ତ୍ୟାଗ କରନ୍ତୁ । ଜାନକୀଙ୍କୁ ପ୍ରତ୍ୟାବର୍ତ୍ତନ କରନ୍ତୁ ।

 

ମାଲ୍ୟବନ୍ତଙ୍କର ଏ ନୀତିଶିକ୍ଷା ତାଙ୍କ ଶରୀରରେ ବାଣ ଭେଦିଲା ପରି ବୋଧହେଲା । ରାବଣ ମାଲ୍ୟବନ୍ତଙ୍କୁ କହିଲେ–ହେ ମାଲ୍ୟବନ୍ତ ! ତୁମେ ଅତ୍ୟନ୍ତ ବୃଦ୍ଧ ବୋଲି ମୁଁ ଆଜି ତୁମକୁ ଅଭୟ ଦେଉଛି, ନ ହେଲେ ଏହି ମୁହୂର୍ତ୍ତରେ ତୁମ୍ଭଙ୍କୁ ବିନାଶ କରନ୍ତି । ତୁମେ ଏଣିକି ମୋ ସମ୍ମୁଖକୁ ଆସିବ ନାହିଁ ।

 

ଏତିକିବେଳେ ମେଘନାଦ ଆସି ତାଙ୍କର ଯୁଦ୍ଧର କରାମତି ବର୍ଣ୍ଣନ କଲେ ।

Image

 

ଲକ୍ଷ୍ମଣ-ଶକ୍ତିଭେଦ

 

ସକାଳ ହେବାମାତ୍ରେ ବାନରମାନେ ଲଙ୍କାଦୁର୍ଗର ଚାରିଦ୍ଵାର ଉପରେ ଏକାସମୟରେ ଆକ୍ରମଣ କଲେ । ରାକ୍ଷସମାନେ ଅସ୍ତ୍ରଶସ୍ତ୍ର ଧାରଣକରି ଯୁଦ୍ଧନିମିତ୍ତ ପ୍ରସ୍ତୁତ । ବଜ୍ରସଦୃଶ ଗୋଳାବର୍ଷଣ ଯୋଗୁଁ ପୃଥିବୀ କମ୍ପିବାକୁ ଲାଗିଲା । ପ୍ରଳୟକାଳ ପରି ପ୍ରତୀତ ହେଲା । ରାକ୍ଷସମାନଙ୍କର ଭୀଷଣ ଆକ୍ରମଣରେ ବାନରମାନେ ନିହତ ହେବାକୁ ଲାଗିଲେ । ଶରୀର ରକ୍ତରଞ୍ଜିତ ହେଉଥିଲେ ସୁଦ୍ଧା ବାନରମାନେ ପଶ୍ଚାତ୍‌ପଦ ହେଉନଥିଲେ ।

 

ମେଘନାଦ ଶୁଣିଲେ ବାନରମାନେ ଦୁର୍ଗକୁ ଘେରି ରହିଛନ୍ତି । ଏକଥା ଜାଣି ମେଘନାଦ ଢକ୍‌କା ଧ୍ୱନି କରି ଦୂର୍ଗ ମଧ୍ୟରୁ ବାହାରିପଡ଼ିଲେ । ମେଘନାଦ ଗର୍ଜନ କରି କହିଲେ–କାହିଁ ସେହି କୌଶଳର ରାଜା, କାହାନ୍ତି ସେହି ତପସ୍ଵୀ ଦୁଇଭ୍ରାତା, ସୁଗ୍ରୀବ ଅଙ୍ଗଦ ଓ ହନୁମାନ୍ କେଉଁଠାରେ ? ଭ୍ରାତୃଦ୍ରୋହୀ ବିଭୀଷଣ କାହିଁ ? ମୁଁ ଆଜି ସେ ସମସ୍ତଙ୍କୁ ଏବଂ ସେ ଦୁଷ୍ଟ ଭ୍ରାତୃବିଦ୍ଵେଷୀକୁ ବିନାଶ କରିବି ।

 

ମେଘନାଦ ଗର୍ଜନ କରି ଏକ ଉଗ୍ରବାଣ ସନ୍ଧାନ କଲେ । ସେ ବାଣ ଆକାଶରେ ଗତିକଲାବେଳେ ଅନେକ ପକ୍ଷଯୁକ୍ତ ସର୍ପ ସେଥିରୁ ନିର୍ଗତ ହୋଇ ଆକାଶ ଆଚ୍ଛାଦାନ କଲେ । ବାନରମାନେ ଯିଏ ଯେଉଁଠାରେ ଥିଲେ ସେ ସେହି ସ୍ଥାନରେ ଟଳିପଡ଼ିଲେ । ମେଘନାଦଙ୍କ ସମ୍ମୁଖକୁ କେହି ଆସିବାକୁ ସାହସ କଲେନାହିଁ । ଅନ୍ୟ ବାନର ଓ ଭଲ୍ଲୁକମାନେ ଏ ଅବସ୍ଥା ଦେଖି ଏଣେତେଣେ ଦୌଡ଼ିବାକୁ ଆରମ୍ଭ କଲେ । ଯୁଦ୍ଧଭୂମିରେ ଗୋଟିଏ ହେଲେ ପ୍ରାଣବାନ ବାନର ବା ଭଲ୍ଲୁକ ରହିଲେ ନାହିଁ । ମେଘନାଦ ସିଂହପରି ଗର୍ଜନ କରି ଶତ୍ରୁପକ୍ଷକୁ ବ୍ୟାକୁଳ କରିପକାଇଲେ ।

 

ପବନପୁତ୍ର ହନୁମାନ୍ ଦେଖିଲେ, ବାନରସୈନ୍ୟମାନେ ବ୍ୟାକୁଳ ହୋଇପଡ଼ିଛନ୍ତି । ଭୀଷଣ କ୍ରୋଧରେ ସେ ଗୋଟାଏ ପାହାଡ଼ ଉତ୍ପାଟନ କରି ମେଘନାଦ ଉପରେ କଚାଡ଼ିଦେଲେ । ପାହାଡ଼ଟି ତାଙ୍କ ଆଡ଼କୁ ଆସୁଥିବାର ଦେଖି ମେଘନାଦ ଆକାଶକୁ ଉଠି ଚାଲିଗଲେ; କିନ୍ତୁ ତାଙ୍କର ରଥ, ସାରଥି ଏବଂ ଅଶ୍ଵ ଖଣ୍ଡ-ବିଖଣ୍ଡିତ ହେଲେ । ହନୁମାନ୍ ବାରମ୍ବାର ଗର୍ଜ୍ଜନ କରି ମେଘନାଦକୁ ଆହ୍ଵାନ ଦେଲେ ମଧ୍ୟ ସେ ତାଙ୍କ ନିକଟକୁ ଆସିଲେ ନାହିଁ । ହନୁମାନଙ୍କର ବଳ ମେଘନାଦ ଜାଣିଥିଲେ ।

 

ମେଘନାଦ ଏତିକିବେଳେ ଶ୍ରୀରଘୁନାଥଙ୍କ ନିକଟକୁ ଯାଇ ତାଙ୍କୁ ନାନା ଦୁର୍ବଚନ କହି ତାହାଙ୍କୁ ଯୁଦ୍ଧ ଆହ୍ଵାନ ଦେଲା । ବହୁ ଅସ୍ତ୍ରଶସ୍ତ୍ର ସେ ଶ୍ରୀରାମଚନ୍ଦ୍ରଙ୍କ ଉପରେ ପ୍ରୟୋଗ କଲେ । ଶ୍ରୀରାମ ସେସବୁ ଅସ୍ତ୍ର ଅନାୟାସରେ କାଟି ପକାଇଲେ । ମେଘନାଦ ଲଜ୍ଜିତ ହେଲା । ସେ ଯୁଦ୍ଧର ରୀତି ବଦଳାଇ ମୟାଯୁଦ୍ଧ କରିବାକୁ ଲାଗିଲା । ସେ ଆକାଶର ବହୁ ଉଚ୍ଚରେ ରହି ହଠାତ୍ ଅଗ୍ନି ବର୍ଷାକଲା । ଏଣେ ପୃଥିବୀରେ ଜଳଧାରା ବହିବାକୁ ଲାଗିଲା । ବହୁ ପିଶାଚ ପିଶାଚୀ ନୃତ୍ୟ କରି କରି ନାନା ବିକଟାଳ ଧ୍ୱନି କଲେ । ଆକାଶରୁ ପୂଯ, ରକ୍ତ, କେଶ ଓ ଅସ୍ଥି ଆଦି ଅତ୍ୟନ୍ତ ଦୂଷିତ ଓ ଅଶୁଭ ଦ୍ରବ୍ୟ ବର୍ଷା ହେବାକୁ ଲାଗିଲା । ତାହାପରେ ହଠାତ୍ ଏପରି ଧୂଳିବର୍ଷା ହେବାକୁ ଲାଗିଲା ଯେ ଚତୁର୍ଦ୍ଦିଗ ଅନ୍ଧକାର ଘୋଟିଗଲା । ନିଜେ ନିଜର ହସ୍ତ ଦେଖିବା ସମ୍ଭବ ହେଲା ନାହିଁ ।

 

ଏସବୁ ପ୍ରକାର ମାୟାସୃଷ୍ଟି ଦେଖି ବାନରମାନେ ମନେକଲେ, ସେମାନଙ୍କ ମୃତ୍ୟୁ ସନ୍ନିକଟ ହେଲା । ଶ୍ରୀରାମ ଏପ୍ରକାର କୌତୁକ ଦେଖି ହସିଲେ । ବାନରମାନେ ଭୀତ ହୋଇପଡ଼ିଛନ୍ତି, ଏକଥା ଜାଣି ଶ୍ରୀରାମ ଶାନ୍ତ ହୃଦୟରେ ଗୋଟିଏ ବାଣ ମାରିଲେ । ସେଥିରେ ଅସୁରର ସମସ୍ତ ମାୟା ତୁଟିଗଲା । ଶ୍ରରାମଙ୍କ ନର୍ଦ୍ଦେଶରେ ପୁଣି ବାନରମାନେ ଭୀଷଣ ଯୁଦ୍ଧରେ ପ୍ରବୃତ୍ତି ହେଲେ । ଲକ୍ଷ୍ମଣ ମେଘନାଦର ଏ ମାୟା ଯୁଦ୍ଧ ଦେଖି ଅତିଶୟ କ୍ରୁଦ୍ଧ ହେଲେ । ତାଙ୍କର ନେତ୍ର ରକ୍ତବର୍ଣ୍ଣ ହେଲା । ଲକ୍ଷ୍ମଣଙ୍କର ଗୌରବର୍ଣ୍ଣ ସୁନ୍ଦର ଶରୀର କ୍ରୋଧରେ ରକ୍ତବର୍ଣ୍ଣ ହୋଇଗଲା-। ଯୁଦ୍ଧ ଭୀଷଣ ଆକାର ଧାରଣ କଲା ।

 

ବାନରମାନେ ପାଦ, ମୁଥ ଓ ଦାନ୍ତରେ ଅସୁରମାନଙ୍କୁ ଆକ୍ରମଣ କଲେ । ଚତୁର୍ଦ୍ଦିଗରୁ ମାର ମାର ଧର ଧର ଧ୍ୱନି ଶୁଭିଲା । ରକ୍ତନଦୀ ବହିଲା । ଲକ୍ଷ୍ମଣ ମେଘନାଦକୁ ଯୁଦ୍ଧଭୂମିରେ ପାଇବାମାତ୍ରେ ଦୁହିଁଙ୍କ ମଧ୍ୟରେ ପ୍ରବଳ ଯୁଦ୍ଧ ଆରମ୍ଭ ହେଲା । ମେଘନାଦର ଛଳଯୁଦ୍ଧ ଦେଖି ସେ ଅତିଶୟ କ୍ରୁଦ୍ଧ ହୋଇଥିଲେ । ମେଘନାଦକୁ ପାଇବାମାତ୍ରେ ତାର ରଥକୁ ଖଣ୍ଡଖଣ୍ଡ କରି ଭଗ୍ନକଲେ-। ସାରଥି ରଥରୁ ବିଚ୍ଛିନ୍ନ ହୋଇ ମୃତ୍ୟୁବରଣ କଲା । ମେଘନାଦ ନିଜ ଜୀବନ ସଙ୍କଟାପନ୍ନ ଜାଣି ଶେଷଶକ୍ତି ପ୍ରୟୋଗ କଲା । ଅମୋଘ ଅସ୍ତ୍ର ବୀରଘାତିନୀ ଶକ୍ତି ସେ ଲକ୍ଷ୍ମଣଙ୍କୁ ଲକ୍ଷ୍ୟକରି ମାରିଲା । ସେ ଶକ୍ତି ଲକ୍ଷ୍ମଣଙ୍କ ହୃଦୟଦେଶକୁ ଅଘାତ କରିବାମାତ୍ରେ ସେ ଯୁଦ୍ଧଭୂମିରେ ମୂର୍ଚ୍ଛିତ ହେଲେ । ମେଘନାଦ ଶତ୍ରୁ ପକ୍ଷର ଦୁର୍ଦ୍ଦଶା ଦେଖି ଗୃହାଭିମୁଖୀ ହେଲା । ସେତେବେଳକୁ ସନ୍ଧ୍ୟା ହୋଇଆସିଲା ।

 

ଶ୍ରରାମଚନ୍ଦ୍ର ପଚାରିଲେ, ‘ଲକ୍ଷ୍ମଣ କାହିଁ ?’ ସେତିକିବେଳେ ହନୁମାନ ଯୁଦ୍ଧଭୂମିରୁ ଲକ୍ଷ୍ମଣଙ୍କୁ ମୂର୍ଚ୍ଛିତ ଅବସ୍ଥାରେ ଶିବିରକୁ ଘେନିଆସିଲେ । ଶ୍ରୀରାମ ଲକ୍ଷ୍ମଣଙ୍କର ମୂର୍ଚ୍ଛା ଦେଖି ଅତ୍ୟନ୍ତ ବ୍ୟାକୁଳ ହୋଇପଡ଼ିଲେ । ଜାମ୍ବବାନ କହିଲେ, ‘ଲଙ୍କାରେ ସୁଷେଣ ନାମରେ ଜଣେ ବୈଦ୍ୟ ଅଛନ୍ତି; ତାଙ୍କୁ ଶୀଘ୍ର ଏଠାକୁ ଆଣିବା ଆବଶ୍ୟକ । ହନୁମାନ୍ ଜାମ୍ବବାନଙ୍କ ନିର୍ଦ୍ଦେଶ ଶୁଣିବାମାତ୍ରେ ନିଜର ଶରୀରକୁ କ୍ଷୁଦ୍ର କରିଦେଲେ । ଲଙ୍କାରେ ଥିବା ସୁଷେଣଙ୍କ ଘରଠାରେ ପହଞ୍ଚି ତାଙ୍କର ଘର ସହିତ ତାଙ୍କୁ ଶିବିରକୁ ଉଠାଇ ଆଣିଲେ ।

 

ସୁଷେଣ ଶ୍ରୀରାମଚନ୍ଦ୍ରଙ୍କ ପାଦତଳେ ପ୍ରଣାମ କରି ଲକ୍ଷ୍ମଣଙ୍କର ମୂର୍ଚ୍ଛା ଉପଶମ ନିମିତ୍ତ ଔଷଧ ବ୍ୟବସ୍ଥା କଲେ । ସେ ଔଷଧ ଥିବା ପର୍ବତର ନାମ ମଧ୍ୟ ବତାଇଦେଲେ । ସୁଷେଣ ହନୁମାନ୍‌ଙ୍କୁ କହିଲେ, ‘ହନୁମାନ, ତୁମେ ତୁରନ୍ତ ସେଠାକୁ ଯାଇ ସେ ଔଷଧ ଘେନିଆସ ।’ ହନୁମାନ୍‌ ଶ୍ରୀରାମଙ୍କୁ ପ୍ରଣାମକରି ତତ୍‌କ୍ଷଣାତ୍‌ ଯାତ୍ରାକଲେ ।

 

ହନୁମାନ୍‌ ଔଷଧ ଆନୟନ ନିମିତ୍ତ ଯାତ୍ରା ଆରମ୍ଭ କରିଅଛନ୍ତି ଜାଣି ଜଣେ ଗୁପ୍ତଚର ରାବଣଙ୍କୁ ଏ ସମ୍ବାଦ ଜଣାଇଲେ । ରାବଣ ଏତେବେଳେ ଏକ ଭେଦ ରଚନା କରିବାକୁ ମନସ୍ଥ କଲେ । ସେ କାଳନେମୀ ନାମରେ ଜଣେ ରାକ୍ଷସ ଘରେ ପହଞ୍ଚିଲେ । କାଳନେମୀକୁ ରାକ୍ଷସମାୟା ରଚନାକରି ହନୁମାନ୍‌ଙ୍କୁ ମାର୍ଗରେ ମୋହିତ କରିବାପାଇଁ ଆଦେଶ ଦେଲେ । ରାବଣଙ୍କର ଏ ଆଦେଶ ଶୁଣି କାଳନେମୀ କହିଲା–ହେ ରାକ୍ଷସପତି ! ଆପଣ ଶ୍ରୀରାମଙ୍କୁ ଭଜନ କରନ୍ତୁ, ତାହାଦ୍ୱାରା ଆପଣଙ୍କର କଲ୍ୟାଣ ହେବ । ଆପଣ ଯାହାଙ୍କୁ ଯୁଦ୍ଧରେ ଜୟ କରିବେ ବୋଲି ଇଚ୍ଛା କରୁଛନ୍ତି, ତାହାଙ୍କୁ କେହି କଣ ଯୁଦ୍ଧରେ ଜିଣିପାରେ କି ?

 

କାଳନେମୀଠାରୁ ଏ ନୀତିଶିକ୍ଷା ଶୁଣି ରାବଣ କ୍ରୁଦ୍ଧ ହୋଇ ତାହାକୁ ନାନାପ୍ରକାର ଭୟ ଦେଖାଇଲେ । କାଳନେମୀ ବିଚାରିଲା, ମୁଁ ବରଂ ଶ୍ରୀରାମଙ୍କ ଦୂତ ହାତରେ ମରି ତ୍ରାହି ପାଇବି; କିନ୍ତୁ ଏ ଦୁଷ୍ଟ ମନ୍ଦବୁଦ୍ଧି ହାତରେ ମରିବି କାହିଁକି ?

 

ହନୁମାନ୍‌ ଔଷଧ ଆଣିବା ଉଦ୍ଦେଶ୍ୟରେ ଯାତ୍ରା କରୁଥିଲାବେଳେ କାଳନେମୀ ମାର୍ଗରେ ମାୟାରଚନା କଲା । ଏକ ସ୍ଥାନରେ ପୁଷ୍କରିଣୀ, ମନ୍ଦିର, ବଗିଚା ମୁହୂର୍ତ୍ତକ ମଧ୍ୟରେ ରଚିତ ହେଲା । ହନୁମାନ୍‌ ତୃଷାର୍ତ୍ତ ହୋଇ ବିଚାରିଲେ, ଏହା ନିଶ୍ଚୟ ଏକ ମୁନି ଆଶ୍ରମ । ମୁନିଙ୍କ ଆଦେଶ ନେଇ ଜଳମୁନ୍ଦେ ପିଇ କ୍ଳାନ୍ତି ଉପଶମ କରି ପୁଣି ଯାତ୍ରା ଆରମ୍ଭ କରିବି ! ରାକ୍ଷସ କପଟବେଶୀ ମୁନିରୂପ ଧାରଣକରି ବସିଥିଲା । ସେ ହନୁମାନଙ୍କୁ ମୋହିତ କରିବ ବୋଲି ପାଞ୍ଚିଥିଲା । ହନୁମାନ୍‌ ତାକୁ ନମସ୍କାର କଲେ । କାଳନେମୀ କହିଲା, ‘ମୁଁ ଏହି ସ୍ଥାନରେ ବସି ଶ୍ରୀରାମ-ରାବଣଙ୍କର ଯୁଦ୍ଧ ଦର୍ଶନ କରୁଛି । ଏ ଯୁଦ୍ଧରେ ଶ୍ରୀରାମ ନିଶ୍ଚେ ଜୟଲାଭ କରିବେ । ଏହିପରି ଭାବରେ ସେ ଶ୍ରୀରାମଙ୍କର ଗୁଣଗାନ କରିବାକୁ ଲାଗିଲା ।

 

ହନୁମାନ୍‌ ତାହାଙ୍କୁ ଜଳ ମାଗିଲେ । କାଳନେମୀ ତାଙ୍କୁ କମଣ୍ଡଳୁଟି ବଢ଼ାଇଦେଲା । ହନୁମାନ୍‌ କହିଲେ, ‘ଏ ସାମାନ୍ୟ ପାଣିରେ ମୋର ସନ୍ତୋଷ ଆସିବନାହିଁ । କାଳନେମୀ କହିଲା, ‘ତୁମେ ନିକଟସ୍ଥ ପୁଷ୍କରିଣୀରେ ସ୍ନାନକରି ଆସ, ମୁଁ ତୁମକୁ ଦୀକ୍ଷା ଦେବି । ତୁମେ ଜ୍ଞାନପ୍ରାପ୍ତ ହେବ-।’ ହନୁମାନ୍ ପୁଷ୍କରିଣୀ ମଧ୍ୟକୁ ଯାଇ ସ୍ନାନ କଲାବେଳେ ଗୋଟାଏ ମଗର ତାଙ୍କ ପାଦକୁ ଧରିଲା । ହନୁମାନ୍‌ ତତ୍‌କ୍ଷଣାତ ତାକୁ ବିନାଶ କଲେ । ସେ ଦିବ୍ୟଶରୀର ଧାରଣ କରି ଯେତେବେଳେ ଆକାଶକୁ ଉଠିଲେ, ହନୁମାନ୍‌ଙ୍କୁ କହିଲେ–ତୁମର ଦର୍ଶନ ଯୋଗୁଁ ମୋର ସମସ୍ତ ପାପ ଧୌତ ହୋଇଯାଇଅଛି । ମୁଁ ଶାପମୁକ୍ତ ହୋଇଅଛି । ଏ ମାୟାବେଶୀ ମୁନି ଏକ ରାକ୍ଷସ ଅଟେ ।

 

ଏକଥା ଶୁଣିବା ସଙ୍ଗେ ସଙ୍ଗେ ହନୁମାନ୍ ମୁନିଙ୍କ ନିକଟରେ ପହଞ୍ଚି କହିଲେ, ‘ହେ ମୁନି, ଆପଣ ଗୁରୁ ଦକ୍ଷିଣା ନିଅନ୍ତୁ । ତା’ପରେ ମୋତେ ଦୀକ୍ଷା ଦେବେ ।’ ହନୁମାନ୍ ସଙ୍ଗେ ସଙ୍ଗେ କାଳନେମୀ ରାକ୍ଷସର ମସ୍ତକକୁ ଲାଙ୍ଗୁଡ଼ ଦେହରେ ଗୁଡ଼ାଇ ଫୋପାଡ଼ି ଦେଲେ । କାଳନେମୀ ନିଜର ରାକ୍ଷସ ଶରୀର ପ୍ରକଟିତ କରି ‘ରାମ ରାମ’ କହି ପ୍ରାଣତ୍ୟାଗ କଲା ।

 

ହନୁମାନ୍‌ ଶ୍ରୀରାମ ନାମ ଶୁଣି ଆନନ୍ଦରେ ଅଗ୍ରସର ହେଲେ । ସେହି ପର୍ବତ ନିକଟରେ ପହଞ୍ଚିଲେ; କିନ୍ତୁ ପର୍ବତ ଉପରେ ଥିବା ଔଷଧ ବୃକ୍ଷକୁ ଚିହ୍ନି ପାରିଲେ ନାହିଁ । ସେ ବୀରବିକ୍ରମରେ ସମଗ୍ର ପର୍ବତକୁ ଉତ୍ପାଟନ କରି ପୁଣି ଲଙ୍କା ଉଦ୍ଦେଶ୍ୟରେ ଯାତ୍ରା ଆରମ୍ଭ କଲେ ।

 

ଆକାଶ ମାର୍ଗରେ ପର୍ବତ ଧରି ଯାତ୍ରାକଲାବେଳେ ଅଯୋଧ୍ୟାପୁରୀ ପଡ଼ିଲା । ଭରତ ଆକାଶରେ ଏକ ବିଶାଳରୂପ ଦେଖି ମନେକଲେ ଏହା ନିଶ୍ଚୟ କୌଣସି ରାକ୍ଷସ । ସେ ଏ ପଥଦେଇ ଗମନ କରୁଅଛି । ସେ ଧନୁରେ ଗୁଣ ଚଢ଼ାଇ ଲକ୍ଷ୍ୟକରି ତୀର ମାରିଲେ । ତୀର ଲାଗିବାମାତ୍ରେ ହନୁମାନ ‘ରାମ ରାମ’ ଉଚ୍ଚାରଣ କରି ପୃଥିବୀ ଉପରେ ପଡ଼ିଲେ । ରାମ ନାମ ଶୁଣି ଭରତ ହନୁମାନ୍‌ଙ୍କ ନିକଟକୁ ଆସିଲେ । ହନୁମାନ୍‌ ମୂର୍ଚ୍ଛିତ ହୋଇପଡ଼ିଥିଲେ । ଭରତ ତାଙ୍କୁ ଜାଗ୍ରତ କରିବା ପାଇଁ ନାନା ଉପାୟ କଲେ ଏବଂ କହିଲେ–ଯଦି ମନ, ବଚନ ଓ ଶରୀରରେ ଶ୍ରୀରାମଙ୍କ ଚରଣକମଳରେ ମୋର ପ୍ରେମ ଥାଏ ଏବଂ ଶ୍ରୀରଘୁନାଥ ମୋ ଉପରେ ପ୍ରସନ୍ନ ଥାନ୍ତି, ତେବେ ଏ ବାନରର ପୀଡ଼ା ଦୂର ହେଉ । ଶ୍ରୀରାମ, ଶ୍ରୀରଘୁନାଥ ନାମ ଶ୍ରବଣମାତ୍ରେ ହନୁମାନ୍ ଉଠି ବସିଲେ ।

 

ଭରତ ହନୁମାନ୍‌ଙ୍କୁ ସଂଭାଷଣ କଲେ ଓ ତାହାଙ୍କୁ କୋଳାଗ୍ରସ୍ତ କଲେ । ତାଙ୍କର ଶରୀର ପୁଲକିତ ହୋଇଉଠିଲା । ନେତ୍ରରୁ ଧାର ଧାର ଲୋତକ ବହିବାକୁ ଲାଗିଲା । ସେ ପଚାରିଲେ, ‘ହେ ମୋର ଭ୍ରାତା, ମୋର କନିଷ୍ଠ ଲକ୍ଷ୍ମଣ, ମା’ ଜାନକୀ ଓ ମୋର ଜ୍ୟେଷ୍ଠଭ୍ରାତା ଶ୍ରୀରାମଙ୍କର କୁଶଳ ବାର୍ତ୍ତା ଶୀଘ୍ର କହ ।’ ହନୁମାନ୍ ସଂକ୍ଷେପରେ ସମସ୍ତ ଘଟଣା ବର୍ଣ୍ଣନା କଲେ ।

 

ଭରତ କହିଲେ–ଏ କୁସମୟରେ ମୁଁ ତୁମଠାରୁ ବେଶୀ କିଛି ଶୁଣିବା ପାଇଁ ଇଚ୍ଛା କରୁନାହିଁ । ତୁମେ ବିଳମ୍ବ କରନାହିଁ । ସକାଳ ହୋଇଗଲେ ସମସ୍ତ କାର୍ଯ୍ୟ ବିଫଳ ହେବ । ତୁମେ ପର୍ବତ ସହିତ ମୋର ଏ ବାଣ ଉପରେ ଚଢ଼ିଯାଅ । ମୁଁ ତୁମକୁ ଅବିଳମ୍ବେ ଶ୍ରୀରାମଙ୍କ ନିକଟରେ ପହଞ୍ଚାଇଦେବି ।

 

ଭରତଙ୍କ କଥା ଶୁଣିବାମାତ୍ରେ ହନୁମାନଙ୍କ ମନରେ କିଞ୍ଚିତ୍ ଅଭିମାନ ଆସିଲା । ସେ ବିଚାରିଲେ, ମୋର ଏ ଶରୀରର ଭାର ଏ ବାଣ ସମ୍ଭାଳି ପାରିବ ତ ? ସେ ଭରତଙ୍କ ପାଖରେ ଦଣ୍ଡାୟମାନ ହୋଇ ହାତଯୋଡ଼ି କହିଲେ, ‘ମୁଁ ଆପଣଙ୍କର ପ୍ରତାପ ହୃଦୟରେ ସ୍ମରଣ କରି ଚାଲିଯିବି ।’ ଭରତ ଆଦେଶ ଦେବାରୁ ହନୁମାନ୍‌ ତତ୍‌କ୍ଷଣାତ୍ ପର୍ବତକୁ ହସ୍ତରେ ଧରି ଲଙ୍କାଗଡ଼ରେ ପହଞ୍ଚିଲେ ।

 

ହନୁମାନ୍‌ଙ୍କର ବିଳମ୍ବ ଦେଖି ଶ୍ରୀରାମଚନ୍ଦ୍ର କହିଲେ, ‘ଅର୍ଦ୍ଧରାତ୍ରି ଅତୀତ ହେଲାଣି । ହନୁମାନ୍ ଏପର୍ଯ୍ୟନ୍ତ ପ୍ରତ୍ୟାବର୍ତ୍ତନ କଲେ ନାହିଁ !’ ଲକ୍ଷ୍ମଣଙ୍କୁ କ୍ରୋଡ଼ରେ ସ୍ଥାପନକରି ତାଙ୍କର ଗୁଣ ସ୍ମରଣ କରି କରି ଚିନ୍ତାମଗ୍ନ ହେଲେ । ଶ୍ରୀରାମ କହିଲେ, ‘ଲକ୍ଷ୍ମଣ, ମୋତେ ଦୁଃଖିତ ଦେଖିଲେ ତୁ ସହିପାରୁ ନ ଥିଲୁ । ମୋ ପାଇଁ ତୁ ପିତାମାତାଙ୍କୁ ତ୍ୟାଗକରି ବଣରେ କଷ୍ଟ ସହିଛୁ । ଜଗତରେ ମନୁଷ୍ୟ ପୁତ୍ର, ଧନ, ପତ୍ନୀ, ଗୃହ, ପରିବାର ଏ ସମସ୍ତ ବାରମ୍ବାର ସୃଷ୍ଟି କରିପାରେ, କିନ୍ତୁ ସହୋଦର ଭାଇ ଆଉ ମିଳେନାହିଁ । ପକ୍ଷ ବିନା ପକ୍ଷୀପରି ମୋର ଏ ଜୀବନ ଜଡ଼ ହୋଇଯାଉ । ସ୍ତ୍ରୀ ପାଇଁ ମୁଁ ଲକ୍ଷ୍ମଣ ପରି ଭ୍ରାତାକୁ ହରାଇ କିପରି ମୁଖଧାରଣ କରି ଅଯୋଧ୍ୟାରେ ପହଞ୍ଚିବି ? ତୁ ମୋର ପରମ ହିତକାରୀ ଜାଣି ତୋର ମା’ ତୋତେ ମୋ ସଙ୍ଗରେ ଛାଡ଼ିଦେଇଥିଲେ; ମୁଁ ଏବେ ଯାଇ ତାଙ୍କୁ କି ଉତ୍ତର ଦେବି ?

 

ଏତିକିବେଳେ ହନୁମାନ୍ ପର୍ବତ ଧରି ସେଠାରେ ପହଞ୍ଚିବାମାତ୍ରେ ସୁଷେଣ ବୈଦ୍ୟ ପର୍ବତରୁ ଉପଯୁକ୍ତ ବୃକ୍ଷ ଚିହ୍ନି ଆଣିଲେ । ସେଥିରେ ଔଷଧ ତିଆରି କରି ଲକ୍ଷ୍ମଣଙ୍କଠାରେ ପ୍ରୟୋଗ କରିବାମାତ୍ରେ ଲକ୍ଷ୍ମଣ ଉଠି ବସିଲେ । ଶ୍ରୀରାମଙ୍କ ଶିବିରରେ ଆନନ୍ଦଲହରୀ ଖେଳିଗଲା ।

Image

 

କୁମ୍ଭକର୍ଣ୍ଣ

 

ରାବଣ ସମ୍ବାଦ ପାଇଲେ–ହନୁମାନ୍ ଔଷଧ-ବୃକ୍ଷ ସହିତ ପର୍ବତ ନେଇ ଫେରି ଆସିଛନ୍ତି । ଔଷଧ ଦେବା ଫଳରେ ଲକ୍ଷ୍ମଣ ଚେତନା ଲାଭ କରିଅଛନ୍ତି । ବାନର ଓ ଭଲ୍ଲୁକ ସୈନ୍ୟମାନେ ଆନନ୍ଦରେ ଉତ୍‌ଫୁଲ୍ଲ । ରାବଣ ଅତ୍ୟନ୍ତ ବିଷର୍ଣ୍ଣ ହୋଇପଡ଼ିଲେ । ହନୁମାନଙ୍କୁ ମୋହିତ କରିବା ନିମିତ୍ତ ତାଙ୍କର ସମସ୍ତ ଚେଷ୍ଟା ବିଫଳ ହୋଇଅଛି । ବର୍ତ୍ତମାନ ଏ ଅବସ୍ଥାରେ ସେ ତାଙ୍କର ଭ୍ରାତା କୁମ୍ଭକର୍ଣ୍ଣଙ୍କୁ ଜାଗ୍ରତ କରିବା ନିତାନ୍ତ ପ୍ରୟୋଜନ ବୋଲି ମନେକରି ନିଜେ କୁମ୍ଭକର୍ଣ୍ଣଙ୍କର ପ୍ରାସାଦରେ ପହଞ୍ଚିଲେ ।

 

କୁମ୍ଭକର୍ଣ୍ଣ ସେତେବେଳେ ସୁପ୍ତ । ତାଙ୍କୁ ଜାଗ୍ରତ କରିବାପାଇଁ ସମୟ ହୋଇନାହିଁ । ନାନା ଉପାୟ କରି ତାଙ୍କୁ ଜାଗ୍ରତ କରାଗଲା । କୁମ୍ଭକର୍ଣ୍ଣ ଶଯ୍ୟାରୁ ଉଠି ବସିଲେ । କାଳ ସ୍ଵୟଂ ଶରୀର ଧାରଣକରି ବସିଥିଲାଭଳି କୁମ୍ଭକର୍ଣ୍ଣ ବସିଥିଲେ । ରାବଣଙ୍କୁ ସମ୍ମୁଖରେ ଦେଖି କୁମ୍ଭକର୍ଣ୍ଣ ପଚାରିଲେ, ଭାଇ । ତୁମ ମୁଖରେ କାହିଁକି ଆନନ୍ଦ ନାହିଁ ? ତୁମ୍ଭ ମୁଖ କାହିଁକି ଶୁଖିଯାଇଅଛି ?

 

ରାବଣ ସୀତାଙ୍କୁ କିପରି ହରଣ କରି ଆଣିଲେ ଏବଂ ତା’ପରେ ଯାହା ସବୁ ଘଟଣା ଘଟିଗଲା, ସେ ସମସ୍ତ ବର୍ଣ୍ଣନା କଲେ । ବର୍ତ୍ତମାନ ବାନରମାନେ କିପାରି ରାକ୍ଷସମାନଙ୍କୁ ଏବଂ ମହାଯୋଦ୍ଧାମାନଙ୍କୁ ବିନାଶ କରିଅଛନ୍ତି, ସମସ୍ତ ଘଟଣା କହିଗଲେ । ରାକ୍ଷସ ଯୋଦ୍ଧାମାନଙ୍କ ମଧ୍ୟରୁ ଦୁର୍ମୁଖ, ଦେବଶତ୍ରୁ ମନୁଷ୍ୟଭକ୍ଷକ ଅକମ୍ପନ, ମହୋଦର ଆଦି ସମସ୍ତେ କାଳର ବଶ ହୋଇଛନ୍ତି ।

 

କୁମ୍ଭକର୍ଣ୍ଣ କହିଲେ, ‘ମୂର୍ଖ, ତୁ ଜଗତଜନନୀ ଜାନକୀଙ୍କୁ ଅପହରଣ କରି ଆଣିଛୁ, ଏଥିରେ ତୁ ତୋର କଲ୍ୟାଣ ଆଶା କରୁଛୁ ? ଏବେ ମଧ୍ୟ ସମୟ ଅଛି । ତୁ ଭଲ କାମ କରିନାହୁଁ । ତୁ ମୋତେ ଜାଗ୍ରତ କରାଇଲୁ କାହିଁକି ? ତୁ ସେହି ଶ୍ରୀରାମଙ୍କୁ ଭଜନ କର, ତାହା ହେଲେ ତୋର କଲ୍ୟାଣ ହେବ । ହନୁମାନ୍ ପରି ବାନର ଯାହାର ସେବକ, ସେଇ ଶ୍ରୀରଘୁନାଥ କଣ ମନୁଷ୍ୟ ଅଟନ୍ତି ? ତୁ ପ୍ରଥମେ ଆସି ଏସବୁ ଘଟଣା ନ ଜଣାଇଲୁ କାହିଁକି ? ଶ୍ରୀରଘୁନାଥ ପରମ ଦେବତା ଅଟନ୍ତି; ଶିବ, ବ୍ରହ୍ମା ଆଦି ଦେବତାମାନେ ତାଙ୍କର ସେବକ । ନାରଦ ମୁନି ମୋତେ ଯେଉଁ ଜ୍ଞାନ ଉପଦେଶ ଦେଇଥିଲେ ମୁଁ ତୋତେ କହିଥାନ୍ତି; କିନ୍ତୁ ବର୍ତ୍ତମାନ ଆଉ ସମୟ ନାହିଁ ?’ କୁମ୍ଭକର୍ଣ୍ଣ କିଛି ସମୟ ପର୍ଯ୍ୟନ୍ତ ଶ୍ରୀରାମ-ଭକ୍ତିରେ ମଗ୍ନ ହେଲେ । ପୁଣି ସେ ରାବଣଙ୍କୁ କୋଟିଏ ଘଟପୂର୍ଣ୍ଣ ମଦିରାପାତ୍ର ଏବଂ ବହୁ ମହିଷ ଆଣିବାକୁ କହିଲେ । କୁମ୍ଭକର୍ଣ୍ଣ ମହିଷଗୁଡ଼ିକ ଭୋଜନ କରି ଏବଂ ମଦିରା ପିଇସାରି ବଜ୍ରପାତ ସଦୃଶ ଗର୍ଜନ କରିବାକୁ ଲାଗିଲେ ।

 

ମଦମତ୍ତ କୁମ୍ଭକର୍ଣ୍ଣ ଦୁର୍ଗରୁ ଯୁଦ୍ଧଭୂମିକୁ ଯାତ୍ରାକରିବାର ଦେଖି ବିଭୀଷଣ ସମ୍ମୁଖକୁ ଆସି କୁମ୍ଭକର୍ଣ୍ଣଙ୍କ ଚରଣତଳେ ପଡ଼ି ନିଜ ନାମ କହିଲେ । ବିଭୀଷଣଙ୍କୁ ତଳୁ ଉଠାଇ ସେ ହୃଦୟରେ ଲଗାଇଲେ ଏବଂ ସେ ଶ୍ରୀରାମଙ୍କ ଭକ୍ତ ବୋଲି ଜାଣି ତାଙ୍କୁ ଭାରି ଆଦରକଲେ ।

 

ବିଭୀଷଣ କହିଲେ–ହେ ଭାଇ, ମୁଁ ରାବଣଙ୍କୁ ନାନାପ୍ରକାର ସୁପରାମର୍ଶ ଦେଲି; କିନ୍ତୁ ରାବଣ ମୋ କଥା ଶୁଣିଲେ ନାହିଁ । ଅଧିକନ୍ତୁ ସେ ମୋତେ ପାଦପ୍ରହାର କଲେ । ମୁଁ ସେ ଗ୍ଳାନି ସହି ନ ପାରି ଶ୍ରୀରାମଙ୍କର ଶରଣ ପଶିଲି I ଶ୍ରୀରାମ ମୋତେ ଶରଣ ଦେଇଛନ୍ତି ।

 

କୁମ୍ଭକର୍ଣ୍ଣ କହିଲେ, ‘ଭାଇ ରାବଣ ବର୍ତ୍ତମାନ କାଳର ବଶ ହୋଇଅଛି । ତାହାକୁ ଉତ୍ତମ ଶିକ୍ଷା ଦେଲେ ମଧ୍ୟ ସେ ମାନିବ ନାହିଁ । ଶ୍ରୀରାମଙ୍କର ଶରଣାଗତ ହୋଇ ତୁ ରାକ୍ଷସକୁଳର ଭୂଷଣ ହୋଇଅଛୁ । ମୁଁ ମଧ୍ୟ କାଳର ଅଧୀନ ହୋଇଅଛି । ମୋତେ ପର-ଆପଣା ପ୍ରଭେଦ ଦିଶୁନାହିଁ ।’ କୁମ୍ଭକର୍ଣ୍ଣଠାରୁ ବିଦାୟ ନେଇ ବିଭୀଷଣ ଶ୍ରୀରାମଙ୍କୁ କୁମ୍ଭକର୍ଣ୍ଣଙ୍କର ଯୁଦ୍ଧରେ ଯୋଗଦାନ ସଂବାଦ ଦେଲେ ।

 

କୁମ୍ଭକର୍ଣ୍ଣଙ୍କର ଯୁଦ୍ଧରେ ଯୋଗଦେବା ସଂବାଦ ଶୁଣିବାମାତ୍ରେ ଭଲ୍ଲୁକ ଓ ବାନରମାନେ କିଳିକିଳା ଧ୍ୱନି କରି ବୃକ୍ଷ ଓ ପର୍ବତମାନ ଉତ୍ପାଟନ କରି ଯୁଦ୍ଧକ୍ଷେତ୍ରକୁ ଦୌଡ଼ିଲେ । ବାନରମାନେ ପାହାଡ଼ଗୁଡ଼ିକ ନେଇ କୁମ୍ଭକର୍ଣ୍ଣ ଉପରକୁ ନିକ୍ଷେପ କଲେ । ହନୁମାନ ଓ କୁମ୍ଭକର୍ଣ୍ଣଙ୍କ ମଧ୍ୟରେ ଭୀଷଣ ଯୁଦ୍ଧ ସଂଘଟିତ ହେଲା । ହନୁମାନ୍ ପ୍ରବଳ ବେଗରେ କୁମ୍ଭକର୍ଣ୍ଣଙ୍କ ଉପରେ ବିଧା ପ୍ରହାର କଲେ । କୁମ୍ଭକର୍ଣ୍ଣ ଭୂମିଶାୟୀ ହେଲେ; କିନ୍ତୁ ତତ୍‌କ୍ଷଣାତ ଭୂମିଉପରୁ ଉଠି ହନୁମାନ୍‌ଙ୍କୁ ଆକ୍ରମଣ କଲେ । ବାନରମାନଙ୍କୁ ଅସ୍ତବ୍ୟସ୍ତ କରିପକାଇବାରୁ ବାନରସେନା ଭୟଭୀତ ହୋଇପଡ଼ିଲେ । କୁମ୍ଭକର୍ଣ୍ଣ ସୁଗ୍ରୀବଙ୍କୁ ଦେଖି ଦୌଡ଼ିଯାଇ କାଖରେ ଜାକିଧରିଲେ । ହନୁମାନ୍‌ ସୁଗ୍ରୀବଙ୍କୁ ନ ଦେଖି କୁମ୍ଭକର୍ଣ୍ଣଙ୍କ ନିକଟକୁ ଦୌଡ଼ିଲେ । ସୁଗ୍ରୀବ ଏହି ଅବସରରେ କୁମ୍ଭକର୍ଣ୍ଣଙ୍କ କାଖରୁ ଖସିପଡ଼ିଲେ । ଏକ ମୁହୂର୍ତ୍ତ ପର୍ଯ୍ୟନ୍ତ ଅଚେତ ରହି ପୁଣି ଜ୍ଞାନଲାଭ କରି କୁମ୍ଭକର୍ଣ୍ଣଙ୍କର ନାକ କାନ ଆଦି ଅଙ୍ଗକୁ ଦାନ୍ତଦ୍ଵାରା କର୍ତ୍ତନ କରିବାପାଇଁ ଲାଗିଲେ । କୁମ୍ଭକର୍ଣ୍ଣ ଏହା ଦେଖି ହଠାତ୍‌ ସୁଗ୍ରୀବଙ୍କର ପାଦ ଦୁଇଟିକୁ ଧରି ପୃଥିବୀ ଉପରେ କଚାଡ଼ିଦେଲେ । ସୁଗ୍ରୀବ ମୁହୂର୍ତ୍ତକ ମଧ୍ୟରେ ଖସିଆସି ଶ୍ରୀରାମଙ୍କ ସମ୍ମୁଖରେ ଦଣ୍ଡାୟମାନ ହେଲେ । କୁମ୍ଭକର୍ଣ୍ଣ ମୁହୂର୍ତ୍ତକ ମଧ୍ୟରେ ରକ୍ତରଞ୍ଜିତ ହୋଇ ଏବଂ ନାସାକର୍ଣ୍ଣ କର୍ତ୍ତିତ ହୋଇଥିବାରୁ ଭୀଷଣ ରୂପ ଧାରଣ କରି କାଳଶତ୍ରୁ ରୂପେ ବାନରମାନଙ୍କ ଉପରେ ଭୀଷଣ ଆକ୍ରମଣ କଲେ । ବାନରମାନଙ୍କୁ ହାତରେ ସାଉଁଟି ମୁଖମଧ୍ୟରେ ପୁରାଇବାକୁ ଲାଗିଲେ । ଦିଶୁଥିଲା, ସତେ ଯେପରି ପର୍ବତର ବିଶାଳ ଗୁମ୍ଫା ମଧ୍ୟକୁ ଝିଣ୍ଟିକାଗୁଡ଼ିକ ପ୍ରବେଶ କରୁଛନ୍ତି । ଶତ ଶତ ବାନରଙ୍କୁ ଧରି ଦେହରେ ସେମାନଙ୍କୁ ମକଚି ଧୂଳିରେ ମିଶାଇଦେବାକୁ ଲାଗିଲେ ।

 

ବିଧାତା ଏ ସମଗ୍ର ବିଶ୍ୱକୁ କୁମ୍ଭକର୍ଣ୍ଣଙ୍କୁ ଅର୍ପଣ କରିଅଛନ୍ତି । ମୁହୂର୍ତ୍ତକ ମଧ୍ୟରେ ସେ ବିଶ୍ଵଗ୍ରାସ କରିବେ । ବାନରସେନା ଏପରି ମନେକରି ବ୍ୟାକୁଳ ହେଲେ । ରାକ୍ଷସସୈନ୍ୟମାନେ ବାନରସୈନ୍ୟମାନଙ୍କର ଦୁର୍ବଳତା ଦେଖି ଯୁଦ୍ଧକ୍ଷେତ୍ରକୁ ଦୌଡ଼ିଆସିଲେ । ଶ୍ରୀରାମ ଏକଥା ଜାଣିପାରି ସୁଗ୍ରୀବ ଓ ବିଭୀଷଣଙ୍କୁ ଡାକି କହିଲେ–ତୁମ୍ଭେମାନେ ଏ ରାକ୍ଷସସୈନ୍ୟଙ୍କୁ ସମ୍ଭାଳ; ମୁଁ ଏହି ମୁହୂର୍ତ୍ତରେ ଏ ମହାକାଳ ରାକ୍ଷସକୁ ଦମନ କରୁଛି ।

 

ଶ୍ରୀରାମ ଧନୁ ଟଙ୍କାର କରି ସେତେବେଳେ ତୀରଗୁଡ଼ିକ ପ୍ରେରଣକଲେ ରାକ୍ଷସସେନା ଭୀତ ହେଲେ । କାଳସର୍ପସମୂହ ପରି ବାଣଗୁଡ଼ିକ ରାକ୍ଷସସେନାଙ୍କୁ ସଂହାର କରିବାକୁ ଲାଗିଲା । ତୁମ୍ଭମାନଙ୍କର ମସ୍ତକ, ବାହୁ, ପାଦ କର୍ତ୍ତିତ ହେଲା । ଅଚେତ ଅବସ୍ଥାରେ ରାକ୍ଷସସୈନ୍ୟମାନେ ସହସ୍ର ସଂଖ୍ୟାରେ ଭୂମିଶାୟୀ ହେଲେ । କେହି ଯୋଦ୍ଧା ପୁଣି ଭୂମିଉପରୁ ଉଠି ମେଘଗର୍ଜନ ସଦୃଶ ଗର୍ଜନ କରୁଛନ୍ତି । ମସ୍ତକହୀନ କବନ୍ଧଗୁଡ଼ିକ ନାଚୁଛନ୍ତି । ଶ୍ରୀରାମଙ୍କର ବାଣସମୂହ ସେମାନଙ୍କୁ ବିନାଶ କରି କରି ତୂଣୀର ମଧ୍ୟରେ ଆସି ପଶିବାକୁ ଲାଗିଲେ ।

 

ରାକ୍ଷସସୈନ୍ୟ ସଂହାର ଦେଖି କୁମ୍ଭକର୍ଣ୍ଣ ଭୀଷଣ କ୍ରୁଦ୍ଧ ହୋଇ ସିଂହନାଦ କରିବାକୁ ଲାଗିଲେ । ପର୍ବତ ଉତ୍ପାଟନ କରି ବାନରସୈନ୍ୟମାନଙ୍କ ଉପରେ କଚାଡ଼ିଲେ । ଶ୍ରୀରାମ ସେ ପର୍ବତଗୁଡ଼ିକ ପଡ଼ିବା ପୂର୍ବରୁ ଶରଦ୍ଵାରା କର୍ତ୍ତନକରି ଆକାଶର ଊର୍ଦ୍ଧ୍ଵଦେଶକୁ ଉଡ଼ାଇଦେଲେ । ସେ କୁମ୍ଭକର୍ଣ୍ଣଙ୍କୁ ଲକ୍ଷ୍ୟକରି ଶର ମାରିଲେ । ଶରଗୁଡ଼ିକ କୁମ୍ଭକର୍ଣ୍ଣ ଶରୀର ମଧ୍ୟରେ ପ୍ରବେଶ କରି ଅନ୍ୟଦିଗରେ ନିର୍ଗତ ହେବାକୁ ଲାଗିଲା । କୁମ୍ଭକର୍ଣ୍ଣ ଶରୀରରୁ ରୁଧିରଧାରା ନଦୀଧାରାପରି ବହିବାକୁ ଲାଗିଲା । କଜ୍ଜ୍ଵଳପର୍ବତ ଦେହରୁ ତରଳ ଗେରୁଧାରା ବହିଚାଲିଥିଲା ଭଳି ସେ ରୁଧିରଧାରା ଦେଖାଯାଉଥାଏ । କୁମ୍ଭକର୍ଣ୍ଣଙ୍କ ବିକଟ ଗର୍ଜନ ଶୁଣି ରୁକ୍ଷ ଓ ବାନରସମୂହ ତାହାଙ୍କର ମୃତ୍ୟୁ ଆସନ୍ନ ବୋଲି ମନେକଲେ । ତେଣୁ ସେମାନେ କୁମ୍ଭକର୍ଣ୍ଣଙ୍କ ଆଡ଼କୁ ମାଡ଼ିଆସିଲେ । ହଠାତ୍ କୁମ୍ଭକର୍ଣ୍ଣ ଯୁଦ୍ଧଭୂମିରେ ବସିପଡ଼ି ଅଟ୍ଟହାସପୂର୍ବକ ବାନରମାନଙ୍କୁ ଧରି ପୃଥିବୀ ଉପରେ କଚାଡ଼ି କଚାଡ଼ି ମାରିବାକୁ ଲାଗିଲେ । ‘ହେ ଶ୍ରୀରାମ ରକ୍ଷାକର’ ‘ହେ ଶ୍ରୀରାମ ରକ୍ଷାକର’ ଧ୍ଵନିକରି ବାନରମାନେ ଆର୍ତ୍ତନାଦ କଲେ ।

 

ଶ୍ରୀରାମ ସୈନ୍ୟମାନଙ୍କର ବିକଳ କୋଳାହଳ ଧ୍ଵନି ଶୁଣି ଅଗ୍ରସର ହେଲେ । ସୈନିକମାନଙ୍କ ସମ୍ମୁଖଭାଗକୁ ଯାଇ ସେ ଅସୁର ଉପରେ ଶରବର୍ଷଣ କରିବାକୁ ଲାଗିଲେ । ଅସୁର ଦେହରେ ଶର ଯେତିକି ଭେଦୁଥାଏ, ସେ ସେତିକି କ୍ରୁଦ୍ଧହୋଇ ପୃଥିବୀ କମ୍ପାଇ ଚାଲୁଥାଏ । କୁମ୍ଭକର୍ଣ୍ଣ ଗୋଟାଏ ପର୍ବତ ଧରି ମାଡ଼ିଆସିଲେ । ଶ୍ରୀରାମଙ୍କ ବାଣରେ ଅସୁରର ଗୋଟାଏ ହାତ କର୍ତ୍ତିତ ହେବାରୁ ଅପର ହାତରେ ସେ ପର୍ବତ ଧରି ଦୌଡ଼ିଲେ । ଶ୍ରୀରାମ ଦ୍ଵିତୀୟ ବାଣରେ ତାହାର ଦ୍ଵିତୀୟ ହସ୍ତ କାଟିଦେଲେ । ତାହାର ହାତରୁ ପର୍ବତ ଖସିପଡ଼ିଲା । ସେତିକିବେଳେ କୁମ୍ଭକର୍ଣ୍ଣ ଅତ୍ୟନ୍ତ ଉଗ୍ରଦୃଷ୍ଟିରେ ଶ୍ରୀରାମସେନା ଆଡ଼କୁ ଚାହିଁଲେ । ହଠାତ୍ ମୁଖବ୍ୟାଦାନ କରି ଶ୍ରୀରାମଙ୍କ ଆଡ଼କୁ ମାଡ଼ିଆସିବାର ଦେଖି ଶ୍ରୀରାମ ତାହାର ମୁଖକୁ ଲକ୍ଷ୍ୟକରି ଅଜସ୍ର ବାଣମାରିଲେ । ମୁଖ ମଧ୍ୟକୁ ବାଣଗୁଡ଼ିକ ଗତି କରୁଥିଲେ ମଧ୍ୟ ଅସୁର ତୀବ୍ରବେଗରେ କରାଳ କାଳ ସଦୃଶ ସମସ୍ତ ଭକ୍ଷଣ କରି ବାନର ସୈନ୍ୟମାନଙ୍କୁ ଆକ୍ରମଣ କରିବାରୁ ଶ୍ରୀରାମ ଏକ କାଳରୂପୀ ବାଣ ତାହା ଉପରେ ପ୍ରୟୋଗ କଲେ । ସେହି ବାଣ ଅସୁରର ମସ୍ତକକୁ ସ୍ଵଦେଶରୁ ଛେଦନ କଲା । ମସ୍ତକ ବିଚ୍ଛିନ୍ନ ହୋଇ ରାବଣ ସମ୍ମୁଖରେ ପଡ଼ିଲା । କିନ୍ତୁ ମସ୍ତକହୀନ କବନ୍ଧ ଯୁଦ୍ଧଭୂମିରେ ଇତସ୍ତତଃ ଦୌଡ଼ିବାକୁ ଲାଗିଲା । ସୈନିକମାନେ ବିକଳରେ ଏଣେତେଣେ ପଳାଇବାକୁ ଲାଗିଲେ । ଶ୍ରୀରାମ ଏହା ଦେଖି ସେ କବନ୍ଧକୁ ପୁଣି ଶରଦ୍ଵାରା ଦୁଇଖଣ୍ଡ କଲେ । ଦୁଇଖଣ୍ଡ ଶରୀର ଆକାଶରୁ ପର୍ବତ ଖସିପଡ଼ିଲା ପରି ପୃଥିବୀ ଉପରେ ପଡ଼ିବା ସଙ୍ଗେ ସଙ୍ଗେ ସେହି ଶରୀରରୁ ଏକ ତେଜ ପ୍ରକାଶ ପାଇଲା ଏବଂ ତାହା ଶ୍ରୀରାମଙ୍କ ଶରୀରରେ ମିଶିଗଲା । ଦେବତା ଓ ମୁନିମାନେ ପ୍ରସନ୍ନ ହେଲେ । ସନ୍ଧ୍ୟା ଆଗତ ହୋଇଥିବାରୁ ସେଦିନ ଯୁଦ୍ଧର ଅବସାନ ହେଲା । ରାକ୍ଷସପୁରୀରେ ବିକଳ ବିଳାପଧ୍ୱନି ଶୁଭିଲା ।

Image

 

ମେଘନାଦବଧ

 

ରାବଣ ଭାଇର ମୃତ୍ୟୁଖବର ଶୁଣି ଅତ୍ୟନ୍ତ ଭୀତ ଓ ବିହ୍ଵଳ ହେଲେ । ମେଘନାଦ ଏ ଖବର ଶୁଣିବାମାତ୍ରେ ପିତାଙ୍କ ନିକଟକୁ ଯାଇ ପିତାଙ୍କୁ ନାନାପ୍ରକାର ବୋଧଦେଲା । ମେଘନାଦ କହିଲା–‘ପିତୃବ୍ୟଙ୍କର ମୃତ୍ୟୁରେ ଏପରି ଅଧୈର୍ଯ୍ୟ ହୁଅନ୍ତୁ ନାହିଁ । ମୁଁ କାଲି ରଣଭୂମିକୁ ଯାତ୍ରା କରିବି-। ସେଠାରେ ତୁମେ ମୋର ପୌରୁଷ ଦର୍ଶନ କରିବ । ମୁଁ ଆଜି ମୋର ବଡ଼ିମା କହିଲେ ସୁନ୍ଦର ହେବନାହିଁ । ମୁଁ ମୋର ଇଷ୍ଟଦେବଙ୍କଠାରୁ ଯେଉଁ ଶକ୍ତି ପ୍ରାପ୍ତ ହୋଇଛି ତାହା ଆପଣଙ୍କର ଅଗୋଚର ନାହିଁ ।’ ଇନ୍ଦ୍ରଜିତ ପିତାଙ୍କ ସମ୍ମୁଖରେ ନିଜର ସାମର୍ଥ୍ୟ ବର୍ଣ୍ଣନା କରୁକରୁ ପ୍ରଭାତ ହୋଇଗଲା ।

 

ପ୍ରଭାତ ହେଉ ହେଉ ଲଙ୍କା ଦୁର୍ଗର ଚାରିଗୋଟି ଫାଟକ ନିକଟରେ ଅଜସ୍ର ବାନରସୈନ୍ୟ ଆକ୍ରମଣ କଲେ । ଏହା ଦେଖି ମେଘନାଦ ତାହାର ମାୟାରଥରେ ବସି ଆକାଶମାର୍ଗକୁ ଉଠିଗଲା । ରଥଉପରେ ବସି ଅଟ୍ଟହାସ କରି ବିକଟ ଗର୍ଜନ କରିବାକୁ ଲାଗିଲା । ବାନରମାନଙ୍କ ଶିବିରରେ ଓ ସୌନ୍ୟମାନଙ୍କ ମଧ୍ୟରେ ଭୟର ସଂଚାର ହେଲା । ଆକାଶର ବହୁ ଉପରୁ ମେଘନାଦ ଏପରି ବାଣ ବର୍ଷଣ କରିବାକୁ ଲାଗିଲା ଯେ ଦଶଦିଗ ବାଣରେ ପୂରିଗଲା । ଆକାଶରୁ ବର୍ଷାଧାରା ଅନବରତ ଚାଲିଥିଲାପରି ମନେହେଉଥିଲା ।

 

ବାନରମାନେ ପର୍ବତ ଓ ବୃକ୍ଷଗୁଡ଼ିକ ଧରି ରାକ୍ଷସମାନଙ୍କ ଉପରେ କଚାଡ଼ିବାରୁ କେହି କାହାରି ମୁହଁକୁ ଦେଖିପାରିଲେ ନାହିଁ । ହନୁମାନ, ଅଙ୍ଗଦ, ନଳ, ନୀଳ ଆଦି ମହାମହା ଯୋଦ୍ଧାମାନେ ବ୍ୟାକୁଳ ହୋଇପଡ଼ିଲେ । ଲକ୍ଷ୍ମଣ, ସୁଗ୍ରୀବ ଓ ବିଭୀଷଣ ମେଘନାଦର ବାଣଦ୍ଵାରା ଆଚ୍ଛାଦିତ ହୋଇଗଲେ । ଦିଗବିଦିଗ ଅନ୍ଧକାର ଘୋଟିଗଲା । ସମସ୍ତଙ୍କୁ ଆକୁଳକରି ମେଘନାଦ ଶ୍ରୀରାମଙ୍କ ଉପରେ ଆକ୍ରମଣ କଲା । ନାଗଫାଶ ବାଣଦ୍ଵାରା ଶ୍ରୀରାମ ଆବଦ୍ଧ ହେଲେ I ଶ୍ରୀରାମଙ୍କ ପକ୍ଷର ସମସ୍ତଙ୍କୁ ଏହିପରି ଆକୁଳକରି ମେଘନାଦ ଆକାଶ-କକ୍ଷରୁ ଅବତରଣକରି ରଣଭୂମିରେ ପ୍ରବିଷ୍ଟ ହେଲା । ନିଜର ରଣଶକ୍ତିର ବଡ଼ିମା ପ୍ରକାଶକରି ଶତ୍ରୁମାନଙ୍କୁ ତିରସ୍କାର କରିବାକୁ ଲାଗିଲା । ଅସହ୍ୟ ତିରସ୍କାର ସହ୍ୟ କରି ନ ପାରି ଜାମ୍ବବାନ କହିଲେ–ଆରେ ଦୁଷ୍ଟ, ସେହି ସ୍ଥଳରେ ରହ । ଅଗ୍ରସର ହେବାକୁ ସାହସ କଲେ ବଂଚିବାର ଆଶା କର ନାହିଁ ।

 

ମେଘନାଦ ଜାମ୍ବବାନଙ୍କୁ କହିଲା, ‘ଆରେ ମୂର୍ଖ, ବୃଦ୍ଧ ବୋଲି ମନେକରି ତୋତେ ଅଭୟ ଦେଉଛି; ତୁ ନିଜର ଅବସ୍ଥା ନ ବୁଝି ମୋତେ ଯୁଦ୍ଧ ନିମନ୍ତେ ଆହ୍ଵାନ କରୁଛୁ ?” ଏହିପରି କହି ଗୋଟାଏ ବିକଟ ତ୍ରିଶୂଳ ଜାମ୍ବବାନ ଉପରକୁ ଫୋପାଡ଼ିଦେଲା । ଜାମ୍ବବାନ ସେହି ତ୍ରିଶୂଳକୁ ଧରିପକାଇଲେ ଏବଂ ମେଘନାଦ ଉପରକୁ ଆକ୍ରମଣ କଲେ । ସେହି ତ୍ରିଶୂଳ ଦ୍ଵାରା ଜାମ୍ବବାନ ମେଘନାଦର ଛାତିକୁ ଭୂଷିଦେଲେ । ମେଘନାଦ ସେହି ଆଘାତରେ ଭୂମିରେ ପଡ଼ିଯିବାବେଳେ ଜାମ୍ବବାନ ମେଘନାଦକୁ ଧରି ଆକାଶରେ ଘୂରାଇ ଘୂରାଇ ଭୂମି ଉପରେ ପିଟିଦେଲେ । ମେଘନାଦ ସେଥିରେ ମଲାନାହିଁ । ତାହା ଦେଖି ଜାମ୍ବବାନ ତାହାକୁ ପୁଣି ଉଠାଇ ଆକାଶକୁ ଫିଙ୍ଗିଦେଲେ । ସେ ତଳେ ପଡ଼ି ମୂର୍ଚ୍ଛିତ ହେଲା ।

 

ଏଣେ ଶ୍ରୀରାମ ନାଗଫାଶଦ୍ଵାରା ମୋହିତ ହୋଇ ପଡ଼ିଥିଲେ । ଦେବର୍ଷି ନାରଦ ଗରୁଡ଼ଙ୍କୁ ଶ୍ରୀରାମଙ୍କ ନିକଟକୁ ପ୍ରେରଣ କଲେ । ଗରୁଡ଼ଙ୍କର ଆବିର୍ଭାବ ମାତ୍ରେ ସର୍ପମାନେ ଅନ୍ତର୍ହିତ ହେଲେ । ମାୟାସର୍ପମାନଙ୍କୁ ଗରୁଡ଼ ଭକ୍ଷଣ କଲେ । ଶ୍ରୀରାମଙ୍କର ମୋହ ଦୂର ହେଲା । ତାଙ୍କର ଜ୍ଞାନଲାଭ ଦେଖି ବାନର ଓ ଭଲ୍ଲୁକମାନେ ଆନନ୍ଦରେ ପର୍ବତ ଓ ବୃକ୍ଷ ଧରି ନୂତନ ଉତ୍ସାହରେ ରାକ୍ଷସମାନଙ୍କ ଉପରକୁ ଆକ୍ରମଣ ଆରମ୍ଭକଲେ । ଭୀଷଣ ଆକ୍ରମଣ ସହ୍ୟ କରି ନପାରି ରାକ୍ଷସ ସୈନ୍ୟମାନେ ପଛଘୁଞ୍ଚା ଦେଲେ ।

 

ଏତିକିବେଳେ ମେଘନାଦର ମୂର୍ଚ୍ଛା । ତୁଟିଲା ବେଳକୁ ତାହା ନିକଟରେ ଦଶଗ୍ରୀବଙ୍କୁ ଦେଖିଲା । ପିତାଙ୍କୁ ଦେଖି ମେଘନାଦ ଲଜ୍ଜିତ ହେଲା । ସେ ଯେଉଁ ବଡ଼ିମା ପିତାଙ୍କ ସମ୍ମୁଖରେ ପ୍ରଦର୍ଶନ କର ଆସିଥିଲା, ତାହା ସ୍ମରଣ କରି ପୁଣି ମନେ ମନେ ପ୍ରତିଜ୍ଞା କଲା–ମୁଁ ଅଜେୟ ଯଜ୍ଞ ସାଧନ କରିବି; ମୋତେ କେହି ଜୟ କରିପାରିବେ ନାହିଁ । ସେହି ସ୍ଥଳରୁ ମେଘନାଦ ଆଉ ଗୃହକୁ ପ୍ରତ୍ୟାବର୍ତ୍ତନ ନ କରି ଗୋଟିଏ ପର୍ବତର ଗୁମ୍ଫାମଧ୍ୟରେ ତପସ୍ୟାମଗ୍ନ ହୋଇ ବସିଲା ।

 

ବିଭୀଷଣ ଏକଥା ଜାଣିପାରିଲେ । ସେ ଶ୍ରୀରାମଙ୍କୁ ମେଘନାଦର ଅଜେୟ ଯଜ୍ଞ ନିମନ୍ତେ ତପସ୍ୟା କରିବାକୁ ବସିଥିବା ବିଷୟ ଜଣାଇ କହିଲେ, ‘ହେ ଶ୍ରୀରାମ ! ମେଘନାଦ ଅଜେୟ ଯଜ୍ଞରେ ସିଦ୍ଧି ଲାଭ କଲେ ତାହାକୁ ତ୍ରିଲୋକରେ କେହିହେଲେ ପରାସ୍ତ କରିପାରିବେ ନାହିଁ ।’ ଏକଥା ଶୁଣି ଶ୍ରୀରାମ ଅଙ୍ଗଦ ଆଦି ସେନାପତିମାନଙ୍କୁ ଡକାଇ କହିଲେ–ତୁମ୍ଭେମାନେ ସମସ୍ତେ ଲକ୍ଷ୍ମଣଙ୍କ ସହିତ ସେ ସ୍ଥଳକୁ ଯାଅ ଏବଂ ତାର ଅପବିତ୍ର ଯଜ୍ଞ ବିଧ୍ଵଂସ କର । ହେ ଲକ୍ଷ୍ମଣ, ତୁମେ ମେଘନାଦ ସହିତ ଯୁଦ୍ଧ କରି ତାହାକୁ ବିନାଶ କର । ବଳବୁଦ୍ଧି ପ୍ରୟୋଗ କରି ତାହାକୁ ସଂହାର କରିବାକୁ ହେବ । ହେ ଜାମ୍ବବାନ, ସୁଗ୍ରୀବ, ବିଭୀଷଣ, ତୁମ୍ଭେମାନେ ଲକ୍ଷ୍ମଣଙ୍କ ନିକଟରେ ରହି ତାହାଙ୍କର ସହାୟତା କରିବ ।

 

ଶ୍ରୀରାମଙ୍କର ଏ ଆଦେଶ ପାଇ ଲକ୍ଷ୍ମଣ କହିଲେ, ମୁଁ ଆଜି ଯଦି ସେ ଦୃଷ୍ଟ ଅସୁରକୁ ବିନାଶ ନ କରି ପ୍ରତ୍ୟାବର୍ତ୍ତନ କରିବି ତେବେ ମୁଁ ମୋ ପ୍ରଭୁଙ୍କର ସେବକ ହେବାକୁ ଭାଜନ ହେବ ନାହିଁ । ଯଦି ଶତ ଶତ ଶଙ୍କର ଆଜି ଯୁଦ୍ଧରେ ତାହାର ସହାୟତା କରିବା ନିମନ୍ତେ ଆସନ୍ତି, ତଥାପି ମୁଁ ତାହାକୁ ଆଜି ବିନାଶ କରିବି ।

 

ଶ୍ରୀରାମଙ୍କ ଚରଣତଳେ ପ୍ରଣାମ କରି ଲକ୍ଷ୍ମଣ ଅଙ୍ଗଦ, ନୀଳ, ହନୁମାନ୍ ଆଦି ବାନର ସେନାପତିମାନଙ୍କୁ ନେଇ ଯୁଦ୍ଧଯାତ୍ରା କଲେ । ବାନରଗଣ ଦେଖିଲେ–ମେଘନାଦ ଯଜ୍ଞରେ ବସିଛି, ରକ୍ତ ଓ ମହିଷ ଆହୁତି ଦେଉଛି । ତାହାର ଏ ଅପବିତ୍ର ଯଜ୍ଞ ନଷ୍ଟକରିବା ନିମନ୍ତେ ବାନରମାନେ ନାନା ଉପାୟ କଲେ । କିନ୍ତୁ ସେ ଯଜ୍ଞବେଦୀରୁ ଉଠିଲା ନାହିଁ । ଅଙ୍ଗଦ ପ୍ରଭୃତି ସେନାପତିମାନେ ତାହାର ଏ ନିଷ୍ଠା ଦେଖି ତାହାକୁ ପ୍ରଶଂସା କଲେ । କିନ୍ତୁ ତାହାର ଯଜ୍ଞଭଙ୍ଗ କରିବା ପାଇଁ ଯେତେ ଉପାୟ କଲେ ମଧ୍ୟ ମେଘନାଦ ଅଚଳ ଅଟଳ ହୋଇ ବସିରହିଲା । ସେମାନେ ଶେଷକୁ ତାହାର ବାଳ ଧରି ଓଟାରିଲେ ଏବଂ ପଦାଘାତ କଲେ । ମେଘନାଦ ଆଉ ସମ୍ଭାଳି ପାରିଲା ନାହିଁ । ସେ ତ୍ରିଶୂଳ ଧରି ସେମାନଙ୍କର ଅନୁସରଣ କରିବାକୁ ଲାଗିଲା । ବାନରମାନେ ସେ ସ୍ଥଳରୁ ଲକ୍ଷ୍ମଣଙ୍କ ନିକଟକୁ ଦୌଡ଼ି ଆସିଲେ । ମେଘନାଦ କ୍ରୋଧାନ୍ଵିତ ହୋଇ ଭୀଷଣ ଗର୍ଜନ କରିବାକୁ ଲାଗିଲା । ହନୁମାନ୍ ଓ ଅଙ୍ଗଦ ତାହାକୁ ଆକ୍ରମଣ କଲେ । ମେଘନାଦ ତ୍ରିଶୂଳ ପ୍ରହାର କରି ସେମାନଙ୍କୁ ଭୂଲୁଣ୍ଠିତ କଲା ଏବଂ ଲକ୍ଷ୍ମଣଙ୍କ ଉପରକୁ ତ୍ରିଶୂଳ ନିକ୍ଷେପ କଲା । ତ୍ରିଶୂଳ ତାଙ୍କ ନିକଟକୁ ଆସିବା ପୂର୍ବରୁ ସେ ବାଣଦ୍ଵାରା ଆକାଶରେ ଆସୁଥିବା ତ୍ରିଶୂଳକୁ ଦୁଇଖଣ୍ଡ କରି ଛିନ୍ନକଲେ । ଇତିମଧ୍ୟରେ ହନୁମାନ୍ ଓ ଅଙ୍ଗଦ ଭୂମି ଉପରୁ ଉଠି ସଙ୍ଗେ ସଙ୍ଗେ ମେଘନାଦକୁ ପ୍ରହାର କରିବାକୁ ଲାଗିଲେ; କିନ୍ତୁ ସେ ଆଘାତ ତାହାର ଶରୀରରେ ନିଷ୍ଫଳ ହେଲା । ଲକ୍ଷ୍ମଣ ଦେଖିଲେ–ବଜ୍ରାଘାତ ସଦୃଶ ପ୍ରହାର ଦ୍ଵାରା ମଧ୍ୟ ତାହାର ଶରୀରରେ କୌଣସି ପୀଡ଼ାର ଲକ୍ଷଣ ଦେଖାଯାଉନାହିଁ । ତେଣୁ ସେ ଏକ ଭୀଷଣ ଶରସନ୍ଧାନ କଲେ । ଲକ୍ଷ୍ମଣଙ୍କର ଏ ତୀବ୍ର ବାଣର ଗତି ଦେଖି ଇନ୍ଦ୍ରଜିତ ଯୁଦ୍ଧକ୍ଷେତ୍ରରୁ ଅନ୍ତର୍ହିତ ହୋଇଗଲା । ପୁଣି ପର ମୂହୁର୍ତ୍ତରେ ଭିନ୍ନ ରୂପରେ ଯୁଦ୍ଧକ୍ଷେତ୍ରରେ ପ୍ରବେଶକଲା । ଏହିପରି ଭାବରେ ମୁହୂର୍ତ୍ତକ ମଧ୍ୟରେ କେତେବେଳେ ଅନ୍ତର୍ହିତ ହୋଇଯାଏ; ପୁଣି ଆବିର୍ଭୂତ ହୁଏ ।

 

ଏ ପାପୀ ରାକ୍ଷସର ଏ ଭଙ୍ଗୀ ଦେଖି ଲକ୍ଷ୍ମଣ ବିଶେଷ କ୍ରୁଦ୍ଧହେଲେ । ଶ୍ରୀରାମଙ୍କର ପ୍ରତାପ ସ୍ମରଣ କରି ତାହାକୁ ବିନାଶ କରିବା ନିମନ୍ତେ ଏକ ଉଗ୍ରବାଣ ନିକ୍ଷେପ କଲେ । ସେ ବାଣ ଧନୁତ୍ୟାଗ କରିବା ମାତ୍ରେ ମୁହୂର୍ତ୍ତକ ମଧ୍ୟରେ ମେଘନାଦର ହୃଦୟସ୍ଥଳ ଭେଦ କଲା । ସେ ତତ୍‌କ୍ଷଣାତ୍‌ ଭୂମିଶାୟୀ ହେଲା । ମୃତ୍ୟୁ ମୁହୂର୍ତ୍ତରେ ତାହାର ସମସ୍ତ କପଟ ଦୁରୀଭୂତ ହେଲା । ‘ଶ୍ରୀରାମ କାହାନ୍ତି, ଲକ୍ଷ୍ମଣ କାହାନ୍ତି’ କହୁ କହୁ ତାର ପ୍ରାଣବାୟୁ ଉଡ଼ିଗଲା । ହନୁମାନ୍‌ ତାର ମୃତ ଶରୀରକୁ ନେଇ ଲଙ୍କାଦୁର୍ଗର ଦ୍ଵାର ସମ୍ମୁଖରେ ଥୋଇଦେଇ ଆସିଲେ । ସ୍ଵର୍ଗପୁରରୁ ସେତେବେଳେ ପୁଷ୍ପବର୍ଷଣ ହେଲା ।

 

ରାବଣ ପ୍ରିୟ ପୁତ୍ରର ମୃତ୍ୟୁ-ସମ୍ବାଦ ଶୁଣିବାମାତ୍ରେ ମୂର୍ଚ୍ଛିତ ହୋଇପଡ଼ିଲେ । ମାତା ମନ୍ଦୋଦରୀ ଅତି କରୁଣ ସ୍ଵରରେ ବିଳାପ କରିବାକୁ ଲାଗିଲେ । ନଗରବାସୀମାନେ ବ୍ୟାକୁଳ ହେଲେ । ରାବଣ ନାରୀମାନଙ୍କର ବିଳାପଧ୍ୱନି ଶୁଣି ସେମାନଙ୍କ ସମ୍ମୁଖରେ ନାନା ଜ୍ଞାନବାଣୀ ବ୍ୟାଖ୍ୟାନ କରି ସାନ୍ତ୍ୱନା ଦେବାକୁ ଲାଗିଲେ ।

Image

 

Unknown

ଯୁଦ୍ଧକ୍ଷେତ୍ରରେ ରାବଣ ଓ ଲକ୍ଷ୍ମଣ

 

ପ୍ରଭାତର କିରଣ ପତିତ ହେବା ସଙ୍ଗେ ସଙ୍ଗେ ବାନରସୈନ୍ୟମାନେ ଲଙ୍କାଦୁର୍ଗର ଦ୍ଵାରଦେଶରେ ଯୁଦ୍ଧ ଆହ୍ଵାନ ଦେଲେ । ରାବଣ ରାକ୍ଷସ ଯୋଦ୍ଧାବୃନ୍ଦଙ୍କୁ ନିର୍ଦ୍ଦେଶ ଦେଇ କହିଲେ, ମୁଁ ମୋର ବାହୁବଳରେ ତ୍ରିଲୋକ ଜିଣିଛି, ବାହୁବଳରେ କୋଶଳରାଜା ସହିତ ଶତ୍ରୁତା ସୃଷ୍ଟି କରିଛି । ମୋର ଲଙ୍କାଗଡ଼ ମଧ୍ୟରେ ଯେଉଁ ଶତ୍ରୁ ବଳପୂର୍ବକ ପ୍ରବେଶ କରିଛି, ମୁଁ ତାକୁ ଉପଯୁକ୍ତ ଉତ୍ତର ଦେବି । ଯେଉଁ ଯୋଦ୍ଧାମାନେ ରଣବିମୁଖ, ସେମାନେ ରଣକ୍ଷେତ୍ରରୁ ଦୂରରେ ରହନ୍ତୁ ।

ରାବଣ ତାଙ୍କର ସାରଥିକୁ ପବନରଥ ସଜ୍ଜିତ କରିବାପାଇଁ ଆଦେଶ ଦେଲେ । ଯୁଦ୍ଧବାଦ୍ୟ ବାଜିବାକୁ ଲାଗିଲା । କଜ୍ଜଳ ବର୍ଣ୍ଣର ଝଟିକାର ପ୍ରବାହ ପରି ରାକ୍ଷସସେନାମାନେ ଦ୍ରୁତବେଗରେ ଅଗ୍ରସର ହେଲେ । ସେହି ସମୟରେ ବହୁ ଦୁର୍ଲକ୍ଷଣମାନ ଦେଖାଗଲା । ରାବଣ ସେସବୁ ଲକ୍ଷଣ ପ୍ରତି ଭ୍ରୂକ୍ଷେପ କଲେନାହିଁ । ଯୋଦ୍ଧାମାନଙ୍କ ହସ୍ତରୁ ଅସ୍ତ୍ର ବିନାକାରଣରେ ନିପତିତ ହୋଇପଡ଼ୁଥାଏ । ରଥରୁ ଯୋଦ୍ଧା ଭୂପତିତ ହେଉଥାନ୍ତି । ହସ୍ତୀ ଅଶ୍ଵ ଆଦି ପଶୁମାନେ ଚିତ୍କାର କରି ଇତସ୍ତତଃ ଗତାଗତ ହେଉଥାନ୍ତି । ଶୃଗାଳ, ଗୃଧ୍ର ଓ ଗର୍ଦ୍ଦଭମାନଙ୍କର ବିକଟାଳ ରଡ଼ି ଶୁଣାଯାଉଥାଏ-। କିନ୍ତୁ ଏସବୁ ଦେଖିଲେ ସୁଦ୍ଧା ଦୈତ୍ୟପତିଙ୍କ ମନରେ କୌଣସି ଚିନ୍ତା ନ ଥାଏ ।

ଚତୁରଙ୍ଗିଣୀ ରାକ୍ଷସସେନାଙ୍କର ଗତିରେ ପୃଥିବୀ ପ୍ରକମ୍ପିତ ହେଉଅଛି । ଅଶ୍ଵ, ଗଜ, ରଥ ଓ ପଦାତିକ ବିଭିନ୍ନ ବେଶରେ ଯୁଦ୍ଧକ୍ଷେତ୍ରକୁ ଅଗ୍ରସର ହେଉଛନ୍ତି । ରଥ ଶିଖରରେ ନାନାରଙ୍ଗର ପତାକାମାନ ପବନ ହିଲ୍ଲୋଳରେ କମ୍ପିତ ହେଉଅଛି । ସୈନ୍ୟମାନଙ୍କର ଗତି ଫଳରେ ପୃଥିବୀ ଟଳମଳ ହେଉଅଛି । ଧୂଳିପଟଳ ସୂର୍ଯ୍ୟଙ୍କୁ ଆବୃତ କରୁଅଛି । ଢୋଲ, ନାଗରା ଆଦି ବାଦ୍ୟର ଧ୍ୱନି ପ୍ରଳୟର ଘୋଷଣା କରୁଅଛି ।

ରାବଣ ସୈନ୍ୟମାନଙ୍କର ଉତ୍ସାହ ଦେଖି କହିଲେ–ହେ ରାକ୍ଷସ ସୈନ୍ୟବୃନ୍ଦ, ଏ ବାନର ଭଲ୍ଲୁକମାନଙ୍କୁ ଧୂଳି ସହିତ ମିଶ୍ରଣ କର । ଦୁଇ ରାଜକୁମାରଙ୍କ ସହିତ ଯୁଦ୍ଧକରି ମୁଁ ସେମାନଙ୍କୁ ନିହତ କରିବି ।

ବାନର ଓ ଭଲ୍ଲୁକ ସୈନ୍ୟମାନେ ପକ୍ଷଧାରୀ ପର୍ବତ ସଦୃଶ ଇତସ୍ତତଃ ଗତିକରୁଛନ୍ତି । ଦୁଇ ସୈନ୍ୟବାହିନୀ ମଧ୍ୟରୁ ଜୟଧ୍ୱନି ଉଠି ଆକାଶ ଓ ପବନ ସହିତ ମିଶିଯାଉଅଛି । ସେହି ସମକକ୍ଷ ଯୋଦ୍ଧା ନିର୍ବାଚନ କରି ପରସ୍ପର ଦ୍ଵନ୍ଦଯୁଦ୍ଧରେ ପ୍ରବୃତ୍ତ ହେଲେ । ରାବଣ ରଥ ଉପରେ ଆସୀନ ହୋଇ ଶର କ୍ଷେପଣ କରୁଛନ୍ତି । ଶ୍ରୀରାମ ଭୂମି ଉପରେ ଦଣ୍ଡାୟମାନ ହୋଇ ନୀକ୍ଷେପିତ ଶରକୁ କାର୍ତ୍ତିତ କରି ପୁଣି ନୂତନ ଶର କ୍ଷେପଣ କରୁଛନ୍ତି ।

ବିଭୀଷଣ ଶ୍ରୀରାମଙ୍କୁ କହିଲେ, ‘ହେ ଶ୍ରୀରାମ, ଆପଣ କବଚହୀନ ଓ ରଥବିହୀନ ହୋଇ ଏ ବଳବାନ ଶତ୍ରୁ, ବିପକ୍ଷରେ ଯୁଦ୍ଧ କରିବେ କିପରି ?’ ବିଭୀଷଣଙ୍କର ପ୍ରଶ୍ନର ଉତ୍ତର ଦେଇ ଶ୍ରୀରାମ କହିଲେ, ‘ହେ ବିଭୀଷଣ, ବିଜୟ ନିମନ୍ତେ ଭିନ୍ନ ପ୍ରକାରର ରଥ ଆବଶ୍ୟକ । ଶୌର୍ଯ୍ୟ ଓ ଧୈର୍ଯ୍ୟ ରୂପକ ଚତ୍ର; ସତ୍ୟ ଏବଂ ଶୀଳ ସଦୃଶ ଧ୍ଵଜା; ବଳ, ବିବେକ, ଦମ୍ଭ ଓ ପରୋପକାର ପରି ଚାରିଗୋଟି ଅଶ୍ଵ ଏବଂ ଈଶ୍ଵରଚିନ୍ତା ରୂପକ ସାରଥି ସେ ରଥ ନିମନ୍ତେ ଆବଶ୍ୟକ । ଏପରି ଧର୍ମମୟ ରଥ ଯାହା ନିକଟରେ ଅଛି, ଜୟ କରିବା ପାଇଁ ତାହାର ଶତ୍ରୁ ନାହାନ୍ତି ।’ ଏକଥା କହୁ କହୁ ସେ ଯୁଦ୍ଧରେ ପ୍ରବୃତ୍ତ ହେଲେ ।

ଏକ ପକ୍ଷରେ ରାବଣ ଓ ଅନ୍ୟ ପକ୍ଷରେ ଅଙ୍ଗଦ ଓ ହନୁମାନ୍‌ ହୁଁ କାର ଦେଉଛନ୍ତି । ଅନ୍ୟ ଯୋଦ୍ଧାମାନେ ରଣରଙ୍ଗରେ ମତ୍ତ । କିଏ କାହାକୁ କାଟି କାହାର ପେଟ ଚିରିଦେଉଛି, ଜଣେ ଅନ୍ୟର ମସ୍ତକକୁ ଶରୀର ଦେହରୁ ଛିନ୍ନକରି ସେହି ମସ୍ତକଦ୍ଵାରା ଅନ୍ୟକୁ ଆଘାତ କରୁଛି । କିଏ କାହାର ଗୋଡ଼କୁ ଧରି ଉଠାଇ ତଳେ ପ୍ରହାର କରୁଛି; ବାହୁକୁ ଉତ୍ପାଟନ କରିଦେଉଛି । ଭଲ୍ଲୁକ ଯୋଦ୍ଧାମାନେ ରାକ୍ଷସମାନଙ୍କୁ ନିହତ କରି ଗର୍ତ୍ତ ମଧ୍ୟରେ ସମାଧି ଦେଉଛନ୍ତି । ଯୋଦ୍ଧାମାନଙ୍କର ଶରୀର ରକ୍ତରେ ଆପ୍ଳୁତ ବାନରମାନେ ଶ୍ରୀନୃସିଂହ ରୂପ ଧାରଣ କରି ରଣପ୍ରାଙ୍ଗଣରେ କ୍ରୀଡ଼ା କରୁଛନ୍ତି । ଶ୍ରୀରାମଙ୍କର ଜୟଧ୍ଵନି ନାଦରେ ରଣକ୍ଷେତ୍ର ଉଛୁଳି ପଡୁଛି ।

 

ରାବଣ ଶ୍ରୀରାମଙ୍କର ଜୟଧ୍ୱନି ଶୁଣି କ୍ରୋଧାନ୍ୱିତ ହେଲେ । ବିଂଶ ହସ୍ତରେ ଏକସଙ୍ଗେ ଦଶଗୋଟି ଧନୁ ଧାରଣ କରି ଦଶଟି ତୀର ନିକ୍ଷେପ କଲେ । ବାନରମାନେ ଏକାସାଙ୍ଗେ ବୃକ୍ଷ, ପ୍ରସ୍ତାର, ପାହାଡ଼ ଆଦି ଧରି ରାବଣଙ୍କ ଉପରେ କଚାଡ଼ିଲେ । ରାବଣଙ୍କ ବଜ୍ରତୁଲ୍ୟ ଶରୀରରେ ସେ ପ୍ରସ୍ତର ଓ ପାହାଡ଼ଖଣ୍ଡମାନ ଘାତମାତ୍ରେ ଖଣ୍ଡବିଖଣ୍ଡିତ ହୋଇ ପୃଥିବୀ ଉପରେ ପଡ଼ିଲା । ସେ ଇତସ୍ତତଃ ରଣକ୍ଷେତ୍ରରେ ଦୌଡ଼ି ବାନରମାନଙ୍କୁ କଚାଡ଼ି ଭୂତଳରେ ପେଷଣ କରିପକାଇଲେ । ବାନରମାନେ ‘ହେ ଅଙ୍ଗଦ ରକ୍ଷାକର, ହେ ହନୁମାନ୍‌ ରକ୍ଷାକର’ କହି କହି ଏଣେତେଣେ ଦୌଡ଼ିବାକୁ ଲାଗିଲେ । ବାନରମାନେ ରଣପ୍ରାଙ୍ଗଣରେ ଇତସ୍ତତଃ ପଳାୟନ କରୁଥିବାର ଲକ୍ଷ୍ୟକରି ରାବଣ ପୁଣି ଦଶ ଧନୁରେ ଦଶତୀର ଯୋଚି ଏକାଥରକେ ପ୍ରୟୋଗ କରିବାରୁ ବାଣଗୁଡ଼ିକ ସର୍ପପରି ଆକାଶରେ ଉଡ଼ିବାକୁ ଲାଗିଲା; ପୃଥିବୀ ଓ ଆକାଶ ବାଣରେ ଆଚ୍ଛାଦିତ ହୋଇଗଲା । ବାନରମାନେ ରଣଭୂମିରୁ ଚାଲିଯିବା ପାଇଁ ମାର୍ଗ ପାଇଲେ ନାହିଁ । ବାନରମାନଙ୍କ ଉପରେ ରାବଣଙ୍କର ଭୀଷଣ ଆକ୍ରମଣ ଫଳରେ ବାନରମାନେ ବ୍ୟାକୁଳରେ ‘ହେ ଶ୍ରୀରାମ ରକ୍ଷା କର’ ଧ୍ୱନିରେ ଗଗନ-ପବନ କମ୍ପିତ କଲେ ।

 

ଲକ୍ଷ୍ମଣ ବାହିନୀର ଏ ଆକୁଳତା ଦେଖି ଶ୍ରୀରାମଙ୍କ ଚରଣରେ ମସ୍ତକ ନତ କରି କ୍ରୋଧାନ୍ଵିତ ହୋଇ କହିଲେ–ଆରେ ମୂର୍ଖ ରାବଣ, ତୁ ବାନର ଉଲ୍ଲୁକମାନଙ୍କୁ ବିନାଶ କରିବାରେ କି ବଡ଼ିମା ପ୍ରକାଶ କରୁଛୁ ? ମୋତେ ଦେଖ, ଏ ତୋର କାଳକୁ ଦେଖ ।

 

ରାବଣ କହିଲେ, ‘ଆରେ ମୋର ପୁତ୍ରହନ୍ତା, ଏ ପର୍ଯ୍ୟନ୍ତ ମୁଁ ତୋର ଅନ୍ଵେଷଣ କରୁଥିଲି-। ତୋତେ ହତ୍ୟାକରି ଆଜି ମୋର ହୃଦୟ ଶୀତଳ କରିବି ।’ ଏହିପରି କହି ରାବଣ ଲକ୍ଷ୍ମଣଙ୍କ ଉପରକୁ ପ୍ରଚଣ୍ଡ ବାଣ ପ୍ରୟୋଗ କଲେ । ଲକ୍ଷ୍ମଣ ତତ୍‌କ୍ଷଣାତ୍‌ ସେହି ବାଣଗୁଡ଼ିକ ଖଣ୍ଡ-ବିଖଣ୍ଡିତ କରିପକାଇଲେ । ରାବଣ ପୁଣି ଅସଂଖ୍ୟ ଶର ନିକ୍ଷେପ କଲେ । ଲକ୍ଷ୍ମଣ ସେଗୁଡ଼ିକ ଏପରି ଛିନ୍ନ-ବିଚ୍ଛିନ୍ନ କଲେ ଯେ ସେଗୁଡ଼ିକ ଆକାଶରୁ ଖଣ୍ଡ ଖଣ୍ଡ ହୋଇ ଛିଣ୍ଡିଲା । ଲକ୍ଷ୍ମଣ ପୁଣି ଶରଦ୍ଵାରା ରାବଣଙ୍କର ରଥ ଓ ସାରଥିକୁ ବିଚ୍ଛିନ୍ନ କରି ରଥକୁ ଛିନ୍ନଛତ୍ର କଲେ ଏବଂ ସାରଥିକୁ ହତ୍ୟାକଲେ । ଲକ୍ଷ୍ମଣ ଏକାଥରକେ ଯେତେବେଳେ ଦଶସହସ୍ର ବାଣ ପ୍ରୟୋଗ କଲେ, ସେଗୁଡ଼ିକ ଦଶଗ୍ରୀବଙ୍କ ଶିରରେ ପର୍ବତର ଗୁମ୍ଫାମଧ୍ୟରେ ସର୍ପଗୁଡ଼ିକ ଏକାସଙ୍ଗରେ ପ୍ରବେଶ କଲାଭଳି ଦିଶିଲା-। ରାବଣଙ୍କୁ ଲକ୍ଷ୍ୟକରି ଲକ୍ଷ୍ମଣ ପୁଣି ଯେଉଁ ଅସଂଖ୍ୟ ବାଣ ପ୍ରୟୋଗ କଲେ, ସେଗୁଡ଼ିକ ରାବଣଙ୍କ ବକ୍ଷରେ ଭେଦ କରିବାରୁ ରାବଣ ମୂର୍ଚ୍ଛିତ ହୋଇ ପୃଥିବୀ ଉପରେ ଅଳ୍ପକ୍ଷଣ ପର୍ଯ୍ୟନ୍ତ ପତିତ ହେଲେ; କିନ୍ତୁ ପରକ୍ଷଣରେ ମୂର୍ଚ୍ଛା ଦୂର ହେବାମାତ୍ରେ ପ୍ରଚଣ୍ଡ କ୍ରୋଧାନ୍ଵିତ ହୋଇ ଲକ୍ଷ୍ମଣଙ୍କ ଉପରେ ବ୍ରହ୍ମାଦତ୍ତ ଶକ୍ତି ଅସ୍ତ୍ର ପ୍ରୟୋଗ କଲେ । ସେ ଶକ୍ତି ଲକ୍ଷ୍ମଣଙ୍କ ହୃଦୟ ପ୍ରଦେଶରେ ଆଘାତ କରିବାମାତ୍ରେ ଲକ୍ଷ୍ମଣ ବ୍ୟାକୁଳ ହୋଇ ଭୂମି ଉପରେ କଚାଡ଼ି ହୋଇ ପଡ଼ିଲେ ଏବଂ ସଙ୍ଗେ ସଙ୍ଗେ ମୂର୍ଚ୍ଛିତ ହେଲେ । ସେତିକିବେଳେ ରାବଣ ମୂର୍ଚ୍ଛିତ ଲକ୍ଷ୍ମଣଙ୍କୁ ଭୂମି ଉପରୁ ଉଠାଇନେବା ପାଇଁ ଚେଷ୍ଟାକଲେ; କିନ୍ତୁ ତାଙ୍କର ସମସ୍ତ ଚେଷ୍ଟା ବିଫଳ ହେଲା । ସେ ତାଙ୍କୁ ଉଠାଇପାରିଲେ ନାହିଁ-

 

ହନୁମାନ୍‌ ଏହା ଦେଖି ରାବଣଙ୍କ ଉପରେ ନାନା କଟୁବଚନ ପ୍ରୟୋଗ କରି ରାବଣଙ୍କ ନିକଟକୁ ତୀବ୍ରବେଗରେ ଦୌଡ଼ିଆସିଲେ । ହନୁମାନ୍‌ଙ୍କୁ ଦେଖି ରାବଣ ତାହାଙ୍କ ଉପରେ ବଜ୍ରାଘାତ ପରି ଏକ ମୁଷ୍ଟି ପ୍ରୟୋଗ କଲେ । ସେହି ଆଘାତ ଫଳରେ ହନୁମାନ୍‌ ପର୍ବତ କଚାଡ଼ି ହୋଇ ପଡ଼ିଲାପରି ପୃଥିବୀ ଉପରେ ପଡ଼ୁ ପଡ଼ୁ ନିଜକୁ ସମ୍ଭାଳି ନେଲେ । ସେ ପୃଥିବୀ ଉପରେ ଆଣ୍ଠୁ ମାଡ଼ି ବସିପଡ଼ିଲେ ।

 

ପୁନର୍ବାର ପର ମୁହୂର୍ତ୍ତରେ ସେ ହଠାତ୍‌ ଦଣ୍ଡାୟମାନ ହୋଇ ରାବଣଙ୍କୁ ଏପରି ପ୍ରହାର କଲେ ଯେ ରାବଣ ତାହା ସମ୍ଭାଳି ପାରିଲେ ନାହିଁ । ବଜ୍ରାଘାତ ରୂପକ ଆଘାତ ଫଳରେ ରାବଣ ଭୂମିଉପରେ କଚାଡ଼ି ହୋଇପଡ଼ିଲେ । ରାବଣ ନିଜକୁ ସମ୍ଭାଳି ଉଠି ହନୁମାନ୍‌ଙ୍କର ବଳର ପ୍ରଶଂସାକରି କହିଲାବେଳେ ହନୁମାନ୍‌ ରାବଣଙ୍କୁ କହିଲେ–ମୋ ବଳକୁ ଧିକ୍‌, ମୋତେ ଧିକ୍‌ । ମୋର ପ୍ରହାର ଆଘାତରେ ତୁ ପୁଣି ବଂଚି ରହିପାରିଲୁ ?

 

ହନୁମାନ୍‌ ସମୟ ବିଳମ୍ବ ନ କରି ମୂର୍ଚ୍ଛିତ ଲକ୍ଷ୍ମଣଙ୍କୁ ଉଠାଇ ଶ୍ରୀରାମଙ୍କ ପାଖକୁ ନେଇଗଲେ । ରାବଣ ଚକିତ ନେତ୍ରରେ ହନୁମାନ୍‌ଙ୍କର ଶକ୍ତି ନିରୀକ୍ଷଣ କରୁଥିଲେ । ଶ୍ରୀରାମଚନ୍ଦ୍ର, ଲକ୍ଷ୍ମଣଙ୍କୁ ଦେଖି କହିଲେ, ‘ଲକ୍ଷ୍ମଣ, ତୁ କାଳର ଭକ୍ଷକ ଏବଂ ଦେବତାମାନଙ୍କର ରକ୍ଷକ ଅଟୁ । ହୃଦୟରେ ଏକଥା ଧାରଣାକର ।’ ଶ୍ରୀରାମଙ୍କର ଏ ମଧୁର ବାଣୀ ଲକ୍ଷ୍ମଣଙ୍କର କର୍ଣ୍ଣପୁଟରେ ବାଜିବାମାତ୍ରେ ତାଙ୍କର ଶରୀରରୁ ଏକ କରାଳଶକ୍ତି ଆକାଶକୁ ଉତ୍‌ଥିତ ହେଲା । ଲକ୍ଷ୍ମଣ ନିଦ୍ରାରୁ ଉଠିଲା ପରି ଉଠି ବସିଲେ । ପୁଣି ଧନୁର୍ବାଣ ହସ୍ତରେ ଯୁଦ୍ଧକ୍ଷେତ୍ର ଉଦ୍ଦେଶ୍ୟରେ ଯାତ୍ରା କଲେ । ସେ ରାବଣଙ୍କର ରଥକୁ ଭାଙ୍ଗି ସାରଥିକୁ ନିହତ କଲେ । ଲକ୍ଷ୍ମଣଙ୍କ ବାଣରେ ରାବଣ ଅତିଶୟ ଆକୁଳ ହୋଇପଡ଼ିଲେ । ଜଣେ ସାରଥି ରାବଣଙ୍କର ଏ ଅବସ୍ଥା ଦେଖି ତାହାଙ୍କୁ ଅନ୍ୟ ଏକ ରଥରେ ବସାଇ ଲଙ୍କାଗଡ଼କୁ ନେଇଗଲା ।

Image

 

ମହାବଳୀ ରାବଣ

 

ବାରମ୍ବାର ଲକ୍ଷ୍ମଣଙ୍କ ଦ୍ଵାରା ପରାଜିତ ହେବାରୁ ରାବଣଙ୍କ ମନରେ ଦୁର୍ବଳତା ଆସିଲା; କିନ୍ତୁ ମନରୁ ସାହସ ନ ହରାଇ ଗୋଟିଏ ଯଜ୍ଞ କରିବା ପାଇଁ ସେ ସ୍ଥିର କଲେ । ଗଡ଼ମଧ୍ୟରେ ଏକ ଉପଯୁକ୍ତ ସ୍ଥଳରେ ଯଜ୍ଞ କରି ବସିଲେ । ରାବଣଙ୍କର ଏ ଅଜେୟ ଯଜ୍ଞାନୁଷ୍ଠାନ ସଂବାଦ ଅନ୍ୟ କେହି ଜାଣି ନ ଥିଲେ; କିନ୍ତୁ ବିଭୀଷଣ ତାହା ଜାଣିପାରିଲେ । ସେ ଶ୍ରୀରାମଙ୍କ ନିକଟକୁ ଯାଇ କହିଲେ–ହେ ପ୍ରଭୋ । ରାବଣ ଯୁଦ୍ଧକ୍ଷେତ୍ରରୁ ପ୍ରତ୍ୟାବର୍ତ୍ତନ କରି ବର୍ତ୍ତମାନ ଗୋଟିଏ ଅଜେୟ ଯଜ୍ଞ ଅନୁଷ୍ଠାନ କରୁଅଛନ୍ତି । ସେ ଏଥିରେ ସିଦ୍ଧ ହେଲେ ତାହାଙ୍କୁ ପରାସ୍ତ କରିବା ସହଜ ନୁହେଁ । ବାନର ସୈନ୍ୟମାନଙ୍କୁ ପ୍ରେରଣ କରି ତାହାଙ୍କର ଯଜ୍ଞ ଧ୍ଵଂସ କରାନ୍ତୁ; ତାହାହେଲେ ରାବଣ ଯୁଦ୍ଧକ୍ଷେତ୍ରକୁ ଆସିବେ ।

 

ଶ୍ରୀରାମ ବିଭୀଷଣଙ୍କର ପରାମର୍ଶ ମାନି ପ୍ରଭାତ ହେବା ସଙ୍ଗେ ସଙ୍ଗେ ବାନରମାନଙ୍କୁ ଲଙ୍କାଗଡ଼ ମଧ୍ୟକୁ ପ୍ରେରଣ କଲେ । ବାନରମାନଙ୍କ ସଙ୍ଗେ ଅଙ୍ଗଦ ଲଙ୍କାପୁରୀ ମଧ୍ୟରେ ପଶିଲେ । ରାବଣ ତାହାଙ୍କର ସ୍ଵଭବନ ମଧ୍ୟରେ ଯଜ୍ଞକାର୍ଯ୍ୟରେ ନିମଗ୍ନ ଥିଲେ । ତାହାଙ୍କୁ ଯଜ୍ଞାସନରେ ଆସୀନ ଦେଖି ବାନରମାନେ ତାଙ୍କୁ ନାନା କଟୁକଥା କହିଲେ । ଅଙ୍ଗଦ ରାବଣଙ୍କୁ ଦେଖି କହିଲେ, ‘ଆରେ ମୂଢ଼, ନିର୍ଲଜ୍ଜ ରାବଣ ! ରଣକ୍ଷେତ୍ରରୁ ପଳାୟନ କରି ଆସି ବକଧ୍ୟାନରେ ବସିଛୁ ।’ ଅଙ୍ଗଦ ଯେତେ ଏହିପରି କଟୁକଥା କହିଲେ ସୁଦ୍ଧା ସେ କିଛି ଶୁଣିଲେ ନାହିଁ । ଅଙ୍ଗଦ ତାହାଙ୍କୁ ପାଦପ୍ରହାର କଲେ । ତଥାପି ସେ ଏପରି ମଗ୍ନଥିଲେ ଯେ ତାହାଙ୍କୁ ଏ ପଦାଘାତ ବିଚଳିତ କଲେନାହିଁ । ରାବଣ ନ ଉଠିବାରୁ ବାନରମାନେ ତାହାଙ୍କର ଶରୀରକୁ ଦାନ୍ତରେ ଚିରିବାକୁ ଲାଗିଲେ । ସ୍ତ୍ରୀମାନଙ୍କ କେଶ ଧରି ସେମାନଙ୍କୁ ଘରୁ ଟାଣି ଆଣିଲେ । ସ୍ତ୍ରୀମାନେ ଅତି ବିକଳରେ କ୍ରନ୍ଦନ କରିବାରୁ ରାବଣ ଆଉ ସହ୍ୟ କରିପାରିଲେ ନାହିଁ ଏବଂ ସଙ୍ଗେ ସଙ୍ଗେ ଯଜ୍ଞାସନରୁ ଉଠି ଅତ୍ୟନ୍ତ କ୍ରୋଧରେ ବାନରମାନଙ୍କୁ ଧରି ଭୂମିଉପରେ ପ୍ରହାର କରିବାକୁ ଲାଗିଲେ । ଏତିକିବେଳେ ବାନରମାନେ ରାବଣଙ୍କର ଯଜ୍ଞ ବିଧ୍ଵଂସ କଲେ ।

 

ରାବଣ ଯଜ୍ଞକ୍ଷେତ୍ର ତ୍ୟାଗକରି ଯୁଦ୍ଧକ୍ଷେତ୍ରକୁ ଆସିଲେ । ଗୃଧ୍ର ଆକାଶରେ ଉଡ଼ୁ ଉଡ଼ୁ, ରାବଣଙ୍କ ଶିରରେ ଆସି ବସିଲା । ଏ ଅପଶକୁନ ଦେଖି ତାଙ୍କ ମନ ମଧ୍ୟରେ ଆଶଙ୍କା ଆସିଲା । ସେ ତାହାକୁ ଭ୍ରୂକ୍ଷେପ ନ କରି ଯୁଦ୍ଧବାଦ୍ୟ ବାଦନ ନିମନ୍ତେ ଆଦେଶ ଦେଲେ । ଅସଂଖ୍ୟ ରାକ୍ଷସସୈନ୍ୟ ରଣକ୍ଷେତ୍ରାଭିମୁଖରେ ଯାତ୍ରା କଲେ । କୃପାଣ ଚମକାଇ ସେମାନେ ବାହାରିଲେ ।

 

ଶ୍ରୀରାମଚନ୍ଦ୍ର ମସ୍ତକର ଜଟା ବନ୍ଧନ କରି ସେଥିରେ ପୁଷ୍ପମାଲ୍ୟ ମଣ୍ଡନ କଲେ । କଟିସୂତ୍ରକୁ କସି ହସ୍ତରେ ଧନୁର୍ବାଣ ଓ ସ୍କନ୍ଧଦେଶରେ ତୂଣୀର ବାନ୍ଧି ବାନର ଓ ଭଲ୍ଲୁକ ସୈନ୍ୟମାନଙ୍କ ସହିତ ଯୁଦ୍ଧଯାତ୍ରା କଲେ । ଶ୍ରୀରାମ ଏକସଙ୍ଗେ ଏତେ ବାଣ ମାରିଲେ ଯେ ଝଡ଼ବର୍ଷା ସଦୃଶ ଦେଖାଗଲା । ରାକ୍ଷସମାନେ ଚିତ୍କାର କରି ପୃଥିବୀ ଉପରେ ସହସ୍ର ସଂଖ୍ୟାରେ ଲୋଟିଲେ । ପର୍ବତର ଝରଣାର ଜଳଧାରା ବହିଚାଲିଥିଲା ପରି ମୃତ ରାକ୍ଷସମାନଙ୍କ ଶରୀରରୁ ରୁଧିରଧାରା ବହିଲା । ନଦୀକୂଳର ବୃକ୍ଷଗୁଡ଼ିକ ନଦୀ ଜଳସ୍ରୋତର ଘାତ ସହି ନ ପାରି ଟଳିପଡ଼ିଲା ପରି ରାକ୍ଷସମାନେ ସମରଭୂମିରେ ଲୋଟିପଡ଼ୁଛନ୍ତି । କାକ, ଗୃଧ୍ର, ଚିଲ ଆଦି ପକ୍ଷୀମାନେ ମୃତ ଶରୀର ଦେହରୁ ଖଣ୍ଡ ଖଣ୍ଡ ହସ୍ତପଦ ନେଇ ଆକାଶରେ ଉଡ଼ୁଥିଲାବେଳେ ପରସ୍ପର ବିବାଦରତ ହୋଇ ଏକପକ୍ଷୀ ଅନ୍ୟଠାରୁ ଖଣ୍ଡିତ ଅଙ୍ଗପ୍ରତ୍ୟଙ୍ଗ ଛିଣ୍ଡାଇ ନେଉଛନ୍ତି । ଯୋଗିନୀମାନେ ଖର୍ପର ଦେହରେ ରକ୍ତ ସଂଗ୍ରହରେ ବ୍ୟସ୍ତ । ଭୂତ ଓ ପିଶାଚୀ ନର୍ତ୍ତନରତା । ଚାମୁଣ୍ଡାସମୂହ ମୃତ ଯୋଦ୍ଧାମାନଙ୍କର ଖପୁରିରେ କରତାଳ ବଜାଉଛନ୍ତି । ଶୃଗାଳବର୍ଗ କଟକଟ କରି ବିକଟାଳ ଶବ୍ଦରେ ଶବ ବ୍ୟବଚ୍ଛେଦ କରୁଛନ୍ତି । ଲକ୍ଷ ଲକ୍ଷ କବଂଧ ନାଚୁଛନ୍ତି, ଛିନ୍ନ ମସ୍ତକଗୁଡ଼ିକରୁ ଜୟ ଜୟ ନାଦି ଉକୁଟିଅଛି ।

 

ରାବଣ ରାକ୍ଷସ ବିନାଶ ଦେଖି ହତାଶା ଅନୁଭବ କରି ମନେ ମନେ ବିଚାରିଲେ, ଅଗଣିତ ବାନର ଓ ଭଲ୍ଲୁକ ସୈନ୍ୟ ରଣକ୍ଷେତ୍ରରେ ଆହ୍ଵାନ କରୁଛନ୍ତି । ରାକ୍ଷସମାନେ ମୁଷ୍ଟିମେୟ । ବର୍ତ୍ତମାନ କେବଳ ମାୟାରଚନା ଦ୍ଵାରାହିଁ ଏମାନଙ୍କୁ ପରାସ୍ତକରିବା ସମ୍ଭବ ହେବ । ବାନରମାନେ ଯେଉଁଆଡ଼େ ଦେଖିଲେ ଶ୍ରୀରାମ ଲକ୍ଷ୍ମଣ ବୁଲୁଅଛନ୍ତି । ଯୁଦ୍ଧକ୍ଷେତ୍ର ସାରା ରାମଲକ୍ଷ୍ମଣମୟ । ବାନରମାନେ କାହା ସହିତ ଯୁଦ୍ଧ କରିବେ ? ସେମାନେ ଆଶ୍ଚର୍ଯ୍ୟ ହୋଇ ଠିଆହୋଇ ରହିଲେ ।

 

ରାବଣ ଏପରି ମାୟା ରଚନା କଲାବେଳେ ଦେବତାମାନେ ସାରଥି ସହିତ ଗୋଟିଏ ରଥ ଶ୍ରୀରାମଚନ୍ଦ୍ରଙ୍କ ନିମନ୍ତେ ପଠାଇଲେ । ଶ୍ରୀରାମ ରଥରେ ଚଢ଼ିଲେ । ଶ୍ରୀରଘୁନାଥଙ୍କ ନିକଟରେ ରାବଣଙ୍କର ମାୟା ନିଷ୍ଫଳ ହେଲା । ସେ ରଥରେ ବସି ଯେତେବେଳେ ବାନରମାନଙ୍କର କଂକର୍ତ୍ତବ୍ୟବିମୁଢ଼ତା ଓ ରାବଣଙ୍କର ମାୟା ବୁଝିଲେ, ସେ ଗୋଟିଏ ଶକ୍ତିଶାଳୀ ବାଣ ପ୍ରୟୋଗ କଲେ । ତାହାଫଳରେ ସମଗ୍ର ମାୟା ଦୂରୀଭୂତ ହୋଇଗଲା । ଶ୍ରୀରାମ ରାବଣଙ୍କୁ ଦ୍ଵନ୍ଦଯୁଦ୍ଧ ନିମନ୍ତେ ଆହ୍ଵାନ ଜଣାଇଲେ ।

 

ରାବଣ କହିଲେ–ଆରେ ତପସ୍ଵୀ, ତୁ ଯେଉଁ ଯୋଦ୍ଧାମାନଙ୍କୁ ଯୁଦ୍ଧରେ ଜୟକରି ପାରିଛୁ ବୋଲି ଗର୍ବ କରୁଛୁ, ସେମାନଙ୍କ ସହିତ ମୋତେ ସମାନ ମନେକର ନାହିଁ । ମୋ ନାମ ରାବଣ । ମୋର ଯଶ ସମଗ୍ର ବିଶ୍ଵବିଦିତ । ଲୋକପାଳ ବ୍ରହ୍ମାଙ୍କୁ ମୁଁ ବନ୍ଦୀ କରିଥିଲି । ତୁ ଖର, ଦୂଷଣ ଓ ବିରାଧଙ୍କୁ ମାରିଲୁ, ବାଳୀକୁ ବ୍ୟାଧପରି ବଧ କଲୁ । ମୋର ପୁତ୍ର ମେଘନାଦ ଓ ଭ୍ରାତା କୁମ୍ଭକର୍ଣ୍ଣଙ୍କୁ ହତ୍ୟାକଲୁ । ଆଜି ଯଦି ଯୁଦ୍ଧଭୂମିରୁ ପଳାୟନ ନ କରୁ ତେବେ ମୋର ସମସ୍ତ ଶତ୍ରୁତା ତୋହରିଠାରେ ହିଁ ଶେଷ କରିବି । ତୋତେ ନେଇ କାଳହସ୍ତରେ ସମର୍ପଣ କରିବି । ଆଜି ତୁ କ୍ରୂର ରାବଣର କବଳ ମଧ୍ୟରେ ପଡ଼ିଛୁ ।

 

ଶ୍ରୀରାମ କହିଲେ–ବୃଥା କଥାର ଆଡ଼ମ୍ବରରେ ନିଜର ଯଶ ହ୍ରାସ କରୁଛୁ କାହିଁକି ? ମୋହଠାରୁ କିଛି ନୀତିକଥା ମନୋଯୋଗ ଦେଇ ଶୁଣ । ଏ ସଂସାରରେ ତିନିପ୍ରକାର ପୁରୁଷ ଅଛନ୍ତି-। ଗୋଲାପ କେବଳ ପୁଷ୍ପ ଦାନକରେ, ଆମ୍ୱବୃକ୍ଷ ପୁଷ୍ପ ଓ ଫଳ ପ୍ରଦାନ କରେ; କିନ୍ତୁ ପଣସବୃକ୍ଷ କେବଳ ଫଳ ଦିଏ, ପୁଷ୍ପଦାନ କରେ ନାହିଁ । ସେହିପରି କେତେକ ଲୋକ କେବଳ କଥାଗୁଡ଼ାଏ କହନ୍ତି, କେତେକ କହନ୍ତି ଓ କାର୍ଯ୍ୟରେ ପରିଣତ କରନ୍ତି; କିନ୍ତୁ ଆଉ କେତେକ ଖାଲି କରନ୍ତି, କିଛି କହନ୍ତି ନାହିଁ । ତୁ ଖାଲି କଥା କହିବା ଜାଣୁ ।

 

ଶ୍ରୀରାମଙ୍କ କଥା ଆଉ ନ ଶୁଣି ରାବଣ ଖୁବ୍‌ ହସିଲେ ଏବଂ କହିଲେ, ‘ମୋତେ ଜ୍ଞାନଶିକ୍ଷା ଦେଉଛୁ ? ଶତ୍ରୁତା ସୃଷ୍ଟି କଲାବେଳେ ଭୟ ଆସିଲାନାହିଁ; କିନ୍ତୁ ଏବେ ପ୍ରାଣ ଅତି ପ୍ରିୟ ଲାଗୁଛି, ନା ?’ ରାବଣ କହୁ କହୁ ଗୋଟାଏ ଭୀଷଣ ବଜ୍ର ସଦୃଶ ବାଣ ପ୍ରୟୋଗ କଲେ । ତାହାକୁ ଅନୁସରଣ କରି ପୁଣି ସହସ୍ର ବାଣଦ୍ଵାରା ଦିଗବିଦିଗ ଆଚ୍ଛାଦିତ କରିଦେଲେ । ଶ୍ରୀରାମ ରାବଣଙ୍କର ବାଣଗୁଡ଼ିକ ଛେଦନ କରିବାପାଇଁ ଅଗ୍ନିବାଣ ପ୍ରେରଣ କଲେ । ତାହା ଫଳରେ ଆକାଶ ନିର୍ମିଳ ହୋଇଗଲା । ଆକାଶକୁ ଆଚ୍ଛାଦିତ କରିଥିବା ବାଣସମୂହ ଭସ୍ମହୋଇ ପୃଥିବୀରେ ପତିତ ହେଲା । ରାବଣ ଏକ ତୀକ୍ଷ୍‌ଣ ଶକ୍ତି ପ୍ରୟୋଗ କଲେ । ଶ୍ରୀରାମ ଅନ୍ୟ ଏକ ବାଣଦ୍ଵାରା ସେହି ଶକ୍ତିକୁ ମାର୍ଗମଧ୍ୟରୁ ରାବଣଙ୍କ ନିକଟକୁ ପ୍ରତ୍ୟାବର୍ତ୍ତନ କରାଇଦେଲେ । ଚକ୍ର, ପରିଘ, ତ୍ରିଶୂଳ, ପ୍ରଭୃତି ଯେଉଁ ବାଣଗୁଡ଼ିକ ରାବଣ ପ୍ରେରଣ କଲେ, ଶ୍ରୀରାମ ସେଗୁଡ଼ିକ ସବୁ ଛେଦନ କରିପକାଇଲେ । ରାବଣଙ୍କର ପ୍ରେରିତ ଏକଶତ ବାଣ ଶ୍ରୀରମଙ୍କର ସାରଥିକୁ ଲକ୍ଷ୍ୟକରି ଆସିଲା; କିନ୍ତୁ ସେଗୁଡ଼ିକ ଶ୍ରୀରାମ-ପ୍ରେରିତ ବାଣଦ୍ଵାରା ଖଣ୍ଡ-ବିଖଣ୍ଡିତ ହେଲା ।

 

ଶ୍ରୀରାମଙ୍କର ଏକ ଶକ୍ତିଶାଳୀ ବାଣ ଆସିଲାବେଳେ ଦିଗ୍‌ଗଜମାନେ ବୃହଂଣ କଲେ, ପୃଥିବୀ କମ୍ପିତ ହେଲା, ଅସଂଖ୍ୟ ପକ୍ଷହୀନ ସର୍ପ ଆକାଶମାର୍ଗରେ ଗତିକଲାଭଳି ଶବ୍ଦଗୁଡ଼ିକ ଲହଲହ ଜିହ୍ଵା ବିସ୍ତାରକରି ଆସିବାର ଦେଖି ରାକ୍ଷସସୈନ୍ୟ ଭୀତ ହୋଇପଡ଼ିଲେ । ମନ୍ଦୋଦରୀଙ୍କ ହୃଦୟ କମ୍ପି ଉଠିଲା । ରାବଣଙ୍କ ସାରଥି ଭୂତଳଶାୟୀ ହେଲେ ଏବଂ ଅଶ୍ଵଗୁଡ଼ିକ ମୃତ ଓ ବିଚ୍ଛିନ୍ନ ହେଲେ । ରାବଣଙ୍କର ଧ୍ଵଜ ଓ ରଥ ଛିନ୍ନବିଚ୍ଛିନ୍ନ ହେଲା ।

 

ରାବଣ ଉଗ୍ରମୂର୍ତ୍ତି ଧାରଣ କରି ଅପର ଏକ ରଥରେ ଚଢ଼ି ଶ୍ରୀରାମଙ୍କ ଉପରେ ବହୁ ଅସ୍ତ୍ରଶସ୍ତ୍ର ପ୍ରୟୋଗ କଲେ । ଏକାଥରକେ ଦଶଟି ଶୂଳ ଆଘାତ କରି ଶ୍ରୀରାମଙ୍କ ରଥର ଅଶ୍ଵଗୁଡ଼ିକୁ ଭୂତଳଶାୟୀ କଲେ । ଶ୍ରୀରାମ ଅଶ୍ଵମାନଙ୍କୁ ଉଠାଇ ରାବଣଙ୍କର ଦଶ ଶିରକୁ ଲକ୍ଷ୍ୟ କରି ଶର ପ୍ରେରଣ କଲେ । ସେ ଶରମାନ ଦଶଗ୍ରୀବଙ୍କର ଶିରମାନଙ୍କୁ ରକ୍ତାକ୍ତ କଲା । ରକ୍ତ ପ୍ରବାହିତ ହେଉଥିଲାବେଳେ ରାବଣ ବ୍ୟାକୁଳ ହୋଇପଡ଼ିଲେ; କିନ୍ତୁ ଶ୍ରୀରାମ ଅବିଳମ୍ବେ ପୁଣି ତିରିଶିଗୋଟି ଶର ଧନୁରେ ଯୋଚି ଯେତେବେଳେ ରାବଣକୁ ଲକ୍ଷ୍ୟକଲେ, ରାବଣଙ୍କର ଶିର ଓ ଭୁଜଗୁଡ଼ିକ ଶରୀରରୁ ବିଚ୍ଛିନ୍ନ ହୋଇ ଭୂତଳରେ ପତିତ ହେଲା; କିନ୍ତୁ ପରକ୍ଷଣରେ ନୂତନ ରୂପେ ପୁନର୍ବାର ଶିର ଓ ଭୁଜଗୁଡ଼ିକ ଶରୀରର ଉପଯୁକ୍ତ ସ୍ଥଳରେ ଯୁକ୍ତହେଲା । ଏ ନୂତନ ଦୃଶ୍ୟ ଦେଖି ବାନରପନ୍ତି ଆଶ୍ଚର୍ଯ୍ୟ ଓ ବ୍ୟାକୁଳ ହେଲେ । ଶ୍ରୀରାମ ପୁଣି ଶରଦ୍ଵାରା ଶିର ଓ ବାହୁ ଛେଦନ କଲେ । ବାରମ୍ବାର ଛିନ୍ନ ମସ୍ତକଗୁଡ଼ିକ ଆକାଶରେ ଅସଂଖ୍ୟ ରାହୁ ଓ କେତୁ ଉଡ଼ିଲା ପରି ଦିଶିଲେ । ଅସଂଖ୍ୟ ଛିନ୍ନ ମସ୍ତକରୁ ରକ୍ତଧାରା ବର୍ଷାର ଧାରାପରି ବହିବାକୁ ଲାଗିଲା । ଏ ଦୃଶ୍ୟ ଦେଖି ସ୍ଵୟଂ ରାବଣ ଅତିଶୟ କୋପମୂର୍ତ୍ତି ଧାରଣ କଲେ । ଗର୍ଜନ କରି କରି ଏକ ସଙ୍ଗେ ଦଶଟିଯାକ ଧନୁ ଟଙ୍କାର କରି ବାଣ ଛାଡ଼ିଲେ । ବାଣଦ୍ଵାରା ଶ୍ରୀରାମଙ୍କ ରଥ ଆଚ୍ଛାଦିତ ହେଲା । ଆକାଶ ଦେଖାଗଲା ନାହିଁ । ଶ୍ରୀରାମ ଏହା ଦେଖି ଏପରି ଏକ ବାଣ ମାରିଲେ ଯେ ତାହାର ଫଳରେ ରାବଣଙ୍କର ସମସ୍ତ ଶିର ଭୂତଳରେ ପତିତ ହେଲା ଏବଂ ଆକାଶ ନିର୍ମଳ ଦିଶିଲା ।

 

ରାବଣଙ୍କର ମସ୍ତକଗୁଡ଼ିକରୁ ‘ରାମ କେଉଁଠି’ ଶବ୍ଦ ଶେଷହେବା ପୂର୍ବରୁ ସେଗୁଡ଼ିକ ରୋଦିତ ହେବାରୁ ଆକାଶରେ ଖାଲି ମସ୍ତକଗୁଡ଼ିକରୁ ସେହି ଶବ୍ଦର ଧ୍ୱନି ଶୁଣାଯାଉଥାଏ । ବାନରମାନେ ଏ ଦୃଶ୍ୟ ଦେଖି ଭୀତ ହେଲେ । ଶ୍ରୀରାମ ଏତେବେଳେ ଏକ ଶରଦ୍ଵାରା ମସ୍ତକଗୁଡ଼ିକର ଏକ ମାଳା ତିଆରି କରିଦେଲେ । ପ୍ରତୀତ ହେଲା, ବହୁ କାଳିକା ଦେବୀ ମୁଣ୍ଡମାଳା ଧରି ରୁଣ୍ଡ ହୋଇଛନ୍ତି ।

 

ରାବଣ କ୍ରୋଧଭର ହୋଇ ଏକ ଶକ୍ତି ପ୍ରୟୋଗ କଲେ । ସେ ଶକ୍ତି ବିଭୀଷଣଙ୍କୁ ଆଘାତ କରିବା ପୂର୍ବରୁ ଶ୍ରୀରାମ ବିଭୀଷଣଙ୍କ ସମ୍ମୁଖକୁ ଆସି ତାଙ୍କୁ ରକ୍ଷାକଲେ । ଶକ୍ତି ଶ୍ରୀରାମଙ୍କ ଶରୀର ମଧ୍ୟରେ ଅନ୍ତର୍ହିତ ହୋଇଗଲା । ଅଳ୍ପକ୍ଷଣ ପାଇଁ ସେ ମୋହିତ ହେଲେ । ଏହି ଅବସରରେ ବିଭୀଷଣ ଗଦା ଧାରଣ କରି ରାବଣ ସହିତ ଯୁଦ୍ଧରେ ପ୍ରବୃତ୍ତ ହେଲେ । ବିଭୀଷଣ କହିଲେ, ‘ମୂର୍ଖ ! ଦେବତା, ମନୁଷ୍ୟ ଓ ମୁନି ସମସ୍ତଙ୍କର ତୁ ବିରୋଧୀ ହେଲୁ । ତୁ ଶିବଙ୍କୁ ସନ୍ତୁଷ୍ଟ କରିବାପାଇଁ ତାଙ୍କୁ ଗୋଟିଏ ମସ୍ତକ ଉପହାର ଦେଲୁ । ତାହା ପରିବର୍ତ୍ତରେ ତୋତେ ବହୁ ମସ୍ତକ ଲାଭ ହେଲାଣି, ସେଥିପାଇଁ ତୁ ଏତେ ଦିନ ବଞ୍ଚିରହିପାରିଛୁ । ଏବେ ତୋର ଏ ମସ୍ତକଗୁଡ଼ିକ ଉପରେ କାଳ ନୃତ୍ୟ କରୁଛି । ଶ୍ରୀରାମ ବିରୋଧୀ ହୋଇ ପୁଣି ସୁଖସମ୍ପତ୍ତି ଇଚ୍ଛା କରୁଛୁ ? ଏକଥା କହି ସେ ରାବଣଙ୍କ ବକ୍ଷରେ ଗଦା ପ୍ରହାର କଲେ । ରାବଣ ଭୂତଳରେ ପଡ଼ି ରୁଧିର ବମନ କରିବାକୁ ଲାଗିଲେ ।

 

ରାବଣ ଲଜ୍ଜିତ ହୋଇ ଆପଣାକୁ ସମ୍ଭାଳି ନେଇ ଭୀଷଣ ଉଗ୍ରମୂର୍ତ୍ତି ଧାରଣ କରି ଦୌଡ଼ିଲେ । ଦୁହେଁ ମଲ୍ଲଯୁଦ୍ଧରେ ପ୍ରବୃତ୍ତ ହେଲେ । ବିଭୀଷଣ ଶ୍ରୀରାମମୂର୍ତ୍ତି ହୃଦୟରେ ଧାରଣକରି ନିଜକୁ ଅଶେଷ ବଳଶାଳୀ ବୋଲି ମନେକଲେ । ମଲ୍ଲଯୁଦ୍ଧବେଳେ ବିଭୀଷଣଙ୍କୁ ଶ୍ରାନ୍ତ ଦେଖି ହନୁମାନ୍‌ ଏକ ପର୍ବତ ଧରି ରାବଣଙ୍କୁ ଆକ୍ରମଣ କଲେ । ସେଇ ପର୍ବତ ପ୍ରହାରଦ୍ଵାରା ରାବଣଙ୍କର ରଥ, ଅଶ୍ଵ, ସାରଥୀ ସମସ୍ତେ ନିହତ ହେଲେ । ହନୁମାନ୍‌ ରାବଣଙ୍କର ବକ୍ଷ ଉପରେ ପାଦ ପ୍ରହାର କଲେ । ରାବଣ ଭୀଷଣ ମୂର୍ତ୍ତି ଧାରଣ କରି ଉତ୍‌ଥିତ ହେଲେ । ଏତିକିବେଳେ ରାବଣ ତାଙ୍କର ଲଙ୍ଗୁଳକୁ ଧରିପକାଇଲେ । ହନୁମାନ୍‌ ଲଙ୍ଗୁଳ ଦେଶରେ ରବଣଙ୍କୁ ଧରି ଆକାଶ ମାର୍ଗକୁ ଉଠିଲେ । ଆକାଶମାର୍ଗରେ ରାବଣ ଓ ହନୁମାନ୍‌ଙ୍କର ଯୁଦ୍ଧ ଆରମ୍ଭ ହେଲା । ଦୁହେଁ ନାନା ଛଳ ବଳ କୌଶଳରେ ଯେତେବେଳେ ଦ୍ଵନ୍ଦଯୁଦ୍ଧରେ ପ୍ରବୃତ୍ତ ହେଲେ, କଜ୍ଜଳଗିରି ଓ ସୁମେରୁ ପର୍ବତ ମଧ୍ୟରେ ଦ୍ଵନ୍ଦଯୁଦ୍ଧ ସଦୃଶ ଦେଖାଗଲା । ହନୁମାନ୍‌ ନାନା ବୁଦ୍ଧିବଳ ପ୍ରୟୋଗ କଲେ ସୁଦ୍ଧା ରାବଣଙ୍କୁ ଆକାଶମାର୍ଗରୁ ତଳକୁ ନିକ୍ଷେପ କରିପାରିଲେ ନାହିଁ । ସେ ଶ୍ରୀରାମଙ୍କୁ ସ୍ମରଣ କଲେ । ଏତିକିବେଳେ ଦୁହେଁ ମଲ୍ଲଯୁଦ୍ଧରେ ପ୍ରବୃତ୍ତ ଥାଇ ଆକାଶମାର୍ଗରୁ ପୃଥିବୀ ଉପରେ ପତିତ ହେଲେ । ବାନର ଓ ଭଲ୍ଲୁକମାନେ ଏକ ସଙ୍ଗେ ସହସ୍ର ସଂଖ୍ୟାରେ ରାବଣଙ୍କୁ ଆକ୍ରମଣ କରିବାରୁ ରାବଣ ସେମାନଙ୍କୁ ଟାଣିଆଣି ପୃଥିବୀ ଉପରେ ପେଷଣ କଲେ ।

 

ବାନରମାନେ ସହସ୍ର ସହସ୍ର ସଂଖ୍ୟାରେ ଏକତ୍ର ହେବାକୁ ଲାଗିଲେ । ରାବଣ ଏ ପ୍ରବଳ ବାନରବାହିନୀ ଦେଖି ପୁଣି ଏକ ମାୟା ରଚନା କଲେ । କ୍ଷଣକାଳ ନିମନ୍ତେ ରାବଣ ଅଦୃଶ୍ୟ ହୋଇଗଲେ । ପୁନର୍ବାର ବାନରମାନେ ନିଜ ସେନା ମଧ୍ୟରେ ସ୍ଥାନେ ସ୍ଥାନେ ରାବଣଙ୍କୁ ଦେଖିବାକୁ ପାଇଲେ । ଅସଂଖ୍ୟ ବାନରଯୂଥ ମଧ୍ୟରେ ଅସଂଖ୍ୟ ରାବଣ ଦେଖାଗଲେ । ବାନରମାନେ ରାବଣଙ୍କୁ ଏପରିଭାବରେ ଦେଖି ଭୟଭୀତ ହୋଇ ଇତସ୍ତତଃ ଧାବିତ ହେବାକୁ ଲାଗିଲେ । ସେମାନେ କହିବାକୁ ଲାଗିଲେ-ହେ ଶ୍ରୀରାମ, ହେ ଲକ୍ଷ୍ମଣ ! ରକ୍ଷାକର ।’ ସ୍ଵର୍ଗ ପୁରରେ ଦେବତାମାନେ ରାବଣଙ୍କର ଏ ମାୟାରଚନା ଦେଖି ମନେ ମନେ ଭାବିଲେ-ଶ୍ରୀରାମ-ବାହୀନୀର ଆଉ ବିଜୟର ଆଶା ନାହିଁ । ଜଣେମାତ୍ର ରାବଣ ସର୍ବ ଦେବତାଙ୍କୁ ଜୟ କରିଥିଲେ । ଏ ଯୁଦ୍ଧଭୂମିରେ ଲକ୍ଷ ଲକ୍ଷ ରାବଣ ଯୁଦ୍ଧ କରିବାରେ ପ୍ରବୃତ୍ତ । ଏମାନଙ୍କୁ ଜିଣିବ କିଏ ?

 

ହନୁମାନ, ଅଙ୍ଗଦ, ନଳ, ନୀଳ ସମସ୍ତେ କପଟରୂପୀ ରାବଣମାନଙ୍କ ସହିତ ଯୁଦ୍ଧକରି ସେମାନଙ୍କୁ ପୃଥିବୀ ଉପରେ କଚାଡ଼ି ଦେଉଥାନ୍ତି; କିନ୍ତୁ ବୀଜରୁ ଅଙ୍କୁର ବାହାରିବାପରି ଲକ୍ଷ ଲକ୍ଷ ରାବଣ ପୁଣି ଜାତ ହୋଇ ଯୁଦ୍ଧରେ ପ୍ରବୃତ୍ତ ହେଉଥାନ୍ତି । ଶ୍ରୀରାମ ଏ ମାୟା-ରାବଣମାନଙ୍କୁ ଦେଖି ହସିଲେ । କାର୍ମୁକ ଉପରେ ତୀର ସ୍ଥାପନ କରି ତାହାକୁ ପ୍ରୟୋଗ କଲେ । ଆଉ ରାବଣ ଜାତ ହେଲେ ନାହିଁ । ସମସ୍ତ ଜୀବିତ ମାୟା-ରାବଣ ନିହତ ହେଲେ । ଦେବତାମାନେ ଶ୍ରୀରାମଙ୍କୁ ସ୍ତୁତି କରିବାକୁ ଲାଗିଲେ ।

 

ଦେବତାମାନଙ୍କର ସ୍ତୁତି ଦେଖି ରାବଣ ଦେବତାମାନଙ୍କୁ ବିନାଶ କରିବାପାଇଁ ସ୍ଵର୍ଗ ପୁର ଦିଗକୁ ଧାବିତ ହେଲେ । ଦେବତାମାନେ ରାବଣଙ୍କର ଆଗମନ ଦେଖି ଇତସ୍ତତଃ ଦୌଡ଼ିବାରୁ ରାବଣ ସେମାନଙ୍କୁ କହିଲେ, ‘ହେ ମୂର୍ଖ ଦେବତାମାନେ, ତୁମ୍ଭମାନଙ୍କୁ ମୁଁ ବହୁକାଳ ପରାଭବ ଦେଇଛି । ବର୍ତ୍ତମାନ ମୋର କବଳରେ ପଡ଼ିଛ । ତୁମ୍ଭମାନଙ୍କୁ ରକ୍ଷା କରିବ କିଏ ? ରାବଣ ଏହା କହି ସ୍ଵର୍ଗପୁର ଦିଗକୁ ଧାବିତ ହେବାର ଦେଖି ଅଙ୍ଗଦ ତାଙ୍କର ଦୁଇପାଦ ଧରି ପୃଥିବୀକୁ ଆକର୍ଷଣ କଲେ । ରାବଣ ପୃଥିବୀ ଉପରେ କଚାଡ଼ି ହୋଇ ପଡ଼ିଲେ । ପୁଣି ଭୂତଳରୁ ଉଠି ଭୀଷଣ ଗର୍ଜନ କରିବାକୁ ଲାଗିଲେ । ରାବଣ ଏକାଥରକେ ଦଶଧନୁରେ ବାଣ ପ୍ରୟୋଗକରି ଯୁଦ୍ଧ ଚଳାଇଲେ । ଶ୍ରୀରାମ ସେହି ମୁହୂର୍ତ୍ତରେ ସେ ବାଣଗୁଡ଼ିକ ଛେଦନ କଲେ ।

 

ଶ୍ରୀରାମ ପୁନର୍ବାର ରାବଣଙ୍କର ବାହୁ ଓ ମସ୍ତକ ଛେଦନ କଲେ; କିନ୍ତୁ ଯେତେଥର ମସ୍ତକ ଓ ହସ୍ତକର୍ତ୍ତିତ ହେଲା, ସେତିକିଥର ସେଗୁଡ଼ିକ ପୁଣି ଯଥାସ୍ଥାନରେ ସ୍ଥାପିତ ହେଲା । ଅଙ୍ଗଦ ଓ ହନୁମାନ୍‌ ନାନା ପର୍ବତ ଆଣି ରାବଣଙ୍କ ଉପରେ କଚାଡ଼ିବାକୁ ଲାଗିଲେ । ରାବଣ ସେହି ପର୍ବତ ଓ ବୃକ୍ଷ ଧରି ବାନରମାନଙ୍କ ଉପରେ କଚାଡ଼ିଲେ । ରାବଣ ପୁଣି ଏକ ନାରାଚ ବିନ୍ଧି ହନୁମାନ୍‌ଙ୍କୁ ଓ ଅନ୍ୟ ବାନରମାନଙ୍କୁ ମୂର୍ଚ୍ଛିତ କରିପକାଇଲେ । ଏତିକିବେଳେ ସନ୍ଧ୍ୟା ଆସିବାରୁ ଦୁଇ ସେନାବାହିନୀ ଯୁଦ୍ଧ ବନ୍ଦ କଲେ । ରାବଣ ଆନନ୍ଦ ମନରେ ପ୍ରତ୍ୟାବର୍ତ୍ତନ କଲାବେଳେ ଜାମ୍ବବାନ ତାଙ୍କୁ ଏପରି ବିଧାଘାତ କଲେ ଯେ ସେ ରଥରୁ ଓଲଟି ପଡ଼ିଲେ । ତାଙ୍କର ସାରଥି ସନ୍ଧ୍ୟାଗତ ଦେଖି ରାବଣଙ୍କୁ ରଥ ଉପରେ ବସାଇ ଲଙ୍କାପୁରୀକୁ ଘେନିଗଲେ ।

 

ଦଶଗ୍ରୀବ ବଧ

 

ତ୍ରିଜଟା ନାମରେ ରକ୍ଷସୀ ସୀତାଙ୍କୁ ସମସ୍ତ ଯୁଦ୍ଧ ସମ୍ୱାଦ ଜଣାଇଲା । ତ୍ରିଜଟା କହିଲା, ‘ଶ୍ରୀରାମ ଓ ରାବଣ ମଧ୍ୟରେ ଭୀଷଣ ଯୁଦ୍ଧ ଲାଗିଛି । ଶ୍ରୀରାମ ରାବଣଙ୍କର ମସ୍ତକଗୁଡ଼ିକୁ କେତେଥର ଛେଦନ କଲେଣି; କିନ୍ତୁ ବାରମ୍ୱାର ମସ୍ତକଗୁଡ଼ିକ ଜନ୍ମିଯାଉଛି । ଏହା ଶୁଣି ସୀତାଙ୍କ ମନରେ ଭାରି ଭୟ ଆସିଲା ।

 

ସୀତା କ୍ରିଜଟାଙ୍କୁ କହିଲେ, ‘କ୍ରିଜଟା ! ଏ ରାବଣ ସମଗ୍ର ଜଗତକୁ କେତେ ଦୁଃଖ ଦେଲାଣି । ଶ୍ରୀରାମଙ୍କ ବାଣରେ କେତେଥର ମସ୍ତକ ଛିନ୍ନ ହେଉଥିଲେ ସୁଦ୍ଧା ତାର ମୃତ୍ୟୁ ଘଟୁନାହିଁ-। ବିଧାତା ଏ ପର୍ଯ୍ୟନ୍ତ ସଂସାର ନିମନ୍ତେ ଯେଉଁ ନିୟମ ବାନ୍ଧିଥିଲା, ତାହାର ବିପରୀତ ଘଟୁଛି । ମୋର ଦୁର୍ଭାଗ୍ୟଯୋଗୁଁ ସେ ରାବଣ ଜୀବିତ ରହିଛି । କପଟରେ ସ୍ଵର୍ଣ୍ଣମୃଗ ସୃଷ୍ଟିକଲା । ମୁଁ ଲକ୍ଷ୍ମଣଙ୍କୁ କେତେ କଟୁ କଥା କହି ପଠାଇଲି । ସେଥିନିମନ୍ତେ ମୁଁ ଏପରି ଦୁଃସହ ଦୁଃଖ ସହୁଛି । ଏତେ ଦୁଃଖ ଭିତରେ ବିଧାତା ପୁଣି ମୋତେ ବଂଚାଇ ରଖିଛି ।’

 

ତ୍ରିଜଟା କହିଲା, ‘ରାବଣଙ୍କର ମୃତ୍ୟୁ ରହସ୍ୟ ମୁଁ ଜାଣିଛି । ତାହାର ହୃଦୟ-ଦେଶରେ ବାଣ ଲାଗିଲେ କେବଳ ତାହାଙ୍କର ମୃତ୍ୟୁ ହେବ; କିନ୍ତୁ ଶ୍ରୀରାମଚନ୍ଦ୍ର, ତାହାଙ୍କର ହୃଦୟସ୍ଥଳକୁ ବାଣ ମାରୁନାହାନ୍ତି । କାରଣ ତାହାଙ୍କର ହୃଦୟଦେଶରେ ସୀତା ବାସ କରୁଛନ୍ତି । ସେ ସବୁବେଳେ ସୀତାଙ୍କ ଧ୍ୟାନରେ ମଗ୍ନ । ଶ୍ରୀରାମଚନ୍ଦ୍ର ସେ କଥା ଜାଣନ୍ତି । ସେଥିନିମନ୍ତେ ସେ ତାହାଙ୍କର ମସ୍ତକଗୁଡ଼ିକୁ ବାରମ୍ବାର ଛେଦନ କରୁଅଛନ୍ତି । ମସ୍ତକଗୁଡ଼ିକ ବାରମ୍ବାର ଛେଦିତ ହେଲେ ରାବଣ ବିବ୍ରତ ଓ ବ୍ୟାକୁଳ ହୋଇପଡ଼ିବେ ଏବଂ ସେ ହୃଦୟଦେଶରେ ତୁମର ଧ୍ୟାନ ଭୁଲିଯିବେ । ସେହି ସମୟ ନିମନ୍ତେ ଶ୍ରୀରାମ ଅପେକ୍ଷା କରିଅଛନ୍ତି; ସେତିକିବେଳେ ସେ ତାହାଙ୍କର ହୃଦୟକୁ ବାଣ ଲକ୍ଷ୍ୟ କରିବେ । ସେଥିରେ ତାହାଙ୍କର ମୃତ୍ୟୁ ହେବ ।’ ଏହିପରି ନାନାକଥା କହି ସୀତାଙ୍କୁ ସାନ୍ତ୍ୱନା ଦେଇ ତ୍ରିଜଟା ଘରକୁ ଫେରିଲା । ସୀତାଙ୍କର ବାମନେତ୍ର ସ୍ଫୁରିତ ହେବାରୁ ସେ ଏହାକୁ ଶୁଭଲକ୍ଷଣ ବୋଲି ମନେକଲେ । ମନମଧ୍ୟରେ ଶ୍ରୀରାମଙ୍କୁ ସ୍ମରଣ କରିବାକୁ ଲାଗିଲେ ।

 

ରାବଣ ସେଦିନ ଅର୍ଦ୍ଧରାତ୍ରିରେ ଶଯ୍ୟା ତ୍ୟାଗ କରି ସାରଥିକୁ ଡାକି ନାନାପ୍ରକାର ଭର୍ତ୍ସନା କଲେ । ରଣଭୂମିରୁ ସାରଥି ତାଙ୍କୁ ଗୃହକୁ ଘେନିଆସିବା ପରେ ବହୁସମୟ ଧରି ସେ ମୋହିତ ହୋଇ ପଡ଼ିଥିଲେ । ମୂର୍ଚ୍ଛା ତୁଟିବାରୁ ସାରଥି ସମସ୍ତ ଘଟଣା କହିଲା ଏବଂ ପୁନର୍ବାର ଅନେକ ସଦୁପଦେଶ ଦେଇ ବୁଝାଇଲା । କିନ୍ତୁ ରାବଣ ସେସବୁ କଥା ନଶୁଣି ପ୍ରଭାତ ଆଗମନରେ ଯୁଦ୍ଧଯାତ୍ରା କଲେ ।

 

ଯୁଦ୍ଧକ୍ଷେତ୍ରରେ ରାବଣଙ୍କୁ ଦେଖିବାମାତ୍ରେ ବାନର ଓ ଭଲ୍ଲୁକମାନେ ଚତୁର୍ଦ୍ଦିଗରୁ ଆକ୍ରମଣ କରି ରାମ୍ପୁଡ଼ି ବିଦାରି ପକାଇଲେ । ରାବଣ ବ୍ୟାକୁଳ ହୋଇପଡ଼ିଲେ । ତାଙ୍କୁ ଆଉ କୌଣସି ଉପାୟ ଦିଶିଲା ନାହିଁ । ସେ ପୁଣି ଏକ ମାୟା ରଚନା କଲେ । ଅକସ୍ମାତ୍‌ ନାନାପ୍ରକାରର ଭୟଙ୍କର ଜୀବ ପ୍ରକଟିତ ହେଲେ । ବେତାଳ, ଭୂତ, ପିଶାଚମାନେ ରଣଭୂମିରେ ଧନୁର୍ବାଣ ଧରି ଦଣ୍ଡାୟମାନ ହୋଇଛନ୍ତି । ଯୋଗିନୀମାନେ ଏକ ହସ୍ତରେ ତରବାରି ଓ ଅନ୍ୟ ହସ୍ତରେ ଖପୁରିରେ ରକ୍ତପାନ କରି କରି ନାଚୁଛନ୍ତି । ସେମାନେ ନାନା ଭଙ୍ଗୀରେ ଗାନକରି ମୁଖବ୍ୟାଦାନ କରି ବାନରମାନଙ୍କୁ ଭକ୍ଷଣ କରିବାକୁ ଦୌଡ଼ୁଛନ୍ତି । ଏ ଦୃଶ୍ୟ ଓ ରୂପ ଦେଖି ବାନରମାନେ ଭୟ-ବ୍ୟାକୁଳିତ ହୃଦୟରେ ଇତସ୍ତତଃ ହେବାକୁ ଲାଗିଲେ । କିନ୍ତୁ ଯେଉଁ ଦିଗକୁ ଦୌଡ଼ି ଚାଲିଯିବାକୁ ବସୁଛନ୍ତି ସେଦିଗରେ ଅଗ୍ନି ପ୍ରଜ୍ଵଳିତ ହେଉଅଛି । ଆକାଶଦେଶରୁ ବାଲୁକା ବୃଷ୍ଟି ହେଉଛି । ବାନରମାନେ ଏ କରାଳ ମୃତ୍ୟୁରୂପ ଦେଖି ଜୀବନ ସଂଶୟ ମନେକଲେ । ଲକ୍ଷ୍ମଣ ଓ ସୁଗ୍ରୀବ ଅଚେତ ହୋଇପଡ଼ିଲେ ।

 

ଏ ସୁଯୋଗରେ ରାବଣ ଗର୍ଜନ-ତର୍ଜନ କରି ବାନର ଓ ଭଲ୍ଲୁକମାନଙ୍କୁ ଯେଉଁଠି ଦେଖିଲେ ସେଠାରେ ହତ୍ୟାକଲେ । ସେମାନଙ୍କର ବ୍ୟାକୁଳତା ଦେଖି ରାବଣ ପୁଣି ଅନ୍ୟ ଏକ ମାୟା ରଚନାକଲେ । ହଠାତ୍‌ ବହୁସଂଖ୍ୟକ ମର୍କଟ ରଣଭୂମିରେ ପ୍ରକଟିତ ହେଲେ । ମାୟାରୂପୀ ବାନରମାନେ ଚତୁର୍ଦ୍ଦିଗରେ ଶ୍ରୀରାମଙ୍କୁ ଆକ୍ରମଣ କଲେ । ସେମାନେ ନାନାପ୍ରକାର ବିକଟ ଧ୍ୱନି କରିବାକୁ ଲାଗିଲେ । ରଣଭୂମିର ଚତୁର୍ଦ୍ଦିଗରେ ସେହି ବାନରମାନଙ୍କର ଲାଙ୍ଗୁଳଗୁଡ଼ିକ କେବଳ ଦେଖାଗଲା ।

 

ଶ୍ରୀରାମ ବୁଝିଲେ, ଅସୁର ବର୍ତ୍ତମାନ ନିରସ୍ତ୍ର ହୋଇ ବାରମ୍ବାର ମାୟାରଚନା କରୁଅଛି । ସେ ଗୋଟିଏ ବାଣଦ୍ଵାରା ଏ ସମସ୍ତ ମାୟା ଦୂର କଲେ । ବାନର ଓ ଉଲ୍ଲୁକମାନେ ଆନନ୍ଦରେ ନର୍ତ୍ତନ କଲେ । ରାବଣଙ୍କୁ ଯୁଦ୍ଧଭୂମିରେ ଦେଖିବାମାନେ ଶ୍ରୀରାମ ତାଙ୍କ ଉପରକୁ ଶର ଲକ୍ଷ୍ୟ କଲେ-। ତାଙ୍କ ଶରୀରରୁ ହସ୍ତ ଓ ମସ୍ତକଗୁଡ଼ିକ ଛେଦନ ହେଲା । କିନ୍ତୁ ରାବଣଙ୍କର ମୃତ୍ୟୁ ହେଲା ନାହିଁ; ପୁଣି ଦେଖୁ ଦେଖୁ ଶିର ଭୁଜଗୁଡ଼ିକ ଶରୀରବୃକ୍ଷରେ ଝଟକିଲା ।

 

ଶ୍ରୀରାମ ବାରମ୍ବାର ରାବଣଙ୍କର ଅପରାଜିତ ମସ୍ତକମାନ ଦେଖି କିଛି ବୁଝି ପାରିଲେ ନାହିଁ । ଶ୍ରୀରାମ ବିଭୀଷଣଙ୍କ ମୁଖକୁ ଚାହିଁଲେ । ବିଭୀଷଣ ଶ୍ରରାମଙ୍କର ଅଭିଲାଷ ବୁଝିପାରିଲେ । ସେ ଶ୍ରୀରାମଙ୍କୁ କହିଲେ–ହେ ଶ୍ରୀରାମ, ରାବଣ ବରପ୍ରାପ୍ତ । ତାଙ୍କର ନାଭିକୁଣ୍ଡରେ ଅମୃତ ରହିଛି । ନାଭିବଳରେ ସେ ବଂଚିରହିପାରିଛନ୍ତି ।

 

ଏତିକିବେଳେ ପ୍ରଚଣ୍ଡ ବାୟୁ ବହିବାକୁ ଲାଗିଲା । ବଜ୍ରପାତ ହେଲା । ପୃଥବୀ କମ୍ପିତ ହେଲା । ଆକାଶରୁ ଧୂଳି ଓ କେଶ ବୃଷ୍ଟି ହେବାକୁ ଲାଗିଲା I ଶ୍ରୀରାମ ଧନୁରେ ବାଣ ଚଢ଼ାଇ କର୍ଣ୍ଣ ପର୍ଯ୍ୟନ୍ତ ଧନୁଗୁଣକୁ ଆକର୍ଷଣକରି ଟଙ୍କାର ଦେଲେ । ଏକାଥରକେ ଏକତିରିଶଟି ଶର ରାବଣଙ୍କୁ ବିନ୍ଧିଲେ । ଶରଗୁଡ଼ିକ କାଳସର୍ପ ପରି ଆକାଶମାର୍ଗରେ ଗତି କରିବାରେ ଲାଗିଲେ । ଗୋଟିଏ ଶର ରାବଣଙ୍କର ନାଭିକୁଣ୍ଡର ସମସ୍ତ ଅମୃତକୁ ଶୋଷଣ କଲା । ଅନ୍ୟ ତିରିଶିଟିଯାକ ବାଣ ତାଙ୍କର ମୁଣ୍ଡ ଓ ବାହୁଗୁଡ଼ିକ ଛେଦନ କଲା । ମସ୍ତକ ଓ ବାହୁଗୁଡ଼ିକ ଭିନ୍ନ ହୋଇଯିବାପରେ ଗଣ୍ଡି ଯୁଦ୍ଧଭୂମିରେ ପ୍ରଚଣ୍ଡ ବେଗରେ ନାଚିବାକୁ ଲାଗିଲା । ତେଣୁ ପୃଥିବୀ କମ୍ପିତ ହେଲା । ଶ୍ରୀରାମ ସଙ୍ଗେ ସଙ୍ଗେ ଆଉ ଗୋଟିଏ ବାଣ ମାରି ଗଣ୍ଡିଟିକୁ ଦୁଇଖଣ୍ଡ କରି ଛେଦନ କରିପକାଇଲେ । ଗଣ୍ଡିମୁଣ୍ଡ ଅଲଗା ହୋଇଥିଲେ ସୁଦ୍ଧା ମୁଣ୍ଡଗୁଡ଼ିକ ପ୍ରଚଣ୍ଡ ଗର୍ଜନ କରିବାକୁ ଲାଗିଲେ । ପୃଥବୀ ଅସମ୍ଭାଳ ହୋଇ କମ୍ପମାନ ହେଲା । ସମୁଦ୍ର, ନଦୀ, ଦିଗ୍‍ଗଜମାନେ କମ୍ପିତ ହେଲେ । ରାବଣଙ୍କର ଭୁଜ ଓ ମସ୍ତକମାନ ମହୋଦରୀଙ୍କ ସମ୍ମୁଖରେ ସ୍ଥାପନ କରି ଶ୍ରୀରାମଙ୍କ ବାଣସମୂହ ତୂଣୀରକୁ ପ୍ରତ୍ୟାବର୍ତ୍ତନ କଲେ । ସ୍ଵର୍ଗରୁ ଦୁନ୍ଦୁଭି ନାଦ ହେଲା l ରାବଣଙ୍କର ତେଜସମୂହ ଶ୍ରୀରାମଙ୍କ ଶରୀରରେ ଲୀନ ହେଲା । ବ୍ରହ୍ମାଣ୍ଡ ସମୂହରୁ ଜୟ ଜୟ ଧ୍ୱନି ଶୁଭିଲା ।

 

ମନ୍ଦୋଦରୀ ରାବଣଙ୍କର ଶିରଗୁଡ଼ିକ ଦର୍ଶନ ମାତ୍ରେ ଭୂତଳରେ ପଡ଼ି ମୂର୍ଚ୍ଛିତ ହେଲେ । ନାରୀମାନେ ତାଙ୍କୁ ନାନାପ୍ରକାର ଉପାୟରେ ଚେତା କରାଇଲେ । ଚେତନା ପାଇବାମାତ୍ରେ ମନ୍ଦୋଦରୀ ଅତି ବ୍ୟାକୁଳ ଭାବରେ ବିଳାପ କରିବାକୁ ଲାଗିଲେ । ମନ୍ଦୋଦରୀ କହିଲେ, ‘ହେ କାନ୍ତ-! ଅଗ୍ନି, ସୂର୍ଯ୍ୟ ତୁମ୍ଭ ନିକଟରେ ତେଜହୀନ ଥିଲେ । ଆଜି ତୁମର ସେହି ଶରୀର ଧୂଳିଯୁକ୍ତ ହୋଇ ପୃଥିବୀରେ ଲୋଟୁଛି । ତୁମେ ବାହୁବଳରେ ଯମ ରାଜାଙ୍କୁ ଜିଣିଲ; ଆଜି ଅନାଥ ପରି ଏ ଭୂମିରେ ପଡ଼ିଅଛ । ବିଧାତାର ଏ ସମଗ୍ର ସୃଷ୍ଟି ତୁମ୍ଭର ଅଧୀନ ଥିଲା; ଆଜି ତୁମର ବାହୁଗୁଡ଼ିକ ଶୃଗାଳର ଆହାର ହେଲା ! ମୁଁ ତୁମକୁ କେତେପ୍ରକାର ବୁଝାଇଲି, ତୁମ୍ଭେ ଶ୍ରୀରାମଙ୍କୁ ଚିହ୍ନିପାରିଲ ନାହିଁ । ଆଜି ସେହି ଶ୍ରୀରାମଚନ୍ଦ୍ର, ତୁମକୁ ନିଜ ଧାମରେ ସ୍ଥାନ ଦେଇଛନ୍ତି ।’

 

ବିଭୀଷଣ ରାକ୍ଷସପୁରକୁ ଯାଇ ରାକ୍ଷସପୁରର ସ୍ତ୍ରୀମାନଙ୍କୁ ନାନାକଥା କହି ସାନ୍ତ୍ୱନା ଦେଲେ । ଶ୍ରୀରାମଙ୍କ ଆଦେଶରେ ବିଭୀଷଣ ରାବଣଙ୍କର ଅନ୍ତ୍ୟେଷ୍ଟିକ୍ରିୟା ସମ୍ପନ୍ନ କଲେ । ମନ୍ଦୋଦରୀ ଆଦି ନାରୀମାନେ ରାବଣଙ୍କ ଉଦ୍ଦେଶ୍ୟରେ ତିଳାଞ୍ଜଳି ଦେଲେ ।

 

ବିଭୀଷଣଙ୍କୁ ରାଜତିଳକ ଦେବାପାଇଁ ଶ୍ରୀରାମ ବିଭୀଷଣଙ୍କ ସହିତ ଲକ୍ଷ୍ମଣ, ସୁଗ୍ରୀବ, ଅଙ୍ଗଦ, ହନୁମାନ୍‌, ଜାମ୍ବବାନ ଓ ନୀଳଙ୍କୁ ପ୍ରେରଣ କଲେ । ଶ୍ରୀରାମ ବିଭୀଷଣଙ୍କୁ କହିଲେ, ‘ମୁଁ ପିତାଙ୍କ ନିକଟରେ ବଚନବଦ୍ଧ; ତେଣୁ ନଗର ମଧ୍ୟକୁ ଯାଇପାରିବି ନାହିଁ । ସେଥିପାଇଁ ମୋର ଭାଇ ଓ ବାନରମାନଙ୍କୁ ପ୍ରେରଣ କରୁଅଛି ।

 

ଶ୍ରୀରାମଙ୍କ ଆଦେଶରେ ଲକ୍ଷ୍ମଣଙ୍କ ସହିତ ବାନରମାନେ ଲଙ୍କାପୁରକୁ ଯାଇ ନିୟମାଦି ପାଳନକରି ବିଭୀଷଣଙ୍କୁ ରାଜତିଳକ ଦେଲେ । ବିଭୀଷଣ ଲଙ୍କାର ରାଜା ହୋଇ ଶ୍ରୀରାମଙ୍କ ଦର୍ଶନ ସକାଶେ ତାଙ୍କ ପାଖକୁ ଆସି ପ୍ରଣାମ କଲେ । ଶ୍ରୀରାମ ତାହାଙ୍କୁ ସ୍ନେହାଶିଷ ପ୍ରଦାନ କଲେ ।

Image

 

ଅଗ୍ନି-ପରୀକ୍ଷା

 

ଲଙ୍କାପୁରୀର ରାଜ୍ୟଭାର ବିଭୀଷଣ ଗ୍ରହଣ କଲେ । ସୀତା ବର୍ତ୍ତମାନ ଅଶୋକବନରେ-। ସୀତାଙ୍କୁ ରାବଣବଧ ସମ୍ବାଦ ଦେବା ନିମନ୍ତେ ହନୁମାନ୍‌, ଶ୍ରୀରାମଙ୍କ ଆଦେଶ ଗ୍ରହଣ କରି ଅଶୋକବନରେ ପହଞ୍ଚିଲେ । ରାକ୍ଷସ ଓ ରାକ୍ଷସୀମାନେ ହନୁମାନ୍‌ଙ୍କୁ ଅତି ଆଦରରେ ସୀତାଙ୍କ ନିକଟକୁ ଘେନିଗଲେ । ହନୁମାନ୍‌ ଜାନକୀଙ୍କୁ ଦେଖି ସସଂଭ୍ରମରେ ଦୂରରୁ ପ୍ରଣାମ କରିବାମାତ୍ରେ ଜାନକୀ ହନୁମାନ୍‌ଙ୍କୁ ଶ୍ରୀରାମ, ଲକ୍ଷ୍ମଣ ଓ ବାନରମାନଙ୍କର କୁଶଳ ସମ୍ବାଦ ଜିଜ୍ଞାସା କଲେ ।

 

ହନୁମାନ୍‌ କହିଲେ–ହେ ମାତା, ଶ୍ରୀରାମ ଯୁଦ୍ଧରେ ଜୟଲାଭ କରିଅଛନ୍ତି । ରାବଣଙ୍କ ମୃତ୍ୟୁପରେ ଶ୍ରୀରାମ ବିଭୀଷଣଙ୍କୁ ଲଙ୍କାପୁରୀର ରାଜଛତ୍ର ପ୍ରଦାନ କରିଅଛନ୍ତି । ବର୍ତ୍ତମାନ ବିଭୀଷଣ ଲଙ୍କାର ରାଜ୍ୟଭାର ଗ୍ରହଣ କରି ଶ୍ରୀରାମଚନ୍ଦ୍ରଙ୍କୁ ପ୍ରଣାମ କଲେ । ଶ୍ରୀରାମ ତାହାଙ୍କୁ ଆଶୀର୍ବାଦ ପ୍ରଦାନ କଲେ । ବାନରମାନେ ସମସ୍ତେ ‘ଶ୍ରୀରାମଚନ୍ଦ୍ରଙ୍କର ଜୟ’ ଘୋଷଣା କରୁଅଛନ୍ତି ।

 

ଜାନକୀ ହନୁମାନ୍‌ଙ୍କଠାରୁ ଏ ସମ୍ବାଦ ଶୁଣି କହିଲେ–ହେ ପୁତ୍ର ହନୁମାନ୍‌, ମୁଁ ତୁମକୁ କି ଦ୍ରବ୍ୟ ଦେଇ ସନ୍ତୁଷ୍ଟ କରିବି । ତୁମେ ଯେଉଁ ବାଣୀ ମୋତେ ଶୁଣାଇଲ, ତାହା ସହିତ ସମାନ ହେଲାଭଳି ଆଉ କୌଣସି ବାଣୀ ତ୍ରିଲୋକରେ ନାହିଁ । ତୁମ ହୃଦୟ ସମସ୍ତ, ସଦ୍‌ଗୁଣର ଆଧାର ହେଉ । ଶ୍ରୀରାମ ଲକ୍ଷ୍ମଣ ତୁମ ଉପରେ ଚିରପ୍ରସନ୍ନ ରହନ୍ତୁ । ମୁଁ ମୋର ଏ ନେତ୍ରଦ୍ଵୟରେ କିପରି କୌଶଳପତିଙ୍କୁ ଦେଖିବି ? ହେ ପୁତ୍ର, ତୁମେ ସେଥିପାଇଁ କୌଣସି ଉପାୟ କର ।

 

ହନୁମାନ୍‌ ପ୍ରତ୍ୟାବର୍ତ୍ତନ କଲେ । ସେ ସମସ୍ତ ସମ୍ବାଦ ଶ୍ରୀରାମଙ୍କୁ ଜଣାଇବାରୁ ଶ୍ରୀରାମ ବିଭୀଷଣ ଓ ଅଙ୍ଗଦଙ୍କୁ ଡାକି କହିଲେ, ‘ତୁମ୍ଭେମାନେ ହନୁମାନ୍‌ଙ୍କୁ ନେଇ ଜାନକୀଙ୍କ ନିକଟକୁ ଯାଅ-। ଅଶୋକବନରୁ ଜାନକୀଙ୍କୁ ଆନୟନ କର ।’ ବିଭୀଷଣଙ୍କ ଆଦେଶରେ ରାକ୍ଷସୀମାନେ ସୀତାଙ୍କ ନିକଟକୁ ଯାଇ ତାଙ୍କୁ ସ୍ନାନ କରାଇଦେଲେ । ତାଙ୍କୁ ନାନା ଅଳଙ୍କାରରେ ଭୂଷିତ କରାଇଲେ । ତାଙ୍କୁ ପର୍ଯ୍ୟଙ୍କରେ ବସାଇ ଆଣିବାପାଇଁ ବିଭୀଷଣ ଆଦେଶ ଦେବାରୁ ଶ୍ରୀରାମ କହିଲେ–ଜାନକୀ ସମସ୍ତଙ୍କର ମାତା । ବାନର ଉଲ୍ଲୁକମାନେ ତାହାଙ୍କର ଦର୍ଶନ ନିମନ୍ତେ ଉଦ୍‌ଗ୍ରୀବ-। ତାହାଙ୍କୁ ପର୍ଯ୍ୟଙ୍କରେ ବସାଇ ଆଣିଲେ ସମସ୍ତେ ତାହାଙ୍କର ଦର୍ଶନ କରିପାରିବେ ନାହିଁ । ସେ ସମସ୍ତଙ୍କ ଗହଣରେ ପଦଯାତ୍ରାରେ ଏଠାକୁ ଆସନ୍ତୁ ।

 

ସୀତାଙ୍କୁ ସମସ୍ତେ ଦେଖିପାରିବେ ବୋଲି ବାନର ଓ ଉଲ୍ଲୁକମାନେ ସୀତାଙ୍କର ପାଦରେ ଚାଲିଆସିବା ଶୁଣି ଭାରି ଆନନ୍ଦିତ ହେଲେ । ଦେବତାମାନେ ଆକାଶରୁ ପୁଷ୍ପବୃଷ୍ଟି କଲେ । ସୀତାଙ୍କର ପ୍ରକୃତରୂପ ଅଗ୍ନି ମଧ୍ୟରେ ଗୁପ୍ତଥିଲା । ବର୍ତ୍ତମାନ ସେ ତାଙ୍କର ପ୍ରକୃତ ରୂପରେ ପ୍ରକଟିତ ହେବେ । ସେଥିପାଇଁ ଶ୍ରୀରାମ କଟୁ ଆଦେଶ ଦେଲେ । ଆଦେଶ ପାଇ ସୀତା କହିଲେ–‘ହେ ଲକ୍ଷ୍ମଣ, ତୁମେ ମୋର ସହାୟ ହୁଅ । ବର୍ତ୍ତମାନ ଶୀଘ୍ର ଅଗ୍ନି ପ୍ରଜ୍ଜ୍ୱଳିତ କର ।’ ଲକ୍ଷ୍ମଣ ସୀତାଙ୍କର ଏ ପ୍ରକାର ଆଦେଶ ଶୁଣି ବିଷର୍ଣ୍ଣ ହେଲେ । ତାଙ୍କର ଦୁଇଚକ୍ଷୁ ଲୋତକପୂର୍ଣ୍ଣ ହେଲା I ସେ ଦୁଇହାତ ଯୋଡ଼ି ଠିଆହେଲେ । ସେ ଜ୍ୟେଷ୍ଠଭ୍ରାତାଙ୍କୁ କିଛି କହିପାରିଲେ ନାହିଁ ।

 

ଅଗ୍ନି-ସ୍ଥାପନରେ ଭ୍ରାତାଙ୍କର ସମ୍ମତି ଜାଣିପାରି ଲକ୍ଷ୍ମଣ କାଷ୍ଠ ସଂଗ୍ରହ କରି ଅଗ୍ନି ସ୍ଥାପନ କଲେ । ଅଗ୍ନି ଶିଖା ତୋଳି ପ୍ରଜ୍ଵଳିତ ହେଲେ । ସୀତା ପ୍ରସନ୍ନା ହେଲେ । ଅଗ୍ନି ମଧ୍ୟକୁ ଯିବା ପୂର୍ବରୁ ସୀତା କହିଲେ, ‘ହେ ଅଗ୍ନି ଦେବ ! ମନ, ବଚନ ଓ କର୍ମରେ ହୃଦୟ ମଧ୍ୟରେ ଶ୍ରୀରଘୁନାଥ ଯଦି ମୋର କେବଳ ଆଶ୍ରୟ ହୋଇଥାନ୍ତି, ତେବେ ହେ ଅନ୍ତର୍ଯାମୀ ହୁତାଶନ, ତୁମେ ମୋ ନିମନ୍ତେ ଚନ୍ଦନର ଶୀତଳତା ପ୍ରଦାନ କର । ରଘୁକୁଳତିଳକ ଶ୍ରୀରାମଚନ୍ଦ୍ରଙ୍କର ଜୟ ହେଉ ।’ ଏତିକି ଉଚ୍ଚାରଣ କରି ସୀତା ଅଗ୍ନି ମଧ୍ୟରେ ପ୍ରସନ୍ନ ମନରେ ପ୍ରବେଶ କଲେ । ତାଙ୍କର ଲୌକିକ କଳଙ୍କ ପ୍ରଚଣ୍ଡ ଅଗ୍ନି ଦହନ କଲେ ।

 

କ୍ଷୀରସାଗର ସାଗରସମ୍ଭବା ଇନ୍ଦିରାଙ୍କୁ ଯେପରି ଭଗବାନ୍‌ ନାରାୟଣଙ୍କୁ ସମର୍ପଣ କରିଥିଲେ, ସେତିକିବେଳେ ପ୍ରଚଣ୍ଡ ଅଗ୍ନିଦେବ ଆବିର୍ଭୂତ ହୋଇ ସୀତାଦେବୀଙ୍କୁ ଶ୍ରୀରାମଚନ୍ଦ୍ରଙ୍କ କରକମଳରେ ଅର୍ପଣ କଲେ । ଜାନକୀ ଶ୍ରୀରାମଙ୍କର ବାମଭାଗରେ ବିରାଜିତା ହେଲେ । ଚତୁର୍ଦ୍ଦିଗରେ ଆନନ୍ଦ-କୋଳାହଳ ଶୁଭିଲା । ଅପ୍‌ସରାମାନେ ନର୍ତ୍ତନ କରିବାକୁ ଲାଗିଲେ । ଆକାଶରୁ ଦୁନ୍ଦୁଭି ନାଦ ଶୁଭିଲା । ଦେବପୁର ଶ୍ରୀରାମଙ୍କର ଜୟଗାନରେ ମୁଖରିତ ହେଲା । ସ୍ଵର୍ଗପୁରରୁ ଦଶରଥ ଶ୍ରୀରାମ-ଲକ୍ଷ୍ମଣଙ୍କୁ ଆଶୀର୍ବାଦ ଦେଲେ । ବ୍ରହ୍ମା ଓ ଇନ୍ଦ୍ର, ପ୍ରଭୃତି ଦେବତାମାନେ ଶ୍ରୀରାମଙ୍କର ସ୍ତୁତି କଲେ । ଇନ୍ଦ୍ର ଅମୃତ ବର୍ଷଣକରି ଯୁଦ୍ଧ-ଭୂମିରେ ମୃତ ବାନର, ଭଲ୍ଲୁକ ଓ ରାକ୍ଷସମାନଙ୍କୁ ମୁକ୍ତି ଦେଲେ ।

 

ବିଭୀଷଣ ଆସି ରାମଚନ୍ଦ୍ରଙ୍କୁ ବନ୍ଦନାକରି ପୁଣି କହିଲେ–ହେ ବ୍ରହ୍ମାଣ୍ଡର ପତି, ମୋର ବିନତି ଶୁଣନ୍ତୁ । ଆପଣ କୁଳ ସହିତ ଲଙ୍କପତି ରାବଣଙ୍କୁ ମୁକ୍ତି ପ୍ରଦାନକଲେ । ତ୍ରିଭୁବନରେ ଆପଣଙ୍କର ଯଶ ପ୍ରଚାରିତ ହୋଇଅଛି । ମୁଁ ଦୀନ, ପାପୀ ଓ ବୁଦ୍ଧିହୀନ ଅଟେ । ରାକ୍ଷସକୁଳରେ ମୋର ଜନ୍ମ । ଆପଣ ଏପରି ଅଧମ ପ୍ରତି କୃପାକଲେ l ହେ ପ୍ରଭୁ ! ଆପଣ ଥରେ ମାତ୍ର ଏ ଦାସର ଗୃହରେ ପଦାର୍ପଣ କରି ଏ ଗୃହ ପବିତ୍ର କରନ୍ତୁ; ସେଠାରେ ସ୍ନାନାଦି ସମାପନ କରି ଯୁଦ୍ଧଶ୍ରାନ୍ତି ଦୂର କରନ୍ତୁ । ଏ ରାଜପ୍ରାସାଦ, ଏ ସମ୍ପତି ଓ ରାଜକୋଷ ବାନରମାନଙ୍କୁ ଦାନ କରନ୍ତୁ । ମୋତେ ସଙ୍ଗରେ ନେଇ ଅଯୋଧ୍ୟାପୁରୀକୁ ପ୍ରତ୍ୟାବର୍ତ୍ତନ କରନ୍ତୁ ।

 

ଶ୍ରୀରାମ କହିଲେ–ବିଭୀଷଣ, ତୁମର କଥା ସତ୍ୟ ଅଟେ; କିନ୍ତୁ ମୁଁ ଭରତଙ୍କର ବିଷୟ ସ୍ମରଣ କରିବାମାତ୍ରେ ମୋତେ ଏକ ଏକ ମୁହୂର୍ତ୍ତ ଏକ ଏକ କଳ୍ପପରି ବୋଧ ହେଉଅଛି । ଭରତ ତପସ୍ଵୀ ବ୍ରତ ଧାରଣପୂର୍ବକ ନିରନ୍ତର ମୋର ନାମ ଜପକରି ତାଙ୍କର ଶରୀରକୁ ଦୁର୍ବଳ କରୁଅଛନ୍ତି । ମୁଁ ତାଙ୍କର ଦର୍ଶନ ନିମନ୍ତେ ବଡ଼ ଉଦ୍‌ବିଗ୍ନ ତାଙ୍କୁ ଶୀଘ୍ର ସାକ୍ଷାତ୍‌ କରିବା ନିମନ୍ତେ ସମସ୍ତ ଉପାୟ କର । ମୋର ବନବାସ ଅବଧି ଅତୀତ ହେବାପରେ ତାଙ୍କୁ ସାକ୍ଷାତ ନ କଲେ ମୁଁ ଆଉ ତାଙ୍କୁ ଜୀବିତାବସ୍ଥାରେ ଦର୍ଶନ କରିପାରିବ ନାହିଁ । ହେ ବିଭୀଷଣ ! ତୁମେ କଳ୍ପାନ୍ତ ରାଜ୍ୟ-ଭୋଗ କର, ମନରେ ନିରନ୍ତର ମୋତେ ସ୍ମରଣ କର । ସନ୍ଥମାନେ ଜୀବନ ଶେଷରେ ଯେଉଁ ପୁରରେ ଅବସ୍ଥାନ କରିବା ନିମନ୍ତେ ଅଭିଳାଷ ପୋଷଣ କରିଥାନ୍ତି, ତୁମେ ଶେଷରେ ସେହିଠାରେ ସ୍ଥାନ ପାଇବ ।

 

ବିଭୀଷଣ ଶ୍ରରାମଙ୍କର ଚରଣ ସ୍ପର୍ଶ କରି ନିଜ ପୁରକୁ ପ୍ରତ୍ୟାବର୍ତ୍ତନ କଲେ । ରାଜପୁରରୁ ପୁଷ୍ପକ ରଥ ମଧ୍ୟରେ ନାନାରତ୍ନ, ବସ୍ତ୍ର ପୂର୍ଣ୍ଣକରି ରଥକୁ ସୁନ୍ଦର ଭାବରେ ସୁସଜ୍ଜିତ କରି ଶ୍ରୀରାମଙ୍କ ନିକଟକୁ ଆସିଲେ । ଶ୍ରୀରାମଙ୍କର ଆଦେଶ ଶିରୋଧାର୍ଯ୍ୟ କରି ସେହି ରତ୍ନ ଓ ବସ୍ତ୍ର ସହିତ ସୁସଜ୍ଜିତ ରଥକୁ ଆକାଶର ଉର୍ଦ୍ଧ୍ଵଦେଶକୁ ଆରୋହଣ କଲେ । ସେଠାରେ ରହି ସେହି ରଥ ମଧ୍ୟରେ ଥିବା ମଣି, ରତ୍ନ ଓ ବସ୍ତ୍ର ସମୂହ ବର୍ଷାଧାରାପରି ଭୂମି ଉପରକୁ ବର୍ଷଣ କଲେ । ବାନରମାନେ ଭୂମିଉପରେ ପଡ଼ୁଥିବା ମଣିସମୂହକୁ ଦେଖି ତାହା ସୁସ୍ଵାଦୁ ଖାଦ୍ୟଦ୍ରବ୍ୟ ବୋଲି ମନେକରି ସାଉଁଟି ଗ୍ରାସକରିବାକୁ ଲାଗିଲେ: କିନ୍ତୁ ସେଗୁଡ଼ିକ ଖାଦ୍ୟ ନୁହଁ ବୋଲି ଜାଣି ପୁଣି ଉଦର ମଧ୍ୟରୁ ସେଗୁଡ଼ିକୁ ବମନ କଲେ । ଶ୍ରୀରାମ ଓ ଜାନକୀ ଏ ଦୃଶ୍ୟ ଦେଖି ଆନନ୍ଦରେ ହସିବାକୁ ଲାଗିଲେ । ପୁଣି ବାନର ଓ ଭଲ୍ଲୁକମାନେ ଆକାଶରୁ ପଡ଼ୁଥିବା ଅଳଙ୍କାର ଓ ବସ୍ତ୍ରମାନ ପରିଧାନ କରି ଶ୍ରୀରାମଙ୍କ ପାଖକୁ ଯାଇ ନମସ୍କାର କଲେ । ସେମାନଙ୍କର ଆନନ୍ଦର ସୀମା ରହିଲା ନାହିଁ ।

 

ଶ୍ରୀରାମ ବାନର ଓ ଭଲ୍ଲୁକମାନଙ୍କୁ କହିଲେ, ‘ତୁମ୍ଭମାନଙ୍କ ବଳରେ ମୁଁ ଲଙ୍କାପତି ରାବଣଙ୍କୁ ବଧକଲି । ବିଭୀଷଣ ରାଜତିଳକ ଗ୍ରହଣ କଲେ । ବର୍ତ୍ତମାନ ତୁମ୍ଭେମାନେ ତୁମ୍ଭମାନଙ୍କର ସ୍ଵପୁରୀକୁ ପ୍ରତ୍ୟାବର୍ତ୍ତନ କର । ସବୁବେଳେ ମୋତେ ସ୍ମରଣ କରୁଥିବ, କାହାରିକୁ ଭୟ କରିବ ନାହିଁ-।’ ସେମାନେ ଶ୍ରୀରାମଙ୍କ ଗୁଣଗାନ କରି କରି ସ୍ଵଦେଶକୁ ପ୍ରତ୍ୟାବର୍ତ୍ତନ କଲେ । ବାନରାଜ ସୁଗ୍ରୀବ, ଅଙ୍ଗଦ, ଜାମ୍ବବାନ, ହନୁମାନ୍‌, ନଳ, ନୀଳ ଓ ବିଭୀଷଣ ଶ୍ରୀରାମଙ୍କର ଆଦେଶ ଶୁଣି ଅତି ବିନୀତଭାବରେ ଶ୍ରୀରାମଙ୍କ ମୁଖ ଦର୍ଶନ କରିବାରେ ଲାଗିଲେ । ସେମାନେ ଶ୍ରୀରାମଙ୍କୁ କିଛି କହିପାରିଲେ ନାହିଁ ।

 

ଶ୍ରୀରାମ ଅନ୍ତର୍ଯାମୀ । ସେ ବାନର ଓ ଭଲ୍ଲୁକମାନଙ୍କର ଅତିଶୟ ପ୍ରେମ ଦେଖି ସେମାନଙ୍କୁ ପ୍ରତ୍ୟାବର୍ତ୍ତନ ପାଇଁ ଆଦେଶ ଦେଇପାରିଲେ ନାହିଁ । ସମସ୍ତଙ୍କୁ ବିମାନରେ ବସାଇ ଉତ୍ତର ଦିଗକୁ ରଥ ଚଳାଇବା ପାଇଁ ଆଦେଶ ଦେଲେ ।

Image

 

ଉତ୍ତରାକାଣ୍ଡ

ଅଯୋଧ୍ୟା ପ୍ରତ୍ୟାଗମନ

 

ପୁଷ୍ପକ ଆକାଶମାର୍ଗରେ ଗତିକଲା । ସମସ୍ତଙ୍କ ମୁଖରୁ ‘ଶ୍ରୀରାମ ଜୟ’ ‘ଶ୍ରୀରାମ ଜୟ’ ଶବ୍ଦ ଶୁଭିଲା । ଶ୍ରୀରାମ ଓ ସୀତା ବିମାନ ମଧ୍ୟରେ ସିଂହାସନରେ ବିରାଜମାନ । ଆକାଶମାର୍ଗରେ ବିମାନ ଗତିକଲାବେଳେ ଶ୍ରୀରାମ ମାର୍ଗର ଦୃଶ୍ୟସବୁ ବିମାନ ଉପରୁ ଦେଖାଇ ସୀତାଙ୍କୁ କହିଲେ, ‘ହେ ସୀତେ, ଲଙ୍କାପୁରୀର ଏ ରଣଭୂମି ଦର୍ଶନ କର । ଏହି ସ୍ଥାନରେ ଇନ୍ଦ୍ରଜୟୀ ମେଘନାଦକୁ ଲକ୍ଷ୍ମଣ ବଧକଲେ । ଅଙ୍ଗଦ ଓ ହନୁମାନ୍‌ ପ୍ରଭୃତି ବୀରବୃନ୍ଦ ଯେଉଁ ରାକ୍ଷସମାନଙ୍କୁ ବଧ କରିଥିଲେ, ଏବେ ମଧ୍ୟ ସେମାନେ ଏହି ସ୍ଥଳରେ ପଡ଼ିଅଛନ୍ତି । ରାବଣ ଓ କୁମ୍ଭକର୍ଣ୍ଣଙ୍କର ମୃତ ଶରୀରଗୁଡ଼ିକୁ ଦେଖ । ଲଙ୍କାପୁରୀକୁ ଯିବାପାଇଁ ଏହିଠାରେ ସେତୁ ବାନ୍ଧିଥିଲେ । ସେହି ସେତୁ ଏବେ ସେହିପରି ଅଛି । ସେତୁ ବାନ୍ଧିବା ପୂର୍ବରୁ ଏହି ସ୍ଥାନରେ ମୁଁ ରାମେଶ୍ଵରଙ୍କୁ ପୂଜାକରି ଆବାହନ କରିଥିଲି ।’ ସୀତା ଏବଂ ଶ୍ରୀରାମ ଦୁହେଁ ରାମେଶ୍ଵରଙ୍କ ଉଦ୍ଦେଶ୍ୟରେ ପ୍ରଣାମ କଲେ ।

 

ଶ୍ରୀରାମ ଓ ଲକ୍ଷ୍ମଣ ଯେଉଁ ସ୍ଥାନମାନଙ୍କରେ ବିଶ୍ରାମ ଓ ନିବାସ କରିଥିଲେ, ଶ୍ରୀରାମ ସୀତାଙ୍କୁ ସେସବୁ ସ୍ଥାନ ଦେଖାଇଲେ । ରଥ ଦଣ୍ଡକବନ ଉପରଦେଇ ଯେତେବେଳେ ଗଲା, ଶ୍ରୀରାମ ସେସବୁ ସ୍ଥାନର ସୁଖ-ଦୁଃଖ କଥାସବୁ ବର୍ଣ୍ଣନା କଲେ । ଚିତ୍ରକୂଟ ଆସିଲା । ଗଙ୍ଗାନଦୀର ବିପୁଳ ବପୁ ଉପରଦେଇ ବିମାନ ଉଡ଼ିଲା । ପୁଣି ଯମୁନା ନଦୀ ପଡ଼ିଲା I ଶ୍ରୀରାମ ସୀତାଙ୍କୁ ଗଙ୍ଗା ଓ ଯମୁନା ନଦୀଦ୍ୱୟଙ୍କୁ ନମସ୍କାର କରିବାପାଇଁ କହିଲେ । ତୀର୍ଥରାଜ ପ୍ରୟାଗ ଓ ତ୍ରିବେଣୀ-ସଙ୍ଗମ ଅତିକ୍ରମ କରୁ କରୁ ଅଯୋଧ୍ୟାପୁରୀ ଦିଶିଲା । ଦୁହେଁ ଅଯୋଧ୍ୟାପୁରୀକୁ ନମସ୍କାର କଲେ । ସେମାନଙ୍କର ନେତ୍ର ସଜଳ ହୋଇ ଉଠିଲା । ଶରୀର ରୋମାଞ୍ଚିତ ହେଲା । ଶ୍ରୀରାମଙ୍କ ଆଦେଶରେ ମାତଳୀ ତ୍ରିବେଣୀ-ସଙ୍ଗମରେ ରଥ ଅବନମିତ କଲେ । ଶ୍ରୀରାମ ଓ ଜାନକୀ ରଥାବତରଣ କରି ତ୍ରିବେଣୀ-ସଙ୍ଗମରେ ସ୍ନାନକଲେ । ସେଠାରେ ବ୍ରାହ୍ମଣମାନଙ୍କୁ ନାନା ପ୍ରକାର ଦାନ ପ୍ରଦାନକରି ସେମାନଙ୍କୁ ସନ୍ତୁଷ୍ଟ କଲେ ।

 

ଶ୍ରୀରାମଚନ୍ଦ୍ର, ସେଠାରେ ହନୁମାନ୍‌ଙ୍କୁ କହିଲେ, ‘ହନୁମାନ୍‌, ତୁମେ ବ୍ରହ୍ମଚାରୀ ବେଶ ଧାରଣ କରି ଅଯୋଧ୍ୟାପୁରୀକୁ ଯାଅ । ଭରତଙ୍କୁ ଆମ୍ଭମାନଙ୍କର କୁଶଳବାର୍ତ୍ତା ଜଣାଇ ତାଙ୍କଠାରୁ ଅଯୋଧ୍ୟାପୁରୀର ସମାଚାର ନେଇ ଏଠାକୁ ପ୍ରତ୍ୟାବର୍ତ୍ତନ କର ।’ ଶ୍ରୀରାମଙ୍କ ଆଦେଶ ବହନରକରି ହନୁମାନ୍‌ ଅଯୋଧ୍ୟାପୁରୀକୁ ଯିବାପରେ ଶ୍ରୀରାମ ଭରଦ୍ଵାଜଙ୍କ ଅଶ୍ରମକୁ ଗଲେ । ଭରଦ୍ଵାଜ ଶ୍ରୀରାମଙ୍କୁ ଦର୍ଶନ କରି କୃତକୃତ୍ୟ ହେଲେ । ସେ ଶ୍ରୀରାମଙ୍କର ଗୁଣ ବର୍ଣ୍ଣନା କରି ତାହାଙ୍କୁ ଆଶୀର୍ବାଦ ଦେଲେ ।

 

ଶ୍ରୀରାମଙ୍କର ପ୍ରତ୍ୟାଗମନ ସମ୍ବାଦ ନିଷାଦରାଜାଙ୍କ କର୍ଣ୍ଣଗୋଚର ହେଲା । ସେ ପ୍ରେମବିହ୍ଵଳ ହୋଇ ଶ୍ରୀରାମଙ୍କ ସମୀପକୁ ଆସି ତାଙ୍କର ଚରଣତଳେ ସାଷ୍ଟାଙ୍ଗ ପ୍ରଣାମ କଲେ । ଶ୍ରୀରାମ ମିତ୍ରଙ୍କୁ ଦେଖିବାମାତ୍ରେ ତାହାଙ୍କୁ ଭୂତଳରୁ ଉଠାଇ ହୃଦୟଦେଶରେ ଲଗାଇଲେ । ନିଷାଦରାଜା ଶ୍ରୀରାମଙ୍କ ସ୍ତୁତି କରୁ କରୁ ବିଭୋର ହୋଇପଡ଼ିଲେ ।

 

ଶ୍ରୀରାମ ଅଯୋଧ୍ୟାପୁରୀରେ ପ୍ରବେଶ କରିବାପାଇଁ ଗୋଟିଏ ଦିନ ବାକୀ ଥାଏ । ଅଯୋଧ୍ୟାରେ ନରନାରୀମାନେ ତାଙ୍କର ପ୍ରତୀକ୍ଷା କରି ଆନନ୍ଦରେ ଚାହିଁ ରହିଛନ୍ତି । ସମୟେ ସମୟେ ମଙ୍ଗଳ ଶକୁନମାନ ଦେଖି ଆବେଗଭରା ହୃଦୟରେ ତାଙ୍କର ଆଗମନକୁ ଅପେକ୍ଷା କରିଅଛନ୍ତି । ରାଣୀମାନଙ୍କ ହୃଦୟ ଆନନ୍ଦରେ ଉଛୁଳି ଉଠୁଛି । ଭରତ ଲକ୍ଷ୍ମଣଙ୍କର ସୌଭାଗ୍ୟର ପ୍ରଶଂସା କରି କହୁଅଛନ୍ତି-ଲକ୍ଷ୍ମଣ ଭାଗ୍ୟବାନ୍‌ ଅଟେ । ଜୀବନଲାଭର ଆନନ୍ଦ ସେହି ଏକା ଲାଭ କରିଛି ।

 

ଶ୍ରୀରାମଙ୍କ ଆଦେଶ ଶିରୋଧାର୍ଯ୍ୟ କରି ହନୁମାନ୍‌ ବ୍ରାହ୍ମଣବେଶ ଧାରଣ କରି ଅଯୋଧ୍ୟାପୁରୀରେ ଉପନୀତ ହେଲେ । ହନୁମାନ୍‌ ଭରତଙ୍କ ନିକଟରେ ପହଞ୍ଚି ଦେଖିଲେ ଜଟାମୁକୁଟ ଧାରଣକରି କୁଶାସନ ଉପରେ ସେ ବସିଅଛନ୍ତି । ରାମନାମ ଜପରେ ନିବିଷ୍ଟ ଅଛନ୍ତି । ହନୁମାନ୍‌ ରାମନାମ ଶୁଣି ଅତ୍ୟନ୍ତ ଆନନ୍ଦିତ ହେଲେ । ତାଙ୍କର ଶରୀର ପୁଲକିତ ହୋଇଉଠିଲା । ହନୁମାନ୍‌, ଭରତଙ୍କୁ କହିଲେ–ହେ ରାମାନୁଜ, ଶ୍ରୀରାମ ମୋଦ୍ଵାରା ସମ୍ବାଦ ପ୍ରେରଣ କରିଅଛନ୍ତି । ରଘୁକୁଳତିଳକ କୁଶଳରେ ପ୍ରତ୍ୟାବର୍ତ୍ତନ କରୁଅଛନ୍ତି । ସୀତା ଓ ଲକ୍ଷ୍ମଣ ତାଙ୍କ ସଙ୍ଗରେ ଆସୁଅଛନ୍ତି-

 

ଭରତ ବ୍ରାହ୍ମଣବେଶୀ ହନୁମାନ ଚିହ୍ନିପାରିଲେ ନାହିଁ । ସେ ପଚାରିଲେ-ହେ ବ୍ରହ୍ମଚାରୀ, ଆପଣ କିଏ ? କେଉଁଠାରୁ ଆସି ମୋତେ ଏ ମଧୁର ବାକ୍ୟ କର୍ଣ୍ଣପୁଟରେ ଶୁଣାଇଲେ । ମୋତେ ଆପଣଙ୍କର ପରିଚୟ ପ୍ରଦାନ କରନ୍ତୁ ।

 

ହନୁମାନ୍‌ କହିଲେ, ‘ହେ ରାମାନୁଜ ! ମୁଁ ଶ୍ରୀରଘୁନାଥଙ୍କର ଦାସ । ଜାତିରେ ବାନର; ମୋର ନାମ ହନୁମାନ୍‌, ଆପଣଙ୍କ ଜ୍ୟେଷ୍ଠ ଭ୍ରାତାଙ୍କର ଆଦେଶ ବହନକରି ମୁଁ ଆପଣଙ୍କ ନିକଟକୁ ଆସିଅଛି ।’ ଭରତ ଏହା ଶୁଣିବାମାତ୍ରେ ଆବେଗପୂର୍ଣ୍ଣ ହୃଦୟରେ ଉଠି ହନୁମାନ୍‌ଙ୍କୁ କୋଳାଗ୍ରତ କଲେ ଏବଂ କହିଲେ, ‘ହେ ପବନାତ୍ମକ ! ଆପଣ ମୋତେ ଯେଉଁ ବାଣୀ ଶୁଣାଇଲେ ସେଥିପାଇଁ ମୁଁ ଆପଣଙ୍କଠାରେ ଚିରଋଣୀ ରହିବି । ମୋତେ ପ୍ରଭୁଙ୍କର ଚରିତ ଶୁଣାଇ ମୋର କର୍ଣ୍ଣ ପବିତ୍ର କରନ୍ତୁ ।’ ହନୁମାନ୍‌ ଭରତଙ୍କ ଚରଣରେ ମସ୍ତକ ନତ କଲେ ଏବଂ ଶ୍ରୀରାମଙ୍କର ଚରିତ ଆମୂଳଚୂଳ ସମସ୍ତ ବର୍ଣ୍ଣନା କଲେ । ଭରତ ଆଗ୍ରହାତି-ଶଯ୍ୟରେ ଶ୍ରୀରାମଚରିତ ଶ୍ରବଣ କରି ହନୁମାନ୍‌ଙ୍କୁ ବିଦାୟ ଦେଲେ ।

 

ଶ୍ରୀରାମଙ୍କ ଆଗମନ ସମ୍ବାଦ ସମଗ୍ର ଅଯୋଧ୍ୟାପୁରୀରେ ମୁହୂର୍ତ୍ତକ ମଧ୍ୟରେ ପ୍ରଚାରିତ ହେଲା । ଭରତ ଗୁରୁଙ୍କୁ ସମ୍ବାଦ ଜଣାଇବା ପରେ ମାତାମାନଙ୍କୁ ଜଣାଇଲେ । ଶ୍ରୀରାମ, ସୀତା ଓ ଲକ୍ଷ୍ମଣର ଶୁଭାଗମନବାର୍ତ୍ତା ପାଇ ମାତାମାନେ ଆନନ୍ଦରେ ବିଭୋର ହୋଇପଡ଼ିଲେ । ତାଙ୍କର ସ୍ଵାଗତ ନିମନ୍ତେ ଦଧି, ଦୁଗ୍‌ଧ, ଗୋରଚନା, ପୁଷ୍ପ, ଫଳ, ତୁଳସୀ ସଂଗ୍ରହ କରିଗଲା । ସ୍ଵର୍ଣ୍ଣଥାଳୀରେ ଏସବୁ ଦ୍ରବ୍ୟ ସ୍ଥାପନ କରି ନାରୀମାନେ ସେମାନଙ୍କର ଶୁଭାଗମନକୁ ଅପେକ୍ଷା କରି ରହିଲେ । ନଗରର ଚତୁର୍ଦ୍ଦିଗରେ ନାନା ବାଦ୍ୟ ବାଜିଲା । ସ୍ତ୍ରୀମାନେ ମଙ୍ଗଳଦ୍ରବ୍ୟ ନେଇ ଗୀତ ଗାଇଲେ । ପୁରନାରୀମାନେ ଅଟ୍ଟାଳିକା ଉପରେ ଆରୋହଣ କରି ଶ୍ରୀରାମଙ୍କର ସ୍ଵାଗତ ସଙ୍ଗୀତ ଗାଇବାକୁ ଲାଗିଲେ । ଅଯୋଧ୍ୟାପୁରୀ ନାନା ସୁନ୍ଦର ତୋରଣାଦିରେ ଶୋଭାପାଇଲା । ଗୁରୁ ବଶିଷ୍ଠ ଭରତ, ଶତ୍ରୁଘ୍ନ ଓ ବ୍ରାହ୍ମଣମାନଙ୍କୁ ସଙ୍ଗରେ ଧରି ସ୍ଵାଗତ ସମ୍ବର୍ଦ୍ଧନା ନିମିତ୍ତ ବାହାରିଲେ ।

 

ଚତୁର୍ଦ୍ଦଶ ବର୍ଷ ପୂର୍ଣ୍ଣ ହେଲା । ହନୁମାନ୍‌ଙ୍କଠାରୁ ଅଯୋଧ୍ୟାପୁରୀ ଓ ଭରତଙ୍କର ସମ୍ବାଦ ପାଇବା ପରେ ଶ୍ରୀରାମ ଅନୁଜ ଓ ପତ୍ନୀଙ୍କ ସହିତ ତ୍ରିବେଣୀ-ସଙ୍ଗମଠାରେ ବିମାନ ଆରୋହଣ କଲେ । ବାନରଗଣ ଓ ବିଭୀଷଣ ବିମାନରେ ଆରୋହଣ କରିବା ପରେ ବିମାନ ଅଯୋଧ୍ୟା-ଆକାଶ ସ୍ପର୍ଶ କରିବାବେଳେ ଶ୍ରୀରାମ ଅନୁଚରମାନଙ୍କୁ କହିଲେ, ‘ହେ ସଖାବୃନ୍ଦ, ଏହିଠାରେ ଅଯୋଧ୍ୟା ଦର୍ଶନ କରନ୍ତୁ; ଏ ଅଯୋଧ୍ୟା ମୋର ଜନ୍ମଭୂମି । ଏହା ବୈକୁଣ୍ଠପୁରୀ ସହିତ ସମାନ ଅଟେ-। ଏହାର ଉତ୍ତର ଦିଗରେ ସରଯୂ ନଦୀ ବହିଯାଉଛି । ଏ ଅଯୋଧ୍ୟା ନଗରୀର ନିବାସୀମାନେ ମୋର ଅତ୍ୟନ୍ତ ପ୍ରିୟ ।’ ଶ୍ରୀରାମ ଏହିପରି କହୁ କହୁ ବିମାନ ନଗର ନିକଟରେ ଆସି ଉପନୀତ ହେଲା । ବିମାନ ଅଯୋଧ୍ୟାର ରାଜପ୍ରାସାଦ ସମୀପରେ ଅବତରଣ କରିବା ସଙ୍ଗେ ସଙ୍ଗେ ବିମାନରୁ ଶ୍ରୀରାମଙ୍କ ସଙ୍ଗେ ଅନୁଜ, ପତ୍ନୀ, ଅନୁଚରମାନେ ଅବତରଣ କଲେ । ଶ୍ରୀରାମଙ୍କ ଆଦେଶରେ ବିମାନ ସେହି ସ୍ଥାନରୁ କୁବେରପୁରୀକୁ ପ୍ରତ୍ୟାବର୍ତ୍ତନ କଲା ।

 

ଗୁରୁ ବଶିଷ୍ଠଙ୍କ ସହିତ ଭରତ ଶତ୍ରୁଘ୍ନ ସଙ୍ଗେ ସଙ୍ଗେ ଶ୍ରୀରାମଙ୍କ ସମୀପକୁ ଆସିଲେ । ଶ୍ରୀରାମ ଲକ୍ଷ୍ମଣ ଗୁରୁଙ୍କ ଦଶନମାତ୍ରେ ଧନୁର୍ବାଣ ପୃଥିବୀ ଉପରେ ସ୍ଥାପନକରି ଗୁରୁଙ୍କ ଚରଣ ସ୍ପର୍ଶକରି ପ୍ରଣାମ କଲେ । ବଶିଷ୍ଠ ସେମାନଙ୍କୁ କୋଳାଗ୍ରତ କରିପକାଇଲେ । ଶ୍ରୀରାମ କହିଲେ–ହେ ମହାତ୍ମନ୍‌ ! ଆପଣଙ୍କ ଆଶୀର୍ବାଦ ଫଳରେ ଆମ୍ଭେମାନେ କୁଶଳରେ ଜନ୍ମଭୂମିକୁ ପ୍ରତ୍ୟାବର୍ତ୍ତନ କଲୁ-

 

ଭରତ ଶ୍ରୀରାମଚନ୍ଦ୍ରଙ୍କ ଦର୍ଶନମାତ୍ରେ ତାଙ୍କର ଚରଣକମଳ ଧରି ଭୂତଳରେ ପତିତ ହେଲେ । ଶ୍ରୀରାମ ତାଙ୍କୁ ଧରି ଉଠାଇଲେ ମଧ୍ୟ ସେ ସେହିପରି ସାଷ୍ଟାଙ୍ଗ ହୋଇ ପଡ଼ିରହିଲେ । ଶ୍ରୀରାମ ତାହାଙ୍କୁ ଉଠାଇ ହୃଦୟରେ ଲଗାଇଲେ ଏବଂ ତାହାଙ୍କୁ ନାନା କୁଶଳ ସମାଚାର ପଚାରିବାକୁ ଲାଗିଲେ । ଭରତଙ୍କର ବାକ୍‌ସ୍ଫୁର୍ତ୍ତି ହେଲାନାହିଁ । ଶ୍ରୀରାମ ବାରମ୍ବାର ତାହାଙ୍କୁ ପଚାରିବାରୁ ଭରତ ଶ୍ରୀରାମଙ୍କର ମୁଖପଦ୍ମଙ୍କୁ ଚାହିଁ ଚାହିଁ କହିଲେ, ‘ହେ କୋଶଳନାଥ, ଆପଣ ଏ ଦାସକୁ ଦର୍ଶନ ଦେଇଅଛନ୍ତି; ତାହାହିଁ ମୋର କୁଶଳ ଅଟେ ।’ ଭରତ ଓ ଶତ୍ରୁଘ୍ନ ସୀତାଙ୍କ ଚରଣରେ ଭୂମିଷ୍ଠ ପ୍ରଣାମ କଲେ । କୌଶଲ୍ୟା, ସୁମିତ୍ରା ଓ କୈକେୟୀ ଶ୍ରୀରାମାଗମନ ସମ୍ବାଦ ପାଇ ଦୌଡ଼ିଆସି ସେଠାରେ ପହଞ୍ଚିଲେ । ସେମାନେ ପୁତ୍ର ଦୁହିଁଙ୍କୁ କୋଳାଗ୍ରତ କଲେ । ସୀତା ଶାଶୁମାନଙ୍କ ପାଦତଳେ ପ୍ରଣାମ କଲେ । କୌଶଲ୍ୟା ଶ୍ରୀରାମ ଲକ୍ଷ୍ମଣଙ୍କୁ ଦେଖି ବିଚାରିଲେ, ମୋର ଏ ଦୁଇ ପୁତ୍ର କିପରି ନିଶାଚର ରାବଣଙ୍କୁ ହତ୍ୟା କରିବାପାଇଁ ସମର୍ଥ ହେଲେ !

 

ବିଭୀଷଣ ଓ ସୁଗ୍ରୀବାଦି ବାନର ଭଲ୍ଲୁକମାନେ ମନୁଷ୍ୟବେଶ ଧାରଣ କରି ଭରତଙ୍କର ବ୍ରତ ଓ ସ୍ଵଭାବ ଦେଖି ନିଜ ନିଜ ମଧ୍ୟରେ ନାନା କଥା ଚର୍ଚ୍ଚା କରିବାରେ ଲାଗିଲେ । ଶ୍ରୀରାମ ସେମାନଙ୍କୁ ଗୁରୁ ବଶିଷ୍ଠଙ୍କର ପରିଚୟ ଦେବାପରେ ସେମାନେ ସମସ୍ତେ ମହର୍ଷିଙ୍କୁ ପ୍ରଣାମକଲେ । ସେମାନେ ପୁଣି ମାତା କୌଶଲ୍ୟାଙ୍କୁ ଭୂମିଷ୍ଠ ପ୍ରଣାମ କଲେ । ସମଗ୍ର ପୁରବାସୀ ଶ୍ରୀରାମ ଲକ୍ଷ୍ମଣ ଓ ସୀତାଙ୍କ ଦର୍ଶନ ନିମନ୍ତେ ରାଜପୁରୀରେ ଏକତ୍ର ହୋଇ ଶ୍ରୀରାମଙ୍କ ଦର୍ଶନ ପାଇଁ ବ୍ୟାକୁଳ ହୋଇପଡ଼ିଲେ ।

Image

 

ଶ୍ରୀରାମାଭିଷେକ ଓ ରାମ-ରାଜ୍ୟ

 

ସମଗ୍ର ଅଯୋଧ୍ୟା ଆନନ୍ଦରେ ମଗ୍ନ । ଶ୍ରୀରାମ ତାଙ୍କର ପ୍ରାସାଦକୁ ଗଲେ । ତାଙ୍କୁ ପାଛୋଟି ନେବାପାଇଁ ବହୁତ ଲୋକ ବ୍ୟାକୁଳ ହୋଇପଡ଼ିଲେ । ଏତେବେଳେ ମୁନି ବଶିଷ୍ଠ କହିଲେ, ‘ବର୍ତ୍ତମାନ ରାଜସଭା ଡକାଯାଉ ।’ ବଶିଷ୍ଠଙ୍କ ଆଦେଶରେ ମନ୍ତ୍ରୀ, ପୁରୋହିତମାନେ ରାଜସଭାରେ ଆସି ବସିଲେ । ଅଯୋଧ୍ୟାପୁରୀର ବ୍ରାହ୍ମଣମାନଙ୍କୁ ନାନା ସତ୍କାରପୂର୍ବକ ସଭାରେ ଆସନ ଦିଆଗଲା । ବଶିଷ୍ଠ କହିଲେ–ବର୍ତ୍ତମାନ ଶ୍ରୀରାମ ଚତୁର୍ଦ୍ଦଶ ବର୍ଷ ପରେ ଅଯୋଧ୍ୟାପୁରକୁ ପ୍ରତ୍ୟାବର୍ତ୍ତନ କରିଅଛନ୍ତି, ଅଯୋଧ୍ୟାର ନରନାରୀ ସମସ୍ତେ ଶ୍ରୀରାମଙ୍କର ରାଜ୍ୟାଭିଷେକ ନିମନ୍ତେ ଉଦ୍‌ବିଗ୍ନ । ହେ ଦ୍ଵିଜସକଳ ! ଆପଣମାନେ ଅନୁମତି ଦେଲେ ଶ୍ରୀରାମଙ୍କର ଅଭିଷେକୋତ୍ସବ ଅନୁଷ୍ଠିତ ହେବ ।

 

ଦ୍ଵିଜମାନେ ବଶିଷ୍ଠଙ୍କର ପ୍ରସ୍ତାବକୁ ସମର୍ଥନ କଲେ । ତେଣୁ ବଶିଷ୍ଠ ମୁମନ୍ତ୍ରଙ୍କୁ ଡାକି କହିଲେ–ହେ ମନ୍ତ୍ରିପ୍ରବର, ଆପଣ ଶ୍ରୀରାମଙ୍କର ଅଭିଷେକୋତ୍ସବର ବନ୍ଦୋବସ୍ତ କରନ୍ତୁ । ବର୍ତ୍ତମାନ ରାଜସଭା ଓ ଅଯୋଧ୍ୟାର ନାଗରିକମାନେ ଶ୍ରୀରାମଙ୍କର ଅଭିଷେକୋତ୍ସବ ଦର୍ଶନ ନିମନ୍ତେ ଉଦ୍‌ବିଗ୍ନ ହୋଇଛନ୍ତି । ଦେବତା ଓ ବ୍ରାହ୍ମଣମାନେ ଶ୍ରୀରାମଙ୍କର ଅଭିଷେକ ଦର୍ଶନ କରିବେ ।

 

ସୁମନ୍ତ୍ର ଅତି ଆନନ୍ଦରେ ଅଭିଷେକୋତ୍ସବର ଉଦ୍ୟମରେ ଲାଗିପଡ଼ିଲେ । ଦୂତମାନଙ୍କଦ୍ଵାରା ରାଜା ମହାରାଜାମାନଙ୍କ ନିକଟକୁ ନିମନ୍ତ୍ରଣ ପ୍ରେରଣ କଲେ । ସୈନ୍ୟସାମନ୍ତ, ହସ୍ତୀ ଓ ଅଶ୍ଵମାନଙ୍କୁ ନାନା ବେଶଭୂଷାରେ ସଜ୍ଜିତ କରାଗଲା । ଅଭିଷେକ ନିମନ୍ତେ ନାନା ମଙ୍ଗଳ ଦ୍ରବ୍ୟ ବ୍ୟବସ୍ଥା କରାଗଲା । ରାଜଧାନୀ ସାଜସଜ୍ଜାରେ ସୁନ୍ଦର ଦିଶିଲା ।

 

ଶ୍ରୀରାମଙ୍କ ଆଦେଶରେ ସେବକମାନେ ଶ୍ରୀରାମଙ୍କ ଗହଣରେ ଆସିଥିବା ତାଙ୍କର ବନ୍ଧୁମାନଙ୍କୁ ସ୍ନାନ କରାଇଦେଲେ । ସୁଗ୍ରୀବ, ଅଙ୍ଗଦ ଓ ହନୁମାନ୍‌ ପ୍ରଭୃତି ବାନରମାନେ ସ୍ନାନ କରି ନାନା ସୁନ୍ଦର ବେଶଭୂଷା ପରିଧାନ କଲେ । ଶ୍ରୀରାମ ଭରତଙ୍କୁ ଡାକି ତାଙ୍କର ଜଟାଗୁଡ଼ିକ ଖୋଲିଦେଲେ ଏବଂ ସ୍ଵହସ୍ତରେ ତାଙ୍କର କେଶବିନ୍ୟାସ କରିବାକୁ ବସିଲେ । ଶ୍ରୀରାମ ଗୁରୁଙ୍କ ଆଦେଶ ବହନକରି ନାନା ନୂତନ ଆଭୂଷଣ ପିନ୍ଧିଲେ ।

 

ତେଣେ ଅନ୍ତଃପୁରରେ ସୀତାଙ୍କୁ ସ୍ନାନ କରାଇ ଅଣାଗଲା । ନାନାଦି ବସ୍ତ୍ରାଭରଣ ଦ୍ଵାରା ଭୂଷିତା ହୋଇ ସୀତା ଓ ଶ୍ରୀରାମ ସିଂହାସନରେ ଗୁରୁଜନମାନଙ୍କୁ ନମସ୍କାର କରି ବସିଲେ । ବ୍ରାହ୍ମଣମାନେ ବେଦଧ୍ୱନି କଲେ । ପ୍ରଥମେ ବଶିଷ୍ଠ ଶ୍ରୀରାମଙ୍କୁ ରାଜତିଳକ ଦେବା ପରେ ବ୍ରାହ୍ମଣମାନେ ଜଣେ ଜଣେ କରି ତାଙ୍କୁ ତିଳକ ଦେଲେ । ଚତୁର୍ଦ୍ଦିଗରୁ ଶୁଭ ଶକୁନମାନ ଦେଖାଗଲା-। ଆକାଶରୁ ପୁଷ୍ପବୃଷ୍ଟି ହେବାକୁ ଲାଗିଲା । ବାନରମାନେ ଏ ରାଜ୍ୟାଭିଷେକ ଦେଖି ଆନନ୍ଦରେ ମଗ୍ନ ହେଲେ ।

 

ଅଭିଷେକ କର୍ମାଦି ସରିଲା । ଦିନେ ଶ୍ରୀରାମ ସୁଗ୍ରୀବ, ବିଭୀଷଣ, ଅଙ୍ଗଦ ଓ ହନୁମାନ୍‌ ପ୍ରଭୃତି ସଖାମାନଙ୍କୁ ସମୀପକୁ ଡାକିଲେ । ସେମାନେ ସମସ୍ତେ ଆସି ଶ୍ରୀରାମଙ୍କ ପାଖରେ ବସିବା ପରେ ଶ୍ରୀରାମ କହିଲେ, ହେ ମୋର ପ୍ରିୟ ସଖାବୃନ୍ଦ, ତୁମ୍ଭେମାନେ ମୋ ନିମନ୍ତେ କଣ ନ କରିଛ ? ମୁଁ ତୁମ୍ଭମାନଙ୍କଠାରୁ କେତେ ସେବା ପାଇଛି । ମୋ ନିମନ୍ତେ ତୁମ୍ଭେମାନେ ଘରଦ୍ଵାର, ସୁଖ ସମ୍ପତ୍ତି ସବୁ ତ୍ୟାଗ କରିଛ । ତୁମ୍ଭେମାନେ ମୋର ଅତ୍ୟନ୍ତ ପ୍ରିୟ ।’ ଏହା କହି ଶ୍ରୀରାମ ତାଙ୍କର ହୃଦୟର ମାଳା, ବସ୍ତ୍ର ପ୍ରଭୃତି ଦ୍ରବ୍ୟ ଆଣି ଅଙ୍ଗଦ ପ୍ରଭୃତି ସଖାମାନଙ୍କୁ ନିଜ ହାତରେ ପିନ୍ଧାଇଦେଲେ ଏବଂ ଲକ୍ଷ୍ମଣ, ଭରତ ଓ ଶତ୍ରୁଘ୍ନଙ୍କୁ ଡାକିଲେ । ଚାରିଭାଇ ଯାକ ମିଶି ସେମାନଙ୍କୁ ବିଦାୟ ଦେବା ନିମନ୍ତେ ବାହାରିଲେ ।

 

ହନୁମାନ୍‌ ସୁଗ୍ରୀବଙ୍କୁ କହିଲେ, ‘ହେ ବାନରରାଜ, ମୋର ଅନୁରୋଧ ରକ୍ଷାକରନ୍ତୁ । ଶ୍ରୀରାମଙ୍କର ମୁଁ ଆଉ କିଛି ଦିନ ସେବାକରି ଆପଣଙ୍କ ନିକଟକୁ ଫେରିଯିବି ।’ ସୁଗ୍ରୀବ କହିଲେ, ‘ହନୁମାନ୍‌, ତୁମେ ମହାପୁଣ୍ୟବାନ୍‌ ଅଟ । ତୁମେ ଶ୍ରୀରାମଙ୍କ ସେବାରେ ମନପ୍ରାଣ ଅର୍ପଣ କର । ଅଙ୍ଗଦ ହନୁମାନ୍‌ଙ୍କୁ କହିଲେ, ‘ହେ ହନୁମାନ୍‌, ମୁଁ ତୁମକୁ ହାତଯୋଡ଼ି ପ୍ରାର୍ଥନା କରି କହୁଛି, ଶୁଣ । ତୁମେ ଶ୍ରୀରାମଙ୍କ ସମୀପରେ ରହିବାର ସୁଯୋଗ ପାଉଛ । ମୋ କଥା ପ୍ରଭୁଙ୍କୁ ସ୍ମରଣ କରାଇ ଦେଉଥିବ ।’ ବାନରମାନେ ଅଯୋଧ୍ୟାପୁର ତ୍ୟାଗ କରି କିଷ୍କିନ୍ଧ୍ୟାଧାମକୁ ଯିବାପାଇଁ ବାହାରିଲେ ।

 

ଶ୍ରୀରାମ ନିଷାଦରାଜାଙ୍କୁ ଡକାଇ ତାହାଙ୍କୁ ନାନା ବସ୍ତ୍ରାଭରଣ ଦେଲେ ଏବଂ କହିଲେ, ‘ହେ ମୋର ମିତ୍ର, ତୁମେ ଭରତଙ୍କ ପରି ମୋର ଭାଇ । ତୁମେ ସ୍ଵରାଜ୍ୟକୁ ପ୍ରତ୍ୟାବର୍ତ୍ତନ କର; କିନ୍ତୁ ତୁମେ ଅଯୋଧ୍ୟାକୁ ମଧ୍ୟେ ମଧ୍ୟେ ଆସିବ ।’ ଏପରି କଥା ଶୁଣି ନିଷାଦରାଜାଙ୍କର ଚକ୍ଷୁ ଲୋତକପୂର୍ଣ୍ଣ ହୋଇଗଲା । ସେ ଶ୍ରୀରାମଙ୍କ ଚରଣକମଳରେ ପ୍ରଣାମ କଲେ । ଶ୍ରୀରାମଙ୍କଠାରୁ ବିଦାୟ ନେଇ ଗୂହକ ନିଜ ରାଜ୍ୟକୁ ପ୍ରତ୍ୟାବର୍ତ୍ତନ କଲେ । ନିଜ ରାଜପୁରରେ ପହଞ୍ଚି ସେ ତାଙ୍କର କୁଟୁମ୍ବ ପରିଜନ ସମସ୍ତଙ୍କୁ ନିଜ ସମୀପକୁ ଡାକିଲେ । ସମସ୍ତେ ତାଙ୍କ ପାଖରେ ବସିବାରୁ ସେ ଅଯୋଧ୍ୟାରେ ଘଟିଥିବା ସମସ୍ତ ଘଟଣା ଓ ଶ୍ରୀରାମଙ୍କର ଗୁଣମାନ ସେମାନଙ୍କ ସମ୍ମୁଖରେ ବର୍ଣ୍ଣନା କଲେ ।

 

ଶ୍ରୀରାମଙ୍କ ଶାସନରେ ପ୍ରଜାବର୍ଗ ଅତ୍ୟନ୍ତ ଆନନ୍ଦରେ କାଳ କଟାଇବାକୁ ଲାଗିଲେ । କାହାରି କାହାପ୍ରତି ଶତ୍ରୁତା ନ ଥିଲା । ପ୍ରଜାମାନେ ନିଜ ନିଜର କର୍ତ୍ତବ୍ୟରେ ଲାଗିଲେ । ଆଶ୍ରମାନୁକୂଳ ଧର୍ମ ଆଚରଣ କରି ପ୍ରଜାମାନେ ସୁଖ-ସ୍ଵାଚ୍ଛନ୍ଦ୍ୟରେ କାଳ ଅତିବାହିତ କରିବାରେ ଲାଗିଲେ । ରୋଗ, ଶୋକ ରାଜ୍ୟରୁ ଦୂର ହୋଇଗଲା । ଦୈହିକ ବା ଦୈବିକ କଷ୍ଟ କାହାରି ରହିଲା ନାହିଁ । ପ୍ରଜାମାନେ ବେଦନୀତି ଅନୁସରଣ କରି ଜୀବନଯାତ୍ରା ନିର୍ବାହ କଲେ । ରାଜ୍ୟରେ ପାପର ନାମଗନ୍ଧ ଶୁଣା ନ ଥିଲା । ସ୍ତ୍ରୀ ପୁରୁଷ ଶ୍ରୀରାମ-ପରାୟଣ ହୋଇ ଚଳୁଥିଲେ ।

 

ଶ୍ରୀରାମଙ୍କ ରାଜ୍ୟ ମଧ୍ୟରେ ଦରିଦ୍ର, ମୂର୍ଖ, ଅଶୁଭ ଲକ୍ଷଣଯୁକ୍ତ ସ୍ତ୍ରୀ ବା ପୁରୁଷ ନ ଥିଲେ । ଲୋକମାନେ ବଡ଼ ଧର୍ମପରାୟଣ ଥିଲେ । ସବୁ ସ୍ଥଳରେ ଗୁଣର ଆଦର ହେଉଥିଲା । ଶ୍ରୀରଘୁନାଥଙ୍କର ରାଜ୍ୟକୁ ସପ୍ତସମୁଦ୍ର ମେଖଳାରୂପେ ଘେରି ରହିଥିଲା । ନରନାରୀ ଉଦାର ଓ ପରୋପକାରୀ ଥିଲେ । ପୁରୁଷମାନେ ଏକପତ୍ନୀବ୍ରତ ପାଳନ କରୁଥିଲେ । ନାରୀମାନେ ମନ, ବଚନ ଓ କର୍ମରେ ପତିପରାୟଣା ଥିଲେ । ମୁନିଋଷିମାନେ ଦଣ୍ଡଧାରଣ କରୁଥିଲେ, ସେଥିପାଇଁ ରାଜନୀତି ଓ ରାଜଦଣ୍ଡର ଆବଶ୍ୟକତା ନ ଥିଲା ।

 

ପ୍ରକୃତି ମଧ୍ୟ ଶ୍ରୀରାମ-ରାଜ୍ୟର ଅନୁକୂଳ ଥିଲା । ବନଗୁଡ଼ିକ ଫଳପୁଷ୍ପଦ୍ଵାରା ସୁଶୋଭିତ ଥିଲେ । ହସ୍ତୀ ଓ ସିଂହ ଏକ ବନ ମଧ୍ୟରେ ଶତ୍ରୁତା ଭୁଲି ଏକସଙ୍ଗରେ ବାସ କରୁଥିଲେ । ପଶୁପକ୍ଷୀମାନେ ବନର ଶୋଭା ବର୍ଦ୍ଧନ କରୁଥିଲେ । ସୁଶୀତଳ ପବନ ମନ୍ଦମନ୍ଦ ପ୍ରବାହିତ ହେଉଥିଲେ । ପୃଥିବୀ ନାନା ଶସ୍ୟାଦିର ପରିପୂର୍ଣ୍ଣ ଥିଲା । ଗାଭୀଗୁଡ଼ିକ ଦୁଗ୍ଧବତୀ ଥିଲେ । ପର୍ବତମାନ ମାନ ମଣିପୂର୍ଣ୍ଣ ଥିଲେ । ନଦୀ ନିର୍ମଳ ଜଳବାହିନୀ ଥିଲା । ସମୁଦ୍ର ନିଜର ମର୍ଯ୍ୟାଦା ଲଙ୍ଘନ କରୁନଥିଲା । ଚନ୍ଦ୍ର, ସୂର୍ଯ୍ୟ ଓ ମେଘ ଆବଶ୍ୟକ ଅନୁସାରେ କିରଣ ଓ ବୃଷ୍ଟି ଦାନ କରୁଥିଲେ-

 

ଶ୍ରୀରାମ ବହୁ ଯଜ୍ଞାନୁଷ୍ଠାନ କରି ବ୍ରାହ୍ମଣମାନଙ୍କୁ ନାନା ଧନରତ୍ନ ଦାନ କଲେ । ଶ୍ରୀରାମ ଓ ଜାନକୀ ଇନ୍ଦ୍ର ଓ ଇନ୍ଦ୍ରାଣୀଙ୍କ ପରି ଶୋଭାଧାରଣ କରୁଥିଲେ । ଜାନକୀ ସେବାକୁଶଳ ଓ ଶ୍ରୀରାମଙ୍କ ଆଜ୍ଞାନୁସାରିଣୀ ହୋଇ ଶାଶୁମାନଙ୍କର ସେବାତତ୍ପର ଥିଲେ । ଶ୍ରୀରାମଙ୍କର ଭ୍ରାତାମାନେ ଶ୍ରୀରାମଙ୍କ ସେବାରେ ତତ୍ପର ଥିଲେ । ଶ୍ରୀରାମ ଭ୍ରାତାମାନଙ୍କୁ ନାନା ନୀତିଶିକ୍ଷା ପ୍ରଦାନ କରୁଥିଲେ । ନଗରବାସୀମାନେ ସଦାପ୍ରଫୁଲ୍ଲ ଏବଂ ଦେବଦୁର୍ଲ୍ଲଭ ଐଶ୍ଵର୍ଯ୍ୟ ଭୋଗ କରୁଥିଲେ ।

Image

 

ସୁନ୍ଦର ଅଯୋଧ୍ୟା

 

ଶ୍ରୀରାମଙ୍କ ଶାସନରେ ଅଯୋଧ୍ୟାନଗରୀ ଧନଜନ-ଗୋପଲକ୍ଷ୍ମୀ ସୁଖସୌଭାଗ୍ୟରେ ଐଶ୍ଵର୍ଯ୍ୟବତୀ ହେଲା । ଶ୍ରୀରାମ ପ୍ରାତଃକାଳରେ ସରଯୂ ନଦୀରେ ସ୍ନାନାନ୍ତେ ପୂଜାହୋମାତି କରି ବ୍ରାହ୍ମଣ ଓ ସଜ୍ଜନମାନଙ୍କ ସହିତ ସଭାକକ୍ଷରେ ବସନ୍ତି । ଗୁରୁଦେବ ବିଶିଷ୍ଠ ବେଦ ଓ ପୁରାଣର ନାନାକଥା ବର୍ଣ୍ଣନା କରନ୍ତି । ଭ୍ରାତାମାନଙ୍କ ସହିତ ବଶିଷ୍ଠଙ୍କର ନୀତିକଥା ଶୁଣିବାପରେ ଶ୍ରୀରାମ ଭ୍ରାତାମାନଙ୍କ ସଙ୍ଗରେ ଭୋଜନ କରନ୍ତି । ମାତାମାନେ ପୁତ୍ରମାନଙ୍କୁ ଭୋଜନ ଦେଲାବେଳେ ଆନନ୍ଦରେ ସେମାନଙ୍କ ମନ ପୂର୍ଣ୍ଣ ହୋଇଯାଏ ।

 

ସମୟେ ସମୟେ ଭରତ ଓ ଶତ୍ରୁଘ୍ନ ହନୁମାନ୍‌ଙ୍କ ସହିତ ଉଦ୍ୟାନକୁ ଭ୍ରମଣ ଉଦ୍ଦେଶ୍ୟରେ ବାହାରନ୍ତି । ହନୁମାନ୍‌ ଭରତ ଓ ଶତ୍ରୁଘ୍ନଙ୍କ ସମ୍ମୁଖରେ ଶ୍ରୀରାମଙ୍କର ଗୁଣମାନ ବର୍ଣ୍ଣନା କରନ୍ତି । ହନୁମାନ୍‌, ପୂର୍ବରୁ କହିଥିଲେ ମଧ୍ୟ ସେହିକଥା ବାରମ୍ବାର ଶୁଣି ସେମାନେ ଆନନ୍ଦ ଲାଭ କରୁଥିଲେ ।

 

ଅଯୋଧ୍ୟାର ଘରେ ଘରେ ଶ୍ରୀରାମଙ୍କର ପ୍ରଶଂସା । ନାରଦ ଓ ସନକ ପ୍ରଭୃତି ମୁନିଋଷିମାନେ ଶ୍ରୀରାମଙ୍କର ଦର୍ଶନ ପାଇଁ ନଗରକୁ ମଧ୍ୟେ ମଧ୍ୟେ ଆସି ଅଯୋଧ୍ୟାବାସୀମାନଙ୍କର ଆନନ୍ଦ ବର୍ଦ୍ଧନ କରୁଥାନ୍ତି । କଥାପ୍ରସଙ୍ଗରେ ଅଯୋଧ୍ୟାପୁରବାସୀ ଶ୍ରୀ ରାମଙ୍କର କଥା ଆଲୋଚନା କରି ନିଜ ନିଜର ସୌଭାଗ୍ୟର ପ୍ରଶଂସା କରିବାରେ ଲାଗିଥାନ୍ତି ।

 

ଅଯୋଧ୍ୟା ନଗରରୀ ସୌନ୍ଦର୍ଯ୍ୟ ଅତୁଳନୀୟ । ଅଟ୍ଟାଳିକାଗୁଡ଼ିକ ନାନା ରତ୍ନରେ ସଜ୍ଜିତ ଏବଂ ଆକାଶକୁ ସ୍ପର୍ଶ କରୁଅଛି । ନବଗ୍ରହମାନେ ଏକ ବିଶାଳ ସୈନ୍ୟବାହିନୀର ସହାୟତାରେ ସତେ ଯେପରି ଏକ ଅମରାବତୀ ନିର୍ମାଣ କରିଛନ୍ତି । ପ୍ରତ୍ୟେକ ଗୃହରେ ମଣିଦୀପ ଶୋଭାପାଉଛି-। କେଉଁ କେଉଁ ସ୍ଥାନରେ ମଣିନିର୍ମିତ ସ୍ତମ୍ଭରେ ମର୍କତଯୁକ୍ତ ହୋଇଅଛି । ବିଶାଳ ପ୍ରାସାଦମାନଙ୍କରେ ସୁନ୍ଦର ସ୍ଫଟିକ ପ୍ରାଙ୍ଗଣ ଶୋଭାବର୍ଦ୍ଧନ କରୁଅଛି । ଗୃହମାନଙ୍କରେ ଶ୍ରୀରାମଚରିତ ଅଙ୍କିତ ହୋଇଅଛି-। ଉପବନମାନଙ୍କରେ ବସନ୍ତଋତୁ ସଦାବିରାଜମାନ । ବାଳକମାନେ ନାନା ସୁନ୍ଦର ପକ୍ଷୀ ପାଳନ କରି ସେମାନଙ୍କର ମଧୁର ଗାନ ଶ୍ରବଣରେ ମୁଗ୍‌ଧ । ଆକାଶରେ ହଂସ, ସାରସ ଓ ପାରାବତ ପ୍ରଭୃତି ପକ୍ଷୀମାନେ ଉଡ଼ି ଅଯୋଧ୍ୟାର ଆକାଶଦେଶକୁ ନାନା ବିଚିତ୍ର ବର୍ଣ୍ଣରେ ଶୋଭିତ କରୁଅଛନ୍ତି-। ମୟୂର ନିଜର ପ୍ରତିଚ୍ଛବି ପ୍ରାଚୀରମାନଙ୍କରେ ଦେଖି ନୃତ୍ୟ କରୁଅଛି । ଶୁକ ଓ ସାରୀ ଆଦି ପକ୍ଷୀ ଶ୍ରୀରାମ, ରଘୁପତି, ଜନପାଳକ ଆଦି ଧ୍ୱନିକରି ନାନା ସୁନ୍ଦର ଗାନ କରୁଅଛନ୍ତି ।

 

ସରଯୂ ନଦୀ ଘାଟଯୁକ୍ତା । କେଉଁଠାରେ ସ୍ନାନଘାଟ, କେଉଁଠି ପାନୀୟଜଳ, ଅନ୍ୟ କୌଣସି ସ୍ଥାନରେ ହସ୍ତୀ ଘୋଟକମାନଙ୍କର ସ୍ନାନ ଓ ଜଳପାନ ଘାଟ ନିର୍ମିତ ହୋଇ ସରଯୂ ନଦୀର ସୌନ୍ଦର୍ଯ୍ୟ ବର୍ଦ୍ଧିତ ହୋଇଅଛି । ରାଜଘାଟ ସର୍ବଶ୍ରେଷ୍ଠ ଏବଂ ସୁନ୍ଦରତମ । ଚତୁଃବର୍ଣ୍ଣର ପୁରୁଷମାନେ ସେଠାରେ ସ୍ନାନକରନ୍ତି । ନଦୀ କୂଳେ କୂଳେ ଦେବାୟତନ ଏବଂ ମନ୍ଦିର ଶୋଭା ପାଉଅଛି । ନଦୀର କୂଳେ କୂଳେ ତ୍ୟାଗୀ ଓ ଜ୍ଞାନପରାୟଣ ମୁନିମାନେ ନିବାସ କରୁଛନ୍ତି ।

 

ଥରେ ଶ୍ରୀରାମ ଭ୍ରାତା ଓ ହନୁମାନ୍‌ଙ୍କୁ ଘେନି ଉପବନ ଶୋଭା ସନ୍ଦର୍ଶନ ନିମିତ୍ତ ନିର୍ଗତ ହେଲେ । ସନକ ପ୍ରଭୃତି ମୁନିମାନେ ସେଠାରେ ଏକତ୍ର ହେଲେ । ଶ୍ରୀରାମ ମୁନିମାନଙ୍କୁ ଦର୍ଶନ କରି ଅତ୍ୟନ୍ତ ଆନନ୍ଦିତ ହେଲେ । ସେମାନଙ୍କ ଚରଣରେ ଦଣ୍ଡବତ କରି ନିଜର ପୀତାମ୍ବର ଆସ୍ତରଣ ବିଛାଇ ମୁନିମାନଙ୍କୁ ଉପବେଶନ କରିବାକୁ ଅନୁରୋଧ କଲେ । ମୁନିମାନେ ଶ୍ରୀରାମଙ୍କ ଦର୍ଶନରେ ବିମୋହିତ ହୋଇପଡ଼ିଲେ । ମୁନିମାନଙ୍କ ଚରଣରେ ମସ୍ତକ ଅବନତ କରି ଶ୍ରୀରାମ କହିଲେ, ‘ହେ ମୁନୀଶ୍ଵର, ମୁଁ ଆଜି ଧନ୍ୟ ହେଲି । ଆପଣଙ୍କର ଦର୍ଶନ ସଂସାରରେ ପାପ ବିନଷ୍ଟ କରେ । ସୌଭାଗ୍ୟ ଥିଲେ ସତ୍‌ସଙ୍ଗ ମିଳେ । ସତ୍‌ସଙ୍ଗ ପ୍ରଭାବରେ ଭବବନ୍ଧନରୁ ମୋକ୍ଷ ମିଳେ ।’ ମୁନିଗଣ ଶ୍ରୀରାମଙ୍କର କଥାମୃତ ଶୁଣି ପ୍ରୀତିପୂର୍ଣ୍ଣ ହୃଦୟରେ ବ୍ରହ୍ମଲୋକକୁ ଗମନ କଲେ ।

 

ଆଉ ଦିନକର କଥା । ଶ୍ରୀରାମଙ୍କ ନିକଟରେ ଭ୍ରାତାମାନଙ୍କ ସହିତ ହନୁମାନ୍‌ ବସିଅଛନ୍ତି-। ଭରତଙ୍କ ମନ ଭିତରେ ଶ୍ରୀରାମଙ୍କଠାରୁ କେତେକ ତଥ୍ୟ ଜାଣିବାପାଇଁ ଇଚ୍ଛାଥିଲେ ସୁଦ୍ଧା ସେ ଜ୍ୟେଷ୍ଠଭ୍ରାତାଙ୍କ ସମ୍ମୁଖରେ ଜିଜ୍ଞାସା କରିବାପାଇଁ ସଙ୍କୋଚ ବୋଧ କରୁଥାନ୍ତି । ଭରତ ହନୁମାନ୍‌ଙ୍କ ମୁଖକୁ ଚାହିଁରହିଛନ୍ତି । ଅନ୍ତର୍ଯାମୀ ଶ୍ରୀରାମଚନ୍ଦ୍ର ଭରତଙ୍କର ମନର ଆକାଙ୍‌କ୍ଷା ବୁଝିପାରିଲେ । ସେ ହନୁମାନ୍‌ଙ୍କୁ ପଚାରିଲେ, ‘ହେ ପବନପୁତ୍ର ! ତୁମର ମନର ଇଚ୍ଛା ବ୍ୟକ୍ତକର ।’ ହନୁମାନ୍‌ କହିଲେ, ‘ହେ ଅନ୍ତର୍ଯାମୀ ନାଥ ! ଭରତ ଆପଣଙ୍କୁ କିଛି ଜିଜ୍ଞାସା କରିବାକୁ ଇଚ୍ଛା କରୁଛନ୍ତି; କିନ୍ତୁ ସଙ୍କୋଚ ଯୋଗୁଁ ବ୍ୟକ୍ତ କରିପାରୁନାହାନ୍ତି । ଶ୍ରୀରାମ କହିଲେ–ହନୁମାନ୍‌, ତୁମେ ମୋର ସ୍ଵଭାବ ଜାଣିଅଛ-। ଭରତ ଓ ମୋ ମଧ୍ୟରେ କିଛି ଅନ୍ତର ଅଛି କି ?

 

ଭରତ ସଙ୍ଗେ ସଙ୍ଗେ ଦଣ୍ଡାୟମାନ ହୋଇ ଶ୍ରୀରାମଙ୍କର ଚରଣସ୍ପର୍ଶପୂର୍ବକ କହିଲେ–ହେ ଶରଣାଗତ ରକ୍ଷକ, ମୋ ମନରେ କୌଣସି ସନ୍ଦେହ ନାହିଁ । ସ୍ଵପ୍ନରେ ମଧ୍ୟ ମୋ ମନ ମଧ୍ୟରେ ଲେଶମାତ୍ର ଶୋକ ଓ ମୋହ ନାହିଁ । ଏହା କେବଳ ଆପଣଙ୍କ ଦୟାର ନିଦର୍ଶନ । ତଥାପି ମୋର ଧୃଷ୍ଟତା ମାର୍ଜନା କରନ୍ତୁ । ମୁଁ ସେବକ ଏବଂ ଆପଣ ସେବକର ସୁଖଦାତା । ଆପଣ ସର୍ବଦା ସନ୍ଥମାନଙ୍କର ମହିମା ବର୍ଣ୍ଣନା କରନ୍ତି । ସନ୍ଥମାନଙ୍କ ଲକ୍ଷଣ ଜାଣିବାପାଇଁ ମୋ ମନରେ ପ୍ରବଳ ଆଗ୍ରହ ଉତ୍ପନ୍ନ ହୋଇଅଛି । ଆପଣଙ୍କଠାରୁ ତାହା ଶୁଣିଲେ ଧନ୍ୟ ହେବି ।

 

ଶ୍ରୀରାମ କହିଲେ–‘ଭରତ, ତୁମେ ଜାଣ, ଚନ୍ଦନବୃକ୍ଷକୁ ଅସ୍ତ୍ରଦ୍ଵାରା ଛେଦନ କରାଯାଏ; କିନ୍ତୁ ଚନ୍ଦନର ସ୍ଵଭାବ ଏପରି ଯେ, ସେ ସେହି ଅସ୍ତ୍ରକୁ ନିଜର ସୁବାସଦ୍ଵାରା ସୁବାସିତ କରିଦିଏ । ତେଣୁ ଚନ୍ଦନ ଦେବତାଙ୍କର ମସ୍ତକଭୂଷଣ ହୁଏ ଏବଂ ଜଗଦ୍‌ବାସୀଙ୍କର ପ୍ରିୟ ହୁଏ; କିନ୍ତୁ ସେହି ଲୌହ-ଅସ୍ତ୍ରକୁ ଅଗ୍ନି ମଧ୍ୟରେ ସ୍ଥାପନ କରି ଆଘାତ କରାଯାଏ । ସନ୍ଥ ଏବଂ ଅସାଧୁ ଲୋକମାନଙ୍କ ମଧ୍ୟରେ ଅନ୍ତର ଏହିପରି ଅଟେ । ସନ୍ଥମାନେ ପରଦୁଃଖରେ ଦୁଃଖୀ ହୁଅନ୍ତି । ସେମାନଙ୍କର ଶତ୍ରୁ ନ ଥାନ୍ତି । ଗର୍ବ-ଲୋଭ-କ୍ରୋଧ-ହର୍ଷ ଭୟରହିତ ହୋଇ ସେମାନେ ବୈରାଗ୍ୟବାନ୍‌ ହୁଅନ୍ତି । ସନ୍ଥମାନେ କୋମଳ, ଦୟାଳୁ ଏବଂ ମୋର ଭକ୍ତ । ସେମାନଙ୍କର ସମସ୍ତଙ୍କ ପ୍ରତି ଆଚରଣ ସମାନ ଅଟେ । କାମନାହୀନ ଓ ସର୍ବପ୍ରିୟ ହୋଇ ସେମାନେ ସର୍ବଦା ମୋର ନାମକୀର୍ତ୍ତନ କରୁଥାନ୍ତି । ନିନ୍ଦା କିମ୍ବା ସ୍ତୁତି ସେମାନଙ୍କ ନିମନ୍ତେ ସମାନ ।

 

‘କେବେହେଁ ଅସାଧୁ ସଙ୍ଗ କରିବା ଉଚିତ ନୁହଁ । ଦୁଷ୍ଟଗାଭୀ ସଙ୍ଗରେ ସଙ୍ଗୀ ହୋଇ ଗୋଟିଏ ସରଳ ସୁଧାର ଗାଭୀ ଯେପରି ନିଜର ସତ୍‌ସ୍ଵଭାବ ନଷ୍ଟ କରିଦିଏ, ଅସାଧୁମାନେ ସେହିପରି ସାଧୁମାନଙ୍କୁ ବିପରୀତ ପଥଗାମୀ କରିଦିଅନ୍ତି । ଅସାଧୁମାନେ ବିନାକାରଣରେ ସମସ୍ତଙ୍କ ସହିତ ଶତ୍ରୁତା ସୃଷ୍ଟି କରନ୍ତି । ସେମାନେ ଉପକାରୀ ଲୋକର ଅପକାର କରନ୍ତି । ସେମାନଙ୍କ ନିମନ୍ତେ ଭୋଜନ, ଦାନ, ଗ୍ରହଣ ସମସ୍ତ ବୃଥା । ପରଦ୍ରୋହ ସେମାନଙ୍କର ସ୍ଵଭାବସୁଲଭ ଗୁଣ ହୋଇପଡ଼େ । ଲୋଭ ସେମାନଙ୍କୁ ଆବୃତ କରି ରଖିଥାଏ । ଅନ୍ୟର ବିପତ୍ତି ଦେଖି ସେମାନେ ଆନନ୍ଦିତ ହୁଅନ୍ତି । ମାତା, ପିତା, ଗୁରୁ, ବ୍ରାହ୍ମଣମାନଙ୍କୁ ମାନନ୍ତି ନାହିଁ । ଏ ପ୍ରକାର ଅସାଧୁଲୋକ ସତ୍ୟ ଓ ତ୍ରେତା ଯୁଗରେ ନ ଥିଲେ, ଦ୍ୱାପରଯୁଗରେ ଅଳ୍ପ କେତେକ ଥିଲେ, କିନ୍ତୁ କଳିଯୁଗରେ ଏମାନଙ୍କର ସଂଖ୍ୟା ଅଧିକ ଅଟେ ।

 

‘ଅନ୍ୟର ଉପକାର କରିବାପରି ଯେପରି ଆଉ ଧର୍ମ ନାହିଁ, ଅନ୍ୟକୁ ଦୁଃଖ ଦେବାଭଳି ପାପ ଆଉ ନାହିଁ । ମନୁଷ୍ୟ ମୋହାବେଶରେ ସ୍ଵାର୍ଥପରାୟଣ ହୋଇ ନାନାଦି ପାପ କରେ । ତାହାରି ଫଳରେ ତାହାର ପରଲୋକ ନଷ୍ଟ ହୁଏ । ଏହିପରି ଲୋକମାନଙ୍କ ନିମନ୍ତେ ମୁଁ କାଳ ଅଟେ-। ଏସବୁ ଉତ୍ତମରୂପେ ବିଚାର କରି ପରମ ଚତୁର ବ୍ୟକ୍ତି ସଂସାର ଦୁଃଖମୟ ବୋଲି ମନେ କରି ମୋତେ ଭଜନ କରନ୍ତି ।

 

ଶ୍ରୀରାମଙ୍କଠାରୁ ଏପରି ନୀତିପୂର୍ଣ୍ଣ କଥାଗୁଡ଼ିକ ଶୁଣି ଭରତ ଓ ହନୁମାନ ବିଶେଷ ଆନନ୍ଦିତ ହେଲେ ।

 

ଥରେ ଶ୍ରୀରାମଚନ୍ଦ୍ର, ଗୋଟିଏ ସଭାକୁ ଗୁରୁ ବଶିଷ୍ଠଙ୍କୁ ନିମନ୍ତ୍ରଣ କଲେ । ବ୍ରାହ୍ମଣ ଓ ମୁଖ୍ୟ ନାଗରିକମାନଙ୍କୁ ମଧ୍ୟ ସେହି ସଭାସ୍ଥଳକୁ ଆକ୍ରମଣ କଲେ । ସମସ୍ତେ ସଭାରେ ଆସୀନ ହେବାପରେ ଶ୍ରୀରାମ ଦଣ୍ଡାୟମାନ ହୋଇ କହିଲେ–ହେ ମୋର ଗୁରୁଜନ ଓ ନଗରବାସୀବୃନ୍ଦ ! ମୋର କଥା ପ୍ରତି ଆପଣମାନେ ଅବହିତ ହୁଅନ୍ତୁ । ମୁଁ ଯଦି କିଛି ଅନୀତି କଥା କହିବି, ତେବେ ନିର୍ଭୟରେ ଆପଣମାନେ ତାହାର ପ୍ରତିବାଦ କରନ୍ତୁ ଏବଂ ମୋତେ ଶିକ୍ଷା ଦିଅନ୍ତୁ । ବଡ଼ ଭାଗ୍ୟ ଥିଲେ ମନୁଷ୍ୟ-ଜନ୍ମ ମିଳେ । ଏ ମନୁଷ୍ୟ-ଶରୀର ଦେବତାମାନଙ୍କ ନିମନ୍ତେ ଦୁର୍ଲଭ । ଏ ମନୁଷ୍ୟ-ଶରୀର ହିଁ ସାଧନଯୋଗ୍ୟ ଏବଂ ମୋକ୍ଷର ଉପାୟ । ଏ ମନୁଷ୍ୟ-ଜନ୍ମ ପାଇ ଯେଉଁ ବ୍ୟକ୍ତି ପରଲୋକ ସୃଷ୍ଟି କରି ନ ପାରେ, ସେ ପରଲୋକରେ ଦୁଃଖ ପାଏ । ଯେଉଁମାନେ ମନୁଷ୍ୟ-ଶରୀର ଧାରଣକରି ବିଷୟଭୋଗରେ ବୁଡ଼ିରହନ୍ତି, ସେମାନେ ଅମୃତ ବଦଳରେ ବିଷ ଗ୍ରହଣ କରନ୍ତି । ସତ୍‌ସଙ୍ଗ ବିନା ପ୍ରାଣୀ ସୁଖ କିମ୍ବା ଭକ୍ତି ଲାଭ କରିପାରେ ନାହିଁ । ବ୍ରାହ୍ମଣ-ଚରଣପୂଜା ଜଗତରେ ପୁଣ୍ୟର ପଥ । ନାମପାରାୟଣରେ ହିଁ ଜଗତରେ ପରମାନନ୍ଦ ମିଳେ । ସେଥିପାଇଁ ପ୍ରତ୍ୟେକ ମନୁଷ୍ୟ ମନୁଷ୍ୟୋଚିତ ସମସ୍ତ କର୍ମ କରିବା ଉଚିତ ।

 

ସାକ୍ଷାତ୍‌ ବ୍ରହ୍ମମୂର୍ତ୍ତି ଶ୍ରୀରାମଙ୍କଠାରୁ ଏ ଗୁପ୍ତ ରହସ୍ୟ ଶୁଣି ସଭାସ୍ଥଳ ନଗରବାସୀ ଓ ବ୍ରାହ୍ମଣମାନେ ଅତ୍ୟନ୍ତ ଆନନ୍ଦିତ ହେଲେ । ଶ୍ରୀରାମଙ୍କର ଆଜ୍ଞା ପାଇ ସମସ୍ତେ ନିଜ ନିଜ ଧାମକୁ ପ୍ରତ୍ୟାବର୍ତ୍ତନ କଲେ ।

 

ଆଉ ଦିନେ ଗୁରୁ ବଶିଷ୍ଠ ଶ୍ରୀରାମଙ୍କ ନିକଟରେ ପହଞ୍ଚିବାରୁ ଶ୍ରୀରାମ ଅତ୍ୟନ୍ତ ଭକ୍ତିଗଦ୍‌ଗଦ୍‍ ଚିତ୍ତରେ ତାହାଙ୍କ ଚରଣ ଧୌତ କରି ତାହାଙ୍କୁ ଆସନରେ ଉପବେଶନ କରାଇଲେ । ସେଦିନ ବଶିଷ୍ଠ ଶ୍ରୀରାମଙ୍କୁ କହିଲେ, ‘ହେ ଶ୍ରୀରାମ, ଆପଣଙ୍କର ମନ୍ୟୁଷ୍ୟୋଚିତ ଆଚରଣ ଦେଖି ମୋ ମନରେ ମୋହ ଆସୁଅଛି । ପୁରୋହିତ-କର୍ମକୁ ବେଦ, ପୁରାଣ ଓ ସ୍ମୃତି ନିନ୍ଦା କରନ୍ତି । ମୁଁ ଯେତେବେଳେ ଏ ପୁରୋହିତ-କର୍ମରେ ପ୍ରବୃତ୍ତ ହୋଇ ନ ଥିଲି, ବ୍ରହ୍ମା ମୋତେ କହିଥିଲେ, ହେ ପୁତ୍ର, ଏହି କର୍ମଦ୍ଵାରା ତୁମର ବହୁତ ଉପକାର ହେବ । ସ୍ଵୟଂ ପରମାତ୍ମା ମନୁଷ୍ୟ ରୂପରେ ରଘୁକୁଳର ରାଜା ହେବେ । ସେତେବେଳେ ମୁଁ ହୃଦୟ ମଧ୍ୟରେ ବିଚାରକଲି, ମନୁଷ୍ୟ ଯାହାପାଇଁ ରାଜା, ଯଜ୍ଞ, ଦାନ, ବ୍ରତ କରେ ମୁଁ ତାହାଙ୍କୁ ଏହି କର୍ମରେ ପାଇବି । ପ୍ରେମଭକ୍ତିରୂପୀ ନିର୍ମଳ ଜଳ ବିନା ଅନ୍ତଃକରଣର ମଳ ଦୂର ହୁଏ ନାହିଁ । ମୁଁ ଆପଣଙ୍କୁ ଏହି ବର ମାଗୁଛି-ପ୍ରଭୁଙ୍କ ଚରଣପଙ୍କଜରୁ ମୋର ପ୍ରେମ ଜନ୍ମଜନ୍ମାନ୍ତରରେ ମଧ୍ୟ ହ୍ରାସ ନ ହେଉ ।’ ଶ୍ରୀରାମ ବଶିଷ୍ଠଙ୍କର ଏ ପ୍ରେମଭକ୍ତିପୂର୍ଣ୍ଣ ବାଣୀ ଶୁଣି ବଡ଼ ଆନନ୍ଦିତ ହେଲେ ଏବଂ ଗୁରୁଙ୍କୁ ମେଲାଣି ଦେଇ ରାଜପୁରକୁ ପ୍ରତ୍ୟାବର୍ତ୍ତନ କଲେ-

 

ଦିନେ ଶ୍ରୀରାମଚନ୍ଦ୍ର ହନୁମାନ୍‌ ଓ ଭାଇମାନଙ୍କୁ ସଙ୍ଗରେ ଧରି ନଗର ବାହାରକୁ ବାହାରିଲେ I ନଗର ବାହାରେ ଗୋଟିଏ ଆମ୍ର ଉଦ୍ୟାନ ମଧ୍ୟରେ ପ୍ରବେଶ କଲେ । ଭୂମି ଉପରେ ଶ୍ରୀରାମଙ୍କର ଉପବେଶନ ନିମିତ୍ତ ଭରତ ତାଙ୍କର ବସ୍ତ୍ର ଭୂମି ଉପରେ ବିଛାଇଦେଲେ । ଶ୍ରୀରାମ ଭାଇମାନଙ୍କ ସହିତ ସେଠାରେ ବସିବାପରେ ହନୁମାନ୍‌ ସେମାନଙ୍କୁ ବ୍ୟଜନ କରିବାକୁ ଲାଗିଲେ । ଚାରି ଭ୍ରାତା ନାନା କଥା ହେଉଥିଲାବେଳେ ନାରଦମୁନି ବୀଣା ବାଦନ କରି କରି ଏବଂ ଶ୍ରୀରାମଙ୍କର ବନ୍ଦନା ଗାଇ ଗାଇ ସେଠାରେ ପହଞ୍ଚିଲେ । ଶ୍ରୀରାମ ତାହାଙ୍କୁ ଅତି ଆଦରରେ ଗ୍ରହଣ କରିବାପରେ ନାରଦ ତାଙ୍କର ସ୍ତୁତି କରିବାକୁ ଲାଗିଲେ । ଶ୍ରୀରାମଙ୍କର ଆଦେଶ ପାଇ ଶ୍ରୀରାମରୂପକୁ ହୃଦୟରେ ଧାରଣକରି ସେ ବ୍ରହ୍ମଲୋକକୁ ପ୍ରସ୍ଥାନ କଲେ ।

Image

 

କାକଭୁଷଣ୍ଡୀ ଉପାଖ୍ୟାନ

 

କାକଭୂଷଣ୍ଡୀ ଗରୁଡ଼ଙ୍କୁ ରାମକଥା ଶୁଣାଇଥିଲେ । ସେହି ରାମରସ ମହାଦେବ ପାର୍ବତୀଙ୍କୁ ବୁଝାଇ କହିଲେ । ପାର୍ବତୀ ସବୁ ଘଟଣା ଶୁଣିସାରିବା ପରେ ସେ ପୁଣି ମହାଦେବଙ୍କୁ, ପଚାରିଲେ-ହେ ବିଶ୍ଵନାଥ, ଆପଣଙ୍କଠାରୁ ଏ ସୁନ୍ଦର ରସ ଶୁଣିଲି । କାକଭୂଷଣ୍ଡୀ ତ କାକ, ସେ ହରିଭକ୍ତିରସ କିପରି କେଉଁଠୁ ପାଇଥିଲେ, ମୋର ଜାଣିବାପାଇଁ ବଡ଼ ଆଗ୍ରହ ଉପୁଜୁଛି । ମୋତେ ତାହା ବୁଝାଇ କହନ୍ତୁ । କାକଭୂଷଣ୍ଡୀ ତ ଏପରି ଶ୍ରୀରାମ ପରାୟଣ ଓ ଧୀରବୃଦ୍ଧି ସମ୍ପନ୍ନ ଅଟନ୍ତି; ସେ ପୁଣି କାକଶରୀର କାହଁକି ପାଇଲେ ? ପୁଣି ଏ ମଧୁର ରାମରସ ଆପଣ କିପରି କାହାଠାରୁ ଶୁଣିଥିଲେ ? ଗରୁଡ଼ ତ ହରିସେବକ । ସେ ସର୍ବଦା ବିଷ୍ଣୁଙ୍କ ନିକଟରେ ରହିଥାନ୍ତି । ସେ ଏ ରାମରସ ମୁନିମାନଙ୍କଠାରୁ ନ ଶୁଣି ଏ ସବୁ ଘଟଣା କାହିଁକି କାକଠାରୁ ଶୁଣିବାପାଇଁ ଇଚ୍ଛାକଲେ ? ମୋ ମନରେ ଏସବୁ ତଥ୍ୟ ଶୁଣିବା ନିମନ୍ତେ ବଡ଼ ଇଚ୍ଛା ଜାଗ୍ରତ ହୋଇଅଛି । ମୋତେ ଏ ଘଟଣାଗୁଡ଼ିକ କହି ମୋ ମନରୁ ସଂଦେହ ଦୂର କରନ୍ତୁ ।

 

ମହାଦେବ କହିଲେ, ହେ ପାର୍ବତୀ ! ପ୍ରଥମେ ତୁମେ ଦକ୍ଷଙ୍କର କନ୍ୟା ସତୀ ରୂପରେ ଜନ୍ମଲାଭ କରିଥିଲ । ଦକ୍ଷଯଜ୍ଞରେ ତୁମେ ଦକ୍ଷଙ୍କଠାରୁ ଅପମାନ ପାଇ ଅତିଶୟ କ୍ରୋଧାଗ୍ନିରେ ଦଗ୍‌ଧୀଭୂତ ହୋଇ ପ୍ରାଣତ୍ୟାଗ କଲ । ତୁମର ମୃତ୍ୟୁପରେ ମୋର ଅନୁଚରମାନେ ଦକ୍ଷଙ୍କର ଯଜ୍ଞ ବିଧ୍ଵସ୍ତ କଲେ । ତେଣୁ ମୋର ମନରେ କ୍ଷୋଭ ଜାତହେଲା । ତୁମ ବିୟୋଗରେ ମୁଁ ସଂସାରତ୍ୟାଗୀ ହୋଇ ବନ, ପର୍ବତ ଆଦି ସ୍ଥାନରେ ଭ୍ରମଣ କରି ବହୁ ଦୃଶ୍ୟ ଦେଖିବାକୁ ଲାଗିଲି । ସୁମେରୁ ପର୍ବତର ଉତ୍ତର ଦିଗରେ ଗୋଟିଏ ସୁନ୍ଦର ନୀଳ ମହୀଧର ଶୋଭା ପାଉଅଛି । ସେହି ନୀଳ ପର୍ବତର ଚାରିଗୋଟି ସ୍ଵର୍ଣ୍ଣମୟ ଶିଖର ଦେଖି ମୁଁ ବିହ୍ଵଳ ହୋଇପଡ଼ିଲି । ସେହି ଶିଖରମାନଙ୍କରେ ଥିବା ବିଶାଳ ବଟ, ଅଶ୍ଵତ୍‌ଥ, ଉଦୁମ୍ବର ଓ ଆମ୍ର ବୃକ୍ଷମାନ ପର୍ବତର ଶୋଭାବର୍ଦ୍ଧନ କରୁଅଛି । ସେହି ପର୍ବତର ଶିଖରଦେଶରେ ଗୋଟିଏ ସୁନ୍ଦର ପୁଷ୍କରିଣୀ ରହିଅଛି । ସେହି ପୁଷ୍କରିଣୀର ଜଳ ଶୀତଳ, ନିର୍ମଳ ଓ ମଧୁର । ପୁଷ୍କରିଣୀର ନିର୍ମଳ ଜଳ ଉପରେ ନାନା ବର୍ଣ୍ଣର କମଳ ପୁଷ୍ପ ପ୍ରସ୍ଫୁଟିତ ହୋଇଅଛି । ସେଠାରେ ହଂସମାନଙ୍କର କାକଳି ଓ ଭ୍ରମରମାନଙ୍କର ଗୁଞ୍ଜନ ମନକୁ ଆନନ୍ଦରସରେ ପ୍ଳାବିତ କରେ ।

 

ସେହି ପର୍ବତ ଉପରେ କାକଭୂଷଣ୍ଡୀ ପକ୍ଷୀଙ୍କର ନୀଡ଼ ଅବସ୍ଥିତ । କଳ୍ପାନ୍ତରେ ମଧ୍ୟ କାକଭୂଷଣ୍ଡୀଙ୍କର ମୃତ୍ୟୁ ହୁଏ ନାହିଁ । ସେହି ପର୍ବତ ଉପରେ ଏ ସଂସାରର ମୋହମାୟାର ସ୍ଥାନ ନାହିଁ । କାକଭୁଷଣ୍ଡୀ ସେହି ସ୍ଥାନରେ ନିଶ୍ଚିନ୍ତ ମନରେ ହରିନାମ ଜପ କରୁଥାନ୍ତି । ଅଶ୍ଵତ୍‌ଥ ବୃକ୍ଷର ଅଧୋଭାଗରେ କାକ ଧ୍ୟାନସ୍ଥ ରହିଥାନ୍ତି । ଉଦୁମ୍ବର ବୃକ୍ଷର ତଳେ ଜପଯଜ୍ଞ କରନ୍ତି ଏବଂ ଆମ୍ରଛାୟା ତଳେ ମାନସିକପୂଜାରେ ନିମଗ୍ନ ଥାନ୍ତି । କେବଳ ହରିଭଜନ ବ୍ୟତୀତ ତାଙ୍କର ଅନ୍ୟ କୌଣସି କାର୍ଯ୍ୟ ନ ଥାଏ । ବଟବୃକ୍ଷର ଅଧୋଭାଗରେ ଭୁଷଣ୍ଡୀ ଶ୍ରୀହରିଙ୍କର କଥା ବ୍ୟାଖ୍ୟାନ କରନ୍ତି । ବହୁପକ୍ଷୀ ସେଠାକୁ ଆସି ହରିକଥା ଶୁଣନ୍ତି । ନିର୍ମଳବୁଦ୍ଧି ସମ୍ପନ୍ନ ହଂସମାନେ ସେଠାରେ ବାସକରୁଥାନ୍ତି । ସେମାନେ ମଧ୍ୟ ହରିକଥା ଶ୍ରବଣ କରନ୍ତି ।

 

ଥରେ ମୁଁ ସେଠାକୁ ଯାଇ ଏ କୌତୁକ ଦେଖିଲି । ଏସବୁ ଦେଖି ମୋ ମନରେ ବିଶେଷ ଆନନ୍ଦ ଆସିଲା । ମୁଁ ହଂସଶରୀର ଧାରଣ କରି କେତେକ ଦିନ ସେଠାରେ ବାସକଲି । ଶ୍ରୀରାମକଥା-ରସାମୃତ ଶୁଣି ଶୁଣି ଭାରି ଆନନ୍ଦରେ ସେଠାରେ କିଛି ଦିନ ଅତିବାହିତ କରି କୈଳାସକୁ ପ୍ରତ୍ୟାବର୍ତ୍ତନ କଲି ।

 

ପକ୍ଷୀରାଜ ଗରୁଡ଼ କାକଭୁଷଣ୍ଡୀଙ୍କ ପାଖକୁ କାହିଁକି ଯାଇଥିଲେ, ତାହା ବର୍ତ୍ତମାନ ମୁଁ ତୁମ ଆଗରେ କହୁଛି । ଶ୍ରୀରାମ ଯେତେବେଳେ ରାବଣପୁରରେ ରଣଲୀଳା କରୁଥିଲେ, ରାବଣଙ୍କ ପୁତ୍ର ମେଘନାଦ ତାଙ୍କୁ ନାଗପାଶରେ ବାନ୍ଧି ପକାଇଲା । ନାରଦ ମୁନି ଏକଥା ଦେଖିବାମାତ୍ରେ ଗରୁଡ଼ଙ୍କୁ ସେଠାକୁ ପଠାଇଲେ । ସର୍ପଭକ୍ଷକ ଗରୁଡ଼ ସେ ବନ୍ଧନକୁ କର୍ତ୍ତନ କରୁଥିଲାବେଳେ ତାଙ୍କ ହୃଦୟରେ ବିଶେଧ ବିଷାଦ ଭାବ ଆସିଲା I ବିଷ୍ଣୁବାହନ ଗରୁଡ଼ ମନରେ ବିଚାରକଲେ-‘ମୋହମାୟା-ସଂହାରକାରୀ, ନିର୍ବିକାର, ସର୍ବବ୍ୟାପକ ପରମାତ୍ମା ଶ୍ରୀରାମଚନ୍ଦ୍ରଙ୍କୁ ଏକ ତୁଚ୍ଛ ରାକ୍ଷସ ନାଗପାଶରେ ଆବଦ୍ଧ କଲା । କାହିଁ, ମୁଁ ତାଙ୍କର ଏ ଅବତାରର ପ୍ରଭାବ ତ କିଛି ଜାଣିପାରିଲି ନାହିଁ ।’’

 

ଗରୁଡ଼ ମନରୁ ଏପରି ଭାବ ଦୂର କରିବା ପାଇଁ ମନକୁ ନାନାପ୍ରକାର ବୋଧ ଦେଲେ, କିନ୍ତୁ ତାଙ୍କର ଜ୍ଞାନୋଦୟ ହେଲା ନାହିଁ । ହୃଦୟ ଭ୍ରମରେ ଆଚ୍ଛାଦିତ ହେଲା । ସେ ନାରଦଙ୍କ ପାଖକୁ ଗଲେ । ତାଙ୍କ ମନରେ ସନ୍ଦେହ ସବୁ ନାରଦଙ୍କ ସମ୍ମୁଖରେ ବ୍ୟକ୍ତ କଲେ । ନାରଦ ଗରୁଡ଼ଙ୍କର ଏ ସମସ୍ତ ମନର ବିଷାଦଭାବର ବର୍ଣ୍ଣନା ଶୁଣି ଦୟାର୍ଦ୍ର ହୋଇ ବୁଝାଇ କହିଲେ–ହେ ବିଷ୍ଣୁଭକ୍ତ ଗରୁଡ଼, ଶ୍ରୀରାମଙ୍କର ମାୟା ବଳବତୀ ଅଟେ । ସେ ମାୟାରେ ଜ୍ଞାନୀମାନେ ମଧ୍ୟ ମୋହିତ ହୋଇପଡ଼ନ୍ତି । ଥରେ ତାଙ୍କ ମାୟା-ପ୍ରଭାବରେ ମୁଁ ମଧ୍ୟ ମୋହିତ ହୋଇ ପଡ଼ିଥିଲି । ବର୍ତ୍ତମାନ ସେହି ମାୟା ଆପଣଙ୍କୁ ମୋହଜାଲରେ ପକାଇଅଛି । ଏ ମୋହ ସହଜରେ ଦୂର ହୁଏନାହିଁ । ହେ ପକ୍ଷୀରାଜ ! ଆପଣ ବ୍ରହ୍ମାଙ୍କ ନିକଟକୁ ଯାନ୍ତୁ । ସେ ଯେପରି ଆଦେଶ ଦେବେ, ଆପଣ ସେହିପରି କାର୍ଯ୍ୟ କରିବେ ।

 

ନାରଦ ଏପରି ପରାମର୍ଶ ଦେଇ ଚାଲିଯିବା ପରେ ଗରୁଡ଼ ବ୍ରହ୍ମାଙ୍କ ପାଖକୁ ଯାଇ ତାଙ୍କର ସମସ୍ତ ସନ୍ଦେହ କଥା ତାଙ୍କୁ ଜଣାଇଲେ । ବ୍ରହ୍ମା ଗରୁଡ଼ଙ୍କଠାରୁ ଏ ପ୍ରଶ୍ନ ଶୁଣି ଆନନ୍ଦରସରେ ମଗ୍ନହେଲେ ଏବଂ ଗରୁଡ଼ଙ୍କୁ କହିଲେ–ହେ ପକ୍ଷୀରାଜ, ଶ୍ରୀରାମଙ୍କର ମହିମା କେବଳ ମହାଦେବ ଜାଣନ୍ତି । ଆପଣ ତାଙ୍କ ପାଖକୁ ଯାଆନ୍ତୁ ।

 

ଗରୁଡ଼ ଅତ୍ୟନ୍ତ ଆର୍ତ୍ତ ଅବସ୍ଥାରେ ମୋ ପାଖକୁ ଆସିଲେ । ମୋତେ ପ୍ରଣାମକରି ବିନୟପୂର୍ବକ ଶ୍ରୀରାମଚରିତ ଶୁଣିବାକୁ ଇଚ୍ଛା କରିବାରୁ ମୁଁ ତାଙ୍କୁ ଶ୍ରୀରାମରସ-କଥା କହିଲି । ମୁଁ ପୁଣି ତାଙ୍କୁ ସେତେବେଳେ କହିଲି, ମୋତେ ତୁମେ ମାର୍ଗ ମଧ୍ୟରେ ସାକ୍ଷାତ୍‌ କଲ । ମାର୍ଗ ମଧ୍ୟରେ ଗତିକରିବା ସମୟରେ ମୁଁ ଏ ଶ୍ରୀରାମରସ ତୁମକୁ କିପରି ବୁଝାଇବି ? ଦୀର୍ଘକାଳ ପର୍ଯ୍ୟନ୍ତ ସତ୍‌ସଙ୍ଗ କଲେ ତୁମର ସମସ୍ତ ସନ୍ଦେହ ଦୂର ହେବ । ଉତ୍ତର ଦିଗରେ ଏକ ସୁନ୍ଦର ନୀଳପର୍ବତ ଅଛି । ସେହି ପର୍ବତ ଉପରେ କାକଭୁଷଣ୍ଡୀ ଅବସ୍ଥାନ କରୁଅଛନ୍ତି । ରାମଭକ୍ତି ମାର୍ଗରେ ସେ ପ୍ରବୀଣ-। ତୁମେ ସେ ସ୍ଥଳକୁ ଯାଇ ତାଙ୍କଠାରୁ ଶ୍ରୀରାମ-ଗୁଣଗ୍ରାମ ଶୁଣିଲେ ତୁମର ସମସ୍ତ ମୋହ ଦୂର ହେବ । ଗରୁଡ଼ ମୋର ପରାମର୍ଶ ଗ୍ରହଣ କଲେ; ମୋ ନିକଟରୁ ଯାଇ ସେହି ସୁନ୍ଦର ନୀଳପର୍ବତର ଶିଖରଦେଶକୁ ଗମନ କଲେ ।

 

ମୁଁ ତାଙ୍କୁ ଶ୍ରୀରଘୁନାଥଙ୍କର କଥାସବୁ କହିଲି ନାହିଁ; କାରଣ ଶ୍ରୀରାମଙ୍କ କୃପାବଶରୁ ମୁଁ ତାଙ୍କର ରହସ୍ୟ ଜାଣିବାପାଇଁ ସମର୍ଥ ହୋଇଅଛି । ଗରୁଡ଼ଙ୍କର ମନରେ କାଳେହେଁ କେତେବେଳେ ଅଭିମାନ ଆସିଥିବ ବୋଲି ମୋର ମନେହେଲା । କୃପାନିଧାନ ଶ୍ରୀରାମ ସେ ଅଭିମାନ ତାଙ୍କ ମନରୁ ଉତ୍ପାଟନ କରିବାକୁ ଇଚ୍ଛା କରୁଥିବେ । ପୁଣି ପକ୍ଷୀମାନଙ୍କର ଭାଷା ପକ୍ଷୀମାନେ ସହଜରେ ବୁଝିପାରିବେ । ଏସବୁ କଥା ମନରେ ଭାବି ମୁଁ ଗରୁଡ଼ଙ୍କୁ କାକଭୁଷଣ୍ଡୀଙ୍କ ପାଖକୁ ପ୍ରେରଣ କଲି । ଗରୁଡ଼ ତ ଭକ୍ତିଶିରୋମଣି, ପୁଣି ସେ ନାରାୟଣଙ୍କର ବାହନ । ତଥାପି ସେ ମାୟାରେ ମୋହିତ ହେଲେ ! ମନୁଷ୍ୟ ଏସବୁ କଥା ଜାଣି ମଧ୍ୟ ମୂର୍ଖତା ଯୋଗୁଁ ଗର୍ବ କରେ ।

 

ଗରୁଡ଼ ମହାଦେବଙ୍କ ନିର୍ଦ୍ଦେଶରେ ଉତ୍ତର ଦିଗକୁ ଯାତ୍ରାକଲେ । ନୀଳପର୍ବତ ଉପରକୁ ଗଲେ । ସେଠାରେ ତାଙ୍କର କାକଭୂଷଣ୍ଡୀଙ୍କ ସହିତ ସାକ୍ଷାତ୍‌ ହେବାପୂର୍ବରୁ ସେ ପର୍ବତର ଦୃଶ୍ୟ ଦେଖି ବିମୋହିତ ହୋଇପଡ଼ିଲେ । ତାଙ୍କର ମନ ପ୍ରସନ୍ନ ହୋଇଗଲା । ସେଠାରେ ଥିବା ପୁଷ୍କରିଣୀରେ ସ୍ନାନାନ୍ତେ ଜଳପାନ କଲେ । ସେଠାରେ ବଟବୃକ୍ଷରେ କାକଭୁଷଣ୍ଡୀଙ୍କୁ ଦେଖି ତାଙ୍କର ଶରୀର ରୋମାଞ୍ଚିତ ହେଲା । ବଟବୃକ୍ଷରେ ଆହୁରି ଅନେକ ବୃକ୍ଷ ବିହଙ୍ଗ ବସିଥିଲେ । ଗରୁଡ଼ ସେଠାରେ ପହଞ୍ଚିବା ସଙ୍ଗେ ସଙ୍ଗେ କାକଭୁଷଣ୍ଡୀଙ୍କ ମନ ଆନନ୍ଦରେ ଦ୍ରବୀଭୂତ ହେଲା । ସେ ଗରୁଡ଼ଙ୍କୁ ତାଙ୍କର ଆଗମନର କାରଣ ପ୍ରଚାରିଲେ ।

 

ଗରୁଡ଼ କହିଲେ–ହେ କାକରୂପୀ ମହାଜ୍ଞାନୀ; ମୁଁ ମହାଦେବଙ୍କଠାରୁ ଆପଣଙ୍କର ପ୍ରଶଂସା ଶୁଣିଅଛି । ମୁଁ ଆଜି ଆପଣଙ୍କର ଦର୍ଶନଲାଭ କରି କୃତାର୍ଥ ହୋଇଅଛି । ଆପଣଙ୍କ ମୁଖରୁ ଶ୍ରୀରାମକଥା ଶୁଣିବା ନିମନ୍ତେ ମୁଁ ଏଠାକୁ ଆସିଅଛି । ଆପଣ ମୋ ପ୍ରତି ଅନୁଗ୍ରହ କରନ୍ତୁ ।

 

ସେତିକିବେଳେ କାକଭୁଷଣ୍ଡୀ ପକ୍ଷୀମାନଙ୍କ ସମ୍ମୁଖରେ ଶ୍ରୀରାମକଥା ବ୍ୟାଖ୍ୟାନ କରିବା ପାଇଁ ଯାଉଥିଲେ । ସେ ଗରୁଡ଼ଙ୍କର ଏ ବିନମ୍ର ବାଣୀ ଶୁଣି ଅତିଶୟ ସନ୍ତୁଷ୍ଟ ହେଲେ । ସେ ରାମକଥା ସମସ୍ତଙ୍କୁ ଶୁଣାଇଲେ । ଗରୁଡ଼ ଓ ଅନ୍ୟାନ୍ୟ ପକ୍ଷୀସକଳ ଅତ୍ୟନ୍ତ ଭକ୍ତିଗଦ୍‌ଗଦ୍‍ ଚିତ୍ତରେ ରାମକଥା ଶୁଣିସାରିବା ପରେ ଗରୁଡ଼ କହିଲେ–ହେ ମହାଜ୍ଞାନୀ, ଆପଣଙ୍କ ଅନୁଗ୍ରହରୁ ମୋ ମନରୁ ସମସ୍ତ ସନ୍ଦେହ ଦୂର ହେଲା । ଯୁଦ୍ଧକ୍ଷେତ୍ରରେ ପ୍ରଭୁଙ୍କର ନାଗପାଶବନ୍ଧନ ଦେଖି ମୋ ମନରେ ଅତ୍ୟନ୍ତ ମୋହ ଜାତ ହୋଇଥିଲା । ମୁଁ ବିଚାରକଲି, ସଚ୍ଚିଦାନନ୍ଦ ଶ୍ରୀରାମଚନ୍ଦ୍ର, କିପରି ନାଗପାଶବନ୍ଧନରେ ଆବଦ୍ଧ ହେଲେ ! ତାଙ୍କରି କୃପାରୁ ଆଜି ଏ ସୁନ୍ଦର ହରିକଥା ଶୁଣିଲି; ମୋ ମନରୁ ସମସ୍ତ ସନ୍ଦେହ ଦୂର ହେଲା ।

 

ଗରୁଡ଼ଙ୍କର ଏ ବିନୟବାଣୀ ଶୁଣି କାକଭୂଷଣ୍ଡୀଙ୍କର ଶରୀର ରୋମାଞ୍ଚିତ ହେଲା । ତାଙ୍କ ନେତ୍ର ଅଶ୍ରୁପୂର୍ଣ୍ଣ ହେଲା । କାକଭୂଷଣ୍ଡୀ କହିଲେ–ମୁଁ ଅନେକ ଜନ୍ମରେ ଅନେକ ପ୍ରକାର କର୍ମ କରିଛି; କିନ୍ତୁ ଏ ଜନ୍ମରେ ଯାହା ସୁଖଲାଭ କରିଛି, ସେପରି ସୁଖ କେବେହେଲେ ଲାଭ କରି ନଥିଲି । ପୂର୍ବଜନ୍ମର ବହୁତ କଥା ମୋର ସ୍ମରଣ ଅଛି । ଶିବକୃପା ଯୋଗୁଁ ମୋତେ ମୋହ ମୋହିତ କରିପାରିନାହିଁ । ମୁଁ ମୋର ପ୍ରଥମ ଜନ୍ମର ଚରିତ କହୁଛି, ଶୁଣନ୍ତୁ ।

 

ପୂର୍ବେ ଏକ କଳ୍ପରେ କଳିଯୁଗ ଥିଲା । ସେ ଯୁଗରେ ସ୍ତ୍ରୀ ଓ ପୁରୁଷମାନେ ଅଧର୍ମପରାୟଣ ଓ ବେଦ ବିରୋଧୀ ଥିଲେ । ସେହି ସମୟରେ ମୁଁ ଅଯୋଧ୍ୟାନଗରରେ ଶୂଦ୍ର ଶରୀର ଧାରଣ କରି ଜନ୍ମଗ୍ରହଣ କରିଥିଲି । ମୁଁ ଶିବସେବକ ଥିଲେ ସୁଦ୍ଧା ଅନ୍ୟ ଦେବଦେବୀଙ୍କର ନିନ୍ଦା କରୁଥିଲି । ମୁଁ ଉଗ୍ରବୁଦ୍ଧି ସମ୍ପନ୍ନ ଥିଲି । ଶ୍ରୀରଘୁନାଥଙ୍କ ମହିମା ମୋତେ ଜଣା ନ ଥିଲା । କଳିଯୁଗର ପ୍ରଭାବରେ ନରନାରୀମାନେ ପାପପରାୟଣ ଥିଲେ । ଅଯୋଧ୍ୟାରେ ଥରେ ଦୁର୍ଭିକ୍ଷ ପଡ଼ିଲା । ସେ ଦୁର୍ଭିକ୍ଷ-ଦାଉ ସମ୍ଭାଳି ନ ପାରି ମୁଁ ସେଠାରୁ ଉଜ୍ଜୟିନୀ ପଳାଇଗଲି । ସେଠାରେ ମୁଁ ଜଣେ ବିଷ୍ଣୁ, ଓ ଶିବପରାୟଣ ବ୍ରାହ୍ମଣଙ୍କର ଶିଷ୍ୟ ହୋଇ ସମୟ ଅତିବାହିତ କଲି; କିନ୍ତୁ ମୋ ମନରେ ସ୍ଵଚ୍ଛତା ନ ଥାଏ । ବିଷ୍ଣୁଭକ୍ତଙ୍କ ପ୍ରତି ମୋର ସର୍ବଦା ହିଂସା ଥାଏ । ଗୁରୁ ଏ କଥା ଜାଣିପାରି ମୋତେ ନିକଟକୁ ଡାକି କହିଲେ, ଶ୍ରୀରାମଙ୍କ ଚରଣରେ ଭକ୍ତି ରହିଲେ ଶିବସେବାର ଫଳ ପାଇବ-। ଶିବ ଓ ବ୍ରହ୍ମା ମଧ୍ୟ ଶ୍ରୀରାମଙ୍କୁ ଭଜନ କରନ୍ତି । ଗୁରୁଙ୍କଠାରୁ ଏ କଥା ଶୁଣିବା ପରେ ଗୁରୁଙ୍କଠାରେ ମଧ୍ୟ ମୋର ହିଂସା ଜନ୍ମିଲା । କିନ୍ତୁ ଗୁରୁଙ୍କର ମୋ ପ୍ରତି ସ୍ନେହ ଅସୀମ ଥିଲା । ସେ ମୋତେ ନାନା ଶିକ୍ଷା ଦେଇ ବୋଧଦେଲେ; କିନ୍ତୁ ମୋ ହୃଦୟରେ ଦୁଷ୍ଟବୁଦ୍ଧି ଓ କୁଟିଳତା ପୂରିରହିଥିଲା ।

 

ଦିନେ ଶିବମନ୍ଦିରରେ ମୁଁ ଶିବନାମ ଜପ କରୁଥିବାବେଳେ ଗୁରୁ ମୋ ପାଖରେ ପହଞ୍ଚିଲେ । ମୋ ପାଖରେ ଏପରି ଅଭିମାନ ଥିଲା ଯେ ମୁଁ ଗୁରୁଙ୍କୁ ମଧ ପ୍ରଣାମ କଲିନାହିଁ; କିନ୍ତୁ ଗୁରୁଙ୍କ ହୃଦୟରେ ଲେଶମାତ୍ର କ୍ରୋଧର ଚିହ୍ନ ନ ଥିଲା । ସେତିକିବେଳେ ମୁଁ ଏକ ଶୂନ୍ୟବାଣୀ ପୁଣି ସ୍ତମ୍ଭିତ ହେଲି-ଆରେ ଅଭିମାନୀ ମୂର୍ଖ, ତୋର ଗୁରଙ୍କ ହୃଦୟରେ ତିଳେମାତ୍ର କ୍ରୋଧ ନ ଥିଲେ ସୁଦ୍ଧା, ସେ ଅତ୍ୟନ୍ତ କୃପାଳୁ ହୋଇଥିଲେ ମଧ୍ୟ ତୋ ହୃଦୟ ଅଭିମାନପୂର୍ଣ୍ଣ ହୋଇ ରହିଛି । ସେହି କାରଣରୁ ଦଶ ସହସ୍ର ବର୍ଷ ପର୍ଯ୍ୟନ୍ତ ତୁ ତିର୍ଯ୍ୟକ୍‌ ଜାତିରେ ଦୁଃଖ ଲାଭ କରୁଥିବ । ତୁ ସର୍ପ ହୋଇଯାଆ ।

 

ଗୁରୁ ମୋର ଏ ଅଭିଶାପ କଥା ଶୁଣି ଏବଂ ମୋର ହୃଦୟ କମ୍ପିତ ହେଉଥିବା ଦେଖି ଶିବଙ୍କୁ ପ୍ରାର୍ଥନା କରି କହିଲେ, ଏ ଅଜ୍ଞାନୀ ମାୟାରେ ଭ୍ରମିତ ହେଉଅଛି । ଆପଣ ଏହାକୁ ଅନୁଗ୍ରହ କରନ୍ତୁ । ଏହାର ପରମ କଲ୍ୟାଣ ହେଉ । ଗୁରୁଙ୍କ ସ୍ଥାନରେ ଶିବ ସନ୍ତୁଷ୍ଟ ହୋଇ କହିଲେ–ହେ ବ୍ରାହ୍ମଣ, ମୋର ଅଭିଶାପ ବ୍ୟର୍ଥ ହେବନାହିଁ । ସେ ନିଶ୍ଚୟ ଏକ ସହସ୍ର ଜନ୍ମ ପାଇବ; କିନ୍ତୁ ଜନ୍ମ-ମରଣର ଦୁଃସହ ଦୁଃଖ ତାହାକୁ ବାଧିବ ନାହିଁ । ଏହାର ଜନ୍ମ ଅଯୋଧ୍ୟାପୁରୀରେ ହେବ । ତେଣୁ ଅଯୋଧ୍ୟାର ପ୍ରଭାବ ଓ ମୋର କୃପା ଫଳରେ ଏହାର ହୃଦୟରେ ରାମଭକ୍ତି ଜନ୍ମିବ । ବ୍ରାହ୍ମଣ ପ୍ରୀତହେଲେ ଭଗବାନ ପ୍ରୀତ ହୁଅନ୍ତି । ମୁ ଆଶୀର୍ବାଦ ଦେଉଛି, ତୋର ଜଗତରେ ଅବାଧ ଗତି ହେବ ।

 

ଗୁରୁ ମୋତେ ନାନା ସତ୍‌ଶିକ୍ଷା ଦେଇ ଗୃହକୁ ପ୍ରତ୍ୟାବର୍ତ୍ତନ କଲେ । ମୁଁ ବିନ୍ଧ୍ୟାଚଳରେ ପ୍ରଥମେ ସର୍ପଭାବରେ ଜନ୍ମିଲି । ଇଚ୍ଛାନୁସାରେ ଏକ ପରେ ଏକ ଶରୀର ତ୍ୟାଗ କରି ଅନ୍ୟ ଶରୀର ଗ୍ରହଣ କଲି; କିନ୍ତୁ ହୃଦୟ ମଧ୍ୟରେ ସଦାସର୍ବଦା ଶ୍ରୀରଘୁନାଥଙ୍କର ଭଜନ କରୁଥାଏ । ଅବଶେଷରେ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କଲି । ମୋର ପିତା ମୋତେ ଶିକ୍ଷାଦୀକ୍ଷା ଦେଲେ । ମୋର କେବଳ ଶ୍ରୀରାମଙ୍କ ଚରଣରେ ଧ୍ୟାନ ଥାଏ । ପିତାମାତାଙ୍କ ମୃତ୍ୟୁ ପରେ ଶ୍ରୀରାମଭଜନ ନିମନ୍ତେ ମୁଁ ବନ ମଧ୍ୟକୁ ଚାଲିଗଲି । ମୁନିମାନଙ୍କ ସଙ୍ଗେ ମିଶି ମୁଁ ସେମାନଙ୍କଠାରୁ ଶ୍ରୀରାମଙ୍କର ଗୁଣବର୍ଣ୍ଣନା ଶୁଣିଲି । ଶ୍ରୀରାମଙ୍କର ଚରଣ କମଳ ଦର୍ଶନ ନିମନ୍ତେ ମୋର ଏକମାତ୍ର ଲାଳସା ରହିଲା । ଶ୍ରୀରାମଗୁଣ ଗାଇ ଗାଇ ମୁଁ ବନ-ପର୍ବତରେ ବୁଲୁଥାଏ ।

 

ସୁମେରୁ ପର୍ବତର ଶିଖର ଉପରେ ଏକ ବଟବୃକ୍ଷର ଛାୟାରେ ଲୋମଶ ମୁନି ବସିଥିଲେ । ମୁଁ ତାଙ୍କୁ ଦେଖି ତାଙ୍କ ଚରଣରେ ନମସ୍କାର କଲି । ମୁନି ମୋର ଅତିଶୟ ବିନମ୍ରବାଣୀ ଶୁଣି ମୋତେ ପଚାରିଲେ-ହେ ବ୍ରାହ୍ମଣ, ଆପଣ ଏଠାରେ କାହିଁକି ଭ୍ରମଣ କରୁଅଛନ୍ତି ।

 

ମୁଁ କହିଲି, ‘ହେ କୃପାନିଧି ! ଆପଣ ସର୍ବଜ୍ଞ । ମୋତେ ବ୍ରହ୍ମ-ଆରାଧନାର ଉପାୟ ବତାଇ ଦିଅନ୍ତୁ ।’ ମୁନି ପ୍ରସନ୍ନ ହେଲେ । ସେ ମୋତେ ଶ୍ରୀରାମଙ୍କର ନିର୍ଗୁଣ ଉପାସନା ମାର୍ଗ ଉପଦେଶ ଦେଲେ । କିନ୍ତୁ ମୁଁ ଶ୍ରୀରାମଙ୍କର ସାକ୍ଷାତ୍‌ ସ୍ଵରୂପ ଦର୍ଶନ ନିମନ୍ତେ ତାଙ୍କ ନିକଟରେ ବାରମ୍ବାର ପ୍ରାର୍ଥନା କଲି । ମୁନୀଶ୍ଵରଙ୍କର ମୁଖର ଭଙ୍ଗୀ ବଦଳିଗଲା । ଉତ୍ତର-ପ୍ରତ୍ୟୁତ୍ତରରେ ମୁନି ବିରକ୍ତି ପ୍ରକାଶ କରି ମୋତେ ‘କାକ ହୋଇଯାଅ’ ବୋଲି ଅଭିଶାପ ଦେଲେ । ସେହିଦିନଠାରୁ ଗୋଟିଏ କାକରୂପେ ମୁଁ ବୁଲୁଥିଲେ ମଧ୍ୟ ମୋର ମନରେ ଦୁର୍ବଳତା ଆସିଲା ନାହିଁ । ମୁନିଙ୍କୁ ପ୍ରଣାମ ଜଣାଇ ସେଠାରୁ ଶ୍ରୀରାମ-ସ୍ମରଣ କରି କରି ଉଡ଼ି ଉଡ଼ି ଚାଲିଗଲି । ଏଥିରେ ମୁନିଙ୍କର କୌଣସି ଦୋଷ ନାହିଁ । ଶ୍ରୀରଘୁନାଥଙ୍କ ପ୍ରେରଣା ଫଳରେ ମୋତେ ପରୀକ୍ଷା କରିବାପାଇଁ ମୁନି ମୋତେ କାକରୂପେ ପରିଣତ କରିଦେଲେ ।

 

ମୋର ହୃଦୟରେ ଶ୍ରୀରାମଙ୍କ ପ୍ରତି ଅଶେଷ ଶ୍ରଦ୍ଧା, ଧୈର୍ଯ୍ୟ ଓ ବିନୟ ଦେଖି ମୁନି ମୋତେ ପୁଣି ନିକଟକୁ ଡାକିଲେ । ମୋ ମନରେ ସନ୍ତୋଷ ଅଣାଇ ମୋତେ ଶ୍ରୀରାମ-ମହାମନ୍ତ୍ର ଦୀକ୍ଷାଦେଲେ । ସେ ଶ୍ରୀରାମଚରିତମାନସ ମୋ ଆଗରେ ବର୍ଣ୍ଣନା କରି କହିଲେ, ‘ତୁମେ ଶିବଙ୍କ କୃପା ଫଳରେ ଶିରାମଚରିତରମାନସ ଲାଭ କରିଥିଲ । ତୁମେ ତାହାଙ୍କର ଭକ୍ତ ବୋଲି ତୁମକୁ ସମସ୍ତ ଚରିତ କହିଲି ।’ ତାପରେ ମୋର ମସ୍ତକ ସ୍ପର୍ଶ କରି କହିଲେ, ମୁଁ ଆଶୀର୍ବାଦ ପ୍ରଦାନ କରୁଛି-। ମୋର କୃପାବଳରେ ତୁମ ହୃଦୟରେ ସର୍ବଦା ଶ୍ରୀରାମଭକ୍ତି ସଂଚରିତ ହେବ । ତୁମର କୌଣସି ଦୁଃଖ ରହିବ ନାହିଁ ।

 

ସେତିକିବେଳେ ଆକାଶ-ବାଣୀ ଶୁଣି ମୋ ମନରୁ ସମସ୍ତ ସନ୍ଦେହ ଦୂର ହେଲା । ମୁଁ ଏଇ ଆଶ୍ରମରେ ସତେଇଶ କଳ୍ପ ହେଲା ବାସକରୁଛି । ଅଯୋଧ୍ୟାରେ ଯେତେବେଳେ ଶ୍ରୀରାମ ରୂପଧାରଣ କରନ୍ତି ମୁଁ ସେହିଠାରେ ଯାଇ ରହେ । ଶ୍ରୀରାମଭକ୍ତିର ମହିମା ଅପାର ଅଟେ ।

 

କାକଭୁଷଣ୍ଡୀଙ୍କର ଉତ୍ତରଗୁଡ଼ିକ ଓ ତାଙ୍କର ଜୀବନଚରିତ ଶୁଣି ଗରୁଡ଼ କହିଲେ–ହେ ଶ୍ରୀରାମ ଭକ୍ତ ଶିରୋମଣି, ମୁଁ ଆପଣଙ୍କଠାରୁ ଶ୍ରୀରାମରସ ଶୁଣିଲି । ମୋର ଗୋଟିଏ କଥା ପଚାରିବାକୁ ଅଛି । ମୁଁ ଜ୍ଞାନ ଓ ଭକ୍ତି ମଧ୍ୟରେ ପ୍ରଭେଦ ବୁଝିପାରୁନାହିଁ । ଦୟାକରି ମୋତେ ଏ ବିଷୟଟି ବୁଝାଇ ଦିଅନ୍ତୁ ।

 

କାକଭୁଷଣ୍ଡୀ କହିଲେ–ଜୀବ ଈଶ୍ଵରଙ୍କର ଅଂଶ ଅଟେ । ତେଣୁ ସେ ଅବିନାଶୀ, ଚେତନ, ନିର୍ମଳ ଓ ସ୍ଵଭାବତଃ ସୁଖୀ । କେବଳ ମାୟାର ବଶୀଭୂତ ହୋଇ ସେ ନିଜକୁ ଆବଦ୍ଧ କରିପକାଏ । ଜଡ଼ ଚେତନା ମଧ୍ୟରେ ଏକ ଗ୍ରନ୍ଥି ସୃଷ୍ଟି ହୋଇଯାଏ ଏ ଗ୍ରନ୍ଥି ମିଥ୍ୟା ହେଲେ ମଧ୍ୟ ଏଥିରୁ ରକ୍ଷା ପାଇବା କଠିନ । ଏହାର ଫଳରେ ଜୀବ ସଂସାରୀ ହୋଇଯାଏ । ଏ ଗ୍ରନ୍ଥି ଛିଣ୍ଡେ ନାହିଁ, ତେଣୁ ଜୀବ ସୁଖୀ ହୋଇପାରେନାହିଁ । ଜୀବର ହୃଦୟକୁ ଅଜ୍ଞାନରୂପୀ ଅନ୍ଧକାର ଆଚ୍ଛନ୍ନ କରି ରଖିଅଛି; ତେଣୁ ସେ ଗ୍ରନ୍ଥି ଦେଖିପାରେ ନାହିଁ । ଈଶ୍ଵରଙ୍କର କୃପା ହେଲେ ଯଦି କୌଣସି ସଂଯୋଗ ମିଳେ, ତେବେ ଏ ଗ୍ରନ୍ଥି ଛିଣ୍ଡି ଯାଇପାରେ । ଶ୍ରୀହରି କୃପା ଫଳରେ ହୃଦୟରେ ସାତ୍ତ୍ୱିକ ଶ୍ରଦ୍ଧା ଉତ୍ପନ୍ନ ହୁଏ; ଜପ, ତପ, ବ୍ରତ ଓ ନିୟମାଦି ପୂର୍ବକ ଆସ୍ତିକ ଓ ନିଷ୍କାମ ଭାବ ଦ୍ଵାରା ଯୋଗାଗ୍ନି ପ୍ରକଟିତ ହେଲେ ସଂସାରଭ୍ରମ ନଷ୍ଟ ହୁଏ, ମୋହ ଦୂର ହୋଇଯାଏ ଓ ଜଡ଼ଚେତନା ମଧ୍ୟରେ ଗ୍ରନ୍ଥି ଖୋଲିଯାଏ I ଜ୍ଞାନ ଅନ୍ୟକୁ ବୁଝାଇବା, ନିଜେ ବୁଝିବା ଏବଂ ସାଧନା କରିବା କଠିନ ଅଟେ । ଶ୍ରୀରାମ ଭଜନ ଦ୍ଵାରା ଇଚ୍ଛା ନକରୁଥିବା ବ୍ୟକ୍ତିକୁ ମଧ୍ୟ କୈବଲ୍ୟ ବା ମୋକ୍ଷ ମିଳେ । ସ୍ଥଳ ବିନା ଜଳ ଯେପରି ରହିପାରେ ନାହିଁ, କୈବଲ୍ୟ-ସୁଖ ଶ୍ରୀହରିଭକ୍ତି ବିନା ମିଳିପାରେ ନାହିଁ । ମୁଁ ସେବକ ଓ ଭଗବାନ ସେବା-ଏହି ଭାବ ବିନା ସଂସାର-ସମୁଦ୍ର ତରିବା ଅସମ୍ଭବ ।

 

ଶ୍ରୀରାମଭକ୍ତିରୂପକ ସୁନ୍ଦର ଚିନ୍ତାମଣିଙ୍କୁ ଯେ ହୃଦୟରେ ସ୍ଥାପନ କରିପାରନ୍ତି, ତାହାର ହୃଦୟକୁ ମୋହ ଗ୍ରାସ କରିପାରେ ନାହିଁ । ଶତ୍ରୁ ତାହାପାଇଁ ମିତ୍ର ଏବଂ ବିଷ ତା ପାଇଁ ଅମୃତ ହୋଇଯାଏ । ତାହାର ହୃଦୟରେ ଲେଶମାତ୍ର ଦୁଃଖ ରହିପାରେ ନାହିଁ । ଶ୍ରୀରାମ କୃପା ହେଲେ ମନୁଷ୍ୟ ଭକ୍ତିରୂପୀ ଚିନ୍ତାମଣି ପାଏ ।

 

କାକଭୂଷଣ୍ଡ ଜ୍ଞାନଭକ୍ତି ପ୍ରଭୃତି ପ୍ରଶ୍ନର ଉତ୍ତର ଦେଇ ପୁଣି କହିଲେ–ହେ ଗରୁଡ଼, ଶ୍ରୀରାମଙ୍କଠାରେ ଅଚଳା ଭକ୍ତି ହିଁ ସଂସାରସାଗର ତରିବା ନିମନ୍ତେ ଏକମାତ୍ର ପୋତ । ତୁମେ ହୃଦୟରେ ମୋର ଗୋଟିଏ କଥା ବିଚାର କର । ମୁଁ କ’ଣ ଶ୍ରୀରାମ ଭଜନରେ ଅଧିକାରୀ ! ମୁଁ ପକ୍ଷୀମାନଙ୍କ ମଧ୍ୟରେ ନୀଚ ପୁଣି ଅପବିତ୍ର । ତଥାପି ମୁଁ ଆଜି ଧନ୍ୟ ହୋଇଅଛି ଶ୍ରୀରାମ ମୋତେ ନିଜର ବୋଲି ଆପଣଙ୍କ ପରି ସନ୍ଥଙ୍କ ସହିତ ଭେଟ କରାଇ ଦେଇଛନ୍ତି । ମୁଁ ସେହି ଶ୍ରୀରାମକୁ ନମସ୍କାର କରୁଅଛି ।

 

ଗରୁଡ଼ କହିଲେ–ଆପଣଙ୍କଠାରୁ ଶ୍ରୀରାମଭକ୍ତିରସ ଶୁଣି ମୁଁ ଧନ୍ୟ ହେଲି । ମୋର ଜନ୍ମ ଓ ଜୀବନ ସଫଳ ହେଲା ।

 

ଶ୍ରୀରାମକଥାମୃତ ମନରେ ଗୁଣି ଗୁଣି ଗରୁଡ଼ ବୈକୁଣ୍ଠପୁରକୁ ଯାତ୍ରାକଲେ । ମୁନି ଯାଜ୍ଞବଳ୍‌କ୍ୟ ଶିବ ଓ ପାର୍ବତୀଙ୍କର କଥୋପକଥନ ଭରଦ୍ୱାଜ ମୁନିଙ୍କୁ ଶୁଣାଇଲେ ।

Image